କନ୍ଧ ଆଦିବାସୀଙ୍କ ‘ଡୁମାଅନା’ ପ୍ରଥା: ଏକ ଅନୁଶୀଳନ

କନ୍ଧ ସମାଜରେ ଏହି ପ୍ରଥାକୁ ‘ଜୀଅନା’, ‘ମଶାନଅନା’ ତଥା ‘ଡୁମାଅନା’ ବୋଲି ମଧ୍ୟ କହିଥାନ୍ତି

ଡୋଳାମଣି ମାଝୀ
49 Views
9 Min Read

ଓଡ଼ିଶାର ଆଦିବାସୀ ସମାଜରେ ସମସ୍ତଙ୍କ ପାଇଁ ସମାନ ନିୟମ ଓ ସାମୂହିକ ଜୀବନର ଉଦାହରଣ ଦେଖିବାକୁ ମିଳେ। କନ୍ଧ ଆଦିବାସୀ ସମାଜର ‘ଡୁମାଅନା’ ପ୍ରଥା ଏହିପରି ଏକ ଅଲଗା ପରମ୍ପରା, ଯାହା ଉପରେ ଏଠାରେ ଗବେଷକ ଆଲୋକପାତ କରିଛନ୍ତି। ଲୋକସଂସ୍କୃତିର ଏପରି ଦୁର୍ଲଭ ଦିଗଗୁଡ଼ିକୁ ଲିପିବଦ୍ଧ କରିବା ଆଜିର ସମୟର ଏକ ଆବଶ୍ୟକ କାର୍ଯ୍ୟ। ‘ସମଧ୍ବନି’ ଏହି ପ୍ରୟାସର ଅଂଶ ହୋଇ ଏପରି ଗବେଷଣାମୂଳକ ଲେଖାମାନଙ୍କୁ ପାଠକମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବାକୁ ପ୍ରୟାସରତ। – ସମ୍ପାଦକ

ଓଡ଼ିଶାରେ ସ୍ୱୀକୃତି ପ୍ରାପ୍ତ ୬୨ ପ୍ରକାର ଆଦିବାସୀ ବସବାସ କରନ୍ତି । ଏହି ଆଦିବାସୀ ଗୋଷ୍ଠୀମାନେ ଓଡ଼ିଶାର ପ୍ରାୟ ଜିଲ୍ଲାରେ ଅଳ୍ପେ-ବହୁତେ ବସବାସ କରନ୍ତି । ଅଧାରୁ ଅଧିକାଂଶ ସଂପ୍ରଦାୟ ବା ଆଦିବାସୀ ଗୋଷ୍ଠୀଙ୍କ ରୀତିନୀତି ତଥା ପ୍ରଥା-ପରମ୍ପରାର ମେଳ ଖାଉଥିବା ବେଳେ କିଛି ପ୍ରଥା-ପରମ୍ପରା ଗୋଟିଏ ଗୋଷ୍ଠୀରୁ ଅନ୍ୟଗୋଷ୍ଠୀ ସହ ମେଳ ନଖାଇ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଯେଉଁ ପ୍ରଥାର ମୈାଳିକତା ରହିଛି ସେହି ପ୍ରଥାର ବୈଶିଷ୍ଟ୍ୟର ସର୍ବଦା ଜୟଗାନ ହୋଇଛି । ସେହିଭଳି ଗୋଟିଏ ପ୍ରଥା ହେଉଛି ‘ଡୁମାଅନା’ । ଏହି ପ୍ରଥା ଓଡ଼ିଶାରେ ବସବାସ କରୁଥିବା କନ୍ଧ ଆଦିବାସୀଠାରେ ଦେଖାଯାଏ । ତାହାସହ କନ୍ଧ ଆଦିବାସୀଙ୍କ ସଂସ୍କୃତିର ପ୍ରଭାବରେ ପ୍ରଭାବିତ ଅନ୍ୟ ସମ୍ପ୍ରଦାୟ ତଥା ଜନଗୋଷ୍ଠୀମାନଙ୍କରେ ମଧ୍ୟ ଦେଖାଯାଏ । ଏହାର ମୂଳ ଉତ୍ସକୁ ଖୋଜାଯାଏ ତାହେଲେ ଏହା ଜଣାଯାଏ ଯେ, କନ୍ଧମାନେ ଓଡ଼ିଶାର ଆଦିମ ତଥା ପ୍ରମୁଖ ଜନଜାତି । ଓଡ଼ିଶାରେ ବସବାସ କରୁଥିବା ବିଭିନ୍ନ୍ ଜନଗୋଷ୍ଠୀ ମଧ୍ୟରୁ ଜନସଂଖ୍ୟ ଦୃଷ୍ଟିରୁ ଏମାନେ ସର୍ବାଧିକ । କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, ନୂଆଁପଡ଼ା, ସୋନପୁର, ବୌଦ୍ଧ, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଏମାନେ ବସବାସ କରନ୍ତି । କନ୍ଧମାନଙ୍କୁ ସାଧାରଣତଃ “କୁଟିଆ, ଡଙ୍ଗରିଆ ଓ ଦେଶିଆ”(୧) ଏହି ପ୍ରମୁଖ ତିନି ଭାଗରେ ବିଭକ୍ତ କରାଯାଇଛି । ଯାହା ଏହି ଦେଶିଆ କନ୍ଧମାନେ ଅଧିକମାତ୍ରାରେ ବଲାଙ୍ଗିର ଓ କଳାହାଣ୍ଟି ଜିଲ୍ଲାରେ ବସବାସ କରନ୍ତି । ମୋର ଆଲୋଚ୍ୟ ଉକ୍ତ ପ୍ରବନ୍ଧର କ୍ଷେତ୍ର ପରିସର ମଧ୍ୟ ବଲାଙ୍ଗିର ଓ କଳାହାଣ୍ଟି ଜିଲ୍ଲାର ଦେଶିଆ କନ୍ଧକୁ ନେଇ ପ୍ରସ୍ତୃତ । କନ୍ଧାନଦେଶ’ର (ଅଭିବକ୍ତ ବଲାଙ୍ଗିର ଓ କଳାହାଣ୍ଟି ) ଆଦ୍ୟ ସନ୍ତାନ ହେଉଛନ୍ତି କନ୍ଧମାନେ । ଏହି ଘଂଚ ଅରଣ୍ୟ ଓ ପାହାଡ଼ି ଇଲାକାକୁ ପ୍ରଥମେ କନ୍ଧମାନେ ହିଁ ଆସି ବସତି ସ୍ଥାପନ କରିବା ପାଇଁ ଗଛକାଟି ପଦର (ପଡ଼ିଆ) କରି ତାଙ୍କ ଇଷ୍ଟଦେବତା ‘ଧରଣୀପେନୁ’ (ଧରଣୀଖୁଟା) ସ୍ଥାପନ କଲେ । ଯାହା ଉକ୍ତ ଗୀତରୁ ଜଣାଯାଏ । –

“ ଖୁଟ୍ କାଟ୍‌ଲ ରେଙ୍ଗାଲ ଢାଲ୍ଲ ପଦର ବସ୍‌ଲ କଂଦ୍

ରେଙ୍ଗାଲ୍ ଗେଛ୍‌କେ ବଅତେ ଆନ୍ତେ ଧର୍‌ନି ଗାଢ୍ଲ କଂଦ୍ ।”(୨)

Samadhwani Support us

ପରବର୍ତ୍ତି ପର୍ଯ୍ୟୟରେ ଯେଉଁ ଜନଗୋଷ୍ଠୀମାନେ ଆସି ଏହି ଅଂଚଳରେ (କନ୍ଧାନ) ବସବାସ କଲେ, ସେହିମାନେ କନ୍ଧମାନଙ୍କ ଦ୍ୱାରା ପରିଚାଳିତ ହେବା ସହ କନ୍ଧ ସଂସ୍କୃତିରେ ପଭାବିତ ହେଲେ । ଯାହା ଫଳରେ ବଲାଙ୍ଗିର ଓ କଳାହାଣ୍ଟି ଜିଲ୍ଲାର ଅନ୍ୟ ଜନଗୋଷ୍ଠୀମାନଙ୍କ ଠାରେ ମଧ୍ୟ କନ୍ଧ ରୀତି ଭଳି ‘ଡୁମାଅନା’ ବା ‘ଜୀଅନା’ ପରମ୍ପରା ଦେଖାଯାଏ ।

କନ୍ଧ ସମାଜରେ ଏହି ପ୍ରଥାକୁ ‘ଜୀଅନା’, ‘ମଶାନଅନା’ ତଥା ‘ଡୁମାଅନା’ ବୋଲି ମଧ୍ୟ କହିଥାନ୍ତି । କନ୍ଧ ଭାଷାରେ ଅନା କହିଲେ ଆଣିବା । ଜୀ କହିଲେ ଜୀବନ । ମଶାନ କହିଲେ ଆତ୍ମା ଏବଂ ଡୁମା କହିଲେ ଦେବ୍‌ତା । ଅର୍ଥାତ୍ ଜୀବନ, ଆତ୍ମା ତଥା ଦେବତାଙ୍କୁ ଘରକୁ ଆଣିବା ହେଉଛି ‘ଜୀ ଅନା’ । ଅଞ୍ଚଳ ଭେଦରେ କେଉଁଠି କେଉଁଠି ମଶାନ ଅନା କହିଲାବେଳେ କେଉଁଠି କେଉଁଠି ଡୁମା ଅନା କୁହାଯାଏ । ନାମକରଣରେ ଏହାର ଭିନ୍ନତା ଦେଖାଦେଲେ ମଧ୍ୟ ଏହା ଗୋଟିଏ ହିଁ । ଏହି ଡୁମାଅନା ପରମ୍ପରା ଶୁଦ୍ଧିକ୍ରିୟା ବା ଦଶାହ ଦିନର ସନ୍ଧ୍ୟା ସମୟ ୭ ରୁ ୮ ଟା ପାଖାପାଖି ବେଳେ ଅଣାଯାଏ । ମୃତକ ବ୍ୟକ୍ତିର ଆତ୍ମା ସେତେଦିନ ପର୍ଯ୍ୟନ୍ତ ବାହାରେ ହିଁ ରହିଥାଏ । ତାଙ୍କୁ ଖାଇବା ପାଇଁ ପ୍ରତ୍ୟେକ ଦିନ ‘ଡେଲାବାଟ’କୁ ଯାଇ ବଡ଼ପୁଅ କିମ୍ବା ବୋହୁ ଦେଇକି ଆସନ୍ତି । ଶୁଦ୍ଧିକ୍ରିୟା ବା ଦଶାହ ନ ସାରିବା ପର୍ଯ୍ୟନ୍ତ ଘରକୁ ‘ଡୁମା’ ଆଣି ପାରନ୍ତି ନାହିଁ । ତେଣୁ ଦଶାହ ଦିନ ସନ୍ଧ୍ୟାରେ ‘ଡୁମା’ ଘରକୁ ଅଣାଯାଏ।

‘ଡୁମା’ ଆଣିବା ପାଇଁ ସନ୍ଧ୍ୟାରେ ଜାନି, ଝାଙ୍କର, ଜ୍ୱାଇଁ, ବନ୍ଧୁ-ବାନ୍ଧବ ସମସ୍ତେ ରୁଣ୍ଡ ହୁଅନ୍ତି । ପିଦର ଘରେ ପ୍ରଥମେ ଡୁମା ପୂଜା ହୁଏ । ତାପରେ ଡୁମା ଆଣିବା ପାଇଁ ନୂଆଁ କୁଲା (ପାଖିଆ), ବଇଁଠା, ଅଣ୍ଡା, ମାଇଁ କୁକୁଡ଼ାଟିଏ, ଅରୁଆ ଚାଉଳ, ଧୂପ, ଖଇ, ମଦ, ଚାଉଳ ଗୁଣ୍ଡ, ହଳଦୀ ଗୁଣ୍ଡ ପ୍ରଭୃତି ଅର୍ଘ୍ୟ ଲାଗିହୋଇଥାଏ । ଡୁମା ଆଣିବାର ପ୍ରକ୍ରିୟା ପ୍ରଥମେ ମୃତକ ପରିବାରର ‘ଡୁମାଘରୁ’(ମଚାଘର) ଅରମ୍ଭ ହୁଏ । ‘ଡୁମା’ ବା ‘ମଚା’ ଘରେ (ଯାହାକୁ ପିଦର ଘର ବୋଲି ମଧ୍ୟ କୁହାଯାଏ) ଗୋଟିଏ ପୁଞ୍ଜି ଦେଇ ବଇଁଠା ଜଳାଯାଏ ଓ ସମସ୍ତ ଦେବଦେବୀ ତଥା ମସାନ ଡୁମାନ୍‌କୁ ପୂଜା କରି ଆବାହନ କରାଯାଏ । ଚାଉଳ ଚୂନାକୁ ଗୋଟିଏ ଥାଳିରେ ଭର୍ତ୍ତିକରି ଓଲଟେଇ ଦିଆଯାଏ ଏବଂ ଥାଳିକୁ କାଢ଼ି ଦିଆଯାଏ । ଯାହା ଚାଉଳ ଗୁଣ୍ଡ ଗୋଲାକୃତି ହୋଇ ଉପର ଅଂଶଟି ସମାନ୍ତରାଳ ହୋଇଥିବ । ସେହି ଗୋଲାକୃତି ଗୁଣ୍ଡକୁ ଢାଙ୍କିବା ପାଇଁ ବଡ଼ ଥାଳି ବା ପରାଟଟିଏ ଢାଙ୍କି ଦିଆଯାଏ । ଯେମିତିକି ପବନରେ ଗୁଣ୍ଡ ଉଡ଼ିବ ନାହିଁ କିମ୍ବା କୌଣସି ଜୀବ ସେ ଉପରକୁ ଯାଇପାରିବେ ନାହିଁ। ତାପରେ ନୂଆଁ କୁଲାର ଦୁଇ ପାଶ୍ୱର୍ରେ (ଉତ୍ତରରୁ ଦକ୍ଷିଣକୁ) ପହଞ୍ଚି ହେଉଥିବା ବାଡ଼ି ଉପରେ ଗାମୁଛା ବାନ୍ଧିଦେଇ କୁଲା ଉପରେ ରଖନ୍ତି । ସେହି କୁଲା ଉପରେ ପୂର୍ବରୁ ପିଦର ଘରେ ଜଳାଯାଇଥିବା ଦୀପ ରଖାଯାଏ ଏବଂ ପିଦର ଘରର ସମସ୍ତ ଆଲୋକ ଲିଭାଇ ଦେଇ କିଟିମିଟି ଅନ୍ଧାର କରିଦିଆଯାଏ। କୁଲାକୁ ମୃତକର ବଡ଼ପୁଅ ନଚେତ୍ ନାତି ଧରି ‘ଡେଲାବାଟ’କୁ ଯାଆନ୍ତି । ମସାନ ଆଣିବାକୁ ବାହାରିଲା ପରେ ପିଦର ଘରକୁ ବନ୍ଦ କରିଦିଆଯାଏ । ସେମାନେ ଫେରିବା ପର୍ଯ୍ୟନ୍ତ ସେହି ଘରକୁ କେହି ପଶନ୍ତି ନାହିଁ ।

କୁଲା (ପାଖିଆ)କୁ ପୁଅ କିମ୍ବା ନାତି ଧରି ଘରୁ ବାହାର କଲାପରେ ସେ ରାସ୍ତାର କୌଣସି ସ୍ଥାନରେ ନରହି ଡେଲାବାଟକୁ ସିଧା ଚାଲିଥାଏ । ଗଲାବେଳେ କୁଲା ଧରିଥିବା ଲୋକ ସଚେତନ ଥାଏ କି କୁଲା ଉପରେ ରଖାଯାଇଥିବା ଦୀପ ଯେମିତି ନ ଲିଭିବ ଏଣୁ ସତର୍କତାର ସହ ସେ ଚାଲେ । ସେହି ସ୍ଥାନକୁ ପହଞ୍ଚିଲା ପରେ ପୂର୍ବକୁ ମୁହଁକରି କୁଲାକୁ ରଖାଯାଏ । କୁଲାର ତଳକୁ ଅଳ୍ପ ଗୋବର ଲିପି ଦେଇ ପରିସ୍କାର କରାଯାଏ । ସେହି ଉପରେ ମାଟିତଳେ ଆଗରେ ଗୁଟେ ପୁଞ୍ଜି ଦିଆଯାଏ । ପୁଞ୍ଜି ଉପରେ କୁଲାରେ ରଖା ଯାଇଥିବା ବଇଠା ଦୀପ ରଖାଯାଏ । ତା ତଳକୁ ଲାଗି ତିନୋଟି କଠୋରୀ କରି ଯନ୍ତ୍ର କଟାଯାଏ। ସେହି ତିନୋଟି କଠୋରୀରେ ତିନି ପୁଞ୍ଜି ଦେଇ ନିଆଯାଇଥିବା ସମସ୍ତ ଭୋଗ ଲଗାଯାଏ ଓ କୁକୁଡ଼ାକୁ ଚାଉଲ ଠୁକାଇ ଦେବତା ବା ଡୁମାକୁ ମନାଯାଏ । ତା ତଳକୁ ପୁଣି ଚାଉଳ ଚୁନାର ଗୋଲାକୃତି କଟାଯାଇ ମଝିରେ ବଡ଼ ଚାଉଳ ପୁଞ୍ଜିଟିଏ ଦେଇ ଅଣ୍ଡା ବସାଯାଏ । ଅଣ୍ଡା ଉପରେ କେତେଜଣ ଚାଉଳ ରଖିଥାନ୍ତି । ଯାହାର ଚାଉଳ ଅଣ୍ଡା ଉପରେ ଯେତୋଟି ରହିବ ତାର ସେତୋଟି ଛୁଆ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହାପରେ ସେଠି ଉପସ୍ଥିତ ସମସ୍ତେ ମଦ ଥିପାଇ ତାଙ୍କ ଭାଷାରେ ଡୁମାକୁ ଅବାହନ କରନ୍ତି – “ଦେଖ୍ ତୁଇ ସତ୍‌ତେ ଆଛେସ୍ ବେଲେ, ଆମେ ସବୁ ତୋର ପୋ ପରଝା, ଭାଏ-ଦାଏ, ଜୁଏଁ-ପୋ ଆଲାଛୁଁ ହଜେଗଜେ ନେବାକେ, ଚାଲ୍ ତୁଇ ସତେ ଆଛେସ୍ ବେଲେ ଆମ୍ ବୁଆ ।”(୩) ତାପରେ ଅପେକ୍ଷା କରନ୍ତି ସେ କେଉଁ ରୂପରେ ଆସୁଛନ୍ତି ବୋଲି । ସେଠି ଗୋଲାକାର କଲାପରେ ବଳିଥିବା ଚାଉଳ ଗୁଣ୍ଡକୁ ପାଣିଦେଇ ଅଠାଳିଆ କରି ଗୋଲ କରାଯାଇଥାଏ । ମଦ ଥିପାଇଲା ପରେ ସେହି ଗୋଲାକୃତ ଭିତରକୁ ଚାଣ୍ଟି (ପିମ୍ପୁଡ଼ି) ଆସେ ତାହେଲେ ତାକୁ ଡୁମା ବୋଲି ବିଶ୍ୱାସ କରି ଗୋଲକରିଥିବା ଅଟାରେ ଲଟକେଇ ଦିଆଯାଏ। ଏହିଭଳି ତିନିରୁ ଉର୍ଦ୍ଧ୍ୱ ପିମ୍ପୁଡ଼ି ଆସିଲେ ଡୁମା ଆସିଲେ ବୋଲି ବିଚାରକରି ପୁଣି ଘରକୁ ଫେରିବାର ବ୍ୟବସ୍ଥା କରାଯାଏ । କିନ୍ତୁ ଯଦି ପୂଜା ସରିଲା ପରେ ପିମ୍ପୂଡ଼ି (ଚାଣ୍ଟି) ଶୀଘ୍ର ନ ଆସେ ତାହେଲେ ଡୁମା ସନ୍ତୁଷ୍ଟ ନାହାନ୍ତି ବୋଲି ପୁଣି ମଦ ଥିପାଇ ତାଙ୍କୁ ମାନିବାକୁ ନିବେଦନ କରାଯାଏ । କନ୍ଧ ପରମ୍ପରା ତଥା ବିଧି ଅନୁଯାଇ ପିମ୍ପୁଡ଼ି ଆସିଲେ ଡୁମା ଆସିଲେ ବୋଲି ମନେ କରନ୍ତି । ଅଟାରେ ତିଆରି ପେଣ୍ଡୁଲୋମରେ ଡୁମାର ପ୍ରତୀକ ଭାବରେ ଯେଉଁ ପିମ୍ପୁଡ଼ି ଗୁଡ଼ିକକୁ ଧରାଯାଇଥାଏ ତାହା ବାଡ଼ିରେ ଘୋଡ଼ା ଯାଇଥିବା କପଡ଼ା (ଗାମୁଛା) ଭିତରେ ଢାଙ୍କି ରଖାଯାଏ । ଏହାପରେ ସେଠିକାର ବଇଠାକୁ ପୁଣି ଉଠାଇ କୁଲାରେ ରଖାଯାଏ । ବଡ଼ପୁଅ କୁଲାଧରେ । ଫେରିବା ବାଟରେ କେହି ମଧ୍ୟ କୁଲାଧରୁ (ଯିଏ କୁଲା ଧରେ) ସହ ଛୁଆଇଁ ହୁଅନ୍ତି ନାହିଁ । ଯଦି ଛୁଆଁଇ ହେଲେ ଡୁମା ଫେରିଯାଏ ବୋଲି ବିଶ୍ୱାସ ରହିଛି । ଘରକୁ ପହଞ୍ଚିଲାପରେ ଡୁମାକୁ ଘରର ମହିଳା ଜଣେ ଗୋଡ଼ ଧୋଇ ସ୍ୱାଗତ କରି ତାଙ୍କ ପଣତ କାନିରେ ବୁଲାକୁ ଧରି ପିଦର ଘରକୁ ନିଅନ୍ତି। ତାପରେ ସେଠି ପୂର୍ବରୁ ଢଙ୍କା ଯାଇଥିବା ବଡ଼ପାତ୍ର ବା ପରାଟକୁ ଖୋଲନ୍ତି । ଯଦି ସେହି ଚାଉଳ ଗୁଣ୍ଡ ଉପରେ ଚିହ୍ନ ହୋଇଛି ତାହେଲେ ଡୁମା ଆସିଲା ବୋଲି କନ୍ଧମାନେ ବିଶ୍ୱାସ କରନ୍ତି । ଏବଂ ଡୁମା ପୁଣି କେଉଁ ରୂପରେ ଆସିଛି ତାହା ସେହି ଚିହ୍ନ ଅନୁଯାୟୀ ଜାଣନ୍ତି, ଯଥା – “ହାତୀ ପାହାଁ, ବିଲେଇ ପାହାଁ ଓ ଧାନଖେଣ୍ଡ୍ ଭଳି ଚିହ୍ନ ଦେଖାଯାଏ ।” (୪) ମଶାନ (ଡୁମା) ଆସିଲା ବୋଲି ଜାନି ତଥା ଘରର ମୁଖିଆ ପୂଜା ଦିଏ । ନିଆଁ ଯାଇଥିବା ମାଇଁ କୁକୁଡ଼ାର ଗୋଟିଏ ଆଙ୍ଗୁଠି ଭାଙ୍ଗି ରକ୍ତ ଦିଆଯାଏ ଏବଂ ମଦ ଥିପାଇ ଡୁମାକୁ ସ୍ୱାଗତ କରି ମସାନ ଅନା ତଥା ଡୁମା ଅନା ପ୍ରଥା ଶେଷ କରାଯାଏ।

କନ୍ଧ ସମାଜର ସଂସ୍କାର ବିଧି ଅନନ୍ୟ । କେଉଁ ଆବାହମାନ କାଳରୁ ଏହି ବିଧିଗୁଡ଼ିକ କନ୍ଧ ଆଦିବାସୀମାନେ ପାଳନ କରିଆସୁଅଛି ତାହା ସଠିକ୍ ବାବରେ କହିହେବ ନାହିଁ । କିନ୍ତୁ ଏହାର ମହତ୍ୱକୁ ବିଚାର କଲେ ଜଣାଯାଏ ଯେ, ସମାଜକୁ ଆଳକରି କନ୍ଧ ତା ନିଜର ସଂସ୍କାର ପାଇଁ ଏହି ପ୍ରଥା ଗୁଡ଼ିକ ପାଳନ କରିଆସୁଅଛି। କାରଣ ମଣିଷ ଗୋଟିଏ ନିୟମରେ ବନ୍ଧା ହେଲାପରେ, ପ୍ରାୟତଃ ସେ ପଥଭ୍ରଷ୍ଟ ନ ହୋଇ ଉଚିତ୍ ମାର୍ଗରେ ଚାଲିଥାଏ, ଜୀବନ ପଥ ସୁଗମ ହୋଇଥାଏ ।

ପୃଷ୍ଠଟୀକା –

୧.        ଚବଗ୍ଧଦ୍ଭବସଳ, ଘସଷବକ୍ସ କ୍ସବଦ୍ଭହବଦ୍ଭ, ଐସଗ୍ଦଗ୍ଧକ୍ଟକ୍ସଚ୍ଚ ବଦ୍ଭୟ ଉଙ୍କକ୍ଷଗ୍ଧଙ୍କକ୍ସର ଙଲ କଷକ୍ଟଦ୍ଭୟଷ ଞକ୍ସସଭରଗ୍ଦ, ଉକ୍ଟଜ୍ଞଜ୍ଞକ୍ଟଦ୍ଭଙ୍ଗରବକ୍ଷଗ୍ଧଷ ଚଙ୍କଭକ୍ଷସଗ୍ଦଷରକ୍ସଗ୍ଦ, ଘରଙ୍ଗ ଊରକ୍ଷଷସ, ଓଦ୍ଭୟସବ – ୧୯୯୨, ଚବଶର – ୧୭

୨.        ବିଶୀ, ଦୋଳ ଗୋବିନ୍ଦ, ଢାପ୍ ନୃତ୍ୟ, ପଶ୍ଚିମ ଓଡ଼ିଶାର ଲୋକନୃତ୍ୟ, ସଂ-ଦ୍ୱାରିକାନାଥ ନାୟକ, କଟକ ଷ୍ଟୁଡେଣ୍ଟ, ସୋର, ପ୍ରକାଶକାଳ – ୨୦୧୨, ପୃଷ୍ଠା – ୯୩

୩.        ନିଜ ସଂଗ୍ରହ – ଦୁର୍ଯ୍ୟୋଧନ ମାଝୀ, କୁଟ୍ରୁଖମାର, ଭବାନୀପାଟଣା, କଳାହାଣ୍ଡି – ୫୮

୪.        ନିଜ ସଂଗ୍ରହ- ଧରଣୀଧର ପ୍ରଧାନୀ, ଗୁର୍ଜିଭଟା/ପିପଲପଦର, ଟିଟିଲାଗଡ଼, ବଲାଙ୍ଗିର, ବୟସ-୫୩

Share This Article
ଆଦିବାସୀ ସଂସ୍କୃତି ଗବେଷକ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଜ୍ୟୋତିବିହାର, ବୁର୍ଲା