Home / ସମୀକ୍ଷା / ସଂଗୀତ ସମୀକ୍ଷା / ସମ୍ପ୍ରତିକ ସମୟ ଓ ସୁଫି ସଂଗୀତର ମହତ୍ତ୍ୱ

ସମ୍ପ୍ରତିକ ସମୟ ଓ ସୁଫି ସଂଗୀତର ମହତ୍ତ୍ୱ

  1. ଅରବିନ୍ଦ ବେହେରା

ପ୍ରାୟ ଦୁଇ ବର୍ଷ ପୂର୍ବେ ପାକିସ୍ତାନର ପ୍ରସିଦ୍ଧ ସୁଫି ତୀର୍ଥ ସେହୱାନ ସରିଫ୍ ଉପରେ ଆତଙ୍କବାଦୀଙ୍କ ବୋମାମାଡ଼ ଫଳରେ ବାସ୍ତରି ଜଣ ନିରୀହ ଲୋକଙ୍କର ପ୍ରାଣ ହାନି ହୋଇଥିଲା । ଏହି ଘଟଣାଟି ଅତ୍ୟନ୍ତ ମର୍ମନ୍ତୁଦ ହୋଇଥିଲେ ମଧ୍ୟ ଅସାଧାରଣ ନଥିଲା । ଏହା ପୂର୍ବରୁ ଓ ପରେ ମୁସଲମାନ ସଂଖ୍ୟାଗରିଷ୍ଠ ଥିବା ଅନେକ ଦେଶରେ ସୁଫି ମସ୍‌ଜିଦ ଓ ତୀର୍ଥସ୍ଥଳୀମାନଙ୍କ ଉପରେ ଆକ୍ରମଣର ଅନେକ ଉଦାହରଣ ରହିଛି । ସୁଫି ଇସ୍‌ଲାମ୍ ଯେ ଧର୍ମୀୟ ମୌଳବାଦୀମାନଙ୍କ କ୍ରୋଧର ବାରମ୍ବାର ଶିକାର ହୋଇ ଆସିଛି, ଏ ସବୁ ତା’ର ପ୍ରମାଣ ମାତ୍ର । ସୁଫିବାଦ ସେଇଠି ପାଦ ରଖିଥାଏ, ଯେଉଁଠି ଇସଲାମୀୟ ଧର୍ମ ଭାବନାର ସୂକ୍ଷ୍ମତମ ପରିପ୍ରକାଶ ଘଟେ । ଅନ୍ୟ ଭାବରେ କହିଲେ ସୁଫିବାଦ ବା ଇସଲାମୀୟ ଦର୍ଶନର ‘ତସାଉଫ୍‌’ ହେଉଛି ଇସଲାମର ଅନ୍ତର୍ମୁଖୀ ପରିସର ଯାହାକୁ ଇସଲାମୀୟ ରହସ୍ୟବାଦ ବୋଲି କୁହାଯାଇପାରେ । ଏହି ମତବାଦ ମଣିଷର ଆଲ୍ଲା ବା ଈଶ୍ୱରଙ୍କ ସହିତ ନିବିଡ଼ ସମ୍ପର୍କର ଜୟଗାନ କରେ । ସୁଫିବାଦ ଯେଉଁ ଆଧ୍ୟାତ୍ମିକ ମାର୍ଗରେ ଈଶ୍ୱରପ୍ରାପ୍ତିର କାମନା କରେ, ତାହା ହେଉଛି ଆବେଗ ବା ହୃଦୟର ମାର୍ଗ, ଯୁକ୍ତି ବା ଜ୍ଞାନର ମାର୍ଗ ନୁହେଁ । ସୁଫି ରହସ୍ୟବାଦର ଦୁର୍ମୂଲ୍ୟ ଶିକ୍ଷାଗୁଡ଼ିକ ଓ ସୁଫି ସଙ୍ଗୀତର ସାର୍ବଜନୀନ ଆବେଦନ ଆଜିର ବିକ୍ଷୁବ୍ଧ ବିଶ୍ୱପାଇଁ ଖୁବ୍ ବେଶୀ ପ୍ରାସଙ୍ଗିକ ।

ସୁଫିବାଦର ଉନ୍ମେଷ ହୋଇଥିଲା ଆରବ ଅଞ୍ଚଳେ, ପ୍ରାୟ ଚଉଦ ଶହ ବର୍ଷ ପୂର୍ବେ । ସେହିଦିନ ଠାରୁ ହିଁ ଧାର୍ମିକ ଔପଚାରିତାରେ ବିଶ୍ୱାସ ରଖୁ ନଥିବା ସୁଫିବାଦ ସହିତ ଏ ପ୍ରକାର ଔପରିଚାରିକତାରେ କଠୋର ବିଶ୍ୱାସ ରଖୁଥିବା ସଂଗଠିତ ଇସଲାମର ସଂଘର୍ଷ ଚାଲୁ ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଆଫ୍ରିକାର ସମତଳ ଅଞ୍ଚଳରୁ ଆରମ୍ଭ କରି ଭାରତର ପୂର୍ବତଟ ଓ ଇଣ୍ଡୋନେସିଆ ପର୍ଯ୍ୟନ୍ତ ବିସ୍ତୃତ ଇଲାକାରେ ସୁଫିବାଦ ବଞ୍ଚି ରହିଛି ତା’ର ଅଗଣିତ ଅନୁରାଗୀମାନଙ୍କ ହୃଦୟରେ । ସୁଫିବାଦରୁ ଜନ୍ମ ନେଇଥିବା ସଙ୍ଗୀତ ଉପରୋକ୍ତ ବିଶାଳ ଭୂଖଣ୍ଡର ସଙ୍ଗୀତକୁ ପ୍ରଭାବିତ କରିଛି ନାନା ଭାବରେ ।

ସୁଫିମାନେ ହେଉଛନ୍ତି ରହସ୍ୟବାଦୀ ଏବଂ ତାଙ୍କ ପାଇଁ ଈଶ୍ୱର ପ୍ରାପ୍ତି ଏକ ପ୍ରତ୍ୟକ୍ଷ ଓ ବ୍ୟକ୍ତିଗତ ବ୍ୟାପର । ସେମାନେ ନିଜର ବ୍ୟକ୍ତିଗତ ଧ୍ୟାନ, ସାଧନା ଓ ଅଭିଜ୍ଞତା ମାଧ୍ୟମରେ ହିଁ ଈଶ୍ୱର ପ୍ରେମର ଶାଶ୍ୱତ ଉପଲବ୍ଧି ପାଆନ୍ତି, କୌଣସି ସଂଗଠିତ ଧର୍ମ ବା ଧର୍ମୀୟ ଔପଚାରିକତା ମାଧ୍ୟମରେ ନୁହେଁ ।

ସୁଫିବାଦର ଦୁଇଟି ସ୍ତମ୍ଭ ହେଉଛି ନିଃସ୍ୱାର୍ଥ ସେବା ଓ ସେଇ ଅବ୍ୟକ୍ତ ଓ ଅଦୃଶ୍ୟ ଈଶ୍ୱର ସତ୍ତା ପ୍ରତି ସପୂର୍ଣ୍ଣ ଅନୁରକ୍ତି । ସୁଫିମାନଙ୍କ ମତରେ ଏହି ପ୍ରେମ ହିଁ ଦେଉଛି କାରଣ ଯେଉଁଥିପାଇଁ ଆମେ ସମସ୍ତେ ପୃଥିବୀ ପୃଷ୍ଠରେ ଜନ୍ମ ନେଇଛୁ । ଆହୁରି ସରଳ ଭାବରେ କହିବାକୁ ଗଲେ ଈଶ୍ୱର ପ୍ରେମ ସମ୍ପର୍କରେ ଶିକ୍ଷା ଲାଭ କରିବାରେ ହିଁ ପୃଥିବୀରେ ଆମ ସ୍ଥିତିର ସାର୍ଥକତା ନିହିତ ଅଛି । ଆମେ ସେହି ଦିବ୍ୟ ପ୍ରେମର ଯେତେବେଳେ ଉଚ୍ଚତର ସୋପାନମାନଙ୍କୁ ଆରୋହଣ କରୁ ଏବଂ ପ୍ରେମ ଦେବାନେବା ପାଇଁ ନିଜକୁ ଉନ୍ମୁକ୍ତ ରଖୁ, ଆମକୁ ସେତିକି ବେଶୀ ଈଶ୍ୱରଙ୍କ ଦର୍ଶନର ସୁଯୋଗ ମିଳେ । ଦିବ୍ୟ ସତ୍ତାକୁ ସମସ୍ତଙ୍କ ମଧ୍ୟରେ ଦେଖିବାକୁ ଆମକୁ ସୁଯୋଗ ମିଳେ, ସେହି ସତ୍ତାକୁ ଆମ ନିଜ ମଧ୍ୟରେ ଦର୍ଶନ କରିବା ପାଇଁ ଆମେ ସକ୍ଷମ ହେଉ । ସବାଶେଷରେ ଆମେ ଏପରି ଏକ ସ୍ତରରେ ଯାଇ ପହଞ୍ଚୁ ଯେଉଁଠାରେ ଆମେ ଆଉ ଅନେକଙ୍କୁ ନଦେଖି କେବଳ ଜଣକୁ ହିଁ ଦେଖୁ । ସୁଫିବାଦ ଓ ଆମ ବେଦାନ୍ତ ଦର୍ଶନ ପରସ୍ପର କେତେ ନିକଟବର୍ତ୍ତୀ, ତାହା ଏହି ବର୍ଣ୍ଣନାରୁ ସ୍ପଷ୍ଟ ଜଣାପଡ଼େ ।

ସୁଫି ସଂଗୀତ ହେଉଛି ସୁଫିମାନଙ୍କର ଭକ୍ତି ସଂଗୀତ, ଯାହା ପର୍ଯ୍ୟବସିତ ସୁଫି କବିମାନଙ୍କ ରଚନାମାନଙ୍କରେ । ଯେଉଁ ସୁଫି କବିମାନେ କାଳଜୟୀ ସଙ୍ଗୀତ ରଚନା କରିଯାଇଛନ୍ତି ସେମାନଙ୍କ ମଧ୍ୟରେ ପ୍ରମୁଖ ହେଉଛନ୍ତି ରୁମି, ହାଫିଜ୍ ବୁଲେ ଶାହା, ଅମିର ଖୁସ୍ରୋ, ଖ୍ୱାଜା ଗୁଲାମ ଫରିଦ ଇତ୍ୟାଦି । ସୁଫି ସନ୍ଥ ଖ୍ୱାଜା ମଇନୁଦ୍ଦିନ ଚିସ୍ତି ଦ୍ୱାଦଶ ଶତାବ୍ଦୀରେ ଆଫଗାନିସ୍ତାନରୁ ଭାରତକୁ ସୁଫିବାଦ ଆଣିଥିଲେ । ତାଙ୍କରି ସ୍ମୃତିରେ ଏବଂ ତାଙ୍କ ଦର୍ଶନର ପ୍ରୟୋଗ ପାଇଁ ଆଜମୀରର ପ୍ରସିଦ୍ଧ ଦର୍ଘା ନିର୍ମିତ ହୋଇଛି ଯାହା ଆମ ଦେଶର ପ୍ରମୁଖ ତୀର୍ଥସ୍ଥଳୀମାନଙ୍କ ମଧ୍ୟରେ ଅନ୍ୟତମ ଏବଂ ଏହା ବିଭିନ୍ନ ଧର୍ମର ଶ୍ରଦ୍ଧାଳୁମାନଙ୍କୁ ଆକର୍ଷିତ କରି ଆଣେ ।

ସୁଫି ସଙ୍ଗୀତର ଏକ ବିଶେଷ ରୂପ ‘କୱାଲି’ ଶବ୍ଦର ଉତ୍ପତ୍ତି ‘କଓଲ’ରୁ, ଯାହାର ଅର୍ଥ ପ୍ରାର୍ଥନା ।

ପ୍ରାର୍ଥନା ପରିବେଷଣ ପ୍ରକ୍ରିୟାକୁ କୁହାଯାଏ ‘କୱାଲି’। ଭାରତୀୟ ଉପମହାଦେଶରେ ଏହାର ଲୋକପ୍ରିୟତା ଖୁବ୍ ବେଶୀ । ସୁଫି ପ୍ରେମ ସଙ୍ଗୀତ ଅନେକ ସମୟରେ ଗଜଲ ଓ କାଫି ଭାବରେ ହାରମୋନିୟମ ଓ ତାଳବାଦ୍ୟ ସହ ପରିବେଷିତ ହୋଇଥାଏ । ପାକିସ୍ତାନର ଅବିଦା ପରବିନ୍ ଓ ରାହତ ଫତେଅଲ୍ଲୀ ଖାଁ ପ୍ରମୁଖ ଲୋକପ୍ରିୟ ସୁଫି ଗାୟକ ଭାବରେ ପରିଚିତ । ଠିକ୍ ସେହିପରି ଆମ ଦେଶରେ ୱାଡ଼ାଲି ବ୍ରଦର୍ସ, ଗୁଲାମ ଅଲୀ, ହର୍ଷଦୀପ କାଉର ଇତ୍ୟାଦି ସୁଫି ସଙ୍ଗୀତ ଗାୟନରେ ଉତ୍କର୍ଷ ହାସଲ କରିଛନ୍ତି । ଭାରତର ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଏ ଆର୍ ରହମାନ ସୁଫି କୱାଲିକୁ ଚଳଚ୍ଚିତ୍ରରେ ବ୍ୟବହାର କରିଛନ୍ତି । ବଙ୍ଗଳାର ବାଉଲ୍ ସଙ୍ଗୀତ ଓ ସୁଫି ସଙ୍ଗୀତ ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି ।

ସୁଫି ସଙ୍ଗୀତରେ ସଙ୍ଗୀତ ଓ ନୃତ୍ୟର ମିଶ୍ରଣ ଦେଖିବାକୁ ମିଳେ । ସାଧାରଣତଃ ସୁଫି ଗାୟକର ଯେଉଁଚିତ୍ର ମାନସପଟକୁ ଆସିଥାଏ, ତାହା ହେଉଛି ଦୁଇ ହାତ ଟେକି ଆତ୍ମବିସ୍ମୃତ ହୋଇ ଉତ୍ତାଳ ନୃତ୍ୟ କରୁଥିବା ଜଣେ ଡର୍ଭିସର୍‌; ନୃତ୍ୟରତ ଗାୟକ ବା ‘ଡର୍ଭିସ’ ଜଣକ ଯେପରି ଏକ ଦିବ୍ୟ ଓ ମହତ୍ତର ସତ୍ତାରେ ବିଲୀନ ହୋଇଯିବା ପାଇଁ ବ୍ୟାକୁଳ । ଏପରି ବ୍ୟାକୁଳତା ହିଁ ସୁଫି ସଙ୍ଗୀତର ବିଶେଷତ୍ୱ, ସେଥିରେ ନିହିତ ଥିବା ନିର୍ମଳ ଭକ୍ତିର ଅନନ୍ୟ ପରିପ୍ରକାଶ । ପୂର୍ବରୁ କୁହାଯାଇଛି ନିଃସ୍ୱାର୍ଥ ସେବା ସୁଫିବାଦର ଏକ ବିଶେଷ ବିଭବ । ସଙ୍ଗୀତ ମାଧ୍ୟମରେ ସମ୍ଭବ ହୁଏ ‘ମୁଁ ପଣ’କୁ ସମ୍ପୂର୍ଣ୍ଣ ଭାବରେ ପାସୋରି ଯିବା ପାଇଁ । ସଙ୍ଗୀତ ହିଁ ସୃଷ୍ଟି କରେ ବିନୟ କୋମଳତା ଓ ଭଲ ପାଇବା, ଯାହା ସମଗ୍ର ସତ୍ତାକୁ ଆଚ୍ଛନ୍ନ କରେ, ଶ୍ରୋତାକୁ ନେଇଯାଏ ସୂକ୍ଷ୍ମ ଅନୁଭୂତିର ଅନ୍ୟ ଏକ ଦୁନିଆକୁ ।

ସାମ୍ପ୍ରତିକ ପୃଥିବୀରେ ଧର୍ମକୁ ବ୍ୟବହାର କରାଯାଉଛି ବିଭେଦ ସୃଷ୍ଟି କରିବା ପାଇଁ । ବିଭିନ୍ନ ଧର୍ମ ଭିତରେ କେବଳ ନୁହେଁ, ଗୋଟିଏ ଧର୍ମ ଭିତରେ ମଧ୍ୟ କେତେ ପ୍ରକାରଭେଦ ଓ ମତବାଦ ଧର୍ମଗୁଡ଼ିକୁ ପରିଣତ କରୁଛନ୍ତି ବିଭେଦକାରୀ ଶକ୍ତିରେ । କିନ୍ତୁ ଆଜି ମଧ୍ୟ ଯଦି ଧର୍ମ ବିଶ୍ୱାସ ମାଧ୍ୟମରେ ମଣିଷ ଦିବ୍ୟ ସତ୍ତାର ଅନୁସନ୍ଧାନ କରୁଛି, ତାହା ହେଉଛି, ସାଧାରଣ ସହନଶୀଳ ଅନୁସରଣକାରୀମାନଙ୍କ ଉଦାରତା ହେତୁ, ମୌଳବାଦୀମାନଙ୍କର ଧର୍ମାନ୍ଧତା ପାଇଁ ନୁହେଁ । ଆରବ ଓ କୋରାନ୍ ସମ୍ପର୍କୀୟ ଅଧ୍ୟାୟନର ବିଖ୍ୟାତ ଇଂରେଜ ଗବେଷକ ହାମିଲଟନ୍ ଗିବ୍ସଙ୍କ ମତରେ “ସୁଫିବଦା ପାଇଁ ଇସଲାମ୍ ଏବେ ମଧ୍ୟ ବଞ୍ଚିଛି ।”

ପ୍ରାୟ ଶହେ ସତେଇଶ ବର୍ଷ ପୂର୍ବେ ଧର୍ମର ବିଶ୍ୱ ସଂସଦରେ ସ୍ୱାମୀ ବିବେକାନନ୍ଦ କହିଥିଲେ, “ସଂକୀର୍ଣ୍ଣ ସାମ୍ପ୍ରଦାୟିକତା ଓ ଅନ୍ଧବିଶ୍ୱାସ ଏବଂ ତାଙ୍କର ଭୟଙ୍କର ଦାୟାଦ ‘ଧର୍ମାନ୍ଧତା’ ଆମ ସୁନ୍ଦର ପୃଥିବୀକୁ ଗ୍ରାସ କରି ରଖିଛି । ଏଗୁଡ଼ିକ ପୃଥିବୀରେ ଭରି ଦେଇଛନ୍ତି ହିଂସା, ତାକୁ ବାରମ୍ବାର ରଞ୍ଜିତ କରିଛନ୍ତି ମଣିଷ ରକ୍ତରେ ଧ୍ୱଂସ କରିଛନ୍ତି ସଭ୍ୟତାକୁ ଏବଂ ସମଗ୍ର ଦେଶମାନଙ୍କୁ ଠେଲି ଦେଇଛନ୍ତି ନିରାଶର ଗହ୍ୱରକୁ । ଏଇ ଭୟଙ୍କର ରାକ୍ଷସଗୁଡ଼ିକ ନଥିଲେ ମଣିଷ ସମାଜ ଏବେ ଯେଉଁଟି ଅଛି, ତା’ଠାରୁ ଯଥେଷ୍ଟ ବେଶୀ ଅଗ୍ରସର କରି ପାରିଥାନ୍ତା ।”

ସୁଫି କବି ରୁମିଙ୍କ ଅନୁବାଦକ ଆଣ୍ଡୃ ହାର୍ଭେ କହନ୍ତି, “ସୁଫି ହେଉଛି ହୃଦୟ ଭିତରେ ଥିବା ହୃଦୟକୁ ରାସ୍ତା, ମଣିଷର ପବିତ୍ର ପରିଚୟର ସବୁଠାରୁ ବେଶୀ ପ୍ରତ୍ୟକ୍ଷ ଓ ଗଭୀର ଅନୁଭୂତି ।” ସୁଫି ସଙ୍ଗୀତ ଶୁଣିଲେ ମନେହୁଏ ଜଣେ ଉପଲବ୍ଧିର ପାହାଚଗୁଡ଼ିକୁ ଚଢ଼ି ଏକ ଉଚ୍ଚତର ଚେତନା ଆଡ଼କୁ ଅଗ୍ରସର ହେଉଛି । ଏହି ସଙ୍ଗୀତର ଶକ୍ତି ଅଛି ମଣିଷ ସମାଜରେ ଭ୍ରାତୃଭାବ ଗଢ଼ିବା ପାଇଁ, ଦ୍ୱେଷ ପରିବର୍ତ୍ତେ ମାନବୀୟ ଓ ଭଗବତ୍ ପ୍ରେମର ଏକ ପବିତ୍ର ପରିବେଶ ସୃଷ୍ଟି କରିବା ପାଇଁ । ଏହି କାରଣରୁ ଆମ ଦେଶର ଚେନ୍ନାଇ, ଦିଲ୍ଲୀ, କଲିକତା ଭୁବନେଶ୍ୱର ପ୍ରଭୃତି ସହରରେ ସୁଫି ସଙ୍ଗୀତର ସମାରେହମାନ ଅନୁଷ୍ଠିତ ହୋଇ ଆସୁଛି, ଯେଉଁଠାକୁ ଆକର୍ଷିତ ହୋଇ ଆସୁଛନ୍ତି ଅଗଣିତ ବିଦଗ୍ଧ ଶ୍ରୋତା। ସୁଫିବାଦର ବିଶିଷ୍ଟ ପ୍ରବକ୍ତା ଇବା ଆରବୀଙ୍କ ଉକ୍ତି ସହ ଆଲେଖ୍ୟଟିକୁ ସମାପ୍ତ କରାଯାଇ ପାରିବ ।

“ମୋ ହୃଦୟ ସବୁ ଆକାର ଗ୍ରହଣ କରିବାକୁ ସକ୍ଷମ । ମୃଗ ପାଇଁ ସେ ଏକ ତୃଣ ପ୍ରାନ୍ତର, ଖ୍ରୀଷ୍ଟ ଧର୍ମାବଲମ୍ବୀମାନଙ୍କ ପାଇଁ ଖ୍ରୀଷ୍ଟାଆନ ସନ୍ଥମାନଙ୍କ ବାସସ୍ଥାନ, ମୂର୍ତ୍ତିମାନଙ୍କ ପାଇଁ ମନ୍ଦିର, ତୀର୍ଥଯାତ୍ରା ପାଇଁ କାବା, ତୋରାର ଟେବୁଲ ଓ କୋରାନ୍ ପାଇଁ ଗ୍ରନ୍ଥ । ମୁଁ ପ୍ରେମର ଧର୍ମକୁ ଅନୁସରଣ କରେ । ପ୍ରେମର ଓଟମାନେ ଯେଉଁ ରାସ୍ତାରେ ଯାଆନ୍ତୁ ନା କାହିଁକି, ତାହାହିଁ ମୋର ଧର୍ମ ଓ ବିଶ୍ୱାସ।”

About Editor

Editor
ସମଧ୍ୱନିର ସମ୍ପାଦକ ସ୍ଵୟଂପ୍ରଭା ପାଢ଼ୀ ଜଣେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ତାଲିମ ପ୍ରାପ୍ତ ଗାୟିକା ଓ ମୁକ୍ତ ବୃତ୍ତିର ସାମ୍ବାଦିକ ଅଟନ୍ତି । ସେ ସମଧ୍ୱନି ନାମକ ଏକ ସାଂସ୍କୃତିକ ସଂଗଠନ (୨୦୦୫ ମସିହାରୁ ଓଡ଼ିଶାରେ କାମକରୁଛି) ଓ ସମଧ୍ୱନି ସାଂସ୍କୃତିକ ଗବେଷଣକେନ୍ଦ୍ରର ମୁଖ୍ୟ । ସମଗ୍ର ଓଡିଶାରେ ସାଂସ୍କୃତିକ ବାତାବରଣ ତିଆରି କରିବା ଓ ସାଧାରଣ ଲୋକମାନଙ୍କ ସ୍ୱରକୁ ସାଂସ୍କୃତିକ ମାଧ୍ୟମରେ ତୋଳିଧରିବା ପାଇଁ ସେ କାମ କରିଚାଲିଛନ୍ତି। Swayamprabha Parhi, editor of Samadhwani, is a Hindustani classical music-trained singer and freelance journalist. She is the head of the Samadhwani Cultural Organization (which has been operating in Odisha since 2005) and the Samadhwani Cultural Research Center. She has been working to create a cultural atmosphere throughout Odisha and to raise the voice of the common people through culture.

Check Also

ଓଡ଼ିଶାର ସମତାଭିତ୍ତିକ ସଂସ୍କୃତି ଓ ଜଗନ୍ନାଥ ସଂସ୍କୃତି

ଭଗବତ ପ୍ରସାଦ ହେଉଛନ୍ତି ଇଂରାଜୀ ଭାଷାର ଅବସରପ୍ରାପ୍ତ ଅଧ୍ୟାପକ । ଜଣେ ପ୍ରଗତିଶୀଳ ବୁଦ୍ଧିଜୀବୀ ଭାବରେ ଅନେକ ପତ୍ରପତ୍ରିକାରେ ତାଙ୍କର …

Leave a Reply

Your email address will not be published. Required fields are marked *