[box type=”note” align=”aligncenter” class=”” width=””]ଓଡ଼ିଶାର ଐତିହ୍ୟରେ ନାରୀ, ଏହି ବିଷୟରେ ଏକ ଲେଖା ପ୍ରକାଶିତ ହୋଇଥିଲା 1972 ମସିହାରେ ସମତା ପତ୍ରିକାରେ । ଏହି ଲେଖାର ଲେଖକ ଡ଼ଃ ନବୀନ କୁମାର ସାହୁ ଓଡ଼ିଶାର ଜଣେ ସୁନାମଧନ୍ୟ ଐତିହାସିକ । ପ୍ରାଚୀନ କାଳରେ ଆର୍ଯ୍ୟ ଓ ଆର୍ଯ୍ୟେତର ଜାତିଙ୍କ ସାଂସ୍କୃତିକ ସମନ୍ୱୟ ନିମନ୍ତେ ନାରୀମାନଙ୍କର ବିଶେଷ ଅବଦାନ ଥିଲା ଓ ଓଡ଼ିଶାର ଅତୀତର ଇତିହାସରେ ଅନେକ ନାରୀ ଶାସନରେ ଅଧିଷ୍ଠିତ ହୋଇ ରାଜ୍ୟର ପ୍ରଗତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ବୋଲି ସେ ବଳିଷ୍ଠ ଭାବେ ଉପସ୍ଥାପନ କରିଛନ୍ତି । ବର୍ତ୍ତମାନ ସମୟରେ ନାରୀମାନଙ୍କର ଐତିହାସିକ ଭୂମିକା ସମ୍ପର୍କରେ ଅଧିକ ଚର୍ଚ୍ଚାର ଆବଶ୍ୟକତା ଅଛି ଅନୁଭବ କରି ଲେଖାଟିକୁ ପୁନଃ ପ୍ରକାଶ କରାଯାଇଛି । – ସମ୍ପାଦକ[/box]
(ଏକାଦଶ ଶତାବ୍ଦୀ ପର୍ଯ୍ୟନ୍ତ)
ଓଡ଼ିଶାର ଅତୀତ ସଂସ୍କୃତିରେ ନାରୀଜାତିର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ପ୍ରାଚୀନ କାଳରେ ଆର୍ଯ୍ୟ ଓ ଆର୍ଯ୍ୟେତର ଜାତିଙ୍କ ସାଂସ୍କୃତିକ ସମନ୍ୱୟ ନିମନ୍ତେ ନାରୀମାନଙ୍କର ବିଶେଷ ଅବଦାନ ଲକ୍ଷ୍ୟ କରାଯାଏ । ସେହି ସମନ୍ୱୟର ଉଦାହୃତି ମହାଭାରତ ଓ ପୁରାଣ ଆଦିରୁ ମିଳେ । ଉତ୍ତର ଭାରତର ବିଭିନ୍ନ ଆର୍ଯ୍ୟ ଗୋଷ୍ଠୀର ବିଖ୍ୟାତ ନରପତିମାନେ କଳିଙ୍ଗର ରାଜ ପରିବାର ସହିତ ବୈବାହିକ ସଂପର୍କ ସ୍ଥାପନ କରିବା ପାଇଁ ବିଶେଷ ଆଗ୍ରହୀ ଥିଲେ । ଯେଉଁ ପୁରୁରାଜ ଅନ୍ତରୋଧନ ନିଜର ବଂଶ ପରଂପରା ନେଇ ଗର୍ବ ଅନୁଭବ କରୁଥିଲେ, ସେ କଳିଙ୍ଗର ଆର୍ଯ୍ୟୋତର ରାଜାଙ୍କ କନ୍ୟା କରମ୍ଭାଙ୍କର ପାଣିଗ୍ରହଣ କରିଥିଲେ । ଯେଉଁ ପୌରବବଂଶୀ ରାଜା ଭରତଙ୍କ ନାମରୁ ଭାରତବର୍ଷ ନାମିତ, ତାଙ୍କର ପିତାମହ (ଦୁଷ୍ୟନ୍ତ ପିତା ଇନ୍ଦିନ) ଥିଲେ ଜଣେ କଳିଙ୍ଗ ରାଜକୁମାରୀଙ୍କର ପୁତ୍ର ।
ମହାଭାରତ ଶାନ୍ତି ପର୍ବରେ ମିଳେ ଯେ, କଳିଙ୍ଗରାଜ ଚିତ୍ରାଙ୍ଗଦଙ୍କର କନ୍ୟାଙ୍କ ସ୍ୱୟମ୍ବରୋତ୍ସବରେ ବହୁ ଆର୍ଯ୍ୟବଂଶୀ ରାଜା ଉପସ୍ଥିତ ଥିଲେ । କଳିଙ୍ଗ ରାଜଜେମା ଦୁର୍ଯ୍ୟୋଧନଙ୍କୁ ବରଣ ନ କରି ତାଙ୍କ ସମ୍ମୁଖରୁ ମୁହଁମୋଡ଼ି ଚାଲିଯିବାରୁ ସେହି ଅଭିମାନୀ କୁରୁରାଜ ତାଙ୍କୁ ବଳପୂର୍ବକ ଟାଣି ନେଇ ବିବାହ କରିଥିଲେ । ଆର୍ଯ୍ୟବଂଶୀ ନରପତିମାନେ କଳିଙ୍ଗ ରାଜପରିବାରରେ ବୈବାହିକ ବନ୍ଧନ ସ୍ଥାପନ କରିଥିବା ଏହିପରି ବହୁ ଉଦାହରଣ ଉଲ୍ଲେଖ କରାଯାଇ ପାରେ । ସେହି ବୈବାହିକ ସଂପର୍କ ଏକ ତରଫା ନଥିଲା । କଳିଙ୍ଗର ରାଜମାନେ ମଧ୍ୟ ଆର୍ଯ୍ୟ ପରିବାରର ନାରୀମାନଙ୍କୁ ବିବାହ କରିଥିବା ଉଦାହରଣ ପ୍ରାଚୀନ ସାହିତ୍ୟରୁ ମିଳେ ।
କଳିଙ୍ଗର ରାଜା ଦ୍ରୌପଦୀଙ୍କ ସ୍ୱୟମ୍ବର ସଭାରେ ସସମ୍ମାନରେ ଉପସ୍ଥିତ ଥିଲେ । ଜାତକ ଗ୍ରନ୍ଥରୁ ମିଳେ ଯେ, କଳିଙ୍ଗ ରାଜକୁମାର ଚୁଳ କାଳିଙ୍ଗ ମଦ୍ରରାଜାଙ୍କ କନ୍ୟାଙ୍କୁ ବିବାହ କରିଥିଲେ । କଳିଙ୍ଗରେ ଆର୍ଯ୍ୟ ପରିବାରମାନଙ୍କର ବୈବାହିକ ସଂପର୍କ ଭାରତୀୟ ସଂସ୍କୃତିରେ ଯେଉଁ ଆନ୍ଦୋଳନ ସୃଷ୍ଟି କରିଥିଲା, ତାହା ବିଶେଷ ତାତ୍ପର୍ଯ୍ୟ ପୂର୍ଣ୍ଣ । ସେହି ସଂପର୍କ କେବଳ ରାଜପରିବାର ମଧ୍ୟରେ ଆବଦ୍ଧ ନଥିଲା । ତାହା ଜନସାଧାରଣଙ୍କ ମଧ୍ୟରେ ପ୍ରସାରିତ ହେଉଥିବା ଦୃଷ୍ଟିରୁ ପ୍ରାଚୀନ ଧର୍ମସୂତ୍ର ପ୍ରଣେତାମାନେ ଆର୍ଯ୍ୟମାନଙ୍କୁ କଳିଙ୍ଗ ରାଜ୍ୟରେ ପ୍ରବେଶ କରିବା ପାଇଁ ନିଷେଧାଜ୍ଞା ଜାରି କରିଥିଲେ । ଗୌତମ, ଆପସ୍ତମ୍ଭ ଓ ବୈଧାୟନ ଆର୍ଯ୍ୟମାନଙ୍କର କଳିଙ୍ଗ ଆଗମନର ଅପରାଧ ନିମନ୍ତେ କଠିନ ପ୍ରାୟଶ୍ଚିତ ବିଧାନ କରିଥିଲେ । ମାତ୍ର ସବୁପ୍ରକାର ଶାସ୍ତ୍ରୀୟ ବିଧି ଓ ଧାର୍ମିକ ବାଧା ସତ୍ତ୍ୱେ ସେହି ଦୁଇ ମହାଜାତିର ରକ୍ତଗତ ମିଶ୍ରଣ ଓ ତଜ୍ଜନିତ ସାଂସ୍କୃତିକ ସମନ୍ୱୟ ବହୁ ଶତାବ୍ଦୀ ଧରି ଦୃଢ଼ ପଦକ୍ଷେପରେ ଚାଲିଥିଲା ।
ଖ୍ରୀ.ପୂ. ତୃତୀୟ ଶତାବ୍ଦୀରେ ମୌର୍ଯ୍ୟ ସମ୍ରାଟ ଅଶୋକ କଳିଙ୍ଗର ଜଣେ କୈବର୍ତ୍ତ କନ୍ୟା କାରୁବାକୀଙ୍କର ରୂପ-ଲାବଣ୍ୟରେ ବିମୋହିତ ହୋଇ ପଡ଼ିଥିଲେ । କାରୁବାକୀ ରାଜକନ୍ୟା ନ ଥିଲେ । ମାତ୍ର ସେ ଥିଲେ କଳିଙ୍ଗ ଯୁବରାଜଙ୍କର ପ୍ରେମିକା । ସେହି କୁମାରୀଙ୍କର ତାରୁଣ୍ୟ ଓ ସୌନ୍ଦର୍ଯ୍ୟ ଐତିହାସିକ କଳିଙ୍ଗ ଯୁଦ୍ଧର ଆଶୁ କାରଣ ହୋଇଥିବା କିମ୍ବଦନ୍ତୀରୁ ଜଣାପଡ଼େ ।
ସୁବିଖ୍ୟାତ ଲଙ୍କା ଯୁଦ୍ଧ ଓ କୁରୁକ୍ଷେତ୍ର ଯୁଦ୍ଧର ମୂଳକାରଣ ରୂପେ ଯେପରି ସୀତା ଓ ଦ୍ରୌପଦୀଙ୍କ ନାରୀତ୍ୱର ସମ୍ମୋହନ ପ୍ରକାଶ ପାଏ, ଠିକ୍ ସେହିପରି ଅଶୋକଙ୍କର କଳିଙ୍ଗ ଯୁଦ୍ଧର ମୂଳରେ କାରୁବାକୀଙ୍କ ସୌନ୍ଦର୍ଯ୍ୟର ଆକର୍ଷଣ ପ୍ରଭାବ ବିସ୍ତାର କରିଥିବା ଦେଖାଯାଏ । ଯୁଦ୍ଧର ପରିଣତି ରୂପେ କଳିଙ୍ଗ ହେଲା ଅଶୋକଙ୍କ ସାମ୍ରାଜ୍ୟର ଏକ ଅଙ୍ଗ ଏବଂ କାରୁବାକୀ ହେଲେ ଅଶୋକଙ୍କର ଅର୍ଦ୍ଧାଙ୍ଗିନୀ । ଏଲାହାବାଦ ସ୍ତମ୍ଭ ଅନୁଶାସନରେ ଅଶୋକ ନିଜର ଦ୍ୱିତୀୟା ମହିଷୀ ତିବର ଜନନୀ କାରୁବାକୀଙ୍କ ପ୍ରସଙ୍ଗ ଉଲ୍ଲେଖ କରିଅଛନ୍ତି । ତହିଁରୁ ମିଳେ ଯେ, ସେ କାରୁବାକୀଙ୍କୁ ଅତିଶୟ ଭଲ ପାଉଥିଲେ ଏବଂ ତାଙ୍କର ସନ୍ତୋଷ ବିଧାନ ନିମନ୍ତେ କାର୍ଯ୍ୟ କରିବା ପାଇଁ ସର୍ବଦା ପ୍ରସ୍ତୁତ ଥିଲେ ।
ବୌଦ୍ଧଧର୍ମ ପ୍ରତି ଅଶୋକଙ୍କର ପୃଷ୍ଠପୋଷକତାରେ କାରୁବାକୀଙ୍କର ପ୍ରେରଣା କାର୍ଯ୍ୟ କରିଥିବା ଅନେକେ ମତ ପ୍ରଦାନ କରନ୍ତି । ଇତିକଥାର କାରୁବାକୀ ଏବଂ ଅଶୋକଙ୍କ ଅନୁଶାସନର କାରୁବାକୀ ଯେ ଏକ ନାରୀ, ତାହା କହିବାର ବିଶେଷ କାରଣ ରହିଅଛି ।
ଅଶୋକଙ୍କ ଉପରେ କାରୁବାକୀଙ୍କର ଯେଉଁ ପ୍ରଭାବ ପଡ଼ିଥିଲା; ତାହା ଭାରତର ଧର୍ମଜୀବନକୁ ଆଲୋଡ଼ିତ କରି ପାରିଥିଲା । ତାହାର ପଟାନ୍ତର ଦେଖିବାକୁ ମିଳେ କଳିଙ୍ଗ ସମ୍ରାଟ ଖାରବେଳଙ୍କର ଦ୍ୱିତୀୟା ମହିଷୀ ସିଂହପଥ ରାଣୀଙ୍କ କାର୍ଯ୍ୟକଳାପରେ । ଖାରବେଳଙ୍କର ଦୁଇଜଣ ରାଣୀ ଥିବା ହାତୀଗୁମ୍ଫା ଅଭିଲେଖରୁ ଜଣାଯାଏ । ପ୍ରଥମା ରାଣୀ ଥିଲେ ବଜିର୍ଘର ରାଜ ହସ୍ତୀ ସିଂହଙ୍କର ପ୍ରପୌତ୍ର ଲଲାର୍କଙ୍କର ଦୁହିତା । ସେ ଥିଲେ ଜୈନଧର୍ମର ପରମ ଅନୁଗତା ଏବଂ ତାଙ୍କର ନିର୍ଦ୍ଦେଶରେ କଳିଙ୍ଗର ଜୈନ ଶ୍ରମଣଙ୍କ ନିମନ୍ତେ ଉଦୟଗିରିସ୍ଥ ମଞ୍ଚପୁରୀ ଗୁମ୍ଫାର ଉପର ମହାଲା ଖନନ କରାଯାଇଥିଲା ।
ଖାରବେଳଙ୍କର ଦ୍ୱିତୀୟ ରାଣୀ ଧର୍ମ ସମ୍ବନ୍ଧରେ ଭିନ୍ନମତ ପୋଷଣ କରିଥିଲେ । ସେ କୌଣସି ଏକ ଧର୍ମର ଅନୁଗତା ନଥିଲେ ଏବଂ ସମସ୍ତ ଧର୍ମ ସଂପ୍ରଦାୟ ପ୍ରତି ସମାନ ଭାବରେ ସମ୍ମାନ ପ୍ରଦର୍ଶନ କରୁଥିଲେ । ତାଙ୍କର ସେହି ଉଦାର ଧର୍ମ ଭାବର ପ୍ରଭାବ ଖାରବେଳଙ୍କ ଉପରେ ପଡ଼ିଥିଲା ଏବଂ ଖାରବେଳ ନିଜକୁ ସବୁ ଧର୍ମର ପୂଜକ ଓ ସବୁ ଧର୍ମାୟତନର ସଂସ୍କାରକ ବୋଲି ତାଙ୍କର ଅଭିଲେଖରେ ଘୋଷଣା କରିଥିଲେ । ସିଂହପଥ ରାଣୀଙ୍କର ଅନୁରୋଧରେ ସେ କୁମାରୀ ପର୍ବତ (ଉଦୟଗିରି) ପାର୍ଶ୍ୱ ଦେଶରେ ବିଭିନ୍ନ ଧର୍ମାବଲମ୍ବୀଙ୍କ ନିମନ୍ତେ ଯେଉଁ ବିଶ୍ରାମାଗାର ନିର୍ମାଣ କରିଥିଲେ, ତାହାର କାରୁକାର୍ଯ୍ୟ ସେ କାଳର ଭାରତରେ ଅତୁଳନୀୟ ଥିଲା । ତାହାର ଚଟାଣ ପାଟଳ ବର୍ଣ୍ଣରେ ରଞ୍ଜିତ ହୋଇଥିଲା ଏବଂ ସ୍ତମ୍ଭଗୁଡ଼ିକରେ ବୈଦୁର୍ଯ୍ୟ ଖଣ୍ଡ ଝଟକୁଥିଲା । ସେହି ବିଶ୍ରମାଗାରରେ ବ୍ରାହ୍ମଣ୍ୟ ଧର୍ମର ତପସ୍ୱୀ, ବୌଦ୍ଧ ଭିକ୍ଷୁ, ଜୈନ ଅର୍ହତ ଏବଂ ଅନ୍ୟ ସବୁ ଧର୍ମର ସାଧୁପୁରୁଷମାନଙ୍କର ଏକତ୍ର ବସବାସ କରିବା ନିମନ୍ତେ ବ୍ୟବସ୍ଥା ରଖା ଯାଇଥିଲା ।
କେବଳ ପ୍ରଥମା ମହିଷୀଙ୍କ ପ୍ରଭାବରେ ପ୍ରଭାବିତ ହୋଇଥିଲେ ଖାରବେଳ ଜଣେ ନିଷ୍ଠାପର ଜୈନ ଜରପତି ରୂପେ ଇତିହାସରେ ଖ୍ୟାତିଲାଭ କରିପାରିଥାନ୍ତେ । ମାତ୍ର ଦ୍ୱିତୀୟା ମହିଷୀ ତାଙ୍କୁ ଧର୍ମ ବିଷୟରେ ଉଦାର ଭାବ ପୋଷଣ କରିବା ତଥା ଉଦାର ନୀତି ଅବଲମ୍ବନ କରିବା ନିମନ୍ତେ ଯେପରି ପ୍ରଭାବିତ କରିଥିଲେ, ତଦ୍ଦ୍ୱାରା ସେ ଅଧିକତର ମହିମାନ୍ୱିତ ହୋଇପାରି ଅଛନ୍ତି ।
ଖାରବେଳଙ୍କର ପ୍ରାୟ ସମକାଳୀନ କଳିଙ୍ଗର ବହୁ ନାରୀ ଜୈନ ଧର୍ମର ପ୍ରଗତି ନିମନ୍ତେ ବିଭିନ୍ନ କୀର୍ତ୍ତି ସ୍ଥାପନ କରିଥିଲେ । ଅଭିଲେଖରୁ ମିଳେ ଯେ, ଉଦୟ ଗିରିସ୍ଥ ସର୍ପଗୁମ୍ଫା କର୍ମ ସଚିବଙ୍କ ପତ୍ନୀ ଖିଣା ନିର୍ମାଣ କରାଇଥିଲେ ଏବଂ ମହାପାତ୍ର ନାକୀୟଙ୍କ ପତ୍ନୀ ବାରିୟା ସ୍ୱାମୀଙ୍କ ସହିତ ମିଳିତ ଭାବରେ ଜମ୍ବେଶ୍ୱର ଗୁମ୍ଫା ଖନନ କରାଇଥିଲେ । ପରବର୍ତ୍ତୀକାଳରେ ବୌଦ୍ଧ ଧର୍ମର ନାରୀମାନେ ମଧ୍ୟ ସେହିପରି କୀର୍ତ୍ତି ନିର୍ମାଣ କରିଥିବା ଜଣାଯାଏ ।
ଖ୍ରୀଷ୍ଟୀୟ ତୃତୀୟ ଶତାବ୍ଦୀରେ ଉପାସିକା ବୋଧିଶ୍ରୀ ପୁଷ୍ପଗିରିଠାରେ ଏକ ଶୈଳ ମଣ୍ଡପ, ହିରୁମୁଠାରେ ଥିବା ସ୍ତୂପ ନିକଟରେ ତିନୋଟି ଆଶ୍ରୟ ଗୃହ (ଅପବାରକ) ଏବଂ ପପିଲା ଠାରେ ସାତଗୋଟି ଆଶ୍ରୟ ଗୃହ ନିର୍ମାଣ କରାଇଥିଲେ । ବୋଧିଶ୍ରୀଙ୍କ ସମସାମୟିକ ଉପାସିକା ଅଚଳା ସ୍ଥିରା ତୋଷାଳୀର ସୁରଭ ପର୍ବତରେ ଥିବା ବୌଦ୍ଧ ବିହାରରେ ଶିକ୍ଷା ଲାଭ କରିଥିଲେ । ସେ ଜ୍ଞାନ ଓ ପାଣ୍ଡିତ୍ୟରେ ତତ୍କାଳୀନ ଭାରତରେ ସୁପରିଚିତା ଥିଲେ ।
କୌଙ୍ଗୋଦ ରାଜ୍ୟର ଶୈଳୋଦଦ୍ଭବ ବଂଶୀ ରାଜା ଧର୍ମରାଜାଙ୍କର ରାଣୀ କଲ୍ୟାଣ ଦେବୀ ଜୈନ ଧର୍ମର ଆଚାର୍ଯ୍ୟମାନଙ୍କୁ ବିଶେଷ ସମ୍ମାନ ପ୍ରଦର୍ଶନ କରୁଥିଲେ । ଅର୍ହଦାଚାର୍ଯ୍ୟନାସୀ ଚନ୍ଦ୍ରଙ୍କର ଶିଷ୍ୟ ପ୍ରବୁଦ୍ଧ ଧର୍ମଚର୍ଚ୍ଚା ଓ ପ୍ରଚାରରେ ସାହାଯ୍ୟ କରିବା ନିମନ୍ତେ ସେ ବହୁ ଭୂମି ବୃତ୍ତି ଦାନ କରିଥିଲେ । ପ୍ରବୁଦ୍ଧ ଚନ୍ଦ୍ର ଥିଲେ ଏକ ପାଟ ଶ୍ୱେତାମ୍ବରପନ୍ଥୀ ଆଚାର୍ଯ୍ୟ । ସେତେବେଳେ ଓଡ଼ିଶାରେ ଜୈନ ଧର୍ମର ଗ୍ଳାନୀ ଦେଖା ଦେଇଥିଲା ଏବଂ କଲ୍ୟାଣ ଦେବୀ ସେହି ପତନୋନ୍ମୁଖ ଧର୍ମ ସଂପ୍ରଦାୟର ସୁରକ୍ଷା ନିମନ୍ତେ ବିଶେଷ ଉଦ୍ୟମ କରିଥିଲେ । ତାଙ୍କର ପ୍ରଚେଷ୍ଟା ବହୁ ପରିମାଣରେ ସଫଳ ହୋଇଥିବା ଜଣାଯାଏ । ଏକାଦଶ ଶତାବ୍ଦୀରେ ସୋମବଂଶୀ ରାଜା ଉଦ୍ୟୋତ କେଶରୀଙ୍କ ଶାସନ କାଳରେ ଜୈନ ଧର୍ମ ଓଡ଼ିଶାରେ ଲୋକ ପ୍ରିୟ ଥିବା ସୂଚନା ମିଳେ । ସେତେବେଳେ ଆଚାର୍ଯ୍ୟ କୁଳ ଚନ୍ଦ୍ରଙ୍କ ଶିଷ୍ୟ ଶୁଭଚନ୍ଦ୍ର ଖଣ୍ଡଗିରି ଠାରେ ନବମୁଳୀ ଗୁମ୍ଫା ଖୋଳାଇଥିଲେ ଏବଂ ଯଶନନ୍ଦୀ ଉକ୍ତ ପର୍ବତରେ ଚତୁର୍ବିଂଶ ତୀର୍ଥଙ୍କରଙ୍କ ନିମନ୍ତେ ମନ୍ଦିର ନିର୍ମାଣ କରାଇଥିଲେ ।
ରାଣୀ କଲ୍ୟାଣ ଦେବୀଙ୍କର ସମସାମୟିକ ବ୍ରହ୍ମଚାରିଣୀ ପିଲ୍ଲକ ସ୍ୱମିନୀ ତତ୍କାଳୀନ କଳିଙ୍ଗରେ ବ୍ରାହ୍ମଣ୍ୟ ଧର୍ମ ଓ ସଂସ୍କୃତିର ଉନ୍ନୟନ ନିମନ୍ତେ ଉଦ୍ୟମ ଚଳାଇଥିଲେ । ସେ ଓ ତାଙ୍କର ଜ୍ୟେଷ୍ଠ ଭ୍ରାତା ବ୍ରହ୍ମଚାରୀ ପିଲ୍ଲସ୍ୱାମୀ ଲୋକଙ୍କର ଧର୍ମ ଜୀବନରେ ବିଷେଶ ପ୍ରଭାବ ବିସ୍ତାର କରିଥିବା ଜଣାଯାଏ । ସେମାନଙ୍କର ପିତା ଆଚାର୍ଯ୍ୟ ଶ୍ରୀହରି ମଧ୍ୟ ଜଣେ ସୁପଣ୍ଡିତ, ସମ୍ମାନାସ୍ପଦ ବ୍ୟକ୍ତି ଥିଲେ । ବ୍ରାହ୍ମଚାରୀ ପିଲ୍ଲସ୍ୱାମୀ ଓ ବ୍ରହ୍ମଚାରିଣୀ ପଲ୍ଲିକସ୍ୱାମିନୀ ବେଦ, ବେଦାଙ୍ଗ, ଇତିହାସ, ପୁରାଣ ଆଦିରେ ବିଶେଷ ପାରଦର୍ଶିତା ଅର୍ଜନ କରିଥିଲେ । କଳିଙ୍ଗର ଗଙ୍ଗବଂଶୀ ରାଜା ପ୍ରଥମ ଦେବେନ୍ଦ୍ର ବର୍ମା ୬୯୦ଖ୍ରୀ:ର ମାଘ ପୂର୍ଣ୍ଣମାର ଚନ୍ଦ୍ର ଗ୍ରହଣ ବେଳେ ସେହି ଭାଇ ଭଉଣୀଦ୍ୱୟଙ୍କୁ ଏକତ୍ର ଭାବରେ ନବତୁଳ ନାମକ ଗ୍ରାମ ଦାନ କରିଥିଲେ ।
ସେ କାଳର କଳିଙ୍ଗରେ ପ୍ରସିଦ୍ଧ ବିଦ୍ୱାନ ଓ ଦାର୍ଶନିକ ଥିଲେ ଆଚାର୍ଯ୍ୟ ପତଙ୍ଗ ଶିବ । ସେ ମତ୍ତମୟୁର ଶୈବ ସଂପ୍ରଦାୟର ସର୍ବଭାରତୀୟ ନେତା ଥିଲେ । ରାଜା ଦେବେନ୍ଦ୍ର ବର୍ମା ୬୮୨ ଖ୍ରୀ: ରେ ତାଙ୍କଠାରୁ ମନ୍ତ୍ର ଦୀକ୍ଷା ନେଇ ଗୁରୁପୁଜାର ନିଦର୍ଶନ ରୂପେ କଳିଙ୍ଗର ପୁଷ୍ପଗିରି ପାଞ୍ଚାଳି ବିଷୟରେ ହଡୁବ ନାମକ ଏକ ଗ୍ରାମ ଦାନ କରିଥିଲେ । ପତଙ୍ଗ ଶିବଙ୍କ ସହିତ ସେ ପିଲ୍ଲ ସ୍ୱାମୀ ଓ ପିଲ୍ଲକ ସ୍ୱାମିନୀଙ୍କର ଘନିଷ୍ଠ ସାଂସ୍କୃତି ସଂପର୍କ ସ୍ଥାପିତ ହୋଇଥିଲା ଏବଂ ସେମାନେ ମିଳିତ ଭାବରେ ବ୍ରାହ୍ମଣ୍ୟ ଓ ଶୈବ ସଂସ୍କୃତିର ପ୍ରସାର ନିମନ୍ତେ ବିଶିଷ୍ଟ ଭୂମିକା ଗ୍ରହଣ କରିଥିଲେ ।
ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀରେ ଓଡ଼ିଶାରେ ଏକ ବିରାଟ ଧର୍ମବିପ୍ଳବ ଦେଖା ଦେଇଥିଲା । ସମ୍ବଳ (ସମ୍ବଲପୁର)ର ରାଜା ଇନ୍ଦ୍ରଭୁତି ବୌଦ୍ଧ ଧର୍ମରେ ନୂତନ ଦୃଷ୍ଟିକୋଣ ସୃଷ୍ଟି କରି ବଜ୍ରଯାନ ପନ୍ଥା ପ୍ରବର୍ତ୍ତନ କରିଥିଲେ । ସେ ପଞ୍ଚଧ୍ୟାନୀ ବୁଦ୍ଧଙ୍କ ସହିତ ଆଦିବୁଦ୍ଧ ଜଗନ୍ନାଥଙ୍କ ଉପାସନା ପ୍ରଚଳନ କଲେ ଏବଂ ତାଙ୍କର ସମୟଠାରୁ ଜଗନ୍ନାଥ ଓଡ଼ିଶାରେ ଉପାସ୍ୟ ବୌଦ୍ଧ ଠାକୁର ରୂପେ ପୂଜା ପାଇଲେ । ଇନ୍ଦ୍ରଭୁତିଙ୍କ ପୁତ୍ର ପଦ୍ମସମ୍ଭବ ତିବ୍ଦତକୁ ଯାଇ ସେହି ବରଫାବୃତ ପର୍ବତ ଘେରା ଦେଶରେ ଲାମା ଧର୍ମ ନାମରେ ବଜ୍ରଯାନ ବୌଦ୍ଧ ଧର୍ମର ଏକ ଶାଖା ପ୍ରତିଷ୍ଠା କରିଥିଲେ । ପଦ୍ମସମ୍ଭବ ତିବ୍ଦତରେ ଦ୍ୱିତୀୟ ବୁଦ୍ଧ ରୂପେ ସମ୍ମାନିତ ହେଲେ ଏବଂ ତାଙ୍କର ପ୍ରତିମୂର୍ତ୍ତିକୁ ସେଠାକାର ଲାମା ସଂପ୍ରଦାୟ ବୁଦ୍ଧ ପ୍ରତିମା ରୂପେ ପୂଜା କରି ଆସୁଛନ୍ତି ।
ଇନ୍ଦ୍ରଭୁତିଙ୍କର ଭଗିନୀ ଲକ୍ଷ୍ମୀବରା ନିଜ ଅଗ୍ରଜଙ୍କର ଶିଷ୍ୟା ରୂପେ ପ୍ରଥମେ ବଜ୍ରଯାନ ବୌଦ୍ଧ ଧର୍ମର ପ୍ରଚାରରେ ସାହାଯ୍ୟ କରିଥିଲେ । ମାତ୍ର ପରେ ସେ ନିଜ ସାଧନାରେ ସିଦ୍ଧି ଲାଭ କରି ସହଜ ଯାନ ବୌଦ୍ଧ ଧର୍ମ ପ୍ରବର୍ତ୍ତନ କରିଥିଲେ । ଭାରତବର୍ଷର ଧର୍ମପରଂପରାରେ ଯେଉଁ ୮୪ ସିଦ୍ଧଙ୍କର ନାମୋଲ୍ଲେଖ ମିଳେ, ତହିଁରେ ଇନ୍ଦ୍ରଭୁତ ଓ ଲକ୍ଷ୍ମୀବରା ଉଭୟଙ୍କୁ ସିଦ୍ଧ ରୂପେ ଗ୍ରହଣ କରାଯାଇ ଅଛି । ସେହି ସିଦ୍ଧ ପରଂପରାରେ ଲକ୍ଷ୍ମବରା ହେଉଛନ୍ତି ଏକମାତ୍ର ନାରୀ ସିଦ୍ଧ ।
ଭାରତର ଧର୍ମ ଇତିହାସରେ ଲକ୍ଷ୍ମୀବରାଙ୍କର ବିଶିଷ୍ଟ ସ୍ଥାନ ରହିଅଛି । ସେହି ବିଦୂଷୀ ନାରୀ ଦୃଢ଼ଭାବରେ ପ୍ରଚାର କରିଥିଲେ ଯେ, ସମସ୍ତ ତତ୍ତ୍ୱ, ପୀଠ ଦେବତା ଓ ସ୍ୱୟଂ ବୁଦ୍ଧ-ଜଗନ୍ନାଥ ମନୁଷ୍ୟ ଦେହରେ ବିରାଜମାନ । ତେଣୁ ଦେହ ପୁଜା ହିଁ ଶ୍ରେଷ୍ଠ ପୂଜା ଓ ତାହା ହିଁ ନିର୍ବାଣ ପ୍ରାପ୍ତିର ଏକମାତ୍ର ମାର୍ଗ । ଦେହ ପୂଜା କ’ଣ ତାହା ବୁଝାଇବାକୁ ଯାଇ ଲକ୍ଷ୍ମୀବରା ସହଜ ଅର୍ଥାତ୍ ସହଜାତ ପ୍ରବୃତ୍ତିର ବିକାଶ ଓ ତୃପ୍ତି ବିଧାନ ଉପରେ ଗୁରୁତ୍ୱ ଆରୋପ କରିଅଛନ୍ତି । ତାଙ୍କର ପ୍ରଚାରିତ ସହଜ ସାଧନା ଧର୍ମ ଓ ଦର୍ଶନ କ୍ଷେତ୍ରରେ ଏକ ନୂତନ ଚିନ୍ତାଧାରା ଓ ଆଦର୍ଶ ସୃଷ୍ଟି କରିଥିଲା । ମୁକ୍ତି ଲାଭ ପାଇଁ ଯେଉଁ ଚିରାଚରିତ ନିବୃତ୍ତି ମାର୍ଗ ଏକମାତ୍ର ଅବଲମ୍ବନୀୟ ବୋଲି ବିବେଚିତ ହୋଇଥିଲା, ସେ ତାହାରି ମୂଲ୍ୟରେ କୁଠାରଘାତ କରି ତାହା ଭ୍ରମପ୍ରମାଦପୂର୍ଣ୍ଣ ବୋଲି ପ୍ରତିପାଦନ କରିଥିଲେ । ଲକ୍ଷ୍ମୀବରାଙ୍କ ମତରେ ସହଜାତ ପ୍ରବୃତ୍ତିଗୁଡ଼ିକ ହିଁ ଶାନ୍ତି, ସୁଖ ଓ ନିର୍ବାଣ ଲାଭର ପ୍ରକୃତ ସହାୟକ ।
ବ୍ରାହ୍ମଣ୍ୟ ଧର୍ମରେ ବ୍ରହ୍ମ ଯେପରି ସପୂର୍ଣ୍ଣ ଓ ଶେଷ ସତ୍ୟ, ଲକ୍ଷ୍ମିବରା ପ୍ରଚାରିତ ଧର୍ମରେ ସହଜ ସେହିପରି ଶେଷ ସତ୍ୟ ଓ ଶେଷ ସିଦ୍ଧାନ୍ତ । ଲକ୍ଷ୍ମୀବରାଙ୍କ ପରେ ତାଙ୍କ ପ୍ରଚାରିତ ଧର୍ମନୀତି ସମସ୍ତ ପୂର୍ବ ଭାରତକୁ ପ୍ରଭାବିତ କରିଥିଲା ଏବଂ ବୌଦ୍ଧ ତନ୍ତ୍ରର ସଫଳ ବିକାଶ ନିମନ୍ତେ ସାହାଯ୍ୟ କରିଥିଲା । ବହୁ ତାନ୍ତ୍ରିକ ସିଦ୍ଧ ତାଙ୍କର ଧର୍ମନୀତି ଲୋକପ୍ରିୟ କରିବାକୁ ଯାଇ ଗାନ ଓ ଦୋହାମାନ ରଚନା କରିଥିଲେ । ସେଗୁଡ଼ିକରୁ ବହୁ ଦୋହା ନେପାଳ ଦରବାରରୁ ସ୍ୱର୍ଗୀୟ ହରପ୍ରାସଦ ଶାସ୍ତ୍ରୀ ସଂଗ୍ରହ କରିଥିଲେ । ସେହି ଗାନ ଓ ଦୋହାଗୁଡ଼ିକର ଭାଷା ଓଡ଼ିଆ, ବଙ୍ଗଳା, ଅସମୀୟା, ମୈଥିଳୀ ଆଦି ପୂର୍ବଭାରତୀୟ ଭାଷାମାନଙ୍କର ଠିକ୍ ପୂର୍ବାବସ୍ଥା ।
ଓଡ଼ିଶାର ପଶ୍ଚିମାଞ୍ଚଳରେ ବହୁ ବିଦୂଷୀ ନାରୀ ଲକ୍ଷ୍ମୀବରାଙ୍କର ପଦାଙ୍କ ଅନୁସରଣ କରି ତନ୍ତ୍ରଯୋଗ ସାଧନା କରିଥିବା ଜଣାଯାଏ । ସେମାନେ ଉଚ୍ଚ କୂଳର କନ୍ୟା ହେଲେ ହେଁ ସାମାଜିକ ବାଧା ପ୍ରତି ଭ୍ରୃକ୍ଷେପ ନକରି ଦେହ ସାଧନାରେ ସିଦ୍ଧି ଲାଭ କରିଥିଲେ । ସେମାନଙ୍କ ମଧ୍ୟରୁ ଅନେକେ ପ୍ରଚ୍ଛନ୍ନ ନାମରେ ପରିଚିତା, ଯଥା ଜ୍ଞାନ ଦେଇ ମାଲୁଣୀ, ନିତାଇ ଧୋବଣୀ, ପତ୍ରପିନ୍ଧି ସଉରୁଣୀ, ଶୁକୁଟି ଚମାରୁଣୀ, ଗାଙ୍ଗୀ ଗଉଡୁଣୀ, ଶୂଆ ତେଲୁଣୀ ଇତ୍ୟାଦି । ସେହି କୁମାରୀଗଣଙ୍କର ପୀଠ ସ୍ଥାନ ଥିଲା ଆଧୁନିକ ବଲାଙ୍ଗିର ଜିଲ୍ଲାର ପାଟଣା ବା ପାଟଣା ଗଡ଼ ।
ସେହି ନଗର ସେ କାଳରେ ଏକ ବିଶାଳ ରାଜ୍ୟର ରାଜଧାନୀ ଥିଲା ଏବଂ କାଉଁରୀ ପାଟଣା ବା କୁମାରୀ ପାଟଣା ନାମରେ ମଧ୍ୟ ଖ୍ୟାତି ଲାଭ କରିଥିଲା । ଜ୍ଞାନ ଦେଇ ମାଲୁଣୀ ସୁବର୍ଣ୍ଣପୁର ବା ଆଧୁନିକ ସୋନପୁରଠାରେ ଅବସ୍ଥାନ କରୁଥିବା କେତେକ ସୂଚନା ମିଳେ । ସେ ଦିବସରେ ମେଣ୍ଢା ଓ ରାତିରେ ଭେଣ୍ଡା କରି ପାରୁଥିବା ପ୍ରବାଦ ଏ ପର୍ଯ୍ୟନ୍ତ ପ୍ରଚଳିତ ଅଛି । ସେହି କୁମାରୀ କନ୍ୟାଗଣ ରଚନା କରିଥିବା ଅନେକ ମନ୍ତ୍ର ଯନ୍ତ୍ର ଓ ଗୁଣୀ ପୁସ୍ତକ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଯତ୍ନରେ ପଡ଼ିରହିଛି । ବହୁ ଗ୍ରନ୍ଥ ସଂପୂର୍ଣ୍ଣ ରୂପେ ଧ୍ୱଂସ ହୋଇଗଲାଣି । ଯାହା ବା ରହିଛି, ତାହା ସଂଗ୍ରହ କରି ଉପଯୁକ୍ତ ରୂପେ ସଂରକ୍ଷଣ କରିବା ଏକାନ୍ତ ଆବଶ୍ୟକ । ଓଡ଼ିଶାର ସେହି ତାନ୍ତ୍ରିକ କନ୍ୟାଗଣଙ୍କ କୃତୀ ଲୋପ ପାଇ ଯାଉଥିବା ଅତି କ୍ଷୋଭର ବିଷୟ ।
ମଧ୍ୟଯୁଗୀୟ ରାଜନୀତି ଓ ସଂସ୍କୃତି କ୍ଷେତ୍ରରେ ଉତ୍କଳର ଭୌମ ରାଣୀମାନଙ୍କର ଅବଦାନ ବିଶେଷ ଉଲ୍ଲେଖଯୋଗ୍ୟ । ଭୌମ ବଂଶର ସମ୍ଭବତଃ ପ୍ରାଚୀନତମ ରାଜା କ୍ଷେମଙ୍କର ଦେବଙ୍କ ରାଣୀ ବତ୍ସା ଦେବୀ ବିରଜା କ୍ଷେତ୍ରରେ ଚାମୁଣ୍ଡା ଠାକୁରାଣୀଙ୍କର ମନ୍ଦିର ନିର୍ମାଣ କରାଇଥିଲେ । ତାଙ୍କର ପୁତ୍ର ପ୍ରଥମ ଶିବଙ୍କର ଦେବ ସେହି ବଂଶର ଜଣେ ପ୍ରସିଦ୍ଧ ନରପତି । ସେ ୭୩୬ ଖ୍ରୀ:ର ବିରଜାଠାରେ ଉତ୍କଳର ସିଂହାସନ ଆରୋହଣ କରିଥିଲେ ଏବଂ ସେହି ବର୍ଷଠାରୁ ଭୌମାବ୍ଦର ଗଣନା ପ୍ରଚଳିତ ହୋଇଥିଲା । ସେ ରାଢ଼ ଦେଶର ରାଜଙ୍କୁ ପରାସ୍ତ କରି ତାଙ୍କର ଦୁହିତା ଜୟାବଳୀ ଦେବୀଙ୍କୁ ବଳପୂର୍ବକ ଘେନିଆଣି ବିବାହ କରିଥିବା ଜଣାଯାଏ । ଜୟାବଳୀ ଦେବୀଙ୍କର କାର୍ଯ୍ୟକଳାପ ଜଣା ପଡ଼ିନାହିଁ । ତାଙ୍କର ପୁତ୍ର ପ୍ରଥମ ଶୁଭଙ୍କର ଦେବଙ୍କର ରାଣୀ ଜଗତ୍ ସ୍ୱାମିନୀ ମାଧବ ଦେବୀ ଜଣେ ପ୍ରସିଦ୍ଧ ଶୈବ ଉପାସିକା ଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଏହି ଯେ, କ୍ଷେମଙ୍କର ଦେବଙ୍କଠାରୁ ଶୁଭାଙ୍କର ଦେବଙ୍କ ପର୍ଯ୍ୟନ୍ତ ଭୌମ ରାଜାଗଣ ବୌଦ୍ଧଧର୍ମାବଳମ୍ବୀ ଥିଲେ ହେଁ ସେମାନଙ୍କର ରାଣୀମାନେ ଶୈବ କିମ୍ବା ଶାକ୍ତ ଧର୍ମର ଅନୁଗତା ହୋଇଥିଲେ । ରାଣୀ ଜଗତ୍ ସ୍ୱାମିନୀ ମାଧବ ଦେବୀ ବିରଜାଠାରେ ମାଧବେଶ୍ୱର ଶିବଙ୍କ ମନ୍ଦିର ତୋଳାଇଥିଲେ, ଏବଂ ମନ୍ଦିର ନିକଟରେ ଏକ ପୁଷ୍କରିଣୀ ଖନନ କରାଇ ଥିଲେ । ସେ ସେଠାରେ ଯେଉଁ ହାଟ ବସାଇଥିଲେ ତହିଁରୁ ଆଦାୟ କରାଯାଉଥିବା ଶୁଳ୍କ ଦ୍ୱାରା ମନ୍ଦିରର ପରିଚାଳନା ବ୍ୟୟ ନିର୍ବାହ କରାଯାଉଥିଲା। ପ୍ରଥମ ଶୁଭାକର ଦେବଙ୍କ ପରେ ତାଙ୍କର ଦୁଇ ପୁତ୍ର-ଦ୍ୱିତୀୟ ଶିବକର ଦେବ ଓ ପ୍ରଥମ ଶାନ୍ତିକର ଦେବ ଜଣକ ପରେ ଜଣେ ଉତ୍କଳର ରାଜା ହୋଇଥିଲେ ।
ଦ୍ୱିତୀୟ ଶିବରକଙ୍କ ରାଣୀ ମୋହିନୀ ଦେବୀ ଭବାନ ବଂଶର କନ୍ୟା ଥିଲେ ଏବଂ ପ୍ରଥମ ଶାନ୍ତିକରଙ୍କ ରାଣୀ ଗୋସ୍ୱାମିନୀ ଥିଲେ ନାଗବଂଶର ଦୁହିତା । ପ୍ରଥମ ଶାନ୍ତିକରଙ୍କ ପରେ ଦ୍ୱିତୀୟ ଶିବକରଙ୍କର ପୁତ୍ର ଦ୍ୱିତୀୟ ଶୁଭକର ଦେବ ରାଜା ହୋଇ ଅକାଳରେ ମୃତ୍ୟୁ ବରଣ କଲେ ଏବଂ ତାହାପରେ ପ୍ରଥମ ଶାନ୍ତିକରଙ୍କ ପୁତ୍ର ତୃତୀୟ ଶୁଭାକର ଦେବ ସିଂହାସନ ଆରୋହଣ କରିଥିଲେ । ମାତ୍ର ତାଙ୍କର ମଧ୍ୟ ଅକଳା ମୃତ୍ୟୁ ଘଟିଥିଲା ଏବଂ ତାହା ଫଳରେ ଉତ୍କଳରେ ଅରାଜକତା ସୃଷ୍ଟି ହୋଇଥିଲା । ସେହି ଅରାଜକ ଅବସ୍ଥାର ଦୂରୀକରଣ ନିମନ୍ତେ ପ୍ରଥମ ଶାନ୍ତିକରଣଙ୍କର ବିଧବା ରାଣୀ ଗୋସ୍ୱାମିନୀ ଉତ୍କଳର ସିଂହାସନ ଆରୋହଣ କରି ନିଜକୁ ନ୍ତ୍ରିଭୁବନ ମହାଦେବୀ ରୂପେ ଘୋଷଣା କରିଥିଲେ । ତାଙ୍କର ଶାସନ କାଳରେ ରାଜ୍ୟରେ ଶାନ୍ତି ଓ ସମୃଦ୍ଧି ପ୍ରକାଶ ପାଉଥିଲା । ଶାସନ କ୍ଷେତ୍ରରେ ସେ ଆଦର୍ଶ ସ୍ଥାନୀୟ ବୋଲି ପରବର୍ତ୍ତୀ ଭୌମ ଶାସକମାନେ ସ୍ୱୀକାର କରିଥିଲେ ।
ଗୋସ୍ୱାମିନୀ ଦେବୀ ତାଙ୍କର ନାତି ଦ୍ୱିତୀୟ ଶାନ୍ତିକର ଦେବଙ୍କୁ ସିଂହାସନରେ ଅଭିଷିକ୍ତ କରି ରାଜନୀତି କ୍ଷେତ୍ରରୁ ବିଦାୟ ନେଇଥିଲେ । ଦ୍ୱିତୀୟ ଶାନ୍ତିକରଙ୍କର ରାଣୀ ହୀରା ମହାଦେବୀ ହେଉଛନ୍ତି ମାନବଂଶୀ ରାଜା ସିଂହମାନଙ୍କର ଦୁହିତା । ସେ ଭାର୍ଗବୀ ନଦୀ କୂଳରେ ହୀରାପୁର ଗ୍ରାମ ବସାଇ ସେଠାରେ ଚଉଷଠି ଯୋଗିନୀ ମନ୍ଦିର ନିର୍ମାଣ କରାଇଥିଲେ । ତାହା ତାଙ୍କର ଅମରକୀର୍ତ୍ତି ରୂପେ ଆଜିଯାଏ ରହିଅଛି । ଦ୍ୱିତୀୟ ଶାନ୍ତିକର ଦେବଙ୍କ ପରେ ତାଙ୍କର ଦୁଇ ପୁତ୍ର-ଚତୁର୍ଥ ଶୁଭାକର ଦେବ ଓ ତୃତୀୟ ଶିବକର ଦେବ ଜଣକ ପରେ ଜଣେ ଉତ୍କଳର ରାଜା ହୋଇ ଥିଲେ ଏବଂ ସେହି ଭାଇ ଦୁଇଜଣ, ପ୍ରତ୍ୟେକ ଅଳ୍ପକାଳ ରାଜପଣ କରିଥିବା ଜଣାଯାଏ । ଚତୁର୍ଥ ଶୁଭାକରଙ୍କ ରାଣୀ ପୃଥ୍ୱୀ-ମହାଦେବୀ ଥିଲେ କୋଶଳର ସୋମବଂଶୀ ରାଜା ଜନମେଜୟଙ୍କ କନ୍ୟା ଏବଂ ତୃତୀୟ ଶିବକରଙ୍କ ରାଣୀ ସିଦ୍ଧଗୌରୀ ଗଙ୍ଗବାଡ଼ି ରାଜ୍ୟ (କର୍ଣ୍ଣାଟକ)ର ଗଙ୍ଗବଂଶୀ ରାଜା ରାଜମଲ୍ଲଙ୍କର ଦୁହିତା । ସାନ ଭାଇ ତୃତୀୟ ଶିବଙ୍କର ମୃତ୍ୟୁ ପରେ ବଡ଼ଭାଇ ଚତୁର୍ଥ ଶୁଭାକରଙ୍କ ବିଧବା ରାଣୀ ପୃଥ୍ୱୀ ମହାଦେବୀ ରାଜଧାନୀ ବିରଜାଠାରେ ସଂହାସନ ଆରୋହନ କରିଥିଲେ ।
ପୃଥ୍ୱୀ ମହାଦେବୀ ଭୌମ ବଂଶର ରାଣୀ ରୂପେ ଭୌମଙ୍କ ରାଜ୍ୟର ଶାସନ ଭାର ଗ୍ରହଣ କଲେ ହେଁ ନିଜକୁ ସୋମବଂଶୀୟା ମନେକରି ଉତ୍କଳକୁ ସୋମବଂଶର ରାଜା ରୂପେ ଜ୍ଞାନ କରିଥିଲେ । ତାଙ୍କର ମତିଗତ ଭୌମ ଦରବାରରେ ଆତଙ୍କ ସୃଷ୍ଟି କରିଥିଲା । ପୃଥ୍ୱୀ ମହାଦେବୀଙ୍କର ଭାଇ ଯଯାତି (ଜନମେଜୟଙ୍କର ପୁତ୍ର) ସେତେବେଳେ କୋଶଳର ରାଜା ରୂପେ ଉତ୍କଳକୁ ମଧ୍ୟ ନିଜ ରାଜ୍ୟରେ ମିଶାଇ ଦେବାର ଯୋଜନା କରିଥିଲେ । ତାଙ୍କର ରାଜ୍ୟ ପୂର୍ବରେ ବୌଦ ପର୍ଯ୍ୟନ୍ତ ଏବଂ ଦକ୍ଷିଣରେ କଳାହାଣ୍ଡି, କୋରାପୁଟ ଯାଏ ବିସ୍ତୁତ ହୋଇଥିଲା । ସେ ୮୯୪ ଖ୍ରୀ.ରେ ନିଜ ଭଉଣୀ ଭୌମ ସିଂହାସନରେ ଅଧିଷ୍ଠିତା ଥିବା ବେଳେ ବିରଜା ନଗରକୁ ଆସି ଭଉଣୀଙ୍କ ସହିତ ଗୁପ୍ତ ମନ୍ତ୍ରଣା କରିଥିଲେ । ସେଥିରେ ଭୌମ ରାଜ୍ୟର ମନ୍ତ୍ରୀ, ସେନାପତି, ସାମନ୍ତ ଆଦି ସମସ୍ତେ ବିଚଳିତ ହୋଇ ପ୍ରମାଦ ଗଣିଲେ ।
୮୯୫ ଖ୍ରୀ.ରେ ପୃଥ୍ୱୀ- ମହାଦେବୀ ସମ୍ଭବତଃ ଯଯାତିଙ୍କ ଆହ୍ୱାନରେ କିଛିଦିନ ପାଇଁ କୋଶଳ ରାଜ୍ୟକୁ ଯାଇଥିଲେ । ସେହି ସୁଯୋଗରେ ଭୌମ ରାଜ୍ୟର ମନ୍ତ୍ରୀ, ସେନାପତି, ସମାନ୍ତମାନେ ବିଦ୍ରୋହ କରି ତାଙ୍କୁ ସିଂହାସନଚ୍ୟୁତ କଲେ ଏବଂ ତୃତୀୟ ଶିବକରଙ୍କର ବିଧବା ରାଣୀ ସିଦ୍ଧ ଗୌରୀଙ୍କୁ ଭୌମ ସଂହାସନରେ ବସାଇଲେ । ଯଯାତି ସେତେବେଳେ କଳଚୂରୀମାନଙ୍କ ସହିତ ଯୁଦ୍ଧରେ ବ୍ୟାପୃତ ଥିବା ହେତୁ ଉତ୍କଳର ସେହି ବିଦ୍ରୋହ ଦମନ କରିବା ନିମନ୍ତେ ପୃଥ୍ୱୀ ମହାଦେବୀଙ୍କ ସାହାଯ୍ୟ ଦେଇ ପାରିଲେ ନାହିଁ ପୃଥିୀ ମହାଦେବୀ କୋଶଳରେ ନିର୍ବାସିତା ହୋଇ ରହିଲେ । ସିଦ୍ଧ ଗୌରୀ ଭୌମ ବଂଶର ପୂର୍ବବର୍ତ୍ତୀ ରାଣୀ ଗୋସ୍ୱାମିନୀଙ୍କ ଆଦର୍ଶ ଅନୁସରଣ କରି ରାଜ୍ୟ ଶାସନ କରିଥିଲେ । ତାଙ୍କ ପରେ ତଙ୍କର ଦୁଇ ପୁତ୍ର-ତୃତୀୟ ଶାନ୍ତିକର ଦେବ ଓ ପଞ୍ଚମ ଶୁଭାକର ଦେବ ଜଣକ ପରେ ଜଣେ ରାଜା ହେଲେ । ତୃତୀୟ ଶାନ୍ତିକରଙ୍କ ରାଣୀ ଥିଲେ ଧର୍ମ ମହାଦେବୀ ଏବଂ ପଞ୍ଚମ ଶୁଭାକରଙ୍କ ଦୁଇରାଣୀ ଗୌରୀ ମହାଦେବୀ ଓ ବକୁଳ ମହାଦେବୀ ।
ପଞ୍ଚମ ଶୁଭାକର ଦେବ ହେଉଛନ୍ତି ଭୌମ ବଂଶର ଶେଷ ପୁରୁଷ ରାଜା ଏବଂ ତାଙ୍କ ପରେ ଭୌମ ଶାସନର ସମାପ୍ତିଯାଏ ଧାରାବାହିକ ଭାବରେ ନାରୀମାନେ ହିଁ ରାଜପଣ କରିଥିଲେ । ପଞ୍ଚମ ଶୁଭକରଙ୍କ ମୃତ୍ୟୁ ପରେ ତାଙ୍କର ବଡ଼ରାଣୀ ଗୌରୀ ମହାଦେବୀ ସିଂହାସନ ଆରୋହଣ କଲେ । ସେ ଭୁବନେଶ୍ୱର ଠାରେ ଗୌରୀ ମନ୍ଦିର ନିର୍ମାଣ କରିଥିଲେ । ଗୌରୀ ମହାଦେବୀଙ୍କ ପରେ ସିଂହାସନ ଲାଭକଲେ ତାଙ୍କର ଦୁହିତା ଦଣ୍ଡୀ ମହାଦେବୀ । ତାଙ୍କର ଶାସନ କାଳରେ ଉତ୍କଳରେ ବହୁ ଜନିତକର କାର୍ଯ୍ୟ କରାଯାଇଥିଲା ଏବଂ ଶାନ୍ତି ଓ ସମୃଦ୍ଧିର ଅଭିବୃଦ୍ଧି ଘଟିଥିଲା ।
ସମ୍ଭବତଃ ରାଜନୈତିକ କାରଣରୁ ଚଣ୍ଡୀ ମହାଦେବୀ ମୃତ୍ୟୁ ପର୍ଯ୍ୟନ୍ତ ଅବିବାହିତ ରହିଗଲେ । ତାଙ୍କର ପାଣିଗ୍ରହଣ କରିବା ପାଇଁ ଅନେକ ରାଜପୁରୁଷ ଆଗ୍ରହୀ ଥିବା ଜଣାପଡ଼େ । ମାତ୍ର ତାଙ୍କର ଅକାଳ ବିୟୋଗ ହେଲା ଏବଂ ତାହା ପରେ ସିଂହାସନରେ ଅଧିଷ୍ଠିତା ହେଲେ ପଞ୍ଚମ ଶୁଭକରଙ୍କର ଦ୍ୱିତୀୟା ବିଧବା ରାଣୀ ବଳୁଳ ମହାଦେବୀ । ସେ ଭଞ୍ଜ ବଂଶୀୟା କନ୍ୟା ଥିଲେ ଏବଂ ତାଙ୍କର ରତ୍ତ୍ୱ କାଳରେ ଭଞ୍ଜମାନଙ୍କର ପ୍ରଭାବ ବିଶେଷ ରୂପେ ବଢ଼ି ଯାଇଥିଲା । ଭୌମ ବଂଶର ଶେଷ ରାଣୀ ହେଉଛନ୍ତି ତୃତୀୟ ଶାନ୍ତିକରଙ୍କ ବିଧବା ରାଣୀ ଧର୍ମ ମହାଦେବୀ । ପ୍ରାୟ ୯୬୦ ଖ୍ରୀ.ରେ ତାଙ୍କର ମୃତ୍ୟୁ ପରେ କୋଶଳର ସୋମବଂଶୀ ରାଜା ଧର୍ମରଥ ଉତ୍କଳ ଅଧିକାର କରିଥିଲେ ।
ସୋମବଂଶୀ ରାଜା ଦ୍ୱିତୀୟ ଯଯାତି ମହାଶିବ ଗୁପ୍ତଙ୍କର ରାଣୀ କୋଳାବତୀ ଦେବୀ ଭୁବନେଶ୍ୱରଠାରେ ବ୍ରହ୍ମେଶ୍ୱର ମନ୍ଦିର ନିର୍ମାଣ କରାଇଥିଲେ । ଲିଙ୍ଗରାଜ ମନ୍ଦିରର ବିମାନ ତାଙ୍କର ସ୍ୱାମୀ ଦ୍ୱିତୀୟ ଯଯାତିଙ୍କ ଦ୍ୱାରା ଓ ସେହି ମନ୍ଦିର ମୋହନ ତାଙ୍କର ପୁତ୍ର ଉଦ୍ୟୋତ କେଶରୀଙ୍କ ଦ୍ୱାରା ନିର୍ମିତ ହୋଇଥିବା ଜଣେପଡ଼େ । ଏହି ସୋମବଂଶୀକାଳୀନ ମନ୍ଦିର ଗାତ୍ରରେ ନାରୀ ଜୀବନର ଯେଉଁ ଚିତ୍ର ଅଙ୍କିତ ହୋଇଛି, ତାହା ଭୌମ କାଳୀନ ମନ୍ଦିର ଯଥା ବୈତାଳ, ଶିଶିରେଶ୍ୱର, ଗୌରୀ ମୋହିନୀ ଆଦିରେ ଅଙ୍କିତ ନାରୀ ଚିତ୍ର ଠାରୁ ଅନେକାଂଶରେ ଭିନ୍ନ ଦେଖାଯାଏ । ନାରୀର ବେଶଭୂଷା, କେଶବିନାସ, କ୍ରୀଡ଼ା କୌତୁକ, ଚାଲିଚଳନରେ ସୋମବଂଶୀ ଶାସନ କାଳରେ ବୈପ୍ଲବିକ ପରିବର୍ତ୍ତନ ଲକ୍ଷ୍ୟ କରାଯାଏ । ସୋବଂଶୀଙ୍କ ରାଜଧାନୀ ଯଯାତି ନଗର (ମହାନଦୀ କୂଳସ୍ଥ ବୌଦ୍ଧ ନିକଟସ୍ଥବର୍ତ୍ତୀ ଜଗତି ନଗର)ର ବର୍ଣ୍ଣନା ଦେବାକୁ ଯାଇ କବି ଧୋୟି ତାଙ୍କର ପବନଦୂତ କାବ୍ୟରେ ଏବଂ ସମସାମୟିକ କବିଗଣ ତାମ୍ର ଶାସନଗୁଡ଼ିକରେ ଉକ୍ତ ନଗରର ନାରୀଜାତିଙ୍କ ଅତି ଉନ୍ନତ ଚିତ୍ର ପ୍ରଦାନ କରିଅଛନ୍ତି ।
ସୋମବଂଶୀ ଶାସନ କାଳରେ କେତେକ ବୌଦ୍ଧ ବିହାର ଓ ମଠରେ ନାରୀମାନଙ୍କର ବିଶେଷ ପ୍ରତିପତ୍ତି ଥିବା ଜଣାପଡ଼େ । ବୈତରଣୀ କୂଳରେ ସୋଳନପୁରଠାରେ ଯେଉଁ ମହାବିହାର ପ୍ରତିଷ୍ଠିତ ହୋଇଥିଲା, ସେଠାରେ ଧାରାବାହିକ ଭାବରେ ପୁରୁଷାନୁକ୍ରମେ ନାରୀମାନଙ୍କର କତୃତ୍ତ୍ୱ ରହିଥିଲା । ବିହାରର ମୁଖ୍ୟ ପରିଚାଳିକାଙ୍କୁ ରାଣୀ ବା ମହାରାଣୀ ଆଖ୍ୟା ପ୍ରଦାନ କରାଯାଇଥିଲା । ଉକ୍ତ ମହାବିହାରର ମୁଖ୍ୟା ରୂପେ ଦମୟନ୍ତୀଙ୍କ ଦୁହିତା ମହାରାଣୀ ହୁତାଦେବୀଙ୍କ କନ୍ୟା ରାଣୀ କର୍ପୁରଶ୍ରୀଙ୍କ ନାମୋଲ୍ଲେଖ ମିଳେ । ସୋମବଂଶର ଶେଷ ରାଜା କର୍ଣ୍ଣଦେବ ରାଣୀ କର୍ପୁରଶ୍ରୀଙ୍କୁ ଭୂମିଦାନ କରିଥିଲେ ।
କିମ୍ବଦନ୍ତୀ ଅନୁସାରେ ସୋମବଂଶର ଶେଷ ରାଜା ସୁବର୍ଣ୍ଣକେଶରୀଙ୍କ ଦୁହିତା ନନ୍ଦିକା ଚୋଡଗଙ୍ଗ ଦେବଙ୍କ ପ୍ରେମରେ ପାଗଳିନୀ ହୋଇ ପିତାଙ୍କର ନୈତ୍ରମଣି ଚୋରାଇ ନେଇ ତାଙ୍କୁ (ଚୋଳଗଙ୍ଗଙ୍କୁ) ଅର୍ପଣ କରିଥିଲେ । ମାତ୍ର ଚୋଳଗଙ୍ଗଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇ ସେ ଆତ୍ମହତ୍ୟା କରିଥିଲେ । ଏହି କଥାବସ୍ତୁରେ ଐତିହାସିକ ସତ୍ୟ ନିହିତ ଥିବା ଜଣାପଡ଼େ ନାହିଁ । ସୁବର୍ଣ୍ଣକେଶରୀ ଓ ନନ୍ଦିକା ଉଭୟେ କିମ୍ବଦନ୍ତୀର ଚରିତ୍ର -ଐତିହାସିକ ନୁହଁନ୍ତି ।
ସୌଜନ୍ୟ – ସମତା ପତ୍ରିକା (1972 ମସିହା)