Home / ସମୀକ୍ଷା / ସାମ୍ପ୍ରଦାୟିକ ସମ୍ପ୍ରୀତିର କେତୋଟି ନଜିର

ସାମ୍ପ୍ରଦାୟିକ ସମ୍ପ୍ରୀତିର କେତୋଟି ନଜିର

Photo credit – https://bit.ly/3i9XQwz

ଉକ୍ତ ଲେଖାଟିରେ ପ୍ରଫେସର ବୀରେନ୍ଦ୍ର ନାୟକ ସାମ୍ପ୍ରଦାୟିକ ସମ୍ପ୍ରୀତିର କିଛି ଉଦାହରଣ ଉପସ୍ଥାପନ କରି ଭାରତବର୍ଷ ଓ ଓଡ଼ିଶାରେ ରହିଆସିଥିବା ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ସମ୍ପର୍କରେ ପାଠକମାନଙ୍କୁ ଜଣାଇବାକୁ ଚେଷ୍ଟା କରିଛନ୍ତି । ଏହିସବୁ ଉଦାହରଣ ଦେଇ ସେ କହିବାକୁ ଚାହିଁଛନ୍ତି ଯେ, “ଏହି ଭଳି ବହୁ ଉଦାହରଣ ରହିଛି ଯାହାକୁ ସଂଗ୍ରହ କରାଯିବା ଉଚିତ ଓ ପ୍ରଚାରିତ ଓ ପ୍ରସାରିତ କରାଯିବା ଉଚିତ । ଏହି ଉଦାହରଣ ଗୁଡିକ ସାମ୍ପ୍ରଦାୟିକ ସଦଭାବର ମୂଳ ଯେ କେତେ ଶକ୍ତିଶାଳୀ ତାହା ଦର୍ଶାଇବା ସହିତ ଏହାକୁ ଯେଉଁମାନେ ଦୋହଲାଇବାକୁ ଚେଷ୍ଟା କରୁଛନ୍ତି ତାଙ୍କ ଉପରେ ମଧ୍ୟ ଏକ ସକାରାତ୍ମକ ପ୍ରଭାବ ପକାଇବ । ଏପରି ସାମ୍ପ୍ରଦାୟିକ ସଦଭାବ ଓ ସମ୍ପ୍ରୀତିର ଐତିହ୍ୟ ସମ୍ପର୍କରେ ଅଜ୍ଞତାକୁ ଦୂର କରିବ ।” – ସମ୍ପାଦକ

ଧର୍ମଶାଳା ବାଣୀପୀଠ

ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ । ଧର୍ମଶାଳା ବାଣୀପୀଠ ଏହି ଅଂଚଳର ଏକ ପୂରାତନ ହାଇସ୍କୁଲ । ଏହାର ଇତିହାସ ସାମ୍ପ୍ରଦାୟିକ ସମ୍ପ୍ରୀତିର ଏକ ଅନନ୍ୟ ଉଦାହରଣ । ଏହି ବିଦ୍ୟାଳୟ ଆରମ୍ଭ ହୋଇଥିଲା ଏକ ଘୋଡାଶାଳରୁ , ଭାରତ ସ୍ୱାଧୀନତା ପାଇବାର ପ୍ରାୟ ୪ ମାସ ପୂର୍ବରୁ, ୧୯ ଏପ୍ରିଲ ୧୯୪୭ ଦିନ । ଘୋଡାଶାଳଟି ଥିଲା ସାହା ମହମ୍ମଦ କ୍ୱାୟମଙ୍କର । ମୁନା ମିଆଁ ନାମରେ ପରିଚିତ ମହମ୍ମଦ କ୍ୱାୟମ ଏହି ବିଦ୍ୟାଳୟର ପ୍ରଥମ ସମ୍ପାଦକ ଥିଲେ । ୨୬ ଡିସେମ୍ବର ୧୯୪୭ରେ ଏହି ବିଦ୍ୟାଳୟର ନାଁ ଦିଆଗଲା ‘ଧର୍ମଶାଳା ବାଣୀପୀଠ’ । ସେତେବେଳେ ଏହି ବିଦ୍ୟାଳୟର ସଭାପତି ଥିଲେ ହାସମ୍ କାଶମଜୀ । ‘ବାଣୀ’ ହେଉଛି ‘ସରସ୍ୱତୀ’ଙ୍କର ଅନ୍ୟନାମ । ସେତେବେଳେତ ବିଦ୍ୟାଳୟରେ ସରକାରଙ୍କ ତରଫରୁ ସ୍ୱରସ୍ୱତୀ ବନ୍ଦନାର ବାଧ୍ୟବାଧ୍ୟକତା ନ ଥିଲା, ଆଜି ଯେପରି କେତେକ ରାଜ୍ୟରେ ଜାରି ହୋଇଛି ଓ ଅନ୍ୟ ରାଜ୍ୟମାନଙ୍କରେ କରାଯିବାର ପ୍ରସ୍ତାବ ଦିଆଯାଉଛି । ଏହା ନ ଥାଇ ତ ବିଦ୍ୟାଳୟର ନାମ ସରସ୍ୱତୀଙ୍କ ନାଁ ରେ ହୋଇଥିଲା ଓ ତାହା ପୁଣି ଜଣେ ମୁସଲମାନଙ୍କ ସଭାପତିତ୍ୱରେ ।

ଏହି ଦୃଷ୍ଟାନ୍ତକୁ ସେମାନେ ସ୍ମରଣ କରିବା ଉଚିତ ଯେଉଁମାନେ ବିଭିନ୍ନ ସୂଚକମାନ ନିର୍ଦ୍ଧାରିତ କରି ବିଜ୍ଞପ୍ତି ଜାରିକରନ୍ତି ଦେଶପ୍ରେମର ପ୍ରମାଣ ଦେବା ପାଇଁ । ଏହି ଦୃଷ୍ଟାନ୍ତ ମଧ୍ୟ ସାବ୍ୟସ୍ତ କରେ ଯେ ଦେଶ ବିଭାଜନର ଅବ୍ୟବହିତ ପୂର୍ବରୁ ପ୍ରତିବେଶୀ ରାଜ୍ୟ ବଂଗଦେଶର କଲିକତାରେ (୧୬ ଅଗଷ୍ଟ ୧୯୪୬) ଓ ପରେ ବିହାରରେ (୨୪ ଅକ୍ଟୋବର ରୁ ୧୧ ନଭେମ୍ବର ୧୯୪୬) ସଙ୍ଗଠିତ ସାମ୍ପ୍ରଦାୟୀକ ଦଂଗାର ଯେପରି ଲେଶମାତ୍ର ପ୍ରଭାବ ଏହି ଅଂଚଳର ଅଧିବାସୀଙ୍କ ଉପରେ ପଡିନଥିଲା । ସାମ୍ପ୍ରଦାୟୀକତାର ବହୁ ଉର୍ଦ୍ଧ୍ୱରେ ଥିଲେ ଧର୍ମଶାଳା ବାସୀ । ଆଜିକା ଦିନରେ ଏପରି ଅଣସାମ୍ପ୍ରଦାୟିକ ମାନସିକତା ଅବିଶ୍ୱସନୀୟ ମନେହୋଇପାରେ । କିନ୍ତୁ ଏହାହିଁ ହେଉଛି ଧର୍ମଶାଳା ବାଣୀପୀଠର ଐତିହ୍ୟ । ଧର୍ମଶାଳା ବାଣୀପୀଠ ସାମ୍ପ୍ରଦାୟୀକ ସୈାହାର୍ଦ୍ଦ୍ୟର ଏକ ଉଲ୍ଲେଖନୀୟ ଉଦାହରଣ ।

ଚାରିଳଂଗଳ, ମାଷ୍ଟର ଗୁଲାବ, ଆକବର ହୁସେନ

ଧର୍ମଶାଳା ବାଣୀପୀଠ ପ୍ରତିଷ୍ଠାର ପୃଷ୍ଠଭୂମି ସମ୍ପର୍କରେ ଅବଗତ ହେବା ସହିତ , ଆମେ ଅବଗତ ହେବା ଉଚିତ ଯେ ଏହି ଅଂଚଳର ଚାରିଳଂଗଳ ପାହାଡ ଉପରେ ଥିବା ଦରଘାରେ କିପରି ହିନ୍ଦୁ ମୁସଲମାନ ଏକାଠି ନିଜର ଭକ୍ତି ନିବେଦନ କରନ୍ତି। ଏହି ଧର୍ମଶାଳା ଅଂଚଳର ପ୍ରଖ୍ୟାତ ନାଟ୍ୟ ନିର୍ଦ୍ଦେଶକ ମାଷ୍ଟର ଗୁଲାବ ସରସ୍ୱତୀଙ୍କର ଫଟ ନିକଟରେ ନିଜର ଭକ୍ତି ନିବେଦନ କରି ନାଟ୍ୟ ନିର୍ଦ୍ଦେଶନା ଆରମ୍ଭ କରୁଥିଲେ । ଏହି ଅଂଚଳ ନିକଟସ୍ଥ ଦର୍ପଣୀର ଜମିଦାର ଆକବର ହୁସେନ ଉଭୟ ହିନ୍ଦୁ ଓ ମୁସଲମାନଙ୍କ ମନ୍ଦିର ଓ ମସଜିଦର ପରିଚାଳନା ପାଇଁ ଜାଗିର ଦେଇଥିଲେ ।

ମାଣିକଗୋଢା, କାଇପଦର

ଖେ।।ର୍ଦ୍ଦା ଜିଲ୍ଲାର ମାଣିକଗୋଢାରେ ଅନୁଷ୍ଠିତ ଦୁର୍ଗାପୂଜାରେ ଗ୍ରାମର ମୁସଲମାନ ମୁଖିଆ କର୍ତ୍ତା ହୋଇ ବସନ୍ତି, କାଇପଦରରେ ହିନ୍ଦୁ ମୁସଲମାନ ଉଭୟ ଭକ୍ତି ଭାବରେ ଏକାଠି ହୁଅନ୍ତି ବୁଖାରୀ ପୀର ସାହେବଙ୍କ ପୀଠରେ ।

ଗଂଜାମ ଜିଲ୍ଲାର ପୋଟଗଡ

ଗଂଜାମ ଜିଲ୍ଲାର ପୋଟଗଡ ଦୁର୍ଗ ନିକଟରେ ଥିବା ଗୋଟିଏ ପୋଖରୀର ଏକ ପାର୍ଶ୍ଵରେ ରହିଛି ଖମ୍ବେଶ୍ୱର ନାମରେ ଜଣା ଶିବ ମନ୍ଦିର ଓ ଅନ୍ୟ ପାଶ୍ୱର୍ରେ ରହିଛି ଏକ ମସଜିଦ । ଉଭୟ ସମ୍ପ୍ରଦାୟ ସେମାନଙ୍କର ପୂଜା ପ୍ରାର୍ଥନା ପାଇଁ ବ୍ୟବହାର କରନ୍ତି ଏହି ପୋଖରୀର ଜଳ । ସେଠାକାର ଅଧିବାସୀ ବିଶ୍ୱାସ କରନ୍ତି ଯେ ପୋଟଗଡର ମୁସଲମାନ ଶାସକ ଏହି ମସଜିଦର ନିର୍ମାଣ କରିଥିଲେ ଓ ମନ୍ଦିର ନିର୍ମାଣ ପାଇଁ ଓ ଏହାର ପରିଚାଲନା ପାଇଁ ମଧ୍ୟ ବ୍ୟବସ୍ଥା କରିଥିଲେ ।

କନ୍ଧମାଳର ସୀମନବାଡି ଗ୍ରାମ

କନ୍ଧମାଳର ଦାରିଂବାଡି ବ୍ଲକରେ ଥିବା ସୀମନବାଡି ଗ୍ରାମରେ ଦୁର୍ଗାପୂଜା କମିଟିର ସଭାପତି ଏକ କ୍ୟାଥଲିକ ଖ୍ରୀଷ୍ଟିଆନ ହୋଇଥାନ୍ତି । ଉଲ୍ଲେଖ ଯୋଗ୍ୟ ଯେ, ୨୦୦୮, ଅଗଷ୍ଟ ୨୩ରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାପରେ ହୋଇଥିବା ଦଂଗାର କୈାଣସି ପ୍ରଭାବ ଏହି ଗ୍ରାମରେ ପଡି ନ ଥିଲା ।

ପୁରୀର ଅହମଦପୁର ଗ୍ରାମ

ଏପରିକି ବ୍ରାହ୍ମଣ ପ୍ରାଧାନ୍ୟ ଶାସନ ପୁରୀର ବୀର ରାମଚନ୍ଦ୍ରପୁରର ପାଖ ଗାଁ ମୁସଲମାନ ବହୁଳ ଅହମଦପୁରରେ ସ୍ଥାନୀୟ ମୁଖିଆ ମୁସଲମାନ ସରଦାର ମଥାରେ ଶିରୋପା ବାନ୍ଧନ୍ତି ଯିଏକି ବିଭିନ୍ନ ପ୍ରକାରର ସେବା ମାଙ୍କ ପାଇଁ କରିଥାନ୍ତି । ବିଜୟା ଦଶମୀ ଦିନ ଦୁର୍ଗାଙ୍କ ରଥକୁ ଏହି ଗାଁର ମୁସଲମାନ ମାନେ ଭିଡିଥାନ୍ତି । ସ୍ଥାନୀୟ ଲୋକେ ଏହି ଗାଁକୁ ଅମୃତପୁର କହିଥାନ୍ତି ।

ଆଗ୍ରା ଜିଲ୍ଲାର ସାଧନ ଗାଁ

ଉତ୍ତରପ୍ରଦେଶର ଆଗ୍ରା ଜିଲ୍ଲାର ସାଧନ ଗାଁରେ ବସବାସ କରୁଥିବା ୪୫ଟି ପରିବାରର ବିଷୟରେ ଜାଣିବା ଯେଉଁଠି ପ୍ରତ୍ୟେକ ପରିବାରରେ, ଏପରି କି ଏକାନ୍ନବର୍ତ୍ତୀ ପରିବାରରେ, ଗୋଟିଏ ଭାଇ ମୁସଲମାନ ହେଲା ବେଳେ ଅନ୍ୟ ଭାଇ ହେଉଛି ହିନ୍ଦୁ । ଯେପରି ଗୋଟିଏ ପରିବାରରେ ମା’ର ନାଁ ହେଉଛି ଶକୁନ୍ତଳା । ଦୁଇ ପୁଅଙ୍କ ଭିତରୁ ଜଣେ ହିନ୍ଦୁ, ଅନ୍ୟଟି ମୁସଲମାନ । ଶକୁନ୍ତଳା କୁହନ୍ତି, “ମୋ ପରିବାରରେ ଉଭୟ, ହିନ୍ଦୁ ଏବଂ ମୁସଲମାନ ଧର୍ମର ପାଳନ ହୁଏ । ମୋତେ କିଛି ଅଡୁଆ ଲାଗେ ନାହିଁ । ସେହି ଗୋଟିଏ ଘରେ କେତେଜଣ ରୋଜା ରଖନ୍ତି ଆଉ ଅବଶିଷ୍ଟ ନବରାତ୍ରୀ ଉପବାସ କରିଥାନ୍ତି । ଏହି ଘରେ ଗୋଟିଏ ଭାଇ ମୁସଲମାନ ଓ ଅନ୍ୟଟି ହିନ୍ଦୁ ।” ଏହି ଗାଁ ରେ ମଧ୍ୟ ଉଦାହରଣ ମିଳେ ଯେ ଯେଉଁଠି ବାପା ମୁସଲମାନ ସେଠି ପୁଅ ହିନ୍ଦୁ ଧର୍ମକୁ ମାନି ପାରେ । ଧର୍ମ ପରିବର୍ତ୍ତନ କରି ମୁସଲମାନ ହୋଇଥିବା ବ୍ୟକ୍ତିଙ୍କୁ ହିନ୍ଦୁ ଧର୍ମକୁ ଫେରାଇ ଆଣିବା ପାଇଁ ସ୍ୱାମୀ ଦୟାନନ୍ଦ ସରସ୍ୱତୀ ‘ଶୁଦ୍ଧି’ ନାମରେ ଯେଉଁ ଅଭିଯାନ ଆରମ୍ଭ କରିଥିଲେ, ତାହା ଏହି ଗାଁରେ ସଫଳ ହେଲା ନାହିଁ । ଅନେକେ ଏହି ଆହ୍ୱାନ ଦ୍ୱାରା ପ୍ରଭାବିତ ହେଲେ ନାହିଁ ବରଂ ସ୍ୱାଧୀନତା ଦେଲେ ତାଙ୍କର ଦାୟାଦମାନଙ୍କୁ ସେମାନେ ହିନ୍ଦୁ ବା ମୁସଲମାନ ଯାହା ଚାହିଁବେ ତାହା ସେମାନେ ହୋଇପାରିବେ ।

ମୋରାଦାବାଦ ଜିଲ୍ଲାର ତ୍ରିୟାଦାନ ଗ୍ରାମ

ଉତ୍ତର ପ୍ରଦେଶର ମୋରାଦାବାଦ ଜିଲ୍ଲାର ତ୍ରିୟାଦାନ ଗ୍ରାମରେ ମନ୍ଦିର ଓ ମସଜିଦ ଉପରେ ଲାଗିଥିବା ଲାଉଡସ୍ପିକରକୁ ନେଇ ତିନିବର୍ଷ ଧରି ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସା ଲାଗି ରହିଥିଲା ଯାହାକୁ ଉଭୟ ସମ୍ପ୍ରଦାୟର ବରିଷ୍ଠମାନେ ବସି ସମାଧାନ କଲେ ଓ ଉଭୟ ମନ୍ଦିର ଓ ମସଜିଦର ଲାଉଡସ୍ପିକରକୁ ଓହ୍ଲାଇ ଦିଆଗଲା । ଶୁଣନ୍ତୁ ସେହି ଗ୍ରାମର ହିନ୍ଦୁ ଓ ମୁସଲମାନ ଅଧିବାସୀ କଣ କୁହନ୍ତି । ଚାଳିଶ ବର୍ଷ ବୟସ୍କ ଦିନେଶ ସିଂହ କୁହନ୍ତି, “ବାହାର ଲୋକ ଯେଉଁମାନଙ୍କର ଏହି ଗାଁ ସହିତ କିଛି ଦବା ନବା ନାହିଁ ସେହିମାନେ ହିଁ ସାମ୍ପ୍ରଦାୟୀକ ହିଂସାରେ ଅଗ୍ନି ସଂଯୋଗ କରନ୍ତି । ପରେ, ପୁଲିସ ଉଭୟ ସମ୍ପ୍ରଦାୟର କିଛି ଲୋକଙ୍କ ବିରୋଧରେ ମାମଲା ଦରଜ କରେ ଓ ଆମକୁ ଜେଲ ଭୋଗିବାକୁ ହୁଏ । ଆମକୁ ବେଶ ସମୟ ଲାଗିଲା ସେମାନଙ୍କର ଖେଳ (game plan) ବୁଝିବାକୁ । ଯେତେବେଳେ କଥାଟା ସ୍ପଷ୍ଟ ହୋଇଗଲା ସେତେବେଳେ ଆମେ ପରସ୍ପର ସହ କଥା ହେବା ପାଇଁ ସ୍ଥିର କଲୁ ଯାହା ଆମ ସମସ୍ତଙ୍କ ପାଇଁ ମଂଗଳକାରୀ ହେଲା ।”

ପଂଚାବନ ବର୍ଷ ବୟସ୍କ ଜାକିର ହୁସେନ କୁହନ୍ତି, “ହିଂସା ସଇତାନର କାମ । ରମଜାନର ପବିତ୍ର ମାସରେ ଆମେ ସ୍ଥିର କଲୁ ଯେ ମସଜିଦର ଗମ୍ବୁଜ ଉପରୁ ଆମେ ଲାଉଡସ୍ପିକରକୁ ଓହ୍ଲାଇ ଦେବୁ । ଆମର ହିନ୍ଦୁ ଭାଇମାନେ ନିଷ୍ପତ୍ତି କଲେ ଯେ ସେମାନେ ମନ୍ଦିରରୁ ଲାଉଡସ୍ପିକର ଓହ୍ଲାଇ ଦେବେ । ବର୍ତ୍ତମାନ ଆମେ ସମସ୍ତେ ଶାନ୍ତିରେ ରହୁଛୁ । ପୁଲିସ ଏସପି କୁହନ୍ତି ଯେ ଦୁଇ ସମ୍ପ୍ରଦାୟର ବୟସ୍କମାନେ ଏକାଠି ହୋଇ ସେମାନଙ୍କ ଗାଁରେ ବାରମ୍ବାର ଘଟୁଥିବା ସାମ୍ପ୍ରଦାୟୀକ ହିଂସା ଉପରେ ପଂଖାନୁପଂଖ ଆଲୋଚନା କଲେ ଓ ସର୍ବଶେଷରେ ନିଷ୍ପତ୍ତି ନେଲେ ଯେ ଧାର୍ମୀୟ ସ୍ଥାନରେ ଲାଉଡସ୍ପିକରର ବ୍ୟବହାର ହେବ ନାହିଁ ।” ଏହି ଘଟଣାର ସମ୍ବାଦ ହେଉଛି ଯେ ସାମ୍ପ୍ରଦାୟିକ ସଦଭାବକୁ ନଷ୍ଟ କରିବା ପାଇଁ ଉଦ୍ୟମ ବାହାରୁ ହିଁ ହୋଇଥାଏ ଓ ଯାହାକୁ ପ୍ରତିହତ ମଧ୍ୟ କରାଯାଇପାରେ । କାରଣ ସାମ୍ପ୍ରଦାୟିକ ସଦଭାବ ସାଧାରଣ ମଣିଷର ସ୍ୱାଭାବିକ ସଂସ୍କୃତି ।

ଏହି ଭଳି ବହୁ ଉଦାହରଣ ରହିଛି ଯାହାକୁ ସଂଗ୍ରହ କରାଯିବା ଉଚିତ ଓ ପ୍ରଚାରିତ ଓ ପ୍ରସାରିତ କରାଯିବା ଉଚିତ । ଏହି ଉଦାହରଣ ଗୁଡିକ ସାମ୍ପ୍ରଦାୟିକ ସଦଭାବର ମୂଳ ଯେ କେତେ ଶକ୍ତିଶାଳୀ ତାହା ଦର୍ଶାଇବା ସହିତ ଏହାକୁ ଯେଉଁମାନେ ଦୋହଲାଇବାକୁ ଚେଷ୍ଟା କରୁଛନ୍ତି ତାଙ୍କ ଉପରେ ମଧ୍ୟ ଏକ ସକାରାତ୍ମକ ପ୍ରଭାବ ପକାଇବ । ଏପରି ସାମ୍ପ୍ରଦାୟିକ ସଦଭାବ ଓ ସମ୍ପ୍ରୀତିର ଐତିହ୍ୟ ସମ୍ପର୍କରେ ଅଜ୍ଞତାକୁ ଦୂର କରିବ ।

(୨୬ ଡିସେମ୍ବର ୨୦୧୭ ଦିନ ଧର୍ମଶାଳା ବାଣୀପୀଠରେ ବୀରେନ୍ଦ୍ର ନାୟକଙ୍କ ଦ୍ୱାରା ପ୍ରଦତ୍ତ ଏକ ଅଭିଭାଷଣରୁ ସଂଗୃହୀତ)

About ପ୍ରଫେସର ବୀରେନ୍ଦ୍ର ନାୟକ

ପ୍ରଫେସର ବୀରେନ୍ଦ୍ର ନାୟକ
ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ

Check Also

ମାଟିର ସଂସ୍କୃତି ଶ୍ରମ ଆଧାରିତ ସଂସ୍କୃତି

ଏପରି ଏକ ବ୍ୟବସ୍ଥାର ନିର୍ମାଣ ଜରୁରୀ; ଯେଉଁ ବ୍ୟବସ୍ଥା ମଣିଷର ଚେତନ ତଥା ଅବଚେତନ ମନରେ ବି ମଣିଷ, ପ୍ରକୃତି …

Leave a Reply

Your email address will not be published. Required fields are marked *