Home / ସମୀକ୍ଷା / ନାଟକ ସମୀକ୍ଷା / ନାଟକରେ ନାରୀ : ସଂସ୍କୃତ ନାଟକରୁ ଓଡ଼ିଆ ନାଟକ ପର୍ଯ୍ୟନ୍ତ

ନାଟକରେ ନାରୀ : ସଂସ୍କୃତ ନାଟକରୁ ଓଡ଼ିଆ ନାଟକ ପର୍ଯ୍ୟନ୍ତ

ନାଟକ ସାଥିରେ ନାରୀ ଖାଲି ଆଜିନୁହେଁ କାହିଁ କେଉଁ ବୈଦିକଯୁଗରୁ ଯୋଡ଼ିହେଇ ଆସିଛି ବୋଲି କୁହାଯାଏ । ସମାଜକୁ ସତ୍ମାର୍ଗରେ ପରିଚାଳିତ କରିବା ନିମନ୍ତେ ସୃଷ୍ଟିକର୍ତ୍ତା ବ୍ରହ୍ମା ପଞ୍ଚମବେଦ  ନାଟ୍ୟବେଦକୁ ନାଟ୍ୟ କୋବିଦ ଭରତମୁନୀଙ୍କୁ ସମର୍ପଣ କଲେ । ଭରତମୁନି ତାଙ୍କର ଶିଷ୍ୟମାନଙ୍କୁ ନେଇ ନାଟ୍ୟାଭ୍ୟାସ ଆରମ୍ଭ କଲେ । ସେହି ସମୟରେ ନାଟକକୁ ଅଧିକରୁ ଅଧିକ ରମଣୀୟ ତଥା ଉପଭୋଗ୍ୟ କରିବା ନିମନ୍ତେ କୈଶିକି ବୃତ୍ତିର ଆବଶ୍ୟକ ପଡ଼ିଲା । ତେଣୁ ଭରତ ମୁନୀଙ୍କ ଅନୁରୋଧକୁ ଏଡ଼େଇ ନପାରି ସୃଷ୍ଟିକର୍ତ୍ତା ବ୍ରହ୍ମା ନିଜ ଶରୀରର ବିଭିନ୍ନ ଅଙ୍ଗ ଉପାଙ୍ଗରୁ ବିଭିନ୍ନ ନାରୀ ଯଥା ମଞ୍ଜୁକେଶୀ, ସୁକେଶୀ, ମିଶ୍ରକେଶୀ, ପୁଲକେଶୀ ଭଳି ଚରିତ୍ରମାନଙ୍କୁ ସୃଷ୍ଟି କଲେବୋଲି କଥିତ ଅଛି । ତତ୍ସହିତ ନୃତ୍ୟର ଆବଶ୍ୟକତାକୁ ଆଖି ଆଗରେ ରଖି ରମ୍ଭା, ମେନକା, ଉର୍ବଶୀ ଭଳି ଚରିତ୍ରମାନଙ୍କୁ ମଧ୍ୟ ସେ ସୃଷ୍ଟି କରିଥିଲେ । କାରୀ, ତକ୍ରାଳୀନ ନାଟ୍ୟ ପରମ୍ପରାରେ ବ୍ୟବହୃତ ନୃତ୍ୟ ଯାହା ଶିବଙ୍କ ଉନ୍ମତ ତାଣ୍ଡବ ଏବଂ ମାତା ପାର୍ବତୀଙ୍କ ଲାସ୍ୟ ତାଣ୍ଡବରୁ ସୃଷ୍ଟି । ନାଟକ ବୈଦିକ ଯୁଗରୁ ଆଜିପର୍ଯ୍ୟନ୍ତ ବିଭିନ୍ନ ଧାରାରେ ଭିନ୍ନ ଭିନ୍ନ ରୂପ ଧାରଣ କରି ଆସିଛି ଯଥା – ସଂସ୍କୃତ ନାଟକ, ଲୋକ ନାଟକ ଏବଂ ଆଧୁନିକ ନାଟକ । ଏହି କ୍ଷେତ୍ରରେ ଆମେ ନାଟକର ଉଭୟ ସାହିତ୍ୟ ଏବଂ ପ୍ରୟୋଗ କଥାକୁ ଆଲୋଚନା କରିବା ।

ଯଦି ଆମେ ସଂସ୍କୃତ ନାଟକ କଥା ଚିନ୍ତା କରିବା ତା’ହେଲେ ଭାରତୀୟ ସଂସ୍କୃତ ନାଟକର ପ୍ରମୁଖ ନାଟ୍ୟକାରମାନଙ୍କର ନାଟ୍ୟକୃତିଗୁଡ଼ିକ ଉପରେ ଆମକୁ ପ୍ରଥମେ ସମ୍ୟକ୍ ଦୃଷ୍ଟି ଦେବାକୁ ପଡ଼ିବ । ଭାରତୀୟ ସଂସ୍କୃତ ନାଟକ କହିଲେ ଭାଷ, କାଳିଦାସ, ଭବଭୂତି, ବିଶାଖାଦତ୍ତ, ଶୁଦ୍ରକ, ଶ୍ରୀହର୍ଷ, ଦିଙ୍ଗନାଗ, ମୁରାରୀ ମିଶ୍ର, ଜୟଦେବ, ସୁଭଟ୍ଟ, ରାଜଶେଖର ଏବଂ କ୍ରିଷ୍ଣମିଶ୍ର ଭଳି ନାଟ୍ୟକାରମାନଙ୍କ ନାଟକକୁ ବୁଝିଥାଉ । ପୁଣି ଏହି ପର୍ଯ୍ୟାୟରେ ସଂସ୍କୃତ ନାଟକର ପ୍ରମୁଖ ନାଟ୍ୟକାର କହିଲେ ଭାଷ, କାଳିଦାସ, ଭବଭୂତି ଏବଂ ଶ୍ରୀହର୍ଷ । ଏହି ନାଟ୍ୟକାରମାନେ ଅନ୍ୟମାନଙ୍କଠାରୁ ଉଭୟ ଗୁଣାତ୍ମକ ଓ ପରିମାଣାତ୍ମକ ଦୃଷ୍ଟିରୁ ପାଦେ ଆଗରେ । ଅନ୍ୟାନ୍ୟ ନାଟ୍ୟକାରମାନଙ୍କ ମଧ୍ୟରେ ବିଶାଖାଦ, ଶୁଦ୍ରକ ଏବଂ ରାଜଶେଖର ଖଣ୍ଡିଏ ଲେଖାଏଁ ନାଟକ ରଚନା କରିଥିଲେ ମଧ୍ୟ ସେମାନଙ୍କ ନାଟ୍ୟକୃତି ନିମନ୍ତେ ସେମାନେ ସର୍ବଭାରତୀୟ ସ୍ତରରେ ପରିଚିତ । ସଂସ୍କୃତ ନାଟକରେ ନାରୀ ଚରୀତ୍ର କହିଲେ ୨ଟି କଥା ଚିନ୍ତା କରାଯାଏ । ପ୍ରଥମଟି ହେଲା ନାଟକରେ ବର୍ଣ୍ଣିତ ନାରୀ ଚରିତ୍ରର କଥା ଏବଂ ଅନ୍ୟଟି ହେଲା ନାଟକରେ ଅଭିନୟ କରୁଥିବା ନାରୀଟିର କଥା । କିନ୍ତୁ ଦୁର୍ଭାଗ୍ୟର କଥା ବୈଦିକ ଯୁଗରେ ଭାରତବର୍ଷରେ ଗାର୍ଗୀ, ମୈତ୍ରେୟୀ, ବିଶ୍ୱବାରା ଏବଂ ଲୋପାମୁଦ୍ରା ଭଳି ନାରୀମାନେ ବିଦୁଷୀ ଭାବରେ ମାନ୍ୟତା ପାଉଥିଲେ ସୁଦ୍ଧା ଅଥବା ସଙ୍ଗୀତ ଓ ନୃତ୍ୟ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିଲେ ସୁଦ୍ଧା ନାଟକରେ ନାରୀ ଅଭିନେତ୍ରୀ ମାନଙ୍କର ଅଭିନୟର କୌଣସି ପ୍ରମାଣ ମିଳେନାହିଁ । ଅପର ପକ୍ଷରେ ସଂସ୍କୃତ ନାଟକରେ ଆଦି ନାଟ୍ୟକାର ଭାବରେ ଭାଷଙ୍କ ରଚିତ ନାଟକରେ, ‘ପଞ୍ଚରାତ୍ର, ଦୂତବାକ୍ୟ, ଦୂତଘଟୋକ୍ରଚ, ମଧ୍ୟମବ୍ୟାୟୋଗ, କର୍ଣ୍ଣଭାର ଏବଂ ଉଋଭଙ୍ଗ’ ଭଳି ନାଟକଗୁଡ଼ିକ ମହାଭାରତର କାହାଣୀକୁ ଆଧାର କରି ରଚିତ ।

ଉପରୋକ୍ତ ନାଟକଗୁଡ଼ିକ ପ୍ରାୟତଃ ନାୟକଧର୍ମୀ ହୋଇଥିବା ବେଳେ ମହାଭାରତରେ ନାରୀ ଚରିତ୍ରମାନଙ୍କୁ ମଧ୍ୟମ ବ୍ୟାୟୋଗ ଭଳି ନାଟକର ଚରିତ୍ରମାନଙ୍କୁ ଆଂଶିକ ଗୁରୁତ୍ୱ ପ୍ରଦାନ କରିଛନ୍ତି । ସେହି ଚରିତ୍ରମାନଙ୍କ ମଧ୍ୟରୁ କୁନ୍ତି, ଦ୍ରୌପଦୀ ଏବଂ ହିଡ଼ିମ୍ବି ଅନ୍ୟତମ । ଭାଷଙ୍କ ପରେ ସଂସ୍କୃତ ନାଟ୍ୟ ସାହିତ୍ୟରେ ପ୍ରବେଶ କରିଥିଲେ କାଳି ଦାସ । ଯାହାକୁ ସଂସ୍କୃତ ନାଟ୍ୟ ସାହିତ୍ୟର ପିତାମହ କହିଲେ କିଛି ଭୁଲ୍ ହେବନାହିଁ । ମହାକବି କାଳିଦାସ ତିନିଗୋଟି ନାଟକ ରଚନା କରିଥିଲେ, ଯଥା – ବିକ୍ରମୋର୍ବଶିୟ, ମାଳବିକାଗ୍ନିମିତ୍ର, ଅଭିଜ୍ଞାନ ଶକୁନ୍ତଳା । କାଳିଦାସ ତାଙ୍କ ରଚିତ ନାଟକରେ ନାୟିକାମାନଙ୍କୁ ସର୍ବପ୍ରଥମେ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିଥିଲେ । ତାଙ୍କ ପ୍ରଥମ ନାଟକ ବିକ୍ରମୋର୍ବଶୀୟ ରାଜା ବିକ୍ରମ ଓ ଉର୍ବଶୀଙ୍କ ପ୍ରେମ, ମିଳନ ତଥା ବିଚ୍ଛେଦକୁ ଆଧାର କରି ରଚିତ ହୋଇଥିବା ବେଳେ ଦ୍ୱିତୀୟ ନାଟକ ମାଳବିକାଗ୍ନିମିତ୍ର ରାଜା ଅଗ୍ନିମିତ୍ରଙ୍କ ସହ ମାଳବିକାର ପ୍ରେମ ସମ୍ପର୍କକୁ ଆଧାର କରି ରଚିତ । ପରିଶେଷରେ ଅଭିଜ୍ଞାନ ଶକୁନ୍ତଳା ନାଟକଟି ରାଜା ଦୁଶ୍ମନ୍ତ ଏବଂ ଶକୁନ୍ତଳାଙ୍କ ପ୍ରେମପ୍ରଣୟ ତଥା ବିଚ୍ଛେଦ ଓ ମିଳନର କାରୁଣ୍ୟତାକୁ ଆଧାର କରି ରଚିତ । ଉପରୋକ୍ତ ନାୟିକା ତିନିଜଣଙ୍କୁ ଆଲୋଚନା କଲାବେଳେ ଜଣାଯାଏ ଯେ ଏମାନଙ୍କ ମଧ୍ୟରୁ ପ୍ରଥମ ନାୟିକା ଉର୍ବଶୀ ଜଣେ ସ୍ୱର୍ଗର ନର୍ତ୍ତକୀ, ମାଳବିକା ଜଣେ କିମ୍ବଦନ୍ତୀ ଆଧାରିତ ରାଣୀ ଏବଂ ଶକୁନ୍ତଳା ଉର୍ବଶୀଙ୍କ ଅବାଞ୍ôଛତ ଗର୍ଭରୁ ଜନ୍ମିତ ଜଣେ କନ୍ୟା । ଭବଭୂତି ମଧ୍ୟ ତାଙ୍କ ଜୀବନ କାଳ ମଧ୍ୟରେ ତିନିଗୋଟି ନାଟକ ରଚନା କରିଥିଲେ ଯଥା – ମାଳତୀମାଧବ, ମହାବୀରଚିତ ଏବଂ ଉତ୍ତର ରାମଚରିତ । ମାଳତୀ ମାଧବ ନାଟକଟି ସାଧାରଣତଃ ବିଦର୍ଭ ରାଜ୍ୟର ମନ୍ତ୍ରୀ ସୂତ ମାଧବ ଏବଂ ପଦ୍ମାବତୀ ରାଜ୍ୟର ମନ୍ତ୍ରୀ ସୂତା ମାଳତୀଙ୍କ ପ୍ରେମ ଏବଂ ବିବାହକୁ ନେଇ ସୃଷ୍ଟି ହୋଇଥିବା ବେଳେ ମହାବିରଚିତ ନାଟକଟି ରାମଙ୍କ ବିବାହଠାରୁ ଆରମ୍ଭ କରି ରାବଣର ନିଧନ ପର୍ଯ୍ୟନ୍ତ ବର୍ଣ୍ଣିତ ଘଟଣାବଳୀକୁ ଆଧାର କରି ରଚିତ । ଏହା ପରେ ନାଟ୍ୟକାର ଶୁଦ୍ରକ ପ୍ରଥମଥର ପାଇଁ ଗରିବ ବ୍ରାହ୍ମଣ ଚାରୁଦତ୍ତ ଏବଂ ରାଜନର୍ତ୍ତକୀ ବସନ୍ତସେନାର ପ୍ରେମକୁ ଆଧାର କରି ନାଟକ ରଚନା କରିଥିଲେ ।

Credit- David Cooper Photography -2008

ସଂସ୍କୃତ ନାଟ୍ୟ ସାହିତ୍ୟରେ ନାରୀକୁ ଶୃଙ୍ଗାରୀ ଚେତନାର ଏକ ମୁଖ୍ୟ ମାଧ୍ୟମ ଭାବରେ ଗ୍ରହଣ କରାଯାଉଥିଲା । କାରଣ କାଳିଦାସ, ଶୁଦ୍ରକ ଅଥବା ଶ୍ରୀହର୍ଷ, ଭବଭୂତି, ରାଜକୁମାରୀ, ରାଜକୁମାର ତଥା ନର୍ତ୍ତକୀ କିମ୍ବା ସୁନ୍ଦରୀ ତରୁଣୀମାନଙ୍କ ପ୍ରେମ ପ୍ରଣୟକୁ ନାଟକରେ ପ୍ରମୁଖ ସ୍ଥାନ ପ୍ରଦାନ କରିଛନ୍ତି । କାରଣ ତକ୍ରାଳୀନ ସାମାଜିକ ପୃଷ୍ଠଭୂମିରେ କଳା, ସାହିତ୍ୟ, ସଙ୍ଗୀତ, ନୃତ୍ୟ ଓ ନାଟକ ଥିଲା ରାଜନ୍ୟବର୍ଗଙ୍କ ଉପଭୋଗର ସାମଗ୍ରୀ । ତେଣୁ ସେମାନଙ୍କ ମନୋରଞ୍ଜନକୁ ଆଖି ଆଗରେ ରଖି ସେମାନେ ଶୃଙ୍ଗାରୀ ଚେତନା ତଥା ପ୍ରେମ, ପ୍ରଣୟ, ବିରହ ଆଧାରିତ ସମ୍ଭ୍ରାନ୍ତ ନାୟକ ନାୟିକା ତଥା ନର୍ତ୍ତକୀ କିମ୍ବା ଗଣିକାମାନଙ୍କ ଜୀବନକୁ ନାଟକ କାହାଣୀର ଅନ୍ତର୍ଭୁକ୍ତ କରିବାକୁ ଶ୍ରେୟ ମନେ କରୁଥିଲେ । ଯାହା ଫଳରେ ରାଜନ୍ୟବର୍ଗର ପୃଷ୍ଠପୋଷକତା ପାଇବା ସହ ନାଟ୍ୟକାରମାନେ ଉଚ୍ଚ ସମ୍ମାନର ଅଧିକାରୀ ହୋଇପାରୁଥିଲେ ।

ଓଡ଼ିଆ ନାଟ୍ୟ ସାହିତ୍ୟ ବିଷୟରେ ଚର୍ଚ୍ଚା କଲାବେଳେ ନାଟ୍ୟକାର ଜଗମୋହନ ଲାଲାଙ୍କ ସମୟ ଠାରୁ ଆରମ୍ଭ କରି ଓଡ଼ିଆ ସାହିତ୍ୟର ଆଧୁନିକ ପର୍ବ ପର୍ଯ୍ୟନ୍ତ ସମୟ ସୀମାକୁ ବୁଝାଇଥାଏ । ଏହି ସମୟଟି ବିଶେଷ କରି ୧୮୭୭ମସିହା ୨୦୧୫ପର୍ଯ୍ୟନ୍ତ ସମୟ ସୀମାକୁ ସୂଚିତ କରେ । ଏକ ବଡ଼ ସମୟସୀମାକୁ ସମାଲୋଚକମାନେ ବିଭିନ୍ନ ଭାଗରେ ଯୁଗ ବିଭାଜନ କରିଛନ୍ତି ଯଥା –  ଆଦିପର୍ବ, ମଧ୍ୟପର୍ବ, ଆଧୁନିକ ପର୍ବ । ନାଟ୍ୟକାର ଜଗମୋହନ ଲାଲା ପ୍ରଥମେ ୧୮୭୭ମସିହାରେ ବାବାଜୀ ନାଟକ ରଚନା କରି ଓଡ଼ିଆ ସାହିତ୍ୟରେ ନାଟକ ରଚନା ଭିତ୍ତିସ୍ଥାପନ କଲେ । କିନ୍ତୁ ବାବାଜୀ ନାଟକ ରଚନା ହେବାର ବହୁ ପୂର୍ବରୁ ଓଡ଼ିଶାରେ ନାଟକ ରଚନାର ଧାରା ପ୍ରବାହିତ ହୋଇସାରିଥିଲା । ଏ କ୍ଷେତ୍ରରେ ଓଡ଼ିଆ ନାଟ୍ୟକାରମାନଙ୍କ ଦ୍ୱାରା ରଚିତ ହୋଇଥିବା ସଂସ୍କୃତ ନାଟକ ଏହାର ବଳିଷ୍ଠ ଉଦାହରଣ । ଖ୍ରୀଷ୍ଟୀୟ ଅଷ୍ଟମ ଶତକରେ ନାଟ୍ୟକାର ମୁରାରୀ ମିଶ୍ର ପ୍ରଥମେ ଅନର୍ଘ ରାଘବ ନାମକ ନାଟକ ରଚନା କରିଥିଲେ । ତାଙ୍କୁ ଅନୁସରଣ କରି ‘ସାହିତ୍ୟ ଦର୍ପଣ’ର ରଚୟିତା କବିରାଜ ବିଶ୍ୱନାଥ ମହାପାତ୍ର ‘ଚନ୍ଦ୍ରକଳା’ ନାମକ ନାଟିକା କରିଥିଲେ । ତା’ର ପରବର୍ତ୍ତି ପର୍ଯ୍ୟାୟରେ କୃଷ୍ଣିମିଶ୍ର ‘ପ୍ରବୋଧ ଚନ୍ଦ୍ରୋଦୟ’, ଗଙ୍ଗାଧର ‘ହାସ୍ୟାର୍ଣ୍ଣବ ପ୍ରହସନ, ଗଜପତି କପିଳେନ୍ଦ୍ର ଦେବ ‘ପର୍ଶୁରାମ ବିଜୟ ବ୍ୟାୟୋଗ’, ପୁରୁଷୋତ୍ତମ ଦେବ ‘ଅଭିନବ ବେଣୀ ସଂହାର’, ଜୀବଦେବାଚାର୍ଯ୍ୟ ‘ଭକ୍ତି ବୈଭବ ନାଟକ’, ରାୟ ରାମାନନ୍ଦ ‘ଜଗନ୍ନାଥ ବଲ୍ଲଭ ନାଟକ’ ରଚନା କରି ସଂସ୍କୃତ ନାଟକ ରଚନାର ଧାରା ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ । ସର୍ବଶେଷରେ କବିଚନ୍ଦ୍ର ରାୟ ଦିବାକର ମିଶ୍ର ‘ପ୍ରଭାବତୀ ନାଟକ’ ଓ ‘ପାରିଜାତ ହରଣ’ ନାଟକ, ପରମାନନ୍ଦ ଦାସ ଚୈତନ୍ୟ ଚନ୍ଦ୍ରୋଦୟ, ନାଟକ ରଚନା କରିଥିଲେ ।

ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା ଏହିଭଳି ଏକ ସାମାଜିକ ପୃଷ୍ଠଭୂମିରେ କପିଳେନ୍ଦ୍ରଙ୍କ ସମୟରେ ମୁକ୍ତା ନାମକ ଜଣେ ଦେବଦାସୀ ପ୍ରଥମଥର ପାଇଁ ନାୟିକା ରୂପରେ ନାଟକରେ ଅଭିନୟ କରିଥିଲେ । ଯେକୌଣସି କାରଣରୁ ହେଲେ ମଧ୍ୟ ନାଟକ କ୍ଷେତ୍ରରେ ନାରୀମାନଙ୍କୁ ଅଭିନୟ କରିବାର ସୁଯୋଗ ଦେଇ କପିଳେନ୍ଦ୍ରଦେବ ଏକ ବିପ୍ଳବାତ୍ମକ ପଦକ୍ଷେପ ସୃଷ୍ଟି କରିଥିଲେ । ତକ୍ରାଳୀନ ସମାଜରେ ନାଟକର ଆଦର ଥିଲେ ସୁଦ୍ଧା ନାରୀମାନଙ୍କୁ ନାଟକରେ ଅଭିନୟ କରିବା କଥା ଲୋକମାନେ ସହ୍ୟ କରିପାରୁନଥିଲେ । ଯେହେତୁ ଜଗନ୍ନାଥଙ୍କ ଷୋଡ଼ଶ ଉପଚାର ମଧ୍ୟରୁ ନୃତ୍ୟ, ଗୀତ ଓ ସଙ୍ଗୀତକୁ ଏକ ଉପଚାର ଭାବରେ ଗ୍ରହଣ କରାଯାଉଥିଲା ଏବଂ ସେଥିନିମନ୍ତେ ରାଜନ୍ୟ ପୃଷ୍ଠପୋଷକତାରେ ଦେବଦାସୀମାନଙ୍କୁ ନିଯୁକ୍ତ କରାଯାଉଥିଲା । ଯାହାଫଳରେ ରାୟ ରାମାନନ୍ଦ ଜଗନ୍ନାଥ ବଲ୍ଲଭ ନାଟକରେ ମୁକ୍ତାକୁ ନାୟିକା ହେବାର ସୁଯୋଗ ପ୍ରଦାନ କରିଥିଲେ ଓ ନିଜେ ନାୟକ ଭୂମିକାରେ ଅଭିନୟ କରିଥିଲେ । କିନ୍ତୁ ଏ ପର୍ଯ୍ୟାୟରେ ଆମେ ନାଟକରେ ନାରୀର ସ୍ଥିତି କଥା ଚିନ୍ତାକରିବା ବେଳେ ନାରୀର ଏକ ରୁଗ୍ଣ ସ୍ଥିତି ଜଣାପଡ଼େ । କାରଣ ପ୍ରଥମତଃ ହିନ୍ଦୁଧର୍ମର ଦେବଦାସୀ ଭଳି ଏକ ଧର୍ମଭିତ୍ତିକ ପରମ୍ପରା ନାରୀ ସ୍ୱାଧୀନତାର ଏକ ପରିପନ୍ଥୀ ଏହା ନିଃସନ୍ଦେହ । ଦ୍ୱିତୀୟତଃ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ପରମ୍ପରା ବିଶ୍ୱବ୍ୟାପୀ ହେବାରେ ସକ୍ଷମ ହୋଇପାରିଥିଲେ ସୁଦ୍ଧା ଦେବଦାସୀ ଏବଂ ମାହାରୀ ସମ୍ପ୍ରଦାୟ ପ୍ରତି ସାମାଜିକ ସ୍ତରରେ ସମ୍ମାନସ୍ପଦ ସ୍ଥାନ ସୃଷ୍ଟି କରିପାରିଲା ନାହିଁ । କାରଣ ଅତୀତରେ ସେମାନଙ୍କୁ ତଥା ସେମାନଙ୍କ ଜୀବନଶୈଳୀକୁ ଆମେ ଅତି କଦର୍ଯ୍ୟ ମାନସିକତା ନେଇ ଦେଖିବାକୁ ଟିକେବି କୁଣ୍ଠା ପ୍ରକାଶ କରିନାହୁଁ । ତତ୍ସହିତ ଆହାର, ବିହାର, ନିଦ୍ରା ଓ ମୈଥୁନର କଠୋର ସଂଯମତା ମଧ୍ୟରେ ଦେବଦାସୀ ଓ ମାହାରୀ ସମ୍ପ୍ରଦାୟକୁ ଭଗବତ ସମର୍ପଣ ନାମରେ ସମାଜର ରାଜରାଜୁଡ଼ା ତଥା ପଣ୍ଡା ପଢ଼ିହାରୀଙ୍କ ଅସହ୍ୟ ଅତ୍ୟାଚାର ମଧ୍ୟରେ ସଢ଼ି ସଢ଼ି ବଞ୍ଚିବା ଏକ ସୁସ୍ଥ ବାତାବରଣ ସୃଷ୍ଟି କରିନପାରି ଚୀରସ୍ଥାୟୀ ହୋଇପାରିଲା ନାହିଁ । ସାରା ଜୀବନ ଖାଲି ମନ, ପ୍ରାଣ, ଯୌବନକୁ କୌଣସି ଏକ ନିରାକାର ଭଗବତ୍ ସତ୍ତା ପାଖରେ ସମର୍ପି ଦେଇ ସମାଜ ଦ୍ୱାରା ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ପାଇ ସବୁବେଳେ କାନ୍ଦି କାନ୍ଦି ମରିବାକୁ ପଡ଼ୁଥିଲା ସେମାନଙ୍କୁ । ଅପରପଟରେ ନାଟ୍ୟ ସାହିତ୍ୟର ଦୁଇ ମହାକାବ୍ୟ ରାମାୟଣ ଓ ମହାଭାରତ ଆଧାରିତ ପ୍ରେମ କାହାଣୀକୁ କେନ୍ଦ୍ର କରି ନାରୀଚରିତ୍ର ସୃଷ୍ଟି କରିବାରେ ନାଟ୍ୟକାରମାନେ ବ୍ୟସ୍ତ ଥିଲେ ।

ଓଡ଼ିଆ ନାଟକ କହିଲେ ପ୍ରାୟତଃ ଆମେ ଓଡ଼ିଆ ନାଟ୍ୟକାରମାନଙ୍କ ଦ୍ୱାରା ଓଡ଼ିଆ ଭାଷାରେ ରଚିତ ନାଟ୍ୟକୃତିକୁ ବୁଝିଥାଉ । ଏହି ଓଡ଼ିଆ ନାଟକର ଭିତ୍ତିଭୂମି ବାସ୍ତବରେ ନାଟ୍ୟକାର ଜଗମୋହନ ଲାଲାଙ୍କ ଠାରୁ ପଡ଼ିଲା । ତେଣୁ ନାଟ୍ୟକାର ଜଗମୋହନ ଲାଲାଙ୍କୁ ଆଦି ନାଟ୍ୟକାର ଏବଂ ତାଙ୍କ ପ୍ରଥମ ନାଟ୍ୟକୃତି ବାବାଜୀକୁ ପ୍ରଥମ ନାଟକ କୁହାଗଲା । ଓଡ଼ିଆ ନାଟକର କ୍ରମୋନ୍ନତିରେ ଆଦି ପର୍ଯ୍ୟାୟର ଭୂମିକାକୁ ଏଡ଼େଇ ଦେଇ ହେବନାହିଁ । କାରଣ ବର୍ତ୍ତମାନ ସବୁବେଳେ ଅତୀତର ପୃଷ୍ଠଭୂମି ଉପରେ ଦଣ୍ଡାୟମାନ । ଓଡ଼ିଆ ନାଟକର ଆଦିପର୍ଯ୍ୟାୟର ନାଟ୍ୟକାରମାନେ ହେଲେ ଯଥା – ଜଗମୋହନ ଲାଲା, ରାମଶଙ୍କର ରାୟ, ପଦ୍ମନାଭ ନାରାୟଣ ଦେବ, କାମପାଳ ମିଶ୍ର, ଭିକାରୀ ଚରଣ, ରାଧାମୋହନ ରାଜେନ୍ଦ୍ରଦେବ, ଗୋଦାବରୀଶ ମିଶ୍ର ଇତ୍ୟାଦି । ଏହି ସମୟରେ ନୂତନ ଶିକ୍ଷାବ୍ୟବସ୍ଥା, ଯାତାୟତର ନୂତନ ସୁଯୋଗ, ପାଦ୍ରୀ ସମ୍ପ୍ରଦାୟର ସଂସ୍କାରଲିପ୍ସା, ସମ୍ବାଦପତ୍ରର ପ୍ରଚାର ପ୍ରସାର, ସାମାଜିକ, ଧାର୍ମିକ, ରାଜନୈତିକ ଆନ୍ଦୋଳନର ପ୍ରଭାବ ଓଡ଼ିଶାରେ ପ୍ରଭାବିତ ହେଲା । ଯାହାଫଳରେ ନୂତନ ଶିକ୍ଷିତ ଗୋଷ୍ଠୀ ପାଶ୍ଚାତ୍ୟ ସାହିତ୍ୟକୁ ଗ୍ରହଣ କରିବାକୁ ତତ୍ପରତା ପ୍ରକାଶ କଲେ । ପୁଣି ଭାଷା ସୁରକ୍ଷା ସାହିତ୍ୟର ଉଭୟ ସଂସ୍କାର ତଥା ସୃଜନାତ୍ମକ ଦିଗକୁ ପ୍ରଭାବିତ କଲା । ଯାହାଦ୍ୱାରା କୁସଂସ୍କାର, ଅନ୍ଧବିଶ୍ୱାସ, ନାରୀଶିକ୍ଷା, ଜାତିପ୍ରଥା, ସାମ୍ପ୍ରଦାୟିକତା, ସାହିତ୍ୟର ପରିସରକୁ ଆସିପାରିଲା । ସେଥିରୁ ନାଟକ ବା ବାଦ୍ ପଡ଼ନ୍ତା କିପରି । ତେଣୁ ଜଗମୋହନ ବାବାଜୀ ନାଟକରେ ପ୍ରଥମେ ତକ୍ରାଳୀନ ସମାଜରେ ଗାଁ’ର ମଠ ମାନଙ୍କରେ ଥିବା ବାବାଜୀ ଓ ମହନ୍ତମାନଙ୍କର ପୂଜାପାଠର ଅନ୍ତରାଳରେ ଚାଲୁଥିବା ଅଭଦ୍ରାମି ତଥା ଅପସଂସ୍କାରକୁ ବର୍ଣ୍ଣନା କରିଥିବା ବେଳେ ନାଟକର ମୂଳଲକ୍ଷ୍ୟକୁ ପ୍ରତିପାଦନ କରିବା ନିମନ୍ତେ ରାଧି, ଜେମି, ମାଳତୀ ଭଳି ଗୌଣ ଚରିତ୍ରମାନଙ୍କୁ ସ୍ଥାନିତ କରିଛନ୍ତି । କିନ୍ତୁ ଜଗମୋହନ ତାଙ୍କ ପରବର୍ତ୍ତୀ ନାଟକ ସତୀରେ ପ୍ରଥମଥର ପାଇଁ ଜଣେ ନାରୀ ଚରିତ୍ର ଲାବଣ୍ୟକୁ କାହାଣୀର କେନ୍ଦ୍ରରେ ରଖି ନାଟକ ପ୍ରସ୍ତୁତ କରିଛନ୍ତି । ଏଥିରେ ସେ ଗଡ଼ଜାତ ରାଜାମାନଙ୍କ ସାଧାରଣ ପ୍ରଜାମାନଙ୍କ ରୂପବତୀ ତଥା ଗୁଣବତୀ ପତ୍ନୀମାନଙ୍କ ଉପରେ ଥିବା ଲୋଲୁପ ଦୃଷ୍ଟି ଏବଂ ସେମାନଙ୍କୁ ଅପହରଣ କରି ଶଯ୍ୟାସଙ୍ଗିନୀ କରିବାର ଦୃଶ୍ୟ ମାନସିକତାକୁ ସୁନ୍ଦର ଭାବରେ ସ୍ଥାନିତ କରିଛନ୍ତି । ପରିଶେଷରେ ଅନ୍ୟ ଦୁଇଟି ନାଟକ ପ୍ରିତୀ ଓ ବୃଦ୍ଧ ବିବାହରେ ସେ ସଂସ୍କାରଧର୍ମୀ ଚେତନା ସୃଷ୍ଟି କରିବା ସହ ସମାଜର ସାଧାରଣ ଗରିବ ଘରର ନାରୀ ଚରିତ୍ରକୁ ନାଟକକୁ ଆଣିଛନ୍ତି । ପ୍ରିତୀ ନାଟକରେ ଜମିଦାର ପୁତ୍ର ଜେନାମଣି ସାମନ୍ତରାୟ ଏବଂ ଗରିବ କନ୍ୟା ସୁମତିର ପ୍ରେମ ଓ ତଜ୍ଜନିତ ସାମାଜିକ ବାଧା ଏବଂ ପରିଶେଷରେ ବିବାହକୁ ବର୍ଣ୍ଣନା କରିଛନ୍ତି । ବୃଦ୍ଧବିବାହ ନାଟକରେ ମଧ୍ୟ ବୃଦ୍ଧବିବାହ ଭଳି ଏକ ଘୃଣ୍ୟ ସାମାଜିକ ପରମ୍ପରାକୁ ଉପସ୍ଥାପିତ କରିଛନ୍ତି । ଏହା ପରେ ନାଟ୍ୟକାର ରାମଶଙ୍କର ରାୟ ମଧ୍ୟ ସଂସ୍କାର ମନ ନେଇ ନାରୀ ଚରିତ୍ରମାନଙ୍କୁ କାହାଣୀରେ ଗୁରୁତ୍ୱ ପ୍ରଦାନ କରି କାଞ୍ଚିକାବେରୀ, କଳିକାଳ, ବୁଢ଼ାବର, କାଞ୍ଚନମାଳା, ଲୀଳାବତୀ ଭଳି ନାଟକମାନ ରଚନା କରିଛନ୍ତି । କାଞ୍ଚିକାବେରୀ ନାଟକରେ ନାଟ୍ୟକାର ରାମଶଙ୍କର ପଦ୍ମାବତୀଙ୍କୁ ପାଇବା ନିମନ୍ତେ ପୁରୁଷୋତ୍ତମ ଦେବଙ୍କ ଜଗନ୍ନାଥଙ୍କ ସହାୟତାରେ କାଞ୍ଚି ରାଜାଙ୍କ ସହିତ ଯୁଦ୍ଧ ଏବଂ ପରିଶେଷରେ ପଦ୍ମାବତୀଙ୍କୁ ପ୍ରାପ୍ତ ଭଳି ଘଟଣା ପ୍ରତିପାଦିତ ହୋଇଥିବା ବେଳେ ବନମାଳା ନାଟକରେ ନିର୍ବାସିତ ଉକ୍ରଳର ମନ୍ତ୍ରୀ ନାଗକେଶ ଗନ୍ଧର୍ବ ରାଜାଙ୍କ ଆଶ୍ରୟରେ ପ୍ରାପ୍ତ ହୋଇଥିବା କନ୍ୟା ବନମାଳା ସହିତ ଉକ୍ରଳ ଯୁବରାଜ ବୀରଚନ୍ଦ୍ରଙ୍କ ସହ ପ୍ରେମ ଓ ବିବାହକୁ ଆଧାର କରି ରଚିତ । ଠିକ୍ ସେହିପରି କଳିକାଳ, ବୁଢ଼ାବର, ଏ ଦୁଇଟି ନାଟକରେ ମଦ୍ୟପାନ, ବେଶ୍ୟାପ୍ରୀତି ଏବଂ ମଧ୍ୟବିତ୍ତ ସମ୍ପ୍ରଦାୟରେ ଯୌନ ଲାଳସା ତଥା ଏକାଧିକ ପତ୍ନୀ ସମ୍ପର୍କକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି । ଏତଦ୍ବ୍ୟତୀତ ବୀର ବିକ୍ରମ ଦେବ, ପଦ୍ମନାଭ ନାରାୟଣ ଦେବ, କାମପାଳ ମିଶ୍ର, ରାଧାମୋହନ ରାଜେନ୍ଦ୍ରଦେବ ଏବଂ ଗୋଦାବରୀଶଙ୍କ ନାଟକଗୁଡ଼ିକ ପଢ଼ିଲେ ଜଣାଯାଏ ଯେ ସେହି ସମୟର କୁସଂସ୍କାର ଯଥା ମଦ୍ୟପାନ, ବୃଦ୍ଧବିବାହ, ଏକାଧିକ ପତ୍ନୀ ଗ୍ରହଣ, ଧର୍ମ ନାଁ’ରେ ଯୌନାଚାର, ଜାତିପ୍ରଥା ଆଦି ସମସ୍ୟା ବିରୁଦ୍ଧରେ ନାଟକ ରଚନା କରାଯାଇଥିଲା । ଏଭଳି ସଂସ୍କାରମୂଳକ ନାଟକରେ ନାରୀ ଚରିତ୍ର ମୁଖ୍ୟ ନଥିଲେ ମଧ୍ୟ ତା’ର ପ୍ରାଧାନ୍ୟତା ନାଟକରେ କିଛି କମ୍ ନଥିଲା, ଯଥା ପ୍ରୀତି, ସତୀ, ବୁଢ଼ାବର, ଲୀଳାବତୀ, ଶୈଳବାଳା, ବିକ୍ରମଦେବଙ୍କ ସୁହାସିନୀ, ବାଲ୍ୟବିବାହ, ବୃଦ୍ଧବିବାହ, ବ୍ୟଭିଚାର ଦୋଷ ପ୍ରହସନ, ପ୍ରେମଲତା, ସଂସ୍କାର, ସୁଶୀଳା, ଯୌତୁକ, ନିରୂପମା ଆଦି ନାଟକଗୁଡ଼ିକ ନାରୀକୈନ୍ଦ୍ରିକ ହେବା ସହ ତା’ର ସମସ୍ୟା କାହାଣୀର ଗୁରୁତ୍ୱ ପାଉଥିଲା ।

ଏହାର ପରବର୍ତ୍ତୀ ପର୍ଯ୍ୟାୟର ଓଡ଼ିଆ ନାଟକକୁ ମଧ୍ୟବିତ୍ତ ପର୍ଯ୍ୟାୟର ଓଡ଼ିଆ ନାଟକ ଭାବେ ସମାଲୋଚକମାନେ ଗ୍ରହଣ କରିଛନ୍ତି । ଏହି ପର୍ଯ୍ୟାୟରେ ଓଡ଼ିଆ ନାଟକର ଧାରା ଏକ ଭିନ୍ନ ଦିଗରେ ପ୍ରବାହିତ ହେଲା । ୧୮୭୭ମସିହା ଠାରୁ ୧୯୨୦ମସିହା ପର୍ଯ୍ୟନ୍ତ କିଛି ପୂରାଣ, ଇତିହାସ, କିମ୍ବଦନ୍ତୀ ଆଧାରିତ ଏବଂ ପ୍ରାୟତଃ ସଂସ୍କାରଧର୍ମୀ ନାଟକ ଦୀର୍ଘଦିନ ଧରି ଦର୍ଶକମାନଙ୍କର ଆମୋଦପ୍ରମୋଦର ମୁଖ୍ୟ ମାଧ୍ୟମ ହୋଇଆସିଥିଲା । କିନ୍ତୁ ତା’ର ପରବର୍ତ୍ତୀ ପର୍ଯ୍ୟାୟରେ ଅଶ୍ୱିନୀ କୁମାର ଘୋଷ ଏବଂ କାଳୀଚରଣ ପଟ୍ଟନାୟକ ଓଡ଼ିଆ ନାଟ୍ୟ ସାହିତ୍ୟରେ ପାଦ ଥାପି ନାଟକର ଧାରାକୁ ଭିନ୍ନ ଦିଗଦିଗନ୍ତ ପ୍ରଦାନ କଲେ । ଅଶ୍ୱିନୀକୁମାର ଏକାଧାରରେ ପୌରାଣିକ, ଭକ୍ତିରସାତ୍ମକ ଓ ଐତିହାସିକ ଏବଂ ସାମାଜିକ ନାଟକ ରଚନାରେ ଜଣେ ଦକ୍ଷ ନାଟ୍ୟକାରର ସ୍ୱୀକୃତି ଅର୍ଜନ କଲେ । ତାଙ୍କର ପୌରାଣିକ ତଥା ଭକ୍ତିରସାତ୍ମକ ନାଟକଗୁଡ଼ିକ ମଧ୍ୟରେ ଭିଷ୍ମ, ସାବିତ୍ରୀ, ସାଲବେଗ, ଶ୍ରୀମନ୍ଦିର, ଚଣ୍ଡାଳୁଣୀ, ଜାନକୀ, ସାଲବେଗ, ଦାସିଆବାଉରୀ, ରଘୁଅରକ୍ଷିତ, ବନ୍ଧୁମହାନ୍ତି, ତ୍ୟାଗି ରାମଦାସ ହୋଇଥିବା ସ୍ଥଳେ, ଗୋବିନ୍ଦ ବିଦ୍ୟାଧର, କଳାପାହାଡ଼, କୋଣାର୍କ, କପିଳେନ୍ଦ୍ରଦେବ, ତାଜମହଲ, ଉକ୍ରଳଗୌରବ, ଓଡ଼ିଆ ଝିଅ ଐତିହାସିକ ନାଟକର ଅନ୍ତର୍ଭୁକ୍ତ ଅଟେ । ଚଷାଝିଅ, ଭାଇ, ହିନ୍ଦୁ ରମଣୀ, ମାଷ୍ଟର ବାବୁ, ସୁଖେ ଦୁଃଖେ, ଅଭିନୟ ପ୍ରଭୃତି ଜନାଦୃତ ସାମାଜିକ ନାଟକ । ଅଶ୍ୱିନୀ କୁମାର ତାଙ୍କ ସାମାଜିକ ନାଟକ ରଚନା ଭିତରେ ନାରୀ ଚରିତ୍ରକୁ ବହୁତ ଗୁରୁତ୍ୱ ପ୍ରଦାନ କରିଛନ୍ତି ।

ଏପରିକି ତାଙ୍କର ବହୁ ନାଟକ ନାରୀକୁ ଆଧାର କରି ରଚିତ ହୋଇଥିବା କାହାଣୀରୁ ଜଣାପଡ଼େ । ସାଧାରଣ ସମାଜର ନାରୀ, ନାଟ୍ୟକାର ଅଶ୍ୱିନୀ କୁମାରଙ୍କର ନାଟକରେ ପ୍ରମୁଖ ଭୂମିକା ଗ୍ରହଣ କଲା । ଯଥା- ଓଡ଼ିଆ ଝିଅ, ଚଷାଝିଅ, ମାମଲତ୍କାର, ହିନ୍ଦୁ ରମଣୀ ଇତ୍ୟାଦି । ଏହା ପରେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ନାଟ୍ୟକାର ଅଶ୍ୱିନୀ କୁମାରଙ୍କ ଭଳି ନାଟକର ଉଭୟ ଗୁଣାତ୍ମକ ଏବଂ ସଂଖ୍ୟାତ୍ମକ ଅଭିବୃଦ୍ଧିରେ ସହାୟକ ହୋଇଥିଲେ । ତାଙ୍କ ନାଟକଗୁଡ଼ିକ ମଧ୍ୟରେ ଆହୁତି, ଗାର୍ଲସ୍ସ୍କୁଲ, ଚୁମ୍ବନ, କମଳା, ଭାତ, ରକ୍ତମାଟି, ଅଭିଯାନ, ମାଳତୀ, ରକ୍ତମନ୍ଦାର, ଫଟା ଭୂଇଁ, ଚକ୍ରୀ, ଦଶଭୂଜା, ଜୟଦେବ, ଅତିବଡ଼ି ଜଗନ୍ନାଥ ଦାସ ଏବଂ ସାରଳା ଦାସ ଅନ୍ୟତମ । କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ମଧ୍ୟ ତାଙ୍କ ନାଟକରେ ନାରୀ ଏବଂ ତା’ର ସମସ୍ୟା ସହିତ ନାରୀ ଉପରେ ଥିବା ସମାଜର ସାଧାରଣ ଦୃଷ୍ଟିଭଙ୍ଗୀକୁ ସୁନ୍ଦର ଭାବରେ ସ୍ଥାନ ଦେଇଛନ୍ତି ।

ଏହାର ପରବର୍ତ୍ତି ପର୍ଯ୍ୟାୟରେ ଦେଶ ଇଂରେଜ ସରକାର ପରାଧିନତାରୁ ମୁକ୍ତିଲାଭ କରିଛି ଏବଂ ତା’ ସହିତ ରାଷ୍ଟ୍ରର ସାମାଜିକ ସ୍ଥିତିରେ ପରିବର୍ତ୍ତନ ଆସିଛି । ଏ କ୍ଷେତ୍ରରେ ଓଡ଼ିଆ ନାଟକ ଏକା ସମୟରେ ୨ଟି ଧାରା ଦେଇ ଗତିକରିଛି । ଯଥା:-

୧) ପାରମ୍ପରିକ ଶୈଳୀର ସାମାଜିକ ନାଟକ ।

୨) ବୌଦ୍ଧିକ ଶୈଳୀର ପରୀକ୍ଷାମୂଳକ ନାଟକ ।

ପାରମ୍ପରିକ ଶୈଳୀର ସାମାଜିକ ନାଟକ କ୍ଷେତ୍ରରେ ରାମଚନ୍ଦ୍ର ମିଶ୍ର, ଭଞ୍ଜକିଶୋର ପଟ୍ଟନାୟକ, ଗୋପାଳ ଛୋଟରାୟ, ପ୍ରାଣବନ୍ଧୁ କର, କାର୍ତ୍ତିକ ଘୋଷ, ବ୍ୟୋମକେଶ ତ୍ରିପାଠୀ, ବସନ୍ତ ମହାପାତ୍ର, ରଜତ କର ପ୍ରମୁଖ ନାଟ୍ୟକାର ଲେଖନୀ ଚାଳନା କରିବା ବେଳେ ବୌଦ୍ଧିକ ଶୈଳୀର ପରୀକ୍ଷାମୂଳକ ନାଟକ ରଚନା କ୍ଷେତ୍ରରେ ମନୋରଞ୍ଜନ ଦାସ, ବିଶ୍ୱଜିତ ଦାସ, ବିଜୟ ମିଶ୍ର, ରମେଶ ପାଣିଗ୍ରାହୀ, ହରିହର ମିଶ୍ର ପ୍ରମୁଖ ଅନ୍ୟତମ । ପାରମ୍ପରିକ ଶୈଳୀର ସାମାଜିକ ନାଟକ ତଥା ଚିନ୍ତା କଲାବେଳେ ତକ୍ରାଳୀନ ସମାଜର ପ୍ରମୁଖ ସାମାଜିକ ସମସ୍ୟା ଯଥା :- ଯୌତୁକ, ଶ୍ରେଣୀସଂଘର୍ଷ, ରାଜନୈତିକ ଅସ୍ଥିରତା, ଆଧୁନିକତା ଓ ପାରମ୍ପରିକତାର ସଂଘର୍ଷ, ପ୍ରେମବିବାହ, ବେକାରୀ, ସାମ୍ପ୍ରଦାୟିକତା ଆଦି ବିଷୟ ନାଟ୍ୟ ସାହିତ୍ୟର ଗୁରୁତ୍ୱ ହାସଲ କରିଥିଲେ । ଏ କ୍ଷେତ୍ରର ସାମାଜିକ ସମସ୍ୟା କାହାଣୀର ଗତି ନିର୍ଦ୍ଧାରଣ କଲା ଏବଂ ସମାଜରେ ନାରୀର ସମସ୍ୟାକୁ ବାସ୍ତବ ରୂପରେ ପ୍ରତିଫଳିତ ହେଲା । ରାମଚନ୍ଦ୍ର ମିଶ୍ରଙ୍କ ଘରସଂସାର, ମ୍ୟାନେଜର, ରାଜକିଶୋର ପଟ୍ଟନାୟକଙ୍କ ପରିଣତି, କୂଳବୋହୂ, ସାଆନ୍ତ ଘର, ଏ ଯୁଗର ଝିଅ, ଗୋପାଳ ଛୋଟରାୟଙ୍କ ପରକଲମ, ଅଭାଗିନିର ସ୍ୱର୍ଗ, କମଳ ଲୋଚନ ମହାନ୍ତିଙ୍କ ସୁମିତ୍ରାର ସଂସାର, ଯୌତୁକ ଆଦି ଠିକ୍ ସେହିପରି ବୌଦ୍ଧିକ ଶୈଳୀର ପରୀକ୍ଷାମୂଳକ ନାଟକରେ ମଧ୍ୟ ମନୋରଞ୍ଜନ ଦାସ, ବିଶ୍ୱଜିତ ଦାସ, ବିଜୟ ମିଶ୍ର, ରମେଶ ପ୍ରସାଦ ପାଣିଗ୍ରାହୀ ପ୍ରମୁଖ ନାଟ୍ୟକାରମାନେ ସ୍ୱାଧୀନତା ପରବର୍ତ୍ତି ଭାରତବର୍ଷରେ ଶିକ୍ଷିତା, ଅଶିକ୍ଷିତା, ଧନୀ, ଗରିବ ସବୁପ୍ରକାର ନାରୀର ସ୍ଥିତିକୁ ନାଟକରେ ସ୍ଥାନିତ କରିଛନ୍ତି । ମନୋରଞ୍ଜନ ଦାସଙ୍କ ବେକାର, ସମସ୍ୟା, ଅରଣ୍ୟଫସଲ, କ୍ଲାନ୍ତ ପ୍ରଜାପତି, ଅନାଦୀଶଙ୍କରଙ୍କ ଯୌତୁକ ଓ କପଟପାଶା, ନୀଳକଣ୍ଠ ମିଶ୍ରଙ୍କ ପାଶାଣୁ ଲୁହ ଝରେ, ବସନ୍ତ ମହାପାତ୍ରଙ୍କ ଝରା ବଉଳ ଓ ଶେଷ ଶ୍ରାବଣ, ପ୍ରଫୁଲ୍ଲ ରଥଙ୍କ ସିନ୍ଦୁର ଟୋପା, ବିଜୟ ମିଶ୍ରଙ୍କ ଜନନୀ, ତଟନିରଞ୍ଜନା, ଅଶାନ୍ତ ଗ୍ରହ, ଡିମିର ତୀର୍ଥ, ଯାଯାବର, ବିଶ୍ୱଜିତ୍ ଦାସଙ୍କ ନିଶିପଦ୍ମ, ରମେଶ ପ୍ରସାଦ ପାଣିଗ୍ରାହୀଙ୍କ ମୁଁ ଆମ୍ଭେ ଓ ଅାମ୍ଭେମାନେ ଇତ୍ୟାଦି ।

ଆଧୁନିକ ଓଡ଼ିଆ ନାଟକର ଅଭିନୟ କ୍ଷେତ୍ରରେ ନାରୀମାନଙ୍କର କଥା ଚିନ୍ତା କଲାବେଳେ ଓଡ଼ିଆ ନାଟକର ଆଦି ପର୍ଯ୍ୟାୟରୁ ଅଭିନେତ୍ରୀମାନେ ନାରୀ ଚରିତ୍ରରେ ଅଭିନୟ କରୁଥିଲେ ଏହାର କୌଣସି ବିଧିବଦ୍ଧ ପ୍ରମାଣ ମିଳେନି । କେବଳ ମତ ପ୍ରଦାନ କରନ୍ତି ଯେ ପ୍ରଥମେ ବିଧିବଦ୍ଧ ଭାବେ କାଳୀଚରଣ ପଟ୍ଟନାୟକ ନାଟକରେ ଅଭିନେତ୍ରୀମାନଙ୍କୁ ଅଭିନୟ କରିବାର ସୁଯୋଗ ପ୍ରଦାନ କଲେ ଏବଂ ତାଙ୍କୁ ଅନୁସରଣ କରି ତକ୍ରାଳୀନ ବ୍ୟବସାୟିକ ନାଟ୍ୟ ଦଳମାନେ ଯଥା ଅର୍ଣ୍ଣପୂର୍ଣ୍ଣା, ଓଡ଼ିଶା, ଜନତା, କଳାଶ୍ରୀ, ରୂପଶ୍ରୀ ଥିଏଟର୍ସମାନେ ଏମାନେ ନାଟକରେ ନାରୀ ଅଭିନେତ୍ରୀମାନଙ୍କୁ ସୁଯୋଗ ଦେବା ଆରମ୍ଭ କରିଦେଲେ । ଏହା ପଛରେ ସେମାନଙ୍କ ପ୍ରାଥମିକ ଲକ୍ଷ୍ୟ ଥିଲା ଯେ ନାଟକ କିପରି ଯେନତେନ ପ୍ରକାରେ ବ୍ୟବସାୟିକ ସଫଳତା ହାସଲ କରିବ । କିନ୍ତୁ ଦୁଃଖର କଥା ସେହି ସମୟରେ ଯେଉଁ ନାରୀମାନେ ଅଭିନୟ ଜଗତକୁ ଆସୁଥିଲେ ନା ସେମାନଙ୍କୁ ଉପଯୁକ୍ତ ପାରିଶ୍ରମିକ ଦେଉଥିଲେ ନା ସେମାନେ ଉପଯୁକ୍ତ ସାମାଜିକ ସମ୍ମାନ ପାଉଥିଲେ । ଏପରିକି ନାଟକର ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ସେମାନଙ୍କୁ ଦେଖି ନାଟକ ଟେକିବାକୁ ମଧ୍ୟ ପଛଘୁଞ୍ଚା ଦେଉନଥିଲେ । ସମାଜର ସମ୍ଭ୍ରାନ୍ତ ତଥା ଶିକ୍ଷିତ ବର୍ଗ ସେମାନଙ୍କୁ ଦେହଜୀବୀ ଓ ଗଣିକାଭଳି ବ୍ୟବହାର ଦେବାର ନଜର ମଧ୍ୟ ମିଳିଛି । ଏପରିକି ସାମାଜିକ କ୍ଷେତ୍ରରେ କେତେକାଂଶରେ ସେମାନଙ୍କୁ ବାସନ୍ଦ ମଧ୍ୟ କରାଯାଇଛି । କିନ୍ତୁ ଧିରେ ଧିରେ ଯେତେବେଳେ ଶିକ୍ଷାର ପ୍ରଚାର ପ୍ରସାର ହେଲା, ନାଟ୍ୟକଳା ଗୁଣଗ୍ରାହୀ, ଭାବଗ୍ରାହୀ ଏବଂ ଶିକ୍ଷିତବର୍ଗର ମନୋରଞ୍ଜନର ଏକ ମୁଖ୍ୟ ମାଧ୍ୟମ ରୂପରେ ପରିଗଣିତ ହେଲା ସେତେବେଳେ ସେମାନଙ୍କ ମନଭିତରୁ ପେଶାଦାର ନାରୀ ଅଭିନେତ୍ରୀମାନଙ୍କ ପ୍ରତି ସମ୍ପୂର୍ଣ୍ଣ ଭାବରେ ନହେଲେ ବି ଆଂଶିକ ଭାବରେ ସ୍ୱତନ୍ତ୍ର ମାନ୍ୟତା ସୃଷ୍ଟି ହେଲା । ଯାହା ପରବର୍ତ୍ତି ପିଢ଼ି ପାଇଁ ପ୍ରେରଣାର ଉତ୍ସ ହେଲା । ସ୍ୱାଧୀନତା ପରେ ପରେ ଯେତେବେଳେ ନାଟ୍ୟକଳା ପାଠ୍ୟପୁସ୍ତକ ଅନ୍ତର୍ଭୁକ୍ତ ହେଲା ଏବଂ ନାଟ୍ୟକଳାକୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ପ୍ରୟୋଗ କରାଗଲା ସେତେବେଳେ ସମସ୍ତେ ନାରୀ ଅଭିନେତ୍ରୀମାନଙ୍କ ପ୍ରତି ସମ୍ମାନ ଦେବା ଆରମ୍ଭ କଲେ ଯାହାଫଳରେ ଶିକ୍ଷିତା ଓ ଧନୀ ସମ୍ପ୍ରଦାୟର ତରୁଣୀମାନେ ଅଭିନୟ କ୍ଷେତ୍ରରେ ପାଦ ଥାପିବାକୁ ଶ୍ରେୟସ୍କର ମନେକଲେ । ଆରପଟରେ ଯେତେବେଳେ ଓଡ଼ିଶାରେ, ନାଟ୍ୟ ଆନ୍ଦୋଳନର ଦୀପଶଖା ଲିଭି ଲିଭି ଆସିଲା ସେତେବେଳେ ଓଡ଼ିଶାର   ନାଟ୍ୟକାର, ନିର୍ଦ୍ଦେଶକ, ଅଭିନେତା ଓ ଅଭିନେତ୍ରୀମାନେ ନାଟକରୁ ସିନେମା ଆଡ଼କୁ ଢଳିବା ଆରମ୍ଭ କଲେ । ଏହି ପର୍ଯ୍ୟାୟର ଅଭିନେତା ଅଭିନେତ୍ରୀମାନେ ହେଲେ ଯଥା – ବ୍ୟୋମକେଶ ତ୍ରିପାଠୀ, ସାମୁଏଲ୍ ସାହୁ, ଦୁଃଖିରାମ ସ୍ୱାଇଁ, ଝରଣା ଦାସ, ନମ୍ରତା ଦାସ, ଅନିତା ଦାସ । ଚଳଚ୍ଚିତ୍ରର ଜନନୀ ନାଟକ ହେଲେ ମଧ୍ୟ ସମାଜରେ ଚଳଚ୍ଚିତ୍ର ଯେଉଁ ପ୍ରଭାବ ବିସ୍ତାର କରିବା ଦିଗରେ ସକ୍ଷମ ହେଲା ନାଟକ ସେତିକି ହୋଇପାରିଲା ନାହିଁ । କାରଣ ଭ୍ରାମ୍ୟମାଣ ଓଡ଼ିଆ ନାଟ୍ୟ ଆନ୍ଦୋଳନ ବ୍ୟବସାୟୀକରଣର ଉଚିତ ମାର୍ଗରେ ପରିଚାଳିତ ହେବା ସହ ଆଧୁନିକତାର ପ୍ରଚାର ପ୍ରସାର ସହ ତାଳ ଦେଇପାରିଲା ନାହିଁ । ଯଦି ଏହା ହୋଇପାରିଥାନ୍ତା ତା’ହେଲେ ଓଡ଼ିଶାରେ ଯାତ୍ରା ଭଳି ନାଟକ ମଧ୍ୟ ଉଚ୍ଚ ଆସନ ଅଧିକାର କରିପାରିଥାନ୍ତା । ଏଥିସହ, ଚଳଚ୍ଚିତ୍ରର ପ୍ରଚାର ପ୍ରସାର ହେବା ସହ ଆମ ଶିକ୍ଷିତ ଓଡ଼ିଆ ଝିଅମାନେ ଚଳଚ୍ଚିତ୍ର ଅଭିନୟ ନିମେନ୍ତ ନାଟକକୁ ପ୍ରଶିକ୍ଷଣର ଏକ ମାଧ୍ୟମ ଭାବେ ଗ୍ରହଣ କଲେ ।

କିନ୍ତୁ ଦୁଃଖର କଥା କିଛି ଅଭିନେତ୍ରୀ ନାଟକରୁ ଦକ୍ଷତା ଅର୍ଜନ କରି ଚଳଚ୍ଚିତ୍ର ବା ଦୂରଦର୍ଶନରେ ସଫଳତା ହାସଲ କଲେ, କିନ୍ତୁ ପରେ ସେମାନେ ନାଟକରୁ ନିଜକୁ ସମ୍ପୂର୍ଣ୍ଣ ଦୂରେଇ ଦେଲେ । ଯାତ୍ରାର ବ୍ୟବସାୟିକ ଆନ୍ଦୋଳନ ଦୁର୍ବଳ ହେବାକୁ ଲାଗିଲା, ଏହାପରେ ଓଡ଼ିଆ ନାଟକ ସୌଖିନ ନାଟ୍ୟଧାରାର ମାଧ୍ୟମକୁ ଆଶ୍ରା କରିବାକୁ ବାଧ୍ୟ ହେଲା । ଆଉ ଏହି ସୌଖିନ ନାଟ୍ୟସଂସ୍ଥାମାନେ ଖ୍ୟାତନାମା ଅଭିନେତ୍ରୀମାନଙ୍କ ଚାହିଦା ମୁତାବକ ପାଉଣା ଦେଇପାରିଲେ ନାହିଁ । କିନ୍ତୁ ସେହି ଗୋଷ୍ଠୀର ଅଭିନେତ୍ରୀମାନେ ଯଦି ଚଳଚ୍ଚିତ୍ର ଓ ଦୂରଦର୍ଶନ ସହିତ ନାଟକକୁ ପେଶା ନହେଲେ ବି ନିଶା ଭାବରେ ଗ୍ରହଣ କରିଥାନ୍ତେ ତେବେ ନାଟକ ଓ ଅଭିନେତ୍ରୀମାନଙ୍କୁ ଏତେମାତ୍ରାରେ ସଙ୍କଟ ଗ୍ରାସ କରିନଥାନ୍ତା । କିମ୍ବା ସେମାନେ ମଧ୍ୟ ଅଳ୍ପ ଦିନର ସଫଳତା ପରେ ଦର୍ଶକମାନଙ୍କ ମନରୁ ପାଶୋରା ହୋଇ ଚରିତ୍ର ହୋଇନଥାନ୍ତେ । ଏହି ସୌଖିନ ନାଟ୍ୟ ଆନ୍ଦୋଳନ ସମୟରେ ଦୁଇଶ୍ରେଣୀର ଅଭିନେତ୍ରୀ ଗୋଷ୍ଠୀ ନାଟ୍ୟାଭିନୟ ସହିତ ସାମିଲ ହେଲେ । ପ୍ରଥମ ଗୋଷ୍ଠୀର ଦୂରଦର୍ଶନ ଓ ଚଳଚ୍ଚିତ୍ରରେ ଖ୍ୟାତି ଅର୍ଜନ କରିଥିବା ଅଭିନେତ୍ରୀ ଗୋଷ୍ଠୀ ଓ ଦ୍ୱିତୀୟରେ ଦୂରଦର୍ଶନ ଓ ଚଳଚ୍ଚିତ୍ରକୁ ଆଖି ଆଗରେ ରଖି ଦକ୍ଷତା ତଥା ଲୋକପ୍ରିୟତା ହାସଲ ନିମନ୍ତେ ଅଭିନୟ କରୁଥିବା ଅଭିନେତ୍ରୀ ଗୋଷ୍ଠୀ । ପ୍ରଥମ ପର୍ଯ୍ୟାୟର ଗୋଷ୍ଠୀ ଉଭୟ ସାମାଜିକ ଓ ଆର୍ଥିକ ସ୍ତରରେ ସ୍ୱଚ୍ଛଳ ନଥିଲେ ମଧ୍ୟ ଦୁର୍ବଳ ନଥିଲେ । ସମାଜ ସେମାନଙ୍କୁ ଏକ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରୁଥିଲା । କିନ୍ତୁ ୨ୟ ଗୋଷ୍ଠୀର ଅଭିନେତ୍ରୀମାନେ ଚଳଚ୍ଚିତ୍ର କିମ୍ବା ଦୂରଦର୍ଶନରେ ନିଜକୁ ସାମିଲ କରିବାକୁ ସେମାନଙ୍କୁ ବହୁ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ୁଥିଲା । ଏପରିକି ସମସ୍ତ ଚେଷ୍ଟା ପରେ ତାହା ସୋମନଙ୍କ ପାଇଁ ଦାନାକନାର ମାଧ୍ୟମ ହୋଇପାରୁନଥିଲା, କିନ୍ତୁ ଯେଉଁ ମହିଳା ଅଭିନେତ୍ରୀମାନେ ସହରରେ ଚାଲୁଥିବା ସୌଖିନ ନାଟ୍ୟସଂସ୍ଥା ଯଥା ଭୁବନେଶ୍ୱର, କଟକ, ସମ୍ବଲପୁର, ପୁରି, ବ୍ରହ୍ମପୁର, ବାରିପଦା, ବାଲେଶ୍ୱର ଇତ୍ୟାଦି ସ୍ଥାନରେ ଅଭିନେତ୍ରୀ ରୂପେ ଅଭିନୟ କରି ଯାହା ପାରିଶ୍ରମିକ ପାଉଥିଲେ ସେମାନେ କଷ୍ଟେମଷ୍ଟେ ଚଳିଯାଉଥିଲେ । କିନ୍ତୁ ସେମାନଙ୍କ ସାମାଜିକ ସ୍ଥିତି ଉନ୍ନତ ନଥିଲା । ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଚିତ୍ରାଳୟ ମାଲିକମାନଙ୍କ ନିର୍ଯାତନାର ଶିକାର ହେବାକୁ ପଡ଼ୁଥିଲା । ଏପରିକି ଚିତ୍ରାଳୟ ମାଲିକ  କିମ୍ବା ନିର୍ଦ୍ଦେଶକମାନେ ବହୁ ଅଭିନେତ୍ରୀଙ୍କୁ ନିଜର ବ୍ୟବସାୟିକ ଫାଇଦାକୁ ଆଖି ଆଗରେ ରଖି ରଖିତା ଭଳି ରଖିବାକୁ ବି ଉଚିତ ମନେକରୁଥିଲେ । କପାଳକୁ ଆଦରି ନୀତିରେ ଏମାନଙ୍କୁ ମଧ୍ୟ ସବୁ ସହିଯିବାକୁ ପଡ଼ୁଥିଲା କାରଣ ଅଭିନୟ ଜଗତରେ ପାଦ ଥାପିଲାପରେ ଅଭିନେତ୍ରୀମାନଙ୍କ ପରିବାର, ଘରସଂସାର, ସ୍ୱାମୀ-ସ୍ତ୍ରୀ, ବାପା, ଭାଇ ସମସ୍ତଙ୍କ ଠାରୁ ନିଜକୁ ସାମାଜିକ ଭାବରେ ବାସନ୍ଦ ହୋଇ ରହିବାକୁ ପଡ଼ୁଥିଲା ।

                ଆଉ କିଛି ଅଭିନେତ୍ରୀ ଯେଉଁମାନେ ଘରସଂସାର କରି ସହରମାନଙ୍କରେ ରହି ଅଭିନୟକୁ ଉଭୟ ନିଶା ଓ ପେଶା ଭାବରେ ଦେଖିଲେ ସେମାନେ ସେଭଳି ଆଖିଦୃଷ୍ଟିଆ ପାରିଶ୍ରମିକ ରୋଜଗାର ନକରିପାରିଲେ ମଧ୍ୟ ଅଳ୍ପରେ ସନ୍ତୁଷ୍ଟ ରହି ସମ୍ମାନର ସହ ବଞ୍ôଚପାରିଲେ । କିନ୍ତୁ ତା’ର ପରବର୍ତ୍ତୀ ପର୍ଯ୍ୟାୟରେ ଅଭିନେତ୍ରୀମାନେ ନାଟକକୁ ବଞ୍ôଚବାର ମୁଖ୍ୟ ମାଧ୍ୟମ ରୂପେ ଗ୍ରହଣ ନକରି ଦୂରଦର୍ଶନ ଚଳଚ୍ଚିତ୍ର ତଥା ବିଭିନ୍ନ ଘରୋଇ ଗଣମାଧ୍ୟମର ଧାରାବାହିକରେ ନିଜକୁ ସାମିଲ କରି କିଛିମାତ୍ରାରେ ଆର୍ଥିକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିଲେ ଏବଂ ରାଜ୍ୟସ୍ତରୀୟ ଖ୍ୟାତି ଅର୍ଜନ କରିବାରେ ସକ୍ଷମ ହେଲେ । କିନ୍ତୁ ମଞ୍ଚ ନାଟକପ୍ରତି ସୋମନଙ୍କ ଆଦର ବା ସମ୍ମାନ ରହିଲା ନାହିଁ । କାରଣ ବୈଦ୍ୟୁତିକ ଗଣମାଧ୍ୟମରେ ସେମାନଙ୍କର ଦିନରେ ରୋଜଗାର ଯାହା ନାଟକରେ ପାଖାପାଖି ଗୋଟିଏ ମାସ ଅବଧିର ଅଭ୍ୟାସ ଏବଂ ମଞ୍ଚସ୍ଥ ଦିନର ପାରିଶ୍ରମିକ ମିଶି ତା ସହିତ ସମାନ । ଏପଟେ ପୁଣି ନିର୍ଦ୍ଦେଶକମାନଙ୍କ କଟୁକ୍ତି ଓ ଦର୍ଶକ ତଥା ଅଭିନେତାମାନଙ୍କ ନାକଟେକା ସହ୍ୟ କରିବା ସେମାନଙ୍କ ପକ୍ଷେ ଗ୍ରହଣୀୟ ହେଲାନାହିଁ । ଯା’ଫଳରେ ନାଟକଟିଏ କରିବା ବେଳେ ନାଟ୍ୟ ଦଳମାନେ କେତେ କମ୍ ଅଭିନେତ୍ରୀ ଥିବା ନାଟକ ଚୟନ କରିବା କଥା ଚିନ୍ତା କଲେ। ଏଣୁ ନାଟକ ମାଧ୍ୟମକୁ ଆସିବାକୁ ଚିନ୍ତା କରୁଥିବା ନବାଗତା ଅଭିନେତ୍ରୀମାନେ ରୋଜଗାର ଦୃଷ୍ଟିରୁ ନାଟକ ଅପେକ୍ଷା ଧାରାବାହିକ, ପଥପ୍ରାନ୍ତ ନାଟକ କିମ୍ବା ଯାତ୍ରାକୁ ଶ୍ରେୟସ୍କର ମନେକଲେ ।

ସବୁଠାରୁ ଦୁଃଖର କଥା ଉକ୍ରଳ ସଙ୍ଗୀତ ମହାବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନରୁ ମଧ୍ୟ ଯେଉଁ ତାଲିମ ପ୍ରାପ୍ତ ଅଭିନେତ୍ରୀ ସୃଷ୍ଟି ହେଲେ ସେମାନଙ୍କ ମନରେ ନାଟକ ପ୍ରତି ଟିକିଏ ବି ଦରଦ ରହିଲାନି । କାରଣ ନାଟକରେ ତାଲିମ ନେଲାବେଳକୁ ହିଁ ସେମାନେ ଦୂରଦର୍ଶନ ଓ ଚଳଚ୍ଚିତ୍ର କଥା ମନକୁ ନେଇସାରିଥିଲେ ଏବଂ କେତେକଙ୍କ କ୍ଷେତ୍ରରେ ସେଥିରେ ସଫଳତା ପାଇବା କଷ୍ଟକର ହେଲାପରେ ସେମାନେ ଏହି ମାଧ୍ୟମ ଗୁଡ଼ିକରୁ ସମ୍ପୂର୍ଣ୍ଣ ଭାବରେ ନିଜକୁ ଦୂରେଇ ନେଲେ । ଯଦିବା ଅଭିନୟ ସହିତ କ୍ୱଚିତ କେତେବେଳେ ଜଡ଼ିତ ରହିଲେ ତାହା ସମୁଦ୍ରକୁ ଶଙ୍ଖେ ପାଣି ଭଳି ହେଲା । ଯଦ୍ୱାରା ତାଲିମପ୍ରାପ୍ତ ଅଭିନେତ୍ରୀମାନଙ୍କ ଦ୍ୱାରା ନାଟ୍ୟ ଆନ୍ଦୋଳନର ପ୍ରଗତି ଯେତେଦୂର ଯିବାର ଥିଲା ତାହା ସେତେଦୂର ଯାଇପାରିଲା ନାହିଁ । କିମ୍ବା ଅନ୍ୟାନ୍ୟ ପ୍ରଦେଶରେ ତାଲିମ ପ୍ରାପ୍ତ ନାରୀ ଅଭିନେତ୍ରୀମାନେ ଯେଉଁଭଳି ଭାବରେ ନାଟକର ବିଭିନ୍ନ ବିଭାଗ ଯଥା ଅଭିନୟ, ନିର୍ଦ୍ଦେଶନା, ପରିଚାଳନା, ପ୍ରଯୋଜନା, ପରିକଳ୍ପନା ଓ ଅଧ୍ୟାପନା ସହ ଜଡ଼ିତ ରହି ନାଟ୍ୟ ଆନ୍ଦୋଳନକୁ ଗତିଶୀଳ କରିବାରେ ସକ୍ଷମ ହେଲେ ଓଡ଼ିଶାରେ ଏମାନେ ତାହା କରିପାରିଲେ ନାହିଁ । ହୁଏତ ଏହାକୁ ଆମର ଶିକ୍ଷା ବ୍ୟବସ୍ଥାର ତୃଟି ବୋଲି ଏବଂ ସାମାଜିକ ଅବସ୍ଥାର ପ୍ରତିଫଳନ ବୋଲି ଗ୍ରହଣ କରାଯାଇପାରେ ।

ଲୋକନାଟକ କ୍ଷେତ୍ରରେ ସବୁଠାରୁ ବ୍ୟବସାୟିକ ସଫଳତା ପାଉଥିବା ମାଧ୍ୟମ ହେଲା ଯାତ୍ରାନାଟକ । ଏକବିଂଶ ଶତାବ୍ଦୀର ଏହା ଏଭଳି ଏକ ମାଧ୍ୟମ ହୋଇ ରହିଛି ଯେଉଁଥିରେ ଅଭିନେତା ଅଭିନେତ୍ରୀମାନଙ୍କ ପାରିଶ୍ରମିକ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ଅଭିନେତା ଅଭିନେତ୍ରୀମାନଙ୍କ ଠାରୁ କିଛି କମ୍ ନୁହେଁ । କିନ୍ତୁ ଏ କ୍ଷେତ୍ରରେ ସେମାନଙ୍କ ସାମାଜିକ ସ୍ଥିତି ଓ ସମ୍ମାନ କଥା ଚିନ୍ତା କଲାବେଳକୁ ପ୍ରଶ୍ନବାଚୀ ସୃଷ୍ଟି ହୁଏ । ଗାଁ ଗହଳୀରୁ କିମ୍ବା ସହର ଉପକଣ୍ଠରୁ ଆସିଥିବା ଏହି ଅଭିନେତ୍ରୀମାନେ ଘରସଂସାରଠୁ ନିଜକୁ ଦୂରେଇ ବର୍ଷତମାମ ଯାଯାବର ଜୀବନଯାପନ ସହିତ ଜୀବିକା ଭିତରେ ବୁଡ଼ି ରହି ନାଟକ ପାଇଁ ନିଜକୁ ଜଳାଞ୍ଜଳି ଦେଇ ଚାଲିଛନ୍ତି । ବର୍ଷ ଶେଷରେ କିଛି ରୋଜଗାର ଆଉ ଦର୍ଶକମାନଙ୍କ କରତାଳି ସେମାନଙ୍କର ଶ୍ରେୟ ଆଉ  ଧ୍ୟେୟ ହେଲା । ଯେଉଁମାନେ ପ୍ରତିଭା ବାନ ବୋଲି ନିଜକୁ ପ୍ରମାଣିତ କରିବାରେ ସକ୍ଷମ ହେଲେ ଏବଂ ଦର୍ଶକମାନଙ୍କୁ ଅଭିନୟର ଯାଦୁରେ ବଶିଭୂତ କରିଦେଲେ ସେମାନେ ଯାତ୍ରା ଦଳ ମାଲିକମାନଙ୍କ ପଣ୍ୟଦ୍ରବ୍ୟ ପାଲଟିଲେ । ଅବଶ୍ୟ ଏଭଳି ପ୍ରତିଯୋଗିତା ଦ୍ୱାରା ଉଭୟ ଦର୍ଶକ ଏବଂ ଅଭିନେତା ଅଭିନେତ୍ରୀମାନେ, ଉଭୟ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଲାଭବାନ ହେଲେ । ଜଗତିକରଣ ଯୁଗରେ ଅନ୍ୟସବୁ ସାଧାରଣ ଲୋକନାଟକ ମଧ୍ୟ ଆଧୁନିକତା ସହ ତାଳ ଦେବାର ଅପଚେଷ୍ଟାରେ ନାରୀ ଅଭିନେତ୍ରୀମାନଙ୍କୁ ଲୋକନାଟକର ପରିସରଭୁକ୍ତ କଲେ । କିନ୍ତୁ ସମାଜରେ ସେମାନଙ୍କୁ ସମ୍ମାନର ସହ ଗ୍ରହଣ କରାଗଲାନି । ତା’ ପଛରେ ମୂଳକାରଣ ହେଲା ଓଡ଼ିଶାର ଲୋକ ବା ପାରମ୍ପରିକ ନାଟକଗୁଡ଼ିକ ଉଭୟ ସାମାଜିକ ଓ ଧର୍ମୀୟ ପରମ୍ପରା ସହ ଜଡ଼ିତ । ଯେଉଁ କିଛି ଲୋକନାଟକ ଯଥା ପାଲା, ଭାରତଲୀଳା, ଘୋଡ଼ାନାଚ, ମୋଗଲ ତାମସା ଭଳି ନାଟକ ମାନଙ୍କରେ ଅଭିନେତ୍ରୀମାନଙ୍କୁ ସାମିଲ କରାଗଲା, ସୋମନଙ୍କ ସ୍ଥିତି ମହରଗରୁ ଯାଇ କାନ୍ତାରରେ ପଡ଼ିଲା ।

                ଓଡ଼ିଶାରେ ଆମମାନଙ୍କ ନାଟକ ପ୍ରତି ଭଲପାଇବା ସାମ୍ପ୍ରତିକ ସମୟରେ ଆମ ଲୋକନାଟକର ସ୍ଥିତିରୁ ବାରି ହୋଇପଡ଼େ । ଯଦି ଏକବିଂଶ ଶତାବ୍ଦୀରେ ଆମ ଶିକ୍ଷିତ ଭାଇମାନେ ଲୋକନାଟକ କରିବା ଦୂରର କଥା ଦେଖିବାକୁ ସମୟ ନଷ୍ଟ ବୋଲି ଭାବନ୍ତି, ତା’ହେଲେ ଓଡ଼ିଶାରେ କେତେମାତ୍ରାରେ ଲୋକନାଟକ ପରିବେଷିତ ହେଉଥିବ ଯେ ସେଥିରେ ସାମିଲ ଥିବା ଅଭିନେତା ଅଭିନେତ୍ରୀମାନଙ୍କ ସ୍ଥିତି ସୁଦୃଢ଼ ଥିବ । ଏଣୁ ସେମାନେ ଲୋକନାଟକରେ ରୋଜଗାର କଥା ପାଶୋରି ପକାନ୍ତି । ସବୁଠାରୁ ଦୁଃଖର କଥା ବର୍ଷତମାମ ଚାତକ ଭଳି ଏମାନଙ୍କୁ ଚାହିଁ ରହିବାକୁ ପଡ଼ିଥାଏ ଯେ କେତେବେଳେ ସରକାରୀ ବା ବେସରକାରୀ ଭାବେ ବରାଦଟିଏ ଆସିବ, ସେମାନେ ଯାଇ ନାଟକ ପରିବେଷଣ କରିବେ ଓ ଦି ପଇସା ପାଇବେ । ଆରପାଖରେ ପୁଣି ଯୁବବର୍ଗର ଦର୍ଶକମାନଙ୍କ ମନକିଣିବା ଅପଚେଷ୍ଟାରେ ନାଟକରେ ଅଶ୍ଳୀଳତାକୁ ପ୍ରଶ୍ରୟ ଦେଲେଣି, ଯାହାଫଳରେ ସେଥିରେ ଅଭିନୟ କରୁଥିବା ଅଭିନେତ୍ରୀମାନଙ୍କ ସାମାଜିକ ସମ୍ମାନ ଆଉ ପାରମ୍ପରିକ ମର୍ଯ୍ୟାଦାବୋଧ କେତେମାତ୍ରାରେ ଯେ କ୍ଷୁର୍ଣ୍ଣ ହେଉଛି ତାହା ଅବର୍ଣ୍ଣନୀୟ । ଆଜିବି ଲୋକନାଟକରେ ସାମିଲ ଥିବା ଅଭିନେତ୍ରୀମାନେ ସାମାଜିକ ସ୍ତରରେ ବାସନ୍ଦ ଭଳି ଜୀବନ ଅତିବାହିତ କରୁଛନ୍ତି । ଯାହା ଗଞ୍ଜାମ ଜିଲ୍ଲାର ପରିବେଷିତ ଭାରତଲୀଳାକୁ ଅନୁଧ୍ୟାନ କଲେ ଜଣାଯାଏ । ଏଣୁ ସବୁଠାରୁ କଦର୍ଯ୍ୟ ସାମାଜିକ ଓ ଆର୍ଥିକ ସ୍ଥିତିରେ ସଢ଼ୁଛନ୍ତି ଆମ ଲୋକନାଟକର ଅଭିନେତ୍ରୀ, ତାହା ଆପଣ ଅନୁମାନ କରିପାରୁଥିବେ । ଏପରିକି ବେଳେବେଳେ ମ୍ୟାନେଜର, ଅଧିକାରୀମାନଙ୍କ ନିର୍ଯାତନାର ଶିକାର ମଧ୍ୟ ହେବାକୁ ପଡ଼େ ଜୀବନର ପ୍ରତି ମୁହୂର୍ତ୍ତରେ । ଏସବୁ ସ୍ଥିତି କଥା ଚିନ୍ତା କଲାବେଳକୁ କେବଳ ଗୋଟିଏ କଥା ମନକୁ ଆସେ ଏହିଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେମାନେ ଯଦି ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ସେମାନଙ୍କୁ ସାମାଜିକ ସମ୍ମାନ ଓ ଆର୍ଥିକ ସହାୟତା ପ୍ରଦାନ ନକରି ଅଣଦେଖା କରିବା ତେବେ କାଲି ସକାଳେ ଆମ କଳା ଓ କଳାକାର ମରିଯିବନି ତ?

ସଂସ୍କୃତ ନାଟକ, ଲୋକନାଟକ ଏବଂ ଆଧୁନିକ ନାଟକ ସବୁଥିରେ ରହିଛି ନାଟକର ଉଭୟ ସାହିତ୍ୟ ଏବଂ ପ୍ରୟୋଗର କଥା । ଏହି ପରିପ୍ରେକ୍ଷିରେ ନାଟକରେ ଗବେଷଣାରତ ଛାତ୍ର ଅଜିତ ମୁନୀ ଆଲୋଚନାଟିଏ ଉପସ୍ଥାପନ କରିଛନ୍ତି । ‘ନାଟକରେ ନାରୀ’ ବିଷୟବସ୍ତୁ ଉପରେ ନିଜର ଦୃଷ୍ଟିଭଙ୍ଗୀକୁ ମଧ୍ୟ ଏଠାରେ ସେ ପରିପ୍ରକାଶ କରିଛନ୍ତି । ସାମାଜିକ ପରିବର୍ତ୍ତନର ପ୍ରଭାବ ସଂସ୍କୃତ ନାଟକ ଏବଂ ଓଡ଼ିଆ ନାଟ୍ୟ ଜଗତକୁ କିପରି ପ୍ରଭାବିତ କରିଛି ଏବଂ ନାରୀମାନେ କେମିତି ସାମାଜିକ ବିଦ୍ୱେଷର ଶିକାର ହୋଇଆସିଛନ୍ତି ସେ ବିଷୟଟି ତାଙ୍କ ଲେଖାରେ ସ୍ପଷ୍ଟ ହୋଇଛି ।    – ସମ୍ପାଦକ

About ଅଜିତ କୁମାର ମୁନୀ

ନାଟ୍ୟ ଗବେଷକ, କଳାକ ଶିକ୍ଷକ

Leave a Reply

Your email address will not be published. Required fields are marked *