[box type=”shadow” align=”” class=”” width=””]ସମ୍ବଲପୁର ମୁଦିପଡ଼ା ନିବାସୀ ପଢ଼ିଆରୀ ପରିବାର ଦ୍ୱାରା ଆୟୋଜିତ ତାଜିଆ ଶୋଭାଯାତ୍ରା କେବଳ ଓଡିଶା ନୁହଁ ସମଗ୍ର ଦେଶ ପାଇଁ ଏକ ଦୃଷ୍ଟାନ୍ତ । ୩୫୮ ବର୍ଷ ଧରି ତାଜିଆ ଶୋଭାଯାତ୍ରାର ପରମ୍ପରାକୁ ଏକ ହିନ୍ଦୁ ପରିବାର ପିଢ଼ି ପରେ ପିଢ଼ି ବଞ୍ଚେଇ ରଖିବା ହିନ୍ଦୁ ମୁସଲମାନ ସଂପ୍ରିତିର ଏକ ଅସାଧାରଣ ଉଦାହରଣ ଭାବରେ ଦଣ୍ଡାୟମାନ । ଏହି ବିଷୟଟିକୁ ଏଠାରେ ଉପସ୍ଥାପନ କରିଥିବା ଲେଖକ ଶ୍ରୀଯୁକ୍ତ ଅଶୋକ ପ୍ରଧାନ ପଢ଼ିଆରୀ ପରିବାର ଓ ତାଜିଆ ଶୋଭାଯାତ୍ରା ସହିତ ଖୁବ ପିଲାଦିନରୁ ସଂଶ୍ଲିଷ୍ଟ । ଏଠାରେ ସେ ନିଜର ଅନୁଭୂତି ଓ ତଥ୍ୟକୁ ଉପସ୍ଥାପନ କରି ଭାଇଚାରାର ସଂସ୍କୃତିକୁ ତୋଳିଧରିବା ପାଇଁ ସମଧ୍ୱନି ଆରମ୍ଭ କରିଥିବା ପ୍ରୟାସକୁ ଆଉପାଦେ ଆଗେଇନେବାରେ ସହଯୋଗ କରିଥିବାରୁ ଲେଖକଙ୍କୁ ଅଶେଷ ଧନ୍ୟବାଦ । – ସମ୍ପାଦକ[/box]
ବାଦ ବିବାଦ ବିସମ୍ବାଦ କାହିଁ କାହିଁ ଅସହନୀୟ ହେଉଥିବାବେଳେ ସ୍ନେହ ସୌହାର୍ଦ୍ଦ୍ୟ ସଂପ୍ରୀତି କାହିଁ କାହିଁ ଆଶ୍ୱସନା ଦେଉଥାଏ । ଧର୍ମାଚରଣକୁ ନେଇ ବେନି ଗୋଷ୍ଠୀ କେଉଁଠି ମୁହାଁମୁହିଁ ହେଉଥିବା ବେଳେ ଧର୍ମୀୟ ସମନ୍ୱୟ କେଉଁଠି ଶାନ୍ତିପାଠ କରୁଥାଏ । ସେହିଭଳି ସମନ୍ୱୟର ସନ୍ଦେଶ ବହନ କରେ ସମ୍ବଲପୁରର ପଢ଼ିଆରୀ ପରିବାର ଦ୍ୱାରା ଆୟୋଜିତ ଶୋଭାଯାତ୍ରା ଯାହା ଭାରତୀୟ ଇତିହାସକୁ ଦୃଷ୍ଟାନ୍ତଟିଏ ଦିଏ ।
ଏ ନିଆରା ପରଂପରା ଜନ୍ମଦିଏ ଏକ ପାରିବାରିକ ଘଟଣାକୁ ।୧୬୫୭ ମସିହାର କଥା । ସମ୍ବଲପୁର ମୁଦିପଡ଼ା ନିବାସୀ ପଢ଼ିଆରୀ ପରିବାରରେ ଏକ ବିବାହ ପ୍ରସ୍ତାବ ନେଇ ମତାନ୍ତର ଆସେ । ଫଳତଃ ବିବାହ ପ୍ରସ୍ତାବରେ ଅସହମତ ୨୨ ବର୍ଷୀୟ ଜୟଦେବ ପଢ଼ିଆରୀ କରନ୍ତି ଗୃହତ୍ୟାଗ । ପରିବ୍ରାଜନ ଦୀକ୍ଷାରେ କିଛି ବର୍ଷ ଭ୍ରମଣ ପରେ ପହଞ୍ଚନ୍ତି ମକ୍କା ସହରକୁ, ଆକୃଷ୍ଟ ହୁଅନ୍ତି ଇସଲାମ ଧର୍ମ ପ୍ରତି । ମକ୍କା ସହରରେ ମହରମ ଅବସରରେ ହେଉଥିବା ତାଜିଆ ଶୋଭଯାତ୍ରା ତାଙ୍କୁ ବିଶେଷ ଭାବରେ କରେ ପ୍ରଭାବିତ । ମକ୍କା ରହଣି କାଳରେ ସାହଚର୍ଯ୍ୟ ଲାଭ କରନ୍ତି ମୌଲାନା ସୟଦ ମସ୍ତାନ ବାବା ଏବଂ ମୌଲାନା ସୟଦ ନଜୀର ବାବାଙ୍କର । ୧୬୬୩ ମସିହା ବେଳକୁ ମନ ପରିବର୍ତ୍ତନ ହୁଅନ୍ତେ ପୂର୍ବୋକ୍ତ ବାବାଦ୍ୱୟଙ୍କ ସହ ଜୟଦେବ ପଢ଼ିଆରୀ ଫେରନ୍ତି ସମ୍ବଲପୁର । ସମ୍ବଲପୁର ଫେରିବା ପରେ ନୂଆଁ କିଛି କରିବାକୁ ଆସେ ବିଚାର । ପରାମର୍ଶ କରନ୍ତି ମୌଲାନାଙ୍କ ସହ । ମୌଲାନାଙ୍କ ପରାମର୍ଶକ୍ରମେ ଜୟଦେବ ଚିନ୍ତା କରନ୍ତି ସମ୍ବଲପୁରରେ ତାଜିଆ ଶୋଭାଯାତ୍ରା କରିବା ପାଇଁ । ଚୌହାଣ ରାଜତ୍ୱ ସମୟ । ରାଜାଙ୍କ ଅନୁମତି ବିନା ନୂଆ କିଛି ଆୟୋଜନ ସମ୍ଭବ ନୁହେଁ ।
ରାଜାଙ୍କଠାରୁ ଅନୁମତି ଆଣିବା ପାଇଁ ଜୟଦେବ ଦେଖାକରନ୍ତି ତତ୍କାଳୀନ ସମ୍ବଲପୁର ମହାରାଜା ଛତ୍ରସାଏଙ୍କ ସହ । ସହମତ ହୁଅନ୍ତି ରାଜା ଏ ଅଭିନବ ପ୍ରସ୍ତାବରେ । ମହରମ ତାଜିଆ ଶୋଭାଯାତ୍ରା ପାଇଁ ଅନୁମତି ଦେବା ସଙ୍ଗେ ସଙ୍ଗେ କିଛି ଜମି ମଧ୍ୟ ଦାନସୂତ୍ରରେ ପ୍ରଦାନ କରନ୍ତି । ଆରମ୍ଭ ହୁଏ ମୁଦିପଡ଼ା ପଢ଼ିଆରୀ ପରିବାର ଦ୍ୱାରା ଆୟୋଜିତ ମହରମ ତାଜିଆ ଶୋଭାଯାତ୍ରା ୧୬୬୪ ମସିହାରୁ ।
ପ୍ରଣିଧାନ ଯୋଗ୍ୟ ପ୍ରସଙ୍ଗ, ସେ ସମୟରେ ମୁଦିପଡ଼ାରେ କୌଣସି ମୁସଲମାନ ପରିବାର ନ ଥିଲେ । ତଥାପି ଜୟଦେବ ପଢ଼ିଆରୀଙ୍କ ଶୁସଙ୍କଳ୍ପରେ ଅଣମୁସଲମାନ ପଡ଼ାରେ ଜନ୍ମ ନେଲା ନିଆରା ପରମ୍ପରା । ହିନ୍ଦୁ ପରିବାରର ଜୟଦେବ ଆରମ୍ଭ କଲେ ସମ୍ବଲପୁର ମୁଦିପଡ଼ାରେ ମହରମ ତାଜିଆ ଶୋଭାଯାତ୍ରା ଇସଲାମୀୟ ରୀତିରେ । ସ୍ୱୀକାର କରିବାକୁ ହେବ ତାଙ୍କ ସାହସକୁ ।
କୁହାଯାଏ ମହରମ ଏକ ଉତ୍ସବ ନୁହେଁ । ତତ୍କାଳୀନ ସମାଜର କ୍ଷମତାଲିପ୍ସୁ ଏବଂ ଧାର୍ମାନ୍ଧ କିଛି ବ୍ୟକ୍ତିଙ୍କ ସ୍ୱେଚ୍ଛାଚାରିତା, ଅତ୍ୟାଚାର ଏବଂ ତତ୍ ସଙ୍ଗେ ସଙ୍ଗେ ସତ୍ୟକୁ ପାଥେୟ କରି ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ କରି ଶହୀଦ ହୋଇଥିବା ଦୈଗାମ୍ବର ମହମ୍ମଦଙ୍କ ପରିବାର ତଥା ଅନୁଗାମୀଙ୍କ ବଳିଦାନର ଗାଥା । ଧର୍ମଗୁରୁ ମହମ୍ମଦଙ୍କ ନାତି ଇମାମ୍ ହସନ୍ ଏକ ଷଡ଼ଯନ୍ତ୍ରର ଶିକାର ହୋଇ ମୃତ୍ୟୁବରଣ କରନ୍ତି ଏବଂ ପରବର୍ତ୍ତୀ ସମୟରେ ତାଙ୍କ ସାନ ଭାଇ ଇମାମ୍ହୁସେନ୍ ପ୍ରାୟ ୭୨ଜଣ ଅନୁଗାମୀଙ୍କ ସହ କରବଲାଠାରେ ଶହୀଦ ହୁଅନ୍ତି । ଏହା ଦ୍ୱାରା ଏମାନେ ଶିହା ସଂପ୍ରଦାୟ ପାଇଁ ତ୍ୟାଗ ଏବଂ ସତ୍ୟର ପ୍ରତୀକ ପାଲଟନ୍ତି । ସେହି ତିକ୍ତ କିନ୍ତୁ ଅଭୁଲା ସ୍ମୃତିକୁ ସ୍ମରଣ କରିବାକୁ ଶିହା ସଂପ୍ରଦାୟ ମହରମ ପାଳନ କରନ୍ତି । ସେହି ମହରମ ପାଳନ ପାଇଁ ସମ୍ବଲପୁର ମୁଦିପଡ଼ାରେ ଆଗଭର ହେଲେ ପଢ଼ିଆରୀ ପରିବାର । ଘୋଷିତ ହେଲା ଈଶ୍ୱର ଆଲ୍ଲା ତେରେନାମ ବାଣୀ ।
୧୬୬୪ ମସିହାରୁ ଆରମ୍ଭ ହୋଇଥିବା ଏହି ମହରମ ତାଜିଆ ଶୋଭାଯାତ୍ରା ମୁଦିପଡ଼ା ପଢ଼ିଆରୀ ପରିବାରକୁ ଇତିହାସରେ ସ୍ୱତନ୍ତ୍ର ସ୍ଥାନ ଦେଲା ବୋଧହୁଏ ।
ମୁଦିପଡ଼ା ତାଜିଆ ଶୋଭାଯାତ୍ରର ୮୨ ବର୍ଷ ପରେ ସମ୍ବଲପୁର, ବଡ଼ବଜାର ଅଞ୍ଚଳର ଅଧିବାସୀ ସମ୍ବଲପୁର ରାଜାଙ୍କୁ ନିବେଦନ କରନ୍ତି ତାଜିଆ ଶୋଭାଯାତ୍ରା ପାଇଁ । ସେ ସମୟ ପର୍ଯ୍ୟନ୍ତ ମୁଦିପଡ଼ା ପଢ଼ିଆରୀ ପରିବାର ତରଫରୁ ଦୁଇଟି ତାଜିଆ ବାହାରୁଥିବା କଥା କୁହାଯାଏ । ତାଜିଆ ଦୁଇଟି ମହରମର ପୃଷ୍ଠଭୂମିର ଦୁଇ ଭାଇ ଇମାମ୍ ହସନ୍ ଓ ଇମାନ୍ ହୁସେନଙ୍କ ସ୍ମୃତି ବହନ କରୁଥିବା କଥା କୁହାଯାଏ । ବଡ଼ବଜାରବାସୀଙ୍କ ନିବେଦନ କ୍ରମେ ସମ୍ବଲପୁର ମହାରାଜା ସମ୍ମତ ହୋଇ ବଡ଼ଭାଇ ଇମାମ୍ ହସନଙ୍କ ପ୍ରତୀକାତ୍ମକ ତାଜିଆକୁ ବଡ଼ବଜାର ବାସିନ୍ଦାକୁ ଦିଆଇ ଦିଅନ୍ତି । ଅନୁମତି ପ୍ରଦାନ କରନ୍ତି ବଡ଼ ବଜାରର ମଧ୍ୟ ତାଜିଆ ଶୋଭାଯାତ୍ରା ବାହାର କରିବା ପାଇଁ । ବଡ଼ଭାଇର ପ୍ରତୀକାତ୍ମକ ତାଜିଆ ବଡ଼ବଜାରକୁ ଦିଆଯାଇଥିବାରୁ ତାହା ବାହାରିଲା ପରେଯାଇ ସାନଭାଇର ତାଜିଆ ବାହାରିବାର ଧାରା ଚାଲୁରହେ । ଆଜି ମଧ୍ୟ ସେହି ପରମ୍ପରା ବଜାୟ ରହି ଆସୁଅଛି ।
ଆଉ ଏକ ଉଲ୍ଲେଖଯୋଗ୍ୟ କଥା ହେଲା ପ୍ରାୟ ସବୁ ତାଜିଆ ଗମ୍ବୁଜର ରଙ୍ଗ ସବୁଜ ଏବଂ ଧଳା ହୋଇ ଥିବାବେଳେ ମୁଦିପଡ଼ାର ତାଜିଆର ଗମ୍ବୁଜର ରଙ୍ଗ ଲାଲ । ସବୁଠାରୁ ଉଲ୍ଲେଖଯୋଗ୍ୟ ପ୍ରସଙ୍ଗ ହେଲା ଏକ ହିନ୍ଦୁ ପରିବାର ଆଠ ପିଢ଼ି ତଥା ୩୫୮ ବର୍ଷ ଧରି ଇସଲାମୀୟ ପରମ୍ପରାକୁ ପରିପାଳନ କରି ଆସୁଛନ୍ତି ।
ଏହି ୩୫୮ ବର୍ଷ ମଧ୍ୟରେ ବିଶ୍ୱ ଅନେକ ପରିବର୍ତ୍ତନ ଦେଖି ସାରିଥିବା ବେଳେ, ବିଗତ ଶତାବ୍ଦୀରେ ଦୁଇ ଦୁଇଟି ମହାଯୁଦ୍ଧକୁ ନେଇ ଲହୁଲୁହାଣ ହୋଇଥିବା ବେଳେ ଏହି ସ୍ମରଣୀୟ ପରଂପରାକୁ ପାଳନ କରିବାରେ ମୁଦିପଡ଼ା ପଢ଼ିଆରୀ ପରିବାର ହୋଇଛନ୍ତି ନିଷ୍ଠାପର । ଦେଶବିଭାଜନ ପରେ ସାମ୍ପ୍ରଦାୟିକ ଦଙ୍ଗାକୁ ନେଇ ଦେଶବାସୀ ସ୍ତବ୍ଧ ହେଉଥିବାବେଳେ ବି ବାହାରିଛି ପଢ଼ିଆରୀ ପରିବାରର ତାଜିଆ । ବନ୍ଦ ହୋଇ ନାହିଁ କେବେ ସୁଧା ସାଂପ୍ରଦାୟିକତାକୁ ନେଇ ।
ଏନେଇ ପରିବାରର ଶୁକଦେବ, ଗୌରାଙ୍ଗ ଏବଂ ଲାଲ ମୋହନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ୨୦୧୭ ମସିହାରେ ପ୍ରାୟ ୩୪ ବର୍ଷ ଧରି ଏହାର ନେତୃତ୍ୱ ନେଉଥିବା ଲାଲ ମୋହନ ପଢ଼ିଆରୀଙ୍କ ମାତ୍ର ୬୨ ବର୍ଷରେ ଦେହାନ୍ତ ହୁଏ । ତାଜିଆ ବାହାର କରିବାର ଭାର ଉଠାନ୍ତି ଅବିବାହିତ ଭାଇ ଭଉଣୀଗଣ । ୨୦୨୦ ମସିହାରେ ଠିକ୍ ମହରମ ପୂର୍ବରୁ ବଡ଼ ଭଉଣୀ ନିଲିମାଙ୍କ ମାତ୍ର ୪୯ ବର୍ଷରେ ହୁଏ ଅକାଳ ମୃତ୍ୟୁ। ତାଜିଆ ବାହାର କରିବାରେ ଆସେ ପ୍ରଶ୍ନବାଚୀ । ହେଲେ ଏତେ ବଡ଼ ଶକ୍ତ ଧକ୍କା ଖାଇ ସୁଦ୍ଧା ସାନ ଭାଇ ରାଜେନ୍ଦ୍ର ଓ ଭଉଣୀ ପୂର୍ଣ୍ଣିମା ବନ୍ଦ କରାନ୍ତି ନାହିଁ ତାଜିଆ ଶୋଭାଯାତ୍ରାକୁ ।
ପାରିବାରିକ ଜୀବନରେ ଏତେ ଦାଉଧକ୍କା ସହି ଆସୁଥିବା ପଢ଼ିଆରୀ ପରିବାର ଏଯାଏଁ ତାଜିଆ ଶୋଭାଯାତ୍ରା ପାଇଁ କାହା ପାଖରୁ ଆର୍ଥିକ ସହଯୋଗ ନେଉ ନ ଥିବା ପ୍ରଣିଧାନ ଯୋଗ୍ୟ । ଓଲଟି ତାଙ୍କୁ ସମ୍ମାନ ଜଣାଇ ଅନେକ ଅନୁଷ୍ଠାନ ଦେଉଥିବା ଟ୍ରଫି ଆଦିକୁ ଦେଇ ଦିଅନ୍ତି ସମର୍ଥକ ମାନଙ୍କୁ । ଅନ୍ୟମାନଙ୍କୁ ଦେଖାଇବା ପାଇଁ ସଜାଇ ରଖନ୍ତି ନାହିଁ ନିଜ ଘରେ । ମୋହ ମୁକ୍ତିର ଏହା ଏକ ବଡ଼ ଗୁଣ ନିଶ୍ଚୟ ।
ହିନ୍ଦୁ ପରିବାରର ମହରମ ତାଜିଆ ଶୋଭଯାତ୍ରାକୁ ସହଯୋଗ କରିଆସିଛନ୍ତି ଏକ ତରିଆ ପରିବାର ଏବଂ ଏକ ମୌଲବୀ ପରିବାରର । ତରିଆ ପରିବାର ତାଜିଆ ନିର୍ମାଣରେ କରି ଆସୁଛନ୍ତି ସହଯୋଗ ମୌଲବୀ ପରିବାର ଇସଲାମୀୟ ରୀତିନୀତିରେ ପୂଜାର୍ଚ୍ଚନା କରି କରନ୍ତି ସହଯୋଗ । ଏମାନଙ୍କୁ ନେଇ ଗଡ଼ି ଆସିଛି ପରମ୍ପରା । ଅଶାନ୍ତ ମଣିଷମାନଙ୍କୁ ଶାନ୍ତିର ବାଣୀ ଶୁଣାଇ ଆସିଛି ଏ ପରମ୍ପରା ।
ଜାତି, ଧର୍ମ, ବର୍ଣ୍ଣକୁ ନେଇ ସାଂପ୍ରତିକ ବିଶ୍ୱ ଅନେକ ଅଘଟଣ ଦେଖି ଆସୁଥିବା ବେଳେ ଏହି ଶାନ୍ତି ସଦ୍ଭାବନାର ସଂକେତବାହୀ ପଢ଼ିଆରୀ ପରିବାରର ତାଜିଆ ଶୋଭାଯାତ୍ରା ଆମକୁ ସହାବସ୍ଥାନର ମହାମନ୍ତ୍ର ଶୁଣାଉ, ଏତିକି ପ୍ରାର୍ଥନା ।