Home / ସମୀକ୍ଷା / ସାଂସ୍କୃତିକ ସମୀକ୍ଷା / ନବକଳେବର: ଚେତନା ଭିତରୁ ଯାହା ଜନ୍ମ ନିଏ

ନବକଳେବର: ଚେତନା ଭିତରୁ ଯାହା ଜନ୍ମ ନିଏ

ନବକଳେବର ଉପରେ କିଛି କହିବାକୁ ହେଲେ ଅନେକ ଥର ଭାବିବାକୁ ପଡ଼େ, ଯେହେତୁ କଥାଟି ଓଡ଼ିଆଙ୍କ ଭାବପ୍ରବଣତା ସହ ଜଡ଼ିତ। ଓଡ଼ିଆ ଜାତିଟା ଏକ ଭାବପ୍ରବଣ ଜାତି ବୋଲି ଉଭୟେ ଏ ଜାତିର ପୂର୍ବଜ ଓ ଦାୟାଦମାନେ ପ୍ରମାଣିତ କରିଆସିଛନ୍ତି । ଓଡ଼ିଆମାନଙ୍କ ଭିତରେ ପ୍ରଶ୍ନ କରିବାର ପ୍ରବଣତା ବା ଅଭ୍ୟାସ କେବେ ଥିଲା ଏକଥାର ପ୍ରମାଣ ଇତିହାସ ପୃଷ୍ଠାରୁ ମିଳେ ନାହିଁ । ଜଗନ୍ନାଥଙ୍କ ସହ ଆଦିବାସୀର ସମ୍ପର୍କଟି କେବେ, କେମିତି ଓ କିଭଳି ଆସିଥିଲା, ଏ କଥାଟିର ଅନୁସନ୍ଧାନ କିଏ କେବେ କରିଥିଲା ଆମେ ଜାଣିନାହୁଁ। ପୁରୁଷ ପୁରୁଷ ଧରି ଆମକୁ ରାଜା ଇନ୍ଦ୍ରଦ୍ୟୁମ୍ନ, ମନ୍ତ୍ରୀ ବିଦ୍ୟାପତି, ଶବର ରାଜା ବିଶ୍ୱାବସୁ ଓ ତାଙ୍କ କନ୍ୟା ଲଳିତାଙ୍କ ବିଷୟ କାହାଣୀ ଭାବରେ କୁହାଯାଇଛି । ଶ୍ରୀ ଜଗନ୍ନାଥଙ୍କ କାହାଣୀର ସତ୍ୟାସତ୍ୟ ପରଖି ଇତିହାସରେ ତା’ ସହ ସମ୍ପର୍କ କ’ଣ ଅଛି ଅନୁସନ୍ଧାନ କରାଯାଇନାହିଁ । କିଛି ପଣ୍ଡିତ ଆମକୁ ଏକଥା କହିପାରନ୍ତି ଯେ ଇତିହାସକୁ ଲିପିବଦ୍ଧ କରି ରଖିବାର ଅଭ୍ୟାସ ନଥିବା ଏକ ଜନସମୁଦାୟର କଥା ଓ କାହାଣୀ ଗୁଡ଼ିକୁ କଥିତ ଇତିହାସ ହିସାବରେ ନିଆଯାଇପାରେ।

କଥାଟି କିନ୍ତୁ ଏତେ ସରଳ ନୁହେଁ। ଯଦି ସବୁ କଥା-କାହାଣୀକୁ କଥିତ ଇତିହାସର ଅଂଶ ଭାବେ ନିଆଯିବ, ତେବେ କେବଳ ଜଗନ୍ନାଥ ନୁହେଁ, ରାମାୟଣଠୁ ଆରମ୍ଭ କରି ଲକ୍ଷ୍ମୀପୁରାଣ ଯାଏଁ ସବୁ କଥା ଓ କାହାଣୀ ଇତିହାସର ମାନ୍ୟତା ପାଇବେ। ଆମର ହଜାର ହଜାର ଦେବଦେବୀ ଇତିହାସର ଚରିତ୍ର ହୋଇଯିବେ। ତାଙ୍କର ଦାୟାଦମାନଙ୍କୁ ଖୋଜିଚାଲିବ ଆଜିର ସମାଜ । ସେମାନେ ନିପାତ କରିଥିବା ରାକ୍ଷାସମାନଙ୍କର ଦାୟାଦମାନଙ୍କୁ ମଧ୍ୟ ଖୋଜି ଚାଲିବ। ଆଜିର ସମସାମୟିକ ସମାଜଟି ଦେବ ଓ ଦାନବଙ୍କ ଭିତରେ ବିଭାଜିତ ହୋଇଯିବ । ଟିକିଏ ଭାବନ୍ତୁତ ଯଦି ସତରେ ଆଜିର ସମାଜଟିକୁ ଦୁଇଭାଗରେ ବିଭକ୍ତ କରାଯାଏ, ତେବେ ଆଦିବାସୀମାନଙ୍କୁ ଦେବତା ନା ଦାନବ କେଉଁ ଗୋଷ୍ଠିରେ ରଖାଯିବ? ବିଦ୍ୟାପତିଙ୍କ ବଂଶଧର, ଜଗନ୍ନାଥଙ୍କ ପୂଜା କରୁଥିବା ବ୍ରାହ୍ମଣ, ଶ୍ରୀମନ୍ଦିରକୁ ପ୍ରବେଶ କରିପାରୁନଥିବା ଦଳିତ, ବିଶ୍ୱାବସୁ ଶବରରାଜାଙ୍କ ଦାୟାଦ ଓ କୋରାପୁଟରେ ରହୁଥିବା ଆଦିବାସୀ କେଉଁ କେଉଁ ଗୋଷ୍ଠୀରେ ରହିବେ? ଏମିତି ଅବାନ୍ତର ଜଣାପଡ଼ୁଥିଲେ ବି ଅନେକ ଚିନ୍ତା ମନକୁ ବିଚଳିତ କରିବ ନିଶ୍ଚୟ ।

କେବଳ ଜଗନ୍ନାଥ ଚେତନା ନୁହେଁ କୌଣସି ପ୍ରକାରର ଚେତନାରେ ଭାବପ୍ରବଣତାର ସ୍ଥାନନାହିଁ । ଚେତନା ଏକ ପରିପକ୍ୱତାର ପରିପ୍ରକାଶ । ଭାବପ୍ରବଣ ସମାଜରେ ଚେତନା ଏକ ଅପହଞ୍ଚ ସ୍ତରରେ ରହିଯାଏ । ଏହି ଚିନ୍ତା ଓ ଚେତନାହୀନ ମଣିଷମାନଙ୍କର ଇଶ୍ୱର ପ୍ରିତି ସେମାନଙ୍କୁ ଅନେକ ମଧ୍ୟସ୍ତ ସାଜିଥିବା ଅମଣିଷମାନଙ୍କର ଅତି ନିକଟତର କରିଥାଏ । ଜଗନ୍ନାଥଙ୍କ ନାମଧରି ଓଡ଼ିଶାରେ ଚାଲିଥିବା ସମସ୍ତ ପ୍ରକାରର ଅନ୍ୟାୟ, ଅବିଚାରକୁ ଲୋକେ କେମିତି ପ୍ରଶ୍ନକରିବେ ଲେଖକ ସେହି ବିଷୟଟିକୁ ଉକ୍ତ ଲେଖାରେ ଉପସ୍ଥାପନ କରିବାପାଇଁ ଚାହିଁଛନ୍ତି ।             -ସମ୍ପାଦକ

About ସୁଧୀର ପଟ୍ଟନାୟକ

ଗୀତିକାର , ସମଦୃଷ୍ଟି ପାକ୍ଷିକ ପତ୍ରିକାର ସମ୍ପାଦକ, ମୁକ୍ତ ସାମ୍ବାଦିକ, ସମାଜବିଜ୍ଞାନୀ

Check Also

“ଯାତ୍ରା’ର ଯାତ୍ରା ଯଦି ସରିଯାଉଛି, ଯାଉ

୧୯୨୭ରୁ ରାସ ଅ ।ରମ୍ଭ କରିଛି । ୧୯୨୯ରେ ବ୍ୟବସାୟୀ ଭାବେ ସେ ପ୍ରଦର୍ଶନ କରି ଦଳ ଚଳାଇଛି ୧୯୩୮ …

Leave a Reply

Your email address will not be published. Required fields are marked *