Home / ବ୍ୟକ୍ତି ଓ ବ୍ୟକ୍ତିତ୍ୱ / ଅଭିଭାଷଣ / ‘କଳାକାରର ଇଲାକା ହେଉଛି ତାର କଳାକୃତି’ (‘Artist’ s domain is his work’)

‘କଳାକାରର ଇଲାକା ହେଉଛି ତାର କଳାକୃତି’ (‘Artist’ s domain is his work’)

ବକ୍ତା: ବଲରାଜ ସାହନୀ

‘ଭାରତସାରା ଶ୍ରମିକ ଶ୍ରେଣୀ ଗୋଟିଏ ପ୍ରକାର ଚାଲୁ ଓ ରୁକ୍ଷ ହିନ୍ଦୁସ୍ତାନୀ ହିଁ ବ୍ୟବହାର କରିଥାଏ । ସମସ୍ତ ଶାସ୍ତ୍ରୀୟ ଓ ବ୍ୟାକରଣର ଆଡ଼ମ୍ବରକୁ ଉପେକ୍ଷା କରି ସେମାନେ ଏହାର ବ୍ୟବହାର କରିଥାନ୍ତି । ଏହି ଭଳି ହିନ୍ଦୁସ୍ତାନୀରେ ‘ଲଡ଼କା ଭି ଜାତା ହୈ’ ‘ଲଡ଼କୀ ଭି ଜାତା ହୈ ।’ (ବ୍ୟାକରଣ ଦୃଷ୍ଟିରୁ ସଠିକ ବାକ୍ୟ ହେଉଛି- ‘ଲଡକୀ  ଜାତୀ ହୈ )’ ଏହି ପ୍ରକାର ବୋଲିରେ ଏକ ବିରଳ ସ୍ୱାଧୀନତାର ବାୟୁମଣ୍ଡଳ ରହିଛି । ଏପରିକି ବୁଦ୍ଧିଜୀବୀମାନେ ମଧ୍ୟ ଯେତେବେଳେ ଏହାକୁ କୋହଳ କରିଦେବାକୁ ଚାହାନ୍ତି ସେତେବେଳେ ଏହିପରି ବ୍ୟବହାରରେ ଲିପ୍ତ ହୋଇଥାନ୍ତି । ପ୍ରକୃତରେ ଏହା ହିନ୍ଦୁସ୍ତାନୀର ଉକ୍ରୃଷ୍ଟ ପରମ୍ପରା ଅନୁରୂପ ଅଟେ । ଏହିଭଳି ହୋଇଛି ଏହାର ସୃଷ୍ଟି, ପ୍ରଗତି ଓ ସାରା ଭାରତବର୍ଷରେ ପ୍ରଚଳନ । ପୂରାକାଳରେ ଏହାକୁ ନାକ ଟେକି କୁହାଯାଉ ଥିଲା ଉର୍ଦ୍ଦୁ, ଶିବିର ବା ବଜାରର ଭାଷା ।

‘ଆଜି ଏହି ବଜାରୀ ହିନ୍ଦୁସ୍ତାନୀରେ ‘ଇୟୁନିଭରସିଟି’(‘university’) ‘ଇୟୁନିଭ୍ରସ୍ତି’ (‘univrasti’) ହୁଏ, ‘ବିଶ୍ୱବିଦ୍ୟାଳୟ’ ଠାରୁ ଯଥେଷ୍ଟ ଭଲ ଶବ୍ଦଟିଏ; ‘ଲାଣ୍ଟର୍ନ’ (‘lantern’) ହୁଏ ‘ଲାଲଟେନ’  (‘laltain’); ଗାଡିର ‘ଚେସିସ’ (‘chasis’) ହୁଏ ‘ଚେସି’ (‘chesi’); ; ‘ସ୍ପାନ୍ନର’ ( ‘spanner’) ହୁଏ ‘ପାନା’  (‘pana’) ଅର୍ଥାତ୍ ସବୁ ସମ୍ଭବ ହୁଏ । ଯେଉଁ ସୂତାରେ ସୈନିକ ତାହାର ବନ୍ଧୁକ ସଫା କରେ, ତାହାକୁ ଇଂରାଜୀରେ ପୁଲଥୃ (‘pullthrough’)କୁହନ୍ତି । ରୋମାନ ହିନ୍ଦୁସ୍ତାନୀରେ ଏହା ହୁଏ ଫୁଲଟୃ (‘fultroo’), ସୁନ୍ଦର ଶବ୍ଦଟିଏ । ହଲିଉଡରେ ବ୍ୟବହାର ହେଉଥିବା ଶବ୍ଦ ‘ବାର୍ଣ୍ଣ-ଡୋର’ (‘Barn-door’) ବଲିଉଡରେ ହୁଏ ବନ୍ଦର (‘bandar’)-ଅତି ଚମତକାର ରୂପାନ୍ତର । ଏହି ହିନ୍ଦୁସ୍ତାନୀରେ ରହିଛି ଅବର୍ଣ୍ଣନୀୟ ଅସୀମ ସମ୍ଭାବନା । ଏହା ଅନ୍ତର୍ଜାତିକ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଶବ୍ଦାବଳୀକୁ ଅନାୟାସରେ ନିଜ ଭିତରକୁ ନେଇଯାଇ ପାରେ । ଏହା ପ୍ରତ୍ୟେକ ସ୍ରୋତରୁ ଶବ୍ଦ ନେଇ ପାରେ ଓ ନିଜକୁ ସମ୍ପନ୍ନ କରିପାରେ । କୌଣସି ଆବଶ୍ୟକତା ନାହିଁ ସଂସ୍କୃତ ଅଭିଧାନଆଡ଼କୁ ସବୁବେଳେ ଧାଇଁବାର ।”

୩ 

“କିନ୍ତୁ କାହିଁକି ରୋମାନ ଲିପି?”-ବନ୍ଧୁ ମୋର ପଚାରିଲେ ।

‘କାରଣ ଏହା ପ୍ରତି କେହି ଅସହିଷ୍ଣୁ ନୁହେଁ ।’-ମୁଁ କହିଲି । “ଏହା ଏକମାତ୍ର ଲିପି ଯାହାର ପ୍ରଚଳନ ସାରା ଭାରତକୁ ବ୍ୟାପିଛି । ଉତ୍ତର, ଦକ୍ଷିଣ, ପୂର୍ବ ଏବଂ ପଶ୍ଚିମ ସବୁଠାରେ ତୁମେ ଏହି ଲିପିରେ ଲେଖା ହୋଇଥିବା ଦୋକାନର ବୋର୍ଡ ଓ ସିନେମାର ପୋଷ୍ଟର ଦେଖିବ । ଲଫାଫା ଓ ପୋଷ୍ଟକାର୍ଡ ଉପରେ ଠିକଣା ଲେଖିବାରେ ଆମେ ଏହି ଲିପିକୁ ବ୍ୟବହାର କରୁ । ସେନା ତ ଏହାର ବ୍ୟବହାର ଅନ୍ତତଃ ତିରିଶ ବର୍ଷ ହେଲା କରି ଆସୁଛି ।”

ମୋର ବନ୍ଧୁ, ଶ୍ରମିକ ନେତା, କିଛି ସମୟ ପାଇଁ ନୀରବ ରହିଲେ । ତାପରେ ସେ ଏକ ଦୟାଭାବ ମିଶ୍ରିତ ସ୍ମିତହାସ୍ୟ ଦେଇ କହିଲେ, “କମ୍ରେଡ, ଇଉରୋପ ମଧ୍ୟ ଏସ୍ପେରାଣ୍ଟୋ (Esperanto) ସହ ପରୀକ୍ଷା କରିଥିଲା । ବର୍ଣ୍ଣାଡ ସ୍ଙ୍କ ଭଳି ବୁଦ୍ଧିଜୀବୀ ମଧ୍ୟ ମୌଳିକ ଇଂରାଜୀକୁ ଲୋକପ୍ରିୟ କରାଇବା ପାଇଁ ବେଶ ଉଦ୍ୟମ କରିଥିଲେ । କିନ୍ତୁ ଏହି ସବୁ ଯୋଜନା ଶୋଚନୀୟ ଭାବେ ବିଫଳ ହୋଇଥିଲା । କାରଣ ହେଉଛି ଅତି ସରଳ- କୌଣସି ଭାଷା ଯନ୍ତ୍ରବତ୍ ବିକଶିତ ହୋଇପାରେ ନା; ଏହାର ବିକାଶ ସ୍ୱତଃସ୍ଫୂର୍ତ୍ତ ଭାବେ ହୋଇଥାଏ । ”

ମୁଁ ଗଭୀରଭାବେ ମର୍ମାହତ ହେଲି; କହିଲି, ‘କମ୍ରେଡ,ଏସ୍ପେରାଣ୍ଟୋ (Esperanto) ହେଉଛି ଠିକ ସେହି ରାଷ୍ଟ୍ରଭାଷା ଯାହା ହିନ୍ଦୀ ପଣ୍ଡିତମାନେ ତାଙ୍କ ଅଧ୍ୟୟନ ପ୍ରକୋଷ୍ଠରେ ବସି ସଂସ୍କୃତ ଅଭିଧାନର ପୃଷ୍ଠାକୁ ଆଧାର କରି ତିଆରି କରୁଛନ୍ତି । ମୁଁ କିନ୍ତୁ ସେହି ଭାଷା ସମ୍ପର୍କରେ କହୁଛି ଯାହାର ବିକାଶ ତୁମ ଚାରିପଟେ ହେଉଛି, ଲୋକଙ୍କ କାର୍ଯ୍ୟକଳାପ ଭିତର ଦେଇ ହେଉଛି ।’

ମୁଁ ତାଙ୍କୁ ବୁଝାଇପାରିଲି ନାହିଁ । ଅଧିକ ଯୁକ୍ତି ବାଢ଼ିଲି, ତା’ ଭିତରେ ମଧ୍ୟ କହିଲି ନେତାଜୀ ସୁଭାଷ ବୋଷ ଓ ଜୱାହାରଲାଲ କିପରି ରୋମାନ ହିନ୍ଦୁସ୍ତାନୀର ଦୃଢ଼ ସମର୍ଥକ ଥିଲେ । କିନ୍ତୁ ଏହା ମଧ୍ୟ ବିଫଳ ହେଲା ତାଙ୍କୁ ବୁଝାଇବାରେ । ପ୍ରଶ୍ନ ନୁହେଁ ଯେ କମ୍ରେଡ ଠିକ୍ କି ମୁଁ ଠିକ୍ । ହୋଇପାରେ ମୁଁ ଭୁଲ । ହୋଇପାରେ ମୋ ଚିନ୍ତା ଥିଲା ଅତ୍ୟନ୍ତ ଆଦର୍ଶବାଦୀ ବା ତାଙ୍କ ଭାଷାରେ ‘ଯାନ୍ତ୍ରିକ’ । କିନ୍ତୁ ଯେପରି ମୁଁ ପୂର୍ବରୁ କହିଛି, କୌଣସି ଅନୁମାନ ଠିକ ହେବ କି ଭୁଲ ହେବ ତାହା ତୁମେ କଦାପି କହିପାରିବ ନାହିଁ । କିନ୍ତୁ ଅନୁମାନ କରିବାରେ ହିଁ ମଜା ଅଛି କାରଣ ଅନୁମାନ କରିବା ସ୍ୱତନ୍ତ୍ର ଚିନ୍ତା କରିପାରିବାର ଦୃଷ୍ଟାନ୍ତ । କମ୍ରେଡ ଏହାକୁ ପସନ୍ଦ କରିପାରିଥାନ୍ତେ, କିନ୍ତୁ ସେ ଏହା କରିପାରିଲେ ନାହିଁ । କାରଣ ରୁଢ଼ିବାଦୀ ଚିନ୍ତାର ଘରାରୁ ମୁକୁଳିବା ତାଙ୍କ ପାଇଁ କଷ୍ଟକର ଥିଲା ।

କୌଣସି ଦେଶ ପ୍ରଗତି କରିପାରିବ ନାହିଁ ଯଦି ସେ ନିଜ ସତ୍ତା,ଦେହ ଓ ମନ ସମ୍ପର୍କରେ ସଚେତନ ନ ହୁଏ । ତାକୁ ଶିକ୍ଷା କରିବାକୁ ହେବ ନିଜ ମାଂସପେଷୀ ହିଁ ବ୍ୟବହାର କରି କସରତ କରିବା । ତାକୁ ଖୋଜିବାକୁ ପଡିବ ନିଜ ସମସ୍ୟାକୁ ନିଜେ ସମାଧାନ କରିବାର ବାଟ । କିନ୍ତୁ ଯେଉଁ ପଟକୁ ମୁଁ ବୁଲେ, ମୁଁ ଦେଖୁଛି ଯେ ପଚିଶ ବର୍ଷର ସ୍ୱାଧୀନତା ପରେ ବି ଆମେ ଦୀର୍ଘ ଦିନ ବନ୍ଦୀ ଜୀବନ କାଟିଥିବା ପଂଜୁରୀରୁ ମୁକ୍ତପକ୍ଷୀ ଭଳି ଯିଏ ଜାଣିପାରୁ ନାହିଁ ତାର ସ୍ୱାଧୀନତାର ସେ କରିବ କ’ଣ । ତା’ର ପର ଅଛି କିନ୍ତୁ ମୁକ୍ତ ପବନରେ ଉଡ଼ିବାକୁ ଭୟ । ସେ ଚାହେଁ ନିର୍ଦ୍ଧାରିତ ପରିସୀମା ଭିତରେ ରହିବାକୁ, ପଂଜୁରୀରେ ରହିଲା ଭଳି ।

ବ୍ୟକ୍ତିଗତ ସ୍ତରରେ ଓ ସାମୂହିକ ସ୍ତରରେ ଆମର ୱାଲ୍ଟର ମିଟ୍ଟି (Walter Mitty;;୧୯୩୯ ମସିହାରେ ପ୍ରକାଶିତ ଏକ କ୍ଷୁଦ୍ରଗଳ୍ପରେ (“The Secret Life of Walter Mitty”) ବର୍ଣ୍ଣିତ ଚରିତ୍ର)ଙ୍କ ଚରିତ୍ର ସହ ବେଶ୍ ସାଦୃଶ୍ୟ ରହିଛି । ଆମର ଭିତରର ଜୀବନ ଆମର ବାହାର ଜୀବନ ଠାରୁ ବେଶ୍ ଭିନ୍ନ । ଆମର ଚିନ୍ତା ଓ କାର୍ଯ୍ୟ ଭିତରେ ରହିଛି ଯୋଜନ ଯୋଜନର ବ୍ୟବଧାନ । ଆମେ ଏହି ଅବସ୍ଥାର ପରିବର୍ତ୍ତନ ଚାହୁଁ, କିନ୍ତୁ ଆମର ସାହସ ନାହିଁ ଯାହା ଆଜି ପର୍ଯ୍ୟନ୍ତ କରି ଆସିଛୁ ତାହାଠାରୁ କିଛି ଭିନ୍ନ କରିବାର ବା ଯାହା ଆମଠାରୁ ଆଶା କରାଯାଉଛି ତାହାଠାରୁ କିଛି ଭିନ୍ନ କରିବାର ।

ମୁଁ ନିଶ୍ଚିତ ଯେ ଏ ଦେଶରେ ଏପରି କିଛି ପୁଲିସ ଅଫିସର ଅଛନ୍ତି ଯେଉଁମାନେ ହୃଦୟରୁ ଚାହାନ୍ତି ଜନତାର ବନ୍ଧୁ ଭାବେ ବିବେଚିତ ହେବାକୁ, ଶତ୍ରୁ ଭାବେ ନୁହେଁ । ସେମାନେ ନିଶ୍ଚୟ ଜାଣିଥିବେ ଯେ ଇଂଲଣ୍ଡରେ ପୁଲିସ ଲୋକଙ୍କ ପ୍ରତି ବ୍ୟବହାର ହେଉଛି ଭଦ୍ର ଓ ସାହାଯ୍ୟକାରୀ । କିନ୍ତୁ ଯେଉଁ ପ୍ରଥାରେ ସେମାନେ ତାଲିମ ପାଇଛନ୍ତି ସେ ପ୍ରଥା ବ୍ରିଟିଶ ତା ନିଜ ଦେଶରେ ଅନୁସରଣ କରେ ନାହିଁ, ଏହି ପ୍ରଥା ଯେ ଉପନିବେଶମାନଙ୍କ ପାଇଁ ଉଦ୍ଦିଷ୍ଟ । ତେଣୁ, ପୁଲିସ ଲୋକଟି ଅସହାୟ । ଏହି ଔପନିବେଶିକ ପ୍ରଥା ଅନୁସାରେ, ତାର କର୍ତ୍ତବ୍ୟ ହେଉଛି ତାର ଅଫିସକୁ ଆସୁଥିବା ସମସ୍ତଙ୍କୁ ସେ ଆତଙ୍କିତ କରାଇବ, ଯେତେଦୂର ସମ୍ଭବ ଅସହଯୋଗୀ ହେବ ଓ ବାଧକ ହେବ । ଏହା ହେଉଛି ପ୍ରତ୍ୟେକ ସରକାରୀ ଅଫିସ୍ର ପରମ୍ପରା, ଚପରାସୀ ଠାରୁ ମନ୍ତ୍ରୀ ପର୍ଯ୍ୟନ୍ତ ।

ଆମର ଜଣେ ତରୁଣ ଉଦ୍ୟମୀ ପ୍ରଯୋଜକ ଗୋଟିଏ ପ୍ରୟୋଗାତ୍ମକ ଚଳଚ୍ଚିତ୍ରଟିଏ କଲେ ଓ ସରକାରଙ୍କୁ ଟିକସ ଛାଡ଼ ପାଇଁ ଆବେଦନ କଲେ । ସମ୍ପୃକ୍ତ ବିଭାଗୀୟ ମନ୍ତ୍ରୀଙ୍କର ତା ପର ଦିନ ଶପଥ ନେବାର ଥାଏ । ସେ ପ୍ରଯୋଜକଙ୍କୁ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କଲେ, ଯାହାପରେ ସେ ତାଙ୍କୁ ଭେଟିବେ ଓ ବିଷୟଟିର ଆଲୋଚନା କରିବେ ବୋଲି କହିଲେ । ପ୍ରଯୋଜକ ଗଲେ, ମନ୍ତ୍ରୀ ମହୋଦୟଙ୍କର ତାଙ୍କ ସହ ଏପରି ଅନୌପଚାରିକ ବ୍ୟବହାର ଦ୍ୱାରା ସେ ଖୁବ ପ୍ରଭାବିତ ହୋଇଥିଲେ । ମନ୍ତ୍ରୀ ମହୋଦୟ ଯେତେବେଳେ ଶପଥ ନେଉଥାନ୍ତି, ଲୋକଙ୍କୁ ନିଷ୍ଠା ଓ ସାଧୁତାର ସହ ସେବା କରିବାର ପ୍ରତିଶୃତି ଦେଉଥାନ୍ତି, ସେତେବେଳେ ମନ୍ତ୍ରୀଙ୍କର ସଚିବ ତରୁଣ ପ୍ରଯୋଜକଙ୍କୁ ବୁଝାଉଥାନ୍ତି ଟିକସ ଛାଡ଼ ପାଇଁ ମନ୍ତ୍ରୀ ଓ ଅନ୍ୟମାନଙ୍କୁ କେତେ ଟଙ୍କା କଳାରେ ଦେବାକୁ ହେବ ।

ପ୍ରଯୋଜକଜଣକ ଏପରି ଆହତ ଓ କ୍ରୋଧିତ ହେଲେ ଯେ ସେ ଏହି ଦୃଶ୍ୟକୁ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ରରେ ସ୍ଥାନିତ କରିବା ପାଇଁ ମନସ୍ଥ କରିନେଲେ । ତାଙ୍କର ଅର୍ଥନିବେଶକ ମାନେ ତ ପ୍ରଥମ ଚଳଚ୍ଚିତ୍ରରେ କ୍ଷତିଗ୍ରସ୍ତ ହୋଇଥିଲେ । ତେଣୁ ସେମାନେ ସ୍ପଷ୍ଟ ଭାବରେ ତାଙ୍କୁ ତାଗିଦ କଲେ ଯେ ସେ  ନିର୍ବୋଧ ଭଳି ବ୍ୟବହାର କରନ୍ତୁ ନାହିଁ । ଯଦି ବି ସେ ନିର୍ବୋଧତାକୁ ବରଣ କରିଥାନ୍ତେ, ତାହାହେଲେ ସେନ୍ସର ବୋର୍ଡ ଏପରି ଚଳଚ୍ଚିତ୍ରକୁ ସ୍ୱୀକୃତି ଦିଅନ୍ତେ ନାହିଁ କାରଣ ଏହା ଏକ ଅଲିଖିତ ଆଇନ ଯେ ଆମ ଦେଶରେ ପୁଲିସ ଓ ରାଜନେତା କଦାପି ଦୁର୍ନୀତିଗ୍ରସ୍ତ ନୁହନ୍ତି ।

କିନ୍ତୁ ମୋ ମନକୁ ଆଉ ଗୋଟିଏ ବିଷୟ ଆସୁଛି, ଯାହା ମୋତେ ଅଧିକ କଉତୁକିଆ ଲାଗୁଛି । ତାହା ହେଉଛି, ଯେଉଁ ଲୋକମାନେ ମନ୍ତ୍ରୀଙ୍କ ବିରୁଦ୍ଧରେ ପ୍ରତ୍ୟେକ ଦିନ ଚିକ୍ରାର କରୁଥାନ୍ତି ସେମାନେ ନିଜେ ଏପରି କୌଣସି ସଭା ସମିତିର ଆୟୋଜନ କରନ୍ତି ନାହିଁ ଯାହା ମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ନ ହେବ ବା ଯେଉଁଠି ମନ୍ତ୍ରୀ ଅଧ୍ୟକ୍ଷତା କରୁ ନ ଥିବେ ବା ମୁଖ୍ୟ ଅତିଥି ହୋଇ ନ ଥିବେ । କେତେବେଳେ ମନ୍ତ୍ରୀ ହେଲେଣି ମୁଖ୍ୟ ଅତିଥି ଓ ଚଳଚ୍ଚିତ୍ର ତାରକା ହେଉଛନ୍ତି ଅଧ୍ୟକ୍ଷ, ତ କେତେବେଳେ ଚଳଚ୍ଚିତ୍ର ତାରକା ହେଲେଣି ମୁଖ୍ୟ ଅତିଥି ଓ ମନ୍ତ୍ରୀ ହେଉଛନ୍ତି ଅଧ୍ୟକ୍ଷ । କୌଣସି ଏକ ବଡ଼ଲୋକ ନିହାତି ରହିବା ଦରକାର, କାରଣ ଏହାହିଁ ହେଉଛି ଆମର ଯୁଗ ଯୁଗର ଔପନିବେଶିକ ପରମ୍ପରା ।

ଗତ ଯୁଦ୍ଧ ସମୟରେ ମୁଁ ଚାରିବର୍ଷ ଇଂଲଣ୍ଡରେ କଟାଇଥିଲି ବିବିସିର ହିନ୍ଦୁସ୍ତାନୀ ଘୋଷକ ଭାବେ । ଏହି ଚାରିବର୍ଷର ଚରମ ସଙ୍କଟ କାଳରେ ମୁଁ ଦିନେହେଲେ ବ୍ରିଟିଶ କାବିନେଟର ଜଣେ ବି ସଦସ୍ୟଙ୍କୁ, ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲଙ୍କ ସମେତ, ମୁଁ ଦେଖି ନାହିଁ । କିନ୍ତୁ ସ୍ୱାଧୀନତା ପରେ, ମୁଁ ଭାରତରେ ସର୍ବତ୍ର, କେବଳ ମନ୍ତ୍ରୀଙ୍କ ବ୍ୟତୀତ, ଆଉ କିଛି ଦେଖିନାହିଁ ।

 ଯେତେବେଳେ ଗାନ୍ଧୀଜୀ ୧୯୩୦ ମସିହାରେ ଗୋଲ ଟେବୁଲ ବୈଠକରେ ଯୋଗ ଦେବାକୁ ଯାଇଥିଲେ, ସେତେବେଳେ ସେ ବ୍ରିଟିଶ ସାମ୍ବାଦିକଙ୍କୁ କହିଥିଲେ ଯେ ଭାରତରେ ଲୋକମାନେ ସାମ୍ରାଜ୍ୟର ବନ୍ଧୁକ ଓ ଗୁଳିକୁ ସେହି ଦୃଷ୍ଟିରେ ଦେଖନ୍ତି ଯେପରି ତାଙ୍କ ପିଲାମାନେ ଦୀପାବଳିରେ ବାଣ ଓ ଫଟକାକୁ ଦେଖିଥାନ୍ତି । ସେ ଏହିଭଳି ଦୃଢ଼ ମନ୍ତବ୍ୟ ଦେଇପାରିଥିଲେ କାରଣ ସେ ଭାରତୀୟ ମାନସରୁ ବ୍ରିଟିଶ ପ୍ରତି ଭୟକୁ ଦୂର କରିଦେଇ ପାରିଥିଲେ । ବ୍ରିଟିଶ ଅଫିସରଙ୍କର ଗୋଡାଣିଆ ନୁହେଁ ବରଂ ସେମାନଙ୍କୁ  ଅଣଦେଖା କରିବା ଓ ବାସନ୍ଦ କରିବା ପାଇଁ  ସେ ଭାରତୀୟଙ୍କୁ ଶିକ୍ଷା ଦେଇଥିଲେ ।

ସେହିଭଳି, ଯଦି ଆମ ଦେଶରେ ଆମେ ସମାଜବାଦ ଚାହୁଁଛୁ, ତାହାହେଲେ ପ୍ରଥମେ ଆମ ଲୋକଙ୍କ ମନରୁ ଅର୍ଥ, ପ୍ରତିଷ୍ଠା ଓ କ୍ଷମତା ପ୍ରତି ଭୟକୁ ଦୂର କରିବାକୁ ହେବ । ଆମେ ଏହି ଦିଗରେ କିଛି କରୁଛୁ କି? ଆଜି ଆମ ସମାଜରେ କିଏ  ସବୁଠାରୁ ଅଧିକ ସମ୍ମାନ ପାଏ-ପ୍ରତିଭାବାନ ବ୍ୟକ୍ତି ନା ଧନବାନ ବ୍ୟକ୍ତି? କିଏ ସବୁଠାରୁ ବେଶୀ ପ୍ରଶଂସା ପାଏ-ପ୍ରତିଭାବାନ ବ୍ୟକ୍ତି ନା କ୍ଷମତାବାନ ବ୍ୟକ୍ତି? ଏହିଭଳି ଅବସ୍ଥାରେ ସମାଜବାଦ ଆସିବ, ଏହା ଆମେ କ’ଣ ଆଶା କରିପାରିବା?

ସମାଜବାଦ ଆସିବା ପୂର୍ବରୁ ଆମକୁ ଏକ ଏପରି ବାତାବରଣ ସୃଷ୍ଟି କରିବାକୁ ପଡିବ ଯେଉଁଠି ଧନ ସମ୍ପତ୍ତିର ପରିଗ୍ରହ ପ୍ରତି ସମ୍ମାନ ନୁହେଁ ବରଂ ଅସମ୍ମାନର ଭାବ ସୃଷ୍ଟି ହେଉଥିବ । ଆମକୁ ଏକ ଏପରି ବାତାବରଣ ସୃଷ୍ଟି କରିବାକୁ ହେବ ଯେଉଁଠି ସବୁଠାରୁ ଅଧିକ ସମ୍ମାନ ଥିବ ଶ୍ରମ ପ୍ରତି, ତାହା ଶାରୀରିକ ହେଉ ବା ମାନସିକ; ସମ୍ମାନ ଥିବ ପ୍ରତିଭା ପ୍ରତି, ଥିବ କୈାଶଳ ପ୍ରତି, ଥିବ କଳା ଓ ଆବିଷ୍କାରଶୀଳତା ପ୍ରତି । ଏଥି ପାଇଁ ଦରକାର ନୂତନ ଚିନ୍ତା, ଓ ପୁରୁଣା ଢଂଗରେ ଚିନ୍ତାକୁ ପରିତ୍ୟାଗ କରିବାର ସାହସ । କିନ୍ତୁ ମାନସର ଏତାଦୃଶ ବିପ୍ଳବର ପାଖା ପାଖି ଆମେ ପହଂଚିଛୁ କି?

ବୋଧହୁଏ ଆଜି ଆମେ ଏକ ତ୍ରାଣକର୍ତ୍ତାର ଅପେକ୍ଷାରେ ଅଛୁ ଯିଏ ଆମକୁ ସାହସ ଦେବ ଦାସ-ମାନସିକତାକୁ ପରିତ୍ୟାଗ କରିବା ପାଇଁ, ସାହସ ଦେବ ଏକ ମୁକ୍ତ ସ୍ୱାଧୀନ ଦେଶର ନାଗରିକ ଅନୁରୂପ ମୁଲ୍ୟବୋଧ ସୃଷ୍ଟି କରିବା ପାଇଁ, ସାହସ ଦେବ ଶାସକ ନୁହେଁ ଶାସିତ ସହ ନିଜର ଭାଗ୍ୟକୁ ଯୋଡ଼ିବା ପାଇଁ, ଶୋଷକ ନୁହେଁ ଶୋଷିତ ସହ ନିଜର ଭାଗ୍ୟକୁ ଯୋଡିବା ପାଇଁ ।

ପଂଜାବର ମହାନ ସନ୍ଥ କବି ଗୁରୁ ଅର୍ଜୁନ ଦେବ କହିଥିଲେ-ମୁଁ ଭଗବାନଙ୍କର ନିରୀହ ଦାସମାନଙ୍କର ହିଁ ସେବା କରେ । ସେମାନଙ୍କ ସହ କଥା ହୁଏ । ସେମାନଙ୍କ ସାଂଗରେ ରହେ । ସେମାନଙ୍କର ପାଦ ଧୂଳି ମୋ ମୁହଁ ଓ କପାଳରେ ଲଗାଏ । ପୂରଣ ହୋଇଯାଏ ମୋର ଆଶା ଓ  କାମନାର ଅନେକ ତରଂଗ ।

ଏହା ମୋର ଆନ୍ତରିକ କାମନା ଓ ପ୍ରାର୍ଥନା ଯେ ଆପଣ, ଜୱାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟର ସ୍ନାତକମାନେ, ସଫଳ ହୁଅନ୍ତୁ ଯେଉଁଠି ମୁଁ ଓ ମୋ ସମୟର ଅନ୍ୟମାନେ ଅସଫଳ ହୋଇଛନ୍ତି ।

About ପ୍ରଫେସର ବୀରେନ୍ଦ୍ର ନାୟକ

ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ

Check Also

 ଜେ. ଏନ୍. ୟୁର ଶେଷ ଦୀକ୍ଷାନ୍ତ ଭାଷଣ

ବଲରାଜ ସାହାନୀ ଜେ. ଏନ୍. ୟୁରେ ଯେଉଁ ଶେଷ ଭାଷଣ ଦେଇଥିଲେ ତାହାର ଓଡିଆ ଅନୁବାଦ କରିଛନ୍ତି ପ୍ରଫେସର ବୀରେନ୍ଦ୍ର ନାୟକ ଉଲ୍ଲେଖଯୋଗ୍ୟ …

Leave a Reply

Your email address will not be published. Required fields are marked *