Home / ନାଟକ / ମୋ କଥା ଓ ଅନ୍ୟାନ୍ୟ ରଚନା (2)

ମୋ କଥା ଓ ଅନ୍ୟାନ୍ୟ ରଚନା (2)

ଭୂମିକା

*

ମୋର ଏଇ ମର୍ମବେଦନା ଗାଥାର ଭୂମିକା ବା କଣ ହେଇପାରେ?

ଏହା କେବଳ ଅଭାଗିନୀର ହୃଦୟ୍-ଜ୍ୱାଳା ର ଛାୟା! ମୋର ବୋଲି ପୃଥିବୀରେ କିଛି ନାହିଁ, କେବଳ ଅନନ୍ତ ନିରାଶା, ଖାଲି ଦୁଃଖମୟ ପ୍ରାଣର କାତରତା । କିନ୍ତୁ ଶୁଣିବାକୁ କେହି ନାହାନ୍ତି ! ମୋ ମନର ବ୍ୟଥା କେହି ଜାଣିନାହାନ୍ତି – କହିଁକି ନା ମୁଁ ଏଇ ଜଗତ ରେ କଳଙ୍କିନୀ, ପତିତା । ମୋର ଆତ୍ମିୟ ନାହାଁନ୍ତି, ସମାଜ ନାହିଁ, ବନ୍ଧୁ ବା ବାନ୍ଧବ କେହି ନହାଁନ୍ତି, ଏଇ ପୃଥିବୀ ରେ ନିଜର କହିଲା ଭଳି କେହି ନାହାଁନ୍ତି ।

ତଥାପି ସେ, ସର୍ବ ଶକ୍ତିମାନ ଈଶ୍ୱର, ଯିଏ କ୍ଷୁଦ୍ର-ମହତ୍ତ, ଜ୍ଞାନୀ-ଅଜ୍ଞାନୀ, ସମସ୍ତଙ୍କୁ ସୁଖ ଦୁଃଖ ଅନୁଭବ କରିବାର କ୍ଷମତା ଦେଇଛନ୍ତି, ସେ ପୁଣି କର୍ମଚିତ୍ତ ଫଳ ଲାଭ କରିବା ପାଇଁ ମୋ ମନରେ ଯନ୍ତ୍ରଣା ଓ ଶାନ୍ତନା ଅନୁଭବ କରିବାର କ୍ଷମତା ବି ଦେଇଛନ୍ତି। କିନ୍ତୁ ଦୁଃଖର କଥା କାହା କଥା ଶୁଣି ଯାତନା ପାଇ ଅସ୍ଥିର ହେଲେ ସହାନୁଭୂତି ଦେଇ କିଂଚିତ ଶାନ୍ତ କରିବା ପାଇଁ କାହାରିକି ଦେଇ ନାହାନ୍ତି। କାହିଁକି ନା ମୁଁ  ସମାଜ ପତିତା, ଘୃଣିତା ବାରଙ୍ଗନା  ମହିଳା । ଲୋକେ ମୋତେ କହିଁକି ଦୟା କରିବେ? କାହା ପାଖରେ ବା ପ୍ରାଣ ବେଦନା ଜଣେଇବି ; ସେଥିପାଇଁ କାଳି କଲମରେ ଆଙ୍କିବାକୁ ଚେଷ୍ଟା କରିଚାଲିଛି। କିନ୍ତୁ ଏବେ ବୁଝୁଛି ମର୍ମାନ୍ତକ ବ୍ୟଥା ବୁଝେଇବାର ଭାଷା ନାହିଁ। ମର୍ମେ ମର୍ମେ ଲାଂଛିତ ପ୍ରାଣ ଭିତରେ ଯାହା ଯାତନା ସବୁ ଘୁରି ବୁଲୁଛନ୍ତି ତାହା ବ୍ୟକ୍ତ କରିବାର ପଥ ମହାମହୋପାଧ୍ୟାୟ ପଣ୍ଡିତମାନେ ଜାଣନ୍ତି ନା ନାହିଁ କହିପାରିବିନି , କିନ୍ତୁ ଏଇ ବୁଦ୍ଧିହୀନା, ଅଜ୍ଞାନ, ଅଧମା ନାରୀ ଯେ ମୋଟେ ଜାଣେନି ତାହା ନିଜେ ଭଲ ଭାବରେ ବୁଝି ପାରୁଛି।

ଯାହା ସ୍ୱଚକ୍ଷୁରେ ଦେଖିବି ବୋଲି କାଳି କଲମ ଉଠେଇଥିଲି , ହାଏ, ତାହା ତ ହେଲାନି ! କେବଳ ଗୁଡାଏ କାଗଜ , କାଳି ନଷ୍ଟ  କଲି। ବୁଝି ପାରୁଛି ଯେ ମର୍ମ-ବେଦନା କେବଳ ଅନୁଭବ କରି ହୁଏ, ବାହାରେ ପ୍ରକଶ କରିବାର କୌଣସି ଉପାୟ ନାହିଁ, ସେଥିପାଇଁ କହୁଥିଲି ଯାହାର କିଛି ସ୍ୱରୁପ ନାହିଁ ତାହାର ପୁଣି ପୂର୍ବୋକ୍ତି ବା ଭୂମିକା କଣ?

ଉପହାର

*

ମୋର ଆଶ୍ରୟ ସ୍ଵରୂପ ପ୍ରାଣମୟ ଦେବତା ଚରଣରେ ଏଇ କ୍ଷୁଦ୍ର ଉପହାର

କୃତଜ୍ଞାନତା ସହିତ ଅର୍ପିତ

ଯେଉଁ ଅନନ୍ୟ ସର୍ବଶକ୍ତିମାନ ଅଜ୍ଞାନ୍ତ ମହାପୁରୁଷ ଭକ୍ତ ହୃଦୟରେ ଭଗବାନ ବୋଲି ବିରାଜିତ ହେଇ ଭକ୍ତ ହୃଦୟରେ ପୂଜିତ, ସେ ଚର୍ମଚକ୍ଷୁର ଉର୍ଦ୍ଧରେ, ବର୍ଣ୍ଣନା ଓ ଜ୍ଞାନ ବୁଦ୍ଧିରେ ବି ଅତୀତ ! ସେଇ ଅବ୍ୟକ୍ତ ଅଚିନ୍ତ୍ୟ ମହାପୁରୁଷ ତ ଚିରଦିନ ଧାରଣାର ଉର୍ଦ୍ଧ୍ୱରେ ରହିଲେ ! ଏଇ କ୍ଷୁଦ୍ର ଜୀବନେ କେବେ ତାର ସୀମା ନିର୍ଦ୍ଧାରଣ କରିପାରିବି, ସେ ଆଶା ନାହିଁ ।

କିନ୍ତୁ ସେଇ ଅନନ୍ୟ ଇଚ୍ଛାମୟଙ୍କର ଇଚ୍ଛାରେ ଏଇ ଶୋକସନ୍ତପ୍ତ ପ୍ରାଣ, ଏଇ ଭଗ୍ନ ହୃଦୟ ଯାହାର ଚରଣରେ ଆଶ୍ରୟ ପାଇଛି, ଯାହାର ଅମୃତମୟ ସାନ୍ତ୍ଵନା-ବାରି ଦାନରେ ଏ ଯନ୍ତ୍ରଣାମୟ ପାପୀ ପ୍ରାଣ ଏ ପର୍ଯ୍ୟନ୍ତ ଏଇ ଦେହରେ ଅଛି ; ଯାହାର କୃପାରେ ମୋ କୁନି କଣ୍ଢେଇଟିକୁ ପାଇଥିଲି , ନିଜର କର୍ମର ଫଳ ତାକୁ ହରେଇଲି, ତଥାପି ବଞ୍ଚିଛି।

ସେଇ ଦୟାମୟ ଦେବତା ଚରଣରେ, ଏଇ ବେଦନା ଜଡିତ “ମୋ କଥା” ସମର୍ପଣ କଲି ! ଯେତେବେଳେ ଯେଉଁ ଅମୂଲ୍ୟ ଧନରେ ଏଇ ଦୁଖୀନୀର ହୃଦୟ ପୂର୍ଣ ଥିଲା, ଏବେ ଆଉ ତାହା ନାହିଁ। ଅଯତ୍ନ ,ଅନାଦରରେ ତାହା ହରେଇଛି । ରହିଯାଇଛନ୍ତି କେବଳ ଜୀବନ ମରଣରେ ଜଡିତ ଅଶ୍ରୁବାରି ,ଜ୍ଵଳନ୍ତ ସ୍ମୃତି ଗୁଡିକ । ହେ ଦେବତା ! ଏଇ ପତିତ ପ୍ରାଣର ଅଶ୍ରୁକୁ ହିଁ ଉପହାର ଭାବେ ଗ୍ରହଣ କରି ଏଇ ଅଭଗିନୀକୁ ଆପଣଙ୍କ ଚରଣରେ ସ୍ଥାନ ଦିଅନ୍ତୁ, ମୋର ଆଉ କିଛି ନାହିଁ, ହେ ଦେବତା।

ଏଇ ପୁସ୍ତକଟି ଲେଖି ସାରି ଯାହା ଉଦେଶ୍ୟରେ ଉପରୋକ୍ତ ଭୂମିକା ଲେଖାଯାଉଛି , ତାଙ୍କୁ ହିଁ ପ୍ରଥମେ ପଚାରିଥିଲି “ମୋ ଜୀବନୀ ଲେଖି ଆପଣଙ୍କୁ ଉପହାର ଦେବି” କେମିତି ହେବ? ସେ ସେତେବେଳେ ସହାସ୍ୟ ବଦନରେ କହିଥିଲେ “ଭଲକଥା ! ତମର ସବୁ ଭାର ବୋହୁଛି ଯେତେବେଳେ ; ତମ କଲମର ପାଗଳାମି କେମିତି ନବୋହିବି” !

ଯାହା ଉଦେଶ୍ୟରେ ଏଇ ଉପହାର ପ୍ରଦତ୍ତ ସେ ଦୟାମୟ ଦେବତା ଆଉ ଏଇ ସଂସାରରେ ନାହାନ୍ତି ! (ଚିରଦିନ ଏ ସଂସାରରେ କେହି ରୁହନ୍ତିନି ,ତା ତ ସତ) କିନ୍ତୁ ସ୍ୱର୍ଗରେ ଅଛନ୍ତି ନିଶ୍ଚୟ । ସ୍ଵର୍ଗ-ନର୍କ, ଇହଜନ୍ମ-ପରଜନ୍ମ, ହିନ୍ଦୁ ନର ନାରୀ ଅକପଟ ହୃଦୟରେ ଏସବୁ ବିଶ୍ଵାସ କରନ୍ତି ! ଏ ବିଶ୍ଵାସର ଆଉ ଏକ କାରଣ ବି ଅଛି। କାହିଁକି ନା ସ୍ନେହ ,ଭଲପାଇବା ବୋଲି ମାନବ ହୃଦୟରେ ଯେଉଁ ଆକୁଳ ଆକାଂକ୍ଷା ଜଡିତ ମଧୁମୟ ସୁଖସ୍ପର୍ଶ ଭାବଲହରୀ ହୃଦୟ ରୂପି ସରୋବରରେ ସତତ ଉଚ୍ଛଳିତ ଆବେଗ ମାୟା ଭାବେ ଖେଳି ହେଇଯାଏ ସେଠି ମହାମାୟାର ମୋହିନୀ ଶକ୍ତିର ବନ୍ଧନ ସ୍ୱରୂପ ପ୍ରତୀତ ହୁଏ। ଏହା ହିଁ ମାନବ ଜୀବନର ପ୍ରଧାନ ଜୀବନୀ ଶକ୍ତି ବୋଲି ମୋର ବିଶ୍ଵାସ । ସେଥିପାଇଁ ବଙ୍କିମବାବୁ ମହାଶୟଙ୍କୁ ନାଗେନ୍ଦ୍ରନାଥ କହିଥିଲେ “ ମୋ ସୂର୍ଯ୍ୟମୁଖୀ ଏଇ ସ୍ଵର୍ଗରେ ଅଛି। ମୋ ପାଖରେ ନାହିଁ ,କିନ୍ତୁ ମୋ ସ୍ଵର୍ଗରେ ଅଛି”।

ସେଇ ସ୍ନେହମୟୀ ଭଲପାଇବାର ଆକର୍ଷଣୀୟ ଶକ୍ତିରେ ପିକମେଲିୟାନର ଗେଲେଟିୟା ପ୍ରସ୍ତର ମୂର୍ତ୍ତୀରୁ ସଜୀବ ମୂର୍ତ୍ତୀ ହେଇ ପିକମେଲିୟନ ନିକଟରେ ଉପସ୍ଥିତ ହେଇଥିଲେ। ପରେ ନିରାଶାରେ ପୁନଃ ପ୍ରସ୍ତର ମୂର୍ତ୍ତୀରେ ପରିଣତ ହେଇଯାଇଥିଲେ।

ମୁଁ ବି କହୁଛି ଯଦି ଆମ ହିନ୍ଦୁ ଧର୍ମ ସତ ହୁଏ , ଦେବ ଦେବୀ ସତ ହୁଅନ୍ତି ସେ ଏଇ ପୃଥିବୀରେ ନଥିଲେ ବି ସ୍ୱର୍ଗରେ ଅଛନ୍ତି । ସେଇଠି ରହି ଅବଶ୍ୟ ହିଁ ସବୁ ଦେଖୁଛନ୍ତି । ଏଇ ହତଭାଗିନୀର ହୃଦୟର ବ୍ୟଥା ବୁଝୁଛନ୍ତି ।

ଉପହାର ଟା କଣ?

ପ୍ରୀତିର କୁସୁମ ଦାନ

ସେଇଥିପାଇଁ ମୋର ସ୍ଵର୍ଗୀୟ ପ୍ରାଣମୟ ପ୍ରୀତିର ଦେବତା ଚରଣରେ “ମୋ କଥା” ଉତ୍ସର୍ଗ କଲି ! ତାଙ୍କ ଜିନିଷ ତାଙ୍କୁ ଦେଲି। ସିଏ ଯେଉଁଠି ବି ଥିବେ ପ୍ରାଣର ଏଇ ଆକୁଳିତ ଆକାଂକ୍ଷା, ତାଙ୍କ ପବିତ୍ର ଆତ୍ମାକୁ ସ୍ପର୍ଶ କରିବ ନିଶ୍ଚୟ। କାହିଁକି ନା ତାଙ୍କର ମୋର ସତ୍ୟର ବନ୍ଧନ, ସତ୍ୟବାଦିର ସତ୍ୟ କେବେ ଭଙ୍ଗ ହୁଏନା ! ବିଶେଷତଃ ଯେଉଁ ପ୍ରାତଃସ୍ମରଣୀୟ ଉନ୍ନତ୍ତ ବଂଶରେ ତାଙ୍କର ଜନ୍ମ , ସେ ବଂଶରର ବଂଶଧର କେବେ ମିଥ୍ୟାବାଦୀ ନୁହଁନ୍ତି !ଏହା ତ୍ରିଜଗତେ ବିଖ୍ୟାତ।

ଏ ସଂସାର ଛାଡି ଯିବା ବେଳେ ସିଏ କଥା କହିପାରୁନଥିଲେ ବୋଲି ସେ ତାଙ୍କର ସତ୍ୟ ପ୍ରତିଜ୍ଞା ଭୁଲି ଯାଇନାହାନ୍ତି , ତାଙ୍କର କାତର ଦୃଷ୍ଟି ଓ ପ୍ରାଣର ବ୍ୟାକୁଳତା ତାହାର ପ୍ରମାଣ। ମୁଁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ତାଙ୍କ ଚରଣତଳେ ଉପସ୍ଥିତ ଥିଲି। କାହିଁକି ନା, ସେ ବାରମ୍ବାର ତାଙ୍କ ମସ୍ତକ ସ୍ପର୍ଶ କରେଇ ମୋତେ ଇଙ୍ଗିତ କରିଥିଲେ ମୁଁ ଯେମିତି ତାଙ୍କ ମୃତ୍ୟୁ ସଜ୍ୟାରେ ଉପସ୍ଥିତ ଥାଏ। ବୋଧେ ସେଇ ସତ୍ୟ ରକ୍ଷା କରିବା ପାଇଁ ଇଶ୍ଵର ମୋ ଉପରେ ଦୟା କରି ଅଜାଚିତ ଭାବେ ତାଙ୍କ ପାଖରେ ଉପସ୍ଥିତ ରଖି ମୋର ସତ୍ୟ ରକ୍ଷା କରିଛନ୍ତି।

ଯେଉଁ ଜାଗାଟା ମୋ ନିଜର ,ଯେଉଁଠି ମୁଁ ସ୍ଵାଧୀନଭାବେ ଯିବା କଥା , ସେଠିକି ଯିବା ପାଇଁ ମୋତେ ଅନ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ଏଇ ପାଷାଣ ବକ୍ଷେ ଲୁହାର ବନ୍ଧନ ବାନ୍ଧି ତାଙ୍କ ପାଖରେ ଯାଇ ବସିଲି। ସେ ଅତି କାତର ଭାବେ ମୋତେ ବାରମ୍ବାର ଚାହୁଁଥାନ୍ତି। ତକିଆରୁ ମୁଣ୍ଡ ଟେକି ଏଇ ପାପିୟଶୀ କୋଳରେ ମୁଣ୍ଡ ରାଖି ,ଅତି କାତର ଭାବରେ କହିଲେ, ମୁଁ ତମ ପାଖରେ ସତ୍ୟବଦ୍ଧ ତାହା ସମସ୍ତେ ଜାଣନ୍ତି, ସେମାନେ ତୁମକୁ ଜାଣନ୍ତି। ଯିଏ ମୋତେ ଜାଣନ୍ତି ସେ ସମସ୍ତେ ତୁମକୁ ଜାଣନ୍ତି।

ମୋ ଜୀବନର ଅଂଶ ବୋଲି ଯାହାକୁ ଜାଣିଛି, ଯୋଉ ବ୍ୟକ୍ତି ମୋର ପଦସ୍ପର୍ଶ କରି ତୁମର ଭାରଗ୍ରହଣ କରି ଆସିଛି , ଯାହାକୁ ଛୋଟବେଳୁ ଆଜିଯାଏ ପୁତ୍ର ସ୍ନେହ ଦେଇ ଆସିଛ, ସିଏ ରହିଲା, ଧର୍ମ ରହିଲା।

ମୋ ଆଡକୁ ଚାହିଁଥିଲେ, ତାଙ୍କ ପଦ୍ମଚକ୍ଷୁ ଦୁଇଟିରେ ଲୁହ ପୁରି ଆସୁଥାଏ, ତାଙ୍କର ସେ ଦୃଷ୍ଟି ମୋ ହୃଦୟ ଭିତର ଦେଇ ରକ୍ତ , ଶିରା ପ୍ରଶିରା ଆଘାତ କରୁଥାଏ। ଅତି କଷ୍ଟରେ ଆତ୍ମସମ୍ବରଣ କରି ଡରି ଡରି ପଚାରିଲି “କଣ ପାଇଁ ଏମିତି କହୁଛ? କଷ୍ଟ ହଉଛି? କୁହ ତମୁକୁ କେମିତି ଲାଗୁଛି?”।  ଆଉ କିଛି କହିଲେନି ; ମୋ କୋଳରେ ମୁଣ୍ଡ ଦେଇ କେବଳ ମୋ ମୁହଁକୁ ଚାହିଁ ରହିଲେ। ମୁଁ ହତଭାଗିନୀ, ଶେଷ ବେଳରେ ତାଙ୍କୁ କିଛି ଭଲ ଶବ୍ଦଟିଏ ବି କହି ପାରିଲିନି।

ଯେଉଁ ପ୍ରେମମୟ ଦେବତା ଆଜିକି ୩୧ ବର୍ଷ ପ୍ରାୟେ ଶତ ଶହଶ୍ରବାର ମୋ ପାଖରେ ଧର୍ମ ସାକ୍ଷକରି, ଦେବତା ସ୍ପର୍ଶ କରି ପ୍ରତିଜ୍ଞା କରିଥିଲେ , କହୁଥିଲେ “ଯଦି ମୋର କିଛି ମାତ୍ରାରେ ବି ଭଗବାନଙ୍କ ଉପରେ ଭକ୍ତି ଓ ବିଶ୍ଵାସ ଥାଏ ; ଯଦି ମୁଁ ପୁଣ୍ୟମୟ ବଂଶରେ ଜନ୍ମ ଗ୍ରହଣ କରିଥାଏ ତେବେ ତୁମକୁ କାହାର ଦ୍ଵାରସ୍ଥ ହବାକୁ ପଡିବ ନାହିଁ। ଏତେ ଦିନ ଯେତେବେଳେ- ପ୍ରାୟେ ପୁରାଟା ଜୀବନ, ମାନ, ଅପମାନ, ସମାନ ଭାବେ ତୁମ ଜୀବନରେ ସ୍ଥାନ ଦେଇଛି, ତମ ଶେଷ ଜୀବନରେ ଆଶା କରେ ବଞ୍ଚିତ ହବନି”। କିନ୍ତୁ ହାଏ ମୃତ୍ୟୁ ! ତୁମ ନିକଟରେ ଦୁର୍ବଳ ବଳବାନ, ଆଧ୍ୟତ୍ମିକ ଧାର୍ମିକ, ଜ୍ଞାନୀ ଅଜ୍ଞାନୀ , କେହି ବଳୁଆ ନୁହନ୍ତି, ତୁମେ ହିଁ ସର୍ବ ଶକ୍ତିମାନ। ଆହା ! କେତେ କଥା କହିବାର ଥିଲା ତାଙ୍କର , କିଛି କହି ପାରିଲେନି। ଛାତିରେ କେତେ ବେଦନା ନେଇ ଏଇ ସଂସାର ଛାଡି ଚାଲିଗଲେ।

ଜୀବନରେ ଶତସହଶ୍ରବାର କୁହନ୍ତି “ମୁଁ ତୁମ ଆଗରୁ ଏ ସଂସାର ଛାଡି ଚାଲିଯିବି, ତୁମକୁ ଆଗ ଯିବାକୁ ଦେବିନି। ମୋ ମୃତ୍ୟୁ ଶଯ୍ୟାରେ ମୋ ପାଖରେ ରହିବ, ଗୋଟେ କଥା ତୁମକୁ କହିବି”। ହାଏ ! ହାଏ !! ଶେଷ ଜୀବନର ମନର କଥା ମନରେ ରହିଲା ! ସେଇ ନ୍ୟାୟ ପରାୟଣ, ସତ୍ୟବାଦୀ, ସହୃଦୟ ଦେବତା,ଚନ୍ଦ୍ରର ନ୍ୟାୟରେ ଗୋଟିଏ କଳଙ୍କ ରଖି ଦେଇ ମୋତେ ଚିରଦିନ ଯାତନାମୟ ସମୁଦ୍ରରେ ଫୋପାଡି ଦେଇ ଚାଲିଗଲେ।

ଏଇ ଖଣ୍ଡରେ ‘ମୋ କଥା’ ଏଇ ପର୍ଯ୍ୟନ୍ତ ରହିଲା। କିନ୍ତୁ ଯେତେବେଳେ ମୋର ଯାତନାମୟ ଜୀବନର ଶେଷ ନାହିଁ, ମୋ କଥାର ବି ଶେଷ ନାହିଁ। ନାଟ୍ୟଜୀବନ ପରର ୩୧ ବର୍ଷ ଯେଉଁ  ଦେବତାଙ୍କ ଚରଣ ଆଶ୍ରୟରେ ରହିଲି, ଜୀବନର ସାର ତୃତୀୟ ଅଂଶ ଯାହା ସହିତ, ଯାହାଙ୍କର ଆତ୍ମୀୟ ସ୍ଵଜନମାନଙ୍କ ସହ କଟେଇଛି, ଯେ ପୁଣ୍ୟମୟ ଦେବତା ସତ୍ୟ ଧର୍ମରେ ବଦ୍ଧହୋଇ ମୋତେ ଏତେ ଦିନ ଆଶ୍ରୟ ଦେଇଥିଲେ, ଦ୍ଵିତୀୟ ଖଣ୍ଡରେ ମୋ ଜୀବନର ସେଇ ସୁଖମୟ ଅଂଶ ଓ ଶେଷରେ ଏଇ ଦୁଃଖମୟ ଅଂଶ ଶେଷ କରିବାର ଇଚ୍ଛା ରହିଲା। ହାଏ ଭାଗ୍ୟ ! ଯୋଉ ଦୟାମୟ  ଆତ୍ମୀୟ ପରିବାରଙ୍କ ସହିତ ସମଭାବେ ଗୋଟିଏ ସଂସାରରେ ସ୍ଥାନ ଦେଇଥିଲେ ; ଯାହା ଅଭାବରେ ଆଜି ମୁଁ ଭାଗ୍ୟହୀନା ଜନ୍ମଦୁଃଖୀନୀ – କେଉଁଠି ସେ ସ୍ନେହପୂର୍ଣ ଦେବ ହୃଦୟ; ହାଏ ସଂସାର କି ପରିବର୍ତ୍ତନଶୀଳ।

“ଯଦୁପତେଃ କ୍ଵ ଗତା ମଥୁରାପୂରି,

ରଘୁପତେଃ କ୍ଵ ଗତୋଓରକୋଶଳା

ଇତି ବିଚିନ୍ତ୍ୟ କୁରୁମ୍ବ ସ୍ତିରଙ୍ଗ

ନ ସଦୀଦଙ୍ଗ ଜଗଦାଦିତ୍ୟବଧାରୟ॥ “

ମୂଳ ଲେଖା – ବିନୋଦିନୀ ଦାସୀ

ଭାଷାନ୍ତର – ସମିଧା ବେଦବାଳା

About ସମିଧା ବେଦବାଳା

ସମିଧା ବେଦବାଳା
ସୀତାରର କଳାକାର, ଅଧ୍ୟାପିକା (ସଙ୍ଗୀତ ବିଭାଗ, ସିକିମ୍ ବିଶ୍ୱବିଦ୍ୟାଳୟ)

Check Also

ମୋ କଥା ଓ ଅନ୍ୟାନ୍ୟ ରଚନା

“ମୋ କଥା ଓ ଅନ୍ୟାନ୍ୟ ରଚନା” ଏକ ଆତ୍ମଜୀବନ ସଂକଳନ। ଉନବିଂଶ ଶତାବ୍ଦୀ ଉପନିବେଶ କଲିକତାର ପେଷାଦାର ଜଣେ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *