Home / ଦୃଶ୍ୟ ଓ ଶ୍ରାବ୍ୟ / କହେଲେ କଥାନୀ ଗାଏଲେଁ ଗୀତ

କହେଲେ କଥାନୀ ଗାଏଲେଁ ଗୀତ

 

କହେଲେ କଥାନୀ ଗାଏଲେଁ ଗୀତ

“କହେଲେ କଥାନୀ ଗାଏଲେଁ ଗୀତ” ହେଉଛି ବିଶିଷ୍ଟ ନାଟ୍ୟକାର ଶଙ୍କର ମହାନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ  ଏକ ନାଟକ । ଯାହାର ସମୀକ୍ଷା ଅନୁରୋଧ କ୍ରମେ ପ୍ରସ୍ତୁତ କରିଛନ୍ତି ଅଧ୍ୟାପିକା ଜୟଶ୍ରୀ ସାହୁ । ସମୀକ୍ଷାଟି ପଢ଼ିବାବେଳେ ନାଟକ ଦେଖିବାର ଆଗ୍ରହ ବହୁଗୁଣ ବଢ଼ିଯାଉଛି । ମନେହେଉଛି ନିଜ ସମୀକ୍ଷା ଭିତରେ ଜୟଶ୍ରୀ ସାହୁ ପାଠକମାନଙ୍କ ନିକଟରେ ନାଟକଟିର ଏକ ଚିତ୍ରକଳ୍ପ ଉପସ୍ଥାପନ କରୁଛନ୍ତି । ନାଟକଟି ସମସାମୟିକ ସମୟରେ ବାସ୍ତୁହରାଉଥିବା ଲୋକଙ୍କର ଜୀବନକୁ ଉପସ୍ଥାପନ କରୁଛି । ଅନୁରୋଧ ସମଧ୍ୱନି ପାଇଁ ଲେଖିକା ଏମିତି ଅନେକ ସମୀକ୍ଷା ଲେଖନ୍ତୁ ଯାହା ଫଳରେ ଆମେ ପାଠକମାନଙ୍କ ମନରେ ନାଟକ ଦେଖିବାପାଇଁ ଆଗ୍ରହଟିଏ ସୃଷ୍ଟି କରିବାରେ ସହଯୋଗ କରିପାରିବୁ  । – ସମ୍ପାଦକ

ବେଶ୍ କିଛି ମଣିଷଙ୍କ ଅଭିଯୋଗ ହେଲା, ସାହିତ୍ୟ ଅତିଶୟୋକ୍ତି କରେ । ଅଥଚ ସତକଥା ହେଉଛି, ଅତିଶୟୋକ୍ତି ତ ଦୂରର କଥା, କିଛି ଜୀବନ, କିଛି ଘଟଣା ଏତେ କରୁଣ ଯେ, ସେ ସବୁକୁ ସାହିତ୍ୟର ରୂପ ଦେବାକୁ ଗଲାବେଳେ, ନିଚ୍ଛକ ସତକଥାଟା ଲେଖି ହୁଏନି । କିଛି ବାସ୍ତବତାକୁ ସେଥିରୁ ବାଦ୍ ଦେଇ କଳାତ୍ମକ ଶୈଳୀରେ ତାକୁ ରୁଚିକର କରିବାକୁ ପଡ଼େ । ସତ୍ୟନିଷ୍ଠ ସାହିତ୍ୟ ସାଧକଙ୍କ ଏହା ହିଁ ମତ । ମିଛ, ସତର ମିଶ୍ରଣରେ ଏକ ସୁନ୍ଦର ଆଉ ମାର୍ମିକ କଳାକୃତୀ ତିଆରି କରି ଏକ ସୁନ୍ଦର ଆଗାମୀ ପାଇଁ ପାଠକଙ୍କ ଠାରୁ ସେମାନେ ଉତ୍ତର ଦାୟିତ୍ୱ ଆଶା କରନ୍ତି ।

ଏଭଳି ଏକ କଳାକୃତୀ ଥିଲା ନାଟ୍ୟକାର ଶଙ୍କର ମହାନନ୍ଦଙ୍କ ନାଟକ ‘କହେଲେ କଥାନୀ, ଗାଏଲେ ଗୀତ’ । ତା: ୨୭.୯.୨୦୧୮ରେ ବରଗଡ଼ ସୌଖିନ ରଙ୍ଗମଞ୍ଚ ଠାରେ ବିଶିଷ୍ଟ ଚିନ୍ତାନାୟକ କିଶନ ପଟ୍ଟନାୟକଙ୍କ ଶ୍ରାଦ୍ଧ ଉପଲକ୍ଷେ ଅନୁଷ୍ଠିତ ସଭା ପରେ, ନାଟକଟି ଥିଲା ସ୍ୱର୍ଗତ ପଟ୍ଟନାୟକଙ୍କ ପ୍ରତି ଏକ ଶ୍ରଦ୍ଧାର ଅର୍ଘ୍ୟ ।

ନାଟକ ଆରମ୍ଭ ହୁଏ ଏକ ରେଲୱେ ପ୍ଲାଟଫର୍ମରେ ହୁଇସିଲ ମାରି ପ୍ରବେଶ କରେ ରେଳଗାଡ଼ି । ରେଳଗାଡ଼ି ରିଭାଗରେ ବିଭକ୍ତ – ଇଞ୍ଜିନ୍, ଏ.ସି., ସ୍ଲିପର୍ ଆଉ ଜେନେରାଲ୍ ବଗି । ସମଗ୍ର ରେଳଗାଡ଼ିଟି ପାରମ୍ପରିକ ଚତୁବର୍ଣ୍ଣର ପ୍ରତିନିଧିତ୍ୱ କରେ । ଏଣେ ପ୍ଲାଟଫର୍ମରେ ବସିଛି କୁଁଟି, କୁଁଟି ଓରାଓଁ – ନିରବ, ନିଶ୍ଚଳ, ସର୍ବହରା । ପ୍ଲାଟଫର୍ମରେ ଏତେ ବିବିଧତାର ମଣିଷଙ୍କ ସମାଗମ ମଧ୍ୟରେ କୁଁଟୀ ଓରାମମାନେ ସବୁଦିନ ଅପଚରା ।

 

ବାସ୍ତବତା ହେଲା, ଝାରଖଣ୍ଡର ଟାଙ୍ଗରପୋଷି ଷ୍ଟେସନରେ ଗର୍ଭବତୀ କୁଁଟୀ ଟ୍ରେନ୍ ଚକା ତଳେ କଟିଯାଏ ।  ତା’ର ଗର୍ଭସ୍ଥ ସନ୍ତାନ ସୁଦ୍ଧା ବାହାରକୁ ବାହାରି ପଡ଼ିଥାଏ । ପୋଲିସ୍ କହେ, ସ୍ତ୍ରୀଲୋକଟି କୋଇଲା ଚୋର । ତେବେ, ଆଦିବାସୀ ତ ଚୋରି କରେନି । ଅଥଚ, କୁଟୀ ଓଁରାମ ଚୋରି କରୁଥିଲା ? ଯଦି ଚୋରି କଲା, କଣ ପାଇଁ ?

 

କୁଁଟୀ ଓରାମର ଘର ଝାରସୁଗୁଡ଼ା ଜିଲ୍ଲାରେ । ଚଢ଼େଇଟେ ପରି ସେ ଉଡ଼ି ବୁଲୁଥିଲା, ପାହାଡ଼ି ଝରଣା ପରି ଡେଇଁ ଡେଇଁ ବୁଲୁଥିଲା, ଜଙ୍ଗଲ ସାରା ଧାଙ୍ଗଡ଼ା, ଧାଙ୍ଗଡ଼ିଙ୍କ ସହ ନାଚୁଥିଲା, ହାଣ୍ଡିଆ ପିଇ ମାତାଲ୍ ହେଉଥିଲା, ପ୍ରେମ କରିଥିଲା, ବାହା ହେଇଥିଲା । ‘ଜୀବନ ସାଥୀ’ କାଣ୍ଡେ ସହ ମିଶି କ୍ଷେତରେ ବୁଣୁଥିଲା ମାଣ୍ଡିଆ, କାନ୍ଦୁଲ । ବର୍ଷକର ଖୋରାକି ଯୋଗାଉଥିବାରୁ ମାଟି ମାଁକୁ ଜୋହାର ହେଉଥିଲେ ଦୁହେଁ । ଖୁସିରେ କଟି ଯାଉଥିଲା ଦିନ ।

ଆଦିବାସୀର ଶତ୍ରୁ ନ ଥାନ୍ତି କେହି, ସେ ସନ୍ଦେହ କରି ଜାଣେନି, ଲୋଭ କଣ ଜାଣେନି । ସେଥିପାଇଁ ତାର ସରଳ ବିଶ୍ୱାସର ସୁଯୋଗ ନିଆଯାଏ, ବିକାଶର ବେଦୀରେ ତାକୁ ହିଁ ବଳି ଚଢ଼ାଯାଏ । ଦିନେ ସରକାରୀ ବାବୁମାନଙ୍କ ପାଦ ପଡେ କୂଁଟୀ, କାଣ୍ଡେଙ୍କ କୁଡ଼ିଆରେ। ଅତିଥି ବୋଲି ଦୁହେଁ ଜୁହାର ହୁଅନ୍ତି, ଖୁବ୍ ଚର୍ଚ୍ଚା କରନ୍ତି, ଅଥଚ ସେଇ ଲୋକମାନେ ବିଶ୍ୱାସରେ ବିଷ ଦିଅନ୍ତି, ଜବରଦସ୍ତ ଆଦିବାସୀଙ୍କୁ ନିଜ ଜମିରୁ ବିତାଡ଼ିତ କରନ୍ତି, କାରଣ ସେମାନଙ୍କ ପାଦତଳେ ଅଛି କୋଇଲାର ଭଣ୍ଡାର । କୋଇଲା ଖଣି ପାଇଁ ଲାଠି ଚାର୍ଜ ହୁଏ, ଫାଏରିଙ୍ଗ୍ ହୁଏ । ପୋଲିସ – ଆଦିବାସୀ ସଂଘର୍ଷରେ କାଣ୍ଡେ ନିଖୋଜ ହେଇଯାଏ । ହୁଏତ ତାକୁ ମାରି ଦିଆଯାଏ ବା ମିଛ କେଶ୍ ରେ ଫସେଇ ଜେଲ୍ ରେ ଭରି ଦିଆଯାଏ । ଘର, ଜମି ସବୁକିଛି ବୁଲଡୋଜରରେ ଏକାକାର ହେଇଯାଏ । କୁଁଟୀ ଜାଣିପାରେନି, କୁଆଡ଼େ ଗଲା ତାର ଜୀବନସାଥୀ କାଣ୍ଡେ, ସିଏ ତ ନିଜେ ଲାଠି ମାଡ଼ରେ ବେହୋସ ହେଇ ଯାଇଥିଲା । ତଥାପି ସେ କାଣ୍ଡେକୁ ଅପେକ୍ଷା କରେ । ଯେଉଁଠି କାଣ୍ଡେକୁ ଶେଷଥର ପାଇଁ ଦେଖିଥିଲା, ସେଠିକି ଆସି ସେ ତାର ବାଟ ଦେଖେ ।

ଏକାଧିକ ବାର ଧର୍ଷିତା ହୁଏ, ଅନ୍ତଃସତ୍ତ୍ୱା ହୁଏ । ପେଟ ପୋଷିବା ପାଇଁ କୋଇଲା ଚୋରି କରେ ଓ ଟ୍ରେନ୍  ଲଦି ତାକୁ ବିକିବାକୁ ଅନ୍ୟ ଯାଗାକୁ ଯାଏ । ଏଥିପାଇଁ ପ୍ରତିଥର ତାକୁ ପୋଲିସ୍ କୁ ଚାରଣା ଲେଖାଏଁ ଲାଞ୍ଚ ଦେବାକୁ ପଡ଼େ।

କାଣ୍ଡେର ରକ୍ତକୁ ସିନା ଗର୍ଭରେ ଧରି ପାରିଲାନି, ଗର୍ଭରେ ଖେଳୁଛି ଆଉ କାହାର ରକ୍ତ । ରକ୍ତର ଫୁଲ ହିଁ ଆଦରଣୀୟ । ତାର ବି ବଂଚିବା ଦରକାର, ଆଦର ଯତ୍ନ ଦରକାର, ଖାଦ୍ୟ ଦରକାର । ବଢ଼ିଲା ପେଟରେ କୋଇଲା ମୁଣ୍ଡେଇ ପ୍ଲାଟଫର୍ମରେ ପହଞ୍ଚେ କୁଁଟୀ । ଆଜି ଅଣ୍ଟିରେ ଚାରଣିଟେ ନାଇଁ । ଅଥଚ, ପୋଲିସ୍ ନଛୋଡ଼ବନ୍ଧା । କୁଁଟୀ ବ୍ୟଗ୍ର, ଟ୍ରେନ୍ ରେ ଚଢ଼ିଯିବା ପାଇଁ । ରେଲୱେ ପୋଲିସର ଜିଦ୍, କୁଁଟୀକୁ ସିଏ ଟ୍ରେନ୍ ରେ ଚଢ଼େଇ ଦେବନି । ଏମ୍ତି ଧସ୍ତାଧସ୍ତିରେ ଟ୍ରେନ୍ ଚାଲିବା ଆରମ୍ଭ କରେ ଓ କୁଁଟୀ ଟ୍ରେନ୍ ଚକାତଳେ ପଡ଼ି କଟିଯାଏ ।

ବାସ୍ କୁଁଟୀ କାହାଣୀ ହୋଇଗଲା, ଏକ ଛାତିଥରା କାହାଣୀ, ରକ୍ତଝରା ଗୀତ, ଏକ ନାଟକ “କହେଲେ କଥାନୀ, ଗାଏଲେ ଗୀତ’ । ଏମିତି କୋଟି କୋଟି କୁଁଟୀଙ୍କ କରୁଣ ଗାଥା ଗାଉଛନ୍ତି ମେସିନ ମାନେ, କଳ କାରଖାନାମାନେ । ଶୁଣିବା ପାଇଁ ଆମର କାନ ଥିଲେ ହେଲା ।

 

‘ଆଏଁଖ୍’, ହାତୀର ଚାଲ୍, ‘ବାଗ୍ଧରା’, ‘ଇଦଂ ନାଟ୍ୟଶାସ୍ତ୍ରଂ’ ଭଳି ଅନେକ ନାଟକର ରଚୟିତା ଓ ନିର୍ଦ୍ଦେଶକ ହେଉଛନ୍ତି ଶଙ୍କର ମହାନନ୍ଦ । ପ୍ରତିବାଦ ଓ ସଂଘର୍ଷ ତାଙ୍କ ନାଟକର ମୁଖ୍ୟ ଉପଜୀବ୍ୟ ହେଇଥିଲେ ହେଁ ଏଇ ନାଟକଟା ଶଙ୍କରଙ୍କ ଅନ୍ୟାନ୍ୟ ନାଟକରୁ ବେଶ୍ ଭିନ୍ନ ଥିଲା । କୁଁଟୀର କରୁଣ ସଂଘର୍ଷ ଅପେକ୍ଷା ତା ଜୀବନ କାହାଣୀର ଆଦ୍ୟଭାଗକୁ ଅଧିକ ଗୁରୁତ୍ୱ ଦେଇଥିଲେ ନାଟ୍ୟକାର, ଯାହାଫଳରେ ଆଦିବାସୀ ଜନଜୀବନର ପ୍ରେମ ଛଳ ଛଳ ଏକ ରୋମାଣ୍ଟିକ୍ ଚିତ୍ର ନାଟକରେ ରୂପ ପାଇପାରି ଥିଲା । ସାଦ୍ରି, ହୋ, ସାନ୍ତାଳି, ସମ୍ବଲପୁରୀ, ଛତିଶଗଡ଼ି, ହିନ୍ଦି, ଓଡ଼ିଆ ଆଦି ଭାଷାର ସମ୍ମିଶ୍ରଣରେ ସମୃଦ୍ଧ ଏ ନାଟକର ଏକ ବଳିଷ୍ଠ ବିଭାଗ ହେଉଛି ତାର ଗୀତ ।  ‘କହରେ ଧନ ତୁଇଁ…’, ‘ କୁଁଟୀ ଓରାମ କୁଁଟୀ ଓରାମ…’, ‘ଧୁକାତ ଧୁକାରେ ବଉଲିଆ ଧୁକା ଧୁକିଦେଲା ଦେଲା ଦିହି ସାରା…’ ଆଦି ଗୀତ ଦର୍ଶକଙ୍କ ମନ ଓ ମସ୍ତିଷ୍କକୁ ଆଛନ୍ନ କରିଦେଇଥିଲା । ଲକ୍ଷ୍ମଣ ସୁନାଙ୍କ ରଚନାରେ ଅଜିତ ପାଣିଗ୍ରାହୀଙ୍କ ମୁଖ୍ୟସ୍ୱରରେ କଣ୍ଠଦାନ କରିଥିଲେ ରଚନା, ଜ୍ୟୋତି, ସୌଦାମିନୀ ଏବଂ ଯତୀନ । ନିର୍ମଲ, ନରୋତ୍ତମ, ଚିତ୍ତ, ସରୋଜ,ଗୋବର୍ଦ୍ଧନ,ମୁରଲି ସମେତ ମୁଖ୍ୟ ଭୂମିକାରେ ପୁଷ୍ପା ଓ ମନୁଙ୍କ ଅଭିନୟ ଖୁବ୍ ମନଛୁଆଁ ହେଇଥିଲା ।

 ସାର୍ ଜଗଦୀଶ ଚନ୍ଦ୍ର  ବୋଷଙ୍କ  ମତରେ ଜଡ଼, ଚେତନ ପ୍ରତିଟି ଜିନିଷର ସ୍ପନ୍ଦନ ଥାଏ, ଅତଏବ ରେଳ, ଇଞ୍ଜିନ୍, ରେଳଡବାର ବି ଜୀବନ ଅଛି ନିଶ୍ଚୟ । ଶଙ୍କର ମହାନନ୍ଦଙ୍କ ନାଟକରେ ଇଞ୍ଜିନ୍ ଓ ଡବା ପରି ଚରିତ୍ର ମାନଙ୍କ କଣ୍ଠରେ ଦେଶୀୟ ଭାଷାର ଗୀତ ଯିଏ ଦର୍ଶକ ଗହଣରେ ବସି ଶୁଣିଛି ଓ ଦେଖିଛି, ସିଏ ଅନୁଭବ କରିପାରିବ, ଗୀତର ମୂର୍ଚ୍ଛନା ପରିବେଶକୁ କେତେ ସାଙ୍ଗୀତିକ କରି ପାରିଥିଲା । ବରଗଡ଼ରେ ଏହା ଥିଲା ନାଟକର ପ୍ରଥମ ମଞ୍ଚାୟନ । ଆଗାମୀ ଦିନମାନଙ୍କରେ ନାଟକଟି ଆହୁରି ଚୁମ୍ବକୀୟ ହେବ, ଏହାର ଯଥେଷ୍ଟ ଆଭାଷ ମିଳେ । ଅନେକ କିଛି ଭିନ୍ନତା ଓ ବାର୍ତ୍ତା ନେଇ ନାଟକ ‘କହେଲେ କଥାନୀ, ଗାଏଲେ ଗୀତ’ ଯେ ଏକ ଚମତ୍କାର ସୃଷ୍ଟି, ଏଥିରେ ସନ୍ଦେହ ନାହିଁ ।

About ଜୟଶ୍ରୀ ସାହୁ

ଜୟଶ୍ରୀ ସାହୁ
ଇଂରାଜୀ ଭାଷାରେ ଅଧ୍ୟାପିକା, ବରଗଡ଼

Check Also

Featured Video Play Icon

୨୦୨୦ ବିଶ୍ବ ନାଟ୍ୟ ଦିବସର ବାର୍ତ୍ତା

ବିଶ୍ବ ନାଟ୍ୟ ଦିବସରେ ଓଡିଶାର ସୁନାମଧନ୍ୟ ନାଟ୍ୟ ନିର୍ଦ୍ଦଶକ କେଶରଞ୍ଜନ ପ୍ରଧାନ ଉପସ୍ଥାପନା କରିଛନ୍ତି ପାକିସ୍ଥାନର ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ …

One comment

  1. Avatar

    Impressed with the article .
    Praiseworthy attempt .

Leave a Reply

Your email address will not be published. Required fields are marked *