Home / ସଙ୍ଗୀତ / ଓଡିଶୀ ସଙ୍ଗୀତ / ଶ୍ୟାମାମଣୀ ଦେବୀଙ୍କ ସହ ସାଖ୍ୟାତକାର

ଶ୍ୟାମାମଣୀ ଦେବୀଙ୍କ ସହ ସାଖ୍ୟାତକାର

ସେଣ୍ଟର ଫର ହ୍ୟୁମାନ୍ ସାଇନ୍ସେସ୍ ଭୁବନେଶ୍ୱର(ସଂକ୍ଷେପରେ ସେଣ୍ଟର)- ଆପଣ ଆମକୁ ସମୟ ଦେଉଛନ୍ତି ଏବଂ ସୁଯୋଗ ଦେଉଛନ୍ତି ଆପଣଙ୍କ ସହିତ କଥାବାର୍ତ୍ତା କରିବାପାଇଁ, ଆମେ ସେଥିପାଇଁ କେତେଦୂର କୃତଜ୍ଞ ଆମେ ତାହା କହିପାରିବୁ ନାହିଁ । ଆମର ସୌଭାଗ୍ୟ ଆମ ସମସ୍ତଙ୍କୁ ଆପଣଙ୍କ ସହିତ କିଛି ସମୟ ବିତାଇବାର ସୁଯୋଗ ମିଳୁଛି । ମୋ ମୁଣ୍ଡରେ ଗୋଟିଏ ଭାବନା ଏଇ କିଛି ଦିନ ତଳେ ଆସିଲା । ଆମେ ଯେତେବେଳେ ଆମର ଅତୀତ ବିଷୟରେ କଥା ହେଉ, ଆମେ ଯାହା ଖାଉଥିଲୁ, ପିଉଥିଲୁ, କିମ୍ବା ଆମକୁ କ’ଣ ଦିଶୁଥିଲା- ଏତେ ବଡ଼ ବଡ଼ କୋଠା ନଥିଲା, ବା ଲୋକବାକ ରାସ୍ତାଘାଟରେ କଅମ ଦିଶୁଥିଲେ- ଏପରି ଅନେକ କଥାର ଆମେ ଆଲୋଚନା କରୁ କିମ୍ବା ତାହା ଆମ ମନରେ ଥାଏ । କିନ୍ତୁ ଆମେ କଅଣ ଶୁଣୁଥିଲୁ ଆମେ ସେ ବିଷୟରେ ବିଶେଷ ଆଲୋଚନା କରୁନା କିମ୍ବା ତାହା ଆମର ହେଜରେ ମଧ୍ୟ ନଥାଏ । ତେଣୁ ମୋର ଗୋଟିଏ ପ୍ରଶ୍ନ ଆପଣଙ୍କ ପାଇଁ, ଆପଣ ଯେତେବେଳେ ପିଲାଥିଲେ, ଆପଣ ନିଜର ଚାରିପଟେ କଅଣ ଶୁଣୁଥିଲେ?

ଶ୍ରୀମତି ଶ୍ୟାମାମଣୀ ଦେବୀ- ମୋ ଛୁଆବେଳେ ତ କିଛି ନଥିଲା । ମାନେ ଆଜି ଆପଣମାନେ ଯେମିତି ବିଭିନ୍ନ ମିଡ଼ିଆ ମାଧ୍ୟମରେ ବିଭିନ୍ନ କଥା ଦେଖିବାକୁ ପାଉଛନ୍ତି, ଶୁଣିବାକୁ ପାଉନ୍ତି, ଆମବେଳେ ତ ରେଡ଼ିଓ ବି ନଥିଲା । ତେଣୁ କୌଣସି ପ୍ରକାରର କିଛି ଶୁଣିବା ବା ଦେଖିବା ତ ସ୍ୱପ୍ନ । ସେସବୁ ଜିନିଷ ନଥିଲା । କିନ୍ତୁ ଗାଁ’ର ଯେଉଁ ପରମ୍ପରା, ଗାଁ’ର ପାରମ୍ପାରିକ ଚଳଣୀ ଭିତରେ ଯାହାସବୁ ଚଳୁଥିଲା, ସେଗୁଡ଼ିକ ଭିତରେ ମୁଁ ସଙ୍ଗୀତକୁ ଭଲପାଇ ବସିଥିଲି । ଆମ ଘରେ ପ୍ରତ୍ୟେକ ଦିନ କିର୍ତ୍ତନ ହୁଏ । କାରଣ ମୋର ବାପା ସୋର୍ଗତଃ ରାଜେନ୍ଦ୍ରମୋହନ ପଟ୍ଟନାୟକ, ସିଏ ରାଧାରମଣ ଦେବଙ୍କ ଭକ୍ତ ଥିଲେ । ମୋର ଭାଇ ଭଉଣୀ ପାଞ୍ଚଜଣ ମରିଗଲା ପରେ, ଗୋଟେ ପରେ ଗୋଟେ ଭାଇ ଭଉଣୀ ଚାରି ବର୍ଷର ପାଞ୍ଚ ବର୍ଷର ହୋଇ ଚାଲିଗଲା ପରେ, ତା’ପରେ ବାପାଙ୍କର କ’ଣ ଗୋଟିଏ ଚିନ୍ତା ପଶିଲା, ସେ ଦିକ୍ଷିତ ହେଲେ । ତେଣୁ ଆମ ଘରେ କିର୍ତ୍ତନ ହୁଏ, ଚବିଶି ପ୍ରହରୀ ହୁଏ, ଅଷ୍ଟ ପ୍ରହରୀ ହୁଏ । ସେ ଗୋଟେ ମୋର ମାଧ୍ୟମ । ଯେଉଁ କିର୍ତ୍ତନ ଘରେ ହୁଏ ସେଇଟାକୁ ମୁଁ ଶୁଣେ ।  ଆଉ ଗୋଟିଏ ଜିନିଷ ହେଉଛି ଗାଁରେ ସେତେବେଳେ ଆପଣ ଦେଖିବେ ଦାସକାଠିଆ ହେଉଥିଲା, ପାଲା ହେଉଥିଲା, ସଂନ୍ଧ୍ୟାବେଳେ ଭାଗବତ ଟୁଙ୍ଗୀରେ ଖଞ୍ଜଣୀ ଗୀତ ହେଉଥିଲା । ସେସବୁକୁ ଶୁଣିକରି ପାରମ୍ପାରିକ ସଙ୍ଗୀତକୁ ମୁଁ  ମୋର ଛୋଟଦିନରୁ ଭଲପାଇ ବସିଛି ।

କାରଣ ଘରେ ଆମର ଯେମିତି କୀର୍ତ୍ତନ ହୁଏ- ‘ଗଉର୍ ରାଧେ ଶ୍ୟାମ/ଜପୋ, ହରେ କୃଷ୍ଣ ହରେ ରାମ’ (ଗାଇକରି ଶୁଣାନ୍ତି) । ବୋଉ ବି ଗାଉଥିଲେ । ବାପା ବି ଗାଉଥିଲେ । ତେଣୁ ମୁଁ ବି ସେତେବେଳେ ତାଙ୍କ ସହ ନିଶ୍ଚୟ ଗାଉଥିବି ବା ଶୁଣୁଥିବି । ଏମିତି କିଛି ଗୋଟେ ଥିବ । ତେଣୁ ସତ କହିବାକୁ ଗଲେ ଆମ ପରିବାରରେ ଗୋଟେ ସାଙ୍ଗୀତିକ ପରିବେଶ । ତିନି ପ୍ରହର କିର୍ତ୍ତନ ହେବ । ସକାଳେ ଗୋଟେ କିର୍ତ୍ତନ ହେବ, ଦି ପହରେ ହେବ, ରାତିରେ ହେବ । ସଂନ୍ଧ୍ୟାବେଳେ ଆଳତି ହେବ । ଗୋଟେ ଆଧ୍ୟାତ୍ମିକ ପରିବେଶ, ଗୋଟେ ସାଙ୍ଗୀତିକ ପରିବେଶ । ଏଇ ଦୁଇଟା ଭିତରେ ଛୋଟ ବେଳଠୁ ମୋର ପିଲାବେଳଟା ବଢ଼ିଆସିଲା । ଆଉ ତା’ପରେ ଗୀତ ଯାହା ଶିଖିଲି- ସତ କହିବାକୁ ଗଲେ ସିଧା ସଳଖ ଭାବରେ ପ୍ରଥମରୁ ମୁଁ କାହାଠାରୁ ଗୀତ ଶିଖିନି । ଏମିତି କହିବାକୁ ଗଲେ ବାପା ମୋର ମୂଳ ଗୁରୁ ।  କିନ୍ତୁ ମୁଁ ଶିଖିଲା ଭଳିଆ ପ୍ରଥମରୁ ପିଲାବେଳଠୁଁ କାହାପାଖରେ ଗୀତ ଶିଖିନି ।

କିର୍ତ୍ତନ ଶୁଣେ, ମୋତେ ଭଲ ଲାଗେ । ତା’ପରେ ପାଲା ଯଦି ହୁଏ, ବୋଧହୁଏ ଗାଁ’ରେ ଶ୍ରୋତାମାନଙ୍କ ଭିତରେ ମୁଁ ପ୍ରଥମ ଛୁଆ ଯିଏକି ଯାଇକରି ଖଣ୍ଡେ ଚଟେଇ ପାରିକରି ପିଣ୍ଡାରେ ବସିପଡ଼େ, ପାଲା ଦେଖିବି ବୋଲି । ପାଲା ଦେଖିବାରେ ମୋର ଆଗ୍ରହ ନଥାଏ । ପାଲାବାଲା କ’ଣ ପିନ୍ଧିଛନ୍ତି, କ’ଣ ହାସ୍ୟ କରୁଛନ୍ତି ସେଥିରେ ମୋର କିଛି ଆଗ୍ରହ ନଥାଏ । ମୁଁ ଦେଖେ ସେମାନେ କ’ଣ ଗାଉଛନ୍ତି । ଖୁବ୍ ଛୋଟ ଦିନୁ ପାଞ୍ଚ, ଛଅ, ସାତ ବର୍ଷ ବୟସରୁ ରାତିସାରା ବସିକରି ପାଲା ଦେଖେ । ପାଲା ଭିତରୁ ମୁଁ ପ୍ରଥମେ ସଙ୍ଗୀତକୁ ଅନୁଭବ କରିଛି । ଚମ୍ପୁ- ‘କ୍ଷମାନୁକମ୍ପାଧର’ ଏସବୁ ମୁଁ ପାଲା ଗାୟକଙ୍କ ଠାରୁ ପ୍ରଥମେ ଶୁଣିଛି । ସେମାନେ ହିଁ ବୋଧହୁଏ ମୋର ସଙ୍ଗୀତର ପ୍ରଥମ ଗୁରୁ – ପୂଜ୍ୟ ପାଲା ଗାୟକମାନେ ।

ତା’ପରେ ସେଇଠି ଶିଖିଲା ପରେ ମୋର ବହୁତ ଆଗ୍ରହ ହୋଇଥିଲା ଯେ ଆମ ଘରେ ଗୋଟେ ହାରର୍ମୋନିୟମ୍ ଥିଲା । ସେ ହାରର୍ମୋନିୟମଟା ପାରିସ ରିଡ୍ ଥିଲା । ଭଲ ହାର୍ମୋନିୟମ୍ଟେ । ବାପା ସେଇଟାକୁ ମୋତେ ଛୁଇଁବାକୁ ଦିଅନ୍ତିନି । କାହାକୁବି ଛୁଇଁବାକୁ ଦିଅନ୍ତିନି । କାଳେ କିଏ ରିଡ଼୍ କ’ଣ ଖରାପ କରିବ । ସେତେବେଳେ ଯାହାବି ଦରକାର ହେବ କଟକ ଆସିବାକୁ ପଡ଼ିବ । ସେତେବେଳେ ଆମ ଘରଠୁଁ, ଆମ ଗାଁ’ରୁ ସେମିତି କୌଣସି କିଛି କମ୍ୟୁନିକେସନ୍ ନଥିଲା । ଆଇଦର ଡ଼ଙ୍ଗାରେ ଆସିବୁ ନଏନେ ପୁଣି ସେପଟେ ସଗଡ଼ ଗାଡ଼ିରେ ଯାଇକରି ବହୁତ ପ୍ରବ୍ଲେମ । ବାପାତ ଦିଅନ୍ତିନି । ମୁଁ କ’ଣ କରିଛି ଦିନେ- ବାପା ମୋତେ ଗୋଟେ ଗୀତ ଶିଖାଇଥିଲେ- ‘ନିରତେ ଡ଼ାକି ଡ଼ାକି/ନ ଶୁଣ ଚକା ଆଖି’-(ଗାଇକି ଶୁଣାନ୍ତି) । ଏ ଗୋଟେ ଗୀତ ଶିଖାଇଥିଲେ ।  ମୁଁ ସେ ମଉକା ଦେଖିକରି, କୋଠା ଉପରକୁ ଯାଇକରି, ଉପରେ ହାର୍ମୋନିଅମ୍ଟା ଖୋଲାଥିଲା-ମୋର ହାତ ପାଉନି- ହାମୁଡ଼େଇ ପଡ଼ିକରି ସେଇଟା- ନି କୋଉଠି ଲାଗୁଛି ରେ କୋଉଠି ଲାଗୁଛି- ଏମିତି ଅକ୍ଷରକୁ ଗୋଟେ ଗୋଟେ ସ୍ୱର ଭିତରେ ମିଶେଇ ମିଶେଇ ମିଶେଇ ମିଶେଇ ମୁଁ ଲାଇନଟା ବଜେଇ ଦେଇଚି । ଅଜାଣତରେ ମୁଁ ବଜେଇ ଦେଇଚି । ମୁଁ ଯେ କିଛି ଶିଖିନି, ଜାଣିନି । ଏଭଳିଆ ଅବସ୍ଥାରେ ମୋର କାଇଁ ଇଚ୍ଛାହେଲା ହାର୍ମୋନିଅମ୍ ବଜାଇବାପାଇଁ ତ ମୁଁ ବଜେଇ ଦେଲି । ବାପା ତଳେ ଥିଲେ । ବାପା ବ୍ୟସ୍ଥ ହେଇକି, କ’ଣ ହାର୍ମୋନିଅମ୍ଟା କିଏ ବଜାଉଛି ବୋଲି ଉପରକୁ ଯାଇଁକି , ଦେଖିଲାବେଳକୁ ମୁଁ ଏମିତି ହାମୁଡ଼େଇପଡ଼ି ହାର୍ମୋନିଅମ୍ରେ ସେ ଗୀତଟାକୁ ବଜଉଚି । ତା’ପରେ ସେଇଦିନଠୁ ବାପାଙ୍କର ଗୋଟେ ମନରେ ଆସିଲା ବୋଧେ ଏଛୁଆଟାର ଆଗ୍ରହ ଅଛି, ଏ ଗାଇବ । ତେବେ ସେଇ ଛୋଟ ଦିନରୁ ମୁଁ ବାପାଙ୍କଠାରୁ ସଙ୍ଗୀତ ପ୍ରତି ଆଉ କୌଣସି ଆପତ୍ତି ପାଇନାହିଁ ବା ଅଭିଯୋଗ ପାଇନି । ବା ମୋତେ କେବେ ବିରକ୍ତବି ହେଇ ନାହାଁନ୍ତି ବରଂ ପ୍ରେରଣା ଦେଇଛନ୍ତି ।

ସେତେବେଳେ ତ ଗୋଟେ ଆଳୁମିତିଆ ଯେଉଁ ପମ୍ପ୍ ଏମିତିଆ ହେଇକରି ଗ୍ରାମଫେନ୍ ଥାଏ । ସେଥିରେ ଡ଼ି.ଭି.ପଲୁସ୍କରଙ୍କର, ଲତାଜୀଙ୍କର, କେ.ଏଲ୍.ସେହେଗଲଙ୍କର ସେ କାଳର ସବୁ ବିଭିନ୍ନ ପ୍ରକାରର ରେକଡ଼୍- ରାଜକୁମାରଜୀଙ୍କର ଆଦି ସବୁ ରେକର୍ଡ଼୍ ଥାଏ । ଏଇ ଗୋଟିଏ ଲାଖ, ଏଇଟା କଳା ରଙ୍ଗଟା । ୟା ଭିତରୁ ଏମିତି ଗୀତ ବାହାରୁଛି । ବିଭିନ୍ନ ପ୍ରକାରର ମନ ଭିତରେ ଗୋଟେ ଭାବନା । ସେତେବେଳେ ବି ସେଇ ବୟସରେ ବି ମୋର ଗୋଟିଏ ଚିନ୍ତା ହୋଇଥିଲା, ମନ ଭିତରେ ଯେ ମୁଁ ବି ଏମିତି କେମିତି ଗୋଟେ ଗାଆନ୍ତି କି । ମୋର ଏମିତି କେମିତି ଗୋଟେ ରେକଡ଼୍ ହୁଅନ୍ତା କି । ମୋର ରେକଡ଼ଟାକୁ ଏମିତି କିଏ ବଜାନ୍ତା କି । ମୋର ମନ ଭିତରେ ସେବେଠୁ ଏମିତି ଗୋଟେ ଆଗ୍ରହ ଥିଲା । ତା’ପରେ ସେତେବେଳେ ସେଇ ଗୀତ ଭିତରେ ମୁଁ ବହୁତ ଥର ଶୁଣିଲି- ‘ଆଜ … ମନ ମୋରା ଝୁମକେ’ । ଏ ଗୀତଟା ମୁଁ ବାରମ୍ବାର ଶୁଣିଛି । ସେଇ ଭିତରେ ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ମୁଁ ବୋଧହୁଏ ଆକର୍ଷିତ ହୋଇଚି । ଧୀରେ ଧୀରେ ଧୀରେ ଧୀରେ ସ୍କୁଲକୁ ଗଲା ବେଳକୁ – ସ୍କୁଲରେ ଯଦି ଆହେ ଦୟାମୟ ବିଶ୍ୱ ବିହାରୀ ଯଦି ହେଲା ତାହେଲେ ମୁଁ ଲିଡ଼୍ କଲି । ଅନ୍ୟମାନେ ପାଳି ଧରିଲେ । ଏମିତି ଧୀରେ ଧୀରେ ଧୀରେ ଧୀରେ ତାପରେ ସ୍କୁଲକୁ ଯଦି କିଏ ଆସନ୍ତି ଇନ୍ସିପେକ୍ଟର କି ଆଉ କିଏ ଯଦି ଆସନ୍ତି ତେବେ ତାଙ୍କମାନଙ୍କ ଆଗରେ  ଗୀତ ଗାଇବାକୁ ପଡ଼େ । ମୁଁ ତାଙ୍କ ଆଗରେ ଗୀତ ଗାଏ । ତା’ପରେ ଷ୍ଟେପ ବାଇ ଷ୍ଟେପ, ଟିକେ ଟିକେ ଟକେ ଟିକେ – ମୋର ମାନେ ଯେମିତି ଅଧା ଅଧା ପାହାଚ ହେଉ ପଛେ ମୁଁ ଉଠିବାକୁ ଚେଷ୍ଟା କଲି ।

ସେଣ୍ଟର୍ ଫର୍ ହ୍ୟୁମାନ୍ ସାଇନ୍ସେସ୍ ଭୁବନେଶ୍ୱର (ସଂକ୍ଷେପରେ ସେଣ୍ଟର) : ସେହି ସମୟରେ ଓଡ଼ିଆ ଗାୟକ କାହା କାହାର ରେକଡ଼ ସବୁ ବାହାରିଥିଲା ଆପଣ ଶୁଣିବା ଭିତରେ? ଆପଣ ପିଲା ଥିଲାବେଳେ ।

ଶ୍ରୀମତି ଶ୍ୟାମାମଣି ଦେବୀ : ମୁଁ ପିଲାଥିଲା ବେଳେ ଓଡ଼ିଆ ଗାୟକ କାହାର ରେକଡ଼୍ ଶୁଣିନି । କେବଳ କିଛି ବର୍ଷ ପରେ ମୁଁ ଉଦୟନାଥ ସାହୁଙ୍କର ଶୁଣିଲି, ନିମେଇ ହରିଚନ୍ଦନଙ୍କର କିଛି ଶୁଣିଲି । ସେତେବେଳେ ପର୍ଯ୍ୟନ୍ତ ମୁଁ ଓଡ଼ିଆ ଗାୟକଙ୍କର ରେକଡ଼୍ କିଛି ଶୁଣିନଥିଲି । ସେତେବେଳେ ଗ୍ରାମଫୋନ୍ ରେକଡ଼୍ରେ ଓଡ଼ିଆ ଗାୟକଙ୍କର ଗୀତ ପ୍ରାୟ ନଥିଲା । କେହି ସେମିତି କରିନଥିଲେ । ତା’ ପରେ ପ୍ରଥମ କଥା କ’ଣ ହେଉଛି କି, ସେତେବେଳେ ଆଟିଷ୍ଟ୍ମାନେ ଆମର କଲିକତାରେ ରହୁଥିଲେ । ଯେଉଁମାନେ ସେତେବେଳେ ଗାଉଥିଲେ, ନିମେଇଁ ହରିଚନ୍ଦନ ହେଲେ, କାଶୀନାଥ ପୂଜାପଣ୍ଡା ହେଲେ, ଥିଲେ ସବୁ ସେ କାଳର-ସିଂହାରି ସାର୍- ସିଂହାରି ଶ୍ୟାମସୁନ୍ଦର କର ହେଲେ, ସେମାନେ କଲିକତାରେ ରେଡ଼ିଓରେ ଗାଉଥିଲେ । କଟକରେ ତ ରେଡ଼ିଓ ଷ୍ଟେସନ୍ ନଥିଲା ନା । ତେଣୁ ସେମିତି ଓଡ଼ିଆ ଗାୟକମାନଙ୍କର ହୁଏତ ସୁଯୋଗ ନଥିଲା । ତେଣୁ ସେମାନେ ସେମିତି କିଛି ରେକଡ଼ କରିନଥିଲେ ।

ତାପରେ ମୁଁ ସ୍କୁଲ୍ରେ ବି ଗଲାବେଳେ, ଯେତେବେଳେ ଥରେ ମୋର ମନେଅଛି ହେଡ଼ ପଣ୍ଡିତ ଆମର ଫେଆରୱ୍ୟାଲ୍ ନେଲେ । ସେଇ ହେଡ଼ ପଣ୍ଡିତ ଯିଏ ସିଏ ମୋତେ ବହୁତ ଭଲ ପାଉଥିଲେ । ଆଉ ମୁଁ ବି ଗୁରୁ ପରି ତାଙ୍କୁ ବହୁତ ଶ୍ରଦ୍ଧା କରୁଥିଲି ସମ୍ମାନ ଦେଉଥିଲି । ସେତେବେଳେ ବାପା ମୋତେ ଗୋଟେ ଗୀତ ଲେଖି ଦେଇଥିଲେ । ତାଙ୍କର ସେଥିରେ ଗାଇବା ପାଇଁ । ମୋର ଏବେ ମନେ ଅଛି ଟିକିଏ- (ଗାଆନ୍ତି) କିପରି ବିଦାୟ ଦେବୁ ଆହେ ସୁଧି ପ୍ରବର । ଏହି ଗୋଟେ ଫାଷ୍ଟ ଲାଇନ ମନେ ଅଛି । ଆଉ ମନେ ନାହିଁ । କେବେକାର କଥା ହେଲାଣି । ତ ମୁଁ ସେଇ ଗୀତଟି ଗାଇଥିଲି  । ସେ ଗୀତଟି ଶୁଣି ମୋର ମନେ ଅଛି ସେ ହେଡ଼ ପଣ୍ଡିତ ବି ନିଜେ କାନ୍ଦିଥିଲେ । ଏବଂ ଯେତେ ପିଲାମାନେ ଯେଉଁମାନେ ତାଙ୍କୁ ବହୁତ ଭଲ ପାଉଥିଲେ ଏବଂ ତାଙ୍କର ଷ୍ଟାଫମାନେ ମଧ୍ୟ ସମସ୍ତେ ମୋ ଉପରେ ବହୁତ ଖୁସି ହେଇଥିଲେ । ମୋ ଗୁରୁମାନେ ବହୁତ ଆଶୀର୍ବାଦ ବି କରିଥିଲେ । ସେ ହେଡ଼ ପଣ୍ଡିତ ଅବଶ୍ୟ ଏବେ ସେ ମରିଗଲେଣି, ସେତେବେଳେ ମୋତେ କହିଥିଲେ । କହିଲେ- ମୋର ଡ଼ାକ ନାଁ ଟିଲା- ତୁ ବହୁତ ଭଲ ଗାଇଲୁ ମା । ହୃଦୟକୁ ଛୁଇଁଲା । ତା’ ପରେ ଏତେ ଛୋଟ ଥାଇକରି ମଧ୍ୟ ମୁଁ ସେତେବେଳେ ତୃତୀୟ ଶ୍ରେଣୀରେ ମୁଁ ସେଦିନ ରାତିରେ ଠିକ୍ କରି ଶୋଇପାରିନି । ମୋତେ ଲାଗିଲା ଯେ ମୁଁ କଅଣ ଗାଇବି । କେମିତି ଗାଇବି । ଆଉ କଅଣ ଗାଇବି । ମୋତେ ଲୋକମାନେ ଭଲପାଇବେ । ମୋ ଗୀତକୁ ଭଲ ପାଇବେ । ଆଉ ମୋତେ ଭଲ ବୋଲି କହିବେ । ମାନେ ଛୋଟଟି ଦିନୁ ସେଇ ଯେଉଁ ଆମ୍ବିଶନ୍ଟି ମୋର ଆରମ୍ଭ ହେଇଥିଲା, ସେଇଟା ମୋର ଏଯାବତ୍ ବି ଚାଲିଛି । ଯେ ଲୋକ ମୋତେ ଶୁଣନ୍ତୁ । ଆଉ ମୋତେ ବହୁତ ସ୍ନେହ ଦେଇ ଭଲ ପାଆନ୍ତୁ । ଆଉ କିଛି ଭଲ କିଛି- ଏ ବୟସରେ ମଧ୍ୟ ମୁଁ ଚେଷ୍ଟା କରେ  କି ଆଉ କିଛି କ୍ରିଏଟିଭିଟି ଡ଼େଭେଲପ୍ କରି ଭଲ କରି କରିପାରିବା ଯେଉଁଟା କି ଲୋକଙ୍କର ଶ୍ରୋତାଙ୍କର ହୃଦୟକୁ ଛୁଇଁବ । ସେ ରକମର ଚିନ୍ତାଧାରା ମୋର ସେତେବେଳୁ ଆସିଥିଲା- ଛୋଟଦିନରୁ ।

ତାପରେ ପରେ ଧିରେ ଧିରେ ଯେତେବେଳେ ଗାଇବା ଏଇସବୁ ଆରମ୍ଭ କଲି- ସେଇ ବୟସ କଥା କହୁଛି- ସେତେବେଳେ ବି ମୋ ପାଇଁ ଏଇ ସ୍କୁଲ୍ ଇତ୍ୟାଦିରେ ଗାଇବା, ବା ପୁରସ୍କାର ବିତରଣ ଉତ୍ସବରେ ଗାଇବା ବା ଗାଆଁକୁ ସେତେବେଳେ ଯଦି ସବ୍ ଡ଼ିଭିଜନର ଡ଼େପୁଟି ମାଜିଷ୍ଟ୍ରେଟ୍ ଆସୁଥିଲେ(ସେତେବେଳେ ତ ଏସ୍.ଡ଼ି.ଓ ରହୁନଥିଲେ) ତାଙ୍କ ସଭାରେ ଗୀତ ଗାଇବା, ଏସବୁ ନେଇକରି ମୋତେ ବହୁତ- ମାନେ କଅଣ କହିବି- ସେତେବେଳେ ବହୁତ କଟକଣା ଥିଲା । ସେତେବେଳେ ଲୋକ ପସନ୍ଦ କରୁନଥିଲେ ଯେ ଗୋଟେ ଭଲ, ସମ୍ଭ୍ରାନ୍ତ ପରିବାରର ଝିଅ ଗୋଟେ ଯାଇକରି ଗୀତ ଗାଇବ ବାହାରେ । ଏସବୁ ପାଇଁକା ବହୁତ ଆପତ୍ତି ଅଭିଯୋଗ କରିଥିଲେ । କିନ୍ତୁ ଯେହେତୁ ମୋର ଗୋଟେ ଆଶା ଥିଲା ଯେ ମୁଁ ଭଲ ଗାଇବି, ମୋତେ ଲୋକ ଭଲ କହିବେ, ଏବଂ ଭଲ ପାଇବେ ଏ ତିନିଟା ଭଲ ଗାଇବି, ଭଲ ପାଇବେ, ଭଲ କହିବେ, ଭଲ ଗାଇଲୁ କହିବେ- ଏଇ କେତେଟା ଭଲ ଚାରିଟା ଶବ୍ଦ ମତେ ଆଜି ଆପଣମାନଙ୍କ ଆଗରେ ଆଜି ଥୋଇଛି । କାରଣ ଏତେ ବାଧାବିଘ୍ନ ଭିତରେ ମୁଁ ସଙ୍ଗୀତକୁ ଏଇ ବୟସ ପର୍ଯ୍ୟନ୍ତ ବଞ୍ଚେଇ ରଖିଛି । ସେଇଟା ଯେଉଁମାନେ ଦେଖିଛନ୍ତି ସେମାନେ ଅନୁଭବ କରିଛନ୍ତି ଏବଂ ସେମାନେ ଜାଣିଛନ୍ତି ମୁଁ କେତେ କଷ୍ଟ କେତେ ଆପତ୍ତି କେତେ ଅଭିଯୋଗ, ବନ୍ଧୁ ବାନ୍ଧବଙ୍କର ତାଚ୍ଛଲ୍ୟ, ଘୃଣା, ଅପବାଦ, ଲାଞ୍ଛନା ସବୁକିଛି  ମୁଁ ସହିଛି ଏହି ସଙ୍ଗୀତ ପାଇଁ । କିନ୍ତୁ ମୋର ଗୋଟେ ଡ଼ିଟର୍ମିନେଶନ ଥିଲା ଯେ ମୁଁ ଗାଇବି । ମୋତେ ଯିଏ ଯାହା କହୁପଛେ ମୁଁ ଗାଇବି ।

ସେଣ୍ଟର: ମାଡ଼ାମ୍ ସେହି ସମୟରେ ମୁଁ ଯାହା ଅଳ୍ପ ଶୁଣିଛି ଓ ପଢ଼ିଛି, ଲୋକେ କୁହନ୍ତି ଯେ ପାଲା ସଙ୍ଗୀତରେ ହେଲା କିମ୍ବା କୀର୍ତ୍ତନରେ ମଧ୍ୟ ହେଲା ସେଥିରେ ଗୁଡ଼ାଏ ବଙ୍ଗାଳୀ ଗୀତ ଓ ସଙ୍ଗୀତ ଉଭୟର ଛାପ ରହୁଥିଲା । ବର୍ତ୍ତମାନ ଆମେ ତାକୁ ଧରିପାରୁ ନାହୁଁ । ମାତ୍ର ଏବେ ଆମେ ପାଲାକୁ ଗୋଟିଏ ବିଶୁଦ୍ଧ ଓଡ଼ିଆ ପରମ୍ପରା ହିସାବରେ ଶୁଣିଛେ ଓ ଲୋକେ ସେଭଳି ଭାବରେ ଗ୍ରହଣ କରୁଛନ୍ତି । ଆପଣଙ୍କ ସମୟରେ ତାହା କିପରି ଥିଲା ।

ଶ୍ରୀମତି ଶ୍ୟାମାମଣି ଦେବୀ: ପାଲା ଭିତରେ ଯେଉଁ ଭିନ୍ନ ଭିନ୍ନ ଭାଷାର ଗୋଟେ ଗୋଟେ କରନ୍ତି, ସେଇଟା ଲୋକେ କେବଳ କମେଡ଼ି ଭାବରେ କରୁଥିଲେ । ସେଥିରେ ପାଲାର ବିଷୟ ସହିତ କିଛି ସମ୍ପର୍କ ନଥାଏ । ଗାୟକ ଡାହାଣ ପାଳିଆ ଏମାନେ ସବୁ ଲୋକଙ୍କର ମନୋରଞ୍ଜନ ପାଇଁ ମଝିରେ ମଝିରେ ଗୋଟେ ଗୋଟେ କରନ୍ତିନି କି କମେଡ଼ି ଟାଇପ୍ର । ତା’ ଭିତରେ ସେମାନେ ଏପରି ସବୁ କରନ୍ତି । କିନ୍ତୁ ସେମାନେ ଯେଉଁ ବିଷୟଟିକୁ ନେଇଥାଆନ୍ତି- ଧରନ୍ତୁ ‘ବୈଦେହୀଶ ବିଳାସ’ ନେଲେ କି ‘ସୁଭଦ୍ରା ପରିଣୟ’ରୁ ନେଲେ- ସେ ସେଠି ସୁଭଦ୍ରା ପରିଣୟ ପୁରାଟା ଶେଷ କରିବେ । ତା ଭିତରେ ସେମାନେ ଅନ୍ୟ କିଛି କରିବେନି । ବିଭିନ୍ନ ପ୍ରକାରର ଲୋକଙ୍କର ବିଭିନ୍ନ ପ୍ରକାରର ମତ ଥାଏ । ତା ଭିତରେ କାଳେ କିଏ ଦୁଇ ଘଣ୍ଟା ପାଲା ଗାଇଲାବେଳେ ହୁଏତ କିଏ କାଳେ ବୋର୍ ହେବ । ତେଣୁ ମଝିରେ କିଛି କମେଡ଼ି କରିଦିଅନ୍ତି । କିନ୍ତୁ ଆମ ଓଡ଼ିଆ ସଂସ୍କୃତିକୁ ସେମାନେ କିଛି କରନ୍ତି ନାହିଁ । ସେଇ କମେଡି ଭିତରେ ସେମାନେ ଅନ୍ୟ ଭାଷା କିଛି ଆଣନ୍ତି । ମୁଁ ସେକାଳରେ ଶୁଣିଛି । ହରିନାଥ ନରିନାଥଙ୍କୁ ମୁଁ ଶୁଣିଛି । ବହୁ ପାଲାଗାୟକଙ୍କୁ ଶୁଣିଛି । ବହୁ ପାଲା ଗାୟକଙ୍କର ଚାମର ମୋ ମୁଣ୍ଡରେ ବାଜିଛି । ତେଣୁ ମୁଁ ତ ସେମିତି କେବେ କହି ପାରିବିନି ।

ସେଣ୍ଟର- ଆପଣ ଆପଣଙ୍କ ବାପା ବିଷୟରେ ଯାହା କହିଲେ, ସେ ଆପଣଙ୍କ ସଙ୍ଗୀତ ଶିକ୍ଷାର ଯେପରି ସମର୍ଥନ କରୁଥିଲେ, ତାହା ସେହି ସମୟରେ ଏକ ବ୍ୟତିକ୍ରମ ଥିବ ବୋଧେହୁଏ । ଆପଣ ଆପଣଙ୍କ ବାପା ଓ ମା’ଙ୍କ ବିଷୟରେ ଯଦି କିଛି କହି ପାରନ୍ତେ ତାହାହେଲେ ଲାଭ ଦାୟକ ହୁଅନ୍ତା । ଆପଣ ଯାହା କହିଲେ କି ବାପା ଆପଣଙ୍କୁ ଅତି ଅଳ୍ପ ବୟସରୁ ଆପଣଙ୍କର ସଙ୍ଗୀତ ପ୍ରତି ଆପଣଙ୍କର ଆଗ୍ରହ ପ୍ରତି ଉତ୍ସାହ ଯୋଗାଇଲେ, ଏକ ସମ୍ଭ୍ରାନ୍ତ କରଣ ପରିବାରରେ ଏଇଟା ନିଶ୍ଚିତ ଭାବରେ ଏକ ବ୍ୟତିକ୍ରମ ଥିବ । ତେଣୁକରି ଆମେ ଟିକେ ଜାଣିବାକୁ ଚାହିଁବୁ, ଆପଣଙ୍କର ବାପା, ମା’ ପରିବାର ପିତୃବର୍ଗଙ୍କ ବିଷୟରେ ।

ଶ୍ରୀମତି ଶ୍ୟାମାମଣି ଦେବୀ- ଯେପରି ପ୍ରଥମରୁ କହିଲି, ଆମର ପରିବାରଟା ଗୋଟେ ସାଙ୍ଗୀତିକ ପରିବାର ଥିଲା । ମୋ ବାପା ଗାଆନ୍ତି । ମୋ ବୋଉ ବି ଗାଉଥିଲେ । ବୋଉ ହେଉଛନ୍ତି ଆପଣଙ୍କର ଡ଼କ୍ଟର ରାୟବାହାଦୁର ଭିକାରୀଚରଣ ପଟ୍ଟନାୟକଙ୍କର ବଡ଼ ଝିଅ । ଯେ କିଏ ଆପଣମାନେ ପଢ଼ିଥିବେ- ସାହିତ୍ୟ ପ୍ରବେଶରେ ‘କୁଟୀରଶିଳ୍ପ’- ସେ ମୋ ଅଜାଙ୍କର ଲେଖା । ଅଭଙ୍ଗା କଣ୍ଢେଇ କାରଖାନା ଗୋଟିଏ ଥିଲା । ସେଇଟା ମୋ ଅଜାଙ୍କର । ତ ମୋ ବୋଉ ବି ଗାଉଥିଲେ । ବାପା ବି ଗାଉଥିଲେ । ମୋ ଭାଇଭଉଣୀ, ଆମେ ଯେଉଁମାନେ ବର୍ତ୍ତମାନ ବି ପାଞ୍ଚଜଣ ଅଛୁ, ସମସ୍ତେ ଗାଉଥିଲେ । ବଡ଼ ଭାଇ ଭଲ ଭାୟୋଲିନ୍ ବଜାନ୍ତି, ଏସରାଜ୍ ବି ବଜାନ୍ତି । ସେ ଏବେ ଛମାସ ତଳେ ଚାଲିଗଲେ । ଆଉ ଗୋଟେ ଭାଇ ସେ ବହୁତ ଭଲ ତବଲା ଓ ନାଲ୍ ବଜାଏ- ଉପେନ୍ଦ୍ରମୋହନ ପଟ୍ଟନାୟକ । ସେ ବମ୍ବେ ଆଇଆଇଟିରେ ସଙ୍ଗୀତ ଶିକ୍ଷକଥିଲେ । ସେ ରିଟାୟାର କଲେଣି । ଏକଦା ଲକ୍ଷ୍ମୀକାନ୍ତ-ପ୍ୟାରେଲାଲ୍ ଗ୍ରୁପ୍ର ବି ରିଦମିଷ୍ଟ ଥିଲେ । ବାକି ମୋର ସଭା ବଡ଼ଭଉଣୀ ଭାୟୋଲିନ୍ ବଜାଉଥିଲେ । ସେ ରାଉରକେଲାରେ ଅଛି । ଆଉ ମୋର ଗୋଟେ ଭଉଣୀ ଉପର ଭଉଣୀ ସେ ଭଲ ଖୋଳ ବଜାଏ । ସିଏ ମଧ୍ୟ ଅଛି । ତେଣୁ ଆମର ପୂରା ପରିବାରଟା, ଆମେ ଯେବେ କୀର୍ତ୍ତନ କରୁ ଆମେ ଭାଇଭଉଣୀ ସମସ୍ତେ ମିଶି ପୂରା ଗୋଟେ ଗ୍ରୁପ୍ ଆମର । ତେଣୁ ପରିବାରର ବିଶେଷ କିଛି ସମସ୍ୟା ନଥିଲା । ତଥାପି ଧରନ୍ତୁ ବଡ଼ବାପାଙ୍କ ଘର, ଦାଦାଙ୍କ ଘର, ଏମାନଙ୍କ ଘରର ସବୁ ଆପତ୍ତି ଶୁଣିଲା ପରେ ସେମାନେ ଟିକେ ପଛଘୁଞ୍ଚା ଦେଉଥିଲେ । ଯେମିିତି କୁଟୁମ୍ବମାନେ ଯଦି ଆପତ୍ତି କରୁଛନ୍ତି । ତା ଭିତରେ ସେମାନେ ତ ସେଇମାନଙ୍କୁ ନେଇ ଚଳିବେ ନା, ସାଇକୁଟୁମ୍ବଙ୍କୁ । ମୁଁ ସିନା ବାହାରକୁ ଚାଲିଆସିଲି । କିନ୍ତୁ ସେମାନେ ତ ଗାଁରେ ରହିଲେ । ତ ସେମାନଙ୍କୁ ନେଇ ଚଳିବେ । କିଛିଟା ସେ ରକମ ଆପତ୍ତି ମଧ୍ୟ ଥିଲା । କିନ୍ତୁ ଭିତିରିଆ ଭାବରେ ବାପାଙ୍କର ବହୁତ ଇଚ୍ଛାଥିଲା ଯେ ମୁଁ ଗାଏ ।

ତାର ଆଉ ଗୋଟେ କାରଣ ହେଲା ଯେ ମୋର ବଡ଼ବାପା ହେଉଛନ୍ତି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ । ଆଉ ମୋ ବଡ଼ବାପା ତ ନିଶ୍ଚିତ ଭାବରେ ଆପଣମାନେ ସମସ୍ତେ ଜାଣନ୍ତି ତାଙ୍କୁ ଯିଏକି ଓଡ଼ିଶୀ ନୃତ୍ୟର ପ୍ରତିଷ୍ଠାତା କହିଲେ ଅତ୍ୟୁକ୍ତି ହେବ ନାହିଁ । ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ କରିବାରେ ତାଙ୍କର ଅବଦାନ ପ୍ରଥମ । ଓଡ଼ିଆ ଗୀତରୁ ଓଡିଶୀ ଗୀତ କରିବାର ତାଙ୍କର ଅବଦାନ ବହୁତ । ଏମିତି ଥରେ ଡ଼୍ରାମା ହେଉଥାଏ । ବାପା ଡ଼୍ରାମା ବି ଲେଖନ୍ତି ଭଲ । ନିର୍ଦ୍ଦେଶନା ବି ଦିଅନ୍ତି । ମୋ ଜେଜେ ଥିôଲେ ମଦନମୋହନ ପଟ୍ଟନାୟକ । ମୋ ବାପା ତାଙ୍କ ନାଁରେ ଗୋଟେ ଡ଼୍ରାମାଟିକ୍ କ୍ଳବ କରିଥିଲେ । ସେଠି ଡ୍ରାମା ହୁଏ । ଏବଂ ସେଥିରେ ମୁଁ ବି ଅଭିନୟ କରିଛି । ମୁଁ ଶ୍ରୀକୃଷ୍ଣ ରୋଲ କରୁଥିଲି ସେତେବେଳେ । ସେଥିପାଇଁ ବି ବହୁତ କଥା ଶୁଣିଛି । ବାପାଙ୍କୁ ମୁଁହରେ ନକହିଲେ ବି ମଧ୍ୟ ବିଭିନ୍ନ ଲୋକ ଝିଅଟାକୁ ମୁଁହବଢ଼ିଆ କରିଛନ୍ତି, ଝିଅଟା ଏମିତି ଡ୍ରାମା ପେଣ୍ଡାଲରେ ଠିଆ ହୋଇ କରୁଛି । ଯେମିତି କରୁଛନ୍ତି ସେମିତି ପାଇବେ- ବିଭିନ୍ନ ଲୋକ ଗାଁ ଗହଳିରେ ଯେମିତି କମେଣ୍ଟ ହୁଏ । ତେଣୁ ସେତକ ବି ହେଇଥିଲା । ଏମିତି ଥରେ ଗାଁରେ ଡ୍ରାମା ହେଉଥିଲା, ବଡ଼ବାପା ଆସିଥିଲେ । ବାଙ୍କିରୁ । କାଳୀ ବଡ଼ବାପା ରୁହନ୍ତି ଖମାରଙ୍ଗରେ । ସିଏ ଆସିଥିଲେ । ତ ଭାଇ କହିଲେ ଏମିତିଆ ଭାଇ ଇଏ ଗାଉଛି ଏମିତି । ସିଏ ଗାଉ ବୋଲି ମୋର ଇଚ୍ଛା । କିନ୍ତୁ ସମସ୍ତେ ଏମିତି ଇଏ କରୁଛନ୍ତି । ତ ଲୋକ କିଛି ଯଦି ଆପତ୍ତି ଅଭିଯୋଗ କରୁଛନ୍ତି ତାକୁ ତୁ ମୋତେ ଦେଇ ଦଉନୁ । ମୁଁ ତାକୁ ମୋର ଝିଅ କରି ରଖିକି ଗୀତ ଗୁଆଇବି । ସତ କଥା । ବଡ଼ ବାପାଙ୍କର ବି କମ୍ ପ୍ରେରଣା ନଥିଲା ମୋ ପାଇଁ । ମୁଁ ବହୁତ କୃତଜ୍ଞ ତାଙ୍କ ପାଖରେ । ତା ପରେ ମୁଁ ତ ଗାଁ ଛାଡ଼ିକରି ଆସିଲି କଟକ । ତାପରେ ରେଡ଼ିଓରେ ଶିଶୁଶିଳ୍ପୀ ହେଲି । ଶିଶୁଶିଳ୍ପୀ ହେଲା ପରେ ଆଉ ମୁଁ ଫେରିନି । ୧୯୫୦ରୁ ୧୯୫୦ ମାର୍ଚ୍ଚ ୨୩ ମୋର ପ୍ରଥମ ବ୍ରଡ଼କାଷ୍ଟ ଆକାଶବାଣୀରେ । ୧୯୪୮ ମସିହାରେ କଟକରେ ଆକାଶବାଣୀ ହେଲା । ୨୩ ମାର୍ଚ୍ଚ ୧୯୫୦ରେ ମୁଁ ଶିଶୁଶିଳ୍ପୀ ହେଲି । ସେତେବେଳେ ତ ରେକଡିଙ୍ଗ ମେସିନ ନଥିଲା । ଆମେମାନେ ଲାଇଭ୍ ଗାଉଥିଲୁ । ମୁଁ ବି ଲାଇଭ୍ ଗାଇଥିଲି ।

ସେଣ୍ଟର : ଆପଣଙ୍କର ପ୍ରଥମ ଗୀତଟି କଅଣ ଥିଲା?

ଶ୍ରୀମତି ଶ୍ୟାମାମଣି ଦେବୀ : ‘ଭଜ ଶ୍ୟାମ ମଧୁର ଠାମ ମଧୁର କାମମୋହନ ଗୋ । ଭଜ ଶ୍ୟାମ ମଧୁର ଠାମ’ (ଗାଇକରି ଶୁଣେଇଲେ) । ସେତେବେଳେ ମୁଁ ଏମିତି ଗାଇପାରୁନଥିଲି । ସିଧା ସିଧା ଗାଉଥିଲି । କିନ୍ତୁ ମୋର ମନେ ଅଛି । ତା’ପରେ ମୁଁ ଶିଖିବା ଆରମ୍ଭ କଲି । ମାନେ ବିଧିବଦ୍ଧ ଭାବରେ ସଙ୍ଗୀତ ଶିଖିବା ଯେଉଁଟା ସେଇଟା ମୁଁ ସେତେବେଳେ ଆମ୍ଭ କଲି । ସେତେବେଳେ ପୂଜ୍ୟଗୁରୁ ସ୍ୱର୍ଗତଃ ସିଘାଂରୀ ଶ୍ୟାମସୁନ୍ଦର କରଙ୍କ ପାଖରେ ମୁଁ ଶିଖିଲି । ତା’ ପରେ ଶ୍ରୀ ବାଳକୃଷ୍ଣ ଦାସ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ, ମୋ ଗୁରୁ,- ତାଙ୍କ ପାଖରେ ମୁଁ ଶିଖିଲି ।

ସେଣ୍ଟର : ଆପଣ ତାହାହେଲେ ବାର ତେର ବର୍ଷ ବୟସରେ ହିଁ କଟକ ଚାଲିଆସିଲେ ।

ଶ୍ରୀମତି ଶ୍ୟାମାମଣି ଦେବୀ : ମୋତେ ଚଉଦ ବର୍ଷ ହୋଇଥିଲା ମୁଁ କଟକ ଆସିଲା ବେଳକୁ ।

ସେଣ୍ଟର : ଆପଣଙ୍କ ଗାଁ ବିଷୟରେ ଆମକୁ ଟିକେ କୁହନ୍ତୁ ।

ଶ୍ରୀମତି ଶ୍ୟାମାମଣି ଦେବୀ : ଆମ ଗାଁ ହେଉଛି ଗୋଟେ ପ୍ରାକୃତିକ ସୌନ୍ଦର୍ଯ୍ୟମୟ ଗାଁ । ଆମ ଘରର ସାମ୍ନା ପଟେ ମହାନଦୀ । ପଛପଟେ ଆପଣଙ୍କର ଅଂଶୁପା ହ୍ରଦ । ବହୁତ ସୁନ୍ଦର ହ୍ରଦ । ଆପଣମାନେ ନାଁ ଶୁଣିଥିବେ । ସତକଥା କହିଲେ ପିଲାବେଳେ ମୋର ଟିକେ ଡ଼େଆରିଙ୍ଗ୍ କ୍ୟାରେକ୍ଟର ଥିଲା । ମୋର ସେଇଟା ବଦ୍ ଗୁଣ ହୋଇପାରେ । ମୁଁ କାହାକୁ କିଛି କହିବିନି । ମୁଁ ପଳେଇଯିବି  ଅଂଶୁପା । ଅଂଶୁପାକୁ ଯାଇକରି- ସେଠି ଛୋଟ ଛୋଟ ପଟୁଆ ଥାଏ । ତାର ଆହୁଲା ଗୋଟେ ଥାଏ । ସେଠି ତ ଡ଼ଙ୍ଗା ବୁଡ଼ିବାର ସମ୍ଭାବନା ନାହିଁ । ଚାରିପଟେ ପଦ୍ମବଣ । ମୁଁ ନିଜେନିଜେ ଆହୁଲା ମାରି ଭିତରକୁ ପଳେଇବି । ଯାଇଁକି ପଦ୍ମବଣ ଭିତରେ ଥୋଇବି । ଯାଇଁକରି ପୁଷ୍କୋଡ଼ା ତୋଳିକରି ଖାଇବି । ନହେଲେ ପଦ୍ମଫୁଲ ତୋଳିବି । ଏମିତି କଅଣ  କଅଣ ମୁଁ କରେ । ସେଇଟା ମୋର ପ୍ରକୃତି । କିନ୍ତୁ ସତକଥା କହିବାକୁ ଗଲେ ମୁଁ ବହୁତ କୃତଜ୍ଞ ମୋ ବାପାଙ୍କ ପାଖରେ । ମୋ ବାପା ମୋତେ ଯେମିତି କହନ୍ତିନି ଅଗାଧ ସ୍ୱାଧୀନତା ଦେଇଥିଲେ । ଏମିତି ବାପା କୌଣସି ଝିଅକୁ ଦେବନି । ମୋ ବାପା କେବଳ ସ୍ୱାଧୀନତା ଦେଇନଥିଲେ । ମୋ ବାପା ମୋତେ ଏତେ ଭଲ ପାଆନ୍ତି, ଏତେ ଭଲ ପାଆନ୍ତି, ବୋଧେହୁଏ ସାୟଦ୍ କୋଉଁ ବାପ ତାଝିଅକୁ ଭଲ ପାଉଥିବ । ମୁଁ ଯାହାଟା କହିବି ବାପା ସେଇଟାରେ ହଁ କରିବେ । କିଏ ଆସିକି କହିଦେବ ଅଂଶୁପାରେ ଝିଅ ଯାଇଁ କାତମାରିକରି ପଶିଚି । ବାପା କହିବେ- ହଁ ଚାରିଟାବେଳେ ଟିକେ ବୁଲିବାକୁ ଯାଇଥିବ । ଡ଼ଙ୍ଗା କଅଣ ବୁଡିଯାଉଛି । ଏଇ ପ୍ରକାରର । କେବେ ମୋତେ ହତୋତ୍ସାହିତ କରି ନାହାନ୍ତି । କୌଣସି କଥାରେ ।

ଛୋଟବେଳୁ ପରିବେଶ ଗୋଟେ ଅଲଗା ଥିଲା । ମୁଁ ସନ୍ଧ୍ୟାବେଳେ ଯିବି । ତୃତୀୟାଦେବ ଜଗନ୍ନାଥ ମନ୍ଦିରରେ ମୁଣ୍ଡିଆ ମାରିବି । ସକାଳୁ  ଦିନେଦିନେ ବେଳେବେଳେ ଇଚ୍ଛା ହୁଏ ନଈରେ ଗାଧୋଇବାକୁ । ଯେଉଁଦିନ ନଦୀରେ ଗାଧୋଇବାକୁ ଯିବୁ,ସେଠି ମହାଦେବ ମନ୍ଦିର ଅଛି । ତାକୁ ମହାଦେବ ତୁଠ କୁହାଯାଏ । ଗୋଟେ ସ୍କୁଲ୍ ତୁଠ, ଯେଉଁଟାକି ମାଇନର ସ୍କୁଲ୍ ତୁଠ । ଆଉ ଗୋଟେ ମହାଦେବ ତୁଠ ଅଛି ଯେଉଁଥିରେ ଆମ କରଣ ସାଇର ଲୋକେ ଯାଆନ୍ତି ଗାଧୋଇବା ପାଇଁ । ସେଇଠୁ ଗାଧୋଇକି ଆସିକରି ମହାଦେବ ମନ୍ଦିରରେ ମୁଣ୍ଡିଆ ମାରୁ । ଆଉ ଗ୍ରୁପ୍ଜିମ୍ ମୋର ଗୋଟେ ବହୁତ ବଡ଼ ମେଣ୍ଟାଲିଟି ଥିଲା । ଆମ ସାଇର ଯେତିକି ଝିଅ ସେମାନଙ୍କୁ ମୁଁ ପ୍ରଥମେ ଇନ୍ସପାୟାର୍ କରିଥିଲି କି ନିଜ ଗୋଡରେ ନିଜେ ଠିଆ ହେବ । କାହା ଉପରେ ନିର୍ଭରଶୀଳ ହୁଅନି । ସନ୍ଧ୍ୟା ହେଲେ ସାଙ୍ଗମାନଙ୍କୁ ଧରିକି ନଈକି ଯିବି । କିତ୍-କିତ୍ ଖେଳିବି ତାଙ୍କ ସାଙ୍ଗରେ, ସାଇରେ ମୋର ଯେତେ ସବୁ ଭଉଣୀ ସେ ସମସ୍ତଙ୍କ ସାଥିରେ ।

ବଡ଼ ବଡ଼ ମଣ୍ଡାଫୁଲ ହୁଏ ଆମର । ମଣ୍ଡାଫୁଲ ଧରିକି ଅଗଣାରେ ବାପାଙ୍କର ମୋର ଫୁଲ ଫୋପଡ଼ା ହୋଇ ବାଡ଼ିଆବାଡ଼ି ହୋଇ ଖେଳୁ । ବାପା ମୋ ସହିତ ଖେଳନ୍ତି । ବୋଉ କହିବ- ହଁ ହଁ । ଝିଅ  ସହିତ ଆହୁରି ଖେଳ । ଆଉ ଟିକେ ମୁହଁବଢ଼ିଆ କର ତାକୁ । ସେଇଠୁ ମୋର ଏବେ ବି ମନେ ପଡ଼େ ବାପା କହିବେ- ଓହୋ । ସବୁ କଥାରେ କାହିଁକି କହୁଚ ତାକୁ । ମୋ ପାଇଁ ବେଳେବେଳେ ବାପା ବୋଉଙ୍କର ବି ପାଟି ଲାଗିଯାଏ । ତା’ ପରେ ମୁଁ ଯାଇକି ବୋଉଙ୍କ କୋଳ ଉପରେ ଶୋଇପଡ଼େ । ଆଉ ତାକୁ କହିବି, ତମେ କାଇଁ ପାଟି କରୁଚ । ମୁଁତ ଠିକ୍ ଅଛି । ବାପାଙ୍କର ମୋର ଯଦି ନ ଖେଳିବୁ ତାହାହେଲେ ମୁଁ ଯାଉଚି ସ୍କୁଲ୍ ପଡ଼ିଆରେ ଖେଳିବି । ଭଲ ଲାଗିବ ତମକୁ । ଏମିତି କହିଦେଲେ ବୋଉ ଚୁପ୍ । ତେଣୁ କିଛି କୁହନ୍ତିନି ।

ଆଉ ଗୋଟେ ବଡ଼ ଜିନିଷ ହେଉଚି ଗାଁରେ ସବୁ ବୟୋଜ୍ୟେଷ୍ଠ ଲୋକମାନେ ବି ମୋତେ ଭଲ ପାଉଥିଲେ । ଆମ ଘରର ଗୋଟେ ସଂସ୍କାର ଥିଲା । ଯେ କୌଣସି ଗୁରୁ ଗୁରୁଜନ ଲୋକଙ୍କୁ ଆମେ ଅସମ୍ମାନ କରୁନା । ବାପା ବୋଉଙ୍କର ଆମ ପାଇଁ ସେଇଟା ଶିକ୍ଷା ଥିଲା । କାରଣ ପ୍ରଥମେ ତ ଆମ ଘରେ ସେଇଟା ଶିକ୍ଷା ଦିଆଯାଇଥିଲା । ସକାଳୁ ଉଠିବୁ । ଉଠିକରି ଆଗ ବାପାଙ୍କୁ ମୁଣ୍ଡିଆ ମାରିବୁ, ବୋଉଙ୍କୁ ମୁଣ୍ଡିଆ ମାରିବୁ, ତା’ପରେ ଠାକୁରଙ୍କୁ ମୁଣ୍ଡିଆ ମାରିବୁ । ଏଇଟା ଆମର ଘରର ନିୟମ । ସକାଳୁ ଉଠିଲୁମାନେ ଆମେ ବାପାବୋଉଙ୍କୁ ମୁଣ୍ଡିଆ ମାରିବୁ । ତା’ପରେ ଦାନ୍ତ ଘଷିବୁ । ସନ୍ଧ୍ୟା ହେଲେ ଚଉରା ପାଖରେ ବସିକରି ପ୍ରାର୍ଥନା କରିବୁ । ତା’ପରେ ବାପାବୋଉଙ୍କୁ ମୁଣ୍ଡିଆ ମାରିବୁ । ତା’ପରେ ଆସି ପଢ଼ିବସିବୁ । ଏଇଟା ଘରର ସଂସ୍କାର ଥିଲା । ସେଇ ହିସାବରେ ଗାଁରେ ଦାଣ୍ଡରେ ଗଲେ ବି ଯେ କୌଣସି ବୟୋଜ୍ୟେଷ୍ଠ ଲୋକ ହୁଅନ୍ତୁ, ତାଙ୍କୁ ମଧ୍ୟ ଆମେ ପ୍ରଣାମ କରୁ । ସେ ଦୃଷ୍ଟିରୁ ସେମାନେ ବି ବହୁତ ଭଲ ପାଆନ୍ତି । ଏଇ ଭଳିଆ ଥିଲା ଗାଁ ଜୀବନ । ଗାଁ ଜୀବନ ପ୍ରକୃତରେ ବହୁତ ଭଲ ଥିଲା । ଦୋଳିଫୋଳି ଖେଳୁଥିଲି ରଜ ଫଜରେ । ଆଉ କୁଆଁର ପୁନେଇରେ ସେଇ ଯେଉଁ ଚାନ୍ଦ ଚକଟା ଫକଟା ସବୁ ହୁଏ ଚଉରା ପାଖରେ । ସେଥିରୁ ଗୋଟେ ଧରିକରି ଦଉଡ଼ି ପଳେଇବି ଗୁହାଳ ଆଡକୁ । କୁହନ୍ତି କଅଣ ନା ଲୁଚିକରି ଖାଇବ ନା । ଲୁଚି ଲୁଚି ଯାଇ ମୋର ଗୋଟେ ଗୀତ ନାହିଁକି । ଠିଆ ପୁଚି ନାରଙ୍ଗ, ଗୋଡ ଦିଇଟା ସାରଙ୍ଗ । ସାରଙ୍ଗ ବାଡିକି ଯାଇଥିଲି । ଚୁଙ୍ଗୁଡ଼ି ଶୁଖୁଆ ଆଣିଥିଲି । ଅଧେ କଲି ଭଜା ଅଧେ କଲି ପିତା । ତୋ ଭଉଣୀ ରାଣୀ ଆଉ ମୋ ଭାଇ ରଜା (ଗାଇକରି ଶୁଣାନ୍ତି) । ସେଇଭଳିଆ ଚାନ୍ଦ ଚକଟା ଧରି ସମସ୍ତେ କହିବେ ଲୁଚିକରି ଖାଇବା ପାଇଁ । ମୁଁ ଧରିକି ଦଉଡ଼ି କି ସିଧା ଗୁହାଳ ପାଖେ । ବୋଉ କହିଛନ୍ତି ପରା ଲୁଚିକି ଖାଇବାକୁ । ତ ମୁଁ ଯାଏ ଲୁଚିକି ଖାଇବା ପାଇଁ । ତ କହିବେ, ତତେ କଅଣ ଲୁଚିବାକୁ ଆଉ ଯାଗା ମିଳିଲାନି । ସିଧା ପଳେଇଗଲୁ ଗୁହାଳକୁ ।

ତେଣୁ ଏଇ ପ୍ରକାରର ସବୁ କାମ କରେ ବୋଲି- ମୋର ଆଈ ଜଣେ ଥାଆନ୍ତି, ସମ୍ପର୍କୀୟ- ଅଣ୍ଡ୍ରିଟା ବୋଲି କହିବେ । ଏଇମିତି କହିବେ (ହାତ ଦେଖାଇ କହନ୍ତି) ଅଣ୍ଡ୍ରିଟା ଏଇଟା । ବେଳେବେଳେ ମୋତେ କଅଣ କଅଣ କହିବେ- ଅଣ୍ଡ୍ରିଟା, ଘୋଡ଼ିଟା । କାହାକୁ ମାନୁନି । ମୁଁ ଭଲରେ ମାଗିବି । ମୁଁ ଗୋଟେ ଗଛରୁ ପିଜୁଳି ନେବି । ମୋତେ ଯଦି ନଦେବ, ତାହାହେଲେ ସେ ପୂରା ଗଛର ପିଜୁଳି ସବୁ ନଷ୍ଟ କରିଦେବି । ମୋର ଭାରି ରାଗ । ସେ ଆଈଙ୍କର ପିଜୁଳି ଗଛ ଥାଏ । ତାଙ୍କ ଗଛରେ ବହୁତ ପିଜୁଳି ହୁଏ । ଆମର ସବୁ ବସନ୍ତ, ଟୁନି ଫୁନି ସବୁ ଅନେକ ଥାଆନ୍ତି । ଭଉଣୀମାନେ । ମୁଁ ତାଙ୍କୁ ସବୁ କହିବି- ଦିପହରରେ ତାଙ୍କ ଘରକୁ ଯିବା, ପିଜୁଳି ତୋଳିବା । ଦେଖିଲୁ ସିଏ କଅଣ ଟିଣ ବାନ୍ଧିକି ଘର ଭିତରେ ଅଛନ୍ତି । ଗଛରେ ଯିଏ ଚଢ଼ିଲେ ଖଡ଼ଖଡ଼ ହଉଚି । ବୁଢ଼ୀ ସିଆଡୁ ଦଉଡ଼ି ଆସୁଛନ୍ତି । ମୁଁ ଉପରେ ଚଢ଼ିବି । ତଳେ ସେମାନେ ଗୋଟେଇବେ । ମୁଁ ଉପରୁ ତଳକୁ ଫୋପାଡ଼ିବି । ସେମାନେ ତଳେ ଗୋଟେଇବେ । ବୁଢ଼ୀ ଯେମିତି ଆସିଲେ ସିଏ ପିଜୁଳି ଏକାଠି କରିକି ଅଣ୍ଟିରେ ଧରିକି ଯେ ଯୁଆଡେ ଛୁ । ମୋତେ ଗାଳିଦେଲେ ବୋଲି ମୁଁ ଉପରୁ ଗୋଟେ ପିଜୁଳି ପକେଇଦେଲି । ତାଙ୍କ ମୁଣ୍ଡରେ ପଡ଼ିଲା । ‘ଆଲୋ ମୁଁ ମରିଗଳିଲୋ । ମୋତେ ମାରିଦେଲାଲୋ କହିକରି ସିଏ ଆଉଁଶେଇକରି ଉଠିଲା ବେଳକୁ ମୁଁ ସେଠୁ ଚମ୍ପଟ୍ ।

ମାନେ ମୁଁ ଏମିତି ଟିକେ ବଦମାଶ ବିଥିଲି ପିଲାବେଳେ । କାକୁଡି ଲଟା ହେଇଥିବ ବାରିରେ । ଆଇ ଗୋଟେ କାକୁଡି ଦେବ । କାଇଁବା କାକୁଡି ତ କଉଠିଁ ନାଇଁ । ତତେ କାକୁଡି କଉଁଠୁ ଦେବି । ଦେଖିଲା ବେଳକୁ କାକୁଡି ଓହଳି ଥିବ । ସକାଳୁ ସେପଟକୁ ଗୁହାଳ ଘର କାନ୍ଥ ଡେଇଁକି ସେପଟେ ଯାଇଁ ସବୁ କାକୁଡିରୁ ଅଧା ଅଧା କାମୁଡି ଦେଇଥିବି । ଯେତେ କାକୁଡି ଥିବ- ଆଠଦଶଟା ଖଣ୍ଡେ କାକୁଡି କାମୁଡିକି ପକେଇ ଦେଇଥିବି । ମତେ ଦେଲନି କାହିକି । ତା ପରେ ଆସି ବୋଉକୁ କହିବେ- ଏ କାମ ଆଉ କାହାର ନୁହେଁ । ତୋ ଝିଅର । ମୋତେ କାଲି ମାଗୁଥିଲା କାକୁଡି ମୁଁ ଦେଲିନି । ଏମିତିଆ କରିଛି । ମୁଁ ଏ ବାବଦରେ ବି ଟିକିଏ ଦୁଷ୍ଟ ଥିଲି । ତ ନିଜର ଗୁଣ କହୁଚି ମୁଁ । ଏ ବାବଦରେ ବି ବହୁତ ବଦମାସ ଥିଲି । ତେବେ ଯାହାହଉ, ସେଇ ଭିତରେ, ହସଖେଳ ଭିତରେ ମୋ ପିଲାଦିନ ଗାଁରେ କଟିଗଲା । ଆଉ ଏବେ ଯେତେବେଳ ଏକା ଏକା ବସେ, ଗାଁ କଥା ମନେ ପଡେ । ଆଉ ଅବଶ୍ୟ ଗାଁର ସେଇ ଶିରୀ ନାଇଁ । ବର୍ତ୍ତମାନ ଗାଁଦାଣ୍ଡ ଚିକ୍ ଚିକ୍ ହୋଇଗଲାଣି । ସିମେଣ୍ଟ ପ୍ଲାଷ୍ଟର ହେଇଗଲାଣି । ଆମର ଯେଉଁ ଗାଁର ତୋଟା ଥିଲା ସେଥିରେ ଆଉ ଆମ୍ବଗଛ ନାହିଁ । ଗାଁର ପରିବେଶ ଆଉ ଗାଁ ପରିବେଶ ହେଇକି ନାହିଁ । ଇଲେକ୍ଟ୍ରି ଲାଇନ୍ ଚାଲିଗଲାଣି । ସେତେବେଳେ ତ ଆମେ ଲଣ୍ଠନରେ ପଢ଼ୁଥଲୁ ବସିକରି । ତେଣୁ କରି ଗାଁରେ ଆଉ ସେ ସବୁ ନାହିଁ ।

ସେଣ୍ଟର : ଆପଣ ସେଇ ଚଉଦ ବର୍ଷ ବୟସରେ ଗାଁ ଛାଡି କଟକ ଆସିଲା ପରେ, ଆଉ କେବେ ଗାଁରେ ଯାଇ ଦୀର୍ଘ ସମୟ ପାଇଁ ରହିଛନ୍ତି?

ଶ୍ରୀମତି ଶ୍ୟାମାମଣି ଦେବୀ : ହଁ ଯାଏନା । ମୁଁ ପ୍ରାୟତଃ ଛୁଟିରେ ଯାଏ, ଓ ଗାଁରେ ରହେ । ଗାଁରେ ରହିଲେ ସେଇ ନଈକୁ ଯିବି । ପିଲାମାନଙ୍କୁ ସମସ୍ତଙ୍କୁ ନେଇକି । ସବୁ ସାଙ୍ଗମାନଙ୍କୁ, ଭଉଣୀମାନଙ୍କୁ ନେଇକି । ତାଙ୍କୁ କହିବି ସବୁ ପାଠ ପଢ଼ ଭଲକି । କାରଣ ଆମ ଗାଁରେ ସେତେବେଳେ ମାଇନର ସ୍କୁଲରେ ମୁଁ ହଉଚି ପ୍ରଥମ ଝିଅ । ଝିଅପିଲାଙ୍କ ପାଇଁ ସହଶିକ୍ଷା ନଥିଲା ସେତେବେଳ । ପୁଅପିଲାଙ୍କ ସ୍କୁଲଥିଲା । କେହି ଝିଅ ସେଠି ପଢ଼ିବାକୁ ଯିବେନି । ମୁଁ ପ୍ରଥମ ଝିଅପିଲା ଯାଇଁ ସେଠି ପାଠ ପଢ଼ିଲି । ମୋର ବଡ଼ ଭଉଣୀକୁ ପଢ଼ିବାର ଦରକାର ପଡ଼ିଲା, ତାକୁ ବାଙ୍କୀ ପଠାଗଲା । ସେ ପିଇସାଙ୍କ ଘରେ ରହି ପଢ଼ିଲା । କିନ୍ତୁ ଗାଁରେ ମୁଁ ପ୍ରଥମ । ଆଉ ତାପରେ ମୋ ପରେ ପରେ ସେମାନେ ସମସ୍ତେ । ଧିରେ ଧିରେ ସବୁ ଗଲେ । ତାପରେ ସେମାନେ ବି କଲେଜ୍ ଗଲେ । ସେମାନେ ବି ଶିକ୍ଷକତା କଲେ । ସେମାନେ ବି ନିଜନିଜ ଜାଗାରେ ଚାକିରୀବାକିରୀ କରିକି ବାହାସାହା ହେଇକି ସମସ୍ତେ ପ୍ରତିଷ୍ଠିତ । ତେଣୁ ବାହାରକୁ ବାହାରିକି, ସ୍ୱାଧୀନ ଭାବରେ କିଛି କରିବାର ୍େରପରଣା ମୁଁ ଜାଣିବାରେ ମୁଁ ପ୍ରଥମେ ବୋଧେ ଆମ ଗାଁରେ ।

ସେଣ୍ଟର: ଆମକୁ ଟିକେ ବାଙ୍କି-ବଡ଼ମ୍ବା, ଏଇ ଅଞ୍ଚଳରେ ସେହି ସମୟରେ ସାଙ୍ଗୀତିକ ପରମ୍ପରା ବିଷୟରେ କିଛି କୁହନ୍ତୁ । ସେଇ ସମୟରେ ଓଡ଼ିଆ-ଓଡ଼ିଶୀ ସଙ୍ଗୀତକୁ ନେଇ ଯେଉଁ ପ୍ରକାରର ଚର୍ଚ୍ଚା ଚାଲିଥିଲା, ଓ ସେଥିରେ ଆପଣଙ୍କର ପିତୃବ୍ୟ ଥିଲେ ବୋଧେ ଜଣେ ପୁରୋଧା ।

ଶ୍ରୀମତି ଶ୍ୟାମାମଣି ଦେବୀ : ବଡ଼ମ୍ବା ତ ଗୋଟେ ସାଂସ୍କୃତିକ ପୀଠ । କାରଣ ବଡ଼ମ୍ବାରୁ ବୈକୁଣ୍ଠ ପଟ୍ଟନାୟକ, ସୁନନ୍ଦା ପଟ୍ଟନାୟକ ସେମାନେ ସବୁ ବଡ଼ମ୍ବାର ଲୋକ । ତା’ପରେ ବାଙ୍କୀର ତ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଗୋପୀକୃଷ୍ଣ ବେହେରା ଅଲ୍ ରାଉଣ୍ଡର କଳାକାର ଜଣେ -ସେ ବାଙ୍କୀର । ତା’ପରେ ଏମାନେ ତିନି ଭଉଣୀ-ସୁଚିତ୍ରା ମହାପାତ୍ର ସଙ୍ଗୀତା ମହାପାତ୍ର ଓ ସୁମିତ୍ରା ମହାପାତ୍ର ଏମାନେ ସମସ୍ତେ ବାଙ୍କୀର । ବାଙ୍କୀ ଗୋଟେ ବହୁତ ସଂସ୍କୃତି ସମ୍ପନ୍ନ ଯାଗା ।

ସେଣ୍ଟର : ଏଇଟା ମୋ ମନରେ ବେଳେବେଳେ ଖେଳେ ଯେ ଓଡ଼ିଶାରେ ପ୍ରାୟ ସବୁକିଛି କଟକ-ଭୁବନେଶ୍ୱର କୈନ୍ଦ୍ରିକ ହୋଇଯାଇଛି- ଯାହାବି ସାଂସ୍କୃତିକ କାମ ହେଉଛି ବା ଚର୍ଚ୍ଚା ହେଉଛି । କିନ୍ତୁ ସେ ସମୟରେ ଯେତେବେଳେ ଯୋଗାଯୋଗ ଏତେ ଭଲ ନଥିଲା, ଛୋଟ ଛୋଟ ଜାଗା ଗୁଡ଼ିକରେ ଏଭଳି ପରମ୍ପରାର ସୃଷ୍ଟି କିଭଳି ସମ୍ଭବ ହେଉଥିଲା ।

ଶ୍ରୀମତି ଶ୍ୟାମାମଣି ଦେବୀ: ସେଇଠି କେବଳ ଡ଼୍ରାମା । ସେମାନେ ବାଙ୍କୀରେ ବି ସେ ସମୟରେ ଡ଼୍ରାମା କରୁଥିଲେ ସବୁ । ମାନେ ସେତେବେଳେ ତ କିଛି ନଥିଲା । ଏଇ ଖଟ ପକେଇକରି, ପେଣ୍ଡାଲ ତିଆରି କରି ଡ଼୍ରାମା କରୁଥିଲେ । ବାଙ୍କୀରେ ବି ବହୁତ ଡ଼୍ରାମା ହଉଥିଲା । ଆମ ସରଣ୍ଡା ଅଞ୍ଚଳରେ ଆମ ଗାଁରେ ଡ୍ରାମା ହୁଏ । ବିଭିନ୍ନ ଗାଁରୁ ଆମ ଗାଁକୁ ଲୋକେ ଡ୍ରାମା ଦେଖିବାକୁ ଆସନ୍ତି । ସେତେବେଳେ ଡ୍ରାମା ହିଁ ଏ ଅଞ୍ଚଳରେ ସଂସ୍କୃତିରେ ବାହକ ଥିଲା । ଆଉ ତ କିଛି ନଥିଲା । ଆଉ ତ ପାଲା ଫାଲା ଇତ୍ୟାଦି ଆଉ ତ କିଛି ନଥିଲା । ଆଉ- ମୁଁ ଜାଣିବାରେ, ମୁଁ ଯେତିକି ଜାଣିଛି- ସେମିତି କିଛି ନଥିଲା । ଆଉ ବିଭିନ୍ନ ଗାଁର ବିଭିନ୍ନ ଓଡ଼ିଶୀ ସଂକୀର୍ତ୍ତନ ମଣ୍ଡଳୀ ଥିଲା । ଏମାନେ ଏସବୁ ଦୋଳ ପୂର୍ଣ୍ଣିମା ବେଳେ ଯେଉଁ ହୁଏ ମେଲଣ । ସେତିକି ବେଳେ ଆସି ମେଲଣ ପଡିଆରେ ସଂକୀର୍ତ୍ତନ ମଣ୍ଡଳୀମାନେ ଆସି ଖୋଳ ଇତ୍ୟାଦି ଧରି (ଆସି ସଙ୍ଗୀତ ପରିବେଷଣ କରନ୍ତି) ମାନେ ବିଶ୍ୱାସ କରିବେନି, ମୋ ଛୋଟ ବେଳେ, ଯେଉଁ କୀର୍ତ୍ତନ ହୁଏ ତାଙ୍କର ସେମାନେ ଭିନ୍ନ ଭିନ୍ନ ପ୍ରକାରର ତାଳରେ ବଜାନ୍ତି । ଓଡ଼ିଶୀ ସଂକୀର୍ତ୍ତନ ମଣ୍ଡଳୀମାନେ ଦେଖିଥିବେ । ଖୋଳ ଧରିକି ବସିଥିବେ, ଆଣ୍ଠେଇକି ବଜେଇବେ । ପୁଣି ଉଠିକରି ବଜେଇବେ । ଏପଟୁ ସେପଟ ଯାଇଁ ବଜେଇବେ । ସେପଟୁ ଆଉ ଦଳେ ଆସିଥିବେ । ଏମିତି ସବୁ ହୁଏ । ମୁଁ ପରା ସେଇଠି ଠିଆ ହେଇକି ରହେ । ଘଣ୍ଟାଘଣ୍ଟା ଠିଆହେଇ ଶୁଣେ । ଘରୁ ଲୋକ ଆସିବ କଅଣ ଏଠି ଠିଆହେଇଚି । ଘରେ ଖୋଜୁଥିବେ ମୋତେ । ଏତେ ସମୟ କଅଣ ତୁ ଶୁଣୁ ତାକୁ ବୋଲି ମୋତେ ବୋଉ ପଚାରେ । ମୁଁ କହିବି ବୋଉ କେତେ ପ୍ରକାରର ତାଳକୁ ସେମାନେ ବଦଳେଇକି ବଜଉଛନ୍ତି । ମୋର ତ ସେତେବେଳେ ଜ୍ଞାନ ନାହିଁ ଏତେ ସବୁ ତାଳ ବିଷୟରେ । କେତେ ପ୍ରକାରର ତାଳ ସେମାନେ ବଦଳିକି ଖୋଳରେ ବଜଉଛନ୍ତି । କେତେ ଧିରେ ତାଳକୁ ବଜଉଥନ୍ତି । ଏବେ ସବୁ ଶିଖିଲା ପରେ ତ ମୁଁ ଜାଣିଲି ନା । ସେତେବେଳେ ତ ମୁଁ ଏସବୁ ଜାଣୁନଥିଲି ନା । ସେତେବେଳେ ଏସବୁ ବଡ଼ ଆଗ୍ରହଜନକ ଥିଲା । ଗୋଟେ ତାଳ କରୁଛନ୍ତି । ତାହା ପରେ ବଜଉଛନ୍ତି । ତାହାପରେ ଗୋଟେ ଉଦଣ୍ଡ କରୁଛନ୍ତି । ପୁଣି ଆଉଥରେ ଧୀରକୁ ପଳେଇଆସୁଛନ୍ତି । କିନ୍ତୁ ମୂଳ ଲୟ ତାଙ୍କର ଯାହା ସେ ଲୟ ସେକାଳରେ ମଧ୍ୟ ସେମାନଙ୍କର ସମାନ ରହୁଥିଲା । ଯେତେ ଯୁଆଡ଼େ ଗଲେ ମଧ୍ୟ, ଉବ୍ଦଣ୍ଡ କରି ସେ ପୁଣି ନିଜ ମୂଳ ଲୟକୁ ଫେରି ଆସୁଥିଲେ । ତାହା ମାନେ ଲୟ. ତାଳ, ସୁର, ପ୍ରତି ଗାଁମାନଙ୍କରେ ସେଇ ସଂକୀର୍ତ୍ତନ ମାନଙ୍କରେ, ସେଇ ସଂକୀର୍ତ୍ତନମାନଙ୍କ ଦ୍ୱାରା ହେଉ କି ଭାଗବତ ଟୁଙ୍ଗୀରେ ଖଞ୍ଜଣି (ଭଜନ) ମାଧ୍ୟମରେ ହେଉ, ସେସବୁ ଥିଲା । ତାହାପରେ ସେଇଟାକୁ ଧିରେ ଧିରେ ଆମେ ଯେଉଁମାନେ ଆଜିର ସାଂସ୍କୃତିକ (ଜଗତର) ଗୁରୁମାନେ ତାହାର ଧିରେ ଧିରେ ବିକାଶ କରାଇଛନ୍ତି । କିନ୍ତୁ ସେଗୁଡ଼ା ଆଗରୁ ସବୁଥିଲା ।

ଓଡ଼ିଶାର ‘କୋଇଲି’ ଭାବରେ ସମଗ୍ର ଦେଶରେ ପରିଚିତ ଥିଲେ ପ୍ରଶିଦ୍ଧ ଗାୟିକା ଶ୍ୟାମାମଣୀ ଦେବୀ। ତାଙ୍କର ବାପା ଓ ମା’ଦୁଇଜଣ ସଙ୍ଗୀତ ପ୍ରତି ଅତ୍ୟନ୍ତ ଶ୍ରଦ୍ଧାବାନ ଥିଲେ ଏବଂ ସବୁବେଳେ ତାଙ୍କ ପରିବାରରେ ସଙ୍ଗୀତ ଚର୍ଚ୍ଚା ହେଉଥିଲା ଯାହା ଶ୍ୟମାମଣୀଙ୍କୁ ସଙ୍ଗୀତାନୁରାଗୀ ହେବାପାଇଁ ପ୍ରେରଣା ଦେଇଥିଲା। ପିଲାଟି ଦିନରୁ ଗାୟିକା ହେବାର ସ୍ୱପ୍ନ ଦେଖିଥିଲେ ଶ୍ୟମାମଣୀ। ବାପା (ରାଜେନ୍ଦ୍ରମୋହନ ପଟ୍ଟନାୟକ)ଓ ବଡ଼ବାପା(କାଳିଚରଣ ପଟ୍ଟନାୟକ)ଙ୍କର ପେତ୍ସାହନ ପାଇ ସେ ସଙ୍ଗୀତ ଶିକ୍ଷାରେ ମନୋନିବେଶ କରିଥିଲେ । ପ୍ରଥମେ କୁଣ୍ଡଳା ନାରାୟଣଙ୍କ ରାଓଙ୍କଠାରୁ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷାଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ଗୁରୁ ସିଂହାରୀ ଶ୍ୟାମସୁନ୍ଦର କର ଓ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସଙ୍କଠାରୁ ଓଡ଼ିଶୀ ସଙ୍ଗୀତ ଶିକ୍ଷାଗ୍ରହଣ କରିଥିଲେ । ୧୯୫୦ ମସିହା ପିଲାଟିବେଳେ ସେ ଆକାଶବାଣୀରେ ଗାଇବା ଆରମ୍ଭ କରିଥିଲେ । ଓଡ଼ିଶୀ ସଙ୍ଗୀତରେ ଖୁବ ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ତାଙ୍କୁ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଓ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ସମ୍ମାନୀତ କରିଥିଲେ । ଏହା ବ୍ୟତୀତ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ମଧ୍ୟ ସେ ପାଇଥିଲେ ।  ସେଣ୍ଟର ଫର ହ୍ୟୁମାନ୍ ସାଇନ୍ସେସ୍, ଭୁବନେଶ୍ୱର ତରଫରୁ ତାଙ୍କ ନିକଟରୁ ଏକ ସାକ୍ଷାତକାର ସଂଗ୍ରହ କରାଯାଇଥିଲା ଯାହା ଧାରାବାହିକ ଭାବରେ ଏହି ସଂଖ୍ୟାରୁ ପ୍ରକାଶ କରିବାପାଇଁ ଆମେ ସେମାନଙ୍କୁ ଅନୁରୋଧ କରିଛୁ ।                                   -ସମ୍ପାଦକ

Photo Credit- Internet

About Editor

Editor
କଳାକାର, ସମଧ୍ୱନି ଇ - ପତ୍ରିକା ଓ ତ୍ରୟୋମାସିକ ପତ୍ରିକାର ସମ୍ପାଦକ, ସାଂସ୍କୃତିକ ଗବେଷିକା ଓ ସାମ୍ବାଦିକ

Check Also

ସୁରମଣି ରଘୁନାଥ ପାଣିଗ୍ରାହୀ ଜଣେ ଅଦ୍ୱିତୀୟ ସଙ୍ଗୀତଜ୍ଞ (ଜନ୍ମ ଦିନରେ )

ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ ଓ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତରେ ପାଣ୍ଡିତ୍ୟ ତଥା ଓଡ଼ିଶୀରେ ଏକ ଭିନ୍ନଶୈଳୀର ପ୍ରବର୍ତ୍ତକ ପଣ୍ଡିତ ରଘୁନାଥ …

Leave a Reply

Your email address will not be published. Required fields are marked *