ଉତ୍କଳ କାକଳୀ ଶ୍ରୀଜୟଦେବ (ଅଧ୍ୟାୟ-୧)

Dr. Kirtan Narayan Parhi
Dr. Kirtan Narayan Parhi 148 Views
28 Min Read

ଶ୍ରୀଜୟଦେବଙ୍କ ସମ୍ପର୍କରେ ଉକ୍ତ ଲେଖାଟି ଡକ୍ଟର କୀର୍ତ୍ତନ ନାରାୟଣ ପାଢୀଙ୍କ ଦ୍ଵାରା ପ୍ରକାଶ ପାଇଥିବା “ଗାନ୍ଧର୍ବ ପରମ୍ପରାରେ ଶ୍ରୀଜୟଦେବଙ୍କ ଶ୍ରୀଗୀତଗୋବିନ୍ଦ” ପୁସ୍ତକର ପ୍ରଥମ ଅଧ୍ୟାୟ ଅଟେ । ଲେଖକ ଡକ୍ଟର କୀର୍ତ୍ତନ ନାରାୟଣ ପାଢୀ ତାଙ୍କ ଦ୍ଵାରା ଲିଖିତ ଅନେକ ଗୁଡିଏ ପୁସ୍ତକକୁ ସମଧ୍ଵନି ପୃଷ୍ଠାରେ ଧାରାବାହିକ ଭାବରେ ପ୍ରକାଶ କରିବା ପାଇଁ  ଆଗ୍ରହ ପ୍ରକାଶ କରିଥିବାରୁ ଆମେ ତାଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରୁଛୁ । ପ୍ରକାଶିତ ପୁସ୍ତକର ଏହା ଅଂଶ ହୋଇଥିବାରୁ ଏହି ଉପସ୍ଥାପନାରେ ଥିବା ମତାମତ ଗୁଡ଼ିକ ଡକ୍ଟର କୀର୍ତ୍ତନ ନାରାୟଣ ପାଢୀଙ୍କର ସଂପୂର୍ଣ୍ଣ ନିଜସ୍ୱ । ଏହାକୁ ନେଇ ଦ୍ଵିମତ ଥିଲେ ଆପଣଙ୍କ ମତକୁ ଆମେ ସ୍ଥାନିତ କରିବା ପାଇଁ ଆଗ୍ରହ ପ୍ରକାଶ କରିବୁ । ଲେଖାଟିକୁ ପଢି ମତାମତ ଦେଲେ ଆମେ ଅଧିକ ଉତ୍ସାହିତ ହେବୁ । – ସମ୍ପାଦକ 

Support Samadhwani

(ଉତ୍କଳର ପୁରୀପ୍ରାନ୍ତରେ କେନ୍ଦୁବିଲ୍ୱ ନାମକ ଗ୍ରାମରେ ପିତା – ଭୋଜଦେବଙ୍କ ଔରସରୁ ମାତା-ବାମାଦେବୀଙ୍କ ଗର୍ଭରୁ ଜନ୍ମିତ ‘ଗୀତଗୋବିନ୍ଦ’ ରଚୟିତା କବିରାଜ ଶ୍ରୀଜୟଦେବଙ୍କ ଭିନ୍ନ ଏକାଧିକ ଜୟଦେବ-ନାମଧାରୀ ଖ୍ୟାତନାମା ପଣ୍ଡିତ ଓ କବିମାନେ ଆବିର୍ଭୂତ ହୋଇଥିଲେ। ଉଦାହରଣସ୍ୱରୂପ-
କବିଙ୍କ ନାମ ଗ୍ରନ୍ଥର ନାମ
ଜୟଦେବ ଚନ୍ଦ୍ରାଲୋକ, ପ୍ରସନ୍ନରାଘବ
(ପିତା- ମହାଦେବ ଓ ମାତା- ସୁମିତ୍ରା)
ଜୟଦେବ ତ୍ରିପୁରସୁନ୍ଦରୀସ୍ତୋତ୍ର
ଜୟଦେବ ନ୍ୟାୟମଞ୍ଜରୀସାର
ଜୟଦେବ ରସାମୃତ (ବୈଦ୍ୟଶାସ୍ତ୍ର)
ଜୟଦେବ ଗଙ୍ଗାଷ୍ଟପଦୀ (କାବ୍ୟ)
ଜୟଦେବ ଈଶତତ୍ତ୍ୱ (ବ୍ୟାକରଣ)
ଜୟଦେବ ଅଳଙ୍କାରଶତକ (ଅଳଙ୍କାର)
ଜୟଦେବ ପରିଭାଷେନ୍ଦୁ ଶେଖର ଗ୍ରନ୍ଥର ବିଜୟାନାମ୍ନୀ ଟୀକା
ଜୟଦେବ ଆଚାର୍ଯ୍ୟ ପୀୟୁଷଲହରୀ ନାଟିକା ଓ ବୈଷ୍ଣବାମୃତ ନାଟକ
ଜୟଦେବ ରତିମଞ୍ଜରୀ (କାମଶାସ୍ତ୍ର)
ପକ୍ଷଧର ଜୟଦେବ ନ୍ୟାୟଶାସ୍ତ୍ର
(ହରି ମିଶ୍ରଙ୍କ ଶିଷ୍ୟ ଓ ଭ୍ରାତୃଷ୍ପୁତ୍ର) (ପ୍ରସିଦ୍ଧ ନୈୟାୟିକ)
ଜୟଦେବ ଛନ୍ଦଶାସ୍ତ୍ର
ଜୟଦେବ
(ବିଦ୍ୟାପତିଙ୍କ ସମସାମୟିକ କିମ୍ବା ବିଦ୍ୟାପତି ନିଜେ) ମୈଥିଳୀକବି ଜୟଦେବ ନେପାଳର ଜଣେ ରାଜା, ଯିଏ କବି ଥିଲେ।)

ଜନ୍ମ

‘ଗୀତଗୋବିନ୍ଦ’ର ରଚୟିତା ଶ୍ରୀ ଜୟଦେବ ଉତ୍କଳରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ସମ୍ପୂର୍ଣ୍ଣ ଅନୁସନ୍ଧାନ ନ କରି ମିଥିଳା ଓ ବଙ୍ଗର କତିପୟ ଗବେଷକ ସେମାନଙ୍କ ରାଜ୍ୟରେ ଜନ୍ମହୋଇଥିଲେ ବୋଲି ପ୍ରଚାର କଲେ। କୋଲକାତାରେ ଅବସ୍ଥାପିତ କେତେକ ୟୁରୋପୀୟ ଗବେଷକ ବଙ୍ଗୀୟ ପଣ୍ଡିତମାନଙ୍କ ସହିତ ଆଲୋଚନାକରି, ବକ୍ତୃତା ଶୁଣି ବା ସେମାନଙ୍କ ପୁସ୍ତକମାନ ପାଠକରି ଶ୍ରୀ ଜୟଦେବ ବଙ୍ଗଳାରେ ଜନ୍ମଗ୍ରହଣ କରିଥିଲେ ବୋଲି ମାନିଗଲେ। ମିଥିଳାର ଗବେଷକମାନେ କାଳକ୍ରମେ ନିରବ ରହିଗଲେ ମଧ୍ୟ ବଙ୍ଗର ଗବେଷକମାନେ କେତେକ ଦୁର୍ବଳ ତଥ୍ୟକୁ ଭିତ୍ତିକରି ଶ୍ରୀ ଜୟଦେବ ବଙ୍ଗଳାରେ ଜନ୍ମଗ୍ରହଣ କରିଥିଲେ ବୋଲି ପ୍ରମାଣ କରିବାରେ ଲାଗିପଡିଲେ। ଯଥା ସମୟରେ ଓଡ଼ିଆମାନେ ପ୍ରତିବାଦ କଲେ ନାହିଁ। ଯାହାହେଉ ପରବର୍ତ୍ତୀକାଳରେ କେତେଜଣ ପ୍ରମାଣ କଲେ ଯେ ଶ୍ରୀ ଜୟଦେବ ଉତ୍କଳ ବା ଓଡ଼ିଶାର ଅବିଭାଜିତ ପୁରୀଜିଲ୍ଲାର କେନ୍ଦୁବିଲ୍ୱ ନାମକ ଗ୍ରାମରେ ଜନ୍ମଲାଭ କରିଥିଲେ।
ରାଜା ସାମନ୍ତ ସେନ ବଙ୍ଗଳାର ପାଳବଂଶୀୟ ରାଜାଙ୍କୁ ପରାସ୍ତକରି ୧୦୪୨ ରୁ ୧୦୬୮ ଖ୍ରୀଷ୍ଟାବ୍ଦ ମଧ୍ୟରେ ରାଢ଼ (ଗଙ୍ଗା ନଦୀର ପଶ୍ଚିମପଟ ବଙ୍ଗ) ଅଧିକାରକରି ସେନବଂଶର ଶାସନ ପ୍ରତିଷ୍ଠା କଲେ। ତାଙ୍କ ପୌତ୍ର ବିଜୟ ସେନ ଗୌଡ଼ ଅଧିକାରକରି ସାମ୍ରାଜ୍ୟ ବିସ୍ତାର କଲେ ଓ ୧୦୯୫ ରୁ ୧୧୫୮ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଦୀର୍ଘକାଳ ଶାସନ କଲେ। ସେ କାମରୂପ (ଆସାମ)ଜୟକରିଥିଲେ ମଧ୍ୟ କଳିଙ୍ଗ ଜୟ କରିବାକୁ ସାହସ କରିନଥିଲେ। ବରଂ ଗଙ୍ଗବଂଶର ସମ୍ରାଟ୍‍ ଚୋଡ଼ଗଙ୍ଗ ଦେବ (୧୦୭୭-୧୧୪୭ଖ୍ରୀଷ୍ଟାବ୍ଦ), କାମାର୍ଣ୍ଣବ ଦେବ (୧୧୪୭-୧୧୫୬) ଓ ରାଘବ ଦେବ (୧୧୫୬-୧୧୭୦)ଙ୍କ ସହିତ ତାଙ୍କର ମିତ୍ରତା ଥିଲା । କେତେକଙ୍କ ମତରେ ସେମାନଙ୍କ ମଧ୍ୟରେ ଶତ୍ରୁତା ଥିଲା। ବିଜୟ ସେନଙ୍କ ପରେ ତାଙ୍କ ପୁତ୍ର ବଲାଳ ସେନ ରାଜା ହେଲେ, ଯିଏ ପିତାଙ୍କ ସଦୃଶ ଶୈବଧର୍ମୀ ଥିଲେ। ସେ ‘ଦାନସାଗର’ ନାମକ ଗ୍ରନ୍ଥ ରଚନା କରିଥିଲେ ଓ ‘ଅଦ୍ଭୁତସାଗର’ ଗ୍ରନ୍ଥଟିର ରଚନା ଆରମ୍ଭ କରିଥିଲେ ମଧ୍ୟ ସମାପ୍ତ କରିପାରିନଥିଲେ। ଏହି ସେନ ବଂଶର ଶେଷ ରାଜା ଲକ୍ଷ୍ମଣ ସେନ ୧୧୮୦ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କଲେ। ତାଙ୍କ ରାଜତ୍ୱରେ ବକ୍ତିୟାର ଖୀଲିଜ୍ ୧୧୯୭ ଖ୍ରୀଷ୍ଟାବ୍ଦରେ ନଦିୟା ଆକ୍ରମଣ କରିଥିଲେ। ଲକ୍ଷ୍ମଣ ସେନ ତାଙ୍କଠାରୁ ପରାସ୍ତ ହେଲାପରେ କେବଳ ପୂର୍ବବଙ୍ଗରେ ୧୨୦୬ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶାସନ କଲେ। ବଲାଳ ସେନଙ୍କ ଅସମାପ୍ତ ‘ଅଦ୍ଭୁତସାଗର’ ଗ୍ରନ୍ଥଟିକୁ ଲକ୍ଷ୍ମଣ ସେନ ସଂପୂର୍ଣ୍ଣ କଲେ।୧
ଉତ୍କଳର ଗଙ୍ଗବଂଶୀ ମହାରାଜା ଚୋଡ଼ଗଙ୍ଗ ଦେବ, କାମାର୍ଣ୍ଣବ ଦେବ, ରାଘବ ଦେବ, ରାଜ-ରାଜ ଦେବ-ଦ୍ୱିତୀୟ (୧୧୭୦-୧୧୯୦ ଖ୍ରୀଷ୍ଟାବ୍ଦ)ଙ୍କ ରାଜତ୍ୱରେ ଶ୍ରୀଜୟଦେବ ଜୀବିତ ଥିଲେ। କେତେକଙ୍କ ମତରେ ସେ ଅନଙ୍ଗଭୀମ ଦେବ (୧୨୧୧-୧୨୩୮ ଖ୍ରୀଷ୍ଟାବ୍ଦ)ଙ୍କ ରାଜତ୍ୱରେ ଦେହ ତ୍ୟାଗ କଲେ। ଓଡ଼ିଶାର ଉପରୋକ୍ତ ଗଙ୍ଗବଂଶୀୟ ସମ୍ରାଟ୍‍ ଓ ବଙ୍ଗଳାର ଲକ୍ଷ୍ମଣ ସେନଙ୍କ ସଭାରେ ଶ୍ରୀଜୟଦେବ କବିତା ପାଠ ବା ‘ଗୀତଗୋବିନ୍ଦ’ ଗାନ କରିଥାଇପାରନ୍ତି, କିନ୍ତୁ କାହାରି ଅଧୀନରେ ସଭା କବି ନଥିଲେ। ସେ ଶ୍ରୀ ଜଗନ୍ନାଥଙ୍କ ପରମଭକ୍ତ ଥିଲେ ଓ ‘ଗୀତଗୋବିନ୍ଦ’କୁ ଶ୍ରୀଜଗନ୍ନାଥଙ୍କୁ ଉତ୍ସର୍ଗକରି ଅନ୍ୟତମ ସେବା ଭାବରେ ଗାନ କରୁଥିଲେ। ଅନେକ ଉତ୍କଳୀୟ ଶ୍ରୀଜୟଦେବଙ୍କୁ (ବିଷ୍ଣୁଙ୍କର ଦଶଅବତାର ସଦୃଶ) ଶ୍ରୀକୃଷ୍ଣଙ୍କର ଏକ ଅବତାର ଭାବରେ ଗଣନା କରୁଥିଲେ। ତେଣୁ ଅନେକ ପଣ୍ଡିତ ଜୟଦେବଙ୍କ ନାମ ସହିତ ସର୍ବଦା ‘ଶ୍ରୀ’ ଯୋଗ କରନ୍ତି।

ବଂଶ ପରିଚୟ

ଐତିହାସିକ ଚକ୍ରଧର ମହାପାତ୍ରଙ୍କ ମତରେ ପ୍ରାଚୀ ନଦୀକୂଳରେ ଅବସ୍ଥିତ କେନ୍ଦୁବିଲ୍ୱ ଶାସନରେ କୌନ୍ତଦେବଙ୍କ ବଂଶରେ ଗୌରୀଗୁରୁ ଜନ୍ମଲାଭ କରିଥିଲେ, ଯିଏକି ଚୋଡ଼ଗଙ୍ଗ ଦେବଙ୍କର ରାଜଗୁରୁ ଥିଲେ। ଗୌରୀଗୁରୁଙ୍କ ପରେ ତାଙ୍କର ଜ୍ୟେଷ୍ଠପୁତ୍ର ଗୋବିନ୍ଦ ଦେବ ରାଜଗୁରୁ ପଦ ମଣ୍ଡନ କଲେ ଓ କନିଷ୍ଠପୁତ୍ର ଭୋଜଦେବ ନିଜଗ୍ରାମ କେନ୍ଦୁବିଲ୍ୱରେ ରହୁଥିଲେ। ପୁରୀର ଚୋଡ଼ଗଙ୍ଗ (ଚୁଡ଼ଙ୍ଗ) ସାହି ନିବାସୀ ପିଣ୍ଡିକ ମିଶ୍ରଙ୍କ କନ୍ୟା ବାମାଦେବୀଙ୍କୁ ଭୋଜଦେବ ବିବାହ କରିଥିଲେ। କେତେକଙ୍କ ମତରେ ଭୋଜଦେବଙ୍କ ସଂଜ୍ଞା ଥିଲା ‘ମିଶ୍ର’। ଭୋଜଦେବଙ୍କର ପ୍ରଥମେ ଲୀଳା ନାମକ ଏକ କନ୍ୟା ଜାତହେବା ପରେ ଜୟଦେବ ଜନ୍ମହେଲେ।୨ ଶ୍ରୀ ଜୟଦେବ ଦ୍ୱାଦଶଶତାବ୍ଦୀର ପ୍ରଥମାର୍ଦ୍ଧରେ ଜନ୍ମଗ୍ରହଣ କରିଥିଲେ ବୋଲି କେତେକ ଗବେଷକ କହୁଥିଲାବେଳେ ଅନ୍ୟ କେତେକ କହନ୍ତି ଯେ ସେ ଏକାଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଜନ୍ମଗ୍ରହଣ କରିଥିଲେ।୩ କିନ୍ତୁ ତାଙ୍କ ଜନ୍ମ ଏକାଦଶ ଶତାବ୍ଦୀର ଶେଷ ଦଶକରେ ହେବା ସତ୍ୟର ନିକଟବର୍ତ୍ତୀ ।

Support Samadhwani

‘ଗୀତଗୋବିନ୍ଦ’ର ଶେଷଗୀତ (୨୪ତମ) ଶେଷଶ୍ଲୋକରେ ଶ୍ରୀ ଜୟଦେବ ନିଜର ପିତାମାତା ଓ ବନ୍ଧୁଙ୍କର ପରିଚୟ ଦେଇଛନ୍ତି।
ଶ୍ରୀ ଭୋଜଦେବ ପ୍ରଭବସ୍ୟ-ବାମାଦେବୀସୁତ-ଶ୍ରୀଜୟଦେବକସ୍ୟ ।
ପରାଶରାଦି-ପ୍ରିୟବର୍ଗ (ବନ୍ଧୁ) କଣ୍ଠେ ଶ୍ରୀଗୀତଗୋବିନ୍ଦ-କବିତ୍ୱମସ୍ତୁ ।ା

ଏଥିରୁ ସ୍ପଷ୍ଟ ଜଣାଯାଉଛି ଯେ ଶ୍ରୀ ଜୟଦେବଙ୍କ ପିତାଙ୍କ ନାମ ଭୋଜଦେବ, ମାତାଙ୍କ ନାମ ବାମାଦେବୀ ଓ ପ୍ରିୟ ଗାୟକ-ବନ୍ଧୁ ହେଲେ ପରାଶର । କେତେକ ସଂସ୍କରଣରେ ତାଙ୍କ ମାତାଙ୍କ ନାମ ରାମାଦେବୀ ଓ ଅନ୍ୟ କେତେକରେ ରାଧାଦେବୀ ବୋଲି ଉଲ୍ଲେଖ ଅଛି, କିନ୍ତୁ ସଂଖ୍ୟାଧିକ ସଂସ୍କରଣରେ ବାମାଦେବୀ ଅଛି।
ଶ୍ରୀ ଜୟଦେବଙ୍କ ପତ୍ନୀଙ୍କ ନାମ ପଦ୍ମାବତୀ। କିମ୍ବଦନ୍ତୀ ଅନୁସାରେ ଦେବଶର୍ମା ନାମକ ଜଣେ ବ୍ରାହ୍ମଣ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଦାକ୍ଷିଣାତ୍ୟରୁ (ଅନୁମାନ କରାଯାଏ ଶ୍ରୀକୂର୍ମପାଟକର ନିକଟବର୍ତ୍ତୀ ଅଞ୍ଚଳରୁ) ସସ୍ତ୍ରୀକ ଆସିଥିଲେ। ସେ ନିଃସନ୍ତାନ ଥିବାରୁ ସନ୍ତାନ ପ୍ରାପ୍ତି ନିମନ୍ତେ ଶ୍ରୀ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଥିଲେ ଓ ପୁତ୍ର-ପୁତ୍ରୀ ଜାତ ହେଲେ ପ୍ରଥମସନ୍ତାନଙ୍କୁ ଶ୍ରୀ ଜଗନ୍ନାଥଙ୍କୁ ଅର୍ପଣ କରିବେ ବୋଲି ସତ୍ୟ କରିଥିଲେ। ଯଥାସମୟରେ ତାଙ୍କର ପ୍ରଥମେ କନ୍ୟାଟିଏ ଜାତ ହେଲା ଏବଂ ତା’ପରେ ପୁତ୍ରମାନେ ମଧ୍ୟ ଜନ୍ମହେଲେ। ନିଜର ପ୍ରତିଜ୍ଞା ରକ୍ଷାକରି କନ୍ୟାଦାନ ନିମନ୍ତେ ଦେବଶର୍ମା ପୁଣି ସପରିବାରେ ପୁରୀ ଆସିଲେ। ଶ୍ରୀଜଗନ୍ନାଥଙ୍କ ସ୍ୱପ୍ନାଦେଶ ଅନୁସାରେ କନ୍ୟାକୁ ନେଇ ଶ୍ରୀ ଜୟଦେବଙ୍କୁ ଅର୍ପଣ କଲେ ଯିଏକି ସେହି କନ୍ୟାଙ୍କୁ ପତ୍ନୀରୂପେ ଗ୍ରହଣ କରିବାପାଇଁ ଶ୍ରୀଜଗନ୍ନାଥଙ୍କଠାରୁ ସ୍ୱପ୍ନାଦେଶ ପାଇଥିଲେ। ଏହି କଥାର ଐତିହାସିକ ସତ୍ୟତା ଥାଉ ବା ନଥାଉ ଜୟଦେବ ‘ଗୀତଗୋବିନ୍ଦ’ର ତିନୋଟି ପଦରେ ପଦ୍ମାବତୀଙ୍କ ନାମ ଉଲ୍ଲେଖ କରିଛନ୍ତି,

ଉଦାହରଣ ସ୍ୱରୂପ-
୧. ବାଗ୍‌ଦେବତାଚରିତ ଚିତ୍ରିତ ଚିତ୍ତସଦ୍ମା
ପଦ୍ମାବତୀ ଚରଣଚାରଣ ଚକ୍ରବର୍ତ୍ତୀ । (୧.୨)
୨. ଜୟତୁ ପଦ୍ମାବତୀରମଣ ଜୟଦେବ
କବିଭାରତୀ ଭଣିତମିତ ଗୀତମ୍ । (୧୦.୧୯.୮)
୩. ବିହିତ ପଦ୍ମାବତୀ ସୁଖସମାଜେ… (୧୧.୨୧.୮)
ଏଠାରେ ‘ପଦ୍ମାବତୀ’ର ଅର୍ଥ ‘ଲକ୍ଷ୍ମୀ’ କିମ୍ବା ‘ରାଧା’ ହୋଇପାରେ। କିନ୍ତୁ ଅଧିକାଂଶ ଟୀକାକାର, ଯଥା: ନାରାୟଣ ଦାସ, ଧନଞ୍ଜୟ ବିପ୍ର, ଲକ୍ଷ୍ମଣ ଭଟ୍ଟ, ଧରଣୀଧର, ବଜରୀ ଦାସ, ପ୍ରଭୃତି ପଦ୍ମାବତୀଙ୍କୁ ଶ୍ରୀଜୟଦେବଙ୍କ ପତ୍ନୀରୂପେ ବର୍ଣ୍ଣନା କରିଛନ୍ତି। ନାରାୟଣ ଦାସ ‘ସର୍ବାଙ୍ଗସୁନ୍ଦରୀ’ ଟୀକାରେ ଲେଖିଛନ୍ତି-
ପଦ୍ମାବତୀ ଜୟଦେବସ୍ୟ ପତ୍ନୀ ତସ୍ୟା ଚରଣୌ
ତୟୋଃ ଚାରଣଂ ଚାଳନଂ ତତ୍ର ଚକ୍ରବର୍ତ୍ତୀ ମୁଖ୍ୟଃ।
ପରମେଶ୍ୱରସ୍ୟାଗ୍ରେ ସ୍ୱକାନ୍ତାଂ ପଦ୍ମାବତୀଂ
ସ୍ୱୟମେବ ନର୍ତ୍ତୟତୀତ୍ୟଭିପ୍ରାୟଃ।
ବଜରୀ ଦାସ ‘ଅର୍ଥଗୋବିନ୍ଦ’ରେ ଲେଖିଛନ୍ତି-
ବାକ୍ୟଦେବୀ ଯେ ସରସ୍ୱତୀ ା ତାର ଚରିତେ ନିତ୍ୟ ମତି ।।
କ୍ଷଣ ହେଁ ନ ପାରଇ ଛାଡ଼ି ା ନିରତେ ଥାଇ ଭାବେ ବୁଡ଼ି ।।
ୟେ ସରସ୍ୱତୀର ଚରିତ ା ସବୁ ତାହାର ଗର୍ଭଗତ ।।
ଚିତ୍ତ ଗୃହରେ ତାର ଭରି ା ସବୁ ଥୋଇଛି ଯତ୍ନକରି ।।
ଯେ ପଦ୍ମାବତୀ ନାମ କହି ା ତାହାଙ୍କ ଭାରିଯା ଅଟଇ ।।
ଚରଣେ ଅଛଇ ତାହାର ା ନୂପୁର ବର ମନୋହର ।।
ତାହା ସେ ନୃତ୍ୟ କରିବାରେ ା ଚକ୍ରବର୍ତ୍ତୀ ବୋଲିଟି ତାରେ ।।
ଧରଣୀଧର ‘ଗୀତଗୋବିନ୍ଦ’ର ପଦ୍ୟାନୁବାଦରେ ଲେଖିଛନ୍ତି-
ବଚନ ଦେବତା ଚରିତ୍ରେ ଯାର ା
ଚିତ୍ରିତ ହୋଇଛି ଚିତ୍ତ ସଦ୍ମର ।।
ପଦ୍ମାବତୀର ଚରଣ ଚାରଣ ା
ଚକ୍ରବର୍ତ୍ତୀ ପଣେ ଅଟେ ନିପୁଣ ।।

‘ଗୀତଗୋବିନ୍ଦ’ର ଗଦ୍ୟାନୁବାଦରେ ଜଗନ୍ନାଥ ମିଶ୍ର ଲେଖିଛନ୍ତି-

ସେ ଜୟଦେବର ଯେ ଚିତ୍ତ ସେହି ସେ ଉତ୍ତମ ଘର ହେଲା। ସେ ଘର କାନ୍ଥମାନଙ୍କରେ ବାଗ୍‌ଦେବତା ଯେ ସରସ୍ୱତୀ ତାହାଙ୍କର ସକଳ ଚରିତ୍ର ଚିତ୍ରିତ ପ୍ରାୟେ ଲେଖିଲା ହୋଇଛି। ଏଣୁକରି ମନକୁ ଧ୍ୟାନକଲେ ସରସ୍ୱତୀଙ୍କର ସକଳ ଭଣ୍ଡାର ୟାଙ୍କେ ଦିଶଇ। ଆପଣାର ପତ୍ନୀ ଯେ ପଦ୍ମାବତୀ ତାହାଙ୍କୁ ବାସୁଦେବର ସନ୍ତୋଷଣାର୍ଥେ ନାନା ପ୍ରକାରେ ନୃତ୍ୟ କରାଇବାରେ ଚକ୍ରବର୍ତ୍ତୀ ଅଟଇ ।
ଏଥିରୁ ସ୍ପଷ୍ଟ ପ୍ରମାଣ ମିଳେ ଯେ ଶ୍ରୀଜୟଦେବଙ୍କ ପତ୍ନୀଙ୍କ ନାମ ହେଉଛି ପଦ୍ମାବତୀ, ଯିଏ ନାନାପ୍ରକାରର ନୃତ୍ୟ କରିବାରେ ପ୍ରବୀଣା। ଶ୍ରୀଜୟଦେବ ହେଲେ ପଦ୍ମାବତୀଙ୍କୁ ନୃତ୍ୟ ଶିକ୍ଷାଦେବାରେ ବା ‘ଗୀତଗୋବିନ୍ଦ’ ଗାନକରି ତାହାର ଅର୍ଥ, ଭାବ, ରସ, ରାଗ, ତାଳ, ଛନ୍ଦରେ ନୃତ୍ୟ କରାଇବାରେ ଚକ୍ରବର୍ତ୍ତୀ । ଏଥିରୁ ଅନ୍ୟ ଏକ ପ୍ରମାଣ ମିଳେ ଯେ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ଶ୍ରୀଜୟଦେବ ‘ଗୀତଗୋବିନ୍ଦ’ ଗାନ କରୁଥିଲେ ଓ ପଦ୍ମାବତୀ ନର୍ତ୍ତନ କରୁଥିଲେ। ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ପଦ୍ମାବତୀ ନୃତ୍ୟ କରୁଥିବାରୁ ତାଙ୍କୁ କେହି କେହି ଶ୍ରୀମନ୍ଦିରର ପ୍ରଥମ ଦେବଦାସୀ ବୋଲି କହନ୍ତି। କିନ୍ତୁ ଜାଣିରଖିବା ଉଚିତ୍ ଯେ ପଦ୍ମାବତୀ ନିଜର ପତି ଜୟଦେବଙ୍କ ସହିତ ବାସ କରୁଥିଲେ। ନିଜ ପିତାଙ୍କର ପ୍ରତିଜ୍ଞା ଓ ପତିଙ୍କର ଶ୍ରୀଜଗନ୍ନାଥଙ୍କ ପ୍ରତି ଭକ୍ତି ଓ ନିଜର ପତିଭକ୍ତି ଲାଗି ନୃତ୍ୟ କରୁଥିଲେ। ତଦ୍ଦ୍ୱାରା କେବଳ ଓଡ଼ିଶାରେ ନୁହେଁ ସାରା ଭାରତରେ ଶାସ୍ତ୍ରୀୟଗୀତ ଓ ଶାସ୍ତ୍ରୀୟନୃତ୍ୟର ବିକାଶ ଘଟିଥିଲା। ଅବଶ୍ୟ ପରବର୍ତ୍ତୀ କାଳରେ ଶ୍ରୀମନ୍ଦିରରେ ଦେବଦାସୀ ପ୍ରଥା ଓ ‘ଗୀତଗୋବିନ୍ଦ ଗାନ’ ସେବା ରୂପେ ପ୍ରଚଳିତ ହେଲା।

ଜନ୍ମସ୍ଥାନ ବିଷୟରେ ସ୍ପଷ୍ଟୀକରଣ

ଶ୍ରୀ ଜୟଦେବଙ୍କ ଜନ୍ମସ୍ଥାନ ବିଷୟରେ ଭିନ୍ନ ଭିନ୍ନ ମତ ପରିଲକ୍ଷିତ ହୁଏ। ସେ ନିଜେ ‘ଗୀତଗୋବିନ୍ଦ’ରେ ତାଙ୍କ ଗ୍ରାମର ନାମ କେନ୍ଦୁବିଲ୍ୱ ଲେଖିଥିବାରୁ କେତେକ ପଣ୍ଡିତ ବଙ୍ଗଳାର ବୀରଭୂମି ଜିଲ୍ଲାସ୍ଥ ଅଜୟ ନଦୀ ତଟବର୍ତ୍ତୀ ଏକ ଗ୍ରାମ, ଅନ୍ୟ କେତେକ ମିଥିଳାର ଜେନ୍‌ଝରପୁର ନିକଟ ଏକ ଗ୍ରାମ ଓ ଅନ୍ୟ କେହି କେହି ଓଡ଼ିଶାର ଅବିଭାଜିତ ପୁରୀ ଜିଲ୍ଲାର ପ୍ରାଚୀନଦୀ ତଟବର୍ତ୍ତୀ କେନ୍ଦୁବିଲ୍ୱ ଗ୍ରାମକୁ ଚିହ୍ନିତ କରନ୍ତି। ତନ୍ମଧ୍ୟରୁ ବଙ୍ଗଳାର ବୀରଭୂମି ଜିଲ୍ଲାରେ ଜୟଦେବଙ୍କ ଜନ୍ମ ବୋଲି ଅଧିକ ପ୍ରଚାର ହୋଇଯାଇଥିଲା। ଏବେ କିନ୍ତୁ ଦୃଢ଼ ପ୍ରମାଣ ସହିତ ସତ୍ୟତା ଲୋକଲୋଚନକୁ ଆସିଗଲାଣି ଯେ ଶ୍ରୀ ଜୟଦେବ ଉତ୍କଳ (ଓଡ଼ିଶାର) ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ର ବା ଅବିଭାଜିତ ପୁରୀ ଜିଲ୍ଲାର (ଅଧୁନା ଖୋର୍ଦ୍ଧା) ପ୍ରାଚୀ ନଦୀ ତଟବର୍ତ୍ତୀ କେନ୍ଦୁବିଲ୍ୱ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଏକଥା ସତ୍ୟକାମ ସେନଗୁପ୍ତ, ପ୍ରଭୃତି ବିଖ୍ୟାତ ବଙ୍ଗୀୟ ଗବେଷକମାନେ ମଧ୍ୟ ସ୍ୱୀକାର କଲେଣି।୪
ନିଜର ଜନ୍ମସ୍ଥାନ ବିଷୟରେ ପରିଚୟ ଦେବାକୁଯାଇ ଶ୍ରୀ ଜୟଦେବ ଲେଖିଛନ୍ତି,
ବର୍ଣ୍ଣିତଂ ଜୟଦେବକେନ ହରେରିଦଂ ପ୍ରବଣେନ ।
କିନ୍ଦୁବିଲ୍ୱ ସମୁଦ୍ରସମ୍ଭବରୋହିଣୀ ରମଣେନ ।ା (‘ଗୀତଗୋବିନ୍ଦ’, ୩.୭.୮)

ଅର୍ଥାତ୍‌, ସମୁଦ୍ରରୁ ଚନ୍ଦ୍ର ଜାତହେଲା ପରି, ଯିଏ କିନ୍ଦୁବିଲ୍ୱ ଗ୍ରାମରେ ଜନ୍ମଲାଭ କରିଥିଲେ, ସେହି ଭକ୍ତିନମ୍ର ଜୟଦେବଙ୍କଦ୍ୱାରା ଏହି ହରିଚରିତ ବର୍ଣ୍ଣିତ ହୋଇଛି ।
ଏହାର ଭାବାର୍ଥ କରି ନାରାୟଣ ଦାସ ‘ସର୍ବାଙ୍ଗସୁନ୍ଦରୀ ଟୀକା’ ରେ ଲେଖିଛନ୍ତି,
କିନ୍ଦୁବିଲ୍ୱାଖ୍ୟଶାସନଂ ତଚ୍ଚ ମହତ୍ୱାନ୍ ସମୁଦ୍ରତ୍ୱେନ ରୂପିତଂ,
କିନ୍ଦୁବିଲ୍ୱସମୁଦ୍ରସମ୍ଭବଶ୍ଚାସୌ ରୋହିଣୀରମଣଶ୍ଚେତି

ତଦେବଂ କିନ୍ଦୁବିଲ୍ୱଶାସନାଜ୍ଜାତ ସ୍ତସୈବୋନ୍ନତିକାରକୋ
ଯଥା ସାଗରାଜ୍ଜାତଃ ଚନ୍ଦ୍ର ସାଗରବୃଦ୍ଧିକାରକ ଇତ୍ୟର୍ଥଃ ସଂ ପଦ୍ୟତେ ।
କବି ନାରାୟଣ ଦାସ (୧୩୫୦ ଖ୍ରୀ.) କିନ୍ଦୁବିଲ୍ୱ ଗ୍ରାମକୁ ଏକ ଶାସନ, ଅର୍ଥାତ୍‌, ବ୍ରାହ୍ମଣମାନଙ୍କ ଗ୍ରାମ ବୋଲି କହିଛନ୍ତି। ଶ୍ରୀ ଜୟଦେବଙ୍କ ଜନ୍ମସ୍ଥାନ କେନ୍ଦୁବିଲ୍ୱ, କିନ୍ଦୁବିଲ୍ୱ ବା କେନ୍ଦୁଲୀ ଶାସନଟି ଉତ୍କଳ ବା ଓଡ଼ିଶାରେ ଅବସ୍ଥିତ ବୋଲି ଅନେକ କବି ଓ ପଣ୍ଡିତ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି। ସେମାନଙ୍କ ମଧ୍ୟରୁ କେତେ ଜଣ ହେଲେ,
ସମୟ (ଖ୍ରୀଷ୍ଟାବ୍ଦ) କବି/ପଣ୍ଡିତ ଗ୍ରନ୍ଥ

୧୫୩୦-୧୫୩୫ ଓଡ଼ିଶାର ମାଧବ ପଟ୍ଟନାୟକ ବୈଷ୍ଣବ ଲୀଳାମୃତ
୧୫୬୩ କେଶବ ମିଶ୍ର ଅଳଙ୍କାରଶେଖର
୧୫୮୫ ନାଭାଜୀ ଭକ୍ତମାଳା
୧୬୫୦ ଚନ୍ଦ୍ରଦତ୍ତ ଭକ୍ତମାଳା
୧୭୧୨ ପ୍ରିୟାଦାସ ନାଭାଜୀଙ୍କ ‘ଭକ୍ତମାଳା’ର ଟୀକା
୧୭୬୨ ମହାରାଷ୍ଟ୍ରର ମହୀପତି ଭକ୍ତବିଜୟ
ଅଷ୍ଟାଦଶ ଓଡ଼ିଶାର ରାମଦାସ ଦାର୍ଢ଼ତ୍ୟାଭକ୍ତି
‘ଉତ୍ତର ଭାରତକି ସନ୍ଥ ପରମ୍ପରା’ ପୁସ୍ତକରେ ଡକ୍ଟର ପର୍ଶୁରାମ ଚତୁର୍ବେଦୀ ତଥା History of Sanskrit Literatureରେ ଡକ୍ଟର ରାଘବଚାରୀ ଏବଂ ହରିଦାସ ହିରାଚାନ୍ଦ ପ୍ରଭୃତି ଲେଖକମାନେ ଶ୍ରୀ ଜୟଦେବଙ୍କ ଜନ୍ମସ୍ଥାନ ଉତ୍କଳରେ ବୋଲି ଲେଖିଛନ୍ତି। ଗଜପତି ପ୍ରତାପରୁଦ୍ର ଦେବଙ୍କ ରାଜତ୍ୱରେ ମାଧବ ପଟ୍ଟନାୟକ ତାଙ୍କ ବୈଷ୍ଣବଲୀଳାମୃତରେ (ଖ୍ରୀ.ଅ.୧୫୩୫, ଅନ୍ୟମତ ୧୪୯୭) ଲେଖିଛନ୍ତି,
ବିପ୍ର ସେ ଜୟଦେବ ନାମ । କ୍ଷେତ୍ରବରକୁ ଆଗମନ ।ା
କେନ୍ଦୁଳୀ ଶାସନ ସେ ଗ୍ରାମ । ପ୍ରାଚୀ ନଦୀର ତଟପୁଣ ।ା
ଶ୍ରୀ ନୀଳମାଧବ ସମୀପେ । ଭକ୍ତି କଲା ସେ ନାନାରୂପେ ।ା
ଶାସ୍ତ୍ର ପୁରାଣେ ବିଚକ୍ଷଣ । କବିତ୍ୱ ମାର୍ଗେ ତାର ମନ ।ା
X X X X X X X X X X
ଗୀତଗୋବିନ୍ଦ ନାଟସେବା । ମନ୍ଦିରେ ପ୍ରତ୍ୟହ ହୋଇବା ।ା
ରାଜା ସେ ସେବା ଭିଆଇଲା । କେନ୍ଦୁଳୀ ଶାଢ଼ି ଯୋଗାଇଲା ।ା
ଶ୍ରୀଗୀତଗୋବିନ୍ଦ ରସ ଏ । ଶ୍ରୀଜଗନ୍ନାଥର ପ୍ରିୟ ଏ ।ା
ବୋଲି କଲାକ ଏ ଭିଆଣ । ଭକତେ ହେଲେ ତୋଷମନ ।ା
X X X X X
ଗୀତଗୋବିନ୍ଦ ନାଟପୁଣ । ନାଟମନ୍ଦିର କଲା ଭିଆଣ ।ା
ରାହାସ ନୃତ୍ୟର ନିମିତ୍ତ । ଗୀତଗୋବିନ୍ଦ କଲେ ନୃତ୍ୟ ।ା
ଭୀମଦେବର ଏ କୀରତି । କାଳେ ସେ ଗଲା କୀର୍ତ୍ତିଥାପି ।ା
ସପ୍ତଦଶ ଶତାବ୍ଦୀରେ ‘ଦାର୍ଢ଼୍ୟତାଭକ୍ତି’ରେ ରାମଦାସ ଲେଖିଛନ୍ତି,
ଜନମ କେନ୍ଦୁବିଲ୍ୱ ଗ୍ରାମେ । ବ୍ରାହ୍ମଣ ଜୟଦେବ ନାମେ ।ା
ବିରକ୍ତ ନିଃସଙ୍ଗ ଉଦାସୀ । ଶ୍ରୀକ୍ଷେତ୍ରେ ପରବେଶ ଆସି ।ା
ଏକ ବୃକ୍ଷର ତଳେ ଥାଇ । ଶ୍ରୀଜଗନ୍ନାଥଙ୍କୁ ସେବଇ ।ା
ରଚିଲା ଅପୂର୍ବ ପ୍ରବନ୍ଧ । ନାମ ଯା ଶ୍ରୀଗୀତଗୋବିନ୍ଦ ।ା
ଶୁଣନ୍ତି ଆଜିଯାଏ ନିତ୍ୟ । ତ୍ରିକାଳେ ଯାହା ଜଗନ୍ନାଥ ।ା

ଶ୍ରୀ ଜୟଦେବ ଓଡ଼ିଶାରେ ଜନ୍ମଗ୍ରହଣ କରିଥିବାରୁ ଏବଂ ‘ଗୀତଗୋବିନ୍ଦ’ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ଗାନହେବା ପାଇଁ ରଚିତ ହୋଇଥିବାରୁ ତାଙ୍କର ପ୍ରଭାବ ଓଡ଼ିଶାରେ ସର୍ବାଧିକ। କେବଳ ଶ୍ରୀଜଗନ୍ନାଥ ମନ୍ଦିର ନୁହେଁ, ଓଡ଼ିଶାର ପ୍ରାୟ ପ୍ରତ୍ୟେକ ବିଷ୍ଣୁ, ଶିବ ଓ ଶକ୍ତି ମନ୍ଦିରରେ ‘ଗୀତଗୋବିନ୍ଦ’ ଆଜି ପର୍ଯ୍ୟନ୍ତ ବୋଲାହୋଇ ଆସୁଛି। ତାଙ୍କରି ନିର୍ଦ୍ଦେଶିତ ରାଗ, ତାଳ, ପଦାବଳୀ ଓ ଗାୟନ ଶୈଳୀକୁ ପରବର୍ତ୍ତୀ ପ୍ରାୟ ସମସ୍ତ ଓଡ଼ିଆ କବି ଓ ସଙ୍ଗୀତଜ୍ଞମାନେ ଅନୁସରଣ କରିଛନ୍ତି। କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନିମ୍ନୋକ୍ତ ପଦରୁ ଜଣାଯାଏ ଯେ ସେ କବି ଜୟଦେବ ଏବଂ ଦୀନକୃଷ୍ଣଙ୍କୁ ଉଚ୍ଚସ୍ଥାନରେ ରଖିଛନ୍ତି ।
ଜୟଦେବ ଦୀନକୃଷ୍ଣ ପାଦରେ ଶରଣ। ଆଉ ସବୁ କବିଙ୍କର ମଥାରେ ଚରଣ ।ା

କବି ଦୀନକୃଷ୍ଣ ଦାସ ମଧ୍ୟ ଶ୍ରୀ ଜୟଦେବଙ୍କୁ ଅନୁସରଣକରି ତାଙ୍କର ‘ଅମୃତସାଗର ବୋଲି’ରେ ‘ଗୀତଗୋବିନ୍ଦ’ର ଅର୍ଥ ବୁଝାଇଛନ୍ତି। ଶ୍ରୀ ଜୟଦେବଙ୍କ ବିରଚିତ ଏହି କାଳଜୟୀ ଗୀତିକାବ୍ୟରେ ପରମ ପ୍ରେମ, ପରମ ସୌନ୍ଦର୍ଯ୍ୟ, ପରମ ଆନନ୍ଦ ଭରିରହିଛି, ଯାହାକି ସବୁ ଶ୍ରୋତାଙ୍କର ହୃଦୟକୁ ବିହ୍ୱଳିତ କରିଦିଏ।
‘ପୃଥ୍ୱୀରାଜ ରାସୋ’ରେ ଚାନ୍ଦବରଦାଇ ଲେଖିଛନ୍ତି,

ଜୟଦେବ ଅଠ୍‌ଠ କବୀ କବ୍‌ବିରାୟଂ ।
ଜୀନେ କେବଳଂ କୀର୍ତ୍ତିଂ ଗୋବିନ୍ଦ ଗାୟଂ ।ା
ସନ୍ଥ କବିର୍ ଦାସ ଲେଖିଛନ୍ତି,
ଗୁରୁ ପ୍ରସାଦୀ ଜୟଦେବ ନାମ,
ଭଗତି କୀ ପ୍ରେମୀ ଏ ନହି ହୈ ଜାନ ।ା
ଗ୍ୱାଲିୟର ନିବାସୀ କବି ନାଭାଜୀ ହିନ୍ଦୀ ଭାଷାରେ ‘ଭକ୍ତମାଳା’ ନାମକ ଏକ ଗ୍ରନ୍ଥ ଲେଖିଛନ୍ତି। ତହିଁରେ ଜୟଦେବଙ୍କ ଜନ୍ମସ୍ଥାନ କେନ୍ଦୁବିଲ୍ୱ ବ୍ରାହ୍ମଣ ଶାସନଟି ଉତ୍କଳରେ ଅବସ୍ଥିତ ବୋଲି କହିଛନ୍ତି ।୫ ଏହି ‘ଭକ୍ତମାଳା’କୁ ଆଧାରକରି ମୈଥିଳୀ କବି ଚନ୍ଦ୍ରଦତ୍ତ ‘ଜୟଦେବ ଚରିତମ୍‍’ ଗ୍ରନ୍ଥରେ ଲେଖିଛନ୍ତି,

ଜଗନ୍ନାଥପୁରୀପ୍ରାନ୍ତେ ଦେଶେ ବୈ ଚୋତ୍କଳାଭିଧେ ।
କେନ୍ଦୁବିଲ୍ୱ ଜ୍ଞାତ ଖ୍ୟାତୋ ଗ୍ରାମ ବ୍ରାହ୍ମଣସଂକୁଳଃ ।ା
ତତ୍ରୋତ୍କଳେ ଦ୍ୱିଜୋ ଜାତୋ ଜୟଦେବ ଇତି ଶ୍ରୁତଃ ।
ବିଦ୍ୟାଭ୍ୟାସରତଃ ଶାନ୍ତଃ ପୁରୁଷୋତ୍ତମପୂଜକଃ ।ା (ସର୍ଗ ୩୯, ପୃ.୬୧)

କୋଲକତା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି Sir William Jones(୧୭୮୪-୧୭୯୪) କୋଲକତାରେ Asiatic Research Society of Bengal ପ୍ରତିଷ୍ଠା କରିଥିଲେ। ସେ ପ୍ରଥମେ ଜାଣିଲେ ଯେ ଜୟଦେବ ବଙ୍ଗଳାରେ ନୁହେଁ, ଦକ୍ଷିଣ ଭାରତରେ ଜନ୍ମ ଗ୍ରହଣ କରିଥିଲେ। ତେଣୁ ଦକ୍ଷିଣଭାରତ, ତା’ପରେ ପଶ୍ଚିମ ଭାରତ ଓ ତା’ପରେ ଉତ୍ତରଭାରତରେ ଅନୁସନ୍ଧାନକରି ଖବର ପାଇଲେ ଯେ ଜୟଦେବ ପୂର୍ବଭାରତରେ ଜନ୍ମଗ୍ରହଣ କରିଥିଲେ। ଏହି ମତକୁ ସମର୍ଥନ କରି Sir Edwin Arnold ତାଙ୍କ ରଚିତ Jayadeva’s Gitagovinda (The Indian Song of the Songs) ରେ ଜୋନ୍‌ସ ସାହେବଙ୍କ ଉକ୍ତିକୁ ଉଦ୍ଧୃତ କରିଛନ୍ତି,
Sir William Jones says, “When I first read the songs of Jayadeva, who has prefixed to each the name of the mode in which it was to be sung, I had hopes of procuring the original music; but the Pandits of the South referred me to those of the West, and the Brahmans of the West would have sent me to those of the North, while they of Nepal and Kashmir declared that they had no ancient music, but imagined that the notes of the Gitagovinda must exist, if anywhere where the poet was born.6
ମେ, ୧୯୯୧ରେ ପ୍ରକାଶିତ ‘ଉତ୍କଳପ୍ରସଙ୍ଗ’- ଜୟଦେବ ବିଶେଷାଙ୍କରେ ଓଡିଆ ଗବେଷକ ଗଣେଶ ପ୍ରସାଦ ପରିଜା, ‘ଓଡ଼ିଶାର କବି ଜୟଦେବ’ ଶିରୋନାମାରେ ଏକ ପ୍ରବନ୍ଧରେ ଲେଖିଛନ୍ତି,
ପ୍ରାଚୀନତତ୍ତ୍ୱ ଅନୁଯାୟୀ କେନ୍ଦୁଳୀ ଗ୍ରାମସ୍ଥିତ ଏକ କେନ୍ଦୁଗଛ ମୂଳରେ ମୁଗୁନି ପଥରରେ ନିର୍ମିତ ଗୋଟିଏ ଜାଗେଶ୍ୱରୀ (ନାଗେଶ୍ୱରୀ) ମୂର୍ତ୍ତି ଏବଂ ଏକ ବେଲଗଛ ମୂଳରେ ଗୋଟିଏ ଅମ୍ବିକା ମୂର୍ତ୍ତି ପୂଜା ପାଉଥିବାରୁ ଏହି ସ୍ଥାନ କେନ୍ଦୁବିଲ୍ୱ ନାମରେ ପ୍ରସିଦ୍ଧ । ଅମ୍ବିକା ଦେବୀଙ୍କ ମନ୍ଦିର ଦ୍ୱାରଦେଶରେ ଗୋଟିଏ ସଂକ୍ଷିପ୍ତ ଅଭିଲେଖ ରହିଛି। ତାହାହେଲା ‘ଜୟଦେବ ହରେ’। ଏହି ମନ୍ଦିର ୧୧୧୨ ଶକାବ୍ଦ ବା ୧୧୯୦ ଖ୍ରୀଷ୍ଟାବ୍ଦରେ ଜୟଦେବଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିର୍ମିତ ହୋଇଥିଲା। ସେହି ଦେବୀ ମନ୍ଦିରରେ ଦେବୀଙ୍କ ମହାପୂଜା ସମୟରେ ‘ସପ୍ତସତୀ ଚଣ୍ଡୀ’ ପାଠ କରାଯିବା ପରେ ‘ଗୀତଗୋବିନ୍ଦ’ ପାଠ କରାଯାଏ।
ଏଥିରୁ ଅନୁମାନ କରାଯାଏ ଯେ ଶ୍ରୀ ଜୟଦେବ ୧୧୯୦ ଖ୍ରୀଷ୍ଟାବ୍ଦ ବା ଅଳ୍ପ ପୂର୍ବରୁ ଇହଧାମ ତ୍ୟାଗ କରିଥିଲେ।

ଗୀତଗୋବିନ୍ଦର ରଚନା କାଳ

ସୋମବଂଶର ଶେଷ ମହାରାଜା କର୍ଣ୍ଣକେଶରୀଙ୍କୁ ପରାସ୍ତକରି ଚୋଡ଼ଗଙ୍ଗ ଦେବ ସମ୍ପୂର୍ଣ୍ଣ କଙ୍ଗୋଦ ଓ ଉତ୍କଳକୁ ୧୦୭୭/୭୮ ଖ୍ରୀଷ୍ଟାବ୍ଦରେ ଅଧିକାର କଲେ। ୧୦୭୦ ଖ୍ରୀଷ୍ଟାବ୍ଦ ବେଳକୁ କଳିଙ୍ଗର ସୀମା ଉତ୍ତରରେ ଋଷିକୁଲ୍ୟା ନଦୀ (ଗଞ୍ଜାମ), ଦକ୍ଷିଣରେ ସୀମାଞ୍ଚଳ, ପଶ୍ଚିମରେ ଖିମିଡି ଓ ଦକ୍ଷିଣ-କୋଶଳ ଏବଂ ପୂର୍ବରେ କଳିଙ୍ଗୋପସାଗର ପର୍ଯ୍ୟନ୍ତ ବିସ୍ତୃତ ଥିଲା। ଚୋଡ଼ଗଙ୍ଗ ଦେବ କଳିଙ୍ଗ ସହିତ ତାଙ୍କର ସମ୍ପୂର୍ଣ୍ଣ ସାମ୍ରାଜ୍ୟର ନାମ ରଖିଲେ ଉତ୍କଳ। ୧୦୭୭/୭୮ ଖ୍ରୀଷ୍ଟାବ୍ଦରୁ ୧୧୧୨/୧୧୨୬/୧୧୩୫ ପର୍ଯ୍ୟନ୍ତ ତାଙ୍କ ରାଜଧାନୀ ଥିଲା କଳିଙ୍ଗନଗର ବା ମୁଖଲିଙ୍ଗମ୍‍ (ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ)। ତାଙ୍କ ସମୟରେ ଉତ୍କଳର ସୀମା ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ହେଲା। ଚୋଡ଼ଗଙ୍ଗ ଦେବ ୧୧୨୮ ଖ୍ରୀଷ୍ଟାବ୍ଦରେ ଚୋଡ଼-ଗଙ୍ଗାବ୍ଦ ଗଣନା ପ୍ରଚଳନ କରିଥିଲେ ବୋଲି ପୁରୀର ନୃସିଂହ ମନ୍ଦିର ଶିଳାଲେଖରୁ ଜଣାଯାଏ।୭

କଳିଙ୍ଗ ନଗରସ୍ଥ ମଧୁକେଶ୍ୱର ମନ୍ଦିରରେ ଖୋଦିତ ଏକ ଶିଳାଲେଖରୁ ଜଣାଯାଏ ଯେ ଚୋଡ଼ଗଙ୍ଗ ଦେବଙ୍କ ଶାସନ କାଳରେ ୧୧୧୩ ଖ୍ରୀଷ୍ଟାବ୍ଦରେ କୋମି ନାୟକ ଓ ତାଙ୍କ ପତ୍ନୀ- ନଙ୍ଗମା ଦେବୀ ଠାକୁରଙ୍କ ସେବାପାଇଁ ଏକ ଅଖଣ୍ଡ-ଦୀପ ଦାନ ଦେଇଥିଲେ। ଏହି ମନ୍ଦିରର ଅନ୍ୟ ଏକ ଶିଳାଲେଖରୁ ଜଣାଯାଏ, ସେମାନେ ପୁଣି ସେହି ଠାକୁରଙ୍କୁ ୧୧୨୮ ଖ୍ରୀଷ୍ଟାବ୍ଦରେ ୨ୟ ଅଖଣ୍ଡ-ଦୀପ ଦାନ ଦେଇଥିଲେ। ଏହି ଦୁଇଜଣ ହେଲେ ମେଡ଼ମ ଦେବୀଙ୍କ ପିତା ଓ ମାତା । ଭୁବନେଶ୍ୱରସ୍ଥ ଲିଙ୍ଗରାଜ ମନ୍ଦିରରେ ଗଙ୍ଗବଂଶୀ ମହାରାଜା ରାଘବଦେବଙ୍କ ରାଜତ୍ୱରେ (୧୧୫୬-୧୧୭୦ ଖ୍ରୀଷ୍ଟାବ୍ଦ) ଖୋଦିତ ଶିଳାଲେଖରୁ ଜଣାଯାଏ ଯେ, କୀର୍ତ୍ତିବାସେଶ୍ୱର (ଶ୍ରୀଲିଙ୍ଗରାଜ) ଙ୍କ ସେବାପାଇଁ କୋମି ନାୟକ, ନଙ୍ଗମାଦେବୀ ଓ ତାଙ୍କ କନ୍ୟା ମେଡ଼ମ ଦେବୀ ତିନିଜଣ ୩ଟି ଅଖଣ୍ଡ-ଦୀପ ଦାନ ଦେଇଥିଲେ। (ପରିଶିଷ୍ଟ-୧) ଅବିଚ୍ଛିନ୍ନ ଭାବରେ ନିରନ୍ତର ଏହି ଦୀପ ଜଳିବାର ଖର୍ଚ୍ଚପାଇଁ ସେମାନେ ବାହେଡ଼ାଖଣ୍ଡ କ୍ଷେତ୍ର ନାମକ ଯେଉଁ ଭୂସମ୍ପତ୍ତି ଦାନ ଦେଇଥିଲେ, ତାହାକୁ କୂର୍ମପାଟକ ନିବାସୀ ସାଧୁପ୍ରଧାନ ଜୟଦେବଙ୍କ ଠାରୁ କିଣିଥିଲେ।୮
ଏଠାରେ ସ୍ପଷ୍ଟୀକରଣ ଦିଆଯାଉଛି ଯେ କୂର୍ମପାଟକ ବର୍ତ୍ତମାନର ଆନ୍ଧ୍ରପ୍ରଦେଶର ମୁଖଲିଙ୍ଗମ୍ ନିକଟରେ ଅବସ୍ଥିତ ଥିବାରୁ ଶ୍ରୀ ଜୟଦେବ ଆନ୍ଧ୍ର ପ୍ରଦେଶରେ ଜନ୍ମ ଗ୍ରହଣ କରିଥିଲେ ବୋଲି କେତେକ ଭାବନ୍ତି। କିନ୍ତୁ ଶ୍ରୀ ଜୟଦେବଙ୍କଠାରୁ ଯେଉଁ ଜମି କ୍ରୟ କରାଯାଇଥିଲା, ତାହା ତାଙ୍କର ଜନ୍ମସ୍ଥାନ ଅବିଭାଜିତ ପୁରୀ ଜିଲ୍ଲାର ପ୍ରାଚୀ ଉପତ୍ୟକାର କେନ୍ଦୁବିଲ୍ୱ ଶାସନ ନିକଟସ୍ଥ ସ୍ଥାନ।୯ ସେ ‘ଗୀତଗୋବିନ୍ଦ’ ରଚନା କଲାପରେ ‘ସାଧୁ-ପ୍ରଧାନ’, ଅର୍ଥାତ୍‌, ‘ପ୍ରଧାନସାଧୁ’ ବା ‘ସାଧୁମାନଙ୍କ ମଧ୍ୟରେ ଶ୍ରେଷ୍ଠ’ ବୋଲି ବିବେଚିତ ହୋଇଥିଲେ। ତେଣୁ ନିଃସନ୍ଦେହରେ କୁହାଯାଇପାରେ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଆଲୋଚିତ ଅଖଣ୍ଡଦୀପ ପ୍ରଦାନ (୧୧୫୬ ଖ୍ରୀଷ୍ଟାବ୍ଦ) ପୂର୍ବରୁ ସେ ‘ଗୀତଗୋବିନ୍ଦ’ ରଚନା କରିସାରିଥିଲେ। ପୁଣି ସେତେବେଳେ କୂର୍ମପାଟକ, ମୁଖଲିଙ୍ଗମ୍‌, ପୁରୀ, କେନ୍ଦୁବିଲ୍ୱ, ଏସବୁ ଉତ୍କଳ ସାମ୍ରାଜ୍ୟରେ ଅନ୍ତର୍ଗତ ଥିଲା। ଖ୍ରୀଷ୍ଟୀୟ ନବମ/ଦଶମ ଶତାବ୍ଦୀଠାରୁ କୂର୍ମପାଟକରେ ସଂସ୍କୃତ-ସାହିତ୍ୟ, ପୁରାଣ, ଦର୍ଶନ ଓ ଗୀତ-ବାଦ୍ୟ-ନୃତ୍ୟର ବହୁଳ ଚର୍ଚ୍ଚା ହୋଇଆସୁଥିଲା। ଐତିହାସିକ ସତ୍ୟନାରାୟଣ ରାଜଗୁରୁଙ୍କ ମତରେ ମେଡ଼ମ ଦେବୀଙ୍କ ମାତା ନଙ୍ଗମାଙ୍କୁ ଶ୍ରୀ ଜୟଦେବ ନୃତ୍ୟ ସଙ୍ଗୀତ ଶିକ୍ଷା ଦେଇଥିବାରୁ ନଙ୍ଗମା ତାଙ୍କୁ ‘କୂର୍ମ-ପାଟକ-ପ୍ରବର’, ଓ ‘ସାଧୁ-ପ୍ରଧାନ’ ଆଖ୍ୟାରେ ଅଭିହିତ କରିଛନ୍ତି।୧୦
ଚୋଡ଼ଗଙ୍ଗ ଦେବ ତାଙ୍କ ଶାସନ କାଳରେ (୧୦୭୭ ରୁ ୧୧୪୭ ଖ୍ରୀଷ୍ଟାବ୍ଦ) କଳିଙ୍ଗନଗରରେ ଓ ପୂର୍ଣ୍ଣକୋଟି (କୂର୍ମପାଟକ)ଠାରେ ଦୁଇଟି ସଙ୍ଗୀତ ଶିକ୍ଷାନୁଷ୍ଠାନ ଖୋଲିଥିଲେ। ସଙ୍ଗୀତ ଶିକ୍ଷାଗ୍ରହଣ, ଶିକ୍ଷାଦାନ କିମ୍ବା ଚର୍ଚ୍ଚା ପାଇଁ ଶ୍ରୀ ଜୟଦେବ କିଛି କାଳ କୂର୍ମପାଟକରେ ଅବସ୍ଥାନ କରିଥିଲେ ଓ କୋମିନାୟକଙ୍କ କନ୍ୟା ମେଡ଼ମ ଦେବୀଙ୍କୁ ଶିଷ୍ୟା ରୂପେ ଶିକ୍ଷା ଦେଇଥିଲେ।୧୧

ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିରରେ ଅଖଣ୍ଡ-ଦୀପ ଦାନ ଦେବା ସମୟରେ କୋମିନାୟକ, ନଙ୍ଗମା ଦେବୀ ଓ ମେଡ଼ମ ଦେବୀଙ୍କ ସହିତ ଶ୍ରୀ ଜୟଦେବ ଉପସ୍ଥିତ ଥିଲେ। ୧୧୫୬ ଖ୍ରୀଷ୍ଟାବ୍ଦ ବେଳକୁ ଶ୍ରୀ ଜୟଦେବ ‘ସାଧୁପ୍ରଧାନ’ ଉପାଧି ପ୍ରାପ୍ତ ହୋଇ ସାରିଥିଲେ ମଧ୍ୟ ‘ଗୀତଗୋବିନ୍ଦ’ କେବେ ରଚନା କରିଥିଲେ ତାହାର ଦୃଢ଼ ପ୍ରମାଣ ଅଭାବରୁ ପ୍ରାୟ ସମସ୍ତ ଓଡ଼ିଆ ଗବେଷକ ମତ ଦିଅନ୍ତି ଯେ ୧୧୭୦ ପୂର୍ବରୁ ‘ଗୀତଗୋବିନ୍ଦ’ ରଚିତ ହୋଇଥିଲା। କାରଣ ୧୧୭୦ ଖ୍ରୀଷ୍ଟାବ୍ଦରେ ଉଦୟନାଚାର୍ଯ୍ୟ ଏହାର ‘ଭାବ ବିଭାବିନୀ’ ଟୀକା କରିଥିଲେ। ଐତିହାସିକ ସତ୍ୟନାରାୟଣ ରାଜଗୁରୁଙ୍କ ମତରେ ଗଙ୍ଗବଂଶୀ ମହାରାଜା ରାଘବ ଦେବ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ପ୍ରତିଦିନ ‘ଗୀତଗୋବିନ୍ଦ’ ଗାନ ହେବାର ବ୍ୟବସ୍ଥା କରିଥିଲେ।୧୨ ରାଘବ ଦେବଙ୍କ ପୂର୍ବବର୍ତ୍ତୀ ଉତ୍କଳସମ୍ରାଟ୍‍ (ତାଙ୍କର ଜ୍ୟେଷ୍ଠ ଭ୍ରାତା) କାମାର୍ଣ୍ଣବ ଦେବ ‘ଗୀତଗୋବିନ୍ଦ’ ନ ଶୁଣିଲେ ଅନ୍ନ-ଜଳ ସ୍ପର୍ଶ କରୁନଥିଲେ। ଏ ବିଷୟ ‘ମାଦଳାପାଞ୍ଜି’ରେ ଉଲ୍ଲେଖ ଅଛି।୧୩ ତେଣୁ କାମାର୍ଣ୍ଣବଦେବଙ୍କ ରାଜତ୍ୱ (୧୧୪୭ ରୁ ୧୧୫୬ ଖ୍ରୀଷ୍ଟାବ୍ଦ) ବେଳକୁ ‘ଗୀତଗୋବିନ୍ଦ’ ରଚିତ ହୋଇସାରିଥିଲା। ଅର୍ଥାତ୍‌, କାମାର୍ଣ୍ଣବଙ୍କ ପିତା ଚୋଡ଼ଗଙ୍ଗଙ୍କ ରାଜତ୍ୱରେ ରଚିତ ହୋଇଥିଲା।

ଐତିହାସିକ ସତ୍ୟନାରାୟଣ ରାଜଗୁରୁଙ୍କ ମତରେ ଜୟଦେବ ଶ୍ରୀକୂର୍ମପାଟକରେ ସଂସ୍କୃତ-ସାହିତ୍ୟ, ସଙ୍ଗୀତ ଓ ନୃତ୍ୟ ଶିକ୍ଷାଲାଭ କରିଥିଲେ ଓ ତା’ପରେ ‘ଗୀତଗୋବିନ୍ଦ’ ରଚନା କଲେ। ପୁଣି ‘ଗୀତଗୋବିନ୍ଦ’ ରଚନା କଲାପରେ ଶ୍ରୀକୂର୍ମପାଟକରେ ବାସକରୁଥିବା ସାନି ସମ୍ପ୍ରଦାୟ ମଧ୍ୟରେ ସେ ଗୁରୁରୂପେ ଖ୍ୟାତ ହେଲେ।୧୪ ଉକ୍ତ ଐତିହାସିକଙ୍କ ମତରେ କୋମିନାୟକ, ତାଙ୍କ ପତ୍ନୀ ନଙ୍ଗମା ଦେବୀ ଓ କନ୍ୟା ମେଡ଼ମ ଦେବୀ ଭୁବନେଶ୍ୱରସ୍ଥ ଶ୍ରୀଲିଙ୍ଗରାଜ ମନ୍ଦିରରେ ଅଖଣ୍ଡ-ଦୀପ ଦାନ ଦେଲାବେଳକୁ (୧୧୫୬ ଖ୍ରୀଷ୍ଟାବ୍ଦ) ଜୟଦେବଙ୍କ ବୟସ ୬୦ ବର୍ଷ ହୋଇଥିବ। ଏହାର ଅନ୍ୟୂନ ୨୦ବର୍ଷ ଆଗରୁ (୧୧୩୬ ଖ୍ରୀଷ୍ଟାବ୍ଦ) ଚୋଡ଼ଗଙ୍ଗ ଦେବ ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀ ଜୟଦେବ ଓ ତାଙ୍କ ଦଳଦ୍ୱାରା ଗୀତନୃତ୍ୟ ପରିବେଷଣ କରାଇଥିଲେ।୧୫ ତାଙ୍କର ଏହି ମତ ଗ୍ରହଣୀୟ, କାରଣ ବୟସ ଦୃଷ୍ଟିରୁ ଶ୍ରୀ ଜୟଦେବ ହେଲେ କୋମିନାୟକଙ୍କ ସମସାମୟିକ। କୋମିନାୟକଙ୍କ ପତ୍ନୀ ଓ କନ୍ୟା ଉଭୟଙ୍କୁ ସେ ସଙ୍ଗୀତ-ନୃତ୍ୟ ଶିକ୍ଷା ଦେଇଥିଲେ। ଶିଳାଲୈଖିକ ପ୍ରମାଣ ଅନୁସାରେ କୋମିନାୟକ ପ୍ରଥମ ଦୀପ ଦାନ ଦେଇଥିଲେ ୧୧୧୩ ଖ୍ରୀଷ୍ଟାବ୍ଦରେ ମଧୁକେଶ୍ୱର ମନ୍ଦିରରେ।୧୬ ପୁଣି କୋମିନାୟକ ୩ୟ ଅଖଣ୍ଡ-ଦୀପ ଦାନ ଦେଇଥିଲେ ୧୧୫୬ ଖ୍ରୀଷ୍ଟାବ୍ଦରେ ଶ୍ରୀଲିଙ୍ଗରାଜ ମନ୍ଦିରରେ।୧୭ ଯଦି ପ୍ରଥମ ଅଖଣ୍ଡ-ଦୀପ ଦାନ ବେଳକୁ କୋମିନାୟକ ସାବାଳକ ହୋଇଥାନ୍ତି(୧୮ ବର୍ଷ ବୟସ) ତାଙ୍କର ଜନ୍ମ (ବର୍ଷ) ହେଲା ୧୦୯୫ ଖ୍ରୀଷ୍ଟାବ୍ଦ ବା ପୂର୍ବରୁ । କୋମିନାୟକଙ୍କଦ୍ୱାରା ୩ୟ ଅଖଣ୍ଡ-ଦୀପ ଦାନ ବେଳକୁ (ଖ୍ରୀଷ୍ଟାବ୍ଦ ୧୧୫୬) ଯଦି ଜୟଦେବ ୬୦ବର୍ଷ ବୟସର ହୋଇଥାନ୍ତି, ତାଙ୍କର ଜନ୍ମ କାଳ ହେବ ୧୦୯୬ ଖ୍ରୀଷ୍ଟାବ୍ଦ।

ଡକ୍ଟର ଭଗବାନ ପଣ୍ଡାଙ୍କ ମତରେ ‘ଗୀତଗୋବିନ୍ଦ’ର ରଚନା କାଳ ହେଲା ୧୧୫୦ ରୁ ୧୧୭୦ ଖ୍ରୀଷ୍ଟାବ୍ଦ ମଧ୍ୟରେ।୧୮ ଡକ୍ଟର ଅଜିତ୍ ତ୍ରିପାଠୀଙ୍କ ମତରେ ୧୧୫୦ ରୁ ୧୧୭୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ‘ଗୀତଗୋବିନ୍ଦ’ ରଚିତ ହୋଇଛି।୧୯ କାମାର୍ଣ୍ଣବ ଦେବ ଯିଏକି ନିତ୍ୟ ‘ଗୀତଗୋବିନ୍ଦ’ ଗାନ ଶୁଣୁଥିଲେ, ସେ ପିତା ଚୋଡ଼ଗଙ୍ଗ ଦେବଙ୍କ ଦେହତ୍ୟାଗ ପରେ ୧୧୪୭ରେ ଉତ୍କଳର ମହାରାଜା ହେଲେ ମଧ୍ୟ ୧୧୪୨ ଖ୍ରୀଷ୍ଟାବ୍ଦରେ ଶ୍ରୀପୁରୁଷୋତ୍ତମ ମନ୍ଦିରରେ ଯୁବରାଜ ପଦରେ ଅଭିଷିକ୍ତ ହୋଇଥିଲେ।୨୦ ଯଦି ୧୧୪୭ରେ ରାଜା ହେଲାପରେ କାମାର୍ଣ୍ଣବ ‘ଗୀତଗୋବିନ୍ଦ’ ନିୟମିତ ଶୁଣୁଥିଲେ, ତେବେ ୧୧୪୨ରେ ଯୁବରାଜ ହେଲାବେଳକୁ କାହିଁକି ଶୁଣିନଥିବେ? ଏହା କହିହେବ ନାହିଁ ଯେ କାମାର୍ଣ୍ଣବ ୧୧୪୭ରେ ମହାରାଜା ହେଲାପରେ ୧୧୫୦ ଖ୍ରୀଷ୍ଟାବ୍ଦରେ ‘ଗୀତଗୋବିନ୍ଦ’ ରଚିତ ହେଲା। ଚକ୍ରଧର ମହାପାତ୍ର ତାଙ୍କର ‘ଶ୍ରୀ ଜୟଦେବ’ ପୁସ୍ତକରେ ଲେଖିଛନ୍ତି ଯେ ଜୟଦେବ ୧୧୬୭ ଖ୍ରୀଷ୍ଟାବ୍ଦ ମାଘ ଅମାବାସ୍ୟା ତିଥିରେ ଜନ୍ମ ହୋଇଥିଲେ।୨୧ ଏହା ଯଦି ସତ ହୁଏ ତେବେ ୧୧୭୦ ଖ୍ରୀଷ୍ଟାବ୍ଦରେ ଉଦୟନାଚାର୍ଯ୍ୟ ‘ଗୀତଗୋବିନ୍ଦ’ର ଟୀକା କେମିତି କଲେ? ସେତେବେଳକୁ (୧୧୭୦) ଶ୍ରୀ ଜୟଦେବଙ୍କ ବୟସ ୭୪ ବର୍ଷ ହୋଇଥିବା ଯୁକ୍ତିଯୁକ୍ତ। କାରଣ ୧୧୫୬ ବେଳକୁ ତାଙ୍କ ବୟସ ୬୦ ବର୍ଷ ହୋଇଥିବ ବୋଲି ଡ. ସତ୍ୟନାରାୟଣ ରାଜଗୁରୁ ମତଦେଇଛନ୍ତି। ତେଣୁ ଶ୍ରୀ ଜୟଦେବଙ୍କ ଜନ୍ମ ୧୧୬୭ ବଦଳରେ ୧୦୯୩ (୧୧୬୭ – ୭୪) ହେବା ସମ୍ଭବପର।

ଡକ୍ଟର ସତ୍ୟନାରାୟଣ ରାଜଗୁରୁଙ୍କ ଭାଷାରେ, “ଉତ୍କଳର ମହାରାଜା ଚୋଡ଼ଗଙ୍ଗଦେବଙ୍କ ରାଜସଭାରେ ଜୟଦେବ ଉଚ୍ଚ ଆସନ ପାଇଥିଲେ। ତାଙ୍କ ରଚିତ ‘ଗୀତଗୋବିନ୍ଦ’ରେ କଳିଙ୍ଗ ସଙ୍ଗୀତର ରାଗଗୁଡ଼ିକ ପ୍ରଯୁକ୍ତହୋଇ ଅତି ଲଳିତ ପଦାବଳିରେ ତାହା ଅତ୍ୟନ୍ତ ମନୋରମ ଏକ ଦୃଶ୍ୟ କାବ୍ୟରେ ପରିଣତ ହୋଇଥିଲା।” ଉପରୋକ୍ତ ଉକ୍ତିରୁ ଜଣାଯାଉଛି ଯେ, ଚୋଡ଼ଗଙ୍ଗଙ୍କ ରାଜତ୍ୱରେ ‘ଗୀତଗୋବିନ୍ଦ’ ରଚିତ ହୋଇଥିବାରୁ ତାଙ୍କ ଜ୍ୟେଷ୍ଠପୁତ୍ର କାର୍ମାର୍ଣ୍ଣବ ଯୁବରାଜ ହେବା ପୂର୍ବରୁ ଶୁଣିବାର ସୁଯୋଗ ପାଇଥିଲେ ଓ ତାଙ୍କ ଦ୍ୱିତୀୟପୁତ୍ର ରାଘବଦେବ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ନିୟମିତ ‘ଗୀତଗୋବିନ୍ଦ’ ଗାନ ହେବାର ବ୍ୟବସ୍ଥା କଲେ। ତେଣୁ ୧୧୪୭ ରେ ଚୋଡ଼ଗଙ୍ଗ ଦେବଙ୍କ ଦେହତ୍ୟାଗ ପୂର୍ବରୁ ‘ଗୀତଗୋବିନ୍ଦ’ ରଚିତ ହେବା ନିଶ୍ଚିତ।

ଚୋଡ଼ଗଙ୍ଗଙ୍କ ରାଜଧାନୀ ପ୍ରଥମେ ଶ୍ରୀ କୂର୍ମପାଟକ ନିକଟବର୍ତ୍ତୀ ମୁଖଲିଙ୍ଗମ୍‌ରେ ଥିଲା ଓ ୧୧୨୬ରେ (ଅନ୍ୟ ମତରେ ୧୧୧୨ ବା ୧୧୩୫ ଖ୍ରୀଷ୍ଟାବ୍ଦରେ) କଟକକୁ ସ୍ଥାନାନ୍ତରିତ ହେଲା। ଡକ୍ଟର ସତ୍ୟନାରାୟଣ ରାଜଗୁରୁଙ୍କ ମତରେ ଚୋଡଗଙ୍ଗଦେବଙ୍କ ସାମ୍ରାଜ୍ୟ ପ୍ରସାରିତ ହେବାରୁ ବଂଶଧାରା ନଦୀ ତଟସ୍ଥ କଳିଙ୍ଗନଗରରୁ ମହାନଦୀ ତଟସ୍ଥ ବାରାଣସୀ କଟକକୁ ୧୧୧୨ ଖ୍ରୀଷ୍ଟାବ୍ଦରେ ରାଜଧାନୀ ଉଠାଇଆଣିଲେ।୨୨ ସେ ପୁଣି ଲେଖିଛନ୍ତି ଯେ, ୧୧୨୬ ରୁ ୧୧୩୯ ଖ୍ରୀଷ୍ଟାବ୍ଦ ମଧ୍ୟରେ ଚୋଡ଼ଗଙ୍ଗ-ଅଧିକୃତ ସାମ୍ରାଜ୍ୟ ଗଙ୍ଗାନଦୀ ପର୍ଯ୍ୟନ୍ତ ନିରାପଦ ହୋଇଥିଲା। ତେଣୁ ସେ ବାରାଣସୀ କଟକରେ ସପରିବାରେ ବାସକଲେ।୨୩ ୧୧୧୨ ରୁ ୧୧୨୬ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଚୋଡ଼ଗଙ୍ଗଦେବ କେଉଁଠାରେ ସପରିବାରେ ବାସ କରୁଥିଲେ ତାର ସ୍ପଷ୍ଟୀକରଣ ଦେଇ ସେ କହିଛନ୍ତି, “ଚୋଡ଼ଗଙ୍ଗ ଉତ୍କଳ ଓ ବଙ୍ଗ ଜୟକରି ତାଙ୍କ ରାଜ୍ୟ ଗଙ୍ଗାନଦୀ ପର୍ଯ୍ୟନ୍ତ ବିସ୍ତାର କରିଥିଲେ ସୁଦ୍ଧା, ଅଧିକୃତ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା କିଛି କାଳ ପର୍ଯ୍ୟନ୍ତ ପ୍ରତିଷ୍ଠିତ ହୋଇପାରିନଥିଲା। ତେଣୁ ମହାନଦୀ ତଟସ୍ଥ ବାରାଣସୀ-କଟକରେ କଳିଙ୍ଗର କେତେକ ସୈନ୍ୟଙ୍କୁ ରଖାଇ ନିଜେ ସପରିବାରେ କଳିଙ୍ଗନଗରସ୍ଥ ପୈତୃକ ରାଜଧାନୀରେ ୧୧୨୬ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ବାସ କରିଥିବା ଅନୁମିତ ହୁଏ।”୨୪

ତାଙ୍କ ରାଜସଭାରେ ଥିବା କବି ପଣ୍ଡିତମାନେ ରାଜଧାନୀରେ ସ୍ଥାୟୀ ଭାବରେ ବା ସାମୟିକ ଭାବରେ ବାସକରିବା ସ୍ୱାଭାବିକ। ଶ୍ରୀ ଜୟଦେବ ଚୋଡ଼ଗଙ୍ଗଙ୍କ ରାଜସଭାରେ ଗାନ ପରିବେଷଣ କରିଥାଇପାରନ୍ତି ଓ ପୃଷ୍ଠପୋଷକତା ପାଇଥାଇ ପାରନ୍ତି, କିନ୍ତୁ ତାଙ୍କ ଅଧୀନରେ ସଭାକବି ଭାବରେ ନିଯୁକ୍ତ ହୋଇନଥିଲେ। କାରଣ ‘ଗୀତଗୋବିନ୍ଦ’ ରଚନା ପରେ ଅଧିକାଂଶକାଳ ପୁରୀରେ ରହି ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ‘ଗୀତଗୋବିନ୍ଦ’ ଗାନକରିବା ସହିତ ପତ୍ନୀ ପଦ୍ମାବତୀଙ୍କଦ୍ୱାରା ନୃତ୍ୟ ପରିବେଷଣ କରାଉଥିଲେ।
ଏଠାରେ ଶ୍ରୀଜଗନ୍ନାଥ-ମନ୍ଦିର ନିର୍ମାଣ ସମ୍ପର୍କରେ ଆବଶ୍ୟକ ଆଲୋକପାତ କରାଯାଉଛି। ବର୍ତ୍ତମାନର ଶ୍ରୀଜଗନ୍ନାଥ-ଦେଉଳ ତୋଳା ହେବା ପୂର୍ବରୁ ସେହି ସ୍ଥାନରେ ଶ୍ରୀ ଯଯାତିକେଶରୀଙ୍କ ନିର୍ମିତ ଏକ ଛୋଟ ଧ୍ୱଂସପ୍ରାୟ ଦେଉଳ ବିଦ୍ୟମାନ ଥିଲା। ବର୍ତ୍ତମାନର ଦେଉଳ ନିର୍ମାଣ କାର୍ଯ୍ୟ ୧୧୩୨ ଖ୍ରୀଷ୍ଟାବ୍ଦ ବେଳକୁ ଆରମ୍ଭ ହୋଇଯାଇଥିଲା ବୋଲି ପୁରୀର ନୃସିଂହ ମନ୍ଦିର ଶିଳାଲେଖରୁ (୧୧୩୭ ଖ୍ରୀଷ୍ଟାବ୍ଦ) ପ୍ରମାଣ ମିଳେ। ଅନ୍ୟ କେତେକଙ୍କ ମତରେ ଅନଙ୍ଗଭୀମ ଦେବ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ। ବିଭିନ୍ନ ମତବାଦ କାରଣରୁ ଐତିହାସିକମାନେ ଏହି ସିଦ୍ଧାନ୍ତରେ ଉପନୀତ ହୁଅନ୍ତି ଯେ ବର୍ତ୍ତମାନର ଶ୍ରୀ ଜଗନ୍ନାଥ ମନ୍ଦିରର ମୁଖ୍ୟଭାଗ-ବିମାନ ଖ୍ରୀଷ୍ଟାବ୍ଦ ୧୧୧୫ ବା ତା’ପରେ ଆରମ୍ଭ ହୋଇ ୧୧୪୫ ଖ୍ରୀଷ୍ଟାବ୍ଦ ବା ତା’ ପୂର୍ବରୁ ସମ୍ପୂର୍ଣ୍ଣ ହୋଇଥିଲା। ଅନଙ୍ଗଭୀମ ଦେବ ବିମାନକୁ ନୁହେଁ, ଏହାର ଜଗମୋହନକୁ ନିର୍ମାଣ କରିଥିଲେ। ତେଣୁ ୧୧୪୫ ପୂର୍ବରୁ ଶ୍ରୀ ଜୟଦେବ ‘ଗୀତଗୋବିନ୍ଦ’ ରଚନା ଶେଷ କରିସାରିଥିବେ।

ଚୋଡ଼ଗଙ୍ଗ ଦେବଙ୍କର ସର୍ବପ୍ରଥମ ଅଙ୍କ ପ୍ରଚଳନ (ଚୋଡ଼ଗଙ୍ଗାବ୍ଦ) ୧୦୫୦ ଶକାବ୍ଦ, ଅର୍ଥାତ୍‌, ୧୧୨୮ ଖ୍ରୀଷ୍ଟାବ୍ଦରେ ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀ ପୁରୁଷୋତ୍ତମଙ୍କ (ଶ୍ରୀଜଗନ୍ନାଥଙ୍କ) ସମ୍ମୁଖରେ ଘୋଷିତ ହେଲା । ଏହି ଅବସରରେ ସେ ପୁରୁଷୋତ୍ତମଙ୍କୁ ‘ଅମୁଣିଆଭୋଗ’ ଅର୍ପଣ କରିଥିଲେ।୨୫ ତେଣୁ ୧୧୨୬/୨୮ ଖ୍ରୀଷ୍ଟାବ୍ଦ ବେଳକୁ ଚୋଡ଼ଗଙ୍ଗଦେବ କଟକରେ ସପରିବାରେ ବାସ କରୁଥିଲେ ବୋଲି ନିଃସନ୍ଦେହରେ କୁହାଯାଇପାରେ। ଗବେଷକ ରାଜଗୁରୁଙ୍କ ମତରେ ଚୋଡ଼ଗଙ୍ଗଦେବଙ୍କ ରାଜତ୍ୱରେ କଟକରେ ୧୧୧୨ ଖ୍ରୀଷ୍ଟାବ୍ଦରେ ରାଜଧାନୀ ପ୍ରତିଷ୍ଠା ହେଲାପରେ ୧୧୧୨ରୁ ୧୧୪୬ ମଧ୍ୟରେ ‘ଗୀତଗୋବିନ୍ଦ’ ଗୀତିନାଟ୍ୟ ଶ୍ରୀପୁରୁଷୋତ୍ତମଙ୍କ ମନ୍ଦିର ସମ୍ମୁଖରେ ଅଭିନୀତ ହୋଇଥିଲା।୨୬ ଯଦି ଶ୍ରୀ ଜୟଦେବଙ୍କ ଜନ୍ମକାଳ ୧୦୯୬ ଖ୍ରୀଷ୍ଟାବ୍ଦ ଧରାଯାଏ, ତେବେ ୧୧୧୨ ବେଳକୁ ତାଙ୍କ ବୟସ ୧୬ ବୟସ ହୋଇଥିବ। ସେତେବେଳକୁ ସେ ଛାତ୍ର ଥିବେ ଓ ‘ଗୀତଗୋବିନ୍ଦ’ ଭଳି ଏକ ମହାନ୍‍ ଗୀତିକାବ୍ୟ ରଚନା କରିବାପାଇଁ ଜଣେ ଓଡିଆପୁଅର ଯେତିକି ସଂସ୍କୃତଭାଷା-ଜ୍ଞାନ ଆବଶ୍ୟକ, ସେତିକି ପାଣ୍ଡିତ୍ୟ ଅର୍ଜନ କରିବାପାଇଁ ହୁଏତ ଆଉ କିଛି ବର୍ଷ ଲାଗିଥିବ। ତେଣୁ ୧୧୧୨ ରୁ ୧୧୪୬ ଖ୍ରୀଷ୍ଟାବ୍ଦ ନୁହେଁ, ଚୋଡ଼ଗଙ୍ଗାବ୍ଦ ପ୍ରଚଳନ କାଳରୁ, ଅର୍ଥାତ୍‌, ୧୧୨୮ ଖ୍ରୀଷ୍ଟାବ୍ଦରୁ ୧୧୪୬ ମଧ୍ୟରେ ‘ଗୀତଗୋବିନ୍ଦ’ ଶ୍ରୀପୁରୁଷୋତ୍ତମଙ୍କ ସମ୍ମୁଖରେ ଅଭିନୀତ ହେବା ବିଶ୍ୱାସ ଯୋଗ୍ୟ। ସେତେବେଳକୁ ବର୍ତ୍ତମାନର ଶ୍ରୀଜଗନ୍ନାଥ-ଦେଉଳ ନିର୍ମାଣ ଶେଷ ହେଲାଣି କି ନାହିଁ ତାହା ସଠିକ୍ ଭାବରେ କହିବା ଅଧିକ ଗବେଷଣା ସାପକ୍ଷ ।

ଐତିହାସିକ ଜଗବନ୍ଧୁ ସିଂହ କହନ୍ତି ଯେ, “ଯଯାତିକେଶରୀଙ୍କ ନିର୍ମିତ ଦେଉଳ ‘ବୈତମ’ (ପ୍ରାଚୀନ) ହୋଇଯାଇଥିବାରୁ ଚୋଡ଼ଗଙ୍ଗଦେବଙ୍କ ଅମଳରୁ ନୂତନ ଦେଉଳ ତୋଳା କାର୍ଯ୍ୟ ଆରମ୍ଭ ହୋଇଥିଲା।”୨୭ ସେ ମଧ୍ୟ ଲେଖିଛନ୍ତି ଯେ ଜଗନ୍ନାଥଙ୍କ ସେବା ପୂଜା, ଯାନିଯାତ୍ରା ଲାଗି ଚୁଡଙ୍ଗଦେବ ରାହାଙ୍ଗ ବିଶେଖଣ୍ଡିହାର ଗ୍ରାମ ୧ବାଟି ଖଞ୍ଜା କରିଥିଲେ।୨୮ ଐତିହାସିକ କେଦାରନାଥ ମହାପାତ୍ରଙ୍କ ମତରେ ଉତ୍କଳରେ ଗଙ୍ଗବଂଶର ପ୍ରତିଷ୍ଠା ହେଲା ୧୧୧୨ ଖ୍ରୀଷ୍ଟାବ୍ଦରେ (ଯେଉଁ କାଳରେ ଚୋଡ଼ଗଙ୍ଗଦେବ ବାରାଣସୀ କଟକକୁ ରାଜଧାନୀ ସ୍ଥାନାନ୍ତର କଲେ)। ଚୋଡ଼ଗଙ୍ଗ ଦେବ ପୂର୍ବରୁ ଶୈବଧର୍ମୀ ଥିଲେ ଓ ବୈଷ୍ଣବ ଧର୍ମ ଗ୍ରହଣ କଲାପରେ ନୀଳାଚଳ ଧାମରେ (ପୁରୀରେ) ବର୍ତ୍ତମାନର ମନ୍ଦିର ନିର୍ମାଣ କଲେ ।୨୯ ପଣ୍ଡିତ ବାଇକୋଳି ମହାପାତ୍ରଙ୍କ ମତରେ ଯଯାତିକେଶରୀ ୮୨୪ ଖ୍ରୀଷ୍ଟାବ୍ଦରେ ପୁରୀରେ ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ। ଏହା ପ୍ରାକୃତିକ କାରଣରୁ ଧ୍ୱଂସାଭିମୁଖୀ ହେବାରୁ ଚୋଳଗଙ୍ଗଦେବ ୧୧୩୮ ଖ୍ରୀଷ୍ଟାବ୍ଦରେ ତାହାର ନୂତନ ନିର୍ମାଣ ଆରମ୍ଭ କଲେ, ଯାହାକୁ ୧୧୯୬ ଖ୍ରୀଷ୍ଟାବ୍ଦରେ ଅନଙ୍ଗଭୀମ ଦେବ ସମ୍ପୂର୍ଣ୍ଣ କଲେ।୩୦

ପୂର୍ବରୁ ଉଲ୍ଲେଖ କରାଯାଇଛି ଯେ ଚୋଡ଼ଗଙ୍ଗ ଦେବ ୧୧୪୨ ଖ୍ରୀଷ୍ଟାବ୍ଦରେ ଶ୍ରୀପୁରୁଷୋତ୍ତମଙ୍କ ମନ୍ଦିରରେ ତାଙ୍କର ଜ୍ୟେଷ୍ଠପୁତ୍ର କାମାର୍ଣ୍ଣବଦେବଙ୍କୁ ଯୁବରାଜ ପଦରେ ଅଭିଷିକ୍ତ କଲେ। ଏହି କାମାର୍ଣ୍ଣବ ‘ଗୀତଗୋବିନ୍ଦ’ ଶୁଣିଲାପରେ ଅନ୍ନ, ଜଳ ସେବନ କରନ୍ତି। ତେଣୁ ଶ୍ରୀ ଜଗନ୍ନାଥଙ୍କ ମୁଖ୍ୟ ମନ୍ଦିରର (ବିମାନ) ନିର୍ମାଣ ଓ ‘ଗୀତଗୋବିନ୍ଦ’ର ରଚନା ଖ୍ରୀ.ଅ. ୧୧୨୮ ରୁ ୧୧୪୨ ଖ୍ରୀଷ୍ଟାବ୍ଦ ମଧ୍ୟରେ ହୋଇଛି ଏବଂ ଶ୍ରୀ ଜୟଦେବ ଖ୍ରୀଷ୍ଟୀୟ ଏକାଦଶ ଶତାବ୍ଦୀର ଶେଷ ଦଶକରେ ଜନ୍ମଲାଭ କରିଥିଲେ ବୋଲି କହିବା ସମୀଚୀନ ହେବ। ତଥାପି ଏ ସମ୍ବନ୍ଧରେ ଅଧିକ ଗବେଷଣା ହେବାର ଆବଶ୍ୟକତା ଅଛି। ଏହି ଲେଖକ ନିଜ ମତରେ ଦୃଢ଼ ଥିଲେ ମଧ୍ୟ ଅନ୍ୟର ସତ୍ୟ-ମତକୁ ବିନମ୍ରତାର ସହିତ ଗ୍ରହଣ କରେ।

ପ୍ରାନ୍ତଟୀକା

୧.Rama Sankar Tripathy, History of Ancient India, Motilal Banarssidass, Delhi, 1942, P.364-367.
୨. ‘ଶ୍ରୀଜୟଦେବ’, ଗ୍ରନ୍ଥମନ୍ଦିର, କଟକ, ୧୯୮୦, ପୃ.୧୧-୧୨।
୩. ପଣ୍ଡିତ ବୈଦ୍ୟନାଥ ଆଚାର୍ଯ୍ୟ, ‘ଗୀତଗୋବିନ୍ଦ କାବ୍ୟ: କବି ଜୟଦେବ ବିରଚିତ’, ସ୍ୱାଧୀନ ପ୍ରେସ, ବ୍ରହ୍ମପୁର, ୧୯୯୦, ପୃ. ମୁଖବନ୍ଧ-ଗ।
୪. ସମ୍ବାଦ, (ଦୈନିକ ସମ୍ବାଦପତ୍ର), ଭୁବନେଶ୍ୱର, ୨୦.୦୮.୨୦୦୩।
୫. Journal of Kalinga Historical Research Society, Vol.I, pp. 243-245
୬. ir W.Jones, Vol.I, P.440.
୭. ଅଜିତ୍ ତ୍ରିପାଠୀ, ୨୦୦୧, Birth Place of Jayadev, ପୃ.୯ ଓ କୀର୍ତ୍ତନ ନାରାୟଣ ପାଢ଼ୀ, ୨୦୧୪, ‘ଆମ ଓଡିଆ ଭାଷା’, ପୃ ୨୬୪ ।
୮. ଅଜିତ୍ ତ୍ରିପାଠୀ, ୨୦୦୧, Birth Place of Poet Jayadeva, ପୃ.୧୦
୯. ଏଜନ, ପୃ.୧୦।
୧୦. ‘ମହାକବି ଜୟଦେବ ଓ ଗୀତଗୋବିନ୍ଦ’, ପୃ.୧୬।
୧୧. କୀର୍ତ୍ତନ ନାରାୟଣ ପାଢ଼ୀ, ୨୦୦୫, ‘ଓଡ଼ିଶୀ ସଙ୍ଗୀତର ଇତିହାସ’, ପୃ.୫୧।
୧୨. ‘ଓଡ଼ିଶାର ସାଂସ୍କୃତିକ ଇତିହାସ’, ଓଡ଼ିଶା ସାହିତ୍ୟ ଏକାଡେମୀ, ୧୯୮୬, ପୃ. ୧୩।
୧୩. ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ, ‘ଶ୍ରୀଜୟଦେବ କୃତ ଗୀତଗୋବିନ୍ଦ’, ୨୦୦୨, ପୃ.୩୮।
୧୪. ‘ମହାକବି ଜୟଦେବ ଓ ଗୀତଗୋବିନ୍ଦ’, ୧୯୯୫, ଆଶା ପୁସ୍ତକାଳୟ, ବ୍ରହ୍ମପୁର, ପୃ. ୧୪।
୧୫. ତତ୍ରୈବ, ପୃ.୧୬।
୧୬. South Indian Inscription, Vol.I, No.1029, I.O. Vol. III, Pt.-I, P.60, ତୁଳନୀୟ, ତତ୍ରୈବ, ପୃ.୧୫।
୧୭. O.H.R.J. Vol.V, No.4 PP 179-182 ୧୭୯-୧୮୨ ତୁଳନୀୟ, ଏଜନ, ପୃ.୧୫।
୧୮. 18. Sri Gitagovindamahakavyam, 1985, Introduction,P.31.
୧୯. Birth Place of Poet Jayadev, 2001, P.14 .
୨୦. ସତ୍ୟନାରାୟଣ ରାଜଗୁରୁ, ‘ଓଡ଼ିଶାର ସାଂସ୍କୃତିକ ଇତିହାସ’, ୧୯୮୬. ପୃ.୮।
୨୧. ଗ୍ରନ୍ଥମନ୍ଦିର, କଟକ, ୧୯୮୦, ପୃ.୧୩।
୨୨. ‘ମହାକବି ଜୟଦେବ ଓ ଗୀତଗୋବିନ୍ଦ’, ୧୯୯୫, ପୃ.୩।
୨୩. ତତ୍ରୈବ, ପୃ.୫।
୨୪. ତତ୍ରୈବ, ପୃ.୪।
୨୫. I.T.P.O.S.J., p.5, ତୁଳନୀୟ, ତତ୍ରୈବ, ପୃ.୫।
୨୬. ତତ୍ରୈବ, ପୃ.୨୭।
୨୭. ‘ପ୍ରାଚୀନ ଉତ୍କଳ’, ଦ୍ୱିତୀୟ ଭାଗ, ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର, ୩ୟ ସଂସ୍କରଣ, ୧୯୮୨, ପୃ. ୯୭।
୨୮. ତତ୍ରୈବ, ପୃ.୮୬
୨୯. ‘ଓଡ଼ିଶାର ସାଂସ୍କୃତିକ ଇତିହାସ’, ସମ୍ପାଦନା – ଓଡ଼ିଶା କଲଚରାଲ ଫୋରମ୍‌, ଭୁବନେଶ୍ୱର, ଗ୍ରନ୍ଥମନ୍ଦିର, କଟକ, ୧୯୮୪ (୧୯୭୮), ପୃ.୮।
୩୦. ‘ଓଡ଼ିଆ ଆନ୍ଦୋଳନର ଇତିହାସ’, ଗୋପବନ୍ଧୁ ସାହିତ୍ୟ ମନ୍ଦିର, ଗୋପବନ୍ଧୁ ଭବନ, କଟକ, ୯.୧୦.୧୯୭୬, ପୃ.୮।

Share This Article
Dr. Kirtan Narayan Parhi, a distinguished musicologist and linguist, is renowned for his profound contributions to the field of music and language. Fluent in Odia, Sanskrit, Hindi, and English, Dr. Parhi holds a Sangit Praveen in Vocal Music and an honorary D.Litt. in Art and Music. His passion for collecting rare texts and palm-leaf manuscripts has greatly facilitated research works. A prolific writer of lyrical poems, he also excels in singing, composing, and directing music. Dr. Parhi has established and revived music institutes across Odisha, teaching both practical and theoretical aspects of music, along with its history and philosophy. An approved singer and lyricist of All India Radio since the mid-90s, he has directed and performed in numerous public functions and has been honored with prestigious awards, including the ‘Bhubaneswar Pustakamela Sammana’ and the ‘Niranjan Das Bhasa Sammana’ for his invaluable contributions to Odishi music and the Odia language.