Home / ବ୍ୟକ୍ତି ଓ ବ୍ୟକ୍ତିତ୍ୱ / ସ୍ମୃତିଚାରଣ / ଆନ୍ତର୍ଜାତୀୟ ଚିତ୍ରଶିଳ୍ପୀ ଡ. ଦୀନନାଥ ପାଠୀ

ଆନ୍ତର୍ଜାତୀୟ ଚିତ୍ରଶିଳ୍ପୀ ଡ. ଦୀନନାଥ ପାଠୀ

ଆର୍ନ୍ତାଜାତିକ ଖ୍ୟାତିସଂପନ୍ନ ଚିତ୍ରଶିଳ୍ପୀ ଡକ୍ଟର ଦୀନନାଥ ପାଠୀ, ଜଣେ ରେନିସାନସ ମ୍ୟାନ । ଏକାଧାରରେ ଜଣେ ରଂଗ ତୂଳିର ତପସ୍ୱୀ । ଏକନିଷ୍ଠ ନିରଳସ ଏବଂ ଯଶସ୍ୱୀ ସାରସ୍ୱତ ସାଧକ, ସତ୍ୟସିନ୍ଧ  ଗବେଷକ, କଳା ଐତିହାସିକ, ପ୍ରତ୍ନତାତ୍ତ୍ୱିକ, ଗଭୀର ଅର୍ନ୍ତଦୃଷ୍ଟି  ସଂପନ୍ନ ସମୀକ୍ଷକ, ସମାଲୋଚକ, କଳାସଂଗଠନ, କର୍ମଯୋଗୀ ତଥା ରୂପ ସୌନ୍ଦର୍ଯ୍ୟ ବିଭୋର କାବ୍ୟପୁରୁଷ । ଯାହାଙ୍କର ବ୍ୟାପ୍ତି ଥିଲା ଅଖ୍ୟାତି ଦିଗ ପହଣ୍ଡିରୁ ପ୍ରଖ୍ୟାତ ବାରଣାସୀ, ନୂଆଦିଲ୍ଲୀରୁ ସୁଇଜରଲାଣ୍ଡ, ଜାପାନରୁ ଜର୍ମାନୀ ସବୁଠି, ସମଗ୍ର ବିଶ୍ୱକୁ ସେ ବ୍ୟାପି ଯାଇଥିଲେ । ଯେଉଁଠିକୁ ଯାଇଛନ୍ତି ମିଳିଛି ଅଜସ୍ର ପ୍ରଶଂସା, ଏମିିିତି ପ୍ରଶଂସା କୌଣସି ଓଡ଼ିଆଙ୍କ ପାଇଁ କ୍ୱିଚିତ୍ ଆସିଛି । ମନରେ ନଥିଲା ଗର୍ବ, ଛୁଇଁନଥିଲା ଅହଂକାର, ସେଥିରେ ଆତ୍ମପ୍ରଚାର ବିମୁଖ ମଣିଷ । ଦେଶ ବିଦେଶରେ ଓଡ଼ିଆଙ୍କ ଗୌରବ ଗାଥା, ବିଜୟ ବୈଜୟନ୍ତୀ ଉଡାଇଥିବା ଅନେକ ଜାତି ପ୍ରାଣଙ୍କ ଭିତରେ ଇଏ ଥିଲେ ସ୍ୱତନ୍ତ୍ର ନିମଗ୍ନ ସାଧକ । ଶ୍ରୀଜଗନ୍ନାଥ ସଂସ୍କୃତିର ଅନ୍ୟତମ ଅଗ୍ରଗଣ୍ୟ ପ୍ରଚାରକ କେବେ ଗାଉଁଲି ଜୀବନର ଛାଇରେ ଫୁଟିଛି ଶିଳ୍ପୀ ଦୀନନାଥଙ୍କ ଚିତ୍ରମାନସ ଦିିଗପହଣ୍ଡିର ଝାଟିମାଟି ଚାଳଘରୁ ଆରମ୍ଭ ତାଙ୍କର ଯାତ୍ରା ଓଡ଼ିଶାର କଳାର ବଳୟ ଭିତରେ ସୀମିତ ନଥିଲା ବରଂ ଉକୃଷ୍ଟ କଳାର ଦେଶ ଓଡ଼ିଶା ଓ ତାର ଉତ୍କଳୀୟତାର ନିଷ୍କର୍ଷକୁ ସେ ଭାରତର ବିଭିନ୍ନ ସହର ତଥା ଭାରତ ବାହାରେ ବିଭିନ୍ନ ଦେଶରେ ପ୍ରତିଷ୍ଠିତ କରାଇବାରେ ଏକାକୀ ଅଗ୍ରଗଣ୍ୟ ଭୂମିକା ଗ୍ରହଣ କରିଥିଲେ । ଓଡ଼ିଶା ନୃତ୍ୟ, ସଂଗୀତ ଓ କଳା ମଧ୍ୟରେ ଥିବା ସୂକ୍ଷ୍ମ ସମ୍ପର୍କକୁ ଇଂଲଣ୍ଡ, ଆମେରିକା, ଇଟାଲି, ଫ୍ରାନ୍ସ, ଅଷ୍ଟ୍ରେଲିଆ, ସୁଇଜଣଲ୍ୟାଣ୍ଡ, ଜାପାନ, ଋଷିଆ, ରୋମ, ଫିଲପାଇନସ୍, କ୍ୱଲାଲମପୁର, ସିଙ୍ଗାପୁରର ବିଭିନ୍ନ ସହରରେ ଗତ ତିନି ଦଶନ୍ଧି ଧରି ବାରମ୍ବାର ଚିତ୍ରକଳା ପ୍ରଦର୍ଶିତ କରାଇ ଓଡ଼ିଶାକୁ ଅନନ୍ୟ ଗୌରବ ଆଣିବାରେ ସକ୍ଷମ ହୋଇଥିଲେ । ଏଥିସହ ଓଡ଼ିଶାର ଝୋଟି, ଚୀତା, ବାନ୍ଧକଳାକୁ ନେଇ ତ କେବେ ରିଏଲିଜିମ୍ । ସରିଆଲଜିମ୍, ସାଇକୋ ଫାଣ୍ଟାସୀ ତତ୍ତ୍ୱକୁ ନେଇ ଦୁଇ ହାତରେ ଧରି ଚାଲିବାର ସେ ଥିଲେ ନିପୁଣ ଶିଳ୍ପୀ । ତାଙ୍କର କଳାକୃତି ହେଉଛି ପ୍ରାଚୀନ ସହ ନୂତନତା, ପରଂପରା ଓ ଆଧୁନିକତା ତାର ଆନୁପାତିକ ମିଶ୍ରଣ । ସେ ଜନ୍ମମାଟିକୁ ପ୍ରାଣଭରି ଭଲପାଉଥିବା ମଣିଷଟିଏ । ସେଇଥିପାଇଁ ତାଙ୍କ ସାହିତ୍ୟରେ ବିଶେଷ ପରିମାଣରେ ତାଙ୍କ ଜନ୍ମଭୂମି ବଡ଼ଖେମୁଣ୍ଡି ଓ ତାର ଏକଦା ରାଜଧାନୀ ଥିବା ଦିଗପହଣ୍ଡି ଏବଂ ତାଙ୍କ ପାଇଁ ପୁଞ୍ଜିି କୟାଁକୁ ସାହିତ୍ୟରେ ଏଭଳି ଭାବେ ରୂପାୟିତ କରି ସେ ଅଞ୍ଚଳକୁ ଧନ୍ୟ କରିଦେଇଛନ୍ତି । ତାଙ୍କ ଜୀବନର ଆଶା, ସ୍ୱପ୍ନ ହତାଶା ଓ ସଂଗ୍ରାମକୁ ନେଇ ରଚିତ ତାଙ୍କର ଆତ୍ମଜୀବନୀ ମୂଳକ ଉପନ୍ୟାସ ଅବଶ୍ୟରେ ସଜାଇ ଦିଏ ତାଙ୍କର ଆତ୍ମାର ଜ୍ୱଳନ । ସେ ତାଙ୍କ ସାହିତ୍ୟରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଏଭଳି ସରଳ ଓ ସାବଲୀଳ ଭାଷାରେ ବାନ୍ଧିପାରନ୍ତି ଯାହା ପାଠକକୁ ତଲ୍ଲୀନ କରିଦିଏ । ସେ ଯାହା ଚିତ୍ରରେ ବର୍ଣ୍ଣନା କରିପାରିନଥାନ୍ତି ତାହା ପ୍ରକାଶ ପାଏ କବିତାରେ, ଉପନ୍ୟାସରେ । ଯେଉଁ ମାନଙ୍କୁ ସେ ହାତଧରି ଉପରକୁ ନେଇଆସିଛନ୍ତି ସେମାନଙ୍କ ମଧ୍ୟରୁ ଅନେକ କୃତଜ୍ଞତା ସ୍ୱୀକାର କରୁଥିବା ବେଳେ ଅନେକ ବାଟ ଭାଙ୍ଗି ଚାଲିଯାଇଛନ୍ତି । ସେଇ ମଣିଷମାନଙ୍କୁ ସଂପର୍କର ମାନେ କଣ କହିବାକୁ ଯାଇ କବିତାରେ ଲେଖିଛନ୍ତି- “ଜୀବନର ମାନେ କେବେ ହୁଏ ନାହିଁ ଚିତ୍ରର ଚରିତ୍ର

ଆହୁରି ଆହୁରି ଭିତରେ ଅଛି ଜୀବନର ମାନେ

ପାଇବାକୁ ଇଚ୍ଛା ଯେବେ ଦୂରହେଉ ମନର ବିକାର

ସବୁସିନା ମିଳିଯିବ ଆସିବନି ଚିତ୍ରଶାଳା…

ମିଳିବନି ବର୍ଣ୍ଣିଳ ଅପରାହ୍ନ  ।”

ଜୀବନରେ ବହୁବର୍ଣ୍ଣରେ ବର୍ଣ୍ଣିଳ ଅପରାହ୍ନ ଆଜି ସ୍ମୃତି ହୋଇ ଠୁଳ ହୋଇଯାଇଛି ଫଟୋରେ, କ୍ୟାନଭାସରେ ତାଙ୍କ ରଚିତ ବହୁ ପୁସ୍ତକରେ । ସେ ତାଙ୍କ ସୃଷ୍ଟି ମଧ୍ୟରେ ଏ ଜାତିକୁ ଦେଇଛନ୍ତି ୬୦ରୁ ଊଦ୍ଧ୍ୱର୍ ପୁସ୍ତକ । ସେ ମଧ୍ୟରୁ ଦିଗପହଣ୍ଡିର ଡ୍ରଇଂ ମାଷ୍ଟ୍ରେ(୧୯୯୦) ପୁଞ୍ଜିକୟାଁର ଫକୀର (୨୦୦୪) ଚିଲିକା ପାଣିରେ ଛାଇ (୨୦୦୫) ରୂପଜୀବୀର ଡାଏରୀ (୨୦୦୯) ଗୋଟିଏ କଲେଜ ଗଢ଼ିବାରେ ବେଳ (୨୦୧୩) ପ୍ରଭୃତି ଆତ୍ମ ଜୀବନୀ, ସାୟୋନାରା (୧୯୯୮), ପୁର୍ନବତା (୧୯୯୯), ଶ୍ଲୋକ ଛନ୍ଦ(୨୦୦୧), ଗଙ୍ଗାବତରଣ (୨୦୦୨), ଗଛ କୋରଡ଼ରେ ହୃଦୟ(୨୦୦୬), ଦିନେ ନ ଡାକିବୁ ଧରମା ବୋଲି (୨୦୦୯), ରୂପ ରଙ୍ଗ ଅନଙ୍ଗ ଆଦି ଚିତ୍ରୋପନ୍ୟାସ, ଭବଘୁରା ଭବନାଥ (୧୯୯୨), ସୁନାମାଛ (୧୯୯୬), ଅଧିବାସ (୨୦୧୪) ପ୍ରଭୃତି ଗଳ୍ପ ସଂକଳନ, ନୀଳହ୍ରଦର ଚିତ୍ରକର (୨୦୦୬) ଓ ଭୀମକୁଣ୍ଡରେ ମିଚିଗାନର ପ୍ରତିଛବି (୨୦୧୪)- ଭ୍ରମଣ କାହାଣୀ, ତିୟତେ ଇତି(୧୯୬୧), ଚିତ୍ର ମାନସ (୨୦୦୮), ବର୍ଣ୍ଣିଳ ଅପରାହ୍ନ (୨୦୧୦) ଅନ୍ୟ ଦେଶ (୨୦୦୩) ଆଦି କବିତା ସଂକଳନ ପ୍ରଣିଧାନ ଯୋଗ୍ୟ । ଚିତ୍ରୋପନ୍ୟାସ ‘ଗଙ୍ଗାବତରଣ’ ଡକ୍ଟର ଦିଲ୍ଲୀପ ତ୍ରିପାଠୀଙ୍କ ଦ୍ୱାରା ହିନ୍ଦିରେ ଅନୁବାଦ ହୋଇ ଚଳିତବର୍ଷ ଭାରତ ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇଛି । ମୋଟ ଉପରେ ହିନ୍ଦି, ଓଡ଼ିଆ, ଇଂରାଜୀ, ଜର୍ମାନ ଭାଷାରେ ଶହେରୁ ଊଦ୍ଧ୍ୱର୍ ପୁସ୍ତକ ଦେଶ ବିଦେଶରେ ପ୍ରକାଶିତ । ତାଙ୍କର ବହୁ ଚର୍ଚ୍ଚିତ ଆତ୍ମଜୀବନୀ ଦିଗପହଣ୍ଡିର ଡ୍ରଇଂମାଷ୍ଟ୍ରେ ପାଇଁ ୧୯୯୬ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ସାମଗ୍ରିକ ସାହିତ୍ୟ ପାଇଁ ୨୦୧୫ରେ ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ବିଷୁବ ପୁରସ୍କାର ପାଇଥିଲେ । ତାଙ୍କ ଜୀବନରେ ସାହିତ୍ୟ ସହ ଚିତ୍ରକଳା ସମାନ୍ତରାଳ ଭାବରେ ଗତି କରୁଥିଲା ବେଳେ ସେ ଚିତ୍ରରେ ଯାହା ନକହି ପାରନ୍ତି ସେଇ ଅବ୍ୟକ୍ତ କଥା ଗୁଡ଼ିିକ ସାହିତ୍ୟରେ ପ୍ରକାଶ କରିିଥାଆନ୍ତି । ସେ ଭଲଭାବେ ଜାଣିଥିଲେ ଲେଖକମାନେ ଚିତ୍ରକରଙ୍କ ସଂପର୍କରେ କେବେ ଲେଖିନଥାନ୍ତି । ସେଇଥିପାଇଁ ତ ସେ ଚିତ୍ର ଭାଷା ଓ ଚିତ୍ରିିତ ଭାଷାକୁ ନେଇ ଅନେକ ପୁସ୍ତକ ରଚନା କରିଥିଲେ ।

ଦେଶ ବିଦେଶରେ ଓଡ଼ିଶାର କଳା ସଂସ୍କୃତିକୁ ପହଞ୍ଚାଇବା କ୍ଷେତ୍ରରେ ଦୀନନାଥଙ୍କର ଥିଲା ବହୁମୁଖୀ ଭୂମିକା । ଚିତ୍ରକଳା ପ୍ରଦର୍ଶନୀ ଆୟୋଜନ ସହିତ ବିଭିନ୍ନ କଳା ଅନୁଷ୍ଠାନ ଗଠନ କରିବା, କଳା ସଂପର୍କିତ ପୁସ୍ତକ ରଚନା କରିବା ତାଙ୍କୁ ଏକ୍ଷେତ୍ରରେ ଯଶସ୍ୱୀ କରିଥିଲା । ଦୀଗପହଣ୍ଡିର ଡ୍ରଇଂ ମାଷ୍ଟର ପରିସରରୁ ବାହାରି ଭାରତର ସର୍ବୋଚ୍ଚ କଳା ଅନୁଷ୍ଠାନ ‘ଲଳିତ କଳା ଏକାଡେମୀ, ନୂଆଦିଲ୍ଲୀର ପ୍ରଥମ ଓଡ଼ିଆ ସଚିବ ଭାବେ କାର୍ଯ୍ୟକରିଥିବା ବେଳେ ଓଡ଼ିଆ ଲଳିତ କଳା ଏକାଡେମୀର ସଭାପତି ଭାବେ କାର୍ଯ୍ୟକରିଛନ୍ତି । ସେ କିଛି ବର୍ଷ ପାଇଁ ବନାରସ ସ୍ଥିତ ଅଲିସ୍ ବୋନର ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଭୁବନେଶ୍ୱର ବି.କେ ଆର୍ଟ କଲେଜର ପ୍ରତିଷ୍ଠାତା ଅଧ୍ୟକ୍ଷ, ଭାରତ ସରକରଙ୍କ ଫେଷ୍ଟିଭାଲ ଅଫ୍ ଇଣ୍ଡିଆର  କମିଶନର, ଆର୍ନ୍ତଜାତିକ କଳିଙ୍ଗ ବାଲିଯାତ୍ରାର ମୁଖ୍ୟ ବିନ୍ଧାଣୀ ତଥା ଭାରତ ସରକାରଙ୍କ ବୟନ ଶିଳ୍ପ ବିଭାଗ ଦ୍ୱାରା ଆର୍ନ୍ତାଜାତିକ ଡିଜାଇନର ଭାବେ ସମ୍ମାନିତ ହୋଇଛନ୍ତି । କଳା ଇତିହାସର ଗବେଷଣା ଉକୃଷ୍ଟାତା ପାଇଁ ତାଙ୍କୁ ମିଳିଛି ଭାରତ ରାଷ୍ଟ୍ରପତିଙ୍କ ରଜତ ଫଳକ ଓ ଚୀନ ସରକାରଙ୍କ ସମ୍ମାନ । ଏତଦବ୍ୟତୀତ ଜବାହାର ଲାଲ ନେହେରୁ ଫେଲୋସିପ୍ ଆର୍ନ୍ତାଜାତିକ ରିଚବର୍ଗ ଏୱାର୍ଡ । କଳା ସଂପର୍କୀତ ସନ୍ଦର୍ଭ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ଓ ବିଶ୍ୱଭାରତୀରୁ ପିଏଚଡି ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ସମ୍ମାନ ସୂଚକ ଡିଲିଟ୍ ଉପାଧି ପ୍ରାପ୍ତ ହୋଇଥିଲେ । ଏଥିସହ ଓଡ଼ିଶା ଲଳିତ କଳା ଏକାଡେମୀର ସର୍ବୋଚ୍ଚ ସମ୍ମାନ ଧର୍ମପଦ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ମୃତ୍ୟୁପରେ ଇଲା ପଣ୍ଡା ସ୍ମୃତି ମରଣୋତ୍ତର ସମ୍ମାନ, ଇମ୍ଫା ପକ୍ଷରୁ ଶାରଳା ପୁରସ୍କାର ଏହି ଅବସରରେ ଘୋଷଣା କରାଯାଇଥିଲା । ତାଙ୍କର ଅନେକ କଳାକୃତି ପୃଥିବୀର ବହୁ ପ୍ରସିଦ୍ଧ ଆର୍ଟ ଗ୍ୟାଲେରୀ ତଥା ସଂଗ୍ରହାଳୟରେ ପ୍ରଦର୍ଶିତ ହେବାର ଗୌରବଲାଭ କରିଥିଲା । ତାଙ୍କ ମଧ୍ୟରେ କଳା ଓ ସଂସ୍କୃତିର ବିବିଧ ଧାରାର ଏକ ଅପୂର୍ବ ସମନ୍ୱୟ ପରିଦୃଷ୍ଟ ହୁଏ । ଦିନନାଥଙ୍କର ଶିଳ୍ପାୟନର ବ୍ୟାପ୍ତି କେବଳ କାଳର ନୁହେଁ, ଧାରାର, ଘଟଣାୟନର ଏବଂ ସଚେତନତାର । ସେ ଭଳି ଯଶ୍ୱସୀ ଶିଳ୍ପୀ ଜଣକ ୧୯୪୨ ମସିହାରେ ମେ ମାସ ୯ ତାରିଖରେ ଗଂଗ ରାଜବଂଶ ଶାସିତ ବଡ଼ଖେମୁଣ୍ଡି ଜମିଦାରୀ (ରାଜ୍ୟ) ରାଜଧାନୀ ଦିଗପହଣ୍ଡି ଗଡ଼ରେ ଏକ ସଂସ୍କୃତି ସଂପନ୍ନ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ଦୀନନାଥ ଥିଲେ ପିତା ଶ୍ୟାମସୁନ୍ଦର ଓ ମାତା କାମଳାଦେବୀଙ୍କ କନିଷ୍ଠ ପୁତ୍ର । ତାଙ୍କ ପିତା ଶ୍ୟମସୁନ୍ଦ ପାଠୀ ଜଣେ ଗାନ୍ଧିବାଦୀ, ଆଶୁକବିି, ଶିଳ୍ପୀ, ଗାୟକ, ଗୁମ୍ଫା ବାଦକ ତଥା ନିର୍ଭିକ ନିରଳସ ବ୍ୟକ୍ତିଥିଲେ । ତାଙ୍କ ଜ୍ୟେଷ୍ଠା ଭ୍ରାତ୍ରା ଶିଳ୍ପୀ ଲୋକନାଥ ପାଠୀ ନିଜ ବାସଗୃହରେ ଚାରୁକଳା ମନ୍ଦିର ନାମକ ଏକ ବ୍ୟବସାୟିକ ଗ୍ରାମ୍ୟକୁଟୀର ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା କରିଥିଲେ । ଦିଗପହଣ୍ଡି ହାଇସ୍କୁଲରେ ଚତୁର୍ଥରୁ ଏକାଦଶ ଶ୍ରେଣୀଯାଏ ପାଠ ପଢ଼ିବା ମଧ୍ୟରେ ସେ ଏହି ଅନୁଷ୍ଠାନର ଜଣେ କନିଷ୍ଠ କଳାକାର ଭାବେ ତାଙ୍କର ଶିଳ୍ପୀ ଜୀବନ ଆରମ୍ଭ କରିଥିଲେ । ଏହି କଳା ମନ୍ଦିରରେ ଥିଏଟର ପାଇଁ ସିନ୍ ତିଆରି, ଓଷାକୋଠୀ ଚିତ୍ର, ବିବାହ ବ୍ରତ ଆଦି ମାଙ୍ଗଳିକ କାର୍ଯ୍ୟରେ ଘରକାନ୍ଥ୍ରେ ଚିତ୍ର ଆଙ୍କିବା, ଠାକୁରାଣୀ ଯାତ୍ରାରେ ମାନସିକ ଧାରୀ ଏବଂ ଥିଏଟର ଅଭିନେତାଙ୍କ ବେଶ ପୋଷାକ ସଜାଇବା ଓ ଚିତ୍ରଣକରିବା, କାଠକାଗଜ ମଣ୍ଡର ବିଭିନ୍ନ ମୁଖା କରିବା କିରଟ୍ଟୀ, ଚିତ୍ରବିଚିତ୍ର ସୋଲଫୁଲ, ନଗ କଣ୍ଡେଇ, ସିିମେଣ୍ଟରେ ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ଗଠନ, ହାରମୋନିୟମ ମରାମତି, ବହି ଓ ଫଟୋ ବନେ୍ଧଇ, ନାମଫଳକ ଓ ବିଜ୍ଞାପନ ଫଳକ ଲେଖା, ନାଟକ ଓ ଯାତ୍ରା ପାଇଁ ମ୍ୟାଜିକ୍ ଲଣ୍ଠନ ପ୍ରସ୍ତୁତି ଯାବତୀୟ କଳାତ୍ମକ କାର୍ଯ୍ୟରେ ତାଙ୍କ ଭାଇନାଙ୍କୁ ସହାୟତା କରୁକରୁ ଏସବୁ କାର୍ଯ୍ୟରେ ସିଦ୍ଧହସ୍ତ ହୋଇପାରିଥିଲେ । ୧୯୮୫ ମସିହାରେ ମ୍ୟାଟ୍ରିକ ପାସ ପରେ ଗଞ୍ଜାମ ଜିଲ୍ଲା ଖଲିକୋଟ ଆର୍ଟ ସ୍କୁଲରେ କଳାଶିକ୍ଷା ସମାପ୍ତ କରିଥିଲେ । ସେ ସମୟରେ ସେଇଟି କଳାଶିକ୍ଷା ପାଇଁ ଓଡ଼ିଶାର ଏକମାତ୍ର ବିଦ୍ୟାଳୟ କଳା ବିଦ୍ୟାଳୟର ଶିକ୍ଷାଲାଭ କରିବା ବେଳେ ବହୁ ପ୍ରଦର୍ଶନୀରେ ଅଂଶ ଗ୍ରହଣ କରି ପୁରସ୍କୃତ ହୋଇଥିଲେ, ସେଥି ମଧ୍ୟରୁ କଲିକତା ଫାଇନଆର୍ଟ ଏକାଡେମୀର ସର୍ବ ଭାରତୀୟ ଚିତ୍ରକଳା ପ୍ରଦର୍ଶନୀ (୧୯୬୩) ରାଜ୍ୟଲଳିତ କଳା ଏକାଡେମୀର ପ୍ରଥମ ବାର୍ଷିକ ଚିତ୍ର ପ୍ରଦର୍ଶନୀ (୧୯୬୩) କଳା ବିଦ୍ୟାଳୟର ବାର୍ଷିକ ଚିତ୍ର ପ୍ରଦର୍ଶନୀ ଅନ୍ୟତମ । ଏହି ୧୯୬୩ ମସିହାରେ ସେ ଖଲ୍ଲିକୋଟ କଳା ବିଦ୍ୟାଳୟରୁ ଡିପ୍ଲୋମା ହାସଲ ପରେ ଓଡ଼ିଶାର ଚାରୁ ଓ ଚାରୁକଳାର ପ୍ରସାର ଦିଗରେ ଲାଗି ପଡ଼ିଥିଲେ । ୧୯୬୪ରୁ ୨୦୧୬ ଦୀର୍ଘ ୫ ବର୍ଷ ଧରି ନିରବଛିନ୍ନ ଭାବେ ଓଡ଼ିଶାର କଳା ଓ କଳକାରଙ୍କ ଉନ୍ନତି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ । ୧୯୬୩ରେ ଯୋଜନା ବୋର୍ଡ଼ର ଆଟିଷ୍ଟ ଭାବେ ରାଜ୍ୟ ସଚିବାଳୟରେ ଅବସ୍ଥାପିତ ହେବାପରେ ତାଙ୍କର କର୍ମଭୂମି ଭୁବନେଶ୍ୱରକୁ କରିଥିଲେ ମଧ୍ୟ ଗଞ୍ଜାମ ଜିଲ୍ଲାକୁ ଛାଡ଼ି ପାରିନଥିଲେ । ଗଞ୍ଜାମ ଓ ଭୁବନେଶ୍ୱର ମଧ୍ୟରେ ସଂଯୋଗରେ ସେତୁ ପାଲଟି ଉଭୟ ଜିଲ୍ଲାର ଶିଳ୍ପୀ ମାନଙ୍କୁ ନେଇ ଶିଳ୍ପୀ ସଂସଦ ଗଠନ କରିଥିଲେ । ‘ଚିତ୍ରମ’ ନାମରେ କଳା ବିଦ୍ୟାଳୟ ସ୍ଥାପନ କରିବା ତାଙ୍କ ଜୀବନର ଉଲ୍ଲେଖନୀୟ କାର୍ଯ୍ୟ । ୧୯୬୭ରେ ବି.ଜେ.ବି କଲେଜରୁ ବି.ଏ ପାସ ପରେ ବାଲେଶ୍ୱରର ସେ ସମୟର କଂଗ୍ରେସର ଜାତୀୟ ସ୍ତର ନେତା ଶ୍ୟାମସୁନ୍ଦର ମହାପାତ୍ରଙ୍କ କନିଷ୍ଠ ଭଗ୍ନି ଶ୍ରୀମତି ଅମନ୍ତୀ ମହାପାତ୍ରଙ୍କୁ ବିବାହ କରିବା ପରେ ତାଙ୍କ ଜୀବନରେ ଗତିପଥ ବଦଳିଯାଇଥିଲା । ଶ୍ୟାମସୁନ୍ଦର ମହାପାତ୍ର ଥିଲେ କଂଗ୍ରେସର ସାଧାରଣ ସଂପାଦକ ଓ ଇନ୍ଦିରା ଗାନ୍ଧୀଙ୍କର ଉପଦେଷ୍ଟା ମଣ୍ଡଳୀର ସଦସ୍ୟ । ତାଙ୍କର ଅନୁଗ୍ରହରୁ ତାଙ୍କ ଭିତରେ ଥିବା ପ୍ରତିଭାର ସ୍ଫୁରଣ ଘଟିଥିଲା । ସେ ୧୯୭୩ରେ “ୱାକିଙ୍ଗ” ଆଟିଷ୍ଟସ୍ ଆସୋସିଏସନ ଅଫ୍ ଓଡ଼ିଶା (ୱ)ା ଗଠନ କରି ଚିତ୍ର ପ୍ରଦର୍ଶନୀ, ଆଲୋଚନା ଚକ୍ର, ପୁରସ୍କାର ପ୍ରଦାନ, ପୁସ୍ତକ ପ୍ରକାଶନ କାର୍ଯ୍ୟ ଆରମ୍ଭ କରିଥିଲେ । ୧୯୭୨ ମସିହାରେ ଘରୋଇ ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏମ.ଏ ପାସ କରିବା ସହ ସେହି ବର୍ଷ ଓଡ଼ିଶା ରାଜ୍ୟ ସଂଗ୍ରାହଳୟରେ ସଂଗ୍ରାହକ ପଦବୀରେ ଯୋଗ ଦେଇଥିଲେ । ଏହି ସମୟରେ ତୃତୀୟ ଆଞ୍ଚଳିକ ମହୋତ୍ସବ (୧୯୭୫) ରେ ଓଡ଼ିଶା ମଣ୍ଡପ ପ୍ରସ୍ତୁତି ପାଇଁ ଡିଜାଇନ ପ୍ରସ୍ତୁତି, ୧୯୭୭ରେ ଦିଲ୍ଲୀଠାରେ ଅନୁଷ୍ଠିତ ଆର୍ନ୍ତଜାତିକ ବାଣିଜ୍ୟ ମେଳାରେ ଓଡ଼ିଶାର ଡିଜାଇନ ପ୍ରସ୍ତୁତି, ୧୯୭୮ରେ ସୁଇଜର ଲ୍ୟାଣ୍ଡ ଜୁରିକଠାରେ ଥିବା ରିଟ୍ ବର୍ଗ ସଂଗ୍ରାହାଳୟରେ ଓଡ଼ିଶାର କଳାସଂସ୍କୃତି ସମ୍ବନ୍ଧୀୟ ଆର୍ନ୍ତଜାତିକ ପ୍ରଦର୍ଶନୀ ଆୟୋଜନର ସହଯୋଗୀ ଭାବେ ବିଦେଶ ଯିବାର ସୁଯୋଗ ପାଇଥିଲେ । ଉକ୍ତ ପ୍ରଦର୍ଶନୀ ପାଇଁ ପ୍ରକାଶିତ ଗ୍ରନ୍ଥର ଯୁଗ୍ମ ଲେଖକ ଏଡୱାର୍ଡ ଫିିସର ଓ ସୀତାକାନ୍ତ ମହାପାତ୍ରଙ୍କ ଅନ୍ୟତମ ସହଯୋଗୀ ଭାବେ ନିଜ ବୁଦ୍ଧିମତାର ପରିଚୟ ଦେଇ ତାଙ୍କର ପ୍ରିୟ ହୋଇପାରିଥିଲେ । ବିଦେଶର ସଂଗ୍ରାହଳୟ ମାନଙ୍କରେ ଓଡ଼ିଶୀ କଳାର ଚିହ୍ନଟ ପାଇଁ ସେ ଜର୍ମାନୀ, ଫ୍ରାନସ, ଇଟାଲୀ, ଗ୍ରୀସ, ଇଂଲଣ୍ଡ ପ୍ରଭୃତି ଦେଶ ପରିଭ୍ରମଣ କରିଥିଲେ ।

୧୯୭୯ ମସିହାରେ କ୍ୟୁରେଟରୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଟିଡିସିର ପ୍ରଚାର  ଓ ପ୍ରକାଶନ ବିଭାଗରେ ପରିଚାଳକ ଭାବେ ଯୋଗଦେଇଥିଲେ । ଏହି ସମୟରେ ପର୍ଯ୍ୟଟନର କ୍ୟାଟଲଗ୍ ପ୍ରସ୍ତୁତି ଚିତ୍ରବାରମାସୀ ପ୍ରଭୃତି ପ୍ରଦର୍ଶନୀର ଆୟୋଜନ କରିଥିଲେ । ୧୯୮୧ ମସିହାରେ ଓଡ଼ିଶାର ପାରଂପାରିକ ଚିତ୍ରକଳା ସପଂର୍କରେ ଗବେଷଣା କରି ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚଡି ଡିଗ୍ରୀ ହାସଲ କରିଥିଲେ । ୧୯୮୨ରେ ଭୁବନେଶ୍ୱରରେ ପ୍ରତିଷ୍ଠିତ କେଦାର ନାଥ ଗବେଷଣା ପ୍ର୍ରତିଷ୍ଠାନର ସେଥିଲେ ପ୍ରତିଷ୍ଠାତା ସଦସ୍ୟ । ୧୯୮୪ ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଓ ଯୁଗଳ କିଶୋର ପଟ୍ଟନାୟକ ସଂସ୍କୃତି ମନ୍ତ୍ରୀ ଥିବା ବେଳେ ଭୁବନେଶ୍ୱରରେ ପ୍ରତିଷ୍ଠିତ ବିଭୂତି କାନୁନଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ପ୍ରଥମ କରି ଅଧ୍ୟକ୍ଷ ପଦରେ ଯୋଗଦେଲେ । ସେଠାରେ ଦୀର୍ଘ ୧୦ ବର୍ଷ ଧରି କାର୍ଯ୍ୟ କରିଥିଲେ । ଏହି ସମୟ ମଧ୍ୟରେ ‘ଭାରତ ଉତ୍ସବ’ କାର୍ଯ୍ୟକ୍ରମର କମିଶନର କଳିଙ୍ଗ ବାଲିଯାତ୍ରାର ଭିଜୁଏଲାଇଜର ଓ କ୍ୟୁରେଟର ସପ୍ତମ ତ୍ରିବାର୍ଷିକ ଭାରତ କଳା ପ୍ରର୍ଦଶନରେ କମିଶନର, ଆର୍ନ୍ତାଜାତିକ ଗ୍ରାଫିକ୍ କର୍ମଶାଳାର ଆବାହକ, ଲଣ୍ଡନ କଳା ମହାବିଦ୍ୟାଳୟ ଓ କଳା ସଂଗ୍ରାହଳୟ ପରିଦର୍ଶନ ପାଇଁ ବିଟ୍ରିଶ କାଉନସିଲର ଫେଲୋସିପ୍ ଏବଂ ଭିକ୍ଟୋରିଆ ଆଣ୍ଡ ଆଲବର୍ଟ ମ୍ୟୁଜିୟମ ଫେଲୋସିପ୍ ପାଇଥିଲେ । ଓଡ଼ିଶା ଇତିହାସ କଂଗ୍ରେସ ସର୍ବଭାରତୀୟ କଳାଶିକ୍ଷକ ଶିବିର, ଇଣ୍ଡିଆନ ପପୁଲାର ଆର୍ଟ ପ୍ରଦର୍ଶନୀର ଆୟୋଜନ ଓ ତତ୍ ସଂପର୍କୀୟ କଳା ସାମଗ୍ରୀ ସଂଗ୍ରହ ପାଇଁ ଭାରତ ବର୍ଷର ସମସ୍ତ କଳାକେନ୍ଦ୍ର ପରିଭ୍ରମଣ ପ୍ରଭୃତି କାର୍ଯ୍ୟ କରି ତାଙ୍କ ସାଧନା ଓ ସିଦ୍ଧିର ପରିଚୟ ଦେଇଥିଲେ । ୧୯୮୮ ମସିହାରେ ଅଲଇଣ୍ଡିଆ ଫାଇନ ଆର୍ଟସ ଏଣ୍ଡ କ୍ରାଫଟ୍ ସୋସାଇଟିର ହୀରକ ଜୟନ୍ତୀରେ ତାଙ୍କ ଚିତ୍ର ‘ଶ୍ରୀରାଧା’ ପାଇଁ ରାଷ୍ଟ୍ରପତିଙ୍କ ରଜତ ଫଳକ ପ୍ରାପ୍ତ ହୋଇଥିଲେ । ସେ ସେହିବର୍ଷ କେନ୍ଦ୍ର  ଲଳିତ କଳା ଏକାଡେମିର ପ୍ରଦର୍ଶନୀରେ ଜୁରୀ ଭାବେ ମନୋନୟନ ହେବା, ୧୯୮୯ ରେ କେନ୍ଦ୍ର ଲଳିତ କଳା ଏକାଡେମୀର କାର୍ଯ୍ୟନିର୍ବାହୀ ପରିଷଦର ସଭ୍ୟ ହୋଇଥିବା ବେଳେ ୧୯୯୧ ମସିହାରେ ବିଶ୍ୱଭାରତ (ଶାନ୍ତିନିକେତନ)ରୁ କଳା ଇତିହାସରେ ପ୍ରଥମ ଓଡ଼ିଆ ଭାବେ ପି.ଏଚ.ଡି ଡ୍ରିଗୀ ଲାଭକରିଥିଲେ । ୧୯୯୨ ମସିହାରେ ଆର୍ନ୍ତଜାତିକ ଚିତ୍ରକଳା ପ୍ରଦର୍ଶନୀରେ ଭାରତର କମିଶନର ଦିଲ୍ଲୀଠାରେ ହୋଇଥିବା ‘ଅପନା ଉତ୍ସବ’ରେ ଓଡ଼ିଶା ପକ୍ଷରୁ ନିର୍ଦ୍ଦେଶକ ଭାବେ ମନୋନୀତ ହୋଇଥିଲେ । ୧୯୯୪ରେ ବି.କେ ଆର୍ଟ କଲେଜରୁ ଅବ୍ୟାହତି ନେଇ କେନ୍ଦ୍ର ଲଳିତ କଳା ଏକାଡେମୀରୁ ସଚିବ ଭାବେ ଯୋଗଦେଇଥିଲେ । ଏହି ସମୟ ମଧ୍ୟରେ ମହାବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀଙ୍କୁ ନେଇ ଦିଲ୍ଲୀ ରବିନ୍ଦ୍ର ଭବନଠାରେ ‘ଚିତ୍ରବୀର’ ନାମରେ ଚିତ୍ର ପ୍ରଦର୍ଶନୀର ଆୟୋଜନ କରୁଥିଲେ । ଚିତ୍ର କାରମାନଙ୍କ ଶାଳ ଓ ଶୌଳୀ ସଂପର୍କରେ ଗବେଷଣା କରିବା ପାଇଁ ପ୍ରଥମ ଓଡ଼ିଆ ଗବେଷକ ଭାବେ ୧୯୮୭ରେ ଜବାହାରଲାଲା ନେହେରୁ ଫେଲୋସିପ୍ ପାଇଥିଲେ । ୧୯୮୮ରେ ବେଜିଙ୍ଗ ଠାରେ ଚୀନ୍ ବିଶ୍ୱକଳା ପ୍ରଦଶନୀରେ ଅଂଶଗ୍ରହଣ କରି ଆର୍ନ୍ତଜାତୀୟ ପୁରସ୍କାର ହାସଲ କରିଥିଲେ । ୧୯୯୯ ମସିହାରେ ସରକାରୀ ଚାକିରୀରୁ ଅବସର ନେଇ ୨୦୦୦ ମସିହାରେ ବାରଣାସୀ ଠାରେ ସ୍ଥାପିତ ଆଲିସବୋନର ସୁଇସ ଗବେଷଣାଗାର ପ୍ରତିଷ୍ଠାନର ନିର୍ଦ୍ଦେଶ ଭାବେ କାର୍ଯ୍ୟ କରିଥିଲେ । ୨୦୦୩ ମସିହାରେ ଓଡ଼ିଶା ଲଳିତ କଳା ଏକାଡେମିର ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରି ବିଶିଷ୍ଟ ଶିଳ୍ପୀ ଅଜିତ୍ କେଶରୀ ରାୟ, ଚିତ୍ରକର ଲେଖକ ପ୍ରଫୁଲ ମହାନ୍ତି, କଳା ଐତିହାସିକ ଜଗନ୍ନାଥ ପ୍ରସାଦ ଦାସଙ୍କ ମନୋଗ୍ରାମ, ଏକାଡେମୀର ରଙ୍ଗୀନ ପୁସ୍ତିକା, ଶିଳ୍ପୀ ପଞ୍ଜିକା, କଳାକୃତିର ପ୍ରଥମ ତାଲିକା, ଓଡ଼ିଆ ମ୍ୟୁଜିୟମ ଅଫ୍ ମଡର୍ଣ୍ଣ ଆର୍ଟର ପରିକଳ୍ପନା, ଶିଳ୍ପୀ ଗୋପାଳ କାନୁନ୍ ଗୋ ଜନ୍ମଶତ ବାର୍ଷିକ ପାଳନ, ବୁଦ୍ଧ ଏବଂ ଉପଗୁପ୍ତ ଚିତ୍ରର ପୋଷ୍ଟର ପ୍ରକାଶନ, ଏକାଡେମୀର ପ୍ରଥମ କଳାମେଘ ତଥା ଆର୍ଟ  ଓ ଥେରାପି କର୍ମଶାଳାର ଆୟୋଜନ ପ୍ରଭୃତି ଡକ୍ଟର ପାଠୀଙ୍କ ଗୌରବମୟ କାର୍ଯକଳାପ ।

ସେ ଯେଉଁ ଚିତ୍ର ଆଙ୍କିଛନ୍ତି ତାହା ପ୍ରାୟତଃ କ୍ୟାନଭାସ(୧୩୫ ସେ.ମି ର ୧୬୫ ସେ.ମି) ଅଥବା (୧୮୦ ସେ.ମି ର ୨୪୦ ସେ.ମି) ଉପରେ ତୈଳରଙ୍ଗ, ଆକ୍ରେଲିକ ଓ ଅନେକ ମିକ୍ସ ମିଡିଆରେ ଚିତ୍ର ଅଙ୍କନ କରିଛନ୍ତି । ସେଥିମଧ୍ୟରୁ ଅନେକ ଚିତ୍ରଦେଶ ବିଦେଶରେ ସଂଗ୍ରାହାଳୟ ମାନଙ୍କରେ ସ୍ଥାନ ପାଇଛି ତ କେତେକ ନିଜସ୍ୱ ସଂଗ୍ରାହଳୟରେ ଏବେବି ରହିଛି । ଆଧୁନିକ ସହ ପୁରାତନକୁ ମିଶାଇ ତାଙ୍କ ଚିତ୍ରକଳା ‘ରିଏଲିଜିମ୍’ ସରିଆଲଜିମ୍ ଓ ସାଇକୋ ଫାଣ୍ଟାସୀ ପ୍ରସେସରେ ସେ ଚିତ୍ର ଆଙ୍କୁଥିଲେ’ ତାଙ୍କ ତୈଳଚିତ୍ର ମଧ୍ୟରେ ‘ପ୍ରତୀକ୍ଷା’, ‘ଦେହାଦ’, ‘ପାର୍କର କାର ପାଖରେ ପ୍ରେମିକ’, ‘ପ୍ରେମିକା’, ‘ଅଭିସାରିକା ରାଧା’, ‘ପ୍ରେମିଯୁଗଳ’, ‘ଯମଜ: ଗପସପ’, ‘ମଙ୍ଗଳା’, ‘ସୁଖଦୁଃଖ’, ‘ସ୍ନାନରତ ପ୍ରେମିକ ପ୍ରେମିକା’, ବ୍ୟାଘ୍ର ଓ ପଦ୍ମବନ, ପଦ୍ମପୁଷ୍କରିଣୀ, ସ୍ନାନରତା, ପଦ୍ମପୋଖରୀ ଦୁଇଧାରେ, ଫସଳ ଅମଳ ଗୀତ, ଘାଟ୍ୟକାଶ, ସ୍ପର୍ଶ, ପଦ୍ମବନ ଓ ଯୁଥମୃଗ, ନାରୀ ଓ ବ୍ୟାଘ୍ର, ବର୍ଣ୍ଣିଳ ଅପରାହ୍ନ, ରାଣୀ, ବୌଦ୍ଧଭୀକ୍ଷୁ ପ୍ରଭୃତି ତୈଳଚିତ୍ର, ମିକ୍ସ ମିଡ଼ିଆ, ମାଧ୍ୟମରେ ସେ ମୁକ୍ତିପଥ, ଶୀର୍ଷ ଓ ପ୍ରବାହ ଅଙ୍କନ କରିଥିବା ବେଳେ ତାଙ୍କର ତୈଳଚିତ୍ରର ରାଣୀ, ଖଲ୍ଲୀକୋଟ୍ ବଜାର ଦୁଇଟି ରିଏଲିଷ୍ଟିକ୍ ଚିତ୍ର ଅଙ୍କନ କରିିଥିଲେ । ଆକ୍ରେଲିନ୍ ରଂଗରେ ପ୍ରସ୍ତୁତ ଚିତ୍ର ଗୁଡ଼ିକ ମଧ୍ୟରେ ମାହାରିକନ୍ୟା, ଯୌନ ଉତ୍ତରଣ, ଚନ୍ଦ୍ରଲେଖାଙ୍କୁ ପ୍ରଣତି, ରିଥିଙ୍ଗଓଡ଼ିଶା ଓ ଗୀତ ଗୋବିନ୍ଦ, ଅନ୍ୟତମ  । ଗୀତଗୋବିନ୍ଦ ଚିତ୍ରଟି ଚିନର ଏକ ମ୍ୟୁଜିିୟମରେ  ସଂଗୃହିତ ହୋଇ ରହିଛି । ସେ ତାଙ୍କ ବହୁ ଚିତ୍ରରେ ବ୍ୟାଘ୍ର, ହରିଣ  ଓ ପଦ୍ମ ପୋଖରୀକୁ ବ୍ୟବହାର କରିଛନ୍ତି । ବରହମପୁର, ଚିକିଟି, ଖଲିକୋଟ ବିଖ୍ୟାତ ଲୋକ ନୃତ୍ୟ ବାଘନାଟରେ ବାଘଭଳି ନିଜକୁ ସଜ୍ଜିତ କରି ବାଦ୍ୟର ତାଳେ ତାଳେ ନୃତ୍ୟ କରିବା ସେ ଅଞ୍ଚଳରେ ଦେଖିବାକୁ ମିଳେ । ବଣ, ଜଙ୍ଗଲ ପାହାଡ଼ ଘେରା ପ୍ରକୃତିର ଅପରୂପ ସୁଷମା ଭିତରେ ତାଙ୍କ ଜନ୍ମ । ଭାଲୁ, ହରିଣ, କୁଟରା ଏସବୁ ସେ ବାରବାର ଭେଟିଛନ୍ତି ତାହା ତାଙ୍କ ମନରେ ରାଗସୃଷ୍ଟି କରିଛି । ତାଙ୍କ ଛବିରେ ନାରୀ ପୁରୁଷ ସାଧାରଣତଃ ଦୀର୍ଘ ବଳିଷ୍ଠ ବକ୍ଷ ପୃଥୁଳକାୟ ଜଘନ, ବିରାଟ ଊଦ୍ଧ୍ୱର୍ମୁଖୀ ସ୍ତନ ପ୍ରଭୃତି ତାଙ୍କ ଚିତ୍ରରେ ଦେଖିବାକୁ ମିଳେ । ନୀଳ, ଗେରୁଆ, ଲାଲ ଓ ହଳଦୀ ରଂଗର ବହୁଳ ବ୍ୟବହାର କରି ତାଙ୍କ ଚିତ୍ର ଶୃଙ୍ଖଳିତ, ନରମ ଭାବଧାରାକୁ ବହନ କରିଥାଏ । ସେ ଚିତ୍ରଅପେକ୍ଷା ତାଙ୍କ ସାହିତ୍ୟରେ ଅଧିକ ସଫଳତା ଲାଭ କରିଥିବା ଭଳି ମନେହୁଏ । ଏଭଳି ବହୁମୁଖୀ ପ୍ରତିଭାଙ୍କର ଗତ ୨୦୧୬ ମସିହା ଅଗଷ୍ଟ ୨୯ ତାରିଖ ସକାଳ ପ୍ରାତଃ ଭ୍ରମଣ ସମୟରେ ହୃଦଘାତରେ ପରଲୋକ ଘଟିଯାଇଛି । ଇମ୍ଫା ପକ୍ଷରୁ ଓଡ଼ିଶାରେ ଏକ ଆର୍ଟ ଗ୍ୟାଲେରୀର ଶୁଭାରମ୍ଭ କରିବା ପାଇଁ ଚେୟାରମ୍ୟାନ ଭାବେ “ଇଲାପଣ୍ଡା ଫାଉଣ୍ଡେସନ ଅଫ ଆର୍ଟ” କୁ ମୃତ୍ୟୁର ଆଗଦିନ ଲୋକର୍ପଣ କରାଇଥିଲେ । ମୃତ୍ୟୁଦିନ ‘ଜୀବନ ଉପରେ ରୂପର ପ୍ରଭାବ’ ପୁସ୍ତକରେ ଯାହା ବହୁ ପୁରାତନ ଶିଳ୍ପୀ ମାନଙ୍କ ନିଜସ୍ୱ ଅନୁଭୂତିକୁ ସଂପାଦନା କରିଥିଲେ । ସେ ପୁସ୍ତକରେ ଲୋକାର୍ପଣ କରିଥାଆନ୍ତେ ସେଦିନ ସଂଧ୍ୟାରେ ମାତ୍ର କାଳ ସେଥିରେ ବାଧକ ସାଜିଲା ଅଧୁରା ରହିଗଲା ବହୁ ଆଲୋଚନାଚକ୍ର । ଛାଡ଼ିଗଲେ ବହୁ ଚିତ୍ର ପାଣ୍ଡୁଲିପି । ନୀରବି ଗଲା ଦଶନ୍ଧି ଦଶନ୍ଧିର ନୂଆ ପୁରୁଣା କ୍ୟାନଭାସ ଓ ରଂଗତୂଳି । ତାଙ୍କ ସହମୋର ଘନିଷ୍ଠତା ମୋତେ ଲେଖିବା ପାଇଁ ପ୍ରେରଣା ଯୋଗାଇଥିଲା ତାଙ୍କ ଆବର୍ତ୍ତମାନରେ ତାଙ୍କ ସ୍ମୃତିକୁ ରୋମନ୍ଥନ କରିବା ପାଇଁ ରହିଯାଇଛି ମୋ ଚାରିପାଖରେ ତାଙ୍କ ଦେଇଯାଇଥିବା ପୁସ୍ତକ ସବୁରେ । ତାଙ୍କ ଶରୀର ହୁଏତ ସବୁଦିନ ପାଇଁ ନୀରବି ଗଲା । ମାତ୍ର କ୍ୟାନଭାସରେ ସେ ଯେଉଁ ରଂଗ ତୁଳୀର ଉତ୍କର୍ଷତା ଛାଡ଼ିଦେଇଯାଇଛନ୍ତି ଓ ତାଙ୍କ ପୁସ୍ତକରେ ଯେଉଁ ଚିତ୍ର କଥା ଲେଖିଯାଇଛନ୍ତି ତାକୁ ମହାକାଳ ଛୁଇଁବା ପାଇଁ କେବେ ସାହସ କରିବାନାହିଁ, ସେ ଆମମାନଙ୍କ ଗହଣରୁ ବିଦାୟ ନେଇଥିଲେ ମଧ୍ୟ ଓଡ଼ିଶା କେବଳ ନୁହଁ ପୃଥିବୀର କୋଟି କୋଟି ମଣିଷମାନଙ୍କ ହୃଦୟରେ ବଞ୍ଚି ରହିବେ ଏଥିରେ ସନ୍ଦେହ ନାହିଁ ।

ଅଶୋକ କୁମାର ମହାନ୍ତି

ଚିତ୍ରଶିଳ୍ପି, ଶିକ୍ଷକ ଓ ଲେଖକ

photo credit- internet

About ଶ୍ରୀ ଅଶୋକ କୁମାର ମହାନ୍ତି

ଶ୍ରୀ ଅଶୋକ କୁମାର ମହାନ୍ତି
ଚିତ୍ରକର, କଳା ଶିକ୍ଷକ, ଲେଖକ

Check Also

ଭାଗବତ ପ୍ରସାଦଙ୍କୁ ଜାଣିବାର ପ୍ରୟାସରେ (ଭାଗବତ ପ୍ରସାଦଙ୍କ ଜୀବନ ଓ ଦର୍ଶନର କିଛି ଝଲକ)

ଓଡ଼ିଶାର ଗଞ୍ଜାମ ଜିଲ୍ଲା – କୋଦଳା ତହସିଲର ଗୋଟିଏ ସରଳରେଖା ବିନ୍ଦୁପରି ଗ୍ରାମଟିଏ ଲାଠୁଳି, ରଘୁନାଥପୁର । ସେହି ଗ୍ରାମରେ …

Leave a Reply

Your email address will not be published. Required fields are marked *