Home / ସମୀକ୍ଷା / ସଂସ୍କୃତିର ବଜାରୀକରଣ ଓ କରପୋରେଟ୍ ଚାଲବାଜୀ

ସଂସ୍କୃତିର ବଜାରୀକରଣ ଓ କରପୋରେଟ୍ ଚାଲବାଜୀ

ସଂସ୍କୃତି ଯାହା ମଣିଷର ସୃଜନଶୀଳ ଚେତନାକୁ ଉଜ୍ଜିବିତ କରି ରଖିବା ପାଇଁ ଉଦିଷ୍ଟ ତାହା ଆଜି ଦେଶୀ-ବିଦେଶୀ ବଜାରଶକ୍ତିମାନଙ୍କର ପୁଞ୍ଜିର ନିୟନ୍ତ୍ରଣ ଓ ଅଧିନକୁ କ୍ରମଶଃ ଆସିଯାଇଛି । ତା’ ବିରୁଦ୍ଧରେ ଓଡ଼ିଶାରେ ଯେଉଁକେତୋଟି ବଳିଷ୍ଠ ସ୍ୱର ଶୁଣିବାକୁ ମିଳେ ସେ ଭିତରେ ଆଗଧାଡ଼ିରେ ଅଛନ୍ତି କବି , ସାହିତ୍ୟିକ ତଥା ସାମ୍ବାଦିକ କେଦାର ମିଶ୍ର । ଲେଖାଟି ଏକ ଦଶନ୍ଧି ତଳେ ସମଦୃଷ୍ଟିରେ ଓ 2012 ମସିହାରେ ସମଧ୍ୱନିରେ ମଧ୍ୟ ପ୍ରକାଶିତ ହୋଇସାରିଛି ତଥାପି ଲେଖାର ଗୁରୁତ୍ୱ ଓ ପ୍ରାସଙ୍ଗିକତା ଦୃଷ୍ଟିରୁ ଆମେ ଏଠାରେ ଉପସ୍ଥାପନ କଲାବେଳେ ଆମର ସମାଜ ପ୍ରତି ଥିବା ଦାୟିତ୍ୱକୁ ଅନୁଭବ କରିପାରୁଛୁ । ଇତିହାସ କାଳରୁ ଏଯାବତ୍ ପତିଆରା ଭିତରେ ସଂସ୍କୃତିକୁ ରଖିବାର ଯେଉଁ ପ୍ରୟାସ କ୍ଷମତାକୁ ପ୍ରଭାବିତ କଲାଭଳି ଲୋକମାନଙ୍କ ଦ୍ୱାରା ଚାଲିଛି ଲେଖକ କେଦାର ମିଶ୍ର ଏହି ଲେଖାଟିରେ ତାହାର ତୀବ୍ର ସମାଲୋଚନା କରିଛନ୍ତି ।  – ସମ୍ପାଦକ

କିଛିଦିନ ତଳେ ଛୋଟିଆ ଖବରଟିଏ ବାହାରିଥିଲା । ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ସହିତ ‘ଭୁବନେଶ୍ୱର ମ୍ୟୁଜିକ୍ ସର୍କଲ’ ଓ ‘ପ୍ରଗତି’ ଏକ ଏମ୍.ଓ.ୟୁ ବା ରାଜିନାମାରେ ସ୍ୱାକ୍ଷର କରିଛନ୍ତି । ରାଜିନାମା ମୁତାବକ ପ୍ରତିମାସରେ ରବୀନ୍ଦ୍ର ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଏହି ସଂସ୍ଥାଦ୍ୱୟଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି । ଭୁବନେଶ୍ୱର ମ୍ୟୁଜିକ୍ସର୍କଲ ରାଜଧାନୀର ଏକ ବହୁ ପୁରୁଣା ସାଂସ୍କୃତିକ ଅନୁଷ୍ଠାନ ଏବଂ ଓଡ଼ିଶାର ଶାସ୍ତ୍ରୀୟ ସଙ୍ଗୀତ-ନୃତ୍ୟର ପ୍ରସାର କ୍ଷେତ୍ରରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ‘ପ୍ରଗତି’ ଅପେକ୍ଷାକୃତ ନୂଆସଂସ୍ଥା ଓ ଏହାର ସଦସ୍ୟମାନେ ପ୍ରାୟତଃ ବଙ୍ଗାଳୀ । ଉଭୟ ସଂସ୍ଥା ଭିତରେ ଯୋଗସୂତ୍ର ହେଉଛନ୍ତି ଜନୈକ ପ୍ରଖ୍ୟାତ କର୍ପୋରେଟ୍ ପ୍ରଶାସକ । ସମ୍ପ୍ରତି ବେଦାନ୍ତ କମ୍ପାନୀର ଓଡ଼ିଶାମୁଖ୍ୟ ଭାବରେ କାର୍ଯ୍ୟକରୁଥିବା ଏହି ପ୍ରଶାସକ ଓଡ଼ିଶାର ସାଂସ୍କୃତିକ ମହଲରେ ଜଣେ ‘କଳାରସିକ’ ଓ ଗ୍ରାହକ ଭାବରେ ବେଶ୍ ଜଣାଶୁଣା ।

ଏକଦା ‘ନାଲ୍କୋ’ର ପ୍ରମୁଖ ଭାବରେ କାର୍ଯ୍ୟକରି ଏହି ଭଦ୍ରଲୋକ ଯଥେଷ୍ଟ ଅପଯଶ ଅର୍ଜିଛନ୍ତି ଏବଂ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ତାଙ୍କ ଘରଉପରେ ଚଢ଼ାଉ ମଧ୍ୟ ହୋଇଛି । ତଥାପି ଆମର କଳାକାରମାନେ ଏହାଙ୍କୁ ରାଜ୍ୟ ସଂସ୍କୃତିର ଦେବଦୂତ ବୋଲି ଭାବନ୍ତି । କାରଣ ମୋଟାଅଙ୍କର ‘ସ୍ପୋନସରସିପ୍’ ତାଙ୍କ ପାଖରୁ ମିଳିଯାଏ । ଏଠି ଆଉଏକ ସୂଚନା ମଧ୍ୟ ଦିଆଯାଇପାରେ । ଗତବର୍ଷ ଭୁବନେଶ୍ୱର ମ୍ୟୁଜିକସର୍କଲ ସହିତ ବେଦାନ୍ତ ଏକ ଏମ୍.ଓ.ୟୁ ସ୍ୱାକ୍ଷରକରିଛି ବାର୍ଷିକ ସଙ୍ଗୀତ ସମାରୋହ ପାଇଁ । ଓଡ଼ିଶାର ସଂସ୍କୃତିକୁ କର୍ପୋରେଟ୍ ନିୟନ୍ତ୍ରଣରେ ରଖିବା ଲାଗି ଏକ ସୁଚିନ୍ତିତ ଯୋଜନା ଏହି ମହାଶୟଙ୍କ ଜରିଆରେ କାର୍ଯ୍ୟକାରୀ ହେଉଥିବାର ପ୍ରମାଣ ଏଥିରୁ ମିଳୁନାହିଁ କି?

ଏକଦା ରାଜା ଓ ଦରବାରର ପୃଷ୍ଠପୋଷକତାରେ ସାହିତ୍ୟ, ସଙ୍ଗୀତ ଓ କଳାର ବିକାଶ ଘଟୁଥିଲା ବୋଲି ଆମର ପଣ୍ଡିତମାନେ କହନ୍ତି। ତେବେ ଆମର ପ୍ରଶ୍ନ ହେଲା-କେଉଁ ସାହିତ୍ୟ, ସଙ୍ଗୀତ, କଳା ବା ସଂସ୍କୃତି ଦରବାରରେ ପ୍ରତିପାଳିତ ହେଉଥିଲା? ତଥାକଥିତ ମାର୍ଗୀ, ଶୁଦ୍ଧ, ଶାସ୍ତ୍ରୀୟ ବା ଉଚ୍ଚବର୍ଗର ସଂସ୍କୃତି ତ! ସମାଜର ସୁଖଭୋଗୀ ସମ୍ଭ୍ରାନ୍ତମାନଙ୍କର ଉତ୍ସବ ବ୍ୟସନ ସହିତ ଲୋକସାଧାରଣର ସମ୍ପର୍କ କେବେ ଥିଲା କି ଆଜ୍ଞା? ଛାଡ଼ନ୍ତୁ, ତାହାଏକ ବିରାଟ ପ୍ରସଙ୍ଗ । ଲୋକ ସଂସ୍କୃତିର ଉଦ୍ଦାମ ଜୀବନପ୍ରବାହ ସହିତ ମାର୍ଗୀ ବା ଶାସ୍ତ୍ରୀୟ ସଂସ୍କୃତିର ସମ୍ପର୍କ ପ୍ରାୟତଃ ନଥିଲା ।

ତଥାପି ଇତିହାସର ଅବିବେକିତା ଫଳରେ ରାଜ ସଂସ୍କୃତିକୁ ଲୋକସଂସ୍କୃତି ବୋଲି ଆମ ଉପରେ ଲଦି ଦିଆଯାଇଛି । ଗଣତାନ୍ତ୍ରିକ ଶାସନର ୬୦ବର୍ଷ ପରେ ମଧ୍ୟ ସେହି ସମାନ ସାଂସ୍କୃତିକ ଧାରଣା ଆମର ବଳବତ୍ତର ରହିଛି । ସ୍ୱାଧୀନ ଭାରତରେ ସଂସ୍କୃତିର ଗୁଣଗ୍ରାହକ ଭାବରେ ଯେଉଁ ନବ୍ୟସାମନ୍ତ ବା ଅମଲା ଗୋଷ୍ଠୀଙ୍କର ଉଦୟ ହେଲା, ସେମାନେ ବଡ଼ ଚତୁରତାର ସହିତ ‘ଲୋକସଂସ୍କୃତି’କୁ ମୂଳପୋଛ କରି ଶାସ୍ତ୍ରୀୟ ସଂସ୍କୃତିର ପରମ୍ପରାକୁ ପୃଷ୍ଠପୋଷକତା ଦେଇଚାଲିଲେ । ରାଷ୍ଟ୍ରୀୟ ସ୍ତରର ସଙ୍ଗୀତ,ସାହିତ୍ୟ, ଲଳିତକଳାର ଏକାଡ଼େମୀ, ଆନ୍ତର୍ଜାତିକ ସାଂସ୍କୃତିକ ସମ୍ପର୍କ କେନ୍ଦ୍ର (ICCR)କ୍ଷେତ୍ରୀୟ ସାଂସ୍କୃତିକ କେନ୍ଦ୍ର â (Zonal Cultural Centres)ଠୁ ଆରମ୍ଭ କରି ରାଜ୍ୟ ଓ ଜିଲ୍ଲାସ୍ତର ପର୍ଯ୍ୟନ୍ତ ଆମର ବାବୁମାନେ ସଂସ୍କୃତିର କର୍ଣ୍ଣଧାର ସାଜିଲେ।

ସଂସ୍କୃତି ବିଷୟରେ ସମ୍ୟକ ଧାରଣା ରହିଥିବା ଗବେଷକ ଓ କଳାକାରମାନଙ୍କୁ ‘ଭାଟ’ ବା ‘ତୋଷାମଦକାରୀ’ ଭାବରେ ରଖି ସଂସ୍କୃତିର ସିଂହାସନରେ ନୀଳବର୍ଣ୍ଣ ଶୃଗାଳମାନଙ୍କ ରାଜୁତି ଚାଲିଲା । ଦୁର୍ଭାଗ୍ୟର କଥା, ଆମର ମହାନ କଳାକାର ମାନେ ବଡ଼ ଦୟନୀୟ ଭାବରେ ଏମାନଙ୍କର ଦୟାର ପାତ୍ର ହୋଇ ପଡ଼ିରହିବାକୁ ଉଚିତ ମନେକଲେ-କରି ଆସୁଛନ୍ତି ।

ଏନ୍.ଡି.ଏ ସରକାର ଅମଳରେ ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକୁ ଗୈରିକିକରଣ କରିଥିବାର ଅପପ୍ରୟାସ କଥା ଆମର ମନେଅଛି ନିଶ୍ଚୟ। ସରକାର ବଦଳିଲେ ମଧ୍ୟ ଆମର ବାବୁମାନେ ବଦଳନ୍ତି ନାହିଁ । ବିଶେଷକରି ଓଡ଼ିଶା ରାଜ୍ୟର ସାଂସ୍କୃତିକ ଜୀବପକ୍ଷୀଟି ପଞ୍ଝାଏ ଆଇ.ଏ.ଏସ୍. ଅଧିକାରୀଙ୍କର ପିଞ୍ଜରାରେ ସବୁବେଳେ ବନ୍ଦୀ । ଏମାନେ ହିଁ ତିଆରି କରନ୍ତି ଆମର ସଂସ୍କୃତିର ବ୍ଲୁ ପ୍ରିଣ୍ଟ । ଏମାନଙ୍କ ମାଧ୍ୟମରେ ଓଡ଼ିଶାର ସାଂସ୍କୃତିକ ଜୀବନକୁ ପ୍ରଭାବିତ କରିବାର ସୁଯୋଗ ପାଆନ୍ତି ରାଜ୍ୟର ଶୋଷଣକାରୀ ଦେଶୀବିଦେଶୀ କମ୍ପାନୀମାନେ । ସଂସ୍କୃତିକୁ ଆଞ୍ଚଳିକ ପୃଷ୍ଠଭୂମି ବା ଏକ ସୀମିତ ସଂଜ୍ଞାର ବାଟ ଦେଇ ବୁଝିହେବ ନାହିଁ, ଏକଥା ମୁଁ ଭଲଭାବରେ ଜାଣିଛି । ସାଂସ୍କୃତିକ ଜୀବନବୋଧର ମାନବୀୟ ତଥା ବିଶ୍ୱାୟତ ଆଧାର ବିଷୟରେ ମଧ୍ୟ ମୁଁ ସଚେତନ ।

ହେଲେ ସଂସ୍କୃତି ଯେତେବେଳେ ବଜାର ପାଲଟିଯାଏ ଓ ତାରି ମାଧ୍ୟମରେ ରାଜନୈତିକ- ଅର୍ଥନୈତିକ ଗୋଟିଚାଳନା ଆରମ୍ଭ ହୁଏ, ସେଠି ଆମକୁ ସତର୍କ ରହିବାକୁ ହିଁ ପଡ଼ିବ । ଉଇଲିୟମ୍ ଜୋନସ୍, ୱିଣ୍ଟରନିଜ୍, ମାକ୍ସମୁଲର ବା ଚାଲିସ ଫେବ୍ରିଙ୍କ ସଂସ୍କୃତି ପ୍ରେମ ସହିତ ବେଦାନ୍ତ, ପୋସ୍କୋମାନଙ୍କର ସଂସ୍କୃତି ପୃଷ୍ଠପୋଷକତା ଭିତରେ ମୌଳିକ ତଫାତ୍ ନିଶ୍ଚୟ ରହିଛି । ଓଡ଼ିଶାର ପ୍ରାକୃତିକସମ୍ପଦକୁ ହାତେଇବା ବାହାନାରେ ଓଡ଼ିଶା ଏବେ ବହୁଦେଶୀୟ କମ୍ପାନୀ ମାନଙ୍କର ଚରାଭୂଇଁ ପାଲଟିଛି ।

ବିଦେଶୀ ପୁଞ୍ଜିଲଗାଣ ମାଧ୍ୟମରେ ରାଜ୍ୟର ବିକାଶ ଲାଗି ଦିବାସ୍ୱପ୍ନର ନକ୍ସା ତିଆରିଛନ୍ତି ଏ ରାଜ୍ୟର କେତେଜଣ କୁଖ୍ୟାତ ଆଇ. ଏ.ଏସ୍. ଅଧିକାରୀ । ରାଜ୍ୟର ପ୍ରମୁଖ ମନ୍ତ୍ରୀ ଓ ଅଫିସରଙ୍କ ବ୍ୟକ୍ତିଗତ ସ୍ୱାର୍ଥସାଧନ ଲାଗି ରାଜ୍ୟର ପ୍ରଗତିକୁ ଆଜି ମୁଖାଭାବରେ ବ୍ୟବହାର କରାଯାଉଛି । ଏକ ଅଣଆନୁଷ୍ଠାନିକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ରାଜ୍ୟର ପ୍ରାୟ ସମସ୍ତ ପଦାଧିକାରୀଙ୍କର ସମ୍ପର୍କୀୟମାନେ ଏବେ ବିଶ୍ୱବ୍ୟାଙ୍କ, ଡି.ଏଫ୍.ଆଇ.ଡି, ବହୁଦେଶୀୟ କମ୍ପାନୀ ତଥା ଘରୋଇକମ୍ପାନୀ ଗୁଡ଼ିକରେ ମୋଟାଅଙ୍କର ଦରମା ପାଇ କାମ କରୁଛନ୍ତି । ଡି.ଏଫ୍.ଆଇ.ଡି. ଓ ବହୁଦେଶୀୟ କମ୍ପାନୀମାନଙ୍କର ସମ୍ପର୍କ ବିଷୟରେ ଆଲୋଚନା ଆମ ପ୍ରବନ୍ଧର ଲକ୍ଷ୍ୟ ନୁହେଁ । ତଥାପି ସାଂସ୍କୃତିକ ଅନୁଷ୍ଠାନ ଓ ଉତ୍ସବ ମାଧ୍ୟମରେ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବାର ଷଡ଼ଯନ୍ତ୍ର ପଛରେ ରହିଥିବା ଉଦ୍ଦେଶ୍ୟ କଥା ଏଥିରୁ ସ୍ପଷ୍ଟ ହୋଇଯିବ ।

ଗୋଟେ ଦୁଇଟି ଉଦାହରଣ ସହିତ କଥାଟିକୁ ଆଉଟିକେ ସ୍ପଷ୍ଟ କରିବା । ୨୦୦୬ଡିସେମ୍ବରରେ ରାଜଧାନୀରେ ଆୟୋଜିତ ହୋଇଥିଲା ‘ବିଶ୍ୱ ଓଡ଼ିଶୀ ନୃତ୍ୟ ସମାରୋହ’ । ଏହାର ଆୟୋଜକ ଥିଲେ ଆମେରିକାସ୍ଥିତ ଏକ ପ୍ରବାସୀ ଭାରତୀୟ ସଂସ୍ଥା । ପ୍ରତାପ ଦାସ ନାମକ ଜଣେ ଭଦ୍ରଲୋକ ଏହି ସଂସ୍ଥାର ମୁଖ୍ୟ । ଭାରତୀୟ ଓଡ଼ିଶୀ ନୃତ୍ୟାଙ୍ଗନାମାନଙ୍କୁ ଆମେରିକାକୁ ଆମନ୍ତ୍ରଣ କରି ସେମାନଙ୍କର କାର୍ଯ୍ୟକ୍ରମ ଆୟୋଜନକୁ ବ୍ୟବସାୟ ଭାବରେ ଗ୍ରହଣ କରିଛନ୍ତି ପ୍ରତାପ ଦାସ । ତାଙ୍କପାଇଁ ଓଡ଼ିଶୀନୃତ୍ୟ ବ୍ୟବସାୟଯୋଗ୍ୟ ଏକ ଉପାଦାନ । ତେଣୁ ଏହାର ପ୍ରଦର୍ଶନ ମାଧ୍ୟମରେ କେତେ ଅଧିକ ଡଲାର ଆୟ କରାଯାଇପାରିବ, ତାହାହିଁ ହେଉଛି ମୂଳକଥା ।

ତେଣୁ ଇଂରାଜୀ ଖବରକାଗଜ ଓ ଇଣ୍ଟରନେଟ୍ ମାଧ୍ୟମରେ ଓଡ଼ିଶୀକୁ ବିଶ୍ୱର ଏକ ପ୍ରମୁଖ ଆକର୍ଷଣ ବୋଲି ପ୍ରଚାର କରାଗଲା । ରାଜ୍ୟର ସଂସ୍କୃତି ମନ୍ତ୍ରୀ ଓ ଅଧିକାରୀମାନଙ୍କୁ ଆମେରିକାକୁ ନିମନ୍ତ୍ରଣ କରି ଚମକ୍ରାର ଆତିଥ୍ୟ ପ୍ରଦାନ କରାଗଲା। ଆମେରିକାରୁ ଫେରିଲାପରେ ମନ୍ତ୍ରୀ ମହାଶୟ ପ୍ରତ୍ୟେକ ସଭା ସମିତିରେ ଆମେରିକାର ସଂସ୍କୃତିପ୍ରେମ ବିଷୟରେ ଭାଷଣ ଦେଇବୁଲିଲେ । ତେବେ ଓଡ଼ିଶୀନୃତ୍ୟ ବିଷୟରେ ଆମେରିକାନ୍ମାନଙ୍କ ଆଗ୍ରହ ସମ୍ପର୍କରେ କେତୋଟି ଧାଡ଼ି ଉଲ୍ଲେଖ କରୁଛି । One will be amazed how the Americans evaluate a dance. They are interested neither in classicism nor the authenticity but in the quantom of pleasure derived against the dollar invested in these performances.(Rethinking odissi-by D. Pathy, Page-289) ତଥାପି ଆମେ ଡଲାର ଆଶାରେ ଆମେରିକାକୁ ହିଁ ଓଡ଼ିଶୀର ପ୍ରଚାରକେନ୍ଦ୍ର ଭାବରେ ବାଛୁଛୁ । ୟା ପଛରେ ଉଦ୍ଦେଶ୍ୟ କ’ଣ?

ପ୍ରତାପ ଦାସଙ୍କ ‘ଇପାପ୍’(Indian Performing Art Promotion inc)କୁ ଏକ ସୌଖିନ୍ ସଂସ୍ଥା ବୋଲି ରାଜ୍ୟରେ ଏକପ୍ରକାର ଧାରଣା ସୃଷ୍ଟି କରାଗଲା । ବାସ୍ତବତା ଥିଲା ଭିନ୍ନ । ଏଥିରେ ଯୋଗଦେବାକୁ ଆସିଥିବା ବିଦେଶୀ ପ୍ରତିନିଧିମାନେ ନିଜ ହାତରୁ ଖର୍ଚ୍ଚ କରି ଆସିଥିଲେ ଓ ମୋଟା ଅଙ୍କର ପ୍ରବେଶିକା ଦେୟ ଦେଇଥିଲେ । ତଥାପି ଭାରତ ସରକାର ଓ ଓଡ଼ିଶା ସରକାର ‘ଇପାପ୍’କୁ କୋଟିଏରୁ ଅଧିକ ଟଙ୍କା ସାହାଯ୍ୟ କରିଥିଲେ ଉତ୍ସବ ଆୟୋଜନ ପାଇଁ ।

ଓଡ଼ିଆ ଗଣମାଧ୍ୟମରେ ଏହି ଉତ୍ସବକୁ ନେଇ ପ୍ରବଳ ଆଲୋଡ଼ନ ସୃଷ୍ଟି ହୋଇଥିଲା । ଓଡ଼ିଶୀର ଜଗତୀକରଣ ନାଁରେ ଯେଉଁପ୍ରକାର ବିଭତ୍ସତା ଓ ଅଶ୍ଳୀଳତାର ପ୍ରଦର୍ଶନ ଏହି ଉତ୍ସବରେ ହେଲା, ତାକୁ ଓଡ଼ିଶାର ନୃତ୍ୟଶିଳ୍ପୀ ଓ ବୁଦ୍ଧିଜୀବୀମାନେ ମିଳିତ ସ୍ୱରରେ ସମାଲୋଚନା କରିଥିଲେ । ଆଶ୍ଚର୍ଯ୍ୟ କଥା, ଗଣମାଧ୍ୟମର ସମାଲୋଚନାକୁ ସରକାର ଖାତିର୍ କଲେନାହିଁ । ଅବାଧରେ ରାଜ୍ୟ ରାଜକୋଷରୁ ଏକ ବିଦେଶୀ ସଂସ୍ଥାକୁ ହାତଖୋଲା ସାହାଯ୍ୟ ପ୍ରଦାନ କରାଗଲା ।

ଏ ରାଜ୍ୟର ନାଗରିକଙ୍କ ଝାଳବୁହା ରାଜସ୍ୱକୁ ଅପାତ୍ରରେ ଟେକିଦେବାର ଅଧିକାର ରାଜ୍ୟ ସରକାରଙ୍କର ଥିଲା କି? ସଂସ୍କୃତି ନାଁରେ କେବଳ ଓଡ଼ିଶୀନୃତ୍ୟ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ସରକାର, ଏ ରାଜ୍ୟର ଆଦିବାସୀ ଓ ଲୋକସଂସ୍କୃତିର ସଂରକ୍ଷଣ ତଥା ବିକାଶ ଲାଗି କେତେଟଙ୍କା ବ୍ୟୟ କରନ୍ତି?  ଏଇଠି ରହିଛି ଅସଲ ରହସ୍ୟ । ପ୍ରବାସୀ ଭାରତୀୟ ତଥା ବିଦେଶୀ ପୁଞ୍ଜିଲଗାଣକାରୀଙ୍କୁ ଲୋଭେଇବା ପାଇଁ ସଂସ୍କୃତି ଏଠି ସରକାରୀ ଚରା । ଆମର ତଥାକଥିତ ସଂସ୍କୃତିବିତ୍ ବାବୁମାନେ ସଂସ୍କୃତି ଆଢ଼ୁଆଳରେ ରାଜ୍ୟର ପ୍ରାକୃତିକ ସମ୍ପଦକୁ ବିକିବାର ଚମତ୍କାର ଯୋଜନା ପ୍ରସ୍ତୁତ କରନ୍ତି । ସ୍ଥାନୀୟ ଗଣମାଧ୍ୟମକୁ ବେଖାତିର କରି ବାହାରୁ ସାମ୍ବାଦିକମାନଙ୍କୁ ଆମଦାନୀ କରାଯାଏ ।

ସେମାନେ ରାଜ୍ୟ ସରକାରଙ୍କ ଅର୍ଥରେ ମଉଜ କରିବାକୁ ଓଡ଼ିଶା ଆସନ୍ତି ଓ ଓଡ଼ିଶାବାସୀଙ୍କୁ ଗାଳିକରନ୍ତି । ଏକଦା ଓଡ଼ିଶାର ମୁଖ୍ୟ ଶାସନସଚିବ ରହିଥିବା ଜନୈକ ଦକ୍ଷିଣ ଭାରତୀୟ ଆଇ.ଏ.ଏସ୍.ଙ୍କ ପତ୍ନୀ ଏବେ ଓଡ଼ିଶା ସରକାରଙ୍କର ଅତିପ୍ରିୟ ସାମ୍ବାଦିକ । ତାଙ୍କ ମତରେ ଓଡ଼ିଶାର ଲୋକ ଓଡ଼ିଶୀ ଦେଖିଜାଣନ୍ତି ନାହିଁ ଓ ସ୍ଥାନୀୟ ଗଣମାଧ୍ୟମର ସାମ୍ବାଦିକମାନେ ଆପାତତଃ ମୁର୍ଖ ।

(Even worse were the reporters, always on the prowl for ‘spicy’ news rushing to the office with sensational headlines about mismanagement. XXX Audiences are easily swayed by melodrama and have no feel for subtlety. (Leela Venkatraman in Shruti – March / Angaraga – spring – 2007)

ଗତ କିଛିବର୍ଷ ହେଲା କେତେଜଣ କଳା ସମୀକ୍ଷକ ଓଡ଼ିଶାର କଳାକାର ଓ ନୃତ୍ୟଗୁରୁଙ୍କ ବିରୋଧରେ ରୀତିମତ ଷଡ଼ଯନ୍ତ୍ରରେ ବ୍ୟସ୍ତ ଏବଂ ଏଥିପାଇଁ ସେମାନଙ୍କୁ ବିଦେଶୀ ଅନୁଷ୍ଠାନ ତଥା କଳାକାରଙ୍କ ତରଫରୁ ବେଶ୍ ସନ୍ତୋଷଜନକ ଭାବରେ ଆପ୍ୟାୟିତ କରାଯାଉଛି । ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ପ୍ରତ୍ୟେକ ଉତ୍ସବରେ ଏହି ସାମ୍ବାଦିକ/ସମୀକ୍ଷକମାନେ ଆଗଧାଡ଼ିର ଅତିଥି ଭାବରେ ଅବାଂଛିତ ମର୍ଯ୍ୟାଦା ଲାଭ କରୁଛନ୍ତି । ସମଗ୍ର ଓଡ଼ିଶୀନୃତ୍ୟର ପରିବେଷଣରୁ ଆଧ୍ୟାତ୍ମିକତାକୁ ନଷ୍ଟ କରି ଏହାର ବଜାରୀକରଣରେ ପ୍ରାୟୋଜକ କର୍ପୋରେଟ୍ମାନଙ୍କ ଭୂମିକା ବିଷୟରେ ଏଯାବତ୍ ଓଡ଼ିଆ ବୁଦ୍ଧିଜୀବୀମାନେ ବିଶେଷ କିଛି ଜାଣନ୍ତି ନାହିଁ । ପ୍ରାୟ ପ୍ରତ୍ୟେକ ସାଂସ୍କୃତିକ ସଭାସମିତିରେ କର୍ପୋରେଟ୍ମାନଙ୍କ ବ୍ୟାନର୍ ତଥା ସେମାନଙ୍କର ମୁଖିଆମାନଙ୍କୁ ଦେଖିବାକୁ ମିଳୁଛି ।

ମାତ୍ର କେତେହଜାର ଟଙ୍କାରେ ଓଡ଼ିଆ ସଂସ୍କୃତିର ଅସ୍ମିତାବୋଧ ନିଲାମ ହେଉଛି ବୋଲି ଆମର ଭାବପ୍ରବଣ କଳାକାରମାନେ ଜାଣନ୍ତି ନାହିଁ । ଓଡ଼ିଶା ସରକାର କଳାକାରମାନଙ୍କୁ ତାଙ୍କର ଶିଳ୍ପାୟନ ଚାଲରେ ମୋହରା ଭାବରେ ବ୍ୟବହାର କରିଚାଲିଛନ୍ତି । କର୍ପୋରେଟ୍ର ସ୍ଥାନୀୟ ଏଜେଣ୍ଟ ଭାବରେ କାମ କରୁଥିବା ରାଜ୍ୟ ସଂସ୍କୃତି ବିଭାଗର ଏମ୍.ଓ.ୟୁ ପ୍ରେମ ତାର ଏକ ନମୁନା । ଓଡ଼ିଶାରେ ଅନେକ ସଂସ୍ଥା ଅଛନ୍ତି ଯେଉଁମାନେ ରାଜ୍ୟର କଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବାର ଉଦ୍ୟମ କରୁଛନ୍ତି ।

ଯଦି ସତରେ ରାଜ୍ୟ ସରକାର ଏତେ ଅଧିକ ସଂସ୍କୃତି ପ୍ରତି ସମ୍ବେଦନଶୀଳ, ତେବେ ସେହି ଅନୁଷ୍ଠାନମାନଙ୍କୁ ରବୀନ୍ଦ୍ରମଣ୍ଡପରେ କାର୍ଯ୍ୟକ୍ରମର ସୁଯୋଗ ଦେଇପାରନ୍ତେ । ନା, ସବୁ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମରେ ପୋସ୍କୋ, ବେଦାନ୍ତ,ଉକ୍ରଳ ଆଲୁମିନା, ଟାଟା, ଜିନ୍ଦଲମାନଙ୍କର ଜୟଗାନ ହେବା ଜରୁରୀ । ଏଥିପାଇଁ ବିଧିବଦ୍ଧ ଭାବରେ ସଂସ୍କୃତି ବିଭାଗ ତରଫରୁ ଯୋଜନା ପ୍ରସ୍ତୁତ କରାଯାଉଛି । ଯେଉଁ ପ୍ରକାର ସାଂସ୍କୃତିକ ବଜାରୀକରଣର ହାୱା ସରକାରଙ୍କୁ ଗ୍ରାସିଛି ସେଥିରେ ଆଗାମୀ ବର୍ଷେ ଦି ବର୍ଷରେ ଆହୁରି ଅଦ୍ଭୁତ କାଣ୍ଡମାନ ଦେଖିବାକୁ ମିଳିଲେ ମୁଁ ଆଶ୍ଚର୍ଯ୍ୟ ହେବିନାହିଁ । ଦିନେ ହୁଏତ ଶ୍ରୀମନ୍ଦିର ଓ ବଡ଼ଦାଣ୍ଡରେ ରଥଯାତ୍ରାକୁ ମଧ୍ୟ ପ୍ରାୟୋଜିତ ବୋଲି ସରକାର ଘୋଷଣା କରିଦେବେ । ରଥରେ ବସି ହୁଏତ ଡାହୁକ ସେଦିନ ଘୋଷଣା କରିବ This car Festival is sponsored by Posco, Vedanta, TATA Steel, Mittal, Ambani etc.

 

 

Photo credit-

https://www.google.co.in/search?tbm=isch&q=corporate+sponsored+culturals+in+odisha&chips=q:corporate+sponsored+culturals+in+odisha,online_chips:cultural+festival,online_chips:odisha+state&usg=AI4_-kQzRGlvlo0jaNse6O7OlCy_wHKn0A&sa=X&ved=0ahUKEwjppPrhkYHeAhWGMewKHcNtByIQ4lYIMSgJ&biw=1366&bih=635&dpr=1#imgdii=LwpgXmfOnjC3qM:&imgrc=Lme8JEiK5oI9SM:

About କେଦାର ମିଶ୍ର

କେଦାର ମିଶ୍ର
କବି, ସାମ୍ବାଦିକ, ସଙ୍ଗୀତ ସମାଲୋଚକ

Check Also

ଆମ୍ବେଦକରଙ୍କ ଦ୍ୱାରା ପ୍ରକାଶିତ ମରାଠି ପାକ୍ଷିକ ଖବରକାଗଜ ‘ମୂକନାୟକ’ର ଶତବାର୍ଷିକୀ ଅବସରରେ ମୂକନାୟକ : ଏବେ ବି ପ୍ରାସଙ୍ଗିକ

ବାବାସାହେବ ଆମ୍ବେଦକରଙ୍କ ଦ୍ୱାରା ପ୍ରକାଶିତ ମରାଠୀ ପାକ୍ଷିକ ଖବରକାଗଜର ମୂକନାୟକକୁ ଅନେକେ ଭାରତରେ ଦଳିତ କଣ୍ଠସ୍ୱରର ପ୍ରଥମ ଅଭିବ୍ୟକ୍ତି ବୋଲି …

Leave a Reply

Your email address will not be published. Required fields are marked *