Editorial Note: In Odisha’s classical tradition, painting, music, and dance breathed together as one living art. Researcher Prateek Pattanaik revisits that ancient bond through Raag-chitra, exploring how each raag was once visualized as a human form, a practice called ragamūrti, unique to Odisha’s culture. Analyzing four pattachitra works by artist Bibhu Pattanaik, the essay is also a cultural argument: that the dialogue between painters and musicians, once vibrant, has been largely severed, and recovering it is urgent. We hope this becomes a valuable document for students of Odisha’s art, music, and heritage. – Swayamprava Parhi
ବିଗତ ମାର୍ଚ୍ଚ ମାସର ପ୍ରଥମ ସପ୍ତାହରେ, ଭୁବନେଶ୍ୱରସ୍ଥ ଲଳିତ କଳା ଏକାଡେମୀ ଆଞ୍ଚଳିକ କେନ୍ଦ୍ରରେ, ଓଡ଼ିଶାର ଜଣେ ବରପୁତ୍ର, ଚିତ୍ରଶିଳ୍ପୀ, ଗବେଷକ ଓ କଳା ଐତିହାସିକ ଡକ୍ଟର ଦିନନାଥ ପାଠୀଙ୍କ ସ୍ମୃତିରେ ଗୋଟିଏ ଚିତ୍ରପ୍ରଦର୍ଶନୀଟି ଆୟୋଜିତ ହୋଇଥିଲା । ପାଠୀ ସାରଙ୍କ ବହି ନାମାନୁସାରେ ଏହି ପ୍ରଦର୍ଶନୀକୁ ନାମିତ କରାଯାଇଥିଲା ‘Let a Thousand Flowers Bloom’ । ଏହି ପ୍ରଦର୍ଶନୀର ଆୟୋଜନ କରିଥିଲେ ମାଲେସିଆ ସ୍ଥିତ ନୃତ୍ୟଶିଳ୍ପୀ ସୂତ୍ର ଫାଉଣ୍ଡେସନ୍ (Sutra Foundation) ; କେତକୀ ଫାଉଣ୍ଡେସନ୍ ; ଏବଂ ତ୍ରିଧାରା ନୃତ୍ୟାନୁଷ୍ଠାନ, ଏବଂ ଭୁବନେଶ୍ୱରରେ ଏହାର କ୍ୟୁରେଟର ଥିଲେ ପ୍ରଖ୍ୟାତ ଚିତ୍ରଶିଳ୍ପୀ ଶ୍ରୀଯୁକ୍ତ ରାମହରି ଜେନା । ଭୁବନେଶ୍ୱର ଛଡ଼ା ଦିଲ୍ଲୀ, ଚେନ୍ନାଇ, ପୁଣେ ଓ କୁଆଲା ଲୁମ୍ପୁରରେ ମଧ୍ୟ ଏହି ପ୍ରଦର୍ଶନୀ କ୍ରମଶଃ ଭ୍ରାମ୍ୟମାଣ ହେବ ।
ପ୍ରଦର୍ଶନୀର ଉନ୍ମୋଚନ ଅବସରରେ ସର୍ବାଦୌ ଶ୍ରୀ ରାମହରି ଜେନା ଡକ୍ଟର ପାଠୀଙ୍କର ସଶ୍ରଦ୍ଧ ସ୍ମୃତିଚାରଣ କରିବା ସଙ୍ଗେ ସଙ୍ଗେ, ପ୍ରଦର୍ଶନୀର ଉଦ୍ଦେଶ୍ୟ ଓଡ଼ିଶୀ ନୃତ୍ୟ, ସଙ୍ଗୀତ ପରମ୍ପରାକୁ ଚିତ୍ର ମାଧ୍ୟମରେ ତୋଳି ଧରିବା ବୋଲି ସୂଚାଇଥିଲେ । ପରେ ପରେ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ଶ୍ରୀଯୁତ ରାମ୍ଲି ଇବ୍ରାହିମ୍ ଏ ଦିଗରେ ସୂତ୍ର ଫାଉଣ୍ଡେସନ୍ର ନିରନ୍ତର ଉଦ୍ୟମ ରହିଥିବା ଜଣାଇଥିଲେ । ତାଙ୍କ ମତରେ ବିଭିନ୍ନ ଧାରାର କଳାକୃତି ମଧ୍ୟରେ ଆଦାନପ୍ରଦାନ ପ୍ରାଚୀନ ଉତ୍କଳୀୟ ପରମ୍ପରାରେ ଥିଲେହେଁ ଆଧୁନିକ ଯୁଗରେ ବିଚ୍ଛିନ୍ନ ହୋଇଯାଇଥିବାରୁ, ସେହି ସମଷ୍ଟିକୁ ପୁନରୁଜ୍ଜୀବିତ କରିବା ନିମନ୍ତେ ଏହା ଏକ ଦୀର୍ଘକାଳବ୍ୟାପୀ ପ୍ରୟାସ ଅନ୍ତର୍ଗତ ଅନ୍ୟ ଏକ ପୁଷ୍ପ । ଉଲ୍ଲେଖଯୋଗ୍ୟ ଯେ ଉକ୍ତ ପ୍ରଦର୍ଶନୀରେ ଓଡ଼ିଶା, ଚେନ୍ନାଇ ଓ ମାଲେସିଆ ତିନୋଟି ଅଞ୍ଚଳରୁ ଚିତ୍ରଶିଳ୍ପୀମାନଙ୍କ ପ୍ରଦର୍ଶିତ ହୋଇଥିଲା ।
ଏହି ପ୍ରବନ୍ଧରେ ଦିଲ୍ଲୀରେ ବାସ କରୁଥିବା ଚିତ୍ରଶିଳ୍ପୀ ଶ୍ରୀ ବିଭୁ ପଟ୍ଟନାୟକଙ୍କ ଚିତ୍ରମାନଙ୍କ ଉପରେ କିଛି ଆଲୋଚନା କରିବା ଉଦ୍ଦିଷ୍ଟ । ଏହାର କାରଣ ପଚରାଯାଇପାରେ, ଯେ ଏତେ ଚିତ୍ର ମଧ୍ୟରେ କେବଳ ଜଣଙ୍କର ଚିତ୍ର ବାଛିନେବାର ଅଭିପ୍ରାୟ କଣ ହେଇପାରେ? ଏହାର ଉତ୍ତର ଅତ୍ୟନ୍ତ ସରଳ ; କାରଣ ଅନେକ ଚିତ୍ର ନୃତ୍ୟଭିତ୍ତିକ ହୋଇଥିବାବେଳେ, ଏହି ଚିତ୍ରତକ ସଙ୍ଗୀତ ସଙ୍ଗେ ପ୍ରତ୍ୟକ୍ଷ ଭାବରେ ଜଡ଼ିତ । ଲେଖକ ଜଣେ ଓଡ଼ିଶୀ ସଙ୍ଗୀତର ଛାତ୍ରଟିଏ ହୋଇଥିବାରୁ, ଏହି ସଙ୍ଗୀତ ବୈଷୟିକ ଚିତ୍ର ତାହାକୁ ଆକୃଷ୍ଟ କରିବା ସ୍ୱାଭାବିକ ।
ଶ୍ରୀ ବିଭୁ ପଟ୍ଟନାୟକ ବରିଷ୍ଠ ପଟଚିତ୍ର ଗୁରୁ ଓ କୋବିଦ ଶ୍ରୀ ବେଣୁଧର ମହାପାତ୍ରଙ୍କ ଶିଷ୍ୟ ଅଟନ୍ତି । ଏହା ଛଡ଼ା ସେ ଶ୍ରୀ ଦୀନବନ୍ଧୁ ମହାପାତ୍ରଙ୍କଠାରୁ ମଧ୍ୟ ପଟଚିତ୍ର ଶିଖିଛନ୍ତି । ଏହା ଛଡ଼ା ସେ ଫାଇନ୍ ଆର୍ଟ୍, ପ୍ରିଣ୍ଟ୍ ଏବଂ ବାଟିକ୍ ବିଷୟରେ ବିଧିବଦ୍ଧ (ଆଧୁନିକ ଆନୁଷ୍ଠାନିକ) ଅଧ୍ୟୟନ କରିଛନ୍ତି । ଏଣୁ ଉଭୟ ପରମ୍ପରା ଓ ଆଧୁନିକ କଳାଜଗତ ତାଙ୍କୁ ଗୋଚର । ଏହି ପ୍ରଦର୍ଶନୀରେ ଆଜ୍ଞାଙ୍କ କୃତ ଚାରୋଟି ପଟଚିତ୍ର ପ୍ରଦର୍ଶିତ ହୋଇଥିଲା । ଏହି ଚିତ୍ରମାନ ଅନେକ ଦୃଷ୍ଟିରୁ ପ୍ରାଚୀନ, ପୁଣି ଅନେକ ଦୃଷ୍ଟିରୁ ନବୀନ ମଧ୍ୟ । ସବୁଠୁ ଗୋଚର ପ୍ରଭେଦଟି ପାରମ୍ପରିକ ପଟି ସ୍ଥଳରେ କାନ୍ଭାସ୍ର ପ୍ରୟୋଗ ଏବଂ ପ୍ରାକୃତିକ ରଙ୍ଗ ଅପେକ୍ଷା ଆଧୁନିକ ଆକ୍ରିଲିକ୍ ଓ ଅନ୍ୟାନ୍ୟ ରଙ୍ଗ ପ୍ରୟୋଗ । ଚିତ୍ରଗୁଡ଼ିକୁ ନିରିଖେଇ ଦେଖିଲେ ଯେ କେହି ଚମତ୍କୃତ ହେବ ; ପଟଚିତ୍ରର ସରୁକଳା ପକେଇବାରେ ଦକ୍ଷତା ଶିଳ୍ପୀ କାନ୍ଭାସ୍ରେ ଫୁଟେଇ ପାରିଛନ୍ତି । ଏହା ଯେ କେଡ଼େ ଦୁଷ୍କର କହିବା ବାହୁଲ୍ୟ ମାତ୍ର । ପଟି ଶୈଳୀର ଭିତ୍ତିଚିତ୍ର ଆଦିରେ ବ୍ୟବହୃତ ଜୈବିକ ରଙ୍ଗ ଓ ତା ତହିଁରୁ ଆଧୁନିକ ରଙ୍ଗର ଅନେକ ଭେଦ ରହିଛି – ସାନ୍ଦ୍ରତା (saturation; pigment load), ତାରଲ୍ୟ (fluidity) ଓ ଚମକ (sheen) ଆଦି ପୃଥକ୍ । ଏହା ଚିତ୍ରମାନଙ୍କରୁ ବାରି ହେଉଥିଲା । ଅବଶ୍ୟ ପ୍ରାଚୀନ ଯୁଗରେ ପଟି (ଏବଂ କେତେକ ସ୍ଥଳେ ତାଳପତ୍ର) ଉପରେ ପଥର ରଙ୍ଗ (stone pigment) ପ୍ରୟୋଗ ହେଉଥିଲା ଏବଂ ଏ ଜାତିର ଅନେକ ପଟି ମଧ୍ୟ ବିଶ୍ୱର ସଂଗ୍ରହାଳୟମାନଙ୍କରେ ଅଛି; ସେସବୁରେ ଯେଉଁ ଔଜ୍ଜ୍ୱଲ୍ୟ ଓ ବର୍ଣ୍ଣବିନ୍ୟାସ ରହିଥାଏ, ତାହାକୁ ଆଖି ଆଗରେ ରଖି ବିଭୁ ଆଜ୍ଞା ଚିତ୍ର କରିଥିବା ଜଣାଯାଉଛି। ଏଣୁ ଏହା ଭିତ୍ତି ନୁହଁ ବରଂ ପଟିର ଯଥାର୍ଥ ଆଧୁନିକ ରୂପାନ୍ତରଣ କହିଲେ ଅତ୍ୟୁକ୍ତି ହେବ ନାହିଁ।
ଚିତ୍ରମାନଙ୍କ ବିଷୟ ଉପରେ ଏଣିକି ଆଲୋଚନା କରାଯାଉ । ସବୁଗୁଡ଼ିକ ଉତ୍କଳୀୟ ପରମ୍ପରାର ନିଚ୍ଛକ ପ୍ରତିନିଧି ; ଆଧୁନିକତାର ଲେଶମାତ୍ର ସ୍ପର୍ଶ ନାହିଁ । ସର୍ବାଦୌ ସ୍ଥିତ ସବୁଠାରୁ ବୃହତ୍ ଚିତ୍ରଟି ଥିଲା ନୃତ୍ୟଭିତ୍ତିକ । ଏଥିରେ ଜଣେ ମାହାରୀ ନୃତ୍ୟଭଙ୍ଗୀରେ ରତା ଓ ତାଙ୍କ ପାରୁଶରେ ବାଦ୍ୟକାର ଜଣେ ମୁରଜ ନାମକ ଆନଦ୍ଧ ବାଦ୍ୟ ବାହୁଛନ୍ତି । ଚିତ୍ରଟି ଉପେନ୍ଦ୍ର ଭଞ୍ଜଙ୍କ ରସିକହାରାବଳୀ କାବ୍ୟର ଦୁଇଟି ଧାଡ଼ିର ରୂପାୟନ, “ବିଧୁର ଚରିତ ମଧୁର କରି ଗାଆନ୍ତି ସାଧୁ । ଆଗତ ହୋଇଣ ନାଚନ୍ତି ଯହିଁ ଗଣିକାବଧୂ । ମୁରଜଘାତକୁ ଉରଜ ଉରଜ ଯେ ଚମକେ । ତ୍ରିପୁର ମୋହିଁବୁ ବୋଲନ୍ତି ସେ କି ନୃତ୍ୟଝମକେ ।” – ଏ ରୂପାୟନ ମଧ୍ୟ ରସିକହାରାବଳୀର ଏକ ବିଖ୍ୟାତ ଚିତ୍ରପୋଥିରୁ ଅନୁପ୍ରାଣିତ । ନୃତ୍ୟକାରିଣୀଙ୍କ ବିଚିତ୍ର ମାଛକାତିଆ ଶାଢ଼ୀ ଓ ଖୋଷାରେ ଖଞ୍ଜା କିଆପତ୍ର, ନୃତ୍ୟଶାଳାର ଛାତରୁ ଝୁଲୁଥିବା ସୁବାସ ମାଳଗୁଚ୍ଛ ଓ ବାଦ୍ୟକାରଙ୍କ ମୁରଜରେ ଅଙ୍କିତ ଚନ୍ଦ୍ରବିନ୍ଦୁ ଆଦି ବଡ଼ ଯତ୍ନରେ ଅଙ୍କା ହୋଇଅଛି । ପୂର୍ବେ ବାଦ୍ୟରେ ଚନ୍ଦ୍ରବିନ୍ଦୁ (ନାଦ-ବିନ୍ଦୁ) ଆଙ୍କି ତାନ୍ତ୍ରିକ ସ୍ତ୍ରୀପୁଂସ ସଂଯୋଗ ତତ୍ତ୍ୱକୁ ଏ ଓଡ଼ିଶାର ସଙ୍ଗୀତଜ୍ଞମାନେ ସ୍ଥିତ କରୁଥିଲେ । ନାଦରୁ ସବୁ ସୃଷ୍ଟି ହୋଇଛି ବୋଲି ଏହା ସୂଚାଉଥିଲା । ଏବା ସୁଦ୍ଧା ପରମ୍ପରାଗତ ସଙ୍ଗୀତଜ୍ଞମାନେ ଶ୍ରୀପଞ୍ଚମୀ ଦିନ ବୀଣାର ତୁମ୍ବରେ ଚନ୍ଦ୍ରବିନ୍ଦୁ ଆଙ୍କନ୍ତି । ବିଲୁପ୍ତପ୍ରାୟ ଏ ତତ୍ତ୍ୱଗୁଡ଼ିକୁ ଯେ ଚିତ୍ର ବହନ କରିରଖିଛି, ଏହା ବଡ଼ ଆନନ୍ଦର କଥା ।

ମାହାରୀଙ୍କ ନୃତ୍ୟ, କାନ୍ଭାସ୍ ଉପରେ ଆକ୍ରିଲିକ୍, ୧୨୨ x ୧୩୨ ସେ.ମି., ୨୦୨୪।
ଅପର ତିନୋଟି ଚିତ୍ର ଏକଶ୍ରେଣୀୟ – ଏମାନେ ରାଗଚିତ୍ର । ସଙ୍ଗୀତଶାସ୍ତ୍ରମାନଙ୍କରେ ପ୍ରତ୍ୟେକ ରାଗର ଏକ ମନୁଷ୍ୟାକାର ରୂପାୟନ କରାଯାଇଛି । ଏହାକୁ ଓଡ଼ିଶୀ ସଙ୍ଗୀତ ପରମ୍ପରାରେ ‘ରାଗମୂର୍ତ୍ତି’ କୁହାଯାଏ । ସଙ୍ଗୀତନାରାୟଣ (୧୬୫୦) ଗ୍ରନ୍ଥରେ ଏଭଳି ପ୍ରାୟ ପଞ୍ଚାଶଟି ରାଗର ମୂର୍ତ୍ତି ଓ ଧ୍ୟାନଶ୍ଳୋକ ପ୍ରଦତ୍ତ । ଆମ ଓଡ଼ିଶାରେ ଏ ରାଗମୂର୍ତ୍ତିର ଗୁରୁତ୍ତ୍ୱ କିଛି କମ୍ ନୁହଁ ; ରକ୍ଷଣଶୀଳ ସମ୍ପ୍ରଦାୟମାନଙ୍କରେ ଗୀତ ଗାଇବା ପୂର୍ବରୁ ଓ ରାଗର ଆଳାପ କରିବା ପୂର୍ବରୁ ସର୍ବାଦୌ ଏହି ରାଗମୂର୍ତ୍ତି ଶ୍ଳୋକ ଗାଇ ରାଗଙ୍କୁ ଧ୍ୟାନ କରାଯାଏ । ଏହା ଏକ ପ୍ରକାର ତନ୍ତ୍ରମତ ଆବାହନ ପ୍ରକ୍ରିୟା ; ଓଡ଼ିଶା ଛଡ଼ା ଅନ୍ୟତ୍ର ଏହା ନାହିଁ । ଓଡ଼ିଶୀ ନୃତ୍ୟରେ ମଧ୍ୟ ସେଭଳି ରାଗମୂର୍ତ୍ତି ଅଭିନୀତ ହୁଏ । ଗୁରୁ ଦେବପ୍ରସାଦ ଦାସଙ୍କ ନୃତ୍ୟରେ ଏହା ସ୍ଫୁଟ । ପଟଚିତ୍ର ପରମ୍ପରାର ମଧ୍ୟ ଏହା ଏକ ପ୍ରଚଳିତ ବିଷୟବସ୍ତୁ ।
ସ୍ୱାଭାବିକ କଥା ଓଡ଼ିଶାର ଗ୍ରାମାଞ୍ଚଳରୁ ଅନେକ ପ୍ରାଚୀନ ରାଗଚିତ୍ର ମିଳିଛି । ୧୫୦୦-୧୬୦୦ ବେଳର ଖଣ୍ଡିଏ ଓଡ଼ିଶୀ ରାଗପଟି ଯାଇ ଲସ୍ ଆଞ୍ଜେଲେସ୍ ସଂଗ୍ରହାଳୟର ଶୋଭା ବର୍ଦ୍ଧନ କରୁଛି । କବିସୂର୍ଯ୍ୟଙ୍କ ବିହାରସ୍ଥଳୀ ଆଠଗଡ଼ପାଟଣା ଓ ପାରଳାରୁ ଦୁଇ ତିନୋଟି ରାଗପଟି ସେଟ୍ ମିଳିଛି ; ପ୍ରତ୍ୟେକଟିରେ ୧୮-୨୦ ରାଗ । ନିକଟସ୍ଥ ବୋଇରାଣୀ ଗ୍ରାମରେ ଗୁରୁଙ୍କ ଗୁରୁ ଅଷ୍ଟାବଧାନୀ ଆଚାର୍ଯ୍ୟ ତାରିଣୀ ଚରଣ ପାତ୍ର ଏପରି ଖଣ୍ଡେ ପଟି ରଖି ଶିଷ୍ୟଙ୍କୁ ଦେଖାଉଥିବାର ମଧ୍ୟ ଶୁଣିଛି । କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ୧୯୬୬ରେ ରାଗଚିତ୍ର ସମ୍ବଳିତ ଏକ ତାଳପତ୍ର ପୋଥିଟି ଧରାକୋଟରୁ ସଂଗ୍ରହ କରି ସର୍ବପ୍ରଥମେ ପ୍ରକାଶିତ କରିଥିଲେ ; ମାତ୍ର ସେବେଠୁ ନେଇ ବର୍ତ୍ତମାନ ଯାଏଁ ରାଗଚିତ୍ର ଉପରେ ଯେ ବିଶେଷ ଖାଣ୍ଟି ଚିତ୍ରକାମ ହୋଇଛି, ଏହା ଅକ୍ଳେଶରେ କହିହେବ ନାହିଁ । ଚିତ୍ରକାରମାନେ ଖାତାରେ ସଂସ୍କୃତ ଧ୍ୟାନ ସଙ୍ଗେ ସଙ୍ଗେ ୧୫ଶ ଶତାବ୍ଦୀର କବିରତ୍ନ କଳାଙ୍କୁର ମୁନିଙ୍କ କୃତ ଓଡ଼ିଆ ଛାନ୍ଦ ଅନୁବାଦ ଟିପିରଖୁଥିଲେ । ୧୯୪୦ ଯାଏଁ ସୁଦ୍ଧା ଦକ୍ଷିଣ ଓଡ଼ିଶାର ଚିତ୍ରକାରମାନେ ଏ ବିଷୟରେ ଅବଗତ ଥିବା ଜଣାଯାଉଛି । କିନ୍ତୁ ୪୦ ମସିହା ପରେ ଏ ଜାତୀୟ କାମ ଆଉ ବିଶେଷ ମିଳୁ ନାହିଁ । ବୋଧହୁଏ ବିଂଶ ଶତାବ୍ଦୀ ଉତ୍ତରାର୍ଦ୍ଧରେ ଚିତ୍ରକାର ଓ ସଙ୍ଗୀତଜ୍ଞମାନଙ୍କ ମଧ୍ୟରେ ଥିବା ଏ ସୁସମ୍ପର୍କ ଛିନ୍ନ ହୋଇ ଏ ବିଦ୍ୟାତକ ବୁଡ଼ିଯାଇଛି । ସୁଧୀଜନେ ନ ଲୋଡ଼ିବାରୁ ଚିତ୍ରକାର ମଧ୍ୟ ଆଉ ଆଙ୍କି ନାହାନ୍ତି । ପରେ ରଘୁରାଜପୁରରେ ଯେଉଁ କେତେକ ରାଗଚିତ୍ର ଦେଖିବାକୁ ମିଳୁଛି ସେଗୁଡ଼ିକ ଉତ୍କଳୀୟ ପରମ୍ପରାର ନ ହୋଇ ଅନ୍ୟ କୌଣସି ବାହ୍ୟ ପରମ୍ପରାର ଅନୁସରଣ ମାତ୍ର । ମାଆ ନ ଜାଣି ମାଉସୀ ଜାଣିଲା ଭଳି ନ୍ୟାୟ ।

ରାଗ ଶାବରୀ, ରଘୁନାଥ ବିନ୍ଧାଣୀରତ୍ନ, ରାଗପଟି, ୧୯ଶ ଶତାବ୍ଦୀ ।

ଓଡ଼ିଶୀ ରାଗ ଶାବରୀ (ସାବେରୀ), କାନ୍ଭାସ୍ ଉପରେ ଆକ୍ରିଲିକ୍, ୩୬.୫ x ୫୩.୫ ସେ.ମି., ୨୦୨୫।
ସେ ଯାହା ହେଉ, ବିଭୁ ଆଜ୍ଞା କରିଥିବା ତିନୋଟି ରାଗପଟିରେ ଥିଲେ – ରାଗ ସୋମ, ରାଗ ଶାବରୀ (ସାବେରୀ) ଓ ରାଗିଣୀ ନଳିନୀଗୌଡ଼ା । ଆନନ୍ଦର କଥା ଯେ ଓଡ଼ିଶୀ ସଙ୍ଗୀତ ଗାନ ପରମ୍ପରାରେ ଏ ତିନୋଟିଯାକ ଅଦ୍ୟାବଧି ଗାନ ହେଉଛନ୍ତି । ସଙ୍ଗୀତନାରାୟଣଙ୍କ ରାଗମୂର୍ତ୍ତି ଶ୍ଳୋକ ଉଦ୍ଧାର କରି ଏ ଚିତ୍ରଗୁଡ଼ିକୁ ଅଧ୍ୟୟନ କରାଯାଉ । ଶାବରୀ ବା ନାମାନ୍ତରେ ସାବେରୀ ରାଗିଣୀଙ୍କ ଧ୍ୟାନ ଅନେକଙ୍କୁ ଗୋଚର –
ଶ୍ରୀଖଣ୍ଡଶୈଳଶିଖରେ ଶିଖିବର୍ହବାସା
ମାତଙ୍ଗମୌକ୍ତିକକୃତୋତ୍ତମ ହାରଯଷ୍ଟିଃ
ଆକୃଷ୍ୟ ଚନ୍ଦନତରୋଃ ଶବରୀ ଭୁଜଙ୍ଗମ୍
ଆବଧ୍ନତି ବଳୟମ୍ ଉଜ୍ଜ୍ୱଳନୀଳକାନ୍ତିଃ ।
ଏବେ ସୁଦ୍ଧା ଓଡ଼ିଶୀ ସଙ୍ଗୀତର ପୁରୁଖା ଗାୟକମାନଙ୍କ ସମେତ ଚିକିଟି ରାମଲୀଳା, ପ୍ରହ୍ଲାଦ ନାଟକ ଆଦିରେ ଏହି ଧ୍ୟାନ ବୋଲାଯାଏ । ସାବେରୀ ପଲ୍ଲବୀରେ ମଧ୍ୟ ନୃତ୍ୟରେ ଅଭିନୀତ କରାଯାଏ । ଶାବରୀ ରାଗିଣୀ ଶବର (ସଉରା) ସମ୍ପ୍ରଦାୟଙ୍କ ସଙ୍ଗେ ଜଡ଼ିତ । ଉଜ୍ଜ୍ୱଳ ନୀଳବର୍ଣ୍ଣା ଯୁବତୀ । ମୟୂରପିଞ୍ଛକୁ ବାସ କରି ପିନ୍ଧିଛନ୍ତି । ଗଜମୁକ୍ତା ହାର ଅଙ୍ଗଦେଶରେ ଶୋଭା ପାଉଛି । ମଳୟଗିରି ଶିଖରରେ ବସି ଚନ୍ଦନ ଗଛରୁ ସାପକୁ ଝିଙ୍କି ଆଣି ବଳା କରିବାରେ ଉଦ୍ୟତ । ବିପ୍ର ଧନଞ୍ଜୟ (୧୬୮୮), ରଘୁନାଥ ବିନ୍ଧାଣୀରତ୍ନ ଓ ରଘୁନାଥ ପୃଷ୍ଟି (୧୮ଶ-୧୯ଶ ଶତାବ୍ଦୀ) ଆଦି ଏକାଧିକ ପୁରାତନ ଚିତ୍ରଶିଳ୍ପୀମାନେ ପୋଥି ଓ ପଟିରେ ଏହି ମୂର୍ତ୍ତିଙ୍କୁ ଆଙ୍କିଛନ୍ତି । ଅଧ୍ୟୟନରୁ ଜଣାଯାଉଛି ଯେ ଏମାନଙ୍କୁ ଆଙ୍କିବାର ଏକ ନିର୍ଦ୍ଦିଷ୍ଟ ବିଧି (composition) ମଧ୍ୟ ସେକାଳରେ ପ୍ରଚଳିତ ଥିଲା । ଶ୍ରୀ ପଟ୍ଟନାୟକ ରଘୁନାଥ ବିନ୍ଧାଣୀରତ୍ନଙ୍କଦ୍ୱାରା ବିଶେଷ ପ୍ରଭାବିତ ଥିବା ସ୍ପଷ୍ଟ ଦେଖାଯାଉଛି । ବିନ୍ଧାଣୀରତ୍ନଙ୍କ ଅବଲମ୍ବନରେ ସେ ମୟୂରପିଞ୍ଛ ଶାଢ଼ୀ ପରିକଳ୍ପନା କରିଛନ୍ତି, ତହିଁରେ ନିଜ ମନରୁ ଯୋଡ଼ିଦେଇଛନ୍ତି ପଶାପାଲି ଧଡ଼ିଟିଏ । ଚନ୍ଦନତରୁ ତଳେ ଉଇହୁଙ୍କା ସ୍ଥାନିତ କରିଛନ୍ତି । ଚନ୍ଦନ ତରୁରୁ ଝିଙ୍କି ଆଣିବାରୁ ସର୍ପଟି ସ୍ୱଗୁଣରେ ଫୁତ୍କାର କରୁଥିବ, ଏହା କବିକଳ୍ପନା ; ଶ୍ରୀ ପଟ୍ଟନାୟକ ଚମତ୍କାର ଭାବରେ ଏହାକୁ ଚିତ୍ରରେ ଫୁଟାଇଛନ୍ତି । ଶବରୀ ଯୁବତୀଟି ଆଖିରେ ଆଖି ମିଶାଇ ସର୍ପକୁ ନିର୍ଭୀକ ଚିତ୍ତରେ ଚାହିଁଛି ।

ଓଡ଼ିଶୀ ରାଗ ସୋମ, କାନ୍ଭାସ୍ ଉପରେ ଆକ୍ରିଲିକ୍, ୩୫.୫ x ୫୩.୫ ସେ.ମି., ୨୦୨୫।
ଦ୍ୱିତୀୟ ଚିତ୍ର, ସୋମ ରାଗଙ୍କ ମୂର୍ତ୍ତି ଏତାଦୃଶ –
ନିଶାଙ୍ଗନାଂ ବକ୍ଷସି ଶାୟୟିତ୍ୱା କଳଙ୍କଦମ୍ଭାତ୍ ସୁରତଶ୍ରମାର୍ତ୍ତମ୍ ।
ସ୍ଖଳତ୍ କରଃ ସାଳସଲୋଚନଶ୍ରୀଃ କାମୀ ସୁଧାପାଣ୍ଡୁର ଏବ ସୋମଃ ।
ଶାବରୀ ରାଗିଣୀଙ୍କ ପୁରାତନ ଚିତ୍ର ଉପଲବ୍ଧ ହେଉଥିଲେହେଁ, ନଳିନୀଗୌଡ଼ା ଓ ସୋମଙ୍କ ଚିତ୍ର ଅଦ୍ୟାବଧି ଆବିଷ୍କୃତ ଚିତ୍ରମାନଙ୍କରେ ପ୍ରାପ୍ତ ହେଉ ନାହିଁ । ଏଣୁ ଏହାଙ୍କ ନିମନ୍ତେ ଶ୍ରୀ ପଟ୍ଟନାୟକ ଆଶ୍ରୟ ନେଇଛନ୍ତି ଶରଣକୁଳର ଏକ ପୁରାତନ ଅମରୁଶତକ ପୋଥିଚିତ୍ରରୁ । ସୁରତି ଉତ୍ତାରୁ ଦମ୍ପତ୍ତି ପଲଙ୍କରେ ଶୋଇଛନ୍ତି । ଆଜ୍ଞାଙ୍କ ଚିତ୍ରଦୃଷ୍ଟିରେ ସେମାନେ ଶୋଇଛନ୍ତି ନବପଲ୍ଲବ ଶେଯ ପରେ । ଗାଢ଼ ରଙ୍ଗର ପଲ୍ଲବଶେଯ ଉପରେ ଚନ୍ଦ୍ରତୁଲ୍ୟ ଗୌରବର୍ଣ୍ଣ ସୋମରାଗ ଫୁଟିକରି ଦିଶୁଅଛନ୍ତି, ତନୁମାନଙ୍କ ଅବସ୍ଥିତିରେ ମଧ୍ୟ ଅନୁପାତର ପ୍ରକୃଷ୍ଟତା ଅଛି । ନାୟିକା ଧ୍ୟାନ ମତରେ ଶୟନ କରିଛନ୍ତି ; କିନ୍ତୁ ନାୟକଙ୍କୁ ଅଳସ ଲାଗିଲେହେଁ ନିଦ ଆସି ନାହିଁ । ପଲକ ପଡ଼ିଗଲାଣି କିନ୍ତୁ ପଡ଼ିନି, ଏଣୁ ବକ୍ଷରେ ଥିବା ରତିକ୍ଷତମାନଙ୍କୁ ଦମ୍ଭରେ ଚାହିଁଛନ୍ତି । ସତେ ସ୍ୱପ୍ନ ଦୃଶ୍ୟ ହେଲା ପରି ଚିତ୍ରଟିର ଆଭାସ ।
ତୃତୀୟ ଚିତ୍ରରେ ଥିବା ନଳିନୀଗୌଡ଼ା ଆମ ଓଡ଼ିଶାର ସ୍ୱତନ୍ତ୍ର ଓ ଲୋକାଦୃତ ରାଗିଣୀ । ଏହାଙ୍କ ମୂର୍ତ୍ତି –
ବସନ୍ତେ ସଙ୍କେତାଭିସରଣପରାଽନନ୍ଦରସିକା
ସରତ୍ୟେକା କାଚିତ୍ କମଳନୟନା ଚନ୍ଦ୍ରବଦନା ।
ନିଶୀଥେ ଶୀତାଂଶୋଃ କିରଣଲଳିତେ ଶୁକ୍ଳବସନା
ପଟୀରାକ୍ତା କାନ୍ତା ଖଳୁ ନଳିନୀଗୌଡ଼େତି ଗଦିତା ।
ବସନ୍ତ ଋତୁରେ ସଙ୍କେତାଭିସରଣପରା (କାନ୍ତର ସଙ୍କେତକୁ ଅଭିସରଣ ବା ଖୋଜିବାରେ ଉଦ୍ୟତ ହୋଇ) ଆନନ୍ଦରସିକା (ଆନନ୍ଦରେ ରସିକା ଅଟଇ, ଆନନ୍ଦ ରସ ଆଶାରେ) ସରତ୍ୟେକା (ଏକା ଏକା ସରତି, ସରଣ କରୁଅଛି ଅର୍ଥାତ୍ ଚାଲୁଅଛି) କମଳନୟନା ଚନ୍ଦ୍ରବଦନା (ଏଭଳି ନାୟିକା ଜଣକ ବସନ୍ତ ରାତିରେ କାନ୍ତଙ୍କୁ ଭେଟିବା ଆଶାରେ ବନ ପଥରେ ଏକା ଏକା ଚାଲି ଚାଲି କୁଞ୍ଜ ବନ ଭିତର କୌଣସି ଗୋଟେ ସଙ୍କେତ ସ୍ଥଳକୁ କାନ୍ତଙ୍କ ପାଖକୁ ଯାଉଛି) । ନିଶୀଥେ (ଅନ୍ଧାର ରାତିରେ) ଶୀତାଂଶୋଃ କିରଣଲଳିତେ (ଚନ୍ଦ୍ରଙ୍କର ଲଳିତ କିରଣରେ) ଶୁକ୍ଳବସନା (କ୍ଷୀରୋଦ୍ର ପାଟ ପିନ୍ଧିଛି, ଝଟକୁଅଛି) ପଟୀରାକ୍ତା (ଚନ୍ଦନ ଅଙ୍ଗରେ ଲେପିଅଛି) କାନ୍ତା (ନାୟିକା) ଖଳୁ ନଳିନୀଗୌଡ଼େତି ଗଦିତା (ଏହା ହିଁ ନଳିନୀଗୌଡ଼ା ରାଗିଣୀଙ୍କ ସ୍ୱରୂପ) ।

ଓଡ଼ିଶୀ ରାଗ ନଳିନୀଗୌଡ଼ା, କାନ୍ଭାସ୍ ଉପରେ ଆକ୍ରିଲିକ୍, ୫୯.୫ x ୮୦ ସେ.ମି., ୨୦୨୫।
କାବ୍ୟଶାସ୍ତ୍ର ଅଭିଜ୍ଞମାନେ ଏହାଙ୍କୁ ଅଭିସାରିକା ନାୟିକାଙ୍କ ଭେଦ ବୋଲି ଚିହ୍ନିବେ । ସୁରମ୍ୟ ଭଙ୍ଗୀରେ ନଳିନୀଗୌଡ଼ା ଚଳି ଯାଉଛନ୍ତି । ଘନ ଅନ୍ଧକାରମୟ ରାତ୍ର ହୋଇଛି । ବନପଥରେ ଯାଉ ଥିବାରୁ ଝଙ୍କାଳିଆ ଲତାଗୁଡ଼ିକ ଏଡ଼ାଇ ଯାଉଛନ୍ତି । ନାୟକଙ୍କୁ ଭେଟିବା ଆଶାରେ ଯେଣୁ ଆସିଛନ୍ତି, ଏଣୁ ସମସ୍ତ ପ୍ରକାର ଅଳଙ୍କାର ଆଭୂଷଣରେ ସଜ୍ଜିତ ହୋଇଛନ୍ତି । ଧଳା ଶାଢ଼ୀରେ କଳେବରକୁ ଆବୃତ କରିଛନ୍ତି ; ଆକାଶରେ ପୂର୍ଣ୍ଣମୀ ଚନ୍ଦ୍ର ତୁଲେ ଶାଢ଼ୀର ବର୍ଣ୍ଣସାମ୍ୟ ସୌନ୍ଦର୍ଯ୍ୟ ବୃଦ୍ଧି କରୁଅଛି । ଚମତ୍କାର ଭାବରେ ପଛ ଆଡ଼କୁ ମୁହଁ ବୁଲାଇ ଚାହିଁଛନ୍ତି ଓ ସତେ ଚମକି ପଡ଼ିଲା ଭଳିଆ ହାତଟିଏ ଟେକିଦେଇଛନ୍ତି । ବୋଧହୁଏ ପଛରେ କେହି ଅନୁସରଣ କରିଆସୁଛି ବୋଲି ଆଶଙ୍କାରେ ଚାହିଁଛନ୍ତି, ନୋହିଲେ ଅବା ବନ୍ୟଜନ୍ତୁ ଭୟରେ ଜାଗ୍ରତରେ ଚାଲି ଯାଉଛନ୍ତି । ଏହି ଉଦ୍ଦାମ ଅଥଚ ସଭୟ ମନୋବୃତ୍ତିକୁ ବିଚକ୍ଷଣ ଭାବେ ଶିଳ୍ପୀ ଫୁଟାଇ ପାରିଛନ୍ତି ।
ପରିଶେଷରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ବିନ୍ଦୁଟିଏ ବିଚାର୍ଯ୍ୟ । ପାରମ୍ପରିକ ଚିତ୍ରକାରମାନେ ପଟଚିତ୍ର କଲେ, ତାହା ସାଧାରଣତଃ କ୍ରାଫ୍ଟ ଅନ୍ତର୍ଗତ ଧରାଯାଇ, ଏକ ନିର୍ଦ୍ଦିଷ୍ଟ ପ୍ରକାରେ ତାହାକୁ ମର୍ଯ୍ୟାଦା ଦିଆଯାଏ । ପୁନଶ୍ଚ ଆଧୁନିକ କଳାଜଗତ, ଗ୍ୟାଲେରୀ ଆଦି ମହଲାରେ ପଟଚିତ୍ରକୁ ମଧ୍ୟ ଏକ ଗୌଣଦୃଷ୍ଟିରେ ଯେ ଦେଖାଯାଏ, କଳାଜଗତରେ ଯେ କୌଣସି ଊଣା ଅଧିକେ ଅଭିଜ୍ଞ ବ୍ୟକ୍ତି ଏହା ଅନାୟାସରେ ବୁଝିପାରିବେ । ଜଣେ ଚିତ୍ରକାରଙ୍କୁ ଯେଉଁ ମର୍ଯ୍ୟାଦା ଦିଆଯାଏ, ଏବଂ ଜଣେ ଫାଇନ୍ ଆର୍ଟ୍ ଚିତ୍ରଶିଳ୍ପୀଙ୍କୁ ଯେଉଁ ସମ୍ମାନ ଦିଆଯାଏ, ତାହିଁରେ ଯେ କେତେ ପ୍ରଭେଦ ଅଛି ଦେଖଣାହାରୀ ମାତ୍ରକେ ଜାଣିବେ । କହିବାକୁ ଗଲେ ଉଭୟ ଜଗତର ପରସ୍ପର ସଙ୍ଗେ ସମ୍ପୃକ୍ତି ବିଶେଷ ନିବିଡ଼ ନୁହଁ । ପୂର୍ବେ ପାଠୀ ସାର ଏ ଦୁଇ ଜଗତକୁ ସଂଯୋଗ କରିବାର କିଛି ପ୍ରୟାସ କରିଥିଲେ ସତ; ମାତ୍ର ବର୍ତ୍ତମାନ ସମୟରେ ସେ ରସିକପଣିଆ ଆଶା କରିବା ବିଡ଼ମ୍ବନା । ମୋ ନିଜସ୍ୱ ମତରେ ପରମ୍ପରାକୁ ବିଲୋକିବାର କଳା ଆଧୁନିକ ଆନୁଷ୍ଠାନିକ (ଚାରୁକଳା) ଶିକ୍ଷାପଦ୍ଧତିରେ ନାହିଁ କହିଲେ ଚଳେ ; ଏବଂ ଏହି ତାରତମ୍ୟ ଯେତେ ବୃଦ୍ଧି ପାଉଛି, ଆମ ଦେଶୀୟ କଳାକୁ ବୁଝିବାରେ ଆମେ ସେତେ ଅସମର୍ଥ ହୋଇଥାଉଁ । ଏ ପରିପ୍ରେକ୍ଷୀରେ ଏକ ଉନ୍ନତ ଚାରୁକଳା ଗ୍ୟାଲେରୀରେ, ଆଧୁନିକ ଗ୍ୟାଲେରୀ ଲାଇଟ୍ ଆଲୋକରେ, ଏହି ଚାରୋଟି ଖାଣ୍ଟି ପଟଚିତ୍ର ସ୍ଥିତ ହେବା ବଡ଼ ଆନନ୍ଦର ବିଷୟ । ଏହି ନିମନ୍ତେ ଚିତ୍ରଶିଳ୍ପୀଙ୍କୁ ସମେତ କ୍ୟୁରେଟର ଏବଂ ଆୟୋଜଙ୍କୁ ଅନେକ କୃତଜ୍ଞତା ।
……………………………………………………………………………………………………………………………………………………………………….
FAQ:
ଓଡ଼ିଶୀ ରାଗଚିତ୍ର | When Ragas Take Form
Q1. What is ragamūrti in Odishan classical music?
Ragamūrti is a unique Odishan practice where each raga is given a human form through Sanskrit meditation verses (dhyana shlokas). Before singing, traditional musicians recite these verses to invoke the raga. The 17th-century text Sangita Narayana documents nearly fifty such raga forms. This practice is not found elsewhere in India.
Q2. How old is the raga painting tradition in Odisha?
Odisha’s raga-chitra tradition dates back to at least the 15th–16th centuries. Rare ragapattis from regions like Athagadapatna and Dharakota survive in private collections and international museums, including one at the Los Angeles County Museum of Art.
Q3. Who is artist Bibhu Pattnaik?
Bibhu Pattnaik is a Delhi-based pattachitra artist trained under masters Benudhara Mahapatra and Dinabandhu Mahapatra. He also holds formal training in Fine Art and Batik. His work bridges classical Odishan pattachitra with modern acrylic on canvas.
Q4. Which ragas are depicted in the exhibition paintings?
Three ragas are depicted — Shabari, Soma, and Nalinigauda
Q5. Why has Odishan raga painting declined?
The close dialogue between painters and classical musicians that sustained this tradition broke down in the latter half of the 20th century. As modern art education drifted from traditional knowledge, painters lost the musical and textual context needed to paint ragas authentically, and the tradition quietly faded.
