Home / ଇତିହାସ / ଗାନ୍ଧୀ, ଆମ୍ବେଦକର ଓ ଆଜିର ଭାରତ (ସାରାଂଶ)

ଗାନ୍ଧୀ, ଆମ୍ବେଦକର ଓ ଆଜିର ଭାରତ (ସାରାଂଶ)

ରବୀନ୍ଦ୍ରନାଥଙ୍କ କବିତା ‘ଅପମାନିତ’ ପ୍ରକାଶ କରେ ଆମ୍ବେଦକର ଓ ଗାନ୍ଧୀଙ୍କ ଅନ୍ତର୍ବେଦନା…

ହେ ମୋର ଦୁର୍ଭାଗା ଦେଶ, ଯାଦେର  କରେଛ ଅପମାନ

ଅପମାନ ହତେ ହବେ ତାହାଦେର ସବାର ସମାନ ।’

ଗାନ୍ଧୀ ଓ ଆମ୍ବେଦକର । ଅନ୍ୟାୟ ବିରୁଦ୍ଧରେ ଦୁଇସଂଗ୍ରାମୀ ସାଧକ । ଗାନ୍ଧୀୟ ଦୃଷ୍ଟିକୋଣ ଯୋଗୀର । ଯୋଗୀ କାହାକୁ ଶତ୍ରୁ ଭାବିପାରେନା । ଯୋଗୀ ଭାବେ ଶୋଷଣ ଏକ ପ୍ରକ୍ରିୟା ଯାହାର ଦୁଇ ମେରୁରେ ରହିଛି ଦୁଇଟି ଭୀରୁ, ଭ୍ରାନ୍ତ ମାନସ । ଶୋଷିତ ଯେତେବେଳେ ବୁଝିଯାଏ ତା’ର ବିନା ସହଯୋଗରେ ଶୋଷଣ ସମ୍ଭବ ନୁହେଁ, ଶୋଷକ ହୋଇଯାଏ ଅସହାୟ । ସତ୍ୟାଗ୍ରହର ଦୁଇ ମୁଖ୍ୟ ଅଙ୍ଗ ସତ୍ୟ ଓ ଅହିଂସା କିଛି ବିବେକୀ ଶୋଷକ ମନରେ ଆଣେ ଦ୍ୱନ୍ଦ୍ୱ । ଶୋଷକ ଶ୍ରେଣୀର ଏକ ସମ୍ବେଦନଶୀଳ ଗୋଷ୍ଠୀ ବୁଝିଯାଆନ୍ତି ଯେ ସେମାନେ ଭୁଲ୍ ପଥରେ ଯାଉଛନ୍ତି । ସେମାନେ ଆଗେଇ ଆସନ୍ତି ଶୋଷିତର ସାଥି ହେବାପାଇଁ । ଦକ୍ଷିଣ ଆଫ୍ରିକାରେ ଗାନ୍ଧୀଙ୍କ ସତ୍ୟାଗ୍ରହ ସାଥି ଥିଲେ କିଛି ଗୋରାଲୋକ । ମାର୍ଟିନ୍ ଲୁଥର୍ କିଙ୍ଗ୍‌ଙ୍କ ସଂଗ୍ରାମରେ ସେ ଅନେକ ଗୋରାଲୋକଙ୍କ ସହଯୋଗ ପାଇଥିଲେ ।

ଗାନ୍ଧୀଙ୍କ ‘ସତ୍ୟାଗ୍ରହ’ ବିଚାର କ୍ଷେତ୍ରରେ ଶୋଷକ ‘ଆଧିପତ୍ୟ’ର ଅବସାନ ଘଟାଏ । ଶୋଷକ ବାଧ୍ୟହୁଏ ‘ନଗ୍ନହିଂସା’ର ପ୍ରୟୋଗ ପାଇଁ । ତାର ଚରିତ୍ରର କ୍ଷେତ୍ରରେ ଶୋଷକ କଳଙ୍କମୁଖା ମୁକ୍ତ ହୁଏ । ଭାରତର ଯୋଗୀ, ସନ୍ଥ ଓ ତନ୍ତ୍ର ପରମ୍ପରାରେ ‘ଅସ୍ପୃଶ୍ୟତା’ର ସ୍ଥାନ ନାହିଁ । ଦୁଇଟି ନିରୀଶ୍ୱରବାଦୀ ଧର୍ମ ବୌଦ୍ଧ ଓ ଜୈନ, ବର୍ଣ୍ଣ ବିଭାଗକୁ ସମର୍ଥନ କରେନା । ହିନ୍ଦୁଧର୍ମର ଆୟତନ ମଧ୍ୟରେ ‘ଦଳିତ’ ସମସ୍ୟାର ସମାଧାନ ଚାହାନ୍ତି ଗାନ୍ଧୀ, ପାଶ୍ଚାତ୍ୟ ବିଶ୍ୱବିଦ୍ୟାଳୟମାନଙ୍କର କୃତୀ ଗବେଷକ ଆମ୍ବେଦକର, ଫ୍ରାନ୍ସ ବିପ୍ଳବର ହୃଦୟଥରା ଧ୍ୱନି ‘ସ୍ୱାଧୀନତା’ ‘ସମତା’ ଓ ‘ମୈତ୍ରୀ’ ପ୍ରତି ମୁହୂର୍ତ୍ତରେ ଅନୁରଣିତ ତାଙ୍କ ହୃଦୟରେ । ବୈଷମ୍ୟର ରକ୍ତଝରା ହୃଦୟର ବ୍ୟଥାକୁ ଚିରଦିନ ଦୂର କରିବାକୁ ଚାଲିଛନ୍ତି ସେ ଆଜୀବନ, ଦଳିତ ଲଢ଼ିବ ତାର ସ୍ୱତନ୍ତ୍ର ସତ୍ତା ନେଇ । ନିର୍ଯାତନା, ଶୋଷଣ ଓ ଘୃଣାର ଜମାଟବନ୍ଧା ବରଫ ତରଳାଇବାର ରାସ୍ତା ଖୋଜି ପାଇଛନ୍ତି ସେ । ଉପରଶ୍ରେଣୀର ସାହାଯ୍ୟ ଉପରେ ନିର୍ଭରଶୀଳ ହେବାକୁ ଚାହାନ୍ତିନି ଆମ୍ବେଦକର । ଦଳିତ ନିଜେ ବୋହିବ ନିଜର କୁଶ ଆଉ ସାବ୍ୟସ୍ତ କରିବ ନିଜର ନାଗରିକ ଅଧିକାର, ମାନବିକ ଓ ସାମ୍ବିଧାନିକ ଅଧିକାରର ଜୋରରେ ।

ଗାନ୍ଧୀୟ ‘ସତ୍ୟାଗ୍ରହ’ର ସମାଲୋଚକ ଦୁଇ ମହାମାନବ ଟାଗୋର ଓ ଆମ୍ବେଦକର । ମଜାକଥା ଉଭୟଙ୍କର ଗାନ୍ଧୀ ସମାଲୋଚନା ଦୁଇ ବିପରୀତ କାରଣରୁ । ଗାନ୍ଧୀୟ ‘ନାଗରିକ ଆଇନ ଅମାନ୍ୟ ଆନ୍ଦୋଳନ’ (civil disobedience) ଯାହା ଭାରତର ସ୍ୱାଧୀନତା ଲକ୍ଷ୍ୟରେ ନିୟୋଜିତ ଥିଲା, ଘୃଣାର ବାତାବରଣ ସୃଷ୍ଟି କରିପାରେ ବୋଲି ଅଭିଯୋଗ କରିଥିଲେ ଟାଗୋର । ‘ଘରେ ବାହାରେ’ ଉପନ୍ୟାସରେ ସେ ଦେଖାଇଥିଲେ କଠୋରପନ୍ଥୀ ଜାତୀୟତାବାଦର ସମାଜଧ୍ୱଂସୀ ରୂପକୁ । ଗାନ୍ଧୀଙ୍କ ଉତ୍ତର ଥିଲା ସେ ଚାହାନ୍ତି ବ୍ରିଟିଶ ଓ ଭାରତୀୟ ଉଭୟଙ୍କ ମଙ୍ଗଳ । ଭାରତର ଶୋଷଣ ଜଣକୁ କରିଛି ଅନ୍ୟାୟୀ ଏବଂ ଆଉଜଣକୁ କରିଛି କାପୁରୁଷ । ଏଇ ଦୁଇଟି ଗୋଷ୍ଠୀକୁ ମୁକ୍ତ କରିବାକୁ ହେବ ସେମାନଙ୍କ ଦୁର୍ବଳତାରୁ । ଗାନ୍ଧୀଙ୍କ ଭାଷା ଥିଲା ‘A fallen and frustrate India cannot be of help to herself or the world …. I want my country to be free that one day, if need be, she may die that humanity may live, it is in self surrender that we rectify ourselves.’

 ‘ପରାଧୀନ ଭାରତ ପୃଥିବୀ ପାଇଁ ଏକ ବୋଝ । ସ୍ୱାଧୀନ ଭାରତ, ଆବଶ୍ୟକ ପଡ଼ିଲେ, ପ୍ରସ୍ତୁତ ହେବ ପୃଥିବୀ ପାଇଁ ଆତ୍ମବଳୀ ଦବାକୁ ।’

‘ସିପାହୀ ବିଦ୍ରୋହ’ର ଧକ୍କା ସମ୍ଭାଳିବାକୁ ଅନେକ ଦିନ ଲାଗିଗଲା ବ୍ରିଟିଶ ଶାସକଙ୍କୁ । ଆଗେଇ ଆସିଲେ ବ୍ରିଟିଶ ବୁଦ୍ଧିଜୀବୀ ଶାସକଙ୍କୁ ମଦତ୍ ଦେବାପାଇଁ । ଭାରତର ଜନତାକୁ ଭିନ୍ନ ଭିନ୍ନ ଭାଗରେ କଠିନୀଭୂତ (freezing)  ନକଲେ ବ୍ରିଟିଶକୁ ଦିନେ ପେଡ଼ିପୁଟୁଳା ଧରି ଭାରତରୁ ବିଦାୟ ନେବାକୁ ପଡ଼ିବ । ଜେମସ୍ ମିଲ୍ ଲେଖିଲେ ଇତିହାସ ଭାରତର ଦୁଇ ଗୋଷ୍ଠୀ ମଧ୍ୟରେ ବିଦ୍ୱେଷର ବୀଜ ବୁଣିବା ପାଇଁ । ସମ୍ବିଧାନଜ୍ଞମାନେ ଆଗେଇଗଲେ ମୁସଲମାନଙ୍କୁ ଅଲଗା ଭୋଟ ଅଧିକାର ଦେଇ ଅଲଗା ପ୍ରତିନିଧି ବାଛିବାକୁ ସକ୍ଷମ କରବା ପାଇଁ । ଟଡ଼୍‌ଙ୍କ ରାଜପୁତାନାର ଇତିହାସ, ବଙ୍କିମଙ୍କ ରାଜସିଂହ, ସୀତାରାମ, ଆନନ୍ଦ ମଠ, ରମେଶ ଦତ୍ତଙ୍କ ‘ରାଜପୁତ ଜୀବନସନ୍ଧ୍ୟା’ ଓ ‘ମହାରାଷ୍ଟ୍ର ଜୀବନ ପ୍ରଭାତ’, ମୁସଲମାନ ଶାସକ ଦ୍ୱାରା ଶିଖ୍‌ଙ୍କ ନିର୍ଯାତନା ଓ ଗୌରବ ଗାନ ସମ୍ପର୍କୀୟ ସାଲବୀ ଲେଖା ଭାରତରେ ବଜାଇ ଦେଲା ମରଣଘଣ୍ଟି ଶିଖ୍ – ହିନ୍ଦୁ – ମୁସଲମାନ ଏକତାର । ଗାନ୍ଧିଜୀଙ୍କର ଖିଲାଫତ୍ ଆନ୍ଦୋଳନକୁ ସାହାଯ୍ୟ ହିନ୍ଦୁ ମୁସଲମାନ ବିଭେଦରେ କିଛି ସମୟ ପାଇଁ ଭଟ୍ଟା ଆଣିଥିଲା ।

ଅଗଷ୍ଟ ୧୭, ୧୯୩୨ । ସେଦିନ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରାମ୍‌ସେ ମ୍ୟାକ୍‌ଡ଼ୋନାଲ୍ଡ ଘୋଷଣା କଲେ ଯେ ଦଳିତମାନେ ପାଇବେ କେବଳ ତାଙ୍କ (ଦଳିତ) ଭୋଟଦ୍ୱାରା ନିର୍ବାଚିତ ଅଲଗା ପ୍ରତିନିଧିତ୍ୱର ଅଧିକାର । ଏ ବ୍ୟବସ୍ଥାକୁ କୁହାଯାଉଥିଲା ‘ସାମ୍ପ୍ରଦାୟିକ ଉପହାସ’(Communal award)। ଆମ୍ବେଦକର ସ୍ୱାଗତ କଲେ ବ୍ରିଟେନ୍‌ର ଏ ପଦକ୍ଷେପକୁ । ଗାନ୍ଧୀ ଆରମ୍ଭ କଲେ ଆମରଣ ଅନଶନ । ତାଙ୍କ ଚିଠିରେ ସେ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଲେ sense the injection of poison that is calculated to destroy Hinduism and to do no good what so-ever to the depressed classes.’

ଆପଣଙ୍କର ପଦକ୍ଷେପରେ ସୃଷ୍ଟି ହେବା ବିଷ ହିନ୍ଦୁ ସମାଜକୁ ଧ୍ୱଂସ କରିଦେବ । ଏ ବିଷ ଦଳିତ ଜାତିମାନଙ୍କର କୌଣସି ଉପକାର କରିବନି ।’

ଗାନ୍ଧୀଙ୍କ ଆମରଣ ଅନଶନ ଚହଲାଇ ଦେଲା ହିନ୍ଦୁସମାଜର ମାନସକୁ, ଲୋକେ ସେପ୍ଟେମ୍ବର ୧୪ରେ ଆଲ୍‌ହାବାଦର ସବୁ ମନ୍ଦିର ଦ୍ୱାର ଖୋଲିଦେଲେ ଦଳିତ ସମାଜ ପାଇଁ । ଆଲ୍‌ହାବାଦର ପଦାଙ୍କ ଅନୁସରଣ କଲେ ଭାରତର ଅନେକ ସହର । ଦଳିତମାନଙ୍କର ସାମାଜିକ ଦୁରବସ୍ଥାକୁ ତୁରନ୍ତ ଦୂର କରିବା ପାଇଁ ଗାନ୍ଧୀଙ୍କ ଡାକରା ସୃଷ୍ଟିକଲା ସାରା ଭାରତରେ ଆଲୋଡ଼ନ । ଅନେକ ସ୍ଥାନରେ ସବର୍ଣ୍ଣ ହିନ୍ଦୁମାନେ ଦଳିତଙ୍କ ସହ ଅଧିକ ଘନିଷ୍ଠ ସମ୍ପର୍କ ସ୍ଥାପନ ପାଇଁ ଚେଷ୍ଟା କରିବାକୁ ଲାଗିଲେ ।

ଆମେରିକାରେ ରହଣିବେଳେ ଆମ୍ବେଦକର ନିଶ୍ଚୟ ଜାଣିଥିବେ ନିଗ୍ରୋଜାତିର ସଂଗ୍ରାମ ସମ୍ପର୍କରେ । ୧୯୧୯ରେ ମାରକସ୍ ଗାର୍ଭେ (Marcus Garvey)  ପ୍ରକାଶ କରିଥିଲେ ଖବରକାଗଜ ‘ନିଗ୍ରୋ ଦୁନିଆ’ (Negro World)। ସେ କଳା ଲୋକଙ୍କୁ ନିଜର ଗୌରବମୟ ଐତିହ୍ୟ ପ୍ରତି ସଚେତନ ରହିବାକୁ ଆହ୍ୱାନ ଦେଇଥିଲେ । କଳାଲୋକଙ୍କ ଅର୍ଥନୈତିକ ସ୍ୱାଧୀନତା ଲକ୍ଷ୍ୟ ନେଇ କାମ କରିବାକୁ ସେ ସମଗ୍ର ନିଗ୍ରୋ ଜାତିକୁ ଆହ୍ୱାନ ଦେଇଥିଲେ । ତାଙ୍କ ସଙ୍ଗଠନ ୟୁନିଆ (ଟଘଓଇ)ର ସଭ୍ୟସଂଖ୍ୟା ଥିଲା ୧୧ନିୟୁତ ।

୧୯୨୦ ଜାନୁଆରୀ ୧୧ରେ ଆମ୍ବେଦକର ପ୍ରକାଶ କରିଥିଲେ ପତ୍ରିକା ‘ମୂକନାୟକ’, ମେ ୧୯୨୦ର ନାଗପୁର ସଭାରେ ସେ ଘୋଷଣା କଲେ,  Institutions and individuals have no right to defend the interest of depressed classes, if they are not run by unthouchables.’

କୌଣସି ବ୍ୟକ୍ତି କିମ୍ବା କୌଣସି ସଂସ୍ଥା, ଯେଉଁଥିରେ ଦଳିତମାନେ ସମ୍ପର୍କିତ ନୁହନ୍ତି, ଦଳିତଙ୍କ ବିଷୟରେ କିଛି କହିବା ଉଚିତ ନୁହେଁ । ଗାର୍ଭେଙ୍କ ‘ୟୁନିଆ’ର ଉଗ୍ର ବା ମିଲିଟାଣ୍ଟ ସ୍ୱର ଫୁଟି ଉଠିଥିଲା ଆମ୍ବେଦକରୀୟ ଭାଷଣରେ ।

ଅନଶନରେ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ଦିନକୁ ଦିନ ଖରାପ ହେବା ଫଳରେ ଆମ୍ବେଦକରଙ୍କ ଉପରେ ଚତୁର୍ଦ୍ଦିଗରୁ ଚାପ ପଡ଼ିଲା । ଶେଷରେ ସେ ଗାନ୍ଧୀଙ୍କ ଜୀବନରକ୍ଷା ପାଇଁ ମିଶ୍ରିତ ଭୋଟର ନିର୍ବାଚିତ ଦଳିତ ପ୍ରତିନିଧିତ୍ୱ ଦାବୀ ପ୍ରତି ନିଜର ସମ୍ମତି ଜ୍ଞାପନ କରିଥିଲେ, ରାମ୍‌ସେ ମ୍ୟାକଡୋନାଲ୍ଡ ମତ ବଦଳାଇଥିଲେ । ପର ଜୀବନରେ ଆମ୍ବେଦକର ଖୋଲାଖୋଲି ପ୍ରକାଶ କରିଥିଲେ ଯେ ଗାନ୍ଧୀଙ୍କର ଯଦି ମୃତ୍ୟୁ ହୋଇଥାନ୍ତା ସବର୍ଣ୍ଣମାନେ ସଙ୍ଗଠିତ ହୋଇ ଦଳିତଙ୍କ ଉପରେ ଆକ୍ରମଣ କରିଥାନ୍ତେ ଓ ଦଳିତଙ୍କ ଜୀବନ ଦୁର୍ବିସହ ହୋଇପଡ଼ନ୍ତା । ତେଣୁ ସେ ସାଲିସ୍ କରିବାକୁ ବାଧ୍ୟ ହୋଇଗଲେ ।

ଯୋଗୀ, ଭକ୍ତ, ସନ୍ଥମାନେ ଦଳିତଙ୍କ ନିମ୍ନ ସାମାଜିକ ସ୍ଥିତିକୁ ବିରୋଧ କରୁଥିଲେ ମଧ୍ୟ ଦଳିତଙ୍କ ଅବସ୍ଥାରେ ପରିବର୍ତ୍ତନ ଘଟି ନଥିଲା । ଉତ୍ତରଭାରତର କବୀର, ନାନକ ଓ ଗୋରଖନାଥପନ୍ଥୀମାନେ, ଓଡ଼ିଶାର ମହିମାଧର୍ମୀ ଓ ଅଚ୍ୟୁତାନନ୍ଦଙ୍କ ଭଳି ସାଧକମାନେ, ଆନ୍ଧ୍ରର ଯୋଗୀ ଓ ତାମିଲନାଡ଼ୁର ସିଦ୍ଧି ସମ୍ପ୍ରଦାୟ, କର୍ଣ୍ଣାଟକର ଶିଶୁନାଲ ଓ ନାରାୟଣାପ୍ପାଙ୍କ ଭଳି ଯୋଗୀମାନେ ବର୍ଣ୍ଣବୈଷମ୍ୟ ଓ ଅସ୍ପୃଶ୍ୟତା ବିରୁଦ୍ଧରେ ପ୍ରଚାର କରୁଥିଲେ, ଏ ସମସ୍ତଙ୍କର କାର୍ଯ୍ୟକଳାପ ସାରା ଭାରତକୁ ସ୍ପର୍ଶ ନ କରି କେବଳ ସ୍ଥାନୀୟ ସ୍ତରରେ ତରଙ୍ଗ ସୃଷ୍ଟି କରୁଥିଲା ।

ରାଜନୈତିକ ସ୍ତରରେ ଅସ୍ପୃଶ୍ୟତାକୁ ଆହ୍ୱାନ ଦେବା ଉଭୟ ଗାନ୍ଧୀ ଓ ଆମ୍ବେଦକରଙ୍କ ଧ୍ୟେୟ ଥିଲା । ଗାନ୍ଧୀଙ୍କ ଅସ୍ପୃଶ୍ୟତା ବିରୋଧୀ ସଂଗ୍ରାମରେ ପ୍ରାଥମିକ ସ୍ତରରେ ମଧ୍ୟ ଧର୍ମ ଓ ଆଧ୍ୟାତ୍ମିକତାର ଛାପ ରହିଥିଲା । ଆମ୍ବେଦକର ପ୍ରଥମ ପର୍ଯ୍ୟାୟରେ କେବଳ ସାମାଜିକ ଓ ଆର୍ଥିକ ନୀତିର ଲକ୍ଷ୍ୟକୁ ମୁଖ୍ୟ ସ୍ଥାନ ଦେଇଥିଲେ । ସେ ଜୀବନର ଶେଷ ପର୍ଯ୍ୟାୟ ଆଡ଼କୁ ବୌଦ୍ଧଧର୍ମ ଆଡ଼କୁ ଢଳିଥିଲେ ଓ ଗାନ୍ଧୀଙ୍କ ଢ଼ଙ୍ଗରେ ଆଧ୍ୟାତ୍ମିକତାକୁ ଦଳିତ ଅସ୍ମିତା ଜାଗରଣର ଏକ ମାଧ୍ୟମ ରୂପେ ବ୍ୟବହାର କରିଥିଲେ ।

ପାଞ୍ଚ ଅକ୍ଟୋବର ୧୯୯୭ରେ ବାଙ୍ଗାଲୋର୍ ଠାରେ ଦକ୍ଷିଣ ଭାରତର ପାଞ୍ଚଶହ ଦଳିତ ବୁଦ୍ଧିଜୀବୀ ଏକାଠି ହୋଇ ନିଷ୍ପତ୍ତି ନେବେ ‘each caste must be strengthened so that it can fight for its share in society. This fight is possible only if each deprived caste preserves its identity. Such an identity requires caste consciousness… If every caste is strenghtened, brahminism will automatically dissappear soon.

ପ୍ରତି ଜାତିକୁ ଶକ୍ତିଶାଳୀ କରିବା ଦରକାର, ଯାହାର ଫଳରେ ସେମାନେ କ୍ଷମତାରେ ତାଙ୍କ ଭାଗ ପାଇଁ ସଂଗ୍ରାମ କରିପାରିବେ । ପ୍ରତ୍ୟେକ ଜାତି ତାଙ୍କର ତାଙ୍କର ‘ଜାତି ଚେତନା’ ବଢ଼ାଇ ‘ଜାତି ଅସ୍ମିତା’କୁ ସୁରକ୍ଷା ଦେବା ଉଚିତ… ଯଦି ପ୍ରତି ଜାତି ଶକ୍ତିଶାଳୀ ହୁଅନ୍ତି, ବ୍ରାହ୍ମଣବାଦ ତା’ର ଅନ୍ତିମ ନିଶ୍ୱାସ ତ୍ୟାଗ କରିବ ।’

ପୃଥିବୀର ଇତିହାସ ବିଭିନ୍ନ ଗୋଷ୍ଠୀର ଶକ୍ତିଶାଳୀ ଲୋକଙ୍କ ସମୃଦ୍ଧିର ଇତିହାସ । Reservation ବା ସଂରକ୍ଷଣ ଆନ୍ଦୋଳନ ପଛୁଆ ଜାତିଗୋଷ୍ଠୀ ମାନଙ୍କର ‘ଅସ୍ମିତା’ ଦୃଢ଼ୀକରଣର ଆନ୍ଦୋଳନ । ଏ ଆନ୍ଦୋଳନର ଅଗ୍ରଭାଗରେ ପ୍ରତି ଜାତି ଗୋଷ୍ଠୀର ମୁଖ୍ୟ ନେତାମାନେ ରହିବା ସ୍ୱାଭାବିକ । ଅତୀତ ପୃଥିବୀରେ ଯୁଦ୍ଧ ନିପୁଣତା ଥିଲା ରାଜା ବା ସଂଘ ମୁଖ୍ୟମାନଙ୍କର କ୍ଷମତାର ଉତ୍ସ । ଆଜି ପ୍ରତିଗୋଷ୍ଠୀର କ୍ଷମତାର ଉତ୍ସ, ଧନ, ଜ୍ଞାନ ବା ଜାତିର ସଂଖ୍ୟାଧିକ୍ୟ ହୋଇପାରେ । ଗଣତନ୍ତ୍ର ଶାସନରେ ସଂଖ୍ୟାଧିକ୍ୟକୁ ଯଦି ଧନ ବା ଜ୍ଞାନ ସହ ସମାନ ବା ଅଧିକ ସ୍ଥାନ ମିଳେ, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।

ଗାନ୍ଧୀ ଏବଂ ଆମ୍ବେଦକରଙ୍କ ବିଚାରର ମୂଳ ବିନ୍ଦୁ ଥିଲା ସାଧାରଣ ଲୋକଙ୍କର ଦୁଃଖ ଦୁର୍ଦ୍ଦଶାର ଦୂରୀକରଣ । ଗାନ୍ଧୀ ବିଚାର ଥିଲା ଗ୍ରାମକୈନ୍ଦ୍ରିକ ଏବଂ ଆମ୍ବେଦକର ବିଚାର ଥିଲା ନଗରକୈନ୍ଦ୍ରିକ । ‘ଗ୍ରାମ ସ୍ୱରାଜ’ର ଯଥାର୍ଥ ସମାଲୋଚକ ଥିଲେ ଆମ୍ବେଦକର । ସେ କହିଥିଲେ ଜାତିଭିତ୍ତିକ ନିର୍ଯାତନା ଦୂର ନହେଲେ ‘ଗ୍ରାମସ୍ୱରାଜ’ ଭାବନା ବିଫଳ ହେବ । କିନ୍ତୁ ଆମ୍ବେଦକରଙ୍କ ‘ନଗରାୟନ’ ମନୋଭାବ ‘ଉନ୍ନୟନ’ ପଥରେ ଦଳିତଙ୍କୁ ନେଇ ପାରିବନି । ବିଭିନ୍ନ ଉନ୍ନୟନ ଯୋଜନା ଓ ଶିଳ୍ପାୟନ ଯୋଗୁଁ ବିସ୍ଥାପିତ ଆଦିବାସୀ ଓ ହରିଜନ ଆଜି ବିଭିନ୍ନ ସହରରେ ବସ୍ତିଅଞ୍ଚଳରେ ଭିଡ଼ ଜମାଇଛନ୍ତି । ସେଠି ସେମାନେ ସାଧାରଣ ନାଗରିକ ଜୀବନ କଟାଇବା ବି କଷ୍ଟକର ହୋଇପଡ଼ୁଛି, ପିଇବା ପାଣି, ସାଧାରଣ ପରିମଳ, ଖଣ୍ଡିଏ ଛୋଟ ଘର ସେମାନଙ୍କ ପାଇଁ ସ୍ୱପ୍ନର ବସ୍ତୁ । ସେମାନଙ୍କ ଗୋଷ୍ଠୀ ସହଯୋଗ ମନୋଭାବ ସହରରେ ଚୂର୍ଣ୍ଣୀଭୂତ । ଆଧୁନିକତାର ଦୌଡ଼ରେ ସେମାନେ ଅସହାୟ ଭଗ୍ନଜାନୁ ମୈଦାନ -ପତିତ ମଣିଷ ।

‘ପରାଧୀନ ଭାରତ ପୃଥିବୀ ପାଇଁ ଏକ ବୋଝ । ସ୍ୱାଧୀନ ଭାରତ, ଆବଶ୍ୟକ ପଡ଼ିଲେ, ପ୍ରସ୍ତୁତ ହେବ ପୃଥିବୀ ପାଇଁ ଆତ୍ମବଳୀ ଦେବାକୁ ।’ ପ୍ରଫେସର ଭାଗବତ ପ୍ରସାଦଙ୍କର ଏହି ଦୁର୍ବାର ଶବ୍ଦ ସମଦୃଷ୍ଟି ପତ୍ରିକାରେ – ୧-୧୫ ଫେବୃୟାରୀ ୨୦୦୭ମସିହାରେ “ଗାନ୍ଧୀ, ଆମ୍ବେଦକର ଓ ଆଜିର ଭାରତ” ଶୀର୍ଷକରେ ପ୍ରକାଶିତ ହୋଇ ବହୁ ଚର୍ଚ୍ଚିତ ହୋଇଥିଲା । ସାମ୍ପ୍ରତିକ ପରିସ୍ଥିତିରେ ଜାତିକୁ ନେଇ ଓ ସାମଗ୍ରିକ ସାମାଜିକ ସମସ୍ୟାକୁ ନେଇ ଚିନ୍ତାପ୍ରକଟ କଲାବେଳେ ଲେଖାଟିର ଉପାଦେୟତା ଅନୁଭୂତ ହୁଏ। ଆଜି ଭାରତବର୍ଷ ପାଇଁ ଏମିତି ଏକ ସମୟ ଆସିଛି ଯେତେବେଳେ ଗାନ୍ଧୀ ଓ ଆମ୍ବେଦକରଙ୍କ ଚିନ୍ତା ଓ ତତ୍ତ୍ୱକୁ ବାରମ୍ବାର ଆଲୋଚନା ଓ ଚର୍ଚ୍ଚା କରାଯିବାର ଜରୁରୀ ଆବଶ୍ୟକତା ଦେଖାଦେଇଛି । ସେହି ଉଦ୍ଦେଶ୍ୟରେ ଲେଖାର ସାରାଂଶ ଏଠାରେ ଉପସ୍ଥାପନ କରାଯାଇଛି। – ସମ୍ପାଦକ

About ପ୍ରଫେସର ଭଗବତ ପ୍ରସାଦ

ପ୍ରଫେସର ଭଗବତ ପ୍ରସାଦ
ସର୍ବୋଦୟ କର୍ମୀ, ସମାଜ ବିଜ୍ଞାନୀ

Check Also

ମାଟିକୁ ନେଇ ମଣିଷର ଚେତନା

ମାଟିକୁ ନେଇ ମଣିଷର ଚେତନା ଯୁଗ ଯୁଗ ଧରି ପ୍ରଭାବଶାଳୀ ରହିଆସିଛି । କାନ୍ଦି କାନ୍ଦି ମାଟିର କୋଳରେ ସେ …

Leave a Reply

Your email address will not be published. Required fields are marked *