Home / ବ୍ୟକ୍ତି ଓ ବ୍ୟକ୍ତିତ୍ୱ / ଅଭିଭାଷଣ / ‘କଳାକାରର ଇଲାକା ହେଉଛି ତାର କଳାକୃତି’ (‘Artist’ s domain is his work’)

‘କଳାକାରର ଇଲାକା ହେଉଛି ତାର କଳାକୃତି’ (‘Artist’ s domain is his work’)

ବକ୍ତା: ବଲରାଜ ସାହନୀ

ଏହିବର୍ଷ ମୋ ନିଜ ରାଜ୍ୟ ମୋତେ ଗୁରୁ ନାନକ ବିଶ୍ୱବିଦ୍ୟାଳୟର ସିନେଟକୁ ମନୋନୀତ କରି ମୋତେ ସମ୍ମାନିତ କରିଛି । ଯେତେବେଳେ ଏହାର ପ୍ରଥମ ବୈଠକରେ ମୋତେ ଯୋଗ ଦେବାପାଇଁ ନିମନ୍ତ୍ରଣ ଆସିଲା, ସେତେବେଳେ ମୁଁ ପଂଜାବରେ ହିଁ ଥିଲି, ଆମର ମହାନ ଲେଖକ ଏସ୍ ଗୁରୁବକ୍ସ ସିଂହଙ୍କ ଦ୍ୱାରା ସ୍ଥାପିତ ସାଂସ୍କୃତିକ କେନ୍ଦ୍ର ପ୍ରୀତନଗରର ଆଖପାଖ ଗାଁରେ ବୁଲୁଥିଲି । ସନ୍ଧ୍ୟାବେଳେ ବସି ଗପସପ କରିବା ଅବସରରେ ମୁଁ ମୋର ସେହି ଗ୍ରାମୀଣ ବନ୍ଧୁମାନଙ୍କୁ କହିଲି ଯେ ମୁଁ ଆସନ୍ତାକାଲି ଅମୃତସର ଯାଉଛି ଏହି ବୈଠକରେ ଯୋଗ ଦେବାପାଇଁ ।

ଯଦି କେହି ମୋ ଗାଡ଼ିରେ ଯିବାକୁ ଚାହାନ୍ତି ତାହାହେଲେ ସେମାନେ ଆସିପାରନ୍ତି । ଏହା ଶୁଣି ସେଠି ବସିଥିବା ଜଣେ କହିଲା, “ଏଠି ତୁମେ ଆମ ଭିତରେ କୃଷକ ଭଳି ‘ତେହମତ୍-କୁର୍ତ୍ତା’ ପିନ୍ଧି ବିଚରଣ କରୁଛ । କିନ୍ତୁ କାଲି ତୁମେ ସୁଟ ପିନ୍ଧିବ ଓ ସାହେବ ବାହାଦୁର ହୋଇଯିବ ।” ମୁଁ ହସି ପଚାରିଲି, “କାହିଁକି? ଯଦି ତୁମେ ଚାହଁ ତାହାହେଲେ ମୁଁ ଏହି ପୋଷାକରେ ଯିବି ।”

ଆଉ ଜଣେ କହିଲା, “ତୁମେ କଦାପି ଏପରି କରିବାକୁ ସାହସ କରିବ ନାହିଁ ।” “ଆମ ସରପଂଚ ସାହେବଙ୍କୁ ଯେତେବେଳେ ଅଫିସ କାର୍ଯ୍ୟରେ ସହରକୁ ଯିବାକୁ ପଡେ ସେତେବେଳେ ସେ ‘ତେହମତ୍’ ଓହ୍ଲାଇ ଦେଇ ପ୍ୟାଣ୍ଟ ପିନ୍ଧି ଯାଇଥାନ୍ତି । ଏହା ତାଙ୍କୁ କରିବାକୁ ପଡ଼େ । ତା’ନହେଲେ ତାଙ୍କୁ କେହି ଖାତିର କରେ ନା । ତୁମେ କିପରି କୃଷକ ପୋଷାକରେ ଏତେ ବଡ଼ ବିଶ୍ୱବିଦ୍ୟାଳୟକୁ ଯିବ?” ସେନାର ଜଣେ ଯବାନ, ଯିଏ ଗାଁକୁ ଛୁଟିରେ ଆସିଥିଲା, ବିଲରେ ବୁଣାବୁଣି ପାଇଁ, କହିଲା, “ଆମ ସରପଂଚ ହେଉଛନ୍ତି ଭୀରୁ । ସହରରେ ଆଜିକାଲି ଝିଅ ମଧ୍ୟ ଲୁଙ୍ଗି ପିନ୍ଧି ବୁଲୁଛନ୍ତି । କାହିଁକି ତାଙ୍କୁ ଖାତିର କରିବେ ନାହିଁ?”

ଏହିଭଳି ଗପସପ ଚାଲିଲା । ଏବଂ ସତେ ଯେପରି ଏମାନଙ୍କର ଆହ୍ୱାନକୁ ଗ୍ରହଣ କରି ମୁଁ ସିନେଟ ବୈଠକରେ ଉପସ୍ଥିତ ହେଲି ‘ତେହମତ୍-କୁର୍ତ୍ତା’ ପୋଷାକରେ । ଏହାଦ୍ୱାରା ଯେପରି ଚହଳ ସୃଷ୍ଟି ହେଲା, ତାହା ମୋର ଚିନ୍ତାର ବାହାରେ ଥିଲା । ଜଣେ ଅଫିସର, ବୋଧହୁଏ ପ୍ରଫେସର, ଯିଏ ପ୍ରବେଶ ଦ୍ୱାରରେ ଠିଆ ହୋଇ ଗାଉନ ବିତରଣ କରୁଥିଲେ, ସେ ମତେ ସହସା ଚିହ୍ନିପାରିଲେ ନାହିଁ । ଯେତେବେଳେ ସେ ଚିହ୍ନିଲେ ସେ ତାଙ୍କର ଆମୋଦକୁ ଲୁଚାଇ ପାରିଲେ ନାହିଁ ।

ମୋ କାନ୍ଧରେ ଗାଉନକୁ ଥୋଉ ଥୋଉ କହିଲେ, “ଶ୍ରୀଯୁକ୍ତ ସାହନୀ, ଆପଣ ‘ତେହମତ୍’ ସହ ଜୋତା ନୁହଁ ‘ଖୋସା ‘(ପାରମ୍ପରିକ ପଂଜାବୀ ଜୁତି) ପିନ୍ଧିବା ଉଚିତ ଥିଲା ।” ମୁଁ କ୍ଷମା ମାଗି ନେଇ କହିଲି, “ଆଗକୁ ମୁଁ ସଚେତନ ହେବି ।” କିନ୍ତୁ ଏହା କହିସାରିବା ପରେ ମୁଁ ନିଜକୁ ପଚାରିଲି ଜଣେ ପ୍ରଫେସର ପକ୍ଷରେ ମୋର ପୋଷାକ ଉପରେ ମନ୍ତବ୍ୟ କରିବା କ’ଣ ଅଶାଳୀନ ବ୍ୟବହାର ନୁହେଁ? ମୁଁ କାହିଁକି ତାଙ୍କୁ ସେହି ସମୟରେ ଏହା ଜଣାଇଦେଲି ନାହିଁ? ମୋର ଏହି ମାନ୍ଦାବୁଦ୍ଧି ପାଇଁ ମୁଁ ମୋ ଉପରେ ବିରକ୍ତ ହେଉଥିଲି ।

ବୈଠକ ପରେ ଆମେ ଗଲୁ ଛାତ୍ରମାନଙ୍କୁ ଭେଟିବାକୁ । ସେମାନେ ଆହୁରି ଅଧିକ ଆମୋଦିତ ହେଉଥିଲେ ଓ ବେଶ୍ ପ୍ରଗଳଭ ମଧ୍ୟ ହେଉଥିଲେ । ସେମାନଙ୍କ ଭିତରୁ ଅନେକେ ହସ ସମ୍ବରଣ କରିପାରୁ ନ ଥିଲେ, ଏହା ଦେଖି ଯେ ମୁଁ ‘ତେହମତ୍’ ସହିତ ଜୋତା ପିନ୍ଧିଛି । ସେମାନେ ଯେ ପ୍ୟାଣ୍ଟ ସହ ଚପ୍ପଲ ପିନ୍ଧିଛନ୍ତି, ଏହା ତାଙ୍କୁ ଅଡୁଆ ଲାଗୁ ନଥାଏ ।

ଆପଣମାନେ ନିଶ୍ଚିତ ବିସ୍ମିତ ହେଉଥିବେ ଯେ କାହିଁକି ମୁଁ ଏହିଭଳି ଏକ ସାଧାରଣ ବିଷୟର ବର୍ଣ୍ଣନା କରି ଆପଣମାନଙ୍କର ସମୟ ନଷ୍ଟ କରୁଛି । କିନ୍ତୁ ଏହାକୁ ପଂଜାବୀ କୃଷକର ଦୃଷ୍ଟିରେ ଦେଖାଯାଉ । ସବୁଜ ବିପ୍ଳବକୁ ଅବଦାନ ପାଇଁ ତାର ପ୍ରଶଂସାରେ ଆମେ ବେଶ୍ ମୁଖରା ସେ ଆମର ସୈନ୍ୟବାହିନୀର ହେଉଛି ମେରୁଦଣ୍ଡ । ସେ କିପରି ଅନୁଭବ କରୁଥିବ ଯେତେବେଳେ ତାର ପୋଷାକ ବା ତାର ଜୀବନଚର୍ଯ୍ୟା ହେଉଛି ଏକ କୌତୁକର ବିଷୟ?

ଏହା ପଂଜାବରେ ବେଶ୍ ଜଣା-ଶୁଣା କଥା ଯେ ଯେଉଁ ସମୟରେ ଗାଁ ପିଲା କଲେଜ ଶିକ୍ଷା ପାଏ, ସେ ଗାଁ ପ୍ରତି ଉଦାସୀନ ହୋଇଯାଏ । ସେ ନିଜକୁ ଉଚ୍ଚତର ଓ ଭିନ୍ନ ଭାବେ, ସତେ ଯେପରି ସେ ଏକ ଭିନ୍ନ ଦୁନିଆର । ତାର ଏକମାତ୍ର ଆକାଂକ୍ଷା ଯେ ସେ କିପରି ଗାଁ ଛାଡ଼ି ସହରକୁ ପଳାଇବ । ଏହା କଣ ଆମର ଶୈକ୍ଷିକ ଦୁନିଆ ଉପରେ ଏକ ଅପବାଦ ନୁହଁ?

ମୁଁ ମାନୁଛି ସବୁ ଅଂଚଳ ଏକାଭଳି ନୁହେଁ । ମୁଁ ଭଲ ଭାବରେ ଜାଣେ ଯେ ତାମିଲନାଡୁ ବା ବଂଗଳାରେ ନିଜ ପାରମ୍ପରିକ ପୋଷାକ ପ୍ରତି କୌଣସି ହୀନମନ୍ୟତା ଦେଖାଯାଏ ନାହିଁ । ଯେ କୌଣସି ବ୍ୟକ୍ତି ସେ ଚାଷୀ ହେଉ ବା ପ୍ରଫେସର, ଧୋତି ପିନ୍ଧି ଯେକୌଣସି ସ୍ଥାନକୁ ଯାଇପାରେ । କିନ୍ତୁ ମୁଁ ନିବେଦନପୂର୍ବକ କହିବି ଯେ ଏଠି ମଧ୍ୟ ଧାର କରା ଚିନ୍ତା ଭାବନାର ଅଭ୍ୟାସ ଅବ୍ୟାହତ ରହିଛି । ଏହା ସବୁଠାରେ ରହିଛି, କୌଣସି ନା କୌଣସି ଆକାରରେ, କମ ବେଶୀ ପରିମାଣରେ । ସ୍ୱାଧୀନତାର ୨୫ବର୍ଷପରେ ଆମେ ମହା ଆନନ୍ଦରେ ସେହି ଶିକ୍ଷା ବ୍ୟବସ୍ଥାକୁ କାଏମ ରଖିଛୁ ଯାହା କିରାଣି ଓ ମାନସିକ ଗୋଲାମ ତିଆରି କରିବାପାଇଁ ମାକ୍ଲେ ଓ ତାଙ୍କର ସହଯୋଗୀ ମାନେ ପ୍ରସ୍ତୁତ କରିଥିଲେ ।

ଏପରି ଗୋଲାମ ଯେଉଁମାନେ ସେମାନଙ୍କର ବ୍ରିଟିଶ ମୁନିବଙ୍କ ସମ୍ପର୍କରେ ସ୍ୱାଧୀନ ଭାବରେ ଚିନ୍ତା କରିବା ପାଇଁ ଅସମର୍ଥ ହେଉଥିବେ; ଏପରି ଗୋଲାମ ଯେଉଁମାନେ ସେମାନଙ୍କର ମୁନିବର ସବୁକିଛିକୁ ପ୍ରଶଂସା କରୁଥିବେ, ଭିତରେ ଭିତରେ ଘୃଣା କରୁଥିଲେ ମଧ୍ୟ; ଏପରି ଗୋଲାମ ଯେଉଁ ମାନେ ସେମାନଙ୍କର ମୁନିବ ପାଖରେ ଠିଆହେବା, ମୁନିବର ଭାଷା କହିବା, ମୁନିବର ପୋଷାକ ଭଳି ପୋଷାକ ପିନ୍ଧିବା, ମୁନିବ ଭଳି ନୃତ୍ୟ କରିବା ଓ ଗୀତ ବୋଲିବା ଦ୍ୱାରା ନିଜକୁ ଧନ୍ୟ ମନେ କରୁଥିବେ; ଏପରି ଗୋଲାମ ଯେଉଁମାନେ ନିଜ ଲୋକଙ୍କୁ ଘୃଣା କରୁଥିବେ ଅଥଚ ନିଜ ଲୋକଙ୍କ ଭିତରେ ଘୃଣାର ପ୍ରସାର ପାଇଁ ବ୍ୟବହାରରେ ଲାଗୁଥିବେ । ଏହିଭଳି ଶିକ୍ଷାବ୍ୟବସ୍ଥା ଉପରେ ଯଦି ବିଶ୍ୱବିଦ୍ୟାଳୟମାନଙ୍କରେ ସଂଖ୍ୟାଗରିଷ୍ଠ ଛାତ୍ର ସେମାନଙ୍କର ଆସ୍ଥା ହରାନ୍ତି ତାହାହେଲେ, ଆମେ କାହିଁକି ଆଶ୍ଚର୍ଯ୍ୟ ହେବା?

ମୁଁ ପୁଣି ଅତି ସାଧାରଣ କଥାକୁ ଫେରିଯାଏ । ଦଶବର୍ଷ ପୂର୍ବେ ଯଦି ଦିଲ୍ଲୀର କୌଣସି ଫେଶନବାଲା ଛାତ୍ରକୁ ପ୍ୟାଣ୍ଟ ସହିତ କୁର୍ତ୍ତା ପିନ୍ଧିବାକୁ କୁହାଯାଉଥିଲା ସେ ଏହାକୁ ହସରେ ଉଡ଼ାଇ ଦେଉଥିଲା । କିନ୍ତୁ ଆଜି ହିପ୍ପିଙ୍କ କୃପାରୁ ଓ ହରେ ରାମ ହରେ କୃଷ୍ଣ ମାର୍ଗର ପ୍ରଚଳନ ଯୋଗୁଁ, ପ୍ୟାଣ୍ଟ ସହ କୁର୍ତ୍ତା କେବଳ ଗ୍ରହଣୀୟ ହୋଇନାହିଁ, କୁର୍ତ୍ତାର ନାଁ ବଦଳି ଯାଇଛି । ଏହାକୁ ଗୁରୁ-ସାର୍ଟ କୁହାଯାଉଛି । ସୀତାର ଆମପାଇଁ ଏକ ତାରକା ସାଜ ହୋଇଛି କାରଣ ଆମେରିକାରେ ରବିଶଙ୍କର ଉତ୍ସ୍ୱସିତ ସମ୍ବର୍ଦ୍ଧନା ପାଇଛନ୍ତି, ଠିକ ଯେପରି ୫୦ବର୍ଷ ତଳେ ଟାଗୋର ସାରା ଭାରତରେ ଗୁରୁଦେବ ନାମରେ ପରିଚିତ ହୋଇଗଲେ, କିନ୍ତୁ ସୁଇଡେନରୁ ନୋବେଲ ପୁରସ୍କାର ପାଇଲା ପରେ ।

ଆପଣମାନେ କ’ଣ କୌଣସି ଛାତ୍ରକୁ ଲଣ୍ଡା ହେବା ପାଇଁ, ଦାଢ଼ି, ନିଶ ସମ୍ପୂର୍ଣ୍ଣ କାଟି ଦେବା ପାଇଁ ପରାମର୍ଶ ଦେବାକୁ ସାହସ କରିପାରିବେ, ଯେତେବେଳେ ବାରିକକୁ ତାର ବୃତ୍ତିରୁ ବଂଚିତ କରିବା ହେଉଛି ଫେସନ? କିନ୍ତୁ କାଲି ଯଦି ଯୋଗ ଦ୍ୱାରା ପ୍ରଭାବିତ ହୋଇ ଇଉରୋପର ଛାତ୍ର ମାନେ ଲଣ୍ଡା ହୁଅନ୍ତି, ଦାଢ଼ି ନିଶ କାଟି ପକାନ୍ତି, ତାହାହେଲେ ତା’ ପରଦିନ, ମୁଁ ଆପଣମାନଙ୍କୁ ନିଶ୍ଚିତ ପ୍ରତିଶୃତି ଦେଉଛି, ଆପଣମାନେ କନ୍ନଟ ସର୍କସରେ ସର୍ବତ୍ର ମାଳ ମାଳ ଲଣ୍ଡିତ ଖପୁରିର ପଟୁଆର ଦେଖିବେ । ଯୋଗ ନିଜ ଜନ୍ମସ୍ଥଳୀରେ ପ୍ରଭାବୀ ହେବା ପୂର୍ବରୁ  ଇଉରୋପରୁ ଏକ ପ୍ରମାଣ ପତ୍ର ହାସଲ କରିବାକୁ ହେବ ।

ମୁଁ ଆଉ ଗୋଟିଏ ଉଦାହରଣ ଦିଏ । ଏହା ଅବଶ୍ୟ ସେଭଳି ସାଧାରଣ ନୁହେଁ ।

ମୁଁ ହିନ୍ଦୀ ଚଳଚ୍ଚିତ୍ରରେ କାର୍ଯ୍ୟକରେ । କିନ୍ତୁ ଏହା ଏକ ନଗ୍ନ ସତ୍ୟ ଯେ ଏହି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଓ ସଂଳାପ ଉର୍ଦ୍ଦୁ ଭାଷାରେ ହିଁ ଲେଖା ହୋଇଥାଏ । ଏହିି କାର୍ଯ୍ୟ କରନ୍ତି କ୍ରିଷ୍ଣ ଚନ୍ଦର, ରାଜୀନ୍ଦର ସିଂହ ବେଦୀ, କେ.ଏ.ଆବାସ, ଗୁଲସନ ନନ୍ଦା, ସାହିର ଲୁଧିଆନଓି୍ୱ, ମଜରୁହ ସୁଲତାନପୁରୀ ଏବଂ କୈଫି ଆଜମୀଙ୍କ ପରି ଖ୍ୟାତନାମା ଉର୍ଦ୍ଦୁ ଲେଖକ ଓ କବିମାନେ ।

ବର୍ତ୍ତମାନ, ଯଦି ଗୋଟିଏ ଉର୍ଦ୍ଦୁରେ ଲେଖା ଚଳଚ୍ଚିତ୍ରକୁ ହିନ୍ଦୀ ଚଳଚ୍ଚିତ୍ର କୁହାଯାଏ, ତାହାହେଲେ ଏହା ଯୁକ୍ତିସଂଗତ ଯେ ହିନ୍ଦୀ ଓ ଉର୍ଦ୍ଦୁ ହେଉଛନ୍ତି ଗୋଟିଏ ଭାଷା । କିନ୍ତୁ ନା, ଆମର ବ୍ରିଟିଶ ମୁନିବମାନେ ତାଙ୍କ ସମୟରେ ଏହାକୁ ଦୁଇଟି ଭିନ୍ନ ଭାଷା ବୋଲି ଘୋଷଣା କରିଦେଲେ । ତେଣୁ, ଭାରତ ସ୍ୱାଧୀନ ହେବାର ୨୫ବର୍ଷ ପରେ ମଧ୍ୟ ଆମ ସରକାର, ଆମ ବିଶ୍ୱବିଦ୍ୟାଳୟ, ଆମ ବୁଦ୍ଧିଜୀବୀ ଏହି ଦୁଇ ଭାଷାକୁ ଭିନ୍ନ ଓ ସ୍ୱତନ୍ତ୍ର ଭାଷା ବୋଲି ବିଚାର କରନ୍ତି ।

ପାକିସ୍ଥାନର ରେଡିଓ ଏହି ଭାଷାର ସୌନ୍ଦର୍ଯ୍ୟକୁ ନଷ୍ଟ କରି ଚାଲିଛି ଏହା ଭିତରେ ବିଭିନ୍ନ ପର୍ସିଆନ ଓ ଆରବିକ ଶବ୍ଦକୁ ଖୁନ୍ଦି; ଏବଂ ଅଲ୍ ଇଣ୍ଡିଆ ରେଡିଓ ଏହା ଭିତରେ ସମୁଦାୟ ସଂସ୍କୃତ ଅଭିଧାନକୁ ପୁରାଇ ଏହାକୁ ବେଢଙ୍ଗିଆ କରିଦେଇଛି । ଏହି ଭଳି ସେମାନେ ସେମାନଙ୍କର ମୁନିବଙ୍କର ଇଚ୍ଛା ପୂରଣରେ ଲାଗିଛନ୍ତି, ଯାହା ଅଭିନ୍ନ ତାହାକୁ ପୃଥକ କରୁଛନ୍ତି । ଏହାଠାରୁ ଉଦ୍ଭଟ୍ଟ ପରିସ୍ଥିତ ଆଉ କ’ଣ ହୋଇପାରେ? ଯଦି ବ୍ରିଟିଶ ଧଳାକୁ କଳା କହିଥିଲା, ତାହାହେଲେ ଆମେ କ’ଣ ଧଳାକୁ କଳା କହିଚାଲିଥିବା? ଚଳଚ୍ଚିତ୍ରରେ ମୋର ସହେଯାଗୀ ଜହ୍ନି ୱାକର ସେ ଦିନ କହୁଥିଲେ, “ସେମାନେ ଏବେ ନ କୁହନ୍ତୁ ଯେ ‘ବର୍ତ୍ତମାନ ହିନ୍ଦୀରେ ସମାଚାର ଶୁଣନ୍ତୁ ।’ ବରଂ ସେମାନେ କୁହନ୍ତୁ ଯେ ‘ସମାଚାରରେ ହିନ୍ଦୀ ଶୁଣନ୍ତୁ ।’”

ମୁଁ ଏହିଭଳି କଉତୁକିଆ ଅବସ୍ଥାର ଆଲୋଚନା ବହୁ ପ୍ରଗତିଶୀଳ ଓ ଅପ୍ରଗତିଶୀଳ ହିନ୍ଦୀ ଓ ଉର୍ଦ୍ଦୁ ଲେଖକଙ୍କ ସହ କରିଛି । ମୁଁ ସେମାନଙ୍କୁ ଏହି ବିଷୟ ଉପରେ କିଛି ତାଜା ଚିନ୍ତା ଭାବନାର ଜରୁରୀ ଆବଶ୍ୟକତା ସମ୍ପର୍କରେ ବୁଝାଇବାକୁ ମଧ୍ୟ ଚେଷ୍ଟା କରିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହା କାନ୍ଥରେ ମୁଣ୍ଡ ବାଡେଇବା ସଦୃଶ ହୋଇଛି । ଆମେ ରୂପେଲି ପରଦାର ଲୋକ ଏହାକୁ ‘ବିଜ୍ଞର ଅଜ୍ଞାନତା’ବୋଲି କହିଥାଉ । ଆମେ ଏପରି କହିବା କ’ଣ ଭୁଲ?

ପରିଶେଷରେ, ମୋ ଭିତରୁ ଆସୁଥିବା ଅନୁମାନଟିକୁ ଆପଣମାନଙ୍କୁ କହିବାକୁ ଚାହେଁ। ଆପଣମାନେ ବିରକ୍ତ ହୋଇଯିବେଣି, ତଥାପି ଏହାକୁ ନକହି ମୁଁ ରହିପାରୁ ନାହିଁ। କାରଣ ଏହା ମୋ ମନ ଭିତରକୁ ଆସିଯାଇଛି । ସବାଶେଷରେ ଏହା ଭୁଲ ବା ଠିକ ବୋଲି ପ୍ରମାଣିତ ହୋଇପାରେ। ହୋଇପାରେ ମୋର ଅନୁମାନ ଭୁଲ । କିନ୍ତୁ ଏବେ ଏହା ତ ମନକୁ ଆସୁଛି । ଏହା ଠିକ ବୋଲି ମଧ୍ୟ ପ୍ରମାଣିତ ହୋଇପାରେ-କିଏ ଜାଣିଛି?

ପଣ୍ଡିତ ଜୱାହାରଲାଲ ନେହେରୁ ତାଙ୍କ ଆତ୍ମ-ଜୀବନୀରେ ସ୍ୱୀକାର କରିଛନ୍ତି ଯେ ଭାରତୀୟ ଜାତୀୟ କଂଗ୍ରେସର ନେତୃତ୍ୱରେ ଆମର ସ୍ୱାଧୀନତା ଆନ୍ଦୋଳନରେ ପୁଂଜିପତି ଓ ଜମିଦାରଙ୍କର ହିଁ ଆଧିପତ୍ୟ ଥିଲା । ତେଣୁ ସ୍ୱାଭାବିକ ଯେ ସ୍ୱାଧୀନତା ହାସଲ କରିବାପରେ, କ୍ଷମତାର ଡୋର ଏହିମାନଙ୍କ ହିତରେ ହିଁ ରହିଲା । ଆଜି ଏହା ସମସ୍ତଙ୍କୁ ସ୍ପଷ୍ଟ ଦିଶୁଛି ଯେ ଗତ ୨୫ ବର୍ଷ ଭିତରେ ଧନୀ ଅଧିକ ଧନୀ ହୋଇଛି ଏବଂ ଗରିବ ଅଧିକ ଗରିବ ହୋଇଛି । ପଣ୍ଡିତ ନେହେରୁ ଚାହିଁ ଥିଲେ ଏହିଭଳି ଅବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ, କିନ୍ତୁ ସେ କରି ପାରିଲେ ନାହିଁ ।

ମୁଁ ତାଙ୍କୁ ଦୋଷ ଦେଉ ନାହିଁ । କାରଣ ତାଙ୍କୁ ବହୁ ଗୁରୁତର ବାଧା-ବିଘ୍ନର ସମ୍ମୁଖୀନ ହେବାକୁ  ପଡିଥିଲା । ଆଜି ଆମର ପ୍ରଧାନମନ୍ତ୍ରୀ,ଇନ୍ଦିରା ଗାନ୍ଧୀ ଶପଥ କରିଛନ୍ତି ଯେ ସେ ଦେଶକୁ ସମାଜବାଦର ଲକ୍ଷ୍ୟ ହାସଲ ଦିଗରେ ଆଗେଇ ନେବେ । ସେ କେତେଦୂର ସଫଳ ହେବେ, ତାହା ମୁଁ କହି ପାରିବି ନାହିଁ । ରାଜନୀତି ମୋର କାର୍ଯ୍ୟଧାରା ନୁହେଁ । ବର୍ତ୍ତମାନର ଉଦ୍ଦେଶ୍ୟ ପୂରଣ ପାଇଁ ଏତିକି ଯଥେଷ୍ଟ ହେବ ଯଦି ଆପଣମାନେ ମୋ ସହିତ ଏକମତ ହୁଅନ୍ତି ଯେ ଆଜିର ଭାରତରେ ବିତ୍ତଶାଳୀ ଶ୍ରେଣୀର ଆଧିପତ୍ୟ ଉଭୟ ସରକାର ଓ ସମାଜ ଉପରେ କାଏମ ରହିଛି ।

ମୁଁ ଭାବୁଛି ଆପଣମାନେ ମୋ ସହିତ ଏକମତ ହେବେ ଯେ ଭାରତ ଉପରେ ସାମ୍ରାଜ୍ୟବାଦୀ ନିୟନ୍ତ୍ରଣକୁ ଶକ୍ତିଶାଳୀ କରିବା ପାଇଁ ବ୍ରିଟିଶ ସରକାର ଇଂରାଜୀ ଭାଷାକୁ ଅତ୍ୟନ୍ତ ସଫଳତାର ସହିତ ବ୍ୟବହାର କରିଥିଲା ।

ବର୍ତ୍ତମାନ, ଆପଣମାନଙ୍କ ମତରେ, ସେମାନଙ୍କର ଦାୟାଦ, ଭାରତର ଏବେକାର ଶାସକ ବର୍ଗ ସେମାନଙ୍କର ଆଧିପତ୍ୟ ବଜାୟ ରଖିବାପାଇଁ କେଉଁ ଭାଷାକୁ ବାଛିବେ? ରାଷ୍ଟ୍ରଭାଷା ହିନ୍ଦୀ? ଭଗବାନଙ୍କ ରାଣ, ନା । ମୋର ଧାରଣା ହେଉଛି ସେମାନଙ୍କର ସ୍ୱାର୍ଥ ସାଧନ ପାଇଁ ଇଂରାଜୀ ଓ କେବଳ ଇଂରାଜୀ ହିଁ  ଉପଯୋଗୀ । କିନ୍ତୁ ଯେହେତୁ ସେମାନଙ୍କୁ ଲୋକଦେଖାଣିଆ ଭାବେ ନିଜର ଦେଶଭକ୍ତିକୁ ପ୍ରଦର୍ଶନ କରିବାକୁ ହେବ, ସେଥିପାଇଁ ସେମାନେ ରାଷ୍ଟ୍ରଭାଷା ହିନ୍ଦୀ ପାଇଁ ବେଶ କୋଳହାଳ କରୁଛନ୍ତି ଯେପରିକି ଲୋକଙ୍କ ମନ ଅନ୍ୟ ଦିଗକୁ ଚାଲି ଯିବ ।

ବିତ୍ତଶାଳୀ ଲୋକ ହଜାର ଭିନ୍ନ ଭଗବାନଙ୍କୁ ବିଶ୍ୱାସ କରିପାରେ, କିନ୍ତୁ କେବଳ ଗୋଟିଏ ଭଗବାନର ସେ ପୂଜା କରେ-ସେ ହେଉଛି ଲାଭର ଭଗବାନ । ବର୍ତ୍ତମାନର ତ୍ୱରିତ ଔଦ୍ୟୋଗିକୀକରଣ ଓ ପ୍ରାଦ୍ୟୋଗିକୀୟ ବିପ୍ଳବ କାଳରେ, ଲାଭ ଦୃଷ୍ଟିରୁ ଆମର ପୁଂଜିପତି ଶ୍ରେଣୀ ପାଇଁ ଇଂରାଜୀ ଭାଷାକୁ କାଏମ ରଖିବାରେ ଯେ ଅନେକ ସୁବିଧା ରହିଛି, ଏହା ସ୍ପଷ୍ଟ । କିନ୍ତୁ ସାମାଜିକ ସୁବିଧା ରହିଛି ଆହୁରି ବେଶୀ । ଏହି ଦୃଷ୍ଟିରୁ ଇଂରାଜୀ ଭାଷା ଆମର ଶାସକଶ୍ରେଣୀ ପାଇଁ ହେଉଛି ଭଗବାନଙ୍କର ଦାନ ।

କାହିଁକି? କାରଣ ହେଉଛି ଖୁବ ସରଳ; ଇଂରାଜୀଭାଷା ଆମର କୋଟି କୋଟି ଖଟିଖିଆଙ୍କର ବୁଝିବା ବାହାରେ । ପୂର୍ବକାଳରେ ପର୍ସିଆନ ଓ ସଂସ୍କୃତ କୋଟି କୋଟି ଖଟିଖିଆଙ୍କ ବୁଝିବା ବାହାରେ ଥିଲା । ସେଇଥିପାଇଁ ସେହି ସମୟର ଶାସକ ଏହି ଭାଷା ଗୁଡିକୁ ରାଜଭାଷାର ମାନ୍ୟତା ଦେଇଥିଲେ । ସଂସ୍କୃତ ଓ ପର୍ସିଆନ ଦ୍ୱାରା ସାଧାରଣ ଲୋକଙ୍କ ଭିତରେ ଏହି ଭାବନା ସୃଷ୍ଟି କରାଯାଇଥିଲା ଯେ ସେମାନେ ଅଜ୍ଞ, ହୀନ, ଅସଭ୍ୟ ଓ ନିଜକୁ ଶାସନ କରିବା ପାଇଁ ଅଯୋଗ୍ୟ । ସଂସ୍କୃତ ଓ ପର୍ସିଆନ ସାହାଯ୍ୟକାରୀ ହେଲା ସେମାନଙ୍କର ମନକୁ ଗୋଲାମୀ କରିବାରେ । ଯେତେବେଳେ ମନ ଗୋଲାମ ହୋଇଯାଏ ସେତେବେଳେ ଦାସତ୍ୱ ଚିରସ୍ଥାୟୀ ହୁଏ।

ବ୍ରିଟିଶଙ୍କ ଠାରୁ ଉତ୍ତରାଧିକାରୀ ସୂତ୍ରରେ ପାଇଥିବା ସାମାଜିକ ବ୍ୟବସ୍ଥାକୁ ସଂରକ୍ଷିତ ରଖିବା ଓ ଏହାର ରକ୍ଷଣାବେକ୍ଷଣ କରିବା, ଆମର ଏବେକାର ଶାସକ ଶ୍ରେଣୀକୁ ବେଶ ସୁହାଉଛି । ସେମାନଙ୍କର ରହିଛି ବିଶେଷାଧିକାର ପ୍ରାପ୍ତ ସ୍ଥାନ; କିନ୍ତୁ ସେମାନେ ଏହାକୁ ଖୋଲାଖୋଲି ଭାବେ ସ୍ୱୀକାର କରନ୍ତି ନାହିଁ । ସେଇଥିପାଇଁ ରାଷ୍ଟ୍ରଭାଷା ଭାବେ ହିନ୍ଦୀକୁ ନେଇ ଏତେ ହୋ ହା ।  ସେମାନେ ଭଲ ଭାବରେ ଜାଣନ୍ତି ଯେ ସଂସ୍କୃତ ଦ୍ୱାରା ବୋଝେଇ ହୋଇଥିବା, ଆଧୁନିକ ବିଜ୍ଞାନ ଓ ପ୍ରାଦ୍ୟୋଗିକୀ ଶବ୍ଦାବଳୀରୁ ବଂଚିତ ଏହି କୃତ୍ରିମ ଭାଷା ଏତେ ଦୁର୍ବଳ ଓ ନୀରସ ଯେ ଏହା ଇଂରାଜୀ ଭାଷାର ପ୍ରାଧାନ୍ୟକୁ କଦାପି କ୍ଷୁଣ୍ଣ କରିପାରିବ ନାହିଁ । ଏହା ସବୁବେଳେ ଏକ ପ୍ରଦର୍ଶନୀ ନମୂନା ହୋଇ ରହିବ, ଏବଂ ଏହା ଠାରୁ ମଧ୍ୟ ବେଶୀ, ସାଧାରଣ ଲୋକଙ୍କୁ ପରସ୍ପର ସହ ଲଢ଼େଇବା ପାଇଁ ଏକ ସୁବିଧାଜନକ ହତିଆର ହେବ । ଆମେ ରୂପେଲି ପରଦାର ଲୋକେ ଆମର ସ୍କୁଲ କଲେଜରେ ପଢୁଥିବା ଆମର ତରୁଣ ପ୍ରଶଂସକମାନଙ୍କ ଠାରୁ ନିୟମିତ ଚିଠି ପାଇଥାଉ । ମୋ ଭାଗ୍ୟରେ କିଛି ଚିଠି ପଢ଼େ । ଏହି ଚିଠିଗୁଡିକରୁ ଜଣାଯାଏ ଯେ ଇଂରାଜୀ ଭାଷା ଆମର ସଂଖ୍ୟାଗରିଷ୍ଠ ଭାରତୀୟ ବିଦ୍ୟାର୍ଥୀଙ୍କ ପାଇଁ କିପରି ନିର୍ଯାତନାର ଏକ ଗନ୍ତାଘର ପାଲଟିଛି । ପଢ଼ିବା ଓ ପଢ଼ାଇବା କେତେ ନିମ୍ନସ୍ତରରେ ପହଁଚିଛି ସତେ! ଏହାହିଁ କାରଣ, ଯେପରି ମୋତେ କୁହାଯାଇଛି, ଯେ ପବ୍ଲିକ ସ୍କୁଲରୁ, ଅର୍ଥାତ୍ ଯେଉଁ ସ୍କୁଲକୁ ବିଶେଷାଧିକାରପ୍ରାପ୍ତ ଲୋକଙ୍କର ଛୁଆ ଯାଇଥାନ୍ତି,  ସେହିଠାରୁ ଆସୁଥିବା ପୁଅ ଝିଅଙ୍କୁ ଅଧିକ ପସନ୍ଦ କରାଯାଇଥାଏ ।

ମୋର ଏହି ଅନୁମାନକୁ ମୋର ଜଣେ ବନ୍ଧୁଙ୍କୁ କହିଲି । ବନ୍ଧୁଜଣକ ହେଉଛନ୍ତି ଜଣେ ଶ୍ରମିକ ନେତା । ମୁଁ ତାଙ୍କୁ କହିଲି ଯେ ଆମେ ଯଦି ପୁଂଜିବାଦକୁ ବିଦା କରିବା ଓ ତା’ସ୍ଥାନରେ ସମାଜବାଦ ଆଣିବା ଆନ୍ତରିକତାର ସହ ଚାହୁଁ ତାହାହେଲେ ପୁଂଜିପତି ଶ୍ରେଣୀ ଯେଉଁ ଶକ୍ତିର ସହ ଏକାଠି ହେଉଛନ୍ତି ସେହି ଶକ୍ତିର ସହ ସର୍ବଭାରତୀୟ ପରିମାପରେ ଶ୍ରମିକଶ୍ରେଣୀର ଏକତ୍ରୀକରଣକୁ ସାହାଯ୍ୟ କରିବାକୁ ପଡ଼ିବ । ଆମକୁ ସାହାଯ୍ୟ କରିବାକୁ ପଡିବ ଯେପରି ଶ୍ରମିକ ଶ୍ରେଣୀ ସମାଜରେ ଅଗ୍ରଣୀ ଭୂମିକା ଗ୍ରହଣ କରିବେ । ଏବଂ ଏହା କେବଳ ହୋଇପାରିବ ଯଦି ଇଂରାଜୀ ଭାଷାର ପ୍ରାଧାନ୍ୟ ଭାଙ୍ଗିବ ଓ ତା ସ୍ଥାନରେ ଲୋକଭାଷାର ପ୍ରଚଳନ ହେବ ।

ମୋ ବନ୍ଧୁ ମୋତେ ଖୁବ ମନଯୋଗ ସହକାରେ ଶୁଣୁଥିଲେ ଓ ଅନେକାଂଶରେ ମୋ ସହିତ ଏକମତ ମଧ୍ୟ ହୋଇଥିଲେ; କହିଲେ, “ତୁମେ ପରିସ୍ଥିତିର ଖୁବ ଭଲ ବିଶ୍ଳେଷଣ କରିଛ । କିନ୍ତୁ ଏହାର ପ୍ରତିକାର କ’ଣ?” ମୋର ଉତ୍ତର ଥିଲା, “ପ୍ରତିକାର ହେଉଛି ଇଂରାଜୀ ଲିପି ରଖାଯାଉ, କିନ୍ତୁ ଇଂରାଜୀଭାଷାକୁ ଉଚ୍ଛେଦ କରାଯାଉ ।”  “କିନ୍ତୁ କିପରି?”

ଭାଷାନ୍ତର- ପ୍ରଫେସର ବିରେନ୍ଦ୍ର ନାୟକ

Photo credit-internet

About ପ୍ରଫେସର ବୀରେନ୍ଦ୍ର ନାୟକ

ପ୍ରଫେସର ବୀରେନ୍ଦ୍ର ନାୟକ
ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ

Check Also

 ଜେ. ଏନ୍. ୟୁର ଶେଷ ଦୀକ୍ଷାନ୍ତ ଭାଷଣ

ବଲରାଜ ସାହାନୀ ଜେ. ଏନ୍. ୟୁରେ ଯେଉଁ ଶେଷ ଭାଷଣ ଦେଇଥିଲେ ତାହାର ଓଡିଆ ଅନୁବାଦ କରିଛନ୍ତି ପ୍ରଫେସର ବୀରେନ୍ଦ୍ର ନାୟକ ଉଲ୍ଲେଖଯୋଗ୍ୟ …

Leave a Reply

Your email address will not be published. Required fields are marked *