Home / ସମୀକ୍ଷା / ମାଟିର ସଂସ୍କୃତି ଶ୍ରମ ଆଧାରିତ ସଂସ୍କୃତି

ମାଟିର ସଂସ୍କୃତି ଶ୍ରମ ଆଧାରିତ ସଂସ୍କୃତି

ଏପରି ଏକ ବ୍ୟବସ୍ଥାର ନିର୍ମାଣ ଜରୁରୀ; ଯେଉଁ ବ୍ୟବସ୍ଥା ମଣିଷର ଚେତନ ତଥା ଅବଚେତନ ମନରେ ବି ମଣିଷ, ପ୍ରକୃତି ଓ ଶ୍ରମସଂସ୍କୃତିର ମୂଲ୍ୟବୋଧର ପୃଷ୍ଠପୋଷକତା କରୁଥିବ । ଏହା ଅନବରତ ସାଂସ୍କୃତିକ ବିପ୍ଳବ ଦ୍ୱାରା ହିଁ ସମ୍ଭବ ।

ପ୍ରଶ୍ନ- ମାଟି ଏବଂ ମାଟି ସହିତ ଯୋଡ଼ିହୋଇଥିବାର ସଂସ୍କୃତି ସମ୍ପର୍କରେ କିଛି କହିବେ କି?

ଉ: ପ୍ରଚଳିତ ଧାରାରେ ସଂସ୍କୃତିର ଏକ ଅସମ୍ପୂର୍ଣ୍ଣ ବ୍ୟାଖ୍ୟାନ ପରିଲକ୍ଷିତ ହେଉଛି । ସଂସ୍କୃତି ଓ ସାଂସ୍କୃତିକ ଅଭିବ୍ୟକ୍ତିକୁ ମିଶାମିଶି କରି ଦେଖୁଥିବାରୁ ଏଇ ବିଭ୍ରାନ୍ତର ସୃଷ୍ଟି ।

‘ସଂସ୍କୃତି ଏକ ସାମାଜିକ-ଅର୍ଥନୈତିକ ଓ ରାଜନୈତିକ ଧାରା ଯାହାକି ଉତ୍ତରରୋତ୍ତର ଭାବେ ମଣିଷ ସମାଜକୁ ସ୍ୱଭାବ ଓ ବ୍ୟବହାର୍ଯ୍ୟ ପାଇଁ ମିଳିଥାଏ ।’ ଯେତେବେଳେ ଉପରୋକ୍ତ ଧାରାର ଅଭିବ୍ୟକ୍ତି ହୁଏ ବିଭିନ୍ନ କଳାତ୍ମକ ମାଧ୍ୟମରେ ତେବେ ତାହା ସାଂସ୍କୃତିକ ଅଭିବ୍ୟକ୍ତି ବା କାର୍ଯ୍ୟକ୍ରମ ହିସାବରେ ଜଣାଯାଏ ।

ଯେହେତୁ ମଣିଷର ସୃଷ୍ଟି ଓ ବିଲୟ ମାଟିରେ ହିଁ ନିଶ୍ଚିତ ତେଣୁ ମାଟି ସହିତ ମଣିଷ ସମାଜର ଆର୍ଥିକ ଉତ୍ପାଦନ; ସମାଜରେ ମୁଖ୍ୟଭୂମିକା ନିଏ ଏକ ସଭ୍ୟ ସମାଜର ନିର୍ମାଣ ଦିଗରେ । ଉତ୍ପାଦକ ତତ୍ତ୍ୱ ବା ସୃଷ୍ଟିର ତତ୍ତ୍ୱ ଉପରେ ହିଁ କେନ୍ଦ୍ରିତ ହୁଏ ସେହି ସଭ୍ୟତାର ସଂସ୍କୃତି । ଯେତେବେଳେ ମାଟି ଉତ୍ପାଦନର କେନ୍ଦ୍ରବିନ୍ଦୁ ହୋଇ ରହେ ସେତେବେଳେ ସେଇ ଉତ୍ପାଦନ ଆଧାରିତ ଜୀବନଶୈଳୀ ଏକ ମାଟିର ସଂସ୍କୃତି ହୋଇ ଜନ୍ମନିଏ । ଏଇ ଉତ୍ପାଦନରେ ଲାଗୁଥିବା ଶ୍ରମର ଅଭିବ୍ୟକ୍ତି ହୁଏ ବିଭିନ୍ନ ନାଚ, ଗୀତ ଆଦି କଳାତ୍ମକ ମାଧ୍ୟମରେ ଓ ପରବର୍ତ୍ତୀ ସମୟରେ ଏହା ସେଇ ବିଶିଷ୍ଟ ଅଞ୍ଚଳର ମାଟିର ସଂସ୍କୃତି ପାଲଟିଯାଏ । ମାଟିର ସଂସ୍କୃତିରେ ମାଟି, ଶ୍ରମର ଓ ପାରସ୍ପରିକତାର ମୂଲ୍ୟବୋଧ ସର୍ବୋଚ୍ଚ ଭାବେ ଝଲସୁ ଥାଏ ।

ମଣିଷ ସଭ୍ୟତା ଭିନ୍ନ ଭିନ୍ନ ଘାତ-ପ୍ରତିଘାତ ସୁଖ-ଦୁଃଖ ଦେଇ ଗତି କରୁଥିବା ସମୟରେ ତା ଭିତରେ ଏକ ଧାର୍ମିକ ଆସ୍ଥାର ଆବିର୍ଭାବ ହୁଏ । ସେଇ ଧାର୍ମିକ ଆସ୍ଥା କାଳକ୍ରମେ ଧାର୍ମିକ ବିଶ୍ୱାସ ଓ ଧିରେ ଧିରେ ସେଇ ବିଶ୍ୱାସର ମଧ୍ୟ ପରିପ୍ରକାଶ ପାଏ ବିଭିନ୍ନ ପରମ୍ପରା ରୂପରେ । ଉକ୍ତ ପରମ୍ପରାଗୁଡ଼ିକ ସେଇ ବିଶିଷ୍ଟ ଅଞ୍ଚଳର ସାଂସ୍କୃତିକ ପରିଚୟ ଭାବେ ଜଣାଯାଏ ।

ପ୍ରଶ୍ନ- ଆପଣଙ୍କ ଅଞ୍ଚଳର ସାଂସ୍କୃତିକ ପରିଚୟଗୁଡ଼ିକ କଣ?

ଉ: ଆମ ଅଞ୍ଚଳ (ପଶ୍ଚିମ ଓଡ଼ିଶା)ର ସାଂସ୍କୃତିକ ପରିଚୟରେ ଦେଖିବାକୁ ମିଳେ ନାରୀଶକ୍ତି ପ୍ରତି ଅଗାଢ଼ ଭକ୍ତି ଓ ଶ୍ରଦ୍ଧା । ଏପରି ଏକ ଗ୍ରାମ ପାଇବା ବିରଳ ଯେଉଁ ଗାଁ’ରେ ନାରୀଦେବତା (ଦେବ୍‌ତା) ପୂଜା କରାଯାଏନା । ଆପାତତଃ ସମସ୍ତ ଗ୍ରାମରେ ନାରୀଦେବତା ପୂଜା କରାଯିବାର ଦେଖାଯାଏ । ଏଇ ନାରୀଦେବତାମାନଙ୍କ ସମ୍ପର୍କରେ ଐତିହାସିକ ପ୍ରମାଣ ନଥିଲେ ବି; ନୂଆଖାଇ, ଡାଲଖାଇ, କରମସାନୀ, ଅଅଁଳାତଲ୍‌, ଗୁଚ୍ଛାତଲ, ଆଦି ପାରମ୍ପରିକ ପୂଜାରେ ହିଁ ଏଇ ଅଞ୍ଚଳର ସାଂସ୍କୃତିକ ପରିଚୟ ଲୁଚି ରହିଛି । ଏଇ ଅଞ୍ଚଳରେ ହିଁ ନିର୍ମିତ ବସ୍ତ୍ର ଓ ଏହାର ପରିଧାନ ଶୈଳୀରେ ହିଁ ଆମେ ଏକ ଭିନ୍ନ ସାଂସ୍କୃତିକ ପରିଚୟ ସମ୍ପନ୍ନ ବୋଲି ଜଣାପଡ଼ୁ । ଏହାକୁ ଅନୁଭବ କରିବା ଯେତେ ସହଜ ବ୍ୟାଖ୍ୟା କରିବା ତା ଠାରୁ ଢେର୍ କଷ୍ଟସାଧ୍ୟ । ସାଂସ୍କୃତିକ ପରିଚୟକୁ କିଛିମାତ୍ରାରେ ଅକ୍ଷୁର୍ଣ୍ଣ ରଖିପାରିଛି ଏଠିକାର ଗଣାବାଜା । ଗଣାବାଜା ଏକ ସାମୂହିକ ବାଦ୍ୟ ପରିବେଷଣ କାର୍ଯ୍ୟକ୍ରମ ଯହିଁରେ ତୋଲ, ମହୁରୀ, ଲିସାନ୍ ଓ ତାସା ଏକା ସାଥିରେ ତାଳମୟ ଢଙ୍ଗରେ ବଜାଯାଏ । ଏହି ବାଜାର ବିଶିଷ୍ଟତା ଏହା ଯେ ଏହା ଏକ ବିଶେଷ ସମୁଦାୟ (ଗଣା ସମୁଦାୟ) ଦ୍ୱାରା ସୃଷ୍ଟ ଓ ବାଦ୍ୟ । ଏହି ବାଦ୍ୟର ଆହୁରି ଏକ ବିଶିଷ୍ଟତା ଯେ, ଏହା ଦେବୀ (ନାରୀ ଦେବ୍‌ତା)କୁ ଆବାହବ କରିବା ପାଇଁ ବଜାଯାଏ ।

ଅନ୍ୟ ସାଂସ୍କୃତିକ ପରିଚୟରେ ଢାପ୍‌ନାଚ, ଘୁଡ଼କା ନାଚ, ଝୁମେର ଆଦି ଶ୍ରମ ଓ ଶୃଙ୍ଗାର ସହିତ କେବଳ ଯୋଡ଼ି ହୋଇଥିବା ବେଳେ ଗଣାବାଜା ଧାର୍ମିକ ଓ ସାମାଜିକ ଅନୁଷ୍ଠାନର ମୁଖ୍ୟ ବିନ୍ଦୁ ହୋଇଥାଏ ।

ପ୍ରଶ୍ନ- ମାଟି ଉପରେ ଏବଂ ମାଟି ଉପରେ ଗଢ଼ି ଉଠିଥିବା ସଂସ୍କୃତି ଉପରେ ଆକ୍ରମଣ ଆରମ୍ଭ ହୋଇଛି ବୋଲି କୁହାଯାଉଛି । ଏ ସମ୍ପର୍କରେ ଆପଣଙ୍କ ମତାମତ କ’ଣ?

ଉ: ମାଟିର ସଂସ୍କୃତି ଶ୍ରମ ଆଧାରିତ ସଂସ୍କୃତି ବା ଜୀବନଶୈଳୀ । ଶ୍ରମ ଆଧାରିତ ସଂସ୍କୃତି ଉପରେ ଭାଗ୍ୟବାଦ ସଂସ୍କୃତିର ଆକ୍ରମଣ ଆରମ୍ଭ ହୁଏ । ଶ୍ରମ ଆଧାରିତ ଜୀବନଶୈଳୀର ଉତ୍ପାଦନ ଯେତେବେଳେ ଅଣ ଉତ୍ପାଦକ ସମୂହ ବା ବ୍ୟକ୍ତିର ନିୟନ୍ତ୍ରଣତାକୁ ଚାଲିଆସେ ସେତେବେଳେ ଏହାକୁ ସ୍ଥାୟୀ କରି ରଖିବାକୁ ଭାଗ୍ୟବାଦକୁ ଏକ ଅସ୍ତ୍ର ରୂପେ ବ୍ୟବହାର କରାଯାଏ । ସ୍ୱର୍ଗ-ନର୍କ, ପାପ-ପୁଣ୍ୟ, ପୂର୍ନଜନ୍ମ ଆଦିର ଧାର୍ମିକ ବିଶ୍ୱାସକୁ ଆଧାର କରି ମଣିଷକୁ ଭାଗ୍ୟବାଦୀ କରାଇବାର ଆକ୍ରମଣ ଆରମ୍ଭ ହୁଏ ।

ଆମେ ଏଇ ମାଟିରେ ହିଁ ଦେଖିପାରିବା ଯେ, ଯେଉଁମାନେ ସ୍ୱର୍ଗ-ନର୍କ, ପାପ-ପୁଣ୍ୟ, ପୂର୍ନଜନ୍ମ ଆଦିର ପ୍ରଚାରକ ସେମାନେ ସବୁ ପ୍ରାୟତଃ ଅଣଉତ୍ପାଦକ ଗୋଷ୍ଠି ବା ବ୍ୟକ୍ତି । ସେମାନେ ଶ୍ରମଠାରୁ ଅଲଗା ରହି ନିଜ ସୁବିଧାକୁ ବଜାୟ ରଖିବା ପାଇଁ ଶ୍ରମ ଆଧାରିତ ସଂସ୍କୃତି ଉପରେ ଭାଗ୍ୟ ଆଧାରିତ ବିଚାର ଓ ସଂସ୍କୃତିର ଅନବରତ ଆକ୍ରମଣ କରିଚାଲିଛନ୍ତି । ଉଦାହରଣସ୍ୱରୂପ ଦେଖିବାକୁ ପାଇବା ଯେ, ଯେଉଁମାନେ ଗୋରକ୍ଷା ମିଶନର ପ୍ରତିପାଳନ କିମ୍ବା ପ୍ରଚାରକ ସେମାନେ କେବେବି ଗୋସମ୍ପଦ ଦ୍ୱାରା ଚାଷ କିମ୍ବା ଗୋପାଳନକୁ ନିଜ ବ୍ୟକ୍ତିଗତ ବା ପାରିବାରିକ ଜୀବନରେ ଅନୁସରଣ କରନ୍ତି ନାହିଁ । ସେମାନେ ଗୋପାଳନ ପାଇଁ ଅର୍ଥ ସାହାଯ୍ୟ ଦେଇପାରନ୍ତି । କିନ୍ତୁ ଗୋପାଳନ ଓ କୃଷିକୁ ନିଜ ପରିବାରର ମୁଖ୍ୟ ଜୀବିକାରୂପେ ଗ୍ରହଣ କରନ୍ତି ନାହିଁ ।

ପରବର୍ତ୍ତୀ ସମୟରେ ଉତ୍ପାଦନ ଯେତେବେଳେ ମାଟି ଓ ଶ୍ରମ ଅପେକ୍ଷା ପୁଞ୍ଜି ଆଧାରିତ ହୁଏ ସେତେବେଳେ ମଧ୍ୟ ମାଟି ଉପରେ ଗଢ଼ିଉଠୁଥିବା ସଂସ୍କୃତି ଉପରେ ଆକ୍ରମଣ ହୋଇଥାଏ । ଆଜିର ଯୁଗରେ କେବଳ ଶ୍ରମ ଦ୍ୱାରା ମଣିଷ ନିଜ ମୌଳିକ ଆବଶ୍ୟକତାସବୁକୁ ତୁଲାଇବାରେ ଅକ୍ଷମ ହୋଇପଡ଼ୁଥିବାର ମୁଖ୍ୟ କାରଣ ହେଉଛି ମାଟିର ସଂସ୍କୃତି ଉପରେ ପୁଞ୍ଜିବାଦ ସଂସ୍କୃତିର ଆକ୍ରମଣ । ମଣିଷ ପୁଞ୍ଜି ଦ୍ୱାରା ପୁଞ୍ଜି ସୃଷ୍ଟି କରିବାର ସଂସ୍କୃତି ଆପଣେଇବା ସମୟରେ ମାଟି ସହିତ ଜଡ଼ିତ ଥିବା ସମୁଦାୟ ଓ ଜୈବିକ ସଂସ୍କୃତି ଉପରେ ଭୟାନକ ଆକ୍ରମଣ ହୋଇଚାଲିଛି । ଆଜିର ପ୍ରାକୃତିକ ସଂଶାଧନ ଉପରେ କର୍ପୋରେଟ୍ ଆକ୍ରମଣ ଏହାର ଜ୍ୱଳନ୍ତ ଉଦାହରଣ । ଏକଦା ନାରୀକୁ ସୃଷ୍ଟି ଓ ଶକ୍ତିର ଆଧାର ମାନୁଥିବା ସମାଜରେ ନାରୀ ଦେହକୁ ଭୋଗବିଳାସ ଓ ବଜାରର ସାମଗ୍ରୀ ରୂପେ ବ୍ୟବହାର କରାଯାଉଛି । ମାଟିର ମଣିଷମାନଙ୍କ ସୃଷ୍ଟି ବାଦ୍ୟଯନ୍ତ୍ର ଓ ସାଂସ୍କୃତିକ ପରିବେଷଣ ସମୂହଙ୍କୁ କର୍ପୋରେଟ୍ ପ୍ରଚାରର ମାଧ୍ୟମରୂପେ ବିଭିନ୍ନ ମହୋତ୍ସବମାନ ଆୟୋଜନ କରି ଉକ୍ତ ଆକ୍ରମଣକୁ ସଂସ୍କୃତି ରକ୍ଷଣର ମୁଖା ତଳେ ଲୁଚାଇ ରଖିବାର ବ୍ୟର୍ଥ ଚେଷ୍ଟା କରାଯାଉଛି । ଅନେକ ଜନଗୋଷ୍ଠୀଙ୍କ ନୈସର୍ଗିକ ସଂସ୍କୃତିକୁ ବିକୃତ କରି ଜନମାନସରେ ଏକ ପ୍ରହେଳିକା ସୃଷ୍ଟି କରାଯାଉଛି ।

ପ୍ରଶ୍ନ- ମଣିଷ ମଣିଷ ଭିତରେ ସମ୍ପର୍କ ଦିନକୁ ଦିନ କମି କମି ଯାଉଛି । ଏହାର କାରଣ କ’ଣ ବୋଲି ଆପଣ ଭାବୁଛନ୍ତି?

ଉ: ମଣିଷ ମଣିଷ ଭିତରେ ପ୍ରତିଦ୍ୱନ୍ଦ୍ୱିତା ଆଜିର ନୁହେଁ । ମଣିଷ ସଭ୍ୟତାର ଇତିହାସ ରଚନା ପୂର୍ବରୁ ମଧ୍ୟ ଭିନ୍ନ ଭିନ୍ନ ଗୋଷ୍ଠୀଙ୍କ ମଧ୍ୟରେ ଅନେକ ସମୟରେ କନ୍ଦଳ ଲାଗିଥିବାର ପ୍ରମାଣ ଅଛି । କେତେକ ସମୟରେ ଏହା ରକ୍ତାକ୍ତ ଯୁଦ୍ଧର ବି ରୂପ ନେଇଛି । ଅବଶ୍ୟ ଏସବୁ ସଂଘର୍ଷ ମୁଖ୍ୟତଃ ଜୀବନ ଜୀବିକା ସଂଶାଧନ ଉପରେ ନିଜ ନିଜ ଗୋଷ୍ଠୀର ସୁରକ୍ଷିତ ନିୟନ୍ତ୍ରଣ ପାଇଁ ହେଉଥିଲା । କାଳକ୍ରମେ ଉତ୍ପାଦନର ସଂଶାଧନ ଉପରେ ନିଜର ଅକ୍ତିଆର ଜମାଇବାର ଚେଷ୍ଟାରେ ଏଇ ସଂଘର୍ଷ ଅନୁପ୍ରାଣିତ ହେଲା । ସମୟାନୁସାରେ କିଛି ଲୋକ ବା ଗୋଷ୍ଠୀ ଉକ୍ତ ସଂଶାଧନ ଉପରେ ନିଜ ଆଧିପତ୍ୟ ଜଣାଇଲେ ଓ ଅନେକେ ତଡ଼ା ଖାଇ କୋଣକୁ କୋଣକୁ ଚାଲିଯାଇ କମ୍ ସଂଶାଧନରେ ନିଜ ଗୁଜୁରାଣ ମେଣ୍ଟାଇଲେ । ଏହି ବ୍ୟବସ୍ଥାକୁ ସ୍ଥାୟୀ ରୂପ ଦେବାପାଇଁ ଧର୍ମୀୟ ତଥା ସାମାଜିକ ଅନେକ ଆଇନ ତିଆରି କଲେ । ଯାହାଫଳରେ ଅଧିକାଂଶ ମଣିଷ ନିଜକୁ ଅସୁରକ୍ଷିତ ଅନୁଭବ କଲେ । ଯାହାଫଳରେ ମଣିଷ ମଣିଷ ଭିତରେ ଅସହିଷ୍ଣୁତା, ଅସୁୟା ତଥା ଅବଦମିତ ବିଦ୍ରୋହ ତଥା ଆକ୍ରମଣ କରିବାର ସଂସ୍କୃତି ହିଁ ବଳବତ୍ତର ହେଲା ଓ ଆଜିର ମଣିଷ ସୃଷ୍ଟି ଓ ପ୍ରକୃତିର ଜୈବିକ ସମ୍ପର୍କର ଆଧ୍ୟାତ୍ମିକତାକୁ ଛାଡ଼ି ସୃଷ୍ଟିକୁ କେବଳ ଉତ୍ପାଦନର ଆଧାର ଭାବି ବସିବାର ଭୁଲ୍ କରିଆସୁଛି ।

ପ୍ରଶ୍ନ: ଆମ ମାଟି ଏବଂ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ କ’ଣ କରାଯିବା ଦରକାର ଏବଂ ଏହାକୁ ବଞ୍ଚାଇବାର ଉତ୍ତରଦାୟିତ୍ୱ କାହାର ବୋଲି ଆପଣ ଭାବୁଛନ୍ତି?

ଉ: ମଣିଷ ଏକ ସାଂସ୍କୃତିକ ପ୍ରାଣୀ ଓ ସଂସ୍କୃତି କହିଲେ ସମାଜର ରାଜନୈତିକ-ଅର୍ଥନୈତିକ ଓ ଧର୍ମୀୟ ବ୍ୟବସ୍ଥା ତହିଁରେ ଜଡ଼ିତ । ମଣିଷ-ମଣିଷ ଭିତରେ ପ୍ରେମ ଓ ମଣିଷ ତଥା ସମସ୍ତ ପ୍ରାକୃତିକ ଚରାଚର ପାଇଁ ଅଗାଢ଼ ଶ୍ରଦ୍ଧାର ସଂସ୍କୃତି ବିନା କୌଣସି ସମାଜ ଏକ ସଭ୍ୟସମାଜ ହୋଇ ବଞ୍ôଚପାରିବନି । ତେଣୁ ଏପରି ଏକ ବ୍ୟବସ୍ଥାର ନିର୍ମାଣ ଜରୁରୀ; ଯେଉଁ ବ୍ୟବସ୍ଥା ମଣିଷର ଚେତନ ତଥା ଅବଚେତନ ମନରେ ବି ମଣିଷ, ପ୍ରକୃତି ଓ ଶ୍ରମ ସଂସ୍କୃତିର ମୂଲ୍ୟବୋଧର ପୃଷ୍ଠପୋଷକତା କରୁଥିବ । ଏହା ଅନବରତ ସାଂସ୍କୃତିକ ବିପ୍ଳବ ଦ୍ୱାରା ହିଁ ସମ୍ଭବ । ଏ ଦିଗରେ ପ୍ରାରମ୍ଭିକ ସ୍ତରରେ ସମସ୍ତ ଚେତନାଶୀଳ ବ୍ୟକ୍ତିମାନେ ଦାୟିତ୍ୱ ନେଇ କାର୍ଯ୍ୟ କରିବାର ଅଛି । ସେଇ ଚେତନାଶୀଳ ବ୍ୟକ୍ତି ମୁଁ ଓ ଆପଣ ବି ହୋଇପାରନ୍ତି । ସାଂସ୍କୃତିକ ବିପ୍ଳବ ଆଣିବାକୁ ହିଁ ହେବ । ଅନ୍ୟ କୌଣସି ନିସ୍ତାର ନାହିଁ ।

ସଙ୍ଗୀତ ନିର୍ଦ୍ଦେଶକ, ନାଟ୍ୟ ନିର୍ଦ୍ଦେଶକ ଓ ସାଂସ୍କୃତିକକର୍ମୀ

About ଶଙ୍କର ମହାନନ୍ଦ

ଶଙ୍କର ମହାନନ୍ଦ
ସଙ୍ଗୀତ ନିର୍ଦ୍ଦେଶକ, ନାଟ୍ୟ ନିର୍ଦ୍ଦେଶକ ଓ ସାଂସ୍କୃତିକକର୍ମୀ

Check Also

ଓଡ଼ିଶାରେ ବର୍ଷା ସଂସ୍କୃତି

ଗ୍ରୀଷ୍ମଋତୁର ନିଦାରୁଣ ଖରା ସହି ସହି ଧରିତ୍ରୀମାତା ବିକଳ ହେଉଥାଏ । ତା’ର ଉପର ଚେହେରା ଯେମିତି ଧୂସରବର୍ଣ୍ଣ ଧାରଣ …

Leave a Reply

Your email address will not be published. Required fields are marked *