Home / ସାହିତ୍ୟ / କବିତା / ମାଟି ଆଉ ମଣିଷର କବି କୃଷ୍ଣ ପ୍ରସାଦ

ମାଟି ଆଉ ମଣିଷର କବି କୃଷ୍ଣ ପ୍ରସାଦ

ନର୍ଦ୍ଦମା ପାଶେ ବାରବୁଲା ଡାକେ ହାଇ ମାରେ ବସି ବଣିକ

ଶକୁନ ଶାସନ ଅବସାନ କର ଯୁଗର ଦାବିୟେ ଶାସକ

…………..

ଖଣିର ହଣାଳି ଟେକିଛି ନିହାଣ କୃଷକ କୋଦାଳ ଛାଡିଛି

ପ୍ରଗତିର ଘୋଡା ଚଇତକ ଛୁଟେ ଝଡର ଇଗଲ ମାତିଛି

ମାନିବୁନି ଆମେ ବିଧାତା ଶାସନ ନିୟତିର ହେବୁ ଜନକ

ବେଶ ଆଧୁନିକ ଅବବୋଧରେ ରଚିତ,ଶକୁନ ଶାସନ ଅବସାନ କରିବାକୁ ଏମିତି ଦୃପ୍ତ ଦାବିକରି ନିଜ ନିୟତିର ନିୟାମକ ହେବାକୁ ସ୍ପର୍ଦ୍ଧା କରିପାରୁଥିବା ଓଡ଼ିଶା ମାଟିର ୟେ ଦାମ୍ଭିକ କବିଟିକୁ ଆପଣ ଜାଣିଛନ୍ତି କି ? ବୋଧ ହୁଏ ନା । ଓଡିଆ ସାହିତ୍ୟର ଇତିହାସରେ ତାଙ୍କ ନା କୋଉଠି ବି ନଥିଭୁକ୍ତ ହେଇନି ।

ଏଇଟା ଆମ ମାନଙ୍କର ଗୋଟେ ଜାତୀୟ ଦୁର୍ଦ୍ଦଶା-ନାକଟେକା ସହରୀ ଶିଷ୍ଟବର୍ଗଙ୍କ ଦ୍ଵାରା  ପାହାଚ ତଳର ପ୍ରତିଭା ମାନଙ୍କୁ ପାସଙ୍ଗରେ ନ ପକେଇବା। ବୈଷ୍ଣବପାଣିଙ୍କ ଗୀତକୁ ଓଡିଶାର ପ୍ରତିଷ୍ଠିତ ଗାୟକମାନେ ବେତାର କେନ୍ଦ୍ରରେ ଗାଇବାକୁ ମନା କରିଦେଇଥିଲେ। ଅଣଓଡିଆ କୃଷ୍ଣମୁର୍ତି, ବାଳକୃଷ୍ଣ ଦାସ ଓ ଗୋପାଳ ଛୋଟରାୟଙ୍କ ଭଳି ରସଗ୍ରାହୀମାନଙ୍କୁ  ପାଇ ନଥିଲେ ବୈଷ୍ଣବ ପାଣି ଗୋବରୀ ନଦୀରେ ପାଣି ହେଇ ବହିଯାଇ ନିଶ୍ଚିହ୍ନ ହେଇ ଯାଇଥାନ୍ତେ।

ଉତ୍କଳ ଦୀପିକା ଭଳି ସଂସ୍କୃତି-ସଚେତନ ଖବର କାଗଜ ପ୍ରକାଶନ ହେବା ଆରମ୍ଭ ହେଇ ସାରିଥିଲେ ବି ରାଧାନାଥ, ଫକିର ମୋହନ, ମଧୁସୂଦନ ରାଓଙ୍କ ଭଳି ଓଡିଆ ସାଂସ୍କୃତିକ ଦେବ ମଣ୍ଡଳର  ଅଧୀଶ୍ଵରମାନେ ଆତଯାତ ହେଉଥିବା ସମୟରେ,  ଭୀମ ଭୋଇ ଜଗତ ଉଦ୍ଧାର ପାଇଁ ନର୍କକୁ ଯିବାକୁ ଆଗୁସାର ହେଇସାରିଥିବା ସତ୍ତ୍ୱେ ବି ଏମିତିଆ ଲୋକଟେ ବଞ୍ଚିଛି ବୋଲି କେହି ଜାଣି ନଥିଲେ। କାରଣ,ଏଇ ସହରୀ ଶିଷ୍ଟ ସାଂସ୍କୃତିକ ଦେବ ମଣ୍ଡଳରେ ଲଟରପଟର ହେବାର ସୁଯୋଗ ବା ହୁଏତ, ଆଗ୍ରହ ତାଙ୍କର ନଥିଲା।

            ୟେ ଦାମ୍ଭିକ କବି ଜଣକ  ଥିଲେ କୃଷ୍ଣ ପ୍ରସାଦ ବେହେରା । ଜନ୍ମ ୧୯୧୫ ମସିହା ମାର୍ଚ୍ଚ ୫ ତାରିଖ ଏବଂ ମୃତ୍ୟୁ ୧୮ ଜୁଲାଇ ୧୯୭୨ ମସିହା । ଜନ୍ମ ଭଦ୍ରକ ପାଖ କପାଳୀ ନଦୀ କୁଳ ମୂଳଗାଁ ରେ। ଆନୁଷ୍ଠାନିକ ଶିକ୍ଷା ମାତ୍ର ତୃତୀୟ ଶ୍ରେଣୀ। ପେଟ ପୋଷିବା ପାଇଁ ବୃତ୍ତିଗତ ଜୀବନ ଆରମ୍ଭ କଲିକତାର ଗୋଟେ ବଙ୍ଗାଳୀ ବାଡିର ବୋଲକରା ଭାବରେ ।

ମାତ୍ର ଲୋକଟା ମୂଳରୁ ଓଳିଆରୁ ଗଜା, ପ୍ରକୃତି ଦତ୍ତ ପ୍ରତିଭା। ବାପା ପୁରୋଷତ୍ତମ ବେହେରା ଜଗନ୍ନାଥ ପାଣିଙ୍କ ଗୀତିନାଟ୍ୟ ଦଳରେ ଅଭିନୟ କରୁଥିଲେ। କୃଷ୍ଣପ୍ରସାଦଙ୍କ ପାଖରେ ପିଲାବେଳୁ  ସବୁ ପ୍ରକାର ନଟଖଟିଆ କୃଷ୍ଣକଳା ପ୍ରକାଶ ପାଇବାକୁ ଲାଗିଥିଲା- ଯେମିତି ବଂଶୀ ବାଦନକୁ ସେମିତି ଗୋପୀ ମୋହନ। ମୂଳରୁ ଗୋଟେ ଗୁଳାବନ୍ଧା ବିଷୟୀ ଜୀବନରୁ ବିତସ୍ପୃହ ହୋଇ ଏକ ସାବଲୀଳ ମୁକ୍ତଛନ୍ଦ ଜୀବନ ବଞ୍ଚିବାର ଆଗ୍ରହ ତାଙ୍କ ଭିତରେ ଦେଖା ଯାଇଥିଲା। ପାଠ ଶାଠ ପଢିବାରେ ଆଗ୍ରହ ନହେବାରୁ ୧୨ ବର୍ଷ ବୟସ ବେଳକୁ ବାପା ନେଇ ତାଙ୍କୁ ଭଣ୍ଡାରୀପୋଖରୀର ଅର୍ଜୁନଚାନ୍ଦ ଅପେରାରେ ଛାଡିଦେଇ ଆସିଥିଲେ। କିଛିଦିନ ପରେ ନିଜ ମା ମରିଯିବା ସାଙ୍ଗକୁ ଅର୍ଜୁନଚାନ୍ଦ ଅପେରା ବି ଭାଙ୍ଗିଗଲା।

ପେଟ ପୋଷିବାକୁ ଜଣେ ପରିଚିତଙ୍କ ସହିତ କଲିକତା ପଳେଇଲେ। ବିଷମ ବରାଳ ନାମକ ଜଣେ ଭଦ୍ରଲୋକଙ୍କ ଘରେ କାମ କରୁଥିବା ବେଳେ ଦିନେ ସନ୍ଧ୍ୟାରେ ବସି ତାଙ୍କ ଲଲିତ  କଣ୍ଠରେ ଗୀତତିଏ ଗାଉଥିବା ସମୟରେ ଗୁଣଗ୍ରାହୀ ବିଷମ ବାବୁଙ୍କ ଦୃଷ୍ଟିରେ ପଡିଲେ। ବିଷମ ବାବୁ ଥିଲେ କଲିକତା ଆକାଶବାଣୀ କେନ୍ଦ୍ରର କଣ୍ଠ ଶିଳ୍ପୀ ଏବଂ  କ୍ଲାରିଓନେଟ ବାଦକ । ବିଷମ ବାବୁ କୃଷ୍ଣ ପ୍ରସାଦଙ୍କୁ କଣ୍ଠ ସଙ୍ଗୀତ ଓ କ୍ଳେରୀଓନେଟ ବାଦନ ଶିକ୍ଷା ଦେବା ଆରମ୍ଭ କଲେ। ଐଶୀ-ପ୍ରତିଭା ସମ୍ପନ୍ନ କୃଷ୍ଣପ୍ରସାଦ ତିନି ବର୍ଷ ଭିତରେ ଉଭୟ ବିଦ୍ୟାକୁ ଆୟତ୍ତ କରିନେଲେ। ୧୯୩୦ମସିହା ବେଳକୁ ସୋର ନିକଟବର୍ତୀ କୋଚିଆକୋଇଲି ଗାଁର ଜମିଦାର ନୀଳମଣି ଉପାଧ୍ୟାୟଙ୍କଦ୍ଵାରା ଗଠିତ ଆପେରା ପାର୍ଟିରେ ମାଷ୍ଟର ହିସାବରେ ଯୋଗ ଦେବାକୁ ନିମନ୍ତ୍ରଣ ପାଇଲେ କୃଷ୍ଣପ୍ରସାଦ। ସେଇ ଷୋହଳ ବର୍ଷ ବଯସରୁ ଆରମ୍ଭ ହେଇଥିଲା ତାଙ୍କର ଯାତ୍ରାଦଳ ମାନଙ୍କରେ ଓସ୍ତାଦି କରିବା ଯାହା ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଜାରି ରହିଥିଲା। ଆସ୍ତେଆସ୍ତେ କବିଙ୍କ ପ୍ରତିଭାର ସୌରଭ ଗାଁକୁ ଗାଁ ବ୍ୟାପିବାରେ ଲାଗିଲା।

କେତେ କେତେ ଗାଁ ଯାତ୍ରା ଦଳରେ ଓସ୍ତାଦି କରିବାକୁ ଡକରା ଆସିଲା। କିନ୍ତୁ ୧୯୩୫ ମସିହା ବେଳେକୁ ତାଙ୍କ ଓସ୍ତାଦିରେ ଚାଲୁଥିବା ଯାତ୍ରା ଦଳମାନେ ସବୁ ଭାଙ୍ଗି ଯାଇଥିଲେ। ତେଣୁ ସେଇ ବର୍ଷ ସେ କାଳୀଚରଣ ପଟ୍ଟନାୟକଙ୍କ ଓଡିଶା ଥିଏଟରରେ ଯୋଗ ଦେଇଥିଲେ । କାଳୀଚରଣଙ୍କ “କୁମ୍ଭାର ଚକ”ରେ ମଠାମଠି ହେଇ କୃଷ୍ଣପ୍ରସାଦଙ୍କର ଲେଖନ, ଅଭିନୟ, ଗୀତ, ସଙ୍ଗୀତ ପ୍ରବୃତି  କଳାର ସବୁ ବିଭାଗ ଗୁଡିକ ମାର୍ଜିତ  ରୂପ ପାଇଥିଲା। ତା’ସଙ୍ଗକୁ  ସେଇଠି କୃଷ୍ଣ ପ୍ରସାଦଙ୍କୁ ମିଳିଥିଲା ଏକ ମହାର୍ଗ ଉପହାର -କୃଷ୍ଣଙ୍କ ରାଧା।, କଳାକାର ଜୀବନର ମ୍ୟୁଜ; ଓଡିଶା ଥିଏଟରରେ ଗୀତ, ନାଚ, ଅଭିନୟ କରୁଥିବା ସୁବର୍ଣ୍ଣ ଲତା। ଘରେ କୃଷ୍ଣ ପ୍ରସାଦଙ୍କ ବିବାହିତା ଗୃହଲକ୍ଷ୍ମୀ କମଳା ଦେବୀ ଆଉ କଳା ଜଗତରେ ଲୀଲା ସଙ୍ଗିନୀ ସରସ୍ଵତୀ ସୁବର୍ଣ୍ଣଲତା। ଉଭୟ ମୃତ୍ୟୁ ପର୍ଯ୍ୟନ୍ତ କୃଷ୍ଣ ପ୍ରସାଦଙ୍କ ଉତ୍ସର୍ଗୀକୃତା ଜୀବନସଙ୍ଗନୀ ହେଇ ରହିଥିଲେ।

୧୯୩୯ ବେଳକୁ ନାନାଦି ଘନଘଟା ଭିତରେ ଓଡିଶା ଥିଏଟର୍ସ ଭାଙ୍ଗି ଯିବା ବେଳକୁ କୃଷ୍ଣ ପ୍ରସାଦ ପୁଣି ଥରେ ତାଙ୍କର ପୁରୁଣା ଲୀଳାଭୂମି ଗାଁ ଯାତରା ଦଳମାନଙ୍କରେ ଓସ୍ତାଦି କରିବାକୁ ଫେରି ଆସିଲେ । ସୋରୋ ନିକଟସ୍ଥ ଅଭଣା, ଅଞ୍ଜି, ମଙ୍ଗଳପୁର, ଗୁଡ, ନଳାଙ୍ଗ ଇତ୍ୟାଦି କେତେକେତେ ଯାତ୍ରା ଦଳରେ ତାଙ୍କର ନଟ ଜୀବନ ସମାହିତ ହେଲା । ସେମାନଙ୍କ ମଧ୍ୟରୁ ତାଙ୍କର ସବୁଠୁ ସୃଜନଶୀଳ ସମୟ କଟିଥିଲା ଅଭଣାରେ ୧୮ ବର୍ଷ ଏବଂ ମଙ୍ଗଳପୁରରେ ୪ ବର୍ଷ। କୃଷ୍ଣପ୍ରାସାଦ ଥିଲେ ବହୁମୂଖୀ ପ୍ରତିଭା, ଏକାଧାରରେ ନାଟ୍ୟକାର, ନିର୍ଦ୍ଦେଶକ, ଅଭିନେତା, ଗୀତିକାର, ସ୍ଵରକାର, ଗାୟକ ଏବଂ ବାଦ୍ୟଶିଳ୍ପୀ..। ଚାଳିଶ ବର୍ଷର ନଟ ଜୀବନରେ ସେ ପ୍ରାୟ ୬୮ ଖଣ୍ଡ ନାଟକ, ୮୦୦ ଗୀତିକବିତା,ଅସୁମାରୀ ସୁଆଙ୍ଗ, ତାମସା, ନୃତ୍ୟନାଟିକା  ଇତ୍ୟାଦି ଲେଖି ଯାଇଛନ୍ତି।

କୃଷ୍ଣ ପ୍ରସାଦଙ୍କ ଗୀତିକବିତା ଗୁଡିକ ତାଙ୍କ ନାଟକଗୁଡିକର  ନିର୍ଦ୍ଦିଷ୍ଟ ପରିବେଶରେ ଗାୟନ  ପାଇଁ ରଚିତ ହୋଇଥିଲେ । କିନ୍ତୁ ସେ ଗୁଡିକର ଅଧିକାଂଶଙ୍କର ଭାବଗତ ଆବେଦନ କାଳୋତ୍ତୀର୍ଣ ଏବଂ ଚିରନ୍ତନ। ବିଭିନ୍ନ ପରିବେଶ ପାଇଁ ରଚିତ ହୋଇ ଥିବାରୁ ଗୀତିକବିତା ଗୁଡିକ ବିବିଧ ରସରେ ରସାଣିତ- ଭକ୍ତି ନୈବେଦ୍ୟ, ପଲ୍ଲୀ ପ୍ରାଣତା, ଉଦବୋଧନୀ, ବିଦ୍ରୋହାତ୍ମକ କ୍ଷୋଭ, ଜୀବନାନ୍ଵେଷଣ, ରମ୍ୟ ରୋମାଞ୍ଚ, ହାସ୍ୟରସ, କଟାକ୍ଷ , ବିରହ, ବିଚ୍ଛେଦ ଇତ୍ୟାଦି। ତାଙ୍କର ଗୀତିକବିତା ଗୁଡିକ ଉଭୟ କମନୀୟତା, ଧ୍ୱନି ଲାଲିତ୍ୟ  ଏବଂ ଗଭୀର ଭାବ ବ୍ୟଞ୍ଜନାର ଅପୂର୍ବ ସମନ୍ଵୟ। ସମ୍ବେଦନପୂର୍ଣ ଜୀବନ-ସମ୍ପୃକ୍ତି, ମାଟି-ମନସ୍କତା, ମୁକ୍ତିକାମନା, ପ୍ରଗତିଶୀଳତା, ନିଷ୍ପେଷିତର ପକ୍ଷଧର ଆବେଦନ, ଶୋଷଣକଷଣ ବିରୋଧରେ ବିଦ୍ରୋହ ପ୍ରଭୃତି ନବଜାଗରଣର ସମସ୍ତ ଅନ୍ତଃସ୍ଵର ସହିତ ଗମ୍ଭୀର ନାନ୍ଦନିକତା  ତାଙ୍କ ଗୀତିକବିତାରେ ଉଛୁଳି ଉଠେ।

ଇତର ମଣିଷର ପକ୍ଷଧର

କୃଷ୍ଣପ୍ରସାଦ ସୀମାନ୍ତରିତ ମଣିଷର ପକ୍ଷଧର। ନିଷ୍ପେଷିତ ମଣିଷର ଶୋଷଣ, କଷଣ, ବିଭେଦ, ବୈଷମ୍ୟ ବିରୋଧରେ ତାଙ୍କ ଗୀତି କବିତା ସବୁ ବ୍ୟଥାତୁର କବି ପ୍ରାଣର  ବିଦ୍ରୋହୀ ବୟାନ। କିନ୍ତୁ ତା’ ସତ୍ତ୍ୱେ ବି ସେ ସବୁ ଟ୍ରେଡ୍ ମାର୍କ ବିଦ୍ରୋହୀ କବିତା ପରି ଉପର ଠାଉରିଆ ସ୍ଲୋଗାନଧର୍ମୀ ବୋମାବାଜି  ନୁହେଁ:, ଉଭୟ ଭାଷା ଓ  ଭାବରେ  ଏସବୁ କବିର ମର୍ମ ଦହନର ମାର୍ମିକ ପରିପ୍ରକାଶ। ଆଧୁନିକ ଭାବମୟ ରୂପକଳ୍ପ ମାନଙ୍କର ପ୍ରୟୋଗରେ ଭରପୁର ଏଇ ଗୀତି କବିତା ଗୁଡିକ ଅତ୍ୟନ୍ତ କମନୀୟ ଓ ଲାଲିତ୍ୟମୟ  ।

ବୈଷମ୍ୟ-ବିଜଡିତ ସମାଜରେ ଅମାନୁଷିକ ଜୀବନ ଧାରଣର ବର୍ଣ୍ଣନାରେ ଅପୂର୍ବ ଶ୍ଲେଷ ତାଙ୍କର ଏଇ କବିତାରେ-

ଅତି ତାଜା କଞ୍ଚା ଲହୁ ଟଗମଗ ହସ ହସ ମୁଖ ତରୁଣ ଚାହାଁ

ତୋ ଭୋକ ପାଇଁ କି ତାଳଚେର ଖଣି କୋଇଲା କୁଢରେ ଫୁଟୁଛି ଚାହା…

ତେନ୍ତୁଳି ମଞ୍ଜିର ଉର୍ବର ଅଟା ବାଲି  ମିଶା ଡାଲି ଚମଡା ପରଟା

ବନଫଳ ତେଲ ପବିତ୍ର ଡାଲଡା ଭୋକର କାକରା ହୋଇଛି ଥୁଆ

ପ୍ରାଚୀନ ଏସିଆ ସଭ୍ୟ ଦୁନିଆ ପୁଞ୍ଜିପତି ରଙ୍ଗ ଦେଖିବୁ ଆ ………୨

ଶାସକ ବର୍ଗର ଶୋଷଣ ଓ ଅତ୍ୟାଚାରକୁ କି ଶାଣିତ ଶ୍ଲେଷ କରିଛନ୍ତି କବି:

ତୁମ ହାତେ ଅଛି  ଶାସନ ଦଉଡ଼ି ବେଡ଼ି କୋରଡ଼ାର ମାଡ଼

ତୁମେ ୟେ ଜଗତେ  ବଡ, ମାଉଁସ ଚିପୁଡି ରକତ ନିଗାଡ଼ି ଓଜନ କରୁଚ ହାଡ଼ ।

ଯନ୍ତ୍ରଣାର ଶେଜରେ ସବୁଜିମାର ସ୍ଵପ୍ନ

ସମ୍ବେଦନହୀନ ସାମାଜିକ ଜୀବନରେ ଯୁଗଯନ୍ତ୍ରଣାକୁ ନେଇ କବି ଯେତିକି ବ୍ୟଥିତ ତା’ଭିତରେ ସବୁ ଜଞ୍ଜାଳକୁ ଆତ୍ମସାତ କରି ଏକ ସୁନ୍ଦର ଜୀବନଟିଏ ବଞ୍ଚିବାକୁ ସଂଗ୍ରାମ କରୁଥିବା ସାଧାରଣ ମଣିଷର ସବୁଜ ସ୍ଵପ୍ନ ମାନଙ୍କୁ ନେଇ କବି ପ୍ରାଣ ମଧ୍ୟ ସେତିକି ଉଚ୍ଛଳ ।

ଦିଶେ ଆଗାମୀ ଯୁଗର ଗାଁ ରେ ଆମ ନୂଆ ଭାରତର ଗାଁ

ପିଚୁ ଢଳା ପ୍ରତି ଗାଁକୁ ସଡକ

ସୁଶୀତଳ ଛାଇ ଫୁଲର ମହକ

ନୀଳ ବସନା ମୋ ମାଟି ମାଆ ରେ

ବାରମାସୀ କ୍ଷେତ ହସେ ବିଲ ମାଳ ବୁଲୁଛି କଳ ଲଙ୍ଗଳ

ଖରା ଦିନରେ ବି ବେଙ୍ଗ ରଡି ଦିଏ ବିଜୁଳି ତୋଲୁଚି ଜଳ

ମୋଟର ବୋହୁଛି ଧାନ ମୁଗ ବିରି

ଜଡା ଜବ ତିଳ କୋଳଥ ଖେସାରି

କାଟେ ଫସଲ ସୁନାର ଦାଆ ରେ

ଆମ ନୂଆ ଭାରତର ଗାଁ

ସମନ୍ଵୟ ଓ ସମ୍ପ୍ରୀତିର ଆହ୍ଵାନ

ପ୍ରତ୍ୟେକ ଦରଦୀ ମଣିଷ ପରି ଧର୍ମ, ଜାତି, ଳିଙ୍ଗ ଭିତ୍ତିରେ ବିଭାଜିତ ସମାଜରେ ହିଂସା, ଦ୍ଵେଷଭରା ମଣିଷ ଜୀବନକୁ ଦେଖି ଦରଦୀ କବି ପ୍ରାଣ ଆର୍ତ୍ତନାଦ କରିଛି ଏବଂ ଏକ ସମନ୍ଵୟୀ ସ୍ଵପ୍ନ ଦେଖି ମଣିଷ ଜାତିକୁ ଦୃପ୍ତ ଆହ୍ଵାନ ଦେଇଛି ସେ ଏହି କବିତାରେ

କହିଲେ ବୁଦ୍ଧ ଯୀଶୁ ଶଙ୍କର କନଫୁସିଅସ କହେ କବୀର

ଗୁରୁ ନାନକ ରାୟ ରାମାନନ୍ଦ ତୁକରାମ ମହମ୍ମଦ

ବିଶ୍ଵବାସୀ ହିଂସା ଦ୍ଵେଷ ହତ୍ୟା କର ବନ୍ଦ

ସତ୍ୟ ଶାନ୍ତି ଦୟା କ୍ଷମା ତ୍ୟାଗ ପଥ ଧର

ପଶୁ ନୋହୁଁ ତୁ ମଣିଷ ଛୁଆ ମଣିଷ କାମ କର

Xxxxxxx

ସରଗ ଯିଏରେ ବେହସ୍ତ ସେଇଠି ଦୁଇଟି ନାଆଁରେ ଗୋଟିଏ ଥାନ

ଗୀତା ଜରେ କହେ ସରଗ ରାଇଜ ବେହସ୍ତ ତାକୁରେ କହେ କୋରାନ

ଅହିଂସା, ସତ୍ୟ, ଶାନ୍ତି ଓ ସହାବସ୍ଥାନର ଚଳନ୍ତି ପ୍ରତିମା ମହାତ୍ମା ଗନ୍ଧିଙ୍କୁ ନେଇ କୃଷ୍ଣ ପ୍ରସାଦଙ୍କ ଲେଖନୀରୁ ଏଇ କବିତାରେ ଝରିଛି ଅନ୍ତରାଞ୍ଜଳି

ଶାନ୍ତି ମୁକ୍ତି ପ୍ରଗତିର ବାଣୀ କଲ ପ୍ରଚାର

ସାବରମତୀ ସନ୍ଥ ତୁମେ ଗାନ୍ଧୀ ଚିର ସୁନ୍ଦର

ବିଶ୍ଵ ନଭେ ତବ ଶୁଭ ଜ୍ୟୋତି ନାଶେ ଅନ୍ଧାର

ସାବରମତୀ ସନ୍ଥ ତୁମେ……

ସମାଜର ଆଉ ଗୋଟିଏ ଅବହେଳିତ ଏବଂ ଲାଞ୍ଛିତ ବର୍ଗ, ନାରୀ ଜାତି ପାଇଁ କବି ପ୍ରାଣବି ବ୍ୟଥିତ ତାଙ୍କ କବିତାରେ..

ଏଇ ଆମ ମା ଜାତି

ଧରଣୀ ଠାରୁ ଯେ ସହଣୀ ଅଧିକ ଫୁଲଠୁଁ କଅଁଳ ଛାତି

Xxxxxxxx

ଖସି ପଡୁ ଗ୍ରହ ତରା ଛିଡି ପଡୁ ଆକାଶ

ଜଳି ଉଠୁ ବାଡବାଗ୍ନି ଥମି ଯାଉ ବତାସ

ଫାଳ ଫାଳ ଫାଟି ଯାଉ ଧରଣୀ ଛାତି

ବିଶ୍ଵକୁ ନଇଁ ଆସୁ ଶେଷ ସଙ୍କ୍ରାନ୍ତି

ନହେଉ ଏଇ ଅନୀତି

ମାତୃ ଜାତିକୁ ଯନ୍ତ୍ରଣା ଦେଇ ନକହୁ କେହି ଅସତୀ

ବିଦ୍ରୋହ ଓ ସମର୍ପଣର ଗୀତାଞ୍ଜଳି

ନବଜାଗରଣୀୟ ମାନବିକ ମର୍ଯ୍ୟାଦା ପ୍ରତି କୃଷ୍ଣପ୍ରସାଦ  ଏତେ ସଚେତନ ଯେ ତାଙ୍କର ଅଧିକାଂଶ ଭକ୍ତିମୂଳକ ଗୀତିକବିତା ଗୁଡିକ କଳ୍ପିତ ଭଗବାନଙ୍କ ପାଖେ ଗୁହାରିଆ ପିଟିସନ କି କୃତାଞ୍ଜଳିପୁଟ କାକୁତିମିନତି ନୁହେଁ। ମଣିଷକୁ ସେ କୋଉ ପ୍ରଭୁ ପାଖେ ହାତପତା ମାଗୁଣିଆ କି ଅସହାୟ ବାହୁନିଆ କରି ଠିଆ କରେଇ ନାହାନ୍ତି। ଦେଖନ୍ତୁ ମଣିଷପଣିଆର କି ମର୍ଯ୍ୟାଦାବନ୍ତ  ବିଦ୍ରୋହ, କି ଅଧିକାର ଜାହିର ଏଇ ସବୁ ଭକ୍ତି କବିତାରେ। ସେଥିରେ ଅଭିଯୋଗ ଅଛି,ସମର୍ପଣ ଅଛି, ଏକାତ୍ମତା ଅଛି  କିନ୍ତୁ ଅଧିକାରୀ ପାଖରେ ଅଧୀନର ବଶମ୍ବଦତା ନାହିଁ।

କୁହ କଳା ମୁହଁ ଜଗା ଠାକୁର କିଆଁ କଳି ଯୁଗେ ହେଲ ପଥର

ତୁମେ ଦେଉଳରେ ଥାଇ ହସୁଛ ଏଣେ କାନ୍ଦୁଛନ୍ତି ଦୁଖୀ ଆତୁର

ପ୍ରଭୁ ଛପନ ମଣୋହୀ ଗିଲୁଚ ଦେଖ ଉପବାସୀ କେତେ ଜନତା

ଏ କି ଅବିଚାର ତୁମେ କରୁଛ ନିଜେ ହୋଇଣ ଜଗତ କରତା

ତୁମ ସାନ ବଡ ଭେଦ ବିଚାରେ ଜଳିଯାଏ ତୁମ ଚାରୁ ଜଗତ

 ହିଂସା ଅସୂୟା ଡାଆଣୀ ଡେଉଁଛି ମାଗେ ତତଲା ତଟକା ରକତ

XXXXXXXXXXXXXXXXXXXXXXXXXXXXX

ଭକ୍ତର ଯଦି ଭକ୍ତି  ନ ଘେନ ଭକ୍ତର ଭଗବାନ

ସୃଷ୍ଟିର ତୁମେ ସ୍ରଷ୍ଟା କିପରି ହେବ କୁହ ମହୀୟାନ.

ଠିକ ଯେମିତି ବିଦ୍ରୋହ ସେମିତି ବି କି ଅପୂର୍ବ ସମର୍ପଣ ଆଉ ଚେତନାର ବ୍ୟାପକତା;ଅବ୍ୟକ୍ତ ମହାଭାବରେ ନିଃଶେଷିତ ହେଇଯିବାର ଆତ୍ମ ନିବେଦନ:

କୁହୁ କୁହୁ ପିକ ଡାକେ ସନ ସନ ପବନ

ମହ ମହ ଫୁଲ ବାସେ ତାରାଭରା ଗଗନ

ଚିତ୍ତେ ଚିନ୍ତି ଚିନ୍ତାମଣି ଚିଦାନନ୍ଦ ଚିନ୍ମୟ

ନିତି ନିତ୍ୟାନନ୍ଦ ଧାମେ  ଯାଆ ରେ

ଅନ୍ତରେ ସେ ଅଛି ନାହିଁ ବାହାରେ

ପୁଣି  କି ମଧୁର ଅନ୍ତରଙ୍ଗ ଏକତ୍ମୀୟତା ସେ ଆରାଧ୍ୟ ସତ୍ତା ସହିତ:

ବଧୁଲି  ଅଧର ମାଧୁରୀ ମଧୁର ସୁନ୍ଦର ମୋର ହରି

ନବ ମୁଞ୍ଜରିତ ଅଲି ଗୁଞ୍ଜରିତ ସଜ ନୀଲୋତ୍ପଳ ପରି

ଚନ୍ଦ୍ର ରୁ ଚିପୁଡି ସୁଧାକେ ବୋଲିଛି କୋମଳ ତମାଳ ଦାମ

ଅସିତ ଆକାଶେ ଅସୀମ ବିକାଶ ନବ ଦୂର୍ବାଦଳ ଶ୍ୟାମ

ଗୀତିମୟ ଗାଁରେମାଟି କାଦୁଅର କବିତା

ଗାଁ ଯାତ୍ରା ଦଳ ମାନଙ୍କ ଦ୍ଵାରା ଅଭିନୀତ ହେଉଥିବା ଗାଁର ଜୀବନକୁ ନେଇ ରଚିତ ତାଙ୍କ ନାଟକ ମାନଙ୍କରେ କୃଷ୍ଣ ପ୍ରସାଦଙ୍କ  କବିତାର ଛବିଳତା ଆଉ ନିବିଡତା ତାଙ୍କର ପଲ୍ଲିପ୍ରକୃତିର ଚିତ୍ରଣରେ ଖୁବ ମନୋମୁଗ୍ଧକର। ପଲ୍ଲୀ କବିତା ଲେଖିଥିବା ଅଧିକାଂଶ କବିମାନଙ୍କ ପଲ୍ଲିଚିତ୍ରଣ  ମୁଖ୍ୟତଃ ବର୍ଣ୍ଣନାଧର୍ମୀ;ସେଠି ଶାନ୍ତ, ନୀରିହ  ସୁରମ୍ୟ ପଲ୍ଲୀ ପ୍ରକୃତିର ବର୍ଣ୍ଣନା ଅଧିକ।  କୃଷ୍ଣ ପ୍ରସାଦ କିନ୍ତୁ ତାଙ୍କ ପଲ୍ଲୀ କବିତାରେ ପଲ୍ଲୀ ପ୍ରକୃତି ଭିତରେ ଜିଇଁଥିବା ଜୀବନ୍ତ ସତ୍ତାମାନଙ୍କର  ହସକାନ୍ଦ, ଦୁଖ, ଯନ୍ତ୍ରଣା, ଶ୍ରମ,  ଶୋଷଣ, ବୈଷମ୍ୟ,ଟାହି ଟାପରା, ଚପଳତା, ଉଚ୍ଛଳତାସବୁକୁ ମାର୍ମିକ ଭାବରେ ଚିତ୍ରଣ କରିଛନ୍ତି ।

ଚାଷ ବେଳ ଆସିଲେ କାନ୍ଧକୁ କାନ୍ଧ ମିଳେଇ ଭାଇ ବନିଯାଉଥିବା ବାପ ପୁଅ,ସଞ୍ଜ ଅନ୍ଧାରରେ ଡକାଡକି ହେଇ ଚାଉଳ ଧୋଇ ବାହାରି ଥିବା ଗାଁ ଭୁଆସୁଣୀ, ମୁଣ୍ଡରେ କାଠ ଆଉ କାଖରେ ଛୁଆର ବୋଝ ବୋହୁଥିବା ଆଦିବାସୀ ମା, ସାନ ଗଉଣୀରେ ଧାନ ମାପି ଠକୁଥିବା ଗାଁ ପଧାନ, ବାହା  ହେଇ ନ ପାରି ମନସ୍ତାପରେ ରହିଥିବା  ଗରୀବ ଘରର ଝିଅ, ରୁଣୁଝୁଣୁ ଝୁଣ୍ଟିଆ ପାଦରେ ସଖୀ କଣ୍ଢେଇଟି ପରି ଚାଲୁଥିବା ଲାଜୁକି ନୂଆ ବୋହୂ, ନାଆ ବାହି ବାହି ଥକି ପଡିଥିବା ନାଉରୀ, କିଆ ପେଁ କାଳି ବଜାଉଥିବା ମାମୁଁ ପୁଅ, କୋଉ  ନାଗରର  ବାଟ ଚାହିଁ ଟେରେଇ ଟେରେଇ ଚାହୁଁ ଥିବା ଚୁଲୁବୁଲି ଚପଳା କିଶୋରୀ,ଗାଁର ଅଶରୀରୀ ଦୁନିଆର  ଭୁତ  ପ୍ରେତ, ଡାଆଣୀ, ଚିରଗୁଣୀ ଗ୍ରାମ ଦେବତୀ ସମସ୍ତେ ସେଥିରେ ରୂପାୟିତ।

ଏମିତିକି ସେଠି ହଳଦୀ ମାଖି ଛଟକି ଛଣଫୁଲ ଭଅଁର ଟୋକାକୁ ଇସାରାରେ ନିମନ୍ତ୍ରଣ ଦିଏ, ପାଣିର ପଞ୍ଜୁରୀ ଠେଲି ମାଛରଙ୍କା ଡୁବିଯାଏ, ଢେଉର ପାଲିଙ୍କି ଚଢି ବେଙ୍ଗନାନୀ ବୋହୂ ହେଇଯାଏ, ସାଙ୍ଗ ହବା ପାଇଁ ପାଣି କୁଆ ମାଛ ରଙ୍କାକୁ ଡାକେ, ମାଟିଆ ଚିଲର କଅଁଳା ଛୁଆ କାଣ୍ଟି ବଗ ସଙ୍ଗେ କଜିଆ କରେ, ହେସୁଆନ୍ତି ବଣରେ ବଗ ବସି ଧ୍ୟାନ କରୁଥାଏ ଆଉ ନେଳିଆ ପାହାଡ ନିଦରେ ଶୋଇଥାଏ। । ଏଇସବୁ ଅସଚେତନ ନିର୍ବାକ ଚରିତ୍ରମାନେ କୃଷ୍ଣପ୍ରସାଦଙ୍କ ପଲ୍ଲୀ ମଞ୍ଚରେ ସମସ୍ତେ ସବାକ ସକ୍ରିୟ ଅଭିନେତା । କବି ସେଠି ବାହାରୁ ବୁଲି ଆସିଥିବା ଟୁରିଷ୍ଟ ଭଳି ପଲ୍ଲୀ ପ୍ରକୃତିର ଫୋଟୋ ଉଠଉ ନାହାନ୍ତି , ସେ ତା ଭିତରେ ନିବିଡ  ହେଇଯାଇଥିବା ଏକ ବିହ୍ଵଳିତ ପ୍ରାଣ। କବିତାର ଶବ୍ଦବି ସବୁ ନିପଟ ଗାଉଁଲି ଲୋକ ମୁଖର କଥିତ  ଭାଷା-ଅଖଳ ମଖଳ, ଯୋଡି ଯାଉଁଳି,ଚଙ୍ଗଚଙ୍ଗୀ, ଝୁମୁରୁ ଝୁମୁରୁ, ଟୁସି କଲରା, ପାଟ ଫୁଲି, ମାଈ ସଞ୍ଜ ଇତ୍ୟାଦି

ଏଇ ପାଟ ଆର ପାରି ବଣବୁଦା ହେଲେ ପାରି ନଈରେ ପଡିଛି ଟିକି ନାଆରେ

ତହିଁ ମୋର ମାମୁଁ ଘର ଗାଁ ରେ

ଦି ଦି ପତୁରିଆ ଧାନ ମିଚି ମିଚି କଳା ଦିଶେ ଝଡେ ଆମ୍ବ ହେଲେ ଝଡ ବାଆରେ

………………………………………………………………………..

ଦି ପାଖରେ ଦାଣ୍ଡି ଘର ଗାଁ ଭାରି ସୁନ୍ଦର

ଅଖଳ ମଖଳ ମନ ମାମୁଁ ସାନ ପୁଅର

କିଆ ପେଁ କାଳି ଧରି ଆମ୍ବ ଟାକୁଆର ତୁରୀ

ବଜାଏ ସେ, ରାଗେ ଆଇ ମାଆ ରେ

ତହିଁ ମୋର ମାମୁଁ ଘର ଗାଁଆଁରେ

Xxxxxx

ମାଟି ମା ଅଙ୍ଗନେ ସୁନା ଧାନ ଲୋଟେ

ଜଳେ ମଣି ଦୀପାଳି ହୀରା ଫୁଲ ଫୁଟେ

Xxxxxxx

କୋଇଲି ବେଙ୍ଗୁଲୀ ଦି ଭଉଣୀ ଲୋ ଆଗୁଲି ପିଛିଲି ଗଲେ

ଶାଳବଣ ପାଖ ବିଲେ

ଅଳପ ଡେଙ୍ଗୀ ସେ ପାତେଳି କୋଇଲି ଧାର ମୁହିଁ ଚଙ୍ଗଚଙ୍ଗୀ

ତେଲ ହଳଦୀରେ ପଚାଇଛି ଦେହ ଶାଶୁଘର ଯିବା ଲାଗି

ଟେରେଇ ଟେରେଇ ଅନାଏ କୋଇଲି ଦୁରୁ କିଏ ହାତ ଠାରେ

Xxxxx

ଖର ଶନି ବାର ତିସିରା ପହର ଆମେଇଶାନିଶା ରାତିଲୋ

ଜୁଳୁଜୁଳା ପୋକ ଜକଜକଜକ ଚିରିଗୁଣୀ ଜାଳେ ବତୀଲୋ

ବବନା ଭୁତ ଟା ଗଡି ଗଡି ଯାଏ ହୁଁ ହୁଁ କରେ ହୁଁ ହୁଁ

ମାଟିଘୋଡା ଚଢି ଯାଆନ୍ତି ବାସୁଳି ପାଶେ ଝିଅ ପୁଅ ନାତି ଲୋ

Xxxxxxx

ଗରୀବ ଘରର ଗାଁ ଝିଅ କାନ୍ଦେ ଲୁହ ତାର ଗୌରବ

ଝରି ଝରି ଯାଏ ମରମ କୁସୁମ ମରି ଯାଏ ସୌରଭ

ଫୁଲ ଘୁଞ୍ଚି ଘୁଞ୍ଚି ଯାଏ ଫୁଲ ତୋଳିବାକୁ କର ବଢାଇଲେ ଜଳ ତ ଅଥଳ ହୁଏ

Xxxxx

ବୁଦି ବୁଦି ବନ ବୁଦା ନଈ କୂଳେ କୂଳେ ଝୁମୁରୁ ଝୁମୁରୁ ପାଦେ ନୂଆ ବୋଉ  ଚାଲେରେ ନୂଆ ବୋଉ ଚାଲେ।

କାଇଁଚ କତୁରି ତାଡ ଫୁଲ ନାକ ଚଣାସଖୀ  କଣ୍ଢେଇଟି ପରି ମାନିଛି ଗହଣା

ଆଡ ପାତେଳି ଅଳପ ହସେରେ

ବସନ୍ତେଇ ମଠାଶାଢୀ ଲୋଟି ଯାଏ ତଳେ ରେ

ନୂଆ ବୋହୂ ଚାଲେ ରେ।

Xxxxx

ସେପାଖେ ହଳଦୀ କ୍ଷେତ ଗହୀର ବିଲରେ କଇଁ-ଉଡିଯାଏ ଗେଣ୍ଡାଳିଆ କଳାମେଘ ଆସେ ନଇଁ

ପାଣିର ପଞ୍ଜୁରି ଠେଲି ମାଛ ରଙ୍କା ବୁଡି ଯାଏ – ଝାଉଁ ବଣ ଗୀତ ଗାଏ ମୌସୁମୀ ମହୁ ପିଇ

ସାରୁ ପତର ପେଡିରେ ବେଙ୍ଗ ନାନୀ ଶୋଇଛି-ପରିହାସ ପବନରେ ଆଖି ବୁଜି ଯାଇଛି

ଢେଉର ପାଲିଙ୍କି ଚଢି ସେପାରିକି ଯିବା ପାଇଁ

Xxxxxxx

ଭାରିତ ଟାପରା କରୁଛୁରେ ଟୋକା ଦେଖାଇ ହଉଛୁ ଛୋପରା ମୁଁ ରାଉତ ଘରର ରାହାବାଳୀ ଝିଅ ଚିହ୍ନିଛୁ ନା ମୋତେ ଛତରା

Xxxxxxx

କୋଦାଳରେ କୋଡିଲା କେ ସରଗର କିଆରି ଅଧା ଧଳା  ଅଧା କଳା ମେଘ କାଟେ ସିଆରି

xxxxxx

କଲମ ଫୁଲ ନିଦରେ ଶୁଏ ନରମ ସଞ୍ଜ ଆସେ କଞ୍ଚା କମଳା ସବୁଜ ଘାସେ ଶିଶିର ବିନ୍ଦୁ ହସେ

Xxxxxxxxx

ଚାଉଳ ଧୋଇ ଯିବୁ ନାହିଁ  କି ଲୋ ଆସେ ଅନ୍ଧାର ମାଡି ଗାତୁଆ ପେଚା କୁନ୍ଥେଇଲାଣି  ପୁଣି ହେଇଛି ନଈ ବଢି

ମୋ ବୋଉ ଲୋ ବିଲୁଆ ଦିଏ ରଡି

ବାଟ ଜଗିବ ଅନ୍ଧାର ଆସି ନଈରେ ଯିବ କଳସୀ ଭାସି ଡରେଇବ ଲୋ ଭଜୁଆ ମା ବାଟେ ପଡିଛି ମଡି

ଭାଷାର ଚମକ  ଓ ଭାବରକୁହୁକ

ମଣିଷର ହର୍ଷ, ବିଷାଦ, ପ୍ରେମ, ବିରହ, ବିଚ୍ଛେଦ, ହାସ୍ୟରସ, ପ୍ରଭୃତି ବିଭିନ୍ନ ଆବେଗ ସହିତ ଗଭୀର ଜୀବନ ଦର୍ଶନକୁ ଖୁବ ଆଧୁନିକ ଅବବୋଧ ଏବଂ ବ୍ୟଞ୍ଜନାରେ ତାଙ୍କର ଅନେକ ସୁଗମ ସଙ୍ଗୀତରେ ରୂପାୟିତ କରିଛନ୍ତି କୃଷ୍ଣପ୍ରସାଦ ।

ହସି ଦିଏ ଲାଜକୁରୀ କଇଁ ଜହ୍ନର ଓହଳ ନଇଁ ଆସେ

ଫଣା ଟେକି ଚରଇ କୁହୁଡି ଓଦା ମାଟି ଓଦା ଦୁବ ଘାସେ

କ୍ଳାନ୍ତ ଶିଶୁ ଆକାଶେ ଶୋଇଛି ଅସହ୍ୟ ସୁନ୍ଦର ଉପବନ

ବନ ବୀଥିକାର ଘନ ବାସ ଚୋରି କରେ ଚପଳ ପବନ

ନିଦ୍ରାହୀନ ନକ୍ଷତ୍ରର  ସଭା ସ୍ବଚ୍ଛ ଶୁକ୍ଳ ଛାୟାପଥ ପାଶେ

ହସି ହସି ଖସି ଯାଏ ଶଶି ଉଚ୍ଚ ଉଚ୍ଚ ପରବତ ଶିରେ

ଚିତାକୁଟା ଶାମୁକା ସୁନ୍ଦର ତାଳିପକା ନଦୀ ବାଲି ତୀରେ

ପାଣିର ପଞ୍ଜୁରୀ ଠେଲିଦେଇ ନିଃସଙ୍ଗ ତାରକା ବୁଡି ମରେ

ମୁକୁଲ ଆକୁଳ ସୁରଭିରେ ନିଦ ରାଇଜୁ ସପନ ଆସେ

Xxxxx

ଝରଣା କରୁଣ ଗୀତି ବାଜେନା ପାଷାଣ ବୁକେ

କଳ କଳ ଛଳ ଛଳ ଝର ଝର କାନ୍ଦେ ଦୁଃଖେ

କଳା ମେଘ କାନିଝାଡେ ନେଳିଆ ପାହାଡ ପରେ

ରୁପେଲି ବନ ଜୋଛନା ଛାଇ ତଳେ ମିଶେ ଧୀରେ

ସାଥୀ ହରା ବନ ପକ୍ଷୀ ଚକିତେ ଚମକି ଡାକେ

ବସନ୍ତର ସମାରୋହ ଜାଗିଉଠେ ମାଟି ପରେ

ରାତିର ଖୋଳପା ଚିରି କପୋତର ଗୀତି ଝରେ

ସକାଳର କୁଆଁ ତାରା ବିଦାୟ କବିତା ଲେଖେ

Xxxxxxx

ପଳାଶର ପର ଝାଡି ଫଗୁଣ ଯାଇଛି ଫେରି

କୁହୁଡି ପରିଖା ଡେଇଁ ଫୁଲର ଫରୁଆ ଭରି

ବଳୟିତ ମଳୟର ଅତର ମହକ ଆସେ

ଚାନ୍ଦର ଚାନ୍ଦୁଆ ତଳେ ଚୁନାଚୁନା ମେଘ ଭାସେ

ଏହା ଛଡା କୃଷ୍ଣପ୍ରସାଦଙ୍କ ଅଜସ୍ର ସ୍ରାବୀ ଲେଖନୀ  ଅନେକ ଓଡିଶୀ, ବ୍ୟଙ୍ଗ ଗୀତ, ଯୁଗଲ ଗୀତ, ନୃତ୍ୟ ନାଟିକା  ରଚନା କରିଛି। ରୀତି ଯୁଗୀୟ ଶୈଳୀରେ କବିଙ୍କର ଏଇ ଓଡିଶୀ ଗୀତ:

ଶେଯ ତେଜ ବରଜ ରାଜ ତନୁଜ ଆଜ

ଘେନ ମୋର ଅରଜ ନିଶି ଶେଷ

ମଞ୍ଜରିଲାଣି କଞ୍ଜ ହସେ କୁସୁମ ସଞ୍ଜ

ଦେବେ ଲାଜ ସଜନୀ ଦେଖି ବେଶ

ତାଙ୍କ ନାଟକର ଜଣେ କପଟୀ ଏବଂ ଲୋଭୀ ଚରିତ୍ରକୁ ବ୍ୟଙ୍ଗ କରି କୃଷ୍ଣ ପ୍ରସାଦଙ୍କର ଏକ ପ୍ରସିଦ୍ଧ ବ୍ୟଙ୍ଗ ଗୀତ –

ଧୁଡୁକା ଭାଇ ସୁଡ଼ୁକା ଜାଉ ହାମ୍ପୁଡ଼ି ହାମ୍ପୁଡ଼ି ଖାଉଚି

ଖାଲି ଫୁକୁରୁ ଫୁକୁରୁ ଡେଉଁଚି

ନୂଆ ପଲମର ବଡି ଭଜାକୁ ଏ କଣେଇ କଣେଇ ଚାହୁଁଚି।

 କୃଷପ୍ରସାଦଙ୍କର ଗୀତି କବିତା ଭାବ ଗାମ୍ଭୀର୍ଯ୍ୟ ଓ କମନୀୟ ଧ୍ୱନି ଲାଳିତ୍ୟର ସମାହାର । ଚମକଦାର ଆଧୁନିକ ରୂପକଳ୍ପ ପ୍ରୟୋଗ କରିବାରେ କୃଷ୍ଣପ୍ରସାଦ ଥିଲେ ଯେକୌଣସି ପ୍ରତିଷ୍ଠିତ ଆଧୁନିକ କବିଙ୍କୁ ମାତ ଦେଲା ଭଳି  ସିଦ୍ଧହସ୍ତ। ମୃତ୍ୟୁ ଶୀତଳ ଅଫିମ ରଜନୀ, ମେଘର ବାଗୁଡି ଖେଳ,ନିଶ୍ଵାସ ଝଡ ଉଠେ,କାଠ ଛାତି ତଳୁ ପଥର କଲିଜା, ସଲ୍ଲଜ ମେଘ ମଉଳା ଖରା, ଦାନ୍ତ ନିକୁଟା କୁଡିଆ ଘର, ତାରା ର ସହର, ବାରବୁଲା ମେଘ, ତୁଳାଭିଣା ଧଳା ମେଘ, ମିଳନ ଯମୁନା ତୀରେ, ପାଣିର ପଞ୍ଜୁରି ଠେଲି,ଢେଉର ପାଲିଙ୍କି ଚଢି,ପରିହାସ ପବନରେ, ଦୁଧ ଦରିଆ କୂଳେ ନିଦ ନଉକା , ସଲ୍ଲଜ ମେଘ ମଉଳା ଖରା, ଜହ୍ନର ଓହଳ ନଇଁ ଆସେ, ଚିତାକୁଟା ଶାମୁକା ସୁନ୍ଦର ତାଲିପକା ନଦୀ ବାଲି ପରେ , ନିଦ୍ରାହୀନ ନକ୍ଷତ୍ରର ସଭା, ପଳାଶର ପର ଝାଡି, କଳା ମେଘ କାନି ବାଜେ, ତରୁଣୀ ତାରା ଚାହିଞ୍ଚି ହଁସ ରାତି ହସିଦିଏ, ସୁନା ପୁଟ ଦିଆ ହୀରା ଝରା ରାତି, କଳାରାତି ଆସେ ଫଣା ଟେକି, ବାଦଲ ଚାଦର ଦିଏ ଢାଙ୍କି, ଗର୍ଭିଣୀ କାଳ ରାତି…..

କୃଷ୍ଣ ପ୍ରସାଦ ବେହରା ଥିଲେ ଜନ୍ମସିଦ୍ଧ ସ୍ଵଭାବ କବି। ତାଙ୍କର ରଚନା ସବୁ ପଢିଲେ ଲାଗେ କୋଉ  ଅତୀନ୍ଦ୍ରିୟ ଜଗତରୁ ତାଙ୍କ ପାଖକୁ ଆବେଗ ସବୁ ଉତୁରି ଆସିଛି। ଅସୀମ ଅନ୍ତରୀକ୍ଷରୁ ମହାବାର୍ତ୍ତା ସଂଗ୍ରହ କରି ଆଣୁଥିବା କୋଉ ଉପଗ୍ରହ ସାଙ୍ଗରେ ଯେମିତି ତାଙ୍କ ଚେତନାର ଅଦୃଶ୍ୟ ଆଣ୍ଟେନା ଲାଖି ଯାଇଥିଲା। ଏ ବିଚିତ୍ର ବର୍ଣ୍ଣା କବି ପ୍ରତିଭାଙ୍କ ରଚନା  ଭିତରେ ଆମେ ରୀତି ଯୁଗର ଆଙ୍ଗୀକ ଆଭରଣର ଛଟା, ପଞ୍ଚସଖା ଯୁଗର ଆଧ୍ୟାତ୍ମିକ ରହସ୍ୟମୟତା, ରାଧାନାଥୀୟ ମାଟିଲଗ୍ନ କଳ୍ପନାର କାରିଗରୀ, ସତ୍ୟବାଦୀ ଯୁଗର ଆଦର୍ଶବାଦୀ ଭାବମୟତା,ସବୁଜଯୁଗର ସ୍ଵପ୍ନମୟ, ସମାସମୟିକ ଯୁଗର  ଆଧୁନିକ ବ୍ୟଞ୍ଜନାର ଅପୂର୍ବ ସମାହାର ଲକ୍ଷ୍ୟ କରି ପାରିବା ।

କୃଷ୍ଣ ପ୍ରସାଦଙ୍କରମାତ୍ର ସତାବନ ବର୍ଷର ଇହ ଜଗତରେ ରହଣି । ଜୀବନ କଟିଛି ବହୁ ଝଡଝଞ୍ଜା ଭିତରେ। କୈଶୋରରୁ ବାପା ମା ଛେଉଣ୍ଡ, ଜୀବନଯାକ ଅଭାବ ଅନଟନ ସଙ୍ଗେ ଅନବରତ କୁସ୍ତି କସରତ। କିନ୍ତୁ ବିଷୟ ସମ୍ପତ୍ତି ପ୍ରତି ବିତସ୍ପୃହ। ବାରବୁଲା ଜୀବନକୁ ବାନ୍ଧିବାକୁ ଫନ୍ଦି କରି ବସ ମାଲିକ ଥିବା ସମ୍ପନ୍ନ ଶ୍ଵଶୁର ଘର ଘରେ ରହି ବସ ଚଳା ଚଳାଚଳ କଥା ବୁଝିବାକୁ କହିବାରୁ ଆରମ୍ଭ ହେଲା ମନୋମାଳିନ୍ୟ, ତା’ପରେ ରାତାରାତି ଘରୁ ଚମ୍ପଟ ମରା ଯେ ଘରକୁ ଫେରିଲେ ମୃତ୍ୟୁ ପୂର୍ବରୁ ଅସୁସ୍ଥ ହେଲା ପରେ । ଅକାଳରେ ଛେଉଣ୍ଡ ହେଇଯିବାରୁ ପୈତୃକ ସମ୍ପତ୍ତି ସବୁ କେହି କେହି  ହଡପ କରି ନେଇଥିଲେ। କବିଙ୍କ ପ୍ରତିଭାମୁଗ୍ଧ କେହି ସରକାରୀ ଅଫିସର ସେସବୁକୁ ଉଦ୍ଧାର କରିବାକୁ ତାଙ୍କର ସହଯୋଗ ଚାହିଁବାରୁ ସିଧା ମନା କରିଦେଲେ -ଲକ୍ଷ୍ମୀଙ୍କ ଆଡିକି ଅଧିକ ଆକୃଷ୍ଟ ହେଲେ କୁଆଡେ ସରସ୍ଵତୀ ବିମନା ହେଇଯିବେ। ସରସ୍ଵତୀଙ୍କ ବରପୁତ୍ର ମଲେ ଲକ୍ଷ୍ମୀ- ବିବର୍ଜିତ ହେଇ, କପର୍ଦ୍ଦକ-ଶୂନ୍ୟ ଭାବରେ। ସମାଜର କୌଣସି ନିଷେଧକୁ ନ ମାନି ସେ ବ୍ଞ୍ଚିଥିଲେ ଅମାନିଆ ମୁକ୍ତ ଛନ୍ଦ ମଣିଷଟେ ହେଇ। ନା କିଛି ପାଇବାର ଆଶା ଥିଲା ନା ହରେଇବାର ହତାଶା ।

ଏଇ ଗଣକବି ମାନଙ୍କର, ଜନତାର ତାତ୍କାଳିକ ହାତତାଳି ଛଡା ସାଂସ୍କୃତିକ ଇତିହାସରେ ଅମର ହେଇଯିବାର କୌଣସି ଅଭିଳାଷ ନଥାଏ କାରଣ ସେମାନେ ଜାଣି ଥାଆନ୍ତି ଅଭିଜାତ ସାଂସ୍କୃତିକ କ୍ଷମତାକେନ୍ଦ୍ର ସେମାନଙ୍କୁ ସହଜରେ  ପଂକ୍ତିଭୂକ୍ତ କରେଇବ ନାହିଁ । ଫାଙ୍କା ଆସିଥିଲେ, ଫାଙ୍କା ଚାଲିଗଲେ। ସେଇଥିପାଇଁ ବୋଧହୁଏ ତାଙ୍କ ଲେଖାରେ ଏତେ ଦାମ୍ଭିକତା, ଉଚ୍ଛଳତା ଏବଂ ମାନବିକ ମର୍ଯ୍ୟାଦାର ଜୟଗାନ । ଜୀବନ କାଳ ଭିତରେ କେହି କେହି ସମଝଦାର ଶୁଭେଚ୍ଛୁ ୧୯୪୦ ମସିହାରେ ମଞ୍ଜୁଳା ନାମରେ ଛୋଟ କବିତା ସଂକଳନଟିଏ ଛପେଇଥିଲେ। ଆଉ ଖଣ୍ଡେ ଦି ଖଣ୍ଡ  ନାଟକ କଳିକାତାରୁ ଛପା ଯାଇଥିଲା ୧୯୬୫ ମସିହା ବେଳକୁ ।

ନିଜ ଲେଖା ପ୍ରତି ବି ସେ ଏତେ ନିର୍ଲିପ୍ତ ଥିଲେ ଯେ ଯୋଉ ଯାତ୍ରାଦଳ ପାଇଁ ଯାହା ଲେଖୁଥିଲେ ସବୁ ସେଇଠି ଛାଡି ଚାଲି ଆସୁଥିଲେ। ୧୯୮୦ ମସିହାରେ  ତାଙ୍କର ୧୩୩ଟି କବିତାକୁ ସଂଗ୍ରହ କରି “କୃଷ୍ଣ ପ୍ରସାଦ ଚୟନିକା” ନାମରେ ପ୍ରକାଶିତ କରେଇଥିଲେ ଅଧ୍ୟାପକ ଶ୍ରୀ ଭାଗିରଥି ନାୟକ ଏବଂ ଶ୍ରୀ ଭାସ୍କର ଚନ୍ଦ୍ର ଆଗସ୍ତି। ପରେ ପରେ ସୋରୋ ଠାରେ “କେଶବ କବି କୃଷ୍ଣ ପ୍ରସାଦ ସ୍ମୃତି ପରିଷଦ” ଗଠିତ ହୋଇ କିଛି ଗୁଣମୁଗ୍ଧ ସାରସ୍ଵତ ଦାୟାଦମାନଙ୍କ ଉଦ୍ୟମରେ ତାଙ୍କର ୮୦୦ ଗୀତି କବିତାର ସଞ୍ଚୟନ ଏବଂ ଅନେକ ଗୁଡିଏ ନାଟକ ସଂକଳିତ ହୋଇ ଗ୍ରନ୍ଥାବଳୀ ଆକାରରେ ପ୍ରକାଶିତ ହୋଇଛି ।

ନିର୍ଲିପ୍ତ ମଣିଷ କେଶବ କବି କୃଷ୍ଣପ୍ରସାଦ କିନ୍ତୁ ସବୁବେଳେ  ବଞ୍ଚିଥିଲେ ମାଟି ଆଉ ମଣିଷ ସହିତ ଯୋଡ଼ି ହେଇ, ଆଉ ମୁଣ୍ଡରେ ଆକାଶୀ କଳ୍ପନା ନେଇ। ଚାଲି ଯାଉଥିଲା ବେଳେ ଚହଳ ପଡୁଥିଲା ବେହେରା ମାଷ୍ଟରେ ଯାଉଛନ୍ତି ବୋଲି। “ନିଜ ପ୍ରାଣ , ଅପରର ପ୍ରାଣ ଓ ପ୍ରକୃତିର ପ୍ରାଣରେ ପ୍ରବେଶ କରିବା ହିଁ କବିତ୍ଵ” ବୋଲି କବି ତାଙ୍କ ନିଜର ଗୋଟେ ନାଟକରେ ଲେଖିଛନ୍ତି । ପକୃତରେ କବି ଗଣପ୍ରାଣର ସ୍ପନ୍ଦନକୁ ଏମିତି ଛୁଇଁ ଯାଇଥିଲେ ଯେ ଭଦ୍ରକରୁ ଜଳେଶ୍ଵର ପର୍ଯ୍ୟନ୍ତ ତାଙ୍କର ସାଂସ୍କୃତିକ ଚରାଭୁଇଁରେ କୃଷ୍ଣ ପ୍ରସାଦଙ୍କ ଗୀତକୁ “ଚଷା, ଜୋଷା,ପାନ୍ଥ,ପଣ୍ଡିତ ଆଉ ବାରାଙ୍ଗନା”ପ୍ରାୟ ସମସ୍ତେ ଗାଉଥିଲେ।

ଜୀବନ ପ୍ରତି ଉନ୍ମୁଖ କୃଷ୍ଣ ପ୍ରସାଦ ଜୀବନକୁ ସାହିତ୍ୟ ସହିତ ପ୍ରାଣ ଭରି ପିଇଥିଲେ । ଏ ଅପାଂକ୍ତେୟ କବିଟି କାବ୍ୟ ରସ ପିଇ  ଆମକୁ ଦେଇ ଯାଇଛନ୍ତି ଅପୂର୍ବ ରସାୟନ।  ଆମ ହୃଦୟରେ ସେସବୁ ପାଇଁ ପାନ ଆଉ ପାଚନ ଶକ୍ତି ଅଛି କି ନା ଆସନ୍ତୁ ଆମେ ଟିକେ ପରୀକ୍ଷା କରି ଦେଖିନେବା।

About ଯଦୁନାଥ ପଣ୍ଡା

Avatar

Check Also

ବାଲ୍ମୀକିଙ୍କୁ ପ୍ରଶ୍ନ

ତୁମେ ମୋତେ କାହିଁକି କରିଲ ସୃଷ୍ଟି ହେ! ଋଷି ବାଲ୍ମୀକି? କାହିଁକି ଛଡାଇ ନେଲ ମୋର ଅଧିକାର ଇତିହାସ ଗର୍ଭରେ …

Leave a Reply

Your email address will not be published. Required fields are marked *