Home / ଇତିହାସ / ମୋ ଗାଁ ‘ଡେଙ୍ଗମା’ର ସାଂସ୍କୃତିକ ଜୀବନ

ମୋ ଗାଁ ‘ଡେଙ୍ଗମା’ର ସାଂସ୍କୃତିକ ଜୀବନ

ଆମ ଗାଁ ଆମ ଜୀବନ” ଏକ ନିଆରା ଉଦ୍ୟମ ଯେଉଁଥିରେ ନିଜ ଗାଁର ଲୋକସଂସ୍କୃତି ଓ ଜୀବନୀକୁ ନିଜେ ଲେଖିବାପାଇଁ ପ୍ରୋତ୍ସାହିତ କରାଯାଏ । ସମଦୃଷ୍ଟି ମୁକ୍ତ ବିଦ୍ୟାଳୟ ଓ ଲୋକବିଜ୍ଞାନ ପରିଷଦ ମିଳିତ ଭାବେ ଏହି ଉଦ୍ୟମ ଦୀର୍ଘଦିନ ଧରି ଜାରିରଖିଛନ୍ତି। ଆଶୁତୋଷ ବିଷୋୟୀ ଗଜପତି ଜିଲ୍ଲା ଗୁଣ୍ଡିମା ଆଦର୍ଶ ସ୍କୁଲର ସପ୍ତମ ଶ୍ରେଣୀର ଛାତ୍ର । ସେ ନିଜ ଗାଁର ଜୀବନୀ ଲେଖିବା ଭିତରେ ଗାଁ ପ୍ରତି ତାଙ୍କର ଆଦର ଓ ସମ୍ମାନ ବହୁତ ବଢିଯାଇଛି ବୋଲି ପ୍ରକାଶ କରିଛନ୍ତି । ନିଜେ ଗାଁରେ ଥାଇ ମଧ୍ୟ ଗାଁ ଭିତରେ ଏତେ କଥା ଲୁଚି ରହିଛି ସେ ଜାଣିନଥିଲେ ବୋଲି ଲେଖିଛନ୍ତି । ତାଙ୍କର ଏହି ଗାଁ ଜୀବନୀ ଅତ୍ୟନ୍ତ ଉଚ୍ଚକୋଟିର ହୋଇଛି। ସମଧ୍ୱନି କୁନି କୁନି ଛାତ୍ରଛାତ୍ରୀ ମାନଙ୍କର ଏହି ନିଆରା ଉଦ୍ୟମକୁ ପ୍ରସଂଶା କରିବା ସହିତ ସେମାନଙ୍କୁ ଛାତ୍ର ସାମ୍ବାଦିକ ଭାବରେ ସମ୍ମାନ ଦେଇ ତାଙ୍କ ଲେଖାକୁ ପ୍ରକାଶ କରିବାପାଇଁ ନିଷ୍ପତ୍ତି ନେଇଛି । ସମଧ୍ୱନି ତରଫରୁ ନିଷ୍ପତ୍ତି ହୋଇଛି ଯେ ଯେଉଁମାନେ ଏମିତି କିଛି ନିଆରା ଉଦ୍ୟମ କରି ବା ଲେଖାଲେଖି କରି ନିଜ ଅଞ୍ଚଳ ବିଷୟ ସମସ୍ତଙ୍କୁ ଜଣାଇବାକୁ ଚାହିଁବେ ସେମାନଙ୍କୁ ଏହି ସୁଯୋଗ ସମଧ୍ୱନି ଯୋଗାଇ ଦେବ। ଆଶା ଏହାର ସୁଯୋଗ ରାଜ୍ୟର ଛାତ୍ରଛାତ୍ରୀ ଯୁବକଯୁବତୀ ମାନେ ନିଶ୍ଚେ ନେବେ । – ସମ୍ପାଦକ – ସମ୍ପାଦକ

ମୋ ଗାଁ ଡେଙ୍ଗମା । ଅତି ପବିତ୍ର ସେ ନାଁ । ଏଇ ଭୂମିରେ ଜନ୍ମ ନେଇ ଥିବାରୁ ମୁଁ ଧନ୍ୟ ହୋଇଛି । ମୋ ମନରେ ଗ୍ରାମର ନାକକରଣ କିଏ, କେବେ ଓ କାହିଁକି ରଖିଛି ପ୍ରଶ୍ନ ଉକିଂ ମାରୁଥିଲା ‘ଆମ ଗାଁ ଆମ ଜୀବନୀ’ କାର୍ଯ୍ୟକ୍ରମରେ ଯୋଗ ଦେଲି । ସଂନ୍ଧ୍ୟାରେ ମୋ ଗାଁର ଅଶି ବର୍ଷର ବୃଦ୍ଧ ‘ଶ୍ରୀ କୋରା ପ୍ରସାଦ ବିଷୋୟୀ’ଙ୍କୁ ସାକ୍ଷାତ କଲି। କର୍ମକ୍ଲାନ୍ତ ଶରୀରକୁ ଟିକିଏ ହାଲୁକା କରିବା ପାଇଁ ବାରଣ୍ଡାରେ ବସିଥିଲେ ସେ। ଗ୍ରାମର ନାମକରଣ ପଛରେ ଥିବା କଥା ପଚାରୁ ପଚାରୁ ତାଙ୍କ ମନର ଉଲ୍ଲାସ ମୁଁ ଜାଣି ପାରିଲି। ସେ ଆରମ୍ଭ କଲେ “ମୋ ବାପାଙ୍କ ବାପାଙ୍କ ବାପାଙ୍କ ବାପା ପ୍ରଥମେ ଏଠାରେ ବସତି ସ୍ଥାପନ କରିଥିଲେ । ସେମାନେ କହୁଥିଲେ ଏଠାରେ ଏକ ବଡ଼ ଡେଙ୍ଗା ‘ଆମ୍ବ ଗଛ’ ଥିଲା। ବଡ଼ ବଡ଼ ସୁଆଦିଆ ଆମ୍ବ ଫଳୁଥିଲା । ‘ଆମ୍ବ’ ସେତେବେଳେ ମଣିଷର ଜୀବନ। ଆମ୍ବୁଲ, ଆମ୍ବସଢ଼ା, ଚମ୍ପେଇତ ଇତ୍ୟାଦି ତିଆରି କରୁଥିଲେ । ଆମ ଅଞ୍ଚଳର କନ୍ଧମାନେ ଏଇ ବସତିର ନାଁ ଗଛ ଅନୁସାରେ ଡେଙ୍ଗମାହା କହୁଥିଲେ । ସରକାରୀ ରେକର୍ଡ଼ରେ ଏଇ ବସତିର ନାଁ ଡେଙ୍ଗମା ହେଲା ।

ମୁଁ ତାଙ୍କୁ ଆମ ଗାଁ କେତେ ପୁରୁଣା ପଚାରିଲି । ସେ କହିଲେ “ତୁ ପାଠ ପଢ଼ିଛୁ । ହିସାବ କରେ?” ମୋତେ ହିସାବ କରିବାକୁ ପଡ଼ିଲା। ବାରଣ୍ଡାରେ ଗ୍ରାମର ଆଉ କେତେକ ଲୋକ ବସିଥିଲେ । ସମସ୍ତଙ୍କ ମତାମତ ନେଲି । ମୋ ଗାଁ ପ୍ରାୟତଃ ୩୦୦ ବର୍ଷ ପୁରୁଣା । ହିସାବ କରୁକରୁ ଜଣେ କହିଲା ସେତେବେଳେ ‘ବାଘ’ର ଭୟ ଥିଲା । ‘ଏକ’ (ପରିଶ୍ରା) ପାଇଁ ବାହାରିବାରୁ ରାତିରେ ବାଘ ନେଉଥିଲା । ଗାଁ ପାଖରେ ବିରାଟ ‘ଭାଲୁ’ ମାରି ତାର ଚମଡ଼ା ବାହାର କରାଯାଇଥିଲା ଏପରି ଅନେକ…

ମୋ ଗାଁର ମୂଳ ବାସିନ୍ଦା ଭାବରେ ପାଞ୍ଚଟି ପରିବାର ଏଠାକୁ ଆସିଥିଲେ, ସେମାନଙ୍କ ମଧ୍ୟରୁ ନିକର୍ମା ବିଷୋୟୀଙ୍କ ପୁଅ ଦୁଃଖା ବିଷୋୟୀ ଓ ତାଙ୍କ ପରିବାର । ବ୍ରିଟିଶ ଶାସନ ଓ ରାଜାମାନଙ୍କ ସମୟ ଥିଲା । ଆଖପାଖର ଗାଁର ଖଜଣା ଆଦାୟ କରି ରଜାଙ୍କୁ ଦେଉଥିଲେ । ବଣ ଜଙ୍ଗଲ ସଫା କରି ଚାଷ ଜମି ତିଆରି କଲେ । କିଛି ବର୍ଷ ପରେ ଦଳାଇ ପରିବାର ଓ ପାତ୍ର ପରିବାର ଆସି ରହିଲେ । ପ୍ରାୟ ଶେଷ ବେଳକୁ ଗୁଡ଼ିଆ ଶୁଦ୍ଧ ଶବର ପରିବାର ଆସି ଏହି ଗାଁରେ ରହିଲେ । ଏବେ ମୋ ଗାଁରେ ପ୍ରାୟ ଅଶି ପରିବାର ବାସ କରନ୍ତି ।

ମୋତେ ସବୁଠାରୁ ପବିତ୍ର ଲାଗେ ମୋ ଡେଙ୍ଗମା ଗ୍ରାମର ମାଟି, ପାଣି, ପବନ ମୋ ଗ୍ରାମବାସୀ ଓ ମୋ ପରିବେଶ । ମୋ ଗାଁ ବିଷୟରେ ଅଧିକ ଜାଣିବା ପାଇଁ ମନରେ ଉତ୍ସାହ ଆସିଲା । ଗ୍ରାମର ପୂର୍ବ ଦିଗରେ ଗାଁର ମୁକୁଟ ସଦୃଶ ପାହାଡ଼ଟିଏ । ପାଦ ଦେଶରୁ ଝରି ଯାଇଛି ଏକ ଝରଣା । ଏ ସବୁ ବିଷୟ ମୋତେ ଅଧିକ ଜଣାଇଲେ ଆମ ଗାଁ ୱାର୍ଡ଼ ମେମ୍ବର ‘ଶ୍ରୀ ପୂର୍ଣ୍ଣଚନ୍ଦ ଗୌଡ଼’ । ତାଙ୍କ ମତରେ “ଏଇ ପର୍ବତର ନାମ ‘ଟାଙ୍ଗେରୀ’ ଝରଣା ନାମ ‘ଜମ ପୂଜା’ । ମୋ ଗାଁ ପାହାଡ଼ ଜନ୍ମ ହୋଇଛି ଜମ ପୂଜା ନାଳରୁ । ଟିକି ଝିଅଟି ମୋ ଗାଁ ଲୋକଙ୍କୁ ଅମୃତ ଦେଉଛି । ଧାନ ଫସଲ ଖେଳାଉଛି । ଆହାର ଯୋଗାଉଛି । ବଳକା ଧାନକୁ ବିକି ଚାଷୀମାନେ ଅର୍ଥ ପାଉଛନ୍ତି । ମକା ଆମର ଅର୍ଥକାରୀ ଫସଲ । ଗାଁ ଚତୁଃଦିଗରେ ଏବେ କେବଳ ମକା । ‘ବ୍ରହ୍ମପୁର’ରୁ ବେପାରି ଆସି କିଣି ନେଉଛନ୍ତି । ବାଇଗଣ, ଭେଣ୍ଡି, କଲରା, ଅଲଡ଼ି, ବିନ, ଟମାଟୋ, ଫୁଲକୋବି, ବନ୍ଧାକୋବି, ମୂଳା ଇତ୍ୟାଦି ପନିପରିବା ଗଞ୍ଜାମ ଜିଲ୍ଲାର ବେପାରୀ କିଣି ନିଅନ୍ତି ।

ପୂର୍ବେ ଗ୍ରାମବାସୀ ପଥର ଓ କାଠ କୂଅ କିମ୍ବା ଚୁଆଁରୁ ପାନୀୟ ଜଳ ବ୍ୟବହାର କରୁଥିଲେ । ଏବେ ସରକାର ଚାରୋଟି ପଥର କୂଅ ଓ ଟଉବ୍‌ୱେଲ୍ ଦେଇଛନ୍ତି । କୃଷି ପାଇଁ ଜଳସେଚନର ବ୍ୟବସ୍ଥା ନାହିଁ । ଚାଷୀ ଭାଇ ଆକାଶକୁ ଚାହିଁ ଥାଏ । ପାହାଡ଼ରୁ ବର୍ଷା ପାଣି ଖସିଲେ, ଶସ୍ୟ ସବୁଜ ହୁଏ । ଗ୍ରାମର ଦୁଇ ପାଶ୍ୱର୍ରେ, ଦୁଇଟି ପୋଖରୀ । ସ୍ନାନ ସହ ଏଠାରେ ମାଛ ଚାଷ ହୁଏ । ଏଥିରୁ ଅର୍ଥ ଗ୍ରାମର ଉନ୍ନତିରେ ଲାଗେ । ଗାଁ ପିଲାମାନେ ପୋଖରୀରେ ଡେଉଁଥିବା ବେଳେ ‘ଆହା କି ମଜା’! ନିୟମିତ ସଫେଇ ନ ହେବାରୁ ପାଣି ଏବେ ଦୂଷିତ ହେଲାଣି ।

ମୋ ଗାଁ ପାହାଡ଼ ଟାଙ୍ଗେରୀ ଆମ୍ବ, ମହୁଲ, କେନ୍ଦୁ, ଶାଳ, ପିଆଶାଳ, ଚାର, ବାଉଁଶ, ସୁନାରୀ, କୁରେଁଇ ଆଦି ଗଛରେ ପୂର୍ଣ୍ଣ । ଲୋକ ମହୁଲ ସଂଗ୍ରହ କରନ୍ତି । । ଆମ୍ବରୁ ଆମ୍ବୁଲ, ଆମ୍ବସଢ଼ା, ଚମ୍ପେଇତ, ପ୍ରସ୍ତୁତ କରନ୍ତି । ଟାକୁଆରୁ କୋଇଲି ବିକ୍ରି କରନ୍ତି । ଶିଆଳି ପତ୍ର, କରଡ଼ ନେଇ ବଜାରରେ ବିକନ୍ତି ।

ଜଙ୍ଗଲରେ ମୟୁର କଳା ମେଘକୁ ଦେଖି ନାଚୁଥିଲା । କୁଟୁରା, ହରିଣ, ସମ୍ବର ଆଉ ଦେଖିବାକୁ ମିଳୁ ନାହିଁ । କେବଳ ବାରିଆ (ବରାହ) ମକା ସବୁ ‘କୁଟୁକୁଟା” କରି ଖାଉଛି । ସୁନାରୀ ଓ କୁରେଁଇ ଫୁଲ ବସନ୍ତ ଋତୁର ଶୋଭା ବଢ଼ାଏ । ସେଥିରେ ପ୍ରଜାପତି ଉଡ଼େ । ଝିଙ୍କାରି ଝିଁ ଝିଁ କରେ ଓ କୋଇଲି କୁହୁକୁହୁ ଗୀତ ଗାଏ । ଗାଁରେ ପଣସ ଗଛ ଯଥେଷ୍ଟ ଅଛି । ‘ଖଜରା’ ଓ ‘କାଦୁଆ’ ଦୁଇ ପ୍ରକାର ପଣସ । ପଣସ ବିକ୍ରି କରି ଲୋକେ ଦୁଇ ପଇସା ପାଆନ୍ତି ।

ପ୍ରତ୍ୟେକ ଘଟଣାରେ ପରିମାପ ଅଛି । କିଏ ତ ମାପିବାକୁ ଚାହିଁଛି ସମୁଦ୍ରର ଜଳ କେତେ, ବାୟୁମଣ୍ଡଳର ପବନ କେତେ, ଆଜି ସକାଳୁ ସକାଳୁ ମୁଁ ଖାତା ଧରି ବାହାରି ପଡ଼ିଲି ମାପିବା ପାଇଁ ଯେ ମୋ ଗାଁର ଜନ ସଂଖ୍ୟା କେତେ? ମୋ ଗାଁରେ ମୋଟ ଚଉଷଠିଟି ପରିବାର ଓ ମୋଟ ଜନସଂଖ୍ୟା ଦୁଇଶହ ତେୟାନବେ ।

ମୋ ଗାଁ ଡେଙ୍ଗମାରେ ସବୁଠାରୁ ସୁନ୍ଦର ଓ ବଡ଼ ଘର ‘ରବୀନ୍ଦ୍ର ଗୌଡ଼’ଙ୍କର । ତାଙ୍କୁ ସାକ୍ଷାତ କଲି । ତାଙ୍କ କହିବା ଅନୁଯାୟୀ, ଘର କାମ ପାଇଁ ସେ ବହୁତ ପରିଶ୍ରମ କରିଛନ୍ତି । ତା’ଙ୍କ ଘର କାମରେ ଭଣଜା ମିସ୍ତ୍ରୀ କାମ କଲେ । ସେ ଜଣେ ଭଲ କାରିଗର । ତା’ଙ୍କ କରଣୀରେ ଯାଦୁ ଅଛି । ତାପି ବୁଲାଇ ଘରକୁ ସୁନ୍ଦର କରିଛନ୍ତି । ଘର କାମ ପାଇଁ ଆର୍ଥିକ ଅନଟନରେ ପଡ଼ିଛିନ୍ତି । ବିଭିନ୍ନ ଦୋକାନରେ କରଜ କରିଛନ୍ତି । ଗାଈ, ଗୋରୁ ବିକିଛନ୍ତି । କିନ୍ତୁ ରାସ୍ତାରେ ଯାଉଥିବା ଲୋକଙ୍କ ମନକୁ ଏହି ଗୃହଟି ଟାଣି ନେଉଛି ।

ଏ ସବୁ କହୁ କହୁ ସେ ଅତୀତର କଥା ମନେ ପକାଇଲେ । ସେହି ସମୟର ଘର ଗୁଡ଼ିକ ନଡ଼ା ଛପର ଚାଳଘର ଥିଲା ସିନା ଖୁବ୍ ସୁନ୍ଦର ଥିଲା । ବିନ୍ଧାଣୀ ଘର ବାରଣ୍ଡା ଉଚ୍ଚ ଥିଲା । କବାଟ, ଦୁଆର ବନ୍ଧ, ସେଣୀ, ସାକରପଟା, ସବୁକୁଡ଼ିକ ଚିତ୍ର ବିଚିତ୍ର । କେଉଁଠି ହାତୀ ତ କେଉଁଠି ମୟୂର, ଚକ୍ର ଇଦ୍ୟାଦି । ସେ ଯୁଗ ଗଲା । ବଣର ଛଣଗଲା । ଲୋକେ ଏବେ ଟିଣ ନଚେତ୍ ସିମେଣ୍ଟ ଉପରେ ନିର୍ଭର କଲେ । ‘ରବୀନ୍ଦ୍ର ଗୌଡ଼’ଙ୍କ ଘରେ ତାଙ୍କ ସ୍ତ୍ରୀ ଓ ପୁଅ ରୁହନ୍ତି । ଚାଷୀ ପରିବାର । ଦିନ ସାରା ବିଲବାଡ଼ିରେ କାମ ।

ଆମ ଗାଁର ସବୁଠାରୁ ଛୋଟ ଘର ଦେଖିବାକୁ ଯାଇ ପହଞ୍ଚିଲି ସଞ୍ଜୁ ବିଷୋୟୀଙ୍କ ଘରେ । ଘରଟିରେ ତାଙ୍କ ଛୋଟ ପୁଅ ସହିତ ଥିଲେ। ଘରଟି ଏପରି ଥିଲା ଯେ, ଦ୍ୱିତୀୟ ଶ୍ରେଣୀ ପଢ଼ୁଥିବା ଛୋଟ ପିଲାଟଇ ତୁଳିରେ ଆଙ୍କି ଦେଇଛି । ଘରଟି ଗୋଟିଏ ପଟକୁ ଢଳି ଯାଇଛି। ଟିଣ ଛପର ଉପରେ ବୋଇତାଳୁ ଓ ପୋଟଳ ଲତା ମାଡ଼ି ଯାଇଛି । ଯେପରି ଲତା ଦୁଇଟି ପ୍ରତିଯୋଗିତା କରୁଛନ୍ତି । ମୁନିକା ଗଛର ଶାଖା ଘରକୁ ଲମ୍ବିଯାଇଛି । ଘର ଭିତରକୁ ଚାହିଁଲା ବେଳକୁ ପ୍ରଧାନମନ୍ତ୍ରୀଙ୍କ ଉଜ୍ଜ୍ୱଳ ଯୋଜନାର ଗ୍ୟାସ୍ ଚୁଲା ଜଳୁଛି । ଭାତ ଟକର ମକର ଫୁଟୁଛି । କୁଲାରେ ବୋଇତାଳୁ ଓ ମୁନିକା ଶାଗ କଟା ହୋଇଛି । ଏକମାତ୍ର ରୋଜଗାରିଆ ସ୍ତ୍ରୀ ଲୋକଟି ପ୍ରାୟତଃ ମୂଲ ଲାଗି’ ନିଜର ଅଳ୍ପ ଜମି ଚାଷ କରି ଚଳେ ।

ମୋ ଗାଁର ସମସ୍ତେ ହିନ୍ଦୁ ଧର୍ମର ଅଟନ୍ତି । କ୍ଷତ୍ରିୟ, ଗୌଡ଼, ଶୁଦ୍ଧଶବର, ଗୁଡ଼ିଆ, ଧୋବା ଏବଂ ଦଳୁଆ ଜାତିର ଲୋକମାନେ ବାସ କରନ୍ତି । ସରକାରଙ୍କ ଇନ୍ଦିରା ଆବାସ ଯୋଜନରେ ପ୍ରାୟ ସମସ୍ତଙ୍କର ପକ୍କାଘର ହୋଇଛି । ଗୋଟିଏ ମାତ୍ର ଚାଳ ଛପର ଘର ଅଛି । ଗ୍ରାମର ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରନ୍ତି । ବଳକା ସମୟ ପାଇଲେ “ମହାରାଷ୍ଟ,’ ‘ଗୋଆ’, ‘ଗୁଜୁରାଟ’, ‘ଆନ୍ଧ୍ରପ୍ରଦେଶ’ ‘କେରଳ’ ଇତ୍ୟାଦି ସ୍ଥାନକୁ ଦାଦନ ଖଟିବାକୁ ଯାଉଛନ୍ତି । ଅଳ୍ପ କେତେକ ଲୋକ ରୋଜଗାର ନକରିପାରି ଦୟନୀୟ ପରିସ୍ଥିତିରେ ଜୀବନ କାଟନ୍ତି । ପ୍ରାୟତଃ ବିଧବା, ରୋଗଗ୍ରସ୍ତ ଲୋକ ଏହି ଶ୍ରେଣୀର । ନିଜର ଜମିବାଡ଼ି ବନ୍ଧା ପକାଇ ଦେଇଥାନ୍ତି । କେହି କେହି ବିକ୍ରି କରିଦିଅନ୍ତି । ମୂଲ ଲାଗି ଚଳନ୍ତି । ସରକାରଙ୍କ ଏକ ଟଙ୍କିଆ ଚାଉଳ ଓ ଭତ୍ତାକୁ ଚାହିଁ ରହନ୍ତି ।

ଅସୁବିଧାରେ ଥିବା ଲୋକଙ୍କ ପାଇଁ ସରକାର, ସରପଞ୍ଚ, ୱାର୍ଡ଼ମେମ୍ବର, ଏସ୍‌.ଏଚ୍‌.ଜି ଦଳ ସାହାଯ୍ୟ କରନ୍ତି । ତାଙ୍କ ବିଷୟରେ ଚିନ୍ତା କରନ୍ତି । କିନ୍ତୁ ପ୍ରକୃତରେ ସେପରି ହୁଏ ନାହିଁ । ସେମାନେ ଭାଗ୍ୟକୁ ଆଦରି ପଡ଼ି ରହନ୍ତି । କିନ୍ତୁ ମୋ ଗାଁର ସମସ୍ତେ ଭେଦଭାବ ଛାଡ଼ି କାନ୍ଧକୁ କାନ୍ଧ ମିଶାଇ ରହନ୍ତି ।

ମଣିଷ ସମାଜ ଓ ଧର୍ମ ନିବିଡ଼ । ମୁଦ୍ରାର ଦୁଇ ପାଶ୍ୱର୍ ପରି । ପ୍ରାଚୀନ କାଳରୁ ମୋ ଗାଁ ଲୋକେ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି । ତେଣୁ ଗାଁର ମଧ୍ୟଭାଗରେ ଏକ ଗ୍ରାମଦେବତୀ ମନ୍ଦିର ଶୋଭା ପାଉଛି । ଏହା ସହିତ ମଣ୍ଡପ ଓ ତୁଳସୀ ଚଉଁରା ଅଛି । ଏକ ଭାଗବତ ଘର ଅଛି ।

ଗ୍ରାମ ଦେବତୀ ମନ୍ଦିରରେ ଗ୍ରାମଦେବତୀ ଠାକୁରାଣୀ ପୂଜା କରନ୍ତି । ସମସ୍ତଙ୍କ ଦୁଖ ସୁଖରେ ସହାୟ ହୁଅନ୍ତି ଅମଳର ପ୍ରଥମ ଶସ୍ୟ ଚାଷୀ ଏଠାରେ ଅର୍ପଣ କରନ୍ତି । ପ୍ରତିଦିନ ଏଠାରେ ପୂଜାରୀ ପ୍ରସାଦ ଚଢ଼ାନ୍ତି । ଘଣ୍ଟ ବଜାନ୍ତି । ଘଣ୍ଟ ଶବ୍ଦରେ ପ୍ରତ୍ୟେକଙ୍କ ହାତ ଭକ୍ତିରେ ଯୋଡ଼ି ହୋଇଯାଏ । ମୁଣ୍ଡ ନଇଁଯାଏ । ସନ୍ଧ୍ୟା ଦୀପ ଓ ଆଳତୀ ସମୟରେ ଗାଁର ପରିବେଶ ମନୋହର ହୋଇ ଉଠେ ।

ସେହିପରି ଭାଗବତ ଘରେ ଭାଗବତ ଚର୍ଚ୍ଚା ଚାଲେ । ଗାଁର ପୁରୁଷ ଓ ସ୍ତ୍ରୀ ପ୍ରତ୍ୟେକ ଅଂଶ ଗ୍ରହଣ କରନ୍ତି । ବିଭିନ୍ନ ସ୍ଥାନରୁ ସାଧୁ, ସନ୍ଥମାନେ ଯୋଗ ଦିଅନ୍ତି । ଆଧ୍ୟାତ୍ମିକ ପରିବେଶରେ ଢୋଲ, ମୃଦଙ୍ଗ, ତାଳି, ଶଙ୍ଖ, ଖଞ୍ଜଣି, ହୁଳହୁଳି ନାଦରେ କମ୍ପି ଉଠେ । ଶାନ୍ତି, ମୈତ୍ରୀ, ଭଗବଦ୍ ଚିନ୍ତା ଆମ ଗାଁର ଲୋକଙ୍କ ହୃଦୟକୁ ସରସ କରିଦିଏ । ଜୀବନଯାପନକୁ ସୁଖମୟ କରେ ।

ଦଶହରା ପର୍ବ ଗ୍ରାମଦେବତୀ ମନ୍ଦିରରେ ପାଳନ କରାଯାଏ । ଗାଁର ପ୍ରତିଘର ଲିପାପୋଛା ହୋଇଥାଏ । ଗାଁଟି ନୂଆ ବେଶ ଧାରଣ କରିଥାଏ । ଚୈତ୍ର ମାସରେ ମଙ୍ଗଳବାରରେ ଜାନିଯାତ୍ରା ହୁଏ । କାଠରେ ରଥ ପ୍ରସ୍ତୁତ ହୁଏ । ଖୁବ୍ ଆଡ଼ମ୍ବର ସହ ଗ୍ରାମଦେବତୀଙ୍କୁ ରଥରେ ବସାଇ ବିଦାୟ ଦିଆଯାଏ । ଏହି ପର୍ବରେ ମୁଖ୍ୟତଃ ଚାଙ୍ଗୁ ବାଦ୍ୟ ବ୍ୟବହାର କରାଯାଏ ।

ମାନବ ସମାଜ ପୃଥିବୀକୁ ଜିଣି ଚନ୍ଦ୍ର ପୃଷ୍ଠାରେ ପହଞ୍ଚିଲାଣି । କିନ୍ତୁ ଆମ ଗାଁରେ କେତେକ ଅନ୍ଧବିଶ୍ୱାସ ଓ କୁସଂସ୍କାର ରହିଯାଇଛି । କେତେ ଜଣ କୁକୁଡ଼ା, ଛେଳି ଦଶହରା ଓ ଜାନିଯାତ୍ରରେ ବଳି ଦିଅନ୍ତି । ଗ୍ରାମର ଅନ୍ୟମାନେ ନଡ଼ିଆ, ମିଠା ଫଳ ଇତ୍ୟାଦି ଭୋଗ ଲଗାନ୍ତି । କାର୍ତ୍ତିକ ମାସରେ ଦୀପାବଳୀ, ମାର୍ଗଶୀର ମାସର ମାଣଓଷା ଗୁରୁବାର, ପୌଷ ମାସର ପୁଷ ପୁନେଇ, ମାଘ ମାସର ମାଘ ପୂର୍ଣ୍ଣିମା, ଫୁଲଗୁନ୍ ମାସର ହୋଲି ଖେଳ, ଚୈତ୍ରରେ ଜାନିଯାତ୍ରା, ଜୈଷ୍ଠ ମାସର ସାବିତ୍ରୀ ଅମବାସ୍ୟା, ଶ୍ରାବଣ ମାସରେ ଚିତାଉ ପୋତା, ଭାଦ୍ରବ ମାସରେ ଗଣେଶ ପୂଜା ଧୁମ୍‌ଧାମରେ ପୂଜା ହୁଏ । କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ପର୍ବ ସବୁ ଜନଗହଳି ନକରି ସରକାରଙ୍କ ନିୟମ ମାନି ନୀରାଡ଼ମ୍ବରରେ ପାଳନ କରାଯାଇଛି ।

ଆମ ଗ୍ରାମରେ ଯୁବକମାନେ ସମୟ ପାଇଲେ ଭୋଲିବଲ୍‌, କ୍ରିକେଟ୍ ଖେଳନ୍ତି ଏହା ସହିତ କବାଡ଼ି, ପିଲଦଣ୍ଡି, ଲୁଚକାଳି ଖେଳନ୍ତି । ଛୋଟ ପିଲାମାନେ ବାଟି ଗୋଲି, ବୋହୂ ଚୋରୀ, ପୁଚି, ଦଉଡ଼ି ଡିଆଁ, କିତିକିତି ଇଦ୍ୟାଦି ଖେଳରେ ବ୍ୟସ୍ତ ରୁହନ୍ତି । କେତେକ ବୟସ୍କ ଲୋକ ତାସ୍ / କାର୍ଡ଼ ଖେଳରେ ମାତି ଯାଆନ୍ତି । ତାସ୍ ଖେଳ ଯୋଗୁଁ ସମୟେ ସମୟେ ଗଣ୍ଡଗୋଳ ହୁଏ । କିନ୍ତୁ ଚାଷ କାର୍ଯ୍ୟ ବେଳେ କୌଣସି ଖେଳ ହୁଏନି ।

ଆଷଢ଼ ଶ୍ରାବଣ ମାସରେ ମୋ ଗ୍ରାମର ଚାଷୀମାନେ ବର୍ଷାକୁ ଚାତକ ପକ୍ଷୀ ପରି ଚାହିଁ ରହିଥାନ୍ତି । କେବେ କେବେ ବର୍ଷା ଆଭାବ ହେଲେ, ‘ବେଙ୍ଗେଇ ନାଚ’ କରନ୍ତି । ପୋଖରୀରୁ ବଡ଼ ବେଙ୍ଗ ସଂଗ୍ରହ କରାଯାଏ । ଜଳ ପୂର୍ଣର୍ ନୂଆ କଳସରେ ରଖାଯାଏ । ଦୁଇଜଣ ଏହାକୁ ଭାର କରନ୍ତି । ବାଦ୍ୟ ବାଜଣା ସହ ଗ୍ରାମ ପରିକ୍ରମଣ କରନ୍ତି । ପ୍ରତି ଘରରୁ ସେମାନଙ୍କ ଉପେରେ ଜଳ ଢାଳନ୍ତି । ଲୋକଙ୍କ ମନରେ ଦୃଢ଼ ବିଶ୍ୱାସ ଯେ ବର୍ଷା ନିଶ୍ଚୟ ହେବ । ସେମାନେ ଚାଷ କରିବେ । ସୁନାର ଫସଲ ଫଲେଇବେ ।

ମୋ ଗାଁର ଚାଷୀ ଭାଇମାନେ ଗାଈଗୋରୁ ମିଳିମିଶି ପାଳି କରି ଚରାନ୍ତି । ମାଘ ମାସ ବେଳକୁ ଫସଲ ଅମଳ ସରିଥାଏ । ଜମି ସବୁ ପଡ଼ିଆ ଥାଏ । ସେମାନେ ଏହି ସମୟରେ ‘ବାଡ଼ି ପୂଜା’ କରନ୍ତି । ବଣରେ ଭୋଜିର ଆୟୋଜନ ହୁଏ । ତା’ ପରେ ଗୋରୁଙ୍କୁ ମୁକ୍ତ ଚରିବାକୁ ଛାଡ଼ିଦିଆ ଯାଏ ।

କାର୍ତ୍ତିୀକ ମାସରେ ଅଷ୍ଟପ୍ରହରୀ ହୁଏ । ପୂର୍ଣ୍ଣିମା ଦିନ ଦିନସାରା କୀର୍ତ୍ତନ, ଭଜନ ହୁଏ । ଭୋଜି ହୁଏ ଆମେ ଖୁବ୍ ଆନନ୍ଦ ନେଉ । ସଂକୀର୍ତ୍ତନରେ ସମସ୍ତଙ୍କୁ ଭଜନ ଗାଇବାକୁ ସୁଯୋଗ ମିଳେ ।

ବୈଶାଖ ମାସରେ ଭାଗବତ୍ ଗାଦିର ବାର୍ଷିକ ଉତ୍ସବ ପାଳନ ହୁଏ । ଏହି ଦିନ ମୋ ଗ୍ରାମରେ ଗହଳି ଜମେ । ବିଭିନ୍ନ ସ୍ଥାନରୁ ଲୋକମାନେ ଆସି ଜମା ହୁଅନ୍ତି । ସାଧୁ, ସନ୍ଥମାନେ ଆସନ୍ତି । ଗେରୁଆ ବସ୍ତ୍ର ପରିଧାନ ଓ ଜଟାଧାରୀ ସନ୍ନ୍ୟାସୀଙ୍କୁ ଦେଖିବାକୁ ମିଳେ । ଖୁବ୍ ଆଡ଼ମ୍ବର ସହ ଘଟ ପରିକ୍ରମା ହୁଏ । ଭଗବତ ଚର୍ଚ୍ଚା ଚାଲେ । ଗ୍ରାମର ସଭିଁଏ ଅତିଥି, ସାଧୁ ସନ୍ଥଙ୍କୁ ସମ୍ମାନ ଓ ଚର୍ଚ୍ଚା କରନ୍ତି । ଜ୍ଞାନର ଆଲୋକ ପାଆନ୍ତି । ଭାଗବତିଆ ମାନେ ଏହି ଦିନକୁ ଚାହିଁ ରହିଥାନ୍ତି ।

ମଣିଷର ଆଚରଣର ପରିବର୍ତ୍ତନକୁ ଶିକ୍ଷା କୁହାଯାଏ । ଯାହା ଯୁକ୍ତାତ୍ମକ ହୋଇଥାଏ । ଶିକ୍ଷା ମଣିଷକୁ ମଣିଷତ୍ୱ ଦେଇଥାଏ । ଶିକ୍ଷାନୁଷ୍ଠାନ ଏହି ମଣିଷ ତିଆରି କାରଖାନା । ହେଲେ କ’ଣ ହେବ? ମୋ ଗ୍ରାମବାସୀ ପ୍ରାୟତଃ ଅଧପାଠୁଆ । ସମସ୍ତେ ନିଜ ପିଲାଙ୍କୁ ନିକଟରେ ଥିବା ଶିକୁଳି ପଦର ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ପଢ଼ାନ୍ତି । ଗାଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲା ପଢ଼ନ୍ତି । ପରେ କେତେକ ଉଚ୍ଚ ବିଦ୍ୟାଳୟକୁ ଯାଆନ୍ତି । ଅବଶିଷ୍ଟ ପୋଥିରେ ଡୋରି ବାନ୍ଧନ୍ତି । ନିଜ ନିଜ କୃଷି କାର୍ଯ୍ୟରେ ନିୟୋଜିତ ହୁଅନ୍ତି ।

ଏ ସବୁକୁ ପଛରେ ପକାଇ ମୋ ଗ୍ରାମର ‘ନିଳାଞ୍ଚଳ ଗୌଡ଼’ ସୀମାଞ୍ଚଳ ଗୌଡ଼, ପ୍ରଶାନ୍ତ ପାଇକ, ସଞ୍ଜୟ ବିଷୋୟୀ ଚାନ୍ଦିପୁଟ ଇନ୍ଦିରା ସ୍ମୃତି ମହାବିଦ୍ୟାରେ ସ୍ନାତକ କରିଛନ୍ତି । ସେହିପରି “ଶ୍ରୀ ଭାସ୍କର ବିଷୋୟୀ’ ସ୍ନାତକ ପରେ ଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି । ‘ଶ୍ରୀ କ୍ଷେତ୍ରବାସୀ ପାଇକ’ ମହାବିଦ୍ୟାଳୟରେ ପାଠ ଶେଷ କରି ପୋଲିସ ବିଭାଗରେ ନିଯୁକ୍ତି ପାଇଛନ୍ତି । ‘ଶ୍ରୀ ବିଶୋମ୍ବର ଗୌଡ଼’ ଦଶମ ଶ୍ରେଣୀ ଉର୍ତ୍ତୀଣ୍ଣ କରି ରେଲ ବିଭାଗରେ ନିଯୁକ୍ତି ପାଇଛନ୍ତି ।

ଗ୍ରାମରେ ଶିକ୍ଷା କ୍ଷେତ୍ରରେ ‘ଶ୍ରୀ ଭାସ୍କର ବିଷୋୟୀ’ ସୁପରିଚିତ । ସରପଞ୍ଚ, ବ୍ଲକ ଅଧିକାରୀ ଇତ୍ୟାଦିଙ୍କୁ ଦରଖାସ୍ତ ଟିଏ ଲେଖିବାକୁ ହେଲେ, ତାଙ୍କ ପାଖକୁ ଦୌଡ଼ି ଆସନ୍ତି । ଏପରିକି ସ୍ନାତକ ପଢ଼ିଥିବା ପିଲାମାନେ ମଧ୍ୟ ତାଙ୍କ ଠାରୁ ପରାମର୍ଶ ନିଅନ୍ତି । କୌଣସି କାର୍ଯ୍ୟାଳୟରୁ ଚିଠିଟିଏ ପାଇଲେ ତାଙ୍କ ନଗଲେ ନଚଳେ, ପୁରାଣ ଶାସ୍ତ୍ର ଇତ୍ୟାଦିରେ ‘ଶ୍ରୀ ପୂର୍ଣ୍ଣଚନ୍ଦ୍ର ଗୌଡ଼’, ‘ଶ୍ରୀ ଧୃବ ରଣଜିତ’ ଜଣାଶୁଣା । ଭାଗବତ ଗାତିରେ ଭାଗବତ ଚର୍ଚ୍ଚାରେ ଭକ୍ତମାନେ ତାଙ୍କ ବାଣୀକୁ ଚାହିଁଥାନ୍ତି ।

ମୋ ଗ୍ରାମରେ ପାଠ ନ ପଢ଼ୁଥିବା ପିଲା କେହି ନାହାନ୍ତି । ଅଧା ପାଠୁଆ ପିଲା ଅଛନ୍ତି । ଯେଉଁମାନେ ନାନାଦି ବିଶୃଙ୍ଖଳା କରିଥାନ୍ତି । ସେମାନେ ମୋବାଇଲ ଟିଏ ଧରିଥାନ୍ତି । କେହି କେହି ଆଧୁନିକ ସ୍ୱର ଯନ୍ତ୍ର ଧରି ବୁଲୁଥାନ୍ତି ।

ମୋ ଗାଁ ପଶ୍ଚିମ ଦିଗକୁ ଗୋଡ଼ ଲମ୍ବାଇ ବସିଛି । ତା’ ଗୋଡ଼ରେ ତା’ର ଗେଲ୍ଲା ପୁଅକୁ କୋଳେଇଛି । ସେହି ଗେଲ୍ଲା ପୁଅ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଡେଙ୍ଗମା । ଆମ ଗ୍ରାମର ଏହା ମଣିଷ ତିଆରି କାରଖାନା । କିଛି ନହେଲେ ବି କଳା ଅକ୍ଷର ଶିଖାଇ ଦିଏ । ସୂର୍ଯ୍ୟ ଭଳି ନ ହେଲେ ନାହିଁ ଦୀପ ଭଳି । ଖୁବ୍ ସୁନ୍ଦର ସେ ପରିବେଶ । ବିଭିନ୍ନ ଫୁଲରେ ମହକୁ ଥାଏ । ଟଗର, ମଲ୍ଲୀ, ଗୋଲାପ, ମନ୍ଦାର, ଗେଣ୍ଡୁ, ଅପରାଜିତା, ସଦାବାହର, ଡାହାଲିଆ, ଚମ୍ପା ଇତ୍ୟାଦି ଫୁଲରେ ପୂର୍ଣ୍ଣ । ପ୍ରଜାପତି ସୌନ୍ଦର୍ଯ୍ୟକୁ ବଢ଼ାଉଛି । ସାତ ଜଣ ଅଭିଜ୍ଞ ଶିକ୍ଷକ, ଶିକ୍ଷୟତ୍ରୀ ଜ୍ଞାନର ଆଲୋକ ବୁଣି ଦିଅନ୍ତି । ଗ୍ରାମ ଜନ ସାଧାରଣ ତାଙ୍କୁ ଖୁବ୍ ସମ୍ମାନ ଦିଅନ୍ତ । ଶିକ୍ଷକଙ୍କୁ ଦେଖିଲେ ଭକ୍ତିର ସହ ପ୍ରଣାମ କରନ୍ତି । ବିଦ୍ୟାଳୟରେ ବିଭିନ୍ନ ଉତ୍ସବ ପାଳନ ହୁଏ । ଗଣେଶ ପୂଜା, ସରସ୍ୱତୀ ପୂଜା, ସ୍ୱାଧୀନତା ଦିବସ, ଗଣତନ୍ତ୍ର ଦିବସ, ଗୁରୁଦିବସ, ଗାନ୍ଧୀ ଜୟନ୍ତି, ଶିଶୁ ଦିବସ ଆଦି ମୁଖ୍ୟ ଦିବସରେ ଗ୍ରମାବାସୀ ସହଯୋଗ ଦିଅନ୍ତି ।

ପ୍ରଥମ ଶ୍ରେଣୀରୁ ଅଷ୍ଟମ ପର୍ଯ୍ୟନ୍ତ ବର୍ତ୍ତମାନ ଏକଶହ ପାଞ୍ଚ ଶିକ୍ଷାର୍ଥୀ ଅଧ୍ୟୟନ କରୁଛନ୍ତି । ମଧ୍ୟାନ୍ନ ଭୋଜନ କାର୍ଯ୍ୟରେ ଦୁଇଜଣ ରୋଷେୟା ନିୟୋଜିତ ଅଛନ୍ତି । ସେମାନେ ବିଦ୍ୟାଳୟର ପାନୀୟଜଳ, ସଫେଇ ଇତ୍ୟାଦି କାର୍ଯ୍ୟ କରନ୍ତି ।ଏହି ବିଦ୍ୟାଳୟରେ ମୁଁ ଛାତ୍ର, ହୋଇଥିବାରୁ ମୁଁ ଗର୍ବ ଅନୁଭବ କରୁଛି ।

ଜୀବନ ଅଛି ତ ସମସ୍ୟା ଅଛି । ସମସ୍ୟାକୁ ସମାଧାନ କରିବା ହେଉଛି ଅସଲ ଜୀବନ । ମୋ ଗ୍ରାମବାସୀ ସମସ୍ୟା ସହ ଯୁଝି ନିଜ ଜୀବନ ପଥରେ ଅଗ୍ରଗାମୀ ହୁଅନ୍ତି । ‘ତିତ୍‌ଲି, ହୁଡ଼ହୁଡ଼, ଫାଇଲିନ୍‌, ଫନି, ଇଦ୍ୟାଦି ବାତ୍ୟାକୁ ମୁକାବିଲା କରିଛନ୍ତି । ବାତ୍ୟାରେ ପଚି ଆସୁଥିବା ‘ମକା’ ଫସଲ ଧରାଶାୟୀ ହୋଇ ଯାଉଥାଏ । ଅର୍ଥକାରୀ ଫସଲ ନିଷ୍ଟରେ ତା’ର ମେରୁଦଣ୍ଡ ଭାଙ୍ଗି ଯାଉଥାଏ । ଧାନ ଫସଲ ମାଟିକୁ ଲାଗି ଯାଇଥାଏ । ତା’ ଉପରେ ପାଣିର ସୁଅ ଚାଷୀର କଲିଜା ଫାଟି ଯାଉଥାଏ । ବିନ୍ ଗଛରେ ଦିଆଯାଇଥିବା ରଞ୍ଜା ତଳେ ଢଳି ପଡ଼ି କୋତରା ହୋଇଯାଏ । କିନ୍ତୁ ମୋ ଗାଁ ଚାଷୀ ମୁଣ୍ଡ ଟେକି ଠିଆ ହୋଇଛି ।

ଅକ୍ଷୟ ତୃତୀୟ ଆରମ୍ଭ ବେଳକୁ ମୋ ଗାଁ ଚାଷୀ ବିହନ ବୁଣିବା ପାଇଁ, ସଜବାଜ ହୁଏ । କିନ୍ତୁ ଆକାଶକୁ ଚାହେଁ, କଳା ମେଘଟିକୁ ଦେଖି ମନରେ ଆଶା ବଢ଼ାଏ । କିନ୍ତୁ ନିରାଶ କରି କେଉଁ ଆଡ଼କୁ ଉଡ଼ିଯାଏ । ଜଳ ସେଚନର ବ୍ୟବସ୍ଥା ନାହିଁ । କେବେ କେବେ ପାନୀୟ ଜଳର ଅଭାବ ହୁଏ । ‘ବେଙ୍ଗେଇ ନାଚ’କୁ ଭରସା କରି ଆତ୍ମ ସନ୍ତୋଷ କରେ । ଦୁଃଖ ଶୁଣିବାକୁ କେହି ନାହିଁ । ପଚାଶ ହଜାର ଟଙ୍କାର ଫସଲ ନଷ୍ଟ ହୁଏ, ସେତେବେଳେ ସରକାର ଏକ ହଜାର ଦିଏ । ସରକାର ଚାଷୀକୁ ସାହାଯ୍ୟ କରିଥିବା କଥା କହି ଢୋଲ ପିଟୁଥିବା ବେଳେ, ଚାଷୀ ବ୍ୟାଙ୍କ ପାଖକୁ ଦୌଡ଼ି ତା’ର ଗୋଇଠି ସରିଯାଏ । ତେବେ କେତେକ ପରିବାର ମାସିକ ଭତ୍ତା, ଏକ ଟଙ୍କିଆ ଚାଉଳ ପାଇ ସୁରୁଖୁରୁରେ ଚଳିଯାଆନ୍ତି ।

ବାତ୍ୟା ବେଳେ ମୋ ଗ୍ରାମବାସୀ ତଥା ନିକଟବର୍ତ୍ତୀ ‘କାଇଟିମା’ ଓ ‘ବାରିଆଧରା’ର ଗ୍ରାମବାସୀ ଆମ ଗାଁ ବିଦ୍ୟାଳୟରେ ଆଶ୍ରୟ ନିଅନ୍ତି । ମୁଁ ସେହି ଦୟନୀୟ ପରିସ୍ଥିତି ଦେଖିଛି । କୁନି କୁନି ପିଲାଙ୍କୁ କାଖରେ ଧରି, ବୁଢ଼ାବୁଢ଼ୀ ମାନେ ବାଡ଼ି ଧରି ମୁଣ୍ଡରେ ବୁଜୁଳା ଧରି, ବର୍ଷାରେ ଭିଜିଭିଜି ଜୀବନ ବିକଳରେ ସ୍କୁଲ୍‌କୁ ଆସନ୍ତି । ଆଶ୍ରୟ ନିଅନ୍ତି ବାତ୍ୟା ଭୟ ଦୂର ପରେ ନିଜ ନିଜ ଘରକୁ ଫେରନ୍ତି । ସେମାନଙ୍କୁ ଘରେ ଥିବା କୁକୁଡ଼ା ଛୋଳି, ଗୋରୁ ଗାଈଙ୍କ ପାଇଁ ଚିନ୍ତା ଥାଏ । ବିଦ୍ୟାଳୟରେ ଶିକ୍ଷକମାନେ ସାହାଯ୍ୟ କରନ୍ତି । ଗ୍ରାମବାସୀମାନେ ମଧ୍ୟ ବାହାରୁ ଆସି ଆଶ୍ରୟ ନେଇଥିବା ଲୋକଙ୍କୁ ଖାଇବା ବ୍ୟବସ୍ଥା କରନ୍ତି ।

କାଇଟିମା’ ଏବଂ ‘ବାରିଆଧାରା’ରେ ଦୁଇବର୍ଷ ହେଲା ବିଜୁଳି ଖୁଣ୍ଟି ଠିଆ ହୋଇଛି । କିନ୍ତୁ ବିଜୁଳି ତାର ନାହିଁ କି ଆଲୋକ ନାହିଁ । କିନ୍ତୁ ଆନନ୍ଦର କଥା ଯେ ଆମ ଗାଁକୁ ‘ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା’ ସଂଯୋଗ କରିଛି । ଲୋକେ ପୂର୍ବ ଭଳି କାଦ ପଚ ପଚ ରାସ୍ତାରୁ ମୁକ୍ତି ପାଇଛନ୍ତି । ଗାଁକୁ ପ୍ରତିଦିନ ଯାନବାହାନ ଯାତାୟତ କରୁଛି । ଫଳରେ ବେପାର ବଣିଜ ବଢ଼ୁଛି । ଲୋକେ ଆବଶ୍ୟକ ଜିନିଷ ସୁରୁଖୁରୁରେ ପାଉଛନ୍ତି । କେତେବଡ଼ ସମସ୍ୟାକୁ ମଧ୍ୟ ପଛରେ ପକାଇ ମଧ୍ୟ ଆଗକୁ ବିଢ଼ି ଚାଲିଛନ୍ତି ।

ଜୀବନ ଓ ଜୀବିକା ପରସ୍ପର ପରିପୂରକ । ଜୀବନ ପାଇଁ ଜୀବିକା ଅପରିହାର୍ଯ୍ୟ । ପ୍ରଥମରୁ କହି ଦେଇଛି ‘ମୋ ଗାଁ’ । ଡେଙ୍ଗମା କୃଷି ପ୍ରଧାନ ଗାଁ । ଏହା ସହିତ ପଶୁପାଳନ, ମଜୁରୀ, ରାଜମିସ୍ତ୍ରୀ, କାଠ କାରିଗର, ଲୁହା କାମ, ବଣିଜ ବେପାର, ଜଙ୍ଗଲ ଜୀବି ଅଟନ୍ତି । କିନ୍ତୁ ନିର୍ଦ୍ଦିଷ୍ଟ ଏକ ପେଷା ନ କରି ମିଶାମିଶି କରନ୍ତି । ଗ୍ରାମର ୯୫% ଲୋକଙ୍କ ଅଳ୍ପବହୁତ ଚାଷଜମି ଅଛି । ଲୋକେଚାଷ ସମୟରେ ଚାଷବାସ କରନ୍ତି । ବଳକା ସମୟରେ ଅନ୍ୟାନ୍ୟ କାର୍ଯ୍ୟ କରନ୍ତି । କାଠ କାରିଗର ଜାଣିଥିବା ଲୋକ ଲଙ୍ଗଳ, ଜୁଆଳି, କଣ୍ଟି ଚାଷ ଉପକରଣ ତିଆରି କରି ଦୁଇ ପଇସା ରୋଜଗାର କରିଦିଅନ୍ତି । ଏମାନଙ୍କୁ କାଠ କାରିଗର କହିବା କିଛି ଭୁଲ୍ ହେବ ନାହିଁ । ଏମାନେ କବାଟ, ଦୁଆର ବନ୍ଧ ସଜାଡ଼ି ଦିଅନ୍ତି ।

ଗ୍ରାମରେ ଥିବା ଗୋଟିଏ ମାତ୍ର ବିନ୍ଧାଣୀ ପରିବାରଲୁହା କାରିଗର । ଚାଷ କାମ କରିବା ସହ ‘ଶାବଳ, କୋଡ଼ି, ଦାଆ ଇତ୍ୟାଦି ପଜାଇ ଦିଏ । ଶାବଳଟିଏ ପଜାଇବା ପାଇଁ ୫୦ ଟଙ୍କା ମୁଲ ନିଏ । ସେ ଜଙ୍ଗଲରୁ କାଠ ଆଣି ଅଙ୍ଗାର କରେ, ବାଡ଼ି ପଟେ ଶାଳ କରେ ଚାଷ କାମ ସମୟରେ ତା’ ପାଖରେ ଭାରି ଭିଡ଼ । ‘ସରୋଜ ମୂଳି’ର ଲୁହାକାମ, ‘ତବତ୍ୟା’, ‘ଅଶୋକ’, ‘କୋରା’ର ଲଙ୍ଗଳ ତିଆରି ପାଇଁ ଆମ ଗାଁରେ ନାଁ ଅଛି ।

ସେହିପରି ‘ଧୃବ ରଣଜିତ’, ‘କୋରା ଦଳାଇ’ ‘ଲଡ଼ୁ ଦଳାଇ’ ରାଜମିସ୍ତ୍ରୀ ଅଟନ୍ତି । ଏମାନେ ସୁନ୍ଦର ଘର ନିର୍ମାଣ କରନ୍ତି । ଦୈନିକ ‘ଛଅଶହ’ ଟଙ୍କା ମଜୁରୀ ନିଅନ୍ତି । ସୁନ୍ଦର ଭାବେ ଟାଇଲ୍ ସବୁ ଛନ୍ଦି ଦିଅନ୍ତି । କିନ୍ତୁ ଚାଷବାସ ଦିନରେ ନିଜ ଜମିରେ ହଳ କରନ୍ତି । ହେଲେ ‘ମଧୂସୁଦନ ସାହୁ’ର ଚାଷ ଜମି ନାହିଁ । ବେପାର କରେ । ଗାଁରେ ତାର କିରାଣୀ ଦେକାନ । ଲାଇନରେ ଯାଇ ମିଠା, ରୁଟି ଇତ୍ୟାଦି ଚନ୍ଦ୍ରଗିରି ପର୍ଯ୍ୟନ୍ତ ଦୋକାନ ସବୁକୁ ଯୋଗାଏ ।

ବୈଶାଖ, ଜ୍ୟୈଷ୍ଠ ଗ୍ରୀଷ୍ମ ଋତୁ । ଆମ୍ବ, ପଣସ, ପାଚେ । ମହୁଲ, ଫୁଲ, ପଡ଼େ । ଶିଆଳି ଗଛରୁ ଶିଆଳି ପତ୍ର ଝଡ଼ି ପଲ୍ଲବିତ ହୁଏ । ଏହି ସମୟରେ ଚାଷ କାମ ପ୍ରାୟତଃ ବନ୍ଦ ଥାଏ । ସ୍ତ୍ରୀ ଲୋକମାନେ ଘରେ ନ ବସି ଜଙ୍ଗଲ ମୁହାଁ ହୁଅନ୍ତି । ଆମ୍ବ ଆଣି ଆମ୍ବୁଲ କରନ୍ତି । ପାଚିଲା ଆମ୍ବରୁ ଆମ୍ବସଡ଼ା କରନ୍ତି । ଟାକୁଆରୁ କୋଇଲି କାଢ଼ନ୍ତି । ଗାଁକୁ ଟ୍ରକ୍ ଆସେ, ବେପାରୀ କିଣି ନେଇଯାଏ । ମହୁଲ ଗଛ ମୂଳରୁ ଲଟା କଣ୍ଟା ସଫା କରନ୍ତି । ମହୁଲ ଫୁଲ ସଂଗ୍ରହ କରନ୍ତି । ଶିଆଳି ପତ୍ର ସଂଗ୍ରହ କରନ୍ତି । ଏହାକୁ ଜଙ୍ଗଲ ଜୀବି କହିଲେ ଚଳିବ । ଲୋକମାନେ ମହୁଲ ଫୁଲ ପଡ଼ୁଥିବା ସମୟରେ ମହୁଲ ଗଛ ଗଣ୍ଡିରେ ଖଜୁରୀ ଡାଳ ବାନ୍ଧିଥାନ୍ତି । ଏହା ବୋଧେ ଏକ ବିଶ୍ୱାସ ଯେ ଅଧିକ ମହୁଲ ଫୁଲ ପଡ଼ିବ । ମହୁଏ ମୂଳକୁ ନିଆଁ ଲଗାଇ ସଫା କରନ୍ତି । ଏହି ନିଆ ଜଙ୍ଗଲ ସାରା ବ୍ୟାପିଯାଏ । ରାତିରେ ଏହି ଦୃଶ୍ୟ ମନରେ ଭୟ ଆଣେ । ଏହାକୁ ଆମେ ‘ମାକଡ଼ ଭୋଜି’ ରାନ୍ଧୁଛି ବୋଲି କହୁ ।

ମୋ ଗାଁରେ କେହି ମତ୍ସ୍ୟଜୀବି ନାହାନ୍ତି। କିନ୍ତୁ କାର୍ତ୍ତିକ, ମାର୍ଗଶୀର ମାସରେ ଧାନ ବିଲ ହୁଡ଼ାରେ, ‘ବେନ୍ଥ’ ପଳାଇ, ଗଣ୍ଡ ବାନ୍ଧି ମାଛ ଧରନ୍ତି। ‘ଚେଙ୍ଗା’, ଝିଲାରୀ,’ ‘ଗୁଡ଼ିଖାଇ’, କଙ୍କଡ଼ା, ନିଜ ଘର ତରକାରୀ ପାଇଁ ହୋଇଯାଏ। ଗ୍ରାମର ଦୁଇଟି ପୋଖରୀ ଗ୍ରାମପଞ୍ଚୟତ ଅଧିନରେ ଅଛି। କିନ୍ତୁ ଗ୍ରାମାବସୀ ମାନେ ଜାଁଆଳ ଛାଡ଼ନ୍ତି। ଯାହା ଆଦାୟ ହୁଏ, ଗ୍ରାମର ସମୂହ କାର୍ଯ୍ୟରେ ଖର୍ଚ୍ଚ ହୁଏ ଲୋକେ କୁହନ୍ତି, ଏହି ଦୁଇ ପୋଖରୀର ମାଛ ଭାରି ମିଠା, ତେଣୁ ମାଛ ଧରା ଦିନ ‘ଜାନ୍ଦିପୁଟ’, ଲୁହାଗଡ଼ି, ‘ଶକୁଳିପଦର’ ଆଦି ଦୂରରୁ ମଧ୍ୟ ଲୋକେ ଆସି କିଣିନିଅନ୍ତି । ଜାଲରେ ମାଛ ଧରିବା ଦୃଶ୍ୟ ମୁଁ ଖୁବ୍ ଉପଭୋଗ କରେ ।

ସ୍ୱାସ୍ଥ୍ୟ ହିଁ ସମ୍ପଦ । ଦେହ ଭଲ ନଥିଲେ ମନ ପ୍ରଫୁଲ୍ଲ ରହେ ନାହିଁ । ସୁସ୍ଥ ଶରୀର ଓ ମନକୁ ନେଇ ଜୀବନ । ଏଥିପାଇଁ ସୁଷମ ଖାଦ୍ୟ ଓ ଉତ୍ତମ ପରିବେଶ ଆବଶ୍ୟକ । ମୋ ଗାଁ ଲୋକେ ଋତୁ ଅନୁଯାୟୀ ସୁଷମ ଖାଦ୍ୟ ଖାଆନ୍ତି । କେତେବେଳେ ସୁଷମ ଖାଦ୍ୟର ଅଭାବ ରହେ । ନିଜର କେତେକ କୁ ଅଭ୍ୟାସ ଓ ସଚେତନା ଅଭାବରୁ ଅନେକ ରୋଗରେ ପଡ଼ନ୍ତି । ଗ୍ରାମ ଠାରୁ ୩ କି.ମି. ଦରରେ, ଶିକଳି ପଦର ଠାରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଛି । ଜ୍ୱର, କାଶ, ଥଣ୍ଡା, ସାଧାରଣ ରୋଗ ପାଇଁ ଲୋକେ ଏଠାକୁ ଯାଆନ୍ତି । କେଭିଡ଼ -୧୯ ମହାମାରୀ ସମୟରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାର ଅବହେଳା ହେଲା । ଡାକ୍ତର ରହିଲେ ନାହିଁ । ଲୋକେ ଅନସନ କଲେ । ଖବରକାଗଜରେ ବାହାରିଲା । କିନ୍ତୁ ଡାକ୍ତରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ତେଣୁ ଲୋକେ ବୁଲା ଡାକ୍ତରଙ୍କୁ (କ୍ୱାକ୍‌) ନିର୍ଭର କଲେ ।

ସାମାନ୍ୟ ପେଟବଥା କିମ୍ବା ମାନ୍ଦା ଅବସ୍ଥା ଦେଖାଗଲେ ଗାଁ ପୂଜାରୀଙ୍କୁ ଡାକି ଝାଡ଼ଫୁଙ୍କ କରନ୍ତି । ଥରେ ମୁଁ ଅସୁସ୍ଥ ହେଲି । ମୋ ଜେଜେ ମା’ ‘ପ୍ରଭାକର’ଙ୍କୁ ଡାକିଲେ । ସନ୍ଧ୍ୟାରେ ସେ ମନ୍ତ୍ର ସବୁ କହି ମୋ ଉପରକୁ ସାତଥର ଫୁଙ୍କି ଥିଲେ । କିନ୍ତୁ ମୁଁ ସୁସ୍ଥ ହୋଇ ନଥିଲି । ବାପା ଡାକ୍ତରଖାନା ନେଇଥିଲେ କେତେଜଣ ଲୁଣ ମନ୍ତ୍ରଣା କରନ୍ତି । ଲୁଣ ଓ ମରିଚକୁ ପତ୍ରରେ ଧରି ରୋଗୀ ପାଖରେ ମନ୍ତ୍ର ପଢ଼ି ଏହାକୁ ଚୁଲିରେ ପୋଡ଼ି ଦେବାକୁ କହନ୍ତି । କେତେ ଜଣ କୁଲା ଚାଉଳ କରନ୍ତି । ପୂଜାରୀ ବା ଗୁଣିଆ ରୋଗୀ ପାଖରେ କୁଲାରେ ଚାଉଳ ରଖନ୍ତି । ମନ୍ତ୍ର ପଢ଼ି କୁଲାରେ ଚାଉଳକୁ ହାତରେ ଘୁରାନ୍ତି । ଆଉ କେତେ ଜଣ ଦୀପ ଚାଉଳ କରନ୍ତି । ଦଉଡ଼ିରେ ଛୋଟ ଶିକା କରି ସେଥିରେ ଦୀପ ରଖାଯାଏ । ଗୁଣିଆ ବା ପୂଜାରୀ ମନ୍ତ୍ର ପଢ଼ି ଜଳୁଥିବା ଦୀପକୁ ହଲାଏ । ଭୂତ କି ଗୁଙ୍ଗି କି କୌଣସୀ ବିଲର ମାଫୁରୁ ଧରିଛି ବୋଲି କହେ । କୁକୁଡ଼ା, ଛେଳି ଇତ୍ୟାଦି ବଳି ଦେବାକୁ ଆୟୋଜନ ହୁଏ । ବଳି ପାଇଁ କଳା ଗଞ୍ଜା କୁକୁଡ଼ା ଖୋଜାଯାଏ । କେବେକେବେ ଘୁଷୁରୀକୁ ମଧ୍ୟ ପୂଜା କରାଯାଏ । ଆମେ ଏହାକୁ ଅନ୍ଧବିଶ୍ୱାସ କହିଲେ ମଧ୍ୟ ମୋ ଗାଁର କେତେକ ଲୋକ ଖୁବ୍ ବିଶ୍ୱାସ କରନ୍ତି ।

ରୋଗୀର ରୋଗ ବଢ଼ିଲେ ତା’କୁ ମୋହନା କିମ୍ବା ଚନ୍ଦ୍ରଗିରି ସ୍ୱସ୍ଥ୍ୟ କେନ୍ଦ୍ରକୁ ନିଅନ୍ତି । ସବା ଶେଷରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ନିଅନ୍ତି । ମୋ ଗାଁର ପ୍ରାୟ ସମସ୍ତେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଆନ୍ତି । କିନ୍ତୁ ପ୍ରଥମତଃ ଅଳ୍ପ କେତେଜଣ, ଏହି ଗୁଣୀ ଗାରୋଡ଼ି ଓ ଚେରମୂଳି କରନ୍ତି । ଅଧିକ ଜଟିଳ ହେଲେ ଡାକ୍ତର ଖାନା ଯାଆନ୍ତି । ରୋଗୀ ମରିଗଲେ ଗୁଣିଆ ଭଲ କରିଥାନ୍ତା ଡାକ୍ତର ମାରିଦେଲା ବୋଲି କହନ୍ତି ।

ମଣିଷ ଜୀବନ ସୁଖ ଓ ଦୁଃଖରେ ତିଆରି ମୁଁ ଓ ମୋ ଗ୍ରାମବାସୀ ସମସ୍ତ ଙ୍କ ସୁଖରେ ସୁଖୀ ହେଉ । ସମସ୍ତଙ୍କ ଦୁଃଖରେ ଦୁଃଖୀ ହେଉ। କିନ୍ତୁ ମୋ ଗାଁ ସମ୍ବନ୍ଧୀୟ କେତେକ ବିଷୟରେ ମୁଁ ଖୁସୀ ଅନୁଭବ କରେ । ଗ୍ରାବାସୀଙ୍କୁ ଧନ୍ୟ କହେ ।

ମୋ ଗ୍ରାମର କେହି ମୃତ୍ୟୁବରଣ କଲେ, ପ୍ରତ୍ୟେକ ଲୋକ ଶବଦାହ କରିବା ପାଇଁ ସାହାଯ୍ୟ କରନ୍ତି । ନିଜ ଘରୁ କାଠ ଦିଅନ୍ତି । ମିଳିମିଶି କୋକେଇ ସଜାଇ ଦିଅନ୍ତି । ଗ୍ରାମ ଶ୍ମଶାନକୁ ନେଇ ଦାହ କରନ୍ତି । ଗ୍ରାମରେ ଶବ ଥିବା ପର୍ଯ୍ୟନ୍ତ କେହି ଖାଆନ୍ତି ନାହିଁ । ଏପରିକି ଯେ କୂଅରୁ ପାଣି ନିଅନ୍ତି ନାହିଁ । ରୋଷେଇ କରନ୍ତି ନାହିଁ । ଲୋକେ ଶବଦାହ କରି ଫେରିଲା ପରେ ଏ ସବୁ କାର୍ଯ୍ୟ କରନ୍ତି । ପୁଣି ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ପରିବାରକୁ ଚାଉଳ, ଟଙ୍କା ସାହାଯ୍ୟ କରନ୍ତି ।

ଗ୍ରାମର ପ୍ରତ୍ୟେକ ଲୋକ ପରସ୍ପର ସମ୍ପର୍କରେ ବନ୍ଧା । ନିଜର ରକ୍ତ ସମ୍ପର୍କୀୟ, ବନ୍ଧୁ, ଜାତି ନ ହୋଇଥିଲେ ମଧ୍ୟ କିଏ କାହାର ଦାଦା ତ କିଏ କାହାର ଖୁଡ଼ୀ, କିଏ କାହାର ଅଜା ତ କିଏ କାହାର ଭାଉଜ, ଏହି ସବୁ ମୋତେ ଖୁବ୍ ଖୁସୀ ଲାଗେ ।

ମୋ ଗ୍ରାମବାସୀ ସବୁ ଜାଣିଶୁଣି ମଧ୍ୟ ସଚେତନ ନୁହଁନ୍ତି । କୁଅଭ୍ୟାସ ଯୋଗୁଁ ରାସ୍ତାରେ ଝାଡ଼ା ଫେରନ୍ତି । ଯେଉଁ ପୋଖରୀରେ ଶୌଚ ହୁଅନ୍ତି, ସେହି ପାଣିରେ କୁଳି କରନ୍ତି । ପାଇଖାନା ଥାଇ ମଧ୍ୟ ବ୍ୟବହାର କରନ୍ତି ନାହିଁ । ଅନ୍ଧବିଶ୍ୱାସରେ ଜାନି ଯାତ୍ରାରେ ଛେଳି, କୁକୁଡ଼ା ଆଦିକୁ ବଳି ଦିଅନ୍ତି । ଏ ସବୁ ମୋତେ ଦୁଃଖ ଦିଏ ।

ସ୍ୱାମୀ ହରାଇଥିବା ବିଧବା, ପୁତ୍ର ହରାଇଥିବା ମାଁ, ଭୋର ସକାଳୁ ବାହୁନି ବାହୁନି କାନ୍ଦନ୍ତି । ମୋ ନିଦ ଭାଙ୍ଗିଥିଲେ ତାହା ମୋତେ ବହୁତ ଦୁଃଖ ଦିଏ ।

ପର୍ବପର୍ବାଣୀ ଓ ସଂସ୍କୃତିକ କାର୍ଯ୍ୟକ୍ରମ ପରସ୍ପର ପରିପୂରକ । ସାଂସ୍କୃତିକ କାର୍ଯ୍ୟକ୍ରମ କ୍ଲାନ୍ତ ମନକୁ ପ୍ରଫୁଲ୍ଲ କରିଦଏ । ଗ୍ରାମ ଜୀବନକୁ ପ୍ରସ୍ଫୁଟିତ କରେ, ମୋ ଗାଁରେ ପର୍ବପର୍ବାଣୀ ତ ପାଳିତ ହୁଏ, ସାଂସ୍କୃତିକ କାର୍ଯ୍ୟ ମଧ୍ୟ ହୁଏ । ଗାଁରେ ଏବେ ନାଟକ ଦାଶ କାଠି ହେଉ ପାଲା, ଡ୍ରାମା, ଦଣ୍ଡାନାଚ ଇତ୍ୟାଦି ନିଜସ୍ୱ ନାହିଁ । ବାହାରୁ ଭଡ଼ା ଅଣାଯାଏ । ପ୍ରାଚ୍ୟ ଗଞ୍ଜାମ ଜିଲ୍ଲାର ଦଣେଇପୁର ଦଣ୍ଡନାଚ ମୋ ଗାଁରେ ଦେଖିଛି । ଦିନରେ ଏକଦମ ଖରାରେ ଦଣ୍ଡୁଆମାନେ ଦଣ୍ଡ ଭୋଗିବା ଦୃଶ୍ୟ ଚମତ୍କାର । ରାତ୍ରିରେ ନାଟକ ମଞ୍ଚସ୍ଥ ହୁଏ । ଆମ ଘର ଆଗରେ ନାଟକ ମଞ୍ଚସ୍ଥ ହେଉଥିବାରୁ ମୁଁ ପୁରା ଦୃଶ୍ୟ ଦେଖିପାରେ ।

ଗାଁରେ କେଉଁ ଆଡ଼ୁ ଆସିଥିବା ଦାଶ କାଠିଆ ଯୋଡ଼ିକୁ ଦେଖିଛି । ଦାଶକାଠିରେ ବିଭିନ୍ନ ପୌରାଣିକ ବିଷୟମାନେ ଗାନ କରାଯାଏ । ସେ ସବୁ ମୋତେ ଅବୁଝା ହେଲେ ମଧ୍ୟ ମଝିରେ ମଝିରେ ସେମାନଙ୍କ ମଜାଳିଆ କଥା ବଢ଼ିଆ ଲାଗେ । ଗାଁ ନିକଟ ‘ଶିବ’ ମନ୍ଦିରରେ ‘ମହାଭାରତ’ ଏବଂ ‘ରାମାୟଣ’ ନାଟକ ମଞ୍ଚସ୍ଥ ହେଉଥାଏ । ‘ରାମଚନ୍ଦ୍ର’ ବନବାସ ଗଲେ । ଦଶରଥ ତାଙ୍କୁ ଝୁରି-ଝୁରି ଜୀବନ ହାରିଲେ । ଏହି ଦୃଶ୍ୟଦେଖି ମୁଁ ମର୍ମାହତ ହେଲି ।

ପ୍ରାୟ ୩୦ ବର୍ଷ ତଳେ ଆମ ଗାଁରେ ନାଟକ ଶିଖିଥିଲେ । ମୁଁ ଶୁଣିବାକୁ ପାଇଛି, ବହୁ ଲୋକ ପ୍ରଶଂସା କରୁଥିଲେ । ‘ରାମାୟଣ’ ନାଟକ ଶିଖିଥିଲେ । ‘ଲୌହମାନବ’ ସାମାଜିକ ନାଟକ ପରିବେଷଣ କରିଥିଲେ । ‘ସାବତ ମାଁ’ ନାଟକ ଉଚ୍ଚକୋଟୀର ଥଲା ଏହି ସବୁ ନାଟକ ‘ଲୁହାଗୁଡ଼ି’ ମୋହନା ଥାନା ଓ ଟିକରାପଡ଼ା ଗ୍ରାମରେ ମଞ୍ଚସ୍ଥ ହୋଇଥିଲେ । ଧିରେ ଧିରେ ସେ ସବୁ ବନ୍ଦ ହୋଇଗଲା । ‘ରାମାୟଣ’ ନାଟକରେ ପୂର୍ଣ୍ଣଚନ୍ଦ୍ର ଗୌଡ଼ ‘ରାମ’ ଭୂମିକାରେ ଅଭିନୟ କରୁଥିଲେ । ସୀତା ଭୂମିକାରେ ଲଡ଼ୁ ଦଳାଇ, ରାବଣ ଭୂମିକାରେ ଗୋପୀ, ଗୌଡ଼, ହନୁମାନ ଭୂମିକାରେ ରାଜେନ୍ଦ୍ର ସାହୁ ଇତ୍ୟାଦି ଉଚ୍ଚକୋଟୀର କଳା ପ୍ରଦର୍ଶନ କରୁଥିଲେ ।

‘ଲୌହମାନବ’ ସାମାଜିକ ନାଟକରେ ‘ଧର୍ମବହୁଳ’ ରାଜା ଭୂମିକାରେ ତବତିଆ ପାଇକ, ‘ଉଷା’ ଭୂମିକାରେ କୋରା ଦଳାଇ ଅଭିନୟ କରୁଥିଲେ । ‘ବସନ୍ତ’ ଭୂମିକାରେ ପ୍ରତାପ ଦଳାଇ ଅଭିନୟ କରୁଥିଲେ ।

ସାବତ ମାଁ’ ସାମାଜିକ ନାଟକରେ ‘ମଞ୍ଜରୀ’ ଭୂମିକାରେ ‘ବିଜୟ ଦଳାଇ’, ‘ରାଜା’ ଭୂମିକାରେ ‘ଗୋପୀ ଗୌଡ଼’ ଅଭିନୟ କରୁଥିଲେ । ଅନ୍ୟାନ୍ୟ ଭୂମିକାରେ ଗାଁର ପ୍ରାୟ ସମସ୍ତେ ଅଭିନୟ କରୁଥିଲେ । ପ୍ରତ୍ୟେକ ନାଟକରେ ପବନା କାର୍ଯ୍ୟ ବାଦ୍ୟ ପରିବେଷଣ କରୁଥିଲେ । ଏ ସବୁକୁ ଦେଖିଲେ ମୋ ଗ୍ରାମବାସୀ କଳାପ୍ରିୟ ଅଟନ୍ତି । କଳା ଓ ସଂସ୍କୃତି ଆମ ସମାଜର ଏକ ଅଙ୍ଗ । ମୋ ମନରେ ଏହି କଳା ପ୍ରତି ଆଗ୍ରହ ଉତ୍ସାହ ଅଛି । ନାଟକରେ ଅଭିନୟ କରିବା ପାଇଁ ଇଚ୍ଛା ହେଉଛି ।

ସମୟ ଅନୁସାରେ ମୋ ଗ୍ରାମର ଜୀବନଶୈଳୀ ଓ ପରିବେଶ ଖୁବ୍ ବଦଳି ଯାଇଛି । ଗ୍ରାମର ବୟସ୍କ ବ୍ୟକ୍ତି ‘ତବତିଆ ପାଇକ’ ଗ୍ରାମ ବିଷୟରେ କହନ୍ତି ଯେ, ବର୍ତ୍ତମାନ ଗ୍ରାମର ପରିସ୍ଥିତିରେ ସେ ସନ୍ତୁଷ୍ଟ ଅଛନ୍ତି । ତାଙ୍କ ପିଲାଦିନେ ଦଶ-ବାର ବର୍ଷ ବୟସ ପର୍ଯ୍ୟନ୍ତ ପନ୍ଧିବା ପାଇଁ ପୋଷାକ ଅଭାବ ଥିଲା । ଝଜି ଖଣ୍ଡେ ପିନ୍ଧୁଥିଲେ । କିନ୍ତୁ ଏବେ ପିଲାଙ୍କୁ ପ୍ୟାଣ୍ଟ, ସାର୍ଟ, ଟୋପି ପିନ୍ଧାଇ ଦିଆଯାଏ । ଗାଁକୁ କିଏ ରେଡ଼ିଓ, ସାଇକେଲ କିମ୍ବା ହାତ ଘଣ୍ଟା ପିନ୍ଧି ଆସିଲେ ତା’କୁ ଦେଖିବାକୁ ଯାଉଥିଲେ । ଫୁଲ୍ ପ୍ୟାଣ୍ଟ, ସାର୍ଟ ପିନ୍ଧିବା ଲୋକକୁ ଦେଖିଲେ ଆଶ୍ଚର୍ଯ୍ୟ ହେଉଥିଲେ । ଭାବୁଥିଲେ ଯେ, ସେ କେତେବଡ଼ ଧନୀ ଲୋକ ହୋଇଥିବ । ଏବେ ଗାଁରେ ପ୍ରାୟତଃ ଟିଭି, ମୋବାଇଲ ଫୋନ୍‌, ମଟର ଗାଡ଼ି ବ୍ୟବହାର କଲେଣି । ଯେଉଁ ଜମିରେ ସୁଆଁ, କାଙ୍ଗୁ, ମାଣ୍ଡିଆ ଚାଷ କରି ଦୁଇ ଓଳା ଖାଇବାକୁ ହେଉନଥିଲା । ଏବେ ସେଇ ଜମିରେ ହାଇବ୍ରିଡ଼୍ ଧାନ ଚାଷ ହୁଏ । ରାସ୍ତା ଘାଟର ଉନ୍ନତି ହୋଇଛି । ଦେଖିବାକୁ ଗଲେ ଖାଦ୍ୟ, ବସ୍ତ୍ର, ବାସଗୃହ, ସ୍ୱାସ୍ଥ୍ୟ ଇତ୍ୟାଦି କ୍ଷେତ୍ରରେ ଯେଉଁ ଉନ୍ନତି ହୋଇଅଛି, ତବତିଆ ପାଇକ ସନ୍ତୁଷ୍ଟ ଅଛନ୍ତି ।

ଗ୍ରାମର ବୟସ୍କା ବିଧବା ‘ଧୁବୁଣୀ ପାତ୍ର’ଙ୍କୁ ମୁଁ ସାକ୍ଷାତ କଲି । ସିଏ ବୋହୁ ହୋଇ ଆମ ଗାଁକୁ ଆସିଲା ବେଳର ଅନୁଭୂତି ପଚାରିଲି । ପ୍ରଥମେ ସେ ଶଙ୍କିଗଲେ । କାହିଁକି, କ’ଣ ପାଇଁ କହିବି କହିଲେ । ସବୁକଥା ବୁଝେଇଲି ।

ତା’ ପରେ ମୋ ମୋବାଇଲ ଫୋନ୍‌ରେ ତା’ଙ୍କ ନିଜ ଢଙ୍ଗରେ କହିଲେ । ‘ମୁଁ ଧୁବୁଣୀ ପାତ୍ର । ବାପା ଘର ଶେରଗଡ଼ ଚିକିଲି । ଶଗଡ଼ରେ ବୋହୂ ହୋଇ ଆସିଲି । ରାସ୍ତା ଖାଲ ଢେପ, ଲଟାବୁଦା, ତାମ୍ପି ହୋଇଥିଲା । ଛାଟଖମ୍ବ, ମାଫୁରୁ ଠାରେ କୁକୁଡ଼ା ବଳି ଦିଆଗଲା । ଡେବିରି ଗୋଡ଼ ପାଦରେ ସେହି ରକ୍ତ କୁଦି ଆସିଲି । ଗ୍ରାମ ଦେବତୀ ମନ୍ଦିର ଚାଳ ଉଡ଼ିଆ ଢ଼ିପ ହୋଇଥିଲା । ଦାଣ୍ଡ ମଣିଷ ଖାଲ, ହୋଇଥିଲା । ମଜୁରୀ କୁଲିକୁ ଗଲେ ଏକ ଅଡ଼ା ଧାନ କି ମାଣ୍ଡିଆ ମିଳେ । ଭୋଟ ଦେବାକୁ କଳାମେରୀ ଯାଉଥିଲୁ । ଏବେ ଗାଁରେ ଭୋଟ ଦେଉଛୁ । ଆମେ ଢେଙ୍କିରେ ଧାନ କୁଟି ଖାଉଥିଲୁ । ଏବେ ମିଲୁ ଭାରିଲା । ଖଲି ପତ୍ରରେ ଭୋଜି ଖାଉଥିଲୁ । ଏବେ ତ ବଫେଇ ନା ତେଫେଇ ସୁଟିଙ୍କି । ଗାଁ ଲୋକ ଚେଁ ଦେବୁ ନା ମେଁ ଦେବୁ କହୁଥିଲେ । ବଳ ଦେଖି କିଏ ଚେଁ ଦେଉଥିଲା ତ କିଏ ସେ ମେଁ ଦେଉଥିଲା । ଏବେ ସବୁ ଭଲରେ ଅଛୁଁ ।’

ଏଠାରେ ମୁଁ ବୁଝିବାକୁ ପାଇଲି ଯେ ବିବାହ ଆଦି କାର୍ଯ୍ୟ ପାଇଁ ଗାଁରେ ଭୋଜି ଦେବାକୁ ହେଲେ, କିଛି ଦିନ ପୂର୍ବରୁ ଗାଁରେ ଏକ ବୈଠକହୁଏ । ଆୟୋଜନର ସବୁକଥା ଆଲୋଚନା ହୁଏ । ଗାଁ’ର ମୁଖିଆ ଚେଁ ଦେବୁ ନା ମେଁ ଦେବୁ ପଚାରୁ ଥିଲେ ଭୋଜିରେ ପିଠା, ମଂଡା, ଇତ୍ୟାଦି, ଚେଁ ମେଁ ଅର୍ଥାତ୍ ମାଂସ । ନିଜର ସମ୍ବଳ ଅନୁସାରେ କର୍ତ୍ତା ଚେଁ କିମ୍ବା ମେଁ ଦେଉଥିଲା । କିନ୍ତୁ ଏବେ ଏ ସବୁ ନାହିଁ । ସମୟ ଅନୁସାରେ ସବୁ ପରିବର୍ତ୍ତନ ।

‘ଆମ ଗାଁ ଆମ ଜୀବନୀ’ ଲେଖୁ ଲେଖୁ ଅନ୍ତିମ ପର୍ଯ୍ୟାରେ ମନରେ ଏକ ସନ୍ଦେହ ଜାତ ହେଲା । ପିଲାଙ୍କ ଗୁରୁଜନ ମାନେ ପଚାରନ୍ତି, “ତୁମେ ବଡ଼ ହେଲେ କ’ଣ କରିବ?” କିଏ ତ କହେ ଦେଶ ସେବା, କିଏ ତ କହେ ଡାକ୍ତର ହେବି କିଏ ପୁଣି ଶିକ୍ଷକ, କୃଷକ, ବ୍ୟବସାୟ, ପାଇଲଟ୍‌, ନେତା ଇତ୍ୟାଦି । ଜୀବନ ପଥରେ କିଏ ତ ଅଟକି ଯାଏ, କିଏ ତ ପଥଭ୍ରଷ୍ଟ ହୁଏ, କିଏ ତ ନିଜ ସଂକଳ୍ପରେ ସଫଳ ହୁଏ ।

ମୁଁ ମୋ ଗାଁର ସବୁ ସୁଖ, ଦୁଃଖ ସମସ୍ୟା ବିଷୟରେ ଅବଗତ ହେଲି । ବଡ଼ ହୋଇ ଗାଁର ସବୁ ସମସ୍ୟା ଦୂର କରିବା ପାଇଁ ଉପାୟ କରିବି । ପ୍ରଥମରେ ଶିକ୍ଷା ସଚେତନତା ଆଣିବି । କାରଣ ଉପଯୁକ୍ତ ଶିକ୍ଷା ଅଭାବରେ ସବୁ ସମସ୍ୟା ଉପୁଜେ । ସଚେତନତା ଅଭାବ ହୁଏ । ପରିବେଶ ନଷ୍ଟ ହୁଏ । ଦାରିଦ୍ର୍ୟ ଆସେ । ଶରୀର ରୋଗକ୍ରାନ୍ତ ହୁଏ । ଏଥିପାଇଁ ମୁଁ ମୋ ଗାଁର ସାଙ୍ଗ ସାଥୀଙ୍କୁ ନେଇ ଏକ ସଂଗଠନ କରିବି । ଆମେ ଆମ ନିଜ ପାଇଁ ଓ ଗାଁ ପାଇଁ କର୍ତ୍ତବ୍ୟ କରିବୁ । ଏଥିପାଇଁ ଆମେ ସବୁ ଚେଷ୍ଟା କରିବୁ ।

About ଆଶୁତୋଷ ବିଷୋୟୀ

ଆଶୁତୋଷ ବିଷୋୟୀ
ଛାତ୍ର ସାମ୍ବାଦିକ (Student journalist)

Check Also

ଜଗନ୍ନାଥ ସଂସ୍କୃତିର ମୂଳ କଥା

ପ୍ରାଚୀନ ଓ ମଧ୍ୟଯୁଗୀୟ ଓଡିଶାର ରାଜନୈତିକ-ସାଂସ୍କୃତିକ ଇତିହାସରେ ରାଜ୍ୟ ଗଠନ ଏକ ସ୍ମରଣୀୟ ଅଧ୍ୟାୟ । ଏହି ଆଞ୍ଚଳିକ ରାଜ୍ୟ …

Leave a Reply

Your email address will not be published. Required fields are marked *