Home / ବ୍ୟକ୍ତି ଓ ବ୍ୟକ୍ତିତ୍ୱ / ଅଭିଭାଷଣ / କବି ମନମୋହନ ମିଶ୍ରଙ୍କ କାବ୍ୟ କବିତାରେ ସମାଜ ପରିବର୍ତ୍ତନର ଦୃଷ୍ଟିଭଙ୍ଗୀ

କବି ମନମୋହନ ମିଶ୍ରଙ୍କ କାବ୍ୟ କବିତାରେ ସମାଜ ପରିବର୍ତ୍ତନର ଦୃଷ୍ଟିଭଙ୍ଗୀ

ମାନନୀୟ ସଭାପତି,

ମନମୋହନ ବାବୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକତ୍ରିତ ହୋଇଥିବା ବିଶିଷ୍ଟ ବ୍ୟକ୍ତିବୃନ୍ଦ । ମନମୋହନ ବାବୁ ଏଭଳି ଜଣେ ବ୍ୟକ୍ତିତ୍ୱ ଯିଏ ଆଜି ଲିଗାସିରେ ପରିଣତ ହୋଇଯାଇଛନ୍ତି। ତାଙ୍କୁ ଆମେ ସାହିତ୍ୟ ଦରବାରରେ ଯେତିକି ମୂଲ୍ୟାଙ୍କନ କରିବା କଥା କରିପାରି ନାହୁଁ। ତା’ର କାରଣ ତାଙ୍କର ସମସ୍ତ ଲେଖା ମୁଦ୍ରିତ ହୋଇନାହିଁ ।

ମୋ ଜାଣିବାରେ ସେ ୧୯୪୧-୪୨ମସିହା ପରଠାରୁ ଲେଖାଲେଖି ଆରମ୍ଭ କରିଛନ୍ତି ଏବଂ ୧୯୫୧ବେଳକୁ ତାଙ୍କର ପ୍ରଥମ ଗୀତିକବିତା ପୁସ୍ତକ ପ୍ରକାଶପାଇଛି। ଯେମିତି ତାଙ୍କର ‘କୋଟି କୋଟି କଣ୍ଠେ ଆଜି’, ‘ମୁକ୍ତି ଡାକରା’, ତା’ପରେ ପ୍ରକାଶ ପାଇଛି ‘ଜନତାର ଡାକ’ ଏବଂ ତା’ପରେ ‘ଆବାଜ୍’ । କିନ୍ତୁ ଆହୁରି ଶତାଧିକ କବିତା ପତ୍ରପତ୍ରିକାରେ ଏବେବି ରହିଛି । ସେସବୁ ଖୋଜିଲୋଡ଼ି ତାକୁ ବହି ଆକାରରେ ପ୍ରକାଶ କରିବା ପାଇଁ ସରକାରୀ ପ୍ରୋତ୍ସାହନର ଘୋର ଅଭାବ ରହିଛି ।

ଗବେଷକ ଛାତ୍ରମାନଙ୍କର ମଧ୍ୟ ବର୍ତ୍ତମାନ ଘୋର ଅଭାବ ଦେଖାଦେଇଛି କାରଣ ଆଜିକାଲି ଯେଉଁମାନେ ଗବେଷଣା କରୁଛନ୍ତି, ସେମାନେ କେବଳ ଦ୍ୱିତୀୟ ସୂଚନା ଉପରେ ଅନ୍ୟ କେଉଁ ବହିରେ କ’ଣ ସୂଚନା ଅଛି, ତା’ଉପରେ ନିର୍ଭର କରି କରୁଛନ୍ତି । ଗବେଷଣା ପାଇଁ ସେମାନେ ଯଦି ମୂଳ ପତ୍ରପତ୍ରିକା ଖୋଜନ୍ତେ ତା’ହେଲେ ସେଥିରେ ନିଶ୍ଚିତ ଭାବରେ ସେ ସମୟର ପତ୍ରପତ୍ରିକାମାନଙ୍କରେ ମନମୋହନବାବୁଙ୍କର ଅନେକ କବିତା ମିଳିଯାଆନ୍ତା ଏବଂ ସେସବୁ ପୁଣି ମୁଦ୍ରିତ ହୋଇପାରନ୍ତା ଏବଂ ମନମୋହନବାବୁଙ୍କର ମାନସିକ ପରିବର୍ତ୍ତନ ଯେଉଁ ସମୟରେ ହୋଇଥିଲା, ସେସବୁର ଧାରାକୁ ଆମେ ସଠିକ୍ଭାବେ ନିର୍ଣ୍ଣୟ କରିପାରନ୍ତେ ।

ମନମୋହନବାବୁଙ୍କ ସହିତ ମୋର ପ୍ରଥମ ଯେତେବେଳେ ସାକ୍ଷାତହୁଏ, ସେ ହେଉଛି ୧୯୫୬ମସିହା ରାଜ୍ୟ ପୁର୍ନଗଠନ ଆନ୍ଦୋଳନ ସମୟରେ । ସେ ସମୟର ଛାତ୍ରନେତା ଥିଲେ ବିଭୂତିବାବୁ । ବିରାଟ ସଭା ହେଉଥାଏ (କଟକ)ମ୍ୟୁନିସିପାଲଟି ପଡ଼ିଆରେ ଏବଂ ସେଇ ପଡ଼ିଆରେ ମନମୋହନବାବୁ ସ୍ୱାଗତ ସଙ୍ଗୀତ ଗାନ କରୁଥାନ୍ତି । ଲୋକସଂଖ୍ୟା ବୋଧହୁଏ ଦଶ-ବାର ହଜାରରୁ କମ୍ ହେବନାହିଁ ।

ଯେଉଁ କବିତାଟି ତାଙ୍କର ବହୁବାର ସେ ବୋଲିଥାନ୍ତି, ‘କାରଖାନା, ଖଳାବାଡ଼ି, ଖାଦାନ, ବାଗାନରେ ଏକ ହୁଅ, ଏକ ହୁଅ ତୁ ସଂଗ୍ରାମୀ ଜନତା ସଂଗ୍ରାମର ମଇଦାନରେ, ଭାରତଜନତା ସଂଗ୍ରାମର ମଇଦାନରେ’ । ସେଠାରେ ସେ ଭାରତ ଜନତା ନକହି କହିଥିଲେ ଉତ୍କଳ ଜନତା । ମୋର ଆଜି ସ୍ପଷ୍ଟ ମନେଅଛି, ମୁଁ ସେତେବେଳେ ଦ୍ୱିତୀୟ ବାର୍ଷିକ ଆଇ.ଏସ୍.ସି ଶ୍ରେଣୀର ଛାତ୍ର ।

ଆମେ ସବୁ ସେଠି କ’ଣ ହେଉଛି ଦେଖିବା ପାଇଁ ଉତ୍ସାହର ସହ ଯାଇଥିଲୁ । ତେବେ ସେଇଠି ମୁଁ ପ୍ରଥମେ ଏତେ ଲାଳିତ୍ୟକଣ୍ଠରେ ଜଣେ ଖୁବ୍ ଜୋରରେ ଉଗ୍ରତେଜ ଯୌବନଦୀପ୍ତ, ଶ୍ରଦ୍ଧାଶ୍ରୀ ବ୍ୟକ୍ତିତ୍ୱଙ୍କର ଏପରି ଗୋଟିଏ ଗୀତ ଶୁଣିବାକୁ ପାଇଥିଲି ଏବଂ ଯେଉଁ ଗୀତଟି ଗୋଟେ ଯେମିତି କରେଣ୍ଟମାରେ ସେମିତି ଆମମାନଙ୍କ ଦେହରେ ପ୍ରଭାବ ବିସ୍ତାର କରିଥିଲା । ବାରମ୍ବାର ସେ ତାକୁ ପୁନରାବୃତ୍ତି କରୁଥାନ୍ତି, ‘ସେଇ କାରଖାନା, ଖଳାବାଡ଼ି, ଖାଦାନ, ବାଗାନରେ’- ପ୍ରକୃତରେ ସେ ମୁହୂର୍ତ୍ତକୁ ମୁଁ ଆଜି ମଧ୍ୟ ଭୁଲି ପାରୁନାହିଁ ।

ଆଜି ଯେଉଁ ବିଷୟବସ୍ତୁ ନିର୍ଦ୍ଧାରିତ ହୋଇଛି, କବି ମନମୋହନ ମିଶ୍ରଙ୍କ ରଚନାରେ କେବଳ ଲୋକ କିମ୍ବା ଲୋକସାହିତ୍ୟ ନୁହେଁ ସେଥିରେ ଲୋକ ଅଛି, ତା’ପରେ ସାହିତ୍ୟ-ଅଛି ତା’ପରେ ସଂସ୍କୃତି ଓ ତା’ର ପୃଷ୍ଠଭୂମିରେ କବି ମନମୋହନ ମିଶ୍ର । ଠିକ୍ ବିଚାର କରିଛନ୍ତି ଯେଉଁମାନେ ଏଭଳି ଏକ ପ୍ରସଙ୍ଗ ରଖିଛନ୍ତି ।

ଯଦି ଲୋକସାହିତ୍ୟ କହିଥାନ୍ତେ ମହା ଅଡ଼ୁଆ ହୋଇଯାଇଥାନ୍ତା । କ’ଣ ଆଲୋଚନା କରାଯିବ ବାଟ କିଛି ମିଳିନଥାନ୍ତା । ତେବେ ସେ ଯେଉଁ ଲୋକମାନଙ୍କୁ ନେଇ ସାହିତ୍ୟ ରଚନା କରିଛନ୍ତି, ଲୋକ ବା ଗଣସାହିତ୍ୟ ଯେଉଁ କଥାଟି କହିଲେ ବିଭୂତି ବାବୁ , ତାଙ୍କୁ ପ୍ରକୃତରେ ଗଣକବି କୁହାଯିବ କାରଣ ଅସଂଖ୍ୟ ଗଣ ଆମେ ଯେଉଁମାନେ ଧୋବଳା ପିନ୍ଧିଛେ, ଆମେ ଯେଉଁମାନେ ଆରିଷ୍ଟୋକ୍ରାଟ୍, ଆମେ ଯେଉଁମାନେ ବୁଦ୍ଧିଜୀବୀ, ଆମେ ଯେଉଁମାନେ ବହୁ ବେତନପ୍ରାପ୍ତ ବ୍ୟକ୍ତି, ରୋଜଗାରକ୍ଷମ, ସହରର କୋଠାବାଡ଼ି, ସେଇମାନେ ଲୋକ ନା ଲୋକ ହେଉଛନ୍ତି ସେଇମାନେ ଯେଉଁମାନେ କାରଖାନାରେ ଖଳାବାଡ଼ିରେ ଖାଦାନରେ ଆଉ ଜମିରେ କାମ କରୁଛନ୍ତି ଅସଂଖ୍ୟ ଅଗଣିତ ମେହେନତି ମଣିଷ ।

ତେଣୁ ସେ ଏଇ ଗୋଟିଏ ଛୋଟିଆ ଗୀତରେ ଏତେ ଗୁଡ଼ିଏ ସୂଚନା ଦେଇଦେଲେ । କାରଖାନାରେ କାମ କରୁଥିବା ସେଇ ଶ୍ରମିକ ଯେଉଁମାନେ କଳା ହୋଇପାରନ୍ତି ଆଦିବାସୀ ସମ୍ପ୍ରଦାୟ ହୋଇପାରନ୍ତି, ସେଇମାନଙ୍କ ମଧ୍ୟରୁ ଅଧିକ, ଦରିଦ୍ର, ଦୁଃସ୍ଥ, ଯେଉଁମାନେ ଖଣିତଳେ(କୋଇଲା ଖଣି ତଳେ)- ସେତେବେଳେ କୋଇଲା ଖଣିଟା ବେଶୀ ଥିଲା ଏବେ ସିନା ଅନ୍ୟାନ୍ୟ ଖଣିସବୁ ଉଦ୍ଭାବିତ ହେଲାଣି । ସେ କୋଇଲାଖଣି ତଳେ ଯିଏ କାମ କରୁଥିବ ସନ୍ଧ୍ୟାବେଳେ କ’ଣ କରୁଥିବ? କି ଚେହେରା ତା’ର ହୋଇଥିବ? ଲୁଗାକଳା ହୋଇଯାଇଥିବ, ମୁହଁ କଳା ହୋଇଥିବ। ସେ ସନ୍ଧ୍ୟାବେଳେ ବ୍ୟସ୍ତହୋଇ ଫେରୁଥିବ, କେମିତି ଗାଧୁଆ ପାଧୁଆ କରି ପଖାଳ ଗଣ୍ଡିଏ ଖାଇବ । ତା ପାଇଁ ପିଆଜ ଆଉ ପଖାଳ ସେତେବେଳେ ସବୁକିଛି ।

ସେଇ ସମୟରେ ଆକାଶରେ ଯଦି ସୁନ୍ଦର ଜହ୍ନ ଉଇଁଥିବ ସେ କେବେହେଲେ ତାକୁ ଚାହିଁପାରିବନି କି ଦେଖିପାରିବନି । ତାକୁ ଯଦି କେହି ଜଣେ କହେ କେଡ଼େ ସୁନ୍ଦର ଜହ୍ନଟିଏ ଉଇଁଛି, ରହ ଟିକେ କିଛି ସମୟ ଠିଆହୋଇ ତାକୁ ଚାହିଁବା । ସେ କେବେହେଲେ ଚାହିଁବ ନାହିଁ । ତା’ର ବେଳ ବି ନାହିଁ । କାରଣ ତା’ର ପ୍ରଥମ କାମ କେମିତି ଗାଧେଇ କରି କଳା ଦେହରୁ ଛଡ଼େଇ ଗଣ୍ଡିଏ କ’ଣ ଖାଇବ । ଭୋକରେ ସେତେବେଳକୁ ତା’ର ପେଟରେ ଯନ୍ତ୍ରଣା ହେଉଥିବ, ପେଟ କୁହାଟ ମାରୁଥିବ। କିନ୍ତୁ ସେତେବେଳେ କବିମାନେ ଏଭଳି କବିତା ଲେଖୁନଥାନ୍ତି । ସେମାନେ ସେଇ ଜହ୍ନ, ସେଇ କୋଇଲି, ସେଇ ଫୁଲ, ସେଇ ଫଗୁଣକୁ ନେଇ ପ୍ରେମ କବିତା ରଚନା କରୁଥାନ୍ତି।

ସେଠି ମନମୋହନ ବାବୁଙ୍କ କବିତା ଥିଲା ସମ୍ପୂର୍ଣ୍ଣ ଭିନ୍ନ । ମନମୋହନ ବାବୁଙ୍କ କବିତା ସେଇ ମଣିଷମାନଙ୍କ ପାଇଁ ଉଦ୍ଦିଷ୍ଟ ଏବଂ ସେଇମାନେ ହେଉଛନ୍ତି ଓଡ଼ିଶାର ଅଗଣିତ ଜନତା।

ତାଙ୍କରି ପାଇଁ ସେ ଯେତେ ଗୀତ ଲେଖିଥିଲେ ସେଗୁଡ଼ିକ ଗୀତ ଆକାରର ଥିଲା, କାରଣ ସେ ପଦ ମିଳେଇ ଏବଂ ସ୍ୱରଦେଇ ଲେଖିବା ପାଇଁ ଭଲ ପାଉଥିଲେ । ସେଗୁଡ଼ିକ ଅଧିକାଂଶ ସେ ନିଜେ ବୋଲିପାରୁଥିଲେ, ସ୍ୱର ଦେଇପାରୁଥିଲେ। ସାହିତ୍ୟକୁ ସେ ସେଭଳି ଗ୍ରହଣ କରିଥିଲେ । ଯଦିଓ ସଚ୍ଚିବାବୁଙ୍କ ଭଳି ବିପ୍ଳବୀକବି ତାଙ୍କ କବିତାରେ ସେତେବେଳକୁ ମନ ପରିବର୍ତ୍ତନ କଲେଣି । ସଚ୍ଚିବାବୁଙ୍କ ସହିତ ମନମୋହନ ବାବୁଙ୍କର ଯେଉଁ ପ୍ରଥମ ସମ୍ଭାଷଣ ହୋଇଥିଲା ୧୯୪୨ମସିହାରେ ସେ ସଚ୍ଚିବାବୁଙ୍କ ସମ୍ପର୍କରେ ସେତେବେଳେ କହିଛନ୍ତି, ‘ପ୍ରଗତିର ଭଉଁରୀ ଭିତରେ ପଡ଼ି ଖତଗଦାରେ ପଦ୍ମ ନଷ୍ଟ ହେବାକୁ ବସିଛନ୍ତି’ । ସଚ୍ଚିବାବୁଙ୍କର ସେତେବେଳକୁ ବାଜିରାଉତ, ଅଭିଯାନ, ରକ୍ତଶିଖା ପ୍ରକାଶ ପାଇଲାଣି । କିନ୍ତୁ ତା ସତ୍ତେ୍ୱ ସେ କବିତାକୁ ମନମୋହନ ମିଶ୍ର ପସନ୍ଦ କରୁନଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ଭଗବତୀ ଚରଣ ପାଣିଗ୍ରାହୀଙ୍କର ସମ୍ପର୍କରେ ଆସି ଅନୁଭବ କଲେ ଯେ ଓଡ଼ିଆ କବିତାର ଧାରା ପରିବର୍ତ୍ତନ ହେବା ଉଚିତ।

ଓଡ଼ିଆ କବିତା ଯାହାକୁ ପ୍ରଗତିବାଦୀ କବିତା ବୋଲି କୁହାଯାଉଛି ସେଥିରେ ଅଗଣିତ ଜନସମାଜ ପ୍ରକାଶ ପାଇବା ଉଚିତ । ସେଇମାନଙ୍କର ଦୁଃଖ, ସେଇମାନଙ୍କର ଦୁକୁଦୁକି, ସେଇମାନଙ୍କର ସ୍ପନ୍ଦନ, ସେଇମାନଙ୍କର ଅଭାବ, ବିଚ୍ଛେଦ, ତାଙ୍କରି ଅନୁଭୂତି, ସେମାନଙ୍କର ଦାରିଦ୍ର୍ୟ ତା’ର ଚିତ୍ର ଯଦି କବିତାରେ ପ୍ରକଟିତ ନହୁଏ ତା’ହେଲେ ସିଏ କେମିତି ଜନଗଣର କବିତା ହେବ।

ମନମୋହନ ବାବୁ ୧୯୪୨ମସିହାରେ ସଚ୍ଚିବାବୁଙ୍କ ସମ୍ପର୍କରେ କହିଛନ୍ତି । ସେତେବେଳେ ଯେଉଁ କବିମାନେ ବିଭିନ୍ନ ଭାବରେ ରୋମାଣ୍ଟିକ୍ କବିତା ସବୁ ଲେଖୁଥିଲେ ସବୁଜ କବିମାନଙ୍କ ପ୍ରଭାବରେ, ସେ କବିତାକୁ ମନମୋହନ ବାବୁ ମୂଳରୁ ପସନ୍ଦ କରିନାହାନ୍ତି। ସେ ନିଜ ଚତୁଃପାଶ୍ୱର୍ର ଅଗଣିତ ଜନସାଧାରଣମାନଙ୍କୁ ଦେଖୁଛନ୍ତି ଯାହାକୁ ସେ ଚାରିଟି ଶବ୍ଦରେ କହିଦେଇଛନ୍ତି- କାରଖାନା, ଖଳାବାଡ଼ି, ଖାଦାନ ଓ ବାଗାନ । ବାଗାନ କହିଲେ ଚାହା ବଗିଚା । ଚାହା ବଗିଚାରେ ଯେଉଁ ଶ୍ରମିକମାନେ କାମ କରୁଛନ୍ତି କଲିକତା, ରେଙ୍ଗୁନ୍ ଇତ୍ୟାଦି, ଦୂରବର୍ତ୍ତୀ ଅଞ୍ଚଳମାନଙ୍କରୁ ଯାଇକରି ସେଇମାନେ ନିପୀଡ଼ିତ, ସେଇମାନେ ଦୁଃଖୀ ଦରିଦ୍ର, ମେହନତୀ ମଣିଷ, ଯେଉଁମାନଙ୍କୁ ନେଇକରି ସେତେବେଳର ରାଜନୈତିକ ବିପ୍ଳବ ଆଗଉଥିଲା ।

ଗୋଟିଏ ବିପ୍ଳବ ଦର୍ଶନ ଆସିଥିଲା ଋଷିଆ ଆଡ଼ୁ ଏବଂ ସେଇ ଦର୍ଶନ ବଂଚିବା ପାଇଁ ଗୋଟିଏ ଆଶ୍ୱାସନା ଦେଇଥିଲା । ସେଇ ଦର୍ଶନକୁ କଣ୍ଠରୋଧ କରିଥିଲେ କବିମାନେ ସାହିତ୍ୟରେ। ତେଣୁ ଚିନ୍ତାଧାରାଟା ଯେତେ ବଡ଼ ହେଲେ ମଧ୍ୟ ସେ ଯଦି ସାହିତ୍ୟରେ ଚିରାୟିତ ନହେବ ସେ କେବେହେଲେ ସବୁଦିନ ପାଇଁ ତା’ର ପ୍ରଭାବ ବିସ୍ତାର କରିପାରିବ ନାହିଁ। ରାଜନୈତିକ ନେତାମାନେ, ମହାମନୀଷିମାନେ, ସେମାନେ ବହୁ ବଡ଼ ବଡ଼ କଥା ଚିନ୍ତା କରନ୍ତି କିନ୍ତୁ କବିଟିଏ ତାକୁ ପୋଥିଗତ କରେ ତା’ର ସାହିତ୍ୟରେ, ତା’ର କବିତା ଭିତରେ ଏବଂ ପରବର୍ତ୍ତୀ ସମୟରେ ସେ ଅନେକଙ୍କୁ ସେଥିରେ ଅନୁପ୍ରାଣିତ କରେ। ସେଇଟା ଥିଲା ମନମୋହନ ବାବୁଙ୍କର କବିତା ଗଣଙ୍କ ପାଇଁ, ଜନସାଧାରଣଙ୍କ ପାଇଁ । ତେଣୁ ସେ କବିତା ବହିଟିର ନାମ ଦେଲେ ‘କୋଟି କଣ୍ଠେ’।

୧୯୫୧ମସିହାରେ ତାଙ୍କର ପ୍ରଥମ କବିତା କୋଟି କଣ୍ଠେ ଏବଂ ସେଇ ସମୟରେ ଆଉ ଗୋଟିଏ କବିତା ତାଙ୍କର ବାହାରିଲା ‘ମୁକ୍ତି ଡାକରା’ । ବହିଟିର ନାମକରଣରୁ ଆପଣ ବୁଝିଯିବେ ସେ କାହାପାଇଁ କବିତା ଲେଖୁଥିଲେ। କାହାପାଇଁ ସେ ମୁକ୍ତି ଡାକରା ଦେଉଥିଲେ। ଅଗଣିତ ମେହନତି ମଣିଷ, ନିପୀଡ଼ିତ ଯେଉଁମାନେ ପୁରାପୁରି ଅବହେଳିତ, ଶୋଷିତ ହୋଇଛନ୍ତି ସେ ଯେଉଁ ଜାଗାରେ କାମକରନ୍ତୁ ପଛେ ସେମାନଙ୍କର ମୁକ୍ତି ଚାହୁଁଥିଲେ।

ଖାଲି ଭାରତର ସ୍ୱାଧୀନତା ହୋଇଗଲେ ହେବନି । ଅଗଣିତ ଜନତାଙ୍କ ମୁକ୍ତି ପାଇଁ, ଶୋଷଣ ଭିତରୁ, ଅର୍ଥନୈତିକ ବୈଷମ୍ୟ ଭିତରୁ ଏ ଡାକରା ମନମୋହନ ବାବୁଙ୍କର କବିତାରେ ବାରମ୍ବାର ପ୍ରକାଶ ପାଉଥିଲା । ସେ ତା’ର ନାମ ଦେଇଥିଲେ ‘ମୁକ୍ତି ଡାକରା’ ଏବଂ ତା’ ପର କବିତା ବହିର ନାମ ଦେଇଥିଲେ ‘ଜନତାର ଡାକ’। ସେହି ଜନତା ପୁଣି ଅଗଣିତ ଜନତା। ସେମାନେ ବିଭିନ୍ନ କ୍ଷେତ୍ରରେ କାମ କରୁଛନ୍ତି।

ଭଗବତୀ ଚରଣ ପାଣିଗ୍ରାହୀଙ୍କ ସହ ସମ୍ପର୍କହେବା ପରର କବିତା ଏବଂ ଭଗବତୀ ଚରଣ ପାଣିଗ୍ରାହୀଙ୍କ ଉପରେ ୩-୫ଟି କବିତା ସେ ଲେଖିଛନ୍ତି। ତାଙ୍କ ପ୍ରତି ତାଙ୍କର ଥିଲା ବିଶ୍ୱାସ ଏବଂ ତା’ ସହିତ ତାଙ୍କପ୍ରତି ଥିଲା ସମର୍ଥନ ମନୋବୃତ୍ତି। କିନ୍ତୁ ସେ ତ ବେଶୀଦିନ ଜୀବିତ ନଥିଲେ, ଅସମୟରେ ମରିଗଲେ। ସେ ଥିଲେ ଓଡ଼ିଶା ରାଜନୀତି ନିଶ୍ଚିତ ଭାବେ ବଦଳି ଯାଇଥାନ୍ତା। ଭଗବତୀ ଚରଣ ପାଣିଗ୍ରାହୀ ଯଦି ଆଉ କିଛିଦିନ ବଂଚିଥାନ୍ତେ ଓଡ଼ିଶାର ଭାଗ୍ୟ ବଦଳି ଯାଇଥାନ୍ତା, କିନ୍ତୁ ତାହା ସମ୍ଭବ ହେଲାନାହିଁ। ସେଇଟା ଓଡ଼ିଶାର ଦୁର୍ଭାଗ୍ୟ ହୋଇପାରେ। ଏଇସବୁ କବିତାରେ ସେ କାହାକୁ ଲକ୍ଷ୍ୟ କରିଛନ୍ତି, କେଉଁମାନଙ୍କୁ ଶୋଷକ ଭାବରେ ଦେଖିଛନ୍ତି, କେଉଁମାନଙ୍କୁ ପ୍ରବଞ୍ଚକ, ଲୁଣ୍ଠକ ବୋଲି କହିଛନ୍ତି? ସେମାନେ ହେଲେ ; (୧) ବ୍ରିଟିଶ ସରକାର, ୨) କଳକାରଖାନାର ମାଲିକ ବା ପୁଞ୍ଜିପତି, ୩) ଗଡ଼ଜାତ ରାଜା, ୪) ଜମିଦାର(ମୋଗଲବନ୍ଦୀ ଅଞ୍ଚଳର)

ଏହି ଚାରି ସମ୍ପ୍ରଦାୟ ଲୋକମାନଙ୍କୁ ସେ ସ୍ପଷ୍ଟ ଭାବରେ ଶୋଷକ ଭାବରେ ଗ୍ରହଣ କରିନେଇଛନ୍ତି। ତେଣୁ ଅଧିକାଂଶ କବିତା ଏଇମାନଙ୍କ ବିରୁଦ୍ଧରେ। ସେ କବିତା କମ୍ୟୁନିଷ୍ଟ ପାର୍ଟିର ମ୍ୟାନିଫେଷ୍ଟୋ ହେଉ, ସେ କବିତାରେ ଦଳୀୟ ଭାବନାଟା ବହୁତ ବେଶି ପ୍ରକାଶ ପାଇଥାଉ କିନ୍ତୁ ନିଶ୍ଚିତ ଭାବରେ ତାଙ୍କର ଲକ୍ଷ୍ୟ ଏଇ ଚାରିଟା ସମ୍ପ୍ରଦାୟ। ବ୍ରିଟିଶ ସରକାର ନିକଟରୁ ସ୍ୱାଧୀନତା ସେ ପର୍ଯ୍ୟନ୍ତ ଆସିନାହିଁ। କଳକାରଖାନା ମାଲିକ ବା ପୁଞ୍ଜିପତି, ଯେଉଁମାନେ ସ୍ୱାଧୀନତା ପରେ ଓ ପୂର୍ବରୁ କାଳକ୍ରମେ ଦେଶର ପୁଞ୍ଜିକୁ ନିୟନ୍ତ୍ରଣ କରି ପରୋକ୍ଷ ଭାବେ ଶାସନ ଚଳାଉଛନ୍ତି, ଦିଲ୍ଲୀ ଦରବାରକୁ ଦଖଲ କରି ବସିଛନ୍ତି ଏବଂ ତା’ପରେ ଗଡ଼ଜାତ ରାଜା ଯେଉଁମାନଙ୍କର ଜୁଲମ କମିନାହିଁ, ସେମାନଙ୍କର ଜୁଲୁମର ସୀମା ବି ନାହିଁ ।

ଢେଙ୍କାନାଳରେ ଯେଉଁ ଯତନ ନଗର ଥିଲା ଯିଏକି ପ୍ରତୀକ ଭାବେ ଏବେବି ଆମମାନଙ୍କୁ ସୂଚେଇ ଦେଉଛି ଯେ ଗୋଟିଏ ରାଜା କେତେ ପ୍ରପୀଡ଼କ ହୋଇପାରେ । ଦୁଃସ୍ଥ ମଣିଷମାନଙ୍କୁ ନେଇକରି ଗୋଟିଏ ପରିକଳ୍ପନା କରୁଛି ପାହାଡ଼ ଉପରେ ଉଆସ ତିଆରି ହେବ । ପାଣିର ବ୍ୟବସ୍ଥା କେମିତି ହେବ? ଜନତା ରହିବ କେମିତି? ସେଠି ଦୋକାନ ବଜାର ରହିବ କେମିତି? ସେଠି ଜନସାଧାରଣ କାହାଁନ୍ତି, ଯାତାୟାତ କେମିତି ହେବ ଏସବୁ କଥା ଚିନ୍ତା ନାହିଁ । ରାଜାଙ୍କର ହୁକୁମରେ ରାଜପ୍ରାସାଦ ତିଆରି ହେଲା। କେତେ ପ୍ରଜା ମାଡ଼ ଖାଇ, କୋରଡ଼ା ଖାଇ, କାମରେ ଲାଗିଲେ, ବେଠି ଖଟିଲେ, ବେକାରୀ ଲାଗିଲେ। ସେମାନଙ୍କ ମଧ୍ୟରୁ ଅନେକ ମଧ୍ୟ ମରିଗଲେ । କିନ୍ତୁ ସେଇ ବିରାଟ ରାଜ ପ୍ରାସାଦ ତିଆରି ହେଲା । ଆପଣମାନେ ଦେଖିଥିବେ ଢେଙ୍କାନାଳକୁ ରାଜରାସ୍ତାରେ ଗଲାବେଳେ ଡାହାଣହାତି ଯେଉଁ ପାହାଡ଼ ଅଛି ସେ ପାହାଡରେ ଏବେବି ମଣିଷ ବାସ କରିବା ଅସମ୍ଭବ । ମାନବ ସଭ୍ୟତାକୁ ଉପହାସ କରୁଛି ଯେମିତି ସେ ପାହାଡ଼। ତାକୁ ଦେଖି ସେ କହୁଛନ୍ତି, ରାଜାର ଜୁଲୁମ କୋଉ ପର୍ଯ୍ୟନ୍ତ ଯାଇପାରେ । ସେ ସମସ୍ୟା ଥିଲା ୧୯୩୮ମସିହାରେ । ବାଜି ରାଉତକୁ ଓ ଆହୁରି କେତେ ଲୋକଙ୍କୁ ମାରି ଦିଆଯାଇଥିଲା । ଯାହାକୁ ନେଇ କବି ସଚ୍ଚିବାବୁ ଏଡ଼େ ସୁନ୍ଦର କାବ୍ୟ ଲେଖିଥିଲେ ‘ବାଜିରାଉତ’ । ଯାହାକୁ ପଢ଼ିଲେ ଆପଣଙ୍କ ରକ୍ତ ତାତିଉଠିବ । କେତେ ଅସଭ୍ୟ ଦେଶ ଏବଂ ସେତେବେଳର ରାଜାମାନେ ।

ଯୁବନେତାମାନେ ସେଇ ସମୟରେ ମୁକ୍ତି ପାଇଁ ସଂଗ୍ରାମ କରୁଥିଲେ, ଖାଲି ସ୍ୱାଧୀନତା ସଂଗ୍ରାମ ନୁହେଁ । ଆମେ ସ୍ୱାଧୀନତା ସଂଗ୍ରାମ କରୁଥିଲୁ ବ୍ରିଟିଶ କବଳରୁ ମୁକ୍ତି ପାଇବାପାଇଁ ଏବଂ ଅନ୍ୟ ଏକ ସଂଗ୍ରାମ ତା’ର ସିଏ ଚାଲିଥିଲା ଏଇ ଜୁଲୁମ ଭିତରୁ ପ୍ରତିରୋଧ ଭିତରୁ, ଏହିସବୁ ଲୁଣ୍ଠନ ଭିତରୁ ମୁକ୍ତି ପାଇଁ। ତେଣୁ ସେତେବେଳେ ବ୍ରିଟିଶ ସରକାର ବିରୁଦ୍ଧରେ ତାଙ୍କର ଆହ୍ୱାନ ହେଉଛି ‘ମୁକତି ମିଳିଛି କାହିଁ ବିନା କୁରବାନେ’, ‘ବିନା ରକତେ କି ବାନେ୍ଧ ଦ୍ରୌପଦୀ ଜୁଡ଼ା’ । ଗୋରା ଫଉଜ ବିରୋଧରେ ନିଶାଣ ହେଲା ତା’ର ପ୍ରତୀକ । ଯେଉଁ ପ୍ରତୀକ ସାମ୍ୟବାଦର ପ୍ରତୀକ, ଗୋଟିଏ ସମତୁଲ ସମାଜର ପ୍ରତୀକ, ଯେଉଁଠି ଉଚ୍ଚ ନିଚ୍ଚ ରହିବ ନାହିଁ, ସମସ୍ତେ ସମାନ ଅଧିକାର ପାଇବେ ସୁଖରେ ରହିବେ, ସ୍ୱପ୍ନ ଦେଖିପାରିବେ।

ପ୍ରକୃତରେ ସ୍ୱାଧୀନତା ପୂର୍ବବର୍ତ୍ତୀ କଥାକୁ ଆମେ ଚିନ୍ତା କରିପାରିବା ନାହିଁ । କି ଅବସ୍ଥାରେ ଥିଲା ଭାରତ? ପୁଣି କଳକାରଖାନା ମାଲିକ ଯିଏ ପୁଞ୍ଜିପତି ତା ବିରୁଦ୍ଧରେ ତାଙ୍କର ସ୍ୱର ସେତେବେଳେ ଉତ୍ତୋଳିତ ହୋଇଥିଲା-‘ଦାବାନଳେ କରୁ ଦିନରାତି ଖଟି, ସମାନ ହେଲାଣି ଭୋକେ ଅଣ୍ଟାପିଠି, ମିଳେନାହିଁ ଦିନେ ବରଷକେ ଛୁଟି, ଘିଅ ସରସର ମାଲିକର ରୁଟି’। କେମିତି ଦୁଇଟା ଶ୍ରେଣୀ ସୃଷ୍ଟି ହୋଇଛନ୍ତି ବୋଲି କବିତାରେ ସେ ସ୍ପଷ୍ଟ କହିଛନ୍ତି। ଗୋଟିଏ ପଟେ ଲୋକ ଖଟି ଖଟି ଥକୁଛନ୍ତି, ଝାଳନାଳ ହେଇକରି, ଆଉ ଗୋଟିଏ ପଟେ ଘିଅ ସରସର ରୁଟି ଖାଉଛନ୍ତି ଯେତେବେଳେ ଭୋକେ ମରେ ଆମ ପିଲା ଏଠି ।

ଯେଉଁମାନେ କମ୍ୟୁନିଷ୍ଟ ଦଳର ନେତୃତ୍ୱ ନେଇଥିଲେ, ଯେଉଁମାନେ କମ୍ୟୁନିଷ୍ଟ ଚେତନାକୁ, ଚିନ୍ତାଧାରାକୁ, ସାମ୍ୟବାଦୀ ଭାବନାକୁ, ଚାରିଆଡେ ଖେଳାଉଥିଲେ। ସେମାନେ ତାଙ୍କ କାବ୍ୟ, କବିତାରେ ଏହିଭଳି ଭାବନା ଗୁଡିକୁ ବେଶି ପ୍ରତିଫଳିତ କରୁଥିଲେ । ଦୁଇଟି ଶିବିରର କଥା ସେମାନେ ସବୁବେଳେ କହୁଥିଲେ । ସେ ସମୟରେ ସେହିଭଳି ଅନେକ କବି କବିତା ଲେଖୁଥିଲେ। ଯେମିତିକି:

‘ଭାତ ଉପୁଯାଇ ହାତ ପତାଇଲ ଧାନ ଡକାୟତ ପାଖେ,

ଲୁଗାକଳ ଗଢ଼ି ଲଙ୍ଗଳା ଛାତିରେ ଫେରିଲ ଗୁଳି ପ୍ରହାରେ

ତୋ ପିଠିରେ ବଜାଏ ବାଜା ବିରଳା ସ୍ୱଦେଶୀ ରଜା।’

ଏହିସବୁ ଗୀତଭିତରେ ଯେଉଁ ଶକ୍ତିଶାଳୀ ସାମାଜିକ ଭାବନାଟା ରହିଛି, ଯେଉଁ ବାର୍ତ୍ତାଟି ରହିଛି ସେ ବାର୍ତ୍ତାଟା କ’ଣ କେବେବି ଅଳିକ, ସେ ବାର୍ତ୍ତା କ’ଣ ଅଜଥା, ବ୍ୟର୍ଥ? ନାଁ କେବେ ନୁହେଁ। ସେ ବାର୍ତ୍ତା ସୁଦୂର ଶକ୍ତିଶାଳୀ ଏବଂ ତାର ପରିଣତିରେ ଆଜି ଆମେ ଗୋଟେ ସମୃଦ୍ଧ ସୁଖି ସମାଜ ଗଢ଼ିବା ପାଇଁ ଉଦ୍ୟମ କରୁଛେ । କେତେ ସଫଳ ହୋଇଛେ, କେତେ ବିଭ୍ରାନ୍ତ ହୋଇଛେ, କିନ୍ତୁ ଯେଉଁମାନେ ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ ଏସବୁ କଥାକୁ ତାଙ୍କ କବିତାରେ ଲେଖିଥିଲେ ଏବଂ ଯେଉଁଠି ଗଡଜାତ ଅଞ୍ଚଳରେ ରାଜା ଶାସନ ବିରୁଦ୍ଧରେ ତାଙ୍କର ଡାକରା ଥିଲା, ଯେଉଁଠି ଆଇନ କାନୁନ ବୋଲି କିଛି ନଥିଲା, ସେଠି ତାଙ୍କ ଆଖିପଡିଛି ନବାବ ହୋ ରେ ଗଡ଼ଜାତି ମଣିମା , କେତେ ମଣିଷ ହେଲେଣି ଜନ୍ତୁ ରାଜା ଗଣିବା । କେତେ ମଣିଷକୁ ଜନ୍ତୁ କରିଦେଲେଣି । ଏତେ ମଣିଷ ନୁହଁନ୍ତି ଜନ୍ତୁ ହୋଇଗଲେଣି । ସେମାନଙ୍କୁ ପଶୁଭଳି ରଖିଛ । ଯାହା ବିରୁଦ୍ଧରେ ସଚ୍ଚି ବାବୁ ‘ପଶୁ’ ବୋଲି ଗୋଟିଏ କବିତା ଲେଖିଥିଲେ ।

ମୋର ମାନବିକତା ଓ ମୋର ମଣିଷ ପଣିଆ ପ୍ରତିହତ ହୋଇଯାଇଛି, ଆଜି ରୁଗ୍ଣ ହୋଇଯାଇଛି, ଖନା ହୋଇଯାଇଛି । ତେଣୁ ରୁଗ୍ଣ ମାନସିକତା ନେଇଥିବା ମଣିଷ ସମାଜର କେଉଁ ସୌନ୍ଦର୍ଯ୍ୟକୁ ଲକ୍ଷ୍ୟ କରି କବିତା ଲେଖିବ । ସେ ଧ୍ୱଂସକାରୀ ଭାବରେ ଆଜି ଉଭା ହୋଇଛି। ସବୁକିଛି ଆଜି ଧ୍ୱଂସ କରିବା ପାଇଁ ସେ ପ୍ରତିଜ୍ଞାବଦ୍ଧ। ଧନୀମାନେ ଯାହା ବ୍ୟବହାର କରନ୍ତି ସବୁକିଛି ସେ ଧ୍ୱଂସ କରିବ । ସେଥିପାଇଁ ସେ ଆଜି ରାକ୍ଷସର ଶକ୍ତି ନେଇ ମାଡ଼ିଚାଲିଛି । ତାକୁ ତୁମେ ଅମଣିଷ କୁହ, ରାକ୍ଷସ କୁହ । ସେ ମନୁଷ୍ୟତ୍ୱ ପ୍ରତିଷ୍ଠା ଚାହେଁ ନାହିଁ । ସେ ଚାହେଁ ତାର ପଶୁତ୍ୱର ପ୍ରତିଷ୍ଠା ସେତେବେଳେ ଯାଇ ସେ ନିଜର ପରିଚୟ ଦେଇପାରିବ । ଅନ୍ୟାୟ, ଅତ୍ୟାଚାରରେ ଜର୍ଜରିତ ସେଇ ମଣିଷଟି ପ୍ରତିକ୍ରିୟାଶୀଳ ହୋଇଉଠିଛି ।

ଜହ୍ନ ଯେତେବେଳେ ଅତି ସୁନ୍ଦର ଭାବରେ ଆକାଶରେ ଉଠିଛି ତାର ଇଛା ହେଉଛି ତାକୁଆଣି ବସା ଭିତରେ ପୂରେଇବ, କୋଇଲିର ସ୍ୱର ଶୁଣି ସେ ତା’ର ତଣ୍ଟି ଚିପିଦେବ ବୋଲି ଭାବୁଛି । ସୁନ୍ଦର ଫୁଲଟିଏ ଦେଖିଲେ ତାକୁ ପାଦରେ ଦଳି ଚକଟି ଦେବାପାଇଁ ତାର ଇଚ୍ଛା ହେଉଛି । କାହିଁକି ସେ ଏଭଳି ପ୍ରତିକ୍ରିୟାଶୀଳ ହୋଇଛି? ତା ଭିତରର ମଣିଷକୁ କିଏ ମାରି ଦେଇଛି? ସେ ଜାଣିଛି ତା ମଣିଷ ପଣିଆକୁ କେହି ଚିହ୍ମିବେ ନାହିଁ । ସେ ରାଜା ହୁଅନ୍ତୁ କି ଶାସକ ବର୍ଗ ହୁଅନ୍ତୁ କି ଜମିଦାର ହୁଅନ୍ତୁ, ସେମାନେ କେବଳ ମଣିଷକୁ ଲୁଣ୍ଠନ କରନ୍ତି, ମଣିଷ ପଣିଆକୁ ଚିହ୍ନନ୍ତି ନାହିଁ । ତେଣୁ ରକ୍ତାକ୍ତ ମଣିଷଟି ଆଜି ତୀକ୍ଷଣ ହୋଇଯାଉଛି, ତାର ଜୀବନର କିଛି ମୂଲ୍ୟ ସେ ପାଉନାହିଁ । ସେ କାହାର ସୌଖୀନ ଜିନିଷ ଦେଖିଲେ କାହିଁକି ଭଲ ପାଇବ?

ମଣିଷର ଅବଚେତନ ମନର ଭାବନା ଯାହା ଅନୁସନ୍ଧାନରେ ପ୍ରକାଶ ପାଇଥାଏ । ମଣିଷ ସମାଜରେ ଯେଉଁ ଗୁଡ଼ିକ ସୌଖୀନ ଜିନିଷ ସେ କୋଇଲି ହେଉ କି ଜହ୍ନ ହେଉ ଯାହାକୁ ଦେଖି କବିମାନେ ବାରମ୍ବାର ରୋମାଣ୍ଟିକ୍ କବିତା ଲେଖନ୍ତି ଆଜି ସେସବୁକୁ ସିଏ ଧ୍ୱଂସ କରିଦେବାପାଇଁ ଚାହୁଁଛି ।

ଏହିସବୁ କବିତାରେ କବି ମନମୋହନ ମିଶ୍ରଙ୍କର ଗରିବ ମଣିଷଙ୍କ ପ୍ରତି ଦରଦୀ ମନର ବ୍ୟାକୁଳତାକୁ ଲକ୍ଷ୍ୟ କରି ହେବ । ସ୍ୱାଧୀନତା ସଂଗ୍ରାମରେ ଶ୍ରମିକ ସମାଜର କାର୍ଯ୍ୟକାରୀତାର ଉପଯୋଗୀତାକୁ ମଧ୍ୟ ଦେଖିବା, ସାମ୍ୟବାଦର ଗୋଟିଏ ସମତୁଲ ସମାଜ ପ୍ରତିଷ୍ଠା ପାଇଁ ତାଙ୍କର ବ୍ୟଗ୍ରତାକୁ ଦେଖିବା, ରାଜତନ୍ତ୍ର ବିରୁଦ୍ଧରେ ଆହ୍ୱାନ ଦେଖିବା, ଆଉ ଅବୈତନିକ ଶୋଷଣର ଚିତ୍ର ଆଉ ଶବ୍ଦକୁ ଦେଖିବା ।

ତେଣୁ ଏ କବିତାକୁ କେହି ମୁଲ୍ୟାଙ୍କନ କରିପାରିବେ ନାହିଁ । ତା’ର ଉଚ୍ଚାଙ୍ଗ କଳାର ମୂଲ୍ୟାଙ୍କନ ହୋଇନପାରେ । ତାହା ମୁଁ ସ୍ୱୀକାର କରୁଛି । ଉଚ୍ଚାଙ୍ଗ କଳାକୃତିର କବିତା ଅନେକ ଅଛି କିନ୍ତୁ ଏଠାରେ କବି ପଶ୍ଚତାପ, ଦୁଃଖ, ଦୁଶ୍ଚିନ୍ତା, ଅଭାବ, ଅନାଟନ, ମେହେନତି ମଣିଷର ଦୂରବସ୍ଥାକୁ ନେଇ କବିତା ରଚନା କରିଛନ୍ତି । ସେଠାରେ ପ୍ରକୃତରେ କହିବାକୁ ଗଲେ ସେ କଳାକୁ ଅଧିକ ଧ୍ୟାନ ଦେଇ ନାହାଁନ୍ତି । ଅନେକ ସମୟରେ ମିଥ୍କୁ ଅବଲମ୍ବନ କରି ନିଜର ଚିନ୍ତା ଚେତନାକୁ ବୁଝାଇବାକୁ ଚେଷ୍ଟା କରିଛନ୍ତି ।

ଗୋଟିଏ କବିତାରେ ସେ କହିଛନ୍ତି, ବିନା ରକ୍ତପାତରେ କ’ଣ ଦ୍ରୌପଦୀର ଜୁଡ଼ା ବନ୍ଧାଯାଇପାରିବ? ମହାଭାରତରେ ଦ୍ରୌପଦୀ ନିଜର କେଶକୁ ମୁକୁଳା ରଖିଥିଲେ ଦୁଃଶାସନର ରକ୍ତରେ କେଶରାଶି ବାନ୍ଧିବା ପାଇଁ ।

ତେଣୁ ତାକୁ ଉଦାହରଣ ଭାବରେ ନେଇ ସେ କହିଛନ୍ତି ଯେ ବିନା ରକ୍ତପାତରେ ସଂଗ୍ରାମ କେମିତି ହେବ? କେମିତି ଗୋଟିଏ ସମତୁଲ ସମାଜ ଗଢ଼ାଯାଇ ପାରିବ? ଶୋଷଣ କେମିତି ବିଲୁପ୍ତ ହେବ? ପରବର୍ତ୍ତୀ ସମୟରେ ମାର୍କ୍ସୀୟ ଚିନ୍ତାଧାରା ଉପରେ କବି ଅଧିକ ପରିମାଣରେ ବିଶ୍ୱାସ କରିଛନ୍ତି । ପରବର୍ତ୍ତୀ କବିତା ଗୁଡ଼ିକରେ ସେ ଋଷିଆ ସ୍ଥାନରେ ଚୀନ୍, ଭିଏତନାମ କଥା ଲେଖିଛନ୍ତି ।

କବି ଯେତେବେଳେ ନିଜ ଦଳୀୟ ପ୍ରଚାର, ନିର୍ବାଚନୀ ପ୍ରଚାର ପାଇଁ କବିତା ଲେଖିଛନ୍ତି, ସେଗୁଡ଼ିକ ଖୁବବେଶୀ ପ୍ରଚାରବାଦୀ ବିଶ୍ୱାସ କରିବାକୁ ହେବ । ବହୁ ପ୍ରଚାରବାଦୀ କବିତା ଖୁବ ନିବିଡ଼, ଅନ୍ତର୍ମଗ୍ନ ମଧ୍ୟ । ଏଇ ସ୍ୱରଗୁଡ଼ିକ ଜନଜୀବନ ଯାତ୍ରାକୁ ଅବଲୋକନ କରି ଖୁବବେଶୀ ସମ୍ପ୍ରସାରିତ, ସମାଜବାଦୀ ବାସ୍ତବତା, ସୃଜନାତ୍ମକ ଆତ୍ମପ୍ରକାଶନରେ ଅସରନ୍ତି ସୁଯୋଗ ସୃଷ୍ଟି କରି ରାଶି, ରାଶି ଆଙ୍ଗିକ ଚିତ୍ର ଏବଂ ମିଥ୍ ମାଧ୍ୟମରେ ମଣିଷର ସଂଗ୍ରାମୀ ଭାବନାକୁ ସେ ରୂପ ପ୍ରଦାନ କରିଛନ୍ତି ନିଜର କବିତା ଗୁଡ଼ିକରେ। ତେଣୁ ଏ ସାହିତ୍ୟକୁ ଆମେ ଜନଗଣଙ୍କର ସାହିତ୍ୟ ବୋଲି କହିବା । ଏ ସାହିତ୍ୟ ସହିତ ଜନତାର ସ୍ୱାର୍ଥ ବି ଜଡ଼ିତ । ତେଣୁ ଏ ହେଉଛି ଏକ ଗଣ ସାହିତ୍ୟ । ଲୋକ ସାହିତ୍ୟର ଭଣ୍ଡାର ଆମ ନିକଟରେ ଯଥେଷ୍ଟ ଅଛି ଯେଉଁଥିରେ ରଜଦୋଳି ଖେଳ, ବୁଢ଼ି ଅସୁରୁଣି କଥା ଇତ୍ୟାଦି ଅନେକ ଅଛି । ଏ ହେଉଛି ଅନ୍ୟ ଏକ ପ୍ରକାରର ଲୋକ ସାହିତ୍ୟ ଯାହାକୁ ଆମେ ଗଣ ସାହିତ୍ୟ କହିପାରିବା ।

ସ୍ୱାଧୀନତା ଆସିଯିବା ପରେ ଯେଉଁ ଅବ୍ୟବସ୍ଥା ଆସିଲା । କିଛି ନୂଆ ହେବ ବୋଲି ଲୋକ ଆଶା କରିଥିଲେ କିନ୍ତୁ କ’ଣ ହେଲା? ସେ ସମୟରେ ସଚ୍ଚି ବାବୁଙ୍କର ସ୍ୱର ସ୍ତିମୀତ ହୋଇ ଆସିଲା । ରଘୁନାଥ ଦାଶ ବୋଲି ଜଣେ ଅତି ସୁନ୍ଦର କବିଙ୍କୁ ଶୁଣିବାକୁ ମିଳିଲା। ୧୯୫୦ ମସିହା ବେଳକୁ ସଚ୍ଚିବାବୁଙ୍କର ବୈପ୍ଳବିକ ସ୍ୱର ତୁଟି ତୁଟି ଯାଉଛି ଠିକ୍ ସେତିକି ବେଳେ ଶୁଣିବାକୁ ମିଳୁଛି ରଘୁନାଥ ଦାଶ ଏବଂ ମନ ମୋହନ ମିଶ୍ରଙ୍କୁ । ରଘୁନାଥ ଦାଶଙ୍କ ଦ୍ୱାରା ଲିଖିତ ଅଗଷ୍ଟ ପନ୍ଦର ୧୯୪୭, ଅଗଷ୍ଟପନ୍ଦର ୧୯୪୮, ଅଗଷ୍ଟପନ୍ଦର ୧୯୪୯ ଏଇ ତିନୋଟି କବିତା ଓଡ଼ିଶାର ଇତିହାସକୁ ଯେଉଁଭଳି ଭାବରେ ପ୍ରତିଫଳିତ କରିଛି ତା’ର ତୁଳନା ନାହିଁ । ସେଥିରେ ପୁଣି ଅଛି ଉଚ୍ଚାଙ୍ଗ କଳାକୃତି ।

କବି ସେଥିରେ କ’ଣ କହିବାକୁ ଚେଷ୍ଟା କରିଛନ୍ତି? ୧୯୪୭ ମସିହାରେ ଆମ କ’ଣ ଭାବୁଥିଲୁ, କେଡ଼େ ଆନନ୍ଦରେ ଆମେ ତ୍ରିରଙ୍ଗା ପତାକାକୁ ଉଡ଼ାଇ ଥିଲୁ, ଆମ୍ବ ପତ୍ର, ବରକୋଳି ପତ୍ର, ଦେବଦାରୁ ପତ୍ରରେ ତୋରଣ ତିଆରି କରି ପୁଜା କରିଥିଲୁ । ୧୯୪୯ ବେଳକୁ କ’ଣ ହୋଇଗଲା? ମାତ୍ର ଦୁଇବର୍ଷ ଭିତରେ ସେ କହୁଛନ୍ତି ଯେ, “ଏହି ସ୍ୱାଧୀନତା, ଗୋଟିଏ ଜାତି ଗର୍ଭରେ ଜାରଜ ସନ୍ତାନ” କାରଣ ଏହା ପାଖରୁ ଆଉ କିଛି ଆଶା କରାଯାଇ ପାରିବ ନାହିଁ । ତେଣୁ ମନମୋହନ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି ସେତେବେଳେ । ପ୍ରତିକ୍ରିୟାଶୀଳ ହେବା ସ୍ୱାଭାବିକ । ମୁକ୍ତି ଡ଼ାକରାରେ ଯେଉଁ କବିତା ଗୁଡ଼ିକରେ ସେ ଲେଖିଥିଲେ ସେତେବେଳେ ସାଧାରଣ ମଣିଷର କଥା ।

ସେତେବେଳେ ପ୍ରଥମ ନିର୍ବାଚନ ୧୯୪୭ ମସିହାରେ ହୋଇଥିଲା । ୧୯୫୧ ମସିହାରେ ଯେଉଁ ନିର୍ବାଚନ ହେଲା ସେତେବେଳକୁ ମନମୋହନ ମିଶ୍ରଙ୍କ କବିତାରେ କମ୍ୟୁନିଷ୍ଟ ପାର୍ଟିର ମେନିଫେଷ୍ଟୋ ସମ୍ପର୍କରେ ଅନେକ କବିତା ଲେଖାଯାଇଛି । ଏହା ବ୍ୟତିତ ରାଜନୈତିକ ନେତା, ସରକାରୀ କର୍ମଚାରୀ, ବେପାରୀ, ଡ଼ିଲର ଏମାନେ କେମିତି ନୀତି ହୀନ ଏବଂ ମୁନାଫାଖୋର ସେତେବେଳର କବିତା ଗୁଡ଼ିକରେ ପ୍ରକାଶ ପାଇଥିଲା ।

ମୁକ୍ତି ଡ଼ାକରାର ଦ୍ୱିତୀୟ ସଂସ୍କରଣରେ ୧୯୬୦-୬୧ ମସିହା ବେଳକୁ ସେ ଗୋଟିଏ କବିତା ଲେଖିଛନ୍ତି, ସେ କବିତାର ନାଁ ହେଉଛି, ‘ବନ୍ଧୁକ ଦରକାର’

“ବନ୍ଧୁକ ଦରକାର, ବନ୍ଧୁକ ଦରକାର ବେଶ୍ ଶକ୍ତ କଳା ମଚ ମଚ ବନ୍ଧୁକ,

 ଖାଲି କାକରରେ ପୁରିବ ନାହିଁ ଧରା, ଖାଲି ଟାକରାରେ ବୁଲିବ ନାହିଁ ଘୋଡ଼ା ।

ଯେତେ କାକର ଭରୁ ଟାକ ଫୁଟୁ ତେବେ ବି ଦାନା ପାଣି ଲୋଡ଼ା ।”

ଏ କବିତା ଗୁଡ଼ିକ ଉଚ୍ଚାଙ୍ଗ କବିତା । ଏଥିରେ ପ୍ରତିକ ଅଛି । ଏହା ଚାଷୀର ଲଙ୍ଗଳ ହେଉ ବା ଗଉଡ଼ ଟୋକାର ଲଉଡ଼ି(ବାଡ଼ି) ହେଉ, ଖାଦାନ କୁଲିର ହାତ ହେଉ ବା କାରଖାନା କାରିଗରର କାନ୍ଧ ହେଉ ସବୁଠି ବନ୍ଧୁକ ଦରକାର । ଏଇମାନେ ସବୁ ବନ୍ଧୁକ ଧରିବେ । ଏଇ ବନ୍ଧୁକକୁ ସଜାଡ଼ି ରଖିବାକୁ ହେବ । ଏସବୁ ପୁଣି କାୟମ ସ୍ୱାର୍ଥ ବିରୋଧରେ, ରକ୍ଷିତ ସ୍ୱାର୍ଥ ବିରୋଧରେ, ଯେଉଁମାନେ ସମାଜକୁ ଲୁଣ୍ଠନ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ । ତେଣୁ ଏ ସମୟରେ ସେ କବିତା ଲେଖୁଛନ୍ତି ଚାଷୀ, ନିମ୍ନ ବେତନ ଭୋଗୀ କର୍ମଚାରୀ, ବସ୍ତି ବାଲା, କାଠ କେବିନ ଦୋକାନୀ ମାନଙ୍କ ପାଇଁ । ସରକାର ସେତେବେଳେ କାଠ କେବିନ୍ ଦୋକାନୀଙ୍କୁ ଉଠାଇ ଦେଉଥାଏ । ଯେଉଁ ସ୍ୱାଧୀନ ଦେଶର ସରକାର ଲୋକମାନଙ୍କ ଗୁଜୁରାଣ ମେଣ୍ଟାଇବା ପାଇଁ କାମ ଦେଇ ପାରୁନି, ସେମାନେ ପେଟ ପୋଷିବା ପାଇଁ ଆଉ କିଛି ରାସ୍ତା ନାହିଁ ।

କାଠ କେବିନଟିଏ  ପକାଇ ଯିଏ ବଂଚିବା ପାଇଁ ଚେଷ୍ଟା କରୁଛି ତୁମ ସହର ସୁନ୍ଦର ଦେଖାଯିବା ବୋଲି ସାଙ୍ଗେ ସାଙ୍ଗେ ବାଡ଼େଇ, ମାଡ଼ଦେଇ, ଭାଙ୍ଗି ଉଠେଇ ଦେଉଛ । ସେହି ସମୟରେ ମନମୋହନ ମିଶ୍ର ବହୁତ ଉତ୍ତ୍ୟକ୍ତ ହୋଇଛନ୍ତି । ତେଣୁ ସେ କହିଛନ୍ତି ସମସ୍ତଙ୍କ କାନ୍ଧରେ ବନ୍ଧୁକ ଦରକାର । ତେଣୁ ଏ ପ୍ରକାର କବିତାରେ ସାଧାରଣ ମଣିଷ ପ୍ରତି ବିପୁଳ ସହାନୁଭୂତିର ଚିତ୍ର ଦେଖିବାକୁ ମିଳେ । ଏହି ସମୟରେ ସେ ଦୁଇଟି କବିତା ଲେଖିଥିଲେ ଯାହା ବିଷୟରେ କହିବା ପରେ ମୁଁ ମୋର ବକ୍ତବ୍ୟ ଶେଷ କରିବି । ସେ ଦୁଇଟି କବିତା ଦୁଇଟି ସୁନ୍ଦର ରୂପକ କାହାଣୀକୁ ନେଇ ଲେଖିଛନ୍ତି ।

ଗୋଟିଏ ହେଲା ‘ନୂଆ ଗପଟିଏ ଲେଖ’ ଆଉ ଗୋଟିଏ ‘ଆବାଜ’ । ‘ନୂଆ ଗପଟିଏ ଲେଖ’ କବିତାରେ ଭଗବତୀ ଚରଣ ପାଣିଗ୍ରାହୀ ହେଉଛନ୍ତି ତାଙ୍କର କାବ୍ୟ ନାୟକ ।

ସେଠି ସେ କହୁଛନ୍ତି ଯେ ସେଦିନ ଯେଉଁ ‘ଶିକାର’ ଗପଟି ଲେଖି ଦେଇଥିଲ, ସେଥିରେ ଘିନୁଆ ବୋଲି ଯେଉଁ ଚରିତ୍ରଟିକୁ ଆଣିଥିଲ ସେ ଥିଲା ଆଦୀବାସୀ, ଦରିଦ୍ର, ଶିକ୍ଷାହୀନ, ସଂସ୍କାରହୀନ । ସେ ସିନା ଜାଣି ନଥିଲା ବାଘ ମାରିଥିଲା ବୋଲି ବଧେଇ ଆଶାରେ ପୁରସ୍କାର ମାଗିଥିଲା । କିନ୍ତୁ ଯେତେବେଳେ ମଣିଷ ବାଘକୁ ମାରିଦେଲା, ଯିଏ ଲୁଣ୍ଠନ କରୁଥିଲା, ନାରୀମାନଙ୍କୁ ଅପହରଣ କରୁଥିଲା, ସମସ୍ତ ଜମିକୁ ଦଖଲ କରିଯାଉଥିଲା, ସେ ଥିଲା ସାହୁକାର, ଧନୀବ୍ୟକ୍ତି, ସେ ତାକୁ ମାରିକରି ଯେତେବେଳେ ଆସିଲା ବଧେଇ ଆଶାରେ ପୁରସ୍କାର ପାଇଲା ଫାଶୀ । ତୁମେ ସେଇ ଗପଟି ଲେଖିଥିଲ ଏବଂ ଇଙ୍ଗୀତ ଦେଇଯାଇଥିଲ ଭବିଷ୍ୟତ ପାଇଁ ଯେ ହୁଏତ ଏଇ ଦୁଃସ୍ଥ, ଅଜ୍ଞ ଲୋକମାନେ ନିଶ୍ଚୟ ଦିନେ ସମ୍ମୀଳିତ ହେବେ, ସେଦିନ ନିଶ୍ଚିତ ଭାବରେ ସମାଜରୁ ବୈଷମ୍ୟ ଲୋପପାଇବ । ଏଭଳି ଗୋଟିଏ ଇଙ୍ଗିତକୁ ନିଜର କଳାକୃତିରେ ଭିନ୍ନ ଭାବରେ ରୂପାୟିତ କରିଥିଲ। କିନ୍ତୁ ଆଜି ଗୋଟିଏ ନୂଆ ଗପ ଲେଖ, ଯେଉଁଠି ଘିନୁଆ କେବେହେଲେ ସ୍ୱୀକାର କରିବ ନାହିଁ ସେ ମଣିଷ ବାଘକୁ ମାରିଛି ବୋଲି। ସେ ତାର ବିଶ୍ୱାସର ସହିତ ସ୍ଥିର ଅବିଚଳିତ ରହିବ ଯାହାକୁ ମାରିଛି ମଣିଷର ସ୍ୱାର୍ଥ ପାଇଁ ମାରିଛି ।

ତେଣୁ ସେଠି ସେ ଆହୁରି ବୈପ୍ଳବିକ ଆନ୍ଦୋଳନର କଥା କହିଛନ୍ତି। ଯାହା ବାମପନ୍ଥୀମାନେ କରିପାରିଲେ ନାହିଁ । ସେ ସେଠି କହୁଛନ୍ତି ଯେ ସାଧାରଣ ଲୋକ ବଂଚିବାର ସୁଯୋଗ ପାଆନ୍ତୁ । କାରଣ ସେମାନେ ଏ ଦେଶର ନାଗରିକ । ସେମାନଙ୍କର ମଧ୍ୟ ବଞ୍ôଚବାର ଅଧିକାର ଅଛି । ଏଭଳି ବିଷୟବସ୍ତୁକୁ ନେଇ ସେ “କିଏ ସେ” ବୋଲି କବିତା ଲେଖିଲେ । ତାହାଥିଲା ଗୋଟିଏ ଚିତ୍ର କବିତା । ସେ କବିତାରେ ଦେଓମାଳି ପର୍ବତ ଥିଲା ଗୋଟିଏ ଚରିତ୍ର ଯେଉଁଠି ସେତେବେଳେ ଟଣା ଓଟରା ଲାଗିଥିଲା ଖଣି ଖୋଳି ବାହାରର ଲୋକମାନେ ନେଇଯିବାକୁ । ସେଥିରେ ଓଡ଼ିଶାର ଜନଗଣଙ୍କର କ’ଣ ଲାଭ ହେବ ସେକଥା କେହି ଭାବୁନଥିଲେ ।

କେନ୍ଦୁଝରର ଗୋନାସିକା ପର୍ବତ ଯେଉଁଠାରୁ ବୈତରଣୀ ନଦୀ ବାହାରିଛି ସେ ହେଲା ଆଉ ଗୋଟିଏ ଚରିତ୍ର । “ବୈତରଣୀ ନଦୀ ହାତରେ ପ୍ରେମ ପତ୍ରଟିଏ ଲେଖୁଛି ଗୋନାସିକା ପର୍ବତ ଦେଓମାଳି ପର୍ବତ ପାଖକୁ ।

ଗୋନାସିକା ପର୍ବତରୁ ବୋହିଯାଇଥିବା ବୈତରଣୀ ଧାମରା ପାଖରେ ପଡ଼ିଥିବ ସମୁଦ୍ରରେ । ତେଣୁ ଚିଠିଟି କେମିତି ପହଂଚି ପାରିବ, ସେ ଚିଠିଟି ଆଦୌ ପହଂଚି ପାରୁନାହିଁ । ଏହି କବିତା ଇଙ୍ଗିତ ଦେଉଛି ଯେ ଓଡ଼ିଶାର ଦୁଇଟି ପର୍ବତ ଦୁଇଟି ଚଢ଼େଇ ଗଣ୍ଡ ବୈରବୀ ଗୋଟିଏ ପୁରୁଷ ଆଉ ଗୋଟିଏ ନାରୀ । ତାଙ୍କ ଭିତରେ ପ୍ରେମ ସମ୍ଭାସଣ ଚାଲିଛି । ସେମାନଙ୍କ ଭିତରେ କଥାବାର୍ତ୍ତା ଚାଲିଛି ଯେ ଓଡ଼ିଶାର ବିକାଶ କେମିତି ହେବ? ଓଡ଼ିଶାରୁ ଦାରିଦ୍ର୍ୟ ଦୂରହେବ କେମିତି? ଏକଥା ଦୁଃଖର ସହିତ ଗୋନାସିକା ପର୍ବତର ଗୋଟିଏ ଗଣ୍ଡଭୈରବୀ ଚଢ଼େଇ ଦେଓମାଳି ପର୍ବତରେ ଥିବା ଆଉ ଏକ ଗଣ୍ଡଭୈରବୀ ଚଢ଼େଇକୁ କହୁଛି । ତାଙ୍କ ଭିତରେ ଦୁଃଖ ଓଡ଼ିଶାର ପ୍ରଗତି ହେଉନାହିଁ ଏବଂ ସେ କହୁଛନ୍ତି ସେଇଠି ଆସୁଛନ୍ତି ଜଣେ ବାଙ୍ଗରା ଚନ୍ଦା ଲୋକ ଯିଏ ଏକଦା ମୃଣାଳ ପର୍ବତମାଳା ଗର୍ଭରେ ଥିବା ମୂଲ୍ୟବାନ ଖଣିଜ ସମ୍ପଦକୁ ନେଇ ସମଗ୍ର ସୋଭିଏତ୍ ଋଷିଆର ଅର୍ଥନୈତିକ ମାନଚିତ୍ରର ପରିବର୍ତ୍ତନ କରିଦେଇଥିଲା। ଯେଉଁଥିପାଇଁ ଋଷିଆ ପୃଥିବୀର ଏକ ଶକ୍ତିଶାଳୀ ଶକ୍ତି ହୋଇ ଠିଆ ହୋଇପାରିଲା । ତେଣୁ ଏ ଦେଶରେ “କିଏ ସେ” ଜନ୍ମ ନେବ ଜଣେ ଲୋକ ଯିଏକି ଓଡ଼ିଶାର ଭାଗ୍ୟକୁ ପରିବର୍ତ୍ତନ କରି ଦେଇପାରିବ “କିଏ ସେ” ଏଇ କବିତା ଭିତରେ କବିତାର ପରିସମାପ୍ତି । ସେ ଲୋକ ଏବେ ଓଡ଼ିଶାରେ ଆସିଛନ୍ତି ନା ଆସି ନାହାଁନ୍ତି? ନାଁ ଆହୁରି ଅପେକ୍ଷା କରିବାକୁ ପଡ଼ିବ?

ଯେଉଁମାନେ ଜନ ସାଧାରଣଙ୍କ ସ୍ୱାର୍ଥକୁ ପଦଦଳିତ କରୁଛନ୍ତି, ଯେଉଁମାନେ ଆଜି ପାନ, ମୀନ, ଧାନର କଥା କହୁଛନ୍ତି, ଯେଉଁ ଲୋକମାନେ ଯୁଗ ଯୁଗ ଧରି ସମୁଦ୍ର କୂଳରେ ରହି ନିଜର ଜୀବିକା ଅର୍ଜନ କରୁଛନ୍ତି ସେମାନଙ୍କ ଜୀବନକୁ ଛିନ୍ଛତ୍ର କରି ଭାଙ୍ଗିବାପାଇଁ ଆଗଭର ହୋଇଛନ୍ତି କାହା ସ୍ୱାର୍ଥରେ? ଗୋଟିଏ ବିଦେଶୀ କମ୍ପାନୀର ସ୍ୱାର୍ଥ ପାଇଁ, ଗୋଟିଏ ବାହାର ଲୋକ ପାଇଁ, ଗୋଟିଏ କାରଖାନା ପାଇଁ? ଆମେ ବାହାର ଲୋକର ସ୍ୱାର୍ଥ ପାଇଁ କାହିଁକି ଆମ ନିଜର ଜୀବନକୁ ବିପନ୍ନ କରିବା ସେହି କଥାକୁ ଚିନ୍ତା କରିବାକୁ ଆଜି କେହିନାହିଁ । ଏଭଳି ଭାବନା ତାଙ୍କର ଥିଲା ଯେଉଁ ଭାବନାକୁ ତା’ର ମୂଲ୍ୟକୁ ଆଜି ଆମେ ହୁଏତ – ଉପଲବ୍ଧି କରିବାର ସମୟ ଆସିଛି ।

୨୦୦୬ମସିହା ନଭେମ୍ବର ମାସରେ ମନମୋହନ ମିଶ୍ରଙ୍କ ଉଦ୍ଦେଶ୍ୟରେ ଲୋହିଆ ଏକାଡ଼େମୀ ଠାରେ ସମଧ୍ୱନି ସାଂସ୍କୃତିକ ସଂଗଠନ ତରଫରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଆଲୋଚନାଚକ୍ରର ଶୀର୍ଷକ ଥିଲା “କବି ମନମୋହନ ମିଶ୍ରଙ୍କ କାବ୍ୟ କବିତାରେ ସମାଜ ପରିବର୍ତ୍ତନର ଦୃଷ୍ଟିଭଙ୍ଗୀ” । ଏହି ଆଲୋଚନା ଚକ୍ରର ମୁଖ୍ୟ ବକ୍ତା ଥିଲେ ପ୍ରଫେସର ନିତ୍ୟାନନ୍ଦ ଶତପଥୀ । ଆମ ସମୟର ଜଣେ ଅତି ଉଚ୍ଚକୋଟିର ସମୀକ୍ଷକ ଡ଼ଃ ଶତପଥୀଙ୍କର ପ୍ରଦତ୍ତ ମୌଖିକ ଭାଷଣଟିକୁ ସେତେବେଳେ ଲିପିବଦ୍ଧ କରିଥିଲେ ମଣ୍ଟୁ ନାୟକ(ସମଧ୍ୱନି ସାଂସ୍କୃତିକ ଅନୁଷ୍ଠାନର ସଭ୍ୟ)ଯାହା ଆମେ ଏଠାରେ ଉପସ୍ଥାପନ କରିଛୁ । ଉପସ୍ଥାପନାରେ ଯଦି କେଉଁଠି ଭୂଲ ରହିଯାଏ ସେଥିପାଇଁ ଡ଼ଃ ଶତପଥୀ ଦାୟୀନୁହଁନ୍ତି । ଏଥିପାଇଁ ଆମେ ନିଜକୁ ହିଁ ଉତ୍ତର ଦାୟୀ ମନେକରିବୁ । – ସମ୍ପାଦକ ।

Photo credit- Internet

About ନିତ୍ୟାନନ୍ଦ ଶତପଥୀ

ନିତ୍ୟାନନ୍ଦ ଶତପଥୀ
ପ୍ରଫେସର, (ସତ୍ୟବାଦୀ ଚେୟାର) ଉକ୍ରଳ ବିଶ୍ୱବିଦ୍ୟାଳୟ

Check Also

‘କଳାକାରର ଇଲାକା ହେଉଛି ତାର କଳାକୃତି’ (‘Artist’ s domain is his work’)

ବକ୍ତା: ବଲରାଜ ସାହନୀ ‘ଭାରତସାରା ଶ୍ରମିକ ଶ୍ରେଣୀ ଗୋଟିଏ ପ୍ରକାର ଚାଲୁ ଓ ରୁକ୍ଷ ହିନ୍ଦୁସ୍ତାନୀ ହିଁ ବ୍ୟବହାର କରିଥାଏ …

Leave a Reply

Your email address will not be published. Required fields are marked *