Home / ସମ୍ପାଦକୀୟ / ଗଁଡ଼ାବଜାକୁ ସୁରକ୍ଷିତ କରାଯିବା କାହିଁକି ଜରୁରୀ ?

ଗଁଡ଼ାବଜାକୁ ସୁରକ୍ଷିତ କରାଯିବା କାହିଁକି ଜରୁରୀ ?

ପଶ୍ଚିମ ଓଡ଼ିଶାର ଲୋକ କୁହନ୍ତି ଯେ; ଯେଉଁଠାରେ ଗଁଡ଼ାବଜା ବାଜେନାହିଁ ତାହା ଆମର ମୂଳ ସଂସ୍କୃତି ନୁହେଁ। ଆଦିମ କାଳରୁ ଗଁଡ଼ାବଜା ନିଜକୁ ବହୁ ଘାତ ପ୍ରତିଘାତ ଭିତରେ ଅକ୍ଷୁର୍ଣ୍ଣ ରଖିବାର ଉଦ୍ୟମ ଆଜିଯାଏ କରିଚାଲିଛି । ଶାସକମାନେ ଯୁଗେ ଯୁଗେ ମୁଖ୍ୟ ଧାରାକୁ ହିଁ ସଂସ୍କୃତି ଭାବରେ ଘୋଷାଣା କଲାବେଳେ ଇତିହାସକାରମାନେ ମଧ୍ୟ ଏହାକୁ ଲିପିବଦ୍ଧ କରିଚାଲିଲେ। ଗୋଟିଏ ସଂସ୍କୃତିର ମୂଳ ପିଣ୍ଡଟି ତାର ଜନଗଣଙ୍କ ସହିତ କେମିତି ଯୋଡି ହୋଇଛି ଓ କେମିତି ଏତେ ପ୍ରତିଘାତ ଭିତରେ ଏହି ସଂସ୍କୃତି ନିଜକୁ ଜୀବିତ ରଖିଅଛି ସେ ବିଷୟଟିକୁ କେହି ଚର୍ଚ୍ଚା କରିବା ପାଇଁ ଆଜିଯାଏ ଆବଶ୍ୟକ ମନେକଲେ ନାହିଁ । କିନ୍ତୁ ପଶ୍ଚିମ ଓଡ଼ିଶାରେ ଯେତେବେଳେ କେହି ଜନ୍ମ ହୁଏ କି ମୃତ୍ୟୁବରଣ କରେ , ପୁଜାଟିଏ ହୁଏ କି ଦେବୀଙ୍କୁ ଆବାହନ କରିବାର କଥା ଆସେ ଗଁଡ଼ାବଜାର ଜରୁରୀ ଆବଶ୍ୟକତା ଏହି ଅଞ୍ଚଳବାସୀଙ୍କ ଭିତରେ ଦେଖାଯାଏ । ଏମିତି ସାମାଜିକ ଓ ସାଂସ୍କୃତିକ କାରଣକୁ ନେଇ ଗଁଡ଼ାବଜା ପଶ୍ଚିମ ଓଡ଼ିଶାର ସଂସ୍କୃତିରେ ସମସ୍ତଙ୍କ ଅଲକ୍ଷରେ ଜୀବନ ସହ ନିଜକୁ ଜଡ଼ିତ କରି ରଖିଆସିଛି । ସାଧାରଣ ମଣିଷ ସହ ଓ ସେମାନଙ୍କର ସୁଖଦୁଃଖ ସହ ସବୁବେଳେ ନିଜକୁ ଯୋଡିରଖିଛି ଗଁଡ଼ାବଜା। ନାଟ୍ୟକାର କେଶରଞ୍ଜନ ପ୍ରଧାନଙ୍କ କହିବା ଅନୁସାରେ, ‘ମୁଁ ଏମିତି କୌଣସି ଗଣା ଲୋକ ଦେଖିନି ଯିଏକି ଗୀତ ଗାଇ ଜାଣିନି କି ବାଜା ବଜାଇ ଜାଣିନି’ । ସଂସ୍କୃତି ସମୀକ୍ଷକ ରାଜୀବ ସଗରିଆଙ୍କ ଅନୁସାରେ, “ଗଣାବଜା ବାଜୁଛିର ଅର୍ଥ ଗୋଟିଏ ସମ୍ପନ୍ନ ସଂସ୍କୃତି ଶହଶହ ବର୍ଷର କ୍ରମ ଆକ୍ରମଣରେ ମଧ୍ୟ ନିଜକୁ ଜୀବିତ ରଖିଅଛି । ଏହାର ରହସ୍ୟ କ’ଣ? ସମାଜ ଚିନ୍ତନ ଏ ଦିଗ ପ୍ରତି ଉଦାସିନ ହିଁ ରହିଅଛି । ଅନୁଧାବନକୁ ହିଁ ଉନ୍ନତି ବୋଲି ବିଚାର କରାଯାଇଅଛି। ଆମର ମୂଳ ସଂସ୍କୃତିର ଆଧାର କଣ? ଏହାର କୌଣସି ତର୍ଜମା ହୋଇ ନାହିଁ?”

ଭାରତବର୍ଷରେ ଇତିହାସକାଳରୁ ଆମେ କିଛି ମଣିଷଙ୍କ ପ୍ରତି ଅସହିଷ୍ଣୁତା ପ୍ରଦର୍ଶନ କରିଆସିଛନ୍ତି, ଯେଉଁମାନେ ଜାତି, ଧର୍ମ ନାଁରେ ମଣିଷ ମଣିଷ ଭିତରେ ବିଭେଦ ସୃଷ୍ଟି କରିଛନ୍ତି ଓ ଯାହା ବିରୁଦ୍ଧରେ ଇତିହାସ କାଳରୁ ପ୍ରତିବାଦ ମଧ୍ୟ ଲଗାତର ହୋଇଆସିଛି । କିନ୍ତୁ ଗୋଟିଏ ବଜା ଯିଏକି ଆମ ସାଂସ୍କୃତିକ ଜୀବନକୁ ଯୋଡ଼ିରଖିଛି, ଯେଉଁ ବଜା ଆମକୁ ଜନ୍ମରୁ ମୃତ୍ୟୁ ଯାଏଁ ବିଭିନ୍ନ ପାର୍ ବିଭିନ୍ନ ଖାଡ଼ିରେ ବାନ୍ଧିପାରିଛି; ବିବାହ, ପର୍ବ ପର୍ବାଣୀ, କ୍ଷେତ ଖମାର, ଫସଲ, ପ୍ରେମ, ମିଳନ ଓ ବିରହର ସଙ୍ଗୀତରେ ଆମ ଜୀବନକୁ ପ୍ଳାବିତ କରିଦେଇଛି, ସେହି ବଜାଟିକୁ ଆମ ସଂସ୍କୃତି କାହିଁକି ଅଛୁତ କରି ରଖିଛି? ଏହି ପ୍ରଶ୍ନଟି କାହିଁକି ସମ୍ବେଦନଶୀଳ ମଣିଷମାନଙ୍କ ମନରେ ଏଯାଏ ଆସିନାହିଁ? ଯଦି ଜାତି ସହିତ ବଜାକୁ ଯୋଡ଼ି ଅଛୁତ କରିଦିଆଯାଇଛି, ତେବେ ଏହାର ଭିନ୍ନ ନାମକରଣ କରି ଯଥା ବଡ଼ ବଡ଼ ମହୋତ୍ସବରେ ‘ଦୁଲଦୁଲି’ ଭାବରେ ପରିବେଷଣ କରି, ଗବେଷଣା ଓ ଉଚ୍ଚଶିକ୍ଷାପାଇଁ ‘ପଞ୍ଚବାଦ୍ୟ’ ବୋଲି କହି ଆମେ ସେହି ବଜାକୁ କାହିଁକି ବିଶ୍ୱସାରା ବଜାଉଛନ୍ତି ଏବଂ ଏହାର ମହାନତା ପ୍ରଚାରକରି ବାହା ବାହା ନେଉଛନ୍ତି? ଗୋଟିଏ ପ୍ରାଚୀନ ଶାସ୍ତ୍ରୀୟ ବାଦ୍ୟ ପ୍ରତି ଏମିତି ଐତିହାସିକ ଅନ୍ୟାୟ କାହିଁକି?

ଏହି ପରିପ୍ରେକ୍ଷୀରେ ସମଧ୍ୱନି ସାଂସ୍କୃତିକ ପତ୍ରିକା, ଗଁଡାବଜା ବିଷୟ ଉପରେ ସବିଶେଷ ତଥ୍ୟ ପାଇବାପାଇଁ, ପଶ୍ଚିମ ଓଡ଼ିଶାର ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାର ପଦମପୁର ଅଞ୍ଚଳ ଗ୍ରସ୍ତକରି ଯେଉଁ ବୀବରଣୀ ସଂଗ୍ରହ କଲା ସେଥିରୁ ଏତିକି ସ୍ପଷ୍ଟ ହେଲା ଯେ, 1- ଗଁଡ଼ାବଜାର କଳାକାରମାନଙ୍କୁ କୌଣସି ମହୋତ୍ସବରେ ଭାଗ ନେବାପାଇଁ ସୁଯୋଗ ମିଳେନାହିଁ, 2- ଗଁଡ଼ାବଜାର କଳାକାରମାନେ କଳାକାର ଭତ୍ତା ପାଇବାରୁ ବଞ୍ଚିତ, 3- ଶହ ଶହ ବର୍ଷ ଧରି ସାମାଜିକ ସମ୍ମାନ ନମିଳିବାରୁ ଓ ଜାତିଭେଦର ଶିକାର ହେଉଥିବାରୁ ଏହି କଳା ପ୍ରତି ଯୁବ ପିଢ଼ି ଆକୃଷ୍ଟ ହୋଇପାରୁ ନାହାନ୍ତି, ଯେଉଁଥିପାଇଁ ଏହି କଳାର ଭବିଷ୍ୟତ ଅସୁରକ୍ଷିତ ହୋଇପଡିଛି । ଏହିସବୁ ତଥ୍ୟକୁ ସମଧ୍ୱନି ବିଭିନ୍ନ ଭିଡ଼ିଓ ମାଧ୍ୟମରେ ଓ ସମଧ୍ୱନି ପତ୍ରିକା ଓ ଇ-ପତ୍ରିକାରେ ଧାରାବାହିକ ଭାବରେ ପ୍ରକାଶ କରିଆସିଛି । ଏହି ଲୋକକଳାଟିକୁ ରାଜ୍ୟର 8ଟି ଜିଲ୍ଲାର ଲକ୍ଷ ଲକ୍ଷ କଳାକାର ଅଭ୍ୟାସ କରୁଛନ୍ତି । କରୋନା ମହାମାରୀ ସମୟରେ ବଲାଙ୍ଗୀର ଜିଲ୍ଲାପାଳ ଏହି କଳାକୁ ଲୋକକଳାର ମାନ୍ୟତା ଦେଇ ଏହାର ସୁରକ୍ଷା ଦିଗରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି କିନ୍ତୁ ବଲଙ୍ଗୀର ଜିଲ୍ଲା ବ୍ୟତୀତ ଅନ୍ୟ ଜିଲ୍ଲାରେ ଏହି କଳାକୁ କେମିତି ଲୋକକଳାର ମାନ୍ୟତା ମିଳିବ ସେ ସମ୍ପର୍କରେ ଏଯାବତ୍ ଚର୍ଚ୍ଚା ବି ହୋଇପାରୁନାହିଁ ।

 ସ୍ୱାଧୀନତାର ୭୩ ବର୍ଷ ପରେବି (ଲକ୍ଷ ଲକ୍ଷ ସଂଖ୍ୟାରେ ଗଁଡ଼ାବଜାର କଳାକାର ଜନଗୋଷ୍ଠୀ ଯେଉଁମାନେ ବାଦ୍ୟର ପ୍ରସ୍ତୁତି ଠାରୁ ପ୍ରଦର୍ଶନ କରିବା ଯାଏଁ, ହଜାର ହଜାର ବର୍ଷଧରି ଏହି ବଜାକୁ ବଞ୍ଚାଇ ରଖିଛନ୍ତି) ଏହିଭଳି ପ୍ରାଚୀନତା ସମ୍ପର୍ଣ୍ଣ ଶାସ୍ତ୍ରୀୟ ବାଦ୍ୟ ସଙ୍ଗୀତକୁ କଳାର ମାନ୍ୟତା ନମିଳିବା(ନା ଶାସ୍ତ୍ରୀୟ ବାଦ୍ୟ ନା ଲୋକବାଦ୍ୟ), ଗଁଡ଼ା ସମ୍ପ୍ରଦାୟ ପ୍ରତି ଅନ୍ୟାୟ ନୁହେଁ କି?

 ଗଁଡ଼ାମାନେ କାହିଁକି ବଜାକୁ ବଞ୍ଚାଇବେ ଓ କାହାପାଇଁ ବଞ୍ଚାଇବେ? ଯେଉଁମାନେ ସେମାନଙ୍କୁ ମଣିଷଭଳି କେବେ ସମ୍ମାନ ଦିଅନ୍ତି ନାହିଁ, ଯେଉଁମାନେ କାର୍ଯ୍ୟ ସମାପନ ପରେ କଳାକାରମାନଙ୍କୁ ଖତଗଦାରେ, ବାଡ଼ିକଡ଼ର ପରିତ୍ୟକ୍ତ ସ୍ଥାନରେ ଖାଦ୍ୟ ପରିବେଷଣ କରନ୍ତି, ସେହି ସମ୍ବେଦନହୀନ ମଣିଷଙ୍କର ସଂସ୍କୃତିର ସୁରକ୍ଷାପାଇଁ କାହିଁକି ଗଁଡ଼ା ସମ୍ପ୍ରଦାୟ ବଜା ବଜାଇବେ?

କାହିଁକି ସଂସ୍କୃତିପ୍ରେମୀ ମଣିଷମାନେ ସରକାରଙ୍କୁ ଏହି ସମ୍ବେଦନଶୀଳ ପ୍ରସଙ୍ଗ ଗୁଡ଼ିକ ସହ ଆଜିଯାଏ ପରିଚିତ କରାଇ ନାହାଁନ୍ତି?

 କାହିଁକି ଏହି ପ୍ରାଚୀନ ବାଦ୍ୟ ଆଜିଯାଏ ଶାସ୍ତ୍ରୀୟ ମାନ୍ୟତା ପାଇବାତ ଦୂରର କଥା ଲୋକକଳା ଭାବରେ କଳା ତାଲିକାରେ ସ୍ଥାନୀତ ହୋଇପାରିନାହିଁ?

ଗଁଡ଼ାବଜା କଳାକାର ଓ କାରୀଗରମାନେ ସରକାରୀ ଭତ୍ତା ସମେତ ଅନ୍ୟ କଳାକାରମାନେ ପାଉଥିବା ସମସ୍ତ ସୁବିଧା, ସୁଯୋଗ ଏବଂ ସମ୍ମାନ ପାଇବାରୁ ବଞ୍ଚିତ ହେବେ କାହିଁକି?

ଗଁଡ଼ାବଜା ଆଜିର ସମୟରେ ନିଶ୍ଚୟ ବଞ୍ଚିବ, କିନ୍ତୁ କେଉଁଭଳି ଅବସ୍ଥାରେ ବଞ୍ଚିବ ସେ ବିଷୟଟି ତର୍ଜମା ସାପେକ୍ଷ । ଏହି ବଜାର ମୌଳିକ ସ୍ୱରୂପକୁ ସମ୍ପୁର୍ଣ୍ଣଭାବରେ ଅପଭ୍ରଂଶ କରି ବଡ଼ ବଡ଼ ସହରର ଆଲୋକପୂର୍ଣ୍ଣ ଚକମକିଆ ମଣ୍ଡପ, ସରକାରୀ ପରବ, ମହୋତ୍ସବପାଇଁ ନିଶ୍ଚୟ ସଂସ୍କୃତି ବଜାରରେ ବଞ୍ଚାଇ ରଖାଯିବ। କିନ୍ତୁ ଏହି ମୌଳିକ ବାଦ୍ୟର ମୂଳ ସୂତ୍ର ଗୁଡ଼ିକ କେବଳ ଗଁଡ଼ା ସମ୍ପ୍ରଦାୟର ପୈତୃକ କଳା ହୋଇ ଆଜିଯାଏ ବଂଚି ରହିଛି ଓ ସେ କଳାକୁ ଗଁଡ଼ା ସମ୍ପ୍ରଦାୟ ଛଡ଼ା କେହି ଆଜିଯାଏ ହାସଲ କରିପାରି ନାହାଁନ୍ତି କିମ୍ବା କରିବାପାଇଁ ଯେଉଁ ସାଧନାର ଆବଶ୍ୟକତା ଅଛି ଆଜିର ପିଢ଼ି ସେହି ସାଧନା କରିବାପାଇଁ ଅକ୍ଷମ । ଏହାର ଅନ୍ୟ କାରଣ ହୋଇପାରେ ଯେ ସବୁ ଶାସ୍ତ୍ରୀୟ ବାଦ୍ୟ ପରି ଏହି ବାଦ୍ୟକୁ ସାଧନ କରିବାପାଇଁ ଯେତିକି ତ୍ୟାଗ ଓ ସମୟ ଦେବାକୁ ପଡ଼ିବ ବିନା କୌଣସି ଆର୍ଥିକ କିମ୍ବା ସାମାଜିକ ସ୍ୱୀକୃତିରେ କାହିଁକି ବା ଜଣେ କଳାକାର ଏତେ ସମୟ ଏହି କଳାକୁ ଅଭ୍ୟାସ କରିବାରେ ପ୍ରୟୋଗ କରିବ, ଯେତେବେଳେ କି ସରକାରୀ ସାଂସ୍କୃତିକ ନୀତି ଏହି ପ୍ରାଚୀନତମ ଶାସ୍ତ୍ରୀୟ କଳାକୁ ଲୋକକଳାର ମାନ୍ୟତା ମଧ୍ୟ ଦେବାପାଇଁ ଆଜିଯାଏ ପ୍ରୟୋଜନ ମନେକଲା ନାହିଁ?

ଏମିତି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗଁଡ଼ାବଜା ର ସୁରକ୍ଷାକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି।

 

About Editor

Editor
କଳାକାର, ସମଧ୍ୱନି ଇ - ପତ୍ରିକା ଓ ତ୍ରୟୋମାସିକ ପତ୍ରିକାର ସମ୍ପାଦକ, ସାଂସ୍କୃତିକ ଗବେଷିକା ଓ ସାମ୍ବାଦିକ

Check Also

‘କରୋନା’  ପ୍ରକୃତିର ଏକ ପ୍ରତିବାଦ କି ?

କୁହାଯାଏ ଯେ, ପାରସ୍ପରିକ ସମ୍ପର୍କ ଓ ଏକତାର ସୂତ୍ର ହିଁ ବିଶ୍ୱ ଗଠନର ମୂଳ ଉପାଦାନ । ବହୁତ୍ୱ ମଧ୍ୟରେ …

Leave a Reply

Your email address will not be published. Required fields are marked *