Home / ସମୀକ୍ଷା / ସଂଗୀତ ସମୀକ୍ଷା / ଲୋକଗୀତରେ ବିସ୍ଥାପନ

ଲୋକଗୀତରେ ବିସ୍ଥାପନ

ସୁଜାତା ସାହାଣୀ

ଲୋକଜୀବନ ଅବବୋଧର ସବୁଠୁ ମର୍ମସ୍ପର୍ଶୀ ସର୍ଜନଶୀଳ ପ୍ରକ୍ରିୟା ହେଉଛି ଲୋକଗୀତ I ଏହା ଲୋକଧାରାର ଅନ୍ୟାନ୍ୟ ବିଭବ ଅପେକ୍ଷା ଅଧିକ ଜୀବନ୍ତ I ତେଲଲୁଣ ସଂସାରର ମାର୍ମିକ ସ୍ୱରଠାରୁ ସାମୂହିକ ଆନନ୍ଦ ଉଚ୍ଛ୍ବାସ ଯାଏଁ ସବୁକିଛି ବିଷୟ ଓ ଭାବ ଲୋକଗୀତକୁ କରିଛି ଆହୁରି ବିସ୍ତାରିତ I ଲୋକଜୀବନର ବହୁଧା ସତ୍ୟ ନିଖୁଣ ଭାବରେ ଛନ୍ଦମୟ ହୋଇଉଠିଛି ଲୋକଗୀତରେ I ଲୋକଗୀତ ଗୋଟିଏ ସମୟ କି ସଭ୍ୟତାର ତଡ଼ିତ୍ ପରିପ୍ରକାଶ ନୁହେଁ, ଅଥବା ବିବର୍ତ୍ତନଶୀଳ ସଭ୍ୟତାରେ ବିସ୍ମୃତ ହେବାକୁ ଥିବା ଅତୀତର ମୁଠାଏ ସଜ୍ବଳ ସ୍ମୃତି ନୁହେଁ; ବରଂ ଏହା ଏକ ଚିରନ୍ତନ ଧାରା ଓ ସକଳ ସଭ୍ୟତାର ଲୋକପ୍ରାଣରେ ଏହା ବିଦ୍ୟମାନ I

ଲୋକଗୀତ ଲୋକଜୀବନର ହର୍ଷ‒ଉଲ୍ଲାସ, ଦୁଃଖ‒ଶୋକ ଇତ୍ୟାଦିରେ ଯେତିକି ପ୍ରାଣବନ୍ତ, ନିଜ ଅସ୍ତିତ୍ବ ସଂରକ୍ଷଣ ନିମନ୍ତେ ସକଳ ପ୍ରକାର ପ୍ରତିବନ୍ଧକ ବିରୁଦ୍ଧରେ ସେତିକି କର୍ମଚଞ୍ଚଳ I

ଦେଶ ସ୍ବାଧୀନତା ପରେ ଖୋଦ୍ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୁଏ ଗ୍ରାମ୍ୟ ଜୀବନକୁ ବିକ୍ଷିପ୍ତ କରିବା ପାଇଁ ବିସ୍ଥାପନର ନିଷ୍ଠୁର ରୂପରେଖI ଏଥିରେ ନିଶ୍ଚିହ୍ନ ହୋଇଯାଏ ଶହ ଶହ ସମ୍ବଳପୂର୍ଣ ଗାଁ, ନିୟୁତ ନିୟୁତ ଗ୍ରାମ୍ୟ ମଣିଷର ଠିକଣା ହଜିଯାଏ I ବିକାଶର ଆଳରେ ପୁରୁଷ ପୁରୁଷର ଭିଟାମାଟି ଓ ଚାଷଜମିରୁ ଯେଉଁମାନଙ୍କୁ ବଳପୂର୍ବକ ଉଚ୍ଛେଦ କରାଯାଏ; ସେମାନଙ୍କ ମୁଣ୍ଡ ଉପରେ ବିକାଶର ଛାଇ ସୁଦ୍ଧା ପଡ଼େନାହିଁ I ମିଥ୍ୟା ସ୍ୱପ୍ନ ଦେଖାଇ ସମୂହକୁ ବିଭ୍ରାନ୍ତ କରି ଶିଳ୍ପାୟନ ନାଁରେ ବିକାଶର ଯେଉଁ ଡିଣ୍ଡିମ ପିଟାଯାଏ, ତାହା ବିସ୍ଥାପିତଙ୍କ ସହ ନିରୁତା ଛଳନା ଓ ପ୍ରତାରଣା ବୋଲି ସ୍ପଷ୍ଟ ହୋଇଯାଏ I

ପରଜେଟ୍ ବୋଲି ଆଏଲା ବାବୁ

ଦେଲା ଆମକେ ଖାସ୍ ଡାବୁ

ସବକେ ଛାଡ଼ି ଆଏଲା ଉଟି

ଡଙ୍ଗର ପାଆର ଜାଗା ମାଟି I1I

ଜଙ୍ଗଲ ପାହାଡ଼ରେ ବଞ୍ଚୁଥିବା ସରଳ ଲୋକମାନଙ୍କୁ କିଛି ଟଙ୍କା ଓ ନାଲିଆଖି ଦେଖାଇ ସେମାନଙ୍କ କ୍ଷେତ, ଡଙ୍ଗର, ଝରଣା ଆଦିରୁ ଉଚ୍ଛେଦ କରିବା ଅର୍ଥ ସେମାନଙ୍କ ଯୁଗଯୁଗର ଜୀବନଧାରାରୁ ସେମାନଙ୍କୁ ଅଲଗା କରିଦେବା I

ବିକାଶର ଏଇ ମିଥ୍ୟା ସ୍ୱପ୍ନ ଦେଖାଇବାର ପର୍ବ ଆରମ୍ଭ ହୁଏ ବିଂଶ ଶତକର ଚାଳିଶ ଦଶକରୁ I ନଦୀବନ୍ଧ, କଳକାରଖାନା ଓ ଖଣି ଆଦି ଯୋଜନାରେ ଓଡ଼ିଶା ମାଟିର ଲକ୍ଷ ଲକ୍ଷ ଲୋକ ସେମାନଙ୍କ ଚାଷବାସରୁ ଉଚ୍ଛେଦ ହୋଇଛନ୍ତି I ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଶାରେ ବୃହତ୍ ନଦୀବନ୍ଧ ପ୍ରକଳ୍ପକୁ ନେଇ ବଳପୂର୍ବକ ବିସ୍ଥାପନ ଓ ରାଷ୍ଟ୍ରଦମନର ଯେଉଁ ସବୁ କାହାଣୀ ଲେଖାଯାଇଛି; ସେଥିରେ ରହିଛି ହୀରାକୁଦ, ଇନ୍ଦ୍ରାବତୀ, ବାଲିମେଲା, ମାଛକୁଣ୍ଡ, ଇତ୍ୟାଦି I କେବଳ ହୀରାକୁଦକୁ ବାଦ୍ ଦେଲେ ଅନ୍ୟ ପ୍ରକଳ୍ପଗୁଡ଼ିକରେ ତତ୍କାଳୀନ ସରକାର ଦ୍ୱାରା ନିଜ ଗାଁ‒ଭୂଇଁ, ଚାଷବାସରୁ ବିତାଡ଼ିତ ହୋଇଥିବା ଲୋକମାନେ ପ୍ରତିବାଦ ତ ଦୂରର କଥା, ଦରଖାସ୍ତ ଦେବାକୁ ବି ସମୟ ପାଇନାହାନ୍ତି I ସଂଗଠିତ ହେବା ଆଗରୁ ରାତାରାତି ଟ୍ରକଡାଲାରେ ଫିଙ୍ଗି ଦିଆଯାଇଛି ସେମାନଙ୍କୁ କେଉଁ ଅପନ୍ତରାରେ I ବନ୍ଧୁକର ଭୟ ଦେଖାଇ ସେଇମାନଙ୍କ ମାଟିରୁ ସେମାନଙ୍କୁ ହିଁ ପର କରିଦିଆଯାଇଛି I

ଅଡ଼ାରେ ମାପିଲି ଲଙ୍କାମରିଚ଼ ମୁ

ବଡ଼ାରେ ମାପିଲି ଘିଅ

ବିଦେଶୀ କମ୍ପାନୀ ଆସି କଇଲାନି

ତମର ଜମିବାଡ଼ି ଦିଅ I2I

ବାଲିମେଳା ବୁଡ଼ି ଅଞ୍ଚଳର ଏହି ଗୀତରେ ସ୍ପଷ୍ଟ ହୋଇଯାଏ ଯେ ଏ ଦେଶରେ ସଂଖ୍ୟାଗରିଷ୍ଠ ଆଦିବାସୀ ବହୁଜନଙ୍କ ଜୀବନଜୀବିକା, ଐତିହ୍ୟ ଓ ସଂସ୍କୃତିର ସଂରକ୍ଷଣ ଅପେକ୍ଷା ବିଦେଶୀ କମ୍ପାନୀ ଲାଗି ମୁନାଫା ଯୋଗାଡ଼ କରିବା ଦେଶୀୟ ସରକାର ପାଇଁ ଅଧିକ ଗୁରୁତ୍ୱପୂର୍ଣ ହୋଇଉଠିଛି I ଯୁଗଯୁଗରୁ ଯେଉଁ ଆଦିବାସୀମାନେ ଜଙ୍ଗଲ ପାହାଡ଼ ଘେରା ଅଞ୍ଚଳରେ ସେମାନଙ୍କର ଅବସ୍ଥିତି ଜାହିର୍ କରିଆସିଛନ୍ତି, ସେମାନଙ୍କୁ ଯୋଜନା ଆଳରେ ବିଲୁପ୍ତି ଆଡ଼କୁ ଠେଲିଦେବା ପ୍ରାୟୋଜିତ ଚଞ୍ଚକତା ବ୍ୟତୀତ ଅନ୍ୟକିଛି ନୁହେଁ I

ସରକାରକୃତ ବଳପୂର୍ବକ ବିସ୍ଥାପନ କେତେ ଯେ ମଣିଷଗୋଷ୍ଠୀ ଓ ସମାଜକୁ କେଉଁଠି କେଉଁଠି ନେଇ ଫୋପାଡ଼ିଛି, ତାହାର ହିସାବ ନାହିଁ I ଅବିଭକ୍ତ କୋରାପୁଟ ଜିଲ୍ଲା ଚାରିଚାରିଟି ବୃହତ୍ ନଦୀବନ୍ଧ ଯୋଜନାର ଯନ୍ତ୍ରଣା ସହିଛି I ବିସ୍ତୀର୍ଣ୍ଣ ଅରଣ୍ୟ ଓ ଶହଶହ ଆଦିବାସୀ ପଲ୍ଲୀ ଲୀନ ହୋଇଯାଇଛି ଜଳ ଭଣ୍ଡାରରେ I ମାଲକାନଗିରିର କୋଣ୍ଡା, କାମେରୁ ଭଳି ଗୋଟିଏ ସଭ୍ୟତା ବାଲିମେଳା ବନ୍ଧ ଯୋଜନାରେ ସଂପୂର୍ଣ ଜଳମଗ୍ନ ହୋଇଯାଇଛି I ବିସ୍ଥାପିତ ମଣିଷ କେବଳ ତା ପୁରୁଷ ପୁରୁଷର ଭିଟାମାଟିରୁ ବା ଅନ୍ନସଂସ୍ଥାନରୁ ଉଚ୍ଛେଦ ହୁଏ ନାହିଁ, ବରଂ ତାର ଭାଷା, ସଂସ୍କୃତି, ଚଳଣି, ପରମ୍ପରା ଆଦି ତା ଜୀବନ ପରିସରରୁ ସମ୍ପୂର୍ଣ ଅପସରି ଯାଏ I

ଡଙ୍ଗର ରେଲା ଝରନ ରେଲା

ରେଲା ଖରଡ଼ି ବଡ଼ା ଛାତି

କାଙ୍ଗୁ ମାଣ୍ଡିଆ ଡଙ୍ଗର ରାନି

ନାଇଁ ମିଲେ ଇତି ଝରନ ପାନି I3I

ଅଥବା

ଏଇ ଗାଁ, ଏଇ ମାଟି ମନେ ତୋର ପଡ଼ିବ

ଯେଉଁ ଆଡ଼େ ଯାଅ ବାବୁ ଆଖି ଆଗେ ନାଚିବ

ଜଳିବନି ତୋ ଭିଟାରେ ସଞ୍ଜସଳିତା

ଅପୂଜା ରହିବେ ତୋର କୁଳଦେବତା

ତୋ ଆଖିରେ ସପନ କି ଲୁହ ହୋଇ ଝରିବ

ଏଇ ଗାଁ, ଏଇ ମାଟି ମନେ ତୋର ପଡ଼ିବ I4I

ଉପରୋକ୍ତ ପ୍ରଥମ ପଂକ୍ତିଟି ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳର I ଲୋକଗୀତର ଏହି ପଦ ସରକାରଙ୍କ ଦୟାପୂର୍ବକ କ୍ଷତିପୂରଣ ଓ ଥଇଥାନ ନୀତି ସାମ୍ନାରେ ଏକ ବିରାଟ ପ୍ରଶ୍ନବାଚୀ I ସାରା ଋତୁରେ ଖଳଖଳେଇ ଯାଉଥିବା ଝରଣାର ସ୍ରୋତ, ମାଣ୍ଡିଆ କାନ୍ଦୁଲର କ୍ଷେତ, ଚିରସବୁଜିମାମୟ ଜଙ୍ଗଲର ବିକଳ୍ପ କେଉଁ ସରକାର ଅବା ଫେରେଇ ଦେଇପାରେ ! ସେମାନଙ୍କ ସାମୂହିକ ଗ୍ରାମ୍ୟଜୀବନ, ସଙ୍ଗବଦ୍ଧ ନୃତ୍ୟଗୀତ, ସାମୂହିକ ଦୁଃଖ, ଶୋକ, ଆନନ୍ଦ ଏସବୁ କଣ ଫେରେଇ ଦିଆଯାଇପାରେ କ୍ଷତିପୂରଣ ଟଙ୍କା ମାଧ୍ୟମରେ ? କାରଣ ପ୍ରକୃତିର ବିକଳ୍ପ ନାହିଁ I ସେହିପରି ଉପରୋକ୍ତ କବିତାର ଦ୍ୱିତୀୟ ପଂକ୍ତି ବାଳିଆପାଳ କ୍ଷେପଣାସ୍ତ୍ର ଘାଟି ବିରୋଧୀ ଅନ୍ଦୋଳନର ପୃଷ୍ଠଭୂମିରେ ରଚିତ I ଏଥିରେ ଜୀବିକା ଓ ବାସସ୍ଥାନ ବ୍ୟତୀତ ରହିଛି ସଂସ୍କୃତି ଓ ପରମ୍ପରାଗତ ବେଦନା I ଯେଉଁ ମାଟି ବର୍ଷବର୍ଷର ଚଳଣିରେ ସମୃଦ୍ଧ ହୋଇଥିଲା, ଯେଉଁ ମାଟିରେ ତାର କୁଳଦେବତାର ସ୍ଥାପନା ହୋଇଛି, ଯେଉଁ ଦେଇପିଣ୍ଡିରେ ତାର ବଡ଼ବଡ଼ୁଆ ପାଣି ପାଆନ୍ତି,, ସେହି ଭିଟାମାଟି ଛାଡ଼ି ଚାଲିଯିବା ପରେ ସବୁକିଛି ଆଚାର ଆପେଆପେ ହଜିଯିବ, ବଦଳିଯିବ ଅନାଚାରରେ I ପ୍ରତ୍ୟହ ସଞ୍ଜରେ ଯେଉଁ ଅଗଣାକୁ ଆଲୋକିତ କରି ମିଞ୍ଜି ମିଞ୍ଜି ଜଳି ଉଠୁଥିଲା ସଞ୍ଜଦୀପ, ସେ ଅଗଣା, ସେ ଘର ସବୁକିଛି ବିସ୍ମୃତିର ଅନ୍ଧକାରରେ ବିଲୀନ ହୋଇଯିବ I

ବିସ୍ଥାପନରେ ଖାଲି ଉଜୁଡ଼େ ନାହିଁ ଚାଷବାସ, ଉଜୁଡ଼େ ଆହୁରି ଅନେକ କିଛି I ଉଜୁଡ଼େ ସମ୍ପର୍କ, ଆତ୍ମାୟତା ଓ ପ୍ରେମ I ମାଟିରୁ ଲିଭିଯାଏ ଏସବୁର ସାଇତା ସନ୍ତକ I ବିସ୍ଥାପନ ପ୍ରକ୍ରିୟାରେ ପରସ୍ପରଠାରୁ ଦୂରେଇଯାଇ କେଉଁ ଅଜଣା ଇଲାକାରେ ହଜିଯିବାର ବେଦନା ବି ବେଶ୍ ମର୍ମସ୍ପର୍ଶୀ .

ଶିଲରେ ବାଟିଲି କଲା

ତମେ ଘେନିଦେଲ ଆଦେଲିସରା ରେ

ମାଟିଡେମେ ବୁଡ଼ିଗଲା , ସଜନୀ ରେ I5I

ନଦୀବନ୍ଧ ପୃଷ୍ଠଭୂମିରେ ରଚିତ ଏହି ଗୀତ କେବଳ ଜଣକର ନୁହେଁ I ଏମିତି ଅନେକ ଲଳନାର ଉଜୁଡ଼ା ପ୍ରେମର କଥା I ଉନ୍ନୟନର ମାଟିବନ୍ଧରେ ବୁଡ଼ିଯାଇଛି ପ୍ରେମ ଓ ପ୍ରେମର ଶେଷ ସନ୍ତକ ଆଦେଲିସରା (ଅଳଙ୍କାର) I ଏମିତି ଅଜସ୍ର ଲୋକଗୀତରେ ବିସ୍ଥାପନଜନିତ ବେଦନାବିଧୁର ସ୍ୱର I

ଚିର ଆକାଶମୁହାଁ ସବୁଜିମା ଭରା ପାହାଡ଼ ପର୍ବତ ଓଡ଼ିଶାର ସୌନ୍ଦର୍ଯ୍ୟକୁ କେବଳ ବହୁଗୁଣିତ କରିନାହିଁ, ଅଧିକନ୍ତୁ ଏହିସବୁ ପାହାଡ଼ ପର୍ବତମାନଙ୍କରେ ଭରି ରହିଛି ବହୁମୂଲ୍ୟ ଖଣିଜ ସମ୍ପଦ I ପାହାଡ଼ କେବଳ ଏକ ଜାତୀୟ ସମ୍ପଦ ନୁହେଁ, ଅପରନ୍ତୁ ଗୋଟିଏ ଜାତି, ଗୋଟିଏ ସଭ୍ୟତାର ଜୀବନଧାରା ଓ ଆତ୍ମା ସହିତ ଜଡ଼ିତ I କେଉଁ ଆଦିମ କାଳରୁ ତା କୋଳକୁ ପରିପୂର୍ଣ କରି ବଞ୍ଚିଆସୁଥିବା ମଣିଷର ଜୀବନସ୍ରୋତ ସହିତ ଏକାତ୍ମ ହୋଇଛି ଏ ମାଟିର ପାହାଡ଼‒ପର୍ବତ, ନଦୀ‒ଝରଣା, ଜଙ୍ଗଲ ଇତ୍ୟାଦି I ଆଧୁନିକ ଭାରତର ନିର୍ମାଣ ବାହାନାରେ ମୁନାଫାଖୋରମାନଙ୍କ ଗୃଧ୍ରଦୃଷ୍ଟି ପଡ଼ିଛି  ନଦୀମାନଙ୍କ ସହ ପାହାଡ଼ ପର୍ବତ, ଜମି, ଜଙ୍ଗଲ ଓ କ୍ଷେତଖଳା ଉପରେ I ଶିଳ୍ପାୟନ ନାଁରେ କେଡ଼େକେଡ଼େ ସୁଉଚ୍ଚ ଶ୍ୟାମଳ ପାହାଡ଼କୁ ବିଦୀର୍ଣ୍ଣ କରିଦିଆଯାଉଛି I ଗନ୍ଧମାର୍ଦ୍ଦନଠାରୁ ବାଫଲିମାଲି, ନିୟମଗିରି ଯାଏଁ ସବୁଠି ପାହାଡ଼ ଓ ଝରଣାର ଅସ୍ତିତ୍ୱକୁ ନିଶ୍ଚିହ୍ନ କରିଦେବା ପାଇଁ ସରକାର ଯେମିତି ବଦ୍ଧପରିକର I କିନ୍ତୁ ପାହାଡ଼ ଉପରେ ବୁଲୁଥିବା ଛଞ୍ଚାଣର ଚକ୍ରାନ୍ତକୁ ପାହାଡ଼ୀ ମଣିଷ ଠିକ୍ ବୁଝିପାରେ I ସେଇ ବେଦନା ଓ ଆଶଙ୍କାକୁ ଲୋକକବି ଏଇମିତି ଗାଏ‒

(କୁଇ) ନିଦାଗିଁୟାଡ଼େ ୟେତୋକା ମନ୍ନୁ ଇଇଁୟାଉଉଁ

ହାଟଗିୟାଁକେ ୟସୋଡ଼ା ମନ୍ନୁକୋ ଇମିଆଉଉଁ

ୟେକେତାକେ…ଆ…ଆ…ତତେକାକା ୟାହାବାବୁ ଦେହେଁମନ୍ନୁ

ଆହାବା ଆବୋ ଆମ୍ବାରିୱାପୁଙ୍ଗି ହିଙ୍ଗିରି ୟୋ ୟୋ I6I

ଓଡ଼ିଆ ରୂପାନ୍ତର‒

ପାହାଡ଼ରେ ଭରିଛି ଫଳ

ମାଟିରେ ବୁଣିଛି ଧାନ

ଡଙ୍ଗରିଆ କନ୍ଧଙ୍କ ବାପ‒ଅଜା

ସେ ଆମ ନିୟମରଜା I

ଏ କେଉଁ ଅକଥା ସାଥୀ

ବାହାରର ଲୋକ ଧ୍ୱଂସ କରୁଛନ୍ତି

ଆମରି ଜଙ୍ଗଲ ମାଟି I

ଡଙ୍ଗରିଆ କନ୍ଧର ଧର୍ମ, ଦେବତା ସବୁକିଛି ନିୟମଗିରି I ନିୟମ ରଜାର ଆସ୍ଥାନ କେଉଁ ଇଟା କି ସିମେଣ୍ଟରେ ତିଆରି ନୁହେଁ, ଖୋଲାମେଲା ଡଙ୍ଗର I ତାର ଦେବତା ଓ ଧର୍ମ ପାହାଡ଼ରୁ ବାହାରି ପ୍ରସରି ଯାଇଛି ଚାରିଆଡ଼େ I ପାହାଡ଼କୁ କେନ୍ଦ୍ର କରି କେଉଁ ଆବହମାନ କାଳରୁ ଗଢ଼ିଉଠିଛି ଏ ଯେଉଁ ଡଙ୍ଗରିଆ ସଭ୍ୟତା, ତାହାକୁ ଛିନ୍ନମୂଳ କରିଦେବା ଏତେ ବି ସହଜ ନୁହେଁ I ଯିଏ ପାହାଡ଼ର ଅନନ୍ୟ ଉପକାରରେ ପୁରୁଷ ପୁରୁଷ ଧରି ଜୀବନଧାରାକୁ ଗଡ଼ାଇଆଣିଛି, ସିଏ ପାହାଡ଼ର ସୁରକ୍ଷା ପାଇଁ ନିଜକୁ ବଳି ପକେଇଦେବାର ପ୍ରତିଜ୍ଞା କରିବା ଅସ୍ୱାଭାବିକ ନୁହେଁI

ଆଦିବାସୀ ସିଂହ ପିଲା ନାଇଁ ଡରୁଁ କାହାକେ

ଆମକେ ଯେନ ଲୋକ ମାରବାରକେ ଆଏଲେ

ଆମେ ବି ନାଇଁଛାଡ଼ୁଁ ତାହାକେ I7I

ସବୁ ଉଜୁଡ଼ିଯାଉଥିବା ଦୃଶ୍ୟକୁ ଅତି ସାମ୍ନାରେ ଦେଖୁଥିବା ବିସ୍ଥାପିତ ମଣିଷର ପେଜୁଆ ଆଖିରେ କ୍ରମଶଃ ଲାଲ ହୋଇଉଠେ ପ୍ରତିବାଦ I ସେ ଅଣ୍ଟା ସଳଖି ଛିଡ଼ାହୁଏ ସରକାର ଓ କମ୍ପାନୀଙ୍କ ଚକ୍ରାନ୍ତ ବିରୁଦ୍ଧରେ I ନିଜର ମାଟିରେ ନିଜ ହକ୍ ଜାହିର କରେ I ଯେଉଁ ପାହାଡ଼ର ଫଳ, ଶସ୍ୟ, ଜଳ, ପବନରେ ତାର ଜୀବନ ଗଢ଼ା, ସେଇ ଜୀବନ ତା ଆଗାମୀ ଭବିଷ୍ୟତ ଓ ପାହାଡ଼‒ଡଙ୍ଗରର ସଂରକ୍ଷଣ ପାଇଁ ନିର୍ଦ୍ଦ୍ୱନ୍ଦରେ  ଉତ୍ସର୍ଗ କରିଦେଇପାରେ I ତେଣୁ ଲୋକକବି ଗାଇଉଠେ‒

ଏଇ ଜମି ଛାଡ଼ିବୁ ନାଇଁ

ଏଇ ଗାଁରୁ ଉଠିବୁ ନାଇଁ

ଆରେ ମରିବୁ ପଛେ ଡରିବୁ ନାଇଁ

ଜନମମାଟି ପାଇଁରେ ଭାଇ

ଡଙ୍ଗର ଛାଡ଼ିବୁ ନାଇଁ I8I

ଔପନିବେଶିକ ଶାସନରୁ ମୁକ୍ତି ପରେ ଆଧୁନିକ ଭାରତ ନିର୍ମାଣ ନିମନ୍ତେ ଅନ୍ୟାନ୍ୟ ପ୍ରଦେଶ ପରି ଓଡ଼ିଶାରେ ବି ଆରମ୍ଭ ହୁଏ ଶିଳ୍ପାୟନ I ଟାଟା, ବିର୍ଲା ପରି ଘରୋଇ ଉଦ୍ୟୋଗ ସହିତ ରାଉରକେଲା, ଦୁର୍ଗାପୁର ଆଦି ରାଷ୍ଟ୍ରାୟତ୍ତ ଶିଳ୍ପପ୍ରତିଷ୍ଠାନ ଅନେକ ଲୋକଙ୍କ କର୍ମସଂସ୍ଥାନର କେନ୍ଦ୍ର ଭାବରେ ବିବେଚିତ ହେଲା I ଶିଳ୍ପକୁ ଭିତ୍ତି କରି ଗଢ଼ିଉଠିଲା ସହର I ଏହି ପ୍ରକ୍ରିୟାରେ ଆଞ୍ଚଳିକ ଲୋକର ଘରଡିହ, ଜମିବାଡ଼ି ଉଜୁଡ଼ିଗଲା I ଏହା ସହିତ ଉଜୁଡ଼ିଗଲା ତା ମାଟିର ସଂସ୍କୃତି I ଏଇ ବିପର୍ଯ୍ୟସ୍ତ ଜୀବନଧାରାର ପୀଡ଼ା ଲୋକଗୀତରେ କେତେବେଳେ କାରୁଣ୍ୟରେ ଫୁଟିଉଠିଛି ତ ପୁଣି କେତେବେଳେ ପ୍ରତିବାଦର ହୁଙ୍କାରରେ ଥରିଉଠିଛି I ଯେମିତି‒

ସମଲପୁରର ପାତଲଘଁଟା

ମତେ ଛାଡ଼ିକରି ଯଉଛ ଟାଟା ହୋ

ନ କରିବ ହଟହଟା, ସଜନୀ ରେ…I9I

ଅଥବା

ଗାଡ଼ିଗଲା ରାଉରକେଲା

ପାଚିଲା ପଣସ ବିଗଡ଼ିଗଲା ରେ

ସତେଁ, ତମର କଥା ଜନାଗଲା, ସଜନୀ ରେ I10I

            ଉପରୋକ୍ତ ଦୁଇଟି ପଂକ୍ତିର ଭାବ ଆବେଦନ ସମାନ I ପୁରୁଷଟି କାମ ଅନ୍ୱେଷଣରେ ବାହାରି ଯାଇଛି ଶିଳ୍ପନଗରୀ I ତାର ପ୍ରେମ, ଆବେଗ ସବୁକିଛି ଯନ୍ତ୍ର ସଭ୍ୟତାରେ ଯନ୍ତ୍ର ହୋଇଯାଇଛି I ସିଏ ଫେରିଆସିନି ଘର, ବାଟ ଚାହିଁ ବସିଥିବା ପ୍ରାଣପକ୍ଷୀ ପାଖକୁ I ତାର ଅପେକ୍ଷାରେ ଉଜୁଡ଼ିଛି ସଙ୍ଗିନୀ ଯୌବନ ଓ ତତ୍ ସହିତ ପାରିବାରିକ ଜୀବନ I ଆଧୁନିକ ଭାରତର ନିର୍ମାଣ ସୌଧରାଜିରୁ ଏମିତି ଅନେକ କାରୁଣ୍ୟର ଗୀତ ଭାସିଆସେ I

            ନବେ ଦଶକର ଉଦାରୀକରଣ ଅର୍ଥନୀତି ବିସ୍ଥାପନର ଯନ୍ତ୍ରଣାକୁ ବହୁମାତ୍ରାରେ ବଢ଼ାଇଦେଇଛି I କାଶୀପୁର, ନିୟମଗିରି, ଲାଞ୍ଜିଗଡ଼, ସୁକତେଲ, କଳିଙ୍ଗନଗରଠୁ ଢିଙ୍କିଆ ଚାରିଦେଶ ସବୁଠି ବିସ୍ଥାପନଜନିତ ବେଦନା ଓ ବିଦ୍ରୋହ I ଏହି ବେଦନା ଓ ବିଦ୍ରୋହର ସ୍ୱର ପୀଡ଼ିତ ଆତ୍ମାରୁ କେତେବେଳେ ଗୀତହୋଇ ଝରିଆସିଛି ତ କେତେବେଳେ ଫୁଟିଉଠିଛି ଲିଖିତ ସାହିତ୍ୟରେ ସମବେଦନା ସ୍ୱରୂପ I ବହୁପ୍ରସ୍ଥି ଅବବୋଧକୁ ନିଖୁଣ ଭାବେ ଆଉ ଗୋଟିଏ ହୃଦୟ ପାଖରେ ପହଞ୍ଚେଇ ଦେବାର ଗୀତିମୟ କଳା ଲୋକଗୀତକୁ ଆହୁରି ମାର୍ମିକ ଓ ବିସ୍ତାରିତ କରିଛି I

ସୂଚନା ଓ ଟୀକା‒

            ବିଜୟ ଉପାଧ୍ୟାୟ, 2018, ଗଣସଙ୍ଗୀତ: ସଂଗ୍ରାମୀ ଲୋକଗୀତ (ସଂ), ପୃ‒84

            ବିଜୟ ଉପାଧ୍ୟାୟ, 2016, ଜୀବନ୍ତ ସଭ୍ୟତା ଓ ସଂଘର୍ଷରେ ଆଦିବାସୀ ଜନଜୀବନ, ପୃ‒121

            ବିଜୟ ଉପାଧ୍ୟାୟ, 2018, ପୃ‒84

            ବାଳିଆପାଳ କ୍ଷେପଣାସ୍ତ୍ର ଘାଟି ବିରୋଧୀ ଆନ୍ଦୋଳନର କର୍ମୀ ଭବାନୀ ଭୂୟାଁଙ୍କଠାରୁ ସଂଗୃହୀତ

            ସୁଧୀର କୁମାର ସାହୁ, 2013 (ଦ୍ୱିତୀୟ ସଂସ୍କରଣ), ପଶ୍ଚିମ ଓଡ଼ିଶାର ସାଂସକୃତିକ ବିକାଶଧାରା, ପୃ‒189

            ଲୋକକବି ଡମ୍ବୁ ପ୍ରଶାକା. ଖମ୍ବେଶୀ(ଗ୍ରା), ନିୟମଗିରି, ବୟସ‒70 I ସଂଗ୍ରାହକ‒ ସୂର୍ଯ୍ୟ ଦାଶ

            ବିଜୟ ଉପାଧ୍ୟାୟ, 2018, ପୃ‒104

            କବି ଭଗବାନ ମାଝୀ, କୁଚେଇପଦର, କାଶୀପୁର, ରାୟଗଡ଼ା, ବୟସ‒48 ଙ୍କଠାରୁ ସଂଗୃହୀତ

            ସୁଧୀର କୁମାର ସାହୁ, 2013, ପୃ‒189

             ଏଜ୍ନ, ପୃ‒189

ସହାୟକ ଗନ୍ଥସୂଚୀ

ଉପାଧ୍ୟାୟ ବିଜୟ, 2018, ଗଣସଂଗୀତ:ସଂଗ୍ରାମୀ ଲୋକଗୀତ, ବାଲେଶ୍ୱର: ସୁବର୍ଣଶ୍ରୀ ପ୍ରକାଶନୀ

……………………, 2016, ଜୀବନ୍ତ ସଭ୍ୟତା: ସଂଘର୍ଷରେ ଆଦିବାସୀ ଜନଜୀବନ, ବାଲେଶ୍ୱର: ସୁବର୍ଣଶ୍ରୀ ପ୍ରକାଶନୀ

ସାହୁ ସୁଧୀର କୁମାର, 2013 (ଦ୍ୱିତୀୟ ସଂସ୍କରଣ), ପଶ୍ଚିମ ଓଡ଼ିଶାର ସାଂସକୃତିକ ବିକାଶଧାରା, କଟକ: ଅଗ୍ରଦୂତ

ଗ୍ରା‒ଗୋବିନ୍ଦପୁର, ପୋ‒ ଢିଙ୍କିଆ, ଜଗତ୍ ସିଂହପୁର, 754141

About ସୁଜାତା ସାହାଣୀ Sujata Sahani

Check Also

ଲୋକଧାରା: ବିବିଧ ବିଭାବ

ଲୋକଧାରା ଅଧ୍ୟୟନର ଇତିହାସ ବା ଲୋକ କିଏ ଓ ଲୋକଧାରା କାହାକୁ କହିବା ଆଦି ପ୍ରସଙ୍ଗ ଉପରେ ଚାଲିଥିବା ଶତାବ୍ଦୀ …

Leave a Reply

Your email address will not be published. Required fields are marked *