ଉତ୍କଳ ସାହିତ୍ୟ ସମାଜ

22 Min Read

“ଆମ୍ଭମାନଙ୍କ ସାହିତ୍ୟକୁ ସମୟୋଚିତ କରିବାକୁ ହେବ ଏବଂ ତାହା ଏପରି ଭାବରେ କରିବାକୁ ହେବ ଯେ କେବଳ ଉଚ୍ଚ ଶିକ୍ଷା ପ୍ରାପ୍ତ ବ୍ୟକ୍ତିମାନେ ନୁହଁନ୍ତି, ସେମାନଙ୍କଠାରୁ ଆରମ୍ଭ କରି ସାଧାରଣ କୃଷକ ଏବଂ ଶ୍ରମଜୀବି ପର୍ଯ୍ୟନ୍ତ ଏବଂ ବୃଦ୍ଧଠାରୁ ଆରମ୍ଭ କରି କ୍ଷୁଦ୍ର କ୍ଷୁଦ୍ର ବାଳକ ବାଳିକାମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସେହି ଉନ୍ନତ ସାହିତ୍ୟର ତରଙ୍ଗ ସ୍ପର୍ଶ କରିବ । ଉନ୍ନତ ଭାବସମୂହ ଜାତୀୟ ସାହିତ୍ୟ ସାହାଯ୍ୟରେ ଜାତିର ନିମ୍ନତମ ଶ୍ରେଣୀ ପର୍ଯ୍ୟନ୍ତ ନିସୃତ ହୋଇ ଦୈନିକ ଜୀବନର କାର୍ଯ୍ୟାବଳୀକୁ ନିୟମିତ କରିବ ।” ଏହିଭଳି ଏକ ବକ୍ତବ୍ୟ ଉତ୍କଳ ସାହିତ୍ୟ ସମାଜର ଚତୁର୍ଥ ବାର୍ଷିକ ଅଧିବେସନରେ ୧୯୦୭ ମସିହାରେ ପାରେଶ୍ୱର ମହାନ୍ତି ଦେଇଥିଲେ । ଲେଖକ କୈଳାଶ ଚନ୍ଦ୍ର ଦାସ ‘ଉତ୍କଳ ସାହିତ୍ୟ ସମାଜ’ସମ୍ପର୍କରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଐତିହାସିକ ଲେଖା ଏଠାରେ ଉପସ୍ଥାପନ କରିଛନ୍ତି । -ସମ୍ପାଦକ

ଓଡିଆ ଅସ୍ମିତା ସଂରଚନାରେ, ଓଡିଆର ସାଂସ୍କୃତିକ ପରିଚିତି ପ୍ରଚାର ଓ ପ୍ରସାରରେ ଉକ୍ରଳ ସାହିତ୍ୟ ସମାଜ ବିଂଶ ଶତକର ପ୍ରଥମ ପାଞ୍ଚ ଦଶନ୍ଧିରେ ଅବିସ୍ମରଣୀୟ ଭୂମିକା ଗ୍ରହଣ କରିଥିଲେ । ଉଭୟ ଉକ୍ରଳ ସମ୍ମିଳନୀ ଓ ଉତ୍କଳ ସାହିତ୍ୟ ସମାଜ ଏହି କାଳରେ କର୍ମମୁଖର ହେବା ଫଳରେ ଓଡିଆତ୍ୱ ଆତ୍ମପ୍ରକାଶ କରିଥିଲା । ସେହି କାଳରେ ବଙ୍ଗୀୟ ସାହିତ୍ୟ ପରିଷଦ ଯେପରି ବଙ୍ଗ ସାହିତ୍ୟର ପରିପ୍ରସାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା, ଉତ୍କଳ ସାହିତ୍ୟ ସମାଜ ଓଡିଆ ସାହିତ୍ୟର ଶ୍ରୀବୃଦ୍ଧି ସାଧନ ପାଇଁ ସେହିପରି ଭୂମିକା ଗ୍ରହଣ କରିଥିଲା । ସେଥିପାଇଁ ଓଡିଆମାନଙ୍କର ଏହି ଜାତୀୟ ଅନୁଷ୍ଠାନ ସମ୍ପର୍କରେ ଆଲୋଚନା କରିବାର ଆବଶ୍ୟକତା ରହିଛି ।

୧୮୯୩ ମସିହା ଡିସେମ୍ବର ମାସରେ କଟକ ଟ୍ରେନିଂ ସ୍କୁଲ୍ର ଛାତ୍ରମାନଙ୍କ ମଧ୍ୟରେ କଳ୍ପନା ଶକ୍ତି ଜାଗ୍ରତ କରିବା ଏବଂ ଭାବର ବିକାଶ ସାଧନ କରିବା ଉଦ୍ଦେଶ୍ୟରେ ସେହି ସ୍କୁଲ୍ ଗୃହରେ ଆଲୋଚନା ସଭା ନାମରେ ଏକ ସଭା ପ୍ରତିଷ୍ଠିତ ହୋଇଥିଲା । ସଭାଟି ଛାତ୍ରମାନଙ୍କ ଉଦ୍ଦେଶ୍ୟରେ ପ୍ରତିଷ୍ଠିତ ହୋଇଥିଲେ ମଧ୍ୟ କ୍ରମେ କଟକ ନଗରର ଶିକ୍ଷା ବିଭାଗୀୟ କେତେକ କର୍ମଚାରୀ ସେଥିରେ ଯୋଗଦାନ କରି ତାହାର ଶ୍ରୀବୃଦ୍ଧି ସାଧନ କରିଥିଲେ । ସେହି ଆଲୋଚନା ସଭାଟି ୯ ବର୍ଷ କାଳ ମଧୁସୂଦନ ରାଓ ମହାଶୟଙ୍କ ଏକାନ୍ତ ଯତ୍ନ ଓ ନେତୃତ୍ୱରେ କାର୍ଯ୍ୟ କରିଥିଲା । କିନ୍ତୁ କେତେକ ସାହିତ୍ୟ ସେବକ ସେଥିରେ ତୃପ୍ତ ନହୋଇ ଏହି ଆଲୋଚନା ସଭାଟିକୁ ସମ୍ପ୍ରସାରିତ ଓ ରୂପାନ୍ତରିତ କରି ଗୋଟିଏ ବୃହତ୍ ସାହିତ୍ୟିକ ସଭା ସ୍ଥାପନ କରିବାକୁ ଇଚ୍ଛୁକ ହେଲେ । ସେ ସମ୍ବନ୍ଧରେ ମିମାଂସା କରିବା ପାଇଁ  ୧୯୦୩ ଖ୍ରୀଷ୍ଟାବ୍ଦ ମେ ମାସ ୭ ତାରିଖ ଗୁରୁବାର ଦିନରେ ମଧୁସୂଦନ ରାଓଙ୍କ ଆହ୍ୱାନରେ କଟକରେ ଗୋଟିଏ ସାଧାରଣ ସଭା ଆହୂତ ହୋଇଥିଲା । ସେଥିରେ ପ୍ରାୟ ୧୦୦ ଜଣ ଲୋକ ଯୋଗଦାନ କରି ନାନା ଚର୍ଚ୍ଚା ବିତର୍କ ପରେ ଉକ୍ରଳ ସାହିତ୍ୟ ସମାଜ ନାମକ ଏକ ସାହିତ୍ୟିକ ସଭା ସ୍ଥାପନ କରିଥିଲେ । ସଭାର ପ୍ରସ୍ତାବଗୁଡିକ ଉପରେ ଉକ୍ରଳ ଦୀପିକାର ମେ ୧୬, ୧୯୦୩ ସଂଖ୍ୟାରେ ମୃତ୍ୟୁଞ୍ଜୟ ରଥ ଏକ ଟିପ୍ପଣୀ ପ୍ରକାଶ କରିଥିଲେ ।

୧.         କଟକର ଆଲୋଚନା ସଭାକୁ ସମଗ୍ର ଓଡିଶାର ସାଧାରଣ ସାହିତ୍ୟିକ ସଭା କରିବାର ଅଭିପ୍ରାୟରେ ତାହାକୁ ପ୍ରଶସ୍ତତର ଭିତ୍ତିରେ ସ୍ଥାପନ କରାଯାଉ ଏବଂ ତାର ନାମ ପରିବର୍ତ୍ତିତ ହୋଇ ଉତ୍କଳ ସାହିତ୍ୟ ସମାଜ ହେଉ । ସେହି ଉଦ୍ଦେଶ୍ୟ ସାଧନ ପାଇଁ ସମଗ୍ର ଉତ୍କଳଭାଷୀ ସ୍ଥାନମାନଙ୍କରୁ ସାହିତ୍ୟାନୁରାଗୀମାନଙ୍କୁ ଏ ସଭାର ସଭ୍ୟ ହେବାକୁ ଅନୁରୋଧ କରାଯାଉ । ପ୍ରଧାନ ପ୍ରଧାନ ସ୍ଥାନମାନଙ୍କରେ ଉକ୍ରଳ ସାହିତ୍ୟ ଚର୍ଚ୍ଚାର କେନ୍ଦ୍ର ସ୍ୱରୂପ ଏହାର ଶାଖା ସମିତିମାନ ସ୍ଥାପନ କରିବାର ଯତ୍ନ କରାଯାଉ । ସଂସ୍କାରକ ବିଶ୍ୱନାଥ କର ଏପରି ପ୍ରସ୍ତାବ ଆଗତ କରି ଓଡିଆ ଅସ୍ମିତାର ପରିପ୍ରକାଶକୁ ଅନୁମୋଦନ କରିଥିଲେ ।

୨.         ଏହାର ଅଧିବେଶନ ମାସିକ ହେଉ, ଏହାର ତ୍ରୟ ମାସିକ କାର୍ଯ୍ୟ ବିବରଣୀ ଉକ୍ରଳ ସାହିତ୍ୟ ଓ ଅନ୍ୟାନ୍ୟ ସମ୍ବାଦପତ୍ରରେ ପ୍ରକାଶିତ କରିବାର ବନ୍ଦୋବସ୍ତ କରାଯାଉ । ଏହାର ବାର୍ଷିକ ସଭା ମାଘ ମାସ ଶ୍ରୀପଞ୍ଚମୀ ସମୟରେ ହେଉ ।

୩.         ଏ ସଭାର ଜଣେ ସଭାପତି, ଦୁଇ ଜଣ ଅଧିକାରୀ ସଭାପତି, ଜଣେ ସମ୍ପାଦକ, ଦୁଇଜଣ ସହକାରୀ ସମ୍ପାଦକ ଏବଂ ଜଣେ କୋଷାଧ୍ୟକ୍ଷ ନିଯୁକ୍ତ ହୁଅନ୍ତୁ । ସେମାନେ ବର୍ଷକୁ ବର୍ଷ ନିଯୁକ୍ତ ହେଉଥିବେ । ସଭାର ଗୋଟିଏ କାର୍ଯ୍ୟ ନିର୍ବାହିକା ସମିତି ରହୁ ।

୪.         ଯେଉଁମାନେ ଏ ସଭାର ସଭ୍ୟ ହେବେ ସେମାନଙ୍କର ବାର୍ଷିକ ଚାନ୍ଦାର ନ୍ୟୂନ ସୀମା ଏକ ଟଙ୍କା ହେବ । ଯେଉଁମାନେ ଏକକାଳୀନ ଅନ୍ତତଃ ୨୫ ଟଙ୍କା ପ୍ରଦାନ କରିବେ ସେମାନେ ଚିରକାଳ ନିମିତ୍ତ ଏ ସଭାର ବିଶିଷ୍ଟ ସଭ୍ୟ ରୂପେ ଗୃହୀତ ହେବେ । ମୟୁରଭଞ୍ଜ ମହାରାଜ ରାମଚନ୍ଦ୍ର ଭଞ୍ଜଦେବ, ବାମଣ୍ଡାଧିପତି ସୁଢଳଦେବ, ଖଲ୍ଲିକୋଟାଧିପତି ହରିହର ମର୍ଦ୍ଦରାଜ ଦେବ, ବଡଖେମୁଣ୍ଡି ରାଜା କୃପାମୟ ଅନଙ୍ଗକେଶରୀ ଦେବ, ପାରଳା ରାଜକୁମାର ପଦ୍ମନାଭ ନାରାୟଣ ଦେବ, ରାଜା ବୈକୁଣ୍ଠନାଥ ଦେ ବାହାଦୂର ଓ ମଧୁସୂଦନ ଦାସଙ୍କୁ ଅଭିଭାବକ ରୂପେ ନିଯୁକ୍ତ କରାଯାଉ । ପରେ ଏହି ଅଭିଭାବକ ସଂଖ୍ୟା ବର୍ଦ୍ଧନ କରାଯାଉ ।

୫.         ଏହି ସଭା ସଂଗେ ଗୋଟିଏ ପୁସ୍ତକାଳୟ ରଖିବାର ଚେଷ୍ଟା କରାଯାଉ ଏବଂ ସେଥିରେ ପ୍ରକାଶିତ ଓ ଅପ୍ରକାଶିତ ଓଡିଆ ପୁସ୍ତକମାନ ସଂଗୃହୀତ ହୋଇ ରଖାଯାଉ । ପରିଶେଷରେ ସଭାପତି ମଧୁସୂଦନ ରାଓ ଗୌରୀଶଙ୍କର ରାୟଙ୍କୁ ସଭାର ଏକ ଅଭିଭାବକ ହୁଅନ୍ତୁ ବୋଲି ପ୍ରସ୍ତାବ କରି ସଭା ଭଙ୍ଗର ଆଦେଶ ଦେଇଥିଲେ ।

ଉତ୍କଳ ସାହିତ୍ୟ ସମାଜ ଗଠନର ଗୁରୁତ୍ୱକୁ ଆରମ୍ଭରୁ ଉପଲବଧି କରାଯାଇଥିଲା । ସାହିତ୍ୟର ଶକ୍ତି ଜଗତରେ ଅତୁଳନୀୟ ଏବଂ ସାହିତ୍ୟ କେବଳ ଅସାଧ୍ୟ ସାଧନ କରିବାକୁ ସମର୍ଥ ହୁଏ । ଜାତୀୟ ସାହିତ୍ୟ ଓ ଜାତୀୟ ଜୀବନର ପରସ୍ପର ସମ୍ବନ୍ଧ ନିତ୍ୟ ଓ ଅପରିବର୍ତ୍ତନୀୟ । ନିଷ୍କଳଙ୍କ ଜାତୀୟ ଜୀବନ ଏକା ନିର୍ମଳ ଓ ପବିତ୍ର ଜାତୀୟ ସାହିତ୍ୟ ସୃଷ୍ଟି କରିପାରେ । ଜାତୀୟ ଉକ୍ରୃଷ୍ଟ ସାହିତ୍ୟ ମଧ୍ୟ ପଦଦଳିତ, ଘୃଣ୍ୟ ଓ ଅବସନ୍ନ ଜାତିର ପ୍ରାଣକୁ ଉଦ୍ଦୀପିତ କରି ଜାତିର ମର୍ଯ୍ୟାଦା ଜ୍ଞାନକୁ ପରିସ୍ପୁଟ କରିଦିଏ । ସାହିତ୍ୟର ଶ୍ରୀବୃଦ୍ଧି ସାଧନ କରିବା ଦ୍ୱାରା ଜାତୀୟ ଜୀବନର ପ୍ରତିଷ୍ଠା ବର୍ଦ୍ଧିତ କରିବା ଜଗତର ପ୍ରତ୍ୟେକ ଜାତିର କର୍ତ୍ତବ୍ୟ । ସେହି ନୀତି ଅନୁସରଣ କରି ସଭ୍ୟ ଜଗତର ନାନା ସ୍ଥାନରେ ସାହିତ୍ୟର ପରିପୁଷ୍ଟି ଓ ବିକାଶ ନିମିତ୍ତ ସମ୍ମିଳିତ ଓ ସମବେତ ଉଦ୍ୟମର ଉପାୟ ବିଧାନ କରାହୋଇଥାଏ । ଉକ୍ରଳ ସାହିତ୍ୟ ସମାଜ ସେହିପରି ଚେଷ୍ଟାର ଫଳ ।

ଏହି ସମାଜର ପ୍ରଥମ ଅଧିବେଶନ କଟକରେ ହୋଇଥିଲା । ଉତ୍କଳ ସାହିତ୍ୟରେ ନବଯୁଗର ସୂତ୍ରପାତ ହେଲା ବୋଲି ଅନେକ ସେତେବେଳେ ଭାବିଥିଲେ । ଏହାର ଅଗ୍ରଗତି ପାଇଁ ଉକ୍ରଳ ସାହିତ୍ୟ ପତ୍ରର ଅଷ୍ଟମ ଭାଗ, ପ୍ରଥମ ସଂଖ୍ୟା(୧୯୦୪)ରେ ସୁଚିନ୍ତିତ ମତ ଦିଆଯାଇଥିଲା ।

୧. ସାହିତ୍ୟାନୁରାଗୀ ବ୍ୟକ୍ତିମାନଙ୍କ ମଧ୍ୟରେ ପରସ୍ପର ସମ୍ମିଳନ ଓ ନାନା ବିଷୟକ ଆଲୋଚନାର ଗୋଟିଏ କେନ୍ଦ୍ର ସ୍ଥିର ହେବା ଆବଶ୍ୟକ । କଟକ ନଗରୀରେ ସାହିତ୍ୟ ସମାଜର କାର୍ଯ୍ୟାଳୟ ଏହି କେନ୍ଦ୍ରସ୍ଥଳୀ ସ୍ୱରୂପ ନିରୂପିତ ହେଉ । ଚିନ୍ତା ଉଚ୍ଚ ସାହିତ୍ୟର ପ୍ରାଣ-ଆଲୋଚନା ଚିନ୍ତାର ଦ୍ୱାର ଫିଟାଇ ଦିଏ ଏବଂ ତାହାକୁ ସୁମାର୍ଗରେ ଚାଳିତ କରେ ।

୨. ଏହି କାର୍ଯ୍ୟାଳୟରେ ଗୋଟିଏ ପୁସ୍ତକାଳୟ ଓ ପାଠାଗାର ସ୍ଥାପିତ ହେଉ । ପ୍ରାଚୀନ ଗ୍ରନ୍ଥ ସଂଗେ ସଂଗେ ପ୍ରକାଶିତ ଉପଯୁକ୍ତ ଓଡିଆ ପୁସ୍ତକମାନ ମଧ୍ୟ ଏଠାରେ ରଖାଯାଉ ଏବଂ ଅନ୍ୟାନ୍ୟ ଭାଷାର ଉଚ୍ଚ ଶ୍ରେଣୀର କେତେଗୁଡିଏ ପୁସ୍ତକ ଏବଂ ପତ୍ରପତ୍ରିକା କ୍ରୟ କରିବାର ବ୍ୟବସ୍ଥା ହେଉ ।

୩. ଉତ୍କଳ ଖଣ୍ଡରେ ନାନା ସ୍ଥାନରେ ଯେତେଗୁଡିଏ ସାହିତ୍ୟିକ ସଭାସମିତି ଅଛି, ସବୁଗୁଡିକ ସାହିତ୍ୟ  ସମାଜର ଅଙ୍ଗୀଭୂତ ହେଉ ଏବଂ ଯେଉଁ ସ୍ଥାନମାନଙ୍କରେ ଏପରି ସଭା ସମିତି ନାହିଁ ସେ ସ୍ଥାନମାନଙ୍କରେ ତାହା ସ୍ଥାପନର ବ୍ୟବସ୍ଥା କରାଯାଉ ।

୪.ଉପଯୁକ୍ତ ଓଡିଆ ପୁସ୍ତକମାନଙ୍କର ଆଦର ଓ ପ୍ରଚାର ବଢାଇବା ନିମିତ୍ତ ସାହିତ୍ୟ ସମାଜ ବିହିତ ଉପାୟ ଅବଲମ୍ବନ କରନ୍ତୁ ।

୫. ଓଡିଆ ସାହିତ୍ୟର ଖଣ୍ଡେ ପୂର୍ଣ୍ଣାଙ୍ଗ ଇତିହାସ ସଂକଳନ କରିବାର ବ୍ୟବସ୍ଥା କରାଯାଉ । ଏହି କାର୍ଯ୍ୟ ସାଧନ ନିମିତ୍ତ କୌଣସି ସୁଯୋଗ୍ୟ ବ୍ୟକ୍ତର କର୍ତ୍ତୃତ୍ୱାଧିନରେ ଜଣେ ଉଦ୍ୟମଶୀଳ ଉତ୍ସାହୀ ଓ ବୁଦ୍ଧିମାନ ଯୁବକଙ୍କୁ ଉପଯୁକ୍ତ ବେତନରେ ନିଯୁକ୍ତ କରିବା ଆବଶ୍ୟକ ।

୬. ବିଶୁଦ୍ଧ ଓଡିଆ ଶବ୍ଦକୋଷ ସଂକଳନ ବିଷୟରେ ସମାଜ ବିଭିନ୍ନ ଅଞ୍ଚଳର ଯୋଗ୍ୟ ବ୍ୟକ୍ତିମାନଙ୍କର ସାହାଯ୍ୟ ଲୋଡିବା ଆବଶ୍ୟକ । ଜାତୀୟ ବିଚ୍ଛିନ୍ନତା ଯୋଗୁଁ ଭାଷାର ସମ୍ପତ୍ତି ମଧ୍ୟ କେତେ ପରିମାଣରେ ବିଭକ୍ତ ହୋଇଯାଇଛି । ସବୁଗୁଡିକ ଏକତ୍ରାବସ୍ଥିତ ନହେବା ଯାଏଁ ଶବ୍ଦକୋଷ ପୂର୍ଣ୍ଣାଙ୍ଗ ହୋଇପାରିବ ନାହିଁ ।

ଏହିପରି ନାନା ପ୍ରସ୍ତାବ ଉକ୍ରଳ ସାହିତ୍ୟରେ ପ୍ରକାଶିତ ହେବାରୁ ଏକଥା ସ୍ପଷ୍ଟ ମନେହୁଏ ଯେ ସମାଜ ଓଡିଆ ଜାଗୃତିର ଏକ ଅଭିନବ ବାର୍ତ୍ତବହ ରୂପେ ଦେଖା ଦେଇଥିଲା । ଏହାର ଦ୍ୱିତୀୟ ବାର୍ଷିକ ଅଧିବେଶନ ଡିସେମ୍ବର ମାସ ୨୬ ତାରିଖ ୧୯୦୪ ମଙ୍ଗଳବାର ସଂଧ୍ୟା ୬.୩୦ ମିନିଟ୍ରେ କଟକ ଟାଉନ୍ ଭିକ୍ଟୋରିଆ ସ୍କୁଲ୍ ଗୃହରେ ଅନୁଷ୍ଠିତ ହୋଇଥିଲା । ଅଧିବେଶନର ସଭାପତି ଥିଲେ ମୟୁରଭଞ୍ଜାଧିପତି ଶ୍ରୀରାମଚନ୍ଦ୍ର ଭଞ୍ଜ ଦେବ । ସଭାରେ ୭୦୦ ବ୍ୟକ୍ତି ଉପସ୍ଥିତ ଥିଲେ । ସର୍ବ ପ୍ରଥମରେ ଅଭ୍ୟର୍ଥନା ସମିତିର ସଭାପତି ଫକୀରମୋହନ ସେନାପତି ସୁଦୀର୍ଘ ବକ୍ତୃତାରେ କଟକର ପ୍ରାଚୀନ ଗୌରବକୁ ଲକ୍ଷ୍ୟ କରିଥିଲେ । ସହକାରୀ ସମ୍ପାଦକ ଗୋପାଳଚନ୍ଦ୍ର ପ୍ରହରାଜ ସମାଜର ଦ୍ୱିତୀୟ ବାର୍ଷିକ କାର୍ଯ୍ୟ ବିବରଣୀ ପାଠ କରି କହିଥିଲେ-ଜାତୀୟ ସାହିତ୍ୟର ଉନ୍ନତି ଜାତୀୟ ସାହିତ୍ୟର ପରିମାପକ । କିନ୍ତୁ ଏହି ତଥ୍ୟ ଉପରେ ନିର୍ଭର କରି ଓଡିଆମାନେ କାର୍ଯ୍ୟକ୍ଷେତ୍ରରେ ଅଗ୍ରସର ହେଉନଥିବାର ସେ ସ୍ପଷ୍ଟ କରିଥିଲେ । ଓଡିଆମାନଙ୍କ ମଧ୍ୟରେ ସେତେବେଳେ ଉଦାସୀନତା ବିସ୍ତାର ଲାଭ କରି ଉନ୍ନତି ଆଡକୁ ସେମାନଙ୍କୁ ଅଗ୍ରସର କରାଇ ଦେଉନଥିବାର କଥା ସେ ବ୍ୟକ୍ତ କରିଥିଲେ । ଓଡିଆ ସାହିତ୍ୟ କ୍ଷେତ୍ରରେ ଅନେକଗୁଡିଏ ଅଭାବ ବିଦ୍ୟମାନ ଥିବାର କଥା ସ୍ମରଣ କରି ସେଗୁଡିକ ମୋଚନ କରିବାକୁ ସେ ଆଶା କରିଥିଲେ । ସେ ପୁଣି କହିଥିଲେ-ଉତ୍କଳ ସାହିତ୍ୟର ଯେଉଁ ଦିଗକୁ ଦୃଷ୍ଟିପାତ କରିବେ ସେହି ଦିଗରେ ଆମ୍ଭମାନଙ୍କର କଠୋର ସାଧନାର ଆବଶ୍ୟକତା ଉପଲବ୍ଧ ହେବ । ଓଡିଆ ଭାଷାର ଓ ସାହିତ୍ୟର ଇତିହାସ, ସାହିତ୍ୟ-ବିଜ୍ଞାନ, ଶବ୍ଦକୋଷ, ପୁରାତନ ସାହିତ୍ୟର ପ୍ରଚାର ଇତ୍ୟାଦି ନାନାଦି ଆଡେ କାର୍ଯ୍ୟର ଆବଶ୍ୟକତା ରହିଛି । ଜଣେ ଜଣେ ଯୋଗ୍ୟ ବ୍ୟକ୍ତି ଗୋଟିଏ ଗୋଟିଏ ଶାଖା ଅବଲମ୍ବନ କରି ତାହା ଅନୁଶୀଳନ କରିବାର ବିଶେଷ ଆବଶ୍ୟକ ଏବଂ ଏହି ଉଦ୍ଦେଶ୍ୟରେ ନୂତନ ଲେଖକମାନଙ୍କୁ ସମୁଚିତ ଉତ୍ସାହ ପ୍ରଦାନ ଏ ସମାଜର ଗୋଟିଏ ଲକ୍ଷ୍ୟ ମଧ୍ୟରେ ପରିଗଣିତ । ଉତ୍କଳ ଭାଷା ଓ ସାହିତ୍ୟର ଉନ୍ନତି ନିମନ୍ତେ ସମ୍ମିଳିତ ଓ ସୁଚାଳିତ ଚେଷ୍ଟାର ଆବଶ୍ୟକତା ଉକ୍ରଳ ସମ୍ମିଳନୀ ସଭା ଉପଲବ୍ଧ କରି ଏହି ସମାଜକୁ ସମ୍ମିଳନୀର ସାହିତ୍ୟିକ ସହଯୋଗୀ ବୋଲି ୧୯୦୩ରେ ନିର୍ଦ୍ଧାରଣ କରିଥିଲେ । ଏହା ଉତ୍କଳ ସାହିତ୍ୟ ପକ୍ଷରେ ଗୌରବର ବିଷୟ । ପ୍ରହରାଜଙ୍କର ଏହିପରି ବକ୍ତବ୍ୟ ଉତ୍କଳ ସାହିତ୍ୟ ସମାଜକୁ ଓଡିଆ ଅସ୍ମିତା ପ୍ରସାରକ ହିସାବରେ ଦର୍ଶାଇଥାଏ ।

୧୯୦୪-୫ ସୁଦ୍ଧା ସାହିତ୍ୟ ସମାଜରେ ୮ ଜଣ ଅଭିଭାବକ, ୨୧ ଜଣ ବିଶିଷ୍ଟ ସଭ୍ୟ ଏବଂ ୧୯୫ ଜଣ ସାଧାରଣ ସଭ୍ୟ ହୋଇଥିଲେ । ପ୍ରଥମ ବର୍ଷ କାର୍ଯ୍ୟ ନିର୍ବାହିକା ସମିତିର ଦୁଇଟି ଅଧିବେଶନରେ ବିଶୁଦ୍ଧ ଓଡିଆ ଶବ୍ଦକୋଷ ସଂକଳନ ଏବଂ ଅପ୍ରକାଶିତ ପ୍ରାଚୀନ ଓଡିଆ ପୁସ୍ତକ ସଂଗ୍ରହ ନିମିତ୍ତ ଦୁଇଗୋଟି ଶାଖା ସମିତି ଗଠିତ ହୋଇଥିଲା । ସମାଜର ପ୍ରଥମ ବର୍ଷରେ ତିନିଗୋଟି ଅଧିବେଶନ ହୋଇଥିଲା । ଏଥିରେ ଗୋପାଳ ଚନ୍ଦ୍ର ପ୍ରହରାଜ ବିଶୁଦ୍ଧ ଭାଷା, ମୃତ୍ୟୁଞ୍ଜୟ ରଥ ଓଡିଆ ପୋଥି, ଶ୍ୟାମସୁନ୍ଦର ରାଜଗୁରୁ ଓଡିଆ ସର୍ବନାମ ଶୀର୍ଷକ ପ୍ରବନ୍ଧ ପାଠ କରିଥିଲେ । ସାଧାରଣ ସାହିତ୍ୟିକ ପ୍ରବନ୍ଧ ପାଠ ଓ ବକ୍ତୃତା ବ୍ୟତୀତ ସମାଜ ୧୯୦୪ ସୁଦ୍ଧା ଦୁଇଗୋଟି କାର୍ଯ୍ୟରେ ହସ୍ତକ୍ଷେପ କରିଥିଲେ ।

୧. ବିଶୁଦ୍ଧ ଓଡିଆ ଶବ୍ଦକୋଷ ସଂକଳନ ପାଇଁ ଗୋଟିଏ ଶାଖା ସମିତି ଗଠିତ ହୋଇଥିଲା । ଏଥିରେ ମଧୁସୂଦନ ଦାଶ ବି.ଏ, ବ୍ରଜାନନ୍ଦ ଦାସ, ନନ୍ଦକିଶୋର ବଳ, ଗୋପାଳ ଚନ୍ଦ୍ର ପ୍ରହରାଜ ଏବଂ ମୃତ୍ୟୁଞ୍ଜୟ ରଥ ଯୋଗ ଦେଇଥିଲେ । ଓଡିଶାର ବିଭିନ୍ନ ଅଞ୍ଚଳରେ ପ୍ରଚଳିତ ବିଶେଷ ଶବ୍ଦମାନ ସଂଗ୍ରହ କରିବା ନିମିତ୍ତ କାର୍ଯ୍ୟ ନିର୍ବାହିକା ସମିତି ଶ୍ୟାମସୁନ୍ଦର ରାଜଗୁରୁ, ସଦାଶିବ ବିଦ୍ୟାଭୂଷଣ, ଗଙ୍ଗାଧର ମେହେର, ବାଲୁଙ୍କେଶ୍ୱର ମିଶ୍ର, ଫକୀରଚରଣ ସାହାଣୀ, ଲୋକନାଥ ପଟ୍ଟନାୟକ, କାମପାଳ ମିଶ୍ର, ଶ୍ୟାମସୁନ୍ଦର ନନ୍ଦ, ଫକୀରମୋହନ ସେନାପତି ଏବଂ ଲୋକନାଥ ସେନାପତିଙ୍କୁ ଶାଖା ସମିତିର ଅତିରିକ୍ତ ସଭ୍ୟ ରୂପେ ମନୋନୀତ କରିଥିଲେ । ମହାରାଷ୍ଟ୍ରାଦି ଭାଷାରୁ ଆଗତ ଓଡିଆ ଶବ୍ଦମାନ ସଂଗ୍ରହ କରିବା ନିମିତ୍ତ ମଧୁସୂଦନ ରାଓ ଶାଖା ସମିତିର ଅନ୍ୟତମ ଅତିରିକ୍ତ ସଭ୍ୟ ରୂପେ ମନୋନୀତ ହୋଇଥିଲେ ।

୨. ଅପ୍ରକାଶିତ ପ୍ରାଚୀନ ଓଡିଆ ପୁସ୍ତକ ସଂଗ୍ରହ ପାଇଁ ଗଠିତ ଶାଖା ସମିତିରେ କୃଷ୍ଣପ୍ରସାଦ ଚୌଧୁରୀ, ମଧୁସୂଦନ ଦାଶ, ପୁରୁଷୋତ୍ତମ ତର୍କାଳଂକାର, ମଧୁସୂଦନ ରାଓ, ଅଭିରାମ ଭଞ୍ଜ, ବ୍ରଜସୁନ୍ଦର ଦାସ, ଚନ୍ଦ୍ରଶେଖର ନନ୍ଦ ଓ ବିଶ୍ୱନାଥ କର ଯୋଗ ଦେଇଥିଲେ । ଶାଖା ସମିତିର ଉଦ୍ୟମରେ ରଘୁନାଥ ବିଳାସ ଓ ଜଗନ୍ନାଥ ଚରିତାମୃତ ନାମକ ଦୁଇଖଣ୍ଡି ପୁସ୍ତକ ତାଳପତ୍ର ପୋଥିରୁ ଉଦ୍ଧୃତ ହୋଇ ପ୍ରସ୍ତୁତ ହୋଇଥିଲା ।

ଉପରୋକ୍ତ କାର୍ଯ୍ୟ ବ୍ୟତୀତ ସମାଜ ଓଡିଆ ସାହିତ୍ୟର ଇତିହାସ ସଂକଳନ, ନବୀନ ଲେଖକମାନଙ୍କୁ ଉତ୍ସାହପ୍ରଦାନ କାର୍ଯ୍ୟରେ ଅଗ୍ରସର ହୋଇଥିଲା । ଇତିହାସ ସଂକଳନ ପାଇଁ ମୟୁରଭଞ୍ଜ ରାଜା ୧୦୦ ଟଙ୍କା, ବ୍ରହ୍ମପୁର ବାସୀ ପରଶୁରାମ ପାତ୍ର ୨୦୦ ଟଙ୍କା ସାହାଯ୍ୟ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଦ୍ୱିତୀୟ ବାର୍ଷିକ ଅଧିବେଶନରେ ବିଶ୍ୱନାଥ କର ଜାତୀୟ ଜୀବନରେ ସାହିତ୍ୟର ସ୍ଥାନ ବିଷୟରେ ବକ୍ତୃତା ଦେଇ ଓଡିଆ ଅସ୍ମିତା ସଂରଚନା କରିଥିଲେ । ସଭାପତି ତାଙ୍କ ଭାଷଣରେ ଜାତୀୟ ଜୀବନ ଦ୍ୱାରା ସାହିତ୍ୟର ବିଶେଷ ଉନ୍ନତି ପ୍ରସଂଗ ଆରମ୍ଭ କରିଥିଲେ । ଉତ୍କଳ ସାହିତ୍ୟ ସହିତ ଉକ୍ରଳ ଜାତୀୟ ଜୀବନର ଘନିଷ୍ଠ ସମ୍ପର୍କ ଥିବାର କଥା ସେ କହିଥିଲେ । ଜାତୀୟ ସାହିତ୍ୟର ଉନ୍ନତି ହେବା ବିଷୟରେ ସେ ବ୍ୟାଘାତ ଦେଖିନଥିଲେ । ଶିକ୍ଷାର ଉନ୍ନତି ସହିତ ଲୋକମାନଙ୍କର ଉକ୍ରଳ ସାହିତ୍ୟ ପ୍ରତି ଅନୁରାଗ ବୃଦ୍ଧି ସେ ଲକ୍ଷ୍ୟ କରିଥିଲେ । ସାହିତ୍ୟ କ୍ଷେତ୍ରରେ କେତେଗୁଡିଏ ଶିକ୍ଷିତ ଲୋକ ଆପଣା ଜୀବନକୁ ଉର୍ତ୍ସଗ କରିଥିବାରୁ ସେ ଆନନ୍ଦିତ ହୋଇଥିଲେ ।

ସାହିତ୍ୟ ସମାଜ କ୍ରମେ ଅଗ୍ରଗତି ଲାଭ କରି ଓଡିଆ ଭାଷା ଓ ସାହିତ୍ୟର ସମ୍ପ୍ରସାରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଏହାର ତୃତୀୟ ଅଧିବେଶନ ବାଲେଶ୍ୱରର ରାଜା ବୈକୁଣ୍ଠନାଥ ଦେଙ୍କ ଭବନରେ ୧୯୦୫ ଡିସେମ୍ବର ୧୫ରେ ସମ୍ପନ୍ନ ହୋଇଥିଲା । ୧୯୦୫ ଫେବୃୟାରୀ ୨୪ ତାରିଖରେ କାର୍ଯ୍ୟ ନିର୍ବାହିକା ସମିତିର ଅଧିବେଶନ ଆରମ୍ଭ ହୋଇ ତୃତୀୟ ବାର୍ଷିକ କାର୍ଯ୍ୟ ପାଇଁ ପ୍ରସ୍ତୁତି କରାଯାଇଥିଲା । କାର୍ଯ୍ୟ ନିର୍ବାହିକା ସମିତିର ଦ୍ୱିତୀୟ ଅଧିବେଶନ(ମେ ୨୦, ୧୯୦୫)ରେ ପାରଳାଖେମୁଣ୍ଡି ରାଜା କଲେଜର ସଂସ୍କୃତ ଅଧ୍ୟାପକ ଗୋପୀନାଥ ନନ୍ଦଙ୍କ ସଂଗୃହୀତ ଶବ୍ଦନିଧି ନାମକ ଉକ୍ରଳ ଅଭିଧାନର ଚର୍ଚ୍ଚା ହୋଇଥିଲା । ଏହି ଶବ୍ଦନିଧି ଗ୍ରନ୍ଥକୁ ସମାଜ ପରିବର୍ଦ୍ଧିତ ଓ ସଂଶୋଧିତ କରି ମୁଦ୍ରିତ କରିବାର ଭାର ଗ୍ରହଣ କରିଥିଲେ । ଡିସେମ୍ବର ୧୯୦୫ରେ ହୋଇଥିବା ତୃତୀୟ ବାର୍ଷିକ ଅଧିବେଶନରେ ସହସମ୍ପାଦକ ଚନ୍ଦ୍ରଶେଖର ନନ୍ଦ ଉକ୍ରଳ ସାହିତ୍ୟ ସମାଜର ଅସାଧାରଣ ଅଗ୍ରଗତି କଥା ସ୍ମରଣ କରି ଏହାର କାର୍ଯ୍ୟକାରିତା ଉପରେ ଉତ୍କଳ ସାହିତ୍ୟର ଭବିଷ୍ୟତ ଗତି ନିର୍ଭର କରେ ବୋଲି ମତ ଦେଇଥିଲେ । ଏହାର ବିସ୍ତାରିତ କାର୍ଯ୍ୟକ୍ରମର ବର୍ଣ୍ଣନା କରିଥିଲେ । ତାଳପତ୍ର ପୋଥିରୁ ସଂଗୃହିତ ହୋଇ ଗୁପ୍ତ ଗୀତା, ବିରାଟ ଗୀତା, ବ୍ରହ୍ମାଣ୍ଡ ଭୂଗୋଳ, ଷଡରସ, ଭଗବତ ଗୀତା, କାଞ୍ଚନ ଲତା, ମୁକ୍ତାଚରିତ, ଶ୍ରୀଭାଗବତ ମୁକ୍ତିସାଗର, ଗୁଣ୍ଡିଚା ବିଜେ, ଭାବସମୁଦ୍ର ଓ ମଞ୍ଜୁଳାବଳୀ ପରି ପ୍ରାଚୀନ ପୁସ୍ତକମାନ ସାହିତ୍ୟ ସମାଜ ଶାଖା ସମିତି ଦ୍ୱାରା ପ୍ରସ୍ତୁତ ହୋଇଥିବାର ସେ ସୂଚନା ଦେଇଥିଲେ । ସମାଜ ଓଡିଆ ଭାଷା ଓ ସାହିତ୍ୟର ଇତିହାସ ସଂକଳନ, ପ୍ରାଚୀନ ଉକ୍ରଳର ଇତିହାସ ଓ ଭୂଗୋଳ ଓ ଓଡିଆ ଭାଷାର ବ୍ୟାକରଣ ପ୍ରଭୃତି ପ୍ରଣୟନ କରିବାର କଳ୍ପନା ସଫଳ ରୂପ ନେବ ବୋଲି ଆଶା କରିଥିଲେ । ଏହି ସାହିତ୍ୟ ସମାଜ ଦିନେ ଉକ୍ରଳ ସାହିତ୍ୟର ପ୍ରତିନିଧି ଓ ବିଚାରକର ଉଚ୍ଚ ଆସନ ଗ୍ରହଣ କରିବ । ଏହାର ଶକ୍ତି ଦିନେ ସମଗ୍ର ଉତ୍କଳର ସାହିତ୍ୟ ରାଜ୍ୟରେ ଯୁଗାନ୍ତର ସ୍ଥାପନ କରିବ ଏପରି ଆଶା ନନ୍ଦ ସେଦିନ ସମାଜ ସଭାରେ ଉପସ୍ଥିତ କରିଥିଲେ ।

ଏହି ଅଧିବେଶନରେ ଗୋପାଳ ଚନ୍ଦ୍ର ପ୍ରହରାଜ ଉକ୍ରଳ ସାହିତ୍ୟର ଆଧୁନିକ ଗତି ଶୀର୍ଷକ ପ୍ରବନ୍ଧଟି ପାଠ କରିଥିଲେ । ସେତେବେଳର ସାହିତ୍ୟର ଗତିକୁ ସ୍ପଷ୍ଟ କରି ପ୍ରହରାଜ ଏକ ଚମକ୍ରାର ମତ ଦେଇଥିଲେ- “କବିବର ରାଧାନାଥ କାବ୍ୟ ଜଗତରେ ମଧୁସୂଦନ ପ୍ରବନ୍ଧ ଓ କବିତା କ୍ଷେତ୍ରରେ, ଫକୀରମୋହନ ଉପନ୍ୟାସ ଓ ଅନୁଦିତ କବିତା କ୍ଷେତ୍ରରେ, ଗଙ୍ଗାଧର ଓ ନନ୍ଦକିଶୋର ସରଳ ଶ୍ରୁତିମଧୁର କାବ୍ୟ ଓ କବିତା କ୍ଷେତ୍ରରେ, ଶଶିଭୂଷଣ ଓ ଭୋଳାନାଥ ଭ୍ରମଣ ବୃତ୍ତାନ୍ତରେ,  ରାମଶଙ୍କର ନାଟକ କ୍ଷେତ୍ରରେ,  ଶ୍ୟାମସୁନ୍ଦର ରାଜଗୁରୁ, ମୃତ୍ୟୁଞ୍ଜୟ ଓ ମଧୁସୂଦନ ଦାଶ ଭାଷାତତ୍ତ୍ୱ କ୍ଷେତ୍ରରେ, ସୁଲକ୍ଷଣା, ଶ୍ରୀମତୀ ରେବା ଓ ଅନ୍ନପୂର୍ଣ୍ଣା ସରଳ କବିତାରେ, ସଦାଶିବ କାବ୍ୟକଣ୍ଠ ପ୍ରତ୍ନତତ୍ତ୍ୱରେ, ନୀଳମଣି ଓ ଗୌରୀଶଙ୍କର ସମ୍ବାଦପତ୍ର ପରିଚାଳନାରେ, ଦାମୋଦର ପଟ୍ଟନାୟକ ସଂଗୀତ ଚର୍ଚ୍ଚାରେ ଅବଶ୍ୟ କୃତିତ୍ୱ ଦେଖାଇଅଛନ୍ତି, କିନ୍ତୁ ଉତ୍କଳର ଲେଖକମାନେ ଅଧିକତର ସାଧନଶୀଳ ହୋଇଥିଲେ ଓ ଉପଯୁକ୍ତ ଆନୁକୁଲ୍ୟ ଲାଭ କରିଥିଲେ ଉତ୍କଳ ସାହିତ୍ୟକୁ ଅଧିକତର ଉନ୍ନତି ମାର୍ଗକୁ ଟାଣି ଆଜି ଉତ୍କଳ ସାହିତ୍ୟର ଭବିଷ୍ୟତକୁ  ଆମ୍ଭମାନଙ୍କ ସମ୍ମୁଖରେ ଆହୁରି ଉନ୍ନତତର କରିପାରିଥାଆନ୍ତେ ।” ଏହିପରି ମତ ଓ ମନ୍ତବ୍ୟ ଦେଇ ପ୍ରହରାଜ ଆଲୋଚନାର ଶେଷରେ ଉତ୍କଳ ସାହିତ୍ୟ ସମାଜ ଓଡିଶାରେ ସାହିତ୍ୟରେ ନିୟାମକ ସ୍ଥାନ ଅଧିକାର କରିବା ନିମନ୍ତେ ତହିଁରେ କେତେଗୁଡିଏ ଉପାଦାନ ରହିବା ଆବଶ୍ୟକ ବୋଲି କହିଥିଲେ ।

୧.         ଭିନ୍ନ ଭିନ୍ନ କ୍ଷେତ୍ରରେ ଉପଯୁକ୍ତ ଲେଖକମାନଙ୍କୁ ଉତ୍ସାହ ପ୍ରଦାନ କରିବାର ଉପାୟମାନ ସମ୍ମିଳିତ ଚେଷ୍ଟା ଦ୍ୱାରା ଅବଲମ୍ବିତ ହେବା ଉଚିତ ।

୨.         ପ୍ରାଚୀନ ଭାଷା ଓ ସାହିତ୍ୟର ପୁସ୍ତକମାନ ପ୍ରକାଶ କରିବାର ବିହିତ ଉପାୟମାନ ଅବଲମ୍ବିତ ହେବାର ଉଚିତ ।

୩.         ସମ୍ମିଳିତ ଚେଷ୍ଟା ଦ୍ୱାରା ଭାଷାର ପ୍ରତ୍ନତତ୍ତ୍ୱମାନ ସଂଗ୍ରହ କରି ଓଡିଆ ଭାଷାର ସମ୍ପୂର୍ଣ୍ଣ ଇତିହାସ ଓ ଅଭିଧାନମାନ ସଂକଳିତ ହେବାର ଆବଶ୍ୟକ ।

୪.         ଉତ୍କଳ ସାହିତ୍ୟର ଆଦର୍ଶକୁ ଉଚ୍ଚତର କରାଇବା ନିମନ୍ତେ ଚେଷ୍ଟା କରିବା ଉଚିତ ।

୫.         ନବଭାବ ଓ ଶିକ୍ଷା ଓ ଶିକ୍ଷଣୀୟ ବିଷୟମାନ ସରଳ ଓ ଚିତ୍ତାକର୍ଷକ ଭାବରେ ପ୍ରକାଶ କରି ଜନସାଧାରଣଙ୍କ ମନରେ ପଠନେଚ୍ଛା ଓ ସାହିତ୍ୟ ପ୍ରତି ସ୍ପୃହା ଜାଗ୍ରତ କରାଇବାର ଉଚିତ ।

୬.         ଅନ୍ୟାନ୍ୟ ଉଚ୍ଚ ସାହିତ୍ୟର ଶିକ୍ଷାପୂର୍ଣ୍ଣ ନାନା ଶ୍ରେଣୀର ଗ୍ରନ୍ଥମାନ ବିଶୁଦ୍ଧ ଭାଷାରେ ଅନୁବାଦ କରି ପ୍ରକାଶ କରିବା ଉଚିତ ।

ଏହିପରି ଉପାଦାନ ବର୍ଣ୍ଣନା କରି ପ୍ରହରାଜ ଲୋକଙ୍କ ମନରେ ସମ୍ମିଳିତ ଚେଷ୍ଟା ପ୍ରତି ଭକ୍ତି ,କର୍ତ୍ତବ୍ୟ ଜ୍ଞାନ ଓ ଉତ୍ସାହ ଜାଗ୍ରତ ନହେଲେ ଉତ୍କଳ ସାହିତ୍ୟର ଉନ୍ନତିର ଆଶା ସୁଦୂର ପରାହତ ବୋଲି ସିଦ୍ଧାନ୍ତ ଗ୍ରହଣ କରିଥିଲେ ।

ସଭାପତି ବାଲ୍ୟାବେଢାର ଜମିଦାର ପ୍ରହରାଜ କୃଷ୍ଣଚନ୍ଦ୍ର ଦାଶ ଉପସ୍ଥିତ ହୋଇ ନପାରିବାରୁ ବାଲେଶ୍ୱରର ସାମନ୍ତ ରାଧାଚରଣ ଦାସ ସଭାପତି ପଦରେ ବରଣ କରାଯାଇଥିଲା । ତଥାପି ପ୍ରହରାଜଙ୍କ ଭାଷଣଟି ସଭାରେ ବିଶ୍ୱନାଥ କରଙ୍କ ଦ୍ୱାରା ପଠିତ ହୋଇଥିଲା । ଓଡିଶାରେ ସାହିତ୍ୟର ଉନ୍ନତି ପାଇଁ ଲେଖକ, ପାଠକ ଓ ସମାଲୋଚକମାନଙ୍କର ଗୁରୁତ୍ୱକୁ ସେ ଉପସ୍ଥାପନ କରିଥିଲେ । ସେ କହିଥିଲେ- “ଲେଖକମାନେ ସାହିତ୍ୟ ବିଷୟରେ ସମ୍ପୂର୍ଣ୍ଣ ଅଭିଜ୍ଞତା ଲାଭ କରି ଲେଖନୀ ପ୍ରସୂତ ବିଶୁଦ୍ଧ ଭାଷାମୟୀ ବାଣୀ ପାଠକମାନଙ୍କୁ ଉପଢୌକନ ଦେବେ । ପାଠକମାନେ ଅଭିଜ୍ଞତାପୂର୍ଣ୍ଣ ସାହିତ୍ୟ ଚକ୍ଷୁରେ ନିରପେକ୍ଷ ହୃଦୟରେ ଶ୍ରଦ୍ଧା ସହକାରେ ତାହା ଗ୍ରହଣ କରି ଯେଉଁ ସମୟରେ ସମାଲୋଚକ ପଦବୀରେ ଆରୁଢ ହେବେ, ସେତେବେଳେ ଭାଷା ଅସୂୟା, ପରଶ୍ରୀକାତରତା ପ୍ରଭୃତି ବାରବିଳାସିନୀମାନଙ୍କ ଆତ୍ମ ଉନ୍ମାଦକ ନୃତ୍ୟକଳାରେ ଯେପରି ସ୍ୱୀୟ ହୃଦୟଟି ଦାସତ୍ୱ ନକରେ, ସେ ବିଷୟରେ ସେମାନଙ୍କୁ ସାବଧାନ ହେବାକୁ ହେବ । ଭ୍ରମପ୍ରମାଦ ଥିଲେ ତାହାର ସଂଶୋଧନାର୍ଥ ଲେଖକ ସହିତ ସହାନୁଭୂତିପୁର୍ଣ୍ଣ ସମାଲୋଚନା କରିବାକୁ ପ୍ରବୃତ୍ତ ହୋଇ ଭ୍ରମପ୍ରମାଦର ଭବିଷ୍ୟତ ପରିହାର ନିମନ୍ତେ ଯତ୍ନ କରିବାକୁ ଅନୁରୋଧ କରିବେ ।” ଓଡିଆ ସାହିତ୍ୟର ଅଭିବୃଦ୍ଧିରେ ଏହି ମନ୍ତବ୍ୟ ଗ୍ରହଣ କରିବା ଆବଶ୍ୟକ ।

ଉତ୍କଳ ସାହିତ୍ୟ ସମାଜର ଚତୁର୍ଥ ବାର୍ଷିକ ଅଧିବେଶନ ୧୯୦୭ ଏପ୍ରିଲ୍ ୧୩ ତାରିଖରେ କଟକରେ ନବପ୍ରତିଷ୍ଠିତ ଟାଉନ୍ ଲାଇବ୍ରେରୀ ହଲ୍ରେ ବିଶାଖାପତ୍ତନର ମହାରାଜା ବିକ୍ରମ ଦେବ ବର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଏହାର ପ୍ରଗତିର ସୂଚନା ଦେଇଥିଲା । ବର୍ଣ୍ଣିତ ବର୍ଷରେ ସମାଜର ଚାରିଗୋଟି ସାଧାରଣ ଅଧିବେଶନ ହୋଇଥିଲା । ଏହି ଅଧିବେଶନମାନଙ୍କରେ ଅଭିରାମ ଭଞ୍ଜ ଲୌକିକ ସାହିତ୍ୟ ସମ୍ବନ୍ଧରେ ଚନ୍ଦ୍ରମୋହନ ମହାରଣା ଇତିହାସ ସମ୍ବନ୍ଧରେ  ବକ୍ତୃତା କରିଥିଲେ । ଗୋପୀନାଥ ନନ୍ଦଶର୍ମାଙ୍କ ଶବ୍ଦକୋଷ ଗ୍ରନ୍ଥ ପ୍ରକାଶ ପାଇଁ ସମାଜ ଉଦ୍ୟମ କରି ରାଜା ମହାରାଜା, ପ୍ରଧାନ ଜମିଦାର ପ୍ରଭୃତିଙ୍କଠାରୁ ଅର୍ଥ ସାହାଯ୍ୟ ଲୋଡିଥିଲେ । ସେହିପରି ପ୍ରାଚୀନ ଓଡିଆ ପୁସ୍ତକ ସଂଗ୍ରହ ଯୋଜନା ମଧ୍ୟ ଅଗ୍ରଗତି ଲାଭ କରିଥିଲା । ଏହି ବାର୍ଷିକ ଅଧିବେଶନରେ ପାରେଶ୍ୱର ମହାନ୍ତି ଜାତୀୟ ସାହିତ୍ୟ ଓ ଆମ୍ଭମାନଙ୍କ କର୍ତ୍ତବ୍ୟ ଶୀର୍ଷକ ପ୍ରବନ୍ଧ ପାଠ କରିଥିଲେ । ତାଙ୍କ ମତରେ ଆମ୍ଭମାନଙ୍କ ଅସ୍ତିତ୍ୱ ଆମ୍ଭମାନଙ୍କ ଜାତିର ଅସ୍ତିତ୍ୱ ଉପରେ ନିର୍ଭର କରେ । ଜାତି ଲୋପ ପାଇଲେ ବ୍ୟକ୍ତିଗତ ଭାବରେ ରକ୍ଷା ପାଇବା ଆମ୍ଭମାନଙ୍କ ପକ୍ଷେ ସମ୍ପୂର୍ଣ୍ଣ ଅସମ୍ଭବ । ଜାତିର ଏହି ଅସ୍ତିତ୍ୱ ଜାତିର ଜୀବନୀ ଶକ୍ତି ଉପରେ ପ୍ରତିଷ୍ଠିତ । ମାତ୍ର ଜାତୀୟ ଜୀବନ ଓ ଜାତୀୟ ସାହିତ୍ୟ ଏ ଦୁହେଁ ପରସ୍ପର ନିର୍ଦ୍ଦେଶକ ଓ ନିୟାମକ ହେଉଥିବା ସ୍ଥଳେ  ଜାତୀୟ ସାହିତ୍ୟ ସହିତ ଆମ୍ଭମାନଙ୍କର କି ସମ୍ବନ୍ଧ ତାହା ସହଜରେ ଅନୁମିତ ହେବ । କୌଣସି ଜାତିର ଜାତୀୟ ଜୀବନକୁ ଉପଲବ୍ଧ କରିବାକୁ ଗଲେ ସେହି ଜାତିର ତାକ୍ରାଳୀନ ସାହିତ୍ୟ ଆଡକୁ ଦୃଷ୍ଟି କରିବା ଆବଶ୍ୟକ । ଏହିପରି ଆଲୋଚନା କରି ପାରେଶ୍ୱର ମହାନ୍ତି ଉଚ୍ଚ ଜାତୀୟ ସାହିତ୍ୟ ଉତ୍କଳ ଭାଷାରେ ନଥିବା କଥା ସ୍ପଷ୍ଟ କରିଥିଲେ । ଉନ୍ନତ ସାହିତ୍ୟର ପ୍ରବଳ କମ୍ପନ ଜାତୀୟ ଜୀବନ ସଂଚାର ପକ୍ଷରେ ଆବଶ୍ୟକ । ପ୍ରାଚୀନ ଉତ୍କଳ ସାହିତ୍ୟ ଏ ବିଷୟରେ ସାହାଯ୍ୟ କରିନପାରେ, କାରଣ ଯେଉଁ ଜୀବନ ସଂଗ୍ରାମ ମନୁଷ୍ୟର ଓଜୋଗୁଣଗୁଡିକ ଜାଗ୍ରତ କରେ, ତାହା ଆମ୍ଭମାନଙ୍କ ପୂର୍ବପୁରୁଷମାନେ ଅନୁଭବ କରିନଥିଲେ । ସୁତରାଂ ସେମାନଙ୍କର ସାହିତ୍ୟରେ ଜାତୀୟତା ଉଦ୍ଦୀପକ ଭାବମାନ ଆଦୌ ନାହିଁ କହିଲେ ଚଳେ । ତାଙ୍କ ମତରେ ଆମ୍ଭମାନଙ୍କ ସାହିତ୍ୟକୁ ସମୟୋଚିତ କରିବାକୁ ହେବ ଏବଂ ତାହା ଏପରି ଭାବରେ କରିବାକୁ ହେବ ଯେ କେବଳ ଉଚ୍ଚ ଶିକ୍ଷା ପ୍ରାପ୍ତ ବ୍ୟକ୍ତିମାନେ ନୁହଁନ୍ତି, ସେମାନଙ୍କଠାରୁ ଆରମ୍ଭ କରି ସାଧାରଣ କୃଷକ ଏବଂ ଶ୍ରମଜୀବି ପର୍ଯ୍ୟନ୍ତ ଏବଂ ବୃଦ୍ଧଠାରୁ ଆରମ୍ଭ କରି କ୍ଷୁଦ୍ର କ୍ଷୁଦ୍ର ବାଳଳ ବାଳିକାମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସେହି ଉନ୍ନତ ସାହିତ୍ୟର ତରଙ୍ଗ ସ୍ପର୍ଶ କରିବ । ଉନ୍ନତ ଭାବସମୂହ ଜାତୀୟ ସାହିତ୍ୟ ସାହାଯ୍ୟରେ ଜାତିର ନିମ୍ନତମ ଶ୍ରେଣୀ ପର୍ଯ୍ୟନ୍ତ ନିସୃତ ହୋଇ ଦୈନିକ ଜୀବନର କାର୍ଯ୍ୟାବଳୀକୁ ନିୟମିତ କରିବ । ତେବେ ଏକା ଜାତୀୟ ଜୀବନ ଉପରେ ଜାତୀୟ ସାହିତ୍ୟର ପ୍ରଭାବ ଅନୁଭବ ହେବ । ଏହିପରି ପ୍ରସଂଗ ଉପସ୍ଥାପନର ମୂଳ ଉଦ୍ଦେଶ୍ୟ ଥିଲା ଓଡିଆ ଜାତୀୟ ଜୀବନ ଗଠନ ।

ଉକ୍ରଳ  ସାହିତ୍ୟର ବାର୍ଷିକ ଅଧିବେଶନ ଏବଂ ମାସିକ ଅଧିବେଶନମାନଙ୍କରେ ଓଡିଆ ସାହିତ୍ୟ, ଜାତୀୟ ଜୀବନ, ଇତିହାସ, ସଂସ୍କୃତି ଏବଂ ଅର୍ଥନୀତି ବିଷୟ ଉପରେ ବହୁ ତଥ୍ୟନିଷ୍ଠ ତଥା ତଥ୍ୟପୂର୍ଣ୍ଣ ଆଲୋଚନା ହୋଇଥିଲା । ଏସବୁ ମଧ୍ୟରେ ଓଡିଆର ପରିଚୟ ସ୍ଥାପିତ ହୋଇଥିଲା । ସାହିତ୍ୟ ସମାଜ ଓଡିଆ ଜାଗୃତିରେ ଅବିସ୍ମରଣୀୟ ଭୂମିକା ଗ୍ରହଣ କରିଥିଲା । ୧୯୧୭ ଖ୍ରୀଷ୍ଟାବ୍ଦରେ ଉକ୍ରଳ ସାହିତ୍ୟ ସମାଜ ଐତିହାସିକ ତଥ୍ୟ ସଂଗ୍ରହ ନିମିତ୍ତ ଗୋଟିଏ ଅନୁସନ୍ଧାନ ସମିତି ଗଠନ କରିଥିଲେ । ଏହାର ସଭାପତି ଥିଲେ ଯୋଗେଶ ଚନ୍ଦ୍ର ରାୟ ବିଦ୍ୟାନିଧି । ପୁରୀ, କଟକ, ଗଞ୍ଜାମ, ବାଲେଶ୍ୱର, ବୌଦ, ସମ୍ବଲପୁର ପ୍ରଭୃତି ଜିଲ୍ଲାରୁ ଐତିହାନୁରାଗୀ ପଣ୍ଡିତମାନେ ସଦସ୍ୟ ନିର୍ବାଚିତ ହୋଇଥିଲେ । ସଦାଶିବ କାବ୍ୟକଣ୍ଠ, ବିଶ୍ୱନାଥ କର, ଜଗବନ୍ଧୁ ସିଂହ, ତାରିଣୀ ଚରଣ ରଥ, ବାଲୁଙ୍କେଶ୍ୱର ମିଶ୍ର, ରୁଦ୍ର ନାରାୟଣ ଷଢଙ୍ଗୀ, ଚିନ୍ତାମଣୀ ଆଚାର୍ଯ୍ୟ, ଫକୀର ଚରଣ ସାହାଣୀ, କୃପାସିନ୍ଧୁ ମିଶ୍ର, ଗୋପାଳ ଚନ୍ଦ୍ର ପ୍ରହରାଜ,ମଧୁସୂଦନ ଦାଶ, ମୃତ୍ୟୁଞ୍ଜୟ ରଥ, ପଣ୍ଡିତ ଆର୍ତ୍ତତ୍ରାଣ ମିଶ୍ର ଏହି ସମିତିର ସଦସ୍ୟ ଥିଲେ । ଅନୁସନ୍ଧାନ ସମିତି ଓଡିଶାର ପ୍ରତ୍ନସମ୍ପଦକୁ ଆଲୋକକୁ ଆଣିବା ସଂଗେ ସଂଗେ ଏହାର ଐତିହ୍ୟ ଉପରେ ବହୁ ସମ୍ବାଦ ସଂଗ୍ରହ କରିଥିଲା । ଉତ୍କଳ ସାହିତ୍ୟ ସମାଜର ଏକ ଐତିହାସିକ ଆଲୋଚନା ଶାଖା ଥିଲା । ଏହି ଶାଖାର ବାର୍ଷିକ ଅଧିବେଶନରେ ସତୀନ୍ଦ୍ରନାଥ ରାୟ ଇତିିହାସର ଅନ୍ଧକାର ଶୀର୍ଷକ ପ୍ରବନ୍ଧ ପାଠ କରି ଓଡିଆମାନଙ୍କ ନିକଟରେ ନୂତନ ତଥ୍ୟ ପ୍ରକାଶ କରିଥିଲେ । ଇତିହାସରେ ଓଡିଶାର ପ୍ରାଧାନ୍ୟକୁ ଆରୋପ କରି ରାୟ ଏକଦା କହିଥିଲେ- “ସନ୍ଦେହକୁ ସମ୍ବଳ କରି ଓଡିଶାର ପ୍ରାଚୀନ ଇତିହାସର ଅନୁସନ୍ଧାନ କରିବାକୁ ହେବ । ଯଯାତି କେଶରୀଙ୍କ ପୂର୍ବରେ ଓଡିଶାର ଇତିିହାସରେ ଅନ୍ଧକାର । ସେ ଅନ୍ଧକାର ଆଡକୁ ଆପଣମାନଙ୍କର ମନକୁ ଆକର୍ଷଣ କରୁଅଛି । ସେ ଅନ୍ଧକାର ଘୁଞ୍ଚିଗଲେ ସମଗ୍ର ଭାରତର ଇତିହାସ ଅନେକାଂଶରେ ସ୍ପଷ୍ଟ ହେବ । ମୋର ଧାରଣା ଯଯାତିକେଶରୀଙ୍କର ବହୁ ପୂର୍ବରୁ ଓଡିଶାର ଉପକୂଳରେ ଗୋଟିଏ ସମୃଦ୍ଧିଶାଳୀ ବାଣିଜ୍ୟପ୍ରବଣ ରାଜ୍ୟ ଥିଲା । ଚଟ୍ଟଗ୍ରାମଠାରୁ ଗଞ୍ଜାମ ପର୍ଯ୍ୟନ୍ତ ସେ ରାଜ୍ୟର ବିସ୍ତାର ଥିଲା । ମୋର ଏହି ଧରଣା ଭୁଲ୍ କି ଠିକ୍ ତାହା କହିବାର ଉପାୟ ନାହିଁ । ସୁମାତ୍ରା, ଜାଭା, ବାଲି ପ୍ରଭୃତି ଦ୍ୱୀପରେ ଓ ସୁଦୂର କାମ୍ବୋଡିଆ, ଆନାମ୍ ଓ ଚମ୍ପା ରାଜ୍ୟରେ ଅନୁସନ୍ଧାନ କଲେ ଏ ସଭ୍ୟତାର କିଛି ତତ୍ତ୍ୱ ମିଳିପାରେ । ଓଡିଶାର ଅସଲ ଇତିହାସ ତାହାର ଭୂଗର୍ଭରେ ଓ ଦୂର ବିଦେଶରେ ରହିଅଛି । ସମସ୍ତେ ଉଦ୍ଯୋଗ କଲେ ତାହାକୁ ଏଠାକୁ ଅଣାଯାଇପାରେ । (ସହକାର, ୧୩/୬, ପୃ-୫୩୬) ଏହିପରି ବହୁ ତଥ୍ୟପୂର୍ଣ୍ଣ ଆଲୋଚନା ଉତ୍କଳ ସାହିତ୍ୟ ସମାଜରେ ଓଡିଆମାନଙ୍କୁ ଆଲୋଡିତ କରିଥିଲା ଏବଂ ସେମାନେ ଓଡିଶାର ଐତିହ୍ୟ ପ୍ରତି ଅନୁରାଗ ଦେଖାଇବାକୁ ଆରମ୍ଭ କରିଥିଲେ । ସାହିତ୍ୟ ଓ ସଂସ୍କୃତିର ଆଦର ପାଇଁ ସମାଜ ବିଭିନ୍ନ ପୁରସ୍କାର ବିତରଣ କରିଥିଲେ । ସେସବୁ ମଧ୍ୟରେ ତାଳଚେର ପୁରସ୍କାର, ହିନ୍ଦୋଳ ପୁରସ୍କାର, ଗୌରୀଶଙ୍କର ପୁରସ୍କାର, ବନବିହାରୀ ପୁରସ୍କାର, କଲେଜ ପୁରସ୍କାର ଓ ସ୍କୁଲ୍ ପୁରସ୍କାର, ଲାଞ୍ଜିଗଡ ପୁରସ୍କାର ଓ ଅନସୂୟା ପୁରସ୍କାର ପ୍ରଭୃତି ପ୍ରସିଦ୍ଧ । ଏଠାରେ ପ୍ରକାଶ ଥାଉ କି ସମାଜ ଓଡିଆଭାଷୀ ବିଭିନ୍ନ ଅଞ୍ଚଳରେ ପ୍ରଚଳିତ ଭାଷାମାନଙ୍କ ଆଲୋଚନା ପୂର୍ବକ ଓଡିଶାରେ ଗୋଟିଏ ଆଦର୍ଶ ସାହିତ୍ୟିକ ଭାଷା ଗଠନର ଉଦ୍ଦେଶ୍ୟରେ ଅନସୂୟା ପୁରସ୍କାର(୨୦ ଟଙ୍କା) ଘୋଷଣା କରିଥିଲା । ଉତ୍କଳ ସାହିତ୍ୟ ସମାଜର ଅଧିବେଶନରେ ବିଭିନ୍ନ ଆର୍ଥନୀତିକ ସମସ୍ୟା, ସଂଗୀତ ଓ କ୍ରୀଡା ସମ୍ପର୍କିତ ଆଲୋଚନା ଦ୍ୱାରା ସମାଜର ବହୁମୁଖୀ ରୂପ ପ୍ରକାଶ ପାଇଥିଲା । ଭିକାରୀଚରଣ ପଟ୍ଟନାୟକଙ୍କର ସର୍ବୋକ୍ରୃଷ୍ଟ ଅବଦାନ ଓଡିଶାର କୁଟୀର ଶିଳ୍ପ ପୁସ୍ତକ ସାହିତ୍ୟ ସମାଜ ୧୯୪୦ରେ ପ୍ରକାଶ କରି ଏହାର ଆର୍ଥନୀତିକ ବୈଶିଷ୍ଟ୍ୟକୁ ଲୋକଲୋଚନକୁ ଆଣିଥିଲେ ।

୧୯୨୦ ଏବଂ ୧୯୩୦ ଦଶକରେ ଉତ୍କଳ ସାହିତ୍ୟ ସମାଜ ଓଡିଶାର ସାରସ୍ୱତ ମହାଯଜ୍ଞ ଥିଲା । ଏହାର ସହଯୋଗରେ ଅନେକଙ୍କର ଲେଖନୀ ଚାଳିତ ହେଲା । ଉଚ୍ଚଶିକ୍ଷିତ ଓଡିଆମାନେ ବହୁ ଉନ୍ନତ ସାହିତ୍ୟର ଉଚ୍ଚ ଚିନ୍ତା, ଉଚ୍ଚ ଆଦର୍ଶ, ଉଚ୍ଚ ଭାବ ସଂଗ୍ରହ କରି ନିଜର ମାତୃଭାଷା ଏବଂ ମାତୃ ସାହିତ୍ୟକୁ ପୁଷ୍ଟ ଓ ସମୃଦ୍ଧ କରିଥିଲେ । ମହିଳା ସମାଜ ମଧ୍ୟରେ ଧୀରେ ଧୀରେ ଓଡିଆ ଭାଷା ଓ  ସାହିତ୍ୟ ବିସ୍ତାର ଲାଭ କରିଥିଲା । ପ୍ରାଚୀନ ସାହିତ୍ୟ ସଂରକ୍ଷଣ ଓ ପ୍ରାଚୀନ ସାହିତ୍ୟ ପ୍ରଚାର ସହିତ ଆଧୁନିକ ସମସ୍ୟା ଗର୍ଭିତ ସାହିତ୍ୟାଲୋଚନା ଦ୍ୱାରା ସାହିତ୍ୟ ସମାଜ ଓଡିଆ ମାନସକୁ ଶକ୍ତିଶାଳୀ କରିଥିଲା । ଜାତୀୟ ସାହିତ୍ୟ ଗଠନ ପାଇଁ ଉକ୍ରଳ ସାହିତ୍ୟ ସମାଜର ଅବଦାନ ଚିରସ୍ମରଣୀୟ । ଏହା ବାସ୍ତବରେ ଓଡିଆ ଅସ୍ମିତାର ସୂଚକ ।

 

Photo credit- https://bit.ly/3xDcEtn

Share This Article
ଇତିହାସ ବିଭାଗର ପ୍ରଫେସର, ଗବେଷକ