Home / ନାଟକ / ମଂଚ ନାଟକ / ଅମା ଅନ୍ଧାରରେ ଅତୀତ : ଅନ୍ନପୂର୍ଣ୍ଣାର ଆଲୋକ ନିର୍ବାପିତ

ଅମା ଅନ୍ଧାରରେ ଅତୀତ : ଅନ୍ନପୂର୍ଣ୍ଣାର ଆଲୋକ ନିର୍ବାପିତ

ରାତି ପରେ ରାତି ଅଭିନୟ ଦେଖିବାର ନିଶା ସରୁ ନଥିବ ଦର୍ଶକଙ୍କ ନୟନରୁ, ଆକାଶରେ ଉଇଁ ଆସୁଥିବ କୁଅାଁ ତାରା, ଭୋର୍ ହେବାର ସୂଚନା । ରାଜାରାଣୀର ପୋଷାକରେ, ଖଣ୍ଡା ତଲ୍ୱାରର ଶବ୍ଦରେ ଉନିଦ୍ର ରହିଥିବ ଆମମାନଙ୍କର ସ୍ୱପ୍ନ । ମନେ ହେଉଥିବ ମୁକ୍ତ ରଙ୍ଗମଂଚ ଉପରେ ଚଳମାନ ଚରିତ୍ରମାନଙ୍କ ଭିତରେ ଆମେ ବି ସାମିଲ୍ ହୋଇସାରିଛୁ । ଦୀର୍ଘ ଅର୍ଦ୍ଧ ଶତାବ୍ଦୀରୁ ଅଧିକ ଆଜି ଅନ୍ନପୁର୍ଣ୍ଣାର ଅତୀତ, ଅନ୍ନପୂର୍ଣ୍ଣାର କାହାଣୀ । ଓଡ଼ିଶାର ଦର୍ଶକମାନଙ୍କ ପାଖରେ ଯେତେବେଳେ ନଥିଲା ମନେରଞ୍ଜନର ଥଳି ଠିକ୍ ସେତେବେଳେ ଆରମ୍ଭ ହୁଏ ଅନ୍ନପୂର୍ଣ୍ଣାର ଜୟଯାତ୍ରା । ଏକଦା କ୍ଷୁଦ୍ର ଗ୍ରାମୀଣ ଅନୁଷ୍ଠାନଟିଏ ‘ଲମ୍ବୋଦରପର ନାଟ୍ୟମଣ୍ଡଳୀ’ ଆରମ୍ଭ କରେ ଏକ ପୌରାଣିକ ଗୀତାଭିନୟ । ପରବର୍ତୀ ସମୟରେ କଳାକାରଙ୍କ ଉତ୍ସାହ, ଜମିଦାର ସୋମନାଥ ଦାଶଙ୍କ ଆଶୀର୍ବାଦ ଓ ଅଙ୍ଗୀକାର ରୂପ ନିଏ ଅନ୍ନପୂର୍ଣ୍ଣା ଥିଏଟର ।
ସୋମନାଥଙ୍କ ପରି ଜଣେ ବଦାନ୍ୟ ବ୍ୟକ୍ତିଙ୍କ ତ୍ୟାଗ, ଅର୍ଥ ବ୍ୟୟ ଓ ମନୋଭାବରେ ପ୍ରଗତିଶୀଳ ପରିକଳ୍ପନାର ରୂପରେଖ ଓଡ଼ିଶାର କୋଣ ଅନୁକୋଣରୁ ସାଉଁଟି ଆଣେ ଅଗଣିତ କଳାକାର । ପ୍ରଥମଥର ପାଇଁ ଅନ୍ନପୂର୍ଣ୍ଣା ମଂଚ ଦିଏ କଳାକାରଙ୍କୁ ଆଶ୍ରୟ, ଆୟ ଓ ପ୍ରତିଭାର ବର୍ଣ୍ଣବିଭାରେ ମୁଗ୍ଧ ବିଭୋର କରିବା ପାଇଁ ଅଗଣିତ ଦର୍ଶକ । ପ୍ରଥମଥର ପାଇଁ ଅନ୍ନପୂର୍ଣ୍ଣା ମଂଚକୁ ଆସନ୍ତି ନାରୀ ଅଭିନେତ୍ରୀ, ଅନେକ ବିତର୍କ ଓ ସମ୍ଭାବନାର ସ୍ୱାଗତିକା ପ୍ରାୟ ।
ଅନ୍ନପୂର୍ଣ୍ଣା ନାଟ୍ୟମଣ୍ଡଳୀ ଓଡ଼ିଶାର ପ୍ରଚଳିତ ନାଟ୍ୟ ପରମ୍ପରାରେ ଆଣିଥିଲେ ଅଭିନବ ପରିବର୍ତନ । ଏହାଥିଲା ସାଧାରଣ ଜନତାର ଉତ୍କଣ୍ଠା ଓ ଉଜାଗରର ଉତ୍ସ । ଏହି ଅନୁଷ୍ଠାନ ସର୍ବ ପ୍ରଥମେ ବିଜୁଳିବତାର ସଦୁପଯୋଗ କରି ପରିବେଷଣ କରିଥିଲା ‘ଭକ୍ତର ଭଗବାନ’ । ପରବର୍ତୀ ସମୟରେ ଅନ୍ନପୂର୍ଣ୍ଣା ଥିଏଟର ଦ୍ରୁମରୁ ମହାଦ୍ରୁମରେ ପରିଣତ ହୋଇଥିଲା । ଏହାର ଶାଖା ପ୍ରଶାଖା ପରି ସୃଷ୍ଟି ହେଲେ ଅନ୍ନପୂର୍ଣ୍ଣା ‘ଏ’, ‘ବି’, ‘ସି’ ଓ ‘ଡ଼ି’ ଗ୍ରୁପ୍ । କିନ୍ତୁ ପ୍ରତି ଉତ୍ଥାନ-ପରେ ପତନର ପ୍ରାକୃତିକ ନିୟମରେ ଆଜି ଅନ୍ନପୂର୍ଣ୍ଣାର ଶାଖା ପ୍ରଶାଖା ନିଶ୍ଚିହ୍ନ ପ୍ରାୟ । ଅତୀତ-ଅନ୍ଧକାର, ବର୍ତମାନ ସନ୍ଦିଗ୍ଧ ଓ ଭବିଷ୍ୟତ ପ୍ରଶ୍ନବାଚୀ । ମହାନ୍ ମନୋରଞ୍ଜନର ଅଟ୍ଟାଳିକା ଅନ୍ନପୂର୍ଣ୍ଣାର ଅନାଲୋଚିତ କାହାଣୀ, ନାୟକ ଓ ନାୟିକାମାନଙ୍କର ମର୍ମବ୍ୟଥାର ଆଲେଖ୍ୟ ଆଙ୍କନ୍ତି ଶରତ ପାଇକ୍ରାୟ।

୧୯୩୩ ମସିହାର ରଜ ସଂକ୍ରାନ୍ତି । ସବୁ ବର୍ଷପରି ସେ ବର୍ଷ ମଧ୍ୟ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟବର୍ତୀ ଲମ୍ବୋଦରପୁର ଗ୍ରାମକୁ ଆସିଥିଲେ କଟକ ହରିହରପୁର ଯାତ୍ରାଦଳ। ‘କର୍ଣ୍ଣବଧ’ ଗୀତାଭିନାୟ ସାରା ରାତି ମଂଚସ୍ଥ କରି ସ୍ତବ୍ଧ କରି ଦେଇଗଲେ ଲମ୍ବୋଦରପୁର ଓ ଖଣ୍ଡୁଆଳ କୋଟ ଶାସନର ଯୁବସୁଲଭ ଦର୍ଶକମଣ୍ଡଳୀଙ୍କୁ । ବର୍ଷର ବିଭିନ୍ନ ସମୟରେ ଯାତ୍ରାଭିନୟ ଦେଖି ଦେଖି କାହିଁକି କେଜାଣି ସେଦିନ ସେ ଅଂଚଳର ଯୁବ ସମାଜ ପ୍ରତିଜ୍ଞାବଦ୍ଧ ହେଲେ ଅନୁରୂପ ଏକ ଯାତ୍ରାଦଳର ପ୍ରସ୍ତୁତିପାଇଁ। ଖଣ୍ଡୁଆଳକୋଟ ବ୍ରାହ୍ମଣ ଶାସନର ଦୁଇ ଦୁର୍ଲଭ ଯୁବକ ଚକ୍ରପାଣି ଦାଶ ଓ ଲିଙ୍ଗରାଜ ନନ୍ଦ ନିଜ ଗ୍ରାମ ବ୍ରାହ୍ମଣ ଶାସନରେ ଯାତ୍ରା ତାମସା କରିବା ଅସମ୍ଭବ ବୋଲି ମନେ କରି ନିଜର କର୍ମକ୍ଷେତ୍ର ଭାବରେ ବାଛି ନେଲେ ନିକଟସ୍ଥ ଲମ୍ବୋଦରପୁର ଖଣ୍ଡାୟତ ଗ୍ରାମ। ସେଠାକାର ଗ୍ରାମବାସୀଙ୍କୁ ଅନୁପ୍ରାଣିତ କରି ପ୍ରତ୍ୟେକଙ୍କ ଘରୁ ଜଣେ ଯାତ୍ରାଦଳରେ ଯୋଗ ଦେବାପାଇଁ ନିଷ୍ପତି ହୁଏ । ସେମାନଙ୍କର ଡ଼ାକରାରେ ତାଙ୍କ ସହ ଯୋଗ ଦିଅନ୍ତି, ବିଶ୍ୱନାଥ କଳାପାହାଡ଼, ନଟବର ବିଶ୍ୱାଳ, ରଘୁନାଥ ସେଣ, ନଟବର ସେଣ, ବୃନ୍ଦାବନ ରାଉତରାୟ, ଗୋଦାବରୀ ଜେନା, ବତ୍ସ ରାଉତରାୟ, ବଟକୃଷ୍ଣ ସେଣ, ଧ୍ୟାନ ସେଣ ଓ ମହନ୍ତ ସିଂ ପ୍ରମୁଖ । ଅଭିନୟ ପାଇଁ ପ୍ରସ୍ତୁତ ଥିବାବେଳେ ଯାତ୍ରାଦଳକୁ ପାଣ୍ଠି ଯୋଗାଇ ଦେଲେ ଉଦୟ ନାଥ ବିଶ୍ୱାଳ ଓ ହରିହର ବିଶ୍ୱାଳ ।
ଚକ୍ରପାଣି ଦାଶଙ୍କ ନିର୍ଦ୍ଦେଶନା ଓ ଲିଙ୍ଗରାଜ ନନ୍ଦଙ୍କ ସଙ୍ଗୀତରେ ପ୍ରସ୍ତୁତ ହେଲା ‘କର୍ଣ୍ଣବଧ’ ଗୀତାଭିନୟ । ଉଦୟନାଥ ଓ ହରିହରଙ୍କ ୮୦ଟଙ୍କା ଲେଖାଏଁ ଜମା ଟଙ୍କାରୁ କ୍ରୟ କରାଗଲା ଯାତ୍ରା ପୋଷାକ । ୨୮.୧୦.୧୯୩୩ ଦିନ ଚକ୍ରପାଣିଙ୍କୁ ସଙ୍ଗରେ ନେଇ ଉଦୟନାଥ ଓ ହରିହର କଟକର ଭଗବାନ ମାରୱାଡ଼ିଙ୍କ ଠାରୁ କିଣି ଆଣିଲେ ଅନ୍ୟାନ୍ୟ ନାଟ୍ୟ ସରଞ୍ଜାମ । ୧୯୩୩ ମସିହାର ‘ବିଜୟା ଦଶମୀ’ ଉପଲକ୍ଷେ ଲମ୍ବୋଦରପୁରର ନାଟ୍ୟ ମଣ୍ଡଳୀର ପ୍ରଥମ ଅବଦାନ ମୁକ୍ତମଂଚରେ ପରିବେଷଣ ହେଲା ‘କର୍ଣ୍ଣବଧ’ ଗୀତାଭିନୟ । ଏହି ଗୀତାଭିନୟରେ ବର୍ତମାନର ମଂଚ ନିର୍ଦ୍ଦେଶକ ନଟବର ସେଣ ଅର୍ଜ୍ଜୁନ, ନୃତ୍ୟଗୁରୁ ବଟକୃଷ୍ଣ ସେଣ ନାରୀ ଚରିତ୍ର ଓ ଅଭିନେତା ବୃନ୍ଦାବନ ରାଉତରାୟ ଭୀମ ଭୂମିକାରେ ଅଭିନୟ କରିଥିଲେ । ସେ ପର୍ଯ୍ୟନ୍ତ ଅନବରତ ନାଟକ ଦେଖାର ଆବେଶ କଳାକାରମାନଙ୍କ ମନରେ ଯେଉଁ କଳାତ୍ମକ ଭାବର ଉଦ୍ରେକ କରିଥିଲା ତାହାର ବାସ୍ତବ ରୂପ ହେଲା ‘କର୍ଣ୍ଣବଧ’ । ବିଜୟା ଦଶମୀ ପରେ ପରେ ପୁନଶ୍ଚ ପବିତ୍ର କୁମାର ପୂର୍ଣ୍ଣିମାରେ ଦ୍ୱିତୀୟ ଥର ପାଇଁ ଏହି ‘କର୍ଣ୍ଣବଧ’ ଗୀତାଭିନୟ ପରିବେଷଣ କରି ବେଶ୍ ପ୍ରଶଂସତ ହେଲେ । ଏଠାରୁ ଆରମ୍ଭ ହେଲା ଲମ୍ବୋଦରପୁର ନାଟ୍ୟମଣ୍ଡଳୀର ନାଟକ-ନିୟତି ।
ଏକଦା ଛୋଟିଆ ଗାଁଉଲି ଅନୁଷ୍ଠାନଟିଏ ଥିଲା ଲମ୍ବୋଧରପୁର ନାଟ୍ୟମଣ୍ଡଳୀ । କିନ୍ତୁ ଏହି ଅନୁଷ୍ଠାନଟି ଯେ ଦିନେ ଅନ୍ନପୂର୍ଣ୍ଣା ଥିଏଟର ଭାବରେ ପରିଚିତ ହୋଇ ସାରା ଓଡ଼ିଶାରେ ପ୍ରତିଷ୍ଠିତ ହେବ, ଏହି ବିଶ୍ୱାସ ନଥିଲା କାହାରି । ‘କର୍ଣ୍ଣବଧ’ ଗୀତାଭିନୟ ପରେ ଲମ୍ବୋଦରପୁର ନାଟ୍ୟମଣ୍ଡଳୀର କଳାକାରମାନଙ୍କ ଉତ୍ସାହ ଆତ୍ମ ପ୍ରତ୍ୟୟର ରୂପନେଲା । ପରେ ପରେ ସେମାନେ ପ୍ରସ୍ତୁତ କଲେ ‘ମୋହନ ସୁନ୍ଦର’ ଓ ‘ଅମର ବିଳାସ’ ଗୀତାଭିନୟ । ବ୍ରାହ୍ମଣ ବଂଶର ଦୁଇ ଯୁବକ ଏପରି ଯାତ୍ରାତାମ୍ସାରେ ବୁଡ଼ି ରହିବାରୁ କେବଳ ନିଜ ପରିବାର କାହିଁକି, ଖଣ୍ଡୁଆଳକୋଟ ବ୍ରାହ୍ମଣ ଶାସନର ବ୍ରାହ୍ମଣମାନେ ଚକ୍ରପାଣି ଓ ଲିଙ୍ଗରାଜଙ୍କୁ ବାସନ୍ଦ କରିବା ଭଳି ପରିସ୍ଥିତି ସୃଷ୍ଟି କଲେ । ଫଳରେ ଚକ୍ରପାଣି ଦାଶ ଏହାର ପ୍ରତିବାଦ ସ୍ୱରୂପ ସାତଦିନ ଧରି ଉପବାସ ରହିଲେ । ଉକ୍ତ ଗ୍ରାମ ତଥା ସେ ଅଂଚଳ ଜମିଦାର ସୋମନାଥ ଦାଶଙ୍କୁ ଏହି ସମସ୍ୟାର ସମାଧାନରେ ସହଯୋଗ କରିବାପାଇଁ କେହି କେହି ପ୍ରବର୍ତାଇବାକୁ ଚେଷ୍ଟିତ ହେଲେ। ଇତ୍ୟବସରରେ ଲମ୍ବୋଦରପୁରର ନାଟ୍ୟମଣ୍ଡଳୀ, ସୋମନାଥଙ୍କୁ ପ୍ରୀତ କରିବାପାଇଁ ତାଙ୍କ ଗୃହ ସମ୍ମୁକରେ ନାଟ୍ୟ ପରିବେଷଣ ପାଇଁ ମଂଚ ପ୍ରସ୍ତୁତ କଲେ ।

                 ଏ ସମ୍ପର୍କରେ ଜମିଦାର ସୋମନାଥଙ୍କୁ ସମ୍ୟକ ସୂଚନା ମଧ୍ୟ ପ୍ରଦାନ କରାଗଲା ନାହିଁ । ଯାତ୍ରା ପରିବେଷିତ ହେଲା । ପ୍ରାରମ୍ଭରେ ସୋମନାଥ ଉପସ୍ଥିତ ହୋଇ ନଥିଲେ ମଧ୍ୟ ଏକ ଅଶ୍ରୁଳ ସଂଳାପର ମର୍ମ ତାଙ୍କ ହୃଦୟକୁ ବିଦୀର୍ଣ୍ଣ କରି ପକାଇଲା ଓ ସେ ନିଜ ଦ୍ୱାରଦେଶରେ ଏକ ଚେୟାର ଉପରେ ଉପବେଶନ ପୂର୍ବକ ଯାତ୍ରା ଉପଭୋଗ କରିବାକୁ ଲାଗିଲେ । ଏଥିରେ କଳାକାରମାନେ ଉତ୍ସାହିତ ହୋଇ ଜମିଦାରଙ୍କ ଆଶୀର୍ବାଦ ଭିକ୍ଷା କଲେ ।
ଯାତ୍ରା ଶେଷ ହେବାପରେ ସୋମନାଥ କଳାକାରମାନଙ୍କୁ ନିଜର ଆତିଥ୍ୟ ଗ୍ରହଣ କରିବାକୁ ବାଧ୍ୟ କରାଇଲେ । ଏଥି ସହିତ  ପାରିଶ୍ରମିକ ସ୍ୱରୂପ ସୋମନାଥ ଏତାଦୃଶ ଆଗ୍ରହ ଯୋଗୁଁ ଚକ୍ରପାଣି ଓ ଲିଙ୍ଗରାଜଙ୍କ ବାଛନ୍ଦ ଶୃଙ୍ଖଳ ଛିଣ୍ଡି ଯାଇଥିଲା ସବୁଦିନ ପାଇଁ। ଚତୁର ଚକ୍ରପାଣି ଓ ଲିଙ୍ଗରାଜ, ଆଜିଠାରୁ ସୋମନାଥ ଏହି ଯାତ୍ରା ଦଳର ସମସ୍ତ ଦାୟିତ୍ୱ ବହନ କରିବେ ବୋଲି ତାଙ୍କୁ ନ ଜଣାଇ କଳାକାରମାନଙ୍କ ଆଗରେ ଘୋଷଣା କରିଦେଲେ । ଏଥିରେ କଳାକାରମାନଙ୍କ ମନରେ ସୃଷ୍ଟି ହୋଇଥିବା ହତାଶ ଭାବର ଭଟ୍ଟା ପଡ଼ିଲା । ସେହି ଦିନଠାରୁ ଏହି ନାଟ୍ୟମଣ୍ଡଳୀକୁ ବଳିଷ୍ଠ ଓ ପ୍ରତିଷ୍ଠିତ କରାଇବା ପାଇଁ ଚକ୍ରପାଣି ଓ ଲିଙ୍ଗରାଜ ନିଜର ସମସ୍ତ ବୁଦ୍ଧି ବିଦ୍ୟା ପ୍ରୟୋଗ କରିବାକୁ ଲାଗି ପଡ଼ିଲେ । ଏହାପରେ ଚକ୍ରପାଣିଙ୍କ ନିର୍ଦ୍ଦେଶନାରେ ଅଧିକ ଆଗ୍ରହରେ ଆଗାମୀ ଦିନ ପାଇଁ ପ୍ରସ୍ତୁତ ହେଲା ‘ସୀତାବନବାସ’ ଓ ‘ଖାର୍ଡବହନ’ ଗୀତିନାଟ୍ୟ ।

      ସେତେବେଳେ ବାଣପୁର ଅଂଚଳରେ ନାଟ୍ୟଦଳ ଭାବରେ ଖ୍ୟାତ ଥାଏ ଚାଷଙ୍ଗରା, ନିମିକ୍ଷେତା ସାନ ନଈରୀ ଓ ବଡ଼ ନଈରୀ। ଏହି ପ୍ରତିଯୋଗୀତାର ଦୌଡ଼ରେ ସାମିଲ ହେଲା ଲମ୍ବୋଦରପୁର ନାଟ୍ୟମଣ୍ଡଳୀ । ଏହା ମଧ୍ୟରେ ସାନ୍ ନଈରୀ ଯାତ୍ରା ଦଳରୁ ଦକ୍ଷ ନିର୍ଦ୍ଦେଶକ ସୁଦର୍ଶନ ଦାଶ ଯୋଗ ଦିଅନ୍ତୁ ଉପରୋକ୍ତ ଅନୁଷ୍ଠାନରେ । ସୁଦର୍ଶନଙ୍କ ବଳିଷ୍ଠ ନିର୍ଦ୍ଦୋନା, ଚକ୍ରପାଣିଙ୍କ ସୁମଧୁର କଣ୍ଠ ସ୍ୱର ଓ ଲିଙ୍ଗରାଜଙ୍କ ବାଦ୍ୟ ସଂଯୋଜନାରେ ଏହି ଅନୁଷ୍ଠାନର ଅନ୍ୟ ଏକ ଆକର୍ଷଣ ଥିଲା ‘କାଂଚନମାଳା’ ଓ ‘କେଦାର’ କୁମୁଦ’ । ଏସବୁ ନାଟକମାଳାଙ୍କୁ ନେଇ ଏହି ଅନୁଷ୍ଠାନ ଘୁରି ବୁଲିଲା ନିକଟସ୍ଥ ଗ୍ରାମମାନଙ୍କରେ ଦୀର୍ଘ ଏକ ବର୍ଷ ଚାରିମାଷ । ଭ୍ରମଣ କାଳରେ ଲମ୍ବୋଦରପୁର ନାଟ୍ୟମଣ୍ଡଳୀ ୩୭ଟି ବିନିଦ୍ର ରଜନୀ ନାଟ୍ୟ ପରିବେଷଣ କରି ଯାଇଥିଲା ୧୮୪ ଟଙ୍କାର ଆୟ ।
ଜୟ-ପରାଜୟର ପଶାପାଲି
୧୯୩୪ ମସିହାର ସେପ୍ଟେମ୍ବର ୧୨ ତାରିଖ ପବିତ୍ର ଗଣେଶ ଚତୁର୍ଥୀ । ଏହି ଅବସରରେ ବାଣପୁର ନିକଟରେ ତିନିଦିନ ଧରି ଯାତ୍ରା ପରିବେଷଣ ପାଇଁ ଲମ୍ବୋଦରପୁର ନାଟ୍ୟମଣ୍ଡଳୀକୁ ମିଳେ ନିୟନ୍ତ୍ରଣ । ଏହା ପୂର୍ବରୁ ବ୍ୟବସାୟିକ ଭିତିରେ ଏହି ଅନୁଷ୍ଠାନ ବିଭିନ୍ନ ସ୍ଥାନରେ ନିଜ ପକ୍ଷରୁ ଯାତ୍ରା କରୁଥିବା ବେଳେ, ସ୍ୱତଃ ନିୟନ୍ତ୍ରଣ ମିଳିବା କଳାକାର ଓ ଆୟୋଜକଙ୍କ ପାଇଁ ଥିଲା ଅତ୍ୟନ୍ତ ଉତ୍ସାହ ଜନକ। ଏହି ଉତ୍ସବ ଉପଲକ୍ଷେ ସେଠାରେ ନିମିକ୍ଷେତା ଯାତ୍ରା ଦଳ ମଧ୍ୟ ଯାତ୍ରା ପରିବେଷଣ ପାଇଁ ନିୟନ୍ତ୍ରିତ ହୋଇଥାନ୍ତି । ଏକ ପ୍ରତିଯୋଗିତା ମୂଳକ ଯାତ୍ରାରେ ଯୋଗ ଦେଇ ଲମ୍ବୋଦରପୁର ନାଟ୍ୟମଣ୍ଡଳୀ ଆରମ୍ଭ କଲା ଏହାର ପ୍ରଥମ ଯାତ୍ରା। ପ୍ରଥମ ରଜନୀରେ ଏହି ଅନୁଷ୍ଠାନ ଯେଉଁ ଅଭିନୟ ପରିବେଷଣ କଲା ସେଥିରେ ଦର୍ଶକମାନେ ସନ୍ତୁଷ୍ଟ ହୋଇପାରିଲେ ନାହିଁ। ପରବର୍ତୀ ଦୃଶ୍ୟ ଗୁଡ଼ିକ ମଧ୍ୟ ନିମ୍ନମାନର ହେବା ଯୋଗୁଁ ଦର୍ଶକମାନେ ଉତଖିପ୍ତ ହୋଇ ଏ ଅନୁଷ୍ଠାନର କଳାକାରମାନଙ୍କୁ ଗାଳି କରିବା ସଙ୍ଗେ ସଙ୍ଗେ ମଂଚ ପରିତ୍ୟାଗ କରି ନିକଟସ୍ଥ ନିମିକ୍ଷେତା ଯାତ୍ରାଦଳର ମଂଚକୁ ଚାଲି ଯାଇଥିଲେ।

        ନିଜ ଅନୁଷ୍ଠାନର ମଂଚରୁ ଦର୍ଶକ ଶୂନ୍ୟ ହୋଇ ପଡ଼ିବା ଯୋଗୁଁ ସେଦିନ ଲମ୍ବୋଦରପୁର ନାଟ୍ୟମଣ୍ଡଳୀ ଅଧାରୁ ଯାତ୍ରା ବନ୍ଦ କରିବାପାଇଁ ବାଧ୍ୟ ହୋଇଥିଲା । ନିଜ ଅଂଚଳର ଯାତ୍ରାଦଳ ,ପରି ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ବେଳେ ଉପସ୍ଥିତ ଥିଲେ ଜମିଦାର ସୋମନାଥ ଦାଶ । ଏହି ଅପମାନରେ କଳାକାରଗଣ ଯେତିକି ଦୁଃଖିତ ହେଲେ ସମପରିମାଣର ଦୁଃଖ ଅନୁଭବ କରିଥିଲେ ସୋମନାଥ । ଏହି ଅପମାନର ଭରଣା ପାଇଁ ସୋମନାଥ ଦୃଢ଼ ଶପଥ ନେଲେ ଏବଂ ନିଜର ଆରାଧ୍ୟ ଦେବୀ ମା୩ ଅନ୍ନପୂର୍ଣ୍ଣା ଦେବୀଙ୍କ ନିକଟରେ ଶରଣ ପଶିଳେ । ଏହାପରେ ସୋମନାଥ ଏହି ଅନୁଷ୍ଠାନକୁ ସମୃଦ୍ଧ କରିବା ପାଇଁ ନିଜେ ଦାୟିତ୍ୱ ନେଇ ଲମ୍ବୋଦରପୁର ନାଟ୍ୟମଣ୍ଡଳୀ ପରିବର୍ତେ ନିଜ ଆରାଧ୍ୟ ଦେବୀ ମା’ ଅନ୍ନପୂର୍ଣ୍ଣାଙ୍କ ନାମାନୁସାରେ ନାମକରଣ କଲେ ‘ଅନ୍ନପୂର୍ଣ୍ଣା ନାଟ୍ୟମଣ୍ଡଳୀ’ ।
ପରାଜୟର ଗ୍ଲାନିରେ ସମସ୍ତ କଳାକାର ଓ ଆୟୋଜକଙ୍କ ମନୋବଳ ଭାଙ୍ଗି ପଡ଼ିଲା । “ଆଉ ଏହି ରଙ୍ଗିନ ଦୁନିଆରେ ପାଦ ଥାପିବୁ ନାହିଁ, କେବେ ବି”’ କହି ସମସ୍ତ କଳାକାର ଚାଲିଗଲେ ନିଜ ନିଜ କର୍ମକ୍ଷେତ୍ରକୁ ! ମାତ୍ର ସୋମନାଥଙ୍କ ସଂକଳ୍ପ ଓ ଅର୍ଥବଳ ଯୋଗୁଁ ଅନେକ କଳାକାର ପୁନଶ୍ଚ ଏଥିରେ ଯୋଗଦେବା ପାଇଁ ମନସ୍ଥ କଲେ । ଆଉ କେତେକଙ୍କୁ ଏକାଠି କରାଇ ସୋମନାଥ ସେମାନଙ୍କ ମନୋବଳକୁ ସୁଦୃଢ଼ କରିବାରେ ଲାଗିଲେ । ସେମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ସୋମନାଥ ପ୍ରତ୍ୟେକ କଳାକାରମାନଙ୍କୁ ନିଜ ଖର୍ଚ୍ଚରେ ସୁଦୂର ଖୋର୍ଦ୍ଧା ନେଇ ଜୟଦୁର୍ଗା ନାଟ୍ୟମଣ୍ଡଳୀର କଳାକୁ ଅନୁଧ୍ୟାନ କରିବାପାଇଁ ପ୍ରୋତ୍ସାହନ ଦେଲେ । ସେଠାରେ ସୋମନାଥ ଏକ ଘର ଭଡ଼ା ନେଇ ନିୟମିତ ଜୟଦୁର୍ଗା ନାଟ୍ୟମଣ୍ଡଳୀର କଳାକାରମାନଙ୍କ ଅଭିନୟ, ମଂଚ ସଜ୍ଜା ଓ ସଙ୍ଗୀତକୁ ଅନୁଧ୍ୟାନ କରିବାକୁ ନିଜ କଳାକାରମାନଙ୍କୁ ନିର୍ଦ୍ଦେଷ ଦେଲେ । ଜୟଦୁର୍ଗା ନାଟ୍ୟମଣ୍ଡଳୀର କଳା ନୈପୁଣ୍ୟ, ମଂଚ ପରିପାଟୀ ଓ ସ୍ୱର ସଂଯୋଜନାରେ ଅଭିଭୂତ ହୋଇପଡ଼ିଲେ ଏହି କଳାକାରଗଣ । ଏତାଦୃଶ୍ୟ ଆୟୋଜନ ଦେଖି ଏ ଅନୁଷ୍ଠାନରେ ଆହୁରି ନୂତନ ଯୁବକ ସାମିଲ ହେବାପାଇଁ ଆଗ୍ରହ ପ୍ରକାଶ କଲେ । ସେମାନଙ୍କ ମଧ୍ୟରେ ଥିଲେ ଜଗନ୍ନାଥ ପାଢ଼ୀ, ଚକ୍ରଧର ପାଢ଼ୀ, ବିନାୟକ ପାଢ଼ୀ, ସନାତନ ବେହେରା, ରାମଚନ୍ଦ୍ର ନନ୍ଦ, ଭାସ୍କର ଶତପଥି, ଓ ଶାନିଆ ଭୋଇ । ଏମାନଙ୍କ ମଧ୍ୟରୁ ଅନେକ ଥିଲେ ନିରକ୍ଷର । ସଂଳାପ ମନେ ରଖିବାପାଇଁ ସୋମନାଥ ଏହି ନିରକ୍ଷର କଳାକାରମାନଙ୍କୁ ସ୍ୱାକ୍ଷର କରିବା ନିମନ୍ତେ ପ୍ରତ୍ୟେହ ଏକ ପୃଷ୍ଠା ହସ୍ତାକ୍ଷର ଲେଖିବାକୁ ନିର୍ଦ୍ଦେଶ ଦେଲେ ।
କଳାକାରମାନେ ଗୋଟିଏ ସ୍ଥାନରେ ରହି ଅଭିନୟ ଅଭ୍ୟାସ କରିବା ପାଇଁ ସୋମନାଥ ନିଜ ନବ ନିର୍ମିତ କୋଠାଘରକୁ ବ୍ୟବହାର କରିବାପାଇଁ ଅନୁମତି ଦେଲେ । ସେଠାରେ ପ୍ରତ୍ୟେହ କଳାକାରମାନଙ୍କୁ ନୃତ୍ୟ, ସଙ୍ଗୀତ, ଅଭିନୟ ଇତ୍ୟାଦି ଶିକ୍ଷା ଦିଆଗଲା । ସେତେବେଳକୁ ନୃତ୍ୟଗୁରୁ ଭାବରେ କୃଷ୍ଣଚନ୍ଦ୍ର ନିଯୁକ୍ତି ପାଇ ସାରିଥିଲେ । ସୋମନାଥ ଉପରୋକ୍ତ ବ୍ୟବସ୍ଥା ସହିତ ସୁଦୂର କଟକ ଯାଇ ପ୍ରାୟ ଆଠଶହ ଟଙ୍କାର ନାଟ୍ୟ ଉପକରଣ କିଣି ଆଣିଲେ । ଅନ୍ୟ କେତେକ ନାଟ୍ୟ ଉପକରଣ କଟକରେ ଉପଲବ୍ଧ ନ ହେବାରୁ ସୋମନାଥ କଲିକତା ଗଲେ । କଲିକତାରେ ଜଣେ ପରିଚିତଙ୍କ ଘରେ ରହି ସୋମନାଥ ସେଠାକାର ରଙ୍ଗମଂଚଆଡ଼କୁ ଅନୁଧ୍ୟାନ କରି ପର୍ଦ୍ଦା ଦଉଡ଼ି ଠାରୁ ଆରମ୍ଭ କରି ନୂତନ ବାଦ୍ୟଯନ୍ତ୍ର ଓ ପାଲ ପ୍ରଭୃତି ପ୍ରାୟ ଦୁଇ ହଜାର ଟଙ୍କାର ନାଟ୍ୟ ଉପକରଣ କିଣିଲେ । ସେଗୁଡ଼ିକ ବିରାଟକାୟ ବସ୍ତା ଟ୍ରଙ୍କରେ ଭର୍ତି କରି ସୋମନାଥ ୧୯୩୪ ମସିହା ଡ଼ିସେମ୍ବର ୨୦ ତାରିଖରେ ରେଳଯୋଗେ ଆସି ବାଲୁଗାଁ ଷ୍ଟେସନରେ ଅବତରଣ କରିଥିଲେ । ସୁଦୂର କଲିକତା ଯାଇ, ସେଠାରୁ ଯାତ୍ରା କରିବାପାଇଁ ଏତେ ପରିମାଣର ଉପକରଣ କିଣିବା ସେ ସମୟରେ ସାରା ବାଣପୁର ଅଂଚଳରେ ଚହଳ ପକାଇ ଦେଲା । ଏସବୁ ଆୟୋଜନ ମଧ୍ୟ ଆହୁରି ଅନେକ କଳାକାରଙ୍କୁ ସାମିଲ୍ ହେବାପାଇଁ ଖୋରାକ ଯୋଗାଇଥିଲା ।
ଓଡ଼ିଶାର ପ୍ରଚଳିତ ନାଟ୍ୟ ପରମ୍ପରାର ଉନ୍ନତି ସାଧନ କରିବା ସହିତ ପାଶ୍ଚାତ୍ୟ ପ୍ରଭାବରେ ଗଢ଼ି ଉଠିଥିବା ଉନ୍ନତ ମଂଚ କୌଶଳ ଓ ପ୍ରସାଧାନ ପରିପାଟୀକୁ ଏଥିରେ ବିନିଯୋଗ କରି ସୋମନାଥ ସର୍ବ ପ୍ରଥମେ ତାଙ୍କର ଅନ୍ନପୂର୍ଣ୍ଣା ନାଟ୍ୟମଣ୍ଡଳୀ ମାଧ୍ୟମରେ ଏକ ନୂତନ ପରମ୍ପରା ସୃଷ୍ଟି କଲେ । ସ୍ୱର୍ଗତ ବୈଷ୍ଣବ ପାଣିଙ୍କର ଗୀତିନାଟ୍ୟକୁ ଆବଶ୍ୟକ ସ୍ଥଳେ ପାତ୍ରୋମୁଖୀ ସଂଳାପ ଯୋଗ କରି ଓ ଅଶ୍ରାବ୍ୟ ପ୍ରହସନ ବଦଳରେ ବୌଦ୍ଧିକ ପ୍ରହସନ ଗୁଡ଼ିକୁ ନାଟକର ଆବଶ୍ୟକତା ଅନୁଯାୟୀ ଖଞ୍ଜି ଉନ୍ନତ ମାନର ନାଟକ ପ୍ରସ୍ତୁତ ହେଲା । ବିଶେଷତଃ ପୁରାତନ ପଦ୍ଧତି ଅନୁଯାୟୀ ନାଟକରେ ନଟନଟୀ ଓ ନିୟତି ଚରିତ୍ରକୁ ବାଦ ଦେଇ ଏହି ଅନୁଷ୍ଠାନ ଦୃଶ୍ୟ କାବ୍ୟକୁ ଏକ ଉନ୍ନତ ରୂପରେଖ ପ୍ରଦାନ କଲା । ଏଥି ସହିତ ପ୍ରଚ୍ଛଦପଟ୍ଟରେ ସ୍ମାରକର ବ୍ୟବସ୍ଥା ଏହି ଅନୁଷ୍ଠାନ ପ୍ରୟୋଗ କଲା ।

                            ଏହିପରି ଭିନ୍ନ ଭିନ୍ନ ଉନ୍ନତ ଦରଣର କୌଶଳକୁ ପ୍ରୟୋଗ କରି ଅଭିନୟକୁ ବାସ୍ତବ ଓ ଜୀବନ୍ତ କରିବାପାଇଁ ସୋମନାଥ ପ୍ରତ୍ୟେହ ନିର୍ଦ୍ଦେଶକ, କଳାକାର ଓ ଅନ୍ୟମାନଙ୍କ ସହିତ ଗଭୀର ମନନଶୀଳତା ସହକାରେ ଆଲୋଚନା କରୁଥିଲେ । ଏହି ଅନୁଷ୍ଠାନରେ ୧୯୩୫ ମସିହା ଫେବୃୟାରୀ ମାସରେ ଯାତ୍ରାଦଳର ଜଣେ ଦକ୍ଷ ପରିଚାଳକ ବାଉରୀ ବଂଧୁ ମହାନ୍ତି ଯୋଗଦେଲେ । ଆଗରୁ ବାଳକୃଷ୍ଣ ମହାନ୍ତିଙ୍କ ଯାତ୍ରାଦଳର ପରିଚାଳକ ଥିବା ବାଉରୀବଂଧୁ ମହାନ୍ତି ଅନ୍ନପୂର୍ଣ୍ଣାର ଏତେ ଗୁଡ଼ିଏ ଉପକରଣ ଦେଖି ଅଭିଭୂତ ହୋଇ ପଡ଼ିଲେ । ତଥାପି କେତୋଟି ଗ୍ୟାସ୍ ଲାଇଟିର ଅଭାବକୁ ଉପଲବ୍ଧି କରି ବାଉରୀବଂଧୁ ଓ ସୋମନାଥ ପୁନଶ୍ଚ ୧୯୩୫ ମସିହା ଫେବୃୟାରୀ କୋଡ଼ିଏ ତାରିଖରେ କଲିକତା ଅଭିମୁଖେ ଯାତ୍ରା କରିଥିଲେ ।
ଅନ୍ନପୂର୍ଣ୍ଣାର ଜୟଯାତ୍ରା
କଳାକାରମାନଙ୍କ ଅଦମ୍ୟ ଉତ୍ସାହ, ସର୍ବୋତ୍କଷ୍ଟ ନାଟ୍ୟ ଉପକରଣ, ଉନ୍ନତ ବାଦ୍ୟଯନ୍ତ୍ର, ବଳିଷ୍ଠ ନିର୍ଦ୍ଦେଶନା, ଦକ୍ଷ ନୃତ୍ୟଗୁରୁ ଓ ଅଭିଜ୍ଞ ସଙ୍ଗୀତଜ୍ଞକୁ ନେଇ ଅନ୍ନପୂର୍ଣ୍ଣା ନାଟ୍ୟମଣ୍ଡଳୀ ଦ୍ରୁତ ବିକାଶ ଘଟିଲା । ଏହି ସମୟରେ ପବିତ୍ର ଶିବରାତ୍ରୀ ଉପଲକ୍ଷେ, ଗଞ୍ଜାମ ଜିଲ୍ଲାର ତାଳେଶ୍ୱର ଗ୍ରାମରେ ଏକ ନାଟ୍ୟ ପରିବେଷଣ ପାଇଁ ନିମନ୍ତ୍ରଣ ମିଳିଲା । ଏହି ନିମନ୍ତ୍ରଣ ପାଇବାପରେ କଳାକାର, ଆୟୋଜକ ଓ ସୋମନାଥଙ୍କ ଉତ୍ସାହ କଥା କହିଲେ ନସରେ । ତାଳେଶ୍ୱର ଯାତ୍ରା ପାଇଁ ସୋମନାଥଙ୍କ ନିର୍ଦ୍ଦେଶ ଅନୁସାରେ ହିସାବ ରକ୍ଷକ ଭାବେ ରାଜ କିଶୋର ମହାନ୍ତି, ସହକାରୀ ପରିଚାଳକ ଭାବେ ଲିଙ୍ଗରାଜ ନନ୍ଦ ଓ ପରିଚାଳକ ଭାବରେ ବାଉରୀ ବଂଧୁ ମହାନ୍ତିଙ୍କୁ ନିଯୁକ୍ତି ଦିଆଗଲା ।

                            ଦୀର୍ଘ ସାତମାସର ଅକ୍ଳାନ୍ତ ପରିଶ୍ରମ ଓ ଅଜସ୍ର ଅର୍ଥବ୍ୟୟର ଅନୁଭୂତି ବହନ କରି ‘ଅନ୍ନପୂର୍ଣ୍ଣା ନାଟ୍ୟ ମଣ୍ଡଳୀ’ ୧୯୩୫ ମସିହା ମାର୍ଚ୍ଚ ମାସ ୩ ତାରିଖ ଦିନ ତାଳେଶ୍ୱର ଅଭିମୁଖେ ଯାତ୍ରା କରିଥିଲା । ଏହି ଦିନକୁ ଅନ୍ନପୂର୍ଣ୍ଣା ନାଟ୍ୟମଣ୍ଡଳୀର ଜନ୍ମ ଦିବସ ଭାବରେ ଗ୍ରହଣ କରାଯାଇଛି । ତାଳେଶ୍ୱର ଶିବ ମନ୍ଦିର ଉପକଣ୍ଠରେ ସମବେତ ଦର୍ଶକ ମଣ୍ଡଳୀର ଘନଘନ କରତାଳି ଧ୍ୱନିରେ       ଅଭିନନ୍ଦିତ ହୋଇ ଉଜ୍ଜ୍ୱଳ ଭବିଷ୍ୟତର ସୂଚନା ଦେଇ ଅଭିନୟ ଆରମ୍ଭ କଲା ଅନ୍ନପୂର୍ଣ୍ଣା ନାଟ୍ୟ ମଣ୍ଡଳୀ ।
ଆକର୍ଷଣୀୟ ମଂଚ ପରିପାଟୀ ଓ ନିଖୁଣ ଅଭିନୟ ସହିତ ଅନ୍ନପୂର୍ଣ୍ଣା ନାଟ୍ୟମଣ୍ଡଳୀ ତାଳେଶ୍ୱର ଜାଗର ପଡ଼ିଆରେ ହଜାର ହଜାର ଦର୍ଶକଙ୍କୁ ଯାତ୍ରା ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ଏହାପରେ ଏହି ଅନୁଷ୍ଠାନ ସେଠାରେ ଟିକଟ ବିକ୍ରି କରି ଯାତ୍ରା ପରିବେଷଣ ଆରମ୍ଭ କଲା । ସୋମନାଥ, ବାଉରୀବନ୍ଧୁଙ୍କୁ ଅନ୍ନପୂର୍ଣ୍ଣା ନାଟ୍ୟମଣ୍ଡଳୀର ପରିଚାଳନା ଦାୟିତ୍ୱ ଦେଇ ଫେରି ଆସିଲେ ବାଲୁଗାଁ । ବାଲୁଗାଁ ରେଳଷ୍ଟେସନ ନିକଟରେ ଜାଗୁଳାଈ ମନ୍ଦିର ପାଶ୍ୱର୍ରେ ସୋମନାଥ ପ୍ରସ୍ତୁତ କଲେ ଏକ ସ୍ଥାୟୀ ମଂଚ । ଏଣେ ଅନ୍ନପୂର୍ଣ୍ଣା ନାଟ୍ୟମଣ୍ଡଳୀ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ନାଟ୍ୟପରିବେଷଣ କରି ସଫଳତାର ବିଜୟ ଟୀକା ସହିତ ଅଗଷ୍ଟ ମାସରେ ଜନ୍ମିତ ମାଟି ବାଲୁଗାଁର ସ୍ଥାୟୀ ମଂଚ ପାଖକୁ ଫେରି ଆସଲା । ବାଲୁଗାଁ ପ୍ରେକ୍ଷାଳୟରେ ଏକମୁଖୀ ମଂଚ ଜରିଆରେ ଅନ୍ନପୂର୍ଣ୍ଣା ନାଟ୍ୟମଣ୍ଡଳୀ ବର୍ଷା ଋତୁରେ ମଧ୍ୟ ନାଟକ ମଂଚସ୍ଥ କଲା । ଏହି ସମୟରେ ବାଲୁଗାଁ ନିକଟବର୍ତୀ ବାଣପୁରଠାରେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଦ୍ୱାରା ପରିଚାଳିତ ସାକ୍ଷୀ ଗୋପାଳ ରାସଦଳ ଅଭିନୟ ପ୍ରଦର୍ଶନ କରୁଥିଲା । ଏହା ସତ୍ୱେ ବାଣପୁରର ସମସ୍ତ ଦର୍ଶକ ବାଲୁଗାଁ ଆସୁଥିଲେ ଅନ୍ନପୂର୍ଣ୍ଣା ନାଟ୍ୟମଣ୍ଡଳୀର ଅଭିନୟ ଦେଖିବା ପାଇଁ । ଗଞ୍ଜାମ ଜିଲ୍ଲା ଗସ୍ତ ସମୟରେ ପିତଳ ଗ୍ରାମର ଭାଙ୍ଗି ଯାଇଥିବା କିଶୋର ଚନ୍ଦ୍ର ନାଟ୍ୟ ସଂଘର କଳାକାର ରଘୁନାଥ ମିଶ୍ର, ଲକ୍ଷ୍ମୀ ନାରାୟଣ ପାତ୍ର ଓ ବୃନ୍ଦାବନ ପାତ୍ର (ବୁଲୁବୁଲ୍) ପ୍ରଭୃତି କଳାକାର ଏହି ଅନୁଷ୍ଠାନରେ ଯୋଗ ଦେଇଥିଲେ ।
‘ମଥୁରା ବିଜୟ’, ‘କେଦାର ଗୌରୀ’, ‘ହରିଶ୍ଚନ୍ଦ୍ର’ ଓ ‘ଭକ୍ତର ଭଗବାନ’ ପରି ଅନେକ ପୌରାଣିକ ନାଟକର ପସରା ନେଇ ଅନ୍ନପୂର୍ଣ୍ଣା ନାଟ୍ୟମଣ୍ଡଳୀ ଘୁରି ବୁଲିଲା ବୋଲଗଡ଼, ନୟାଗନ, ଖୋର୍ଦ୍ଧା, ଭୁବନେଶ୍ୱ୍, ବାଳକାଟି, ବନମାଳିପୁର, ଭିଙ୍ଗାରପୁର, ବାରଙ୍ଗ, ଟାଙ୍ଗି, ଛତିଆ ଓ କପିଳାଶ ରୋଡ଼ ପ୍ରଭୃତି । ଶେଷରେ ଅନ୍ନପୂର୍ଣ୍ଣା ନାଟ୍ୟମଣ୍ଡଳୀ ସାରା ଓଡ଼ିଶା ବୁଲିବୁଲି ୧୯୩୬ ମସିହା ଜୁଲାଇ ମାସରେ କଟକର ଭାଟିମୁଣ୍ଡାଠାରେ ଆସି ପହଂଚିଲା । ସେଠାରେ କଳାକାରମାନଙ୍କୁ ଛୁଟି ପ୍ରଦାନ କରାଯାଇ ପୁନଶ୍ଚ ଅଗଷ୍ଟ ମାସରେ ଏକତ୍ରିତ ହେବା ପାଇଁ ପ୍ରତିଷ୍ଠାତା ସୋମନାଥ ଦାଶ ନିର୍ଦ୍ଦେଶ ଦେଲେ । ମୋହନ ସୁନ୍ଦର ଗୋସ୍ୱାମୀଙ୍କ ରାସଦଳର ପତନ ପରେ, ଗଣେଶ୍ୱର ରଥ ଓ ନୀଳକଣ୍ଠ ରଥ, ବଳଙ୍ଗାର ରାଧାକୃଷ୍ଣ ଥିଏଟରର ପତନ ପରେ ଦକ୍ଷ ନିର୍ଦ୍ଦେଶକ ମାଷ୍ଟର ରାମଚନ୍ଦ୍ର ମାଣିଆ ୧୯୩୬ ମସିହା ଅକ୍ଟୋବର ମାସରେ ଏହି ଅନୁଷ୍ଠାନରେ ଯୋଗ ଦେଲେ । ଏଥି ସହିତ ଗଞ୍ଜାମ ଜିଲ୍ଲାର କେତେକ ନାରୀ ଅଭିନେତ୍ରୀ ଯେଉଁମାନେ ଥିଲେ କିଶୋର ଚନ୍ଦ୍ର ନାଟ୍ୟ ସଂସ୍ଥାର ଶିଳ୍ପୀ, ସେମାନେ ମଧ୍ୟ ଏହି ଅନୁଷ୍ଠାନରେ ଯୋଗ ଦେଲେ । ସେ ସମୟରେ ନାରୀ ଅଭିନେତ୍ରୀ କୁମାରୀ ଶ୍ରୀହରୀ, ଚନ୍ଦ୍ରମା, କୈତୁଳୀ, ବାଙ୍ଗାରୀ ଓ ଚିଟିମୃତି ନାଟକରେ ଅଭିନୟ ନକରି କେବଳ ନୃତ୍ୟଗୀତ ପରିବେଷଣ ଭାଗ ନେଉଥିଲେ । ନାଟକରେ ସ୍ତ୍ରୀ ଭୂମିକାରେ ଏହି ଅନୁଷ୍ଠାନର ଲିଙ୍ଗରାଜ ବଳବନ୍ତରାୟ ଓ ଆଦି ନାରାୟଣ ପାତ୍ରଙ୍କ ନିଖୁଣ ଅଭିନୟ ସମସ୍ତଙ୍କୁ ମୁଗ୍ଧ ଚକିତ କରି ରଖିଥିଲା ।
ନାଟ୍ୟମଣ୍ଡଳୀରୁ ଥିଏଟର : ପ୍ରଜାପତିର ପରିପ୍ରକାଶ
ସେହି ବର୍ଷ ବର୍ଷାଋତୁ ଶେଷ ହେବାପରେ ଅନ୍ନପୂର୍ଣ୍ଣା ନାଟ୍ୟମଣ୍ଡଳୀ ପହଂଚେ ଖୋର୍ଦ୍ଧାରେ ଜଟଣୀ ଠାରେ । ସେତେବେଳେ ‘ନାଟ୍ୟମଣ୍ଡଳୀ’ ଶବ୍ଦର ବହୁଳ ବ୍ୟବହାର ଏବଂ ସର୍ବୋପରି ଏହି ଅନୁଷ୍ଠାନକୁ ଆଧୁନିକତାର ରୂପରେଖ ଦେଇ ଗଢ଼ିବାପାଇଁ ପ୍ରତିଷ୍ଠାତା ସୋମନାଥ ଓ ପରିଚାଳକ ବାଉରୀବନ୍ଧୁ ମହାନ୍ତିଙ୍କ ଉପସ୍ଥିତିରେ ସମସ୍ତ କଳାକାର, ନିର୍ଦ୍ଦେଶକ ଓ ଆୟୋଜକଗଣଙ୍କ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସହିତ ନିଷ୍ପତି ଗ୍ରହଣ କରାଗଲା । ଏହି ନିଷ୍ପତି ଅନୁସାରେ, ‘ଅନ୍ନପୂର୍ଣ୍ଣା ନାଟ୍ୟମଣ୍ଡପ’ର ନାମ ହେଲା, ‘ଅନ୍ନପୂର୍ଣ୍ଣା ଥିଏଟର’ । ପୂର୍ବରୁ ପ୍ରଚଳିତ କାଗଜ ପତ୍ର ଓ ଷ୍ଟାମ୍ପକୁ ରବ୍ଦ କରିଦିଆଗଲା ।

                    ଏହାପରେ ଏହି ଅନୁଷ୍ଠାନ ଅନ୍ନପୂର୍ଣ୍ଣା ଥିଏଟର ଭାବରେ ପରିଚିତ ହୋଇ ୧୯୩୭ ମସିହା ଜାନୁୟାରୀ ପହିଲାରେ ଖଲ୍ଲିକୋଟ ପହଂଚିଲା । ସେଠାରେ ‘ଏକମୁଖୀ ମଂଚ’ ମାଧ୍ୟମରେ ‘ଭକ୍ତର ଭଗବାନ’ ନାଟକ ଖଲ୍ଲିକୋଟ ଗଡ଼ର ମହାରାଜାଙ୍କ ଦ୍ୱାରା ଉଦ୍ଘାଟିତ ହୋଇ ବେଶ୍ ଆଦୃତ ଲାଭ କଲା । ସେହିଦିନ ସତ୍ୟନାରାୟଣ ପଣ୍ଡାଙ୍କ ରଚିତ ‘ବିଜୟ କୁମାର’ ନାଟକ ମାଷ୍ଟର୍ ରାମଚନ୍ଦ୍ର ମାଣିଆଙ୍କ ନିର୍ଦ୍ଦେଶନାରେ ବେଶ୍ ଆଲୋଡ଼ନ ସୃଷ୍ଟି କରିଥିଲା । ସେ ସମୟରେ ବଙ୍ଗଳା ଭାଷାର ନାଟକକୁ ଓଡ଼ିଆ ଭାଷାରେ ରୂପାନ୍ତରିତ କରାଯାଇ ପ୍ରାୟତଃ ପରିବେଷଣ କରାଯାଉଥିଲା । ‘ଆଲ୍ଲିବାବା’, ‘ହରିଶ୍ଚନ୍ଦ୍ର’, ‘ବିଜୟକୁମାର’ ଓ ଆଶ୍ୱିନ କୁମାର ଘୋଷଙ୍କ ରଚିତ ‘କଳାପାହାଡ଼’, ‘ସଚୀମନ୍ତ୍ର’ ନାଟକ ମାଷ୍ଟର୍ ମାଣିଆଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ଦର୍ଶକମାନଙ୍କ ମଧ୍ୟରେ ଆଦୃତ ହୋଇଥିଲା ।
ଅନ୍ନପୂର୍ଣ୍ଣା ଥିଏଟର ପାଲଟିଗଲା ନାଟ୍ୟକଳାର ‘କେନ୍ଦ୍ରବିନ୍ଦୁ’ ଓ ଓଡ଼ିଶାର କଳା ପ୍ରେମୀମାନଙ୍କର ମନୋରଞ୍ଜନର ପ୍ରିୟ ପୃଥିବୀ । ଫଳରେ ଜୟପୁରର ମହାରାଜା ବିକ୍ରମଦେବଙ୍କ (ନବରଙ୍ଗପୁରର ଡ଼େପୁଟି ମାଜିଷ୍ଟ୍ରେଟ୍ ସଚ୍ଚିଦାନନ୍ଦ ମିଶ୍ରଙ୍କ ପରାମର୍ଶକ୍ରମେ) ‘ବୁଦ୍ଧଦେବ’ ନାଟକର ପରିବେଷଣ ଦାୟିତ୍ୱ ନେଲା ‘ଅନ୍ନପୂର୍ଣ୍ଣା ଥିଏଟର’ । ଅନ୍ନପୂର୍ଣ୍ଣା ଥିଏଟର ବେଶ୍ ସଫଳତାର ସହିତ ଏହି ନାଟକ ପବିତ୍ର ବିଜୟା ଦଶମୀରେ ରାଜବାଟୀଠାରେ ମଂଚସ୍ଥ କରିଥିଲା । ଜୟପୁରରୁ ବିଦାୟ ନେଇ ଅନ୍ନପୂର୍ଣ୍ଣା ଥିଏଟର ୧୯୩୮ ମସିହା ଜାନୁୟାରୀ ମାସରେ ପହଂଚେ ବ୍ରହ୍ମପୁର । ଏହିଠାରେ ଏହି ଅନୁଷ୍ଠାନ ସର୍ବ ପ୍ରଥମେ ବିଜୁଳୀ ବତୀର ସଦୁପଯୋଗ କରି ‘ଭକ୍ତର ଭଗବାନ’ ନାଟକ ପରିବେଷଣ କରିଥିଲା । ବିଜୁଳୀ ବତୀ ଦ୍ୱାରା ମଂଚ ସଂଚାଳନ କରି ଅନ୍ନପୂର୍ଣ୍ଣା ଥିଲଟର ଚମକ୍ରୃତ କରିଥିଲା ଦର୍ଶକମାନଙ୍କୁ । ଏହାପରେ ‘ଅନ୍ନପୂର୍ଣ୍ଣା ଥିଏଟର’ ଓଡ଼ିଶାର ବଲାଙ୍ଗୀର, ବରଗଡ଼, ସୋନ୍ପୁର, ସମ୍ବଲପୁର, ସଢ଼େଇକଳା, ଟାଟାନଗର, ଅନୁଗୁଳ ଓ ଟାଙ୍ଗୀ ପ୍ରଭୃତି ସ୍ଥାନରେ ନାଟକ ପରିବେଷଣ କରି ଫେରି ଆସିଲା ସୋମନାଥଙ୍କ ପାଖକୁ ।

                                      ୧୯୩୬ ମସିହାରେ ‘ଅନ୍ନପୂର୍ଣ୍ଣା ଥିଏଟର’ ଏକ ଐତିହାସିକ ନିଷ୍ପତି ସହ ନାରୀମାନଙ୍କୁ ନାରୀ ଭୂମିକାରେ ଅଭିନୟ କରିବାପାଇଁ ପ୍ରସ୍ତୁତି ଆରମ୍ଭ କଲା । ଫଳରେ ଏ ଅନୁଷ୍ଠାନରେ ଅଭିନେତ୍ରୀ ଭାବରେ ପ୍ରଥମ କରି ଯୋଗଦେଲେ ବୁଦ୍ଧିମତୀ ଓରଫ ଶଶୀକଳା ଦେବୀ, କାଂଚନବାଳା ଓରଫ ବାଳାମଣି ଦେବୀ ଓ ପ୍ରତିମା ବୋଷ । ଶଶୀକଳାଙ୍କୁ ସୋମନାଥ ମାସିକ ୨୦ଟଙ୍କା, ବାଳାମଣି ଦେବୀଙ୍କ ୮ ଟଙ୍କା, ଓ ପ୍ରତିମା ବୋଷଙ୍କୁ ୧୮ ଟଙ୍କା ଦରମାରେ ନିଯୁକ୍ତି ଦେଇଥିଲେ । ସେତେବେଳର ଓଡ଼ିଶାରେ କେତେକ ନାଟ୍ୟାନୁଷ୍ଠାନ ନାରୀମାନଙ୍କୁ ନିଜ ଅନୁଷ୍ଠାନରେ ସାମିଲ କରାଇଥିଲେ ମଧ୍ୟ ଅନ୍ନପୂର୍ଣ୍ଣା ନାରୀମାନଙ୍କୁ ନାରୀ ଭୂମିକାରେ ଅବତୀର୍ଣ୍ଣ କରାଇ ସମାଜରେ ସୁପ୍ରତିଷ୍ଠିତ ଓ ସମ୍ମାନିତ କରିବା ସହିତ ଜୀବିକା ନିର୍ବାହ କରିବାର ସୁଯୋଗ ଦେଇଥିଲା ।
ଅନ୍ନପୂର୍ଣ୍ଣାର ଅନେକ ବର୍ଣ୍ଣାଳୀ : ଏ.ବି.ସି.ଡ଼ି
ଅନ୍ନପୂର୍ଣ୍ଣା ଥିଏଟରର ଲୋକପ୍ରିୟତା ସମଗ୍ର ଓଡ଼ିଶାରେ ଚର୍ଚ୍ଚାର ଉପାଦାନ ଓ ମନୋରଞ୍ଜନ ମହକ । ପରିଚାଳକ ବାଉରି ବନ୍ଧୁ ଅନ୍ନପୂର୍ଣ୍ଣାକୁ ସାରା ଓଡ଼ିଶାର ପୁର ପଲ୍ଲୀରେ ସବୁ ଦିଗରୁ ପହଂଚାଇବା ପାଇଁ, ଚାରିଗୋଟି ଦଳରେ ଭାଗକରି ସ୍ଥାୟୀଭାବରେ ନାଟକ ପରିବେଷଣ ନିମନ୍ତେ ସୋମନାଥଙ୍କୁ ବିଶେଷ ପ୍ରସ୍ତାବ ବାଢ଼ନ୍ତି । ତାଙ୍କର ପ୍ରସ୍ତାବ ଅନୁଯାୟୀ ଅନ୍ନପୂର୍ଣ୍ଣା ‘ଏ’, ‘ବି’, ‘ସି’, ‘ଡ଼ି’ ଗ୍ରୁପ୍ ଗଠନ କରାଯାଇ ପୁରୀ, କଟକ, ବାଲେଶ୍ୱର ଓ ବ୍ରହ୍ମପୁର ଠାରେ ସ୍ଥାୟୀ ମଂଚରେ ପ୍ରଦର୍ଶନ କରାଯିବା ସମ୍ପର୍କରେ ସୋମନାଥ ରାଜି ହୁଅନ୍ତି ଓ ସମସ୍ତ କଳାକାର, ଆୟୋଜକ ଭାବେ ସର୍ବ ସମ୍ମତି ନିଷ୍ପତି ନିଅନ୍ତି ଯେ, ତାଙ୍କ ଅଧିନରେ ଚାରିଜଣ ପରିଚାଳକ ପରିଚାଳନା କାର୍ଯ୍ୟ ସମ୍ପାଦନ କରିବେ । ଏଥିପାଇଁ ଯେଉଁ ଅର୍ଥର ଆବଶ୍ୟକତା ହେବ ତାହା ସୋମନାଥ ଯୋଗାଇଦେବେ । ଏହାର ଫଳ ଶ୍ରୁତି ସ୍ୱରୂପ କଟକ ଓ ପୁରୀ ଠାରେ ପ୍ରଥମେ ଏକ ସ୍ଥାୟୀ ମଂଚର ଆୟୋଜନ କରାଗଲା ।


କଟକରେ ସ୍ଥାୟୀ ମଂଚର ନିର୍ମାଣ ଦାୟିତ୍ୱ ନେଲେ ବାଞ୍ଛାନିଧି ମାର୍ଥା । କୌଣସି କାରଣରୁ ସେହି ସମୟରେ ପ୍ରକାଶ ସିନେମା ହଲ୍କୁ ସିନେମା ପ୍ରଦର୍ଶନ ପାଇଁ ଅନୁମତି ମିଳିଲା ନାହିଁ । ଫଳରେ କଟକରେ ତିନିକୋଣିଆ ବଗି•ରେ ଥିବା ସିନେମା ହଲ୍ରେ ନାଟ୍ୟ ପରିବେଷଣ ପାଇଁ ସୋମନାଥ ଓ ହଲ୍ର ମାଲିକ ଗଙ୍ଗାଶାୟୀ ଜୟନାରାୟଣ ମଧ୍ୟରେ ଏକ ବିଶେଷ ଚୁକ୍ତି ଅନୁସାରେ ସେଠାରେ ମଂଚ ପ୍ରସ୍ତୁତିର ଆୟୋଜନ ହେଲା । ସିନ୍, ସିନେରୀ ଓ ସେଟିଂ ପାଇଁ ଅନୁଷ୍ଠାନର ସ୍ଥାୟୀ ଶିଳ୍ପୀ ଲକ୍ଷ୍ମୀନାରାୟଣ ଆଚାରୀଙ୍କ ସହିତ ସହଯୋଗ କଲେ କଟକରେ ‘ସରକାର ବ୍ରଦର୍ସ’ । ଏହି ସ୍ଥାୟୀ ମଂଚ ନିର୍ମଣ ନିମନ୍ତେ ଓ ଅନ୍ନପୂର୍ଣ୍ଣାର ପ୍ରଚାର ପାଇଁ ପ୍ରଥମେ ଏକ ନୂତନ କୌଶଳର ପ୍ରୟୋଗ କରାଗଲା । ଧାରାବାହିକ ଭାବେ ଚାରି ମାସ ପର୍ଯ୍ୟନ୍ତ ଓଡ଼ିଆ ସମ୍ବାଦ ପତ୍ରରେ ‘କଳାକାର, ଯନ୍ତ୍ରଶିଳ୍ପୀ ଆବଶ୍ୟକ’ ଏବଂ ‘ଆକର୍ଷଣୀୟ ଦରମା ବ୍ୟବସ୍ଥା ଯୋଗାଇ ଦିଆଯିବ’ ବୋଲି ପ୍ରକାଶିତ ହୋଇଥିଲା । ଏଥି ସହିତ ମଂଚ ନିର୍ମାଣ ପାଇଁ ଚାରିଜଣ ଅବସର ପ୍ରାପ୍ତ ଓଭରସିୟରଙ୍କ ଆବଶ୍ୟକତା ସଂକ୍ଷେପରେ ମଧ୍ୟ ବିଜ୍ଞାପନରେ ଉଲ୍ଲେଖ ଥିଲା । ଫଳରେ ଅନେକ ଯୁବକ ଯୁବତୀ ଏହି ଅନୁଷ୍ଠାନରେ ଯୋଗ ଦେବାପାଇଁ ଆଗ୍ରହ ପ୍ରକାଶ କରିଥିଲେ । ସେମାନଙ୍କ ମଧ୍ୟରେ ଥିଲେ ମଧୁସୂଦନ ଦତ, ଭୋଳାନାଥ ଦାସ, ଆସ୍କାର କୁମାରୀ ଭାନୁମତୀ, ଖୋରଧାର ସାବିତ୍ରୀ ଚୌଧୁରୀ ଓ ଜାନକୀ ଚୌଧୁରୀ ।
୧୯୪୩ ମସିହା ନଭେମ୍ବର ଚାରି ତାରିଖ ଦିନ ଏକ ଆଡ଼ମ୍ବର ପୂର୍ଣ୍ଣ ଉତ୍ସବରେ ତତ୍କାଳୀନ ଲାଟ୍ ସାହେବ୍ ଲଡ଼୍ ଲୁଇସ୍ଙ୍କ ପତ୍ନୀ କଟକର ଏହି ସ୍ଥାୟୀ ମଂଚକୁ ଉଦ୍ଘାଟନ କରନ୍ତି । ଏହାପରେ ଏହି ସ୍ଥାୟୀ ମଂଚରେ ଅଭିନୀତ ହୁଏ ‘ମହାପଥର ଯାତ୍ରୀ’ । ଉନ୍ନତ ମଂଚସଜ୍ଜା, ନାଟକର ଆବଶ୍ୟକତା ଅନୁସାରେ ସେଟିଂ, ରଙ୍ଗୀନ ଆଲୁଅ ଓ ତାରଯୁକ୍ତ ବେହେଲାର ପ୍ରଥମ ବ୍ୟବହାରରେ ଅନ୍ନପୂର୍ଣ୍ଣା ଥିଏଟଣ ନିଜର ସ୍ୱାତନ୍ତ୍ର୍ୟତା ଜାହିର କରେ । ପରେ ପରେ ‘ପି.ଡ଼ବ୍ଲ୍ୟୁ.ଡ଼ି.’, ‘ଧର୍ମପତ୍ନୀ’, ପ୍ରେମଲତାର ଭୁଲ୍ ଓ ‘ମାନନୀୟ ଗାର୍ଲ ସ୍କୁଲ’ ଇତ୍ୟାଦି ନାଟକ ଦର୍ଶକମାନଙ୍କୁ ସିନେମା ଜଗତରୁ ଟାଣି ଆଣି ବାନ୍ଧି ରଖେ ନାଟକର ରଙ୍ଗ ମଂଚରେ । ଗାଁ ଗହଳିରେ ଲୋକମାନେ ମଧ୍ୟ ସିନେମାକୁ ଛାଡ଼ି ଥିଏଟର ପ୍ରତି ଆକର୍ଷିତ ହୁଅନ୍ତି । ଏହି ଠାରୁ ଓଡ଼ିଶାର ସାମ୍ବାଦିକ ମାନେ ‘ଥିଏଟର୍’ ସମ୍ପର୍କରେ ନିଜର ମୂଲ୍ୟବାନ୍ କଲମ ଚାଳନା କରନ୍ତି ।
ପୁନଶ୍ଚ ୧୯୪୪ ମସିହା ନଭେମ୍ବର ମାସରେ ପୁରୀଠାରେ ଏକ ସ୍ଥାୟୀ ମଂଚ ନିର୍ମାଣ ପାଇଁ ସହକାରୀ ପରିଚାଳକ ଶରତ ଚନ୍ଦ୍ର ରାଉତରାୟଙ୍କୁ ଦାୟିତ୍ୱ ଦିଆଗଲା । ଏଠାରେ ମଧ୍ୟ ସମସ୍ତ ପ୍ରକାରର ମଂଚ କୌଶଳ ପ୍ରୟୋଗ କରାଯାଇ ୧୯୪୫ରେ ମେ ମାସ ତିନି ତାରିଖ ଦିନ ତତ୍କାଳୀନ ପୁରୀ ଉତର ପାଶ୍ୱର୍ ମଠ ମହାରାଜାଙ୍କ ଦ୍ୱାରା ଏହି ସ୍ଥାୟୀ ମଂଚ ଉଦ୍ଘାଟିତ ହେଲା । ଏହି ଉଦ୍ଘାଟନ ଉତ୍ସବରେ ପୁରୀର ମାନ୍ୟଗଣ୍ୟ ବ୍ୟକ୍ତି ଓ ସାମ୍ବାଦିକଗଣ ଯୋଗ ଦେଇଥିଲେ । ପୁରୀରେ ମଂଚ ଉଦ୍ଘାଟନ ପୂର୍ବରୁ ଅନ୍ନପୂର୍ଣ୍ଣାକୁ ଦୁଇଟି ଦଳରେ ବିଭକ୍ତ କରି ଦିଆଗଲା । ଅନ୍ନପୂର୍ଣ୍ଣା ‘ବି’ ଗ୍ରୁପ୍ରେ ରହିଲେ ସାମୁଏଲ୍ ସାହୁ (ବାବି), ପ୍ରିୟନାଥ ମିଶ୍ର (ପୀର), କୃଷ୍ଣଚନ୍ଦ୍ର ପାଣ୍ଡେ, କପିଳ ପଟ୍ଟନାୟକ ଓ ନାରୀ ଶିଳ୍ପୀ ଭାବରେ ମାନନ୍ଦା ସୁନ୍ଦରୀ ଓ ମଣିମାଳା । କଟକରେ ‘ବି’ ଗ୍ରୁପ୍ର ପରିଚାଳନା ଦାୟିତ୍ୱ ନେଲେ ଲିଙ୍ଗରାଜ ନନ୍ଦ । ସେହିପରି ପୁରୀରେ ଅନ୍ନପୂର୍ଣ୍ଣା ‘ଏ’ ଗ୍ରୁପ୍ରେ ପରିଚାଳନା ଦାୟିତ୍ୱ ନେଲେ ବାଉରି ବନ୍ଧୁ । କଟକ ‘ବି’ ଗ୍ରୁପ୍ର କଳାକାର ଆବଶ୍ୟକ ବୋଲି ସମ୍ବାଦପତ୍ରରେ ବିଜ୍ଞାପନ ଦିଆଗଲା । ଫଳତଃ ଏଥିରେ ଯୋଗ ଦେଲେ ପଙ୍କଜ ଦାସ, କେଳୁଚରଣ ମହାପାତ୍ର, ବିପିନ୍ ମହାନ୍ତି, ଯଦୁନାଥ ଶତପଥି, ଉମାକାନ୍ତ ଦାସ, ଦିନବନ୍ଧୁ ଦାସ (ଟିମା), ଇନ୍ଦୁମତୀ, ଶୈଳୀ ଓ ପାର୍ବତୀଙ୍କ ପରି କଳାକାର ବୃନ୍ଦ ।
ପରିଚାଳକ ବାଉରିବନ୍ଧୁ ମହାନ୍ତିଙ୍କ ଦ୍ୱାରା ଓ ସହକାରୀ ପରିଚାଳକ ବାଞ୍ଛାନିଧି ମାର୍ଥାଙ୍କ ପରିଚାଳନାରେ ଗଠନ କରାଗଲା ଅନ୍ୟ ଏକ ଗ୍ରୁପ୍ ଅନ୍ନପୂର୍ଣ୍ଣା ‘ସି’ । ଏହି ଗ୍ରୁପ୍ ପାଇଁ ଅନୁଷ୍ଠାନରୁ ମାତ୍ର ଚାରିଜଣ କଳାକାରଙ୍କୁ ନେଇ ଗୌରଗୋସ୍ୱାମୀଙ୍କ ନିର୍ଦ୍ଦେଶନାରେ ତିନି ମାସ ମଧ୍ୟରେ ପ୍ରସ୍ତୁତ ହେଲା କେତେଗୁଡ଼ିଏ ନାଟକ । ବାଉରି ବନ୍ଧୁ ଅନ୍ନପୂର୍ଣ୍ଣ ‘ଏ’ ଗୁପ୍ରୁ ‘ସି’ ପାଇଁ ଅଳ୍ପ କିଛି ସିନ୍, ସିନେରୀ ଓ ସେଟିଂ ଯୋଗାଇ ଦେଲେ । ଏହାପରେ ବାଞ୍ଛାନିଧି ମାର୍ଥାଙ୍କ ପରିଚାଳନାରେ ଅନ୍ନପୂର୍ଣ୍ଣା ଥିଏଟର୍ର ‘ସି’ ଗ୍ରୁପ୍ ଘୁରି ବୁଲିଲା ଓଡ଼ିଶାର ବିଭିନ୍ନ ସ୍ଥାନକୁ । ମାତ୍ର ଅନ୍ନପୂର୍ଣ୍ଣାର ପ୍ରାଥମିକ ଲୋକପ୍ରିୟତା ‘ସି’କୁ ମିଳିଲା ନାହିଁ । ଫଳତଃ ଅନ୍ନପୂର୍ଣ୍ଣା ‘ସି’ ଖୁବ୍ ସ୍ୱଳ୍ପ ସମୟ ବ୍ୟବଧାନରେ ମୂଳସ୍ରୋତ ମଧ୍ୟରେ ସାମିଲ୍ ହୋଇଗଲା ।
ଅନ୍ୟ ପକ୍ଷରେ କଟକ ସ୍ଥାୟୀ ମଂଚରେ ଅନ୍ନପୂର୍ଣ୍ଣା ‘ବି’ ଗ୍ରୁପ୍ ବେଶ୍ ସଫଳ ନାଟକ ପ୍ରଦର୍ଶନ କରି ଲୋକପ୍ରିୟତାର ଶୀର୍ଷ ସ୍ତରରେ ପହଂଚିବା ସଙ୍ଗେ ସଙ୍ଗେ ଏହି ଦଳର ଆର୍ଥିକ ସ୍ୱଚ୍ଛଳତା ମଧ୍ୟ ଅନୁରୂପ ବୃଦ୍ଧି ପାଉଥିଲା । ଅନ୍ୟ ପକ୍ଷରେ ଅନ୍ନପୂର୍ଣ୍ଣା ‘ଏ’ ଗ୍ରୁପ୍ ପୁରୀ ଠାରେ ବେଶ୍ ସଫଳତା ହାସଲ କରିପାରୁ ନଥାଏ । ଫଳରେ ଏହି ଦୁଇ ଗ୍ରୁପ୍ର କାଳାକାର ଓ ଆୟୋଜକମାନଙ୍କ ମଧ୍ୟରେ ସମନ୍ୱୟର ଅଭାବ ପରିଲକ୍ଷିତ ହେଉଥାଏ । ପ୍ରକାରାନ୍ତରରେ ପ୍ରତିଷ୍ଠାତା ସୋମନାଥ ଅନ୍ନପୂର୍ଣ୍ଣା ‘ବି’ ସ୍ୱତ୍ୱାଧିକାରୀତ୍ୱ ଲିଙ୍ଗରାଜ ନନ୍ଦଙ୍କ ନାମରେ ଉଇଲ୍ କରିଦେଲେ । ଫଳରେ ‘ଏ’ ଗ୍ରୁପ୍ର କଳାକାରମାନଙ୍କ ମଧ୍ୟରେ ସୃଷ୍ଟି ହେଲା ଅଶାନ୍ତି ଓ ଆନ୍ଦୋଳନ । ସୋମନାଥ ଅନ୍ନପୂର୍ଣ୍ଣା ‘ଏ’ର ସ୍ୱତାଧିକାରୀତ୍ୱ ବାଉରୀବନ୍ଧୁ ମହାନ୍ତିଙ୍କ ନାମରେ ଉଇଲ୍ କରିବାପାଇଁ ଚାହିଁବାରୁ ବାଉରୀବନ୍ଧୁ ଏହାକୁ ଗ୍ରହଣ କରିବାପାଇଁ ରାଜି ହେଲେ ନାହିଁ । ଫଳରେ ସୋମନାଥ ‘ଏ’ର ସ୍ୱତାଧିକାରୀ ଭାବରେ ନିଜର ଶାଳକ କୃଷ୍ଣ ମୋହନଙ୍କୁ ମନୋନୀତ କଲେ ।
ଏହି ଉଇଲ୍କୁ ନେଇ ପରବର୍ତୀ କାଳରେ ଅନ୍ନପୂର୍ଣ୍ଣା ‘ବି’ର ସ୍ୱତ୍ୱାଧିକାରୀ ଲିଙ୍ଗରାଜ ନନ୍ଦ ଏହାର ମାଲିକାନା ସତ୍ୱ ଦାବିକଲେ । ଫଳରେ ପ୍ରତିଷ୍ଠାତା ସୋମନାଥ ଓ ଲିଙ୍ଗରାଜ ନନ୍ଦଙ୍କ ମଧ୍ୟରେ ତୀବ୍ର ମତଭେଦ ସୃଷ୍ଟିହେଲା । ଶେଷରେ ଏହି ଘଟଣା ନ୍ୟାୟାଳୟ ପର୍ଯ୍ୟନ୍ତ ଗଲା ଓ ସୋମନାଥ ଗଭୀର ମନସ୍ତାପ ଓ ବିତୃଷ୍ଣାର ‘ବି’ର ମାଲିକାନା ସତ୍ୱ ଲିଙ୍ଗରାଜଙ୍କୁ ପ୍ରଦାନ କଲେ । ଏହାହିଁ ଆୟୋଜକ ମାନଙ୍କ ମଧ୍ୟରେ ସୃଷ୍ଟିକଲା ବିଭେଦ । କଳାକାରମାନଙ୍କ ମଧ୍ୟରେ ଅସମନ୍ୱୟ ଓ ସର୍ବୋପରି ମାଲିକ ସୋମନାଥ ଦାସଙ୍କ ମୃତ୍ୟୁପରେ ପରେ ବାଉରୀ ବନ୍ଧୁ ମହାନ୍ତିଙ୍କ ଅସୁସ୍ଥତା ଅନ୍ନପୂର୍ଣ୍ଣାର ପରିଚାଳନାକୁ ଅବ୍ୟବସ୍ଥିତ କରିଦେଲା । ପରିଶେଷରେ ଦୀର୍ଘ ୫୮ବର୍ଷ ଧରି ଯେଉଁ ଅନୁଷ୍ଠାନ ଓଡ଼ିଶାର ପୁରପଲ୍ଲିର କଳାପ୍ରେମୀ ବ୍ୟକ୍ତିମାନଙ୍କୁ ମନୋରଞ୍ଜନ ମହକ ଯୋଗାଇ ଦେଇଥିଲା, ୧୯୯୧ ମସିହାରେ ତା’ର ହେଲା ଦେହାନ୍ତ ।
ମଂଚ ପ୍ରତିଷ୍ଠାତା ସୋମନାଥଙ୍କ ଅଜସ୍ର ଅର୍ଥ, ଅକ୍ଲାନ୍ତ ପରିଶ୍ରମ ଓ ସର୍ବୋପରି ମା ଅନ୍ନପୂର୍ଣ୍ଣା ଦେବୀଙ୍କ ଆଶୀର୍ବାଦରେ ଅନ୍ନପୂର୍ଣ୍ଣା ଥିଏଟର ସହିତ ଯେଉଁ କଳାକାର, ନିର୍ଦ୍ଦେଶକ, ସଙ୍ଗୀତଜ୍ଞ, ନୃତ୍ୟଶିଳ୍ପୀ ଓ ଶିଳ୍ପୀ ସୃଷ୍ଟି ହୋଇଥିଲେ ତା’ର ଅନ୍ତ ହେଲା । ଯେଉଁ ଅନ୍ନପୂର୍ଣ୍ଣା ମା’ କୋଳରେ ଶତ ଶତ ଶିଳ୍ପୀ ଥିଲେ ସ୍ୱଚ୍ଛଳ ଓ ସୁରକ୍ଷିତ, ଆଜି ସେହି ମା’ର ମଥାରୁ ଲିଭି ସାରିଛି ସିନ୍ଦୁର, ମଉଳି ଯାଇଛି ଆଖିର କଜ୍ୱଳ । ଯେଉଁ ଅନ୍ନପୂର୍ଣ୍ଣା ଦିନେ ସୁସଜ୍ଜିତ ରଙ୍ଗୀନ୍ ଆଲୋକର ମଂଚ ଉପରେ ଥିଲା ଆକର୍ଷଣ ସେ ଆଜି ଆମ ଅନ୍ଧକାରର ଅତୀତ । ସୋମନାଥଙ୍କ ମୃତ୍ୟୁ ପରେ ଆଉ କେହି ନାହାଁନ୍ତି, ଅପୂର୍ଣ୍ଣ ଅନ୍ନପୂର୍ଣ୍ଣାକୁ ପରିପୂର୍ଣ୍ଣ କରି ଜୀବନ୍ୟାସ ଦେବାପାଇଁ ପୁଣି ଥରେ।

ରାତି ଅନିଦ୍ରା ହୋଇ ନାଟକ ଦେଖିବାର ମଜା ନିଆରା । ନାଟକର ସମ୍ପର୍କ ସିଧାସଳଖ ଦର୍ଶକ ଭିତରେ ପ୍ରତିଫଳିତ ହୋଇଥାଏ । ଓଡ଼ିଶାରେ ଏହି ପରମ୍ପରାଟି ଲୋକନାଟକରେ ବେଶ ଆଦ୍ରୃତ ଥିଲା କିନ୍ତୁ ଅନ୍ନପୂର୍ଣ୍ଣା ନାଟ୍ୟମଣ୍ଡଳୀ ମଞ୍ଚ ନାଟକକୁ ଗାଁ ଗାଁ’ରେ ପହଁଞ୍ଚାଇ ଥିଲା । “କଳାକାର ମାନଙ୍କର ଅଦମ୍ୟ ଉତ୍ସାହ, ସର୍ବୋକ୍ରୃଷ୍ଟ ନାଟ୍ୟଉପକରଣ, ଉନ୍ନତ ବାଦ୍ୟଯନ୍ତ୍ର, ବଳିଷ୍ଠ ନିର୍ଦ୍ଦେଶନା, ଦକ୍ଷ ନୃତ୍ୟଗୁରୁ ଓ ଅଭିଜ୍ଞ ନୃତ୍ୟ ନିର୍ଦ୍ଦେଶକଙ୍କୁ ନେଇ ଅନ୍ନପୂର୍ଣ୍ଣା ନାଟ୍ୟମଣ୍ଡଳୀର ଦ୍ରୃତ ବିକାଶ ଘଟିଥିଲା” ବୋଲି ବିଜୟା ୧୯୯୭ ମସିହାରେ ଉପସ୍ଥାନ କରିଥିଲା । “ସମଧ୍ୱନି”ରେ “ଇତିହାସରୁ ପୃଷ୍ଠାଟିଏ” ଆରମ୍ଭ କରିବାର ଯୋଜନା ଭିତରୁ ଏଭଳି ଏକ ଲେଖାକୁ ସ୍ଥାନିତ କରାଯାଇଛି । – ସମ୍ପାଦକ

ଉପସ୍ଥାପନା : ବିଜୟା   photo credit – internet

About Editor

Editor
କଳାକାର, ସମଧ୍ୱନି ଇ - ପତ୍ରିକା ଓ ତ୍ରୟୋମାସିକ ପତ୍ରିକାର ସମ୍ପାଦକ, ସାଂସ୍କୃତିକ ଗବେଷିକା ଓ ସାମ୍ବାଦିକ

Check Also

ଆମ ରଙ୍ଗମଞ୍ଚ ଆଜି କେତେ ସ୍ୱାଧୀନ?

  ନାଟକ ହେଉଛି ସମସାମୟିକ ମଣିଷ ଜୀବନର ପ୍ରତିଛବି ଏବଂ ସତ୍ୟପ୍ରକାଶର ଏକ ବଳିଷ୍ଠ ମାଧ୍ୟମ । ଏହି ପରିପ୍ରେକ୍ଷୀରେ …

Leave a Reply

Your email address will not be published. Required fields are marked *