Home / ସମୀକ୍ଷା / ମାଟିକୁ ନେଇ ମଣିଷର ଚେତନା

ମାଟିକୁ ନେଇ ମଣିଷର ଚେତନା

ମଣିଷ ସୃଷ୍ଟିର ଏକମାତ୍ର ଜୀବସତ୍ତା ଯାହାର ବୁଦ୍ଧି, ବିବେକ, ଚେତନା ରହିଛି । ଏହି ଚେତନା ତାକୁ ପ୍ରେରଣା ଦେବା କଥା ସମଗ୍ର ସୃଷ୍ଟିକୁ ବୁଝିବା ଏବଂ ଜାଣିବା ପାଇଁ ଏବଂ ସମଗ୍ର ଜୀବଜଗତର ସୁରକ୍ଷାର ଭାର ଏହି ଚେତନଶୀଳ ମଣିଷମାନେ ବହନ କରିବାକଥା । କିନ୍ତୁ ଏହାର ବ୍ୟତିକ୍ରମ ବାରମ୍ବାର ଦେଖିବାକୁ ମିଳୁଛି । ମାଟି ଯିଏକି ସମଗ୍ର ଜୀବଜଗତର ସୃଷ୍ଟିର ଆଧାର ତା’ସହିତ ମଣିଷର ଯେଉଁ ନିବିଡ଼ ସମ୍ପର୍କ ଆବାହମାନ କାଳରୁ ରହିଆସିଛି ସେହି ଚେତନାରୁ ନିଜକୁ ମଣିଷ ଦୂରେଇ ସ୍ୱାର୍ଥପରତାର ବଶବର୍ତ୍ତୀ ହୋଇଛି ଯାହାକୁ ଭାଷାରେ ପରିପ୍ରକାଶ କରିବାର ଆବଶ୍ୟକତାକୁ ଅନୁଭବ କରି ‘ସମଧ୍ୱନି ‘ମାଟି ଓ ସଂସ୍କୃତି’ ସମ୍ପର୍କିତ ଲେଖା ପ୍ରକାଶ କରିଛି। – ସମ୍ପାଦକ

ମାଟିକୁ ନେଇ ମଣିଷର ଚେତନା ଯୁଗ ଯୁଗ ଧରି ପ୍ରଭାବଶାଳୀ ରହିଆସିଛି । କାନ୍ଦି କାନ୍ଦି ମାଟିର କୋଳରେ ସେ ଭୂମିଷ୍ଠ ହେବା ଦିନଠାରୁ ସେହି ମାଟିର କୋଳରେ ଅନ୍ତିମ ବିଶ୍ରାମ ନେବାଯାଏଁ ମାଟି ହିଁ ତା’ର ସୁଖଦୁଃଖର ସର୍ବଶ୍ରେଷ୍ଠ ସାଥୀ । ତା’ବୁକୁରେ ସେ ବଢ଼ିଛି, ଖେଳିଛି, ନାଚିଛି, ହସିଛି, କାନ୍ଦିଛି, ବଞ୍ଚିଛି ଓ ତାକୁ ବଞ୍ଚାଇବା ପାଇଁ ବି ସଂଗ୍ରାମ କରିଆସିଛି । କେଉଁଠି କେଉଁଠି ନିଜର ସଂକୀର୍ଣ୍ଣ ସ୍ୱାର୍ଥ ପାଇଁ ତା’କୁ ଧୋକ୍କା ବି ଦେଇଛି । ମାଟିକୁ ନେଇ ମଣିଷ, ତା’ ଜୀବନ, ତା’ ସଭ୍ୟତା ଓ ତା ସଂସ୍କୃତି ହୃଷ୍ଟପୁଷ୍ଟ ହୋଇଛି । ତା’ର ଗୁଣଗାନ ବି ମଣିଷ କରିଛି । ତେବେ ମଣିଷକୁ ନେଇ ମାଟି କେତେ ଖୁସି ବା କେତେ ଦୁଃଖି ତା’ର ହିସାବ କ’ଣ ମଣିଷ ପାଖରେ ଅଛି! ମାଟିର ସ୍ପନ୍ଦନକୁ ସହଜରେ ବୁଝିପାରୁଥିବା ଦିନଠାରୁ ମାଟିକୁ ହଜାଇ ଚାଲିଥିବା ଆଜିର ଏ ଯୁଗ ଯାଏଁ ମାଟିକୁ ନେଇ ମଣିଷର ଚେତନା ଭିତରେ ଅନେକ ପରିବର୍ତ୍ତନ ଆସିଛି । ଯଦିଓ କାଁଭାଁ କେଉଁଠି କେଉଁଠି କିଛି କିଛି ମଣିଷ ନିଜର ଶରୀର ଓ ଚେତନାକୁ ମାଟିର ସ୍ଥିତି ସହିତ ଏତେ ନିବିଡ଼ ଭାବରେ ଯୋଡ଼ିଦେଇଛନ୍ତି ଯେ ସେମାନେ ନିଜ ରକ୍ତ ବିନିମୟରେ ମାଟିକୁ ବଞ୍ଚାଇବା ପାଇଁ ସଂଘର୍ଷ ଜାରିରଖିଛନ୍ତି ।

ମଣିଷ ଯେତେବେଳେ ଏ ଜଗତରେ ନିଜ ଜୀବନଯାତ୍ରା ଆରମ୍ଭ କଲା ସେ ଗୋଟିଏ କଥାକୁ ସ୍ୱୀକାର କରି ତା ଯାତ୍ରାପଥରେ ଆଗେଇ ଚାଲିଥିଲା ଯେ ଏ ଧରାରେ ସେ କେବଳ ଗୋଟିଏ ଜୀବସତ୍ତା ନୁହେଁ । ବରଂ ଗଛଲତା, ପଶୁ-ପକ୍ଷୀ ଇତ୍ୟାଦି ଅନେକ ଜୀବସତ୍ତା ଏବଂ ସେମାନଙ୍କୁ ଧରି ରଖିଥିବା ବଣ, ପାହାଡ଼ ଓ ଝରଣା ସମସ୍ତଙ୍କ ଭିତରେ ମଣିଷ ଗୋଟିଏ । ଏକା ତା ପାଇଁ ନୁହଁ ସମସ୍ତଙ୍କ ପାଇଁ ମାଟି ହେଉଛି ମା’ । ସମସ୍ତଙ୍କ ଜୀବନ ବିନିମୟରେ ନିଜର ସୁଖସ୍ୱାଛନ୍ଦ ଏବଂ ବିଳାସମୟ ଜୀବନର ପରିକଳ୍ପନା ମଣିଷ କେବେ ତା ଚେତନା ଭିତରେ ରଖିନଥିଲା ।

ଏ ଦୁନିଆରେ ସମ୍ପଦ ଠୁଳିକରଣ କରିବାର ଚିନ୍ତାଧାରା ତଥା ବ୍ୟକ୍ତିଗତ ସମ୍ପତ୍ତିର ଉତ୍ପତ୍ତି ବା ମାଲିକାନାସ୍ୱତ୍ତ୍ୱ ଚେତନାର ଉଦୟ ହେବାଦିନରୁ ମଣିଷର ମାଟିକୁ ନେଇ ଚେତନାଟି ଦୋହଲିବାରେ ଲାଗିଲା । ଯେଉଁ ମାଟି ତାକୁ ଜୀବନ ଦେଇଛି କହିି ସେ ମା’ଭଳି ପୂଜା କରିଆସୁଥିଲା ସେହି ମାଟିକୁ ସେ କାମଧେନୁ ଭଳି ଦେଖିବାରେ ଲାଗିଲା । ନିଜର ସୁଖ ଓ ସମ୍ଭୋଗର ଅସରନ୍ତି ଭଣ୍ଡାରଟିଏ ମାଟି ଭିତରେ ଲୁଚି ରହିଛି, କିଛି ମଣିଷଙ୍କୁ ଏଭଳି ଏକ ଚେତନା ଗ୍ରାସ କରିବାରେ ଲାଗିଲା । ଏହି ମଣିଷମାନଙ୍କର ପତିଆରା ଅନ୍ୟ ମଣିଷମାନଙ୍କ ଉପରେ ଅଧିକ ଥିବା ଦୃଷ୍ଟିରୁ ଏଭଳି ଏକ ଚେତନା ଅନ୍ୟ ମଣିଷମାନଙ୍କୁ ମଧ୍ୟ ସଂକ୍ରମିତ ହେବାରେ ଲାଗିଲା । ଫସଲ ଉତ୍ପାଦନ ପାଇଁ ଅନେକ ଜମି ନିଜ ଦଖଲରେ ରଖିବାର ଲୋଭ ଯୋଗୁଁ ହେଉ ବା ନିଜର ପତିଆରା ସାବ୍ୟସ୍ତ କରିବାପାଇଁ ଅନେକ ଭୂଖଣ୍ଡକୁ ନିଜ ନିୟନ୍ତ୍ରଣକୁ ଆଣିବା କଥା ହେଉ ବା ନିଜ ନିୟନ୍ତ୍ରଣକୁ ଆସିଥିବା ମାଟିର ତଳେ ଓ ଉପରେ ଥିବା ପଥରଗୁଡ଼ିକୁ ନେଇ ବେପାର ବଣିଜ କରି ପ୍ରଚୁର ଲାଭ ଉଠାଇବା ଦୃଷ୍ଟିରୁ ହେଉ – ମାଟିକୁ ମା’ର ଭୂମିକାରୁ ତଳକୁ ଖସାଇ ନିଜର ପ୍ରାଚୁର୍ଯ୍ୟ ନିର୍ମାଣ ପାଇଁ ଏକ ବିଚିତ୍ର ମାଧ୍ୟମ ହିସାବରେ ମଣିଷ ବିଚାର କରିବା ଆରମ୍ଭ କଲା । ଭାରତୀୟ ପୁରାଣ ସାହିତ୍ୟରେ ମାଟିକୁ ନେଇ ଘଟିଥିବା ଘଟଣାଗୁଡ଼ିକ ସମ୍ପର୍କରେ ଅବଗତ କରାଯାଇଛି । ସବୁଠାରୁ ମନେରଖିଲା ଭଳି ବକ୍ତବ୍ୟ ଥିଲା ଦୁର୍ଯ୍ୟୋଧନଙ୍କର । ନିଜର ପ୍ରିୟ ପାଣ୍ଡବମାନଙ୍କ ପାଇଁ ପାଞ୍ଚଟି ଗାଁ ମାଗିବା ଉଦ୍ଦେଶ୍ୟରେ ଶ୍ରୀକୃଷ୍ଣ ଦୁର୍ଯ୍ୟୋଧନଙ୍କର ଦ୍ୱାରସ୍ଥ ହୋଇଥିଲେ । ଉତ୍ତର ମିଳିଥିଲା, ‘ବିନା ଯୁଦ୍ଧେ ଦେବିନାହିଁ ସୂଚଗ୍ର ମେଦିନି’ । ଦୁର୍ଯ୍ୟୋଧନଙ୍କ ବକ୍ତବ୍ୟ ପଛରେ ନିଜର ଔଦ୍ଧତ୍ୟ ବା ମାଟିର ମୋହ କେତେଥିଲା ଭିନ୍ନକଥା ମାତ୍ର ପାଞ୍ଚଜଣ ପାଣ୍ଡବଙ୍କ ପାଇଁ ପାଞ୍ଚଟି ଗାଁ ଭିକ୍ଷାକରିବା କଥାଟିକୁ ଅଣଦେଖା କରାଯାଇ ନପାରେ । ଗୋଟିଏ ଘର ବା ଗୋଟିଏ ଗାଁ ବି ଯଥେଷ୍ଟ ହୋଇପାରିଥାନ୍ତା ।

ଏଥିରେ ଜଡ଼ିତ ଅନ୍ୟାନ୍ୟ ବିଷୟଗୁଡ଼ିକ ଭିତରକୁ ନଯାଇ ଏତିକିି କୁହାଯାଇପାରେ ଯେ ମାଟିର କଳେବରକୁ ପତିଆରାର ପରିଧି ଭିତରକୁ ଆଣିବାର ଉନ୍ମାଦନା ମହାଭାରତ ରଚନାକାଳ ସମୟରୁ ହିଁ ରହିଆସିଛି । ସେଥିପାଇଁ ଇତିହାସ ଯୁଗରେ ମଧ୍ୟ ମାଟିକୁ ଭାଗ ଭାଗ କରି ତାକୁ ଅକ୍ତିଆର କରିବାର ମାନସିକତା ଯୋଗୁଁ କେତେଯେ ଯୁଦ୍ଧ ସଙ୍ଗଠିତ ହୋଇଛି ତା’ର ହିସାବ ନାହିଁ । ଗୋଟିଏ ଗୋଟିଏ ଭୂଖଣ୍ଡକୁ ଭୋଗ ଦଖଲ କରି ତା’ର ସମ୍ପଦକୁ ଲୁଣ୍ଠନ କରିବାର ପ୍ରବଣତା ଯୋଗୁଁ ଉପନିବେଶବାଦ ଜନ୍ମନେଇଥିଲା । ବିଶିଷ୍ଟ ବୁଦ୍ଧିଜୀବୀ ନୁଆମ୍ ଚୋମସ୍କି ୧୯୯୩ ମସିହାରେ ଗୋଟିଏ ପୁସ୍ତକ ରଚନା କରିଥିଲେ ଯାହାର ନାଁ ଥିଲା ‘ବର୍ଷ ୫୦୧: ଜୟଯାତ୍ରା ଜାରିରହିଛି’(year 501:coquest continues) । କଲମ୍ବସ୍ ଓ ଭାସ୍କଡ଼ଗାମାଙ୍କ ଦ୍ୱରା ଆମେରିକା (୧୪୯୨) ତଥା ଭାରତ(୧୪୯୮)ଭଳି ଅନେକ ଭୂଖଣ୍ଡ ଆବିସ୍କୃତ ହେବା ଦିନଠାରୁ ୟୁରୋପୀୟ ଉପନିବେଶକାରୀମାନଙ୍କର ଯେଉଁ ବିଜୟ ଅଭିଯାନ ଆରମ୍ଭ ହୋଇଥିଲା ତାହା ତଥାକଥିତ ସଫଳ ମୁକ୍ତି ସଂଗ୍ରାମ ବା ଉପନିବେଶବାଦର ଔପଚାରିକ ଅନ୍ତ ହେଲାପରେ ମଧ୍ୟ ଏବେବି ଜାରିରହିଛି । ସମଗ୍ର ବିଶ୍ୱର ‘ମାଟି’ ଉଦ୍ଧତ ଅର୍ଥନୈତିକ ଶକ୍ତିମାନଙ୍କ କବଳକୁ ଚାଲିଯାଉଛି । ଗତ ଦଶବର୍ଷ ଭିତରେ ସମଗ୍ର ବିଶ୍ୱରେ ଗରିବ ଦେଶମାନଙ୍କର ମାଟିକୁ ଧନୀ କମ୍ପାନୀମାନେ କିଣି ଚାଲିଛନ୍ତି । ଏମିତିରେ ୫୦ଲକ୍ଷ ହେକ୍ଟର ଜମି କିଣାବିକା ସରିଛି । ସବୁଠାରୁ ଚିନ୍ତା କଲାଭଳି କଥାଟି ହେଉଛି ଯେ ଅନାହାରରେ ସଢ଼ୁଥିବା ଇଥୋପିଆ ଭଳି ଏକ ଦେଶରେ ଭାରତର କରୁଟୋରୀ ନାମକ ଏକ କମ୍ପାନୀ ୩ଲକ୍ଷ ୧୧ହଜାର ହେକ୍ଟର ଜମି କିଣି କୃଷି ଉତ୍ପାଦନ କରି ବିଦେଶକୁ ଉତ୍ପାଦିତ ଦ୍ରବ୍ୟ ରପ୍ତାନୀ କରିବା ପାଇଁ ସେ ମାଟିରେ ଆସ୍ଥାନ ଜମାଇଛି । କେବଳ ସେ ଗୋଟିଏ କମ୍ପାନୀ ନୁହେଁ, ଏମିତିରେ ଭାରତର ୮୦ଟି କମ୍ପାନୀ ଦରିଦ୍ର ଦେଶମାନଙ୍କରେ ଜମି କିଣିବାରେ ଲାଗିପଡ଼ିଛନ୍ତି ।

ବିଶ୍ୱରେ ମାଟିକୁ ନେଇ ସୌଦା ଚାଲିଥିବା ପ୍ରକ୍ରିୟା ଭିତରେ ମାଟିର ମଣିଷମାନଙ୍କର ପ୍ରତିବାଦ/ ପ୍ରତିରୋଧ/ ସଂଘର୍ଷର ସ୍ୱର ମଧ୍ୟ ଶୁଣିବାକୁ ମିଳୁଛି । ଅନେକ ମୂଲ୍ୟ ଦେଇ ସେମାନେ ମା’ମାଟି ପାଇଁ ସଂଘର୍ଷକୁ ଜାରିରଖିଛନ୍ତି । ତେବେ ମାଟିକୁ ନେଇ ଯେଉଁ ଚେତନା ପ୍ରକୃତି ସହ ରହିଆସିଥିବା ମଣିଷ (ଯାହାଙ୍କୁ ଆମେ ଆଦିବାସୀ କହୁ) ମାନଙ୍କର ମନଭିତରେ ରହିଛି ସେହିଭଳି ଚେତନା ତଥାକଥିତ ସଭ୍ୟ ସମାଜରେ ନାହିଁ । ପ୍ରକୃତି ସହ ରହିଆସିଥିବା ମଣିଷମାନଙ୍କର ମାଟିକୁ ନେଇ ଚେତନା ଜୀବନଯାତ୍ରାର ଆଦ୍ୟପର୍ବରୁ ଯାହା ଥିଲା ତାହାହିଁ ରହିଆସିଛି, ଯଦିଓ ସେମାନଙ୍କ ଭିତରୁ ‘ସଭ୍ୟ’ ହୋଇଯାଇଥିବା ମଣିଷମାନଙ୍କର ଚିନ୍ତା ଭିନ୍ନ ହୋଇଚାଲିଛି । କିନ୍ତୁ ସଭ୍ୟ ସମାଜରେ ମଣିଷର ସମ୍ପଦ, ଲାଭ ଓ ଲୋଭ ଇତ୍ୟାଦି ଅପ୍ରାକୃତିକ ଉପାଦାନକୁ ନେଇ ଚିନ୍ତା ଓ ଚେତନାରେ ଆସିଥିବା ପରିବର୍ତ୍ତନକୁ ଆଧାର କରି ମାଟିକୁ ନେଇ ଥିବା ଚେତନାରେ ପରିବର୍ତ୍ତନ ଆସିଛି ।

ଅର୍ଥାତ୍ ନିୟମଗିରିର ଡଙ୍ଗରିଆମାନେ ମାଟିକୁ କେବଳ ନିଜର ନୁହେଁ ସମସ୍ତ ଜୀବସତ୍ତାର ମା’ ବୋଲି ଆବାହମାନ କାଳରୁ ଏଯାଏଁ ନିଜ ଚେତନାକୁ ନେଇ ଦୃଢ଼ ରହିଥିବାବେଳେ, ଆଧୁନିକ ମଣିଷ କେଉଁ ମାଟିରେ କେଉଁ ମୂଲ୍ୟବାନ ନୀର୍ଜିବ ବସ୍ତୁ ଲୁଚିରହିଛି ଯାହାର ବିନିଯୋଗ ଦ୍ୱାରା ନିଜର ଶୁଖ ସମ୍ଭୋଗକୁ ଅଧିକ ବ୍ୟାପକ କରାଇହେବ ସେଭଳି ଏକ ଚେତନାକୁ ପ୍ରାଥମିକତା ଦେଇଆସିଛି । ସେଥିପାଇଁ ଯଦି ସବୁ ଜୀବ ସମେତ ଅଦରକାରୀ ବିଚାର କରାଯାଉଥିବା ମଣିଷମାନେ ବି ବିଲୁପ୍ତ ହୁଅନ୍ତି ଆଧୁନିକ ମଣିଷର ସେଥିପାଇଁ ଚିନ୍ତାନାହିଁ । ସେମାନଙ୍କ ଭିତରୁ ଚାଲାକଚତୁର ମଣିଷମାନେ ମାଟି ଓ ସୁଖସମ୍ଭୋଗ ଭିତରେ ଏକ ସନ୍ତୁଳନ ଆଣିହେବ ଏଭଳି ଏକ ପ୍ରବଞ୍ଚନାର ପ୍ରଚାର ମଧ୍ୟ କରିଥାନ୍ତି । ଆଧୁନିକ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ସେ ସବୁକୁ ପ୍ରୋତ୍ସାହିତ କରୁଥିବା ପୁଞ୍ଜି ମାଟିର ଭବିଷ୍ୟତ ସମ୍ପର୍କରେ ଆଦୌ ଚିନ୍ତିତ ନୁହେଁ । ଖଣିଖାଦାନ୍‌, ଶିଳ୍ପ କଥା ତ ପରେ ଆସିବ । ସବୁଜ ବିପ୍ଳବ ଭଳି ମାଟି ବିଧ୍ୱଂସକାରୀ ପ୍ରଯୁକ୍ତିବିଦ୍ୟାର ପରିକଳ୍ପନା ଦିନେ କରାଯାଇଥିଲା ଭାବି ହେଉନାହିଁ । ମାଟିର ସ୍ଥିତି ଓ ଭବିଷ୍ୟତ ଏବଂ ତା ସହିତ ମଣିଷ ସମେତ ଅନେକ ଜୀବସତ୍ତାର ଅସ୍ତିତ୍ୱ ତଥା ଭବିଷ୍ୟତ ଅବିଚ୍ଛେଦ୍ୟ ଭାବେ ଯୋଡ଼ିହୋଇ ରହିଛି ଏକଥା ଆଧୁନିକ ପ୍ରଯୁକ୍ତିବିଦ୍ୟା ଓ ପୁଞ୍ଜି ସ୍ୱୀକାର କରିବା ପାଇଁ ପ୍ରସ୍ତୁତ ନୁହେଁ ।

ସାରାଂଶରେ କହିବାକୁ ଗଲେ ମାଟିକୁ ନେଇ ପ୍ରକୃତି ସହିତ ଯୋଡ଼ିହୋଇ ରହିଥିବା ଲୋକମାନଙ୍କର ଚିନ୍ତା ଓ ଚେତନା ଅପରିବର୍ତ୍ତିତ ରହିଥିବା ବେଳେ ପ୍ରକୃତିଠାରୁ ଦୂରେଇ ରହିଥିବା ତଥାକଥିତ ସଭ୍ୟ ମଣିଷର ଚେତନାରେ ଭୟଙ୍କର ପରିବର୍ତ୍ତନ ଆସିଛି ଯାହାକି ମାଟିର ସ୍ଥିତିକୁ ବିପନ୍ନ କରିଦେଇଛି । ମାଟି କେବଳ ମଣିଷର ନୁହେଁ ସମଗ୍ର ଜୀବଜଗତର ମା’ ଏକଥା ମଣିଷ ଭୁଲିଯାଉଛି । ଏମିତିକି ସେ ନିଜେ ମଧ୍ୟ ମାଟିକୁ ମା’ ଭଳି ଦେଖିବା ପାଇଁ ଆଉ ପ୍ରସ୍ତୁତ ନୁହଁ ।

ମାଟିକୁ ମା’ କହି କେତୋଟି ମୁହୂର୍ତ୍ତ ପାଇଁ ସେ କେଉଁ ଗୀତ ଗାଉଛି ତାହା ବଡ଼କଥା ନୁହଁ । ନିଜ ଜୀବନ, ସଂସ୍କୃତି, ଚିନ୍ତା, ଚେତନା ଓ ଆଚରଣରେ ସେ ମାଟିକୁ କେଉଁ ସ୍ଥାନ କେତେ ନିଷ୍ଠା ଓ ଆନ୍ତରିକତାର ସହ ଦେଇଛି ତାହା ଆଜିର ସମୟରେ ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ କଥା । ତେବେ ଲାଭ ଓ ଲୋଭର ସାମ୍ରାଜ୍ୟ ଚଳାଉଥିବା ଶକ୍ତିମାନେ ଆଧୁନିକ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ଆୟୁଧ କରି ବଜାର ଓ ଗଣମାଧ୍ୟମକୁ ସାଥିରେ ଧରି ଏଭଳି ଏକ ଭ୍ରମାତ୍ମକ ବିଚାର ସଭ୍ୟ ମଣିଷମାନଙ୍କ ଭିତରେ ଭରିଦେଇ ଚାଲିଛନ୍ତି ଯେ ଆଗାମୀ ଦିନରେ ମାଟିକୁ ନେଇ ଆଉ ଗୀତ ବା କବିତା ଲେଖିହେବ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ମାଟିର ମଣିଷ ବା ପ୍ରକୃତିକୁ ଅତି ନିବିଡ଼ଭାବେ ଧରିରହିଥିବା ମଣିଷମାନଙ୍କୁ ଅତି ନିକଟରୁ ବୁଝିବାକୁ ଯଦି ଆମେ ଚେଷ୍ଟାକରିବା ଏଭଳି ଏକ ଆଶଙ୍କାକୁ ଅତିକ୍ରମ କରିବା ପାଇଁ ଆମେ ଉଭୟ ଶକ୍ତି ଏବଂ ଜ୍ଞାନ ସଂଗ୍ରହ କରିପାରିବା ।

Photo credit – https://bit.ly/3xVFTrb

About ସୁଧୀର ପଟ୍ଟନାୟକ

ସୁଧୀର ପଟ୍ଟନାୟକ
ଗୀତିକାର , ସମଦୃଷ୍ଟି ପାକ୍ଷିକ ପତ୍ରିକାର ସମ୍ପାଦକ, ମୁକ୍ତ ସାମ୍ବାଦିକ, ସମାଜବିଜ୍ଞାନୀ

Check Also

ସୁସ୍ଥ ସମାଜ ଗଠନରେ ସଙ୍ଗୀତ

“ଯନ୍ତ୍ର ତତେ କି ମନ୍ତ୍ର ଦେଉଛି    ମାଟିର ମଣିଷ ଆରେ, ମୁଗ୍ଧ ତୋହର ଚିତ୍ତ ଗହନେ     ଚିନ୍ତି …

Leave a Reply

Your email address will not be published. Required fields are marked *