Home / ଇତିହାସ / ଇତିହାସ ପୃଷ୍ଠାରୁ / ଆମ୍ବେଦକରଙ୍କ ଦ୍ୱାରା ପ୍ରକାଶିତ ମରାଠି ପାକ୍ଷିକ ଖବରକାଗଜ ‘ମୂକନାୟକ’ର ଶତବାର୍ଷିକୀ ଅବସରରେ ମୂକନାୟକ : ଏବେ ବି ପ୍ରାସଙ୍ଗିକ

ଆମ୍ବେଦକରଙ୍କ ଦ୍ୱାରା ପ୍ରକାଶିତ ମରାଠି ପାକ୍ଷିକ ଖବରକାଗଜ ‘ମୂକନାୟକ’ର ଶତବାର୍ଷିକୀ ଅବସରରେ ମୂକନାୟକ : ଏବେ ବି ପ୍ରାସଙ୍ଗିକ

ବାବାସାହେବ ଆମ୍ବେଦକରଙ୍କ ଦ୍ୱାରା ପ୍ରକାଶିତ ମରାଠୀ ପାକ୍ଷିକ ଖବରକାଗଜର ମୂକନାୟକକୁ ଅନେକେ ଭାରତରେ ଦଳିତ କଣ୍ଠସ୍ୱରର ପ୍ରଥମ ଅଭିବ୍ୟକ୍ତି ବୋଲି କହନ୍ତି । ଏହା ମାଧ୍ୟମରେ ଆମ୍ବେଦକର ଅସ୍ପୃଶ୍ୟତା ବିରୋଧରେ, ସମାଜର ନିମ୍ନ ଓ ପଛୁଆବର୍ଗର ଲୋକମାନଙ୍କ ପ୍ରତି ହେଉଥିବା ଅବିଚାର, ଅନାଚାର ଓ ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ।

ଅଛୁଆଁ ବୋଲି କୁହା ଯାଉଥିବା ଲୋକମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଆଦି ବୁନିଆଦୀ ସମସ୍ୟାକୁ ପାଦପ୍ରଦୀପ ଆଣିବାର ଚେଷ୍ଟା କରିଛନ୍ତି । ହିନ୍ଦୁଧର୍ମରେ ଥିବା ନାନାପ୍ରକାର କୁସଂସ୍କାର ଏବଂ ବାଛବିଚାର ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ଏହା ହିଁ ଥିଲା ଏ କାଗଜ ପ୍ରକାଶର ଉଦ୍ଦେଶ୍ୟ ।

୧୯୨୦ ମସିହା ୩୧ଜାନୁଆରୀରେ ଏହାର ପ୍ରଥମ ସଂଖ୍ୟା ପ୍ରକାଶିତ ହୋଇଥିଲା । ଅନେକେ କହନ୍ତି ଏ କାଗଜର ନାଁଟି ସପ୍ତଦଶ ଶତାବ୍ଦୀର ମରାଠୀ ସନ୍ଥ ତୁକାରାମଙ୍କର ଏକ ଗୀତର ପଂକ୍ତିରୁ ନିଆଯାଇଛି ।

ମୂକନାୟକର ପ୍ରଥମ ସଂଖ୍ୟାରେ ସେ ଯେଉଁ ସମ୍ପାଦକୀୟ ଲେଖିଥିଲେ ସେଥିରେ ହିନ୍ଦୁ ସମାଜକୁ ଏକ ବହୁତଳ ପ୍ରାସାଦ ସହିତ ତୁଳନା କରାଯାଇଛି, ଯେଉଁଥିରେ ବାହାରକୁ ବାହାରିବାର କୌଣସି କବାଟ ନାହିଁ । ଏହା ଭିତରକୁ ଯିବାର କୌଣସି ସିଡ଼ି ନାହିଁ । କୌଣସି ତଳ ସହିତ ଅନ୍ୟ ତଳର କୌଣସି ସମ୍ପର୍କ ନାହିଁ ।

କୌଣସି ତଳର ଲୋକ ଅନ୍ୟ ତଳକୁ ଯିବାର କୌଣସି ବ୍ୟବସ୍ଥା ନାହିଁ । ଯିଏ ଉପରେ ଅଛି – ସେ ସବୁବେଳେ ଉପରେ ରହିବ ଆଉ ଯିଏ ତଳେ ଅଛି ସେ ସବୁବେଳେ ତଳେ ରହିବ । ମୂକନାୟକରେ ପ୍ରକାଶିତ ଲେଖା ଦଳିତ ସମାଜରେ ଏକ ନୂଆ ଜାଗରଣ ସୃଷ୍ଟି କରିଥିଲା । ନିଜ ଅଧିକାର ବିଷୟରେ ସଚେତନ କରିଥିଲା । ଅନେକେ ତେଣୁ ଏହାକୁ ଦଳିତ ରାଜନୀତିର ପ୍ରଥମ ଉଚ୍ଚରଣ ବୋଲି କହନ୍ତି ।

ଏ କାଗଜଟିରେ ବାବା ସାହେବଙ୍କ ନାଁ କେଉଁଠି ନଥିଲା । କାରଣ ସେତେବେଳେ ସେ ସରକାରୀ ଚାକିରୀରେ ଥିଲେ । କାଗଜ କଲମରେ ଏ କାଗଜର ପ୍ରଥମ ସମ୍ପାଦକ ଥିଲେ ନନ୍ଦ୍ରା ଭାଟ୍‌କର । ପରେ ସମ୍ପାଦକ ହୋଇଥିଲେ ଦୟାଦର ଘୋଲାପ ।

ମାତ୍ର ତିନିବର୍ଷ ବଂଚିଥିଲା ମୂକନାୟକ । ଅର୍ଥାଭାବ ଏବଂ ଅନ୍ୟାନ୍ୟ ପରିଚାଳନା ଗତ ଅସୁବିଧା ଓ ଅନ୍ତଃବିବାଦ ଯୋଗୁଁ ଏହା ବନ୍ଦ ହୋଇଯାଇଥିଲା । କିନ୍ତୁ ମାତ୍ର ତିନିବର୍ଷର ଜୀବନକାଳ ଭିତରେ ମୂକନାୟକ ଭାରତୀୟ ରାଜନୀତିରେ ଦଳିତ କଣ୍ଠର ଗୁରୁତ୍ୱକୁ ପ୍ରତିଷ୍ଠିତ କରିପାରିଥିଲା ।

ବାବା ସାହେବ ପରବର୍ତ୍ତୀ ସମୟରେ ଆଉ ତିନୋଟି ଖବରକାଗଜ ପ୍ରକାଶ କରିଥିଲେ । ୧୯୨୭ ଏପ୍ରିଲରେ ସେ ଗୋଟେ ଛାପାଖାନା କିଣିଲେ । ତା ନାଁ ଦେଲେ ଭାରତ ଭୂଷଣ ପ୍ରିଣ୍ଟିଂ ପ୍ରେସ୍ । ଏଠୁ ସେ ଏକ ପାକ୍ଷିକ ଖବରକାଗଜ ବାହାର କଲେ । ତା ନାଁ ବହିଷ୍କୃତ ଭାରତ ।

ମୂକନାୟକ ଭଳି ବହିଷ୍କୃତ ଭାରତ ବି ଆରମ୍ଭରୁ ଅର୍ଥାଭାବ ଏବଂ ଅନ୍ୟାନ୍ୟ ଅସୁବିଧାର ସମ୍ମୁଖୀନ ହେଲା ଆଉ ନଭେମ୍ବର ୧୯୨୯ ବେଳକୁ ବନ୍ଦ ହୋଇଗଲା । ପରବର୍ଷ ଅର୍ଥାତ୍ ୧୯୩୦ରେ ବାବାସାହେବ ଆଉ ଗୋଟିଏ ପାକ୍ଷିକ ଖବର କାଗଜ ବାହାର କଲେ । ତା ନାଁ ଦେଲେ ‘ଜନତା’ । ୧୯୫୪ରେ ସେ ସେ ତାଙ୍କ ଅନୁଗାମୀମାନଙ୍କ ସହିତ ବୌଦ୍ଧଧର୍ମ ଗ୍ରହଣ କରିବା ଅବସରରେ ଏହାର ପୁନଃନାମକରଣ କଲେ : ପ୍ରବୁଦ୍ଧ ଭାରତ ଏବଂ ଏହାକୁ ଏକ ସାପ୍ତାହିକଭାବରେ ପ୍ରକାଶ କଲେ । ୧୯୫୬ରେ ତାଙ୍କର ମୃତ୍ୟୁ ଯାଏଁ କାଗଜଟିକୁ ସେ ଚଲେଇ ରଖିଥିଲେ ।

ତାଙ୍କ ପରେ ତାଙ୍କ ପୁଅ ଯଶୱନ୍ତ ୧୯୬୦ ଯାଏଁ ଏହାକୁ ବଞ୍ଚେଇ ରଖିଥିଲେ । ତା’ପରେ ଏହା ବନ୍ଦ ହୋଇଗଲା । ପରବର୍ତ୍ତୀ ସମୟରେ ୮୦ ଏବଂ ୯୦ ଦଶକରେ ଏହାକୁ ପୁଣିଥରେ ବାହାର କରିବାର ଯୋଜନା ହୋଇଛି-କେଇ ମାସ ଚାଲି ପୁଣି ଏହା ବନ୍ଦ ହୋଇଯାଇଛି । ୨୦୧୭ ଶେଷବେଳକୁ ପୁଣେରୁ କେତେକ ଆମ୍ବେଦକର ଅନୁଗାମୀ ପୁଣିଥରେ ଏହାକୁ ପ୍ରକାଶ କରିଛନ୍ତି । ପରବର୍ଷ ଏହାର ୱେବସାଇଟ୍ ମଧ୍ୟ ଆରମ୍ଭ କରାଯାଇଛି ।

ସାମାଜିକ ନ୍ୟାୟ ପାଇବା ପାଇଁ ଗଣମାଧ୍ୟମ ଏକ ପ୍ରକୃଷ୍ଟ ଅସ୍ତ୍ର ବୋଲି ମନେ କରୁଥିଲେ ଆମ୍ବେଦକର । ସେଥିପାଇଁ ତାଙ୍କର ଚାରି ଦଶନ୍ଧିରୁ ଊର୍ଦ୍ଧ୍ୱକାଳର ସାମାଜିକ ସଂସ୍କାର ଓ ରାଜନୈତିକ ଚିନ୍ତାନାୟକ ଜୀବନକାଳରେ ସେ ଚାରୋଟି ସମ୍ବାଦପତ୍ର ପ୍ରକାଶ କରିଛନ୍ତି। ସେଥିରେ ସକ୍ରିୟ ଭାବେ ଲେଖିଛନ୍ତି । ନିଜର ମତପ୍ରକାଶ କରିଛନ୍ତି ।

ଜନମତକୁ ପ୍ରଭାବିତ କରିବାର ଚେଷ୍ଟା କରିଛନ୍ତି । ତାଙ୍କର ଅଧିକାଂଶ କାଗଜରେ ଖୋଲାଚିଠି ବୋଲି ଏକ ସ୍ତମ୍ଭ ରହୁଥିଲା-ଯେଉଁଥିରେ ସାଧାରଣ ଲୋକ ନିଜ ସୁବିଧା ଅସୁବିଧା କଥା, ନିଜେ ଭୋଗୁଥିବା ସମସ୍ୟା କଥା ଲେଖି ପାରୁଥିଲା । ଖବରକାଗଜ ମାଧ୍ୟମରେ ସାଧାରଣ ଜନତାର କଣ୍ଠସ୍ୱରକୁ ସେ ଏକ ମଞ୍ଚ ଦେଇଥିଲେ ।

ଯେଉଁ ସମୟରେ ସ୍ୱାଧୀନତା ସଂଗ୍ରାମ ଥିଲା ଦେଶର ମୁଖ୍ୟ ଧ୍ୟେୟ-ସେତେବେଳେ ସେ ପଛୁଆ ବର୍ଗଙ୍କ ଉତ୍‌ଥାନକୁ ଗୁରୁତ୍ୱ ଦେବା ପାଇଁ ଦୃଢ଼ ମତ ପୋଷଣ କରିଥିଲେ । ସେ ସ୍ପଷ୍ଟ ଭାବେ କହିଥିଲେ : ସାମାଜିକ ଓ ଧାର୍ମିକ ପାତରଅନ୍ତର ନ ହଟିଲା ଯାଏଁ କେବଳ ଜାତୀୟତାବାଦର ସ୍ଲୋଗାନ ଦେଶକୁ ପ୍ରଗତି ପଥରେ ନେଇ ପାରିବନି । ତାଙ୍କର ଏ କଥାଗୁଡ଼ିକ ବର୍ତ୍ତମାନ ସମୟରେ ମଧ୍ୟ ପ୍ରାସଙ୍ଗିକ ହୋଇ ରହିଛି ।

ସୌଜନ୍ୟ – ସମଦୃଷ୍ଟି

PHOTO CREDIT- https://bit.ly/2RRDsDn

About ପ୍ରଫେସର ମୃଣାଳ ଚାଟ୍ଟାର୍ଜୀ

ପ୍ରଫେସର ମୃଣାଳ ଚାଟ୍ଟାର୍ଜୀ

Check Also

ଉତ୍କଳ ସମ୍ମିଳନୀ ଓ ବିଚ୍ଛିନ୍ନାଞ୍ଚଳ

ଉକ୍ରଳ ସମ୍ମିଳନୀ ୧୯୦୩ମସିହାରେ ଗଠନ ହୋଇଥିଲା । ଏହା ପୂର୍ବରୁ ଓଡ଼ିଆ ଜାତିର ଏକତ୍ରୀକରଣ ସମ୍ପର୍କରେ ୧୯୦୨ମସିହାରେ ରମ୍ଭା ରାଜବାଟୀଠାରେ …

Leave a Reply

Your email address will not be published. Required fields are marked *