Home / ଦୃଶ୍ୟ ଓ ଶ୍ରାବ୍ୟ / ଗଁଡାବଜା ମହୁରୀ ବାଦକ ସୁଦାମ ମହାନନ୍ଦଙ୍କ ସହ ସାକ୍ଷାତକାର

ଗଁଡାବଜା ମହୁରୀ ବାଦକ ସୁଦାମ ମହାନନ୍ଦଙ୍କ ସହ ସାକ୍ଷାତକାର

ମୋର ନାଁ ହେଉଛି ସୁଦାମ ମହାନନ୍ଦ । ମୋର ଗାଁ ଧୂମାବେଣା, କନସିଙ୍ଗା-ପଦମପୁର, ବରଗଡ଼ ଜିଲ୍ଲା । ମୁଁ ଛୋଟବେଳୁ ମହୂରୀ ବଜାଉଛି । ପ୍ରଥମେ ମୋ ଗୁରୁଙ୍କ ପାଖରୁ ବଁଝାପାହ୍ଲିରୁ ଶିଖିଥିଲି । ସେ ମରିଗଲା ପରେ ମୋର ଦୁଇଟି କାକାଙ୍କ ପାଖରୁ ମହୂରୀ ବଜାଇବା ଶିଖୁଛି ଓ ବଜାଉଛି । ଛୋଟ ପିଲାମାନଙ୍କୁ ବି ଶିଖାଉଛି ।

ରମେଶ ଗୁର୍ଲା : ଆପଣ ବହୁତ ବଡ଼ ବଡ଼ ମଞ୍ଚରେ ବଜାଇଛନ୍ତି, ବହୁତ ସମ୍ମାନିତ ହୋଇଛନ୍ତି । ଆପଣମାନେ ବିବାହ, ଉତ୍ସବରେ ବଜାଉଛନ୍ତି ଓ ବିଭିନ୍ନ ପୂଜା ପାର୍ବଣରେ ବି ବଜାଉଛନ୍ତି । ଆପଣଙ୍କୁ ଗାଁ ଦାଣ୍ଡରେ ବଜାଇବା ଆଉ ବିଭିନ୍ନ ରଙ୍ଗମଞ୍ଚରେ ବଜାଇବା କେଉଁଟା ବେଶୀ ଖୁସି ଲାଗୁଛି ।

ସୁଦାମ : ଦୁଇଟାଯାକ ଅଲଗା ଅଲଗା କଥା ଆଜ୍ଞା । ରଙ୍ଗମଞ୍ଚରେ ବଜାଇବା ବେଳେ ଆମକୁ ବହୁତ ମାନ ସମ୍ମାନ ମିଳୁଛି । ଆମେ ବଡ଼ ବଡ଼ ଷ୍ଟେଜକୁ ଯାଇକି ବଜାଉଛୁ ସେଠି ବହୁତ ସମ୍ମାନ ମିଳୁଛି । ଯେତେବେଳେ ଆମେ ଗାଁ ଦାଣ୍ଡରେ ବଜଉଛୁଁ ଯେମିତି କାହାର ବିବାହ, କାହାର ଦେବତା ପୂଜାରେ ଯେତେବେଳେ ବଜଉଛୁ ସେତିକି ଆମକୁ ସମ୍ମାନ ମିଳୁନି ସେଥିପାଇଁ ଆତ୍ମସନ୍ତୋଷ ଲାଗୁନି । ତଥାପି ବଜଉଛୁ। ନ ବଜେଇଲେ ପୂଜା ତ ହେଇ ପାରିବନି । କିଛି ବି ପୂଜା ହେବାର ଥିଲେ ଗଣାବଜା ନିଶ୍ଚୟ ଦରକାର । ଗଣାବଜା ନ ବାଜିଲେ ପୂଜା ହୋଇପାରେନି । ତେଣୁ ପୂଜାମାନଙ୍କରେ ବଜଉଛୁ । ସେଠି ବଜାଇବା ବେଳେ ଆମକୁ ହୀନ ଦୃଷ୍ଟିରେ ଦେଖିବା ଉଦ୍ଦେଶ୍ୟ ରଖିଛନ୍ତି ।

ରମେଶ ଗୁର୍ଲା : କିଛି ସେମିତି ଘଟଣା ଘଟିଛି ଆପଣ ବଜେଇବା ପାଇଁ ଯାଇଥିବେ ଆଉ ଆପଣଙ୍କୁ ଅସମ୍ମାନ କରା ହୋଇଥିବ?

ସୁଦାମ : ହଁ ବହୁତ ସେମିତି ଜାଗା ଅଛି ଯେଉଁ ଜାଗାରେ ଆମେ ଯାଇଛୁ ପାଟଣାଗଡ଼ ଭିତରକୁ ବଜେଇବା ପାଇଁ । ବଜା ବାଜୁଥିବା ଯାଏ ଓ ବଜାଉଥିବା ଯାଏ ସମସ୍ତେ ବହୁତ ଖୁସି । ବଜାଇ ସାରିବା ପରେ ଆମକୁ ଟିକେ ଛୁଆଁ ଅଛୁଆଁ ଭେଦଭାବାରେ ଦେଖିବା ଏ ଜିନିଷଟା ଲାଗି ରହିଛି । ଅଲଗା ଜାଗାରେ ବସାଇବାର ବ୍ୟବସ୍ଥା, ଖାଇବା ପିଇବାକୁ ଅଲଗା ଜାଗାରେ ଦେବା, ସୁବିଧା ହୋଇପାରୁନି ।

ରମେଶ ଗୁର୍ଲା : ତଥାପି ବଜାଇବା ଛାଡ଼ି ନାହାଁନ୍ତି?

ସୁଦାମ : ନାଇଁ ତଥାପି ଆମେ ବଜାଇବାଟା ଛାଡ଼ିନାହୁଁ । ଗଣାବଜା ଗୋଟେ ଏମିତି ବଜା ଯେ ଗାଁର ମାଏଟ୍ ପବନ ଇ ଗାଁର ପରିବେଶକୁ ନେଇ ଗଣାବଜାର ସୃଷ୍ଟି । ଗାଁର ମଣିଷ ସଙ୍ଗେ ଗଣାବଜା ଛନ୍ଦି ହୋଇଛି । ଏଠି କିଛି କାଳ୍ପନିକ, ଆଧୁନିକ କି ଇଲେକ୍ଟ୍ରୋନିକ୍ସ ଯନ୍ତ୍ରପାତି ଲାଗେନି । ଏଇଟା ସମ୍ପୂର୍ଣ୍ଣଭାବେ ସୁଦ୍ଧ । ସେଥିପାଇଁ ଏଇଟା ବହୁତ ମଧୂର ଲାଗୁଛି ।

ପଶ୍ଚିମ ଓଡ଼ିଶାର ପ୍ରାୟ ସବୁ ଅଞ୍ଚଳରେ ଆମର ଗଣା ସମ୍ପ୍ରଦାୟର ଲୋକ ଅଛନ୍ତି । ଯେଉଁଠି ସେମାନେ ଅଛନ୍ତି ସେଠି ଗୋଟେ ବଜାପାର୍ଟି ସୁନିଶ୍ଚିତ ଅଛି । ଏଇଟା ପଶ୍ଚିମ ଓଡ଼ିଶାର ଆଦିବଜା କହିଲେ ବି ଆମେ ଚଳୁଛି । କେତେ ପୂର୍ବକାଳରୁ ପୁରୁଷାନୁକ୍ରମେ ବଜେଇ ଆସୁଥିଲେ। ସେଥିପାଇଁ ଆମ ପଶ୍ଚିମ ଓଡ଼ିଶାର ଯେତେ ଗଁଡ଼ା ଲୋକ ଅଛନ୍ତି ସସ୍ତଙ୍କର ଗୋଟେ ଗୋଟେ ବଜାଅଛି । ସେଥିପାଇଁ ପଶ୍ଚିମ ଓଡ଼ିଶାରେ ଅଧିକ ସଂଖ୍ୟାରେ ଗଁଡ଼ାବଜା ବି ଅଛି ଗଁଡ଼ା ଲୋକ ବି ଅଛନ୍ତି ।

ରମେଶ ଗୁର୍ଲା : ଏଇ ବଜା ବଜେଇ କି ଆପଣମାନେ କେତେ ଉପାର୍ଜନ କରି ପାରୁଛନ୍ତି?

ସୁଦାମ : ଏଥିରେ କ’ଣ ଉପାର୍ଜନ କରିବୁ ଆଜ୍ଞା? କେଉଁଠି ଗୋଟେ ପ୍ରୋଗ୍ରାମ ଗଲେ ଦୁଇ ଶହ, ଦେଢ଼ଶହ, ତିନି ଶହ ଟଙ୍କା ଏମିତି ଭାଗ ପଡ଼ୁଛି । ସେତିକି ପଇସାରେ ଆମେ ଆମ ପରିବାର ଚଳାଉଛୁ ।

ରମେଶ ଗୁର୍ଲା : ଖାଲି ଏତିକିରେ ଚଳୁଛ ନା ଆଉ କିଛି କରୁଛ?

ସୁଦାମ : ଏହା ସହ ଆମେ ନିଜର ଜମିବାଡ଼ି, କିଏ କୁଲି ମଜୁରୀ କରୁଛି, କାହାର ଟିକେ ଜମିବାଡ଼ି ଥିଲେ ସେ ଚାଷବାସ ବି କରୁଛନ୍ତି । କିଏ କାମ କରୁଛି । ଏତିକି ପଇସାରେ ଚଳି ହେଉନି ।

ରମେଶ : ଏଇଟା ବଜେଇ କି ଆପଣ ଖୁସି ହେଉଛନ୍ତି ?

ସୁଦାମ : ଆମକୁ ଏଇଟା ବଜାଇବା ପାଇଁ ବେଶୀ ଖୁସୀ । ଏଥିରୁ ଯାହା ପାରିଶ୍ରମିକ ମିଳୁଛି ସେଥିରେ ଆମେ ଖୁସି ନୁହଁ ।

ରମେଶ ଗୁର୍ଲା : ଗାଁ ମାନଙ୍କରେ ବଜେଇବା ବେଳେ ଆପଣଙ୍କୁ ସାମାଜିକ ସମ୍ମାନ କେମିତି ମିଳୁଛି?

ସୁଦାମ : ଆମକୁ ସାମାଜିକ ସମ୍ମାନ ମିଳେନି । ଯେଉଁଠି ସାମାଜିକ କାର୍ଯ୍ୟାନୁଷ୍ଠାନ ହେଉଛି ସେ ଜାଗାରେ ଆମକୁ ସାଇଡ଼ରେ ରହିବାକୁ ପଡ଼ୁଛି । ଆମେ ଯଦି ଗୋଟେ ଜାଗାରେ ବଜଉଛୁ ଗୋଟେ ଦେବତା ପାଖରେ, ସେ ବଜା ଜାଗାରେ ସମସ୍ତେ ଥିବେ ବାକି ଆମେ ସାଇଡ଼ରେ ରହିକି ବଜା ବଜାଉଛୁ । ବଜା ଧରିଥିଲେ ସାମାଜିକ ସମ୍ମାନ ଆମକୁ ମିଳୁନି ।

ରମେଶ ଗୁର୍ଲା : ଗଣା ବଜା ପ୍ରତି ବିପଦ ସୃଷ୍ଟି ହେଉଛି ବୋଲି ଲାଗୁଛି କି ଆପଣଙ୍କୁ?

ସୁଦାମ : ହଁ ଆଜ୍ଞା, ଏଇଟା ଗୋଟେ ଦୁଃଖର କଥା ଆଜ୍ଞା । ଧିରେ ଧିରେ ଗଣା ବଜା ଲୋପ ପାଇବାରେ ଲାଗିଛି । ତାର କାରଣ ହେଉଛି ଆଗକାଳରେ ଆମ ଗଣା ସମ୍ପ୍ରଦାୟର କଳାକାରମାନେ ଗଣାବଜା ବଜଉଥିଲେ । ଆଜିକାଲି ସମସ୍ତ ଜାତି ବ୍ରାହ୍ମଣ, କୁଲତା ଠାରୁ ଆରମ୍ଭ କରି ସମସ୍ତେ ଆଧୁନିକ ଯନ୍ତ୍ରପାତି ଯେମିତିକି କେସିଓ, ଟାଙ୍ଗୋ, ମାଣ୍ଡୋ ସବୁ ଲଗେଇ ନାନା ପ୍ରକାର ଭୁରକୁଟି କରି ସେଇଟା ପଇସା ପାଇଁ ବଜାଉଛନ୍ତି । ଏହାକୁ ବ୍ୟବସାୟରେ ପରିଣତ କଲେଣି । ସେହିସବୁ ଯନ୍ତ୍ରପାତି ଲଗେଇ ଯଦି ଏମିତି ବଜେଇବେ ଗଣାବଜାର ଧିରେ ଧିରେ ଚାହିଦା କମିଯାଉଛି ଓ ଗଣାବଜା ଲୋପ ପାଇଯାଉଛି ।

ଗଣାବଜାରେ ପ୍ରଥମେ ଜାତି ପ୍ରଥା ରହୁଛି । ଯଦି ଜଣେ ଗଣାବଜା ବଜେଇଲା ସେ ଗଣା ଲୋକ ବୋଲି ଜଣାପଡ଼ୁଛି । ଯଦି ସାମାଜିକ କ୍ଷେତ୍ରରେ ଜଣେ ବ୍ୟାଣ୍ଡପାର୍ଟି, ମେଲୋଡ଼ି ପାର୍ଟି ବଜାଇଲେ ସେଠି ଜାତି ଜଣାପଡ଼ୁନି । ସେଠି ପଇସା ବି ମିଳୁଛି ଓ ଜାତି ଯୋଗୁ ସମାଜରେ ହୀନ ଦୃଷ୍ଟିରେ ଦେଖିବା ପାଇଁ ଲୋକ ନାହାଁନ୍ତି ।

ରମେଶ ଗୁର୍ଲା : ଏହି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଆପଣ କିଛି ଉପାୟ ଚିନ୍ତା କରିଛନ୍ତି କି?

ସୁଦାମ : ହଁ ଆଜ୍ଞା! ମୁଁ ଆଗରୁ ବି ପ୍ରୟାସ ଜାରୀ ରଖିଛି । ବର୍ତ୍ତମାନ ବି ଜାରି ରଖିଛି । ଆମର ଯେତେ ସମ୍ପ୍ରଦାୟର ଲୋକ ସମସ୍ତଙ୍କୁ ଏଇଟା ମୁଁ କହୁଛି ଯେ, ଏକତ୍ରିତ ହୁଅ, ସଂଗଠିତ ହୁଅ, ସଂଘର୍ଷ କର । ଆମ ବାଜାକୁ ଆମେ ବଞ୍ଚେଇକି ରଖିବା । ଏଇଟା ବି କହୁଛି । ଆଉ ସମସ୍ତଙ୍କୁ ବି ଅନୁରୋଧ କରୁଛି ଏହି ବାଜାକୁ ବଞ୍ଚେଇ କି ରଖିବା ପାଇଁ । ଆପଣମାନେ ବି ଏହି ବାଜାକୁ ବଞ୍ଚେଇବା ପାଇଁ ଆମକୁ ସହଯୋଗ କରନ୍ତୁ । ଯେମିତିକି ଆମେ ବଜାକୁ ବଞ୍ଚେଇକି ରଖିପାରିବୁ । ଏହି ବାଜାକୁ ବଞ୍ଚେଇକି ରଖିବା ପାଇଁ ଯୁବପିଢ଼ିମାନଙ୍କ ଦ୍ୱାରା ଯଦି ଚେଷ୍ଟା କରାଯାଏ ସେଥିପାଇଁ ସାମାଜିକ ସମ୍ମାନ ପ୍ରଥମେ ଦରକାର । ପିଲାମାନଙ୍କୁ ସମାଜିକ ସମ୍ମାନ ଦରକାର ଓ ଅଧିକା ପଇସା ବି ଦରକାର । ଗଣାବଜା ବଜାଇବା ଯେମିତି ଶହେ ଦୁଇ ଶହ ଟଙ୍କା ମିଳୁଛି ଯଦି ଅଧିକ ପଇସା ମିଳେ ପିଲାମାନେ ଅଧିକ ଆକର୍ଷିତ ହେବେ ଓ ସେମାନଙ୍କୁ ସମ୍ମାନ ମିଳିଲେ ଏହି ଗଣାବଜା ସେମାନେ ବଜେଇବେ ।

ରମେଶ ଗୁର୍ଲା: ବହୁତ ବହୁତ ଧନ୍ୟବାଦ । ଆପଣ ଏ ଅଞ୍ଚଳରେ ଯେମିତି ଗଣାବଜାକୁ ବଞ୍ଚେଇକି ରଖିଛନ୍ତି ଜଣେ ମହୁରୀ ବାଦକ ଭାବରେ ଆଉ ବିଭିନ୍ନ ଛୋଟ ଛୋଟ ଶିଶୁ କଳାକାରଙ୍କୁ ମହୁରୀ ଶିଖଉଛନ୍ତି । ଗଣାବଜାକୁ ବଞ୍ଚେଇବା ପାଇଁ ଗୋଟେ ପ୍ରୟାସ ଜାରୀ ରଖିଛନ୍ତି ସେ ପ୍ରୟାସଟା ଜାରୀ ରହିଥାଉ । ଆମମାନଙ୍କ ଶୁଭକାମନା ଆଗକୁ ଆହୁରି ବଜା ବାହାରୁ । ଆପଣ ଏହାକୁ ବଞ୍ଚେଇକି ରଖିଥାନ୍ତୁ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଏ ବଜାକୁ ବଞ୍ଚେଇକି ରଖିଛନ୍ତି ବୋଲି କରି । ନମସ୍କାର ।

ସୁଦାମ : ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ । ସମଧ୍ୱନି ପରିବାରକୁ ବି ବହୁତ ବହୁତ ଧନ୍ୟବାଦ । ସେ ଏତେ ଦୂରରୁ ଏ ଗଣାବଜା ଜାଣିବା ପାଇଁ ଆସିକି ଭେଟିଛନ୍ତି ସେଥିପାଇଁ ସମଧ୍ୱନି ପରିବାରକୁ ଆଉ ଥରେ ବି କୋଟି କୋଟି ଜୁହାର ।

About ରମେଶ ଗୁର୍ରଲା

ରମେଶ ଗୁର୍ରଲା

Check Also

ନିମାଇଁଚରଣ ହରିଚନ୍ଦନଙ୍କ ଦ୍ୱାରା ବାରିପଦା ସାହିତ୍ୟ ସମାଜରେ ଦିଆଯାଇଥିବା ଉଦବୋଧନର କିଛି ଅଂଶ

ବାରିପଦା ସାହିତ୍ୟ ସମାଜର ମାନନୀୟ ସଭାପତି ଓ ସହୃଦୟ ସୁଧିବୃନ୍ଦ, ସଙ୍ଗୀତ ସମ୍ବନ୍ଧୀୟ ଗୋଟିଏ ସଂକ୍ଷିପ୍ତ ପ୍ରବନ୍ଧ ଓ ଓଡ଼ିଆ …

Leave a Reply

Your email address will not be published. Required fields are marked *