Home / ସମୀକ୍ଷା / ମାଟି ଓ ସଂସ୍କୃତିକୁ ବଞ୍ଚାଇବାର ଦାୟିତ୍ୱ ଯୁବ ସମାଜର – ଅସୀମ୍ ବସୁ

ମାଟି ଓ ସଂସ୍କୃତିକୁ ବଞ୍ଚାଇବାର ଦାୟିତ୍ୱ ଯୁବ ସମାଜର – ଅସୀମ୍ ବସୁ

 

ଆମ ନିଜର ପରିଚୟ ହେବ ନିଜର ବ୍ୟକ୍ତିଗତ ସଂସ୍କୃତି, ଜାତୀୟ ସଂସ୍କୃତି । ତା’କୁ ବାଦ୍ଦେଇ ବିଶ୍ୱାୟନ ସାଙ୍ଗରେ ମିଶିବାର କିଛି ମାନେ ହୁଏନି ।

ମାଟି ଓ ସଂସ୍କୃତିର ଅବିଛେଦ୍ୟ ସମ୍ପର୍କଟି ସମ୍ପର୍କରେ କିଛି ଜାଣିବାପାଇଁ ସମଧ୍ୱନି ସାଂସ୍କୃତିକ ଗବେଷଣା କେନ୍ଦ୍ର ତରଫରୁ ମହେଶ ପ୍ରସାଦ ନନ୍ଦ ୨୦୧୩  ମସିହାରେ ଭେଟିଥିଲେ ଶ୍ରୀଯୁକ୍ତ ଅସୀମ୍ ବସୁଙ୍କୁ ।  ଲେଖାଟି ସେତେବେଳେ ସମଧ୍ୱନିର ଅକ୍ଟୋବର-ଡ଼ିସେମ୍ବର ସଂଖ୍ୟାରେ ପ୍ରକାଶିତ ହୋଇଥିଲା । ଗତ ଫେବୃଆରୀ ୧ ତାରିଖରେ ଅସୀମ୍ ବସୁଙ୍କର ବିୟୋଗରେ ତାଙ୍କ ସ୍ମୃତିଚାରଣ କରି ପୁନଃ ପ୍ରକାଶ କରାଯାଇଛି । – ସମ୍ପାଦକ

ପ୍ରଶ୍ନ- ମାଟି ଏବଂ ମାଟି ସହିତ ଯୋଡ଼ି ହୋଇଥିବାର ସଂସ୍କୃତି ସମ୍ପର୍କରେ କିଛି କହିବେ କି?

ଉ- ମାଟି ସମ୍ପର୍କରେ କ’ଣ କହିବି? ଯେଉଁ ମାଟି ସହିତ ଆମର ସମ୍ପର୍କ ତାକୁ ଭଲ ନପାଇ ବାଟ କାହିଁ । ଭଲପାଇବାକୁ ହିଁ ପଡ଼ିବ । ମାଟି ଆଉ ମା’ ଏହା ଭିତରେ ଫରକ କେଉଁଠି? ମାଟି ତ ମା’ । ସେ ହେଉଛି ପ୍ରଥମ ମା’ ଯାହାର କୋଳରେ ଆମେ ଜନ୍ମ ନେଲୁ । ତେଣୁ ମାଟିକୁ ଭଲପାଇବା ମା’କୁ ଭଲପାଇବା ସାଙ୍ଗରେ ସମାନ ।

ପ୍ରଶ୍ନ- ଆପଣଙ୍କ ଅଞ୍ଚଳର ସାଂସ୍କୃତିକ ପରିଚୟଗୁଡ଼ିକ କଣ?

ଉ- ମୋର ଘର ଉତ୍ତର ବାଲେଶ୍ୱରରେ । ସେଠି ମୁଖ୍ୟତଃ ନାଟକକୁ ଆମେ ପ୍ରଧାନ୍ୟ ଦେଇଆସିଛୁ । ଆମ ଘରେ ନାଟକ ନେଇ ବହୁତ ଚର୍ଚ୍ଚା ହେଉଥିଲା । ଆମ କକା, ବାପା ଏମାନେ ସମସ୍ତେ ନାଟକରେ ମାତି ରହୁଥିଲେ । ସେ ନାଟକ ନେଇ ମୁଁ ବି ବଡ଼ହୋଇଛି । ଚିତ୍ରକଳା ମୁଁ କରେ କିନ୍ତୁ ଆମ ପରିବାର ସହିତ ସେତେବେଳେ ଚିତ୍ରକଳାର ସମ୍ପର୍କ ନଥିଲା । ତେଣୁ ନାଟକ ମୋର ପାରିବାରିକ ସମ୍ପର୍କ ସହିତ ଯୋଡ଼ିହୋଇ ରହିଛି । ତେଣୁ ଆମ ଅଞ୍ଚଳରେ ନାଟକର ପ୍ରାଧାନ୍ୟ ରହିଛି ଏବଂ ଆମ ଅଞ୍ଚଳରେ ନାଟକ ସମସ୍ତଙ୍କୁ ଆଦୃତ କରୁଥିଲା । ଏବେବି ଓଡ଼ିଶାରେ ଯେଉଁଠି ନାଟକ ହେଉନା କାହିଁକି ବାଲେଶ୍ୱର ଅଞ୍ଚଳରେ ନାଟକ ହେଲେ ଦର୍ଶକ ବେଶୀ ହୁଅନ୍ତି । ଅନ୍ନପୂର୍ଣ୍ଣା, ଜନତା ଯେତେବେଳେ ବଞ୍ôଚଥିଲେ ସେମାନେ ସେତେବେଳେ ବାଲେଶ୍ୱରକୁ ତାଙ୍କର ଭାତହାଣ୍ଡି ବୋଲି ଭାବୁଥିଲେ । ତେଣୁ ସେହିକଥାରୁ ଜାଣିହେବ ଆମ ଅଞ୍ଚଳରେ ନାଟକ ପ୍ରତି ପ୍ରିତି କେତେ ଏବଂ କେଉଁ ପର୍ଯ୍ୟାୟର ସଂସ୍କୃତି ସହିତ ଜଡ଼ିତ ।

ପ୍ରଶ୍ନ- ମାଟି ଉପରେ ଏବଂ ମାଟି ଉପରେ ଗଢ଼ି ଉଠିଥିବା ସଂସ୍କୃତି ଉପରେ ଆକ୍ରମଣ ଆରମ୍ଭ ହୋଇଛି ବୋଲି କୁହାଯାଉଛି । ଏ ସମ୍ପର୍କରେ ଆପଣଙ୍କ ମତାମତ କ’ଣ?

ଉ- ଏହି ଯେଉଁ ବିଶ୍ୱାୟନ ପ୍ରକ୍ରିୟା ଚାଲିଲା ତାହାରି ଫଳରେ ଆମେ ଏଭଳି ହେଉଛୁ । ଆମର ବ୍ୟକ୍ତିଗତ ସଂସ୍କୃତି ଓ ନିଜସ୍ୱ ସଂସ୍କୃତିକୁ ହରେଇ ବସିଛୁ । ବିଶ୍ୱାୟନଟା କିଛି ଖରାପ ନୁହେଁ କିନ୍ତୁ ତା’ର ମାନେ ନୁହେଁ ଯେ ଆମ ନିଜସ୍ୱ ସଂସ୍କୃତିକୁ ଆମେ ଆପେ ଆପେ ଛାଡ଼ିକରି ବିଶ୍ୱ ସଂସ୍କୃତି ସହିତ ମିଶିଯିବା । ଆମ ନିଜର ପରିଚୟ ହେବ ନିଜର ବ୍ୟକ୍ତିଗତ ସଂସ୍କୃତି, ଜାତୀୟ ସଂସ୍କୃତି । ଆମ ନିଜ ଅଞ୍ଚଳର ସଂସ୍କୃତି ହେଉଛି ଆମର ମୁଖ୍ୟ ତା’କୁ ବାଦ୍ଦେଇ ବିଶ୍ୱାୟନ ସାଙ୍ଗରେ ମିଶିବାର କିଛି ମାନେ ହୁଏନି ।

ପ୍ରଶ୍ନ- ମଣିଷ ମଣିଷ ଭିତରେ ସମ୍ପର୍କ ଦିନକୁ ଦିନ କମି କମି ଯାଉଛି । ଏହାର କାରଣ କ’ଣ ବୋଲି ଆପଣ ଭାବୁଛନ୍ତି?

ଉ- ସିଏ ମଧ୍ୟ ସେଇ ବିଶ୍ୱାୟନର ଫଳ । ସମ୍ପର୍କ ଏମିତି ହୋଇଗଲାଣି ଏବେ ଆମେ ଏକା ଅଞ୍ଚଳର ହୋଇ ମଧ୍ୟ ଆମେ ଏବେ ସାରାବିଶ୍ୱର ଲୋକ ଭାବରେ ଗଣାହେଉଛୁ । ଯାହାଫଳରେ ଆମର ନିଜର ପରିଚୟ ଆସ୍ତେ ଆସ୍ତେ ହଜିଯାଉଛି, ଲୋପ ପାଇଯାଉଛି । ତା’କୁ ପରିବର୍ତ୍ତନ କରିବାକୁ ହେଲେ ଆମେ ଆମ ନିଜକୁ ଭଲପାଇବାକୁ ପଡ଼ିବ । ଆମ ନିଜ ଅଞ୍ଚଳକୁ ଭଲ ପାଇବାକୁ ପଡ଼ିବ, ମାଟିକୁ ଭଲପାଇବାକୁ ପଡ଼ିବ । ତାହାରି ଦ୍ୱାରା ହିଁ ଆମ ସଂସ୍କୃତିକୁ ବଞ୍ଚାଇ ରଖାଯାଇପାରିବ ।

ପ୍ରଶ୍ନ- ଆମ ମାଟି ଏବଂ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ କ’ଣ କରାଯିବା ଦରକାର ଏବଂ ଏହାକୁ ବଞ୍ଚାଇବାର ଉତ୍ତରଦାୟିତ୍ୱ କାହାର ବୋଲି ଆପଣ ଭାବୁଛନ୍ତି?

ଉ- ସଂସ୍କୃତିକୁ ବଞ୍ଚାଇବାର ଦାୟିତ୍ୱ ଯୁବସମାଜର । ସବୁବେଳେ ଉତ୍ତରଦାୟିତ୍ୱ ହେଉଛି ଯୁବସମାଜର । କାହିଁକି? ଗୋଟିଏ ପିଢ଼ି ଆସ୍ତେ ଆସ୍ତେ ଚାଲିଯାଉଛନ୍ତି । ଯେଉଁ ପିଢ଼ି ଆସୁଛି ତା’ର ମୁଖ୍ୟ ଦାୟିତ୍ୱ ହେଉଛି କେମିତି ସଂସ୍କୃତିକୁ ବଞ୍ଚାଇ ରଖିବେ । ସେମାନଙ୍କର ଅଧିକ ଦାୟିତ୍ୱ । ଆମର ଯାହା ସଂସ୍କୃତି ଅଛି ତା’କୁ ପୁନର୍ଜୀବିତ କରିବା ଦରକାର । ଆମର ଅନେକ ସଂସ୍କୃତି ହଜି ହଜି ଯାଉଛି ତା’କୁ ଫେରାଇ ଆଣିବା ଦରକାର । ଆସ୍ତେ ଆସ୍ତେ ଦେଖାଯାଉଛି ଯେ ଆମର ଯାତ୍ରା ସଂସ୍କୃତି ଲୋପ ପାଇଯାଉଛି । ଦାସକାଠିଆ, ପାଲା ଏସବୁ ହଜିଯାଉଛି । ଏବେ ସେଗୁଡ଼ିକ ସଂଗ୍ରହାଳୟରେ କେବଳ ସୁରକ୍ଷିତ ରହିଲେଣି । ତା’କୁ ପୁଣିଥରେ ଉଜ୍ଜୀବିତ କରିବାକୁ ହେଲେ ଆମ ସଂସ୍କୃତି ଭିତରେ ମିଶେଇ ରଖିବାକୁ ପଡ଼ିବ । ଆମେ ଏବେବି ତାକୁ ପ୍ରାଧାନ୍ୟ ଦେବାକୁ ପଡ଼ିବ ତେବେଯାଇ ସେଗୁଡ଼ିକ ବଞ୍ôଚବ । ଏହି ଭାବରେ ବିଶ୍ୱାୟନ ନାଁ’ରେ ଅନେକ କିଛି ହଜିଯାଉଛି । ତା’କୁ ହଜିବାକୁ ନଦେବା ପାଇଁ ଆମର ଦାୟିତ୍ୱବୋଧ ରହିଛି ଏବଂ ଆମେ ସେହିପରି କାମ କରିବା ।

photo credit- internet

About ଅସୀମ ବସୁ

ନାଟ୍ୟକାର, ମଞ୍ଚନାଟକ ନିର୍ଦ୍ଦେଶକ ଓ ପ୍ରଚ୍ଛଦପଟ୍ଟଶିଳ୍ପି

Check Also

ଲୋକଧାରା: ବିବିଧ ବିଭାବ

ଲୋକଧାରା ଅଧ୍ୟୟନର ଇତିହାସ ବା ଲୋକ କିଏ ଓ ଲୋକଧାରା କାହାକୁ କହିବା ଆଦି ପ୍ରସଙ୍ଗ ଉପରେ ଚାଲିଥିବା ଶତାବ୍ଦୀ …

Leave a Reply

Your email address will not be published. Required fields are marked *