Home / ସମୀକ୍ଷା / ସାଂସ୍କୃତିକ ସମୀକ୍ଷା / ମହାଭାରତ: ଏକ ସତ୍ୟାନ୍ୱେଷୀ ଦୃଷ୍ଟି -୨

ମହାଭାରତ: ଏକ ସତ୍ୟାନ୍ୱେଷୀ ଦୃଷ୍ଟି -୨

ମହାଭାରତକୁ ଛାଡ଼ିଦେଲେ ଆଉ କୌଣସି ମହାକାବ୍ୟ ‘ଶାନ୍ତରସ’କୁ ସାର୍ଥକ ରୂପ ଦେଇପାରିନି । (ଭକ୍ତିରସକୁ ମହାଭାରତରେ ସ୍ଥାନ ଦିଆଯାଇନି: ଯୁଗାନ୍ତ: ଇରାବତୀ କାର୍ଭେ) । ନିର୍ଜନ ସମୁଦ୍ରବେଳାରେ ବୁଲିବାବେଳେ ଯେଉଁ ପ୍ରଶାନ୍ତି ମଣିଷ ମନକୁ ଆଚ୍ଛନ୍ନ କରିଦିଏ, ସେଇ ପ୍ରଶାନ୍ତି ବହନ କରୁଥିଲା ମୂଳ ମହାଭାରତ ଜୟର ଆଧାର ଆଖ୍ୟାୟିକ । ‘ଜୟ’ରେ ଥିଲା ଆଠହଜାର ଆଠଶହ ଶ୍ଳୋକ(ଆଦିପର୍ବ) । ଆଜିର ମହାଭାରତରେ ରହିଛି ଏକଲକ୍ଷ ଶ୍ଳୋକ ।

ମହାଭାରତ ଏବଂ ଗୀତାରେ ‘ଅହିଂସା’ ମୂର୍ତ୍ତିମାନ ହୋଇଉଠିଥିଲା ଏବଂ ‘ବିଶ୍ୱମୈତ୍ରୀ’ ଆବେଗଦ୍ୱାରା ପାଠକର ମନ ଭରି ଉଠୁଥିଲା। ଡି.ଡି. କୋସାମ୍ବୀଙ୍କ ଲେଖାରୁ ଜଣାପଡ଼େ ଯେ, ହୁଏନ୍ସାଂଙ୍କ ଭାରତ ଭ୍ରମଣ ବେଳେ ସେ ଜାଣିବାକୁ ପାଇଥିଲେ ଯେ ଭାରତର ଏକ ପ୍ରସିଦ୍ଧ ‘ଅହିଂସାଧର୍ମୀ’ ଗ୍ରନ୍ଥକୁ ‘ହିଂସା’ର ପ୍ରଚାର ପାଇଁ ନୂତନ ରୂପ ଦିଆଯାଇଛି, ଜଣେ ଅତି ବିଜ୍ଞ ପଣ୍ଡିତଙ୍କ ଦ୍ୱାରା ।

ସଂଗ୍ରାହକ ସମାଜର ଆବେଗ ଓ ଚିନ୍ତନକୁ ବହନ କରୁଥିଲା ମହାଭାରତ । ସଂଗ୍ରାହକ ସମାଜ ଥିଲା ନାରୀକୈନ୍ଦ୍ରୀକ । ଏ ସମାଜରେ ନାରୀପୁରୁଷର ସ୍ଥାନ ଥିଲା ସମାନ-ସମାନ । ମହାଭାରତର ପ୍ରକ୍ଷିପ୍ତ ଭାଗରେ ଗୋଟିଏ ହେଉଚି ଦ୍ରୌପଦୀ ବସ୍ତ୍ରହରଣ । ଦକ୍ଷିଣ ଭାରତର ମହାଭାରତରେ ଦ୍ରୌପଦୀ ବସ୍ତ୍ରହରଣର ଉଲ୍ଲେଖ ନାହିଁ । ଦ୍ରୌପଦୀଙ୍କୁ ସଭାସ୍ଥଳକୁ ଅଣାଯିବା ଉଚିତ ନଥିଲା କିନ୍ତୁ ଦ୍ରୌପଦୀଙ୍କ ବସ୍ତ୍ରହରଣର କୌଣସି ଉଦ୍ୟମ ହୋଇନି ।

C.R.Despandeଙ୍କ ଲିଖିତ ‘Transmission of the Mahabharata Tradition’ ଗ୍ରନ୍ଥରେ ଲେଖାଅଛି ‘Reference to the subsequent portion of the Mahabharata also reveals that the Pandavas and other relations of Draupadi resented  the very fact that Draupadi had brought to the council hall. References of Draupadi’s attempted or achieved disrobing are very few in comparision to references to her simply being brought to the council hall.’

(ସଭାଂ ଆନୀତ) ।

ଋଗ୍ବେଦର ଏକ ସୁକ୍ତରେ (୧୦,୩୮) ଜଣେ ଜୁଆଡ଼ିର ଖେଳ ପ୍ରକାଶିତ ହୋଇଛି ।

‘ମୋର ପତ୍ନୀ ମତେ କେବେ ଭର୍ତ୍ସନା କରିନି, କେବେ ମୋ ଉପରେ ରାଗ କରିନି, ମୋ ବନ୍ଧୁମାନଙ୍କ ପ୍ରତି ସେଥିଲା ସର୍ବଦା ପ୍ରସନ୍ନ । ଜୁଆ ଖେଳରେ କେବଳ ସଂଖ୍ୟାରେ ଗୋଟିଏ ଅଧିକ ଦାନ ପଡ଼ିବାରୁ ମୁଁ ମୋର ପତିବ୍ରତା ସ୍ତ୍ରୀକୁ ଦୂରକୁ ଠେଲି ଦେଇଛି । ଶାଶୁ ମତେ ଘୃଣା କରୁଛନ୍ତି, ସ୍ତ୍ରୀ ମତେ ଦୂରେଇ ଦେଉଛି, ମୋ ସ୍ତ୍ରୀର ଅଙ୍ଗ ଅନ୍ୟଲୋକେ ସ୍ପର୍ଶ କରୁଛନ୍ତି ।’

ଋଗ୍ବେଦରୁ ସୂଚନା ମିଳେ ଯେ ଜୁଆଡ଼ି ସ୍ତ୍ରୀର ଅପମାନ ବେଦ ଓ ବେଦ-ପର ଯୁଗରେ ମାମୁଲି କଥା ଥିଲା । ବୋଧହୁଏ ସେହି କାରଣ ଯୋଗୁଁ ଭୀଷ୍ମଙ୍କ ଭଳି ବିଚାରବାନ୍ ବ୍ୟକ୍ତି କୁରୁସଭାରେ ନୀରବ ରହିଥିଲେ ।

‘ମହାଭାରତର ମହାରଣ୍ୟେ’ ପୁସ୍ତକର ଲେଖିକା ‘ପ୍ରତିଭାବସୁ’, ତାଙ୍କଗ୍ରନ୍ଥରେ ପ୍ରତିପାଦନ କରିଛନ୍ତି ଯେ କୌରବଙ୍କ ଅପେକ୍ଷା ପାଣ୍ଡବଙ୍କ ଦୋଷ ଅଧିକ ଥିଲା ।

‘…ଆର୍. ଯଖନ ଦେଖି ପ୍ରତିଟି ଅଧାର୍ମିକ ଆଚରଣ, ଅନ୍ୟାୟ ଆଘାତ, ମିଥ୍ୟାଚାରୀ ଏବଂ ଶଠତା ଏସେଛେ ପାଣ୍ଡବପକ୍ଷ ଥେକେ, ପ୍ରଧାନତଃ ଶୁଧୁ କୃଷ୍ଣେର କପଟତାୟ ଆସକ୍ତି ହେତୁ, ତଖନ ବୋଝାଯାୟନା କି ଧର୍ମେ ଆମାଦେର ଉଦ୍ଦୀପ୍ତ କରା ମହାଭାରତର ଉଦ୍ଦେଶ୍ୟ, କେନ ଦୁର୍ଯ୍ୟୋଧନ ମନ୍ଦ, ଯୁଧିଷ୍ଠିର ଭାଲୋ ବଲେ କଥିତ…?’

ହୋଲତଜମ୍ୟାନ୍ , ସ୍ରୋୟେଡେର୍, ଗ୍ରୀୟାରସନ ପ୍ରମୁଖ ବିଦ୍ୱାନ ମୂଳ ମହାଭାରତକୁ କୁରୁବଂଶ ପତନ ଓ ବିଳାପର କାହାଣୀ ବୋଲି ଚିହ୍ନିତ କରିଛନ୍ତି। ଭୃଗୁବଂଶୀୟ ବ୍ରାହ୍ମଣମାନେ ହେଲେ ପରବର୍ତ୍ତୀ ସମୟରେ ପାଣ୍ଡବ ବଂଶଜଙ୍କର ପୁରୋହିତ । ସେମାନେ ମହାଭାରତରେ ପାଣ୍ଡବଙ୍କ ସପକ୍ଷରେ ଧର୍ମ ଓ ନ୍ୟାୟ ଥିବାକଥା ଓ ଯୁକ୍ତିଗୁଡ଼ିକ ପ୍ରକ୍ଷେପ କରିଛନ୍ତି ଓ ମହାଭାରତ ଯୁଦ୍ଧକୁ ଧର୍ମଯୁଦ୍ଧ ରୂପେ ପ୍ରତିପାଦିତ କରିଛନ୍ତି ।

‘ପରିସ୍ଥିତି ଯାହା ହେଉନା କାହିଁକି, ପ୍ରତ୍ୟେକ ଯୁଦ୍ଧ ହିଁ ଅଧର୍ମ’ ଏହା ଥିଲା ମୂଳ ମହାଭାରତର ପ୍ରତିପାଦ୍ୟ ବିଷୟ । ମୂଳ ମହାଭାରତକୁ ‘ଜୟ’ କରାଯାଇଥିଲା କାରଣ ଏକ ସ୍ୱାଦ୍ୟ ଆଖ୍ୟାୟିକା ମାଧ୍ୟମରେ ଜନସାଧାରଣଙ୍କୁ ‘ହିଂସା-ବିରୋଧୀ କରି ଧର୍ମସ୍ଥାପନର ବାର୍ତ୍ତା ଦେବାପାଇଁ ମହାଭାରତ ଲେଖା ହୋଇଥିଲା । (ସ୍ୱର୍ଗାରୋହଣ ପର୍ବ: ଶେଷ ଅଧ୍ୟାୟ) । ସେ ଯୁଗରେ ‘ଜୟ’ର ଏକମାତ୍ର ଅର୍ଥ ଥିଲା ‘ଆତ୍ମଜୟ (ଦମ): ଦମମେବ ମହାରାଜ ଧର୍ମମାହୁଃ ପୁରାତନଂ’ ଶାନ୍ତିପର୍ବ, ୬୦ଅଧ୍ୟାୟ। ବେଦୀୟ ଆର୍ଯ୍ୟଗୋଷ୍ଠୀର ହିଂସା କାର୍ଯ୍ୟ ପଶୁବଧ ଓ ଯୁଦ୍ଧ ଯେ ଧର୍ମବିରୋଧୀ, ତାହା ଜନସମକ୍ଷରେ ପ୍ରତିପାଦିତ କରିବା ଥିଲା ମୂଳ ମହାଭାରତର ଲକ୍ଷ୍ୟ ।

‘ଏକଲବ୍ୟ କାହାଣୀ’ରେ ରହିଛି ବ୍ରାହ୍ମଣ ଗୁରୁଙ୍କ ଅବିଚାରଯୁକ୍ତ ଅଧର୍ମ କାର୍ଯ୍ୟ । ‘ଉପରିଚର ବସ୍ତୁ’ ଆଖ୍ୟାନରେ ଅନ୍ୟାୟରେ ଦେବତାମାନେ ଓ ଜଣେ ପ୍ରଖ୍ୟାତ ରାଜାଙ୍କର ଯଜ୍ଞ ହିଂସାକୁ ସମର୍ଥନ, ଜତୁଗୃହ ଦାହରେ କୌରବପକ୍ଷର ଅନ୍ୟାୟ ଓ ବାରଣାବତରେ ପାଣ୍ଡବମାନଙ୍କର ବନବାସୀ ଶବରମାନଙ୍କୁ ବଳି ପକାଇବା ଭଳି ଅମାନବୀୟ କାର୍ଯ୍ୟ, ଖାଣ୍ଡବ ବନ ଦହନରେ ନାଗ ଓ ପକ୍ଷୀ ଟୋଟେମ୍ଧାରୀ ଆଦିମ ଜାତିମାନଙ୍କ ପ୍ରତି କୃଷ୍ଣ ଓ ଅର୍ଜୁନଙ୍କର ଧର୍ମବିରୋଧୀ ନିଷ୍ଠୁରତା ଓ ଚରମ ବର୍ବରତା, ଜନ୍ମେଜୟଙ୍କ ସର୍ପଯଜ୍ଞରେ ନାଗଙ୍କର ନିର୍ମମ ଗଣହତ୍ୟା: ପ୍ରତ୍ୟେକ ଭୟଙ୍କର ନିଷ୍ଠୁର ଘଟଣାର ସତ୍ୟ ରୂପାୟନ ସୂଚନା ଦିଏ ଯେ, ମହାଭାରତ ଥିଲା ଯୁଦ୍ଧ ଓ ହିଂସା-ଯଜ୍ଞବାଦୀ ବେଦୀୟ ଆର୍ଯ୍ୟଙ୍କଠୁ ଭିନ୍ନ ଯୋଗବାଦୀ ଚିନ୍ତକଙ୍କର ଲେଖା ।

ଗୀତାରେ (ଦ୍ୱିତୀୟ ଅଧ୍ୟାୟ) ବେଦ ନିନ୍ଦା ସୁସ୍ପଷ୍ଟ । ସେପରି ଦେବପୂଜକ, ପୁରୋହିତ ଓ ଜ୍ୟୋତିଷମାନଙ୍କୁ କଠୋର ସମାଲୋଚନା କରି ମହାଭାରତ (ଶାନ୍ତିପର୍ବ ଓ ଅନୁଶାସନ) ଦେଇଥିଲା ବେଦୀୟ ସଂସ୍କୃତି ଓ ବିଚାରକୁ ଏକ ସଶକ୍ତ ଆହ୍ୱାନ । ସ୍ୱର୍ଗାରୋହଣ ପର୍ବର ଶେଷସର୍ଗରେ ଲେଖାଅଛି ମହାଭାରତ ବ୍ୟାସଙ୍କ ସିଂହନାଦ (ଜୟଧ୍ୱନି) ଅଟେ । ସେହି ସ୍ୱର୍ଗାରୋହଣ ପର୍ବର ଶେଷ ସର୍ଗରେ ରହିଛି ଯେ ଏକା ମହାଭାରତ ବେଦ, ବେଦାଙ୍ଗ ଓ ଅଷ୍ଟାଦଶ ମହାପୁରୁଷର ସମଷ୍ଟି ସହ ସମାନ । ଏ ଶ୍ଳୋକରେ ପ୍ରମାଣିତ ବେଦଗ୍ରନ୍ଥ ମହାଭାରତର ସମକକ୍ଷ ନୁହେଁ ।

ଖ୍ରୀଷ୍ଟପୂର୍ବ ପ୍ରଥମ ସହସ୍ରାବ୍ଦରେ ଇନ୍ଦ୍ର-ଆଶ୍ରିତ ଆର୍ଯ୍ୟ ଅସିବଳରେ ଭାରତ ବିଜୟର ଚେଷ୍ଟାକୁ ଶକ୍ତ ଧକ୍କା ଲାଗିଥିଲା । ବୌଦ୍ଧ, ଜୈନ, ଆଜୀବକ ଓ ଅନ୍ୟାନ୍ୟ (ଅହିଂସ, ଅନୀଶ୍ୱର) ଦାର୍ଶନିକଙ୍କର ମତବାଦଗୁଡ଼ିକ ମାଧ୍ୟମରେ, ବେଦରେ ନିନ୍ଦିତ ଚତୁର୍ଥ ବର୍ଣ୍ଣର ଲୋକେ ଭାରତରେ ଶାସନ ଗାଦୀ ଦଖଲ କରିଯାଇଥିଲେ । ସେ ଯୁଗର ଅମୃତଭରା ଜୀବନଦୃଷ୍ଟିର ରୂପାୟନ ଘଟିଥିଲା ‘ମହାଭାରତରେ’ ।

ବୁଦ୍ଧ, ମହାବୀରଙ୍କଠୁ ଏକପାଦ ଆଗରେ ଥିଲା ମହାଭାରତ କାରଣ ମହାଭାରତ ପିତୃଶାସିତ ସମାଜର ମୂଲ୍ୟବୋଧ ବଦଳରେ ମାତୃକୈନ୍ଦ୍ରିକ ନାରୀପୁରୁଷ ସମାନ ଅଧିକାର ମୂଲ୍ୟବୋଧକୁ ପ୍ରାଧାନ୍ୟ ଦେଇଥିଲା । ଫଳରେ ସତୀତ୍ୱ, ବ୍ରହ୍ମଚର୍ଯ୍ୟ ପରି ମୂଲ୍ୟବୋଧଗୁଡ଼ିକ ବହୁଳଭାବରେ ବର୍ଦ୍ଧିତ ମହାଭାରତରେ ପ୍ରକ୍ଷିପ୍ତ ହୋଇଥିବା ସତ୍ବେ ମୂଳ ମହାଭାରତର ସ୍ୱେଚ୍ଛାବିହାରିଣୀ ନାରୀଚରିତ୍ର ମଧ୍ୟ ସ୍ୱଳ୍ପ ନୁହେଁ । ‘ଅହଲ୍ୟା, ଦ୍ରୌପଦୀ, ତାରା, କୁନ୍ତୀ, ମନ୍ଦୋଦରୀ ତଥା ପଞ୍ଚକନ୍ୟା ସ୍ମରେନ୍ନିତ୍ୟ ସର୍ବପାତକ ନାଶନଂ’ ଶ୍ଳୋକଟି ଯେଉଁ ଯୁଗର, ସେହି ଯୁଗରେ ନାରୀର ଯୌନକର୍ମରେ ସ୍ୱାଧୀନତା ନିନ୍ଦନୀୟ ନଥିଲା ।

ପର ପର୍ଯ୍ୟାୟରେ ନାରୀ ନିଜଶାଶୁଙ୍କ ନିର୍ଦ୍ଦେଶରେ (ନିୟୋଗ ପ୍ରଥା) କିମ୍ବା ନିଜ ସ୍ୱାମୀଙ୍କ ଆଜ୍ଞାରେ (କୁନ୍ତୀ ଓ ମାଦ୍ରୀ)ପରପୁରୁଷଙ୍କୁ ଅଙ୍ଗଦାନ କରିଥିଲେ । ଉଦ୍ଦାଳକ -ପତ୍ନୀଙ୍କ ଉପାଖ୍ୟାନରେ ସତ୍ୟସ୍ୱରୂପ ଉଦ୍ଘାଟିତ ହୋଇଯାଇଛି ସ୍ଥୁଳଭାବରେ । ଉଦ୍ଦାଳକ ପତ୍ନୀ ବନବିହାର ପାଇଁ ଯେତେବେଳେ ଜଣେ ଯୁବଋଷିଙ୍କୁ ବାଛିନେଲେ ନିଜ ସାଥୀ ରୂପେ, ବ୍ୟସ୍ତ ହୋଇପଡ଼ିଲେ ତାଙ୍କପୁତ୍ର ଋଷି ଶ୍ୱେତକେତୁ । ସେତେବେଳେ ଉଦ୍ଦାଳକ (ଆରୁଣି) ପୁଅକୁ ସ୍ପଷ୍ଟ କହିଦେଲେ ଯେ ଏହା ହେଉଛି ସନାତନ କାଳରୁ ପ୍ରଚଳିତ ତାଙ୍କ କୂଳର ପ୍ରଥା ଏବଂ ଏଥିରେ ବିଚଳିତ ହେବାର କୌଣସି କାରଣ ନାହିଁ ।

ଯଯାତିକନ୍ୟା ମାଧବୀ ତିନି ରାଜାଙ୍କୁ ତିନି ପୁତ୍ର ଉପହାର ଦେଲାପରେ ମଧ୍ୟ ତାଙ୍କପାଇଁ ସ୍ୱୟମ୍ବର ଆୟୋଜନ କରିଥିଲେ ତାଙ୍କ ପିତା ଯଯାତି ଓ ସେ ସ୍ୱୟମ୍ବରକୁ ଆସିଥିଲେ ରାଜାମାନେ । ନାରୀ ସୁଲଭା ଥିଲେ ଜଣେ ବିଖ୍ୟାତ ଯୋଗିନୀ ଓ ସାଂଖ୍ୟ ଆଲୋଚନା ପାଇଁ ସେ ଯାଇଥିଲେ ଜନକଙ୍କ ପାଖକୁ । ସୁଲଭା ଚାହିଁବାରୁ ନିଜର ଅନିଚ୍ଛାସତ୍ତେ୍ୱ ତାଙ୍କ ସହ ଯୌନକାର୍ଯ୍ୟରେ ଲିପ୍ତ ହେଲେ ରାଜର୍ଷି ଜନକ ।

ସଂଗ୍ରାହକ ସମାଜରେ ନାରୀ ପରିବାର ଗଠନ କରିଥିଲା ସତ୍ୟ, କିନ୍ତୁ ତା’ର ସ୍ୱେଚ୍ଛାବିହାରର ଅଧିକାର ସମାଜରେ ସ୍ୱୀକୃତ ଥିଲା । ଗୀତାର ‘ଯୁକ୍ତାହାର ବିହାରସ୍ୟ ଯୁକ୍ତଚେଷ୍ଟସ୍ୟ କର୍ମଷୁ…’ ଶ୍ଳୋକଟିରେ ରହିଛି ମଧ୍ୟମମାର୍ଗୀ ଚିନ୍ତାଧାରା । ଯୋଗ ପାଇଁ କଠୋର ତପସ୍ୟା ଓ ଅବାଧ ଇନ୍ଦ୍ରିୟ ସେବନ ଦୁଇଟିଯାକ ସମାନଭାବରେ ବର୍ଜନୀୟ । ଜୈନଧର୍ମରୁ ପ୍ରମାଣିତ ହୁଏ ଯେ ଅତୀତରେ ‘ବ୍ରହ୍ମଚର୍ଯ୍ୟ’ ମୂଲ୍ୟବୋଧ ଯୋଗୀସମାଜ ପାଇଁ ସ୍ଥିରୀକୃତ ନଥିଲା । ଜୈନମାନଙ୍କର ଚତୁର୍ଯ୍ୟାମ (ଅହିଂସା, ସତ୍ୟ, ଅସ୍ତ୍ରେୟ ଓ ଅପରିଗ୍ରହ) ଯୋଗୀସମାଜର ‘ୟମ’ ମୂଲ୍ୟବୋଧ ଗୁଡ଼ିକ ସହ ସମାନ ଥିଲା ।

“‘ପରିସ୍ଥିତି ଯାହା ହେଉନା କାହିଁକି, ପ୍ରତ୍ୟେକ ଯୁଦ୍ଧ ହିଁ ଅଧର୍ମ’ ଏହା ଥିଲା ମୂଳ ମହାଭାରତର ପ୍ରତିପାଦ୍ୟ ବିଷୟ । ମୂଳ ମହାଭାରତକୁ ‘ଜୟ’ କରାଯାଇଥିଲା କାରଣ ଏକ ସ୍ୱାଦ୍ୟ ଆଖ୍ୟାୟିକା ମାଧ୍ୟମରେ ଜନସାଧାରଣଙ୍କୁ ‘ହିଂସା-ବିରୋଧୀ କରି ଧର୍ମସ୍ଥାପନର ବାର୍ତ୍ତା ଦେବାପାଇଁ ମହାଭାରତ ଲେଖା ହୋଇଥିଲା । (ସ୍ୱର୍ଗାରୋହଣ ପର୍ବ: ଶେଷ ଅଧ୍ୟାୟ) । ସେ ଯୁଗରେ ‘ଜୟ’ର ଏକମାତ୍ର ଅର୍ଥ ଥିଲା ‘ଆତ୍ମଜୟ (ଦମ): ଦମମେବ ମହାରାଜ ଧର୍ମମାହୁଃ ପୁରାତନଂ’ ଶାନ୍ତିପର୍ବ, ୬୦ଅଧ୍ୟାୟ। ବେଦୀୟ ଆର୍ଯ୍ୟଗୋଷ୍ଠୀର ହିଂସା କାର୍ଯ୍ୟ ପଶୁବଧ ଓ ଯୁଦ୍ଧ ଯେ ଧର୍ମବିରୋଧୀ, ତାହା ଜନସମକ୍ଷରେ ପ୍ରତିପାଦିତ କରିବା ଥିଲା ମୂଳ ମହାଭାରତର ଲକ୍ଷ୍ୟ।” ପ୍ରଫେସର ଭଗବତ ପ୍ରସାଦ ଉକ୍ତ ଲେଖାରେ ଭାରତୀୟ ଦର୍ଶନର ଲକ୍ଷ୍ୟ ସମ୍ପର୍କରେ ଏକ ତାତ୍ତ୍ୱିକ ଅନୁଶୀଳନ ଏଠାରେ ଉପସ୍ଥାପନ କରିବାପାଇଁ ଚେଷ୍ଟା କରିଛନ୍ତି।”      – ସମ୍ପାଦକ

Photo credit- Internet

About ପ୍ରଫେସର ଭଗବତ ପ୍ରସାଦ

ସର୍ବୋଦୟ କର୍ମୀ, ସମାଜ ବିଜ୍ଞାନୀ

Check Also

ଲୋକଧାରା: ବିବିଧ ବିଭାବ

ଲୋକଧାରା ଅଧ୍ୟୟନର ଇତିହାସ ବା ଲୋକ କିଏ ଓ ଲୋକଧାରା କାହାକୁ କହିବା ଆଦି ପ୍ରସଙ୍ଗ ଉପରେ ଚାଲିଥିବା ଶତାବ୍ଦୀ …

Leave a Reply

Your email address will not be published. Required fields are marked *