Home / ଇତିହାସ / ନାରୀ ଜାଗୃତିର ଅବିସ୍ମରଣୀୟ ସାରଥି – ବାଙ୍କୀ ବୀରାଙ୍ଗନା ଶୁକଦେଇ

ନାରୀ ଜାଗୃତିର ଅବିସ୍ମରଣୀୟ ସାରଥି – ବାଙ୍କୀ ବୀରାଙ୍ଗନା ଶୁକଦେଇ

ବାଙ୍କିର ରାଣୀ ସୁକଦେଈ…ଇତିହାସର ଜଣେ ବୀରାଙ୍ଗନା ନାରୀ ଚରୀତ୍ର । ତାଙ୍କ ସମ୍ପର୍କରେ ଏହି ଲେଖାରେ କିଛି ଘଟଣା ଉପର ଆଲୋକପାତ କରିଛନ୍ତି ଐତିହାସିକ ତଥା ଗବେଷକ ପ୍ରଫେସର କୈଳାସଚନ୍ଦ୍ର ଦାଶ । ଉକ୍ତ ଲେଖାଟି ନାରୀ ଜାଗ୍ରୃତିର ଏକ ଅବିସ୍ମରଣୀୟ ଉଲ୍ଲେଖ। ଲେଖଙ୍କ ଭାଷାରେ…ଉକ୍ରଳ ଦୀପିକା ପୃଷ୍ଠାରେ ସେଦିନର ଏପରି ମନସ୍ୱିନୀ ବୀରାରମଣୀ କିନ୍ତୁ ଆଜି ଏକ ପୁରୁଷପ୍ରଧାନ ସମାଜରେ ଭିନ୍ନରୂପେ ଚିତ୍ରିତ । – ସମ୍ପାଦକ

ଐତିହାସିକମାନଙ୍କର ଦୃଷ୍ଟି ଏପର୍ଯ୍ୟନ୍ତ ଅଷ୍ଟାଦଶ ଶତକର ବାଙ୍କୀ ଗଡ଼ଜାତର ବୀରାଙ୍ଗନା ରାଣୀ ଶୁକଦେଇଙ୍କ ଉପରେ ପଡ଼ିଲାନାହିଁ । ଯେଉଁମାନେ ଏ ବିଷୟରେ ଚର୍ଚ୍ଚା କରିଛନ୍ତି ସେମାନେ ତଥ୍ୟାଶ୍ରିତ ନହୋଇ ଏକପାକ୍ଷିକ ତଥା ଭାବପ୍ରବଣ ଚିତ୍ର ପ୍ରଦାନ କରିଛନ୍ତି । ଓଡ଼ିଶାରେ ନାରୀ ପ୍ରସଙ୍ଗ ଉପରେ ଆବଶ୍ୟକ ଦୃଷ୍ଟି ତଥ୍ୟ ଓ ତର୍କ ମାଧ୍ୟମରେ ଦିଆଯାଇନଥିବାରୁ ଶୁକଦେଇଙ୍କ ପରି ଅନେକେ ଚର୍ଚ୍ଚାର ବଳୟ ବାହାରେ ଅଛନ୍ତି । ତେବେ ଓଡ଼ିଶାର ପ୍ରମୁଖ ତଥା ପ୍ରାଚୀନ ସମ୍ବାଦପତ୍ର ଉକ୍ରଳ ଦୀପିକାରେ ଏ ସମ୍ପର୍କରେ ଯେତିକି କଥା ଉପସ୍ଥାପନ କରାଯାଇଛି ତାହାକୁ ମଧ୍ୟ ଐତିହାସିକମାନେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ।

ଓଡ଼ିଆ ନବ ଜାଗରଣର ଆଦିପର୍ଯ୍ୟାୟରେ ୧୮୮୩ ମସିହାରେ ଉକ୍ରଳ ଦୀପିକାରେ ଅନ୍ତତଃ ଦୁଇଟି କିସ୍ତିରେ ଶୁକଦେଇଙ୍କ ଉପରେ ଯାହା କୁହାଯାଇଛି ତାହାକୁ ବିଚାରକୁ ନେଲେ ଏ କଥା ମଧ୍ୟ ସ୍ୱୀକାର କରିବାକୁ ହେବ ଯେ ପାଶ୍ଚାତ୍ୟ ଶିକ୍ଷାର ପ୍ରବେଶର ବହୁପୂର୍ବେ ଓଡ଼ିଶାରେ ନାରୀମାନେ ମଧ୍ୟ ସମାଜରେ ପୁରୁଷମାନଙ୍କ ପରି ସକ୍ରିୟ ଥିଲେ; ଏପରିକି ସନ୍ଧିକ୍ଷଣରେ ସେମାନଙ୍କର କାର୍ଯ୍ୟ ଯଥେଷ୍ଟ ପ୍ରଶଂସନୀୟ ।

ବାଙ୍କୀ ଗଡ଼ଜାତର ଊନବିଂଶ ରାଜା ଧନୁର୍ଜୟ ଶ୍ରୀଚନ୍ଦନ ମହାପାତ୍ର ୧୭୦୦ଠାରୁ ୧୭୧୫ ପର୍ଯ୍ୟନ୍ତ ରାଜତ୍ୱ କରୁଥିବା ସମୟରେ ଖୋର୍ଦ୍ଧାର ତଦାନୀନ୍ତନ ରାଜାଙ୍କ ସଂଗରେ କୌଣସି ଅଜ୍ଞାତ କାରଣବଶତଃ ମନୋମାଳିନ୍ୟ ହେବାରୁ ଯୁଦ୍ଧ ହୋଇଥିଲା । ଯୁଦ୍ଧରେ ଧନୁର୍ଜୟ ପରାସ୍ତ ହେବା ସଙ୍ଗେ ସଙ୍ଗେ ପଶ୍ଚାତ୍ପଦ ଦେଇ ବାଙ୍କୀର ରଗଡି ଗ୍ରାମରେ ଦ୍ୱିତୀୟ ଯୁଦ୍ଧରେ ପ୍ରାଣ ହରାଇଲେ । ଖୋର୍ଦ୍ଧା ରାଜା ବାଙ୍କୀ ଅଧିକାର ଉଦ୍ଦେଶ୍ୟରେ ଯାତ୍ରା କରି ଗୋପାଳପୁର ଦକ୍ଷିଣବର୍ତ୍ତୀ ପାଟରେ ଶିବିର କରି ରହିଲେ ।

ଏ ଭୟାନକ ସମ୍ବାଦ ରାଣୀ ଶୁକଦେଇଙ୍କ ପାଖରେ ପହଞ୍ôଚଗଲା । ମାତ୍ର ଶୁକଦେଇ ନିଜ ହୃଦୟର ଶୋକାବେଗ ସମ୍ବରଣ କରି ଯୁଦ୍ଧ କରିବାର ଅଭୂତପୂର୍ବ ଇଚ୍ଛା ପ୍ରକାଶ କଲେ । ଏପରିକି ନିଜର ଅଳ୍ପବୟସ୍କ ପୁତ୍ରକୁ ସଙ୍ଗରେ ନେଇ ବୀରରମଣୀ ପରି ଯୁଦ୍ଧକ୍ଷେତ୍ରକୁ ଯିବାକୁ ଉଦ୍ୟତ ହେଲେ । ତାଙ୍କର ଦେବାନ୍ ଯୁଦ୍ଧ ନକରି ସନ୍ଧି କରିବା ପାଇଁ ରାଣୀଙ୍କୁ ପରାର୍ମଶ ଦେଲେ । ଏହି ପରାର୍ମଶକୁ ରାଣୀ ଗ୍ରହଣ ନକରି ଦେବାନ୍ଙ୍କୁ କହିଲେ- “ମୁଁ ନିତାନ୍ତ ନିରୂପାୟରେ ସୁଦ୍ଧା ମୋର ପତିହନ୍ତା ନିକଟରେ ବଶ୍ୟତା ସ୍ୱୀକାର କରିବିନାହିଁ, ଅନୁରୋଧ କରେ କାଳବିଳମ୍ବ ନକରି ଯୁଦ୍ଧର ଆୟୋଜନ କରିବା ହେଉନ୍ତୁ ଏବଂ ଶତ୍ରୁରାଜାଙ୍କୁ ସମ୍ବାଦ ଦିଅନ୍ତୁ ଆସନ୍ତା କାଲି ପୁନର୍ବାର ଯୁଦ୍ଧ ହେବ ।’

ଏଥିରେ ବ୍ୟବର୍ତ୍ତା ବିସ୍ମିତ ହୋଇ ରାଣୀଙ୍କୁ ଏପରି ଦୁଃସାହସ ନ କରିବାକୁ ପରାର୍ମଶ ଦେଲେ । ମାତ୍ର ରାଣୀ ତାଙ୍କ କଥାକୁ ଗ୍ରହଣ ନକରି ନିଜେ ଓ ତାଙ୍କର ଶିଶୁପୁତ୍ର ଦୟାନିଧିଙ୍କୁ ନେଇ ଯୁଦ୍ଧକ୍ଷେତ୍ରକୁ ଯିବାକୁ ଉଦ୍ୟତ ହେଲେ । ନାରୀ ବୀରତ୍ୱ ଦର୍ଶନରେ ବୃଦ୍ଧ ବ୍ୟବର୍ତ୍ତା ପଟ୍ଟନାୟକଙ୍କର ମାନସରେ ସାହସ ସଂଚାର ହେଲା । ସେ ଶତ୍ରୁପକ୍ଷକୁ ସମ୍ବାଦ ଦେଇ ସୈନ୍ୟ ସଂଗ୍ରହ କଲେ । ସମୁଦାୟ ରାତ୍ରି ପରିଶ୍ରମ କରି ଅନେକ କଷ୍ଟରେ କେତେକ ପାଇକ ସଂଗୃହୀତ କଲେ । ରାଣୀ ପ୍ରିୟ ଦୟାନିଧିଙ୍କୁ ଜଣେ ବିଶ୍ୱସ୍ତ ଭୃତ୍ୟ ହସ୍ତରେ ସମର୍ପଣ କରି ପାଇକ ମଣ୍ଡଳରେ ଉପସ୍ଥିତ ହୋଇ କହିଲେ-“ମୁଁ ମୋ ପାଇଁ ବା ବାଳକ ଦୟାନିଧି ପାଇଁ ଯୁଦ୍ଧ କରୁନାହିଁ । ତୁମ୍ଭପାଇଁ, ତୁମ୍ଭମାନଙ୍କ ବାଙ୍କୀ ପାଇଁ ଯୁଦ୍ଧ କରିବାକୁ ପ୍ରସ୍ତୁତ । ଯେଉଁ ବାଙ୍କୀ ସ୍ୱୀୟ ବାହୁବଳରେ ଏତେ ଦିନ ନିଜର ଅକ୍ଷୟ ଯଶ ସଂଚୟ କରିଆସିଅଛି , ଆଜି ତାହା ଆମ୍ଭମାନଙ୍କର ଆଳସ୍ୟରେ, ଭୀରୁତାରେ ନଷ୍ଟ ହୋଇଯିବ । ଅତଏବ ବାରେ ଉତ୍ସାହିତ ହୁଅ, ମନରୁ ଭୀରୁତା ଦୂର କର, ସାହସ ସଂଗ୍ରହ କର, ପିତୃକୂଳର ଅମୂଲ୍ୟ ଯଶୋରାଶି ସ୍ମରଣ କର ।’ ସୈନ୍ୟମାନେ ରାଣୀଙ୍କର ବାଣୀ ଶୁଣି ଅଶ୍ୱାରୋହଣରେ ଉପସ୍ଥିତ ହେବାର ଦେଖି ବିଜୟ ଆଶାରେ ଯୁଦ୍ଧଭୂମିକୁ ଆଗେଇଗଲେ । ଶେଷରେ ଉଭୟ ପକ୍ଷର ଭେଟହେଲା । ଖୋର୍ଦ୍ଧାରାଜା ରାଣୀଙ୍କୁ ଏବଂ ତାଙ୍କର ସ୍ୱଳ୍ପ ପାଇକମାନଙ୍କର ଯୁଦ୍ଧପ୍ରବଣତା ଦେଖି ଉପହାସ କଲେ । ଭୟଙ୍କର ଯୁଦ୍ଧରେ ବାଙ୍କୀ ସୈନ୍ୟ ପଳାୟନ କରିବାକୁ ଉଦ୍ୟମ କଲେ ।

ରାଣୀ ସମସ୍ତ ଉତ୍ସାହପୂର୍ଣ୍ଣ ବାକ୍ୟପରେ ମଧ୍ୟ ପାଇକମାନଙ୍କର ଭୟକୁ ଲକ୍ଷ୍ୟକରି ଏବଂ ସେମାନଙ୍କର ପଳାୟନକୁ ଦେଖି ମାତ୍ର ୧୦/୧୫ ଜଣ ପାଇକମାନଙ୍କୁ ନେଇ ଶତ୍ରୁଦଳ ସମ୍ମୁଖରେ ଉପସ୍ଥିତ ହେଲେ । ଖୋର୍ଦ୍ଧା ସୈନ୍ୟମାନେ ଏହି ଅଭୂତପୂର୍ବ ଦୃଶ୍ୟ ଦେଖି ଏବଂ ରାଣୀଙ୍କର ଅଳ୍ପ କେତେକ ପାଇକ ସାହାଯ୍ୟରେ ଖୋର୍ଦ୍ଧା ରାଜାଙ୍କୁ ଆକ୍ରମଣ କରିବାର ଉପକ୍ରମକୁ ଲକ୍ଷ୍ୟକରି ବୁଦ୍ଧିଶୂନ୍ୟ ହୋଇ ରାଜାଙ୍କୁ ଘେନି ପଳାୟନ କଲେ । ଅନେକ ସୈନ୍ୟ ନିହତ ହେଲେ । ରାଣୀ ଏହି ସୁଯୋଗ ଦର୍ଶନ କରି ନିଜ ପାଇକମାନଙ୍କୁ ସଂଗରେ ଘେନି ଶତ୍ରୁ ଅନୁଧାବନ କଲେ । ସେହି ସମୟରେ ପୂର୍ବରୁ ବାଙ୍କୀରାଜାଙ୍କ ପ୍ରାର୍ଥନା ଅନୁସାରେ ବଡ଼ମ୍ବାରୁ ଆସିଥିବା ସୈନ୍ୟମାନେ ରାଣୀ ସଂଗରେ ଯୋଗଦେଲେ । ଉଭୟ ପକ୍ଷର ସୈନ୍ୟ ତୁଳସୀପୁର କିମ୍ବା କଳାପଥରଠାରେ ମିଳିତ ହୋଇ ଭୟଙ୍କର ଯୁଦ୍ଧ କଲେ । ଶେଷରେ ଖୋର୍ଦ୍ଧା ରାଜା ଅନନ୍ୟୋପାୟ ହୋଇ ଭଙ୍ଗ ଦେଲେ । ଅନେକ ସୈନ୍ୟ ନିହତହେଲେ । ରାଜା ପଳାଇବାକୁ ଅନେକ ଚେଷ୍ଟା କଲେ । ମାତ୍ର ବ୍ୟୁହ ଭେଦ କରିପାରିଲେ ନାହିଁ । କେତେକ ଜଣ ଅନୁଚର ସଂଗତରେ ବନ୍ଦୀ ହେଲେ ।

ରାଣୀ ଶୁକଦେଇ ନିଜ ସୌଜନ୍ୟଗୁଣରେ ରାଜାଙ୍କୁ ଅତ୍ୟନ୍ତ ମାନ୍ୟର ସହିତ ବିଦାୟ ଦେବାରୁ ରାଜା ସନ୍ଧି ପ୍ରସ୍ତାବ ସହିତ ବାଙ୍କୀକୁ ସମୁଦାୟ କୁଶପଲ୍ଲା ପ୍ରଗଣା ପ୍ରଦାନ କଲେ । ରାଣୀ କିଛି ବର୍ଷ ପୁତ୍ର ଦୟାନିଧିଙ୍କର ପ୍ରତିଭୁ ହୋଇ ରାଜକାର୍ଯ୍ୟ କରିଥିଲେ । କୁହାଯାଏ ଶୁକଦେଇ ରାଣୀ ସୁଶିକ୍ଷିତା ଥିଲେ । କେହିକେହି ତାଙ୍କୁ ବୌଦ୍ଧ ରାଜବଂଶୀୟ, କେହିକେହି ତାଙ୍କୁ ନୂଆଗଡ଼ ରାଜବଂଶୀୟ ବୋଲି ମତ ଦେଇଥାଆନ୍ତି । ଆଜିଯାଏ ବାଙ୍କୀର ପ୍ରାଚୀନ କଣ୍ଠ ଏହାଙ୍କର ବର୍ଣ୍ଣିତ ଯଶୋରାଶି ଗାନ କରୁଅଛି । ସେଦିନ ଉକ୍ରଳ ଦୀପିକାର ଏପ୍ରିଲ ୭, ୧୮୮୩ ସଂଖ୍ୟାରେ ଏହି ପ୍ରସଙ୍ଗର ମୂଲ୍ୟାୟନ କରାଯାଇ ମତ ଦିଆଯାଇଥିଲା-“ହେ ଉକ୍ରଳ! କହିପାରୁ ନାହିଁ, ରାଣୀ ଦୁର୍ଗାବତୀ, ଭୀମସିଂ ଗୃହିଣୀ ପଦ୍ମିନୀ ଝାନ୍ସୀ ରାଣୀ ଲକ୍ଷ୍ମୀବାଇ ପ୍ରଭୃତି ବୀରାଙ୍ଗନା ମାନଙ୍କର ଅଦ୍ଭୁତ ଚରିତ ତୁମ୍ଭ ମାନସରେ ଅଦ୍ଭୁତ ସାହସ ପ୍ରଦାନ କରେ ଏବଂ ମନରେ ସ୍ଥିର କରି ନିଶ୍ଚୟ ନାରୀଜାତିର ଦୁରବସ୍ଥା ବିମୋଚନ କରିବ । ଅବଶ୍ୟ ସ୍ୱୀକାର୍ଯ୍ୟ ଶୁକଦେୟୀ ସାନ୍ତାଣୀ ଉକ୍ତ ବୀରାଙ୍ଗନାମାନଙ୍କର ସମସ୍ଥାନୀୟ ନୁହନ୍ତି । ତେବେ ଏହି ସାମାନ୍ୟ ସ୍ୱଳ୍ପାୟତନ ରାଜ୍ୟକିର୍ତ୍ତୀ ଓଡିୟାଣୀ ରାଣୀ ଶୁକଦେୟୀ ସାନ୍ତାଣୀଙ୍କର ପବିତ୍ର ଚରିତ ତୁମ୍ଭମନକୁ କିଞ୍ଚିତ ମାତ୍ର ଗୌରବାନ୍ୱିତ କରାଏ ତେବେ ମୁଁ ମୋର ଉପହାରକୁ ଅମୂଲ ଜ୍ଞାନ କରିବି ।’

ଉକ୍ରଳ ଦୀପିକା ପୃଷ୍ଠାରେ ସେଦିନର ଏପରି ମନସ୍ୱିନୀ ବୀରାରମଣୀ କିନ୍ତୁ ଆଜି ଏକ ପୁରୁଷପ୍ରଧାନ ସମାଜରେ ଭିନ୍ନରୂପେ ଚିତ୍ରିତ । ଜଣେ ବିଖ୍ୟାତ ଓଡ଼ିଆ ଚକ୍ରଧର ମହାପାତ୍ର ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ଓଡ଼ିଶା ଇତିହାସର ଏକ ଅଜ୍ଞାତ ଅଧ୍ୟାୟ'(ପୃଷ୍ଠା-୧୬୬)ରେ ଖୋର୍ଦ୍ଧା ରାଜା ଗୋପୀନାଥ ଦେବଙ୍କ କାଳର ଚିତ୍ର ଦେବା ସମୟରେ ଲେଖିଥିଲେ-“ବାଙ୍କୀର ପରମାସୁନ୍ଦରୀ ଯୁବତୀ ରାଣୀ ଶୁକଦେଇ ଥରେ ଜଗନ୍ନାଥ ଦର୍ଶନରେ ଆସିଥିଲେ । ଗୋପୀନାଥ ତାଙ୍କୁ ଦେଖି କାମାର୍ତ୍ତ ହେଲେ । କିନ୍ତୁ ଉଆସକୁ ଡକାଇ ନେଇ ଏହା ଲାଭ କରିବାରେ ସମର୍ଥ ନହୋଇ କୁଶପଲ୍ଲା ନିକଟସ୍ଥ ବାଙ୍କୀ ରାଜ୍ୟର ତାଳବସ୍ତ ପ୍ରଗଣା ଜବରଦସ୍ତି ଦଖଲ କରିନେଲେ । ବାଙ୍କୀ ରାଜା ତ୍ରୈଲୋକ୍ୟ ହରିଚନ୍ଦନ ଖୋର୍ଦ୍ଧା ରାଜାଙ୍କର ସାମନ୍ତ ରାଜାଥିବାରୁ ପ୍ରତିବାଦ ଜଣାଇଲେ ।

କିନ୍ତୁ ଗୋପୀନାଥ ଚାହୁଁଚାହୁଁ ଆଉ ଦୁଇ ତନିଗୋଟି ପ୍ରଗଣା ଦଖଲ କରିନେଲେ । ବାଙ୍କୀର ଯୁବକ ରାଜା ତାଙ୍କର ବନ୍ଧୁ ରାଷ୍ଟ୍ରଙ୍କୁ ଏକଥା ଜଣାଇ ଯୁଦ୍ଧ ଘୋଷଣା କଲେ । କିନ୍ତୁ ଯୁଦ୍ଧରେ ତାଙ୍କର ମୃତ୍ୟୁ ହେଲା । ରାଣୀ ଶୁକଦେଇ ନିଜର ଶିଶୁପୁତ୍ରକୁ ଘେନି ଅଶ୍ୱାରୋହଣରେ ଖୋର୍ଦ୍ଧାରାଜା ଗୋପୀନାଥଙ୍କୁ ଆକ୍ରମଣ କଲେ । ରୂପସୀକୁ ଦେଖୁଦେଖୁ ଗୋପୀନାଥ ଅଶ୍ୱପୃଷ୍ଠରୁ ଟଳିପଡ଼ିଲେ । ଫଳରେ ବନ୍ଦୀ ଅବସ୍ଥାରେ ବାଙ୍କୀ ରାଜଧାନୀକୁ ଅଣାହେଲେ । ଗୋପୀନାଥଙ୍କୁ ହତ୍ୟା ନକରି ଭର୍ତ୍ସନା ଦେଇ ରାଣୀ ବିଦା କରିଦେଲେ। ବାଙ୍କୀର ପ୍ରଗଣାମାନ ପୁଣି ବାଙ୍କୀକୁ ଫେରିଆସିଲା ।’

ମହାପାତ୍ରଙ୍କର ଏପରି ବର୍ଣ୍ଣନା ଉକ୍ରଳ ଦୀପିକାରେ ଦେଖିବାକୁ ମିଳେନାହିଁ । ମହାପାତ୍ର ନିଜେ ଉକ୍ରଳ ଦୀପିକାର ୧୮୭୨ ସଂଖ୍ୟାରୁ ଏପରି ସୂଚନା ପାଇଥିବାର ମତ ଦେଇଛନ୍ତି । କିନ୍ତୁ ୧୮୮୩ ମସିହାର ଉକ୍ରଳ ଦୀପିକାରେ ରାଣୀ ଶୁକଦେଇ ପ୍ରସଙ୍ଗର ବର୍ଣ୍ଣନା ରହିଛି । ତାହା ମଧ୍ୟ ମହାପାତ୍ରଙ୍କର ପ୍ରଦତ୍ତ ଚିତ୍ରଠାରୁ ବହୁଭିନ୍ନ । ଅନ୍ୟପକ୍ଷରେ ମହାପାତ୍ରଙ୍କର ରାଣୀ ଶୁକଦେଇ ପ୍ରସଙ୍ଗରେ କଳ୍ପନାର ରଙ୍ଗ ବେଶ୍ ବାରି ହୋଇଯାଏ । ବାସ୍ତବତଃ ରାଣୀଙ୍କର ଅଭୂତପୂର୍ବ ସାହସ ଏବଂ ଯୁଦ୍ଧଖୋର ମନର ପରିଚୟ ଅପେକ୍ଷା ରୂପସୀ ଶୁକଦେଇଙ୍କର ଯୁଦ୍ଧଜୟ ମହାପାତ୍ରଙ୍କର କଳ୍ପିତ ଭାବନା ମାତ୍ର ।

ଏହାର କୌଣସି ପ୍ରମାଣ ସେ ଦେଇପାରିନାହାନ୍ତି; ଅନ୍ୟପକ୍ଷରେ ଏହି ବିବରଣୀ ତଥ୍ୟାଶ୍ରିତ ନହୋଇ କଳ୍ପନାର ରଙ୍ଗରେ ରଂଜିତ ହୋଇଯାଇଛି । ଇତିହାସର ଦୃଷ୍ଟି ସତ୍ୟାଶ୍ରିତ ଏବଂ ତଥ୍ୟାଶ୍ରିତ; ଏଥିରେ କଳ୍ପନାର ରାଜତ୍ୱ ଏହାକୁ ଏକ ରୋମାଞ୍ଚକର ଉପନ୍ୟାସର ରୂପ ଦେଇପାରେ । ଅତୀତର ଘଟଣା ପ୍ରେରଣାଦାୟକ । କଳ୍ପନାର ଆଶ୍ରୟନେଇ ଏହାକୁ ଶିକ୍ଷଣୀୟ କରାଯାଇପାରେ । କିନ୍ତୁ କଳ୍ପନା ଲଗାମଛଡ଼ା ହେଲେ ଇତିହାସ ବିକୃତ ହୋଇଯାଏ ।  ସମାଜ ପରିବର୍ତ୍ତନରେ ଇତିହାସର ଭୂମିକା ରହିଛି । ତେଣୁ ଶୁକଦେଇ ପ୍ରସଙ୍ଗକୁ ତଥ୍ୟାଶ୍ରିତ କରିବା ଆବଶ୍ୟକ । ଏଥିରେ କଳ୍ପନାର  ଅନାବଶ୍ୟକ ପ୍ରଲେପ ସମାଜ ପାଇଁ ହାନିକାରକ । ତାହା ସତ୍ତେ୍ୱ ଉକ୍ରଳ ଦୀପିକାରେ ବର୍ଣ୍ଣିତ ବୀରାଙ୍ଗନା ଶୁକଦେଇ ପ୍ରସଙ୍ଗ ନାରୀ ଜାଗୃତିର ଏକ ଅବିସ୍ମରଣୀୟ ଅଧ୍ୟାୟ ।

ସୌଜନ୍ୟ – ସମଦୃଷ୍ଟି  ୧-୧୫ ମାର୍ଚ୍ଚ ୨୦୧୫

Photo credit – internet

About ପ୍ରଫେସର କୈଳାସ ଚନ୍ଦ୍ର ଦାଶ

ପ୍ରଫେସର କୈଳାସ ଚନ୍ଦ୍ର ଦାଶ
ଇତିହାସ ବିଭାଗର ପ୍ରଫେସର, ଗବେଷକ

Check Also

(ଅତୀତରୁ ପୋଷ୍ଟକାର୍ଡ) ହୀରାନାନୀ ଉପାଖ୍ୟାନ

ଶ୍ରୀମତୀ ସୀତାଦେବୀ ଖାଡେଙ୍ଗାଙ୍କର ଆତ୍ମଜୀବନୀ ମୋର ଜୀବନ ସ୍ମୃତିରୁ ସଂଗୃହିତ ବିଂଶ ଶତାବ୍ଦୀର ଆରମ୍ଭର କଥା ଇଏ। ପ୍ରସିଦ୍ଧ ଲେଖିକାସୀତାଦେବୀ …

Leave a Reply

Your email address will not be published. Required fields are marked *