Home / ସଙ୍ଗୀତ / ଲୋକଗୀତ / ଲୋକଗୀତରେ ଲୋକ ଜୀବନ

ଲୋକଗୀତରେ ଲୋକ ଜୀବନ

ମଣିଷର ଜୀବନର ଅନେକ ଘଟଣା ସହ ସଙ୍ଗୀତର ଗୋଟିଏ ବଳିଷ୍ଠ ସମ୍ପର୍କ ରହିଆସିଛି । ଲୋକଗୀତ ହେଉଛି ସାଧାରଣ ଲୋକ ଜୀବନର ସେଭଳି ସଙ୍ଗୀତ । ଭାବ ଓ ଭଙ୍ଗୀର ବିବିଧତା ଲୋକଗୀତ ଭିତରେ ପ୍ରାଚୁର୍ଯ୍ୟ ଭରିଦେଇଥାଏ ।  କେବଳ ଜୀବନ କାହିଁକି ମୃତ୍ୟକୁ ନେଇ  ମଧ୍ୟ ପ୍ରାୟ ପ୍ରତ୍ୟେକ ଗୋଷ୍ଠିର ସ୍ୱତନ୍ତ୍ର ପାରମ୍ପରିକ ଲୋକଗୀତ ରହିଛି । ଆଧୁନିକ ବିକାଶପ୍ରକ୍ରିୟାରେ ଯେତେବେଳେ ଲୋକମାନେ ଲୋପପାଇ ଯାଉଛନ୍ତି ସେତେବେଳେ ଲୋକଗୀତ ବା ଲୋକ ସଂସ୍କୃତିକୁ ବଞ୍ଚାଇ ରଖିବା ଏକ ପ୍ରଶ୍ନବାଚୀରେ ପରିଣତ ହୋଇଛି । ‘ସମଧ୍ୱନି’ କିନ୍ତୁ ଖୋଜିବୁଲୁଛି  ସେହି  ଲୋକସଙ୍ଗୀତଗୁଡ଼ିକୁ ଯାହାର ଆଧାରରେ ଆମେ ଗଢ଼ିତୋଳିବା ଏକ ସୁସ୍ଥ , ଜୀବନ୍ତ ଏବଂ ମୈତ୍ରୀପୂର୍ଣ୍ଣ ସମାଜ ବ୍ୟବସ୍ଥା । ପଶ୍ଚିମ ଓଡ଼ିଶା ଏହିଭଳି ଲୋକକଳା ଓ ସଂସ୍କୃତିର ଏକ ଗନ୍ତାଘର ଯେଉଁଠୁ କିଛି ସାଉଁଟିବାକୁ ଚେଷ୍ଟା କରିଛନ୍ତି ବିଶିଷ୍ଟ ସାମ୍ବାଦିକ ଉମେଶ ଚନ୍ଦ୍ର ବିଶ୍ୱାଳ ।  ଏହି ଲେଖାଟିରୁ ପ୍ରେରଣା ପାଇ ଯଦି ଆମେମାନେ ନିଜ ନିଜ ଅଞ୍ଚଳର ଲୋକଗୀତକୁ ସଂଗ୍ରହ କରିଚାଲିବା ହୁଏତ ଭବିଷ୍ୟତ ପିଢ଼ି ପାଇଁ ଏହା ଏକ ବଳିଷ୍ଠ ସମ୍ବଳ ହୋଇପାରିବ ।- ସମ୍ପାଦକ
                                           ସଭ୍ୟତାର ବିକାଶଧାରାରେ ଲୋକସଂସ୍କୃତିର ଏକ ବିଶେଷ ଭୂମିକା ରହିଛି । ଏହି କ୍ରମରେ ଲୋକସାହିତ୍ୟ ଏବଂ ଲୋକଗୀତର ମଧ୍ୟ ଏକ ନିରନ୍ତର ଧାରା ରହିଛି । ଗୋଷ୍ଠୀଗତ ଜୀବନରେ ଭାବ ବିନିମୟ, ଜନ୍ମ ଓ ମୃତ୍ୟୁ, ସୁଖ ଓ ଦୁଃଖର ପରିପ୍ରକାଶ ଲୋକଗୀତ ମାଧ୍ୟମରେ ହିଁ ହୋଇଥାଏ । ଲୋକଗୀତର ଅନ୍ୟନାମ ଲୋକବେଦ । ମଣିଷସଭ୍ୟତା ଆରମ୍ଭରୁ ହିଁ ଏହାର ସୃଷ୍ଟି । ଲୋକଗୀତ ପକ୍ଷୀର ଗାନ ପରି ମୁକ୍ତ, ଆନନ୍ଦଦାୟକ ଓ ଜୀବନ ରସରେ ଭରପୁର । ଗୋଟିଏ ତୁଣ୍ଡରୁ ଆଉଗୋଟିଏ ତୁଣ୍ଡକୁ ଏହିପରି ସମାଜରେ ପରିବ୍ୟାପ୍ତ ଏହି ଧାରା ଲୋକସର୍ବସ୍ୱ । କପଟତାର ତିଳେମାତ୍ର ଆଭାସ ନଥାଏ ଲୋକଗୀତରେ ।

ବିଶ୍ୱର ବିଭିନ୍ନ ଅଞ୍ଚଳ ଲୋକଗୀତ ଏବଂ ଲୋକସାହିତ୍ୟ ପରି ଓଡ଼ିଶାର ପଶ୍ଚିମାଞ୍ଚଳର ଲୋକସଂସ୍କୃତି ମଧ୍ୟ ବେଶ୍ ସମୃଦ୍ଧ । କୃଷି ଓ ଗ୍ରାମବହୁଳ ପଶ୍ଚିମ ଓଡ଼ିଶାର ଲୋକଗୀତ ଇତିହାସକୁ ତର୍ଜମା ଓ ବିଶ୍ଳେଷଣ କଲେ ତକ୍ରାଳୀନ ଲୋକଜୀବନର ସୁନ୍ଦର ଚିତ୍ର ଓ ଚରିତ୍ରଗୁଡ଼ିକ ଆମ ଆଗରେ ଉଭା ହୁଅନ୍ତି । କର୍ମକ୍ଳାନ୍ତ ଜୀବନର ନିରୁତା ଭାବଟିଏ ଫୁଟିଉଠେ ଲୋକଗୀତରେ ।

ପଶ୍ଚିମଓଡ଼ିଶା ଲୋକଗୀତ ସମୂହର ଏକ ବିଶାଳ ଗନ୍ତାଘର । ଛୋଟ ଛୁଆର ଜନ୍ମରୁ ଆରମ୍ଭ କରି ପିଲାକୁ ଶୁଆଇବା, ଖୁଆଇବା, ଖେଳେଇବା, ଅବୁଝା ପିଲାକୁ ବୁଝାଇବା ଆଦି ସମ୍ପର୍କିତ ଅନେକ ଗୀତ ରହିଛି । ସେହିପରି କିଶୋର କିଶୋରୀଙ୍କ ମଧ୍ୟରେ ଭାବର ଆଦାନପ୍ରଦାନ ଏବଂ ଝିଅ ଅନ୍ୟଘରକୁ ବୋହୂ ହୋଇଯାଉଥିବା ବେଳେ ବାପା, ମାଆ ଓ ପ୍ରିୟଜନଙ୍କ ଉଦ୍ଦେଶ୍ୟରେ ଗାଉଥିବା ଗୀତ ଆମର ସଭ୍ୟତା ସମ୍ପର୍କରେ ରହିଥିବା ସତ୍ୟତାକୁ ଉଜାଗର କରିଥାଏ । ବର୍ତ୍ତମାନର ଆଧୁନିକ ଯୁଗରେ ଲୋକଗୀତ କ୍ରମଶଃ ଲୁପ୍ତ ହେବାକୁ ବସିଛି । ତଥାପି ମଧ୍ୟ ବୟସ୍କ ଲୋକଙ୍କଠାରୁ ଲୋକଗୀତ ସମ୍ପର୍କରେ ଅନେକ କଥା ଜାଣିହୁଏ । ଓଡ଼ିଆରେ ନାନାବାୟା, ହିନ୍ଦିରେ ଲୋରି ପରି ପଶ୍ଚିମାଞ୍ଚଳରେ ମଧ୍ୟ ଛୋଟପିଲାଙ୍କ ପାଇଁ ଗୀତ ରହିଛି ।

ଏବେ ଛୋଟପିଲା କାନ୍ଦିଲେ ମୋବାଇଲର ଗୀତ ବଜାଇ ମାଆମାନେ ପିଲାକୁ ତୁନି କରାଉଛନ୍ତି । ହେଲେ ଦିନ ଥିଲା ମା’ହେଉ କି ଆଇ ମା ଗୀତ ନଶୁଣିଲେ ପିଲାକୁ ନିଦ ହେଉନଥିଲା । ମା’ମାନେ ପିଲାର ପିଠି ଥାପୁଡ଼ାଇ ଗୀତ ଗାଇ ଗାଇ ପିଲାକୁ ସରାଗରେ ସୁଆଇ ଦେଉଥିଲେ । ଅବୁଝା ପିଲାକୁ ଗୀତ ଗାଇ ଶୁଆଇ ଦେଉଥିଲେ । ତଅଁଲାପଡ଼ା ସମ୍ବଲପୁରର ପ୍ରମୋଦ କୁମାର ମିଶ୍ର କୁଲୁଣ୍ଡି, ସରଗିପାଲି ଆଦି ଅଞ୍ଚଳରୁ ପିଲାଙ୍କ ପାଇଁ ସଂଗ୍ରହ କରିଥିବା ଲୋକଗୀତର ପସରାକୁ ଅଧ୍ୟୟନ କଲେ ସେ ସମ୍ପର୍କରେ ଅନେକ କିଛି ଜାଣିହୁଏ । ଛଅ, ସାତମାସର ଛୋଟ ପିଲା । ହାବୁ ହାବୁ କହି ପାଣିରେ ଗାଧୋଇ ଦିଅନ୍ତି ମା । କାନଭିତରେ କାଳେ ପାଣି ପଶିଥିବ ସେଥିପାଇଁ କାନ ଦୁଇଟିକୁ ଫୁଙ୍କି ଦିଅନ୍ତି । ଶୁଖିଲା କପଡ଼ାରେ ଦେହ ହାତକୁ ଭଲକରି ପୋଛି ଦିଅନ୍ତି । ଖୁଆଇଦେବା ଆଗରୁ ପିଲାକୁ ଟିକା କଜଳ ଲଗେଇବା ବେଳେ ସରାଗରେ ଗାଆନ୍ତି-

‘ହ ରେ ପିଲେ ସଜବାଜ

ବରହମ୍ପୁରା ଗୁଡ଼ିର ଭୁଜକାଜ

ହ ରେ ପିଲେ ସଜବାଜ’

ଠିକ୍ ସେମିତି – ‘ବାଉରୀ ଗାଈ ମୁଣ୍ଡ ହଲାଇ

ବାରି ପଶିକରି ସେମ୍ବି ଖାଇ

ବାରି ବାଇଗନ ସରିଗଲା

ଆମର ବାବୁକେ ବୁଢ଼ାନେଲା

 

ଅଝଟିଆ ପିଲାକୁ ଶୁଆଇବା ବେଳେ ଗୀତ ଗାଆନ୍ତି-

‘ଲଡ଼ ଘରେ ବାଇରେ ବାବୁ

ଗେଲ୍ହ ଘରେ ବାଇ

ଗେହ୍ଲାଇ ବଏସରେ ବାବୁ

ଲାଡୁରୀ ବଏସ

ଲାଡ଼େ ଦିନ ଯାଉରେ ବାବୁ ଗେହ୍ଲେ ଦିନ ଯାଉ ।’

 

ପୁଣି ଅମାନିଅାଁ ଛୋଟ ପିଲାଙ୍କୁ ଶୁଆଇବା ପାଇଁ ଗାଆନ୍ତି-

‘ଆରେ କୋକୋ କକ୍ କରି

ବାବୁକେ ନେବୁ ପାଇକରି

ଆଉଥିବୁରେ କୋକୋମିନା

ମୋର ବାବୁର କାନ ନେବୁରେ ସିନା

ଆମର ବାବୁ ବଢ଼େ ଅଝଟ

ଟିକେ କଥାଥି ଲଗାସି ନାଟ

କୋକୋସିନା ମୋର କାଉ କାଉ

ଆମର ବାବୁ କେ ନିଜ ଯାଉ…’

ପ୍ରତିଟି ମଣିଷ ନିଜର ଜୀବନ ଅବଧି ମଧ୍ୟରେ ସୁଖ, ଦୁଃଖ, ହସ, କାନ୍ଦ ଆଦି ବିଭିନ୍ନ ଅବସ୍ଥା ଦେଇ ଗତି କରିଥାଏ । ଏସବୁର ପ୍ରତିକ୍ରିୟା ହିଁ ମଣିଷ ଆଖିରେ ଲୁହ ଆଣିଦିଏ । ଅତ୍ୟଧିକ ଆନନ୍ଦ ଏବଂ ଦୁଃଖରେ ଲୁହ ଝରେ । ଲୁହ ସମ୍ପର୍କରେ ପ୍ରତ୍ୟେକ ସାହିତ୍ୟରେ ଉଲ୍ଲେଖ ରହିଛି । ପଶ୍ଚିମ ଓଡ଼ିଶାର ଲୋକଗୀତରେ ମଧ୍ୟ ଝିଅ ବାପା, ମାଆକୁ ଛାଡ଼ି ବାହା ହୋଇ ଶାଶୁଘର କାନ୍ଦି କାନ୍ଦି ବାହୁନି ହେଉଥିବା ସମ୍ପର୍କରେ ବର୍ଣ୍ଣିତ ହୋଇଛି ।

ଝିଅର ବିଦାୟକାଳୀନ ଦୃଶ୍ୟ ଯିଏ ଦେଖିଛି ତା ଆଖି ବି ଭିଜିଯାଇଛି ସ୍ନେହ, ଶ୍ରଦ୍ଧା ଓ କୋହରେ । ଝିଅ ଜନମ ପରଘରକୁ । ସେଇଥିପାଇଁ ବିବାହ ବୟସ ହୋଇଗଲେ ବାପା, ମାଆ ଓ ପରିବାର ଲୋକେ ଝିଅର ବାହାଘର ପାଇଁ ଚିନ୍ତିତ ହୋଇପଡ଼ନ୍ତି । ଝିଅଟି ମଧ୍ୟ ବାହା ହୋଇ ଶାଶୁଘରକୁ ଯିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହେବା ଆରମ୍ଭ କରେ । ଝିଅଟି ଶାଶୁଘରକୁ ଗଲେ ବାହୁନି ବାହୁନି ଗୀତ ଗାଇବାର ଏକ ପରମ୍ପରା ପଶ୍ଚିମ ଓଡ଼ିଶାରେ ରହିଛି ଯାହା ଏବେ ଲୋପ ପାଇବାକୁ ବସିଲାଣି ।

ଯୌଥ ପରିବାରରେ ଛୋଟ ଝିଅକୁ ଅତି ଆଦରରେ ବଡ଼ କରିଥାନ୍ତି ପରିବାରର ସମସ୍ତ ସଦସ୍ୟ । ଶାଶୁଘରକୁ ଗଲାବେଳେ ମାଆ, ବାପା, କାକା, ଖୁଡ଼ି, ମାମୁଁ, ବଡ଼ଭାଇ, ଅଜା, ଆଇ ସମସ୍ତଙ୍କୁ ଝୁରି ବାହୁନି କାନ୍ଦେ । ଅତି ଆପଣାର ଝିଅକୁ ପରଘରକୁ ପଠାଇ ଦେଉଥିବାରୁ ଝିଅଟି ମା ଉଦ୍ଦେଶ୍ୟରେ ଗାଏ- ଥାଲି ଫିକିଦେଲୁ ମଚା ତଲକେ ମା ଗୋ

 

ମତେ ଫିକିଦେଲୁ ଯମ ପୁରକେ ମା ଗୋ

ବାପାକୁ ସମ୍ବୋଧନ କରି ଗାଏ- ଗାଈ ମୁଲାଇଲୁ ଗୁହାଳେ ବସି ବାପା ଗୋ

ମତେ ହାରିଦେଲୁ ସଭାରେ ବସି ବାପା ଗୋ

 

ଭାଉଜଙ୍କ ଉଦ୍ଦେଶ୍ୟରେ ଗାଏ- ଆମର ବାରି ଆଡ଼େ ଲାଲ ବିନୁଅାଁ ବହୁଗୋ

ଛେଲି ଛୁଆ ବାଗିର ଦେଲ ଘିନୁଅାଁ ବହୁଗୋ

ଛୋଟ ଦିନରୁ ଏକାଠି ବୁଲିଥିବା, ଖେଳିଥିବା, ଖାଇଥିବା ଏବଂ ଗାଈଥିବା ଭାଇଙ୍କୁ ଛାଡ଼ି ଯାଉଥିବା ବେଳେ ବାହୁନି ହୁଏ ।

ହଂସ ଯୁଡ଼ି ଯୁଡ଼ି ପରୁଆ ଯୁଡ଼ି ଦଦା ଗୋ

ଆଜୁ ଛଡ଼ାଛଡ଼ି ଏ ସାଙ୍ଗ ଖୁଡ଼ି ଦଦା ଗୋ

ବହେନ ନାଇଁ ତୋର ଭାଇଥିଲି ଦାଦା ଗୋ

ଯାହିଁ ଯାଉଥିଲେ ଯାଉତ ଥିଲି ଦଦା ଗୋ

ତୁଲିଆ ଉପୁରେଁ ଭାଗବତ ପୁଥି ଦଦା ଗୋ

ଭାଇ ହଇଥିଲେଁ ଭାଗ ଖାଇଥିତିଁ ଦାଦା ଗୋ

ଝିଅ ବାପଘର ପାଇଁ ବୋଝ ହୋଇଥିବ ଏହି ସନ୍ଦେହ ଝିଅ ମନରେ ଉଙ୍କିମାରେ ଏବଂ କାନ୍ଦି କାନ୍ଦି କହିଥାଏ –  ‘ଖାଇଲା କଲି କେ ଫିକି ଦଉଛୁ ମା ଗୋ

ଘିଚି ଆନି ହାତ ଧରେଇ ଦେଉଛୁ ମା ଗୋ

ଶିଲର ଶିଲିପା ଥାଉ ବଇଲ ବହୁଗୋ

ନିଢଳ ବଇରୀ ଯାଉ ବଇଲ ବହୁଗୋ’

ବାପ ଘର ଛାଡ଼ି ଶାଶୁଘରକୁ ଯାଉଥିବା ଝିଅଟି ଅଜଣା ଓ ଭବିଷ୍ୟତ ଆଶଙ୍କା ମା ନିକଟରେ ଜଣାଏ-

‘ଅଲୁଆ ଉଷୁନା ଦୁଇମାନ ଦେବେ ମା ଗୋ

ଖୁରି ଖୁରି ଭାତ ବାଢ଼ ବଲିବେ ମା ଗୋ

ଖୁରି ଖୁରି ଭାଇ ନାଇଁ ବାଢ଼ିଲେ ମା ଗୋ

ପେଟ ଛଡ଼ା ଘର ଝିଅ ବଲିବେ ମା ଗୋ

ମାତୃ ତୁଲ୍ୟ ଖୁଡ଼ିକୁ ଅଭିମାନ ଭିଜା ସ୍ୱରରେ କାନ୍ଦି କାନ୍ଦି କହୁଥିବ-

‘ଚାଲୁଣିରେ ଚୂନା ଚଲାଉଥିଲି ଗୋ କାକି

ତୁମର ସାନ ଝିଅ ଖେଲଉଥିଲି ଗୋ କାକି

ଚାଲୁଣିରେ ଚୂନା ଚାଲୁନଥିବ ଗୋ କାକି

ମୋ ଗଲାଠାରୁ ତୁମ ସାନଝିଅ ଖେଲୁନଥିବ ଗୋ କାକି’

ବାପଘର ଛ/ାଡ଼ି ଶାଶୁଘରକୁ ଯାଉଥିବା ଝିଅଟି କ୍ଷୋଭରେ ଯାହା ଇଚ୍ଛା ତାହା କହିଯାଏ-

‘ପର୍ବତ ଶିଖରେ ଭାଜି କିଆରୀ କାକି ଗୋ

ଆଜି ମରିଗଲା ତୁମ ଝିଆରୀ କାକି ଗୋ

ଘରୁ ବାହାରିଲି ମାଡ଼ିଲି ଖୁଁଟି ମାମୁଁ ଗୋ

ଆଜି ମରିଗଲା ତୁମର ବେଟି ମାମୁଁ ଗୋ

ତୁମ ବାରିଆଡ଼େ ଆମ୍ବ ବଗିଚା ବାପା ଗୋ

ମୁଇଁ ହୋଇଥିଲି ତୁମ ଗାମୁଛା ବାପା ଗୋ

ଶିଖ ପରବତେ କାଚ ଗିଲାସ ଦାଦା ଗୋ

ରଖି ନପାରିଲ ପାଞ୍ଚ ବରଷ ଦଦା ଗୋ’

ଛୋଟରୁ ବଡ଼ଯାଏ ଏକାଠି ସମୟ ବିତାଇଥିବା ସାଙ୍ଗସାଥିଙ୍କ ଉଦ୍ଦେଶ୍ୟରେ ଝିଅଟି ଗାଏ-

‘ଗାଈ ନେଇଛାଡ଼ ଗାଈ ଗୁଠକୁ ସାଙ୍ଗ ସରିସେ

ମତେ ନେଇଛାଡ଼ ଅଧାବାଟକୁ ସାଙ୍ଗ ସରିସେ

ଅଧାବାଟିଆ କି ନାହିଁ କରିବ ସାଙ୍ଗ ସରିସେ

ମୋ ମୁଣ୍ଡ ଖାଇବ ନେଇ ଛାଡ଼ିବ ସାଙ୍ଗ ସରିସେ’

ଏଭଳି ଅବସ୍ଥାରେ ପରିବାର ଲୋକେ ଝିଅକୁ ଯେଉଁ ସାନ୍ତ୍ୱନା ଦିଅନ୍ତି ତାହା ମଧ୍ୟ ଲୁହ ଝରାଇ । ଝିଅର ବିଦାୟକାଳୀନ ହୃଦୟ ବିଦାରକ ଦୃଶ୍ୟ ପଥରକୁ ବି ତରଳାଇ ଦିଏ । ତା’ର ଅନ୍ତର୍ବ୍ୟଥା ସତେ ଯେପରି ସମସ୍ତେ ହୃଦୟଙ୍ଗମ କରି ମହାଶିକ୍ଷା ଲାଭ କରୁଛନ୍ତି ପରି ପ୍ରତୀୟମାନ ହୁଏ । ଝିଅକୁ ବିଦାୟ ଦେଉଥିବାରୁ କଇଁ କଇଁ କାନ୍ଦି ପକାନ୍ତି ମାଆ, ବାପା, ଆତ୍ମୀୟ ସ୍ୱଜନ । ଝିଅ ନିଜେ ସେମାନଙ୍କ ନିକଟରେ ଅଭିମାନ କରି କାନ୍ଦି କାନ୍ଦି ଲୁହର ଯମୁନା ବୁହାଇ ଦେଇଥିଲେ ବି ନିଜ ଲୋକଙ୍କ କାନ୍ଦିବା ଦେଖି ସହିପାରେନା। ଛାତିକୁ ପଥର କରି ଓଲଟି ସେମାନଙ୍କୁ ପ୍ରବୋଧନା ଦିଏ-

‘ଗରିଆର ପାଣି ସାତ ଶୀତଲ ମୋ ମାଁ

କାନ୍ଦିବୁ ନାହିଁ ତୁ ଅତି ବିକଲ ମୋ ମାଁ

ଅତି ବିକଲରେ କାନ୍ଦିଲେ ତୁହିଁ ମୋ ମାଁ

ତୋ ପାଶେ ରହିବାକୁ ମୋ ଭାଗ୍ୟେ ନାଇଁ

ଗୋ ମା…

ଉଛୁନାର ପାଣି ଛିନିବ ନାହିଁ ବାପା ଗୋ

ଗଙ୍ଗା ଯାଉଅଛି ଫେରିବି ନାହିଁ ବାପା ଗୋ

କଲା ବାଇଗଣ ଫାଲେ ରାନ୍ଧିବ ଗୋ ବହୁ

ମାଁ କାନ୍ଦୁଥିଲେ ଭୁଲାଇ ନେବ ଲୋ ବହୁ

ଲୁଟା ପାଣି ଆନି ଧରାଇ ଦେବ ଲୋ ବହୁ

ଭାତ ନ ଖାଇଲେ ଶୁଆଇ ଦେବ ଲୋ ବହୁ ।’

ଏହି ବିଦାୟକାଳୀନ ପର୍ବ ଅତ୍ୟନ୍ତ ହୃଦୟସ୍ପର୍ଶୀ ଏବଂ ଶିକ୍ଷାପ୍ରଦ । ଏଥିରେ ରହିଥାଏ ଯେମିତି ସମ୍ପର୍କର ଦୃଢ଼ତା, ସଂସ୍କୃତିର ଛଟା ଠିକ୍ ସେମିତି ଲୁଚି ରହିଥାଏ ଜୀବନର ବ୍ୟାପକତା । ଏକ ଯୌଥ ପରିବାର ଭିତରେ ଗଢ଼ି ଉଠିଥିବା ନିରୁତା ସମ୍ପର୍କ କଥା ହିଁ ସୂଚାଇଥାଏ ଏହି ଲୋକଗୀତ ।

ଲୋକଗୀତ ଗୁଡ଼ିକ କେତେବେଳେ ବିରହଧର୍ମୀ କେତେବେଳେ ସମୟସୂତ୍ରରେ ସମାଜଧର୍ମୀ ହୋଇ ମାନବୀୟ ଲୋକଧାରାର ବାର୍ତ୍ତା ବହନ କରେ । ସମୟ ସ୍ରୋତରେ ହଜି ହଜି ଯାଉଥିବା ଏହି ଲୋକଗୀତ ଗୁଡ଼ିକର ସଂଗ୍ରହ ଏବଂ ସଂରକ୍ଷଣର ଆବଶ୍ୟକତା ରହିଛି, ଯାହାକି ହୁଏତ ଆଗାମୀ ପିଢ଼ୀ ପାଇଁ ହୋଇପାରେ ଏକ ମହାର୍ଘ ସମ୍ପଦ ।

Photo credit – internet

About ଉମେଶ ଚନ୍ଦ୍ର ବିଶ୍ୱାଳ

ଉମେଶ ଚନ୍ଦ୍ର ବିଶ୍ୱାଳ
ସାମ୍ବାଦିକ, ବୃତ୍ତଚିତ୍ର ନିର୍ମାତା

Check Also

ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତିରେ ‘ଗଁଡ଼ାବଜା’ ଏକ ଦୃଷ୍ଟିପାତ

ଓଡ଼ିଶାର ପଶ୍ଚିମ ଭାଗକୁ ପଶ୍ଚିମ ଓଡ଼ିଶା ବୋଲି କୁହାଯାଇଥାଏ । ପ୍ରାକୃତିକ ପରିବେଷ୍ଟନୀ ଭିତରେ ଥିବା ଏଇ ଭୂଖଣ୍ଡଟି ହେଉଛି …

Leave a Reply

Your email address will not be published. Required fields are marked *