Home / ସମୀକ୍ଷା / ଭାରତୀୟଙ୍କ ଚେତନାରେ ନାରୀ

ଭାରତୀୟଙ୍କ ଚେତନାରେ ନାରୀ

ନାରୀମାନଙ୍କୁ ନେଇ ଭାରତୀୟଙ୍କ ଚେତନାରେ କ’ଣ ରହିଆସିଛି? ଭାରତୀୟ ସମାଜରେ ନାରୀମାନଙ୍କୁ କେଉଁଭଳି ସମ୍ମାନ ଦିଆଯାଏ? ଏହି ପ୍ରଶ୍ନଗୁଡ଼ିକ ଲେଖକଙ୍କୁ ଆନ୍ଦୋଳିତ କରିଛି । ନାରୀମାନଙ୍କ ଉପରେ ବଢ଼ିଚାଲିଥିବା ଅତ୍ୟାଚାରର ପରମ୍ପରାକୁ ପୌରାଣିକ କଥାବସ୍ତୁ ଠାରୁ ସମୀକ୍ଷା କରିଛନ୍ତି ଲେଖକ । ଅତି ଚତୁରତାର ସହିତ ସାମାଜିକ ନୀତି ନୀୟମ, ବିଧି ବ୍ୟବସ୍ଥାକୁ କେମିତି ଆମ ସମାଜ ଦୁର୍ବଳ ମନେକରୁଥିବା ନାରୀମାନଙ୍କ ଉପରେ ଲଦିଦେଇଛି । କେବେ ସେମାନଙ୍କ ମନରେ ପ୍ରଶ୍ନ ଆସିବାପାଇଁ ସୁଯୋଗ ନାହିଁ କାହିଁକି ବାଛ ବିଚାରଟି ବିନା ପ୍ରଶ୍ନରେ ଆମେ ଗ୍ରହଣ କରିଚାଲିବୁ? ଯଦିବା କେତେବେଳେ କେଉଁଠି ଏଭଳି ପ୍ରଶ୍ନ ଆସିଛି ଅତି ନିଷ୍ଠୁରତାର ସହିତ ତା’ର ଜବାବ ଦିଆଯାଇଛି ଏବଂ ଅବାଞ୍ଛିତ ବୋଲି କଦର୍ଥ ମଧ୍ୟ କରାଯାଇଛି ।  ସବଳ ମଣିଷଟିର ଦୁର୍ବଳ ମନେକରୁଥିବା ମଣିଷମାନଙ୍କ ଉପରେ ଏଭଳି ଛଳନାପୂର୍ଣ୍ଣ ବ୍ୟବହାରକୁ ପୋଥି ପୁରାଣ ଠାରୁ ଆରମ୍ଭକରି ଧର୍ମଶାସ୍ତ୍ର ଏବଂ ସାମାଜିକ ବିଧିବ୍ୟବସ୍ଥା ସୁଦୃଢ଼ କରିଆସିଛି । ପୁରୁଷ ଆତ୍ମସମୀକ୍ଷାର ସମସ୍ତ ଦିଗ ଗୁଡ଼ିକ ବନ୍ଦ ରଖିଥିବାବେଳେ ନାରୀସମାଜ ଭାଗ୍ୟବୋଲି କହି ଆଜିଯାଏ ଏହି ବ୍ୟବସ୍ଥାରେ ନିଜକୁ ଖାପ ଖୁଆଇବା ପାଇଁ ଉଦ୍ୟମ ଜାରିରଖିଛନ୍ତି । ଏହିସବୁ ଛଳନା ଗୁଡ଼ିକୁ ପୁଞ୍ଜିକରି ଆମ ସମାଜ ସଭ୍ୟ, ଶିକ୍ଷିତ ଏବଂ ଉନ୍ନତ ସଭ୍ୟତାର ପ୍ରତୀକ ସୃଷ୍ଟି କରିଚାଲିଛି । ଚେତନଶୀଳ ସମାଜ ଏଭଳି ଏକ ମିଥ୍ୟା ଛଳନାପୂର୍ଣ୍ଣ ସମ୍ପର୍କକୁ ନେଇ କେତେ ପରିପୃଷ୍ଟ ହୋଇପାରିବ?- ‘ଚେତନା ଭିତରୁ ଯାହା ଜନ୍ମନିଏ’ ଶିର୍ଷକ ଲେଖାରେ ଲେଖକ ପ୍ରଶ୍ନ ଉତ୍ଥାପନ କରିିଛନ୍ତି ।             -ସମ୍ପାଦକ

ନାରୀ-କେବଳ ଏକ ସଶରୀର ମଣିଷ ନୁହେଁ । ଇତିହାସକୁ ଟିକେ ନିରିଖି ଦେଖିଲେ ଜଣାପଡ଼େ ଯେ, ପୁରୁଷର ଚେତନା ଭିତରୁ ଜନ୍ମ ନେଇ ପୁରୁଷ ଓ ନାରୀ ଉଭୟଙ୍କ ଚେତନା ଭିତରେ ଜିଇଁ ଆସିଥିବା ଜୀବନଟିଏ ସିଏ । ଦୁନିଆସାରା ପୁରୁଷରୂପୀ ମଣିଷ ତାକୁ ଦୁର୍ବଳ ଏବଂ ପୁରୁଷ ଉପରେ ନିର୍ଭରଶୀଳ ଜୀବଟିଏ ବୋଲି ବିଚାର କରିଆସିଛନ୍ତି । ପୁରୁଷ ତୁଳନାରେ ଅଛି ତା’ର କିଛି ଶାରୀରିକ ଦୁର୍ବଳତା ଯାହା ପ୍ରଜନନ ଧର୍ମ ସହ ଯୋଡ଼ିହୋଇ ରହିଆସିଛି- ଯେମିତିକି ଗର୍ଭଧାରଣ ସେ କରିବ ଏବଂ ସେଥିପାଇଁ ୧୦ମାସ ପୁରୁଷ ତୁଳନାରେ ଦୁର୍ବଳ ରହିବ । ସନ୍ତାନ ଜନ୍ମ ହେଲାପରେ ମଧ୍ୟ ଦୁର୍ବଳସ୍ଥିତିକୁ ଅତିକ୍ରମ କରିବା ପାଇଁ ତାକୁ ସମୟ ଲାଗିବ । ଶାରୀରିକ ଦୁର୍ବଳତାକୁ ଅତିକ୍ରମ କରିବାର ସମୟକାଳ ସବୁବେଳେ ନିର୍ଭର କରେ କେତୋଟି ସାମାଜିକ ସ୍ଥିତି ଉପରେ, ଯଥା- ସେ କାହା ଘରେ ଜନ୍ମ ନେଇଛି, କାହାକୁ ବାହା ହୋଇଛିି, କ’ଣ ଖାଇବାକୁ ପାଉଛି ଏବଂ ସାମାଜିକ ସମ୍ପର୍କ ତାକୁ ସୁଖ ଦେଉଛି ନା ଦୁଃଖ ଦେଉଛି କଥାଟି ଉପରେ ।

ମାସିକ ଋତୁଚକ୍ର ଯାହା ପ୍ରଜନନ କ୍ଷମତା ସହ ଜଡ଼ିତ ନାରୀଟିକୁ ପୁରୁଷ ତୁଳନାରେ ମଧ୍ୟ ଅଧିକ ନିଷ୍କ୍ରିୟ କରିଦିଏ । ଏସବୁ ଅବସ୍ଥା ଭିତରକୁ ଆସିବାର ସମ୍ଭାବନା ନଥିବା ଦୃଷ୍ଟିରୁ ପୁରୁଷଟି ପିଲାଟି ଦିନରୁ ଏକ ଶାରୀରିକ ଅହଂକାରର ବଶବର୍ତ୍ତୀ ହୋଇ ନିଜକୁ ମଣିଷ ନୁହେଁ ବରଂ ପୁରୁଷ ଭଳି ତିଆରି କରିବାକୁ ଚେଷ୍ଟା କରେ । ତା ଚାରିପଟର ସାମାଜିକ ବାତାବରଣ ଓ ପରିବେଶ ଏବଂ ସେ ପ୍ରତିଦିନ ସଂସ୍ପର୍ଶରେ ଆସୁଥିବା ସଂସ୍କୃତି, ପରମ୍ପରା ଓ ଶିକ୍ଷା ମଧ୍ୟ ସେଥିରେ ତାକୁ ସହଯୋଗ କରିଥାନ୍ତି । ସେ ମଣିଷ ହେବା ପରିବର୍ତ୍ତେ ପୁରୁଷଟିଏ ହୋଇଯାଇଥାଏ ତା ଅଜାଣତରେ-ତାହାବି ଜଣେ ସହନଶୀଳ, ନମ୍ର ଓ ଭଲ ପାଇପାରିବା ଭଳି ପୁରୁଷ ନୁହେଁ ବରଂ ଏକ ଔଦ୍ଧତ୍ୟ ଓ ମିଛ ଅହଂକାରର ପ୍ରତୀକ ହିସାବରେ ସେ ସମାଜରେ ଆସ୍ଥାନ ଜମାଏ ।

ଏଭଳି ପୁରୁଷ ନାରୀ ସମ୍ପର୍କରେ କେଉଁ ଭଳି ଦୃଷ୍ଟିଭଙ୍ଗୀ ଆଣିପାରିବ? ସେ ସଚେତନ ହେବା ପୂର୍ବରୁ ତା ଚେତନା ଭିତରକୁ ନାରୀର ଏକ ନିର୍ଦ୍ଦିଷ୍ଟ ଚିତ୍ରକଳ୍ପଟିଏ ଆସିଯାଇଥାଏ । ଭାରତୀୟ ପୃଷ୍ଠଭୂମିରେ ଏଭଳି ଚେତନାର ଅନେକ ପ୍ରବେଶ ପଥ ଅଛି । ପିଲାଟି ଦିନରୁ ରାମାୟଣ ଓ ମହାଭାରତର କାହାଣୀ ଅବା ଆଜିର ସମୟରେ ବୈଦ୍ୟୁତିକ ଗଣମାଧ୍ୟମରେ ନିତି ପରିବେଷଣ କରାଯାଉଥିବା ଧାରାବାହିକ, ସାମାଜିକ ତଥା ପୌରାଣିକ କଥା ଓ କାହାଣି ମାଧ୍ୟମରେ ଏଭଳି ଏକ ଚେତନା ପୁରୁଷ ଓ ନାରୀ ମନଭିତରକୁ ପ୍ରବେଶ କରିଥାଏ । ପୌରାଣିକ ସାହିତ୍ୟ ସମୟରୁ ଅତ୍ୟାଧୁନିକ ସମୟର ସାହିତ୍ୟ ଯାଏଁ ପ୍ରାୟ ସବୁ କାହାଣୀଗୁଡ଼ିକ ନାରୀ ସମ୍ପର୍କରେ ଏକ ବିଚିତ୍ର ଚିତ୍ରକଳ୍ପ ନିଜ ପିଲାମାନଙ୍କ ମନଭିତରେ ସଂସ୍ଥାପିତ କରିଥାନ୍ତି ।

ପୁଅମାନେ ନିଜର ସାମ୍ଭବ୍ୟ ପୌରୁଷତ୍ୟକୁ ନେଇ ଗର୍ବ କରିବାବେଳେ ଝିଅମାନେ କାହିଁକି ଝିଅଟିଏ ହେଲି ବୋଲି ଏକ ଆତ୍ମଗ୍ଲାନି ସହ ଆଗକୁ ଆସୁଥିବା ଭବିଷ୍ୟତକୁ ଅନିଚ୍ଛାକୃତଭାବେ ଗ୍ରହଣ କରିବାପାଇଁ ବାଧ୍ୟ ହେଉଛନ୍ତି । ସେମାନଙ୍କ ଭିତରୁ ଯେଉଁମାନେ ଏହି ନାରୀ ବିରୋଧୀ ଚିତ୍ରକଳ୍ପକୁ ଭିନ୍ନ ଭିନ୍ନ ରୂପରେ ପ୍ରତିବାଦ କରୁଛନ୍ତି ସେମାନଙ୍କୁ ପୁରୁଷପ୍ରଧାନ ସମାଜ ସହଜରେ ଗ୍ରହଣ କରିପାରୁନାହିଁ । ଗୋଟିଏ କଥା ସ୍ପଷ୍ଟ ଯେ, ଯେଉଁମାନେ ପୌରାଣିକ ସାହିତ୍ୟର କଥା ଓ ଚରିତ୍ରଗୁଡ଼ିକୁ ନିରୀହ ଭାବେ ଗ୍ରହଣ କରିଚାଲିଛନ୍ତି ସେମାନେ ନାରୀକୁ ନେଇ ଶହ ଶହ ବର୍ଷଧରି ରହି ଆସିଥିବା ଦୃଷ୍ଟିଭଙ୍ଗୀକୁ ଅଧିକ ବଳିଷ୍ଠ କରିଚାଲିଛନ୍ତି ।

ରାମାୟଣରେ ସୀତାଙ୍କ ସ୍ୱୟଂମ୍ବର ଏବଂ ସେଥିରେ ଶିବଧନୁ ଭଗ୍ନ ହିଁ ଥିଲା ପୁରୁଷର ଶାରୀରିକ ଓ ହିଂସ୍ରଶକ୍ତିର ଏକ ନଗ୍ନ ପ୍ରଦର୍ଶନୀ ।  ଏଯାବତ୍ ନିଜର ଜୀବନସାଥୀ ହିସାବରେ ଗ୍ରହଣ କରୁଥିବା ଗୋଟିଏ ପୁରୁଷକୁ କିଛି ବି ନବୁଝି ନଜାଣି କେବଳ ତା’ର ଶାରୀରିକ ଶକ୍ତି ଆଗରେ ନାରୀଟିଏ ନିଜକୁ ସମର୍ପିତ କରିଦେଉଛି ଏବଂ ତା’ ଚାରିପଟର ସମାଜ ଏଭଳି ଏକ ଘଟଣାକୁ ମହୋତ୍ସବ ଆକାରରେ ପାଳନକରୁଛି- ଯାହା ଆଜିଯାଏଁ ପାଳିତ ହୋଇଚାଲିଛି । ସମର୍ପଣର ଏହି ନାଟକଟିକୁ ପରିବେଷଣ କରି ଆମେ ତଥାକଥିତ ପୌରୁଷତ୍ୱକୁ ସ୍ୱୀକାର କଲାବେଳେ ଆଶାକରୁ ଯେ ଆମ ବିଚାରରେ ଯେଉଁ ନାରୀ ସୁନ୍ଦର ଏବଂ ସମ୍ଭ୍ରାନ୍ତ ସେ ଏଭଳି ଶ୍ରେଷ୍ଠ ପୁରୁଷମାନଙ୍କ ନିକଟରେ ନିଜକୁ ସ୍ତ୍ରୀ ହିସାବରେ ସମର୍ପିତ କରୁ । ତା’ପରେ ପୁରୁଷଟି ହେବ ଅବଶିଷ୍ଟ ଜୀବନ ପାଇଁ ତା’ର ଦେବତା । ଏବଂ ଏହି ଦେବତାଟି ଯାହାବି ନିଷ୍ପତ୍ତି ନେବ ସେ ବିନା ପ୍ରଶ୍ନରେ ତାହା ପାଳନକରିବ ।

ସେହିଭଳି ରାଜା ଦଶରଥ ଚରିତ୍ରର ଦୁର୍ବଳତାକୁ ପ୍ରଶ୍ନ ନକରି ଗୋଟିଏ ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନେବାରେ ତା’ଙ୍କୁ ପ୍ରଭାବିତ କରିଛନ୍ତି କହି ଆମେ କୈକେୟୀଙ୍କୁ ଖଳନାୟିକା ହିସାବରେ ଉପସ୍ଥାପନା କରାଯାଇଥିବା କଥାଟିକୁ ସହଜରେ ଗ୍ରହଣ କରିନେଉ । ଏକଥା ଆମ ମନରେ ଆସେନାହିଁ ଯେ ଏହି କଥା, କାହାଣୀ ଓ ଚରିତ୍ରଗୁଡ଼ିକର ନିର୍ମାତା ଜଣେ ପୁରୁଷ । ସେହିଭଳି ଅଛି ଆଉ ଏକ କାହାଣୀ ।

ସୁପର୍ଣଖା ଭଳି ଜଣେ ଦଳିତ/ ଆଦିବାସୀ ନାରୀର ଜଣେ ସୁନ୍ଦର ପୁରୁଷକୁ ଜୀବନସାଥୀ କରିବାର ଦୁଃସାହସକୁ ଦଣ୍ଡିତ କରିବାକୁ ଯାଇ ତା’ର ନାକ କାଟିଦେବା ଭଳି କଠୋର ଦଣ୍ଡବିଧାନ ଏବଂ ନିଜର ପୌରୁଷତ୍ୱକୁ ତଥା ତଥାକଥିତ ସମ୍ମାନକୁ ସୁରକ୍ଷା ଦେବାକୁ ଯାଇ ୧୪ବର୍ଷ କାଳ ବଣରେ ରହି ରାଜବାଟିକୁ ଫେରିଥିବା ପତ୍ନୀ ସୀତାଙ୍କୁ ଭିରୁଙ୍କ ଭଳି ନିଜ ସାନଭାଇ ମାଧ୍ୟମରେ ନିଘଞ୍ଚ ଜଙ୍ଗଲ ଭିତରେ ଗର୍ଭବତୀ ଅବସ୍ଥାରେ ଅସହାୟ ଭାବେ ଛାଡ଼ିଦେଇ ଆସିବା ଭଳି ଘଟଣା ଏବଂ ଶେଷରେ ସବୁପ୍ରକାର ଯନ୍ତ୍ରଣାକୁ ସହିନପାରି ସୀତା ଭଳି ଚରିତ୍ରର ଆତ୍ମହତ୍ୟା- ଇତ୍ୟାଦି ଘଟଣାଗୁଡ଼ିକ ସୂଚାଇଦେଉଛି ଯେ, ଯେଉଁ ପିଲାମାନେ ରାମାୟଣ ପଢ଼ୁଥିବେ ସେମାନଙ୍କ ମନରେ ନାରୀକୁ ନେଇ କେଉଁପ୍ରକାର ଚେତନାର ଉଦ୍ରେକ ହେଉଥିବ ।

ସବୁ ଘଟଣାଗୁଡ଼ିକୁ ଯୁକ୍ତିଯୁକ୍ତ କରିବା ପାଇଁ ରାମାୟଣର ଲେଖକଙ୍କର ଉଦ୍ୟମଟି ଏଯାବତ୍ ଫଳପ୍ରଦ ହେଇଆସିଥିବା କଥାଟି (ବର୍ଷ ବର୍ଷ ଧରି ନାଟକ/ ସଙ୍ଗୀତ / ଏବେକାର ଗଣମାଧ୍ୟମର ଧାରାବାହିକ) ସୂଚାଇ ଦେଉଛି ଯେ, ରାମାୟଣ ନାରୀକୁ ନେଇ କେଉଁପ୍ରକାର ଚେତନା ସଫଳତାର ସହ ଆମମାନଙ୍କ ମନରେ ସଂସ୍ଥାପିତ କରିଆସିଛି । କୌତୁହଳର କଥା ଯେ, ରାମାୟଣ ଯୁଗକୁ ପୌରାଣିକ କଥାକାରମାନେ ସତ୍ୟଯୁଗ ହିସାବରେ ବର୍ଣ୍ଣନା କରିଆସିଛନ୍ତି ।

ତା’ପରର ମହାଭାରତ ଯୁଗ ନାରୀମାନଙ୍କ ପାଇଁ କିଛି ଭିନ୍ନ ନଥିଲା । ମହାଭାରତର ମହାନାୟକ ଶ୍ରୀକୃଷ୍ଣ ନାରୀମାନଙ୍କୁ ଯେଉଁଭଳି ଭାବରେ ଦେଖିଆସିଥିଲେ ତାକୁ ଲେଖକ ବିଭିନ୍ନପ୍ରକାରେ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଯୁକ୍ତିରେ ଉପଯୁକ୍ତ ବୋଲି ଉପସ୍ଥାପନ କରିଆସିଥିଲେ ମଧ୍ୟ ନାରୀର କିଛି ସମ୍ମାନ ଥିଲା ଏହି କଥାର ପ୍ରମାଣ ମିଳୁନାହିଁ । ସହସ୍ର ସହସ୍ର ଗୋପନାରୀଙ୍କ ଠାରୁ ଆରମ୍ଭ କରି ବହୁପତ୍ନୀକ ଶ୍ରୀକୃଷ୍ଣଙ୍କର ଦ୍ରୌପଦୀଙ୍କ ପ୍ରତି ଦୁର୍ବଳତା ଯାଏଁ ସବୁଠି ନାରୀ ଯେ, ପୁରୁଷ ତୁଳନାରେ ଅତି ନିମ୍ନ ସାମାଜିକ ଏବଂ ସାଂସ୍କୃତିକ ସ୍ଥିତିରେ ରହିଆସୁଥିଲା, ତାହାର ନିଦର୍ଶନ ହିଁ ମିଳୁଛି ।

କୌଣସି ଏକ ରାଜ୍ୟର ସୁନ୍ଦରୀ ଯୁବତୀକୁ ଜବରଦସ୍ତ ନେଇଆସିବା ଏବଂ ରାଣୀକରି ରଖିବା କାମଟି ଶ୍ରୀକୃଷ୍ଣଙ୍କର ପୁତ୍ରମାନେ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ କରିଥିବା କଥା ମହାଭାରତର କଥାକାର ମାନେ ଲେଖିଛନ୍ତି । ମହାଭାରତର ମୂଳଲେଖକ ବେଦବ୍ୟାସ (ଓ ବିଭିନ୍ନ ଭାଷାର ଲେଖକମାନେ) କୁନ୍ତି ଚରିତ୍ରକୁ ଯେଭଳି କିମ୍ଭୁତକିମାକାର କରି ନିର୍ମାଣ କରିଛନ୍ତି ତାହା ଯେକୌଣସି ନାରୀ ପ୍ରତି ଏକ ଅସମ୍ମାନ । ସେଭଳି ଚରିତ୍ର ନିର୍ମାଣର ଧାରା ମହାଭାରତରେ ଜାରି ରହିଛି, ଯେତେବେଳେ ଦ୍ରୌପଦୀ ଚରିତ୍ରକୁ କୁନ୍ତି ଚରିତ୍ରର ଅନୁରୂପ କରି ନିର୍ମାଣ କରାଯାଇଛି । ନିଜ ପସନ୍ଦର ପୁରୁଷ ଅର୍ଜୁନଙ୍କ ସମେତ ଆଉ ଚାରିଜଣ ପୁରୁଷଙ୍କୁ ସ୍ୱାମୀ ହିସାବରେ ଗ୍ରହଣ କରିବା ପାଇଁ ଦ୍ରୌପଦୀଙ୍କୁ ବାଧ୍ୟ କରାଯାଇଛି । ପାଣ୍ଡବମାନେ କୌରବମାନଙ୍କ ସହ ଜୁଆ ଖେଳିଲାବେଳେ ଦ୍ରୌପଦୀଙ୍କୁ ବାଜି ରଖିବା ସ୍ପଷ୍ଟ ସୂଚାଇ ଦେଉଛି ଯେ, ନାରୀର ନିଜସ୍ୱ ସ୍ୱାଧୀନ ସ୍ଥିତି ବା ସ୍ୱାଭିମାନ ପ୍ରତି ପୁରୁଷ ସମ୍ପୂର୍ଣ୍ଣ ଉଦାସୀନ ଥିଲା ଏବଂ ସମାଜର ଯେତେବଡ଼ ସ୍ଥାନରେ ଥିଲେ ବି ନାରୀକୁ ଯେ ଅନ୍ୟଯେକୌଣସି ସମ୍ପତ୍ତି ସହିତ ହିଁ ତୁଳନା କରାଯାଉଥିଲା ।

ଦ୍ରୌପଦୀଙ୍କ ବସ୍ତ୍ରସହରଣ ତାହାପୁଣି ଏକ ରାଜସଭାରେ ଏବଂ ସତ୍ୟବାନ ପୁରୁଷମାନଙ୍କ ସାମ୍ନାରେ ଘଟିବା ଅବସ୍ଥାଟି ସୂଚାଇଦେଉଥିଲା ଯେ, ତଥାକଥିତ ସତ୍ୟ ସାମ୍ନାରେ ନାରୀର ସ୍ୱାଭିମାନ ବା ଇଜ୍ଜତ ବୋଲି କିଛି ନଥିଲା । ପୁଣି ପାଣ୍ଡବଙ୍କ ବନବାସ କାଳରେ କିଛି ପାଣ୍ଡବ ଯେଉଁସବୁ ନାରୀ ଚାରିତ୍ରଙ୍କ ସମ୍ମୁଖୀନ ହୋଇଛନ୍ତି ଏବଂ ସେମାନଙ୍କୁ ନିଷ୍ଠୁରଭାବେ ପରିତ୍ୟାଗ ମଧ୍ୟ କରିଛନ୍ତି (ଯଥା- ହିଡ଼ିମ୍ବା, ଚିତ୍ରାଙ୍ଗଦା ଇତ୍ୟାଦି) ଏବଂ ପରେ ସେମାନଙ୍କ ଗର୍ଭରୁ ଜନ୍ମିତ ସନ୍ତାନମାନଙ୍କର ଯେଉଁ ଅବସ୍ଥା ହୋଇଛି ତାହା ସୂଚାଇଦେଉଛି ଯେ, ସେହି ସମୟରେ ମଧ୍ୟ ନାରୀକୁ କେବଳ ଏକ ଉପଭୋଗ୍ୟ ସାମଗ୍ରି ହିସାବରେ ବ୍ୟବହାର କରାଯାଉଥିଲା । ମିଛି ମିଛିକା ବାହାଘର ଏବଂ ଛଳନାମୟ ସ୍ତ୍ରୀର ମାନ୍ୟତା ଦେବାଟା ସେତେବେଳେ ବି ସାମାନ୍ୟ ଘଟଣାଟିଏ ଥିଲା ।

ମହାଭାରତର କଥା ଓ କାହାଣୀରେ ଲେଖକମାନେ ନାରୀର କୌଣସି ସମ୍ମାନଜନକ ସ୍ଥିତି କଥା ଦେଖାଇପାରି ନାହାନ୍ତି । ସବୁଠାରୁ ବିଡ଼ମ୍ବିତ ଘଟଣାଟି ହେଉଛି ଦେବୀ ଦୁର୍ଗାଙ୍କୁ ନେଇ – ଯାହାର ଉପାସନା ଆଜି ବି ବର୍ଷକୁ ଥରଟିଏ କରି ଏବେକାର ସମାଜ ନିଜକୁ ଗୌରବାନ୍ୱିତ ମନେକରୁଛି ଯେ, ସେ ନାରୀକୁ ଶକ୍ତିରୂପରେ ବା ମାତୃ ରୂପରେ ଦେଖିଆସୁଛି । ଦୁର୍ଗା ଚରିତ୍ରକୁ ଦେଖୁଥିବା ଲୋକେ ପ୍ରଶ୍ନ କରନ୍ତି ନାହିଁ ଯେ, ଏହି ଚରିତ୍ରର ନିର୍ମାଣ ଯଦି ମହିଷାସୁରକୁ ନିଧନ କରିବା ପାଇଁ କରାଯାଇଥିଲା ଏବଂ ସବୁଠାରୁ ଶକ୍ତିମାନ ବିଷ୍ଣୁ(ସୁଦର୍ଶନ ଚକ୍ର)ଙ୍କ ସମେତ ଅନ୍ୟ ସମସ୍ତ ଦେବତାମାନେ ଏତେ ଅସ୍ତ୍ରଶସ୍ତ୍ର ଦେବା ସତ୍ତେ୍ୱ ଯୁଦ୍ଧକ୍ଷେତ୍ରରେ ମହିଷାସୁରର ଯୌନ ଆବେଦନ କରି ତାକୁ ଦୁର୍ବଳ କରିବା ପାଇଁ ଦୁର୍ଗାଙ୍କୁ କାହିଁକି ଉଲଗ୍ନ ହେବାକୁ ପଡ଼ିଲା ।

ରାମାୟଣ ହେଉ ବା ମହାଭାରତ ବା ଯୁଗ ଯୁଗ ଧରି ଆମ ଭିତରେ ବଞ୍ôଚରହି ଆସିଥିବା ଅନେକ ରହସ୍ୟମୟ ପୁରାଣ ସାହିତ୍ୟ ଯାହା ଏବେବି କୋଟି କୋଟି ଭାରତୀୟମାନଙ୍କର କୋମଳ ମନକୁ କବଳିତ କରି ରଖିଆସିଛି, କେଉଁଥିରେ ବି ନାରୀର ଏକ ସମ୍ମାନଜନକ ଅବସ୍ଥା ନାହିଁ । ଇତିହାସ ଯୁଗରେ (ଯାହା ସତ୍ୟଘଟଣାଗୁଡ଼ିକ ଉପରେ ଆଧାରିତ) ଗାର୍ଗୀ, ମୈତ୍ରେୟିଙ୍କ ଭଳି କିଛି ମହିୟସୀ ମହିଳା ପୁରୁଷର ପତିଆରାକୁ ପ୍ରତିହତ କରି ନାରୀମାନଙ୍କର ସ୍ୱାତନ୍ତ୍ର୍ୟକୁ ପ୍ରତିଷ୍ଠା କରିବା ପାଇଁ କିଛି ନିଦର୍ଶନ ଛାଡ଼ିଯାଇଛନ୍ତି।

ବିଶିଷ୍ଟ ଲେଖକ ଓ ଗବେଷକ ପ୍ରଫେସର ଭାଗବତ ପ୍ରସାଦ ରଥ ‘ସମଦୃଷ୍ଟି’ ପାକ୍ଷିକ ପତ୍ରିକାର ବିଭିନ୍ନ ଲେଖାରେ ଇତିହାସର ନାରୀମାନଙ୍କ ସମ୍ପର୍କରେ ଏକ ସାକାରାତ୍ମକ ନିଷ୍କର୍ଷ ମଧ୍ୟ ଦେଇଛନ୍ତି । ତେବେ ମୋଟାମୋଟି ଭାବେ ଇତିହାସଟିକୁ ଘଣ୍ଟାଚକଟା କଲେ ନାରୀ ଯେ, ପୁରୁଷ ସହ ସବୁଦୃଷ୍ଟିରୁ ସମକକ୍ଷ ମଣିଷଟିଏ ଏବଂ ଅନେକ କ୍ଷେତ୍ରରେ ପୁରୁଷ ଅପେକ୍ଷା ଅଧିକା ପ୍ରଜ୍ଞାବନ୍ତ ତାହା ସ୍ୱୀକାର କଲାଭଳି ଦୃଷ୍ଟାନ୍ତ ଦେଖିବାକୁ ମିଳୁନାହିଁ । ସେହିଦୃଷ୍ଟିରୁ ସେ ପୁରାଣ ହେଉ ବା ଇତିହାସ ବା ଆଧୁନିକ ସମାଜ ଯେଉଁସବୁ କଥା ଓ କାହାଣୀ ନୀତିପ୍ରତିଦିନ ଆମର ମଣିଷ ହେବାକୁ ଥିବା ପିଲାମାନଙ୍କ ମନଭିତରେ ଭର୍ତ୍ତି କରାଯାଉଛି, ସଚେତନ ଭାବେ ହେଉ ବା ଅଜାଣତରେ ସେଥିରେ ନାରୀକୁ ଏକ ମଣିଷ ଏବଂ ସମାନ ମଣିଷ ଓ ପୁରୁଷର ଶାରୀରିକ ବଳିଷ୍ଠତା ବ୍ୟତୀତ ଅନ୍ୟ କୌଣସି ଯୋଗ୍ୟତା ନାହିଁ ନାରୀ ସହ ସମତୁଲ ହେବାପାଇଁ ଏହିକଥାର ବୁଝାମଣାଟିଏ ସୃଷ୍ଟି ହେଲାଭଳି ଉପାଦାନ କିଛି ମିଳିବାର ସମ୍ଭାବନା ବି ନାହିଁ ।

ବରଂ ଭଲହେବ ସବୁ ପୁରାଣ ଓ କିମ୍ବଦନ୍ତୀଗୁଡ଼ିକୁ ପ୍ରତ୍ୟାଖ୍ୟାନ କରି ନାରୀର ସାମାଜିକ ଭୂମିକା ଏବଂ ସଭ୍ୟତାକୁ ଗଢ଼ିତୋଳି ରଖିବାରେ ରହିଆସିଥିବା ଐତିହାସିକ ଦାୟିତ୍ୱକୁ ବିନମ୍ରତାର ସହ ସ୍ୱୀକାର କରି ତାକୁ ଜଣେ ସମାନ ଏବଂ ଯୋଗ୍ୟ ମଣିଷ ହିସାବରେ ଦେଖିବା ପାଇଁ କେମିତି ଶୈଶବରୁ ହିଁ ଆମ ପିଲାମାନେ ଚେଷ୍ଟା କରିବେ ସେଥିପାଇଁ ଶିକ୍ଷା ଏବଂ ସାମାଜିକ ସଚେତନତା ମାଧ୍ୟମରେ ଆମେ ଉଦ୍ୟମ କରିବା ।

ଆଜି ଆମେ ନାରୀମାନଙ୍କ ପ୍ରତି ଯେଉଁ ମନୋଭାବ ସମାଜରେ ଦେଖିବାକୁ ପାଉଛେ ଯାହାର ପରିଣାମ ସ୍ୱରୂପ ନିର୍ଯାତନା, ଶାରୀରିକ ଉତ୍ପୀଡ଼ନ, ଧର୍ଷଣ, ହତ୍ୟା ଏବଂ ଅନେକ ଅବିଚାର ଚାଲିଛି ସେଥିରେ ଯୁଗ ଯୁଗ ଧରି ନାରୀମାନଙ୍କୁ ନେଇ ରହିଆସିଥିବା ଭାରତୀୟଙ୍କ ଚେତନା ମୁଖ୍ୟତଃ ଦାୟୀ । ଏହାର ପ୍ରତିକାର କେବଳ କିଛି ନୂଆ ନିୟମ ପ୍ରଣୟନ କରି କରାଯାଇପାରିବ ନାହିଁ । ଭାରତୀୟଙ୍କ ଚେତନାରେ ପରିବର୍ତ୍ତନ ଆଣିବା କାମଟି ପିଲାଟି ଦିନରୁ ହିଁ କରିବାକୁ ପଡ଼ିବ ଏବଂ ଏକ ନାରୀବିରୋଧୀ ଚେତନାକୁ ବଳିଷ୍ଠ କରିଚାଲିଥିବା ସମସାମୟିକ ସମାଜର ସମସ୍ତ ଉଦାହରଣଗୁଡ଼ିକୁ ନିଷ୍ଠୁରତାର ସହିତ ନିଶ୍ଚିହ୍ନ କରିବାକୁ ପଡ଼ିବ ।

Photo credit-internet

About ସୁଧୀର ପଟ୍ଟନାୟକ

ସୁଧୀର ପଟ୍ଟନାୟକ
ଗୀତିକାର , ସମଦୃଷ୍ଟି ପାକ୍ଷିକ ପତ୍ରିକାର ସମ୍ପାଦକ, ମୁକ୍ତ ସାମ୍ବାଦିକ, ସମାଜବିଜ୍ଞାନୀ

Check Also

ଚାପହୀନ ଶାନ୍ତ ମସ୍ତିଷ୍କ ଓ ‘ସୁଖ’

‘ଧିକ୍ ସେ ସମାଜ, ମୃତ୍ୟୁରେ ଯହିଁ ଶ୍ରେଷ୍ଠତ୍ୱ ମପାହୁଏ ।’ ହିଂସା, ବ୍ୟାଧିପୀଡ଼ିତ ପୃଥିବୀରେ ‘ଉଦ୍ଭଟ୍ଟତା’ ଓ ‘ଟ୍ରାଜେଡ଼ି’ ରେ …

Leave a Reply

Your email address will not be published. Required fields are marked *