Home / ଦୃଶ୍ୟ ଓ ଶ୍ରାବ୍ୟ / ଭିଡିଓ / ‘ଓଡ଼ିଶାରେ ସଙ୍ଗୀତ’ ଆଲୋଚକ କବି କେଦାର ମିଶ୍ର (ସଂସ୍କୃତି ସମୀକ୍ଷକ)

‘ଓଡ଼ିଶାରେ ସଙ୍ଗୀତ’ ଆଲୋଚକ କବି କେଦାର ମିଶ୍ର (ସଂସ୍କୃତି ସମୀକ୍ଷକ)

“ଓଡ଼ିଶାରେ ସଙ୍ଗୀତ” ଏହି ପ୍ରସଙ୍ଗରେ ଏକ ଚର୍ଚ୍ଚା ଆରମ୍ଭ କରିବାପାଇଁ ସମଧ୍ୱନି ଦୀର୍ଘ ଦିନରୁ ପ୍ରୟାସ କରିଛି । ଏହି ପ୍ରୟାସର ଫଳ ସ୍ୱରୂପ ଏଠାରେ ସଂସ୍କୃତି ସମୀକ୍ଷକ, କବି କେଦାର ମିଶ୍ରଙ୍କ ସହ ଏକ ଆଲୋଚନାକୁ ଲିଖିତ ଆକାରରେ ପ୍ରକାଶ କରାଯାଇଛି । ତାଙ୍କସହ ଆଲୋଚନା ସମ୍ପାଦକ ନିଜେ କରିଥିବା ବେଳେ ଲେଖାକୁ ଉପସ୍ଥାପନ କରିଛନ୍ତି ଯୁବ ସାମ୍ବାଦିକ ରୀମା ସାହୁ । ଦୀର୍ଘ ଚାଳିଶ ମିନିଟ ଧରି ଚାଲିଥିବା ଏହି ଆଲୋଚନାଟି ଅତ୍ୟନ୍ତ ଉପାଦେୟ ବିଷୟ ଗୁଡିକୁ ଆଲୋଚନାର ପରିସରଭୁକ୍ତ କରିପାରିଛି । ବିଷୟର ଗୁରୁତ୍ୱକୁ ଅନୁଭବ କରି ତାହାର ଉପସ୍ଥାପନା ଏଠାରେ କରାଯାଇଛି । ଓଡ଼ିଶାରେ ସଙ୍ଗୀତର ସ୍ଥିତି କଣ ରହିଛି ? କେଉଁଥିପାଇଁ ଓଡ଼ିଶାରେ ସାଂସ୍କୃତିକ ଓ ସାଙ୍ଗୀତିକ ପରିବେଶ ସୃଷ୍ଟି ହୋଇପାରୁନି ବିଶେଷ ଭାବରେ ଏଠାରେ ଆଲୋଚନା କରାଯାଇଛି।   – ସମ୍ପାଦକ

 

(ସଂସ୍କୃତି ସମୀକ୍ଷକ କବି କେଦାର ମିଶ୍ରଙ୍କ ସହିତ ଏକ ଆଲୋଚନା, ଆଲୋଚନା କରିଛନ୍ତି ସ୍ୱୟଂପ୍ରଭା ପାଢ଼ୀ)

ସ୍ୱୟଂପ୍ରଭା ପାଢ଼ୀ: ଆମେ ଜାଣିବାପାଇଁ ଚାହିଁବୁ ଯେ, ସଙ୍ଗୀତ ସେଇଟା ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ହେଉ କି ଓଡ଼ିଶୀ ସଙ୍ଗୀତ ହେଉ କି ଲୋକ ସଙ୍ଗୀତ, ପ୍ରକୃତରେ ଓଡ଼ିଶାରେ ସଙ୍ଗୀତର ସ୍ଥିତି କ’ଣ ରହିଛି? ଓଡ଼ିଶାରେ ସଙ୍ଗୀତକୁ କବି କେଦାର ମିଶ୍ର କେଉଁଭଳି ଦେଖୁଛନ୍ତି ।

କେଦାର ମିଶ୍ର : ସଙ୍ଗୀତ କହିଲେ ବାସ୍ତବରେ ସଙ୍ଗୀତର ଗୋଟିଏ ପରିଭାଷା ଦେଖିବେ, ଯେ ପୃଥିବୀରେ ସଙ୍ଗୀତର ଦେଶ ଭେଦ ବା ଅଞ୍ଚଳ ଭେଦ ଥାଇପାରେ, କିନ୍ତୁ ସଂଗୀତର ଗୋଟିଏ ମୂଳ ଅର୍ଥ ହେଉଛି ଯିଏ ଆପଣଙ୍କ ସହିତ ରହିପାରେ, ଆପଣଙ୍କ ଭାବ ସହିତ, ଆପଣଙ୍କର ଆବେଗ ସହିତ ଆପଣଙ୍କର ଜୀବନ ସହିତ ଗୋଟିଏ ଆନନ୍ଦର ଉତ୍ସ ଭାବରେ ଯିଏ ରହିପାରେ ସେ ହେଉଛି ସଙ୍ଗୀତ । ଏବଂ ଭାରତୀୟ ସଙ୍ଗୀତରେ କୁହାଯାଉଛି ଯେ, ଶାସ୍ତ୍ରୀୟ ସଙ୍ଗୀତ, ଲୋକସଙ୍ଗୀତ, ଆଦିବାସୀ ସଙ୍ଗୀତ। ବାସ୍ତବରେ ଏମିତି କିଛି ବିଭାଜନ କେବେ ସଙ୍ଗୀତରେ ନ ଥିଲା । ସଙ୍ଗୀତରେ ସବୁବେଳେ ଗୋଟିଏ ମାର୍ଗୀ ସଙ୍ଗୀତ ଅଛି ଆଉ ଗୋଟିଏ ଦେଶୀ ସଙ୍ଗୀତ ଅଛି । ମାର୍ଗୀ ସଙ୍ଗୀତଟା ହେଉଛି ଦେବତାମାନଙ୍କ ପାଇଁ ଦେଶୀ ସଙ୍ଗୀତଟା ହେଉଛି ମଣିଷମାନଙ୍କ ପାଇଁ । ମଣିଷମାନେ ଯେଉଁଟା ଶୁଣନ୍ତି ସେଇଟା ହେଉଛି ଦେଶୀ । ତେଣୁ ମାର୍ଗୀକୁ ପରବର୍ତ୍ତୀ ସମୟରେ ଶାସ୍ତ୍ରୀୟ ବୋଲି ଆମର ଯେଉଁ ବିଚାର ଆସିଲା ସେ ବିଚାରର ମୂଳ ଉତ୍ସଟା କ’ଣ ସେଇଟା କେହି କହିପାରିବେ ନାହିଁ । କେତେବେଳେ ଆମେ ଆମର ଦେଶୀ ସଂଗୀତ ଭିତରେ ଦି’ଟା ଭାଗ ତିଆରି କଲୁ ଓ କହିଲୁ ଯେ ଯେଉଁଟା ଉଚ୍ଚାଙ୍ଗ ସଂଗୀତ ସେଟା ହେଉଛି ଶାସ୍ତ୍ରୀୟ ଓ ଯେଉଁଟା ସାଧାରଣ ଭାବରେ ବ୍ୟବହାର ହେଉଛି ସେଟା ହେଉଛି ଦେଶୀ ବା ଲୋକ । ବାସ୍ତବରେ ସବୁ ସଂଗୀତର ମୂଳ ଧର୍ମଟି ହେଉଛି ଲୋକ ଧର୍ମ । ସେଇଟା ବହୁ ଲୋକଙ୍କ ସହିତ ଜଣେ ଲୋକଙ୍କୁ ବା ଜଣେ କଳାକାରୁ ଆଉ କିଛି ଲୋକଙ୍କ ସହିତ ଯୋଡ଼େ । ସଂଗୀତର ମୂଳ ଗୁଣଟା ହେଉଛି ନିଜକୁ ସିଏ ଅନ୍ୟ ସହିତ ଯୋଡ଼େ । ସାହିତ୍ୟର ଧର୍ମ ସେଇୟା, ସଂଗୀତର ଧର୍ମ ସେଇୟା, କଳାର ଧର୍ମ ବି ସେଇୟା । ତେଣୁ ଯେଉଁଟା ଉଚ୍ଚାଙ୍ଗ ସଂଗୀତ ସେଇଟା କେବଳ ଅଳ୍ପ ଲୋକଙ୍କ ମଧ୍ୟରେ ରହିବ ଏମିତି କିଛି ମାନେ ନାହିଁ । ସବୁ ମହାନ ସଂଗୀତର ଲକ୍ଷ ହେଉଛି ସେ ଗୋଟିଏ ବୃହତ୍ତର ଜନଜୀବନ ସହିତ ନିଜକୁ ସଂପୃକ୍ତ କରିବ, ସଂଯୁକ୍ତ କରିବ । ତେଣୁ ଆପଣ ଯେତେବେଳେ ଦେଖିଲେ ଯେ ପୃଥିବୀର ଯେତେ ଭଲ ସଂଗୀତ ସେ ଜାଜ୍ ହେଉ, ଆଫ୍ରିକାର ଜୁଲୁ ସଂଗୀତ ହେଉ କିମ୍ବା କୋରାପୁଟର ପରଜା ଗୀତ ହେଉ ସବୁ ଗୀତର ମୌଳିକ ଗୁଣ ହେଉଛି ଯେ, ସେ ମଣିଷର ଯେଉଁ ଆବେଗ ରହିଛି ହସ, ଲୁହ, ତା ଭିତରେ ଯେଉଁ ବିଷାଦ ଅଛି, ତାରି ଭିତରେ ଯେଉଁ ଆନନ୍ଦ, ହର୍ଷର ଭାବ ଅଛି ସେ ତାକୁ ଯୋଡ଼ିବ। ସତ କଥା କହିବାକୁ ଗଲେ ଯିଏ ରସକୁ ତିଆରି କରେ ସିଏ ହେଉଛି କଳା ବା ସଂଗୀତ । ତେଣୁ ତାକୁ ଆପଣ କେତେବେଳେ ଶାସ୍ତ୍ରୀୟ କହିପାରନ୍ତି କେତେବେଳେ ଲୋକ କହିପାରନ୍ତି, କେତେବେଳେ ଆଦିବାସୀ କହିପାରନ୍ତି, କେତେବେଳେ ପପ୍ କହିପାରନ୍ତି, କେତେବେଳେ ଆଉ କ’ଣ କହିପାରନ୍ତି । କିନ୍ତୁ ମୂଳ ଲକ୍ଷ୍ୟଟି ହେଉଛି ଯେଉଁଟି ହେଉଛି ମୂଳ ସଂଗୀତ, ଶୁଦ୍ଧ ସଂଗୀତ ଏକମାତ୍ର ସଂଗୀତ ଗୁଣ ହେଉଛି ସେ ଆପଣଙ୍କର ଭାବକୁ ଉଚ୍ଚାଟ କରେ ଆପଣଙ୍କୁ ଆନନ୍ଦ କରେ । ସଂଗୀତର ଧର୍ମ ହେଉଛି ବା ବ୍ୟାଖ୍ୟା ହେଉଛି ସେଇଟା ।

ପ୍ରଶ୍ନ: ଆମେ ଯେତେବେଳେ ଓଡ଼ିଶା ପରିପ୍ରେକ୍ଷୀରେ ସଂଗୀତକୁ ଦେଖିବା, କେମିତି ଆମେ ଦେଖିବା?

ଉତ୍ତର: ଓଡ଼ିଶାର ସଂଗୀତ କଥା କହିଲେ ଏବେ ଗୋଟିଏ କଥା ଉଠୁଛି ଯେ, ବହୁତ ଦିନ ପରେ ଏବେ ସମସ୍ତେ ନିଦରୁ ଉଠିଲା ପରି କହୁଛନ୍ତି ଓଡ଼ିଶୀକୁ ଶାସ୍ତ୍ରୀୟ ସଂଗୀତର ମାନ୍ୟତା ଦେବା ପାଇଁ ଓଡ଼ିଶା ସରକାର ତାଙ୍କର ଗୋଟିଏ ହେରିଟେଜ କ୍ୟାବିନେଟରେ ନିଷ୍ପତ୍ତି ନେଲେ, ଗୋଟିଏ ପ୍ରସ୍ତାବ ପାରିତ କଲେ । ମୁଁ କହୁଛି ସଂଗୀତକୁ ଶାସ୍ତ୍ରୀୟ ଭାବରେ ସରକାରୀ ମର୍ଯ୍ୟାଦା ଦେବାଟା ଗୋଟିଏ ଫାଇଲ ଅମଲତାନ୍ତ୍ରିକ ପ୍ରସେସ୍ ହୋଇପାରେ କିନ୍ତୁ ଏହା ସହିତ ସଂଗୀତର ଯେଉଁ ଶାସ୍ତ୍ରୀୟତା ବା ଶୁଦ୍ଧତାର କିଛି ବିଶେଷ ସମ୍ପର୍କ ନାହିଁ । ଓଡ଼ିଶୀ ଗାୟନର ଯେଉଁ ଶୈଳୀ ଅଛି, ଯେଉଁ ଠାଣିଟି ଅଛି, ସେହି ଶୁଦ୍ଧ ଗାୟନ ଶୈଳୀଟିକୁ ଆମେ ଆଜି ପର୍ଯ୍ୟନ୍ତ ବଜାୟ ରଖିପାରିଛୁ କି? ଏଇଟା ହେଉଛି ଓଡ଼ିଶୀ ସଂଗୀତର ବଡ଼ ପ୍ରଶ୍ନ । ଦ୍ୱିତୀୟ କଥା କହୁଛୁ ଯେତେବେଳେ ଆମେ କର୍ଣ୍ଣାଟକୀ ଓ ହିନ୍ଦୁସ୍ଥାନୀଠୁ ଆମର ସଂଗୀତର ଧାରା ଅଲଗା ବୋଲି ଆମେ କହୁଛୁ । ଆମର ପରିବେଷଣ ଧାରାଟି ସ୍ୱତନ୍ତ୍ର ଓ ସ୍ୱୟଂ ସମ୍ପୂର୍ଣ୍ଣ ବୋଲି କହୁଛୁ, ସେଥିରେ ଆମକୁ ପ୍ରମାଣିତ କରିବାକୁ ପଡ଼ିବ ଯେ, ଆମର ଗାୟନ ଶୈଳୀଟି କେତେ ମୌଳିକ । ଆମେ ଯେଉଁ ପ୍ରବନ୍ଧ ଗାୟନ କଥା କହୁଛୁ ବିଶେଷ କରି ଆମର ନାଟ୍ୟ ମନୋରମା ହେଉ କି, ଯେଉଁ ଶାସ୍ତ୍ରଗୁଡ଼ାକର ରେଫେରେନ୍ସ ଦେଉଛେ ସେଥିରେ ଯେଉଁ ଶୁଦ୍ଧ ଗାୟନ ଶୈଳୀ ଅଛି ସେ ଶୁଦ୍ଧ ଗାୟନ ଶୈଳୀ ମୌଳିକ ଉଦଗାତା କେତେ ଜଣ ଅଛନ୍ତି, କେତେ ଜଣ ତାକୁ ମୌଳିକ ଶୈଳୀରେ ଗାଇପାରୁଛନ୍ତି । ସମସ୍ୟାଟି ହେଉଛି ଯେମିତି ଆପଣ ହିନ୍ଦୁସ୍ଥାନୀରେ ଗଣିବେ ଅଗଣିତ ପରିବେଷଣକାରୀ ମିଳିବେ । ଅଗଣିତ ଘରାନା ଆମକୁ ମିଳିବ । କିନ୍ତୁ ଓଡ଼ିଶୀରେ ପରିବେଷଣ କରୁଥିବା ଲୋକଙ୍କ ସଂଖ୍ୟା ଆସ୍ତେ ଆସ୍ତେ କମିଯାଉଛି । ଯେଉଁମାନେ ସିଦ୍ଧ ଗାୟକ ବା ଶୁଦ୍ଧ ଗାୟକ ଏଇ ଦି ଗୋଷ୍ଠୀର ସଂଖ୍ୟା ଆସ୍ତେ ଆସ୍ତେ ବହୁତ କମି ଯାଉଛି । ଧରନ୍ତୁ ଦାମୋଦର ସାର ହେଲେ, ଗୋପାଳ ପଣ୍ଡା, ରାମହରି ସାର୍ ଅଳ୍ପ ଗୁରୁଙ୍କୁ ବାଦ୍ ଦେଲେ ୟାକୁ ଗୋଟିଏ ଜନ ଆନ୍ଦୋଳନ କରିପାରିବା କି? ଯେମିତି ଆପଣ ହିନ୍ଦୁସ୍ଥାନୀରେ ଦେଖିଲେ ଏତେ ଘରନା, ଏତେ ଗାୟନ, ଏତେ ଗୁରୁ ଯେ ଆପଣଙ୍କୁ ଗଣିବାକୁ ଏକ ସ୍ୱତନ୍ତ୍ର ସେନସସର ଆବଶ୍ୟକତା ପଡ଼ିବ । କିନ୍ତୁ ଓଡ଼ିଶୀରେ ଆପଣ ହାତର ଆଙ୍ଗୁଳିରେ ଗଣିଦେବେ ଏଇ ଏଇମାନେ ହେଉଛନ୍ତି ଆମର ସର୍ବଶ୍ରେଷ୍ଠ ଗାୟକ, ସିଦ୍ଧ ଗାୟକ । ସେମାନେ ସମସ୍ତେ ବହୁତ ବଡ଼ ଗାୟକ, ବହୁତ ବଡ଼ ଗୁରୁ ସେଥିରେ ମୋର ଦ୍ୱିମତ ହେବାର ନାହିଁ । କିନ୍ତୁ ତାର ବ୍ୟାପ୍ତି ହେବାର ଆବଶ୍ୟକାତା ଅଛି ଯେ, ଓଡ଼ିଶୀ ସଂଗୀତର ଗାୟନ ବଢ଼ିବା ସମୟରେ ଆଦରଟା ବି ବଢ଼ିବାର ଆବଶ୍ୟକତା ଅଛି ।

ପ୍ରଶ୍ନ: ବିଭିନ୍ନ ଜିଲ୍ଲା, ବିଭିନ୍ନ ଅଞ୍ଚଳରେ ଯେଉଁମାନେ ଓଡ଼ିଶୀ ଗାୟନ କରୁଛିନ୍ତି ସେଇ ଅଞ୍ଚଳମାନଙ୍କରେ ତାର ଶୁଦ୍ଧତା କେତେ ଦୂର ରହିପାରୁଛି?

ଉତ୍ତର: ଓଡ଼ିଶୀର ଦୁଇଟି ମୁଖ୍ୟ ଗାୟନ ଧାରା ଥିଲା । ଗୋଟିଏ ଦକ୍ଷିଣୀ ଗାୟନ ଧାରା ଥିଲା, ଯେଉଁଟା ତାରିଣୀ ପାତ୍ର, ଅପର୍ଣ୍ଣା ପାଣିଗ୍ରାହୀଙ୍କ ନେତୃତ୍ୱରେ ଏବଂ ଗୋଟେ ପୁରୀ ଧାରା ଥିଲା, ଯେଉଁଥିରେ ଆମର ମାର୍କଣ୍ଡେୟ ମହାପାତ୍ର ହୁଅନ୍ତୁ, ସେହି ଧାରା କିଛିକାଂଶରେ କାଶୀନାଥ ପୂଜାପଣ୍ଡା ଠୁ ଆରମ୍ଭ କରି ନିମାଇଁଚରଣ ହରିଚନ୍ଦନ, ଗୋକୁଳ ଶ୍ରୀଚନ୍ଦନ ଏମାନଙ୍କ ପର୍ଯ୍ୟନ୍ତ ସେଇ ଧାରାଟି ଚାଲିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଯେତେବେଳେ ବାଳକୃଷ୍ଣ ସାର୍ ଗଲେ କଲିକତା ଆଉ ସେଠି ହିନ୍ଦୁସ୍ଥାନୀ ଶିଖିକି ଆସିଲେ । ଆମେ ଦେଖିଲୁ ଯେ କିଛି କିଛି ହିନ୍ଦୁସ୍ଥାନୀ ରାଗର ଅନୁପ୍ରବେଶ ଘଟିଲା ଓଡ଼ିଶୀ ଭିତରେ । କିନ୍ତୁ ଏଇଟା କିଛି ଖରାପ କଥା ବି ନୁହେଁ, ଯେପରି ଶୁଦ୍ଧ ନୃତ୍ୟ ବୋଲି କିଛି ନାହିଁ, ଶୁଦ୍ଧ ସଂଗୀତ ବୋଲି କିଛି ନାହିଁ । କାରଣ ସଂଗୀତ ସବୁବେଳେ ବିଭିନ୍ନ ପ୍ରଭାବକୁ ଆହରଣ କରେ, ପ୍ରଭାବଟା ଆହରଣ କରିବାଟା କିଛି ଖରାପ ଗୁଣ ନୁହେଁ ଏହା ଗୋଟିଏ ଗ୍ରହଣୀୟ ପଦ୍ଧତି । ଯେପରି ଆପଣ ଦେଖିବେ ଶୁଦ୍ଧ ଧୃପଦ ଗାୟନ ଥିଲା, ଧୃପଦ ଗାୟନ ପରିବର୍ତ୍ତୀ ସମୟରେ ଯେତେବେଳେ ମୋଗଲ ପିରିୟଡ଼ ଆସିଛି, ସେତେବେଳେ ମଧ୍ୟ ପରିବର୍ତ୍ତୀତ ହୋଇଛି । ଗୋଟିଏ କଳାର ମୌଳିକ ଗୁଣ ହେଉଛି ଯେ, ସେ ବାରମ୍ବାର ପରିବର୍ତ୍ତିତ ହୋଇଯିବ । ତେଣୁ ପରିବର୍ତ୍ତନ ହୋବାର କିଛି ଅସୁବିଧା ନାହିଁ । ଯେମିତି କହିଲି ଆପଣଙ୍କୁ ଯେ, ଗୋଟେ ଦକ୍ଷିଣି ଶୈଳୀ ଥିଲା ଯେଉଁଟା ତାରଣୀ ପାତ୍ର, ଅପର୍ଣ୍ଣା ପାଣିଗ୍ରାହୀଙ୍କ ନେତୃତ୍ୱରେ ଏବଂ ଏପଟେ ପୁରୀ ଜାଗା ଆଖଡ଼ାରେ ଯେଉଁ ସଂଗୀତ ଦେଖୁଥିଲେ ଓ ଉପକୂଳର ଯେଉଁ ଧାରା ଦେଖୁଥିଲେ ତା ସାଙ୍ଗରେ ଯେତେବେଳେ ପୁଣି ନୂଆ ଆଧୁନିକ ସମୟ ଆସୁଛି ସେତେବେଳେ ଆମେ ଦେଖୁଛେ ହିନ୍ଦୁସ୍ଥାନୀ ଶିଖିକି କିଛି ଗୁରୁ ଆସୁଛନ୍ତି, ତାରି ଭିତରେ କିଛି ଠାଣି, କିଛି ଅଂଗ ପ୍ରବେଶ କରୁଛନ୍ତି। କିନ୍ତୁ ତା’ପରେ କ’ଣ?

ଗଡ଼ଜାତମାନଙ୍କର ଗୋଟିଏ ଧାରା ଥିଲା । ଓଡ଼ିଶାର ଯେଉଁ ଗଡ଼ଜାତ ଥିଲା ସେଇ ଗଡ଼ଜାତମାନଙ୍କରେ ମଧ୍ୟ ଓଡ଼ିଶୀ ଗାୟନ ଥିଲା । ଧରନ୍ତୁ ସୋନପୁରରେ ମୁଁ ପିଲା ବେଳେ ବାରମ୍ବାର ଗୋଟିଏ ଗୀତଗୋବିନ୍ଦର ଭିନ୍ନ ଗାୟନ ଶୈଳୀ ମୁଁ ଶୁଣି ଆସିଥିଲି । ଜୟ ଜୟ ଦେବ ହରେ ଗାନ, ମଙ୍ଗଳ ଗାୟନଟି ସୋନପୁର ଯେତେବେଳେ ଜଗନ୍ନାଥଙ୍କ ପହଣ୍ଡି ହୁଏ ସେତେବେଳେ ସେମାନେ ଆଉ ଗୋଟିଏ ଶୈଳୀରେ ଗାଆନ୍ତି । ସେଇଟା ଆସ୍ତେ ଆସ୍ତେ ବିଲୁପ୍ତ ହୋଇଯାଉଛି କାରଣ ସେ ସର୍ମ୍ପକରେ କାହାର ଡକ୍ୟୁମେଣ୍ଟେସନ୍ ନାହିଁ । ଯଦି ଆପଣ ଭଟଲିକୁ ଯିବେ କିମ୍ବା କୁମ୍ଭାରୀକୁ ଯେତେବେଳେ ଯିବେ କୁମ୍ଭାରୀରେ ଯେଉଁଠି ଶବ୍ଦ ନୃତ୍ୟ ଆଉ ଗୋଟିଏ ନୃତ୍ୟ ଶୈଳୀ ଅଛି ଯେଉଁଟା ଗୋଟିଏ ଓଡ଼ିଶୀର ଅନୁକରଣୀୟ ନୃତ୍ୟ ଶୈଳୀ ବୋଲି କୁହାଯାଏ ସେଇଠି ଯେଉଁ ପଲ୍ଲବୀ ଗାୟନ କରନ୍ତି ସେଇ ପଲ୍ଲବୀ ଗାୟନ ଆମର ପଲ୍ଲବୀ ଗାୟନ ସହିତ ସମାନ ନୁହଁ, ତାଙ୍କର ଆଉ ଗୋଟିଏ ପ୍ରକାରର ପଲ୍ଲବୀ ଗାୟନ ଶୈଳୀ ଅଛି । ଏଇ ଯେଉଁ ବିଭିନ୍ନ ଭେରାଇଟି ଅଛି ଯେଉଁଟା ଓଡ଼ିଶା ଭିତରେ ମଧ୍ୟ ବହୁବିଧ ଶୈଳୀ ଅଛି ସେଇ ଶୈଳୀଗୁଡ଼ାକର ଡକୋମେଣ୍ଟସନ୍‌, ତାର କୋଡ଼ିଫିକେସନ୍‌, ଓ ତାକୁ ନେଇକରି ଆମେ ଯଦି ଅଧିକ ଏକ୍ସପେରିମେଣ୍ଟ କରିବା ଓଡ଼ିଶୀ ସଂଗୀତ ମଧ୍ୟ ସମୃଦ୍ଧ ହେବ ।

ପ୍ରଶ୍ନ : ଓଡ଼ିଶୀ ସଂଗୀତ ଯେଉଁଟା ଆଜି ପର୍ଯ୍ୟନ୍ତ ଗଡ଼ି ଆସିଛି ଆହୁରି କ’ଣ ଓଡ଼ିଶାର ବିଭିନ୍ନ ପ୍ରାନ୍ତୀୟ ସଂଗୀତର ଅବଦାନ ହୋଇ ପାରନ୍ତା ନି କି ଓଡ଼ିଶୀକୁ, ବହୁତ ଗୁଡ଼ାଏ ଜିନିଷ ରହିଯାଇଛି ଯେଉଁଟା ଗବେଷଣା ହୋଇପାରି ନାହିଁ ଯଦି ଗବେଷଣା କରାଯାଇ ଓଡ଼ଶୀକୁ ଅଣାଯାଇ ପାରନ୍ତା ଏହାର ବ୍ୟାପକତା ଅଧିକ ହୁଅନ୍ତା ନାହିଁ କି? ଏ ସମ୍ପର୍କରେ କ’ଣ କହିବେ ।

ଉତ୍ତର : ମୋର ମନେ ପଡ଼ୁଛି ଗୋପାଳ ସାର ବେଳେ ବେଳେ ମୁଡ଼ରେ ଥାଆନ୍ତି ବହୁତ ଚମତ୍କାର ପ୍ରୟୋଗ ସବୁ କରନ୍ତି । ଗୁରୁ ଗୋପାଳ ପଣ୍ଡା, ଯେତେବେଳେ ସାର୍ ମୁଡ଼୍‌ରେ ଥାଆନ୍ତି, ସେତେବେଳେ ସେ ରଙ୍ଗିଲା ଶୈଳୀରେ ଗାନ କରନ୍ତି । ରଙ୍ଗିଲା ଶୈଳିଟା ଆପଣ କହିପାରନ୍ତି ଯେ ଝୁଲା ଅବସ୍ଥାଟା ସେ ଆଉ ଗୋଟିଏ ମାଦକତା ଆସେ । ଆପଣ ଯେତେ ପ୍ରକାରର ପ୍ରୟୋଗ କରିପାରିବେ ସେତେ ଭଲ । ଅନେକ ସମୟରେ ଆମର ପଣ୍ଡିତମାନଙ୍କର ସମସ୍ୟା ଅଛି ସେମାନେ ପ୍ରୟୋଗ କରିବାକୁ ଡରନ୍ତି । ସେମାନେ କହନ୍ତି ପ୍ରୟୋଗ କଲେ ଶୁଦ୍ଧତାଟା ମରିଯିବ । ବାସ୍ତବରେ ଶୁଦ୍ଧତାଟାର ବିସ୍ତାର, ପ୍ରୟୋଗ ମାଧ୍ୟମରେ ହୋଇପାରେ । ତାର ବଡ଼ ଉଦାହରଣ ହେଉଛନ୍ତି ପଣ୍ଡିତ କୁମାର ଗନ୍ଧର୍ବ । କୁମାର ଗନ୍ଧର୍ବଙ୍କୁ ଯେତେବେଳେ ଯକ୍ଷ୍ମା ହୋଇଗଲା ଆଉ ସେ ଗାଇପାରିଲେ ନାହିଁ । ସେ ଯେଉଁ କିଛି ସମୟ ବାଙ୍ଗାଲୋରରେ ରହିଲେ ସେହି ସମୟରେ ସେ କବିର ସଂଗୀତର ନୂଆଧାରା ଗୋଟେ ସେଠି ଦେଖିବାକୁ ପାଇଲେ । ଏବଂ ତାରି ଭିତରେ ଆପଣ ଦେଖିବେ ଯେ ପଣ୍ଡିତ କୁମାର ଗନ୍ଧର୍ବଙ୍କ ଗାୟନ ଶୈଳୀଟା ଗୋଟିଏ ଘରାନାର ଟ୍ରେଡ଼ିସନ୍ ବା ପଦ୍ଧତି ଥିଲା ତାହା କୁମାର ଜୀଙ୍କ ବେଳକୁ ସଂପୂର୍ଣ୍ଣ ରୂପେ ପରିବର୍ତ୍ତିତ ହୋଇଗଲା । ଗୋଟେ ନୂଆ ଠାଣି, ନୂଆ ରୂପ, ନୂଆ ରଂଗ ଦେଖାଗଲା । ତେଣୁ ଓଡ଼ିଶୀ ମଧ୍ୟରେ ସେଇ ପ୍ରକାରର ପ୍ରୟୋଗ ହେବା କଥା, ଯେଉଁଟା ମୁଁ କହୁଥିଲି କି, ଦକ୍ଷିଣୀ ଶୈଳୀଟା ଆସ୍ତେ ଆସ୍ତେ ବିଲୁପ୍ତ ହୋଇଯାଉଛି । ଆମର ଓଡ଼ିଶୀ ଗାୟନରେ ଯେଉଁ ଦକ୍ଷିଣୀ ଶୈଳୀଟି ଥିଲା ଲୋପପାଇଯାଉଛି । ମୋର ମନେ ପଡ଼ୁଛି କି, ଜଣେ ଯେତେବେଳେ ସଂଗୀତ ଗୁରୁ ଅପୂର୍ଣ୍ଣା ପାଣିଗ୍ରାହୀଙ୍କ ଗୋଟେ ଗୀତ ଶୁଣିଲେ ସେ କହିଲେ ଏଇଟା ବହୁ ବଦଳି ଗଲାଣି ଓ ରିଫାଇନ୍ ହୋଇଗଲୁଣି । ରିଫାଇନ୍ ହୋଇଗଲୁଣି ବୋଲି କହିକି ଯେଉଁ ଆମର ପୁରୁଣା ଶୈଳୀଟି ଥିଲା ସେଇ ଶୈଳୀଟି ଏକଦମ୍ ଅଣଦେଖା କରିବାଟା ବି ଠିକ୍ ହେବନାହିଁ । ଯେମିତି ମୁଁ ତାରିଣୀ ପାତ୍ରଙ୍କ ସଂଗୀତ ଶୈଳୀଟି କ’ଣ, କାଶୀନାଥ ପୂଜାପଣ୍ଡାଙ୍କ ଗାୟନ ଶୈଳୀ ଆଉ ଦେଖିବାକୁ ପାଉନାହିଁ । ଏପରିକି ଯାହାକୁ ଆମେ ସର୍ବାଧିକ ସମ୍ମାନ ଦେଉ ବାଣୀକଣ୍ଠ ନିମାଇଚରଣ ହରିଚନ୍ଦନ, ନିମାଇଁ ହରିଚନ୍ଦନଙ୍କ ଯେଉଁ ଔଦାଚ୍ୟ ସେଇଟା କାହିଁ?

ପ୍ରଥମ କଥା ହେଉଛି କି ଓଡ଼ିଶୀରେ ଆପଣଙ୍କ ଭାବର ପ୍ରାଧାନ୍ୟ ଯେତିକି ଶବ୍ଦର ପ୍ରାଧାନ୍ୟ ମଧ୍ୟ ଠିକ୍ ସେତିକି । ଶବ୍ଦ, ଅର୍ଥ ଓ ଭାବ ଯେ ଆପଣଙ୍କର ଖେୟାଲରେ ଯେଉଁ କଥାଟା ନାହିଁ ସେଇଟା ଓଡ଼ିଶୀରେ ଓ କର୍ଣ୍ଣାଟକିରେ ବିଶେଷ ଭାବରେ ଦେଖାଯାଏ । ଶବ୍ଦ, ଅର୍ଥ ଓ ଭାବ ଏହି ତିନିଟା ଏକତ୍ର ଭାବରେ ଯିବେ । ତେଣୁ ଆମେ ଶବ୍ଦ ଓ ଅର୍ଥ ଉପରେ ଅନେକ ସମୟରେ ଗୁରୁତ୍ୱ ଦେଇ ନ ଥାଉ । ତେଣୁ ସାହିତ୍ୟ ଓ ସଂଗୀତ ୟାରି ଭିତରେ ଯେଉଁ ଗୋଟେ ସହବନ୍ଧନ ରହିବା କଥା ଏଇ ଦୁହି ଭିତରେ ଯେଉଁ ଆଳାପ ହେବା କଥା ସେଇ ଆଳାପଟା ହେଉ ନାହିଁ ଯାହା ଫଳରେ ଓଡ଼ିଶୀରେ ଯେଉଁ ଶୁଦ୍ଧ ଗାୟନ ପରମ୍ପରା ମରିଯାଉଛି ।

ଏହା ସହିତ ଆଉ ଗୋଟିଏ କଥା ଆପଣ ଦେଖିବେ, ଯେଉଁ ଲୋକଧର୍ମୀ ଗୀତ ଅଛି, ଲୋକଧର୍ମୀ ଗୀତଗୁଡ଼ିକର ତାର ଅନ୍ତଃସ୍ୱରକୁ ବୁଝିବା, ତାର ସ୍ୱର ଓ ମୂର୍ଚ୍ଛନାକୁ ବୁଝିବା, ତାର ତାଳକୁ ଆଣିକି ଆମର ତାଳରେ ପ୍ରୟୋଗ କରିବା ଏକଥାଟି ମଧ୍ୟ ଘଟୁ ନାହିଁ । ଯଦିଓ କିଛି କିଛି ଉଦ୍ୟମ ହେଉଛି ଗୁରୁ ଧନେଶ୍ୱର ସ୍ୱାଇଁଙ୍କ ଭଳି ବ୍ୟକ୍ତି ଉଦ୍ୟମ କରୁଛନ୍ତି ସେହି ଉଦ୍ୟମଟି ବ୍ୟାପକ ହେବା ଦରକାର । ବାସ୍ତବରେ ସଂଗୀତ ବିଭିନ୍ନ ଅଂଚଳରେ ଥାଏ, କିନ୍ତୁ ସେଗୁଡ଼ିକ ଆଂଳଚିକ ସଂଗୀତ ନୁହଁ, ମୂଳତଃ ସେଗୁଡ଼ିକ ସଂଗୀତ । ତେଣୁ ଯେଉଁ ଲୋକଟି ବିଦ୍ୱାନ, ଯେଉଁ ଲୋକଟି ସଂଗୀତର ବାସ୍ତବ ସମଜଦାର ସିଏ ତା ପାଇଁ ଅଂଚଳର ଭେଦ ବୋଲି କିଛି ନାହିଁ । ସିଏ ଜାଣିଛି ଯେ ଯେଉଁଠି ଭଲ ଗମକ୍ ଅଛି, ଯେଉଁ ଭଲ ମିଠାସ୍ ଅଛି ସେ ତାକୁ ଆଣିବ, ଯେମିତି ହେଲେ ଆଣିବ । ତେଣୁ ଯେଉଁଟା ଆପଣ ପଶ୍ଚିମ ଓଡ଼ିଶାର ଗଁଡ଼ା ବଜା କଥା କୁହନ୍ତି । ତାକୁ ଆମେ ଗୋଟିଏ ନର୍ଦ୍ଦିଷ୍ଟ ଜାତି ଭିତରେ ଆମେ ତାକୁ ସୀମିତ କରିଆସିଛୁ । କିନ୍ତୁ ତାର ଯେଉଁ ବ୍ୟାପକତା, ତାର ଗୋଟିଏ ସାମାଜିକ ଦିଗ ଅଛି, ଗୋଟେ ଆଧ୍ୟାତ୍ମିକ ଦିଗ ଅଛି । ତାରି ଗୋଟିଏ ପ୍ରତିବାଦୀ ଦିଗ ଅଛି । ଆପଣ ଦେଖିବେ ଯେ ସେ ବାଜା ଭିତରେ କେତେ ପ୍ରକାର ବା ଭେରାଇଟି ଅଛି । କାରଣ ସେଇ ବାଜାଟି ବାହା ଘର ସମୟରେ ବାଜିବ, ମୃତରହ ସମୟରେ ବାଜିବ, ଯେତେବେଳେ ନଚନିଆ ସମୟରେ ବାହାଘର ସମୟରେ ସେ ନଚନିଆ ହୋଇଯାଉଛି, ଯେତେବେଳେ ଦଣ୍ଡ ଯାତ୍ରା ହେଉଛି ସେତେବେଳ ସେ ଷୋଳ ଖାଡ଼ି ହୋଇଯାଉଛି । ଦେବୀ ପୂଜାରେ ଯେତେବେଳେ ବାଜୁଛି ସେତେବେଳେ ଭରନୀ ହୋଇଯାଉଛି, ଡାଲଖାଇରେ ବାଜିଲା ବେଳେ ସେ ଆଉ ଗୋଟିଏ ପ୍ରକାରର ହୋଇଯାଉଛି । ତେଣୁ ତାର ବିଭିନ୍ନ ପ୍ରୟୋଗ ଅଛି ଯେତେବେଳେ ସେ ଯେଉଁଠି କି ଯାଉଛି, ଯେଉଁ ଅନୁଷ୍ଠାନକୁ ଯାଉଛି ସେଇ ଅନୁଷ୍ଠାନ ଅନୁସାରେ ତାର ତାଳ ପ୍ରୟୋଗ କରୁଛି ।

ମୋର ମନେ ପଡ଼ୁଛି ପୁରନ୍ଦର ବାରିକ ମରିଗଲେଣି ଯେ, କି ମାଲେଶ୍ରୀ ଓ ଭରନୀର ଗୋଟେ ବହୁତ ବଡ଼ ଉଚ୍ଚାଙ୍ଗ ବାଦ୍ୟକାର ବୋଲି ମୁଁ ଭାବେ । ସେ ଥରେ କହିଲେ ବାବୁ ଆମର ଧର୍ମ ବୋଲି କିଛି ନାହିଁ ଆମେ ସବୁ ଧର୍ମର ଲୋକ । ଯେତେବେଳେ ମହରମରେ ବଜାଯାଏ ତାଜିଆ ଶୋଭାଯାତ୍ରାରେ, ତାଜିଆ ଶୋଭାଯାତ୍ରରେ ବଜାଇଲାବେଳେ ଆମେ ଯେଉଁ ତାଳଟା ବ୍ୟବହାର କରୁ ସେଇ ତାଳଟା ହେଉଛି ହିନ୍ଦୁ-ମୁସଲମାନ-ଖ୍ରୀଷ୍ଟିୟାନ ସବୁ ମିଶିଗଲା ଭଳିଆ ତାଳ । ଏଇଟା ମିଶିବେ ହେଲେ ଏଇ ଯେଉଁ ବିଟ୍ ଗୁଡ଼ାକୁ ତୁମେ ଦେଖୁଛ ଏଟାକୁ ଏକ ତାଳ କହିବେ କି କ’ଣ କହିବେ ମୁଁ ଜାଣିନି କିନ୍ତୁ ଗୋଟେ ତାଳରୁ ଆଉ ଗୋଟେ ତାଳ ବା ଗୋଟିଏ ମାତ୍ରାରୁ ଆଉ ଗୋଟିଏ ମାତ୍ରାକୁ ଯେତେବେଳେ ଯାଉଛି ମୋତେ ଲାଗୁଛି କି ମୁଁ ସବୁ ଲୋକଙ୍କୁ ନେଇକି ଯାଉଛି । ସମସ୍ତେ ଗୋଟିଏ ହୋଇଯାଉଛନ୍ତି । ତେଣୁ ପୁରନ୍ଦର ବାରିକଙ୍କ ଯେଉଁ ଭିଜନ୍ ବା ସ୍ପିରିଚ୍ୟୁଆଲିଜିମ, ମୁଁ ଆଉ କାହା ଭିତରେ ସେଇଟା ଦେଖୁନାହିଁ । ସେ ମଣିଷପଣିଆ ପାଇଁ ବାଜା ବଜାଉଛି, ମଣିଷ ପାଇଁ ବଜା ବଜାଉଛି, ଦେବୀ ପାଇଁ ବାଜା ବଜାଉଛି, ଦେବୀ କାହାକୁ ଅଲଗା ଅଲଗା ଦେଖେନାହିଁ, ତା ପାଇଁ ସମସ୍ତେ ସମାନ । କାରଣ ସେ ହେଉଛି ମା । ମା କେବେ ଭାବେ ନାହିଁ କି, ଇଏ ମୁସଲମାନ, ଖ୍ରୀଷ୍ଟିୟାନ୍ ବିଧର୍ମୀ ବୋଲି ମା ଆଗରେ ସେଇଟା ନାହିଁ । ଏଇଟା ହେଉଛି ପୁରନ୍ଦର ବାରିକ ବଜନିଆଙ୍କ ଭିଜନ୍ । ସେଇ ଭିଜନ୍‌ଟା ଯଦି ଆମର ସଂଗୀତ ଭିତରକୁ ଆସିବ, ସେଥିପାଇଁ ମୁଁ କହୁଛି ଯେ, ବହୁତ ଗୁଡ଼ାଏ ସଂଗୀତର ଆଦର୍ଶ ଅଛି ଯେଉଁଟା ଖାଲି ଆପଣ ଭାବନ୍ତୁ ନାହିଁ ଯେ ସଂଗୀତଟା କେବଳ ଗୋଟିଏ ଟେକ୍‌ନିକ୍‌, ସଂଗୀତଟା ଗୋଟିଏ ହେଉଛି ବିଚାର ।

୧୮୫୭ର ଯେଉଁ ସିପାହୀ ବିଦ୍ରୋହ ହୋଇଥିଲା ଆମ ଭାରତର ଯେଉଁ ପ୍ରଥମ ମୁକ୍ତି ସଂଗ୍ରାମ ସେଇ ସମୟରେ ଖୟାଲ ଗାୟକିରେ ମଧ୍ୟ ଗୋଟିଏ ବଡ଼ ପରିବର୍ତ୍ତନ ଆସିଥିଲା । ସଂଗୀତର ଗୋଟିଏ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ଅଛି ଯେ, ଆପଣ ଗୋଟିଏ ସାମାଜିକ ପରିବର୍ତ୍ତନ କରିପାରିବେ, ଆପଣ ଗୋଟିଏ ବୈଚାରିକ ଆଦର୍ଶ ତିଆରି କରିପାରିବେ । ତେଣୁ ଗୁରୁମାନେ କେବଳ ଗାୟକ ବା କଳାକାର ନୁହନ୍ତି ସେମାନେ ଦରକାର ପଡ଼ିଲେ ବିପ୍ଲବୀର ଭୂମିକା ମଧ୍ୟ ନେଇପାରିବେ । ଆମେ ଦେଖିଛୁ ଯେ ବହୁତ ଲୋକକଳାକାର ସେଇ ଭୂମିକା ନେଇଛନ୍ତି ।

ଓଡ଼ିଶୀ ସଂଗୀତ କୁହନ୍ତୁ କି ଓଡ଼ିଶାର ସଂଗୀତ କୁହନ୍ତୁ ସେଇଟା ଲୋକ ହେଉକି ଶାସ୍ତ୍ରାନୁମୋଦିତ ସଂଗୀତ ହେଉ, ଏହାରି ଭିତରେ ଗୋଟିଏ ବିଚାର ରହିବାଟା ବହୁତ ବଡ଼ ଯେ, ଆପଣ କାହିଁକି ଗାଉଛନ୍ତି କି କାହା ପାଇଁ ଗାଉଛନ୍ତି? ଯେଉଁ ଶୈଳୀରେ ଗାଉଛନ୍ତି ସେଇ ଶୈଳୀରେ କେତେ ପ୍ରକାର ମିଶ୍ରଣ ଅଛି? ଏହି ସବୁକୁ ନେଇକରି ଯଦି ଗୋଟିଏ ବୈଚାରିକ ଓ ବୌଦ୍ଧିକ ବାତାବରଣ ତିଆରି ହୁଅନ୍ତା ମୁଁ ଭାବୁଛି ଆମର ସଂଗୀତ ଆହୁରି ଉଚ୍ଚାଙ୍ଗ ହୁଅନ୍ତା, ଆହୁରି ଉପରକୁ ଉଠନ୍ତା । ଏବଂ ୟା ସହିତ ଆଉ ଗୋଟିଏ ବଡ଼ କଥା ପପୁଲାର ସଂଗୀତ ଏବଂ ଉଚ୍ଚାଙ୍ଗ ସଂଗୀତ । ଅନେକ ସମୟରେ ଲାଗେ ଯେ, ଯେତେବେଳେ ଗୋଟିଏ ସ୍ୱରର ସାଧନା କରାଯାଉଛି ତାରି ଭିତରେ ଯେଉଁ ବିଭିନ୍ନ ପ୍ରକାରର କାରୁକାର୍ଯ୍ୟ ହେଉଛି ତାକୁ ହୁଏତ ସାଧାରଣ ଲୋକ ବୁଝିବା ପାଇଁ ଅସୁବିଧା ଲାଗୁଛି । ସେ ଭାବୁଛି ଏଠି କ’ଣ ଗୋଟିଏ ଆ..ଆ… ହେଉଛି କିନ୍ତୁ ସେ ଯେତେବେଳେ ଭଲ କରି ଶୁଣୁଛି ସେଇଠି ମଧ୍ୟ ଗୋଟେ ହିନ୍ଦୁସ୍ଥାନୀର ଯେଉଁ ଲାଇଟ୍ ସାଇଡ଼ଟା ଝୁମୁରୀ ହେଲା କି ଆପଣଙ୍କର ଚଇତି ହେଲା ଏଗୁଡ଼ାକରେ ଆପଣ ଦେଖିବେ ଗୋଟେ ମିଡ଼ିଲ ପାଥ୍ ସେଠି ତିଆରି ହୋଇଛି । ଯେ ସ୍ୱରର କାରୁକାର୍ଯ୍ୟ ଅଛି କିନ୍ତୁ ଭାବପ୍ରଧାନ ହେଉଛି । ଏବଂ ଓଡ଼ିଶୀ ଯେଉଁଠି ଗାଆନ୍ତି ରାଗାଙ୍ଗ ଓ ଭାବାଙ୍ଗ ଏୟାରି ଭିତରେ ଗୋଟେ ସମନ୍ୱୟ ଅଛି । ଯେ ରାଗାଙ୍ଗରେ ରାଗର ବିସ୍ତାର ହୁଏ ସ୍ୱରର ବିସ୍ତାର ହୁଏ କିନ୍ତୁ ଭାବାଙ୍ଗରେ ସାହିତ୍ୟଟି ହେଉଛି ମୂଳ ।

ବର୍ତ୍ତମାନ ସମୟରେ ମୁଁ ଭାବେ ଭାରତର ସବୁଠାରୁ ବଡ଼ ଶତ୍ରୁ ହେଉଛି ବଲିଉଡ଼୍ ସଂଗୀତ । ଭାରତରେ ଏକ ୟୁନିଫାଏଡ଼୍ ଟେଷ୍ଟ ତିଆରି କରିଛି । ଆମେ ଯେଉଁଟା ବଲିଉଡ଼ରେ ଶୁଣୁଛୁ ସେଇଟା ହେଉଛି ସଂଗୀତ । ମିଠା ଲାଗୁଛି । ମୂର୍ଚ୍ଛନା ବହୁତ ଅଛି । ଗୋଟିଏ ପ୍ରକାରର ଆରାଞ୍ଜମେଣ୍ଟ ଅଛି, ବହୁତ ପ୍ରକାରର ତାମ୍‌ଝାମ୍ ବହୁତ ଅଛି, ତେଣୁ ଭଲ ଲାଗୁଛି । କିନ୍ତୁ କ’ଣ ହେଉଛି ଆମର ଯେଉଁ ବିବିଧତା ଥିଲା ଆମ କାନରେ ସେଇଟା ମରିଯାଉଛି । ଆମେ ସମ୍ବଲପୁରୀ ଗୀତ ଶୁଣିଲା ବେଳେ, ସମ୍ବଲପୁରୀ କହିଲେ ଖାଲି କ’ଣ ସମ୍ବଲପୁରୀ ଥିଲା, ସମ୍ବଲପୁରୀରେ ଡାଲଖାଇ, ମଇଲାଜଡ଼, ହୁମୋ ବଉଲି ଥିଲା, ଜାଇଫୁଲ ଥିଲା ତା ସାଙ୍ଗକୁ ଜୁଆରି ଗୀତ ଥିଲା, ଘୁମୁରାଗୀତ ଥିଲା ଏତେ ପ୍ରକାରର ମାଲେଶ୍ରୀ ଥିଲା, ବାହାଘର ସମୟରେ ବିଭିନ୍ନ ପ୍ରକାରର ବଜା ବଜାଇବାର ଯେଉଁ ଶୈଳୀ, ପାଏନ୍ ପଲ୍‌ଟା ବଜା, ବିହା ଘର ପୂର୍ବରୁ ଯେଉଁ ରୀତି ଅଛି, ପାଣିପଲଟା ଯାଆନ୍ତି ଘାଟକୁ ତ ପାଏନ୍ ପଲଟା ପାର ଗୋଟିଏ ପ୍ରକାରର ହେବ, ତାର ପରେ ଗାଲସେକା, ଯେତେବେଳେ ବର ଆସୁଛି କନିଆଁ ଘର ଲୋକ ସ୍ୱାଗତ କରୁଛନ୍ତି, ଗାଲସେକା ପାର ଗୋଟିଏ ଅଲଗା ଅଛି । ମଙ୍ଗନ ସମୟର ପାର୍ ଅଲଗା ଅଛି, ଗଣଷଣ ସମୟର ପାର୍ ଅଲଗା ଅଛି, ଟୁକେଲ୍‌ବଟା ସମୟର ପାର୍‌ଟା ଗୁଟେ ଅଲଗା ଅଛି, କେତେ ପ୍ରକାରର ବିବିଧତା ଅଛି ସଂଗୀତରେ ଏଇ ବିବିଧତା ମରିଯିବା ଗୋଟେ ବଡ଼ ଚିନ୍ତାର ବିଷୟ । ସେଥିପାଇଁ ବଲିଉଟ୍ କ’ଣ କରୁଛି ଆମକୁ ଗୋଟିଏ ୟୁନିଫର୍ମ ଟେଷ୍ଟ ଦେଉଛି । ଆମେ କହୁଛୁ ସଂଗୀତଟା ହେଉଛି ଏଇଟା । ଯାହା ବି ହେଉ କିନ୍ତୁ ବିଲିଉଡ଼୍‌ରେ ବହୁତ ପ୍ରୟୋଗ ହୋଇଛି ସୁଫି ଆସିଛି, ଲାଇଟ୍ କ୍ଲାସିକାଲ ଆସିଛି, ବହୁତ ନୂଆ ନୂଆ କଥା ଆସୁଛି ସେଟା ବଡ଼ କଥା ନୁହଁ ଏବେ ଆସ୍ତେ ଆସ୍ତେ ଅନ୍ୟାନ୍ୟ ପ୍ରାନ୍ତୀୟ ସଂଗୀତର ପ୍ରଭାବ ମଧ୍ୟ ପଡ଼ୁଛି । ପଞ୍ଜାବୀ ଗୀତର ପ୍ରଭାବ ମଧ୍ୟ ବଲିଉଡରେ ବହୁ ବଢ଼ିଲାଣି । ଆଗରୁ ଉର୍ଦ୍ଦୁ ବା ଗଜଲ ଯେପରି ପ୍ରଭାବ ପଡ଼ିଥିଲା ତା ପରେ ପଞ୍ଜାବୀ ଡୋମିନେସନ ବଢ଼଼ିଲା । ଓଡ଼ିଶୀ ଗୀତ କଥା ଉଠିଲା ବେଳେ ଏହି ଭେରାଇଟି ରହିବା ଦରକାର ଏବଂ ମୁଁ କହିବି ଯେ ଓଡ଼ିଶାରେ ଗାୟକର ଅଭାବ ଯେତେ ଅଛି ଆମ ଲୋକଗୁଡ଼ିକ ମଧ୍ୟ ଶୁଣିବାରେ ଅଭାବ ଅଛି । ଆମ ଲୋକ କହନ୍ତି ଆମର ଜାତୀୟତା ବୋଧ ପ୍ରବଳ, କିନ୍ତୁ ଶ୍ୟାମାମଣି ଦେବୀଙ୍କୁ ଶୁଣିବାର ଯେଉଁ ଆନନ୍ଦ ବା ଆଗ୍ରହ କି ବାଳକୃଷ୍ଣ ଦାଶଙ୍କୁ ଶୁଣିବାରର ଆନନ୍ଦ ବା ଆଗ୍ରହ ସେଇଟା ଆମ ଲୋକଙ୍କ ମଧ୍ୟରେ କମ, ସେଇଟା ମଧ୍ୟ ଚିନ୍ତାର ବିଷୟ । ଆମେ ସବୁବେଳେ ଭାବୁ ଅକ୍ଷୟ ମହାନ୍ତି ହେଉଛନ୍ତି ଆମର ସବୁଠୁ ବଡ଼ ସିଙ୍ଗର । ଅକ୍ଷୟ ମହାନ୍ତି ନିଶ୍ଚିତ ଭାବରେ ମନମତାଣୀଆ, ବହୁତ ସୁନ୍ଦର ଗୀତ, ବହୁତ ମିଠା ସ୍ୱରର ଗାୟକ । କିନ୍ତୁ ଅକ୍ଷୟ ମହାନ୍ତି ଶେଷ ନୁହନ୍ତି । ବାଳକୃଷ୍ଣ ଦାଶ ଅଛନ୍ତି, ସିଂହାରୀ ଶ୍ୟାମସୁନ୍ଦର କର ଅଛନ୍ତି, ମାର୍କଣ୍ଡେୟ ମହାପାତ୍ର ଅଛନ୍ତି, ନିମାଇଁ ହରିଚନ୍ଦନ ଅଛନ୍ତି, ତାରିଣୀ ପାତ୍ର ଅଛନ୍ତି, ଅପର୍ଣ୍ଣା ପାଣିଗ୍ରାହୀ ଅଛନ୍ତି ।

ପ୍ରଶ୍ନ : ଆପଣ ଯେଉଁ ପ୍ରସଙ୍ଗ ଉଠାଇଲେ ଯେ, ଶୁଣିବା ପାଇଁ କାନ ତିଆରି ହେବା ଦରକାର । ଓଡ଼ିଶାର ସାଧାରଣ ଲୋକମାନେ ଯେତେବେଳେ ସଂଗୀତକୁ ଶୁଣୁଛନ୍ତି ଆମ କାନଟାକୁ ଶୁଣିବାପାଇଁ ସେମିତି ତିଆରି କରାଗଲା ବୋଲି କହିଛନ୍ତି । ଓଡ଼ିଶାର ଗାଁ ଗାଁରେ ସଂଗୀତଟା ଯେଉଁ ଅଭ୍ୟାସ କରାଯାଉଛି ସେଇଟାକୁ ଯଦି ଅନ୍ୟ ରାଜ୍ୟମାନଙ୍କ ସହିତ ତୁଳନା କରିବା ଆମ ଲୋକମାନେ ସଙ୍ଗୀତକୁ ସେହି ତୁଳନାରେ କେତେ ଅଭ୍ୟାସ କରୁଛନ୍ତି, କେତେ ଶୁଣୁଛନ୍ତି, ବିଶେଷକରି ସଙ୍ଗୀତ ଗାଁ’ରେ, ଘରମାନଙ୍କରେ କେତେ ଅଛି?

ଉତ୍ତର : ଏଇଟା ଗୋଟେ ଦୁର୍ଭାଗ୍ୟ ହେଉଛି ଯେ, ବାସ୍ତବରେ ସେଇଟା କମିଛି । ଗୋଟେ କଥା ହେଲା ଯେ ନିଜ ସଂଗୀତ ଶୁଣିବାର ଅବକ୍ଷୟ ହୋଇଛି । ଧରିନିଅ ଗୋଟିଏ ସମୟରେ କୀର୍ତ୍ତନ ହେଉଥିଲା ପଶ୍ଚିମ ଓଡ଼ିଶାରେ, ଧରନ୍ତୁ ପୂର୍ବ ଓଡ଼ିଶାରେ ଓ ପଶ୍ଚିମ ଓଡ଼ିଶାରେ କୀର୍ତ୍ତନ ମଧ୍ୟରେ ଫରକ ଥିଲା । ପଶ୍ଚିମ ଓଡ଼ିଶାର କୀର୍ତ୍ତନରେ ଆପଣଙ୍କ ଯେଉଁ ମୃଦଙ୍ଗର ବାଦୀ ସମ୍ବାଦୀ ପ୍ରତିଯୋଗୀତା ଏହା ଗୋଟିଏ ମୁଖ୍ୟ କଥା ଥିଲା । ବହୁତ ପୁରୁଣା ଶ୍ଲୋକ ଆମେ ମୃଦଙ୍ଗ ବାଦନରୁ ଶିଖିଥିଲୁ । କସ୍ତୁରୀ ତିଳକମ୍ ଲଲାଟ ପଟଳେ ବକ୍ଷସ୍ଥଳେ କୌସ୍ତୁବମ୍ । ଏହି ଶ୍ଳୋକକୁ ପଢ଼ି କରି ମୃଦଙ୍ଗରେ ବିଟ୍ ବାଏ ବିଟ୍ ଉଚ୍ଚାରିତ କରିବା ଏବଂ ୟାକୁ ନେଇ କରି ଯେମିତି ବାଦୀପାଲା ଏଠି ହୁଏ ବାଦୀ ସମ୍ବାଦୀ ମୃଦଙ୍ଗର ପ୍ରତିଯୋଗୀତା ପଶ୍ଚିମ ଓଡ଼ିଶାରେ ହେଉଥିଲା ଏବଂ ବହୁତ ବଡ଼ ବଡ଼ ଗୁରୁ ତାକୁ ନେଇ କରି ଏପଟେ ହରିନାମ ଚାଲିଥିବ ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ, ତା ସଙ୍ଗେ ଏଠି ମୃଦଙ୍ଗ ପ୍ରତିଯୋଗୀତା ମଧ୍ୟ ଚାଲିଥିବ । ଏବଂ ହଜାର ହଜାର ଲୋକ ଠିଆ ହୋଇ ତାକୁ ଉପଭୋଗ କରୁଥିବେ । ସମୟ କ୍ରମେ ଟେଷ୍ଟ ବଦଳାଇବା ନାଁରେ ଅନେକ କଥା ବଦଳାଇ ଦେଲୁ । ଆସ୍ତେ ଆସ୍ତେ ଦେଖାଗଲା ଯେ କୀର୍ତ୍ତନ ଭିତରକୁ ସିନେମା ଗୀତର ସ୍ୱର ପଶିଲା, ସିନେମା ଗୀତର ତାଳ ପଶିଲା । ଦଣ୍ଡଯାତ୍ରା, ଦଣ୍ଡରେ ଯେଉଁଟା ଥିଲା ପଶ୍ଚିମ ଓଡ଼ିଶାର ଷୋହଳ ଖାଡ଼ି ଦଣ୍ଡ ଯେଉଁଟା ଷୋହଳ ସୁଆଙ୍ଗ ଆଉ ଗୋଟିଏ ଥିଲା ରାଧାକୃଷ୍ଣ ମାନଭଞ୍ଜନ ଯେଉଁଟା ଲୀଳା ଦଣ୍ଡ ବୋଲି କୁହାଯାଏ । ସେଇ ଲୀଳା ଦଣ୍ଡ ଭିତରକୁ ମଧ୍ୟ ବଲିଉଡ଼୍ ପଶିବା ଆରମ୍ଭ କଲା । ଯୋଉଁ ଇଣ୍ଟରଫିଅରାନସ ୟୁନିରାଟିରୀ ଟେଷ୍ଟ ଟା କେଉଁଠି ନା କେଉଁଠି ଡେଭଲପ୍ କରିଛି । ଆଗରୁ କ’ଣ ହେଉଥିଲା ବ୍ୟାଣ୍ଡବାଜା ଯେତେବେଳେ ଆସିଲା ଗଣ୍ଡା ବଜାର ଯେଉଁ ଆବଶ୍ୟକତା ଥିଲା ସିଏ ଚାଲିଗଲା । ଏମିତିକି ଢ଼ୋଲ ତିଆରି କରିବାର ଶୈଳୀ ବଦଳିଗଲା । ଆଗରୁ ଢୋଲରୁ ଯେଉଁ ଧ୍ୱନିଟା ଥିଲା ସେଇ ଧ୍ୱନିଟା ଏବେ ପ୍ଲାଷ୍ଟିକ୍ ଓ ଫାଇଭର ଆସିଗଲା ପରେ ତାର ଧ୍ୱନି ଚାଲିଗଲା । ମୂଳ ଯେଉଁ ଚମଡ଼ାରେ ତିଆରି ଢୋଲର ଯେଉଁ ଧ୍ୱନିଟା ଥିଲା ସେ ଧ୍ୱନି ବଦଳିଗଲା, ତାର ଯେଉଁ ଟିମ୍ବରଟା ସେଇଟା ବଦଳିଗଲା । ମୂଳ କଥା ହେଉଛି ଜୀବିକାଟାକୁ ବଞ୍ଚାଇବା । ସଂଗୀତ ଭିତରେ ଯେଉଁ ଡିମାଣ୍ଡ ଆଉ ସପ୍ଲାଏ କଥାଟି ରହିଲା ବାସ୍ତବରେ ଲୋକ ଚାହିଁଲେ ନାହିଁ, ଯେ ଆଉ ବଜନିଆ ହେବ କି ନଚନିଆ ହେବ । ଆଗରୁ କ’ଣ ହେଉଥିଲା ବାହଘର ବରଯାତ୍ରୀ ଗଲାବେଳେ ବଜନିଆଁ ହେବ ଓ ନଚନିଆଁ ହେବ । ଦାସକାଠିଆରେ ଯେମିତି ହୁଏ ସେମିତି ଦୁଇ ଜଣ ଲୋକ ଚାମର ଧରିକି ନାଚିବେ । ତାଙ୍କର ସଂଗୀତ ଶୈଳୀଟା ପୁରା ସମ୍ବଲପୁରୀ ନୁହଁ, ଓଡ଼ିଆ ଓ ସମ୍ବଲପୁରୀ ମିଶାମିଶି । ଶାସ୍ତ୍ରୀୟ କହିପାରନ୍ତି ଅର୍ଦ୍ଧଶାସ୍ତ୍ରୀୟ ଧାରା ଗୋଟିଏ ଥିଲା ନଚିନିଆ ଗୀତରେ । ପୁରାଣ ପାଠ ହେବ, ପାଲାରେ ଯେପରି ବିସ୍ତାର ଥାଏ ସାହିତ୍ୟ ଆସେ ମଝିରେ ମଝିରେ ଥିଲା । ଆସ୍ତେ ଆସ୍ତେ ଆମ ଆଖି ଆଗରେ ହଜିଗଲା । କାରଣ ମୋ ମାମୁଁ ଘର ଗାଁରେ ଦୁଇ ଜଣ ଗୁରୁ ଶିଷ୍ୟ ଚାମର ଧରି କି କରୁଥିଲେ ହଠାତ୍ ଗୋଟିଏ ପୁରୁଷ ଲୋକଟିଏ ନାରୀ ହୋଇକରି ନାଚିବ । ସେମାନେ ଗୋଟିଏ କପୁଲ ହୋଇଗଲେ । ଯେଉଁଠି ଦୁଇ ଜଣ ମେଲ ଥିଲେ ଏଠି ଗୋଟିଏ ମେଲ ଗୋଟିଏ ଫିମେଲ ହେଲେ । ସେଇଟା ପୁଣି ବଦଳିକରି ଦେଖାଗଲା ଯେ ବ୍ୟାଣ୍ଡବାଜା ଭିତରେ ନଚନିଆ ଆସ୍ତେ ଆସ୍ତେ ହଜିଗଲା । ନଚନିଆ ଏବେ ବି ପ୍ରାୟତଃ ଦେଖିବାକୁ ମିଳୁନାହିଁ ।

ପ୍ରଶ୍ନ : ଆମେ ଜାଣିଛନ୍ତି ଯେ, ପ୍ରତ୍ୟେକ ରାଜ୍ୟରେ ସଙ୍ଗୀତ ହୁଏ । ଓଡ଼ିଶାରେ ସେହି ସଙ୍ଗୀତ କରିବାର ପରମ୍ପରାଟା ଜାତି ବିଶେଷରେ ଦଳିତମାନଙ୍କର, ଆଦିବାସୀମାନଙ୍କ ପାଖରେ ହିଁ ସଂଗୀତଟା ପୁରା ଅଛି ସେମାନେ ହିଁ ବଞ୍ଚାଇ ରଖିଛନ୍ତି ସଂଗୀତକୁ କିନ୍ତୁ ଅନ୍ୟମାନଙ୍କୁ ଯେତେବେଳେ ଆମେ ଦେଖୁଛନ୍ତି ସେତେବେଳେ ସେମାନେ କ’ଣ ସଂଗୀତ ଅଭ୍ୟାସ କିମ୍ବା ଜୀବନ ସାଙ୍ଗରେ ସଂଗୀତକୁ ଯୋଡ଼ିବା ଏହି ଜିନିଷଟା ଆପଣ ଅନୁଭବ କରନ୍ତି କି?

ଉତ୍ତର : ଏଇଟା ବାସ୍ତବରେ ଜୀବନ ସହିତ ସଂଗୀତ ଯେଉଁ ସମ୍ପର୍କ ଏଇଟା ଅଙ୍ଗାଙ୍ଗୀ ଭାବେ ଥିଲା ଆମର ସାମାଜିକ ଜୀବନରେ । ତେଣୁ ଆଦିବାସୀ ଓ ଦଳିତମାନଙ୍କ ପାଖରେ ଟିକେ ଅଧିକ ଥିଲା । ବ୍ରାହ୍ମଣ ହୁଅନ୍ତୁ ବା ଅନ୍ୟାନ୍ୟ ଜାତିମାନଙ୍କରେ ମଧ୍ୟ ସଂଗୀତ ଥିଲା । କିନ୍ତୁ ଆସ୍ତେ ଆସ୍ତେ ସୋ କଲଡ଼୍ ମଡ଼ର୍ନିଟି ଯେବେ ଆସିଲା, ମଡ଼ର୍ନିଟି ଆମକୁ ଗୋଟିଏ କଥା ଶିଖାଇଲା ଯେ ନିଜେ ନିଜକୁ ସନ୍ଦେହ କରିବା । ଯେ ଧରନ୍ତୁ ଏଇ ଗୀତଟା ଭଲ ହେଉନି । ଆମ ଅଜା ଆଈ ମନା କରନ୍ତି ତମେ ଦଣ୍ଡଫଣ୍ଡ ଦେଖି ଯିବ ନି, କୁହାଯାଉଥିଲା ଦଣ୍ଡ ଭଣ୍ଡ । ସେଠି ଡବଲ ମିନିଙ୍ଗ ଗୀତ ଥାଏ ତମେ ସବୁ ଶୁଣିବାକୁ ଯାଇ ପାରିବନାହିଁ । ଏମିତି ସବୁ ବିଚିତ୍ର ମାନେ ବହୁ ପ୍ରକାରର ମନା ହେଉଥିଲା । ପଶ୍ଚିମ ଓଡ଼ିଶାରେ ଗୋଟେ ଚଇତି ମଙ୍ଗଳା ଅଛି ଯେଉଁଠି ଝାମୁଯାତ୍ରା କାକଟପୁର ମଙ୍ଗଳା ଯେମିତି ହୁଏ ସେପଟେ ସେମିତି ମଙ୍ଗଳା ହେଉଥିଲା । ତାର ଗୋଟେ ରିଦମ ଅଲଗା ଥିଲା, ତାର ଡ୍ୟାନ୍ସ ଫର୍ମ ଅଲାଗା ଥିଲା, ଡରି କରି ବହୁତଗୁଡ଼ା ଲୋକ ତାକୁ ଦେଖୁ ନଥିଲେ । ତେଣୁ ବହୁତ ଗୁଡ଼ାଏ କଥାକୁ ନେଇ ବହୁତ ଗୁଟାଏ ଜିନିଷ ହୋଇଛି, ବହୁତ ଗୁଡ଼ାଏ ପରିବର୍ତ୍ତନ ଆସିଛି । ସେଇ ପରିବର୍ତ୍ତନ ଭିତରେ ଅନେକ କିଛି ବଦଳିଯାଇଛି । ଜୀବିକାର ଡିମାଣ୍ଡ ବଳଦି ଯାଇଛି । ଯେଉଁମାନେ ବେଶୀ କରି ସଂଗୀତକୁ ବଞ୍ଚାଇ କରି ରଖିଥିଲେ ସେମାନେ ସମାଜ ଭିତରେ ସବୁବେଳେ ଦରିଦ୍ର ହୋଇ ରହିଲେ, ଅନାହାର ତାଙ୍କର ରହିଲା, ଭୋକ ରହିଲା, ସେମାନଙ୍କ ପାଖରେ ଜମି ନଥିଲା । ସେମାନେ ବେଶ କରି ଡିପେଣ୍ଡ କରୁଥିଲେ, ଯେଉଁ ଦଲିତ କଳାକାରମାନେ ଥିଲେ ସେମାନେ ଡିପେଣ୍ଡ କରୁଥିଲେ ଯେ ଅନ୍ୟମାନଙ୍କର ବାହାବରପନରେ ଯାହା ମିଳିବ ସେଥିରେ ଚଳୁଥିଲେ । ଆସ୍ତେ ଆସ୍ତେ ସେଇଟା ମଧ୍ୟ ବଦଳିଗଲା । ଯେଉଁ ପେଟ୍ରୋମାକ୍ସ ଥିଲା ସେଇ ଜୀବିକାକୁ ସମର୍ଥନ କରିବା ମୂଲ୍ୟ ମଧ୍ୟ ବଦଳିଗଲା । ଲୋକଙ୍କର ଡିମାଣ୍ଡ ବଦଳିଗଲା । ତେଣୁ ଗୋଟିଏ ସମୟରେ ବ୍ୟାଣ୍ଡପାଟି ଆସିଲା, ଆଜି ସେଇ ବ୍ୟାଣ୍ଡପାଟି ମଧ୍ୟ ରହିଲା ନାହିଁ, ଏବେ ଡିଜେ ଆସିଲା । ୟାରି ଭିତରେ ଆମର ସଂଗୀତର ଧାରା, ମାଆଟି ପିଲାକୁ ଲୋରୀ ଶୁଣାଇବାଠୁ ଆରମ୍ଭ କରି, ମୁଁ ବହୁତ ଦିନ ପରେ ଦେଖିଲି ଯେ ମୋର ସାନ ଭଉଣୀ ତା ପୁଅକୁ ଫିଲ୍ମ ଗୀତ ଗାଇ ଗାଇ ଶୁଆଉଛି, କିନ୍ତୁ ମୋ ମାଆର ଶୁଣିଲା ବେଳକୁ ମୋ ମା ଗାଉଛି କାଉ କାଉରେ କାଉ କାଉ, ଆମର ବାବୁକୁ ନିଦ ଯାଉ । ସେ ଯେଉଁ ନିର୍ଦ୍ଦିଷ୍ଟ ଲୋରୀର ଯେଉଁ ଧାରା ଥିଲା, ସେଟା ବି ଚାଲିଗଲା, ସେଟା ବି ଫିଲ୍ମ ଆଡ଼କୁ ଚାଲିଗଲା । ତେଣୁ ସବୁ କ୍ଷେତ୍ରରେ ଆମର ସଂଗୀତ ଥିଲା । ମରିଗଲା ପରେ ଯେଉଁ କାନ୍ଦଣା ଗୀତକୁ ନେଇ କରି ମୋର ଗୋଟେ ବଡ଼ ଆଗ୍ରହ ଅଛି । ଧରନ୍ତୁ ଝିଅ ବିଦାୟ ବେଳର କାନ୍ଦଣା ଗୀତ, ଲୋକ ମରିଗଲା ପରେ କାନ୍ଦଣା ଗୀତ ଯେଉଁ ଲହରାଇ ଲହରାଇ କାନ୍ଦିବା ପଶ୍ଚିମ ଓଡ଼ିଶାରେ ମୁଁ ବହୁତ ଶୁଣିଛି । ଆଗରୁ ପୁଅ ପିଲାମାନେ ମଧ୍ୟ ସେମିତି ଗାଉଥିଲେ । ମୁଁ ଆଶ୍ଚର୍ଯ୍ୟ ହୋଇଗଲି ଖଲିଆପାଲି ଗାଁରେ ମୋ ମାଉସୀ ଘର ଅଛି ମୁଁ ସେଠାକୁ ଯାଇଥିଲି ତାଙ୍କ ଶଶୁର ଚାଲିଗଲେ । ସେଠି ମୁଁ ଦେଖିଲି ଯେ ତାଙ୍କର ଗାଁ ଯାକର ଲୋକ ମିଶିକରି ଏକା ସାଙ୍ଗରେ ଗୀତ ଗାଇ କରି ଲହରାଇ ଲହରାଇ କାନ୍ଦୁଛନ୍ତି । ସେଇଟା ଆମେ କେଉଁଠୁ ପାଇବା । ଆସ୍ତେ ଆସ୍ତେ ଆମକୁ ଲାଗୁଛି ଯେ ଏଇଟା ଆମେ ଆଧୁନିକ ସମୟରେ ଆଉ କିଏ ଗୋଟିଏ ବାହୁନି ବାହୁନି କାନ୍ଦିବା ଏଇଟା ହେଉନି । ତେଣୁ ଯେଉଁ ମ୍ୟୁଜିକାଲିଟି ଅଫ ଇମୋସନ୍ ସେଇଟା ସମୟ ଓ ସମାଜରୁ ଆସ୍ତେ ଆସ୍ତେ ମରିଯାଉଛି । ଆଦିବାସୀ ଜୀବନରେ, ଦଳିତ ଜୀବନରେ କିନ୍ତୁ ସେଇଟା ଏବେ ବି ବଞ୍ଚିକି ରହିଛି । ଯେ ଆଦିବାସୀଟି ତାର ପ୍ରତିଟି ଜୀବନର କାହାଣୀରେ ସଂଗୀତଟି ରଖିଛି ।

ପ୍ରଶ୍ନ : କାହିଁକି ଅନ୍ୟମାନଙ୍କ ପାଖରେ ସଂଗୀତ ପ୍ରତି ସେହି ଶ୍ରଦ୍ଧା ନାହିଁ କିନ୍ତୁ ଆଦିବାସୀ, ଦଲିତମାନଙ୍କ ପାଖରେ ସଙ୍ଗୀତ ପ୍ରତି ଏତେ ଶ୍ରଦ୍ଧା ରହିଛି । ମୁଁ ପଶ୍ଚିମ ଓଡ଼ିଶାର ଗୋଟେ ଗାଁକୁ ଯାଇଥିଲି ଜଣେ କଳାକାରଙ୍କୁ ଭେଟିଲି, ସେ କହିଲେ ଯେ, ବହୁତ କଷ୍ଟରେ ଆମେ ଅଛୁ ଅଜ୍ଞା । ମୁଁ ପଚାରିଲି କାହିଁକି ତାହେଲେ ଆପଣ ସଙ୍ଗୀତ କରୁଛନ୍ତି ଯଦି ଜୀବୀକା ସେଥିରୁ ପାଇପାରୁ ନାହାନ୍ତି ଅନ୍ୟକିଛି ଜୀବୀକା କାହିଁକି କରୁନାହାଁନ୍ତି? ସେ କାନ୍ଦି ପାକାଇଲେ କହିଲେ, ଆଜ୍ଞା ସଙ୍ଗୀତ ଛାଡ଼ିଲେ ମରିଯିବୁ ଆଜ୍ଞା । କାହିଁକି ସୋନଙ୍କର ଏତେ ସଙ୍ଗୀତ ସହିତ ଇମୋସନ୍ ଯୋଡ଼ି ହୋଇ ରହିଛି?

ଉତ୍ତର : ଆମ ଜୀବନରେ ପ୍ରଦୂଷଣ ହୋଇଯାଇଛି । ସେମାନଙ୍କ ଜୀବନଟା ପ୍ରକୃତି ସହିତ ଏବେ ବି ଜଡ଼ିତ ହୋଇ ରହିଛି । ଏବଂ ପ୍ରକୃତି ସହିତ ଆପଣ ଯେତେ ସଂଶ୍ଳିଷ୍ଟ ହେବେ ଆପଣ ସେତେ ଅଧିକ ମ୍ୟୁଜିକାଲ ହେବେ । ଶାସ୍ତ୍ରୀୟ ରାଗର ମେଜର ଶାସ୍ତ୍ରୀୟ ରାଗଗୁଡ଼ାକ ପ୍ରକୃତି ଦ୍ୱାରା ପ୍ରେରିତ ହୋଇ କି ଆସିଛି । ସାତ ସ୍ୱର ଯେଉଁ ଜୀବଜନ୍ତୁଙ୍କ ସ୍ୱରରୁ ଆସିଛି । ତେଣୁ ପ୍ରକୃତି ସହିତ ଆପଣଙ୍କ ନିବିଡ଼ତା ଯେତେ ରହିବ ସଂଗୀତ ପ୍ରତି ଆପଣଙ୍କ ଆକର୍ଷଣ ସେତେ ଅଧିକ ରହିବ । ଆଧୁନିକ ଜୀବନରେ ପ୍ରକୃତି ସହିତ ଆମର ସମ୍ପର୍କ କମି କମି ଆସୁଛି । ଆମେ ଭାବୁଛୁ ପ୍ରକୃତିକୁ ଆମେ ଦୋହନ କରିକି ବଞ୍ଚିବୁ, ପ୍ରକୃତି ସହିତ ବଞ୍ଚିପାରିବୁ ନାହିଁ । ଆମେ ପାହାଡ଼ ଦେଖିଲେ ଆମେ ଭାବୁଛୁ ଯେ ତାରି ଭିତରେ ଆଲୁମିନିୟମ ଅଛି, ତାରି ଭିତରେ ବକ୍‌ସାଇଟ୍ ଅଛି । ହେଲେ ଆଦିବାସୀଟା ଜାଣୁଛିଯେ ପାହାଡ଼ଟା ହେଉଛି ତା ପାଇଁ ଦେବତା । ନିୟମ ରଜା, ନିୟମ ରଜାକୁ କେମିତି ଛୁଇଁବ। ସିଏ ତାର ଭଗବାନ ହେଲେ ଆପଣଙ୍କ ପାଇଁ ହେଉଛି ସେଇଟା ବକ୍‌ସାଇଟ୍ ମାଇନ୍ । ଏଇ ଯେଉଁ ପ୍ରକୃତିକୁ ଦେଖିବାର ଦୃଶ୍ୟଟା ଏଇଟା ଆମର ବଦଳିଛି । ଅନେକ ସମୟରେ ଆପଣ ଦେଖିବେ ଆମ ଭିତରୁ ସଂଗୀତ ଆଉ ନୃତ୍ୟ ଯେଉଁ ଚାଲିଗଲା ସଂପୂର୍ଣ୍ଣ ଭାବରେ, ତେଣୁ ଆମେ କ’ଣ କରୁଛୁ ସେଇଟାକୁ ଫେରାଇବାକୁ “ସଂଗୀତ” କରିବାକୁ ଆମେ କୋରିଓଗ୍ରାଫର ଡକାଉଛୁ । ଆମକୁ ଲାଗୁଛି ଯେ ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ଆମେ ତିଆରି କରୁଛୁଁ । ସଂଗୀତକୁ ଛାଡ଼ି ଦେଲେ ମଣିଷ ନାଚ ଗୀତ କୁ ଛାଡ଼ିକି ସେ ବଞ୍ଚିପାରିବ ନି, କେଉଁଠି ନା କେଉଁଠି ଯେ ତାକୁ ଦରକାର ସଂଗୀତଟା । ତେଣୁ ବାହାଘର ବେଳେ ହେଉ କି, ଆପଣ ଯେଉଁ ଲୋକଟି ନାଗିନ ଡ୍ୟାନ୍ସ କରି ଗଡ଼ି ଗଡ଼ି ଯେଉଁ ନାଚୁଛି ସେଇଟା ତା ଭିତରେ ମରିଯାଉଥିଲା, ସପ୍ରେସନ୍ କରି ରଖିଥିଲା ସେଟା ସେଇଟି ବାହାରୁଛି । ତେଣୁ ବିନା ସଂଗୀତରେ କିମ୍ବା ବିନା ନୃତ୍ୟରେ ମଣିଷ ବଞ୍ଚିପାରିବନି । କିନ୍ତୁ ଆମର ଯେଉଁ ଆଧୁନିକ ଜୀବନରେ ସପ୍ରେସନ୍ ଅଧିକ ଆମେ ତାକୁ ଚାପି ରଖୁ । କିନ୍ତୁ ଆଦିବାସୀ ଜୀବନରେ ଦଳିତ ଜୀବରେ ସେଇଟା ଏବେ ବି ନେଚୁରାଲ ୱେରେ ଅଛି ଏବଂ ପ୍ରକୃତି ଭିତରୁ ସେଇଟା ଆସୁଛି । ସଂଗୀତଟା ଆସୁଛି ସେ ପାହାଡ଼ ଭଳିଆ ଝରଣା ଭଳିଆ ଝରି ଝରି ଯାଉଛି । ମୁଁ ଥରେ ପୁରନ୍ଦର ବାରିକଙ୍କୁ କହିଲି ଆପଣ ବଜା ବଜାଇଲା ବେଳେ କାଳିସି ଲାଗିଯାଉଛି କି? ସେ ମତେ କହିଲେ ଯେ ବବା ନଦୀଟା ସମୁଦ୍ର ଆଡ଼କୁ କେମିତି ଯାଉଛି ତମେ ଜାଣିଛ? ତ ୟାର କିଛି ଉତ୍ତର ନାହିଁ । ନଦୀଟା ଯଦି ସମୁଦ୍ର ଆଡ଼କୁ ଯାଉଛି ଗୀତ ଶୁଣିକରି ଯଦି ତୁମେ ଆଉ ଗୋଟିଏ ଭାବ ଜଗତକୁ ପଳାଉଛ ତମେ ଯେ ଏ ଜଗତରେ ନାହଁ, ସେଟା ଆଉ ଗୋଟିଏ ଜଗତ ହୋଇଯାଉଛି । ସେଟା ଆପେ ଆପେ ସଂଗଠିତ ହୋଇଯାଉଛି । ତେଣୁ ସେ ଯେଉଁ ଶୁଦ୍ଧ ଜୀବନ ଓ ପ୍ରକୃତି ସହିତ ଯେଉଁ ନିବିଡ଼ତା ସେଇଟା ଆମର କମି କମି ଯାଉଛି । ଆମ ସମୟର ଗୋଟିଏ ଦୁର୍ଭାଗ୍ୟ ହେଉଛି ଯେ ପ୍ରକୃତି ସହିତ ଆମର ସମ୍ପର୍କ, ଯେଉଁଟା କମି କମି ଆସୁଛି ତାର ପରିଣତିରେ ଆମର ସଂଗୀତ ରୁଚି କମି ଆସୁଛି ସଂଗୀତର ବିବିଧତା କମି ଆସୁଛି ।

ପ୍ରଶ୍ନ : ଯେଉଁ ଶିକ୍ଷାର୍ଥୀମାନଙ୍କୁ ଆପଣ ଦେଖୁଛନ୍ତି ରାଜ୍ୟର ବିଭିନ୍ନ ଜାଗାରେ କିଏ ଶାସ୍ତ୍ରୀୟ ସଂଗୀତ ଶିଖୁଛି, କିଏ ଓଡ଼ିଶୀ ଶିଖୁଛି ବିଭିନ୍ନ ଜିନିଷ ଶିଖୁଛନ୍ତି । ସେମାନଙ୍କୁ ନେଇକରି ଆପଣ କଣ ଚିନ୍ତା କରୁଛନ୍ତି, ପ୍ରକୃତରେ ଓଡ଼ିଶାରେ ସଂଗୀତର ଭବିଷ୍ୟତକୁ କେମିତି ଦେଖୁଛନ୍ତି?

ଉତ୍ତର : ମୋର ସବୁବେଳେ ଗୋଟେ ଇଚ୍ଛା ଥାଏ, ମୁଁ ଭାବେ ଯେ, ଓଡ଼ିଶାର ପ୍ରତି ଘରେ କେଉଁଠି ନା କେଉଁଠି ବାଳକୃଷ୍ଣ ଦାଶଙ୍କୁ ଲୋକେ ଶୁଣନ୍ତୁ, ରଘୁନାଥ ପାଣିଗ୍ରାହୀଙ୍କୁ ଶୁଣନ୍ତୁ, ଶ୍ୟାମାମଣୀ ଦେବୀଙ୍କୁ ଶୁଣନ୍ତୁ, ଫକୀର ପଟ୍ଟନାୟକଙ୍କୁ ଶୁଣନ୍ତୁ । ମୁଁ ଏଇଟା କହିବାକୁ ଯାଇ କହୁନାହିଁ କି ଯେ, ଆପଣ ବଲିଉଡ଼ ଶୁଣନ୍ତୁ ନାହିଁ, ବଲିଉଡ଼୍ ବି ଶୁଣନ୍ତୁ । ଓଡ଼ିଆ ଗୀତ କହିଲେ ତାକୁ ଗୋଟିଏ ସୀମାରେ ବାନ୍ଧି ଦିଅନ୍ତୁ ନାହିଁ । ଆମର ଗୀତ ଆମକୁ ଶୁଣିବାକୁ ପଡ଼ିବ ଏବଂ ଓଡ଼ିଶା ସରକାର ଓଡ଼ିଶୀକୁ ଶାସ୍ତ୍ରୀୟ ମର୍ଯ୍ୟାଦା ଦେବା ଗୋଟିଏ ବଡ଼ କଥା କିନ୍ତୁ ୩୦ଟି ଜିଲ୍ଲାରେ ୩୦ଟି ଓଡ଼ିଶୀ ଶାସ୍ତ୍ରୀୟ ସ୍କୁଲ ଖୋଲିପାରିବେ କି? ଧରନ୍ତୁ ପବ୍ଲିକ ସ୍କୁଲ ମାନଙ୍କରେ ଡ୍ୟାନ୍ସ ଏଣ୍ଡ୍ ମ୍ୟୁଜିକ୍ କରିକୁଲମର ପାଟ ଅଟେ । ଆଗରୁ ସ୍କୁଲମାନଙ୍କରେ ଯେଉଁ ସଂଗୀତ ଶିକ୍ଷକ ଥିଲେ, ସେଟାକୁ ବାହାର କରିଦେଲେ କାହିଁକି? ମ୍ୟୁଜିକ୍ ୱାଜ୍ ଏ ପାଟ ଅଫ ଆୱାର ଏଜୁକେସନ୍ । ଆଜି ସେଟା ନାହିଁ । ଆପଣ ଯୋଗ ଟିଚର ରଖୁଛନ୍ତି, ଠିକ୍ ସେମିତି ସଂଗୀତ ଶିକ୍ଷକ ବଢ଼ିବା ଦରକାର । ସଂଗୀତ ଶିଖିବା ଦରକାର । ଟିକେ ଆପଣ ଆଗରୁ ପଚାରୁଥିଲେ କି କାନଟା କହିଁକି ଡେଭଲପ୍ କରୁନି? କାନ ଏଇଥିପାଇଁ ଡେଭଲପ୍ କରୁନି ସେ ଯେଉଁ ସା ରେ ଗା ମା ପା ଧା ନି ଏଇଟା ଅଣ୍ଡରଷ୍ଟେଣ୍ଡିଙ୍ଗ ଆମ ପାଖରେ ନାହିଁ । ତେଣୁ ମତେ ଜଣେ କହିଲେ ଯେ ମୁଁ ତ ଭୀମସେନ ଯୋଷୀଙ୍କୁ ଶୁଣିପାରିବିନି । ସେ ଯଦି ଜାଣନ୍ତା ଯେ ଭୀମସେନ ଯୋଷୀଙ୍କର କଣ ମହତ୍ତ୍ୱ ? ଆମେ ବୁଝିବା ଦରକାର । ସେଇ ଇଅରକୁ ଡେଭଲପ୍ କରିବା ପାଇଁ ଆଖି ଏବଂ କାନକୁ ଏକୁଏଣ୍ଟେଟ୍ କରିବା ପାଇଁ ଆବଶ୍ୟକତା ଅଛି ତାର ଗୋଟିଏ ଟ୍ରେନିଙ୍ଗ । ସେଥିପାଇଁ କୁହାଯାଏ ଯେ ଦର୍ଶକ ସମସ୍ତେ ହୋଇପାରିବେ ହେଲେ ଦିକ୍ଷାନ୍ତ ଦର୍ଶକ କମ୍‌, ସମସ୍ତେ ପାଠକ ହୋଇପାରନ୍ତି ଦିକ୍ଷାନ୍ତ ପାଠକ କମ୍ ଥାଆନ୍ତି । ସେମିତି ଗୋଟିଏ ଦୀକ୍ଷାନ୍ତ ଶ୍ରୋତା ବର୍ଗ ଆମକୁ ଦରକାର, ଯେଉଁମାନେ ସଂଗୀତର ଏ ଯୋଉଁ ଭେରାଇଟିକୁ ବୁଝିବେ ତାର ବିଟ୍ ବୁଝିବେ । ମ୍ୟୁଜିକ୍ ଇଜ୍ ସାଇନ୍ସ, ମ୍ୟୁଜିକ ନଟ ଓନଲି ଆର୍ଟ । ଆପଣଙ୍କ ଯେଉଁ ସ୍ୱରର ଯେଉଁ ନିୟମ ରାଗର ଯେଉଁ ନିୟମ ସିଏ ହେଉଛି ସାଇନ୍ସ, ସେ ମେଥ୍‌ମେଟ୍ରିକାଲ କାଲ୍‌କୁଲେସନ୍‌, ବିନା ମେଥମେଟ୍ରକ୍ସରେ ତାଳ ହୋଇ ପରିବ ନାହିଁ । ଯଦି ମେଥମେଟ୍ରିକ୍‌ସଟା ଠିକ୍ ନାହିଁ ଲୟଟା ଖରାପ ହୋଇଯିବ । ଲୟ ଥରେ ଭାଙ୍ଗିଲେ ବେସୁରା ହୋଇଯିବ । ଏଇ ଯେଉଁ ତାଲ, ଲୟ ଆଉ ସୁର ଏଇ ତିନିଟି ମଧ୍ୟରେ ଯେଉଁ ସମନ୍ୱୟ ଅଛି ସେଇ ସମନ୍ୱୟ ହେଉଛି ବିଜ୍ଞାନ । ସେଇ ବିଜ୍ଞାନଟାକୁ ବୁଝିବା ପାଇଁ ଆମେ ସବୁବେଳେ କ’ଣ ଭାବୁଛନ୍ତି ଯେ, ଏଇଟା ହେଉଛି ଆବେଗର କଥା, ବାଜୁଛି ଆମେ ନାଚିଲୁ, ସେମିତି ବାଜୁଛି ବୋଲି ଆପଣ ନାଚୁଛନ୍ତି । ବଜାଇବାର ଯେଉଁ ବ୍ୟାକରଣଟା ତାକୁ ବୁଝିବାର ଆବଶକତା ଅଛି । ଯେତେବେଳେ ଭାଙ୍ଗଡ଼ା ଆପଣ ନାଚୁଛନ୍ତି । ସେଇଟା ଭଲ ବାଜୁଛି ବୋଲି ଆପଣ ନାଚୁ ନାହାଁନ୍ତି, ଏଇ ଯେଉଁ ବଜାଇବାର ବ୍ୟାକରଣଟି ଗୋଟେ ଉଦ୍ଦାପନ ଭାବ ତିଆରି କରୁଛି । ତେଣୁ ତାକୁ ବୁଝିବା ଦରକାର । ସଂଗୀତର ଯେଉଁ କଳା ଓ ବିଜ୍ଞାନ ଏହି ଦି’ଟାକୁ ବୁଝିବା ଗୋଟେ ବଡ଼ ଆବଶ୍ୟକତା ଅଛି । ଏବଂ ତାକୁ ବୁଝାଇବାର ଦାୟିତ୍ୱ ସରକାର ନେବା ଦରକାର । ସଂଗୀତର ଅନୁଷ୍ଠାନ ବଢ଼ିବା ଦରକାର । ଏଣୁ ଆଜି ମୁଁ ଭାବୁଛି ଯେ ଓଡ଼ିଶୀ ସଂଗୀତ ଜଣେ ଭାତଖଣ୍ଡେଙ୍କର ଆବଶ୍ୟକତା ଅଛି । ଭାତଖଣ୍ଡେ ଯଦି ଆସିନଥାନ୍ତେ ହିନ୍ଦୁସ୍ଥାନୀ ସଂଗୀତର ଆଜି ଯେଉଁ ସ୍ୱରୂପ ଦେଖୁଛେ ସେଇଟା ନଥାନ୍ତା, ହୁଏତ ଚିତ୍ର ବଦଳିଯାଇଥାନ୍ତା । ଆଜି ମୁଁ ଭାବୁଛି ଭାତଖଣ୍ଡେ ଭଳି ଗୋଟେ ଲୋକ ଦରକାର । ଓଡ଼ିଶୀ ସଂଗୀତକୁ ସେହି ସ୍ତରକୁ ନେବ ତାର ଯେଉଁ ବ୍ୟାପକତା ଅଛି ତାର ଯେଉଁ ବ୍ୟାପ୍ତି ଅଛି ଲୋକଙ୍କପାଖରେ ପହଞ୍ଚାଇବ । ଏବଂ ମୁଁ ତ କହିବି ଯେ, ମୋର ହାତ ଯୋଡ଼ିକି ମୁଁ ଅନୁରୋଧ କରିବି ମୋର ଗୁରୁମାନଙ୍କୁ ଆପଣ ପିଲାଙ୍କୁ ପଢ଼ାନ୍ତୁ, ପିଲା ଶିଖାନ୍ତୁ, ପିଲାଙ୍କ ଆଗରେ ବସାଇ । ସ୍ପିକମ୍ୟାକେ ଗୋଟେ ଭଲ ମୋଡ଼େଲ ତିଆରି କରିଛି ସେଇ ମୋଡ଼େଲଟା ଫଲୋକରିବା ଦରକାର । ଆମର ସାନ ସାନ ପିଲାମାନେ ଶ୍ୟାମାମଣି ଦେବୀଙ୍କୁ ଶୁଣନ୍ତୁ ସୁନନ୍ଦା ପଟ୍ଟନାୟକଙ୍କୁ ଜାଣନ୍ତୁ । ତେଣୁ ମୁଁ ଭାବେ ଯେ ଏ ଜାତିଟି ସବୁଠାରୁ ଯଦି ଅବିଚାର କାହା ପ୍ରତି କରିଛି ସେ ହେଉଛନ୍ତି ଶ୍ୟାମାମଣୀ ଦେବୀ । ତାଙ୍କ ଭଳିଆ ଗୋଟେ ଗାୟିକା ଆଜି ସମୟରେ ବିରଳ । ଗୋଟେ ସମୟରେ ଆମର ଭଲ ଗାୟିକା ଥିଲେ କିନ୍ତୁ ଆଜିର ସମୟରେ ତାଙ୍କଭଳିଆ ସଙ୍ଗୀତ ଶିଳ୍ପି ଆଉ ନାହାନ୍ତି । ସୁନନ୍ଦା ପଟ୍ଟନାୟକ ଚାଲିଗଲେ । ତେଣୁ ଭଲ ଉଚ୍ଚାଙ୍ଗ ଶିଳ୍ପୀମାନଙ୍କୁ ଶୁଣିବା ଓ ସେମାନଙ୍କୁ ପ୍ରସଂଶା କରିବା, ସେମାନଙ୍କୁ ମୁଣ୍ଡ ଉପରେ ବସାଇବା ।

ମୁଁ ସବୁବେଳେ କହେ ଯେ, ଫକୀର ପଟ୍ଟନାୟକ ଯଦି ଓଡ଼ିଆ ନ ହୋଇ କି ଆସାମିଜ୍ ହୋଇଥାନ୍ତେ ତା ହେଲେ ତାଙ୍କର ନାଁ ଭୂପେନ ହଜାରିକାଙ୍କ ପରି ହୋଇଥାନ୍ତା । ଫୀକର ପଟ୍ଟନାୟକ ସମ୍ବଲପୁରରେ ରହିଲେ, ସାରା ଜୀବନ ସମ୍ବଲପୁରୀଆ ହୋଇ ରହିଲେ, ତାଙ୍କୁ କେହି ଚିହ୍ନିଲେ ନାହିଁ କି ଜାଣିଲେ ନାହିଁ । ସେ ଲୋକର କି ଗାୟନ ଶୈଳୀ? କି ଗୀତ ସେ ଗାଇ ନାହାନ୍ତି? ଡାଲଖାଈ, ରସରକେଲି, ମାଇଲାଜଡ଼, ଗୁଆରୀ, ସାପୁଆ, ନଚନିଆଁ, ବଜ୍‌ନିଆଁ, ମାଲେଶ୍ରୀ । ପଶ୍ଚିମ ଓଡ଼ିଶାର ସବୁ ଗୀତ ସେ ଗାଇଛନ୍ତି ଏବଂ ସବୁଗୁଡ଼ାକ ରେକର୍ଡ଼େଡ଼୍ ହୋଇଛି । ସେ ଗୁଡ଼ାକ ଏମିତି ନୁହଁ ରେକର୍ଡ଼ ହୋଇ ନି, ସବୁ ଗୁଡ଼ାକ ରେକର୍ଡ଼ ହୋଇଛି ବିଜନେସ୍ କରିଛନ୍ତି ଏବଂ ସକ୍‌ସେସ୍ ହୋଇଛି । ଆପଣଙ୍କର ଅଶି ନବେ ଦଶକ ବେଳେ ସମ୍ବଲପୁରୀ ଗୀତର ବହୁତ ବଡ଼ ବଜାର ଥିଲା । ସେଇ ବଜାରଟାକୁ ଆମେ ନଷ୍ଟ କରିଦେଲୁ ତା ଭିତରେ ଆମେ ବଲିଉଡ଼କୁ ପୁରାଇ ବିଚିତ୍ର ବିଟ୍ ଗୁଡ଼ାକ ପୁରାଇ। ଏବେ ତ ଆମର ସମ୍ବଲପୁରୀ ଗାୟକ ମାନଙ୍କୁ ଲାଗୁଛି ଯେତେ ଫାଷ୍ଟ ବଜେଇବେ ଲାଗୁଛି ଯେମିତି ଆପଣଙ୍କ କାନ ଭିତରେ ପୁରାଇ ଦୁମ ଦୁମ କରି ତାର ମଧୁର୍ଯ୍ୟଟାକୁ ସଂପୂର୍ଣ୍ଣ ରୂପରେ ମାରିଦିଆଗଲା । ଓଡ଼ିଶୀରେ ମଧ୍ୟ ସେଇ କଥା ଓଡ଼ିଶୀରେ କହୁଛନ୍ତି ଆଜ୍ଞା ସେଇ ରାଗାଙ୍ଗ ଭଲ ଲାଗୁନି, କଣ ଟିକେ ସେଟା ଫାଷ୍ଟର କରନ୍ତୁ । ଏଇ ଯେଉଁ ଡ଼ିମାଣ୍ଡ, ତାକୁ ମଧ୍ୟ ବଦଳାଇବାର ଅଛି । ଆମ ଲୋକଙ୍କ ଭିତରେ କାନ ଓ ମନ ଏଇ ଦିଟା ଯଦି ତିଆରି ହେବ ତା ହେଲେ ବହୁତ ଭଲ ହେବ, ଆଗକୁ ମଧ୍ୟ ଓଡ଼ିଶୀ ରହିବ।

ସ୍ୱୟଂପ୍ରଭା: ଯେଉଁମାନେ ଏହି ବିଷୟରେ ଚର୍ଚ୍ଚାକୁ ଏଠାରେ ଶୁଣୁଛନ୍ତି ଏବଂ ଅନ୍ୟମାନେ ମଧ୍ୟ ଏହି ଦିଗପ୍ରତି ଦୃଷ୍ଟି ଦେବେ ଯେ, ଆମ ସମସ୍ତଙ୍କର କାନ ତିଆରି ହେବା ଦରକାର । ବିଭିନ୍ନ ଜିନିଷକୁ ଶୁଣିବା ପାଇଁ ନିଜକୁ ପ୍ରସ୍ତୁତ କରିବା ଦରକାର । ଜଣେ ଜନ୍ମରୁ ଶ୍ରୋତା ହୋଇନଥାଏ ଏଥିପାଇଁ ନିଜକୁ ତିଆରି କରିବାକୁ ପଡ଼େ । ଓଡ଼ିଶାର ବିଭିନ୍ନ ପ୍ରାନ୍ତରରେ ବହୁତ ସଙ୍ଗୀତ ରହିଛି ତାକୁ ଯୋଡ଼ିବା ପାଇଁ ପ୍ରୟାସ ହେବା ଦରକାର । ଓଡ଼ିଶାରେ ଏହି ବିଷୟରେ ଚର୍ଚ୍ଚା କେଉଁଠି ନା କେଉଁଠି କମ୍ ଜଣାଯାଉଛି ସେହି ଦିଗ ଗୁଡ଼ିକୁ ସମଧ୍ୱନି ଭବିଷ୍ୟତରେ ଧାରାବାହିକ ଚର୍ଚ୍ଚା ଆଲୋଚନା କରିବ ।

About Editor

Editor
ସମଧ୍ୱନିର ସମ୍ପାଦକ ସ୍ଵୟଂପ୍ରଭା ପାଢ଼ୀ ଜଣେ ଗାୟିକା ଓ ମୁକ୍ତ ବୃତ୍ତିର ସାମ୍ବାଦିକ ଅଟନ୍ତି । ସେ ସମଧ୍ୱନି ପତ୍ରିକା, ସମଧ୍ୱନି ସାଂସ୍କୃତିକ ସଂଗଠନ (୨୦୦୫ ମସିହାରୁ ଓଡ଼ିଶାରେ କାମକରୁଛି) ଓ ସମଧ୍ୱନି ସାଂସ୍କୃତିକ ଗବେଷଣକେନ୍ଦ୍ରର ମୁଖ୍ୟ । ସମଗ୍ର ଓଡିଶାରେ ସାଂସ୍କୃତିକ ବାତାବରଣ ତିଆରି କରିବା ଓ ସାଧାରଣ ଲୋକମାନଙ୍କ ସ୍ୱରକୁ ସାଂସ୍କୃତିକ ମାଧ୍ୟମରେ ତୋଳିଧରିବା ପାଇଁ ସେ କାମ କରିଚାଲିଛନ୍ତି। Swayamprabha Parhi, editor of Samadhwani, is a Hindustani classical music-trained singer and freelance journalist. She is the head of the Samadhwani Cultural Organization (which has been operating in Odisha since 2005) and the Samadhwani Cultural Research Center. She has been working to create a cultural atmosphere throughout Odisha and to raise the voice of the common people through culture.

Check Also

ଲୋକସଂସ୍କୃତି କ୍ରମରେ ‘ପାଲା’

ପାଲା ସଂସ୍କୃତି ପ୍ରଥମେ ଲୋକସଂସ୍କୃତି ଏବଂ ତା’ର ବର୍ଗୀକରଣରେ ଲୋକନାଟକର ଏକ ଅଂଶ ଏବଂ ଏହି ବିଭାଗରେ ଏହା ବୋଧେ …

Leave a Reply

Your email address will not be published. Required fields are marked *