Home / ସମୀକ୍ଷା / ଭାଷା ଓ ଭାବନା

ଭାଷା ଓ ଭାବନା

ଅସ୍ମିତାକୁ ନେଇ ରାଜନୀତି ଅନେକ ଦଶନ୍ଧି ଧରି ତଥା ଅନେକ ଶତାବ୍ଦୀ ଧରି ଚାଲିଛି । ଓଡ଼ିଆ ଓ ଓଡ଼ିଶାର ଅସ୍ମିତାକୁ ନେଇ ଚର୍ଚ୍ଚା ଓ ଆନ୍ଦୋଳନର ସୂତ୍ରପାତ ପାଖାପାଖି ୧୫୦ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା । ୧୮୬୯ ମସିହାରେ ଊମାଚରଣ ହାଲ୍ଦାର ନାମକ ଜଣେ ଶିକ୍ଷା ବିଭାଗର କାର୍ଯ୍ୟରତ ବଙ୍ଗାଳୀ ଭାଷାଭାଷୀ ଅଧିକାରୀ ଓଡ଼ିଆ ଭାଷାକୁ ବଙ୍ଗଳା ସହ ମିଶାଇ ଦେବା ପାଇଁ ସୁପାରିଶ କରିଥିଲେ । ଠିକ୍ ବର୍ଷକପରେ ବାଲେଶ୍ୱର ଜିଲ୍ଲା ସ୍କୁଲର ଜଣେ ଶିକ୍ଷକ କାନ୍ତିଲାଲ ଭଟ୍ଟାଚାର୍ଯ୍ୟ ‘ଓଡ଼ିଆ ଏକ୍ଟା ସ୍ୱତନ୍ତ୍ର ଭାଷା ନଏ’(ଓଡ଼ିଆ ଏକ ସ୍ୱତନ୍ତ୍ର ଭାଷା ନାହିଁ) ନାମରେ ବଙ୍ଗଳାରେ ବହିଟିଏ ବାହାର କରିଥିଲେ । ଉତ୍ତର ଓଡ଼ିଶାକୁ ଦଖଲରେ ରଖିଥିବା ବଙ୍ଗାଳୀ ବୁଦ୍ଧିଜୀବୀ ଓ ଶିକ୍ଷା ଅଧିକାରୀମାନଙ୍କର ଏହି ଆଚରଣ ଯୋଗୁଁ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା ।

ସେହି ସମୟରେ ଉକ୍ରଳ ଦୀପିକା (୧୮୬୬)ଠାରୁ ଆରମ୍ଭ କରି ପରେ ପରେ ଆତ୍ମପ୍ରକାଶ କରିଥିବା ପ୍ରାୟ ସବୁ ସମ୍ବାଦପତ୍ର ଯଥା ଫକୀରମୋହନ ସେନାପତିଙ୍କ ଦ୍ୱାରା ସମ୍ପାଦିତ ‘ସମ୍ବାଦ ବାହିକା’, ‘ଉକ୍ରଳ ପୁତ୍ର’, ‘ସମ୍ବଲପୁର ହିତୈଷିଣୀ’ ଇତ୍ୟାଦି ଓଡ଼ିଆଙ୍କ ଅସନ୍ତୋଷ ଓ ପ୍ରତିବାଦକୁ ଯଥେଷ୍ଟ ସ୍ଥାନ ଦେଇ ଆସିଥିଲା । ସବୁଠାରୁ ସଙ୍ଗଠିତ ଓ ବଳିଷ୍ଠ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଦକ୍ଷିଣ ଓଡ଼ିଶାରୁ । ଐତିହାସିକ ସୂତ୍ରରୁ ଜଣାଯାଏ ଯେ ୧୮୭୦ ସେପ୍ଟେମ୍ବର ମାସରେ ଗଞ୍ଜାମର ଓଡ଼ିଆମାନେ ଏକାଠି ହୋଇ, ଇଂରେଜମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଭିନ୍ନ ଭିନ୍ନ ପ୍ରୋଭିନସ୍ରେ ଥିବା ଓଡ଼ିଆ ଭାଷାଭାଷୀ ଲୋକଙ୍କୁ ଏକତ୍ରିତ ହେବା ପାଇଁ ଆହ୍ୱାନ ଦେଇଥିଲେ ।

ତା’ ପରର ଘଟଣା ପ୍ରବାହର ଦୀର୍ଘଦିନର ସଂଘର୍ଷ ପରେ ବିହାର-ଓଡ଼ିଶା ଓ ମାଡ଼୍ରାସ ପ୍ରେସିଡେନ୍ସିରେ ଥିବା ଓଡ଼ିଆ ଭାଷା କହୁଥିବା ଅଞ୍ଚଳକୁ ନେଇ ଏପ୍ରିଲ ୧, ୧୯୩୬ ଦିନ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା । ଓଡ଼ିଆଙ୍କର ଅବଶୋଷ ରହିଗଲା ଯେ ଅନେକ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ସେବେକାର ବିହାର ତଥା ଏବେକାର ଝାଡ଼ଖଣ୍ଡ ରାଜ୍ୟରେ ରହିଗଲା । ଏଥିପାଇଁ ପରେ ଭାରତର ରାଷ୍ଟ୍ରପତି ହୋଇଥିବା ରାଜେନ୍ଦ୍ର ପ୍ରସାଦଙ୍କ ଭୂମିକାକୁ ଦାୟୀ କରାଯାଇଆସିଛି ।
ଓଡ଼ିଶାରେ ବିଚ୍ଛିନ୍ନାଞ୍ଚଳକୁ ମିଶାଇବା ପାଇଁ ଉକ୍ରଳ ସମ୍ମିଳନୀ ମଧ୍ୟ ଅନବରତ ଉଦ୍ୟମ ଜାରି ରଖି ଆସିଥିଲା । ଓଡ଼ିଶାରେ କଂଗ୍ରେସର ଦୁର୍ବଳ ନେତୃତ୍ୱ ଯୋଗୁଁ ଏବଂ କ୍ଷମତାରେ ରହିବାର ମୋହରେ ଦୃଢ଼ ପଦକ୍ଷେପ ନନେଇ ପାରିଥିବା ଯୋଗୁଁ ମଧ୍ୟ ସମାଲୋଚନା ହୋଇଥିଲା ।
ତେବେ ସ୍ୱତନ୍ତ୍ର ଓଡ଼ିଶା କେବଳ ଓଡ଼ିଆଙ୍କ ପାଇଁ ଏବଂ ଓଡ଼ିଆ କହିପାରୁନଥିବା ବା ଭଲକି ବୁଝି ପାରୁନଥିବା ଅଞ୍ଚଳଗୁଡ଼ିକର ବାସିନ୍ଦାଙ୍କ ପାଇଁ କାମ କରିନାହିଁ । ୬୨ଟି ଭାଷା କହୁଥିବା ଓଡ଼ିଶାର ଜନଜାତିମାନେ ଓଡ଼ିଶାରେ ତୃତୀୟ ଶ୍ରେଣୀ ନାଗରିକ । କୋଶଳୀ ଭାଷା କହୁଥିବା ବିରାଟ ଅଞ୍ଚଳର ବାସିନ୍ଦା ଦ୍ୱିତୀୟ ଶ୍ରେଣୀ ନାଗରିକ । ଏମାନେ ସମସ୍ତେ ଓଡ଼ିଆ ଶିଖିବା ପାଇଁ ବାଧ୍ୟ ଏବଂ ନିଜ ଭାଷାକୁ କାଳକ୍ରମେ ଭୁଲିଯିବା ଏକପ୍ରକାର ନିଶ୍ଚିତ ।

ବଙ୍ଗାଳୀମାନଙ୍କ ସହ ଲଢ଼େଇ କଲାବେଳେ ‘ଓଡ଼ିଆ’ ଅସ୍ମିତାକୁ ବଳିଷ୍ଠ ଭାବେ ପ୍ରତିପାଦନ କରୁଥିବା ଓଡ଼ିଆମାନେ ନିଜ ରାଜ୍ୟ ଭିତରେ ଓଡ଼ିଆ ବୁଝିପାରୁନଥିବା ଓ କହିପାରୁନଥିବା ଲୋକମାନଙ୍କ ପାଇଁ ଭୟଙ୍କର ଭାବେ ଉଦାସୀନ । ଏହି ଉଦାସୀନତା ଓ ହେୟ କରି ଚିନ୍ତା କରିବା ମନୋଭାବ ଆରମ୍ଭରୁ ହିଁ ରହିଆସିଛି । ଇକୋନୋମିକ୍ ୱିକ୍ଲୀ ସେପ୍ଟେମ୍ବର ୨୬, ୧୯୫୯ରେ ‘ଓଡ଼ିଆ ମୁଭ୍ମେଣ୍ଟ’ ଶୀର୍ଷକ ଏଫ୍.ଜି.ବେଲୀଙ୍କର ଲେଖାରେ ସେ ବର୍ଷ ବଜେଟ୍ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ ପରେ ଚାଲିଥିବା ସଂଶୋଧନ ପ୍ରସ୍ତାବକୁ ଆଧାର କରି ସେ ଲେଖିଛନ୍ତି ଯେ, ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ବିରୋଧୀମାନେ ଅନେକ କାରଣଯୋଗୁଁ ଖପ୍ପା ହୋଇଥିଲେ । ଗୋଟିଏ କାରଣ ଥିଲା ରାଉରକେଲା ଓ ଦଣ୍ଡକାରଣ୍ୟରେ ଆଦିବାସୀଙ୍କୁ ସୁରକ୍ଷା ଯୋଗାଇବାରେ ସରକାରଙ୍କର ବିଫଳତା ସମ୍ପର୍କରେ ଉଲ୍ଲେଖ କରାଯାଇ ନଥିଲା ।
ଆଦିବାସୀମାନଙ୍କୁ ଅବହେଳା କରିବାର ବଡ଼ ପରମ୍ପରାଟିଏ ଅବ୍ୟାହତ ରହିଛି ଏବଂ ଆଦିବାସୀ ମେଳା ବା ଡଙ୍ଗର ନାଚ ନାଁ’ରେ ସେମାନଙ୍କ ଅସ୍ମିତାକୁ ଉପହାସ କରିଆସିଛନ୍ତି ସମ୍ଭ୍ରାନ୍ତ ଓଡ଼ିଆମାନେ ଯେଉଁମାନଙ୍କର ଓଡ଼ିଶାର କୃଷି ବା ଗ୍ରାମ୍ୟ ଅର୍ଥନୀତିରେ ବିକାଶ ପାଇଁ କ’ଣ ଅବଦାନ ରହିଛି ଜାଣିବା ପାଇଁ ଆମକୁ ଗବେଷଣା କରିବାକୁ ପଡ଼ିବ । ଆଦିବାସୀମାନେ କହୁଥିବା ଭାଷାର ଯେ କେବଳ ଅବହେଳା କରାଯାଉଛି ତାହା ନୁହେଁ, ସେମାନଙ୍କ ପରିଚୟର ଭିତ୍ତିଭୂମି ପ୍ରତିଟି ସରକାର ହନନ କରିଚାଲିଛନ୍ତି । ଓଡ଼ିଶା କହିଲେ ଯେଉଁ ପ୍ରାକୃତିକ ବିଭବକୁ ବୁଝାଉଥିଲା ତାହାର ରକ୍ଷକ ରହିଆସିଛନ୍ତି ଆଦିବାସୀ ।

ଓଡ଼ିଆ ଭାଷା ବା ଓଡ଼ିଶା ପ୍ରଦେଶକୁ ନେଇ ଏମାନେ ଗର୍ବ କାହିଁକି କରିବେ, ଯେତେବେଳେ ସ୍ୱତନ୍ତ୍ର ଓଡ଼ିଶା ଗଠନ ପରେ ଓଡ଼ିଶାର ତଥାକଥିତ ବିକାଶ ପାଇଁ ବଳି ପଡ଼ିଥିବା ଅଧିକାଂଶ ଲୋକ ହେଉଛନ୍ତି ଆଦିବାସୀ । କୋଶଳୀ ଭାଷାକୁ ନେଇ ପଶ୍ଚିମାଞ୍ଚଳରେ ଅନେକବର୍ଷ ଧରି ଭାଷା ଆନ୍ଦୋଳନ ସକ୍ରିୟ ଥିଲା । ପଶ୍ଚିମଓଡ଼ିଶାକୁ ଦଖଲ କରିବା ପାଇଁ ଚାଲିଥିବା ରାଜନୈତିକ ପ୍ରତିଯୋଗିତା ଭିତରେ ସେହି ଆନ୍ଦୋଳନର ସ୍ୱରର ତୀବ୍ରତା ଆଉ ଶୁଣିବାକୁ ମିଳୁନାହିଁ । କୋଶଳୀ ଭାଷାର ବିକାଶ ଓ ଗବେଷଣା ପାଇଁ କିଛି ସରକାରୀ ପଦକ୍ଷେପ ନିଆଯାଇ ନାହିଁ ଯଦିଓ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଏବଂ ପ୍ରତିଷ୍ଠା ପରେ ପଦବୀ ଅଳଙ୍କୃତ କରିବା ପାଇଁ ପରଦା ପଛପଟେ ଏହି ଅଭିଯାନରେ ଏକଦା ମାତିଥିବା ଲୋକମାନଙ୍କର ପ୍ରବଳ ପ୍ରତିଯୋଗିତା ଚାଲିଛି ।

ରାଜ୍ୟର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଆଞ୍ଚଳିକ ଭାଷା ଚରମ ଅବହେଳାର ଶିକାର । ଚୀନ୍ ଦେଶର ଲୋକମାନେ ଇଂରାଜୀ ନକହି ନିଜ ଭାଷାରେ ଅଧ୍ୟୟନ ଓ ଗବେଷଣା କରି ସମଗ୍ର ବିଶ୍ୱର ବଜାରଟିକୁ ଦଖଲ କରିସାରିଲେଣି । କିନ୍ତୁ ଆମ ପିଲାମାନେ ନିଜ ମାତୃଭାଷାରେ ପଢ଼ି ପାରିବେନି ବା ଗବେଷଣାପତ୍ର, ନିବନ୍ଧ ବା ସନ୍ଦର୍ଭଟିଏ ଉପସ୍ଥାପନ କରିପାରିବେନି । ଓଡ଼ିଆ ବିଶ୍ୱବିଦ୍ୟାଳୟ ଏହି ପ୍ରସଙ୍ଗ ସବୁର ସମାଧାନ ବା କରିବ କିପରି? ଆମର ବିଶ୍ୱବିଦ୍ୟାଳୟ ନୁହେଁ, ଗୋଟିଏ ସ୍କୁଲଠାରୁ ଆରମ୍ଭକରି ବିଶ୍ୱବିଦ୍ୟାଳୟଯାଏଁ ଅନ୍ତର୍ଭୁକ୍ତ କରିପାରୁଥିବା ଏକ ‘ଭାଷା ନୀତି’ ଦରକାର; ଯେଉଁ ନୀତି ପଣ୍ଡିତ ରଘୁନାଥ ମୁର୍ମୁ ବା ଦାସୁରାମ ମାଲେକାଙ୍କ ଭଳି ବିଶାରଦମାନଙ୍କୁ ତିଆରି କରିପାରୁଥିବ ବା ଚିହ୍ନି ପାରୁଥିବ । ଭାଷା ସହିତ ଭାବନାର ସମ୍ପର୍କକୁ ବି ଆମେ ବୁଝିବା ଦରକାର, ଯାହା କମ୍ପ୍ୟୁଟର ତିଆରି କରେନାହିଁ । ଭାବନାର ଚେର ମାଟି ସହ ବନ୍ଧା । ମାଟିର ମଣିଷମାନଙ୍କ ଭାଷାକୁ ଅଣଦେଖା କରି, ସେମାନଙ୍କ ଭାବନାକୁ ଅପମାନ ଦେଇ ଏବଂ ସେମାନଙ୍କ ଜୀବନ-ଜୀବିକାର ଭିତ୍ତିକୁ ଅସ୍ୱୀକାର କରି ଗୋଟିଏ ଜାତିର ବିକାଶ ସମ୍ଭବ ନୁହେଁ । ଯଦି ସମ୍ଭ୍ରାନ୍ତ ଓଡ଼ିଆମାନେ ଓଡ଼ିଶାର ଚାରିପଟର ଭୌଗୋଳିକ ସୀମାଟିକୁ ଧରି ସମସ୍ତେ ଗୋଟିଏ ଭାଷା, ଗୋଟିଏ ସଂସ୍କୃତି ଓ ଗୋଟିଏ ଭାବନାରେ ବନ୍ଧା ମଣିଷ ବୋଲି ଭାବିବେ ହୁଏତ ତାହା ସମ୍ପୂର୍ଣ୍ଣ ଭୁଲ୍ ଚିତ୍ରଟିଏ ଦେବ ଏବଂ ପରିଣାମ ବି ଭଲ ହେବ ନାହିଁ ।

ସମ୍ଭ୍ରାନ୍ତଙ୍କ ଓଡ଼ିଆଙ୍କୁ ଚିହ୍ନିବା ଅପେକ୍ଷା ଓଡ଼ିଶାରେ ବାସ କରୁଥିବା ଲୋକମାନଙ୍କର ଭାଷାର ବିବିଧତା, ଭାବନାର ଭିତ୍ତିଭୂମି ସେମାନଙ୍କର ବଂଚି ରହିବାର ସାଧନଗୁଡ଼ିକୁ ଭଲଭାବେ ଚିହ୍ନି ସେସବୁକୁ ସମ୍ମାନ ଦେଲେ ହିଁ ଓଡ଼ିଶାର ଅଗ୍ରଗତି ସମ୍ଭବ ହେଇପାରିବ। ନବୀନ ବାବୁ ଓଡ଼ିଆ ଭାଷା କହିବାପାଇଁ ପ୍ରୟାସ କରନ୍ତୁ ବା ନକରନ୍ତୁ, ଯଦି ଅଣ ସମ୍ଭ୍ରାନ୍ତ, ଅବହେଳିତ ମଣିଷମାନଙ୍କର ଭାଷା, ଭାବନା, ଜୀବନ-ଜୀବିକାର ଭିତ୍ତିଭୂମିକୁ ଯଦି ବୁଝିପାରିବେ ଆଗାମୀକାଲି ଏକ ଭିନ୍ନ ଓଡ଼ିଶା -ରୂପ ନେବ । ସେଥିପାଇଁ ତାଙ୍କୁ ନିର୍ବାଚନ ପାଣ୍ଠି ସଂଗ୍ରହ ପାଇଁ କରୁଥିବା କେତୋଟି ହୀନ କାମ କରିବା ବନ୍ଦ କରିବାକୁ ପଡ଼ିବ । ବିଶ୍ୱସ୍ତରରେ ନିନ୍ଦିତ ଓ ଡଙ୍ଗରିଆମାନଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ବେଦାନ୍ତ କମ୍ପାନୀକୁ ପଛଦ୍ୱାର ଦେଇ ଖଣି ଯୋଗାଇବା ବା ବେଦାନ୍ତ ସହ ମିଶି କଳାହାଣ୍ଡିରେ ମେଡ଼ିକାଲ କଲେଜ ସ୍ଥାପନ କରିବା ପାଇଁ ଉଦ୍ୟମ କରିବା ଆଦି କାମରୁ ଓହରିବାକୁ ପଡ଼ିବ ।

ସମଗ୍ର ରାଜ୍ୟରେ ଚାଲିଥିବା କମ୍ପାନୀମାନଙ୍କର ଦୌରାତ୍ମ୍ୟ ଯୋଗୁଁ ବିସ୍ଥାପିତ ଓ ନିର୍ଯାତିତ ହେଉଥିବା ଆଦିବାସୀଙ୍କୁ ବୁଝାଇବା ପାଇଁ ସେମାନଙ୍କ ପିଲାମାନଙ୍କୁ ସେହି ସବୁ କମ୍ପାନୀମାନଙ୍କ ଅର୍ଥରେ ରାଜଧାନୀରେ ବିଶ୍ୱସ୍ତରୀୟ ଆଦିବାସୀ ଶିକ୍ଷାନୁଷ୍ଠାନଟିଏ ତିଆରି କରି ଭଗବାନଙ୍କ ଆଉ ଏକ ଅବତାର ଭଳି ନିଜକୁ ଉପସ୍ଥାପନ କରୁଥିବା ଆଦିବାସୀଙ୍କ ଶତ୍ରୁମାନଙ୍କୁ ମଧ୍ୟ ନବୀନ ବାବୁ ନିଜଠୁ ଦୂରେଇ ରଖିବାକୁ ପଡ଼ିବ । ଆଦିବାସୀ ପିଲାମାନଙ୍କ ପାଇଁ ଭୁବନେଶ୍ୱର ବା ଦିଲ୍ଲୀରେ ଗୋଟିଏ ବିଶ୍ୱସ୍ତରୀୟ ଆବାସିକ ଶିକ୍ଷାନୁଷ୍ଠାନର ଆବଶ୍ୟକତା ନାହିଁ । ସେମାନଙ୍କ ଅଞ୍ଚଳରେ ଥିବା ସରକାରୀ ଆବାସିକ ବିଦ୍ୟାଳୟର ଅସୁବିଧାଗୁଡ଼ିକ ଦୂର କରି ସେସବୁକୁ ପିଲାମାନଙ୍କ ପାଇଁ ଅଧିକ ଆକର୍ଷଣୀୟ ଓ ଶିକ୍ଷଣୀୟ କରାଯାଇ ପାରନ୍ତା । ବନ୍ଧୁ ଅସୀମ ଶ୍ରୀବାସ୍ତବଙ୍କ ସହ ୨ବର୍ଷ ତଳେ ଖଣ୍ଡାଧାର ପାଦଦେଶରେ ଥିବା ସରେଇକଳା ଗାଁ’କୁ ଯିବାର ସୁଯୋଗ ମିଳିଥିଲା । ଓଡ଼ିଶା ଖଣି ନିଗମର ଖଣି ଖନନ ଯୋଗୁଁ ଶୁଖି ଆସୁଥିବା ଏକ ଛୋଟନଦୀର ଶଯ୍ୟାରେ ସ୍କୁଲ୍ ପୋଷାକ ପିନ୍ଧି ଖେଳୁଥିବା ପିଲାମାନଙ୍କ ସହ କଥା ହେବା ପାଇଁ ଇଚ୍ଛାହେଲା । ଆମ ରାସ୍ତାରେ ବା ଗାଁ’ରେ ସ୍କୁଲ୍ ନଥିବାରୁ ସ୍କୁଲ୍ ପୋଷାକ ଦେଖି କୌତୁହଳଟି ବଢ଼ିଥିଲା ।

ପିଲାମାନଙ୍କୁ ଅନେକ ପଚାରିବା ପରେ ବି ସେମାନେ ଆମ ଭାଷା ନବୁଝିପାରି ଉତ୍ତର ଦେଇପାରିଲେନି । ଜଣେ ପାହାଡ଼ି ଭୁୟାଁ ଅଭିଭାବକଙ୍କୁ ପଚାରିଲୁ ସ୍କୁଲଟି ସମ୍ପର୍କରେ । ଓଡ଼ିଆ ଭାଷାରେ କହିବା ପାଇଁ ସଂଘର୍ଷ କରି ଯାହା କହିଲେ ଆମ ପାଖରେ ଥିବା ଭଜମନ ଭାଇଙ୍କ ସୌଜନ୍ୟରୁ ଏପରି ବୁଝିଲୁ;- ଏମାନେ ପାହାଡ଼ର ଆରପଟେ ଥିବା ସରକାରୀ ଆଶ୍ରମ ସ୍କୁଲ ଛାତ୍ର ଥିଲେ, ସ୍କୁଲର କେହି ଜଣେ ଶିକ୍ଷକ ଓ ପଞ୍ଚାୟତି ରାଜ ବ୍ୟବସ୍ଥାର ନିର୍ବାଚିତ ପ୍ରତିନିଧି ଏବଂ ସ୍ଥାନୀୟ କିଛି ଦଲାଲଙ୍କ ପ୍ରରୋଚନାରେ ପଡ଼ି ବାପା – ମା ପିଲାମାନଙ୍କୁ ଭୁବନେଶ୍ୱର ବହୁଚର୍ଚ୍ଚିତ ବିଶ୍ୱସ୍ତରୀୟ ଆଦିବାସୀ ଆବାସିକ ବିଦ୍ୟାଳୟକୁ ପଠାଇ ଦେଇଥିଲେ । ପରେ ପିଲାମାନଙ୍କୁ ସେହି ସ୍ଥାନ ଓ ପରିବେଶ ଭଲ ଲାଗିନାହିଁ । ସେମାନେ ଫେରି ଆସିଛନ୍ତି । ଏବେ ସେମାନେ ପାଠଛଡ଼ା ପିଲା । ପୁରୁଣା ଆଶ୍ରମ ସ୍କୁଲକୁ ବି ଫେରି ପାରୁନାହାନ୍ତି । ଖଣ୍ଡାଧାର ଉପରେ ନଜର ରଖି ଆସିଥିବା କମ୍ପାନୀମାନଙ୍କ ପାଇଁ ଏଭଳି ସ୍ଥିତି ଲାଗି ରହିଲେ ଭଲ । ଓଡ଼ିଶାର ଅନ୍ୟାନ୍ୟ ଆଦିବାସୀ ଅଞ୍ଚଳରେ ମଧ୍ୟ ଏଭଳି ଉଦାହରଣ ଭରପୁର ରହିଛି ।

ଆଦିବାସୀମାନଙ୍କ ସ୍ୱଶାସନ ପାଇଁ ଡଃ ବ୍ରହ୍ମଦେବ ଶର୍ମା ନିଜର ମୃତ୍ୟୁଯାଏଁ ସଂଘର୍ଷ ଜାରି ରଖିଥିଲେ । ୧୯୯୬ରେ ଅନୁସୂଚିତ ଅଞ୍ଚଳକୁ ପଞ୍ଚାୟତର ସମ୍ପ୍ରସାରଣ ତଥା ପେସା ନାଁ’ରେ ଆଇନଟିଏ ତିଆରି ହେଲା । ରାଜ୍ୟ ସରକାରମାନଙ୍କୁ କୁହାଗଲା ଯେଉଁମାନଙ୍କର ରାଜ୍ୟରେ ସମ୍ବିଧାନର ୫ମ ଓ ୬ଷ୍ଠ ଅନୁଚ୍ଛେଦ ମୁତାବକ ଅନୁସୂଚିତ ଅଞ୍ଚଳ ଅଛି, ସେମାନେ କେନ୍ଦ୍ରୀୟ ଢାଞ୍ଚାରେ ନିଜର ଏକ ଆଇନ ଆଣିବେ ବା ନିଜର ଗ୍ରାମ ପଞ୍ଚାୟତ ଆଇନକୁ ସଂଶୋଧନ କରିବେ ।

‘ଆମ ଗାଁରେ, ଆମ ସରକାର’ ଅନେକ ଗ୍ରାମରେ ଲୋକେ ସ୍ୱପ୍ନ ଦେଖିଥିଲେ । ପ୍ରତିଟି ବିକାଶମୂଳକ ପ୍ରକଳ୍ପ ଗ୍ରାମସଭାର ବିନା ପରାମର୍ଶରେ (ଯାହା ସ୍ୱୀକୃତି ହେବାକଥା) ହେଇପାରିବନି ଆଇନରେ କୁହାଯାଇଥିଲା କିନ୍ତୁ ସେପରି ହେଲାନାହିଁ । ୧୦ବର୍ଷ ପରେ ପୁଣି ଅନେକ ପ୍ରଚେଷ୍ଟା ପରେ ଆସିଥିଲା ଆଉ ଏକ ଆଇନ ୨୦୦୬ ମସିହାରେ – ଜଙ୍ଗଲ ଜମି ଉପରେ ଆଦିବାସୀ ତଥା ଅଣ ଆଦିବାସୀ ପାରମ୍ପରିକ ଜଙ୍ଗଲଜୀବୀଙ୍କ ଅଧିକାରକୁ ସ୍ୱୀକୃତି ଦେବାପାଇଁ । ନିୟମଗିରିର ୧୨ଟି ଗ୍ରାମସଭା ଏହି ଆଇନ ମୁତାବକ ଗ୍ରାମସଭାରେ ନିଜ ଅଧିକାର ସାବ୍ୟସ୍ତ କରିଥିଲେ ୨୦୧୩ ମସିହାରେ । ସେହି ଗୋଟିଏ ଆଖିଦୃଷ୍ଟିଆ ତଥା ଉଲ୍ଲେଖନୀୟ ଘଟଣା ଛାଡ଼ିଦେଲେ ଏହି ଆଇନ ଅଧିକ କ’ଣ ଆଦିବାସୀଙ୍କୁ ଦେଇଛି ତାହା ସମୀକ୍ଷାସାପେକ୍ଷ ।

ଆଇନକୁ ଆୟୁଧ କରି ସମ୍ଭ୍ରାନ୍ତମାନଙ୍କ ଗଣତନ୍ତ୍ରରେ ଗଣମାନେ ଯେ ଅଧିକାର ପାଇଯିବେ, ତାହା ଏକ ଭ୍ରାନ୍ତି ବୋଲି ତୁହାକୁ ତୁହା ପ୍ରମାଣିତ ହୋଇଚାଲିଛି । ପୁଞ୍ଜିକୁ ବହୁଗୁଣିତ କରିବାର ପ୍ରତିଶ୍ରୁତି ବହନ କରି ଶାସନ କରୁଥିବା କୌଣସି ବି ଦଳ କେବେ ବି ସାଧାରଣ ମଣିଷର ଖୁସି ପାଇଁ ସଂକଳ୍ପ ନେଇପାରିବେନି । ଏବେ କର୍ପୋରେଟ ଶାସନ ପୂର୍ଣ୍ଣାଙ୍ଗ ରୂପ ନେବାପରେ, ସାଧାରଣ ମଣିଷ ବିଶେଷକରି ଆଦିବାସୀ ଓ ଦଳିତମାନଙ୍କ ହିତରେ ଗୋଟିଏ ଆଇନ କାମ କରିପାରିବ, ଅନେକ ସନ୍ଦେହ ସୃଷ୍ଟି ହୋଇଛି । ଏପରି ଏକ ସମୟରେ ସେମାନଙ୍କ ଭାଷା ଓ ଭାବନାକୁ ନେଇ କେବଳ ପରିହାସ କରିହେବ କିନ୍ତୁ ଆନ୍ତରିକତା ସହ କାମ କରାଯାଇପାରିବନି ।

PHOTO CREDIT – https://www.google.co.in/search?biw=1366&bih=608&tbm=isch&sa=1&ei=Bz7HW4jmH8yVkwXd0ICwAg&q=language+as+imagination+in+art+&oq=language+as+imagination+in+art+&gs_l=img.3…15127.18145.0.19822.8.8.0.0.0.0.414.1206.3-2j1.3.0….0…1c.1.64.img..5.0.0….0.z7ayFInLYVk#imgrc=q3ucixf4vfac_M:

https://www.google.co.in/search?biw=1366&bih=608&tbm=isch&sa=1&ei=Bz7HW4jmH8yVkwXd0ICwAg&q=language+as+imagination+in+art+&oq=language+as+imagination+in+art+&gs_l=img.3…15127.18145.0.19822.8.8.0.0.0.0.414.1206.3-2j1.3.0….0…1c.1.64.img..5.0.0….0.z7ayFInLYVk#imgrc=0Idh0gjHKrqSKM:

About ସୁଧୀର ପଟ୍ଟନାୟକ

ସୁଧୀର ପଟ୍ଟନାୟକ
ଗୀତିକାର , ସମଦୃଷ୍ଟି ପାକ୍ଷିକ ପତ୍ରିକାର ସମ୍ପାଦକ, ମୁକ୍ତ ସାମ୍ବାଦିକ, ସମାଜବିଜ୍ଞାନୀ

Check Also

ତକ୍ଷକର ପ୍ରଶ୍ନ

ସେ କିପରି ଦାୟୀ ଖାଣ୍ଡବ ବନରେ ଅଗ୍ନିକାଣ୍ଡ ପାଇଁ! ଯେଉଁଠି ଜଳିଗଲା ତାର ପ୍ରିୟତମା ପତ୍ନୀ ଜଳିଗଲେ ତାର ବିଶାଳ …

Leave a Reply

Your email address will not be published. Required fields are marked *