Home / ସମୀକ୍ଷା / ପୁସ୍ତକ ସମୀକ୍ଷା / ଭୁବନେଶ୍ୱର ବେହେରାଙ୍କ ଗଳ୍ପରେ କଳାହାଣ୍ଡିର ଜନଜୀବନର ଚିତ୍ର

ଭୁବନେଶ୍ୱର ବେହେରାଙ୍କ ଗଳ୍ପରେ କଳାହାଣ୍ଡିର ଜନଜୀବନର ଚିତ୍ର

କଳାର ହାଣ୍ଡି କଳାହାଣ୍ଡି । ନୈସର୍ଗିକ ପ୍ରକୃତିର ଅନୁପମ ଭୂଖଣ୍ଠ କଳାହାଣ୍ଡି । ତା’ର ଢେଉ ଢେଉକା ପାହାଡ଼, ନିଘଞ୍ଚ ଜଙ୍ଗଲ, ଛନ୍ଦାୟିତ ନଦୀ, ସୁନାର କିଆରୀ ଓ ହସନ୍ତ ମଣିଷ ଭିତରେ ଯେଉଁ ଜୀବନ ରହିଛି ତାହା ଅନେକଙ୍କୁ ମୁଗ୍ଧ-ଚକିତ କରେ । ଏଠିକାର ଗୁଡ଼ହାଣ୍ଡି ପାହାଡ଼ର ଗୁମ୍ପାଚିତ୍ର ବହନକରେ ପ୍ରାଗୈତିହାସିକ ଯୁଗର ସ୍ୱାକ୍ଷର । ଏ ମାଟିରେ ଦିନେ ଗଢ଼ି ଉଠିଥିଲା ଏକ ଉନ୍ନତ ନଗର ସଭ୍ୟତା । ଅସୁରଗଡ଼, ଭୀମକେଲା, ମଦନପୁର ପ୍ରଭୃତି ସ୍ଥାନଗୁଡ଼ିକରୁ ପ୍ରାପ୍ତ ବିଭିନ୍ନ ମୁଦ୍ରା, ପାତ୍ର, ଅସ୍ତ୍ରଶସ୍ତ୍ର, ଅଳଙ୍କାର ଓ ଇଟା ତଥା ଧ୍ୱଂସାବଶେଷ ଅତୀତର ନଗର ଜୀବନକୁ ସୂଚାଇଥାଏ । କଳାହାଣ୍ଡିର ଭୂ-ଗର୍ଭରେ ଭରିରହିଛି ମୂଲ୍ୟବାନ୍ ରତ୍ନପଥର ଓ ଧାତୁ ।

କଳାହାଣ୍ଡିର ସଂସ୍କୃତି ଏକ ପ୍ରାଚୀନ ସଂସ୍କୃତି । ଲୋକଗୀତ, ଲୋକନୃତ୍ୟ, ଲୋକବାଦ୍ୟ, ଲୋକକଳାରେ ଭରପୂର ରହି ଏହି ମାଟିର କଳା ଓ ସଂସ୍କୃତି ଅନନ୍ୟ । ଏହି ଲାସ୍ୟମୟୀ – ହାସ୍ୟମୟୀ ମାଟିରେ କ୍ରମାଗତ ଅନାବୃଷ୍ଟି ଓ ମରୁଡ଼ି ହୋଇ ଭାଙ୍ଗିଦେଲା ଚାଷୀର ମେରୁଦଣ୍ଡ । ଜିଲ୍ଲା ଓ ରାଜ୍ୟ ବାହାରୁ ଆସିଥିବା କିଛି ଧୂର୍ତ୍ତ ସ୍ୱାର୍ଥପରଙ୍କ ଶୋଷଣରେ ଦୋହଲିଗଲା ଏଇ ମାଟିର ମଣିଷ । ଦାରିଦ୍ର‌୍ୟ, ଅନାହାର, ପିଲାବିକ୍ରିର ଅପବାଦରେ ଚର୍ଚ୍ଚିତ ହେଲା କଳାହାଣ୍ଡି ।

କଳାହାଣ୍ଡିର ନିପଟ ଗାଁରେ ଜନ୍ମଗ୍ରହଣ କରିଥିବା କଥାଶିଳ୍ପୀ ପ୍ରଫେସର ଭୁବନେଶ୍ୱର ବେହେରା ବାଲ୍ୟକାଳରୁ ଏଠିକାର ଅଧିବାସୀମାନଙ୍କ ଜୀବନ ଶୈଳୀ, ସମାଜ ବ୍ୟବସ୍ଥା, ଧର୍ମଧାରଣା, ପର୍ବପର୍ବାଣୀ, ରୀତିନୀତି, ଐତିହ୍ୟ ଓ ପରମ୍ପରା ସହିତ ବେଶ୍ ପରିଚିତ । ଜୀବନର ଉତ୍ତରକାଳରେ ଲେଖନୀ ଚାଳନା କରି ପ୍ରସିଦ୍ଧି ଲାଭ କରିଥିବା ଏହି ପ୍ରଥିତଯଶା କଥାକାର ଯେତେବେଳେ ସୃଷ୍ଟି ମନସ୍କ ହୋଇଛନ୍ତି, ଏସବୁ ଓହ୍ଲେଇ ଆସିଛନ୍ତି କାହାଣୀ ଭିତରକୁ ।

ଏକ ଅନୁନ୍ନତ ଓ ଦରିଦ୍ର ଜିଲ୍ଲା ଭାବରେ ଚର୍ଚ୍ଚିତ କଳାହାଣ୍ଡିର ଅଧିବାସୀମାନେ ଏବେ ବି ନିର୍ବାହ କରୁଛନ୍ତି ପାରମ୍ପରିକ ଜୀବନ । ବିଶେଷତଃ ଏମାନେ କୃଷି ଉପରେ ନିର୍ଭରଶୀଳ । ଯେଉଁମାନଙ୍କ ନିଜସ୍ୱ ଚାଷଜମି ନାହିଁ ସେମାନେ ମହାଜନ ପାଖରେ ହଳିଆ ହୋଇ ବର୍ଷସାରା କାମ କରନ୍ତି ଓ ଆଉ କେତେକ ବ୍ୟକ୍ତି କୃଷିଶ୍ରମିକ ଭାବରେ ଜୀବିକା ନିର୍ବାହ କରନ୍ତି । କ୍ରମାଗତ ଦୁର୍ଭିକ୍ଷ କୃଷକକୁଳର ଦାଉ ସାଧିବାରୁ କଳାହାଣ୍ଡିର ମାଟିର ମଣିଷ ଦାଦନ ଶ୍ରମିକ ହୋଇ ଯାଉଛି ଜିଲ୍ଲା ଓ ରାଜ୍ୟ ବାହାରକୁ । ଏହାର ଚିତ୍ର ମିଳେ ଭୁବନେଶ୍ୱର ବେହେରାଙ୍କ “ଫରଫର ଉଡ଼େ ପଣତକାନି” ଗଳ୍ପରେ । ଏହି ଗଳ୍ପରେ ନବଦମ୍ପତ୍ତି ଟୁଲୁ ଶବର ଓ ଭଏଁରୀ ଗାଆଁ ଲୋକଙ୍କ ସହିତ ଯାଆନ୍ତି ନବରଙ୍ଗପୁରକୁ ବନ୍ଧ ତିଆରି କାମ ପାଇଁ ।

କଳାହାଣ୍ଡିର ଅଖ୍ୟାଦ ଗାଁରେ ଭୂମିଷ୍ଠ ହୋଇଥିବା ଗାଳ୍ପିକ ଭୁବନେଶ୍ୱର ବେହେରାଙ୍କ ଅଦମନୀୟ ଆକର୍ଷଣ ନିଜର ଜନ୍ମମାଟି ପ୍ରତି ପ୍ରଚୁର ଥିବାର ପ୍ରମାଣ ତାଙ୍କର ଅଧିକାଂଶ ଗଳ୍ପରେ ପରିଲକ୍ଷିତ ହୁଏ । ଯେଉଁ ମାଟିର କୋଳରେ ଗାଳ୍ପିକଙ୍କ ବାଲ୍ୟକାଳ କଟିଛି, ସେଠିକାର ମାଟି-ପାଣି-ପବନ ତାଙ୍କୁ ବିଭୋର କରିଛି ସାରା ଜୀବନ । ପୋଖରୀ ତୁଠ, ଗ୍ରାମପଥ, ଡଙ୍ଗର, ଦୂର ପାହାଡ଼ର ମାଙ୍କଡ଼ବିଭା, ପାଲଟା ବାଘ, ନାଟତାମସା, ଜହ୍ନରାତିର ବୋରିଆ ନାଚ, ପୁଷପୁନି, ନୂଆଖାଇ, ଡୁଡୁଖେଳ, ବୋହୁଚୋରୀ, ଚପଳ ଦୁଷ୍ଟାମି ପ୍ରଭୃତି ଶୈଶବର ସ୍ମୃତି ଚିରସବୁଜ ହୋଇ ଭୁବନେଶ୍ୱର ବେହେରାଙ୍କ ମାନସପଟରେ ଜମାଟ ବାନ୍ଧି ପରବର୍ତ୍ତୀ ସମୟରେ ଗଳ୍ପର କଞ୍ଚାମାଲ ହୋଇଛି । ଆଦିବାସୀ ଜନଜୀବନ ସହିତ ବାଲ୍ୟକାଳରୁ ଜଡ଼ିତ ଭୁବନେଶ୍ୱରବାବୁଙ୍କ କଥାପୁରୁଷ ଆତ୍ମାରେ ଏକ ଶ୍ରଦ୍ଧାବାନ୍ ଗ୍ରାମୀଣ ମଣିଷ ।

‘ଫରଫର ଉଡ଼େ ପଣତକାନି’, ‘ବିଲେଇ’, ଚିତ୍ରି ଓ ତାର ପୁଷ୍‌ପରବ’, ‘ବାମନ ଓ ଚନ୍ଦ୍ରମା’, ‘ଡୁକା କନ୍ଧ’, ‘କୃଷ୍ଣଚୂଡ଼ା ଠାକୁରାଣୀ’ ପ୍ରଭୃତି ଗଳ୍ପ ଗ୍ରାମ୍ୟ ଜୀବନ ଓ ପରିବେଶ ଉପରେ ଆଧାରିତ । ଟୁଲ୍ଲ ଶବର ଓ ଭଏଁରୀକୁ କେନ୍ଦ୍ର କରି ଗଢ଼ି ଉଠିଛି ‘ଫର ଫର ଉଡ଼େ ପଣତକାନି’ ଗଳ୍ପ । କଳାହାଣ୍ଡି ଜିଲ୍ଲାର ଏକ ନିପଟ ମଫସଲରେ ରହନ୍ତି ଏହି ଶବର ଦମ୍ପତ୍ତି । ଭଏଁରୀକୁ ଶାଢ଼ିଟିଏ – କିଣିଦେବାର ମନସ୍କ କରିଥିବା ଟୁଲ ଶବର ଘରଦୁଆରକୁ ହରି ଭୁଲିଆ ଶାଢି ବିକିବାକୁ ଆଣିଥିବା ସତ୍ତ୍ୱେ ଟୁଲୁ ତାହା କିଣିପାରି ନାହିଁ କିମ୍ବା ନିକଟସ୍ଥ ହାବସପୁର ହାଟରୁ ମଧ୍ୟ କିଣିନାହିଁ; ବରଂ ସୁଦୂର ଭବାନୀପାଟଣାରୁ ଏକ ଧୂର୍ତ୍ତ ଲୁଗାଦୋକାନୀ ରାମହରି ଶେଠ୍ ପାଖରୁ କିଣିଛି ।

ଗାଁର ମଣିଷ ରାତିର ଶେଷ ପ୍ରହରର କୁକୁଡ଼ା ଡାକକୁ ରାତି ପାହିବାର ସୂଚନା ବୋଲି ଭାବେ; ଯାହାକୁ ଚମତ୍କାର ଢଙ୍ଗରେ ଗାଳ୍ପିକ ଭୁବନେଶ୍ୱର ‘ଫର ଫର ଉଡ଼େ ପଣତକାନି’ରେ ଉପସ୍ଥାପନ କରିଛନ୍ତି । “ରାତ୍ରିର ଗହରିଆ ଅନ୍ଧାରକୁ ଚହଲାଇ ଦେଇ କୁକୁଡ଼ାଟିଏ ଡାକିଲା ‘କଅକରେ – କକ୍‌’ । କେମିତି ଗୋଟାଏ ଅଦ୍ଭୁତିଆ ସେଲ୍‌କା ସ୍ୱରର ସେ ଡାକ । ସେତିକି ଡାକୁ କିନ୍ତୁ ଭଏଁରୀ ପାଇଁ ଥିଲା ଯଥେଷ୍ଟ’ । ସେ ତା ପତଳା ନିଦରୁ ଚମକି ଉଠି ଟୁଲକୁ ଜୋରରେ ହଲେଇ ଦେଇ କହିଲା – ‘ଏ ଉଠ୍ । ସକାଳ ହେଇଗଲା । ବସ୍ ଆସିଯିବ । (‘ଫର ଫର ଉଡ଼େ ପଣତାକାନି’:ପୃ-୧) ।

କଳାହାଣ୍ଡିର ପ୍ରଭାତକାଳୀନ ଗ୍ରାମ୍ୟ ପରିବେଶ ଗୋବର ପାଣିର ଛେରାରେ ମହକି ଉଠେ । ସେହି ସମୟର ଦୃଶ୍ୟକୁ ମାତ୍ର ଦୁଇଧାଡ଼ିରେ ଗାଳ୍ପିକ ଆଙ୍କିଛନ୍ତି । ପାଣି ମାଠିଆର ତଳୁଆ ପାଣିରୁ ଦି’ ଆଞ୍ଜୁଳା ଆଖିରେ ଛାଟିଦେଇ ମୁହଁ ପୋଛିନେଲା ଭଏଁରୀ । ଛୋଟ ମାଟି ଆଟିକାରେ ମାଠିଆରୁ ପାଣି ଟିକିଏ ଢାଳି ମେଞ୍ଚାଏ ଗୋବର ଗୋଳି ଦାଣ୍ଡରେ ଛେରା ଦେଉଁ ଦେଉଁ କେତେ କଥା ଭାବି ଯାଉଥିଲା । (‘ଫର ଫର ଉଡ଼େ ପତାକାନି : ପୃ-୧) ।

କଳହାଣ୍ଡିର ଗରିବ ଗାଉଁଲି ମଣିଷର ଦାରିଦ୍ର‌୍ୟ ସୂଚାଇବାକୁ । ଯାଇ ଗାଛିକ କହିଛନ୍ତି – ‘ବିକଳିଆ ଝୁଲା ଠିକିରି ଖଟରେ କରିଆ ଖଣ୍ଡିଏ ବିଛାଇ ଦେଇ ଶୋଇଥିଲା ଟୁଲୁ । ନୂଆଶାଢ଼ି ଖଣ୍ଡିଏ ପିନ୍ଧିବା ବୋଧହୁଏ ତା’ ଭାଗ୍ୟରେ ନାହିଁ । ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି ।’ (ଫର ଫର ଉଡ଼େ ପଣତାକାନି’ : ପୃ-୨) ଏହି ବାକ୍ୟ ତିନୋଟି ଭିତରେ ଗାଳ୍ପିକ ବାନ୍ଧି ରଖିଛନ୍ତି ଦାରିଦ୍ର‌୍ୟକୁ । ତଥାପି ଏହି ଦୈନ୍ୟ ଭିତରେ ବି ଟୁଲୁ ଓ ଭଏଁରୀ ଟଙ୍କା ସଞ୍ଚୟ କରି ରଖିଛନ୍ତି ଶାଢ଼ିଟିଏ କିଣିବାକୁ । ଟୁଲୁ ଶାଢ଼ି କିଣିବାକୁ ଭବାନୀପାଟଣା ଯିବ ବୋଲି ଭଏଁରୀ ସଞ୍ଚିତ ଟଙ୍କା କାଢ଼ିବାକୁ ଯାଇଛି । ଗାଳ୍ପିକ ବେହେରାଙ୍କ ଭାଷାରେ – ‘ହଠାତ୍ ତରତର ହୋଇ ଘର ଭିତରକୁ ପଶିଗଲା ଭଏଁରୀ । ପାଳବିଣ୍ଡାର ନିଆଁ ଫୁଙ୍କି ସେ କିରୋସିନି ଡିବିରି ଧରାଇଦେଲା । ଶିକାରେ ଝୁଲୁଥିବା ମାଟି ଆଟିକା ଓହ୍ଲାଇ ଆଣି ସେ ଭିତରୁ ବାହାର କଲା ଗୋଟିଏ ଛୋଟ ବାଉଁଶ ପେଟି । ଡିବିରି ପାଖରେ ସେ ପେଟିଟିକୁ ଥୋଇ ଗୋଟିଏ କରି ଚିପୁଟା ନୋଟ୍‌ସବୁ କାଢ଼ି ତାକୁ ସିଧା କରିକରି ଗଣି ବସିଲା । ଦୁଇ ଆଉ ଦୁଇ ଆଙ୍ଗୁଠି ମିଶାଇ ଜାଣିଲା ଚାରି, ପୁଣି ଦୁଇ, ଏକ, ପାଞ୍ଚ… କୋଡ଼ିଏ ଆଉ ପାଞ୍ଚ । ଆଉ ଆଠଣି, ଚାରଣି, ଦଶ ପଇସି, ପାଞ୍ଚ ପଇସି ସବୁ ମିଶି ଆଉ ଦୁଇ ଟଙ୍କା । ବାସ୍ ସେତିକି । (ଫର ଫର ଉଡ଼େ ପଣତାକାନି’:ପୃ-୩) ଏଥିରୁ କଳାହାଣ୍ଡିର ନିରକ୍ଷର ଗଣିତ ପାଠ ସ୍ପଷ୍ଟ ହୋଇଛି ।

ଏହି ଗଛରେ ଶବର ଦମ୍ପତ୍ତିଙ୍କର ଦାରିଦ୍ର‌୍ୟ ଚିତ୍ରଥିବା ସତ୍ତ୍ୱେ୍ୱ ଗାଳ୍ପିକ ଲଘୁ ହାସପରିହାସର ବର୍ଣ୍ଣନା କରିଛନ୍ତି । ଗଳ୍ପ ନାୟକ ଟୁଲୁ ଶବର ଶୋଇ ରହିଛି । ଭବାନୀପାଟଣା ଯିବା ଗାଡ଼ିର ସମୟ ହୋଇ ଯାଇଥିବ ବୋଲି କୁକୁଡ଼ା ଡକା ବେଳେ ଭଏଁରୀ ତାକୁ ଉଠାଇ ଦେଇଛି । କିନ୍ତୁ ପାହାନ୍ତି ପ୍ରହରର ନିଦର ସ୍ୱାଦକୁ ଛାଡ଼ି ପାରିନି ଟୁଲୁ । କୁକୁଡ଼ା ଡାକକୁ ସେ ଗୁରୁତ୍ୱ ଦେଇନି । ଏଠାରେ ଗାଳ୍ପିକ କହନ୍ତି – “ ଆଖି ଖୋଲି ବାହାରର ଅନ୍ଧାର ଆଡ଼କୁ ଟିକିଏ ଅନାଇଁ ଦେଇ କଡ଼ ଲେଉଟାଇ ସେ କହିଲା – ବାଉଳା ହେଲୁ ଏବେତ ଅଧରାତି ହେଇଛି । କେଉଁ ଗୋଟାଏ କୁକୁଡ଼ା ନିଦ ବାଉଳାରେ ତା’ର ପହିଲି ଡାକ ଡାକି ଦେଲା ଯେ ତୁ ଛାନିଆ ହେଉଛୁ । ଗୋବିନ୍ଦର ସେ କଣା କୁକୁଡ଼ା ହୋଇଥିବ । ଗୋବିନ୍ଦ ଯେମିତି କି ତାର ସେ କୁକୁଡ଼ା ବି ସେମିତି । ସକାଳ ହୋଇନି ଶୋଇଯା’ । (‘ଫର ଫର ଉଡ଼େ ପଣତାକାନି’ : ପୃ-୧)

କଳହାଣ୍ଡିର ଧାଙ୍ଗିଡ଼ୀର ସଜେଇହେବା କଥାକୁ ମଧ୍ୟ ବର୍ଣ୍ଣନା : କରିଛନ୍ତି ଗାଳ୍ପିକ । ଟୁଲୁ ହାଟରୁ ନାଲି ରିବନ୍ ଦି’ହାତ କିଣିଆଣି କହିଛି – ‘ତେଲ ହଳଦୀ ଜରଜର କରି ମାଖି ଦେଇଥିବୁ – ଲାଲ ଶାଢ଼ି ଖଣ୍ଡେ ପିନ୍ଧିଥିବୁ, ଏ ରିବନ୍ ଖଣ୍ଡିକ ତୋ ରୂପା ପାନିଆ ବେଣୀରେ ଗୁନ୍ଥି ଦେଇ ଚକାବେଣୀ କରିଥିବୁ, ମଝିରେ ପାରି ଦେଇଥିବୁ ସେ ରୂପା ପାନିଆ ଆଉ ଆଡ଼ିକି ଖୋସି ଦେଇଥିବୁ ଦୁଇ ଝୁମା କୁରେ ଫୁଲ । ତୋ ଅଣ୍ଟା ହଲା ଚାଲି ଦେଖିଲା କ୍ଷଣି ଏ ଅଞ୍ଚଳ ଯାକର ଭେଣ୍ଡିଆମାନେ ମୂର୍ଚ୍ଛା ହୋଇଯିବେନି ତ ମୋ ନାଁ ଟୁଲୁ ଶବର ନୁହେଁ – ମାଏ କି!’ (‘ଫର ଫର ଉଡ଼େ ପଣତାକାନି’ ପୃ-୨) ।

ଏହି ଗଳ୍ପର ନାୟିକା ଅଭାବଗ୍ରସ୍ଥା ସତ୍ତ୍ୱେ ନିଜ ଇଜ୍ଜତକୁ ଅନ୍ୟ ପାଖରେ ସମର୍ପି ଦେଇନାହିଁ । ପେଟପାଟଣା ପାଇଁ ଗାଆଁରୁ ନବରଙ୍ଗପୁରକୁ ଟୁଲୁ ଓ ଭଏଁରୀ ଗାଁବାଲାଙ୍କ ସହିତ ବନ୍ଧକାମ କରିବାକୁ ଯାଇଛନ୍ତି । ଭଏଁରୀ ନୂଆ ଭୂଆସୁଣୀ ବୋଲି ଟୁଲୁର ବାପା ଦୂରଦେଶକୁ ଯିବାକୁ ବାରଣ କରିଛି । ତଥାପି ସେମାନେ ଯାଇଛନ୍ତି ନବରଙ୍ଗପୁର । ସେଠାରେ ଭଏଁରୀ ଉପରେ ପଡ଼ିଛି ନିଶୁଆ ସର୍ଦ୍ଦାରର କାମୁକ ଆଖି । ହାଡୁଆ ମୁଁ ମଧ୍ୟ ତାକୁ ପ୍ରବର୍ତ୍ତାଇଛି ସର୍ଦ୍ଦାର ଘରକୁ ସନ୍ଧ୍ୟା ସମୟରେ ଯାଇ ଘଣ୍ଟେ ଦି’ଘଣ୍ଟା କାମ କରିବାକୁ । ତାକୁ ଲୋଭ ଓ ଭୟ ଦେଖାଇଥିଲେ ମଧ୍ୟ ସେ ସେଥିରେ ଭଳି ଯାଇନି । ଲୋଭ ଓ ଭୟରେ ନିଜକୁ ବିକି ଦେଇନି ଭଏଁରୀ; ନିଜ ସତୀତ୍ୱ ଓ ସ୍ୱାମୀର ଜୀବନ ବଞ୍ଚାଇବା ପାଇଁ ସେ ସ୍ୱାମୀ ସହିତ ଫେରିଛି ନିଜ ଗାଁକୁ ।

କଳାହାଣ୍ଡିର ଚିତ୍ର ଥିବା ଆହୁରି ଅନେକ ସଫଳ ଗଳ୍ପ ହେଉଛି ‘ବିଲେଇ’ । ଗଳ୍ପର ମୁଖ୍ୟ ଚରିତ୍ର ‘ବିଲେଇ’ ନାମୀ ନାରୀକୁ ନେଇ ଏହା ଗତିଶୀଳ । ‘ବିଲେଇ’ର ଏହା ପ୍ରକୃତ ନାଁ ନୁହେଁ । ଛୋଟବେଳେ ସେ ପଖାଳ ହାଣ୍ଡିଠାରୁ ଆରମ୍ଭ କରି ଯାବତୀୟ ହାଣ୍ଡିକୁଣ୍ଡି ଦରାଣ୍ଡିବାରେ ସିଦ୍ଧହସ୍ତ ଥିବାରୁ ତାକୁ ତା’ବାପା ଚୋରଣୀ ବିଲେଇ ଡାକୁଡାକୁ ସେ ବିଲେଇ ନାମରେ ହିଁ ପରିଚିତ ହୋଇଯାଇଛି ।

‘ବିଲେଇ’ ଗପରେ କଳାହାଣ୍ଡିର ପ୍ରଚଳିତ ବହୁ ବିବାହ ପ୍ରଥା ଉଲ୍ଲେଖ ରହିଛି । ମଦ କିପରି ଉଚ୍ଛନ୍ନ କରିଦେଉଛି ଜୀବନକୁ ସେସବୁ ମଧ୍ୟ ଏଥିରେ ଗାଳ୍ପିକ ବର୍ଣ୍ଣନା କରିଛନ୍ତି । ବିଲେଇ ଏକାଧିକ ଥର ବିବାହ କରିଛି । ବିଲେଇ ବିଧବା ମାଆ ମଧ୍ୟ ପୁନର୍ବିବାହ କରି ଖୁସିରେ ରହିଛି ।

‘ଚିତ୍ରି ଓ ତା’ର ପୁଷ ପରବ’ ଏକ ବର୍ଣ୍ଣନଧର୍ମୀ ଗଳ୍ପ । ‘ଚିତ୍ରି’ ଚରିତ୍ର ମୁହଁରେ କଳାହାଣ୍ଡିର ‘ପୁଷପରବ’ ବିଷୟ ଏଥିରେ ବର୍ଣ୍ଣିତ । ଗାଳ୍ପିକ ନିଜେ ମଧ୍ୟ ଗଳ୍ପର ଅନ୍ୟ ଏକ ଚରିତ୍ର । ଗ୍ରାମୀଣ ପୃଷ୍ଠଭୂମିରେ ରଚିତ ଏହି ଗଳ୍ପରୁ ଭୁବନେଶ୍ୱର ବେହେରାଙ୍କ କଳାହାଣ୍ଡିର ସାଂସ୍କୃତିକ ଭାବଚେତନା ପ୍ରତି ଥିବା ଶ୍ରଦ୍ଧାବଦ୍ଧତା ବେଶ ଅନୁମେୟ । ପୌଷପୂର୍ଣ୍ଣମାରେ ହେଉଥିବା ‘ପୃଷ ପରବ’ କନ୍ଧମାନଙ୍କର ଏକ ବିଶିଷ୍ଟ ପର୍ବ । ନିଜ ଢଙ୍ଗରେ ଏହି ପର୍ବର ବର୍ଣ୍ଣନା କରିଛି ଚିତ୍ରି । ଏହି ପର୍ବକୁ ପୃଥିବୀର ସମସ୍ତ କୋଣଅନୁକୋଣରୁ ଦେବଦେବୀମାନେ ଆସିଥାନ୍ତି ବୋଲି ଏହାର ବିଶ୍ୱାସ ରହିଛି । ଆଦିବାସୀ ସଂସ୍କୃତି ଉପରେ ଆଧାରିତ ଏହି ଗଳ୍ପର ଅନ୍ୟ ଏକ ବିଶେଷତ୍ୱ ହେଉଛି, ଗାଳ୍ପିକ ବ୍ରାହ୍ମଣଘରର ବୋହୂର ଜୀବନ ସହିତ ଆଦିବାସୀ ବୋହୂର ଜୀବନ ତୁଳନା କରିଛନ୍ତି । ଭୁବନେଶ୍ୱର ବେହେରା ଲେଖିଛନ୍ତି – ‘ମାଁଙ୍କ ଶାଶୁ ମୋ ଜେଜେମା କୁଆଡ଼େ ଭାରୀ ବଦ୍‌ରାଗୀ । ଭୋର କୁକୁଡ଼ା ଡାକିଲେ ଜେଜେମା ମା’ଙ୍କୁ ଉଠାଇବା ବାହାନାରେ ଅଳସା, ଘୁଷୁରି ବେଳ ଉଇଁଲା ଯାଏ କବାଟ କିଳି ଶୋଇଛି କହି ଦିନ ଆରମ୍ଭ କରିଦିଅନ୍ତି । ଭୋକରେ ପେଟ ଜଳି ଯାଉଥାଏ, ଗାଧୋଇ ସାରିଲା ପରେ ବି ମୁଢ଼ି ଗଣ୍ଡିଏ କି ପଖାଳ ତୋରାଣି ମୁନ୍ଦାଏ ମିଳେ ନି ଯେ, ତୁନିତୁନି କାନ୍ଦିବା ହିଁ ସାର ହୁଏ । ଭୋକରେ ପୁଣି ଆରମ୍ଭ ହୁଏ ଦିନ ବେଳର ରନ୍ଧାରନ୍ଧି । ବ୍ରାହ୍ମଣ ଘର-ଭୁଆଷୁଣୀମାନେ ଘରୁ ପଦାକୁ ବାହାରିବା ବି ମନା – କାହା ସାଙ୍ଗରେ କଥା ପଦେ କହିଲେ କେଉଁ କଥାରେ ଟିକେ ହସିଦେଲେ ଖୁଣ୍ଟା-ଅଲାଜୁକୀ ବେସରମ ଘରୁ ଝିଅ ସାଙ୍ଗକୁ ବାପା ମା’ଙ୍କ ଉପରେ ବି ବାଣମାନ ବରଷିଯାଏ । ଅପର ପକ୍ଷରେ କନ୍ଧଘର ବୋହୂ କୌଣସି ଧରଣର ସାମାଜିକ ବନ୍ଧନରୁ ଖୋଲା ପବନ ପରି ମୁକ୍ତ । (‘ଚିତ୍ରି ଓ ତା’ର ପୁଷପରବ’, ପୃ-୩୮) ।

ଏହି ଗଳ୍ପରେ ଗାଳ୍ପିକ କଳାହାଣ୍ଡିର ପ୍ରଚଳିତ ‘ଘିଚା ବିବାହ’ କଥା ଉଲ୍ଲେଖ କରିଛନ୍ତି । ଚିତ୍ରିର ମାଆ ରାଧିକାକୁ ବାହାଦୂର ଟାଣିଦେବାରୁ ଉପୁଜିଥିବା କଳହର ସୂତ୍ରପାତକୁ ଚିଲକପୁରର ଗୌନ୍ତିଆ ସମାଧାନ କରି ଦେଇଛନ୍ତି । ରାଧିକା ବଙ୍କା ପାଇକ ଘରର ଝିଅ ଓ ବାହାଦୂର କନ୍ଧ ଘରର ପୁଅ । ରାଧିକାର ବାପା ବାହାଦୂରକୁ ପ୍ରାଣରେ ମାରିଦେବା ପାଇଁ ଟାଙ୍ଗି ଟାଙ୍ଗିଆ ଆଉ ଟୋଟାଦାର ବନ୍ଧୁକ ଧରି ନିଜ ଗାଆଁବାଲାଙ୍କ ସହିତ ଆସିିଛି । ସେମାନଙ୍କର କ୍ରୋଧ ଉପଶମ କରିବା ନିମନ୍ତେ ଗୌନ୍ତିଆ ଧୂଆଁପତ୍ର, ଶାଳପତ୍ର, ମୁଢ଼ି ଓ ଗୁଡ଼ରେ ଆପ୍ୟାୟିତ କରିଛନ୍ତି । ରାଧିକାର ବାପା (ମଙ୍ଗଳ)କୁ ବୁଝାଇବାକୁ ବାହାଦୂରକୁ ପ୍ରାଣରେ ମାରିଦେବାର ପରିଣାମ ଜେଲଦଣ୍ଡ ନଚେତ୍ ଫାଶି ଦଣ୍ଡ ହେବ । ପୁନଶ୍ଚ ରାଧିକାକୁ ଆଉ କେହି ବାହା ହେବେ ନାହିଁ । ପ୍ରକୃତରେ ଏହି ଗଳ୍ପଟି ଗୋଟିଏ ପ୍ରସଙ୍ଗକୁ ନେଇ ଆଗେଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବିବିଧ ପ୍ରସଙ୍ଗ ଝରଣା ଭଳି ମିଶି ଛୋଟ ନଦୀଟିଏ ସୃଷ୍ଟି କରି ପାରିଛି । ଫଳତଃ କାହାଣୀର ଧାରା ନଈଟିଏ ଭଳି ଚପଳଛନ୍ଦ ତୋଳି ଆଗକୁ ବହିଯାଇଛି ।

ସ୍ୱାଧୀନୋତ୍ତର ଭାରତର ଗ୍ରାମ୍ୟ ପୃଷ୍ଠଭୂମିରେ ରାଜନୈତିକ ଚିତ୍ରର ଏକ ବଳିଷ୍ଠ ଓ ନଗ୍ନ ଉଦାହରଣ ‘ବାମନ ଓ ଚନ୍ଦ୍ରମା’ ଗଳ୍ପ । ମହାତ୍ମାଗାନ୍ଧୀଙ୍କ ରାମରାଜ୍ୟର ସ୍ୱପ୍ନ ଥିଲା ଗାଁର ଉନ୍ନତି ହେଲେ ହିଁ ଦେଶର ପ୍ରଗତି ହେବ । କିନ୍ତୁ ଇଂରେଜ ସରକାର ଭାରତ ଛାଡ଼ିଗଲା ପରେ ଯେଉଁମାନଙ୍କ ହାତରେ ଶାସନ ଭାର ପଡ଼ିଲା, ସେମାନଙ୍କ ହୀନମନ୍ୟତା ଓ ସ୍ୱାର୍ଥନ୍ୱେଷୀ ମନୋଭାବ ଯୋଗୁଁ ସାଧାରଣ ଜନତା ସୁବିଧା ସୁଯୋଗରୁ ବଞ୍ଚିତ ହେବା ସହିତ ନାନାଦି ଶୋଷଣ ଓ ପୀଡ଼ନର ଶୀକାର ହେଉଛି । କୁତ୍ସିତ ରାଜନୀତିର ଚେର କିଭଳି ଗ୍ରାମ ପର୍ଯ୍ୟନ୍ତ ମାଡ଼ିଆସିଛି, ତା’ର ନଗ୍ନ ଚିତ୍ର ଏହି ଗଳ୍ପ । ନିରାକାର ଭୋଇ ନାମକ ଡୁଙ୍ଗୁରୀଗୁଡ଼ା ଗ୍ରାମ ପଞ୍ଚାୟତର ସରପଞ୍ଚ ତଥା ଗେଲାଘରର ସଭାପତିଙ୍କର ଏମ.ଏଲ୍‌.ଏ. ହେବାର ଅଭିଳାଷ ଓ ତାଙ୍କର ଅନୁଗତମାନଙ୍କର ଚାଟୁକ୍ତିକୁ ଆଧାର କରି ସମାଜର ଘୃଣ୍ୟ ରାଜନୀତିର ବ୍ୟବସ୍ଥା ପ୍ରତି କଟାକ୍ଷ ବେଶ ତୀର୍ଯ୍ୟକ୍ ହୋଇ ପାରିଛି ।

ପ୍ରେମକଥା ଉପରେ ଆଧାରିତ ‘ଡୁକାକନ୍ଧ’ ଗଳ୍ପଟି କନ୍ଧ ଜନଜୀବନର ସ୍ୱାକ୍ଷର ବହନ କରିବା ସହିତ ଡୁକାକନ୍ଧ ସମ୍ପ୍ରଦାୟର ସୃଷ୍ଟିର କଥାକୁ ବଖାଣିଛି । ଆଦିବାସୀ ଧଙ୍ଗଡ଼ା ସୁନା ଓ ଧାଙ୍ଗଡ଼ୀ ରୁଖ ପରସ୍ପରକୁ ଗଭୀର ଭାବରେ ଭଲପାଆନ୍ତି କିନ୍ତୁ ରୁଖର ବାପା ଖଟୁଲୁର ଦାବି ମୁତାବକ କନ୍ୟାସୁନା (ହରଜା) ଦେବାକୁ ଅସମର୍ଥ । ସୁନା ମହୁଲପାଟଣା ରାଜଉଆସରେ ପାଇଟି କରିବାକୁ ଯାଇ ଦୀର୍ଘଦିନ ବିତିଯିବା ସତ୍ତ୍ୱେ ଘରକୁ ନ ଫେରିବା ଓ ତା’କୁ ବାଘ ଖାଇଥିବା ବିଷୟ ପ୍ରଚାର ହେବା ଘଟଣା ପାଠକୀୟ ଉତ୍କଣ୍ଠାକୁ ବୃଦ୍ଧି କରିଥାଏ । ପୁନଶ୍ଚ ରୁଖ ଅନ୍ୟ ଏକ ଯୁବକକୁ ବିବାହ କରିବା ପରେ ପ୍ରେମିକ ସୁନାର ପ୍ରତ୍ୟାବର୍ତ୍ତନ କାହାଣୀର ମୋଡ଼କୁ ବଦଳାଇ ଦେଇଛି । ରୁଖର ମନ ଓ ହୃଦୟକୁ ଯେଉଁ ସୁନା ଛାଇଯାଇଛି, ତାକୁ ଦୀର୍ଘଦିନର ବ୍ୟବଧାନ ପରେ ଦେଖି ରୁଖ ଆଉ ଧୈର୍ଯ୍ୟ ଧରି ପାରିନାହିଁ । ସ୍ୱାମୀ ଓ ସଂସାରକୁ ଏଡ଼ାଇଦେଇ ସେ ସୁନାର ପ୍ରେମରେ ଅବଗାହନ କରିଛି । ପରିଣାମ ସ୍ୱରୁପ ରୁଖର ସ୍ୱାମୀ ଓ ତା’ର ସହଯୋଗୀମାନଙ୍କ ପ୍ରତିହିଂସାର ଶିକାର ହୋଇ ସୁନା ନିହତ ହୋଇଛି । ଏତିକିରେ ଗପ ଶେଷ ହୋଇଯାଇ ନାହିଁ । ପ୍ରତିଶୋଧ ପରାୟଣ କଏରୁ ମାଝୀ (ସୁନାର ବାପା) ପିତୃପୁରୁଷର ଡୁମା ମାନଙ୍କୁ ପୂଜାକରି ‘ପାଲଟା ବାଘ’ ହୋଇ ପୁତ୍ରହନ୍ତାମାନଙ୍କୁ ମାରି ପକାଇଛି । ପ୍ରସଙ୍ଗ ତ ଏଠାରେ ସୂଚନା ଦିଆଯାଇପାରେ ଯେ କଳାହାଣ୍ଡିର ଆଦିବାସୀ ସମାଜର ମାରଣ, ତାରଣ, ଉଚ୍ଚାଟନ, ସମ୍ମୋହନ ଆଦି ବିଦ୍ୟା ଜଣାଥିବାର ବିଶ୍ୱାସ ରହିଛି । ସୁନା ମାଝୀର ଔରସରୁ ରୁଖ ଗର୍ଭରୁ ଜନ୍ମ ନେଇଥିବା ଛୁଆର ନାମ ‘ଡୁକାକନ୍ଧ’; ଯାହାକୁ ଡୁକାକନ୍ଧ ସମାଜର ଆଦିପୁରୁଷ ବା ପ୍ରତିଷ୍ଠାତା ବୋଲି ବିଶ୍ୱାସ କରାଯାଏ ।

ଆଦିବାସୀମାନଙ୍କ ଆଧ୍ୟାତ୍ମିକ ବିଶ୍ୱାସ ଉପରେ ଆଧାରିତ ‘କୃଷ୍ଣଚୂଡ଼ା ଠାକୁରାଣୀ’ ଗଳ୍ପଟି କଳାହାଣ୍ଡି ଜିଲ୍ଲାର ଗ୍ରାମ୍ୟ ପୃଷ୍ଠଭୂମି ଉପରେ ଆଧାରିତ । ମହୁଲକୋଟ, କଣ୍ଡୁରୀପଦର, ସୁନାଡଙ୍ଗରୀ ଓ ଚିଲଗୁଡ଼ା ଗାଁର କେନ୍ଦ୍ରସ୍ଥଳୀରେ ସ୍ଥାପିତ କୃଷ୍ଣଚୂଡ଼ା ଠାକୁରାଣୀ ପ୍ରତ୍ୟକ୍ଷ ମହିମା ଏହି ଗଳ୍ପରେ ବର୍ଣ୍ଣିତ । ଶାନ୍ତି ଓ ସଦ୍ଭାବନା ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ଏହି ଠାକୁରାଣୀ ସ୍ଥାପନ ହେବା ପଶ୍ଚାତ୍‌ରେ ରହିଛି ଦୂତୀ ଓ କେଶବର ଏକ ଅସଫଳ ପ୍ରେମ କାହାଣୀ । ନିରୀହ ଓ ସରଳ ଆଦିବାସୀଙ୍କ ହୃଦୟରେ ଦେବୀଦେବତା ପ୍ରତି ରହିଛି ଭୟ ଓ ଭକ୍ତି । ମନ୍ତ୍ରତନ୍ତ୍ର, ଗୁଣୀଗାରିଡ଼ି ଉପରେ ପ୍ରଚୁର ଆସ୍ଥା ଥିବା ହେତୁ ଏମାନେ ଓଝା, ଜାନି ଓ ପୁଝାରୀଙ୍କ ପ୍ରଭାବରେ ପ୍ରଭାବିତ ହୋଇଥାନ୍ତି । ଏସବୁ ବିଷୟ ବସ୍ତୁକୁ ପୁଞ୍ଜିକରି ‘କୃଷ୍ଣଚୂଡ଼ା ଠାକୁରାଣୀ’ ଗଳ୍ପଟି ଗତିଶୀଳ ।

କଳାହାଣ୍ଡିର ଅଖ୍ୟାତ ଗ୍ରାମରେ ଜନ୍ମ ନେଇଥିବା କଥାକାର ଭୁବନେଶ୍ୱର ବେହେରାଙ୍କ ଅନ୍ତଃକରଣରେ ଜମାଟ ବାନ୍ଧି ରହିଥିବା ଗାଆଁର ମୋହ ଓ ମଣିଷ ବିଭିନ୍ନ ସମୟରେ ବିଭିନ୍ନ ଗଳ୍ପରେ ଉତ୍ତୁରି ଆସିଛି । କଳାହାଣ୍ଡିର ମଣିଷର ଜୀବନ ଓ ଜୀବିକା, ସ୍ୱପ୍ନ ଓ ସଂକଳ୍ପ, ଆଚାର ଓ ଆବେଗ, ପ୍ରଥା ଓ ପରମ୍ପରାଦି ଗାଳ୍ପିକଙ୍କ ଲେଖନୀ ମୂନରେ ଜୀବନ୍ୟାସ ପାଇଛି । କଳାହାଣ୍ଡିର ପୃଷ୍ଠଭୂମିରେ ରଚିତ ଗଳ୍ପଗୁଡ଼ିକ ଖୁବ ମାର୍ମିକ ଓ ସଫଳ । ଭୁବନେଶ୍ୱର ବେହେରାଙ୍କ ଏହି ଗଳ୍ପଗୁଡ଼ିକର ଶ୍ରେଷ୍ଠ ଆକର୍ଷଣ ହେଉଛି ବାସ୍ତବଧର୍ମତା । ସାମାନ୍ୟ ଅଥଚ ଯଥୋଚିତ କଳ୍ପନା ମିଶ୍ରଣରେ ଗଠିତ ତାଙ୍କ ଗଳ୍ପ ପାଠକକୁ ତଲ୍ଲୀନ କରିବାରେ ସାମର୍ଥ୍ୟ ରଖିଛି ।

ଓଡ଼ିଆ ବିଭାଗ ସମ୍ବଲପୁର ବିଶ୍ୱବିଦ୍ୟାଳୟ,

ଜ୍ୟୋତିବିହାର – ୭୬୮୦୧୯

ମୋ, ୯୯୩୭୫ ୦୪୯୪୮

Photo credit -https://bit.ly/3Fu1FH4

About ଡକ୍ଟର ଗୋପୀନାଥ ବାଗ

ଡକ୍ଟର ଗୋପୀନାଥ ବାଗ

Check Also

ବ୍ଲାକ ପାଗୋଡାର ଅଧଃପତନ

କୋଣାର୍କକୁ ନେଇ ଲେଖା ହୋଇଛି ଅସଂଖ୍ୟ କାବ୍ୟ ଓ କବିତା । କିଏ କିଭଳି କୋଣାର୍କକୁ କେଉଁ ଦୃଷ୍ଟିରେ ଦେଖିଛନ୍ତି …

Leave a Reply

Your email address will not be published. Required fields are marked *