Home / ସମୀକ୍ଷା / କଳା ସମୀକ୍ଷା / ତିରିଶବର୍ଷ ପରେ କଳାର କଥା ଓ ବ୍ୟଥା

ତିରିଶବର୍ଷ ପରେ କଳାର କଥା ଓ ବ୍ୟଥା

Art palette and brushes with a lot of colors

ପ୍ରଫେସର ଦିନନାଥ ପାଠୀ ଉକ୍ତ ଲେଖା ମାଧ୍ୟମରେ ସୁଜି ଗବ୍ଲିକ୍ଙ୍କ ଭଳି କଳା ସମାଲୋଚକଙ୍କ ସହିତ ଓଡ଼ିଶାବାସୀଙ୍କୁ ପରିଚୟ କରାଇଛନ୍ତି ଏବଂ ଆଧୁନିକ କଳା ସଂସ୍କୃତିକୁ ସମାଲୋଚନାର ପରିସରଭୁକ୍ତ କରିଛନ୍ତି । କେବଳ ଓଡ଼ିଶାର ନୁହେଁ ସମଗ୍ର ଭାରତ ଏବଂ ବିଶ୍ୱ ସ୍ତରରେ ମଣିଷ ଯେମିତି ଯନ୍ତ୍ର ସଭ୍ୟତା ଆଡ଼କୁ ମୁହାଁଇଛି ସେଠୁ ଫେରି ପଛକୁ ଚାହିଁବାର ସମୟ ଆସିଛି ବୋଲି ତାଙ୍କର ଦୃଢ଼ୋକ୍ତି ଅତ୍ୟନ୍ତ ଯୁକ୍ତିଯୁକ୍ତ ମନେହୁଏ । କଳା ସଂସ୍କୃତି କ୍ଷେତ୍ରଟିର ସାମ୍ପ୍ରତ୍ତିକ ମୂଲ୍ୟାୟନ କରିବା ଲକ୍ଷ୍ୟରେ ହୁଏତ ତାଙ୍କର ସୁଜି ଗବ୍ଲିକ୍ଙ୍କ ବହିକୁ ନେଇ ଏଭଳି ଏକ ସମୀକ୍ଷା । ଲେଖାଟି ଅତ୍ୟନ୍ତ ଉଚ୍ଚମାନର ଏବଂ ଶିକ୍ଷଣୀୟ ହୋଇଥିବାରୁ  ‘ସମ୍ବାଦର ୩ ଅକ୍ଟୋବର, ୨୦୧୪’ ସଂଖ୍ୟାରେ ପ୍ରକାଶିତ ଏହି ଲେଖାଟିକୁ ଆମେ ଏଠାରେ ସ୍ଥାନିତ କରୁଛୁ । ଏଥିସହିତ ଉଭୟ ପ୍ରଫେସର ପାଠୀ ଏବଂ ‘ସମ୍ବାଦ’କୁ ଆମେ କୃତଜ୍ଞତା ଜଣାଉଛୁ ।                                         – ସମ୍ପାଦକ

କିଛିଦିନ ତଳେ ପଢ଼ିଥିବା ସୁଜି ଗବ୍ଲିକ୍ଙ୍କ ବହି ‘କନ୍ଭେର୍ସେନ୍ସ୍ ବିଫୋର୍ ଦ ଏଣ୍ଡ୍ ଅଫ୍ ଟାଇମ୍’ର କିଛି ଲେଖା ମୋତେ କୌତୂହଳୀ କରିଦେଇଥିଲା । ବିଂଶ ଶତାବ୍ଦୀର ଶେଷପ୍ରାନ୍ତରେ ସୁଜି ପୃଥିବୀର କିଛି ବଛା ବଛା ଚିତ୍ରଶିଳ୍ପୀ, ଲେଖକ/ଲେଖିକା, ସାମ୍ବାଦିକ/ ସାମ୍ବାଦିକା ଓ ଚଳଚ୍ଚିତ୍ର ନିର୍ମାତାଙ୍କୁ କଳା, ଜୀବନ ଓ ଆଧ୍ୟାତ୍ମିକତା ଉପରେ ପ୍ରଶ୍ନ ପଚାରି, ଉତ୍ତରଗୁଡ଼ିକୁ ଏ ବହିରେ ସନ୍ନିବେଶିତ କରିଥିଲେ । ଏକବିଂଶ ଶତାବ୍ଦୀରେ କ’ଣ ଘଟିବ ବା ଘଟିପାରେ ତାକୁ ନେଇ ଉତ୍ତରଦାତାମାନେ ଚର୍ଚ୍ଚା କରିଥିଲେ । ସୁଜି ଜଣେ ବିଖ୍ୟାତ କଳା ସମାଲୋଚିକା । ତାଙ୍କର ଜଣାଶୁଣା ବହି ହେଲା, ‘ଆଧୁନିକ କଳା ବିଲୟ ଲଭିଲା କି?’ (ହାଜ୍ ମଡ଼ର୍ନିଜିମ୍ ଫେଲଡ଼?) । ଏହି ବହିଟି ପ୍ରକାଶିତ ହେଲା ପରେ ବହୁ ଲୋକ ତାଙ୍କୁ ପ୍ରଶ୍ନ କରିଛନ୍ତି । ଏମିତି କ’ଣ ହେଲା ଯେ ଆଧୁନିକ କଳାର ଅସାରତା ସମ୍ପର୍କରେ ତମେ ଶତମୁଖ? ତମେ ଯେଉଁ ଆଦର୍ଶକୁ ପାଥେୟ କରି, ଯେଉଁ ସଂସ୍କୃତିକୋଳରେ ତମେ ବଢ଼ିଛ, ତାକୁ କିଭଳି ହାତଛଡ଼ା କରିଦେଉଛ? ଏତେ ବଡ଼ ପରିବର୍ତ୍ତନର କାରଣ କ’ଣ?

ସୁଜି ଏସବୁ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ‘କ୍ରିୟାତ୍ମକ ଭାବବିନିମୟ’ ଏବଂ ‘କଳା ସର୍ଜନାରେ ସମାଜର ପ୍ରତ୍ୟକ୍ଷ ଭୂମିକା’ ବା ‘ଭାଗୀଦାରି କଥା’ କହିଛନ୍ତି । ଲେଖକ, ସାହିତ୍ୟିକ, ଚିତ୍ରଶିଳ୍ପୀ, ନିଜ ନିଜର ନିର୍ଜନ ଦୁର୍ଗ ଗଢ଼ି ନିଜକୁ ଜିନିଅସ୍ କହିବାର ପ୍ରଚେଷ୍ଟା ତାଙ୍କୁ ବିଚଳିତ କରିଛି । ସେ ମାନବୀୟ ସମ୍ପର୍କ ଓ ସମ୍ପୃକ୍ତି ଉପରେ ବେଶି ଗୁରୁତ୍ୱ ଦେଇଛନ୍ତି । ବ୍ୟକ୍ତିକୈନ୍ଦ୍ରିକ ବା ବ୍ୟକ୍ତିନିଷ୍ଠ ଗର୍ଜନ ତାଙ୍କ ନିକଟରେ ସ୍ତିମିତ । ସେ ଆହୁରି କହିଛନ୍ତି ସାମ୍ପ୍ରତିକ ଚିତ୍ରକଳା ମନୋଲୋଗ ନୁହେଁ ଡାଏଲଗ୍ ।

‘ସମ୍ବାଦ’ ବୋଧହୁଏ ସୁଜି ଗବ୍ଲିକଙ୍କ ‘ଡାଏଲଗ୍’ ପାଖରେ ରହି ଆଗାମୀ ତିରିଶବର୍ଷର ସମ୍ଭାବ୍ୟ କଳା ଓ ସଂସ୍କୃତିର ସ୍ରୋତକୁ ଆକଳନ କରିବାକୁ ଚେଷ୍ଟା କରୁଛି । ଏହି ଆକଳନ ଉତ୍ସ ଠାରୁ ଦୂରେଇ ଯାଇ ନୁହେଁ ବା ବିଗତ ତିରିଶବର୍ଷର ଆରମ୍ଭ ଓ ପ୍ରବାହକୁ ଅସ୍ୱୀକାର କରି ନୁହେଁ, ବରଂ ଆମ ଅଲକ୍ଷ୍ୟରେ, ଆମେ ଅଜ୍ଞତା ଓ ଅପାରଗତାରୁ ଉଦ୍ଭବ ସାଂସ୍କୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଆଉ ଏକ ନୂତନ ପ୍ରଚେଷ୍ଟା । ଆମେ ଲକ୍ଷ୍ୟରେ ପହଞ୍ôଚପାରିନୁ ଏବଂ ଦେଶର କଳା ଓ ସଂସ୍କୃତିକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିଦେଇପାରିନୁ, ତାହା ହିଁ ଆଗାମୀ ଦିନ ପାଇଁ ଆଶ୍ୱାସନାର କଥା ।

ଅବକ୍ଷୟ ଭିତରେ ଆମେ କିଭଳି ବଂଚିଛେ ଏବଂ କଳା କିଭଳି ଆମର ସହାୟକ ହେଇଛି, କବିତା, ଗପ, ଉପନ୍ୟାସ ଆମକୁ କେତେ ଯାଏଁ ସମ୍ପର୍କିତ କରିଦେଇପାରିଛି, ମଣିଷଙ୍କ ସାଙ୍ଗରେ, ନଦୀ ସାଙ୍ଗରେ, ପାହାଡ଼ ସାଙ୍ଗରେ, ତାହାହିଁ ହେଜିବାର ସମୟ । ପୁରସ୍କାର ପ୍ରାପ୍ତିର ଆଶା, ମୁକୁଟ ପିନ୍ଧି ସିଂହାସନରେ ବସିବାର ଆକାଂକ୍ଷା କବି ବନ୍ଧୁଙ୍କ ସହିତ, ଶିଳ୍ପୀ ବନ୍ଧୁଙ୍କ ସହିତ ଆମର ଅପଡ଼ କରିଦେବନି ତ? ଅସୂୟା, କ୍ଷୋଭ ଓ ଅବହେଳାର ଯନ୍ତ୍ରଣା ଆମ ଲାଲ୍ ରକ୍ତକୁ ନୀଳ କରିଦେବ ନାହିଁ ତ? ମନେହେଉଛି ଆଗାମୀ ଦିନମାନଙ୍କରେ ଶ୍ରେଷ୍ଠ କବି, ପୁରସ୍କୃତ ଶିଳ୍ପୀ ଓ ଧନୀ ଲେଖକ ହେବାର ଯନ୍ତ୍ରଣା ମାନବିକତାକୁ କ୍ଷତାକ୍ତ କରିବ । ମାଳିକା ବଚନ ବାଇଶି ପାହାଚରେ ମୀନ ଖେଳିବା କଥା କହିଛି, ଭଲା ଏ ସମ୍ପର୍କରେ କିଛି ଆକଳନ କରିଥାନ୍ତା । ବୈଷୟିକ ବା ଯାନ୍ତ୍ରିକ ସମାଜ ବା ସଂସ୍କୃତି, କୃଷିଭିତ୍ତିକ ଓ ଗ୍ରାମୀଣ ସଂସ୍କୃତି ଅପେକ୍ଷା ଉନ୍ନତ ବୋଲି ଯାହା କୁହାଯାଉଥିଲା, ତା’ର ଅସାରତା ଏବେ ଉପଲବ୍ଧ ହେଲାଣି ବୋଲି ବହୁ ଶିଳ୍ପୀ ସୁଜିଙ୍କ ବହିରେ ସ୍ପଷ୍ଟ ମତବ୍ୟକ୍ତ କରିଛନ୍ତି । ଯାନ୍ତ୍ରିକ ସଂସ୍କୃତିର ଯେଉଁ ପରିମାପକ ଉପରେ ଆମେ ନିର୍ଭର କରି ଚଳିଆସିଛୁ, ତାହା ପୃଥିବୀକୁ ଖଣ୍ଡବିଖଣ୍ଡିତ କରିଦେଲାଣି । ଆମେ ଅନୁଭବ କରୁଥିଲେ ମଧ୍ୟ ଏ ଘୂର୍ଣ୍ଣି ଭିତରୁ ନିଜକୁ ମୁକ୍ତ କରିପାରୁନୁ । ଏ ଅସହାୟତା ବହୁ ଶିଳ୍ପୀଙ୍କ କଥାରେ ବାରି ହୋଇଯାଇଛି ।

ଉନବିଂଶ ବା ବିଂଶ ଶତାବ୍ଦୀରେ ଘଟିଥିବା ଆଧୁନିକ କଳା ବିପ୍ଳବ ଫଳରେ କଳାରୁ ଚିରନ୍ତନତା ହଟିଯାଇଛି । କଳାର ଅନନ୍ୟତା ଆମର ଲକ୍ଷ୍ୟ ହୋଇ ରହିନାହିଁ । କୋଣାର୍କର କାରିଗରି, ଶିଳ୍ପ ଚାତୁରୀକୁ ଅବଲମ୍ବନ କରି ଆମ ଓଡ଼ିଆ ଅସ୍ମିତାର ଏକ ପକ୍ଷରେ ଡିଣ୍ଡିମ ପିଟୁଥିବାବେଳେ ଅନ୍ୟପକ୍ଷରେ ବାଲିରେ ଗଢ଼ା ଦିନିକିଆ ଉତ୍ତେଜନା ଭିତରେ ଆମେ ଆମର ବିଶ୍ୱ ମର୍ଯ୍ୟାଦା ଖୋଜୁଛୁ । ଆଗକୁ ନୂତନତାର ଆଦର ଭିତରେ ଆମେ ପୁରାତନତାର ସ୍ୱାଦ ହଜେଇ ବସିବୁ । ହାତରେ ଅଙ୍କା ଚିତ୍ର ଅପେକ୍ଷା କମ୍ପ୍ୟୁଟର୍ ଆଙ୍କି ଦେଉଥିବା ଚିତ୍ର ଆମର ଧ୍ୟେୟ ହେବ । ଘରୋଇ ସଂସ୍ଥାମାନଙ୍କର ପରିଚାଳନାରେ ଥିବା କମ୍ପ୍ୟୁଟର ଶିକ୍ଷାକେନ୍ଦ୍ରଗୁଡ଼ିକ ଓଡ଼ିଆ ଶିକ୍ଷାର୍ଥୀମାନଙ୍କୁ ପ୍ରତାରିତ କରୁଥିଲେ ମଧ୍ୟ ସେଠି ଛାତ୍ରଛାତ୍ରୀଙ୍କ ଭିଡ଼ ଜମିବ କାରଣ କମ୍ପ୍ୟୁଟର ଆହରିତ ଜ୍ଞାନ ମାଧ୍ୟମରେ ସେମାନେ ଆମେରିକାରେ ପହଞ୍ôଚ ପ୍ରଚୁର ଅର୍ଥ ଉପାର୍ଜନ କରିପାରିବେ । ନୂଆ ନୂଆ ଚିତ୍ର ଓ ଭାସ୍କର୍ଯ୍ୟ ଗଢ଼ି ମ୍ୟୁଜିୟମ୍ ଓ ଘରକାନ୍ଥରେ ଟାଙ୍ଗିବା ପାଇଁ ଜାଗାର ଅଭାବ ହେବ । ଶିଳ୍ପୀମାନେ ବାଲି, ପାଣି ଓ ଅନ୍ୟାନ୍ୟ ବାୟବୀୟ ପଦାର୍ଥରେ କଳା ଗଢ଼ି ପ୍ରତି ସନ୍ଧ୍ୟାରେ ତାକୁ ଉଜେଇ ଦେବେ । କଳାରୁ ରୋମାଣ୍ଟିସିଜିମ୍ ହଟିଯିବ । ଧିରେ ଧିରେ କଳା ସମାଜରେ ଉଦ୍ଭବୁ ଥିବା ସମସ୍ୟାକୁ ପ୍ରାଧାନ୍ୟ ଦେବ । ଉଦୟଗିରି ଗୁମ୍ପାର ଗୋଟିଏ ଫଳକରେ ନାରୀ ଅପହରଣର ଚିତ୍ର ଖୋଦିତ ହୋଇଛି ବୋଲି କୁହାଯାଉଛି ଏବଂ ଯେଉଁମାନେ ଅପହରଣକାରୀଙ୍କ କବଳରୁ ନାରୀଟିକୁ ଉଦ୍ଧାର କରିବା ପାଇଁ ଉଦ୍ୟତ ହେଉଛନ୍ତି, ସେମାନଙ୍କୁ ସେମାନଙ୍କ ସାହସିକ କାର୍ଯ୍ୟରୁ ବିରତ କରିବା ପାଇଁ ହାତୀ ପିଠିରୁ ଥଳିରୁ ସ୍ୱର୍ଣ୍ଣମୁଦ୍ରା ଭୂଇଁ ଉପରେ ଅଜାଡ଼ି ଦିଆଯାଉଛି ଏବଂ ଧନ ଲୋଭରେ ପ୍ରଲୋଭିତ ହୋଇ ନିଜ ସାହସିକତାରୁ କ୍ଷାନ୍ତ ହୋଇ ସେମାନେ ଅପହରଣକାରୀଙ୍କୁ ମୁକ୍ତି ଦେଇ ଦେଇଛନ୍ତି । ଏହା ତ ପୁଣି ସେ ସମୟର ସାମାଜିକ ଚିତ୍ର ଥିଲା । ଆମର ଓଡ଼ିଆ ଭାଷାର ଶାସ୍ତ୍ରୀୟତା ପ୍ରମାଣ କରିବା ପାଇଁ ହାତୀଗୁମ୍ପା ଶିଳାଲେଖର ସାହାଯ୍ୟ ନେଇଛି । ପଥରରେ ଖୋଦିତ ହୋଇଥିବା ଲୋକଗୁଡ଼ିକ କ’ଣ ଓଡ଼ିଆ ଥିଲେ? କଳା ଓ ସମାଜ ସଦାକାଳେ ସମ୍ପର୍କିତ ଥିଲା । ଆଧୁନିକ ଓ ନିରୂପ କଳା ଏହି ସମ୍ପର୍କକୁ ଅସ୍ୱୀକାର କରିଥିଲା । ମନେହୁଏ କଳା ଓ ସମାଜର ସମ୍ପର୍କ ଫେରିଆସିବ । ଆଜିର ସମାଜରେ ଯେତେ ସବୁ ଅନ୍ୟାୟ ଅବିଚାର ଘଟୁଛି, ତାକୁ ସିନେମା ଓ ସମ୍ବାଦ ମାଧ୍ୟମରେ ସିନା ପରିବେଷଣ କରିହେବ । ହେଲେ କଳାର ସେହି ସାମର୍ଥ୍ୟ ରହିବନି । ଉଦୟଗିରିରେ ଖୋଦିତ ଫଳକ ଯେଉଁ ସାହସିତକତା ବା ସଚ୍ଚୋଟତା ପ୍ରଦର୍ଶନ କରିଥିଲା ଆଜି ପ୍ରଦର୍ଶନର ସେହି ଦମ୍ଭ ରହିବନି । ରକ୍ଷା ହେଇଛି କୋଣାର୍କର ସୂର୍ଯ୍ୟ ମନ୍ଦିରକୁ ଏ ଯାଏଁ ଆମେ ‘ରମଣ ମନ୍ଦିର’ କହି ନାହେଁ । କିଛି ଦିନ ତଳେ ଫ୍ରାନ୍ସର ଜଣେ ଚିତ୍ରଶିଳ୍ପୀ କୋଣାର୍କ ମନ୍ଦିର ପରିଦର୍ଶନରେ ଆସିଥିଲେ । ଏତେଗୁଡ଼ିଏ ମିଥୁନ ଭାସ୍କର୍ଯ୍ୟ ମନ୍ଦିର ଗାତ୍ରରେ ଖୋଦିତ ହୋଇଥିବା ଦେଖି ସେ ଏହାକୁ ରମଣ ମନ୍ଦିର (ଫକିଙ୍ଗ୍ ଟେମ୍ପଲ୍)ର ଆଖ୍ୟା ଦେଇଥିଲେ । ଆମ ସଂସ୍କୃତିରେ ଜୀବନର ଉଦ୍ଭବକୁ ନେଇ ବହୁ ପରିକଳ୍ପନା କରାଯାଇଛି । ପ୍ରେମ, ପରିଣୟ, ପରିବାର ତା’ରି ଭିତରେ ପ୍ରଜନନ ପାଇଁ ରମଣର ଆବଶ୍ୟକତାକୁ ସ୍ୱୀକାର କରାଯାଇଛି । ବିଦେଶରେ ପ୍ରେମ, ପରିଣୟ ଓ ପରିବାରର ସଂଜ୍ଞା ଓ ତା’ର ବ୍ୟାବହାରିକତା ବଦଳିବାରେ ଲାଗିଛି । ଆମେ ଯେତେ ନିଜ ସଂସ୍କୃତିର ବଡ଼େଇ କଥା କହୁଥିଲେ ମଧ୍ୟ, ପାଶ୍ଚାତ୍ୟ (ଆମେରିକାକୁ ଯୋଡ଼ି) ସଂସ୍କୃତି ଦ୍ୱାରା ଅତିମାତ୍ରାରେ ପ୍ରଭାବିତ ହେବ । ପ୍ରେମ ଭଳି ଏକ ସ୍ୱର୍ଗୀୟ ବସ୍ତୁକୁ ଶ୍ୱାନୀୟ ପର୍ଯ୍ୟାୟକୁ ଖସାଇ ଆଣି ନିଜକୁ ନିଜେ ବିଡ଼ମ୍ବିତ କରିବା । ଆମ ସଂସ୍କୃତିରେ ତା’ର ଗ୍ରହଣୀୟତାର ସାମର୍ଥ୍ୟ ମପାଯିବ । ଏକ ଉପଭୋକ୍ତା ସଂସ୍କୃତିର କରାଳଛାଇ ଆମକୁ ଏଭଳି ତା’ର ଅବଗୁଣ୍ଠରେ ଆଚ୍ଛାଦିତ କରିଦେବ ଯେ ତା’ର ଉଷ୍ଣ ପରଶ ହିଁ ଆମେ ଅନୁଭବ କରୁଥିବା । ‘ସମ୍ବାଦ’ ଭଳି ଏକ ପପୁଲାର୍ ପତ୍ରିକା ନିଜ ସଂସ୍କୃତିର ମହନୀୟତା ଓ ଉଦାରତାକୁ ଜନସମାଜରେ ପ୍ରଚାରିତ ଓ ପ୍ରସାରିତ କରିବା ଛଡ଼ା ଏହି ପରିବର୍ତ୍ତିତ ସ୍ଥିତିର ଅସାରତାକୁ ରୋକିବାରେ କିଭଳି ସମର୍ଥ ହେବ? ମନେହୁଏ, ନବ ଉଦ୍ଭାବିତ ସାମାଜିକ ବ୍ୟବସ୍ଥା ଏଭଳି ଚାଞ୍ଚଲ୍ୟକର ଘଟଣାମାନ ଆମ ଆଗରେ ବାଢ଼ିବ ଯେ ଇଣ୍ଟର୍ନେଟ୍ରେ ଫର୍ଣ୍ଣଗ୍ରାଫିକୁ କିଶୋର କିଶୋରୀଙ୍କ ଠାରୁ ଦୂରେଇ ଦେବାପାଇଁ ଚେଷ୍ଟା କରି ଆମେ ଯେଭଳି ଅସହାୟ ହୋଇପଡ଼ିଛୁ, ସେଭଳି ଅଗତ୍ୟା ହେବା ଛଡ଼ା ଅନ୍ୟ ଉପାୟ ଦେଖାଯିବ ନାହିଁ । ଆମେ ପାଶ୍ଚାତ୍ୟ ସଂସ୍କୃତିର ଅସାର ଦିଗଗୁଡ଼ିକୁ ଯେତେ ଯେତେ ଆବୋରି ବସିବା, ତା’ର ଆବିଳତା ଆମକୁ ଡୁବେଇ ମାରିବ । ପର୍ଯ୍ୟଟନର ବିକାଶ ଆମ ସଂସ୍କୃତିର ଅହିତ ସାଧନ କରିବ । ପର୍ଯ୍ୟଟନକୁ ଯଥାସମ୍ଭବ ସଙ୍କୁଚିତ ନ କଲେ ପର୍ଯ୍ୟଟନ ଜନିତ ବ୍ୟାଧିକୁ ରୋକିହେବନି । ଆଗାମୀ ଦିନମାନଙ୍କରେ ଯୌନ ଲୋଲୁପତା, ଭ୍ରଷ୍ଟାଚାର, ସମକାମୁକତା ଏକ ନବ୍ୟ ସମାଜର ସ୍ୱୀକୃତ ପରମ୍ପରାରେ ପରିଣତ ହୋଇଗଲା ପରେ ଆମେ ସେହି ସ୍ରୋତରେ ଅନିଚ୍ଛା ସତ୍ତେ୍ୱ ଭାସିଯିବା ନତୁବା ରକ୍ଷଣଶୀଳ ଭାବେ ପରିଚିିତ ହୋଇ ଆଲୋଡ଼ା ହୋଇପଡ଼ିବା । ସରକାର ଅର୍ଥ ଉପାର୍ଜନ ପାଇଁ ମଦ ବିକ୍ରିକୁ ପ୍ରୋତ୍ସାହନ ଦେବେ ଏବଂ ଗୋଟିଏ ବିଶୃଙ୍ଖଳିତ ଓ ନୂଆ ନୂଆ ଅର୍ଥର ପ୍ରାବଲ୍ୟରେ ମଜି ରହୁଥିବା ସମାଜ ଅର୍ଥ ବିନିମୟରେ ସବୁ ପ୍ରକାର ସୁଖ ଆହରଣ କରିବାକୁ ଚେଷ୍ଟା କରିବ ।

ଅର୍ଥରେ କଳା ଓ ସାହିତ୍ୟକୁ ମାପିଯିବ । ଯିଏ କଳା ମାଧ୍ୟମରେ ବେଶି ଅର୍ଥ ଉପାର୍ଜନ କରିବାର କ୍ଷମତା ହାସଲ କଲା ସିଏ ହେବ ପ୍ରସିଦ୍ଧ ଶିଳ୍ପୀ । ଏବେ ବଡ଼ ବଡ଼ ସହରରେ ବସବାସ କରୁଥିବା ଶିଳ୍ପୀମାନେ ନିଜ ହାତ ବୋଲ ମାନୁନଥିବାରୁ ଅନ୍ୟ ବୁଭୁକ୍ଷୁ ଶିଳ୍ପୀଙ୍କ ହାତ ଭଡ଼ାରେ ଆଣିବେ । ଅନ୍ୟର କୃତିକୁ ନିଜ ନାଁ’ରେ ବିକ୍ରି କରି ପର୍ଯ୍ୟାପ୍ତ ଅର୍ଥ ଉପାର୍ଜନ କରିବେ । ଗାଁ’ରେ ରହୁଥିବା ପାରମ୍ପରିକ ଶିଳ୍ପୀଟିଏ ଅଭାବର ଜୀବନ ବିତଉଛି, ବିତାଇବ ମଧ୍ୟ । କୂଳ ତ ଉଜୁଡ଼ି ଗଲାଣି । ଆଉ କୌଳିକ ବ୍ୟବସାୟ କ’ଣ ବା ସମ୍ଭବ ହେବ। ଏଭଳି ପରିସ୍ଥିତିରେ ଗୋଟିଏ କଳା ବିଦ୍ୟାଳୟର ପାଠ୍ୟକ୍ରମରେ ବାନ୍ଧି ହୋଇ ରହିବାର ଆବଶ୍ୟକତା ରହିବ ନାହିଁ । ଉଭୟ ଶିକ୍ଷକ-ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀଙ୍କ ମୂଳ ଲକ୍ଷ୍ୟ କଳାସାଧନା ନୁହେଁ, ଅର୍ଥ ଉପାର୍ଜନ ହେବ । କଳାର ସଂଜ୍ଞା ଆଗାମୀ ତିରିଶ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ଭାବରେ ବଦଳିଯିବ । ପବ୍ଲିକ ଆର୍ଟ, ଇନ୍ଷ୍ଟେଲେସନ୍, ଆର୍ଟ ପରଫାର୍ମାନସ୍, କମ୍ୟୁନିଟି ଆର୍ଟ ଆଜିକାଲିର ସମସ୍ୟା କଳାଭ୍ୟାସକୁ ପଛରେ ପକାଇ ଦେଇ ଜନଜୀବନକୁ ପ୍ରଭାବିତ କରିବ । ଏସବୁ କଳାର ନବୀନତମ ପ୍ରଚେଷ୍ଟାରେ ମଧ୍ୟ ବହୁ ସଂସ୍କୃତି (ମଲ୍ଟିକଲଚରାଲିଜମ୍)ର ପ୍ରଭାବ ଅନୁଭୂତ ହେବ । ମ୍ୟୁଜିୟମ୍ କାନ୍ଥରେ କଳା ସାମଗ୍ରୀକୁ ଶୈଳୀ ଅନୁସାରେ ସଜାଇବା ଏକ ପାଶ୍ଚାତ୍ୟ ଧାରା ବୋଲି ବିବେଚିତ ହେବ । ସମଗ୍ର ମ୍ୟୁଜିୟମ୍ର ପଞ୍ଜରକୁ ପରିବର୍ତ୍ତନ କରିବା ଆବଶ୍ୟକ ପଡ଼ିବ କେବଳ ଚିତ୍ର ଓ ଭାସ୍କର୍ଯ୍ୟ ନୁହେଁ । ସଂଗ୍ରହାଳୟରେ ପ୍ରଦର୍ଶନ ପାଇଁ ନୁହେଁ ବାସ୍ତବ ପୃଥିବୀରେ କଳା ସାମଗ୍ରୀ ପ୍ରଦର୍ଶନ ପାଇଁ ଶିଳ୍ପୀମାନେ ଦାବି କରିବେ । କଳା ଧିରେ ଧିରେ ବସ୍ତୁ ସମ୍ପର୍କିତ ନହୋଇ ଜୀବନ ସମ୍ପର୍କିତ ହେବ । ସଂଗ୍ରହାଳୟ ଏବଂ ଏକାଡ଼େମୀ କଳାରେ ଓ ଶିଳ୍ପୀଙ୍କ ଭିତରେ ଭିନ୍ନତା ଆଣିଦିଅନ୍ତି, ବାଛବିଚାର କରନ୍ତି । ଏଣୁ ଶିଳ୍ପୀ ଓ ଅନ୍ୟମାନେ ଚାହିଁବେ, ଭାସ୍କର୍ଯ୍ୟ ବା ଚିତ୍ର ତା ନିଜ ଆସ୍ଥାନକୁ ଫେରିଯାଉ । ସର୍କସରେ ଜନ୍ତୁମାନଙ୍କୁ ଆବଦ୍ଧ ରଖି ଖେଳ ଦେଖାଇବା ବିରୋଧରେ ଯେଭଳି ଜନମତ ସଂଗ୍ରହ ହେଉଛି, କଳା କ୍ଷେତ୍ରରେ ସେଭଳି ଘଟିବ । ସଂଗ୍ରହାଳୟ ବ୍ୟବସ୍ଥା ଭିତରେ ମଧ୍ୟ ବହୁ ସଂସ୍କୃତିର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ହେବ । ଓଡ଼ିଶାରେ ଦକ୍ଷିଣ ଓଡ଼ିଶା, ପଶ୍ଚିମ ଓଡ଼ିଶାର କଳାକୃତି ଠିକ୍ ଭାବେ ପ୍ରଦର୍ଶିତ ହେଉଛି କି ନାହିଁ ପ୍ରଶ୍ନ ହେବ । ଅନ୍ୟାନ୍ୟ ଦେଶରେ ବିଶେଷକରି ଆମେରିକାରେ ଯାହା ସବୁ ଘଟିଯାଇଛି, ତାହା ଏଠି ଘଟିବ ।

‘କଲ୍ଚର୍ ଇନ୍ ଆକ୍ସନ୍’ ବା ‘ଗତିଶୀଳ ସଂସ୍କୃତି’ରେ କଳାକୁ ସମାଜ ସହିତ ବା ଗୋଷ୍ଠୀ ସହିତ ସମ୍ପୃକ୍ତ କରିବାକୁ ଚେଷ୍ଟା କରାଯିବ । ରବୀନ୍ଦ୍ରମଣ୍ଡପରେ ବା ଅନ୍ୟ ସହରରେ ପ୍ରେକ୍ଷାଗୃହ ବା ମଞ୍ଚରେ ନୁହେଁ ଗାଁ’ରେ ଧରାଯାଉ, ଝୋଟି ଆଙ୍କିବାର ମହତ୍ୱ ଓ ଆବଶ୍ୟକତା ଉପରେ ଗୁରୁତ୍ୱ ଦେବା ଜରୁରୀ ହେବ । କେବଳ ଶିଳ୍ପୀ ଓ ଗ୍ୟାଲେରି ମାଲିକ ନୁହେଁ, କଳା ସହିତ କଳକାରଖାନାରେ କାମ କରୁଥିବା ଶ୍ରମିକ, ଯୌନ କର୍ମୀ ବା ସ୍କୁଲ ଛାତ୍ରଛାତ୍ରୀଙ୍କ କିଭଳି ସମ୍ପର୍କ ପ୍ରତିଷ୍ଠା ହୋଇପାରିବ, ତା’ର ତର୍ଜମା ହେବ । କଳା ‘ସାଇଟ୍ ସ୍ପେସିଫିକ୍’ ବା ସ୍ଥାନବଦ୍ଧ ସୃଷ୍ଟିର ରୂପ ନେବ । କଳାକୁ ବନେ୍ଧଇ ଫ୍ରେମ୍ ଭିତରୁ ଗୋଡ଼ କାଢ଼ି ପଦାକୁ ବାହାରିବାକୁ ହେବ । ଆମକୁ ‘କଳା’ ଚିହ୍ନାଇବାର ଧ୍ରୁଷ୍ଟତାର ଯୁଗ ଶେଷ ହେବ । କଳା ସଂଗ୍ରହାଳୟର ସମ୍ପତ୍ତି ହୋଇ ରହିବ ନାହିଁ । ନାନ୍ଦନିକତାକୁ ନେଇ ଆଜିପର୍ଯ୍ୟନ୍ତ ଘଟିଥିବା ସମସ୍ତ ଅଭ୍ୟାସର ଅନ୍ତ ହେବ ବୋଲି ଶିଳ୍ପୀମାନେ କହିଲେଣି ।

ଆମେ ଯେଉଁମାନେ ଷାଠିଏ ଟପିଗଲେଣି, ସେମାନଙ୍କ ଦ୍ୱାରା କଳା ସୃଷ୍ଟିରେ ପରିବର୍ତ୍ତନ ଆଣିବା ସମ୍ଭବ ନୁହେଁ । ‘ପାର୍ଟନର୍ସିପ୍ ଏଥିକ୍’ ବା ‘ପ୍ରୋସେସ୍ ଓରିଏଣ୍ଟଡ଼୍ ଥିଙ୍କିଙ୍ଗ୍’ ବୁଢ଼ାଙ୍କ ଦ୍ୱାରା ସମ୍ଭବ ନୁହେଁ । ପରିବର୍ତ୍ତନକୁ ଗ୍ରହଣ ନକରି ଉପାୟ ନାହିଁ । କିନ୍ତୁ ଓଡ଼ିଶାରେ ଅମଲାତନ୍ତ୍ର (ବ୍ୟୁରୋକ୍ରେସି)ର ଚେର ଭୂଇଁ ଭିତରକୁ ଏମିତି ଭାବରେ ମାଡ଼ିଯାଇଛି ଯେ ତା’ର ମୂଳୋତ୍ପାଟନ ଏତେ ସହଜ ନୁହେଁ । ମୁଁ ସରକାରଙ୍କ ଦ୍ୱାରା ପ୍ରଚୋଦିତ ଓ ପରିଚାଳିତ ସଂସ୍କୃତି କଥା କହୁଛି । ଆମେ ଗଢ଼ିଥିବା ଅନୁଷ୍ଠାନଗୁଡ଼ିକ ସ୍ଥାଣୁ ହୋଇଗଲେଣି । ଖଲିକୋଟ ଓ ଜୟପୁରର କଳା ଶିକ୍ଷା ଅନୁଷ୍ଠାନ, ଭୁବନେଶ୍ୱରର ବିକେ ଆର୍ଟ କଲେଜ, ଆମର ଏକାଡ଼େମୀ ନୂଆ ଚିନ୍ତାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ଆମେ ଗୋଟିଏ ଅକାମୀ ସଂସ୍କୃତିର ଛାଞ୍ଚ ଭିତରେ ନିଜକୁ ଖାପଖୁଆଇ ଦେଲୁଣି । ଯାନ୍ତ୍ରିକ ସଂସ୍କୃତିର ଶୀର୍ଷରେ ପହଞ୍ôଚ ସାରିଥିବା ଲୋକେ ଏବେ ପଛକୁ ଫେରିବାକୁ ଚେଷ୍ଟା କଲେଣି । ସେମାନେ ବିଳାସ ଓ ଅୟସକୁ ଛାଡ଼ି ଜଙ୍ଗଲ ଭିତରକୁ ଯାଇ ଏକାନ୍ତ ବାସ କରିବାକୁ ଶ୍ରେୟ ମଣିଲେଣି । ସେମାନେ ବିଶ୍ୱାସ କରୁଛନ୍ତି, ଯାନ୍ତ୍ରିକ ସଭ୍ୟତାର ବିଲୟ ଘଟିବ । ଯେମିତି ବିଜୁଳି ଆଲୁଅ ଚାଲିଗଲେ ଆମେ ଛଟପଟ ହେଉ, ଆଉ ଆମର ବୁଦ୍ଧି ଦେଖାଯାଏନି, ସେଭଳି କୌଣସି କାରଣରୁ ଆମର ସଂଗ୍ରହାଳୟ, ଆମର ଆର୍ଟ ଗ୍ୟାଲେରି ଧ୍ୱଂସ ହୋଇଗଲେ ଆମେ କ’ଣ କରିପାରିବା? କୋଣାର୍କ, ରାଜାରାଣୀ କଥା କହି କହି ଅସଂଖ୍ୟ କୋଣାର୍କ ଚକର ନମୂନା ଗଢ଼ି କେତେଦିନ ଯାଏଁ ଗୋଟିଏ ଗତିଶୀଳ ସଂସ୍କୃତିର ଗତିକୁ ପ୍ରତିରୋଧ କରିବା? ଓଡ଼ିଆ ଶେଷରେ କ’ଣ ଗୋଟିଏ ଅନୁକରଣ ପ୍ରିୟ ଜାତି ବୋଲି ନିଜକୁ ପରିଚୟ ଦେବ? ନିଜେ ନିଜକୁ ସମ୍ଭାଳି ନେବା ‘ଝଙ୍କଗ୍ଦଗ୍ଧବସଦ୍ଭବଭସକ୍ଷସଗ୍ଧଚ୍ଚ’ର ପ୍ରୟାସ ହେଲାଣି । ଆନ୍ତର୍ଜାତିକ ନୁହେଁ, ଗାଁ କଥା କହିବା, ଗାଁ’କୁ ସମ୍ଭାଳି ନେବାର ବେଳ ଆସିଲାଣି । ‘ଝଙ୍କଗ୍ଦଗ୍ଧବସଦ୍ଭବଭକ୍ଷର ବକ୍ସଗ୍ଧ’, ‘ଝଙ୍କଗ୍ଦଗ୍ଧବସଦ୍ଭବଭକ୍ଷର ଙ୍ଖସକ୍ଷକ୍ଷବଶର’ କଥା କୁହାଗଲାଣି । ଆମେ ତ ଆମ କଥା ବେଶ୍ ବୁଝୁଥିଲୁ । ଯାନ୍ତ୍ରିକ ସଭ୍ୟତା ହିଁ ଆମକୁ ଅସହାୟତା ଭିତରକୁ ଠେଲି ଦେଲା । ଆମର ଦକ୍ଷତା ଓ କ୍ଷମତାକୁ ଭୁଲି ଆମେ ଅସମର୍ଥ ହୋଇଗଲୁ । ଚାଲନ୍ତୁ, ଆଗାମୀ ଦିନର ସୂର୍ଯ୍ୟାଲୋକରେ ଦେହ ଓ ମନକୁ ପଖାଳିବା ।

Photo- Internet

(ସୌଜନ୍ୟ- ସମ୍ବାଦ)

About ଡା ଦିନନାଥ ପାଠୀ

ଡା ଦିନନାଥ ପାଠୀ
ବିଶିଷ୍ଟ ଚିତ୍ରଶିଳ୍ପି ତଥା ଚିତ୍ରକଳାର ସମାଲୋଚକ, ଲେଖକ

Leave a Reply

Your email address will not be published. Required fields are marked *