Home / ବ୍ୟକ୍ତି ଓ ବ୍ୟକ୍ତିତ୍ୱ / ଈଶ୍ୱରଚନ୍ଦ୍ର ବିଦ୍ୟାସାଗର

ଈଶ୍ୱରଚନ୍ଦ୍ର ବିଦ୍ୟାସାଗର

    ‘ଈଶ୍ୱରଚନ୍ଦ୍ର ବିଦ୍ୟାସାଗର’ ଶୀର୍ଷକରେ ସମଦୃଷ୍ଟିରେ 2019 ମସିହାରେ ପ୍ରକାଶିତ ହୋଇଥିଲା ପ୍ରଫେସର ବୀରେନ୍ଦ୍ର ନାୟକଙ୍କର ଏହି ଲେଖାଟି … ଏହିଁ ଲେଖାଟିର ଉପଦେୟତାକୁ ଅନୁଭବ କରି ପାଠକମାନଙ୍କ ପାଇଁ ଏହାର କିଛି ଅଂଶକୁ ଏଠାରେ ଉପସ୍ଥାପନ କରାଯାଇଛି … ସମ୍ପାଦକ

କେବଳ ବଂଗଳାର ନ ଥିଲେ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର । ସେ ଥିଲେ ସମୁଦାୟ ମାନବ ସମାଜର । ବିଶ୍ୱକବି ରବୀନ୍ଦ୍ର ନାଥଙ୍କ ଭାଷାରେ୭, “ବିଦ୍ୟାସାଗରଙ୍କର ଜୀବନ ବୃତ୍ତାନ୍ତ ଆଲୋଚନା କରି ଦେଖିଲେ ଏହି କଥାଟି ବାରମ୍ବାର ମନରେ ଉଦୟ ହୁଏ ଯେ ସେ ଜଣେ ବଂଗାଳୀ ବଡ ଲୋକ ଥିଲେ ତାହା ନୁହେଁ, ସେ ଜଣେ ରିତିମତ ହିନ୍ଦୁ ଥିଲେ ତାହା ମଧ୍ୟ ନୁହେଁ- ସେ ତାହା ଅପେକ୍ଷା ଅନେକ ବଡ ଥିଲେ , ସେ ଯଥାର୍ଥ ମଣିଷ ଥିଲେ । ବିଦ୍ୟାସାଗରଙ୍କ ଜୀବନୀରେ ଏହି ଅନନ୍ୟ ସୁଲଭ ମନୁଷ୍ୟତ୍ୱର ପ୍ରାଚୁର୍ଯ୍ୟ ହିଁ ସର୍ବୋଚ୍ଚ ଗୈାରବର ବିଷୟ ।” ଏହି ମନ୍ତବ୍ୟର ପ୍ରତିଧ୍ୱନି ଆମେ ପାଉ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଉକ୍ତିରେ ଯେତେବେଳେ ସେ ଲେଖନ୍ତି୬, “ଇଶ୍ୱରଚନ୍ଦ୍ର କେବଳ ବିଦ୍ୟାର ସାଗର ନ ଥିଲେ, ସେ ଥିଲେ ଦୟାର ସାଗର, ବଦାନ୍ୟତାର ସାଗର, ସବୁ ଭଲ ଗୁଣର ଅଧିକାରୀ । ସେ ଥିଲେ ଜଣେ ହିନ୍ଦୁ ଓ ବ୍ରାହ୍ମଣ ମଧ୍ୟ । କିନ୍ତୁ ତାଙ୍କ ଦୃଷ୍ଟିରେ ବ୍ରାହ୍ମଣ ଏବଂ ଶୁଦ୍ର , ହିନ୍ଦୁ ଓ ମୁସଲମାନ , ସମସ୍ତେ ଥିଲେ ସମାନ ।

ଯେଉଁ ଭଲ କାର୍ଯ୍ୟ ସେ କରୁଥିଲେ, ସେଥିରେ ଉଚ୍ଚ ନୀଚ ଭିତରେ କୈାଣସି ଭେଦଭାବ କରୁ ନ ଥିଲେ । ଯେତେବେଳେ ତାଙ୍କ ଅଧ୍ୟାପକ କଲେରା ରୋଗରେ ଆକ୍ରାନ୍ତ ହେଲେ ସେତେବେଳେ ସେ ନିଜେ ହିଁ ତାଙ୍କର ସେବା କରିଥିଲେ , ନିଜ ଖର୍ଚ୍ଚରେ ଡାକ୍ତର ଡାକି ଥିଲେ ଓ ତାଙ୍କର ମଳମୂତ୍ର ମଧ୍ୟ ସଫା କରିଥିଲେ ।”(ପୃ-୩୫୯) ଭକ୍ତ କବି ମଧୁସୂଦନ ରାଓ (ଜନ୍ମ ୧୮୫୩ ମୃତ୍ୟୁ ୧୯୧୨) ଲେଖନ୍ତି୮, “ପରର ଦୁଃଖ ଦେଖିଲା କ୍ଷଣି ତାଙ୍କର ହୃଦୟ ବିଗଳିତ ହେଉଥିଲା ଏବଂ ତାଙ୍କ ନୟନରୁ ଅଶ୍ରୁଧାରା ପ୍ରବାହିତ ହେଉଥିଲା । ହିନ୍ଦୁ ବାଳବିଧବାମାନଙ୍କର ଦୁଃଖରେ ତାହାଙ୍କର ପ୍ରାଣ ଗଭୀର ବେଦନାରେ ବ୍ୟଥିତ ହୋଇଥିଲା ଏବଂ ସେମାନଙ୍କ ଦୁଃଖ ନିବାରଣ କରିବା ପାଇଁ ସେ ହିନ୍ଦୁ ଶାସ୍ତ୍ରର ବିଧାନ ଅନୁସାରେ ବାଳବିବାହର ପୁନର୍ବିବାହ ହୋଇପାରେ, ଏହା ପ୍ରମାଣ କରି ସମଗ୍ର ଭାରତ ବର୍ଷରେ ମହାକୀର୍ତ୍ତି ରଖିଯାଇଛନ୍ତି ।

ବିଧବା ବିବାହ ପ୍ରଚଳିତ କରାଇ ସେ ଯେ କେତେ କଷ୍ଟ, ଅପମାନ ଓ ଲୋକନିନ୍ଦା ସହିଥିଲେ ତାହା କହିହେବ ନାହିଁ ; କିନ୍ତୁ କ୍ଳେଶ ଓ ଭୟ ମଧ୍ୟରେ ସେ ବିରୋଚିତ ଧୈର୍ଯ୍ୟସହକାରେ ନିଜର କର୍ତ୍ତବ୍ୟ ସାଧନ କରିଥିଲେ ।” ଭାରତୀୟ ଜାତୀୟ କଂଗ୍ରେସର ଏକଦା ଅଧ୍ୟକ୍ଷ (ଲକ୍ଷେ୍ନା ଅଧିବେଶନ ୧୮୯୮ ) ଓ ପ୍ରଥମ ଭାରତୀୟ ଜିଲ୍ଲା ମାଜିଷ୍ଟ୍ରେଟ, ଆସିଏସ (ICS), ରମେଶଚନ୍ଦ୍ର ଦତ୍ତ (ଜନ୍ମ:୧୩ ଅଗଷ୍ଟ ୧୮୪୮ମୃତ୍ୟୁ: ୩୦ ନଭେମ୍ବର ୧୯୦୯) ଲେଖନ୍ତି ୯, “ଈଶ୍ୱରଚନ୍ଦ୍ରଙ୍କ ପରି ବିଦ୍ୟାବୁଦ୍ଧି ସମସ୍ତେ ପାଇବେ ନାହିଁ । ଇଶ୍ୱରଚନ୍ଦ୍ରଙ୍କର ଓଜସ୍ୱିତା, ମାନସିକ ବଳ ଓ ଦୃଢପ୍ରତିଜ୍ଞା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହଁ । ଈଶ୍ୱରଚନ୍ଦ୍ରଙ୍କ ପରି ସମସ୍ତଙ୍କ ଭିତରେ ଜାଗ୍ରତ ହୋଇ ନ ପାରେ ସର୍ବବ୍ୟାପୀ ସହୃଦୟତା, ବଦାନ୍ୟତା ଓ ଅନ୍ୟକୁ ସାହାଯ୍ୟ କରିବାର ଆଗ୍ରହ । ତଥାପି, ଈଶ୍ୱରଚନ୍ଦ୍ରଙ୍କ କଥା ସ୍ମରଣ କରି ଆମେ ବୋଧହୁଏ କିଛିଟା ଶିକ୍ଷା କରିପାରିବା ସରଳ ଜୀବନ ନିର୍ବାହ , କର୍ତ୍ତବ୍ୟ ପାଳନ ପାଇଁ କିଛିଟା ଉଦ୍ୟମରତ ହୋଇ ପାରିବା ଓ କିଛିଟା ଭଣ୍ଡାମୀ ତ୍ୟାଗ କରି ପାରିବା ..”

 ବଂଗଳାର ପ୍ରସିଦ୍ଧ ସାରସ୍ୱତ ସାଧକ, ଆଧୂନିକ ବଂଗଳା ମହାକାବ୍ୟର ଜନକ, ବିଦ୍ୟାସାଗରଙ୍କ ବନ୍ଧୁ ମାଇକେଲ ମଧୁସୂଦନ ଦତ୍ତଙ୍କ ମତରେ୧୦, “ପ୍ରାଚୀନ କାଳର ଋଷିଙ୍କ ପରି ବିଦ୍ୟାସାଗର ଥିଲେ ଅସାଧାରଣ ଧୀ ସମ୍ପନ୍ନ ଓ ଜ୍ଞାନର ଅଧିକାରୀ, ଇଂରାଜ ମଣିଷ ପରି ଥିଲା ତାଙ୍କର ତେଜ ଓ ହୃଦୟ ଥିଲା ବଂଗାଳୀ ମାର ହୃଦୟ ଭଳି । ”

ମହାରାଷ୍ଟ୍ରର ପ୍ରସିଦ୍ଧ ସମାଜସେବୀ, ଏକଦା ଫର୍ଗୁସନ କଲେଜ, ପୁନେରେ ଗଣିତ ଅଧ୍ୟାପକ, ଭାରତରତ୍ନ ଧୋଣ୍ଡୋ କେଶବ କାର୍ଭେ (ଜନ୍ମ ୨୮ ଏପ୍ରିଲ ୧୮୫୮ ମୃତ୍ୟୁ ୭ ନଭେମ୍ବର ୧୯୬୨) ଯୁବ ପିଢିଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ୧୧, “ପଣ୍ଡିତ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ଜୀବନୀ ଅନେକ ଦୃଷ୍ଟିରୁ ଛାତ୍ରମାନଙ୍କ ପାଇଁ ଏକ ଆଦର୍ଶ ବହନ କରେ । ଯଦିଓ ବିଦ୍ୟାସାଗରଙ୍କ ବୈାଦ୍ଧିକତା ହାସଲ କରିବା କଷ୍ଟ , କିନ୍ତୁ ସମସ୍ତେ ଅତି କମରେ ହାସଲ କରିପାରିବେ ବିଦ୍ୟାସାଗରଙ୍କ ପିତୃଭକ୍ତି, ହାସଲ କରିପାରିବେ ତାଙ୍କର ଅଧ୍ୟବସାୟ ଓ ସଂକଳ୍ପ, ଯାହାଦ୍ୱାରା ସମାଜରେ ଲୋକେ ଭୋଗୁଥିବା ଦୁଃଖ ଓ ଯନ୍ତ୍ରଣାକୁ ଲାଘବ କରିବା ଦିଗରେ ସେମାନେ କୈାଣସି ଉଦ୍ୟମରୁ କ୍ଷାନ୍ତ ହେବେ ନାହିଁ । ଏହା ମୋର ଦୃଢ ବିଶ୍ୱାସ ଯେ ଜଣେ ବିଦ୍ୟାସାଗରଙ୍କ ପରି ବୁଦ୍ଧିର ସାଗର ହୋଇ ନ ପାରେ, କିନ୍ତୁ ଜଣେ ଚେଷ୍ଟା କଲେ, ସାଧୁତାର ସାଗର ହୋଇପାରେ, ଏବଂ ଜୀବନ ହୋଇପାରେ ପ୍ରକୃତରେ ଫଳବତୀ ।

ଏପରିକି ଲୋକଙ୍କ ସେବା ବେଳେ, ସମାଜରେ କେତେକଙ୍କ ଭୁଲ ବୁଝାମଣା ଓ ରକ୍ଷଣଶୀଳତା ଯୋଗୁଁ , ଜଣକୁ ବହୁ ସମାଲୋଚନାର ଶରବ୍ୟ ହେବାକୁ ପଡିପାରେ, କଠୋର ବ୍ୟବହାର ଓ ଉତ୍ପୀଡନର ସମ୍ମୁଖୀନ ହେବାକୁ ପଡିପାରେ । କିନ୍ତୁ ଏହା ଦ୍ୱାରା ବିଚଳିତ ନ ହୋଇ, ଅନ୍ୟମାନଙ୍କର ଅସୈାଜନ୍ୟ ବ୍ୟବାହରରେ ନିଜର ବିରକ୍ତିକୁ ସମ୍ବରଣ କରି ବା ସେମାନଙ୍କୁ ଗାଳି ନ ଦେଇ, କେବଳ ଏକ ଆଦର୍ଶକୁ ମନରେ ରଖି କିପରି ମହାନ ବ୍ୟକ୍ତିମାନେ, ନିଜର ଲକ୍ଷ୍ୟ ହାସଲ କରିଥାନ୍ତି ତାହାର ଉଦାହରଣ ହେଉଛି ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ଜୀବନୀ । ଯଦି ପରୁଷ ଓ ମହିଳା ସାମଜକର୍ମୀ ମାନେ ଏହା ଉପଲବ୍ଧି କରନ୍ତି ତାହାହେଲେ ବହୁତ ବଡ ବଡ ଜିନିଷ ହାସଲ ହୋଇପାରିବ ।”

ବିଦ୍ୟାସାଗରଙ୍କ ପ୍ରଭାବ

            ଭାରତର ରାଜନୈତିକ, ସାଂସ୍କୃତିକ ଓ ସାମାଜିକ ଇତିହାସରେ ଅତି ପରିଚିତ ବ୍ୟକ୍ତିତ୍ୱମାନଙ୍କର ଉପରୋକ୍ତ ଉକ୍ତି ଗୁଡିକ ବିଦ୍ୟାସାଗରଙ୍କ ବ୍ୟକ୍ତିତ୍ୱର ମହାନତା ଓ ବ୍ୟାପକତାକୁ ସ୍ମରଣ କରାଇ ଦିଏ । ତାଙ୍କ ବ୍ୟକ୍ତିତ୍ୱର ପ୍ରଭାବ ସାରା ଭାରତରେ ପଡିଥିଲା । ସ୍ୱାମୀ ବିବେକାନନ୍ଦ କହିଥିଲେ୧୨, “ମୋ ସମବୟସ୍କ ଏପରି ଜଣେ ଉତ୍ତର ଭାରତରେ ନାହିଁ ଯାହା ଉପରେ ତାଙ୍କର(ବିଦ୍ୟାସାଗରଙ୍କ) ଛାୟା ପଡି ନାହିଁ ।” ବିଧବା ବିବାହ ପ୍ରସଂଗରେ ବିଦ୍ୟାସାଗରଙ୍କ ନାଁ ହିଁ ସର୍ବ ପ୍ରଥମେ ଉଲ୍ଲେଖ ହେଉଥିଲା। ଅନ୍ୟାନ୍ୟ ରାଜ୍ୟରେ ଯେଉଁମାନେ ବିଧବା ବିବାହ ସପକ୍ଷରେ ଆନ୍ଦୋଳନକୁ ନେତୃତ୍ୱ ଦେଉଥିଲେ ତାଙ୍କୁ ସେହି ଅଂଚଳର ବିଦ୍ୟାସାଗର ବୋଲି କୁହାଯାଉଥିଲା ।

ଯେପରି ବିଷ୍ଣୁ ପର୍ଶୁରାମ ପଣ୍ଡିତ (ଜନ୍ମ୧୮୨୭-ମୃତ୍ୟୁ ୧୮୭୬)ଙ୍କୁ ‘ମହାରାଷ୍ଟ୍ରର ବିଦ୍ୟାସାଗର’ କୁହା ଯାଉଥିଲା । ସେହିଭଳି ଆନ୍ଧ୍ର ପ୍ରଦେଶର ବୀରେଶଲିଂଗମ୍ ‘ଦକ୍ଷିଣର ଈଶ୍ୱରଚନ୍ଦ୍ର ବିଦ୍ୟାସାଗର’ ଭାବେ ପରିଚିତ ଥିଲେ । ବିଦ୍ୟାସାଗରଙ୍କ ଜୀବଦ୍ଧଶାରେ, ବିଭିନ୍ନ ଭାରତୀୟ ଭାଷାରେ, ତାଙ୍କର ଜୀବନୀର ରଚନା ହୋଇଥିଲା ଓ ତାଙ୍କ ଦ୍ୱାରା ରଚିତ ପ୍ରବନ୍ଧ ଓ ଅନ୍ୟାନ୍ୟ ପୁସ୍ତକର ଅନୁବାଦ ମଧ୍ୟ ହୋଇଥିଲା । ଓଡିଆ ଭାଷାରେ ଏହି ଉଦ୍ୟମ ଆରମ୍ଭ କରିଥିଲେ ବ୍ୟାସକବି ଫକୀରମୋହନ; ସେ ଈଶ୍ୱରଚନ୍ଦ୍ରଙ୍କ ରଚିତ (୧୮୪୯) ‘ଜୀବନ ଚରିତ’ର ଓଡିଆ ଅନୁବାଦ ୧୮୬୬ ମସିହାରେ କରିଥିଲେ।

ଈଶ୍ୱରଚନ୍ଦ୍ରଙ୍କ ଦ୍ୱାରା ବଂଗଳା ଭାଷାରେ ରଚିତ ଅନ୍ୟାନ୍ୟ ପୁସ୍ତକ ଯେପରି ‘ଶକୁନ୍ତଳା’, ‘ବୋଧୋଦୟ’, ‘ସଂସ୍କୃତ ବ୍ୟକରଣେର ଉପକ୍ରମଣିକା’, ‘ସୀତାର ବନବାସ’, ‘ବ୍ୟାକରଣ କୈାମୁଦୀ’, ‘ଆଖ୍ୟାନମଂଜରୀ’ ଆଦି ୧୮୭୨ ସୁଦ୍ଧା ଓଡିଆ ଭାଷାରେ ଅନୁଦିତ ହୋଇଥିଲା । ମଧୁସୂଦନ ରାଓଙ୍କ ‘ବର୍ଣ୍ଣବୋଧ’ର ରଚନା ଈଶ୍ୱରଚନ୍ଦ୍ରଙ୍କ ରଚିତ ‘ବର୍ଣ୍ଣପରିଚୟ’ର ଛାୟାରେ ହିଁ ହୋଇଥିଲା୧୩ । ଏପରିକି ତାଙ୍କର ବ୍ୟକ୍ତିତ୍ୱ ତଥା କୀର୍ତ୍ତି, ବିଧବା ବିବାହର ପ୍ରଚଳନର ସମ୍ଭାବନା, ଓଡିଆ ସୃଜନୀ ସାହିତ୍ୟରେ ଉଲ୍ଲିଖିତ ହେବା ଆରମ୍ଭ ହୋଇଥିଲା । ୧୮୯୧ ମସିହାରେ ରାମଶଙ୍କର ରାୟଙ୍କ ରଚିତ ଉପନ୍ୟାସ ‘ବିବାସିନୀ’ ହେଉ ବା ଏହାର ପ୍ରାୟ ଦୁଇ ଦଶନ୍ଧି ପରେ ରଚିତ ନନ୍ଦକିଶୋର ବଳଙ୍କ ଉପନ୍ୟାସ ‘କନକଲତା’ ହେଉ ଉଭୟରେ ବିଧବା ବିବାହର ସମ୍ଭାବନାକୁ ଉଜାଗର କରାଯାଇଛି । ଯଦିଓ ଉଭୟରେ ଏହା ସଫଳ ହୋଇପାରି ନାହିଁ, ‘ବିବାସିନୀ’ରେ ବିଧବା କଳାବତୀଙ୍କୁ ନାୟକ ରଘୁନାଥଙ୍କ ବିବାହ ପ୍ରସ୍ତାବ ଫଳବତୀ ହୋଇନାହିଁ କାରଣ କଳାବତୀ ଏହା ଚାହିଁ ନାହାନ୍ତି । ‘କନକଲତା’ରେ ରାଜେନ୍ଦ୍ର ଓ ବାଲ୍ୟ ବିଧବା ଉମା ବିବାହ ପାଇଁ ପ୍ରସ୍ତୁତ ଥିବା ବେଳେ ଉମାର କଲେରାରେ ମୃତ୍ୟୁ ହୋଇଛି । ‘କନକଲତା’ରେ ନନ୍ଦକିଶୋର ବଳ ଏକ ସ୍ମରଣୀୟ ସଂଳାପ ରାଜେନ୍ଦ୍ର ମୁଁହରେ କୁହାଇଛନ୍ତି – “ବିଦ୍ୟାସାଗର କଣ ଓଡିଶାରେ ଜନ୍ମିବେ ନାହିଁ?” କହିବା ବାହୁଲ୍ୟ ଯେ ଈଶ୍ୱରଚନ୍ଦ୍ରଙ୍କର ଏକ ସର୍ବଭାରତୀୟ ଉପସ୍ଥିତି ଥିଲା ସାମାଜିକ, ସାଂସ୍କୃତିକ ଓ ଶୈକ୍ଷିକ ଜୀବନରେ ଓ ଏହା ବେଶ ଗଭୀର ଥିଲା ।

 କେବଳ ଭାରତରେ ନୁହେଁ ତାଙ୍କର ଖ୍ୟାତି ବିଦେଶରେ ମଧ୍ୟ ପ୍ରସାରିତ ହୋଇଥିଲା । ତାଙ୍କ ରଚିତ ଅନେକ ପୁସ୍ତକ ବିଦେଶୀ ଭାଷାରେ ଅନୁଦିତ ହୋଇଥିଲା । ମାଇକେଲ ମଧୁସୂଦନ ଦତ୍ତ୍ ବିଦ୍ୟାସାଗରଙ୍କୁ ପାରିସ ସହରରୁ ଏକ ପତ୍ର ଲେଖି ଜଣାନ୍ତି୧୪ କିପରି ସେ ସେହି ସହରର ଏକ ବହି ଦୋକାନରେ ତାଙ୍କର ଗୋଟିଏ ଦୁଇଟି ବହି ଥିବାର ଦେଖି ଆପ୍ୟାୟିତ ହୋଇଛନ୍ତି । ଏହାର ଦୁଇ ବର୍ଷ ପରେ ୧୮୬୬ ମସିହାରେ ମାଇକେଲ ବିଦ୍ୟାସାଗରଙ୍କୁ ଲେଖନ୍ତି, “ବହୁ ବିବାହ ବିରୋଧରେ ତୁମର ଆବେଦନ ସମ୍ପର୍କରେ ଆମେ ଶୁଣିଛୁ। Saturday Reviewରେ ତୁମ ବିଷୟରେ ଏକ ଖୁବ ଭଲ ମନ୍ତବ୍ୟ ପ୍ରକାଶ ପାଇଛି । ” ଆଉ ଏକ ପତ୍ରରେ ଲେଖନ୍ତି, “ଡକ୍ଟର ଗୋଲ୍ଡସ୍ଟକର ଜଣେ ଉଚ୍ଚକୋଟିର ସଂସ୍କୃତ ବିଦ୍ୱାନ ଅଟନ୍ତି । ଆମେ ତୁମ ବିଷୟରେ (ସେ ତୁମକୁ ନାଁରୁ ଅତି ଭଲ ଭାବେ ଜାଣନ୍ତି) ଓ ବିଧବା ପୁନର୍ବିିବାହ ସମ୍ପର୍କରେ ଆଲୋଚନା କରିଲୁ ।”

ମାର୍କିନ ବିଦ୍ୱାନ, ଐତିହାସିକ David Kopf ଙ୍କ ମତରେ ବିଦ୍ୟାସାଗର୧୪ “ଥିଲେ ଜଣେ ନିଛକ ଯୁକ୍ତିବାଦୀ, ନିଷ୍ଠାପର ମାନବବାଦୀ ଭାବେ ପରିଚିତ ଓ ଜଣାଶୁଣା ନାସ୍ତିକ ।…ମଣିଷର ଦୁଃଖ ଯନ୍ତ୍ରଣାକୁ ପ୍ରଶମିତ କରିବା ପାଇଁ .ବା ତାର ଅବସ୍ଥାରେ ଉନ୍ନତି ପାଇଁ ବିରାମହୀନ ଉଦ୍ୟମ ମୂଳରେ ଥିଲା ତାଙ୍କର ମନୁଷ୍ୟର ପୂର୍ଣ୍ଣତା ବା ତୃଟିହୀନତା(prfectability)ରେ ବିଶ୍ୱାସ , ଓ ପ୍ରତିବେଶୀ ପ୍ରତି ମନୁଷ୍ୟର ଦାୟିତ୍ୱବୋଧତାରେ ବିଶ୍ୱାସ ।”(ପୃ ୨୨୬) ମହିଳାଙ୍କ ପ୍ରତି ଅବହେଳା ବିରୋଧରେ ତାଙ୍କର ବେସାଲିସ ସଂଗ୍ରାମ ଓ ସେମାନଙ୍କୁ ଏକ ମର୍ଯ୍ୟାଦାବନ୍ତ ଜୀବନ ଧାରଣ ପାଇଁ ରଚନାତ୍ମକ କାର୍ଯ୍ୟ ତତ୍ପରତା, ଦେଶ ଓ ଦେଶ ବାହାରେ ପ୍ରଗତିଶୀଳ, ମାନବତାବାଦୀ ଜନଗୋଷ୍ଠୀକୁ ବେଶ ପ୍ରଭାବିତ କରିଥିଲା ।

ଈଶ୍ୱରଚନ୍ଦ୍ର ବାସ୍ତବରେ ଏକ ମହାନ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ, ସେ ଅନନ୍ୟ ଥିଲେ । ମଧୁସୂଦନ ରାଓ ଈଶ୍ୱରଚନ୍ଦ୍ରଙ୍କ ମୃତ୍ୟୁପରେ ଶ୍ରଦ୍ଧାଂଜଳୀ ଦେଇ ଲେଖିଥିଲେ୮, “ଲୋକେ ମନେ କରନ୍ତି ଯେ ସେହି ବଡଲୋକ, ଯାହାର ବହୁ ଧନ, କୋଠାବାଡି, ଯାନବାହନ ଏବଂ ବହୁ ଆଜ୍ଞାକାରୀ ଭୃତ୍ୟ ଅଛନ୍ତି; କିନ୍ତୁ ପ୍ରକୃତ ବଡଲୋକ, ଯଥାର୍ଥ ବଡଲୋକ ସେହି, ଯେ ନିଜର ଜ୍ଞାନ, ସାଧୁଚରିତ୍ର ଓ ସଦଗୁଣ ଦ୍ୱାରା ପୃଥିବୀର ହିତ ସାଧନ କରେ । ତାର ଟଙ୍କାକଉଡି, କୋଠାବାଡି, ଗାଡିଘୋଡା ଏବଂ ଦାସଦାସୀ ନ ଥିଲେ ସୁଦ୍ଧା ସେ ଅତି ଦରିଦ୍ର ହୋଇଥିଲେ ହେଁ; ସେ ପ୍ରକୃତରେ ବଡଲୋକ, ସେ ପୃଥିବୀର ଅଳଙ୍କାର ସ୍ୱରୂପ, ସେ ମନୁଷ୍ୟ ହୋଇ ସୁଦ୍ଧା ଦେବତାତୁଲ୍ୟ ଭକ୍ତିଭାଜନ । ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ସେହିଭଳି ବଡଲୋକ ।”(ପ-୩୨୧)

ଉପସଂହାର

            ଏହା ଦୁର୍ଭାଗ୍ୟଜନକ ଯେ ଏହି ଭଳି ଜଣେ ବଡ ଲୋକର ମୂର୍ତ୍ତି ଆଜି ଅସମ୍ମାନର ଶୀକାର ହୋଇଛି । ଏହା ପୂର୍ବରୁ ଈଶ୍ୱରଚନ୍ଦ୍ରଙ୍କର ବିଶ୍ୱବନ୍ଦନୀୟ ପ୍ରଶଂସକ ରବୀନ୍ଦ୍ରନାଥ ଓ ମହାତ୍ମା ଗାନ୍ଧୀ, ଯାହାଙ୍କର ମନ୍ତବ୍ୟ ଏହି ନିବନ୍ଧରେ ଉଦ୍ଧାର କରାଯାଇଛି, ମଧ୍ୟ ଉପେକ୍ଷା ଓ ଅସୂୟାର ଶୀକାର ହୋଇଛନ୍ତି ; ରବୀନ୍ଦ୍ରନାଥଙ୍କୁ ପାଠ୍ୟପୁସ୍ତକରୁ ବାଦ ଦେବା ପାଇଁ ପ୍ରସ୍ତାବ ଦିଆଯାଇଛି୧୫, ମହାତ୍ମା ଗାନ୍ଧୀଙ୍କର ଫଟକୁ ଗୁଳି କରାଯାଇଛି୧୬ ଓ ଗାନ୍ଧୀଙ୍କ ହତ୍ୟାକାରୀକୁ ଦେଶପ୍ରେମୀ କୁହାଯାଉଛି । ଅବଶ୍ୟ ତତ୍କାଳୀନ ହିନ୍ଦୁ ସମାଜରେ ବାଳିକା ବିବାହ ଓ ବହୁ ବିବାହର ପ୍ରଚଳନ ତଥା ବିଧବା ବିବାହ ଉପରେ ପ୍ରତିବନ୍ଧକ ବିରୋଧରେ ବିଦ୍ୟାସାଗରଙ୍କ ଯୁକ୍ତି ସର୍ବୋପରି ନାରୀର ଅସ୍ତିତ୍ୱକୁ ମର୍ଯ୍ୟାଦାବନ୍ତ କରିବା ପାଇଁ ତାଙ୍କର ପ୍ରୟାସ ତତ୍କାଳୀନ ରକ୍ଷଣଶୀଳ ହିନ୍ଦୁ ସମାଜକୁ ବେଶ ଉତ୍ତେଜିତ କରିଥିଲା । ବିଧବା ବିବାହ ପଥରେ ଥିବା ଆଇନଗତ ପ୍ରତିବନ୍ଧକକୁ ଦୂର କରିବା ପାଇଁ ତତ୍କାଳୀନ କମ୍ପାନୀ ସରକାରଙ୍କ legislative council ନିକଟରେ ତାଙ୍କର ଆବେଦନ (୪ ଅକ୍ଟୋବର ୧୮୫୫) ଘୋର ବିରୋଧର ସମ୍ମୁଖୀନ ହୋଇଥିଲା । ବିଦ୍ୟାସାଗରଙ୍କ ସମ୍ପର୍କରେ ତ କୁହାଯାଇଥିଲା ଯେ ସେ ଜଣେ୨୦ “ଅତ୍ୟନ୍ତ ଅପରିଣାମଦର୍ଶୀ (thoughtless) ଏବଂ ଅଦୂରଦର୍ଶୀ (improvident) ଯୁବକ ଯିଏ ଅକଳନୀୟ ଅସୁବିଧା ଭୋଗିବେ ଯାହା କେବଳ ଭଗବାନ ହିଁ ଜାଣନ୍ତି । ”

ଈଶ୍ୱରଚନ୍ଦ୍ରଙ୍କ ପ୍ରସ୍ତାବିତ ବିଧବା ବିବାହ ଶାସ୍ତ୍ର ସମ୍ମତ ନୁହେଁ ବୋଲି ବିରୋଧୀଙ୍କ ଯୁକ୍ତି ମଧ୍ୟ କମ୍ପାନୀ ସରକାରଙ୍କ legislative councilଙ୍କୁ କେତେକ ଆତ୍ମ ଘୋଷିତ ହିନ୍ଦୁ ଆଇନର ଫ୍ରଫେସର ମାନେ ଜଣାଇଥିଲେ ଓ ନିଜ ଯୁକ୍ତି ସପକ୍ଷରେ “ବେଦ, ମନୁ ସଂହିତା, ମହାଭାରତ, ଆଦିତ୍ୟ ପୁରାଣ, ରତ୍ନାକର, ନିରନ୍ୟ ସିନ୍ଧୁ, ହିମାଦ୍ରୀ, ମଦନ ପାରିଜାତ” ଗ୍ରନ୍ଥରୁ ଉଦ୍ଧୃତିମାନ ଉଲ୍ଲେଖ କରିଥିଲେ୨୦ । ବିଧବା ବିବାହ ପଥରେ ଆଇନଗତ ପ୍ରତିବନ୍ଧକ ଦୂର କରିବା ପାଇଁ କମ୍ପାନୀ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ବିଧେୟକ ଉପରେ ଯେତେବେଳେ ଜନମତ ନିଆଗଲା ସେତେବେଳେ ୫୧୯୧ ଜଣ ବିଧବା ବିବାହ ସପକ୍ଷରେ ମତ ଦେଇଥିବା ବେଳେ, ୫୧,୭୪୬ ଜଣ ଏହା ବିରୋଧରେ ମତ ଦେଇଥିଲେ । ତଥାପି ବିଭିନ୍ନ ଦିଗରୁ ଏହାର ବିଚାର ହୋଇ ଏହା ୧୯ ଜୁଲାଇ ୧୮୫୬ରେ ବିଧାନ ପରିଷଦରେ ଗୃହୀତ ହୋଇଗଲା୨୦ । ୨୪ ଜୁଲାଇ ୧୮୫୬ ଦିନ ଢାକା ଜିଲ୍ଲାର ବାସିନ୍ଦା ଏହାକୁ ସମର୍ଥନ ଜଣାଇଲେ୨୦ ଏହା କହି ଯେ ଏହି ବିଧେୟକ ହିନ୍ଦୁ ଶାସ୍ତ୍ର ବିରୋଧୀ ନୁହେଁ ଯାହା ପଣ୍ଡିତ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ତାଙ୍କର ବିଧବା ବିବାହ ଉପରେ ଦୁଇଟି ଅଧ୍ୟୟନରେ ଦର୍ଶାଇଛନ୍ତି । ଶାସ୍ତ୍ରର ବ୍ୟୁତ୍ପତ୍ତି କରି ବିଧବା ବିବାହ ଶାସ୍ତ୍ର ସମ୍ମତ ଦେଖାଇବାର ସମସ୍ତ ପ୍ରୟାସ ସତ୍ତ୍ୱେ ତତ୍କାଳୀନ ରକ୍ଷଣଶୀଳ ହିନ୍ଦୁ ସମାଜର ବିରୋଧୀ ମାନସିକତା ଦେଖି ବିଦ୍ୟାସାଗର ଦେଶବାସୀଙ୍କୁ ଆହ୍ୱାନ ଦେଇ ଲେଖିଥିଲେ୨୧, “ଦେଶବାସୀ! କେତେଦିନ ଯାଏ ତୁମେ ବିଭ୍ରାନ୍ତି(illusions) ଦ୍ୱାରା ପରିଚାଳିତ ହୋଇ ତୁମ ନିଜକୁ କଷ୍ଟ ଦେଉଥିବ ! ଥରେ ଆଖି ଖୋଲ ଏବଂ ଦେଖ ଯେଉଁ ଭାରତ ଦିନେ ସଦାଚାରର(virtues) ଭୂମି ଥିଲା ତାହା ଆଜି ବ୍ୟଭିଚାର ଓ ଭ୍ରୁଣହତ୍ୟାର ସ୍ରୋତରେ ବନ୍ୟାପ୍ଳାବିତ ହୋଇଛି। ଯେଉଁ ଅଧପତନରେ ତୁମେ ନିମଗ୍ନ ହୋଇଯାଇଛ ତାହାର ସ୍ତର ପ୍ରକୃତରେ ଅତି ନିମ୍ନ । ତୁମେ ତୁମ ଶାସ୍ତ୍ର ଗୁଡିକର ଆତ୍ମାକୁ ଗଭୀରତାର ସହ ବୁଝ, ସେମାନଙ୍କର ନିର୍ଦ୍ଦେଶକୁ ପାଳନ କର, ତୁମେ ତୁମ ଦେଶର ଚେହେରା ଉପରେ ଲାଗିଥିବା ଅପରିଷ୍କାର ଦାଗକୁ ଲିଭାଇ ଦେଇ ପାରିବ । କିନ୍ତୁ ଦୁର୍ଭାଗ୍ୟ ଯେ ପୂର୍ବରୁ ଚଳି ଆସୁଥିବା କୁସଂସ୍କାରର ପ୍ରଭାବରେ ତୁମେ ଏତେ ମାତ୍ରରେ ଗ୍ରସ୍ତ, ସାମାଜିକ ପ୍ରଥା, ଚଳଣି ତଥା ବାହ୍ୟ ଆଡମ୍ବର ପ୍ରତି ତୁମେ ଏତେ ପ୍ରଚୁର ପରିମାଣରେ ଆସକ୍ତ ଯେ ମୋର ଆଶଙ୍କା ତୁମେ କଦାପି ତୁମର ମର୍ଯ୍ୟାଦାକୁ ଜାହିର କରି ପାରିବ ନାହିଁ ଏବଂ ସତ୍ୟପରାୟଣତାର (rectitude) ପଥ ଅନୁସରଣ କରି ପାରିବ ନାହିଁ ।”

ବିଦ୍ୟାସାଗରଙ୍କୁ ତତ୍କାଳୀନ ଭାରତୀୟ ସମାଜରେ ନାରୀର ଦୁର୍ଦ୍ଦଶା ବେଶ ବିଚଳିତ କରିଥିଲା ଓ ଏଥିପାଇଁ ପୁରୁଷର ଭୂମିକାକୁ ଦାୟୀ କରି ସେ ଲେଖିଥଲେ୨୧, “ଯେଉଁଠି ପୁରୁଷ ପାଖରେ ଦୟା ଏବଂ କରୁଣା ନାହିଁ, ଠିକ ଭୁଲର ଧାରଣା ନାହିଁ , ଭଲ ମନ୍ଦର ବିଚାର ନାହିଁ , ଏବଂ ଯେଉଁଠି ପୁରୁଷ କେବଳ ବାହ୍ୟିକ କେତୋଟି ପ୍ରଥା ପାଳନକୁ ସର୍ବୋଚ୍ଚ କର୍ତ୍ତବ୍ୟ ମନେ କରେ , ସବୁଠାରୁ ବଡ ପୂଣ୍ୟ ବୋଲି ମନେ କରେ, ଏହି ଭଳି ଦେଶରେ ବରଂ ନାରୀ ଆଦୈା ଜନ୍ମ ହୋଇ ନ ଥାନ୍ତା । ହେ ଭାରତର ନାରୀ ! ତୁମର ଭାଗ୍ୟକୁ ଦୁଃଖ-କଷ୍ଟ ଭିତରକୁ ହିଁ ଫିଂଗି ଦିଆଯାଇଛି ।” ପ୍ରାୟ ୧୬୦ ବର୍ଷ ତଳେ ନାରୀର ଭାଗ୍ୟକୁ ନେଇ ବିଚଳିତ ବିଦ୍ୟାସାଗରଙ୍କର ଉକ୍ତିର ପ୍ରତିଧ୍ୱନି ଏବେ ମଧ୍ୟ ଶୁଭୁ ନାହିଁକି ଯେତେବେଳେ ଭାରତୀୟ ଗଣମାଧ୍ୟମରେ ସମ୍ବାଦ ପ୍ରକାଶ ପାଉଛି୨୨ Crimes against women up 83%..’ (‘ମହିଳାଙ୍କ ପ୍ରତି ଅପରାଧରେ ୮୩% ବୃଦ୍ଧି….’) ବା ପ୍ରକାଶ ପାଉଛି ଶିରୋନାମା୨୩ ‘No Country for Women’ (‘ଦେଶ ମହିଳାଙ୍କ ପାଇଁ ନୁହେଁ ’)?

            ବିଦ୍ୟାସାଗରଙ୍କ ମୂର୍ତ୍ତିକୁ ନ ଭାଂଗି, ବରଂ ତାଙ୍କ ମୂର୍ତ୍ତିର ଆରାଧନା କରି , ନାରୀର ମର୍ଯ୍ୟଦା ପାଇଁ ତାଙ୍କର ଅବିଚଳିତ ବେସାଲିସ ସଂଗ୍ରାମରୁ ପ୍ରେରଣା ନେଇ , ନାରୀର ଦୁର୍ଦ୍ଦଶା ସୃଷ୍ଟି କରୁଥିବା ବର୍ତ୍ତମାନର ବିଷମୟ ବାତାବରଣକୁ ଭାଂଗିବା ପାଇଁ ଉଦ୍ୟମ ପ୍ରକୃତ ଅର୍ଥରେ ସାର୍ଥକ ହେବ ।

Photo credit – https://bit.ly/2ILTGfv

About ପ୍ରଫେସର ବୀରେନ୍ଦ୍ର ନାୟକ

ପ୍ରଫେସର ବୀରେନ୍ଦ୍ର ନାୟକ
ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ

Check Also

Featured Video Play Icon

ମାଟି ଆଉ ମଣିଷର କବି କୃଷ୍ଣ ପ୍ରସାଦ

ନର୍ଦ୍ଦମା ପାଶେ ବାରବୁଲା ଡାକେ ହାଇ ମାରେ ବସି ବଣିକ ଶକୁନ ଶାସନ ଅବସାନ କର ଯୁଗର ଦାବିୟେ ଶାସକ …

Leave a Reply

Your email address will not be published. Required fields are marked *