ରେବତୀ

“ସମ୍ଭ୍ରାନ୍ତଙ୍କ ସାହିତ୍ୟରେ ସୁନ୍ଦରୀ ସ୍ତ୍ରୀ କହିଲେ ଚମ୍ପାଗୋରୀ, ଚନ୍ଦ୍ରବଦନୀ, ହଳଦୀ ଗୁରୁଗୁରୁ ଦେଖା ଯାଉଥିବା ମହିଳାଙ୍କୁ ବୁଝାଏ । କୃଷ୍ଣାଙ୍ଗୀମାନେ ତ କାଳିକୋତରୀ ବୋଲି ତିରସ୍କୃତା । ଏହା କଣ ବର୍ଣ୍ଣବୈଷମ୍ୟତା ନୁହେଁ?”- ଲେଖକ ଏଠାରେ ରେବତୀ ନାମକ ଏକ ସତ୍ୟ ଚରୀତ୍ରର ମନରେ ସୃଷ୍ଟିହେଉଥିବା ପ୍ରଶ୍ନକୁ ଉତ୍ଥାପନ କରିବାପାଇଁ ଚେଷ୍ଟା କରିଛନ୍ତି । ରେବତୀ ଜାତିରେ ନିସ୍ପେଷିତ, ବର୍ଣ୍ଣରେ ଶ୍ୟାମଳ… ଆମ ସମାଜର ତଥାକଥିତ ଚିନ୍ତାଧାରା ଅନୁସାରେ ତାହାର ବିବାହ ସମ୍ଭବ ନୁହେଁ । ଜାତି ବ୍ୟବସ୍ଥାକୁ ଭାଙ୍ଗି ଏଭଳି ଶିକ୍ଷିତ ଝିଅମାନଙ୍କୁ ବିବାହ କରିବାପାଇଁ କେଉଁ ଉଚ୍ଚ ଜାତିର ପୁଅ ରାଜିହେବ? ବିଜ୍ଞାନ ଓ ପ୍ରଗତୀର କଥା ଯେତେ କହିଲେବି ଜାତି, ବର୍ଣ୍ଣ, ଧର୍ମ ଓ ସବୁ ପ୍ରକାରର ଅସମତା ଭରା ଚିନ୍ତା ଓ କାର୍ଯ୍ୟକୁ ଆମେ ଜାବୁଡ଼ି ଧରିବସିଛନ୍ତି । ସମାଜ ଓ ସଂସ୍କୃତିକୁ ପରିମାର୍ଜିତ କରି ଏକ ସମତା ପୂର୍ଣ୍ଣ ସମାଜ ନିର୍ମାଣ କରିବାପାଇଁ ଏକାଠି ହେବା ବଦଳରେ ଆମେ ସମସ୍ତପ୍ରକାରର ବିଭେଦକୁ ଆପଣେଇ ପରସ୍ପରଠାରୁ ଦୂରେଇ ଯାଉନାହାଁନ୍ତି କି? – ସମ୍ପାଦକ

(ରେବତୀ ବା ରେବା ଓଡ଼ିଆଙ୍କ ସକାଶେ କୌଣସି ନୂଆ ନାମ ନୁହେଁ । ପ୍ରାୟ ଶହେ ବର୍ଷ ପୂର୍ବେ (୧୮୮୯) ଓଡ଼ିଆ ସାହିତ୍ୟର ମହାନ କଥାକାର ବ୍ୟାସକବି ଫକୀର ମୋହନଙ୍କ ‘ରେବତୀ’ ଗଳ୍ପ ଓଡ଼ିଆ ସାହିତ୍ୟର ମାଇଲଖୁଣ୍ଟ । ସେବେଠାରୁ ‘ରେବତୀ’ ଏକ ପ୍ରତୀକ ହୋଇ ରହିଛି ଆମ ମାନସରେ । ଲୋ ରେବତୀ … ଲୋ ରେବି … ଲୋ ନିଆଁ… ଲୋ ଚୂଲି, ଏବେବି ଗୁଞ୍ଜରିତ ହେଉଛି ଆମ ହୃଦୟରେ । ସେଦିନଠାରୁ କେଜାଣି କେତେ କେତେ ଗଳ୍ପ ଲେଖାହେଲାଣି ରେବତୀ ଶୀର୍ଷକରେ । ‘ରେବତୀ’ ବା ଓଡ଼ିଆ ଯୁବତୀର ବିଭିନ୍ନ ରୂପ ପ୍ରକାଶ ପାଇଛି ଅନେକ ଗଳ୍ପରେ । କିନ୍ତୁ ମୁଁ ଏଠାରେ କୌଣସି ଗଳ୍ପ ଲେଖୁନାହିଁ । ଲେଖୁଛି ସତସତିକା ଏକ ରେବତୀ ବିଷୟରେ । ଏଣୁ ସାହିତ୍ୟ ନିୟମାନୁଯାୟୀ ଏହା ଏକ ଗଳ୍ପ ନୁହେଁ ବରଂ ଏକ ଚରିତ୍ର ଚିତ୍ରଣ ମାତ୍ର । ) – ଲେଖକ

ଓଡ଼ିଆ ଝିଅ ରେବା । ପୁରାନାମ ରେବତୀ । ବୟସ ତିରିଶ ପୁରି ଏକତିରିଶ କିମ୍ବା ବତିଶି । ଦେହର ରଙ୍ଗ ଇଷତ୍ ଶ୍ୟାମଳ, ଉଚ୍ଚତା ପ୍ରାୟ ପାଞ୍ଚ ଫୁଟ ଦୁଇଇଞ୍ଚ୍ । ଦେଖିବାକୁ ଅତ୍ୟନ୍ତ ସୁନ୍ଦରୀ ନହେଲେ ବି ଆଦୌ ଅସୁନ୍ଦରୀ ନୁହେଁ । ଶିକ୍ଷାଗତଯୋଗ୍ୟତା ମାଟ୍ରିକରୁ ସ୍ନାତକୋତ୍ତର ଶ୍ରେଣୀ ପର୍ଯ୍ୟନ୍ତ ପ୍ରଥମ ଶ୍ରେଣୀରେ ପାଶ୍ । ପେଷାରେ ଶିକ୍ଷୟିତ୍ରୀ । ଦରମା ମାସକୁ ୨୫୦୦ଟଙ୍କା । ବାପା ଜଣେ ପ୍ରତିଷ୍ଠିତ ବ୍ୟକ୍ତି – ନିକଟରେ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ନିଜର ଘରଖଣ୍ଡେ ମଧ୍ୟ ଅଛି । ରେବତୀ ଉପରେ ଗୋଟିଏ ଭଉଣୀ – ବିବାହିତା ଓ ଦୁଇଟି ଭାଇ – ଶିକ୍ଷିତ ଅଥଚ ବେକାର । କର୍ମସନ୍ଧାନରେ ରତ । ତା’ମାନେ ପରିବାରର ଭରଣପୋଷଣ ଏବେ ତାର ଦାୟିତ୍ୱ ।
ପାଠକେ! କହିଲେ ଦେଖି ଏ ଝିଅଟିର ବାହାଘର କାହିଁକି ସମ୍ଭବ ହୋଇ ପାରୁନାହିଁ? ତାରି ଜାତିର କୌଣସି ମନଲାଖି ଯୁବକ ତାକୁ ପସନ୍ଦ କରୁନାହିଁ କାହିଁକି? ବାପା ମା ଦୀର୍ଘ ସାତଆଠବର୍ଷରୁ ଊଦ୍ଧ୍ୱର୍ ହେବ ନିଜ ଜାତିର ଏକ ଯୋଗ୍ୟ ପାତ୍ର (ବର) ଖୋଜିବାରେ ବ୍ୟସ୍ତ । ପାତ୍ରଟି ଥରେ ଦେଖିବାକୁ ଆସିଲା ପରେ ଆଉ ଆସେନା । କେତେ କେତେ ଇଣ୍ଟରଭ୍ୟୁ, ଖିଆପିଆ ହୁଏ । ଗୋରୁ ଗାଈଙ୍କ ଭଳି ତାର ଗୋଡ଼, ହାତ, ମୁଁହ ଆଦିର ପରୀକ୍ଷା କରାଯାଏ । କିନ୍ତୁ କିଛି ହୁଏନା । ବାପା ମାଙ୍କ ଆଖିରୁ ନିଦ ହଜିଗଲାଣି । ସବୁବେଳେ ରେବତୀର ବାହାଘର ଚିନ୍ତା । ସାଇପଡ଼ିଶା ବନ୍ଧୁବାନ୍ଧବ ଗହଣରେ ମୁଁହ ଆଉ ଦେଖାଇ ହେଉନାହିଁ । କିନ୍ତୁ କ’ଣ କରାଯିବ – ସ୍ୱଜାତି ପିଲାଟିଏ ମିଳିଲେ ତ?
କୌଣସି ବାହାଘର ପ୍ରସ୍ତାବ ପଡ଼ିବା ପୂର୍ବରୁ ପାତ୍ରର ଜାତି-ବଂଶ-ଗୋତ୍ର ଆଦିର ପରିଚୟ ଖୋଜାଯାଏ । ଜାତି ଗୋତ୍ର ଠିକ୍, ହେଲେ ଆଗକୁ କଥା ବଢ଼େ । ଏ ମଧ୍ୟରେ ରେବତୀର ନିଜ ଜାତିର ଅବିବାହିତ ପିଲା ଆଉ ବାକି ନାହାନ୍ତି । ଯେଉଁମାନେ ଆସୁଛନ୍ତି ସେମାନେ କିଏ ମାଟ୍ରିକ ତ ଆଉ କିଏ ପ୍ଲସ୍ ଟୁ ନହେଲେ ବେକାର । ଗ୍ରାଜୁଏଟ ପିଲାଟିଏ ମଧ୍ୟ ଆଉ ତାକୁ ଦେଖିବାକୁ ଆସୁନାହାଁନ୍ତି ।
ରେବତୀ ମଧ୍ୟ ଆଉ ଆଗଭଳି ଉତ୍ସାହିତ ଦେଖାଯାଉ ନାହିଁ । ବାରମ୍ବାର ରିଜେକ୍ଟେଡ୍ ହେଲା ପରେ ଯେମିତି ସେ ଭିତରେ ଭିତରେ ମରିଯାଇଛି । ଫୁଲ ଭଳି ଚେହେରାଟି ଶୁଖିଗଲାଣି । ସେ ଏବେ କେବଳ କୃତ୍ରିମ ହସ ହସେ । ବାହା ହେବାକୁ ମଧ୍ୟ ତାର ଆଉ ଆଗ୍ରହ ନାହିଁ । କିନ୍ତୁ ସମାଜ,ବାପା,ମାଆ ଆଦିଙ୍କୁ ଦେଖି ଯା ସେ କେଳବ ହଁ କରୁଛି ।
ହେଲେ ତାର ବା ଦୋଷ କ’ଣ? କଣ ତା ଦେହର ରଙ୍ଗ କଳା ବୋଲି ସୁନ୍ଦରୀ ନୁହେଁ? କ’ଣ ତାର ଗୁଣ, ଚରିତ୍ର ନାହିଁ? କ’ଣ ସେ ଶିକ୍ଷିତା ତଥା ସ୍ୱାବଲମ୍ବୀ ନୁହେଁ? ହଁ ଦୋଷ ତାର ଦେହର ରଙ୍ଗ, ଦୋଷ ତାର ଜାତିର । ସେ ଅନ୍ୟ କୌଣସି ଜାତିରେ ଜନ୍ମ ନେଇଥିଲେ ହୁଏତ ତାର ବାହାଘର ସରି ସାରନ୍ତାଣି । କିନ୍ତୁ ତା’ ନିଜ ଜାତିରେ ଶିକ୍ଷିତ ପୁଅଙ୍କ ସଂଖ୍ୟା ଯେ ଖୁବ୍କମ୍ । ଆଉ ସେ ଗୋରୀ ହୋଇଥିଲେ ତ କଲେଜରେ ପଢ଼ିଲାବେଳେ ଅଠର ନପୁରୁଣୁ ତା ବାହାଘର କେବେଠୁ ହୋଇସାରନ୍ତା । କ’ଣ ଶ୍ୟାମଳ ରଙ୍ଗ ସତରେ ଏତେ ଖରାପ, ଏତେ ଅଶୁଭ, ଏତେ ଅସୁନ୍ଦର? କିଏ କଳାରଙ୍ଗକୁ ଶୁଭ ଅଶୁଭ ଦାୟରା ଭିତରକୁ ନେଇଆସିଛି । ରଙ୍ଗ ତ ରଙ୍ଗ – ଅଥଚ କେଉଁ ରଙ୍ଗର ମଣିଷ ସୁନ୍ଦର ଆଉ କେଉଁ ରଙ୍ଗରମଣିଷ ଅସୁନ୍ଦର – ଏହା ତ ଦେଖିବା ଲୋକର ଦୃଷ୍ଟିଭଙ୍ଗୀ ଉପରେ ନିର୍ଭର କରେ । ଯଦି କୃଷ୍ଣାଙ୍ଗ ମଣିଷମାନେ ଅସୁନ୍ଦର, ଅଶୁଭ – ତେବେ ସାରା ଆଫ୍ରିକା, ଦକ୍ଷିଣ ଆମେରିକା, ଦକ୍ଷିଣ ଭାରତ ଓ ଅର୍ଦ୍ଧାଧିକ ଏସିଆ ତଥା ସମସ୍ତ ଜନଜାତିର ଲୋକେ ଅଶୁଭ, ଅସୁନ୍ଦର ପଦବାଚ୍ୟ ହୋଇଯିବେ । ଯଦି ସମସ୍ତ କୃଷ୍ଣାଙ୍ଗ ମଣିଷ ଅସୁନ୍ଦର ଓ ଅଶୁଭ ତାଲିକାଭୁକ୍ତ ତେବେ ପୃଥିବୀର ଅର୍ଦ୍ଧାଧିକ ଲୋକ ସେଇ ତାଲିକାଭୁକ୍ତ ହେବେ ।
ରେବତୀ ଜାଣେ-ଭାରତରେ ବର୍ଣ୍ଣବିଦ୍ୱେଷ କୌଣସି ନୂତନ ତତ୍ତ୍ୱ ନୁହେଁ । ଆମ ବେଦ ଉପନିଷଦ ପୋଥି ପୁରାଣରେ ବର୍ଣ୍ଣବିଦ୍ୱେଷ ଛିଟା ବହୁସଂଖ୍ୟାରେ ଅଛି । ଏହାର ଅଛି ଏକ ଲମ୍ବା ଇତିହାସ । ଆର୍ଯ୍ୟ ଅନାର୍ଯ୍ୟଙ୍କ ମଧ୍ୟରେ ଘୃଣା ମଧ୍ୟ ଥିଲା ଏହି କାରଣରୁ । କୃଷ୍ଣକାୟ ମଣିଷମାନେ ସଦାସର୍ବଦା ଦାନବ, ଅସୁର, ଦୈତ୍ୟ ରୂପେ ଚିତ୍ରିତ ହେଉଥିଲେ । ବେଦ ପୁରାଣରେ କୃଷ୍ଣାଙ୍ଗୀ ସ୍ତ୍ରୀ କେବେ ହେଲେ ସୁନ୍ଦରୀ ଆଖ୍ୟା ପାଇନାହାନ୍ତି । ଏ ଦେଶର ସମ୍ଭ୍ରାନ୍ତଙ୍କ ସାହିତ୍ୟରେ ସୁନ୍ଦରୀ ସ୍ତ୍ରୀ କହିଲେ ଚମ୍ପାଗୋରୀ, ଚନ୍ଦ୍ରବଦନୀ, ହଳଦୀ ଗୁରୁଗୁରୁ ଦେଖା ଯାଉଥିବା ମହିଳାଙ୍କୁ ବୁଝାଏ । କୃଷ୍ଣାଙ୍ଗୀମାନେ ତ କାଳିକୋତରୀ ବୋଲି ତିରସ୍କୃତା ।
ଏହା କଣ ବର୍ଣ୍ଣବୈଷମ୍ୟତା ନୁହେଁ? ବର୍ଣ୍ଣବିଦ୍ୱେଷର ଆଉ କେଉଁ ଉଦାହରଣ ଆବଶ୍ୟକ? ତେବେ ରେବତୀ ନିଜକୁ ପ୍ରଶ୍ନ କରେ – କେଉଁ ଅଧିକାରରେ ଆମେ ଶ୍ୱେତାଙ୍ଗ ଇଉରୋପୀୟ ତଥା ଆମେରିକୀୟମାନଙ୍କୁ ବର୍ଣ୍ଣବିଦ୍ୱେଷୀ ବୋଲି ତିରସ୍କାର କରିପାରିବା? ଆମେ କ’ଣ ସେମାନଙ୍କ ଠାରୁ ବେଶୀ ନ ହେଲେ ବି ସମାନ ଭାବେ ବର୍ଣ୍ଣ ବୈଷମ୍ୟତାକୁ ମାନୁ ନାହୁଁ?
ସ୍ୱାଧୀନତା ପୂର୍ବରୁ ଓ ପରେ ଭାରତୀୟ ଜାତୀୟ ନେତୃଗଣ ଇଉରୋପୀୟ ତଥା ଆମେରିକୀୟ ଶ୍ୱେତାଙ୍ଗମାନଙ୍କ ବର୍ଣ୍ଣ ବିଦ୍ୱେଷ ନୀତିକୁ ଘୋର ବିରୋଧ କରୁଥିଲେ । ସେମାନେ ପାଶ୍ଚାତ୍ୟ ଦେଶ ଗୁଡ଼ିକରେ ‘ଶ୍ୱେତାଙ୍ଗ’ ବନାମ ‘କୃଷ୍ଣକାୟ’ ସ୍ତର ପର୍ଯ୍ୟନ୍ତ ବର୍ଣ୍ଣବୈଷମ୍ୟତା ଅନୁଭବ କରିପାରିଥିଲେ । ଏଣୁ ସେମାନେ ସେଠାରେ ବର୍ଣ୍ଣ ବା ମକ୍ଟକ୍ଷକ୍ଟଙ୍କକ୍ସ ପ୍ରତି ସଚେତନ ହୋଇ ପାରିଥିଲେ । ପାଶ୍ଚାତ୍ୟ ଦେଶମାନଙ୍କୁ ଯିବାପୂର୍ବରୁ ବା ଇଉରୋପୀୟମାନଙ୍କ ସହ ସମ୍ପର୍କରେ ଆସିବା ପୂର୍ବରୁ ଆମ ନେତାମାନଙ୍କ ବର୍ଣ୍ଣବୈଷମ୍ୟତା ଉପରେ ଧାରଣା ନଥିଲା ବୋଲି ମନେହୁଏ । ଅର୍ଥାତ୍ ସେମାନେ ଭାରତରେ ଅନୁସୃତ ଥିବା ବର୍ଣ୍ଣ ବିଦ୍ୱେଷକୁ ଆଜି ଦେଖି ପାରୁନଥିଲେ ବୋଲି ବୁଝାପଡ଼ୁଛି । କିମ୍ବା ଏଇଆ ହୋଇପାରେ ଯେ ଯଦିଓ ବିଦେଶରେ ଅବା ଭାରତରେ ସେମାନେ ଗୋରାଙ୍କ ବର୍ଣ୍ଣ ବିଦ୍ୱେଷକୁ ବିରୋଧ କଲେ ଅଥଚ ନିଜଦେଶରେ ଅନୁସୃତ ହେଉଥିବା ବର୍ଣ୍ଣ ବିଦ୍ୱେଷକୁ ଆଡ଼ ଆଖିରେ ଦେଖିଲେ ।
ଜାତିବ୍ୟବସ୍ଥା ମଧ୍ୟ ରେବତୀ ଭଳି ମାନବିକ ଅଧିକାର ହନନ କରେ । ରେବତୀ ଭାବେ ଯଦି ଜାତି ବ୍ୟବସ୍ଥା ନାମକ ସାମାଜିକ ଫାସିବାଦ ନଥାନ୍ତା ହୁଏତ ସେ ନିଜ ମନପସନ୍ଦର ସମାନ ଯୋଗ୍ୟତା ଥିବା କୌଣସି ଜାତିର ଯୁବକକୁ ବାହା ହୋଇଥାନ୍ତା । ଯୌତୁକ ଅକ୍ଷମରୁ ତାର ବାପା, ମାଆ ହୁଏତ ମୁକୁଳି ପାରିଥାନ୍ତେ ଓ ତାର ଜୀବନ ଯୌବନ ତଳିତଳାନ୍ତ ହୋଇ ନଷ୍ଟ ହେବାରୁ ରକ୍ଷା ପାଇପାରନ୍ତା । ତାକୁ ଏ ଯୋଉ ଭାବରେ ତିଳ ତିଳ କରି ପ୍ରତ୍ୟେକ ଦିନ ହତ୍ୟା କରାଯାଉଛି, ତା’ ସକାଶେ ଏ ସମାଜ ହିଁ ଦାୟୀ । ବ୍ୟକ୍ତି ବଡ଼ ନା ସମାଜ ବଡ଼ ଭଳି ପ୍ରଶ୍ନ ତାକୁ ଆନ୍ଦୋଳିତ କରେ ।
ପାଠକେ! ଏହା କଣ ରେବତୀର ମାନବିକ ଅଧିକାରର ହନନ ନୁହେଁ? ଘୃଣ୍ୟ ବର୍ଣ୍ଣ ବୈଷମ୍ୟତା ଓ ଜାତି ବ୍ୟବସ୍ଥା ଯୋଗୁଁ କେତେ କେତେ ରେବତୀ ବଳି ପଡ଼ୁଛନ୍ତି । କେତେ ରେବତୀମାନଙ୍କ ଜୀବନ ଛାରଖାର ହୋଇଯାଉଛି ତାର କୌଣସି ହିସାବ ସମାଜର ବଡ଼ପଣ୍ଡା ମାନଙ୍କ ପାଖରେ ନାହିଁ ।
ସେ ବେଳ କ’ଣ ଆସିନାହିଁ ଏ ସମସ୍ୟାର ସମାଧାନର ବାଟ ଖୋଜିବା ସକାଶେ? ଏ ବର୍ଣ୍ଣବ୍ୟବସ୍ଥା ଓ ଜାତି ବ୍ୟବସ୍ଥାର ଆବଶ୍ୟକ କେଉଁଠାରେ ମଣିଷକୁ ତିଳ ତିଳ କରି ମରିବାକୁ ଦେଉଛି? ଆମେ ଏକବିଂଶ ଶତାବ୍ଦୀର ମଣିଷ – କ’ଣ ଏବେ ବି ଆମେ କଳାଗୋରା ଭେଦଭାବ ବଜାୟ ରଖିବା? ଏହା କ’ଣ ମାନବିକତା ପ୍ରତି ଅପମାନ ନୁହେଁ? ଦେହର ରଙ୍ଗ ଓ ଜାତି ପ୍ରତି ଆମର ଆଭିମୁଖ୍ୟ କେବେ ଯୁକ୍ତିଯୁକ୍ତ ହେବ?
ଆଶ୍ୱାସନାର ବିଷୟ । ବିଶ୍ୱସ୍ତରରେ ଆୟୋଜିତ ହେଉଥିବା ବିଭିନ୍ନ ବିଶ୍ୱସୁନ୍ଦରୀ ପ୍ରତିଯୋଗିତା (ଯାହାକି ନାରୀକୁ ପଣ୍ୟ ବସ୍ତୁ ଭଳି ବିଚାର କରେ ଓ ସେଥି ସକାଶେ ତାହା ସର୍ବଦା ନିନ୍ଦନୀୟ)ମାନଙ୍କରେ ପ୍ରତିଯୋଗିନୀର ରଙ୍ଗ ବା ବର୍ଣ୍ଣ ଏକ ମାନକ ହୋଇନାହିଁ । ସେଠାରେ ମଣିଷର ରଙ୍ଗ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଅର୍ଥାତ୍ ସୌନ୍ଦର୍ଯ୍ୟର ପରିଭାଷା ସେଠାରେ ଆମମାନଙ୍କ ପରିଭାଷା ଠାରୁ ସମ୍ପୂର୍ଣ୍ଣ ଭିନ୍ନ ତଥା ଉନ୍ନତ । କିନ୍ତୁ ପରିତାପର ବିଷୟ ଆମ ସିନେମା ଓ ଟିଭି ପରଦାରେ ବର୍ଣ୍ଣ ବିଷୟକ ପୁରାତନ ଘୃଣ୍ୟ ଅମାନବୀୟ ବିଚାରଧାରା ଏବେବି ଅନୁସୃତ ହେଉଛି । ଏଣୁକରି ଆମେ ସିନେମା, ଟିଭି ଜରିଆରେ ନାଟକ, ଅପେରା ଆଦିରେ କୃଷ୍ଣକାୟ ନାୟିକାମାନଙ୍କୁ ଦେଖିବାକୁ ପାଉନାହୁଁ ବୋଲି ଆମ୍ଭେ ହଲପ କରି କହିପାରିବୁ ।
ଆମର ଏଭଳି ରୋଗାଗ୍ରସ୍ତ ଅମାନବୀୟ ସୌନ୍ଦର୍ଯ୍ୟବୋଧ କେବେ ସମାପ୍ତ ହେବ? ଆଉ କେତେ କେତେ ନିରୀହା ରେବତୀ ପରି ଝିଅମାନଙ୍କ ଜୀବନ ଛାରଖାର ହେଲା ପରେ ଯାଇ ଆମର ଚୈତନ୍ୟ ଉଦୟ ହେବ? ବିଜ୍ଞଲୋକେ ଚିନ୍ତା କରନ୍ତୁ – ଆମ ସାହିତ୍ୟରେ ନାରୀ ସମ୍ପର୍କିତ ବର୍ଣ୍ଣନାର ସଂଶୋଧନ ଆବଶ୍ୟକ କି ନାଁ? ଆମ ଖବରକାଗଜରେ ପ୍ରତିଦିନ ପ୍ରକାଶିତ ହେଉଥିବା ଗବଗ୍ଧକ୍ସସଜ୍ଞକ୍ଟଦ୍ଭସବକ୍ଷ ମକ୍ଟକ୍ଷଙ୍କଜ୍ଞଦ୍ଭ- ‘ପାତ୍ରୀ ଆବଶ୍ୟକ’ର ଭାଷା ବଦଳିବା ଦରକାର କି ନାଁ?
ଏଥି ସକାଶେ ମୁଁହ ଖୋଲିବା ପାଇଁ ବିବେକବାନ ଲୋକଙ୍କ ସଂଖ୍ୟା ଓଡ଼ିଶାରେ ବହୁତ କମ୍ । ନିଜ ଲଢ଼େଇ ନିଜେ ଲଢ଼ିବା ପାଇଁ ‘ରେବତୀ’ମାନଙ୍କୁ ହିଁ ସମ୍ମୁଖକୁ ଆସିବାକୁ ହେବ । ଦେଖାଯାଉ ସେ ସୁଦିନ କେବେ ଆସିବ । – ସୌଜନ୍ୟ (ସମଦୃଷ୍ଟି)

About ପ୍ରଫେସର କିଶୋର ମେହେର

ପ୍ରଫେସର କିଶୋର ମେହେର
ଇତିହାସ ବିଭାଗର ପ୍ରଫେସର, ଗବେଷକ, ଲେଖକ, ସ୍ତମ୍ଭକାର

Check Also

ଅଗଣିଙ୍କ ଶୋକ

ଅଗଣି ରାସ୍ତାକଡ ଖୁଣ୍ଟରୁ ଫଳକଟି ଓହ୍ଲାଇ ଦେଲେ । ‘ମହାତ୍ମା ଗାନ୍ଧୀ ମାର୍ଗ’ ଫଳକ ଜାଗାରେ ଲାଗିଲା ‘ଇନ୍ଦିରା ଗାନ୍ଧୀ …

Leave a Reply

Your email address will not be published. Required fields are marked *