Home / ସମୀକ୍ଷା / ସକ୍ରେଟିସ୍ ଓ ଚାର୍ବାକ୍ (ଦୁଷ୍ଟ ମାନସର ଦୁଇଟି ପକ୍ଷପାତ)

ସକ୍ରେଟିସ୍ ଓ ଚାର୍ବାକ୍ (ଦୁଷ୍ଟ ମାନସର ଦୁଇଟି ପକ୍ଷପାତ)

‘ଲୋକାୟତ ଦର୍ଶନ’ ଅନୁଯାୟୀ ମୃତ୍ୟୁରେ ମଣିଷର ଦେହ ନାଶ ହେବା ସଙ୍ଗେ ସଙ୍ଗେ ତାର ଚେତନା ବି ଶେଷ ହୋଇଯାଏ । ଦେହ ବିହୀନ ‘ଆତ୍ମା’ରେ ବିଶ୍ୱାସ କରୁନଥିଲେ ଚାର୍ବାକ୍ । ଅନ୍ୟ ପକ୍ଷରେ ସକ୍ରେଟିସ୍ ତାଙ୍କ ବିଚାରକମାନଙ୍କୁ ପରିଷ୍କାର କହିଥିଲେ, ‘ଏଥେନ୍ସବାସୀଗଣ! ମୁଁ ଆପଣମାନଙ୍କୁ ପ୍ରେମକରେ ଓ ମର୍ଯ୍ୟାଦା ଦିଏ; କିନ୍ତୁ ମୁଁ ଆପଣମାନଙ୍କର ନୁହେଁ, ଭଗବାନଙ୍କର ଆଦେଶ ମାନିବିି ।’ ସକ୍ରେଟିସଙ୍କୁ ଏବଂ ଚରବାକଙ୍କୁ ଦୁଇଟି ଭିନ୍ନ ଦୃଷ୍ଟିଭଙ୍ଗୀରୁ ଏହି ଲେଖାରେ ଅନୁଶୀଳନ କରିଛନ୍ତି ଲେଖକ ପ୍ରଫେସର ଭଗବତ ପ୍ରସାଦ । ତାଙ୍କ ମତରେ ଅଭିଜାତ ଗୋଷ୍ଠୀ ସମର୍ଥକ ଗ୍ରୀସ୍ ଦର୍ଶନର ଜନକ ସକ୍ରେଟିସଙ୍କୁ ବିଶ୍ୱବନ୍ଦିତ କରାଇବା ଏବଂ ମାନବବାଦୀ ଜନଗୋଷ୍ଠୀ ଭିତ୍ତିକ ଲୋକାୟତ ଦର୍ଶନର ପ୍ରବକ୍ତା ଭାରତବାସୀ ଚରବାକଙ୍କୁ ଇତିହାସ ପୃଷ୍ଠାରୁ ନିର୍ବାସିତ କରିବା ଆଧୁନିକ ପକ୍ଷପାତ ଦୁଷ୍ଟମାନସର ଏକ ଦୁଃଖଦ ଅଧ୍ୟାୟ । – ସମ୍ପାଦକ

ଅଭିଜାତ ଗୋଷ୍ଠୀ ସମର୍ଥକ ଗ୍ରୀସ୍ ଦର୍ଶନରଜନକ ସକ୍ରେଟିସଙ୍କୁ ବିଶ୍ୱବନ୍ଦିତ କରାଇବା ଏବଂ ମାନବବାଦୀ ଜନଗୋଷ୍ଠୀ ଭିତ୍ତିକ ଲୋକାୟତ ଦର୍ଶନର ପ୍ରବକ୍ତା ଭାରତବାସୀ ଚରବାକଙ୍କୁ ଇତିହାସ ପୃଷ୍ଠାରୁ ନିର୍ବାସିତ କରିବା ଆଧୁନିକ ପକ୍ଷପାତ ଦୁଷ୍ଟମାନସର ଏକ ଦୁଃଖଦ ଅଧ୍ୟାୟ ।

ପ୍ରଚଳିତ ଆଇନର ଦୁରୁପଯୋଗ କରି ସକ୍ରେଟିସ୍ଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ ତାଙ୍କ ନିଜ ଗୋଷ୍ଠୀର ମହାମାନ୍ୟ ବିଚାରକମାନେ । ବାକ୍ଚାତୁରୀ ମାଧ୍ୟମରେ ସତ୍ୟକୁ ମିଥ୍ୟା ଓ ମିଥ୍ୟାକୁ ସତ୍ୟ କରୁଥିବା ଆଇନ ବ୍ୟବସ୍ଥାର ଯେଉଁ ଭିତ୍ତିଭୂମି ଗ୍ରୀସ୍ରେ ପଡ଼ିଥିଲା, ତାହା ଏ ଯୁଗରେ ମଧ୍ୟ ବଳବତ୍ତର ରହିଛି । ପୋଲିସର ମିଛ ମୋକଦ୍ଦମା ବଳରେ ଦେଶର ପ୍ରକୃତ ଗର୍ବ ଓ ଗୌରବ ଅନ୍ୟାୟର ବିରୋଧ କରୁଥିବା ସଂଗ୍ରାମୀ ଜନନେତାମାନେ ଜେଲ୍ରେ ସଢ଼ୁଛନ୍ତି ।

ଚରବାକଙ୍କୁ ଯେଉଁମାନେ ହତ୍ୟା କରିଥିଲେ, ସେମାନେ ଥିଲେ ଅନ୍ୟ ଏକ ଗୋଷ୍ଠୀର । ଯୁଧିଷ୍ଠିରଙ୍କୁ ଜ୍ଞାତିଭାଇଙ୍କ ହତ୍ୟା ଲାଗି ତିରସ୍କାର କରିଥିବା ଚାର୍ବାକ୍ କହିଥିଲେ ସବୁ ବ୍ରାହ୍ମଣମାନେ ମିଶି ତାଙ୍କୁ ପଠାଇଛନ୍ତି ଏବଂ ସେମାନଙ୍କର ମତକୁ ଚାର୍ବାକ୍ ପ୍ରକାଶ କରୁଛନ୍ତି । ‘ଇମେ ପ୍ରାହୁଃ ଦ୍ୱିଜାଃ ସର୍ବେ ସମାରୋପ୍ୟ ବଚୋ ମୟି’

ଚରବାକଙ୍କୁ ଯେଉଁମାନେ ହତ୍ୟା କଲେ, ସେମାନେ କହିଲେ ଯେ ସେମାନେ ବ୍ରାହ୍ମଣ ଏବଂ ଚାର୍ବାକ୍ ସେମାନଙ୍କର ପ୍ରତିନିଧି ନୁହନ୍ତି, ବରଂ ଚାର୍ବାକ୍ ଦୁର୍ଯ୍ୟୋଧନର ସଖା, ଜଣେ ରାକ୍ଷସ । ପ୍ରାଚୀନ ଭାରତ ଇତିହାସକୁ ଯେଉଁମାନେ ଗବେଷଣାତ୍ମକ ଦୃଷ୍ଟିରେ ଅଧ୍ୟୟନ କରିନାହାନ୍ତି, ସେମାନେ ଏ ପ୍ରହେଳିକାକୁ ଭେଦ କରିପାରିବେନି ।

ଚାର୍ବାକଙ୍କ ଯୁଗରେ ଭାରତରେ ଦୁଇଶ୍ରେଣୀର ବ୍ରାହ୍ମଣ ଥିଲେ । ଦଳେ ଥିଲେ ପ୍ରାକ୍ ବୈଦିକ ଗୋଷ୍ଠୀର । ‘ଅହିଂସା’ ଥିଲା ସେମାନଙ୍କର ବ୍ରତ । ସେମାନେ ଏତେମାତ୍ରାରେ ଅପରିଗ୍ରହୀ ଥିଲେ ଯେ ସେମାନେ  ବଣର ଫଳମୂଳ ଖାଇ ଓ ବଳ୍କଳ ପିନ୍ଧି ଜୀବନଧାରଣ କରିଥିଲେ । ମେଗାସ୍ଥିନିସ୍ ସେମାନଙ୍କୁ ସମାଜରେ ସର୍ବୋଚ୍ଚ ସ୍ଥାନ ଦେଇଛନ୍ତି ଓ ଦାର୍ଶନିକ ଆଖ୍ୟା ଦେଇଛନ୍ତି ।

`The sofists … who are not so numerous as others, but hold the supreme place of dignity and honours .. the sages go naked, living in the winter in the open air to enjoy the sunshine. They live upon the fruits which each season produces, and on the barks of trees.’

ସେମାନେ ଥିଲେ ଦାର୍ଶନିକ (sophists), ସେମାନେ ଲଙ୍ଗଳା, ବଞ୍ଚନ୍ତି ଫଳମୂଳ ଖାଇ ଓ ବଳ୍କଳ ପିନ୍ଧି, ସମାଜରେ ସେମାନଙ୍କର ସ୍ଥାନ ସର୍ବୋଚ୍ଚ । ମେଗାସ୍ଥିନିସ୍ଙ୍କୁ ବିବରଣୀକୁ ପୁଷ୍ଟ କରେ ମହାଭାରତ । ଗୀତା ମତରେ ଯୋଗୀର ସ୍ଥାନ ସର୍ବୋଚ୍ଚ । (୬-୪୬) ଶାନ୍ତିପର୍ବରେ ମେଗାସ୍ଥିନିସ୍ ବର୍ଣ୍ଣିତ ବ୍ରାହ୍ମଣଙ୍କୁ (ଯୋଗୀଙ୍କୁ) କୁହାଯାଉଥିଲା ଉଞ୍ଛବୃତ୍ତିର ବ୍ରାହ୍ମଣ । ସେମାନଙ୍କର ମହିମା ଗାନରେ ବ୍ୟାସଦେବ କ୍ଳାନ୍ତିବୋଧ କରିନାହାନ୍ତି ଶାନ୍ତିପୂର୍ବର ୩୬୩ତମ ଅଧ୍ୟାୟରେ । ଯୁଧିଷ୍ଠିରଙ୍କୁ ସମ୍ବର୍ଦ୍ଧନା ଜଣାଇବା ପାଇଁ ଯେଉଁ ବ୍ରାହ୍ମଣମାନେ ଏକତ୍ର ହୋଇଥିଲେ ସେମାନେ ଥିଲେ ପୁରୋହିତ ଶ୍ରେଣୀର ।

ଫୁଲ, ମିଠାଇ, ରତ୍ନ, ସୁବର୍ଣ୍ଣ, ଗାଈ, ବସ୍ତ୍ର ଏବଂ ସେମାନଙ୍କର ଅନ୍ୟ ଇପ୍ସିତ ଦ୍ରବ୍ୟ ବ୍ରାହ୍ମଣମାନଙ୍କୁ ଯୋଗାଇବାରେ କାର୍ପଣ୍ୟ କରିନଥିଲେ ଯୁଧିଷ୍ଠିର । (ଶାନ୍ତିପର୍ବ ୩୮-୧୯)

ମହାଭାରତକାର ଏଇଶ୍ରେଣୀର ବ୍ରାହ୍ମଣମାନଙ୍କୁ ଚଣ୍ଡାଳତୁଲ୍ୟ ସମାନ କରିଛନ୍ତି । (ଶାନ୍ତିପର୍ବ ୭୬-୬)

ଚାର୍ବାକଙ୍କୁ ବ୍ରହ୍ମଦଣ୍ଡ ପ୍ରହାର କରି ହତ୍ୟା କରିଥିଲେ ପୁରୋହିତ ବ୍ରାହ୍ମଣମାନେ, ‘ଅକ୍ରୋଧ’ ଏବଂ ‘କ୍ଷାନ୍ତି’ (କ୍ଷମା) ଯେଉଁ ବ୍ରାହ୍ମଣର ସ୍ୱଭାବଜ କର୍ମ ବୋଲି ଧରାଯାଏ, ସେଇ ବ୍ରାହ୍ମଣମାନେ ଏଠି ‘ଚାର୍ବାକହତ୍ୟା’ ରୂପକ କୁକର୍ମ କରିବାରେ ପଛାଇନାହାନ୍ତି, ଭାରତୀୟ ସଂସ୍କୃତି ଅନୁଯାୟୀ ଦଣ୍ଡବିଧାନ ଅଧିକାର କେବଳ ରହିଛି ରାଜାମାନଙ୍କର । ଏଭଳି ଦଣ୍ଡବିଧାନ ବିନା ବିଚାରରେ ହୋଇପାରେନା । ଯେଉଁ ବ୍ରାହ୍ମଣମାନେ ଚାର୍ବାକଙ୍କୁ ହତ୍ୟାକଲେ ସେମାନେ ପିତୃଘାତୀ, ଅସଂଖ୍ୟ ବ୍ରାହ୍ମଣଘାତୀ (ମହାଭାରତ ଓ ବେଦ), ଧର୍ଷକ ଓ ମଦ୍ୟପ ଇନ୍ଦ୍ରଙ୍କର ସ୍ତୁତି ଗାନକରି ଋଗ୍ବେଦର ଏକଚତୁର୍ଥାଂଶ ଭାଗ ପୂରଣ କରିଛନ୍ତି । ଏଇ ଲୋଭୀ ବ୍ରାହ୍ମଣମାନେ ଇନ୍ଦ୍ରଙ୍କୁ ଧନ, ଦାସଦାସୀ, ସ୍ୱର୍ଣ୍ଣ, ଗାଈ ଅକୁଣ୍ଠ ଭାବେ ସ୍ତବ ମାଧ୍ୟମରେ ମାଗିଛନ୍ତି ।

‘ଲୋକାୟତ ଦର୍ଶନ’ର ମୁଖ୍ୟ ପ୍ରବକ୍ତା ଥିଲେ ଦୁଇଜଣ: ବୃହସ୍ପତି ଓ ତାଙ୍କର ପ୍ରମୁଖ ଶିଷ୍ୟ ‘ଚାର୍ବାକ’ । ଏହି ଦର୍ଶନ ଅନୁଯାୟୀ ମୃତ୍ୟୁରେ ମଣିଷର ଦେହ ନାଶ ହେବା ସଙ୍ଗେ ସଙ୍ଗେ ତାର ଚେତନା ବି ଶେଷ ହୋଇଯାଏ । ଦେହବିହୀନ ‘ଆତ୍ମା’ରେ ବିଶ୍ୱାସ କରୁନଥିଲେ ଚାର୍ବାକ୍, ତାଙ୍କ ମତରେ ପୁନର୍ଜନ୍ମ ବା ‘ଆତ୍ମା’ର ପରଲୋକ ଗମନ ଏକ ଭ୍ରାନ୍ତ ଧାରଣା ।

‘ଭସ୍ମୀଭୂତସ୍ୟ ଦେହସ୍ୟ ପୁନରାଗମନଂ କୁତଃ’, ଭସ୍ମ ହେଉଥିବା ଦେହ ପୁଣି ଆଗମନ କରିବ କେମିତି? ଗ୍ରୀସ୍ ଦେଶବାସୀଙ୍କର ମଧ୍ୟରେ ପରଲୋକଗମନ ଧାରଣା ଥିଲା ପ୍ରବଳ । ସକ୍ରେଟିସ୍ ଏଥିରୁ ବାଦ୍ ପଡ଼ି ନଥିଲେ । Socreates on the day of his death (if Plato is to be believed) expressed the conviction that in the next world, he would live in the company of gods and heroes and surrounded by just spirits who would never object to his endless argumentation.

Bertand Russell-How to Escape from Intellectual Rubbish.

ସକ୍ରେଟିସ୍ଙ୍କୁ ବିଶ୍ୱାସଥିଲା ମୃତ୍ୟୁପରେ ସେ ଦେବତା ଓ ବୀରମାନଙ୍କ ସହ ବାସକରିବେ ଏବଂ ଏହି ନ୍ୟାୟବାଦୀ ଆତ୍ମାମାନେ ସକ୍ରେଟିସ୍ ଙ୍କ ବିରତିବିହୀନ ଯୁକ୍ତିତର୍କକୁ ନାପସନ୍ଦ କରିବେନି ।

ଚାର୍ବାକ୍ ଯେ ସକ୍ରେଟିସ୍ ଙ୍କଠୁ ଏଇକ୍ଷେତ୍ରରେ ଅଧିକ ପ୍ରଗତିଶୀଳ ଥିଲେ ଏହା ସୁସ୍ପଷ୍ଟ । ଚାର୍ବାକ୍ ଥିଲେ ପୂର୍ଣ୍ଣମାତ୍ରାରେ ପରକାଳ – ଅବିଶ୍ୱାସୀ ।

କୋର୍ଟରେ ବିଚାରବେଳେ ସକ୍ରେଟିସ୍ ଙ୍କ ବିରୁଦ୍ଧରେ ଅଭିଯୋଗ ଥିଲା, ସେ ଗ୍ରୀସ୍ର ପ୍ରଚଳିତ ଦେବଦେବୀ ବିଶ୍ୱାସକୁ ବିରୋଧ କରୁଛନ୍ତି ଏବଂ ପ୍ରତିଷ୍ଠିତ ଦେବଦେବୀଙ୍କ ସ୍ଥାନରେ ନୂଆ ଦେବଦେବୀଙ୍କୁ ବସାଇବାକୁ ଉଦ୍ୟମ କରୁଛନ୍ତି । ମେଲେଟସ୍ (MELETUS)ଙ୍କ ଅଭିଯୋଗ ଥିଲା ଯେ ସକ୍ରେଟିସ୍ ଜଣେ ନିରୀଶ୍ୱରବାଦୀ, ସକ୍ରେଟିସ୍ଙ୍କ ମତରେ ସୂର୍ଯ୍ୟ କେବଳ ପଥର ଓ ଚନ୍ଦ୍ର କେବଳ ମାଟି । ସକ୍ରେଟିସ୍ ଏ ଅଭିଯୋଗକୁ ଅସ୍ୱୀକାର କରି କହିଥିଲେ ଏଭଳି ବିଶ୍ୱାସ ତାଙ୍କର ନୁହେଁ, ଏନାକ୍ସୋଗୋରାସ୍ଙ୍କ ଥିଲା । ସକ୍ରେଟିସ୍ କହିଥିଲେ ଯେ, ସେ କେବଳ ଦେବତାଙ୍କର ନିର୍ଦ୍ଦେଶରେ ସେ ନିଜର ଓ ଅନ୍ୟମାନଙ୍କର ଜ୍ଞାନପରୀକ୍ଷା କରୁଥିଲେ । ଏହାଦ୍ୱାରା ସେ ଅନେକଙ୍କର ଶତ୍ରୁତା ଅର୍ଜନ କରୁଥିଲେ, କିନ୍ତୁ ଜଣେ ବିଶ୍ୱସ୍ତ ସୈନିକ ସବୁ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଯୁଦ୍ଧକ୍ଷେତ୍ରରେ ଦଣ୍ଡାୟମାନ ରହିଲା ଭଳି ସେ ଦେବତାଙ୍କର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଯେକୌଣସି ଅପ୍ରୀତିକର ପରିସ୍ଥିତିକୁ ସାମ୍ନା କରିବାର ମନୋଭାବ ନେଇ ଯୁକ୍ତି କରୁଥିଲେ । ବିଚାରକମାନଙ୍କୁ ସେ ପରିଷ୍କାର କହିଥିଲେ, ‘ଏଥେନ୍ସବାସୀଗଣ! ମୁଁ ଆପଣମାନଙ୍କୁ ପ୍ରେମକରେ ଓ ମର୍ଯ୍ୟାଦା ଦିଏ; କିନ୍ତୁ ମୁଁ ଆପଣମାନଙ୍କର ନୁହେଁ, ଭଗବାନଙ୍କର ଆଦେଶ ମାନିବି।’

ଭଗବତ୍ ବିଶ୍ୱାସ ଚାର୍ବାକଙ୍କ ଚିନ୍ତନରେ ସ୍ଥାନ ପାଇ ନଥିଲା । ‘ପିଲାବେଳୁ ମୁଁ ଶୁଣିଆସିଛି ଭଗବାନଙ୍କ ନିର୍ଦ୍ଦେଶ ଏବଂ ସେ ଅନୁସାରେ ମୁଁ ନିୟନ୍ତ୍ରିତ କରିଛି ମୋ ଜୀବନକୁ । ଭଗବାନଙ୍କ ନିର୍ଦ୍ଦେଶ ନ ପାଇବା ଯୋଗୁଁ ହିଁ ରାଜନୀତିରେ ଯୋଗ ଦେଲିନି ।’ – ସକ୍ରେଟିସ୍

ବିଚାରକମାନଙ୍କ ରାୟ ଶୁଣିଲା ପରେ ସକ୍ରେଟିସ୍ କହିଥିଲେ, ‘ହେ ମୋର ହତ୍ୟାକାରୀମାନେ! ମୋର ମୃତ୍ୟୁପରେ ଆପଣମାନେ ପ୍ରଚଣ୍ଡ ବିପର୍ଯ୍ୟୟର ସମ୍ମୁଖୀନ ହେବେ । ମୋର ଏ ଭବିଷ୍ୟତବାଣୀ ବ୍ୟର୍ଥ ହେବନି, କାରଣ ମୁଁ ଜଣେ ମୃତ୍ୟୁପଥର ଯାତ୍ରୀ ।’

ସକ୍ରେଟିସ୍ ବିଚାରାଳୟରେ କହିଥିଲେ ଯେ ସେ ଜଣେ ସତ୍ୟସନ୍ଧାନୀ । ଜଣେ ସତ୍ୟ ସନ୍ଧାନୀର ଏଭଳି ବେଦନାଦାୟକ ମୃତ୍ୟୁ ବାସ୍ତବରେ ଦୁଃଖଦାୟକ । ସକ୍ରେଟିସ୍ ଙ୍କ ବିଶ୍ୱାସ ଥିଲା,  କେବଳ ଯୁକ୍ତି ମାଧ୍ୟମରେ ମୃତ୍ୟୁକୁ ପାଇହେବ । ମୃତ୍ୟୁଦଣ୍ଡ ପାଇଁ ଜେଲ୍ରେ ଅପେକ୍ଷା କଲାବେଳେ ସକ୍ରେଟିସ୍ ଙ୍କ ଶିଷ୍ୟ କ୍ରିଟୋ ତାଙ୍କର ପଳାୟନର ବ୍ୟବସ୍ଥା ପକ୍କା କରିବା ପ୍ରସ୍ତାବ ଦେଇଥିଲେ । କ୍ରିଟୋ ଓ ସକ୍ରେଟିସ୍ ଙ୍କର ଏଇ ପନ୍ଥାର ଔଚିତ୍ୟ ନେଇ ଯୁକ୍ତିତର୍କ ହୋଇଥିଲା । ସକ୍ରେଟିସ୍ ପରିଷ୍କାର କହିଥିଲେ, ‘ମୁଁ ରାଷ୍ଟ୍ର ଓ ତା’ର ଆଇନକୁ ସମ୍ମାନ ଦିଏ କାରଣ ଏ ଦୁଇଟି ବିପଦଗ୍ରସ୍ତ ହେଲେ ଲୋକେ ଅରାଜକତାର ସମ୍ମୁଖୀନ ହେବେ ।

ସକ୍ରେଟିସ୍ ବିପ୍ଳବୀ ନଥିଲେ, ସେ ଥିଲେ ସ୍ଥିତାବସ୍ଥାର ସମର୍ଥକ, ସକ୍ରେଟିସ୍ଙ୍କ ଗ୍ରୀସ୍ରେ ଥିଲେ ପଚାଶହଜାର ନାଗରିକ ଏବଂ ନବେହଜାର କ୍ରୀତଦାସ । ନାଗରିକମାନଙ୍କ ମଧ୍ୟରେ ନାରୀମାନଙ୍କର ରାଜନୀତିରେ କୌଣସି ଭାଗ ନଥିଲା ।

ସକ୍ରେଟିସ୍ ମାନୁଥିଲେ ଯେ ମଣିଷ ହେଉଛି ‘ଦେବତାଙ୍କର ସମ୍ପତ୍ତି’ ଏବଂ ତେଣୁ ମଣିଷର ସ୍ୱଇଚ୍ଛା ଅନୁସାରେ କାମକରିବାର ଅଧିକାର ନାହିଁ । ସେ କହୁଥିଲେ ଯେଉଁ ସ୍ଥାନ ଯାହା ପାଇଁ ସମାଜ ନିର୍ଦ୍ଦିଷ୍ଟ କରିଛି, ସେ ସେଇସ୍ଥାନରେ ରହି ତା’ର କର୍ତ୍ତବ୍ୟ ପାଳନ କରିବା ଉଚିତ । ଦେଶ ଯଦି ତମକୁ କ୍ରୀତଦାସ ବା ଭୃତ୍ୟର ସ୍ଥାନ ଦେଉଛି, ତମେ ସେ ସ୍ଥାନରେ ରହି ଦେଶସେବା କରିବା ଦରକାର, ମାଲିକ ଖରାପ ବ୍ୟବହାର କଲେ ମଧ୍ୟ ତାକୁ ଅନୁରୂପ ବ୍ୟବହାର କରିବାର ଅଧିକାର ଭୃତ୍ୟର ନାହିଁ । ପିତା ଓ ପୁତ୍ରଙ୍କ କ୍ଷେତ୍ରରେ ମଧ୍ୟ ପରିସ୍ଥିତି ଠିକ୍ ସେଭଳି । ‘କ୍ରିଟୋ’ ଓ ‘ଫେଡୋ’ ଦୁଇଟି ଗ୍ରନ୍ଥରେ ଏ ଭାବନାଗୁଡ଼ିକ ସପକ୍ଷରେ ଅଗଣିତ ଯୁକ୍ତି ଦେଇଛନ୍ତି ସକ୍ରେଟିସ୍ ।

ସକ୍ରେଟିସ୍ଙ୍କ ଗ୍ରୀସ୍ ଓ ଚାର୍ବାକ୍ଙ୍କ ଭାରତରେ ଦୁଇଟି ଭିନ୍ନସମାଜ ଗଠିତ ହୋଇଥିଲା । ଚାର୍ବାକଙ୍କ ଭାରତ (ପ୍ରାକ୍ – ବୈଦିକ) କେବଳ ବୈଦିକ ଆର୍ଯ୍ୟ ସଭ୍ୟତାଠୁ ଉନ୍ନତ ଥିଲା ତାହା ନୁହେଁ, ପରବର୍ତ୍ତୀ ଗ୍ରୀକ୍ ସଭ୍ୟତାଠୁ ବି ଯଥେଷ୍ଟ ଆଗରେ ଥିଲା । ଆଧୁନିକ ଯୁଗର ତଥାକଥିତ ହିନ୍ଦୁତ୍ୱବାଦୀଙ୍କ ଭାରତ ଯେ ଏହି ପ୍ରାକ୍ବୈଦିକ ସଭ୍ୟତାଠୁ ବହୁ ନିମ୍ନରେ ସେଥିପାଇଁ ଯୁକ୍ତି କରିବା ଆବଶ୍ୟକ ନାହିଁ । ବିଜ୍ଞାନ କ୍ଷେତ୍ରରେ ଆଧୁନିକ ବିଶ୍ୱ ନିଶ୍ଚିତ ଭାବରେ ବହୁତ ଆଗେଇଛି, କିନ୍ତୁ ପ୍ରକୃତି କିମ୍ବା ଇତରଗୋଷ୍ଠୀର ମାନବଙ୍କ ସହ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଆଜିର ବିଶ୍ୱ ପ୍ରାକ୍-ବୈଦିକ ସମାଜ ଏବଂ ସାରା ବିଶ୍ୱର ଆଦିମ ଜନଜାତି ସମ୍ପ୍ରଦାୟମାନଙ୍କ ସହ ତୁଳନୀୟ ନୁହେଁ ।

ପ୍ରାକ୍-ବୈଦିକ ଭାରତୀୟ ସମାଜରେ ଥିଲେ ମୁଖ୍ୟତଃ ଦୁଇଟି ଗୋଷ୍ଠୀ । ଗୋଟିଏ ଗୋଷ୍ଠୀ ଥିଲା ‘ଆଭିଜାତ୍ୟ ସମ୍ପନ୍ନ’ ସେମାନଙ୍କର ମୁଖ୍ୟ ଦର୍ଶନ ଥିଲା ସାଂଖ୍ୟ ଓ ଯୋଗ । ‘ଇମଂ ରାଜର୍ଷୟୋ ବିଦୁଃ’ (ଗୀତା -୪-୨)

ଏହାକୁ ରାଜର୍ଷିମାନେ ପ୍ରଥମେ ଜାଣିଲେ । ଶ୍ରୀକୃଷ୍ଣ କହିଛନ୍ତି ଯେ ଯୋଗ ମୁଖ୍ୟତଃ ‘ରାଜର୍ଷି’ ସମାଜ ମଧ୍ୟରେ ସୀମିତ ଥିଲା ପ୍ରାରମ୍ଭିକ ଅବସ୍ଥାରେ । ଗୀତା ସାଂଖ୍ୟ ଓ ଯୋଗକୁ ଗୋଟିଏ ପର୍ଯ୍ୟାୟରେ ରଖିଛି । ‘ଏକଂ ସାଂଖ୍ୟଂ ଚ ଯୋଗଂ ଚ ଯଃ ପଶ୍ୟତି ସ ପଶ୍ୟତି (ସାଂଖ୍ୟ ଓ ଯୋଗ ମଧ୍ୟରେ କିଛି ତଫାତ୍ ନାହିଁ) ।’

ଲୋକାୟତ ଦର୍ଶନ ମୁଖ୍ୟତଃ ଜନଜାତି ଗୋଷ୍ଠୀ ସଂସ୍କୃତି ଆଧାରିତ, ପୃଥିବୀର ଅନ୍ୟ କୌଣସି ଜନଗୋଷ୍ଠୀ ଏଭଳି ତାତ୍ତ୍ୱିକ ଗବେଷକଙ୍କୁ ସୃଷ୍ଟି କରିଥିବା ମୋ ଆଖିରେ ପଡ଼ିନି । ଭାରତରେ ଲୋକାୟତ ଦର୍ଶନର ସମସ୍ତ ଗ୍ରନ୍ଥକୁ ନଷ୍ଟ କରି ଦିଆଯାଉଛି, ବର୍ତ୍ତମାନ ଏ ଦର୍ଶନ ଜାଣିବାର ମୁଖ୍ୟ ଉତ୍ସଗୁଡ଼ିକ ହେଉଛି ଏଇ ଦର୍ଶନ ବିରୋଧୀ ଦାର୍ଶନିକମାନଙ୍କର ଉକ୍ତିବିଶେଷ । ଚୀନ୍ ଓ ତିବ୍ବତୀ ଭାଷାରେ ଅନୁବାଦିତ ଲୋକାୟତ ଗ୍ରନ୍ଥ । ଏ ଦୁଇଟି ଭାଷାରେ ଲିଖିତ ଗ୍ରନ୍ଥଗୁଡ଼ିକର ମୂଳସ୍ରୋତ ବହି ଭାରତରେ ମିଳୁନି ।

ଭାରତୀୟ ଓ ପାଶ୍ଚାତ୍ୟ ବିଦ୍ୱାନମାନେ ଯୋଗ, ସାଂଖ୍ୟ ଓ ଲୋକାୟତ ଦର୍ଶନ ପ୍ରତି ସଠିକ୍ ଦୃଷ୍ଟି ଦେଇନାହାନ୍ତି । ଏପଟେ ବୁଦ୍ଧ କିମ୍ବା ଗାନ୍ଧି ଏବଂ ସେପଟେ ହିଟ୍ଲର କିମ୍ବା ବୁଶ୍ ଯେ ଗୋଟିଏ ସଂସ୍କୃତିର ଅମୃତ ବା ବିଷଫଳ, ତାହା ପ୍ରମାଣିତ କରିବାରେ ବିଦ୍ୱାନ୍ ସମାଜ ଯଥେଷ୍ଟ ମେଧା ଖର୍ଚ୍ଚ କରିନାହାନ୍ତି । ଲୋକାୟତ ଦର୍ଶନ ଯେତେବେଳେ ‘ଯେତେଦିନ ବଂଚିବ, ସୁଖରେ ବଂଚିବ’ (ଯାବଜ୍ଜୀବତ୍ ସୁଖଂ ଜୀବେତ୍) କଥା କହୁଚି, ପଣ୍ଡିତମାନେ ଏ ‘ସୁଖ’ ଲକ୍ଷ୍ୟକୁ ଅତିରିକ୍ତ ଅନିୟନ୍ତ୍ରିତ ଭୋଗଧର୍ମୀ ସୁଖ (HEDONISM)ସହ ଏକାର୍ଥବୋଧକ ବୋଲି ନିରୂପଣ କରୁଛନ୍ତି । କିନ୍ତୁ ଏ ସୁଖ ହେଉଛି ଜନଜାତି ଗୋଷ୍ଠୀମାନେ ଗ୍ରହଣ କରିଥିବା ଜୀବନରେ ମିଳୁଥିବା ସୁଖ । ତେଣୁ ଋଣଂକୃତ୍ୱା ଘୃତଂ ପିବେତ୍’- ‘ଋଣ କରି ଘିଅପିଅ ଚିନ୍ତାଧାରା’ ସମର୍ଥିତ ସୁଖ ସହ ଏ ସୁଖର କୌଣସି ସାଦୃଶ୍ୟ ନାହିଁ ।

ଖ୍ରୀଷ୍ଟପୂର୍ବ ତିନିଶହ ପର୍ଯ୍ୟନ୍ତ, ଭାରତର ବିଦ୍ୱାନ୍ମାନେ କେବଳ ଯୋଗ, ସାଂଖ୍ୟ ଓ ଲୋକାୟତ ଦର୍ଶନକୁ ହିଁ ‘ଦର୍ଶନ’ ଆଖ୍ୟା ଦେଉଥିଲେ । ବେଦର ପୂର୍ବ ମୀମାଂସା ଭାଗ (ଯଜ୍ଞର ତାତ୍ତ୍ୱିକ ବ୍ୟାଖ୍ୟା) ଓ ଉତ୍ତରମୀମାଂସା ଭାଗ (ବେଦାନ୍ତ)କୁ ଦର୍ଶନ ରୂପେ ସେମାନେ ଗ୍ରହଣ କରିନଥିଲେ । କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର ସାଂଖ୍ୟ, ଯୋଗ ଓ ‘ଲୋକାୟତ’କୁ ଅନ୍ୱିକ୍ଷିକା (Philosophy) ଆଖ୍ୟା ଦେଇଛି । କିନ୍ତୁ ବେଦର ଦୁଇଟି ମୀମାଂସାକୁ ‘ତ୍ରୟୀ’(Theology) ପର୍ଯ୍ୟାୟଭୁକ୍ତ କରିଛି ।  ସାଂଖ୍ୟ ଓ ଯୋଗ ଦର୍ଶନରେ ସୁଖ ହେଉଛି ମନର ପ୍ରଶାନ୍ତ ଅବସ୍ଥା । ‘ଅଶାନ୍ତସ୍ୟ କୁତଃ ସୁଖଂ’ ଲେଖିଛି ଗୀତା । ପାତଞ୍ଜଳି ଯୋଗସୂତ୍ରରେ ଲିଖିତ ‘ଯୋଗଃ ଶ୍ଚିତ୍ତବୃତ୍ତି ନିରୋଧଃ’ ଏବଂ ଗୀତାର ‘ବ୍ରାହ୍ମୀସ୍ଥିତି’ (୨-୭୦) ଏଭଳି ‘ସୁଖ’ର ଚିତ୍ର ବହନ କରୁଛି । ବୁଦ୍ଧଙ୍କର ଚାରୋଟି ଆର୍ଯ୍ୟ ସତ୍ୟ ଏଇ ‘ସୁଖ’ ଅନ୍ୱେଷଣର ମାର୍ଗ ଦର୍ଶାଉଛି । ଧର୍ମ, ଅର୍ଥ, କାମ ମଧ୍ୟରେ ତାତ୍ତ୍ୱିକସ୍ତରରେ ସମନ୍ୱୟ ସାଧନ ଲୋକାୟତ ଦର୍ଶନର ଲକ୍ଷ୍ୟ ।

ଏ ତିନୋଟିର ସମନ୍ୱୟ ପ୍ରଥା, ପରମ୍ପରା, ଟୋଟେମ୍ ଓ ଟାବୁ (ସାହାଯ୍ୟରେ ଅନ୍ତର୍ନିହିତ ହୋଇ ରହିଛି ଜନଜାତି ସମାଜରେ) ଯୋଗର ସୁତ୍ର (ଈଶ୍ୱର ପ୍ରଣିଧାନାତ୍ ବା) ଈଶ୍ୱରଙ୍କୁ ବିକଳ୍ପରେ ଆରାଧନା କରି ଯୋଗୀ ସିଦ୍ଧି ଲାଭ କରିପାରିବ କିମ୍ବା ସାଂଖ୍ୟର ସୂତ୍ର ‘ଈଶ୍ୱର ବିଶ୍ୱାସ ଅସିଦ୍ଧ’ ଭଳି ନିରୀଶ୍ୱରବାଦର ପ୍ରଚାରକରେ ଲୋକାୟତ ତାର ସୂତ୍ରମାନଙ୍କ ମାଧ୍ୟମରେ । ଲୋକାୟତ ଦର୍ଶନ ପ୍ରତ୍ୟକ୍ଷ ପ୍ରମାଣକୁ ମୁଖ୍ୟସ୍ଥାନ ଦେଇଥାଏ । ଇଂଲଣ୍ଡରେ ବିଜ୍ଞାନର ଅଗ୍ରଗତିରେ ଏଇ ପ୍ରମାଣପ୍ରତି ଗୁରୁତ୍ୱ ମୁଖ୍ୟ ଉପାଦାନ ବୋଲି ବିଦ୍ୱାନ୍ମାନେ ମତ ଦିଅନ୍ତି । ଏହି ସ୍ତରର ଚିନ୍ତନକୁ (EMPIRICISM) ପ୍ରତ୍ୟକ୍ଷବାଦ କୁହାଯାଏ । ବେଦ, ଯଜ୍ଞ, ପୁନର୍ଜନ୍ମ, କର୍ମବାଦ, ବର୍ଣ୍ଣବ୍ୟବସ୍ଥା, ପରକାଳ, ଅସ୍ପୃଶ୍ୟତା: ଏ ସମସ୍ତଙ୍କୁ ଅସ୍ୱୀକାର କରେ ଲୋକାୟତ । ଚାର୍ବାକ୍ଙ୍କ ଗୁରୁ ବୃହସ୍ପତିଙ୍କର ମତ ନୈତିକତା (MORALITY) ହେଉଛି ସାମାଜିକ ବୁଝାମଣା ଓ ସ୍ୱାର୍ଥରକ୍ଷାର ଫସଲ, ଜୀବନର ମୁଖ୍ୟ ଲକ୍ଷ୍ୟ ହେଉଛି ‘ଆତ୍ମରକ୍ଷା’। ଲୋକାୟତିକମାନେ ସମତାଭିତ୍ତିକ ସମାଜ ଉପରେ ଗୁରୁତ୍ୱ ଦେଉଥିଲେ ।

ନାଳନ୍ଦା ବିଶ୍ୱବିଦ୍ୟାଳୟରେ ଜଣେ ଲୋକାୟତିକଙ୍କ ସହ ହୁଏନ୍ସାଂ ଯୁକ୍ତିତର୍କ କରିଥିବା କଥା (Continuation of the memoirs of eminent priests) ପୁସ୍ତକରେ ଲିଖିତ ଅଛି । ହୁଏନ୍ସାଂ ସପ୍ତମ ଶତାବ୍ଦୀରେ ନାଳନ୍ଦାରେ ଥିଲେ।

It (Lokayata) spread as far as China and exercised an influence on ancient Chinese thought and literature and art …… Lokayata matehed other systems of Indian philosophy and is an important cultural legacy of India…

HUANG XINCHUAN – Lokayata and its influence in China

‘ଲୋକାୟତ’ର ଲୌକିକ ମରଜାତୀୟ ସୁଖବାଦକୁ ବୁଝିବାକୁ ହେଲେ ଯୋଗର ମନସ୍ତାତ୍ତ୍ୱିକ ସୁଖବାଦର ଆଲୋଚନା ଆବଶ୍ୟକ । ଯୋଗର ପ୍ରଶାନ୍ତଜନିତ ‘ସୁଖବାଦ’ ଫ୍ରୟେଡ଼ୀୟ ମନସ୍ତତ୍ତ୍ୱ ଓ ମସ୍ତିଷ୍କବିଜ୍ଞାନକୁ ପଛରେ ପକାଇଦେଇଛି, ପୃଥିବୀର ବିଶିଷ୍ଟ ମସ୍ତିଷ୍କବିଜ୍ଞାନୀମାନେ ଦଲାଇଲାମାଙ୍କ ପ୍ରେରିତ ଜଣେ ଯୋଗୀଙ୍କ (ଲାମାଙ୍କ) ମସ୍ତିଷ୍କକୁ ପରୀକ୍ଷାଗାରରେ ପରୀକ୍ଷାକରି ତାଙ୍କର ଚେତନ, ଅଚେତନ ତଥା ଅବଚେତନ ମସ୍ତିଷ୍କ ଉପରେ ନିୟନ୍ତ୍ରଣ କଥା ସ୍ୱୀକାର କରିଛନ୍ତି । (ଏ ପରୀକ୍ଷା ଫ୍ରଏଡ଼ଙ୍କ civilisation and its diconents ର ଚିନ୍ତନକୁ ଭୁଲ ପ୍ରମାଣିତ କରିଛି) ।

ଡ଼େଷ୍ଟ୍ରକ୍ଟିଭ୍ ଇମୋସନସ୍ ପୁସ୍ତକର ପ୍ରଥମ ଅଧ୍ୟାୟରେ ଏ ପରୀକ୍ଷା ସମ୍ପର୍କରେ ଲିଖିତ ଅଛି । ବୈଜ୍ଞାନିକରୀତିରେ ଦଲାଇଲାମାଙ୍କ ସହ ଚିନ୍ତା ବିନିମୟ କଲାପରେ ପରମ୍ପରା ଭଙ୍ଗକରି ପ୍ରଥମଥର ପାଇଁ ପୃଥିବୀର ମସ୍ତିଷ୍କ ବିଜ୍ଞାନୀମାନେ (Neurolosgists) ଜଣେ ଅଣବୈଜ୍ଞାନିକ ଦଲାଇଲାମାଙ୍କୁ ତାଙ୍କର ବିଶ୍ୱ କଂଗ୍ରେସ ସଭା ଉଦ୍ଘାଟନ କରିବା ପାଇଁ ଡାକିଥିଲେ ଓ ଏହା ପୃଥବୀର ନ୍ୟୁରୋଲୋଜିଷ୍ଟମାନଙ୍କ ମଧ୍ୟରେ ବିତର୍କର ସୂତ୍ରପାତ କରିଥିଲା ।

(ପୃଥିବୀର ବିଭିନ୍ନ ଖବରକାଗଜ ଭଳି ‘ହିନ୍ଦୁ’ ମଧ୍ୟ ଏ ବିବାଦର ବିବରଣୀ ପ୍ରଦାନ କରିଥିଲା) । ଯୋଗୀୟ ମୂଲ୍ୟବୋଧ ବିବର୍ଜିତ ଖ୍ୟାତନାମା ଆଚାର୍ଯ୍ୟ ରାମଦେବଙ୍କ ଭଳି ଜଣେ ହଠଯୋଗୀଙ୍କ କାର୍ଯ୍ୟକଳାପକୁ ଦେଖି ଯେଉଁମାନେ ଯୋଗର ମୂଲ୍ୟାୟନ କରୁଛନ୍ତି, ସେମାନେ ଭୁଲ୍ କରୁଛନ୍ତି । ଯୋଗାରୁଢ଼ସ୍ୟ ତସ୍ୟୈବ ଶମଃ କାରଣ ମୁଚ୍ୟତେ । ସଫଳ ଯୋଗୀଙ୍କର ମୁଖ୍ୟ ଉପଲବ୍ଧ ହେଉଛି ‘ଶମ’। ‘ଶମ’ ବା ଚିତ୍ତପ୍ରଶାନ୍ତିର ତତ୍ତ୍ୱକୁ ୟୁରୋପୀୟ ମନସ୍ତତ୍ତ୍ୱ ଓ ପ୍ରଜ୍ଞା ଗ୍ରହଣ ନକଲେ ସେଠି ହିଟ୍ଲର ଓ ମୁସୋଲିନ୍ ଙ୍କ ଭଳି megalomaniac ବା ବିଶ୍ୱପାଗଳମାନେ ସୃଷ୍ଟି ହେଉଥିବେ ।

Photo credit- https://www.google.com/search?q=socrates&source=lnms&tbm=isch&sa=X&ved=0ahUKEwjFpMilrvXfAhVSWH0KHUNzCUoQ_AUIDigB&biw=1366&bih=626#imgrc=vCDjoP5p955XdM:

https://www.google.com/search?biw=1366&bih=626&tbm=isch&sa=1&ei=Hr5AXOLUBJOo9QP2-qToCQ&q=charbak&oq=charbak&gs_l=img.3..0l2j0i10l8.26739.45681..46294…1.0..0.176.1694.2j12……0….1..gws-wiz-img…..0..0i67.D8wkcBdJHNU#imgrc=OXBveMqKMw6ujM:

About ପ୍ରଫେସର ଭଗବତ ପ୍ରସାଦ

ପ୍ରଫେସର ଭଗବତ ପ୍ରସାଦ
ସର୍ବୋଦୟ କର୍ମୀ, ସମାଜ ବିଜ୍ଞାନୀ

Check Also

ସୃଜନଶୀଳତାର ଯୁଗୋପଯୋଗୀ ପ୍ରୟୋଗ ଆବଶ୍ୟକ

ପ୍ରତ୍ୟେକ ଯୁଗରେ ମାନବସମାଜ ବିଭିନ୍ନ ସମସ୍ୟା ଦେଇ ଗତି କରିଆସିଛି । ସବୁଯୁଗର ସମସ୍ୟାଗୁଡ଼ିକ ସମାନ ଅଛି ବୋଲି କୁହାଯାଇପାରିବ …

Leave a Reply

Your email address will not be published. Required fields are marked *