Home / ଅଡ଼ିଓ ଭିଡିଓ / ଗୀତର ନାଁ ଗୁରୁବାରୀ, ଜୀବନର ନାଁ ଡାଲଖାଇ (ଲୋକ କଳାକାର)

ଗୀତର ନାଁ ଗୁରୁବାରୀ, ଜୀବନର ନାଁ ଡାଲଖାଇ (ଲୋକ କଳାକାର)

Share Samadhwani

ସେ ହୁଏତ ସମ୍ବଲପୁରୀ ନାଚର କିମ୍ବଦନ୍ତୀ ନାୟିକା,ହେଲେ ବାସ୍ତବ ଜୀବନରେ କଳା ପ୍ରତି ଉଦାସୀନ ଆମ ସମୟ ଓ ସମାଜର ସେ ଏକ ପ୍ରଭାବଶାଳୀ ପ୍ରତୀକ । ଜୀବନ ବିତିଗଲା ଏମିତି ଏକ ନାଚର ସେବାରେ, ଯାହାର ପେଶାଦାର ଭବିଷ୍ୟତ ନାହିଁ କି ନଥିଲା । ଲୋକନୃତ୍ୟର କଳାକାରଙ୍କ ଲାଗି ସେଇଟା ବଡ଼ ବିଡ଼ମ୍ବନା । ଲୋକ କଳାକାରକୁ ସାରା ଜୀବନର ସାଧନା ପରେ ବି ସ୍ୱୀକୃତି ସହଜରେ ମିଳେ ନାହିଁ । ଜୀବନ ଓ ନୃତ୍ୟର ଛନ୍ଦ ଏତେ ଅଲଗା ଯେ ମଂଚରୁ ତଳକୁ ଓହ୍ଲାଇଲେ ପୃଥିବୀ ଲାଗେ ଗୋଟେ ଭାତ ନଥିବା ମେଲା ହାଣ୍ଡି ପରି ।
ରହିବାଲାଗି ଘର ନଥାଏ, ଖାଇବା ଲାଗି ଗରସେ ପଖାଳ ନ ଥାଏ, ଅଥଚ ମନ ତଳର ସେ କଳାକାରଟି ମରେ ନାହିଁ । ଢୋଲରେ ପାର୍ ବାଜିଲେ ପାଦ ଉଚ୍ଛନ ହୁଏ, ଅଭାବର ଜୀବନ ସହ କଳାକାରର ଭାବ ପୁଣି ଯୋଡ଼ି ହୋଇଯାଏ । ସବୁ ଅଭାବ ସତ୍ତ୍ୱେ ପାଦ ଅଥୟ ହୁଏ ମଂଚରେ, ଏପରିକି ମଲା ପରେ ବି ସେ ପାଦରେ ଲାଖି ରହିଥାଏ ଗୋଟେ ଲାଳିତ୍ୟ । ଗୁରୁବାରୀ ମିର୍ଦ୍ଧା ପ୍ରାଣହୀନ ହୋଇ ପଡ଼ିରହିଥିବା ବେଳେ ସେ ମୁହଁରେ କେଉଁଠି ନା କେଉଁଠି ସେ ଛନ୍ଦ ଓ ଲାଳିତ୍ୟ ଅଛି, ଯାହାର ମୃତ୍ୟୁ ନାହିଁ!!
ତେବେ କିଏ ଏହି ଗୁରୁବାରୀ ମିର୍ଦ୍ଧା? କ’ଣ ତାଙ୍କର ପରିଚୟ? ତାଙ୍କ ଜୀବନ କାହାଣୀ ଗୋଟେ ଅଧାଲେଖା ଉପନ୍ୟାସ ପରି । ଓଡ଼ିଶାରେ ଏମିତି ଅନେକ କଳାକାର ଅଛନ୍ତି, ଯେଉଁମାନେ ଗୋଟେ ନିର୍ଦ୍ଦିଷ୍ଟ ସମୟରେ ଆମର ସାଂସ୍କୃତିକ ଇତିହାସ ଗଢ଼ିବାରେ ଧର୍ମପଦର ଭୂମିକା ତୁଲାଇଛନ୍ତି ଓ ସମୟର ସ୍ରୋତରେ ବିଲୀନ ହୋଇ ଯାଇଛନ୍ତି । ସମୟ ଓ ସମାଜ ତାଙ୍କୁ ସ୍ୱୀକୃତି ଦେଇନାହିଁ କି ସମ୍ମାନର ସହ ବଂଚିବାର ସୁଯୋଗ ଦେଇନାହିଁ । ଗୁରୁବାରୀ ମିର୍ଦ୍ଧା ସେମିତି ଏକ ଶିଳ୍ପୀ, ଯିଏ ନିଜ ସମୟର ଇତିହାସ ତିଆରି କରି ସମର ସ୍ରୋତରେ ନିଃଶେଷ ହୋଇଯାଇଛନ୍ତି । ତାଙ୍କୁ ଚିହ୍ନିବା ଓ ତାଙ୍କୁ ସମ୍ମାନର ସହ ଭଲ ପାଇବା ପ୍ରତ୍ୟେକ ଓଡ଼ିଆର ନୈତିକ ଦାୟିତ୍ୱ ହେବା ଉଚିତ ।
ସମ୍ବଲପୁରୀ ନାଚ ଓ ଗୁରୁବାରୀ:
ସମ୍ବଲପୁରୀ ନାଚର ନିର୍ଦ୍ଦିଷ୍ଟ କୌଣସି ସ୍ୱରୂପ ନାହିଁ । ପଶ୍ଚିମ ଓଡ଼ିଶାର ଲୋକ ପରମ୍ପରାରେ ବହୁ ପ୍ରକାରର ଗୀତ ଓ ନୃତ୍ୟ ରହିଛି । ଡାଲଖାଇ, ରସରକେଲୀ, ମାଏଲାଜଡ଼, ଜାଇଫୁଲ, ସଜନୀ ଗୀତ, ହୁମୋ ବଉଲୀ, ଦୁଲା ବିହା….ଏମିତି କେତେପ୍ରକାର ଓ କେତେ ପ୍ରଜାତି । ଜନଜୀବନର ଛନ୍ଦକୁ ବିଭିନ୍ନ ପର୍ବପର୍ବାଣୀ, ଉତ୍ସବ ଅନୁଷ୍ଠାନ ଓ ଧାର୍ମିକ ଆଚରଣର ପୃଷ୍ଠଭୂମିରେ ଲୋକ କଳାକାର ମାନେ ମହିମାମଣ୍ଡିତ କରନ୍ତି । ପଶ୍ଚିମ ଓଡ଼ିଶାର ପ୍ରାୟ ଲୋକଗୀତ ଓ ନୃତ୍ୟ ଏହି ସବୁ ତିହାର (ପାର୍ବଣ) ଓ ଉସନାଖୀ (ଉତ୍ସବ ଆନନ୍ଦ)ରୁ ସୃଷ୍ଟି ହୋଇଛି । ଗୁରୁବାରୀ ମିର୍ଦ୍ଧା ଏହି ପରମ୍ପରାର ଦାୟାଦ । ସେ ଗାଁର ଝିଅ, ଗାଁରେ ଡାଲଖାଇ କୁଠିରୁ ସେ ଶିଖିଛନ୍ତି ନାଚ । କୋଉ ଗୁରୁ କି ଗୁରୁକୁଳ ତାଙ୍କ ଲାଗି ନଥିଲା । ଭାଇ ଜିଉନ୍ତିଆ ଓଷା (ଆଶ୍ୱିନ ଶୁକ୍ଳ ଅଷ୍ଟମୀରେ ପାଳିତ ହୁଏ) ସହିତ ଡାଲଖାଇ ଓଷା ବି ପାଳିତ ହୁଏ । ଗୁରୁବାରୀ ଏଇଠୁ ଶିଖିଥିଲେ ତାଙ୍କର ନାଚ ।
ଗୁରୁବାରୀଙ୍କୁ ଓଡ଼ିଶାର ସାଂସ୍କୃତିକ ଇତିହାସରେ ଗୋଟେ ସ୍ୱତନ୍ତ୍ର ସମ୍ମାନ ମିଳିଥିଲା, ତାର କାରଣ ହେଉଛି ସମ୍ବଲପୁରୀ ଲୋକ ନୃତ୍ୟକୁ ଗାଁ ଦାଣ୍ଡରୁ ନେଇ ଦରବାରରେ ପହଂଚାଇବାର ବିରଳ ସଫଳତା ।

୧୯୬୯ରେ ମସିହା ଜାନୁଆରୀ ୨୬ରେ ସମ୍ବଲପୁରୀ-ଡାଲଖାଇ ନୃତ୍ୟ ପରିବେଷଣ କରିବାକୁ ଗୁରୁବାରୀ ଦିଲ୍ଲୀ ଯାଇଥିଲେ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂଦେଓ ଓ ମନ୍ତ୍ରୀ ମୁରାରୀ ପ୍ରସାଦ ମିଶ୍ରଙ୍କ ଉଦ୍ୟମ କ୍ରମେ ଏକ ସମ୍ବଲପୁରୀ ଲୋକନୃତ୍ୟ ଦଳ ଦିଲ୍ଲୀ ଜନରାଜ୍ୟ ଦିବସରେ ନୃତ୍ୟ ପରିବେଷଣ କରିବାକୁ ଯାଇଥିଲେ । ଏହି ଦଳର ମୁଖିଆ ନର୍ତ୍ତକୀ ଥିଲେ ଗୁରୁବାରୀ । ସମ୍ବଲପୁରୀ ପରଦା ଶାଢ଼ୀ, ମୁଣ୍ଡରେ ଢାଲିଆ ଖୁସା, ଦେହରେ କତରିଆ, ବନ୍ଦରିଆ, ଝଲକା, ତାଡ଼, ବାହ୍ୟ ସୂତା, ପାଦରେ ପଏଁରି ଓ ତରୁଣୀ ଅଙ୍ଗରେ ଡାଲଖାଇ ନାଚର ଉନ୍ମାଦନା । ଗୁରୁବାରୀଙ୍କ ନୃତ୍ୟର ଉଦ୍ଦାମ ଛନ୍ଦ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ତନ୍ମୟ କରିଥିଲା । ଗୁରୁବାରୀଙ୍କ ସହ ପାଦରେ ପାଦ ମିଳାଇ ଇନ୍ଦିରା ନାଚି ପକେଇଥିଲେ । ତାହାହିଁ ଥିଲା ସମ୍ବଲପୁରୀ ନାଚକୁ ଜାତୀୟ ସ୍ୱୀକୃତି ମିଳିବାର ପ୍ରଥମ ପାହାଚ ।
୧୯୬୮ରେ ଗୁରୁବାରୀଙ୍କ ବୟସ ଥିଲା ୧୬ । ତା’ପରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ନାଚିଛନ୍ତି ଓ ଗାଇଛନ୍ତି । ଯେତେବେଳେ ରକ୍ଷଣଶୀଳ ସମାଜରେ ମଂଚକୁ ଯିବା ଏକ କଳଙ୍କ, ସେତେବେଳେ ସାହସର ସହିତ ଗୁରୁବାରୀ ନିଜ ନାଚକୁ ସାଧନା ଭାବେ ଗ୍ରହଣ କରିଛନ୍ତି । ଏହି ସମାନ ସମୟରେ ଓଡ଼ିଶୀ ନୃତ୍ୟ ଶାସ୍ତ୍ରୀୟ ମର୍ଯ୍ୟାଦା ପାଉଛି ଓ ଅନେକ ନାରୀ ଶିଳ୍ପୀ ଏହାକୁ ନିଜର ଜୀବନ-ଜୀବିକା ଭାବରେ ଗ୍ରହଣ କରୁଛନ୍ତି ଓ ସଫଳ ମଧ୍ୟ ହେଉଛନ୍ତି । ସମ୍ବଲପୁରୀ ନାଚର ସେ ସୌଭାଗ୍ୟ ଆସୁନାହିଁ । ଆଜିଯାଏଁ ସମ୍ବଲପୁରୀ ନାଚ କେବଳ କିଶୋରୀ ବୟସର ଉଲ୍ଲାସ ଭିତରେ ସୀମିତ ରହିଛି । ବୟସ ଗଡ଼ିଚାଲେ, ସମ୍ବଲପୁରୀ ନାଚିବାର ସୁଯୋଗ ଇ ନାହିଁ । ସେଇ ବିଡ଼ମ୍ବନା ଗୁରୁବାରୀଙ୍କ ଜୀବନରେ ବି ଆସିଛି ।
ଘର ସଂସାର ଓ ଅଭାବୀ ଜୀବନର ଦହନ ତାଙ୍କୁ ମଂଚରୁ ଦୂରେଇ ନେଲା ସିନା, ନାଚ ତାଙ୍କୁ ଛାଡ଼ିଲା ନାହିଁ । ଯେତେବେଳେ ବି ଯେଉଁଠି ସୁଯୋଗ ମିଳିଛି ସେ ନାଚ ଶିଖେଇଛନ୍ତି ଓ ନିଜେ ନାଚିଛନ୍ତି । ସମ୍ବଲପୁରୀର ଚାଖି ଚାହାନୀ, ଅଂଗରେ ଝରଣାର ରାଗ ଓ ମୁହଁ ମଲକା ଅଭିନୟ ଗୁରୁବାରୀଙ୍କ ନୃତ୍ୟରେ ଉତ୍କର୍ଷ ହାସଲ କରିଥିଲା । ସେ ଥିଲେ ସାକ୍ଷାତ ଡାଲଖାଇ । (ଏଠି କହି ରଖିବା ଉଚିତ ହେବ ଯେ ଡାଲଖାଇ ଏକ ଦେବୀ) ତାଙ୍କ ଲଚକ୍‌ର କୌଣସି ତୁଳନା ନାହିଁ ।
ଜୀବନ ସଂଘର୍ଷରେ ତାଙ୍କ ଲାଗି ରହିବା ଲାଗି ଘର ଖଣ୍ଡେ ବି ନଥିଲା କି ବଂଚିବା ଲାଗି ବିଶେଷ ସାଧନ ନଥିଲା । ମୁଢ଼ି ଭାଜି ସେ ଜୀବିକା ନିର୍ବାହ କରୁଥିଲେ । ବଡ଼ କଷ୍ଟରେ ପରିଣତ ବୟସରେ ତାଙ୍କୁ ରହିବାଲାଗି ଇନ୍ଦିରା ଆବାସ ଖଣ୍ଡେ ମିଳିଥିଲା, ତାହା ପୁଣି ବହୁତ କୁହାବୋଲା ପରେ । ସରକାରୀ ଅବହେଳା ଏଥିଲାଗି ହୁଏତ ଦାୟୀ, କିନ୍ତୁ ଗୋଟେ ସଭ୍ୟସମାଜ ଭାବରେ ଆମେ ବି ଆମ ଦାୟିତ୍ୱ ତୁଲାଇବାରେ ବିଫଳ ହୋଇଛୁ । ଶସ୍ତା ଗୀତ ନାଚ ପ୍ରତି ଆମର ଆକର୍ଷଣ ଏତେ ବେଶୀ ଯେ ମାଟିର କଳାକାର ପାଇଁ ଆମପାଖରେ ଦେବାକୁ କିଛି ନାହିଁ । ଜୀବନର ଅନ୍ତିମ ଭାଗରେ ତାଙ୍କ ସାଧନା ଲାଗି କିଛି କିଛି ସମ୍ମାନ ଓ ସ୍ୱୀକୃତି ତାଙ୍କୁ ମିଳିଥିଲା । ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଓ ଆହୁରି କିଛି ଅନୁଷ୍ଠାନ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅନେକ ସମୟରେ ସରକାରୀ ସାଂସ୍କୃତିକ ଉତ୍ସବରେ କିଏ କେଉଁଠି ହୁଏତ ଶାଲ୍ ଖଣ୍ଡେ କି ମାନପତ୍ରଟେ ଦେଇଛି । ତେବେ ଏକ ସମ୍ମାନଜନକ ଜୀବନ ଲାଗି ତାହା କ’ଣ ଯଥେଷ୍ଟ?
୨୦ ଅକ୍ଟୋବର ଦିନ ଏହି କିମ୍ବଦନ୍ତୀ ନାୟିକାଙ୍କ ଜୀବନ ଦୀପ ଲିଭିଗଲା । ବରଗଡ଼ ଜିଲ୍ଲା ବିଜେପୁର ପାଖ ଏମ୍‌. ଗଣ୍ଡପଲି ଗାଁରେ ୭୦ବର୍ଷ ବୟସରେ ସେ ମୃତ୍ୟୁବରଣ କଲେ । ଗୁରୁବାରୀଙ୍କ ବିଷୟରେ ଆଜି ଯାହା ଲେଖା ହେଲେ ବି ଆମକୁ ଗୋଟିଏ କଥା ମାନିବାକୁ ପଡ଼ିବ ଯେ ଗୋଟିଏ ସମାଜ ଭାବରେ ଆମର ସୃଜନଶୀଳ ପ୍ରତିଭାମାନଙ୍କୁ ଆମେ ଶ୍ରଦ୍ଧା, ସମ୍ମାନ ଓ ମର୍ଯ୍ୟାଦାର ଜୀବନଟିଏ ଦେଇପାରି ନାହୁଁ ।

 

Photo credit-https://bit.ly/3A17f2S

https://bit.ly/3vMBrfA


Share Samadhwani
Support Samadhwani

About କେଦାର ମିଶ୍ର

କବି, ସାମ୍ବାଦିକ, ସଙ୍ଗୀତ ସମାଲୋଚକ

Check Also

‘ଗଁଡ଼ାବଜା’ବୃତ୍ତଚିତ୍ରର ଉନ୍ମୋଚନ

Share Samadhwaniଗତକାଲି ଲୋହିଆ ଏକାଡ଼େମୀ ପରିସରରେ  ‘ଗଁଡ଼ାବଜା’ବୃତ୍ତଚିତ୍ରର ଉନ୍ମୋଚନ ଉତ୍ସବ ପାଳନ ହୋଇଯାଇଛି । ସମଧ୍ୱନି ଦ୍ୱାରା ପ୍ରସ୍ତୁତ କରାଯାଇଥିବା …