Home / ସାହିତ୍ୟ / ଗଳ୍ପ / ସଲାମ୍, ସମଶେର

ସଲାମ୍, ସମଶେର

ସବୁ ଶେଷ ହୋଇଯାଉଥିବା ବେଳେ, ନୈରାଶ୍ୟ ଓ ବିରକ୍ତିରେ ଜୀବନ ଓ ସଂସାର ପ୍ରତି ମନ ବୀତସ୍ପୃହ ହୋଇଯାଉଥିବା ବେଳେ କାହିଁକି ଆଶାର କିରଣ ଦିଶେ? କାହିଁକି ମନରେ ଆସେ ଯେ ନା ସବୁ ଶେଷ ହୋଇନାହିଁ । ବଡ଼ ସହର, ବଡ଼ ଘର, ବଡ଼ ଲୋକ, ବଡ଼ କଥାରେ ସିନା ସବୁ ଶେଷ । କିନ୍ତୁ ପଲ୍ଲୀଗାଁ, ଚାଳଘର, ସାଧାରଣଲୋକ, ସାନ କଥାରେ ଏବେବି ଯେପରି ରହିଛି ବଂଚିବା ପାଇଁ ଅନୁରୋଧଟିଏ ।
ସମରେଶର ଅଲ୍ଲୀ ମୋତେ ଯାଚୁଥିଲା ଟଙ୍କା । ପଚାଶ ଟଙ୍କା । କହୁଥିଲା – “ବାବୁ ଏ ଟଙ୍କା ନିଅ । ଆମକୁ ଦେଖିବାକୁ ଆସିଛ । ଆମ କଥା ବୁଝିବାକୁ ଆସିଛ । ଲୋକଙ୍କ ଠାରୁ ସାହାଯ୍ୟ ନେଇ ବାତ୍ୟା ଦୁର୍ଗତଙ୍କୁ ଦେଉଛ । ମୋଠାରୁ ଏଇ ପଚାଶ ଟଙ୍କା ରଖ ।”
କୋହକୁ ଚାପିରଖି କହୁଥିଲା ସମରେଶ ଅଲ୍ଲୀ । ସ୍ୱରରେ ଥିଲା ଓଜନିଆ ଆନ୍ତରିକତା । ପ୍ରଳୟଙ୍କରୀ ବାତ୍ୟାରେ ହଜି ଯାଇଛନ୍ତି ତାର ଦୁଇ ଭାଇ । ତାଙ୍କୁ ସେ ଆଉ କେବେ ଦେଖିବ ନାହିଁ । ହଜି ଯାଇଛନ୍ତି ତାର କୁନି କୁନି ପୁତୁରା ଝିଆରୀ । ସେମାନେ ଆଉ କେବେ ଫେରିବେ ନାହିଁ । ଭାଇ ବନ୍ଧୁ ପଡ଼ିଶା ସମସ୍ତେ ହୋଇଉନ୍ତି ଗୃହଶୂନ୍ୟ । ତା ନିଜ ଘର ମାଟିରେ ମିଶିଛି । ସେହି ଡ଼ିହ ଉପରେ ଠିଆ ହୋଇ ସମଶେର ଯାଚୁଛି ପଚାଶ ଟଙ୍କା । ସତେ ଯେପରି ସେ କେବଳ ଦିଘାଳ ଗାଁର ନୁହେଁ ସାରା ଓଡ଼ିଶାର । କେବଳ ମୁସଲମାନଙ୍କର ନୁହେଁ – ହିନ୍ଧୁ ଓ ଖିରସ୍ତାନ ସମସ୍ତଙ୍କର । ସବୁ ଦୁର୍ଗତଙ୍କର । ଆଶ୍ଚର୍ଯ୍ୟ ହେଉଥିଲି ମୁଁ । ଆଶ୍ୱସ୍ତ ମଧ୍ୟ ହେଉଥିଲି ଯେ ସବୁ ସରି ଯାଇନାହିଁ । ସାଧାରଣ ମଣିଷଟା ଠିକ୍ ଅଛି । ତାର ମଣିଷପଣିଆ ଠିକ୍ ରହିଛି । ତାକୁ ନେଇ ବେପାର କରୁଥିବା ମଣିଷ କେବଳ ଯାହା ବଦଳିଯାଇଛି- ହୋଇଯାଇଛି ଶାଗୁଣା । ପକ୍ଷୀ ଶାଗୁଣା ନିଶ୍ଚିହ୍ନ ହୋଇଯିବ ଫଳରେ ବିବ୍ରତ ଭଗବାନ ପ୍ରକୃତିର ସନ୍ତୁଳନର ତାଡ଼ନାର କିଛି ମଣିଷଙ୍କୁ ଶାଗୁଣା କରିଦେଲେ କି? ଯାହା ଦେଖି ଅବଶିଷ୍ଟ ଶାଗୁଣା ଲଜ୍ଜିତ ହୋଇ ଆତ୍ମ ଗୋପନ କରିଛନ୍ତି!
ସମଶେର ଅଲ୍ଲୀ କହୁଥିଲା , “ବାବୁ ଦେଖୁଛନ୍ତି, ତା ଘର କେମିତି ଭାଙ୍ଗିଛି । ଏହା ଭିତରେ ମଣିଷ ତା ପିଲାପିଲାଙ୍କୁ ଧରି ରହିପାରିବେ କି? କିନ୍ତୁ ଅଫିସର କହୁଛନ୍ତି ଆଂଶିକ ଭାଙ୍ଗିଛି । ଘୁଷ ଦେଲେ କାଳେ ଲେଖିଦେବେ, ପୁରା ଭାଙ୍ଗିଛି ବୋଲି ।”
କୋହରେ ରୁଦ୍ଧ ହୋଇଯାଉଥିଲା ସମଶେରର ସ୍ୱର । “ସେଦିନ ଯାଇଥିଲି ପୁଲିସ ଥାନାକୁ । ବାତ୍ୟାରେ ମରିଥିବା ଭାଇ ବଷୟରେ ରିପୋର୍ଟ ଲେଖିବାକୁ । ସରକାର କହୁଥିଲେ ବାତ୍ୟାବେଳେ ମରିଥିବା ଲୋକଙ୍କୁ କ୍ଷତିପୂରଣ ମିଳିବ । କିନ୍ତୁ ପୁଲିସ କ’ଣ କହିଲେ? ଫେରିଲା ବେଳକୁ ଜଣେ କହିଲା କିଛି ଖର୍ଚ୍ଚ କଲେ ତୁମ ମନମୁତାବକ ରିପୋର୍ଟ ମିଳିଯିବ । ମୁଁ ମନାକଲି ।” ସମଶେର ହୋଇପଡ଼ୁଥିଲା ଭାବପ୍ରବଣ । ମୋ ହାତକୁ ଧରିପକାଇ କହିଲା, “କୁହନା ବାବୁ, କ୍ଷମତାରେ ଥିବା ଏ ଲୋକମାନେ କାହିଁକି ଏତେ ଅମଣିଷ ହୋଇପଡ଼ିଛନ୍ତି? ଏତେ ପାଠ, ଏତେ ବଡ଼ ·କିରୀ, ଆଉ ଏତେ ଅମଣିଷ!” ସମଶେର କଇଁ କଇଁ ହୋଇ କାନ୍ଦୁଥିଲା । ପୋଷ୍ଟମ୍ୟାନ ସମଶେର ଅଲ୍ଲୀ କାନ୍ଦୁଥିଲା ।
ରାଜଧାନୀର ବଡ଼ ବଡ଼ ଲୋକଙ୍କ ଘରେ ଚିଠି ବାଣ୍ଟି ଏହି ସମ୍ବାଦବାହକଟି ଯେମିତି ବଡ଼ଲୋକଙ୍କ ଅମଣିଷ ପଣିଆରେ ପେଶି ହୋଇଯାଇଥିଲା । ବଙ୍ଗୋପସାଗର ଭିତରେ ଶହ ଶହ ମାଇଲ ଦୂରରୁ ଆସିଥିବା ବାତ୍ୟା ବଡ଼ ଲୋକଙ୍କର ବିକଟାଳ ରୂପକୁ ଯେମିତି ତା’ ଆଗରେ ଉଲଗ୍ନ ଠିଆ କରି ଦେଇଥିଲା ।
ସମଶେର ମୋତେ ନେଇ ଗାଁ ଭିତରେ ବୁଲୁଥିଲା । ଘର ପରେ ଘର ଭାଙ୍ଗି ଧସି ଯାଇଥିବା ଘର ଦେଖାଇ ଦେଖାଇ କହି ଚାଲିଥିଲା ତାର କୋହ ଭାର ରୁଦ୍ଧ ସ୍ୱରରେ ଅମାନବିକତାର କାହାଣୀ । ପଛେ ପଛେ ଚାଲିଥିଲେ ଗାଁର କିଛି ହତଶ୍ରୀ ଯୁବକ । ରମଜାନ ଦେଖେଇଦେଲା- ଏଇଟା ସମଶେର ଭାଇର ପୋଖରୀ । ବାତ୍ୟା ଦିନ ବର୍ଷା ପାଣିରେ ପୋଖରୀ ଉଚ୍ଛୁଳିଲା । ମାଛ ସବୁ ବାହାରିଗଲେ । ସମଶେର ଭାଇ କହିଲା- ଡେରି କରନା । ମାଛ ସବୁ ଗୋଟାଇ ନେଇ ଖାଇ ଦିଅ । ସମଶେର ବାଉଳି ·ଉଳି ହେଉଥିଲା । କେମିତି ଚଳିବେ ତା ଗାଁର ଲୋକ? କେଉଁଠୁ ମଜୁରୀ ପାଇବେ? କାହା ଘରେ ଯାଇ ଖଟିବେ? ଥା’ନ୍ତା କି ତା’ର ବହୁତ ପଇସା ତା ହେଲେ ସେ ସମସ୍ତଙ୍କୁ ଅଟକାଇ ଦିଅନ୍ତା – ଖାଇବା ରହିବାର ବନ୍ଦୋବସ୍ତ କରି । ସେହି ମାସ ପାଇଥିବା ଦରମାରେ ତ ସେ ଖୋଇ ସାରିଥିଲା ଗାଁ ଲୋକଙ୍କୁ । ନୁରଜାହାଁ ବିବି କହୁଥିଲା- “ସମଶେର ତା ଦରମା ଆଣି ଆମକୁ ଡାକିଲା । ଥୋଇ ଦେଲା ତା ଦରମା ପଇସା, ଆଉ କହିଲା-ଖନ୍ଦା ଲଗାଅ ।” କିନ୍ତୁ ପୋଷ୍ଟମ୍ୟାନ୍ ସମଶେରର ଦରମା କେତେ ଦିନକୁ ବା ପା’ନ୍ତା?

ମୋର ମନେପଡ଼ୁଥିଲା ଆମ ସହରର ଭି.ଆଇ.ପି. କଲୋନୀର ବାସିନ୍ଦାଙ୍କର କଥା । ଏହି କଲୋନୀର କୌଣସି ଘରର ମୂଲ୍ୟ ତିରିଶ ଲକ୍ଷ୍ରୁ କମ୍ ହେବ ନାହିଁ । କୌଣସି ବାସିନ୍ଦା ଉଚ୍ଚ ପ୍ରଥମ ଶ୍ରେଣୀ କର୍ମ·ରୀଙ୍କ ଠାରୁ କମ୍ ଦରର ନୁହନ୍ତି । ମାତ୍ର ତିରିଶଟି ପରିବାରର ଏହି କଲୋନୀରୁ ତିନିହଜାର ଟଙ୍କା ଦୁର୍ଗତଙ୍କ ପାଇଁ ସାହାଯ୍ୟ ଯୋଗାଡ଼ କରିହେଲା ନାହିଁ । ବ୍ୟସ୍ତ ହେଉଥିଲେ କଲୋନୀ ବାସିନ୍ଦା ଆସୋସିଏସନ୍ର କୋଷାଧ୍ୟକ୍ଷ, କାହିଁକି ଏତେ ହୃଦୟହୀନ ହୋଇଯାଇଛନ୍ତି ସମାଜର ବଡ଼ ଲୋକମାନେ? ଏତେ ବଡ଼ ବାତ୍ୟା, ଏତ ବଡ଼ ବିପର୍ଯ୍ୟୟ ଅଥଚ ବଡ଼ଲୋକଙ୍କ ମୁଣାରୁ ବାହାରି ପାରେନା ପରିବାର ପିଛା ମାତ୍ର ଶହେ ଟଙ୍କା?
ସମଶେର ଅଲ୍ଲୀ ସାଙ୍ଗରେ ବୁଲୁ ବୁଲୁ ବାରମ୍ବାର ମନେ ପଡ଼ୁଥିଲା କୋଷାଧ୍ୟକ୍ଷଙ୍କର ବ୍ୟସ୍ତତା ଆଉ ମୁଣ୍ଡ ମୋର ନଇଁ ଆସୁଥିଲା ସମଶେର ଅଲ୍ଲୀ ସମାନାରେ । ହୃଦୟ କହୁଥିଲା – ସଲାମ୍, ସମଶେର୍! (ସୈାଜନ୍ୟ: ପ୍ରଜାତନ୍ତ୍ର, ୧୩ ଫେବୃଆରୀ ୨୦୦୦)

About ପ୍ରଫେସର ବୀରେନ୍ଦ୍ର ନାୟକ

ପ୍ରଫେସର ବୀରେନ୍ଦ୍ର ନାୟକ
ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ

Check Also

ଅଗଣିଙ୍କ ଶୋକ

ଅଗଣି ରାସ୍ତାକଡ ଖୁଣ୍ଟରୁ ଫଳକଟି ଓହ୍ଲାଇ ଦେଲେ । ‘ମହାତ୍ମା ଗାନ୍ଧୀ ମାର୍ଗ’ ଫଳକ ଜାଗାରେ ଲାଗିଲା ‘ଇନ୍ଦିରା ଗାନ୍ଧୀ …

Leave a Reply

Your email address will not be published. Required fields are marked *