Home / ସଙ୍ଗୀତ / ଶାସ୍ତ୍ରୀୟ ସଙ୍ଗୀତ / ସଙ୍ଗୀତ ସମ୍ପର୍କରେ ଅତି ଗୁରୁତ୍ୱପୂର୍ଣ୍ଣ କିଛି କଥା : ପରବିନ ସୁଲତାନାଜୀ

ସଙ୍ଗୀତ ସମ୍ପର୍କରେ ଅତି ଗୁରୁତ୍ୱପୂର୍ଣ୍ଣ କିଛି କଥା : ପରବିନ ସୁଲତାନାଜୀ

ଶାସ୍ତ୍ରୀୟ ସଙ୍ଗୀତ ଅତ୍ୟନ୍ତ ଗମ୍ଭୀର ଓ ଐଶ୍ୱରୀୟ ଜିନିଷ ଏତେ ସହଜରେ ଏହା ମିଳେନି । ସେଥିପାଇଁ ହିନ୍ଦୁସ୍ଥାନରେ ଆପଣଙ୍କୁ ଭଲ ସଙ୍ଗୀତକାର ହାତଗଣତି ମିଳିବେ ଯେଉଁମାନେ ସଠିକ ଭାବରେ ସଙ୍ଗୀତ ସାଧନା କରିଛନ୍ତି । ଶାସ୍ତ୍ରୀୟ ସଙ୍ଗୀତକୁ ଆମର ପୂର୍ବପୁରୁଷମାନେ ବହୁତ ଭଲଭାବରେ ଗାଇ ଏହାକୁ ଲୋକାଦ୍ରୃତ କରିଛନ୍ତି । ସେଥିପାଇଁ ସମଗ୍ର ବିଶ୍ୱରେ ଶାସ୍ତ୍ରୀୟ ସଙ୍ଗୀତ ବହୁତ ଲୋକପ୍ରିୟ ।

ଆମେ ଯେତେବେଳେ ସମଗ୍ର ବିଶ୍ୱକୁ ଯାଉଛୁ ସେତେବେଳେ ଲୋକ ଜାଣିଛନ୍ତି ଆମେ ସମ୍ପୂର୍ଣ୍ଣ ଭାବରେ ଭାରତୀୟ ସଂସ୍କୃତି, ସଙ୍ଗୀତ ବିଶେଷକରି ଶାସ୍ତ୍ରୀୟ ସଙ୍ଗୀତ ସହିତ ଯୋଡ଼ିହୋଇ ରହିଛୁ । ଏହା ହେଉଛି ଆମର ପରମ୍ପରା । ଏହା ହିଁ ହେଉଛି ଆମର ସଂସ୍କୃତି । ଆମେ ସେହି ସଂସ୍କୃତିକୁ ଧରିରଖିଛୁ କାରଣ ଏହା ମା ସରସ୍ୱତୀଙ୍କ ଦାନ । ଆମେ ମା ସରସ୍ୱତୀଙ୍କ ପୂଜାକରୁ ତେବେଯାଇ ଆମକୁ ଆଶୀର୍ବାଦ ମିଳେ ଆମର ଗାୟକି ଭିତରେ । ଯାହାବି ଆମେ ଗାଉ ସେଇଟା ଆଲ୍ଲା କୁହନ୍ତୁ, ଭଗବାନ କୁହନ୍ତୁ, ମା ସରସ୍ୱତୀ କୁହନ୍ତୁ ସବୁ ତାଙ୍କରି ଆଶିର୍ବାଦ ।

ମୋର କହିବାର ଉଦ୍ଦେଶ୍ୟ ହେଲା ଏତେ ବଡ଼ ବଡ଼ କଳାକାର ସେମାନେ ଶାସ୍ତ୍ରୀୟ ସଙ୍ଗୀତକୁ ଏତେ ଲୋକପ୍ରିୟ କରାଇଲେ ସେଥିରୁ ଆମର ଶ୍ରୋତା କିଛି କିଛି ଯାଗାରୁ ଯଦି କିଛିବି ଆହରଣ କରିପାରିଲେ ନାହିଁ କି ବୁଝି ପାରିଲେନାହିଁ ସେଇଟା ସେମାନଙ୍କର ସମସ୍ୟା । ସେଇଟା ଶାସ୍ତ୍ରୀୟ ସଙ୍ଗୀତକାରଙ୍କର କିମ୍ବା ଶାସ୍ତ୍ରୀୟ ସଙ୍ଗୀତର ସମସ୍ୟା ନୁହେଁ ।

ଶାସ୍ତ୍ରୀୟ ସଙ୍ଗୀତ ସବୁ ସଙ୍ଗୀତର ମା ଅଟେ । ଯାହାକୁ ଶାସ୍ତ୍ରୀୟ ସଙ୍ଗୀତର ସାଧନା ଜଣାଥାଏ ତାଙ୍କୁ ଯେକୌଣସି ସଙ୍ଗୀତ ଗାଇବାକୁ ଦେଲେ ସେ ଗାଇପାରିବେ । କାହିଁକି ଗାଇବେ? କାରଣ ତାଙ୍କୁ ସଠିକ ପ୍ରଶିକ୍ଷଣ ଦିଆଯାଇଥାଏ । କେଉଁଥିରେ ପ୍ରଶିକ୍ଷଣ ହୋଇଥାଏ ? ଶାସ୍ତ୍ରୀୟ ସଙ୍ଗୀତରେ ହୋଇଥାଏ ଯେଉଁଟାକୁ ଆମେ କ୍ଲସିକାଲ ମ୍ୟୁଜିକ କୁହନ୍ତି । କ୍ଳାସିକାଲ ମ୍ୟୁଜିକ ଗୋଟିଏ କ୍ଲାସ ପାଇଁ ପୂର୍ବରୁ ଥିଲା । ଗୋଟିଏ ନିର୍ଦ୍ଦିଷ୍ଟ କ୍ଲାସ ପାଇଁ କିନ୍ତୁ ଆଜି ତାହା ନାହିଁ । ଆଜି ଶାସ୍ତ୍ରୀୟ ସଙ୍ଗୀତ ଏତେ ଲୋକପ୍ରିୟ ହୋଇସାରିଲାଣି ଯେ ଆପଣଙ୍କୁ ଘରେ ଘରେ ଶାସ୍ତ୍ରୀୟ ସଙ୍ଗୀତ ଗାଉଥିବାର ଲୋକ ମିଳିବେ । ଏମାନଙ୍କ ଭିତରେ ଯେଉଁ ଉତ୍ସାହ ଦେଖିବାକୁ ମିଳୁଛି ସେମାନେ ହେଉଛନ୍ତି ଆମର ଭବିଷ୍ୟତ ପିଢ଼ି । ସେହିମାନେ ଆମ ଶାସ୍ତ୍ରୀୟ ସଙ୍ଗୀତକୁ ଆଗକୁ ନେବେ ।

କେହିଯଦି ମୋତେ କୁହନ୍ତି ଯେ, ଶାସ୍ତ୍ରୀୟ ସଙ୍ଗୀତ କାହିଁକି ଏତେ ଲୋକପ୍ରିୟ ନୁହେଁ ମୁଁ ସେକଥାକୁ ଗ୍ରହଣ କରିପାରିବି ନାହିଁ । ମୋତେ ଆପଣ କହିପାରିବେ କି ଯେ, କିଶୋର କୁମାରଜୀ, ଲତାଜୀ, ଆଶାଜୀ ଏବଂ ଏମିତି କେତେଜଣଙ୍କ ପରେ ଆପଣ କାହା ନାଁ ନେବେ କିଏ ଗାଉଛନ୍ତି ଲାଇଟ ମ୍ୟୁଜିକ୍‌? ଏବେତ ଯିଏ ଗାଉଛନ୍ତି ମାସେ ଦୁଇମାସ, କି ବର୍ଷେ ଗାଉଛନ୍ତି ତାପରେ ଉଭାନ ହୋଇଯାଉଛନ୍ତି । କିନ୍ତୁ ଶାସ୍ତ୍ରୀୟ ସଙ୍ଗୀତର ଯେଉଁମାନେ ଗାୟକ ଗାୟିକା ହୁଏତ ବର୍ଷରେ ସେମାନଙ୍କୁ କମ୍ ପ୍ରୋଗ୍ରାମ ମିଳୁଥାଇପାରେ କିନ୍ତୁ ସେ ଧାରାବାହିକ ସାଧନା କରନ୍ତି ଓ ଏହାକୁ ଆଗକୁ ନିଅନ୍ତି ଆଉ ଏକ ପିଢ଼ିଯାଏ । ପିଢ଼ି ପରେ ପିଢ଼ି ଶାସ୍ତ୍ରୀୟ ସଙ୍ଗୀତ ଚାଲେ । ବହୁତ କଳାକାରଙ୍କର ପରମ୍ପରା ଏଥିରେ ଥାଏ ।

ଯେମିତି କିରାଣା ଘରାନାର ଏକ ପରମ୍ପରା ରହିଛି । କିରାଣା ଗୋଟିଏ ଗାଁର ନାଁ । ଯେମିତି ଅବଦୁଲ କରିମ ଖାଁ ସାହେବଙ୍କ ଠାରୁ ଆରମ୍ଭ କରି ତାଙ୍କର ସବୁ ବଡ଼ ବଡ଼ ବଂଶଧର କିରାଣା ଘରାନାକୁ ଆଗେଇ ନେଇଛନ୍ତି । ସେମିତି ବଡ଼ ଗୁଲାମଅଲ୍ଲୀ ଖାଁ ସାହେବଙ୍କର ପଟିଆଲା ଘରାନାକୁ ତାଙ୍କର ସବୁ ବଂଶଧର, ତାଙ୍କର ପୁଅ, ତାଙ୍କର ସବୁ ଭାଇ, ତାଙ୍କର ଚାଚା ଏମାନେ ସମସ୍ତେ ଆେଗେଇ ନେଇଛନ୍ତି । କାହାରବି ନାଁ ଆପଣ ଏବେ ନିଅନ୍ତୁ, ଏବେ ମୁଁ ଗାଉଛି ଉସ୍ତାଦ୍ ଦିଲସାବ ଖାଁ ସାହେବ ଓ ମୋ ଝିଅ ସାହାଦବ ସୁଲତାନା ଖାନ୍ ସେ ବି ଗାଉଛନ୍ତି । ଆମେ ସମସ୍ତେ ଗାଉଛୁଁ ଓ ଏମିତି ପରମ୍ପରା ଗଡ଼ିଚାଲେ । ଯାହାକୁ ଭଗବାନଙ୍କ ବରଦାନ ମିଳିଥାଏ ସେ କେବେ ପଛରେ ରହେନାହିଁ । କିନ୍ତୁ ହଁ ଯଦି ଆପଣ ପରିଶ୍ରମ ନକରିବେ କି ରିହାଜ ନକରିବେ, ଗୁରୁଙ୍କ ସହିତ ବସି ଗାଇବା ଶିକ୍ଷା ଗ୍ରହଣ ନକରିବେ ତେବେ ଶାସ୍ତ୍ରୀୟ ସଙ୍ଗୀତକୁ ଦୋଷ ଦେଇପାରିବ ନାହିଁ ।

କାହିଁକି ଶାସ୍ତ୍ରୀୟ ସଙ୍ଗୀତର ଗାୟକ ଏତେ କମ୍ ତାର କାରଣ ବି ଏଇଟା ସର୍ଟକର୍ଟ ଟୁ ଗ୍ଲୋରି କିଛି ନାହିଁ । ସମସ୍ତଙ୍କ ଇଛା ହୁମ୍ପାମାରି ସେଠି ପହଞ୍ଚିଯିବେ । ନାଁ ସେଇଟା ଏତେ ସହଜ କଥାନୁହଁ । ଏହା କିଛି ରଗଡ଼ି ରଗଡ଼ି ଅଭ୍ୟାସ କରିଦେଇ ଗାଇବାର ଗୀତ ଏହା ନୁହଁ । କାହାର ଗୋଟେ ଗୀତ ନେଇ ୩୦୦ଥର ଘୋଷି ଦେଇ ବାସ ଗାଇଦେଲ । ସେଇଟା ସଙ୍ଗୀତ ନୁହଁ । ୩୦୦ଥର କାହିଁକି ଘୋଷିବାକୁ ପଡ଼ୁଛି କାରଣ ଆପଣଙ୍କର ସ୍ୱର ହିଁ ପ୍ରସ୍ତୁତ ହୋଇନି, ଆପଣ ଶିକ୍ଷାଗ୍ରହଣ କରିନାହାଁନ୍ତି । ଆପଣ ଶାସ୍ତ୍ରୀୟ ସଙ୍ଗୀତକୁ କାହିଁକି ଦୋଷ ଦେଉଛନ୍ତି । ସେଥିପାଇଁ ଶାସ୍ତ୍ରୀୟ ସଙ୍ଗୀତ ଗାୟକ କମ ଦେଖାଯାଆନ୍ତି । ସେଥିପାଇଁ ବର୍ଷେ ଦୁଇବର୍ଷ ଗୀତ ଗାଇ ପୁଣି ଉଭାନ ହେଇଯାଉଛନ୍ତି । ସେଥିପାଇଁ ଶାସ୍ତ୍ରୀୟ ସଙ୍ଗୀତର କିଛି ଦୋଷ ନାହିଁ ।

ଶାସ୍ତ୍ରୀୟ ସଙ୍ଗୀତ ନିଜ ସ୍ଥାନରେ ଖମ୍ବ ଭଳି ଦଣ୍ଡାୟମାନ ରହିଛି, ତାର ଚାରିପଟେ ସମସ୍ତେ ଆସୁଛନ୍ତି ଚାଲିଯାଉଛନ୍ତି । ଗଜଲର ଦିନ ଆସିଲା ଚାଲିଗଲା, ଭଜନର ଦିନ ଆସିଲା ଚାଲିଗଲା, କବାଲିର ଦିନ ଆସିଲା ଚାଲିଗଲା । ବାକି ରହିଗଲା କିଏ ଶାସ୍ତ୍ରୀୟ ସଙ୍ଗୀତ । କେତେ ତୁଫାନ ଆସିଲା, କେତେ ଝଡ଼ଝଞ୍ଜା ଆସିଲା କିନ୍ତୁ ସବୁକୁ ସାମ୍ନାକରି ଶାସ୍ତ୍ରୀୟ ସଙ୍ଗୀତ ନିଜ ସ୍ଥାନରେ ଖମ୍ବଭଳି ପ୍ରତୀୟମାନ ରହିଛି । ତାକୁ ହିଁ କୁହାଯାଏ ଶାସ୍ତ୍ରୀୟ ସଙ୍ଗୀତ ।

ମୁଖ୍ୟକଥା ହେଲା ଯେ, କୌଣସି ଗୀତ ହେଉ ଆପଣଙ୍କୁ ଗାଇବାକୁ ପଡ଼ିବ । ଲୋକପ୍ରିୟତା ନିଜର ନିଜକୁ ବଢ଼ାଇବାକୁ ପଡ଼ିବ । ନିଜର ସ୍ଥାନ ନିଜକୁ ତିଆରି କରିବାକୁ ପଡ଼ିବ । ଏଇଟା ସବୁଠାରୁ ବଡ଼ କଥା । ଏଇଟାକୁ ଯଦି ମନରେ ରଖିବ ତେବେ କେବେ ଭାବିବ ନାହିଁ ଯେ, ଶାସ୍ତ୍ରୀୟ ସଙ୍ଗୀତର କିଛି ସ୍ଥାନ ନାହିଁ । ଶାସ୍ତ୍ରୀୟ ସଙ୍ଗୀତର ଧିରେ ଧିରେ ନୈତିକ ଅଧୋପତନ ହେଉଛି, କେହି କଳାକାର ନାହାଁନ୍ତି ଏସବୁ ମିଥ୍ୟା । ଏମିତି ନକହି ବରଂ ପିଲାମାନଙ୍କୁ ଅଧିକ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ । ଆମର ଏତେ ପିଲା ଏତେ ଭଲ ଗାଉଛନ୍ତି ସେମାନଙ୍କୁ ଆମେ ଉତ୍ସାହିତ କରିବା, ଆଗକୁ ନେବା । ତେବେଯାଇ ଆମର ସଙ୍ଗୀତ ବଞ୍ଚିକି ରହିପାରିବ । ବାହାରେ କିଏ କହିଲା ଆମ ଗୀତ ଭଲ ହେଲା ଖରାପ ହେଲା ସେଇଟାକୁ ଶୁଣିବା ଗୁରୁତ୍ତ୍ୱପୂର୍ଣ୍ଣ ନୁହେଁ ।

ମୁଁ ଯେମିତି କହିଲି ଶାସ୍ତ୍ରୀୟ ସଙ୍ଗୀତ ସବୁ ସଙ୍ଗୀତର ମା । ଆମର ଏ ସଙ୍ଗୀତ ୯୦୦୦ ବର୍ଷ ପୁରୁଣା । ଆମ ପୂର୍ବରୁ ଗ୍ରୀକ ମ୍ୟୁଜିକ ଥିଲା । ତାପରେ ଆମ ଗୀତ ଲୋକପ୍ରିୟ ହେଲା । ଆଜି ଯେତେବେଳେ ଆମେ ବିଦେଶରେ ଗାଇବାକୁ ଯାଉଛୁ ଆମ ଗୀତକୁ ଲୋକମାନେ ବହୁତ ସମ୍ମାନର ସହିତ ଶୁଣୁଛନ୍ତି । ସେମାନେ ଜାଣିଛନ୍ତି ଯେ, ଏଇଟା ଶାସ୍ତ୍ରୀୟ ସଙ୍ଗୀତ ତେଣୁ ଏହା ଆମମାନଙ୍କର ଭଗବାନ ପରି, ଏହା ସହିତ ଆମର ଐଶ୍ୱରୀୟ ଚେତନା ଯୋଡ଼ିହୋଇଛି ସେଥିପାଇଁ ସେମାନେ ସମ୍ମାନ ଦିଅନ୍ତି ।

ଶାସ୍ତ୍ରୀୟ ସଙ୍ଗୀତ ସବୁବେଳେ ରହିଛି କିନ୍ତୁ କଳାକାରମାନେ ନିଜେ ନିଜର ପ୍ରସ୍ତୁତି କରି ଯିବା ଆବଶ୍ୟକ । ଆମ ଭଳି କଳାକାରମାନେ ଓ ଭବିଷ୍ୟତ ପିଢ଼ି ଗାଇବା ସମୟରେ କିଛି ପ୍ରସ୍ତୁତି କରି ଷ୍ଟେଜକୁ ଯିବା ଆବଶ୍ୟକ । ଏମିତି ଗାଇବ ଯେତେବେଳେ ସମଗ୍ର ଶ୍ରୋତା ତାହାର ମଜା ନେବେ । ମୁଁ ଆଜି ଯେତେବେଳେ ଗାଉଥିଲି ହଜାର ହଜାର ଲୋକ ଶୁଣିବାକୁ ଆସିଥିଲେ । ସମସ୍ତେ ନିଜ ପକେଟରୁ ଖର୍ଚ୍ଚ କରି ଶୁଣିବାକୁ ଆସିଛନ୍ତି ସେତେବେଳେ ମୁଁତ ସେମାନଙ୍କ ମନଉଣା କରି କେବେବି ସେଠୁ ଫେରାଇବି ନାହିଁ । ମୁଁ ସମସ୍ତଙ୍କ ହୃଦୟକୁ ଛୁଇଁବାକୁ ଚାହେଁ । ଷ୍ଟେଜରେ ମୁଁ ବସିବାବେଳେ ପୁରା ଶ୍ରୋତାଗଣଙ୍କୁ ଯଦି ମୁଁ ଗୋଟିଏ ଥର ଦେଖିନିଏ ସେତେବେଳେ ମୋତେ ଜଣାପଡ଼ିଯାଏ ଯେ ଆଜି ଅଡ଼ିଏନ୍ସର ବା ଶ୍ରୋତାର କ’ଣ ମାନସିକତା ଅଛି ଶୁଣିବାପାଇଁ । ଶ୍ରୋତା କ’ଣ ଚାହୁଁଛି ଶୁଣିବାପାଇଁ । ତମକୁ ସେତିକି ତୀକ୍ଷ୍ଣ ହେବାକୁ ପଡ଼ିବ । ସେଇଟା ତୁମର ଅନୁଭୂତିରୁ ଆସିବ ।

ମୁଁ ସବୁବେଳେ ଶ୍ରୋତାଙ୍କୁ ଦେଖେ ଓ ସବୁବେଳେ ଚେଷ୍ଟାକରେ ପ୍ରତ୍ୟେକ ଲୋକର ହୃଦୟକୁ ଛୁଇଁଯିବାପାଇଁ । ଗ୍ୟାଲେରୀରେ ବସିଥିବା ଲୋକଙ୍କୁ ମଧ୍ୟ ମୁଁ ଛୁଇଁଯିବାକୁ ଚାହେଁ । କାହିଁକି ଗ୍ୟାଲେରୀ ଲୋକଙ୍କୁ ଛାଡ଼ିବି? ଗ୍ୟାଲେରୀରେ ଏମିତି ଲୋକ ଥାଆନ୍ତି ଯେଉଁମାନେ ମୋ ପାଖରୁ ସଙ୍ଗୀତ ଶୁଣିବା ଶିକ୍ଷା ଗ୍ରହଣ କରିଛନ୍ତି । କିଛିଲୋକ ମୋତେ ଆସି କହିଛନ୍ତି ଯେ, ପରବିନଜୀ ଯଦି ଏଇଟା ଶାସ୍ତ୍ରୀୟ ସଙ୍ଗୀତ ଯାହା ଆପଣ ଆଜି ଗାଇଲେ ତେବେ ଆମେ ପ୍ରତ୍ୟେକ ଦିନ ଶୁଣିବାକୁ ଚାହିଁବୁ । ଆପଣଙ୍କୁ ବି ଲୋକ କ’ଣ ଶୁଣିବାକୁ ଚାହୁଁଛନ୍ତି ସେଇଟା ଶିକ୍ଷାକରିବା ଜରୁରୀ । ଯେଉଁମାନେ ସୋଫାରେ ସିଟ୍ କିଣି ଆମ ଗୀତ ଶୁଣିବାକୁ ଆସିଛନ୍ତି ଆମର ଦାୟିତ୍ୱ ସେମାନଙ୍କ ହୃଦୟକୁ ଛୁଇଁବା । ଆମେ ସେମାନଙ୍କୁ କିଛି ଠିକ ଜିନିଷ ଦେବା ଦରକାର । ଶୁଦ୍ଧତା ରକ୍ଷାକରି ସୁନ୍ଦର ଭାବରେ ସେମାନଙ୍କୁ ଛୁଇଁଯିବା ଦରକାର । ଅନ୍ଧାରରେ ଆଖିବନ୍ଦ କରି ଗାଇବା ସେଇଟାକୁ ମୁଁ ସଙ୍ଗୀତ ବୋଲି ଗ୍ରହଣ କରିବି ନାହିଁ । ଯଦି ଆଖି ବନ୍ଦ କରିଦେବ ତେବେ କେମିତି ଜଣାପଡ଼ିବ ଶ୍ରୋତା କଣ ଚାହୁଁଛନ୍ତି?

ଶ୍ରୋତାର କ’ଣ ଅନୁଭବ, ଶ୍ରୋତାର କ’ଣ ରିଏକସନ୍ କେମିତି ଜାଣିବା? ସବୁପରେ ତମେଜଣେ ପରଫରର୍ମିଂ ଆର୍ଟିଷ୍ଟ । ଯଦି ତମେ ପରଫରର୍ମିଂ ଆର୍ଟିଷ୍ଟ ନୁହେଁ ତେବେ ଯାଅ ମନ୍ଦିରକୁ ଯାଅ ସେଠି ଗାଅ କିଛି ସମସ୍ୟା ନାହିଁ । ଯେହେତୁ ତମେ ଏତେ ଟଙ୍କା ନେଇ ପ୍ରୋଗ୍ରାମ କରୁଛ, ଯେହେତୁ ଲୋକେ ଟିକେଟ କିଣି ତମ ପ୍ରୋଗ୍ରାମ ଦେଖିବାକୁ ଆସିଛନ୍ତି ତେଣୁ ସେମାନଙ୍କୁ ସଙ୍ଗୀତ ମାଧ୍ୟମରେ ଖୁସି କରିବାର ଦାୟିତ୍ୱ ତୁମର । କେତେବେଳେ ଖେୟାଲ ଗାଇ କେତେବେଳେ ଠୁମୁରୀ ଗାଇ ତ କେତେବେଳେ ଭଜନ ଗାଇ ପାରିବ କିନ୍ତୁ ସବୁ ସଙ୍ଗୀତ ରାଗ ଉପରେ ବେସ ହୋଇଥିବା ଆବଶ୍ୟକ । ଶୁଦ୍ଧତା ରକ୍ଷାକରିବା ଜରୁରୀ । ମୁଁ ବହୁତ ଚଳଚିତ୍ର ପାଇଁ ବି ଗାଇଛି । କାହିଁକି ମୁଁ ଗାଏ? କାହିଁକି ମୁଁ ଗାଇପାରୁଛି? ମୁଁ ଗଳାକୁ ଅଭ୍ୟାସ କରିଛି । ମୁଁ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ଗ୍ରହଣ କରିଛି । ଯିଏ ଶାସ୍ତ୍ରୀୟ ସଙ୍ଗୀତ କ’ଣ ଜାଣି ନାହାଁନ୍ତି, ରିହାଜ କ’ଣ ଜାଣି ନାହାଁନ୍ତି, ନୋଟର ଦୂରତା ଜାଣି ନାହାଁନ୍ତି, କେଉଁ ନୋଟ ଉପରେ ଛିଡ଼ା ହେବାକୁ ପଡ଼େ ଜାଣିନାହାଁନ୍ତି, କେଉଁ ନୋଟରେ ପିକଅପ କରାଯାଏ ଟେକଅପ କରାଯାଏ ସ୍ୱର ଲୟ ତାଳରେ ଏସବୁ ଜାଣିବା ବହୁତ ଜରୁରୀ ।

ଏତେ ସହଜ ନୁହଁ ଗାଇବା ବଜେଇବା । ସବୁଠାରୁ ମୁସ୍କିଲ ଏମିତି କିଛି ଗାଇବା ଯେମିତି ସେମି କ୍ଲାସିକାଲ ବା ଲାଇଟ ମ୍ୟୁଜିକରେ ଯେଉଁଗୁଡ଼ିକୁ ଗାଇବା ବହୁତ ମୁସ୍କିଲ । ଯାହାକୁ ଅନ୍ଦାଜରେ, ଭାବରେ ପୁରା ଏକ୍ସପ୍ରେସନ୍‌ରେ ଗାଇବାକୁ ହୁଏ । ତମେ ନିଶ୍ଚୟ ଜାଣିବା ଦରକାର ତମେ କଣ ଗାଉଛ । ପ୍ରତ୍ୟେକ ଶବ୍ଦକୁ ତୁମ ଗଳାରେ ପ୍ରକାଶ କରିବା ଦରକାର । ସେତେବେଳେ ଯାଇ ଭଗବାନଙ୍କ ସହିତ ଗୋଟିଏ ମେଳ ହୋଇଥାଏ । ଭଗବାନଙ୍କ ସହ ଏକାକାର । କ’ଣ ସେହି ଏକାକାର? ସେହି ଏକାକାର ହେବା ହିଁ ଭଗବାନ । ତାକୁ ହିଁ ସଙ୍ଗୀତ କୁହାଯାଏ ।

Photo credit- https://bit.ly/32A4ION

About ସ୍ୱୟଂପ୍ରଭା ପାଢ଼ୀ

ସ୍ଵୟଂପ୍ରଭା ପାଢ଼ୀ ଜଣେ ଗାୟିକା ଓ ମୁକ୍ତ ବୃତ୍ତିର ସାମ୍ବାଦିକ ଅଟନ୍ତି । ସେ ସମଧ୍ୱନି ପତ୍ରିକାର ସମ୍ପାଦକ , ସମଧ୍ୱନି ସାଂସ୍କୃତିକ ସଂଗଠନ (୨୦୦୫ ମସିହାରୁ ଓଡ଼ିଶାରେ କାମକରୁଛି) ଓ ସମଧ୍ୱନି ସାଂସ୍କୃତିକ ଗବେଷଣକେନ୍ଦ୍ରର ମୁଖ୍ୟ। ସମଗ୍ର ଓଡିଶାରେ ସାଂସ୍କୃତିକ ବାତାବରଣ ତିଆରି କରିବା ଓ ସାଧାରଣ ଲୋକମାନଙ୍କ ସ୍ୱରକୁ ସାଂସ୍କୃତିକ ମାଧ୍ୟମରେ ତୋଳିଧରିବା ପାଇଁ ସେ କାମ କରିଚାଲିଛନ୍ତି।

Check Also

ସାକ୍ଷାତକାର ପଣ୍ଡିତ ଡ଼ଃ ଦାମୋଦର ହୋତା

ପ୍ରଶ୍ନ : ସଂଗୀତ ପ୍ରତି ଆପଣଙ୍କ ଆକର୍ଷଣର କାରଣ କ’ଣ ଥିଲା? ଆପଣ କେଉଁ ସ୍ଥାନରେ ଜନ୍ମ ହୋଇଥିଲେ ଓ …

Leave a Reply

Your email address will not be published. Required fields are marked *