Home / ନାଟକ / ‘ଚାଏର ନମ୍ବର ମାଙ୍କଡ଼’ : ନାଟ୍ୟକାର ଅରୁଣ ସାହୁଙ୍କ ସହ କିଛି ବାର୍ତ୍ତାଳାପ

‘ଚାଏର ନମ୍ବର ମାଙ୍କଡ଼’ : ନାଟ୍ୟକାର ଅରୁଣ ସାହୁଙ୍କ ସହ କିଛି ବାର୍ତ୍ତାଳାପ

ଶାରିରୀକ ଶ୍ରମ ପ୍ରତି ବିମୁଖତା ପ୍ରଦର୍ଶନ କରିବାର ସଂସ୍କୃତି ଆଧୁନିକ ଯୁଗରେ ବୃଦ୍ଧି ପାଇବାରେ ଲାଗିଛି । ଯେଉଁମାନେ ଆର୍ଥିକ ଭାବରେ ସ୍ୱଚ୍ଛଳ ଏବଂ ଯେଉଁମାନେ ବଡ଼ ବଡ଼ ପଦପଦବୀର ଅଧିକାରୀ ସେମାନଙ୍କ ପାଇଁ ଶାରୀରିକ ପରିଶ୍ରମ କରୁଥିବା ବ୍ୟକ୍ତିର କୌଣସି ମୂଲ୍ୟ ନାହିଁ । ଏହିସବୁ ମଣିଷମାନେ ଅନ୍ୟର ଶ୍ରମକୁ ଶୋଷଣ କରିବା କ୍ଷେତ୍ରରେ ବେଶ  ଧୁରନ୍ଦର । ଅପରପକ୍ଷରେ ବିଭିନ୍ନ ଶାରୀରିକ ରୋଗରେ ମଧ୍ୟ ଏହି ବ୍ୟକ୍ତିମାନେ ପୀଡ଼ିତ । ନାଟକ ‘ଚାଏର୍ ନମ୍ବର୍ ମାଙ୍କଡ଼’ ଏହି ଶ୍ରମଶକ୍ତିକୁ ଗୁରୁତ୍ୱ ଦେଇଛି । ବରଗଡ଼ ଜିଲ୍ଲାର ନାଟ୍ୟକାର ଅରୁଣ କୁମାର ସାହୁ ପେଷାରେ ଜଣେ ଚାଷୀ । ତାଙ୍କ ମତରେ ଶ୍ରମ ହିଁ ମାନବ ଜାତିକୁ ଅନ୍ନ, ବସ୍ତ୍ର ଯୋଗାଇଥାଏ । ତେଣୁ ମାଟିର ସଂସ୍କୃତିକୁ ସେ ଶ୍ରମ ସଂସ୍କୃତି ବୋଲି ବିଚାର କରି ଏକ କାଳ୍ପନିକ ଚରିତ୍ର ଗାନ୍ଧିଜୀଙ୍କ ଚତୁର୍ଥ ମାଙ୍କଡ଼ ଜରିଆରେ ତାଙ୍କ ବୁଝାମଣାକୁ ନାଟକରେ ଅତି ସରଳ ଓ ସୁନ୍ଦର ଭାବରେ ରୂପାୟିତ କରିଛନ୍ତି । ଏହି ନାଟକ ଓଡ଼ିଶାର ବିଭିନ୍ନ ସ୍ଥାନରେ ମଞ୍ଚସ୍ଥ ହେବାପରେ ବହୁ ପ୍ରଶଂସାର ଅଧିକାରୀ ହୋଇପାରିଛି । ନାଟ୍ୟକାର ଅରୁଣ କୁମାର ସାହୁଙ୍କର ନାଟକ ଯେମିତି ସରଳ ସେମିତି ତାତ୍ତ୍ୱିକ । ଏହିଭଳି ସରଳ ଦିଗଦର୍ଶୀ ନାଟ୍ୟକାରମାନେ ହିଁ ସାଧାରଣ ମଣିଷର ଚେତନାର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ । ଅଜିତ ପାଣିଗ୍ରାହୀ ଯିଏକି ଜଣେ କଳାକାର ଏବଂ ମୁକ୍ତବୃତ୍ତିର ସାମ୍ବାଦିକ ନାଟ୍ୟକାର ଅରୁଣସାହୁଙ୍କ ନିକଟରୁ ଏହି ସାକ୍ଷାତକାରଟି ସଂଗ୍ରହ କରିଛନ୍ତି ।                      – ସମ୍ପାଦକ

ନାଟକର କଥାବସ୍ତୁ:

ଶ୍ରବଣ(ବଧିର), ଶ୍ରୀମୁଖ(ମୁକ) ଓ ପଦ୍ମଲୋଚନ (ଅନ୍ଧ) ତିନି ସାଙ୍ଗ । ଶ୍ରବଣ ଓ ଶ୍ରୀମୁଖ ଜଣେ ନେତାଙ୍କ ଘରେ କାମ କରନ୍ତି । ଶ୍ରବଣ ରାନ୍ଧୁଣିଆ, ଶ୍ରୀମୁଖ ହାଟ ବଜାର, ଘର ସଫେଇ ଇତ୍ୟାଦି କାମ କରେ । ନେତା ଘରେ ନଥିଲା ସମୟରେ ପଦ୍ମଲୋଚନ ସାଙ୍ଗମାନଙ୍କୁ ଭେଟିବାକୁ ଆସେ ଓ ତିନିହେଁ ଏକା ସାଥିରେ ଖିଆପିଆ, ହସିମଜା କରନ୍ତି । ନେତାକୁ କେନ୍ଦ୍ରକରି ତିନି ସାଙ୍ଗଙ୍କ ମଧ୍ୟରେ ନାଟକଟି ଗତିଶୀଳ ହୁଏ । ତିନିସାଙ୍ଗ ମିଶି ନେତା ଉପରେ ଗାନ୍ଧୀଙ୍କ ବିଚାରର ପ୍ରୟୋଗମାନ କରିଛନ୍ତି । ତିନିସାଙ୍ଗ ବାପୁଙ୍କ ତିନି ମାଙ୍କଡ଼ଙ୍କର ଧର୍ମକୁ ପାଳନ କରୁନଥିଲେ ମଧ୍ୟ ବ୍ୟଙ୍ଗାତ୍ମକ ଦୃଷ୍ଟିରୁ ତିନି ମାଙ୍କଡ଼ ହିସାବରେ ଚିତ୍ରଣ କରାଯାଇଛି ।

ନାଟକର ପରଦା ଉଠିଲା ପରେ ଦେଖାଯିବ ତିନି ସାଙ୍ଗ, ତିନି ମାଙ୍କଡ଼ ଭଳି ମୁଦ୍ରାରେ ଏକ ଗାନ୍ଧୀ ମୁର୍ତ୍ତି ତଳେ ବସିଥିବେ । ବ୍ୟାକ୍ଗ୍ରାଉଣ୍ଡରେ ରାମଧ୍ୱନି ଶୁଭୁଥିବ । କିଛିସମୟ ପରେ ନିଜ ନିଜ ଭିତରେ ଥଟ୍ଟା ମଜା ହେବେ ଓ ଶ୍ରବଣ ବିରକ୍ତି ପ୍ରକାଶ କରି ଚାଲିଯାଏ । ପରେ ପରେ ଶ୍ରୀମୁଖ । ମଞ୍ଚରେ ପଦ୍ମଲୋଚନ ଏକାକୀ । ଏହି ସମୟରେ ପଛପଟୁ କେହି ଜଣେ ବାଡ଼ି ଦ୍ୱାରା ଆଘାତ କରିବାର ଅନୁଭବ କରେ ଓ ଶ୍ରୀମୁଖ ହୋଇଥିବ ଭାବି ଗାଳି କରେ । ପୁନର୍ବାର ସେଭଳି ଘଟିବାରୁ ବାପୁଙ୍କ ଆଡ଼େ ଯେତେବେଳେ ଅନାଏ, ମୂର୍ତ୍ତିଟି ଖତେଇ ହେଉଥାଏ । ପଦ୍ମଲୋଚନ ଘଟଣାକୁ ଚାରିଆଡ଼େ ପ୍ରଚାର କରେ ।

ଦୃଶ୍ୟ ପରିବର୍ତ୍ତନ ହୁଏ । ବୈଠକଖାନା । ନେତାଟି ଖବରକାଗଜ ପଢ଼ୁଥାନ୍ତି । ଏହି ସମୟରେ ଶ୍ରୀମୁଖ ବଜାର ବାଟରୁ ଫେରିଆସି ଅଲୌକିକ ଘଟଣା ସମ୍ପର୍କରେ କୁହେ । ନେତା ବୁଝି ନପାରି ଶ୍ରବଣକୁ ଡାକେ ଏବଂ ଜାଣିବାକୁ ପାଏ ଯେ, ଗାନ୍ଧୀ ମୂର୍ତ୍ତି ଆଖିରୁ ଲୁହ ଝରୁଛି । ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ବିଭିନ୍ନ ଆଡ଼େ ଫୋନ କରି ବିଫଳ ହୋଇଛି । ଚାକରମାନଙ୍କ କଥାକୁ ବିଶ୍ୱାସ କରିଛି । ଭୟ, ସଂଶୟ, ଦ୍ୱନ୍ଦ୍ୱଭରା ମନରେ ନାନା କଥା ଭାବିଛି । ଦେବାଦେବୀ ମୂର୍ତ୍ତିମାନେ ସିନା ଅଲୌକିକ ଘଟଣା ଘଟାନ୍ତି । ମାତ୍ର ଗାନ୍ଧୀ? କାଲିକା ଲୋକଟିଏ? ତା’ହେଲେ ଗାନ୍ଧୀ ଦେବତା ହୋଇଗଲେଣି କି?

ଭୟଭୀତ ନେତା ନିଜର ଚାଲିଚଳନ, ପରିଧାନରେ ପରିବର୍ତ୍ତନ ଆଣିଛି । ପେନ୍ସନ୍, ଗାଡ଼ି ବଙ୍ଗଳା ଫେରାଇଦେବା ପାଇଁ ମନେ ମନେ ସ୍ଥିର କରିଛି । ଘରର ଏସି ବନ୍ଦ ରଖି ଗାମୁଛାରେ ବିଞ୍ôଚ ହୋଇଛି । ମୋଟାମୋଟି ଭାବରେ ଗୋଟିଏ ସରଳ ଜୀବନକୁ ଆଦରିବାରେ ଚେଷ୍ଟା କରିଛି, ମାତ୍ର ଚାକରମାନଙ୍କ ଦ୍ୱାରା । ଏଭଳି ପରିସ୍ଥିତି ସୃଷ୍ଟି ହୁଏ ଯେ ନେତାଟି ସମୟ ସମୟରେ ପୂର୍ବ ଚରିତ୍ରକୁ ଫେରି ଆସୁଥାଏ । ପୁଣି ଅନୁତାପ କରେ । ଏଭଳି ଦ୍ୱନ୍ଦ୍ୱାତ୍ମକ ଚରିତ୍ରଟିଏ ନେତା ।

ନିଜ କାମ ନିଜେ କର, ଗୋଟିଏ ଗାଲରେ ମାରିଲେ ଅନ୍ୟ ଗାଲ ଦେଖାଅ, କାମ ନକଲେ ଖାଇବା ବନ୍ଦ ଇତ୍ୟାଦି ବିଚାରମାନ ନାଟକରେ ପ୍ରୟୋଗ କରାଯାଇଛି । କାମ ନକଲେ ଖାଇବା ବନ୍ଦର ପ୍ରୟୋଗ ପାଇଁ ନେତା ଘରର ପଛପଟ ବଗିଚାକୁ କାମ କରିବା ପାଇଁ ଯାଇଛି । ସେହି ସମୟରେ ପଦ୍ମଲୋଚନ ଘରକୁ ଆସିଛି । ତିନିହେଁ ହସିମଜା ହେଉଥିଲା ବେଳେ ବାହାର କବାଟ ବାଡ଼େଇବାର ଶବ୍ଦ ଶୁଣି ଅନୋନ୍ୟପାୟ ହୋଇ ପଦ୍ମଲୋଚନକୁ ରନ୍ଧା ଘରେ ଲୁଚାଇଛନ୍ତି । ଶ୍ରବଣ କବାଟ ଖୋଲି ଦେଖେ ନେତା ଗୋଡ଼ରେ ଆଘାତ ପାଇ ଛୋଟେଇ ଛୋଟେଇ ପ୍ରବେଶ କରେ । ଶ୍ରବଣ ଶ୍ରୀମୁଖ ମିଶି ମଲାମ ପଟି କରନ୍ତି । ନେତାଟି ହାଲିଆ ହୋଇ ସୋଫା ଉପରେ ଶୋଇବାକୁ ଉଦ୍ୟମ ହୁଅନ୍ତେ ଶ୍ରବଣ ଶୋଇବା ଘରକୁ ଯିବା ପାଇଁ କହେ । କିନ୍ତୁ ନେତା ମନାକରେ ଓ ସେଇଠି ଶୋଇଯାଏ । ନିଦରେ ସ୍ୱପ୍ନ ଦେଖେ । ବାପୁ ତା’ଘରକୁ ଆସିଛନ୍ତି । ତା ମୁଣ୍ଡକୁ ଆଉଁସୁଛନ୍ତି । ନେତାର ନିଦ ଭାଙ୍ଗିଯାଏ ଓ ଚମକିପଡ଼ି ସୋଫା ଉପରୁ ପଡ଼େ । ଯନ୍ତ୍ରଣା ଜର୍ଜରିତ ହୋଇ ବାପୁଙ୍କୁ ସ୍ମରଣ କରେ । ବାପୁ କେମିତି ସାରା ଜୀବନ ସତ୍ୟ ସାଙ୍ଗରେ ସାଙ୍ଗ ହୋଇଥିଲେ? କେମିତି ସତ୍ୟ ଉପରେ ପ୍ରୟୋଗ କରୁଥିଲେ?

ମାତ୍ର ଦିନଟିଏ ତା ଉପରେ ପ୍ରୟୋଗ ହୋଇଯିବାରୁ ସେ ଘାଇଲା ହୋଇପଡ଼ିଛି । ଏମିତି ନାନା କଥା । ପ୍ରୟୋଗ ଶବ୍ଦରୁ ନେତା ଭାବିଛି, ନିଜେ ପ୍ରୟୋଗ କରିବ । ଶ୍ରବଣ ଓ ଶ୍ରୀମୁଖ ପ୍ରକୃତରେ ମୁକ, ବଧିର ନା ଅଭିନୟ କରୁଛନ୍ତି? ଜାଣିବା ପାଇଁ ପ୍ରୟୋଗ କରିଛି। ପ୍ରୟୋଗ କଲା ସମୟରେ ଆକସ୍ମିକ ଭାବରେ ପଦ୍ମଲୋଚନ ଧରାପଡ଼ିଯାଇଛି । ପଦ୍ମଲୋଚନକୁ ବଞ୍ଚାଇବା ପାଇଁ ଶ୍ରବଣ ଓ ଶ୍ରୀମୁଖ ସାମନାକୁ ଆସିଛନ୍ତି ଓ ତାଙ୍କର ପ୍ରୟୋଗ ଧରାପଡ଼ିଯାଇଥିବାରୁ, ଭୁଲ୍ ସ୍ୱୀକାର କରି କ୍ଷମା ମାଗିଛନ୍ତି । ନେତା ବି ନିଜର ଭୁଲ୍ ବୁଝି ତାଙ୍କ ସାଙ୍ଗରେ ମିଶିବା ପାଇଁ ଚାହିଁଛି । ତିନିହେଁ ଆଖି, କାନ, ମୁହଁ ଆଗରୁ ବନ୍ଦ କରିଥିବାରୁ, ନିଜେ କ’ଣ ବନ୍ଦ କରିବ ବୋଲି ପ୍ରଶ୍ନ କରିଛି । ନାକକୁ ବନ୍ଦ କଲେ ଜୀବନ ଯିବ? ହାତ, ଗୋଡ଼କୁ ବନ୍ଦ କଲେ ବ୍ଲଡ଼୍ ପ୍ରେସର, ସୁଗାର? ତା’ହେଲେ କ’ଣ ବନ୍ଦ କରିବ? ପରିଶେଷରେ ସେ ଭାବିଛି କିଛି ବନ୍ଦ ନକରି କାମ କରିବ । ଶାରୀରିକ ଶ୍ରମ କରିବା ପାଇଁ ନିଷ୍ପତ୍ତି ନେଇ ମାଟି ହାଣିବା ପୋଜିସନ୍ରେ ଫ୍ରିଜ୍ ରହିବ । ତିନିହେଁ କହିବେ – ଚାରି ନମ୍ବର ମାଙ୍କଡ଼ ।

ନାଟକ ‘ଚାଏର ନମ୍ବର ମାଙ୍କଡ଼’ (ଚତୁର୍ଥ ମାଙ୍କଡ଼)ର ନାଟ୍ୟକାର ଶ୍ରୀ ଅରୁଣ କୁମାର ସାହୁଙ୍କ ସହ ନାଟକ ସମ୍ପର୍କରେ କିଛି ବାର୍ତ୍ତାଳାପ:-

ଖରାପ କଥା ଶୁଣିବି ନାହିଁ

ଖରାପ କଥା କହିବି ନାହିଁ

ଖରାପ କଥା ଦେଖିବି ନାହିଁ

ଉପରଲିଖିତ ତିନୋଟି ଉକ୍ତି ଗାନ୍ଧୀଙ୍କ ତିନିମାଙ୍କଡ଼ର କଥା । ଆମେ ଆମ ସ୍କୁଲରେ ମଧ୍ୟ ପଢ଼ିଛେ, ଜାଣିଛେ । ତାକୁ ନେଇ ଓଡ଼ିଶାରେ ତଥା ଓଡ଼ିଶା ବାହାରେ ଅନେକ କ୍ଷୁଦ୍ର ନାଟକ, ନାଟିକା, ଡ୍ରାମା ଆଦି କରାଯାଇଛି । ଗାନ୍ଧୀଙ୍କ ବିଚାରକୁ ନେଇ ଅନେକ ଫିଲ୍ମ ମଧ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିର୍ମାଣ ହୋଇସାରିଛି । ଆମେ ଜାଣିଛେ ଯେ ଗନ୍ଧିଜୀ ଶ୍ରମ ସଂସ୍କୃତି କଥା/ କାମ କରିବାର ଉପରେ ଗୁରୁତ୍ୱ ଦେଉଥିଲେ । ‘ଶ୍ରମସଂସ୍କୃତି’କୁ ନେଇ ଶ୍ରୀ ଅରୁଣ କୁମାର ସାହୁ ଏକ ନାଟକ ଲେଖି ଓ ନିର୍ଦ୍ଦେଶିତ କରି ଅନେକ ଜାଗାରେ ପ୍ରଦର୍ଶିତ କରିଛନ୍ତି । ନାଟକଟି ପ୍ରଶଂସିତ ହୋଇସାରିଛି । ନାଟକର ନାଁ ହେଉଚି ‘ଚାଏର ନମ୍ବର ମାଙ୍କଡ଼’ (ଚତୁର୍ଥ ମାଙ୍କଡ଼) । ନାଟକଟି ଓଡ଼ିଶାର ସମ୍ବଲପୁର, ବରଗଡ଼, ଭବାନୀପାଟଣା ଆଦି ସ୍ଥାନରେ ମଞ୍ଚସ୍ଥ ହୋଇସାରିଛି ।

ନାଟକ ସମ୍ପର୍କରେ ନାଟ୍ୟକାରଙ୍କ ସହିତ ବାର୍ତ୍ତାଳାପ କରିଛନ୍ତି ‘ସମଧ୍ୱନି ବ୍ୟୁରୋ’ର ଶ୍ରୀ ଅଜିତ କୁମାର ପାଣିଗ୍ରାହୀ ।

ଅଜିତ୍- ନାଟକର ଏଭଳି ନାମକରଣ- ଚାଏର ନମ୍ବର ମାଙ୍କଡ଼ (ଚତୁର୍ଥ ମାଙ୍କଡ଼) ନାମକରଣ କରିବା ପାଇଁ ଆପଣ କାହିଁକି ଚିନ୍ତାକଲେ?

ନାଟ୍ୟକାର: ନାଟକ ମଞ୍ଚସ୍ଥ ହେବା ପୂର୍ବରୁ ନାଟକର ନାମ ଥିଲା ‘ବାପୁର୍ ସାଙ୍ଗେ ଦିନେ’ ଯେଉଁଥିରେ ନାଟକର  ପରିସମାପ୍ତି ଟା ନକାରାତ୍ମକ ଥିଲା । ପରେ ମୁଁ ଭାବିଲି ନାଟକରେ ଗୋଟିଏ ସକାରାତ୍ମକ ବାର୍ତ୍ତା ଦେବି । ନାଟକଟି ଚାରୋଟି ଚରିତ୍ରକୁ ନେଇ ଗତିଶୀଳ । ତିନୋଟି ଚରିତ୍ର ଅନ୍ଧ, ମୁକ, ବଧିର ଯେଉଁମାନେ କି ଗାନ୍ଧୀଙ୍କ ତିନିମାଙ୍କଡ଼କୁ ପ୍ରତିନିଧିତ୍ୱ କରୁଛନ୍ତି । ତେଣୁ ୪ନମ୍ବର ଚରିତ୍ରକୁ ୪ର୍ଥ ମାଙ୍କଡ଼ ଭାବରେ ଚିତ୍ରଣ କରାଯାଇଛି ଯିଏ ଶ୍ରମ ସଂସ୍କୃତିକୁ ପ୍ରତିନିଧିତ୍ୱ କରୁଛି ।

ପ୍ର: ଏହି ନାଟକର ସମସାମୟିକ ଘଟଣା ସହିତ କେଉଁଭଳି ସମ୍ପର୍କ ରହିଛି?

ଉ: ସାମ୍ପ୍ରତିକ ସମାଜରେ ଶାରୀରିକ ଶ୍ରମ କରୁଥିବା ବ୍ୟକ୍ତିକୁ ଘୃଣ୍ୟ ହିସାବରେ ଦେଖାଯାଉଛି । କର୍ମକୁଣ୍ଠ ବ୍ୟକ୍ତି ପ୍ରତିଷ୍ଠିତ । ଏଣୁ ନାଟକରେ ସୁସ୍ଥ ଜୀବନ ପାଇଁ ଶ୍ରମର ଭୂମିକାକୁ ଗୁରୁତ୍ୱ ଦିଆଯାଇଛି ।

ପ୍ର: ଏହି ନାଟକଟି ଅନେକ ପ୍ରଶଂସାର ଅଧିକାରୀ ହୋଇଛି ସେ ନେଇ ଆପଣଙ୍କର କ’ଣ ପ୍ରତିକ୍ରିୟା ରହିଛି?

ଉ: ନିଜର କୃତି ପ୍ରଶଂସିତ ହେଲେ ଖୁସି ଲାଗିବା ସ୍ୱାଭାବିକ କିନ୍ତୁ ମୋ ଟିମ୍ର ସଦସ୍ୟ ମାନେ ଖୁସି ଅନୁଭବ କଲେ ସବୁଠୁ ବେଶୀ ଖୁସି ଲାଗେ ।

ପ୍ର: ଆପଣ ନିଜର କେଉଁ ନାଟକକୁ ସବୁଠାରୁ ଅଧିକ ପସନ୍ଦ କରନ୍ତି ବା ସବୁଠୁ ଭଲ ବୋଲି ଭାବନ୍ତି?

ନାଟ୍ୟକାର: କହିବା ବଡ଼ ମୁସ୍କିଲ । ମୋର ସବୁ ନାଟକକୁ ସମାନ ଭାବରେ ଭଲପାଏଁ ।

ପ୍ର: ଓଡ଼ିଶାରେ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ନାଟକ ପରିବେଷଣ ହେଉଛି । କିନ୍ତୁ ଆପଣଙ୍କ ନାଟକ ଅନ୍ୟମାନଙ୍କଠାରୁ କାହିଁକି ନିଆରା ମନେହେଉଛି?

ଉ: ମୁଁ ମାତ୍ର ୮ଟି ସ୍ୱରଚିତ ଓ ନିର୍ଦ୍ଦେଶିତ ନାଟକ ମଞ୍ଚସ୍ଥ କରିଛି ଓ ଖୁବ୍ କମ୍ ନାଟକ ମଧ୍ୟ ଦେଖିଛି, ଏଣୁ ମୋ ନାଟକଗୁଡ଼ିକ ଅନ୍ୟମାନଙ୍କ ଠାରୁ କାହିଁକି ନିଆରା ଦର୍ଶକମାନେ ଭଲଭାବରେ କହିପାରିବେ । ମୋ ନାଟକ ମାନଙ୍କରେ କେବଳ ଏତିକି କରିଛି ଯେ ପାରମ୍ପରିକ ପରିବେଷଣ ଶୈଳୀରୁ ଟିକିଏ ଭିନ୍ନ କରିବାକୁ ଚେଷ୍ଟା କରିଛି ।

ପ୍ର: ଅନ୍ୟ କେଉଁ ନାଟ୍ୟକାରମାନଙ୍କ ସହ ଆପଣଙ୍କ ଦୃଷ୍ଟିଭଙ୍ଗୀ ସମାନ ବୋଲି ଆପଣ ଭାବୁଛନ୍ତି?

ଉ: ପଶ୍ଚିମ ଓଡ଼ିଶାରେ ହେଉଥିବା ନାଟକମାନଙ୍କ ମଧ୍ୟରେ ନାଟ୍ୟକାର ଶଙ୍କର ମହାନନ୍ଦ ଓ ମୋ ନାଟକଗୁଡ଼ିକ ଜଗତୀକରଣ ଓ ବଜାରବାଦ୍ ବିରୁଦ୍ଧରେ ତୀକ୍ଷ୍ଣ ଭାବରେ ସ୍ୱର ଉଠାଇଥାଏ ।

ପ୍ର: ଭାରତ ଏବଂ ଓଡ଼ିଶାରେ କେଉଁମାନେ ଲୋକାଭିମୁଖୀ ବା ଲୋକଙ୍କ ଦୈନନ୍ଦିନ ସମସ୍ୟାକୁ ଆଖି ଆଗରେ ରଖି ନାଟକ ତିଆରି କରୁଛନ୍ତି?

ଉ: ମୁଁ ଆଗରୁ ଆପଣଙ୍କୁ କହିଛି । ମୁଁ ଖୁବ୍ କମ୍ ନାଟକ ଦେଖିଛି ଏଣୁ ଏହା ଉପରେ କହିବା ମୋ ପାଇଁ ମୁସ୍କିଲ ।

ପ୍ର: ଆଜିର ଯୁବ ନାଟ୍ୟକାରମାନଙ୍କ ପାଇଁ କ’ଣ ଉପଦେଶ ତଥା ବାର୍ତ୍ତା ଦେବେ?

ଉ: ସବାଶେଷ ମଣିଷ ପାଇଁ କଲମ୍ ଚଲାନ୍ତୁ, ତାକୁ ହିଁ ନାଟକରେ ନାୟକ କରନ୍ତୁ ।

Photo credit-

https://www.google.com/search?q=4+monkey+of+gandhi+sculptures&tbm=isch&source=iu&ictx=1&fir=9ygbFbrMBlpRqM%253A%252CKzf4T8H-yo7ZCM%252C_&vet=1&usg=AI4_-kSXyMyBLDslBaB6rPiiZXuIICwVsw&sa=X&ved=2ahUKEwjFztLJ9O_jAhXjheYKHeCEAmYQ9QEwAXoECAcQCQ#imgrc=9PCe8am2fDu-jM:&vet=1

About ଅଜିତ କୁମାର ପାଣିଗ୍ରାହୀ

ସମଧ୍ୱନିର ମୁଖ୍ୟ ଗଣସଙ୍ଗୀତ ଗାୟକ, ସାମାଜିକ କର୍ମୀ

Check Also

“ଯାତ୍ରା’ର ଯାତ୍ରା ଯଦି ସରିଯାଉଛି, ଯାଉ

୧୯୨୭ରୁ ରାସ ଅ ।ରମ୍ଭ କରିଛି । ୧୯୨୯ରେ ବ୍ୟବସାୟୀ ଭାବେ ସେ ପ୍ରଦର୍ଶନ କରି ଦଳ ଚଳାଇଛି ୧୯୩୮ …

2 comments

  1. Ajit Kumar Panigrahi

    ଆଜିକାର ଦିନରେ ପ୍ରାୟ କେତେଜଣ ନାଟ୍ୟକାର ଯୋଉ ମାନେ ସବା ତଲ ମଣିଷ ମାନଙ୍କ ଗାଥା,କଥା କୁ ନାଟକ ମାଧ୍ୟମରେ ଲୋକଲୋଚନକୁ ଆଣୁଛନ୍ତି ସେମାନଙ୍କ ମଧ୍ୟରୁ ଅରୁଣ ସାହୁ ଅନ୍ୟତମ ।ଅରୁଣ ସାହୁ ୟା ର ପୂର୍ବରୁ ‘ଏକଲୁ’ ନାଟକ କରିଥିଲେ ,ଯୋଉ ଥିରେ ଆମ ଶିକ୍ଷା ବ୍ୟବସ୍ଥା କୁ ସଠିକ ଭାବରେ ଦର୍ଶେଇ ଅଛନ୍ତି ।ଥିଲା ବାଲା ଙ୍କ ପାଇଁ ଗୋଟିଏ ଆଉ ସମାଜ ର ବାକି ବର୍ଗ ପାଇଁ ଗୋଟିଏ ।ଯୋଉ ମାନଙ୍କ ପାଖରେ ପଇସା ଅଛି ସେମାନେ କିଣା ପାଠ ପଢିବେ ,ଯାହା ପାଖରେ ପଇସା ନାହିଁ ଆମ ସରକାରୀ ବିଦ୍ୟାଳୟ ରେ ପଢିବେ ଯୋଉଠି ନାହିଁ ନାହିଁ ରେ ଚାଲିଛି । ନାଟକ ଏକଲୁ ମାଧ୍ୟମରେ ନାଟ୍ୟକାର ଅରୁଣ ସାହୁ ଆମ ତଥାକଥିତ ଶିକ୍ଷା ବ୍ୟବସ୍ଥା ର ଅଵସ୍ଥା କୁ ଠିକ ଢଙ୍ଗରେ ଉପସ୍ଥାପିତ କରିଛନ୍ତି ।

Leave a Reply

Your email address will not be published. Required fields are marked *