Home / ସମୀକ୍ଷା / ସଂଗୀତ ସମୀକ୍ଷା / ଭାରତୀୟ ସଙ୍ଗୀତ: ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଓ ସଦ୍ଭାବନାର ଚିରନ୍ତନ ସ୍ରୋତ

ଭାରତୀୟ ସଙ୍ଗୀତ: ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଓ ସଦ୍ଭାବନାର ଚିରନ୍ତନ ସ୍ରୋତ

ଫେବୃୟାରୀ ୬, ୨୦୧୧ଦିନ ରାଜଧାନୀ ଦିଲ୍ଲୀ ସହରର ଜବାହାରଲାଲ ନେହେରୁ ସ୍ମାରକୀ ସଂଗ୍ରହାଳୟ ଓ ପାଠାଗାର ପ୍ରେକ୍ଷାଳୟରେ ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା। ସେଦିନ ମଞ୍ଚ ପ୍ରବେଶ କରିଥିଲେ ଏକାଦଶ ଶ୍ରେଣୀର ଛାତ୍ରୀ ତଇସା ଆଣ୍ଟୋନୀ; ଦୀର୍ଘ ୧୨ବର୍ଷ କାଳ ପ୍ରଖ୍ୟାତ ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ ୟାମିନୀ କ୍ରିଷ୍ଣମୂର୍ତ୍ତିଙ୍କ ଦ୍ୱାରା ତାଲିମ ପାଇବା ପରେ।

ତରୁଣୀ ତଇସାଙ୍କ ଭାରତନାଟ୍ୟମ୍ ନୃତ୍ୟ ଉପସ୍ଥାପନ ଅତି ଚମକ୍ରାର ଥିଲା ଏବଂ ଦର୍ଶକମାନଙ୍କୁ ବେଶ୍ ପ୍ରଭାବିତ କରିପାରି ଥିଲା। ତେବେ ତଇସାଙ୍କ ନୃତ୍ୟ ଓ ସଙ୍ଗୀତ ପ୍ରତି ମନୋଭାବ, ବିଚାର ଓ ଉପସ୍ଥାପନାରେ ବିଚକ୍ଷଣ ଭିନ୍ନତା ଦର୍ଶକମାନଙ୍କ ହୃଦୟକୁ ଜୟ କରିପାରିଥିଲା। ନୃତ୍ୟଆରମ୍ଭରୁ ତଇସାଙ୍କ ସାମ୍ନାରେ ଥିଲେ ତାଙ୍କର  ଦୁଇଟି ପ୍ରେରଣାର ଉତ୍ସ । ଗୋଟିଏ ହେଲେ ହିନ୍ଦୁ ଶାସ୍ତ୍ର ଓ ପରମ୍ପରାରେ ବର୍ଣ୍ଣିତ ସଙ୍ଗୀତ ଓ ସାହିତ୍ୟର ପ୍ରତୀକ ଦେବୀ ସରସ୍ୱତୀ, ଅନ୍ୟଟି ଥିଲେ ତଇସାଙ୍କ ଧାର୍ମିକ ବିଶ୍ୱାସର ପ୍ରତୀକ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଫଟୋଚିତ୍ର। ନୃତ୍ୟ ଶେଷରେ ଘୋଷଣା କରାଯାଇଥିଲା ଯେ ତଇସା ତାଙ୍କର ସାମଗ୍ରିକ ଉପସ୍ଥାପନାକୁ ଭାରତର ଚିରନ୍ତନ ‘ଆତ୍ମା’ ପ୍ରତି ଉତ୍ସର୍ଗ କରିଛନ୍ତି। ଏହି ଚିରନ୍ତନ ଆତ୍ମା ଅନ୍ୟ କିଛିନୁହେଁ ଯାହା ପ୍ରତିନିଧିତ୍ୱ କରିଥାଏ ଭାରତରେ ଅନେକ ବିଶ୍ୱାସର ସହାବସ୍ଥାନକୁ, ଏକାଠି ବଞ୍ôଚବାର ଏକ ବୁଝାମଣାକୁ – ଯେଉଁ ବୁଝାମଣା ପୃଷ୍ଠଭୂମିରେ ଥାଏ ସମର୍ପଣ ଓ ସ୍ୱୀକାର କରିବାର ପରମ୍ପରା।

ନିଜ ସଙ୍ଗୀତ ଜୀବନର ପ୍ରଥମ ଉପସ୍ଥାପନାର ଅବ୍ୟବହିତ ପୂର୍ବରୁ ଦେବୀ ସରସ୍ୱତୀ ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଶୀର୍ବାଦ କାମନା କରି ଜଣେ ଖ୍ରୀଷ୍ଟିୟାନ ଝିଅ ନିଜର ନୃତ୍ୟକଳା ଉପସ୍ଥାପନା କରିବା କଥାଟି ନିଶ୍ଚିତ ଭାବେ ସମସ୍ତଙ୍କ ପାଇଁ ଏକ ବିରଳଦୃଶ୍ୟ ଥିଲା। ତଇସା ଖ୍ରୀଷ୍ଟଧର୍ମର କ୍ୟାଥୋଲିକ୍ ସମ୍ପ୍ରଦାୟର ଏକ ପରିବାରରେ ବଢ଼ିଛନ୍ତି। ନିଜ ଧର୍ମୀୟ ବିଶ୍ୱାସକୁ ନେଇ ମଧ୍ୟ ସେ ଗର୍ବିତ। କିନ୍ତୁ ନିଜ ଗୁରୁ ୟାମିନୀ କ୍ରିଷ୍ଣାମୂର୍ତ୍ତି ଓ ସଙ୍ଗୀତର ଦେବୀ ସରସ୍ୱତୀଙ୍କୁ ନିଜର ଭକ୍ତି ଓ ସମ୍ମାନ ଅର୍ପଣ କଲାବେଳେ, ସେ ନିଜର ଧର୍ମୀୟ ବିଶ୍ୱାସର ଦେବତା ପ୍ରଭୁଯୀଶୁଙ୍କୁ ବି ସାଙ୍ଗରେ ନେବାପାଇଁ ଭୁଲିନାହାନ୍ତି। ଏକଥା ସମସ୍ତେ ଜାଣନ୍ତି ଯେ ଯେକୌଣସି ପୁରାତନ ଭାରତୀୟ ସଙ୍ଗୀତ ଓ ନୃତ୍ୟ ହିନ୍ଦୁ ପୁରାଣଶାସ୍ତ୍ର ଉପରେ ଆଧାରିତ ହୋଇଥାଏ। ସୁତରାଂ, ତଇସାଙ୍କ ଅଧିକାଂଶ ନୃତ୍ୟ ଉପସ୍ଥାପନା ହିନ୍ଦୁ ଧର୍ମଶାସ୍ତ୍ର ଉପରେ ଆଧାରିତ ଥିଲା । ପ୍ରତ୍ୟେକଟି ନୃତ୍ୟ ଉପସ୍ଥାପନାରେ ତଇସାଙ୍କ ସଙ୍ଗୀତ/ ନୃତ୍ୟ ପ୍ରତି ଥିଲା ଗଭୀର ନିଷ୍ଠା ଓ ଆନ୍ତରିକତାର ପ୍ରମାଣ ଯଦିଓ ସବୁ ଚରିତ୍ର ଓ କାହାଣୀ ହିନ୍ଦୁ ପୁରାଣ-ଶାସ୍ତ୍ର ଉପରେ ହିଁ ପର୍ଯ୍ୟବସିତ ହୋଇଥିଲା। କ୍ୟାଥୋଲିକ୍ ଝିଅ ତଇସାଙ୍କ ନିଖୁଣ ଓ ମନଲୋଭା ଅଭିନୟକୁ ପ୍ରେକ୍ଷାଳୟରେ ଥିବା ବିଭିନ୍ନ ଧାର୍ମିକବିଶ୍ୱାସର ଲୋକେ ଅତି ଆଗ୍ରହ, ଆବେଗ ଓ ଆନନ୍ଦର ସହ ଉପଭୋଗ କରିଥିଲେ।

ମନେହୁଏ ଯେ, ଆମ ଜନରାଜ୍ୟର ପ୍ରତିଷ୍ଠା ପରେ ଆମ ମଠ ଓ ମନ୍ଦିରର ଚାରିକାନ୍ଥ ଭିତରେ ଶ୍ୱାସରୁଦ୍ଧ ହୋଇଥିବା ସାଂସ୍କୃତିକ ନୃତ୍ୟ ଓ ପରମ୍ପରାଗୁଡ଼ିକ ଯେମିତି ଅତି ଅବାଧରେ ଦେଶସାରା ବିଚରଣ କରୁଛନ୍ତି। କୌଣସି ଧର୍ମ, ବିଶ୍ୱାସ ବା ଭ୍ରମ ସୃଷ୍ଟି କରୁଥିବା ତଥାକଥିତ ଦ୍ୱନ୍ଦ୍ୱାତ୍ମକ ଉପାଦାନଗୁଡ଼ିକ ସଙ୍ଗୀତର ଜୟଯାତ୍ରାକୁ ଅଟକାଇ ପାରିନାହାନ୍ତି-ଯେଉଁ ସଙ୍ଗୀତ କେବଳ ମଣିଷକୁ ଦେଖେ, ମଣିଷକୁ ଚିହ୍ନେ, ମଣିଷକୁ ସାଙ୍ଗରେ ନିଏ ଏବଂ ମଣିଷ-ମଣିଷର ସମ୍ପର୍କକୁ ଆଧାର କରି ଯୁଗ ଯୁଗ ଧରି ବଂଚିରହେ । ଭାରତୀୟ ନୃତ୍ୟ ଓ ସଙ୍ଗୀତ କେଉଁ ପୃଷ୍ଠଭୂମିରେ ଜନ୍ମ ନେଇଥିଲା ଏବଂ କେମିତି ଆସି ମଠ ଓ ମନ୍ଦିର ଭିତରେ ଅଟକିଗଲା, ତାହା ବିତର୍କ ଓ ଚିନ୍ତନର ବିଷୟବସ୍ତୁ । ତେବେ, ଗଣରାଜ୍ୟର ସ୍ଥାପନା ଯେ ତଥାକଥିତ ପ୍ରତିବନ୍ଧକଗୁଡ଼ିକୁ ଭାଙ୍ଗିଦେଇ ସବୁ ଅଣପାରମ୍ପରିକ କ୍ଷେତ୍ର/ ଧାର୍ମିକ ବିଶ୍ୱାସକୁ ସମ୍ମାନ ଦେଇ ମଣିଷକୁ ଭଲପାଉଥିବା ସବୁ ମଣିଷଙ୍କ ପାଖରେ ପହଞ୍ôଚପାରୁଛି, କ୍ୟାଥୋଲିକ୍ ଝିଅ ତଇସା ତା’ର ଏକ ବଳିଷ୍ଠ ନିଦର୍ଶନ ମାତ୍ର । ଆଜିର ସମୟରେ ଯେଉଁଠି ଧର୍ମ ଓ ଧାର୍ମିକ ସଙ୍କେତଗୁଡ଼ିକୁ ମଣିଷ-ମଣିଷ ଭିତରେ ଘୃଣା ଓ ଭେଦଭାବ ସୃଷ୍ଟି କରିବା ପାଇଁ ବ୍ୟବହାର କରାଯାଉଛି, ତଇସା ଯେ ମଣିଷ ଦ୍ୱାରା ବିଭାଜିତ ଭିନ୍ନ ଦୁଇଟି ଈଶ୍ୱରଙ୍କୁ ମଣିଷର ହୃଦୟ ସହିତ ଜଡ଼ିତ ସଙ୍ଗୀତ ମାଧ୍ୟମରେ ଏକାଠି ଦେଖି ପାରିଛନ୍ତି- ତା’ ଠୁ ବଳି ବଳିଷ୍ଠ ବାର୍ତ୍ତା ଆଉ କ’ଣ ଥାଇପାରେ । ଯେଉଁମାନେ ଧାର୍ମିକ ବିଶ୍ୱାସ ଓ ସଙ୍କେତକୁ ବାହାନା କରି ମଣିଷ ମଣିଷକୁ ବାଣ୍ଟି ଚାଲିଛନ୍ତି,ସେମାନେ କ’ଣ ଏଇ ଛୋଟଭଳି ଦେଖାଯାଉଥିବା ମହାନ୍ ଉଦାହରଣକୁ ଅଣଦେଖା କରିପାରିବେ?

ଏଠି ଆପେ ଆପେ ସ୍ୱାମୀ ବିବେକାନନ୍ଦଙ୍କ କଥା ମନେ ପଡ଼ିଯାଏ, ଯାହାଙ୍କ ୧୫୦ଜନ୍ମ ବାର୍ଷିକୀ ଏବର୍ଷ ସାରାଦେଶରେ ପାଳନ କରାଯାଉଛି । ସ୍ୱାମୀ ବିବେକାନନ୍ଦ ଯେ ବିଶ୍ୱବିଖ୍ୟାତ ବିଦ୍ୱାନ ଥିଲେ ତାହା ନୁହେଁ, ସେ ଭାରତୀୟ ଓ ପାଶ୍ଚାତ୍ୟ ସଙ୍ଗୀତର ପ୍ରଚଣ୍ଡ ଆଭାରୀ ଥିଲେ । ନିଜର ସୁମଧୁର ସ୍ୱର ମାଧ୍ୟମରେ ସେ ସଙ୍ଗରେ ଥିବା ସବୁ ମଣିଷଙ୍କୁ ଗୀତ ଗାଇ ମୁଗ୍ଧ କରିପାରୁଥିଲେ । ଡିସେମ୍ବର ୧୩, ୧୮୯୬ରେ ସେ ଲେଖିଥିଲେ, ‘ସଙ୍ଗୀତ ହେଉଛି ସର୍ବୋଚ୍ଚ କଳା; ଯେଉଁମାନେ ତାକୁ ବୁଝିପାରନ୍ତି, ସେମାନଙ୍କ ପାଇଁ  ସେ (ସଙ୍ଗୀତ) ସର୍ବୋଚ୍ଚ ଉପାସନା’ ଏହି ଯଶସ୍ୱୀ ସନ୍ୟାସୀଜଣକ ଦିନେ କହିଥିଲେ ଯେ, ଆଜି ଭାରତର ଆବଶ୍ୟକତା ହେଉଛି, ଏକ ବେଦାନ୍ତ ଆଧାରିତ ମସ୍ତିଷ୍କ ଓ ମୁସଲିମ ଶରୀର । ସେହି କ୍ରମରେ ମହାତ୍ମାଗାନ୍ଧୀଙ୍କ ଉକ୍ତି ଅତି ପ୍ରାସଙ୍ଗିକ । ତାଙ୍କରି ମତରେ, ଭାରତ ଯେ ସମ୍ପୂର୍ଣ୍ଣ ଏକ ହିନ୍ଦୁରାଷ୍ଟ୍ର, ମୁସଲିମ ରାଷ୍ଟ୍ର ବା ଖ୍ରୀଷ୍ଟିଆନ ରାଷ୍ଟ୍ର ହେବା ସେ ଚାହାନ୍ତି ନାହିଁ, ସେ ଚାହାନ୍ତି ଭାରତ ସମ୍ପୂର୍ଣ୍ଣଭାବେ ଏକ ସହନଶୀଳ ରାଷ୍ଟ୍ର ହେଉ ଯେଉଁଠି ସବୁଧର୍ମ ପରସ୍ପର ସହ ମିଳିତ ସହାବସ୍ଥାନ କରନ୍ତୁ ।

ଦିନେ ଉସ୍ତାଦ୍ ବଡ଼େ ଗୁଲାମ୍ ଅଲ୍ଲୀ ଖାନ୍ ଯାହା କହିଥିଲେ,ତାହା ଅତି ତାତ୍ପର୍ଯ୍ୟପୂର୍ଣ୍ଣ । ଭାରତ ବିଭାଜନ ପରେ ପାକିସ୍ଥାନରେ ରହିବା ପାଇଁ ପାକିସ୍ଥାନ ଯାଇଥିବା ଉସ୍ତାଦ୍ ବଡ଼େ ଗୁଲାମ୍ ଅଲ୍ଲୀ ଖାନ୍ ନିଜ ସଙ୍ଗୀତକୁ ଧର୍ମୀୟବିଶ୍ୱାସ ଭିତରେ କଣ୍ଠରୁଦ୍ଧ ହେବାପାଇଁ ନ ଦେଇ, ଭାରତରେ ସବୁଦିନ ପାଇଁ ରହିବା ପାଇଁ ଫେରି ଆସିଥିଲେ । ନିଜ ଅନୁଭୂତିରୁ ସେ କହିଥିଲେ ଯେ ସେ ଏ ବିଭାଜନକୁ ଗ୍ରହଣ କରନ୍ତିନାହିଁ । ତାଙ୍କ ମତରେ, ‘ଯଦି ପ୍ରତ୍ୟେକଟି ଘରେ, ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ଦିଆଯାଇଥାନ୍ତା, ଏ ଦେଶଟା କଦାପି ବିଭାଜିତ ହୋଇନଥାନ୍ତା (“If in every home one child was taught Hindustani classical music this country would never have been partitioned”).

ସେହିଭଳି ବିଖ୍ୟାତ ସେହନାଇ ବାଦକ ଉସ୍ତାଦ ବିସ୍ମିଲ୍ଲା ଖାଁ ମଧ୍ୟ କିଛି ନିଦର୍ଶନ ଛାଡ଼ିଯାଇଛନ୍ତି । ଜଣେ ଖାଣ୍ଟି ମୁସଲିମ୍ ଧର୍ମବିଶ୍ୱାସୀ ହେଇଥିବା ସତ୍ବେ ସେ କାଶୀର ପ୍ରସିଦ୍ଧ ବିଶ୍ୱନାଥ ମନ୍ଦିର ସାମ୍ନାରେ ଘଣ୍ଟା ଘଣ୍ଟା ଧରି ସେହନାଇ ଅଭ୍ୟାସ କରୁଥିଲେ । ସଙ୍ଗୀତ, ଶାସ୍ତ୍ର, ସାହିତ୍ୟ,ରାଜନୀତି ଓ ଆଧ୍ୟାତ୍ମିକତାର ପ୍ରସିଦ୍ଧି ପାଇଥିବା ମଣିଷମାନଙ୍କଠୁ ଆରମ୍ଭ କରି ତରୁଣୀ ତଇସାଙ୍କ ଯାଏଁ, ଭାରତର ଚିରନ୍ତନ ଆତ୍ମାର ଚିରନ୍ତନ ସ୍ୱରକୁ ଚିହ୍ନିଥିବା ଏହି ମଣିଷମାନେ ହିଁ ସୂଚାଇ ଦିଅନ୍ତି ଯେ, ମଣିଷ ମଣିଷକୁ ଯୋଡ଼ି ପାରୁଥିବା ମୂଲ୍ୟବାନ ଆୟୁଧମାନଙ୍କ ଭିତରେ ଅଛି ସଙ୍ଗୀତ ଯେ ସବୁ ବିଶ୍ୱାସର ଆଢ଼ୁଆଳରେ ଲୁଚି ରହିଥିବା ମଣିଷଟିକୁ ଖୋଜି ବାହାର କରିଥାଏ ଏବଂ ଆଉ ଗୋଟିଏ ମଣିଷ ସାଥିରେ ଯୋଡ଼ି ଦେଇଥାଏ।

ମହାତ୍ମା ଗାନ୍ଧୀ, ସାଧାରଣ ଭାରତୀୟଙ୍କ ଜୀବନଶୈଳୀ ଢାଞ୍ଚାରେ ନିଜର ଜୀବନଶୈଳୀ ତିଆରି କରିଥିଲେ। ବ୍ରିଟିଶ ବିରୋଧରେ ସଂଗ୍ରାମ କଲାବେଳେ ସେ ପଶ୍ଚାତାପର ସହ କହୁଥିଲେ ଯେ, ଆମ ପିଲାମାନଙ୍କ ପାଠ୍ୟକ୍ରମରେ ସଙ୍ଗୀତର ସ୍ଥାନ ନାହିଁ। ସେ ଚାହୁଁଥିଲେ ନିଜ ଜୀବନରେ ତାଳ, ଲୟ ଓ ସମନ୍ୱୟ ଆଣିବା ପାଇଁ ପ୍ରତ୍ୟେକଟି ପିଲା ନାଚ ଓ ଗୀତ ଶିଖିବା ଦରକାର। ଭାରତୀୟମାନଙ୍କ ଜୀବନରୁ ସଙ୍ଗୀତ ହଜିଯିବା କଥାଟି ଗାନ୍ଧିଜୀଙ୍କୁ ବ୍ୟଥିତ କରିଥିଲା।

କେବଳ ପିଲାମାନେ କାହିଁକି, ବୟସ୍କମାନେ ମଧ୍ୟ ଯଦି ସଙ୍ଗୀତ ସାଧନା କରନ୍ତି, ନିଜ ଜୀବନକୁ ସେମାନେ ଅଧିକ ଶୃଙ୍ଖଳିତ, ସନ୍ତୁଳିତ ଓ ସୃଜନଶୀଳ କରିପାରିବେ । ସାଧାରଣ ଜୀବନରେ ସଙ୍ଗୀତର ସ୍ପର୍ଶ ବିନା ଭାରତୀୟମାନେ ସ୍ୱରାଜର ସ୍ୱପ୍ନ ଦେଖି ପାରିବେନି, ଗାନ୍ଧିଜୀ ଭାବୁଥିଲେ । ଗାନ୍ଧିଜୀଙ୍କ ଏହି ବିଚାର ସେ ସମୟରେ ପ୍ରକଟିତ ହେଇଥିଲା, ଯେଉଁ ସମୟରେ ସର୍ବସାଧାରଣରେ ସଙ୍ଗୀତର ପ୍ରସାର ପାଇଁ ସେହିଭଳି କିଛି ସାଂସ୍କୃତିକ ଆନ୍ଦୋଳନର ନଜିର ନଥିଲା।

ପଣ୍ଡିତ ନେହେରୁ ମଧ୍ୟ ନିଜର ଅମର କୃତି ‘ଭାରତର ଆବିଷ୍କାର’ ମାଧ୍ୟମରେ କହିଥିଲେ, ‘ଏ ଦେଶର ସବୁ ସମୁଦାୟ ହିନ୍ଦୁ, ମୁସଲିମ୍, ଖ୍ରୀଷ୍ଟିଆନ, ବୌଦ୍ଧ, ଜୈନ ମିଳିତଭାବେ ସମାନ ସାଂସ୍କୃତିକ ଓ ବୈଶିଷ୍ଟ୍ୟମୂଳକ ଭାବଧାରା ଦେଶସାରା ସୃଷ୍ଟି କରିଥିଲେ। ନେହେରୁଙ୍କ ମତରେ ଯଦି ସମଗ୍ର ଦେଶଟା ବି ଖ୍ରୀଷ୍ଟିଆନ ବା ଇସଲାମ ଧର୍ମରେ ଦୀକ୍ଷିତ ହୋଇଯାଆନ୍ତା, ତଥାପି ବର୍ଷ ବର୍ଷର ଜୀବନ ସଂଗ୍ରାମ ଉପରେ ଆଧାରିତ ଏହି ସମାନ ସାଂସ୍କୃତିକ ଓ ବୈଶିଷ୍ଟ୍ୟମୂଳକ ଭାରତୀୟ ଭାବଧାରା ପ୍ରଭାବିତ ହୋଇନଥାନ୍ତା। ସେହି ସମାନ ଭାରତୀୟ ଭାବଧାରାରେ ପ୍ରତିଷ୍ଠିତ ଭାରତନାଟ୍ୟମ।

ତରୁଣୀ ତଇସାଙ୍କ ଏହି ଶାସ୍ତ୍ରୀୟ ନୃତ୍ୟ ଶିଖିବାର ପ୍ରବୃତ୍ତି ଓ ଇଚ୍ଛା ସେହି ମହାନ ଭାରତୀୟ ଭାବଧାରାରୁ ହିଁ ଜନ୍ମନେଇଛି । ଧାର୍ମିକ ବିଚ୍ଛିନ୍ନତା ଓ ବିଭେଦର ଭ୍ରମ ସୃଷ୍ଟି କରୁଥିବା କଥା ଓ ଚରିତ୍ରଗୁଡ଼ିକୁ ଏଡ଼େଇ ଦେଖିଲେ ଏହି ସାମଗ୍ରିକ ସଂସ୍କୃତିର ଝଲକ ତଇସା ଭଳି ଝିଅ ମାଧ୍ୟମରେ ଦେଖିବାକୁ ମିଳିବ । କିଛିଦିନ ତଳେ, ଭାରତ ଗସ୍ତରେ ଥିଲାବେଳେ ଲଣ୍ଡନର ମେୟର ଶ୍ରୀ ଲଭିଙ୍ଗ-ଷ୍ଟୋନ୍ ଏକ ମନ୍ତବ୍ୟ ଦେଇଥିଲେ ଯାହା ଟାଇମ୍ସ ଅଫ୍ ଇଣ୍ଡିଆ ଖବରକାଗଜରେ ‘ବ୍ରିଟେନ-ଭାରତର ଏକ ଉପନିବେଶ’ ଶିରୋନାମାରେ ପ୍ରକାଶିତ ହେଇଥିଲା । ତାଙ୍କମତରେ ଆର୍ଥିକ ଅଭିବୃଦ୍ଧି ନୁହେଁ, ଭାରତର ସାଂସ୍କୃତିକ ଶକ୍ତି ଯାହାକୁ ଏଯାଏଁ ପାଶ୍ଚାତ୍ୟ ଦେଶମାନେ ଅଣଦେଖା କରିଆସିଛନ୍ତି, ଦିନେ ବିଶ୍ୱକୁ ନେତୃତ୍ୱ ଦେବାରେ ପ୍ରମୁଖ ଭୂମିକା ନିଭାଇବ । ଛୋଟ ଝିଅଟି, ତଇସା ମଞ୍ଚ ପ୍ରବେଶବେଳେ ଯେଉଁ ବଳିଷ୍ଠ ପୃଷ୍ଠଭୂମିଟିଏ ନିର୍ମାଣ କରିଛନ୍ତି, ଯାହା ହିନ୍ଦୁ, ମୁସଲମାନ ଓ ଖ୍ରୀଷ୍ଟିୟ ବିଶ୍ୱାସ ସବୁର ସମାନ ସାଂସ୍କୃତିକ ମୂଲ୍ୟ ଉପରେ ଆଧାରିତ, ଆମ ଦେଶର ଏକତା ଓ ସଂହତିକୁ ଆଗେଇ ନେବାରେ ନିଶ୍ଚୟ ସାହାଯ୍ୟ କରିବ ।

“ଉସ୍ତାଦ୍ ବଡ଼େ ଗୁଲାମ୍ ଅଲ୍ଲୀ ଖାନ୍ କହିଥିଲେ, ‘ଯଦି ପ୍ରତ୍ୟେକଟି ଘରେ, ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ଦିଆଯାଇଥାନ୍ତା, ଏ ଦେଶଟା କଦାପି ବିଭାଜିତ ହୋଇନଥାନ୍ତା।’ ସେହିଭଳି ବିଖ୍ୟାତ ସେହନାଇ ବାଦକ ଉସ୍ତାଦ ବିସ୍ମିଲ୍ଲା ଖାଁ ଜଣେ ଖାଣ୍ଟି ମୁସଲିମ୍ ଧର୍ମବିଶ୍ୱାସୀ ହେଇଥିବା ସତ୍ତେ୍ୱ ସେ କାଶୀର ପ୍ରସିଦ୍ଧ ବିଶ୍ୱନାଥ ମନ୍ଦିର ସାମ୍ନାରେ ଘଣ୍ଟା ଘଣ୍ଟା ଧରି ସେହନାଇ ଅଭ୍ୟାସ କରୁଥିଲେ। ସାଧାରଣ ଜୀବନରେ ସଙ୍ଗୀତର ସ୍ପର୍ଶ ବିନା ଭାରତୀୟମାନେ ସ୍ୱରାଜର ସ୍ୱପ୍ନ ଦେଖି ପାରିବେନି, ଗାନ୍ଧିଜୀ ଭାବୁଥିଲେ।”- ଏମିତି କିଛି ମହାମାନବଙ୍କର ଭାରତୀୟ ସଂସ୍କୃତି ଓ ସଙ୍ଗୀତ ପ୍ରତି ଥିବା ବିଚାରକୁ ଲେଖକ ସତ୍ୟନାରାୟଣ ସାହୁ ଉକ୍ତ ଲେଖାଟିରେ ଉପସ୍ଥାପନ କରିଛନ୍ତି। ତାଙ୍କର ଏହି ପ୍ରୟାସ ଭିତରେ ସଙ୍ଗୀତକୁ ନେଇ ଯେଉଁ ଉଚ୍ଚତର ଚେତନାର ଭାବ ଲୁଚି ରହିଛି ତାହା ପାଠକମାନେ ନିଶ୍ଚୟ ଅନୁଭବ କରିପାରିବେ। ଲେଖାଟି ସମଦୃଷ୍ଟି ପତ୍ରିକା ଦ୍ୱାରା ଭାଷାନ୍ତରିତ ଓ ପ୍ରକାଶିତ ହୋଇଛି।                                                                                              -ସମ୍ପାଦକ

About ସତ୍ୟନାରାୟଣ ସାହୁ

ସତ୍ୟନାରାୟଣ ସାହୁ
କେନ୍ଦ୍ରସରକାରୀ ଅଧିକାରୀ, ପୂର୍ବତନ ରାଷ୍ଟ୍ରପତି ଶ୍ରଯୁକ୍ତ କେ.ଆର୍.ନାରାୟନଙ୍କର ପ୍ରେସ୍ ସଚିବ.

Check Also

ସମ୍ପ୍ରତିକ ସମୟ ଓ ସୁଫି ସଂଗୀତର ମହତ୍ତ୍ୱ

Leave a Reply

Your email address will not be published. Required fields are marked *