Home / ସମୀକ୍ଷା / ସର୍ବଧର୍ମ ସମୋନ୍ନୟର ବାର୍ତ୍ତା ଦିଏ “ପୀର ଜାହାନିଆ”

ସର୍ବଧର୍ମ ସମୋନ୍ନୟର ବାର୍ତ୍ତା ଦିଏ “ପୀର ଜାହାନିଆ”

ସମ୍ପାଦକୀୟ ମତ : ଭାରତବର୍ଷରେ ଏବଂ ଆମ ଓଡ଼ିଶା ରାଜ୍ୟରେ ସାମ୍ପ୍ରଦାୟିକ ସଦ୍ଭାବର ଅନେକ ସୁନ୍ଦର ଦୃଷ୍ଟାନ୍ତ ଆମରି ପାଖରେ ରହିଛି । ସେହିସବୁ ଦୃଷ୍ଟାନ୍ତ ଗୁଡ଼ିକ ବାରମ୍ବାର ପ୍ରମାଣିତ କରିଛି ଯେ, ଓଡ଼ିଶାର ଜନଗଣ ଶାନ୍ତି ପ୍ରିୟ ଏବଂ ସେମାନଙ୍କ ଭିତରେ ଅନେକ ଜାତି ଧର୍ମର ଲୋକେ ଅତି ସ୍ନେହଁ ଶ୍ରଦ୍ଧାପୂର୍ଣ୍ଣ ବାତାବରଣ ଭିତରେ ବସବାସ କରିଆସିଛନ୍ତି । ଭେଦଭାବ ସୃଷ୍ଟିକରିବାପାଇଁ ବାହାରର ବିଭିନ୍ନ ଶକ୍ତି କେତେବେଳେ କେଉଁଠି ପ୍ରୟାସ କରିଛନ୍ତି କିନ୍ତୁ ଏହି ପ୍ରୟାସ ବାରମ୍ବାର ବିଫଳ ହୋଇଛି । ଏମିତି ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କର ଉଦାହରଣ ଦେଖିବାକୁ ମିଳେ ଅସ୍ତରଙ୍ଗର ପୀର ଜାହାନିଆ ପୀଠରେ । ସେହି ପୀଠର ଉଦ୍ଦେଶ୍ୟ ସମ୍ପର୍କରେ ଏଠାରେ ଉପସ୍ଥାପନ କରାଯାଇଛି। – (ସ୍ଵୟଂପ୍ରଭା ପାଢ଼ୀ) ସମ୍ପାଦକ

ସେଦିନ ପୀର ଜାହାନିଆ ପୀଠ ସମ୍ପର୍କରେ ଜାଣବାପାଇଁ ଧାଇଁଯାଇଥିଲୁ ଅସ୍ତରଙ୍ଗ ଅଞ୍ଚଳକୁ । ଭୁବନେଶ୍ୱରଠାରୁ ୮୦-୮୫ କିଲୋମିଟର ଦୂର ଅସ୍ତରଙ୍ଗ । ସମୁଦ୍ର କୂଳିଆ ଅଞ୍ଚଳ । ସମଗ୍ର ଅଞ୍ଚଳ ଝାଉଁ ଏବଂ ଅନ୍ୟାନ୍ୟ ଅନେକ ଗଛ ବୃକ୍ଷରେ ପରିପୂର୍ଣ୍ଣ । ଅସ୍ତରଙ୍ଗକୁ ପଶିବାପରେ ପୀର ଜାହାନିଆ ପହଞ୍ଚିବାଯାଏ ପରିବେଶଟି ସମ୍ପୁର୍ଣ୍ଣ ଅଲଗା । ଆମେ ଅସ୍ତରଙ୍ଗ ପହଞ୍ଚୁ ପହଞ୍ଚୁ ପାଖାପାଖି ସଂନ୍ଧ୍ୟା ୫.୩୦ । ଅସ୍ତରଙ୍ଗରୁ ଆମକୁ ଆହୁରି ୫-୭ କିଲୋମିଟର ଭିତରକୁ ଯିବାକୁ ପଡ଼ିଲା ପୀରଙ୍କ ପୀଠରେ ପହଞ୍ଚିବା ପାଇଁ । ଅସ୍ତରଙ୍ଗ ଭିତରକୁ ପଶିବାବେଳେ ପରିବେଶଟି ବେଶ ବଦଳିବାପରି ମନେହେଉଥିଲା । ଅଦ୍ଭୁତ ନୀରବତା । ସମୁଦ୍ର କୂଳିଆ ପବନ ସାଙ୍ଗକୁ ଏହି ନୀରବ ବାତାବରଣ ଯେମିତି ମନକୁ ଶାନ୍ତ କରିଦେଉଥିଲା । ଏମିତି ପରିବେଶରେ ପୀରଙ୍କର ପୀଠଟିର ସ୍ଥାପନା କାହିଁକି କରାଯାଇଛି ଓ କିଏ କରିଛନ୍ତି ଜାଣିବାରେ ଆଗ୍ରହ ବଢ଼ିଯାଇଥିଲା । ଆମେ ସମଧ୍ୱନିର କେତେଜଣ ସଦସ୍ୟ ଏକାଠି ଯାଇଥିଲୁ ଏହି ବିଷୟ ଜାଣିବାପାଇଁ ଅସ୍ତରଙ୍ଗକୁ । ଆମ ସହିତ ଅସ୍ତରଙ୍ଗ ଅଞ୍ଚଳର ଜଣେ ସଦସ୍ୟ ଥିଲେ । ସେ ସେହି ଅଞ୍ଚଳର ହୋଇମଧ୍ୟ ଉକ୍ତ ପୀଠ ସମ୍ପର୍କରେ ଅଧିକ କିଛି ଜାଣିନଥିଲେ । ଆମେ ସଂନ୍ଧ୍ୟା ଆସିଯାଉଥିବାରୁ ତର ତର ହୋଇ ଜାହାନିଆ ପୀରଙ୍କ ପୀଠକୁ ପଶିଗଲୁ । ସେଠିକାର ପୂଜାରୀ ଜଣେ ମୁସଲମାନ ପୂଜକ ପୂଜା କରୁଥିଲେ । ପୀଠରେ ଗୋଟିଏ କଠଉ ପୂଜା ପାଉଥିଲା ।

ଆମ ଆଗରେ ଅନେକ ହିନ୍ଦୁ ଧର୍ମର ନାରୀମାନେ ପୀରଙ୍କୁ ମୁଣ୍ଡିଆ ମାରି ପୂଜାରୀଙ୍କ ଚାମରରୁ ଆଶିର୍ବାଦ ନେଇ ଯାଉଥିଲେ । ଆମେ ଟିକେ ଜାଣିବାର ଆଗ୍ରହରେ ପୂଜକଙ୍କୁ କିଛି ପଚାରିବାପାଇଁ ଚାହିଁଲୁ । ସେ କହିଲେ ଯେ, ଅସ୍ତରଙ୍ଗ ଅଞ୍ଚଳର ଏହି ପୀରଙ୍କ ପୀଠ ସର୍ବଧର୍ମ ସମୋନ୍ୱୟର ବାର୍ତ୍ତା ଦୀର୍ଘ ୫୦୦ବର୍ଷ ଧରି ପ୍ରଚାର କରିଆସିଛି । ଏହି ପୀଠକୁ ଅଧିକ ହିନ୍ଦୁ ଲୋକ ଆସନ୍ତି ପୂଜା କରିବାପାଇଁ ଓ ଭୋଗ ଲଗାଇବାପାଇଁ । କାରଣ ଉକ୍ତ ଅଞ୍ଚଳଟିରେ ହିନ୍ଦୁମାନେ ଅଧିକ ପରିମାଣରେ ରହନ୍ତି । ପୂଜାରୀଙ୍କ କହିବା ଅନୁସାରେ, ସମୁଦ୍ର କୂଳରେ ପ୍ରତିଷ୍ଠିତ ଏହି ପୀରଙ୍କ ପୀଠ ପାଇଁ କୁଆଡ଼େ ଜଣେ ହିନ୍ଦୁ ରାଜା ୯୦୦ ଏକର ଜମି ପ୍ରଦାନ କରିଥିଲେ । ଏହି ଅଞ୍ଚଳଟି ହିନ୍ଦୁମାନଙ୍କର ବାସସ୍ଥାନ ହୋଇ ବି ପୀରଙ୍କ ପୀଠ ପ୍ରତିଷ୍ଠା କରିବାପାଇଁ ରାଜା ସହଯୋଗ କରିବା ନିଶ୍ଚିତ ଭାବରେ ୫୦୦ ବର୍ଷ ତଳେ ବି ଏହି ଅଞ୍ଚଳରେ ସଦଭାବର ସଂସ୍କୃତି ଥିଲା ଓ ସବୁ ଧର୍ମପ୍ରତି ରାଜାଙ୍କର ସମ୍ମାନ ଥିଲା ବୋଲି ସୂଚନା ପ୍ରଦାନ କରୁଛି । ଏଠାକୁ ହିନ୍ଦୁ ମୁସଲମାନ ଉଭୟ ଧର୍ମର ଲୋକ ପୂଜା ରଖିବାକୁ ଯାଆନ୍ତି । ପ୍ରତ୍ୟେକ ଦିନ ଅସ୍ତରଙ୍ଗ ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁ ଭକ୍ତିର ସହିତ ମୁଣ୍ଡିଆମାରି ପୀରଙ୍କୁ ପୂଜାକରି ନିଜ ମନସ୍କାମନା ଜଣାଇଥାନ୍ତି । ଏହି ପୀଠର ଅନେକ ମହିମା ରହିଛି ବୋଲି ପୂଜକମାନେ ବିଶ୍ୱାସ କରନ୍ତି, ଯେଉଁଥିପାଇଁ ସେଠାକୁ ଅଧିକ ଲୋକ ପ୍ରତ୍ୟେକ ସମୟରେ ପୂଜାକରିବାପାଇଁ ଆସିଥାନ୍ତି ।

ପୂଜକ ଅଜିମ ଅଲ୍ଲି ସାହା ପୀରଙ୍କ ସମ୍ପର୍କରେ ପ୍ରଚଳିତ ଏକ କାହାଣୀ ଆମକୁ ଶୁଣାଇଥିଲେ । କାହାଣୀଟି ହେଲା; “ଏଠିକି ଜଣେ ଫକିର ୫୦୦ବର୍ଷ ତଳେ ଆସିଥିଲେ । ସେତେବେଳେ ଏଠି କାହାରି ବାସସ୍ଥାନ ନଥିଲା । ସେତେବେଳେ ରାଜାଙ୍କ ରାଜୁତି ଥିଲା । ରାଜା ବୁଲୁଥିଲେ, ରାସ୍ତାରେ ଫକିରଙ୍କ ସହ ଭେଟହେଲା । ଫକିରଙ୍କୁ ରାଜା ପ୍ରଣାମ କଲେ । କହିଲେ କଣ କରିବି ବୁଲୁଛି ମୋ ସ୍ତ୍ରୀଙ୍କର ଦେହ ଭାରି ଖରାପ । ରାଜାଙ୍କୁ ଫକିର ଟିକେ ବିଭୂତି ଦେଲେ । ସେଇକୁ ଖାଇ ତାଙ୍କ ସ୍ତ୍ରୀ ଭଲ ହେବାପରେ ରଜା ଫକିରଙ୍କୁ ୯୦୦ବାଟି ଜମି ଦେଇ ସେ ଅଞ୍ଚଳର ରଜା ବୋଲି ଘୋଷଣା କରିଦେଲେ ଓ କହିଲେ ମୁଁ ଆଉ ଏ ଅଞ୍ଚଳକୁ ଆସିବିନି । ଫକିର କହିଲେ ମୋର କ’ଣ ହେବ ସମ୍ପତ୍ତି ବାଡ଼ି? ତାଙ୍କ ସାଥିରେ ଜଣେ ଚାଲା ଥିଲେ ମସ୍ତାନ ଅଲ୍ଲି ସାହା ବୋଲି ତାଙ୍କୁ ସେ କହିଲେ ତୁମେ ଯାଅ ଏହାକୁ ନେଇ ଲୋକଙ୍କର ସେବାକର । ଜମିବାଡ଼ି ଯାହା ଅଛି ତାଙ୍କ ସେବାରେ ଲଗେଇ ଦିଅ । ସିଏ ସେଇଠୁ ଲୋକଙ୍କୁ ଆଣିକି ଏଠି ରଖିକି ସେବା କଲେ ସେବେଠୁ ।”

ପୂଜକ ଅଜିମ ଅଲ୍ଲିଙ୍କ ସହ ଆମେ ବାର୍ତ୍ତାଳାପ ଭିତରୁ ପୀରଜାହାନିଆ ପୀଠ ସମ୍ପର୍କରେ କିଛି ଜାଣିବାପାଇଁ ପ୍ରୟାସ କରିଥିଲୁ । ଏହି ବାର୍ତ୍ତାଳାପରୁ ବୁଝିହୁଏ କେମିତି ପୀରଜାହାନିଆ ପୀଠ ସର୍ବଧର୍ମ ସମନ୍ୱୟ ଓ ସେବାର ବାର୍ତ୍ତା ୫୦୦ ବର୍ଷ ଧରି ପ୍ରଚାର କରିଆସିଛି ।

ପ୍ରଶ୍ନ: ଆପଣ ଏଠି କ’ଣ କରନ୍ତି?

ଉତ୍ତର: ଆମେ ଏଠି ପୂଜା କରୁ ।

ପ୍ରଶ୍ନ: ଏଠି କେଉଁମାନେ ପୂଜା କରନ୍ତି?

ଉତ୍ତର: ଆମେ ମୁସଲିମ ଲୋକମାନେ ପୂଜାକରୁ ।

ପ୍ରଶ୍ନ: ଆପଣଙ୍କର ଏହି ପୀଠରେ କ’ଣସବୁ ନୀୟମ ରହିଛି?

ଉତ୍ତର: ଏହି ଅଞ୍ଚଳଟି ସମୁଦ୍ର କୂଳିଆ ଅଞ୍ଚଳ କିନ୍ତୁ ଏହି ପୀଠକୁ ମାଛ ଓ ଗୋମାଂସ ମନା । ଏହା ଭିତରକୁ ଆମିସ ପଶିବ ନାହିଁ ।

ପ୍ରଶ୍ନ: ଏଠାକୁ କେଉଁମାନେ ପୂଜା କରିବାକୁ ଆସନ୍ତି?

ଉତ୍ତର: ଏଠାକୁ ଅଧିକ ହିନ୍ଦୁ ସ୍ତ୍ରୀଲୋକ ପୂଜାର୍ଚ୍ଚନା କରିବାପାଇଁ ପ୍ରତ୍ୟେକ ଦିନ ଆସନ୍ତି ।

ପ୍ରଶ୍ନ : ଏହି ପୀଠର ମୂଳ ଲକ୍ଷ କ’ଣ?

ଉତ୍ତର : ଏହି ପୀଠର ମୂଳ ଉଦ୍ଦେଶ୍ୟ ହେଉଛି ସେବା ।

ପ୍ରଶ୍ନ : ହିନ୍ଦୁ ମୁସଲମାନ ଭାଇଚାରାର ସମ୍ପର୍କକୁ ଆପଣ ଏହି ପୀଠରେ କେମିତି ଦେଖନ୍ତି?

ଉତ୍ତର :  ଏଠି ସବୁ ଧର୍ମ ସବୁ ସମ୍ପ୍ରଦାୟ ସମାନ । ଆପଣଙ୍କର ଯେମିତି କାର୍ତ୍ତିକ ପୂର୍ଣ୍ଣିମାରେ ପୂଜା ମେଳା ହୁଏ ଆମର ସେମିତି ଉରୁଷ ବୋଲି କୁହାଯାଏ ସେହି କାର୍ତ୍ତିକ ପୂର୍ଣ୍ଣିମା ଦିନ ଏଠାରେ ସତ୍ୟପୀର ବା ସତ୍ୟନାରାୟଣଙ୍କର ପର୍ବ ପାଳନ କରାଯାଏ । ପ୍ରତ୍ୟେକ ଦିନ ଠିକ ଜଗନ୍ନାଥଙ୍କ ପରି ଏଠି ନୂଆ ମାଟିହାଣ୍ଡିରେ ଖିରି ଭୋଗ କରାଯାଏ । ସବୁଦିନେ ସେ ଭୋଗ ସମୁଦ୍ର ପାଣିରେ ଦିଆଯାଏ । ଆମ ପୀର ପୀଠରେ ମୁଦୂଲି ଅଛନ୍ତି, ଗୋଛାୟତ ମାନେ ଝାଡ଼ୁ ମାରୁଥିଲେ, ମହାରଣା ଲୋକ ଅଛନ୍ତି ସେମାନେ କଠଉ ତିଆରି କରି ବର୍ଷକୁ ବର୍ଷ ଦିଅନ୍ତି । ଏଠି କଠଉ ପୂଜାପାଏ । ଠାକୁରଙ୍କର ଚାଷବାସ ପାଇଁ ଯେଉଁ ଲଙ୍ଗଳ ଦରକାର ତାକୁବି ସେ ତିଆରି କରି ଦିଅନ୍ତି । ସୁନିଆରେ ଏଠି କଠଉ ମାନସିକ ଦିଆଯାଏ । ବାରିକ ମାନେବି ଏହିପୀଠର ସେବାକାରୀ ଅଛନ୍ତି ସେ ମନ୍ଦିରର ଓ ମନ୍ଦିର ମାଲିକଙ୍କର ସେବା କରନ୍ତି। ଏମିତି ଯେଉଁ ସମସ୍ତ ସେବାକାରୀ ୧୦ ଏକର ଲେଖାଁଏ ସମ୍ପତ୍ତି ନେଇଛନ୍ତି ପୀରଙ୍କର ସେବା କରିବାପାଇଁ ସେମାନେ ସମସ୍ତେ ହିନ୍ଦୁ । ଏଠି ସତ୍ୟନାରାୟଣ ବାଦୀପାଲା ୫ ଦିନଧରି କରାଯାଏ । ହିନ୍ଦୁ ସମ୍ପ୍ରଦାୟର ଲୋକେ ଆସି ପୂଜା କରନ୍ତି । ଏ ପୀର ହେଉଛନ୍ତି ସବୁଠୁ ବଡ଼ ପୀର ଯାହାଙ୍କର ଭୋଗ ସମୁଦ୍ର ପାଣିରେ ଲାଗୁଛି । ଏ ପ୍ରକାର କଥା ଅନ୍ୟ କେଉଁଠି ନାହିଁ ।

ପ୍ରଶ୍ନ: ସାମ୍ପ୍ରଦାୟିକ ବିଭେଦର କିଛି ଘଟଣା ଆପଣ ଅନୁଭବ କରିଛନ୍ତି କି?

ଉତ୍ତର : ନାଁ ସେମିତି କୌଣସି ଘଟଣା ଆଜିଯାଏ ଘଟିନାହିଁ । ଆମେ ୧୫ଟି ମୁସଲମାନ ପରିବାର ଏହି ଅଞ୍ଚଳରେ ରହୁଛୁ । ସମଗ୍ର ଅଞ୍ଚଳ ହେଉଛି ହିନ୍ଦୁ ମାନଙ୍କର । ସେମାନେ ପ୍ରତ୍ୟେକ ଦିନ ଏହି ପୀଠରେ ପୂଜାଭୋଗ କରନ୍ତି । କେବେ ଆମକୁ କଷ୍ଟ ହେବାପରି କିଛି କଥା ବା ଘଟଣା ଆଜିଯାଏ ଏହି ଅଞ୍ଚଳରେ ଘଟିନାହିଁ ।

About ସ୍ୱୟଂପ୍ରଭା ପାଢ଼ୀ

ସ୍ଵୟଂପ୍ରଭା ପାଢ଼ୀ ଜଣେ ଗାୟିକା ଓ ମୁକ୍ତ ବୃତ୍ତିର ସାମ୍ବାଦିକ ଅଟନ୍ତି । ସେ ସମଧ୍ୱନି ପତ୍ରିକାର ସମ୍ପାଦକ , ସମଧ୍ୱନି ସାଂସ୍କୃତିକ ସଂଗଠନ (୨୦୦୫ ମସିହାରୁ ଓଡ଼ିଶାରେ କାମକରୁଛି) ଓ ସମଧ୍ୱନି ସାଂସ୍କୃତିକ ଗବେଷଣକେନ୍ଦ୍ରର ମୁଖ୍ୟ। ସମଗ୍ର ଓଡିଶାରେ ସାଂସ୍କୃତିକ ବାତାବରଣ ତିଆରି କରିବା ଓ ସାଧାରଣ ଲୋକମାନଙ୍କ ସ୍ୱରକୁ ସାଂସ୍କୃତିକ ମାଧ୍ୟମରେ ତୋଳିଧରିବା ପାଇଁ ସେ କାମ କରିଚାଲିଛନ୍ତି।

Check Also

ହିନ୍ଦୁ ଓ ଇସଲାମ ସଂସ୍କୃତିର ମୈତ୍ରୀପୀଠ ସୁନ୍ଦରବନର ‘ବନ୍‌ବିବି’

ସୁନ୍ଦରବନର ‘ବନବିବି’ ହେଉଛନ୍ତି ହିନ୍ଦୁ ଓ ମୁସଲିମ ସଂସ୍କୃତିର ଏକ ମହାମିଳନ ପୀଠ, ଯାହାକୁ କୌଣସି ବେଦପୁରାଣ, କୁରାନ, ମୁନିଋଷି …

Leave a Reply

Your email address will not be published. Required fields are marked *