Home / ବ୍ୟକ୍ତି ଓ ବ୍ୟକ୍ତିତ୍ୱ / ସ୍ମୃତିଚାରଣ / ଭଗବତୀ ପାଣିଗ୍ରାହୀ ବୈପ୍ଳବିକ ଓ ପ୍ରଗତିଶୀଳ ଚେତନାର ବାର୍ତ୍ତାବହ

ଭଗବତୀ ପାଣିଗ୍ରାହୀ ବୈପ୍ଳବିକ ଓ ପ୍ରଗତିଶୀଳ ଚେତନାର ବାର୍ତ୍ତାବହ

୨୦୦୭ ଫେବୃୟାରୀ ୧ତାରିଖ ବିପ୍ଳବୀ ତଥା ପ୍ରଗତିଶୀଳ ଭାବଧାରାର ନବସାରଥି ଭଗବତୀ ପାଣିଗ୍ରାହୀଙ୍କର ଜନ୍ମ ଶତବର୍ଷର ଆରମ୍ଭ ଦିନ । ୧୯୦୮ ଫେବୃୟାରୀ ୧ରେ ତାଙ୍କର ଜନ୍ମ ଏବଂ ମୃତ୍ୟୁ ଅକ୍ଟୋବର ୨୩, ୧୯୪୭ । ମାତ୍ର ୩୫ ବର୍ଷର ଜୀବନ ପ୍ରବାହ । ତହିଁମଧ୍ୟରୁ ଏକ ଦଶନ୍ଧିରୁ ଊଦ୍ଧ୍ୱର୍କାଳ ଅବାରିତ ସଂଗ୍ରାମର ପଥରେ ଅଗ୍ରଗାମୀ ନେତା ସାଜି ଓଡ଼ିଶାରେ ସାମ୍ୟବାଦ ତଥା ନବ ନବ ପ୍ରଗତିଶୀଳ ଭାବଧାରାର ସ୍ରୋତ ଭଗବତୀ ପ୍ରବାହିତ କରିଥିଲେ । ସେ ସତ୍ୟବାଦୀ ବନବିଦ୍ୟାଳୟରୁ ଶିକ୍ଷାଲାଭ ଆରମ୍ଭ କରି ପରେ ପୁରୀ ଜିଲ୍ଲା ସ୍କୁଲରେ ନାମ ଲେଖାଇ ୧୯୨୭ରେ ସେଠାରେ ଅଧ୍ୟୟନ କରିଥିଲେ ।

(ସ୍ୱାଧୀନତା ସଂଗ୍ରାମୀ ଓ ସାମ୍ୟବାଦୀ ନେତା, ବିପ୍ଳବୀ ଭଗବତୀ, ସୋମନାଥ ପାତ୍ର, ୧୯୯୧, ବାଜପୁର, ପୁରୀ) ପୁରୀ ଜିଲ୍ଲା ସ୍କୁଲରୁ ଶିକ୍ଷା ଶେଷ କରି ଉଚ୍ଚଶିକ୍ଷା ପାଇଁ ପାଟନା ଯାଇଥିଲେ ଏବଂ ସେଠାରେ ଏମ୍.ଏ. ପାଶ୍ କରି ଓଡ଼ିଶାକୁ ଫେରିଆସି କଟକର ରେଭେନ୍ସା କଲେଜରେ ଆଇନ୍ ଶାସ୍ତ୍ର ଅଧ୍ୟୟନ କରିଥିଲେ । ସତ୍ୟବାଦୀ ବନ ବିଦ୍ୟାଳୟ, ପୁରୀ ଜିଲ୍ଲା ସ୍କୁଲ, ପାଟନା କଲେଜ -ଏସବୁ ସ୍ଥାନରେ ଭଗବତୀ ଦେଖିଥିଲେ ବିପ୍ଳବର ଜଳନ୍ତା ସୁଅ । ଏସବୁ ସ୍ଥାନରେ ବିପ୍ଳବୀମାନଙ୍କୁ ସାକ୍ଷାତ କରିଥିଲେ ଏବଂ ଶେଷରେ ଅସାଧାରଣ ବିପ୍ଳବୀରେ ପରିଣତ ହୋଇଥିଲେ । ସ୍କୁଲଛାତ୍ର ଥିବାବେଳେ ତାଙ୍କର ଅନ୍ତରଙ୍ଗ ବନ୍ଧୁ ଥିଲେ ବିଖ୍ୟାତ ସାମ୍ୟବାଦୀ ପ୍ରାଣନାଥ ପଟ୍ଟନାୟକ । ରାମଚଣ୍ଡୀ ସାହିରେ ଉଭୟ ଆଲୋଚନା କରିଥିଲେ ଦେଶୀୟ ତଥା ଆନ୍ତର୍ଜାତିକ ସମସ୍ୟା ଠାରୁ ଆରମ୍ଭ କରି ଭାଗବତ ପୁରାଣ ।

ପ୍ରାଚୀନ କାବ୍ୟକବିତା ଏବଂ ଗଳ୍ପ – ଏସବୁ ଭିତରେ ଖୋଜିଥିଲେ ଏକ ସଂକଳ୍ପବଦ୍ଧ ମଣିଷ । ଭଗବତୀଙ୍କ ପିତା ସ୍ୱପ୍ନେଶ୍ୱର ପାଣିଗ୍ରାହୀ, ବଡ଼ଭାଇ ଦିବ୍ୟସିଂହ ଓ କାଳନ୍ଦୀଚରଣ – ଏ ସମସ୍ତେ ସାହିତ୍ୟ ସଂସ୍କୃତିର ମଣିଷ ଥିଲେ । ତେଣୁ ସେମାନେ ଅନୁପ୍ରେରକ ଶକ୍ତି ହିସାବରେ ଭଗବତୀଙ୍କୁ ବାଟ ଚଳାଇଥିଲେ । ପାଠ ପଢ଼ୁଥିବା ସମୟରେ ସ୍ୱାଧୀନତା ଆନ୍ଦୋଳନର ବାର୍ତ୍ତା ତାଙ୍କ ଜନ୍ମଭୂମି ବାଲିପାଟଣା ଥାନାର ବିଶ୍ୱନାଥପୁରକୁ ପ୍ରଚାରିତ ହୋଇଥିଲା । ରାଷ୍ଟ୍ରୀୟ ଆନ୍ଦୋଳନର ସକଳ ଚେତନା, ପ୍ରତିବାଦର ଭାଷାକୋଷ ସହିତ ଛାତ୍ରଜୀବନରୁ ଭଗବତୀ ପରିଚିତ ହୋଇଥିଲେ । ତେବେ ଏସବୁ ତାଙ୍କୁ ଗାନ୍ଧୀ,ଗୋପବନ୍ଧୁଙ୍କର ପଟ୍ଟଶିଷ୍ୟ କରିପାରି ଥାଆନ୍ତା, କିନ୍ତୁ ପାଟନାର ପରିବେଶ ତାଙ୍କୁ ଏକ ଭିନ୍ନମାର୍ଗରେ ପରିଚାଳିତ କରିଥିଲା । ପାଟନା ବିଶ୍ୱବିଦ୍ୟାଳୟର କେତେକ ଅଧ୍ୟାପକ ସାମ୍ୟବାଦୀ ଭାବଧାରାର ପ୍ରଚାରକ ଥିଲେ । ସେମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଥିଲେ ଜ୍ଞାନଚାନ୍ଦ ।

ତାଙ୍କ ଦ୍ୱାରା ପ୍ରଭାବିତ ହୋଇ ଭଗବତୀ ସାମ୍ୟବାଦୀ ବିଚାରକୁ ସ୍ୱାଗତ କରିଥିଲେ ଏବଂ ପରବର୍ତ୍ତୀ ଦଶନ୍ଧିରେ ସେଥିରେ ସେ ଅସାଧାରଣ ଭୂମିକା ଗ୍ରହଣ କରିଥିଲେ । ୧୯୩୨ ମସିହାରେ କାଶୀବିଦ୍ୟାପୀଠର ଅଧ୍ୟାପକ ଆଚାର୍ଯ୍ୟ ନରେନ୍ଦ୍ର ଦେବ ନିଜର ସ୍ୱାସ୍ଥ୍ୟ ପରିବର୍ତ୍ତନ ପାଇଁ ପୁରୀରେ ରହୁଥିଲେ । ସମାଜବାଦ ଚର୍ଚ୍ଚାର ସେ ଥିଲେ ପ୍ରମୁଖ ନେତା । ଭଗବତୀଙ୍କର ପୁରୀ ରାମଚଣ୍ଡୀ ସାହିରେ ଥିôବା ବସାଘରେ ଆଚାର୍ଯ୍ୟ ନରେନ୍ଦ୍ର ଦେବ ପୃଥିବୀ ଇତିହାସ ଉପରେ ସାତଦିନ ପର୍ଯ୍ୟନ୍ତ ଏକ ଚମକ୍ରାର ବିତର୍କିତ ଆଲୋଚନା ଚଳାଇଥିଲେ ଏବଂ କଲେଜ ଛାତ୍ର ଭଗବତୀ ଏହାଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଥିଲେ । ଓଡ଼ିଶାରେ ୧୯୩୪ ମସିହାରେ ଗଠିତ କଂଗ୍ରେସ ସାମ୍ୟବାଦୀ ଦଳକୁ ସ୍ୱାଗତ କରି ଏହାର ଉନ୍ନତି କଳ୍ପନା କରିଥିଲେ । ସାମ୍ୟବାଦୀ ନେତା ନବକୃଷ୍ଣ ଚୌଧୁରୀଙ୍କ ସମ୍ପାଦନାରେ ୧୯୩୪ ମାର୍ଚ୍ଚ ମାସରେ ପ୍ରଥମେ ପ୍ରକାଶ ପାଇଲା ପ୍ରଗତିଶୀଳ ଚେତନାର ମୁଖପତ୍ର ‘ସାରଥି’ । ଏଥିରେ ହିଁ ଭଗବତୀଙ୍କର ଆଦ୍ୟ ସାମ୍ୟବାଦୀ ବାଣୀ ଉଚ୍ଚାରିତ ହୋଇଥିଲା । ଏହାପୂର୍ବରୁ ଉକ୍ରଳ ସାହିତ୍ୟ ପତ୍ରିକାରେ ‘ଜଙ୍ଗଲୀ’ ନାମକ ଗଳ୍ପ ରଚନା କରି ଭଗବତୀ ଆପଣାର ସୂକ୍ଷ୍ମ ମନସ୍ତାତ୍ତ୍ୱିକ ଭାବର ପରିଚୟ ଦେଇଥିଲେ । (ଉକ୍ରଳ ସାହିତ୍ୟ ୩୨/୯, ଡିସେମ୍ବର ୧୯୨୯) ଜଙ୍ଗଲୀ ଏବଂ ତା’ ନିକଟରେ ଆଶ୍ରୟ ପାଇଥିବା ଶବରୀ କନ୍ୟା ଓ ଏକ ମୃଗୁଣୀକୁ ନେଇ ଏହାର କାହାଣୀ ଭାଗ ପରିକଳ୍ପିତ । ଗୋଟିଏ ପଶୁ, ଜନ୍ମପରେ ସମାଜ ସମ୍ପର୍କରେ ଆଦୌ ଆସିନଥିବା ମଣିଷ  ଏବଂ ଆଉ ଜଣେ ଶବରୀ କନ୍ୟା – ଆଦିମ ସମସ୍ୟାର ମଣିଷ, ବିବର୍ତ୍ତନ ଧାରାର ଏହି ତିନୋଟି ପର୍ଯ୍ୟାୟ ଏବଂ ଏହି ତିନିଗୋଟି ପ୍ରାଣୀଙ୍କର ମନସ୍ତାତ୍ତ୍ୱିକ ବିଶ୍ଳେଷଣ ଗଳ୍ପରେ ବେଶ ହୃଦ୍ୟ ।

ପରବର୍ତ୍ତୀ ପର୍ଯ୍ୟାୟରେ ସହକାର ମାସିକ ପତ୍ରରେ (୧୨ଶଭାଗ, ଅଷ୍ଟମ ସଂଖ୍ୟା, ୧୯୩୨ରେ) ସମୟାତୀତ ଗଳ୍ପରେ ତାଙ୍କର ବୈପ୍ଳବିକ ଚେତନାର ଆଦିସ୍ତର ପ୍ରକାଶିତ । ଏତେବେଳେ ଅବଶ୍ୟ ସେ ରୋମାଣ୍ଟିକ ଭାବଧାରାରୁ ମୁକ୍ତ ନଥିଲେ । ବାସ୍ତବବାଦୀ ସମାଜବାଦୀ ଚେତନା କ୍ରମେ ରୋମାଣ୍ଟିକ୍ ଭାବଧାରାକୁ ଘୋଟି ଯାଇଥିଲା ।

       ୨

୧୯୩୪ ମସିହାଠାରୁ ଭଗବତୀ ସମାଜବାଦୀ ବାସ୍ତବତା ପ୍ରତି ଗଭୀରଭାବେ ଆକୃଷ୍ଟ ହୋଇଥିଲେ । ୧୯୩୨-୩୪ ମଧ୍ୟରେ ଓଡ଼ିଶାରେ ବୈପ୍ଳବିକ ଏବଂ ସାମ୍ୟବାଦୀ ସ୍ୱର ଆରମ୍ଭ ହୋଇ ବେଶ୍ ଆସନ ମାଡ଼ି ବସିଲା । ନବୀନ ସମ୍ବାଦପତ୍ରରେ କିଶୋର  କବି ସଚ୍ଚିଦାନନ୍ଦ ରାଉତରାୟ ୧୯୩୩ ମସିହାରେ ବିପ୍ଳବବାଦୀ କବିତା‘ଭଗବାନ ଅଛ କାହିଁ?’ ପ୍ରକାଶ କରିଥିଲେ । (ନବୀନ, ୧୮ ଜୁଲାଇ, ୧୯୩୩) ମାର୍କ୍ସବାଦୀ ଚିନ୍ତା ଓ ତତ୍ତ୍ୱର ପ୍ରସାରକ ହିସାବରେ ଛାତ୍ର ସଚ୍ଚିଦାନନ୍ଦ ‘ବଲ୍ସେଭିଜିମ୍’ ଉପରେ ଦୀର୍ଘ ଆଲୋଚନା ୧୯୩୪ରେ ନବୀନରେ ପ୍ରକାଶ କରିଥିଲେ । ଏହାର ନାମ ଥିଲା ‘କଙ୍କାଳର ଶୋଭାଯାତ୍ରା’ । ଧାରଳବାହିକ ଭାବରେ ଫେବୃୟାରୀ ୬, ୧୯୩୪ରୁ ଏହା ନବୀନରେ ପ୍ରକାଶ ପାଇଥିଲା । ତାର ଏକମାସ ପରେ ୧୯୩୪ ମାର୍ଚ୍ଚରୁ ଆରମ୍ଭ ହୋଇଥିଲା ସାରଥି ପତ୍ରିକାରେ ବିପ୍ଳବର ସମ୍ପ୍ରସାରିତ ଆଲୋଚନା ।

ଏକପଟରେ ପ୍ରାଣନାଥ ପଟ୍ଟନାୟକ ଏବଂ ଅନ୍ୟପଟେ ଭଗବତୀ ପାଣିଗ୍ରାହୀ । ୧୯୩୪ରେ ସାପ୍ତାହିକ ପତ୍ରରୂପେ ପ୍ରକାଶ ପାଉଥିବା କଂଗ୍ରେସ ସୋସାଲିଷ୍ଟ ପାର୍ଟିର ମୁଖପତ୍ର ସାରଥି ମୁଖ୍ୟତଃ ଓଡ଼ିଶାରେ ସାମ୍ୟବାଦୀ ଭାବନାର ମୂଳପତ୍ତନ ପକାଇବାର ଉଦ୍ୟମ କରିଥିଲେ । ଏଥିରେ ଭଗବତୀ ‘ପୃଥିବୀର ସଙ୍କଟ ଓ ସେଥିରୁ ନିସ୍ତାର ପାଇବାର ଉପାୟ’ ଶୀର୍ଷକ ପ୍ରବନ୍ଧ ଧାରାବାହିକ ଭାବେ ପ୍ରକାଶ କରିଥିଲେ । ସାରଥିର ପାଞ୍ଚଗୋଟି ସଂଖ୍ୟାରେ ଏହି ତାତ୍ତ୍ୱିକ ପ୍ରବନ୍ଧ ପ୍ରକାଶ ପାଇଥିଲା । (ଶତପଥୀ ବିଜୟ କୁମାର, ଓଡ଼ିଆ ସାହିତ୍ୟରେ ପ୍ରଗତିବାଦୀ ଧାରା, ୧୯୯୫, କଟକ)୧୯୩୪ଏପ୍ରିଲ ମାସ ଶେଷସୁଦ୍ଧା ଏହି ଧାରାବାହିକ ପ୍ରବନ୍ଧ ପ୍ରକାଶ ପାଇଥିଲା । ଏଥିରେ ବଡ଼ ସରଳ ଓ ସହଜ ଭାଷାରେ ସାମ୍ୟବାଦୀ ଚେତନାର ଗୁଢ଼ ଭାବଧାରାକୁ ବୁଝାଇଥିଲେ । ଉଦାହରଣସ୍ୱରୂପ ସେ ପୁଞ୍ଜିବାଦୀ ଓ ସାମ୍ୟବାଦୀ ମଧ୍ୟରେ ପାର୍ଥକ୍ୟ ଦର୍ଶାଇବାକୁ ଯାଇ କହନ୍ତି – ବର୍ତ୍ତମାନ ସମାଜର ଧନ କେତେଜଣ ଲୋକଙ୍କ ହାତରେ ପୁଞ୍ଜି ବାନ୍ଧୁଛି । ତାହା ଯେପରି ଭାବରେ ନିଯୁକ୍ତ ହେଉଛି ତାହାଦ୍ୱାରା ସର୍ବସାଧାରଣର ଉପକାର ହେଉନାହିଁ । ସେଥିଲାଗି ଆମେ ଦେଖୁଛୁ, ଅତିରିକ୍ତ ଉତ୍ପାଦନ ସଙ୍ଗେ ସଙ୍ଗେ ଲୋକଙ୍କୁ ଖାଇବାକୁ ମିଳୁନାହିଁ ।

ଆଉ ମଧ୍ୟ ଏପରି କେତେ ଶିଳ୍ପ କାରଖାନା ମାନଙ୍କରେ ଧନନିଯୁକ୍ତ ହେଉଛି ଯାହାଦ୍ୱାରା ସର୍ବ ସାଧାରଣଙ୍କର କଲ୍ୟାଣ ସାଧିତ ହେବା ତ ଦୂରର କଥା, ରୀତିମତ ଅକଲ୍ୟାଣ ସାଧିତ ହେଉଛି । ପଣ୍ଡିତମାନେ ହିସାବ କରି ଦେଖାଇ ଦେଇଅଛନ୍ତି ଯେ ଏସବୁ କାରଖାନାର ଧୂଆଁରୁ କେତେ ଲୋକଙ୍କ ଫୁସ୍ଫୁସ୍ ଖରାପ ହୋଇ ମାରାତ୍ମକ ରୋଗ ସେମାନଙ୍କୁ ଆକ୍ରମଣ କରୁଛି । କାରଖାନାର ଶବ୍ଦ ଦ୍ୱାରା କେତେ ଲୋକଙ୍କର ମାନସିକ ଶାନ୍ତି ନଷ୍ଟ ହେବାରୁ ସେମାନଙ୍କର ନିଜର ତଥା ସମାଜର କେତେ କ୍ଷତି ହେଉଛି ଏବଂ ଏହିସବୁ କାରଖାନାରୁ ଉତ୍ପାଦିତ ଦ୍ରବ୍ୟ ବ୍ୟବହାର କରିବା ଦ୍ୱାରା ଲୋକଙ୍କର ଅମଙ୍ଗଳ ଛଡ଼ା ମଙ୍ଗଳ ହେଉନାହିଁ । ଏହିସବୁ କାରଣରୁ ଏ ଯୁଗରେ ନାନାପ୍ରକାର ଦୁର୍ଗତି ଜନ୍ମ ନେଉଛି । ଏହା ଦୂର କରିବା ପାଇଁ ସାମ୍ୟବାଦ ଏକମାତ୍ର ଅସ୍ତ୍ର । (ଶତପଥୀ, ବିଜୟ କୁମାର, ପୂର୍ବୋକ୍ତ ପୁସ୍ତକ, ପୃ – ୨୦୪-୨୦୫)

‘ସାରଥି’ରେ ସାମ୍ୟବାଦର ବାର୍ତ୍ତା ପ୍ରସାର କରିବା ବେଳେ ଭଗବତୀ ‘ନବଭାରତ’ର ସୁଯୋଗ୍ୟ ସମ୍ପାଦକ ନୀଳକଣ୍ଠ ଦାସଙ୍କ ବିପ୍ଳବ ଉପରେ ମନ୍ତବ୍ୟ ଦେଇ ତାଙ୍କ ପ୍ରଗତିଶୀଳ ଭାବନାର ପରିଚୟ ଦେଇଥିଲେ । ୧୯୩୪ମସିହାରୁ ଆରମ୍ଭ ହୋଇଥିବା ନବଭାରତ ଥିଲା ସକଳପ୍ରକାର ଭାବଧାରାକୁ ଏକ ମଞ୍ଚରେ ଉପସ୍ଥାପନ କରିବାର ଏକ ପତ୍ର । ଏଥିରେ ମିଥୁନ ୧୩୪୧ (୧୯୩୪) ସଂଖ୍ୟାରେ ‘ବିକାଶ ଓ ବିପ୍ଳବ’ ଶୀର୍ଷକ ଆଲୋଚନା ନୀଳକଣ୍ଠ ଦାସ ଲେଖି ପ୍ରକାଶ କରିଥିଲେ । ଏହାକୁ ସମାଲୋଚନା କରି ଏହାର ପରବର୍ତ୍ତୀ ସଂଖ୍ୟାରେ ସେହି ‘ବିକାଶ ଓ ବିପ୍ଳବ’ ଶୀର୍ଷକ ଆଲୋଚନା ଭଗବତୀ ପ୍ରକାଶ କରିଥିଲେ । ନୀଳକଣ୍ଠ ଲେଖିଥିଲେ ବିକାଶ ଦୁଇପ୍ରକାର ମଧ୍ୟରୁ ଗୋଟିଏ ଗତାନୁଗତିକ ବିକାଶ । ଜାତୀୟ ଜୀବନରେ ବିକାଶ ଓ ବିପ୍ଳବ ଲାଗିରହିଛି । ଉଦାହରଣସ୍ୱରୂପ ନୀଳକଣ୍ଠ ଲେଖିଥିଲେ – ‘୧୯୧୭ରେ ଯେଉଁ ଋଷୀୟ ବିପ୍ଳବ ହେଲା ତାହା ପ୍ରକୃତରେ ବିପ୍ଳବ ନୁହେଁ ବିକାଶ । କିନ୍ତୁ ଅଳ୍ପଦିନ ତଳେ ଅଷ୍ଟ୍ରିଆ ଦେଶରେ ଯେଉଁ ସାମ୍ୟବାଦୀ ବିପ୍ଳବ ହୋଇଥିଲା ତାହା ପ୍ରକୃତବିପ୍ଳବ ।’ ଋଷ ଦେଶର ସାମାଜିକ ଜୀବନ ରସ ଏହି ସାମ୍ୟବାଦୀ ବିକାଶର ଅନୁକୂଳ ହୋଇଥିଲା, କିନ୍ତୁ ଅଷ୍ଟ୍ରିଆରେ ସାମାଜିକ ଜୀବନ – ରସ ତାହାର ଅନୁକୂଳ ନୁହେଁ । କଦଳୀ ଗଛରେ ପାଣି ହୋଇ ଗଛର ଜୀବନ ଶୀଘ୍ର ବିକାଶ କରିବାର ଉଦ୍ୟମ କରୁ କରୁ ଯେପରି ଗଛ ମଞ୍ଜକିଳା ମାରିଯାଏ, ସେହିପରି ଅଷ୍ଟ୍ରିଆର ସାମ୍ୟବାଦୀ ଉଦ୍ୟମ ବ୍ୟର୍ଥକାମ ହୋଇଗଲା । ମାତ୍ର ଯଦି କଦଳୀ ଗଛ ଭଣ୍ଡା ପକାଇବା ବେଳେ ତାର କଢ଼ାଟିକୁ ଭାଙ୍ଗି ଦିଆଯାଏ, ତେବେ ବୃକ୍ଷ ଜୀବନରେ ଏହା ଗୋଟିଏ ବିପ୍ଳବ ନା ତାହାର ବିକାଶରେ ଗୋଟିଏ ବାଧା ମାତ୍ର? ବିପ୍ଳବ ଓ ବିକାଶ ପଥରେ ପ୍ରତିବନ୍ଧକ ଦୁଇଟି ପୃଥକ୍ ବିଷୟ ।

ସେହିପରି ଅଷ୍ଟ୍ରିଆଦେଶରେ ଜାତୀୟ ଜୀବନର ବିକାଶରେ ବାଧା ଦିଆଯାଇଅଛି, ଏ ସ୍ଥଳରେ ଅଷ୍ଟ୍ରିଆରେ ସାମାଜିକ ଜୀବନ – ରସର ଆହରଣ କରିବାର ଶକ୍ତି ନାହିଁ କିମ୍ବା ଜୀବନରସ ସେଠାରେ ବିକୃତ ହୋଇଯାଇଛି ଭାବିବା ଭ୍ରମ । କଦଳୀ ଗଛ ଭଣ୍ଡା ପକାଇଲା ବେଳେ ତାହା ଭାଙ୍ଗି ଦିଆଯିବାର ଆଶଙ୍କା ଅଛିବୋଲି କ’ଣ କଦଳୀଗଛ ଭଣ୍ଡା ପକାଇବ ନାହିଁ? ସେହିପରି ଅଷ୍ଟ୍ରିଆର ସାମ୍ୟବାଦୀ ଉଦ୍ୟମ ଦମନ କରାଯିବାର ଆଶଙ୍କା ଅଛି, ତାର ସେ ବିକାଶକୁ ସ୍ଥଗିତ ରଖିଦେବା ଅସ୍ୱାଭାବିକ କ୍ରିୟା ନୁହେଁ କି? ନୀଳକଣ୍ଠ ଲେଖିଥିଲେ – ଭାରତ ପରି ଯେଉଁ ଦେଶର ସାମାଜିକ ଜୀବନ-ରସର ଆହରଣ କରିବାର ଶକ୍ତିନାହିଁ – ଯେଉଁଠାରେ ଜୀବନରସର ଧାରା ସ୍ୱାଭାବିକ ଗତିରେ ବହୁନାହିଁ, ସେଠାରେ ଏ ବିକାଶ (ସାମ୍ୟବାଦ) ହୁଏତ ବିପ୍ଳବ ହୋଇପାରେ । ଭଗବତୀ ଏହାକୁ ସମାଲୋଚନା କରି ଲେଖିଥିଲେ – ଭାରତରେ ସାମାଜିକ ଜୀବନ-ରସର ଆହରଣ ପାଇଁ ଶକ୍ତିନାହିଁ ବୋଲି କହିବାର ପ୍ରମାଣ କ’ଣ? ଯେଉଁ ଦେଶରେ ଏ ଶକ୍ତି ଯେତିକି ବେଶୀ ସେ ଦେଶ କ’ଣ ଏପରି ବିକାଶ ପାଇଁ ସେତିକି ଅନୁକୂଳ? ତେବେ ଋଷଦେଶର କ’ଣ ୧୯୧୭ରେ ଆମେରିକା, ଇଂଲଣ୍ଡ ପ୍ରଭୃତି ଦେଶ ଅପେକ୍ଷା ଏ ଶକ୍ତି ଅଧିକ ଥିଲା? ଆଉ ମଧ୍ୟ କୁହାଯାଇଛି, ମାଟି ଓ ଜଳବାୟୁ ଘେନି ସାମ୍ୟବାଦ କେଉଁ ଦେଶରେ ପ୍ରକୃତ ବିକାଶର ହେତୁ ହୋଇଛି, ଆଉ କେଉଁଠାରେ ହୋଇଛି ବିନାଶର ହେତୁ । ଏପରି ଭାବିବା ଭ୍ରମ ବୋଲି ପାଣିଗ୍ରାହୀ ମନ୍ତବ୍ୟ ଦେଇ କହିଥିଲେ – ଫାସିଜିମ୍ ବା ନାତ୍ସିଜମ୍ ପରି ଏହା କୌଣସି ଗୋଟିଏ ଦେଶ ବା ବିଶିଷ୍ଟ ପାରିପାଶ୍ୱର୍ିକତାର ଅପେକ୍ଷା ରଖେନାହିଁ । ଏହା ସବୁଦେଶ ପାଇଁ, ସବୁ ଦେଶର ଜଳବାୟୁ ଏହାର ଅନୁକୂଳ ।

ସାମ୍ୟବାଦର ଜନ୍ମସ୍ଥାନ ଜର୍ମାନୀ, ମାର୍କ୍ସ ଓ ଏଞ୍ଜେଲସ୍  ଏହିଠାର ଲୋକ । ଇଂଲଣ୍ଡରେ ମାର୍କ୍ସ ଏହାର ଅନୁଶୀଳନ କରିଛନ୍ତି । ଇଂଲଣ୍ଡର ଜଳବାୟୁରେ ଏହା ବୃଦ୍ଧିଲାଭ କରିଛି । ଶେଷରେ ଫଳ ହୋଇଛି ଋଷ ଦେଶରେ । ଏ ତିନି ଦେଶର ଜଳବାୟୁ ଓ ପାରିପାଶ୍ୱର୍ିକତା ପ୍ରତ୍ୟେକ ଠାରୁ ସମ୍ପୂର୍ଣ୍ଣ ପୃଥକ୍ । ସେ ମଧ୍ୟ କହିଥିଲେ – ପୁଞ୍ଜିବାଦ ବର୍ତ୍ତମାନ ପୃଥିବୀକୁ ଗ୍ରାସକରିଛି । ଏ ଯୁଗର ସବୁ ଅସୁବିଧାର ଜନ୍ମଦାତା ଏହି ପୁଞ୍ଜିବାଦ । ପୁଞ୍ଜିବାଦର ପରବର୍ତ୍ତୀ ବିକାଶ ସାମ୍ୟବାଦ । ପୁଞ୍ଜିବାଦ ପରେ ତାହା ଆପେ ଆପେ ଆସିବ । ଆପେ ଆପେ ଆସିବା ଅର୍ଥ ଲୋକେ ଆଖିବୁଜି ବସିଥିବେ,ଉପରୁ ଦିଅଁ ଜଣେ ସାମ୍ୟବାଦର ବୁଜୁଳାଟି ଆଣି ତାଙ୍କ ଆଗେ ଥୋଇ ଦେବା ନୁହେଁ । ସାମ୍ୟବାଦର ପ୍ରଚଳନ ପାଇଁ ଯେଉଁ ଉଦ୍ୟମ ହେବା ସ୍ୱାଭାବିକ ତାହା ଅବଶ୍ୟମ୍ଭାବୀ ।

ପାଣିଗ୍ରାହୀଙ୍କ ବକ୍ତବ୍ୟ ଉପରେ ସମ୍ପାଦକ ନୀଳକଣ୍ଠ ଏକ କ୍ଷୁଦ୍ର ମନ୍ତବ୍ୟ ଦେଇ ଲେଖିଥିଲେ – କେତୋଟି କଥା ବିଶଦ କରିବା ପାଇଁ ମୋର ଏଠାରେ କିଛି ଲେଖିବା ଦରକାର ମନେକରୁଛି । ଉପମାରେ ମୁଁ ଗତ ସଂଖ୍ୟାରେ ବିଷୟଟିର ଅବତାରଣା କରିଥିଲି । ଶ୍ରୀମାନ୍ ଭଗବତୀ ପାଣିଗ୍ରାହୀ ମଧ୍ୟ ସେହି ଉପମାର ଆଶ୍ରୟରେ ନିଜର କଥା କହିଛନ୍ତି । ଭଣ୍ଡାଟି ବାହାରିଲାମାତ୍ରେ ମାଙ୍କଡ଼ ଭାଙ୍ଗିଦେବା ଆଶଙ୍କା ଯଦି ଥାଏ ତେବେ ବାଟୁଳିଖଡ଼ା ବା ବନ୍ଧୁକର ସୁବ୍ୟବସ୍ଥା ନକରି କେହି ପଇସା ଖର୍ଚ୍ଚ କରି ଗଛ କିପରି ଶୀଘ୍ର ଭଣ୍ଡା ପକାଇବ ସେଥିରେ ଲାଗନ୍ତି ନାହିଁ । ଯଦି କଅଁଳିଆ ଗଛର ରସ ଆହରଣ ଶକ୍ତି ନଥାଏ, ତାହାର ମୂଳରେ ପାଣି ଦେବାର ସୁବିଧା ନ ଥାଏ କିମ୍ବା ପାଣି ଦେବାକୁ ଚେଷ୍ଟା କଲେ ତାହା ଗଛର ରସ ହେବାରେ ବାଧା ଥାଏ, ତେବେ ଅନ୍ୟତ୍ର କଲମଗଛ ହେଉଛି ବୋଲି କଲମ ବସାଇବାର ଉଦ୍ୟମ ଠିକ୍ ହୋଇନପାରେ । ମାତ୍ର ମୂଳତଃ କଲମ ବସାଇବା ମୋ ମତରେ ବିପ୍ଳବ ନୁହେଁ ବିକାଶ । କାହିଁକି ନା ଲୋକେ ଯାହାକୁ ବିପ୍ଳବ କହନ୍ତି, ମୋ ମତରେ ତାହା ମଧ୍ୟ ବିକାଶ – ଯଦି ତାହାର ପରିଣାମ ବିନାଶରେ ପରିଣତ ନହୁଏ ।

ନୀଳକଣ୍ଠଙ୍କ ପ୍ରଥମ ପ୍ରବନ୍ଧରେ ଲେଖାଥିଲା – ଭାରତର ଜନଜୀବନ ଧାରା କିପରି ପ୍ରାକୃତିକ ପ୍ରବାହରେ ବହିବ ତାହାର ଉଦ୍ୟମ ହେବା ପୂର୍ବରୁ କେଉଁ ବିକାଶ ବିପ୍ଳବ, କେଉଁ ବିକାଶ ବିପ୍ଳବ ନୁହେଁ ବୁଝିବାକୁ ହେବ । ଅର୍ଥାତ୍ ଭାରତରେ ସାମ୍ୟବାଦ ପାଇଁ କୌଣସି ଉଦ୍ୟମ କରିବା ପୂର୍ବରୁ ପ୍ରଥମେ ଚିନ୍ତା କରିବାକୁ ହେବ ସାମ୍ୟବାଦୀ ହେବା ଭାରତ ପକ୍ଷରେ ବିକାଶର ଚିହ୍ନ ନା ବିନାଶର ପରିଚାୟକ, ଏଥିରେ ବିପଦ ଅଛି କି ନାହିଁ । ଏ ବିଷୟର ଚିନ୍ତା ବଡ଼ ଜଟିଳ ବୋଲି ନୀଳକଣ୍ଠ ମନ୍ତବ୍ୟ ଦେଇ କହିଥିଲେ – ଏଥିରେ ଭ୍ରାନ୍ତି ଓ ପ୍ରମାଦ ହେଲେ ବଡ଼ ବିଷମ ଫଳ ଫଳିପାରେ । ସେଥିଲାଗି ହାତେ ମାପି ଚାଖଣ୍ଡେ ଚାଲିବା ନୀତି ଶ୍ରେୟସ୍କର । ଭଗବତୀ ଏ ପ୍ରସଙ୍ଗର ସମାଲୋଚନା କରି ଲେଖିଥିଲେ – ହାତେ ମାପି ଚାଖଣ୍ଡେ ଚାଲିବା ନୀତିରେ ଚଳିଲେ କେବଳ ମାପିବା ହେବ ସାର,ଚାଲିବା କଥାଟି ମିଛ । ଏଥିରେ ଆମର ଉଦ୍ଦେଶ୍ୟ ହେବ ଗୌଣ, ବିଧେୟ ହେବ ମୁଖ୍ୟ ।

କେବଳ ମାପିବାରେ ହିଁ ସମସ୍ତ ଶକ୍ତି ବ୍ୟୟିତ ହେବ । ନୀଳକଣ୍ଠ ଏହି ବକ୍ତବ୍ୟ ଉପରେ ପୁଣି ଲେଖିଥିଲେ – କୌଣସି ବେଷ୍ଟନୀରେ ନିଜକୁ ଠିକ୍ ରଖିପାରିଲେ, ବିକାଶର ଆଶଙ୍କା ନାହିଁ, ବିକାଶ ସୁନିଶ୍ଚିତ । କିନ୍ତୁ ନିଜେ ବେଷ୍ଟନୀ ତିଆରି କଲାବେଳେ ମନୁଷ୍ୟର ଭାବିଚିନ୍ତି କରିବାର ସୁବିଧା ଅଛି, ଅଧିକାର ଅଛି । ପ୍ରଗତି-ପରାୟଣ ପ୍ରାଣୀର ଏହି ଚିନ୍ତା ଚତୁରତା ହିଁ ବିଶେଷ । ହାତେ ମାପି ଡରି ଡରି ଚାଖଣ୍ଡେ ଚାଲିବା କଥା କେହି କହୁନାହିଁ । ଅଠରହାତ ଡେଇଁବାର ଶକ୍ତି ସାମର୍ଥ୍ୟ ଓ ସାହସ କଳନା କରି ଦଶହାତ ମାପି ଅଠର ହାତ ଡେଇଁପାରିଲେ ମଧ୍ୟ ଆପତ୍ତି ନାହିଁ, କିନ୍ତୁ ମାପିବାଟା ଯେ ବରାବର ବାଦ୍ ଦେବାକୁ ହେବ ଏହା ମନୁଷ୍ୟର ଧର୍ମ ନୁହେଁ । ଯୁବକର ଚିନ୍ତାରେ ତୀବ୍ରତା ଶ୍ଳାଘ୍ୟ ଓ ସ୍ପୃହଣୀୟ, କିନ୍ତୁ ଚିନ୍ତାରେ ବିଶୃଙ୍ଖଳା ଯେ ଯୁବକର ବରାବର ହୁଏନାହିଁ, ଏହା ଭାବିବାର କୌଣସି କାରଣ ନାହିଁ । ରୁଷିଆ, ଅଷ୍ଟ୍ରିଆର ପରିସ୍ଥିତି ସଙ୍ଗେ ଭାରତବର୍ଷର ପରିସ୍ଥିତି ତୁଳନା କରିବାରେ ବହୁ ଦିଗରୁ କଥାଟି ଆଲୋଚନା କରିବାର ଅଛି । ଏହିପରି ସାମ୍ୟବାଦର ଚର୍ଚ୍ଚା ଭଗବତୀ ମାନସକୁ ପ୍ରସାରିତ କରି ବିତର୍କର ବଳୟ ସୃଷ୍ଟି କଲା ।

ସାରଥି ଓ ନବଭାରତ ପୃଷ୍ଠାରୁ ଭଗବତୀ କ୍ରମେ ଅଧିକ ପ୍ରଗତିଶୀଳ ଭାବନାର ଅଧିକାରୀ ହେଲେ ଏବଂ ଏହି ଭାବଧାରାର ଆନୁଷ୍ଠାନିକ ରୂପ ହେଲା ନବଯୁଗ ସାହିତ୍ୟ ସଂସଦ ଓ ତାଙ୍କ ସମ୍ପାଦିତ ସାହିତ୍ୟ ପତ୍ର ‘ଆଧୁନିକ’ । ୧୯୩୫ ମସିହା ନଭେମ୍ବର ମାସରେ କଟକରେ ନବଯୁଗ ସାହିତ୍ୟ ଆଠଜଣ ସଦସ୍ୟଙ୍କୁ ନେଇ ଆରମ୍ଭ ହୋଇଥିଲା । ରେଭେନ୍ସା କଲେଜର ଆଇନ ଛାତ୍ର ଅନନ୍ତ ପଟ୍ଟନାୟକ ଏଥିରେ ମୁଖ୍ୟଭୂମିକା ଗ୍ରହଣ କରିବା କଥା ସେତେବେଳର ସରକାରୀ ରିପୋର୍ଟରେ ପ୍ରକାଶିତ । ତାଙ୍କର ଉଦ୍ଦେଶ୍ୟ ଥିଲା ପ୍ରଗତିଶୀଳ ବୈପ୍ଳବିକ ଭାବଧାରାର ବିପୁଳ ପ୍ରସାର । ଏହି ପ୍ରସାରରେ ଅନ୍ୟତମ ସାରଥି ଥିଲେ ଭଗବତୀ । ନବଯୁଗ ସାହିତ୍ୟ ସଂସଦକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଭଗବତୀ ପାଣିଗ୍ରାହୀ ‘ଆଧୁନିକ’ ନାମକ ଏକ ମାସିକ ପତ୍ରିକା ୧୯୩୬ ମସିହା ମେ’ମାସରେ ପ୍ରକାଶ ଆରମ୍ଭ କରିଥିଲେ ।

ନବଯୁଗ ସାହିତ୍ୟ ସଂସଦର କାର୍ଯ୍ୟକ୍ରମ ଉପରେ ଦୀର୍ଘ ଆଲୋଚନା ନବଭାରତ ପତ୍ରିକାର ଧନୁ ୧୩୪୨ ସଂଖ୍ୟାରେ ପ୍ରକାଶିତ ହୋଇଥିଲା । ସେଥିରେ ଓଡ଼ିଶାରେ ନବଯୁଗ ସାହିତ୍ୟ ସଂସଦ ଏକ ନବ ଭାବଧାରା ସୃଷ୍ଟି କରିଥିବାର ସୂଚନା ଦିଆଯାଇଥିଲା । ସଂସଦକୁ ପ୍ରଶଂସା କରି ନବଭାରତର ସମ୍ପାଦକ ଲେଖିଥିଲେ – ଜାତୀୟ ଜୀବନର ପୁରାଣ ପ୍ରଥା ଉପରେ ନୂତନ ସ୍ତର ଫିଟାଇବା ଏହାର ଉଦ୍ଦେଶ୍ୟ । ଜୀବନର ଚିନ୍ତା ସାହିତ୍ୟରେ ପ୍ରକାଶ ପାଏ ଓ ଚିନ୍ତା ହିଁ କ୍ରିୟାର ମୂଳ । ତେଣୁ ସାହିତ୍ୟରେ ବିପ୍ଳବ ପ୍ରଚାର କରି ଜାତୀୟ ଜୀବନରେ ଚଞ୍ଚଳତାର ସୂଚନା ଦେବା ନିମନ୍ତେ ଏହା କରାଯାଇ ଥିଲା ।

ପ୍ରଥମେ ବିଜ୍ଞାପନରେ ଉଦ୍ୟୋକ୍ତାମାନେ କହିଥିଲେ-‘ଜଗତରେ ସବୁଠାରେ ଚିନ୍ତାଶୀଳ ମନସ୍ୱୀ ଓ ମନୀଷି, ସାହିତ୍ୟିକ, ଲେଖକମାନେ ମାନବର ଚିରାଚରିତ ନୀତି, ବଦ୍ଧମୂଳ ଧାରଣା, ପୁଞ୍ଜିଭୂତ କୁସଂସ୍କାର ଓ ଚିନ୍ତାଶୂନ୍ୟତା ବିରୁଦ୍ଧରେ ପ୍ରବଳ ଅଭିଯାନ ଆରମ୍ଭ କରିଛନ୍ତି । ଆଇନଷ୍ଟାଇନ୍, ଫ୍ରୟେଡ଼୍, ମାର୍କସ୍, ରସେଲ, ବର୍ଣ୍ଣାଡ ସ’, ରୋମାଁ ରୋଲାଁ,ମାକ୍ସିମ୍ ଗର୍କି, ଥପ୍ଟନ୍ ସିନ୍କ୍ଲେୟାର୍, ସିନ୍କ୍ଲେୟାର ଲୁଇ ପ୍ରଭୃତି ସଚେତନ ମୌଳିକ ବିପ୍ଳବାତ୍ମକ ଭାବରାଶିର ପଟ୍ଟପୁରୋଧା ରୂପେ ସାଧାରଣରେ ପରିଚିତ । ଆମେ କେବଳ ଆମର ଅତୀତ ପ୍ରୀତି ଘେନି ମାନବସଭ୍ୟତାର ଗତିଶୀଳତା ପ୍ରତି ଲକ୍ଷ୍ୟ ନରଖି ନିଜକୁ କ୍ଷୁଦ୍ର ପରିସରରେ ଆବଦ୍ଧ କରିରଖିଛୁ । ସ୍ୱାଧୀନ ଚିନ୍ତା ଓ ଉଦାର ମନୋଭାବ ହେଉଛି ଆମର ପ୍ରଧାନ ଅଭାବ । ତେଣୁ ଦେଶରେ ନବସଂସ୍କୃତି ଓ ନବସଭ୍ୟତାର ସ୍ରୋତ ଖେଳାଇ ଦେବା ହିଁ ସଂସଦର ଉଦ୍ଦେଶ୍ୟ ।

ସଂସଦର ପ୍ରାରମ୍ଭିକ ଉତ୍ସବରେ ସଂସ୍କୃତିରୁ ବିଭିନ୍ନ ବିଭାଗରେ ବିିଭିନ୍ନ ସଭାପତିମାନେ ରହି ପ୍ରବନ୍ଧ ମାନଙ୍କର ଆଲୋଚନା କରାଯାଇଥିଲା । ଯଥା :  ବିଜ୍ଞାନ ବିଭାଗ – ଅଧ୍ୟାପକ ହରିବନ୍ଧୁ ମହାନ୍ତି, ଦର୍ଶନ ବିଭାଗ – ଅଧ୍ୟାପକ ମୋହିନୀମୋହନ ସେନାପତି, ସମାଜ ବିଜ୍ଞାନ ବିଭାଗ – ଲକ୍ଷ୍ମୀନାରାୟଣ ସାହୁ, ଇତିହାସ ବିଭାଗ – ଅଧ୍ୟାପକ ଘନଶ୍ୟାମ ଦାଶ, ସାହିତ୍ୟ ବିଭାଗ – ହରିହର ମହାପାତ୍ର । ଏହା ଉପରେ ମତାମତ ଦେଇ ନୀଳକଣ୍ଠ ନବଭାରତରେ ଲେଖିଥିଲେ ଏ କଳ୍ପନାଟି ଅତିସୁନ୍ଦର ଓ ସ୍ପୃହଣୀୟ । ପୁଣି ଯେପରି ଭାବରେ କାର୍ଯ୍ୟ ଆରମ୍ଭ ହୋଇଅଛି ତାହା ବଡ଼ ଉତ୍ସାହଜନକ ।

ଆୟୋଜନଟି ମୁଖ୍ୟତଃ ଯୁବକମାନଙ୍କ କାର୍ଯ୍ୟ । ନୂତନ ଭାବ ଓ ନୂତନ ଚିନ୍ତାର ସ୍ରୋତ ସମାଜ ଉପରେ ବୁହାଇ ଦେଇ ଜାତିର ଶ୍ରୀବୃଦ୍ଧି କାମନା କରିବା ଯଥାର୍ଥ ଯୁବପ୍ରାଣର ପରିଚୟ ଦେଉଅଛି । ଜଗତ ବିକାଶମୟ । ନିତ୍ୟ ନୂତନ ବିଭାବର ପରମ୍ପରା ହିଁ ବିକାଶ । ଏହି ନୂତନତା ବିନା ବିକାଶ ବିନାଶରେ ପରିଣତ ହୁଏ । ସମାଜର ଦୃଢ଼ ଓ ବଦ୍ଧମୂଳ ଧାରଣା ସବୁ ଭେଦକରି ନୂତନ କରି ଗଢ଼ିବାର ଦିନ ପୁଣି ଭାରତରେ ଆସିଛି ନୁହେଁ, ସେଦିନର ସୁଯୋଗ ନେବା କାଳ ଅତୀତ ହୋଇଛି କହିଲେ ଚଳେ । ବିଶେଷରେ ଓଡ଼ିଶା ଆମର କର୍ମକ୍ଷେତ୍ର । ଏହି ଓଡ଼ିଶାରେ ଜନପ୍ରାଣରେ ନବସ୍ପନ୍ଦନ ଦେବାର ପ୍ରୟୋଜନ ବହୁଦିନରୁ ପଡ଼ିଲାଣି । ସେ ପ୍ରୟୋଜନ ସମାଧାନରେ ଯଥେଷ୍ଟ ଉଦ୍ୟମ ହେଉଛି ବୋଲି ମନେ ହେଉନାହିଁ । ଯୁବକମାନଙ୍କର ଏ ନବୀନ ଉଦ୍ୟମ ସମୂହ ଭାବରେ ଦେଶକୁ ପ୍ରଭାବିତ କରୁ ବୋଲି ଆଶା କରି ଆମେ ଚାହିଁରହିଲୁ । ଯୁବଶକ୍ତି ହିଁ ଦେଶର ଭବିଷ୍ୟତ । ପ୍ରବୀଣର ଫଳାଫଳ ଦର୍ଶିତା ଯୁବଶକ୍ତିର ପ୍ରେରଣାରେ ସର୍ବଦା ଉଜ୍ଜୀବିତ ହେବା ଉଚିତ ।

ନବଯୁଗ ସାହିତ୍ୟ ସଂସଦ ଜାତିରେ ସେ ଜୀବନର ବାର୍ତ୍ତା ପ୍ରଚାର କରୁ । କଥାରେ ଅଛି ଉପାୟ ବେଳେ ଅପାୟ ଚିନ୍ତା କରିବାକୁ ହୁଏ । ଆଶାରେ ପଦେ ପଦେ ଆଶଙ୍କାର ଅବକାଶ ଅଛି । ପ୍ରବୀଣ ଯେପରି ଫଳାଫଳ ଗଣନାରେ ସଞ୍ଜତ ଓ ସଙ୍କୁଚିତ, ଅନ୍ୟ ଦିଗରେ ତରୁଣ ମଧ୍ୟ ସେହିପରି ନୂତନତାର ମୋହରେ ଉଦ୍ଭ୍ରାନ୍ତ ହୋଇପାରେ । ପ୍ରବୀଣ ଅତୀତକୁ ଚାହେଁ । ମାତ୍ର ଯୁବକ ଭବିଷ୍ୟତର ଅନିର୍ଦ୍ଦିଷ୍ଟତାରେ ଆତ୍ମଦାନ କରେ । ଏହି ଅନିର୍ଦ୍ଦିଷ୍ଟକୁ ନିର୍ଦ୍ଦିଷ୍ଟ କରିବା ଯୁବକର ଯଥାର୍ଥ କାର୍ଯ୍ୟ । ଏଠାରେ କିନ୍ତୁ ପନ୍ଥା ସୁଗମ ନୁହେଁ । ଯୁବକ ନୂତନତା ଲୋଡ଼େ, କିନ୍ତୁ ସମସ୍ତ ନୂତନତାରେ ବେଷ୍ଟନୀର ପରିସ୍ଥିତି ଚତୁର ଚିନ୍ତାରେ କଳନା କରି ଆଦର୍ଶ ନିୟମରେ ଯେ ଯୁବକ କ୍ରିୟାବିଧାନ କରିପାରେ, ସେହି ଏକାଜଗତରେ ଯଥାର୍ଥ ନୂତନ ଜୀବନର ପ୍ରବର୍ତ୍ତନ ହୁଏ । ଚୈତନ୍ୟ, ଯୀଶୁଖ୍ରୀଷ୍ଟଙ୍କ ପରି ମନୀଷୀ ମାନେ ଆଜିର ଯୁବଦୃଷ୍ଟିରେ ହେୟ ହୋଇପାରନ୍ତି ।

ସେମାନଙ୍କର ଦୀନତାର ଦୀକ୍ଷା ଓ ପରଲୋକରେ ଲୋକଙ୍କୁ ସନ୍ତୁଷ୍ଟ ରଖିବାର ପ୍ରେରଣା ଆଜିର ଜଗତରେ ଭୟାବହ ଅପ୍ରଚାର ବୋଲି ପରିଗଣିତ ହୋଇପାରେ, କିନ୍ତୁ ସେମାନେ ସେକାଳର ସମାଜକୁ ନୂତନତାର ଉଚ୍ଛ୍ୱାସରେ ଭସାଇ ଦେଇଥିଲେ, ସନ୍ଦେହ ନାହିଁ । ସେମାନଙ୍କର ସମାଲୋଚନାରେ ନିଜକୁ ସେକାଳର ବେଷ୍ଟନୀ ଓ ପରିସ୍ଥିତି ଭିତରେ କଳ୍ପନାରେ ରଖି ଦେଖିଲେ ଆଜି ବୁଝାଯାଏ – ମ୍ରିୟମାଣ ମାନବର ମେରୁଦଣ୍ଡ ଟେକିରଖି,ଅତି ସଙ୍କଟବେଳେ ସେମାନେ ନୂତନ ଜୀବନରେ ଉଜ୍ଜୀବିତ କରିପାରିଥିଲେ । ସେତେବେଳର ନୂତନ ଆଜି ବହୁ ପୁରାତନ ହେଲେ ହେଁ, ସେମାନଙ୍କର ଯୁବମନୀଷାର ଏ ଦ୍ରଷ୍ଟାସୁଲଭ କ୍ରିୟା ଯୋଜନା ବୁଝିବାକୁ ହେବ । ପୁରାତନ କ୍ରିୟା ରାଶି ଆଜି ସମାଜରେ ଯଥା ସ୍ଥାନାବସ୍ଥିତ କରିହେବ ନାହିଁ । ଏହା ସତ୍ୟ ହୋଇପାରେ । ସେ କ୍ରିୟାର ଆବୃତ୍ତି ଓ ଅନୁକରଣ ବହୁ ସ୍ଥଳରେ ଯଥାର୍ଥରେ ହେୟ ହେଲେ ହେଁ ବେଷ୍ଟନୀ ଭିତରେ ସେହିସବୁ କ୍ରିୟାମାନଙ୍କର ପ୍ରେରଣା, ପ୍ରଭାବ ଓ ଉପଯୋଗିତା ଦେଖିବା ହିଁ ଯଥାର୍ଥ ଇତିହାସ ଶିକ୍ଷା, ଏହି ଇତିହାସ ଶିକ୍ଷା ବିନା ପ୍ରଗତି ସମ୍ଭବ ନୁହେଁ ।

ନବଯୁଗ ସାହିତ୍ୟ ସଂସଦର ନବ ଆଭିମୁଖ୍ୟର ଉପଯୁକ୍ତ ପ୍ରସାର ଉଦ୍ଦେଶ୍ୟରେ ଆଧୁନିକ ମାସିକ ପତ୍ର ମେ ୧୯୩୬ରେ ଭଗବତୀଙ୍କ ସମ୍ପାଦନାରେ ପ୍ରଥମେ ପ୍ରକାଶିତ ହେଲା । ନିଜ କଥାରେ ସମ୍ପାଦକ ଭଗବତୀ ଲେଖିଥିଲେ -‘ଆଧୁନିକ’ ପ୍ରକାଶିତ ହେଲା । କୌଣସି ଏକ ବିରାଟ ନୀତିବାଦ ସୃଷ୍ଟିକରିବା କିମ୍ବା ଏକ ମହାନ୍ ସତ୍ୟ ଆବିଷ୍କାର କରିବାର ଅହଂକାର ଏହା ପୋଷଣ କରିନାହିଁ । ମୋଟ ଉପରେ ଗୋଟିଏ କିଛି ନୂଆ ସର୍ଜନା କରିବାର ଆକାଂକ୍ଷା – ଏହାର ନାହିଁ । ଜଗତର ସବୁ ଅଂଶରେ ଏକ ତୁମୂଳ ପରିବର୍ତ୍ତନର ଆଭାସ ମିଳୁଛି ଏବଂ ଏହି ପରିବର୍ତ୍ତନ ନାନା ସ୍ଥଳରେ ଯେପରି ବିବିଧ ଉପାୟରେ ଆତ୍ମପ୍ରକାଶ କରୁଛି, ଓଡ଼ିଶାରେ ଆଧୁନିକର ଆବିର୍ଭାବ ସେହିପରି ଗୋଟିଏ ପ୍ରାଥମିକ ଉପାୟର ଚିହ୍ନ ମାତ୍ର ।

ଏହି ପରିବର୍ତ୍ତନର ଆହ୍ୱାନ ଯେ ଓଡ଼ିଶାର ଯୁବପ୍ରାଣକୁ ଚଞ୍ଚଳ କରିଛି, ‘ଆଧୁନିକ’ ତାହାର ନିଦର୍ଶନ । ଉଭୟ ଚିନ୍ତା ରାଜ୍ୟରେ ଓ କର୍ମକ୍ଷେତ୍ରରେ ଏ ଯେଉଁ ବିପ୍ଳବର ସୂତ୍ରପାତ ହେଉଅଛି,ତାହା ଅଧିକାଂଶଙ୍କର ଅଗୋଚରରେ ହିଁ ହେଉଅଛି । ଜନ ସାଧାରଣଙ୍କୁ ଏ ଦିଗରେ ସଚେତନ କରିବା ଓ ତାହା ଗ୍ରହଣ କରିବା ଲାଗି ପ୍ରସ୍ତୁତ କରିବାକୁ ସଙ୍କେତ ଦେବା ଏହାର ଅଭିପ୍ରାୟ । ଏହି ପରିବର୍ତ୍ତନ ଅବଶ୍ୟ ଆସିବ । ସମାଜର ବିବିଧ ଶ୍ରେଣୀ ଓ ସ୍ୱାର୍ଥର ସଂଘର୍ଷ ମଧ୍ୟରୁ ଯେଉଁ ସବୁ ସମସ୍ୟା ଆପେ ଆପେ ଜାତ ହୋଇଛି, ତାହାର ସମାଧାନ କରିବ ନାହିଁ ।

ଏହି ପରିବର୍ତ୍ତନର ଆସ୍ଥା ଅନାସ୍ଥା ପ୍ରତି ଏହା ଅପେକ୍ଷା କରିବ ନାହିଁ । ଏହି ପରିବର୍ତ୍ତନର ଗତିରୋଧ କରିବାକୁ ଯେଉଁମାନେ ଠିଆ ହେବେ, ସେମାନେ ସମାଜର ପ୍ରଗତିବିରୋଧୀ, ଶତ୍ରୁ । ବଞ୍ôଚ ରହିବାର ପ୍ରବଳ ଇଚ୍ଛା ସତ୍ତେ୍ୱ ଯେଉଁମାନଙ୍କର ଆୟୁକାଳ ଶେଷ ହୋଇଯାଏ, ସେମାନେ ଭୂତ ପାଲଟି ନାନା ଉପଦ୍ରବ କରନ୍ତି ବୋଲି ଶୁଣାଯାଏ । ତେବେ ଏ ଧରଣର ଭୂତର ଅସ୍ତିତ୍ୱ ବିଷୟରେ ଆମର ପୁରା ଅବିଶ୍ୱାସ ଅଛି କିନ୍ତୁ ଆମର ଆଖିଆଗରେ ଦଳେ ଲୋକ ଭୂତପ୍ରେତ ପରି ଉପଦ୍ରବ କରିବାର ଦେଖାଯାଏ । ପରିବର୍ତ୍ତିତ ଓ ଉନ୍ନତ ସାମାଜିକ ବ୍ୟବସ୍ଥା ମଧ୍ୟରେ ଯେଉଁମାନଙ୍କର ବଞ୍ôଚ ରହିବା ଅସମ୍ଭବ ହୋଇଉଠେ,ସେମାନେ ପରିବର୍ତ୍ତନ ଓ ପ୍ରଗତିର ବିରୁଦ୍ଧରେ ଠିଆହୋଇ ନିଜର ଅସ୍ତିତ୍ୱକୁ ସାବ୍ୟସ୍ତ କରିବାକୁ ଚେଷ୍ଟାକରନ୍ତି । ଜନସମାଜରେ ଏହି ପ୍ରତିକ୍ରିୟାଶୀଳ ଲୋକେ ହିଁ ଭୂତ । କେବଳ ବର୍ତ୍ତମାନ ମୁହୂର୍ତ୍ତରେ ଯେ ପରିବର୍ତ୍ତନର ସ୍ରୋତ ଫିଟିଛି, ଆଗେ ସବୁ ଗତିହୀନ ଅବସ୍ଥାରେ ରହିଥିଲା, ଏହା ଆମେ କହିବାକୁ ଯାଉନାହୁଁ । ସବୁ ଅବସ୍ଥାରେ ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତନର ଧାରା ପ୍ରବାହିତ ହେଉଅଛି । ଏହି ଧାରାର ସ୍ରୋତ କେତେବେଳେ ପ୍ରଖର, କେତେବେଳେ ବା ଶିଥିଳ ଗତି ଧରିଛି । ଏହା ସାଧାରଣତଃ ଶିଥିଳ ଗତିରେ ପ୍ରବାହିତ ହେଉଥାଏ । ଶେଷରେ ଏପରି ଏକ ସମୟ ଆସେ, ସେତେବେଳେ ଦୁଇକୂଳ ଉଚ୍ଛୁଳିଉଠେ,ଗତି ଅତ୍ୟନ୍ତ ପ୍ରଖର ହୁଏ, ସବୁ ବାଧାବନ୍ଧକୁ ଅତିକ୍ରମ କରି ଏହା ଚତୁର୍ଦ୍ଦିଗକୁ ପ୍ଲାବିତ କରିଦିଏ । ଯୁଗ ପରିବର୍ତ୍ତନର ଏହି ମୁହୂର୍ତ୍ତ ବର୍ତ୍ତମାନ ଉପସ୍ଥିତ । ଏହି ପରିବର୍ତ୍ତନର ବାର୍ତ୍ତା ଓଡ଼ିଶାର ଦୂରେ ଦୂରେ ଆଘାତ କରିଗଲାଣି । କିନ୍ତୁ ଅନେକେ ସେ ବିଷୟରେ ସଚେତ ନୁହନ୍ତି । ଏହି ବାର୍ତ୍ତା ଯେ ଆସି ଆଘାତ କଲାଣି, ‘ଆଧୁନିକ’ ତାହାହିଁ ତାର ସ୍ୱରରେ ପ୍ରଚାର କରିବ ।

‘ଆଧୁନିକ’ କେବଳ ସାହିତ୍ୟ ପାଇଁ ସାହିତ୍ୟ ଚର୍ଚ୍ଚା କରିବାକୁ ଯାଉନାହିଁ । ଓଡ଼ିଶାରେ ଏହି ପୃଥିବୀବ୍ୟାପୀ ଆନ୍ଦୋଳନ ବିଷୟରେ ଚେତନା ଆଣିବା ଏହାର ଲକ୍ଷ୍ୟ । କଳା, ବିଜ୍ଞାନ, ସାହିତ୍ୟ, ଦର୍ଶନ ଆଦି ସମସ୍ତ ବିଷୟର ଦୁଇଟି ଦିଗ ଅଛି, ଗୋଟିଏ ଦିଗର କର୍ମସହିତ ସଂଯୋଗ ଅଛି, ତାହା କର୍ମତତ୍ପରତାର ପରିପୋଷକ । ଅନ୍ୟଟିର କୌଣସି ବାହ୍ୟ ଉଦ୍ଦେଶ୍ୟ ନ ଥାଏ । ତାହାରି ଚର୍ଚ୍ଚାରେ ହିଁ ତାର ଉଦ୍ଦେଶ୍ୟର ଚରମ ପରିଣତି । ‘ଆଧୁନିକ’ ଏପରି ଲେଖାର ପୋଷକତା କରିବ ଯାହା ମାନବର ମନକୁ କର୍ମତତ୍ପର ହେବାପାଇଁ ଚଞ୍ଚଳ କରିବ ।

ପ୍ରବନ୍ଧ ହେଉ, କବିତା ହେଉ, ଗଳ୍ପ, ଉପନ୍ୟାସ, ନାଟକ ହେଉ, ଯାହା ମାନବକୁ କର୍ମକ୍ଷେତ୍ରକୁ ପ୍ରଭାବିତ କରିବ, ଯାହା କର୍ମର ଉଦ୍ଦୀପନା ମାନବ ମନରେ ଆଣିଦେବ, ସେହିପରି ଲେଖା ବସ୍ତୁତଃ ‘ଆଧୁନିକ’ରେ ପ୍ରକାଶ ପାଇବ । ଆରାମ ଚୌକିରେ ବସି ପଢ଼ିବାଯୋଗ୍ୟ ସୂକ୍ଷ୍ମ ସୌଖିନ ସାହିତ୍ୟ ପାଇଁ ‘ଆଧୁନିକ’ର ସ୍ଥାନ ପ୍ରଶସ୍ତ ନୁହେଁ । ଶେଷରେ ‘ଆଧୁନିକ’ ଯେଉଁସବୁ ବଦ୍ଧମୂଳ ଧାରଣା ଓ ସଂସ୍କାର ମାନବର ସାମାଜିକ ତଥା ବ୍ୟକ୍ତିଗତ ଜୀବନକୁ ଆଚ୍ଛନ୍ନ କରି ରଖିଛି ତାହାରି ମୂଳରେ ଆଘାତ ଦେବା ହିଁ ମୌଳିକ ଲକ୍ଷ୍ୟ ବୋଲି ସୂଚାଇଥିଲେ ।

ଆଧୁନିକରେ ନୂଆ ପରିବର୍ତ୍ତନ ଏତେ ବ୍ୟାପକ ହେଲା ଯେ ପୁରାତନପନ୍ଥୀ କବି କାଳନ୍ଦୀଚରଣ ଗାଇ ଉଠିଲେ,

ଭଗବାନ୍ ଏ ଧରାରୁ ବିଦାୟ ନେବ କି ସତେ ଆଜି

ମାନବ ବିଜୟ ଗାନ ଉଠିବ ଚକିତେ ଏଠି ବାଜି?

ମୃତ୍ୟୁଚିତା ପରେ ତବ ମାନବର ଜୀବନ ପ୍ରଦୀପ

ଜଳିବକି, ତମସାର ଆବରଣ କରି ଅନ୍ତରିତ?

ଏହି ‘ଆଧୁନିକ’ର ପ୍ରଥମ ସଂଖ୍ୟାରେ ପୁଣି ପ୍ରକାଶ ପାଇଲା ଓଡ଼ିଆ ସାହିତ୍ୟର ପ୍ରଥମ ବାମପନ୍ଥୀ/ପ୍ରଗତିଶୀଳ ଗଳ୍ପ ‘ଶିକାର’ ଯାହା ଭଗବତୀ ନିଜେ ରଚନା କରିଥିଲେ । ୧୯୨୯ରେ ପ୍ରକାଶିତ ‘ଜଙ୍ଗଲୀ’ଗଳ୍ପରେ ପାଣିଗ୍ରାହୀ ଯାହା ଅସ୍ପଷ୍ଟ ରଖିଥିଲେ ତାହା ୧୯୩୬ରେ ‘ଶିକାର’ରେ ପ୍ରକାଶ କଲେ । ସାମାଜିକ ଜୀବନର ଦ୍ୱନ୍ଦ୍ୱ ଓ ସଂଘର୍ଷ ମଧ୍ୟରେ ଶିକାରରେ ଭଗବତୀ ଊଦ୍ଧ୍ୱର୍ଚେତନାର ଆସ୍ତରଣ ଫିଟାଇଦେଲେ । ଆଧୁନିକରେ ନବକୃଷ୍ଣ ଚୌଧୁରୀ, କୁମାରୀ ଯଶୋଧରା, ସୁରେନ୍ଦ୍ର ନାଥ ଦ୍ୱିବେଦୀ, ମନମୋହନ ଚୌଧୁରୀ, ଗୁରୁଚରଣ ପଟ୍ଟନାୟକ, ପ୍ରାଣବନ୍ଧୁ କର ଏବଂ ମୋହନ ଦାସ ପ୍ରଭୃତି ପ୍ରଗତିଶୀଳ ଲେଖକମାନେ ଆଲୋଚନାମାନ ପ୍ରକାଶ କରିଥିଲେ । ପ୍ରଥମେ ୨୫୦ଖଣ୍ଡ ‘ଆଧୁନିକ’ ପ୍ରସାରିତ ହୋଇଥିଲା, କିନ୍ତୁ କ୍ରମେ କ୍ରମେ ଅର୍ଥାଭାବ ହେତୁ ‘ପ୍ରଗତି’ନାମକ ପାକ୍ଷିକ ପତ୍ରରେ ଏହା ମିଶ୍ରିତହୋଇ ପ୍ରକାଶ ପାଇଲା । ଭଗବତୀଙ୍କର ଏହି ନବ ଯୁଗସଂସଦ ଏହି କାଳରେ ଅଖିଳ ଭାରତୀୟ ପ୍ରଗତିଶୀଳ ଲେଖକ ସଂଘ (ଇକ୍ଷକ୍ଷ ଓଦ୍ଭୟସବ ଚକ୍ସକ୍ଟଶକ୍ସରଗ୍ଦଗ୍ଦସଙ୍ଖର ଡକ୍ସସଗ୍ଧରକ୍ସଗ୍ଦ ଇଗ୍ଦଗ୍ଦକ୍ଟମସବଗ୍ଧସକ୍ଟଦ୍ଭ) ର ସହଯୋଗ ଲାଭକରି ସଂସଦ ଆଗେଇ ଯାଇଥିଲା ଏବଂ ଏହାଦ୍ୱାରା ବାମପନ୍ଥୀ କର୍ମପନ୍ଥାର ପ୍ରସାର ଘଟିଥିଲା ।

                                ୩

ନବଯୁଗ ସାହିତ୍ୟ ସଂସଦ ଓ ଆଧୁନିକ ପତ୍ରିକା ମାଧ୍ୟମରେ ବାମପନ୍ଥୀ ଚେତନା ଓ ପ୍ରଗତିଶୀଳ ସାହିତ୍ୟର ସମ୍ପ୍ରସାରଣ କରିବା ସହିତ ଓଡ଼ିଶାରେ କୃଷକ ଆନ୍ଦୋଳନ ଓ ଗଡ଼ଜାତ ପ୍ରଜା ଆନ୍ଦୋଳନ ସହିତ ଭଗବତୀ ଜଡ଼ିତ ହୋଇଥିଲେ । ୧୯୩୭ବେଳକୁ କୃଷକ/ଶ୍ରମିକ ସମସ୍ୟା ସର୍ବଭାରତୀୟ ସମସ୍ୟା ହୋଇଯାଇଥିଲା । କୃଷକମାନଙ୍କର ନାନାବିଧ ସମସ୍ୟାର ଆଲୋଚନା ଓ ସମାଧାନ ପାଇଁ କୃଷକସଭା ସଙ୍ଗଠିତ ହୋଇଥିଲା । ୧୯୩୭ ମସିହା ଏପ୍ରିଲ ୧୭ ତାରିଖରେ ନିମାପଡ଼ାରେ ପୁରୀ ଜିଲ୍ଲା କୃଷକ ସମ୍ମିଳନୀ ହୋଇଥିଲା । ଏଥିରେ ନାନାବିଧ ସମସ୍ୟାର ଆଲୋଚନା କରାଯାଇ ପୁରୀ ଜିଲ୍ଲା କୃଷକ ସଂଘ ଗଠିତ ହୋଇଥିଲା । ଏଥିରେ ଭଗବତୀ ଚରଣ ପାଣିଗ୍ରାହୀଙ୍କ ସମେତ ଲୋକନାଥ ମିଶ୍ର, ଗତିକୃଷ୍ଣ ସ୍ୱାଇଁ, ପୂର୍ଣ୍ଣାନନ୍ଦ ସ୍ୱାଇଁ, ପୁରୁଷୋତ୍ତମ ମୁଦୁଲୀ,ମୋହନ ଦାସ, ବାସୁଦେବ ଶତପଥୀ, ନୀଳମଣି ପଶୁପାଳକ, ସତ୍ୟବାଦୀ ନନ୍ଦ, ଲାଲବିହାରୀ ଦାସ,ଉତ୍ସବ ହୋତା, ଉଦୟନାଥ ଜେନା, ଦୁଃଖିଶ୍ୟାମ ଦାସ, ପ୍ରାଣନାଥ ପଟ୍ଟନାୟକ, ଗୋକୁଳ ମୋହନ ରାୟଚୂଡ଼ାମଣି ସଦସ୍ୟ ହୋଇଥିଲେ ।

କୃଷକ ଆନ୍ଦୋଳନକୁ ଉଜ୍ଜୀବିତ କରିବା ପାଇଁ ଭଗବତୀ କୃଷକ ପତ୍ରିକାର ସମ୍ପାଦନା ସହାୟତା କରିଥିଲେ ଏବଂ ସେଥିରେ କୃଷକ ସମସ୍ୟା ସମ୍ପର୍କିତ ଆଲୋଚନା ଆରମ୍ଭ କରିଥିଲେ । କୃଷକରେ ବହୁ ସମସ୍ୟାପୂର୍ଣ୍ଣ ଲେଖାସହିତ ମାଳତୀ ଚୌଧୁରୀ, ପ୍ରାଣକୃଷ୍ଣ ପଢ଼ିହାରୀ, ସାରଙ୍ଗଧର ଦାସ, ସୁରେନ୍ଦ୍ର ଦ୍ୱିବେଦୀଙ୍କ ସହିତ ସମ୍ପାଦନା ମଣ୍ଡଳୀରେ ରହି ଏହାର ପ୍ରଚାର ଓ ପ୍ରସାର ପାଇଁ ୧୯୩୯ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ୧୯୩୮ ମସିହାରେ ବାଲିଅନ୍ତା ନିକଟରେ ବେଣୁପୁର ଠାରେ ଉଦୟନାଥ ଛୋଟରାୟଙ୍କ ସଭାପତିତ୍ୱରେ ହୋଇଥିବା କୃଷକସଭାରେ ଭଗବତୀ ପାଣିଗ୍ରାହୀ କଂଗ୍ରେସ ସହିତ ସାମ୍ୟବାଦୀ ଦଳର ଭାବଧାରାର ଅମେଳ ଦେଖାଦେଇ ଥିବାର ତଥ୍ୟ ପ୍ରକାଶ କରିଥିଲେ ।

ଗଡ଼ଜାତ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଭଗବତୀ । ଢେଙ୍କାନାଳ ଗଡ଼ଜାତ ଆନ୍ଦୋଳନକୁ ପ୍ରସାରିତ କରିବା ପାଇଁ ବୁଢ଼ାପଙ୍କ ଶିବିରରେ ଭଗବତୀ କୁଶାସନ ବିରୁଦ୍ଧରେ ସ୍ୱର ଉଠାଇଥିଲେ । ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ ଓ ଭଗବତୀ ପାଣିଗ୍ରାହୀ ପ୍ରଥମ ଦଳ ଡିସେମ୍ବର ୩,୧୯୩୮ରେ ସେଠାରେ ପହଞ୍ôଚ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଥିଲେ । ବୁଢ଼ାପଙ୍କ ସଭାରେ ଭାଷଣ ଦେଇ ଭଗବତୀ ଆନ୍ଦୋଳନକୁ ପ୍ରସାରିତ କରିଥିଲେ । ସରକାରୀ ବିବରଣୀରେ ତାଙ୍କର ଭାଷଣ ଇଂରାଜୀରେ ଅନୁବାଦିତ ହୋଇ ପ୍ରକାଶ ପାଇଥିଲା ।

ସେଥିରେ ସେ କହିଥିଲେ – ‘The people of the British territory had come forward to share the difficulties which the states people had been experiencing in the past. Another reason was that the people of the British territory had been fighting against  the British Government for independence. when the India Government were at the back of  these oppressions in these states, it was incumbent on the part of the people of the British territory to come forward, and help the states people and thereby again fight against the British Government  indirectly.’

ସେହିପରି କେନ୍ଦୁଝର ରାଜ୍ୟ ସୁକିନ୍ଦା ଅଞ୍ଚଳର ଗୋବର୍ଦ୍ଧନପୁର ହାଟରେ ୧୯୩୯ ଜାନୁଆରୀ ୯ ତାରିଖରେ ବିପ୍ଳବୀ ଫଣୀନ୍ଦ୍ରନାଥ ପାଲଙ୍କ ଆହ୍ୱାନ କ୍ରମେ ଏକ ବିରାଟ ସଭାରେ ଭଗବତୀ ପାଣିଗ୍ରାହୀ ଜନତାଙ୍କୁ ସଂଘବଦ୍ଧ ହୋଇ ଅତ୍ୟାଚାରର ମୁକାବିଲା  କରିବା ପାଇଁ ଆହ୍ୱାନ ଦେଇଥିଲେ ।

କମ୍ୟୁନିଷ୍ଟ ସଙ୍ଗଠନକୁ କ୍ରିୟାଶୀଳ କରିବା ପାଇଁ ଭଗବତୀ ଆପ୍ରାଣ ଉଦ୍ୟମ କରିଥିଲେ । ପୁରୀ ଜିଲ୍ଲା ସ୍କୁଲର ଛାତ୍ର ଥିବା ସମୟରେ ଭଗବତୀ ବଙ୍ଗର ବିପ୍ଳବୀ ନେତା ସତୀନ୍ଦ୍ର ନାଥ ଗୁହାଙ୍କର ସମ୍ପର୍କରେ ଆସିଥିଲେ । ୧୯୩୪ରେ ଖୋର୍ଦ୍ଧାରେ ସେ ଏକ ବୈପ୍ଳବିକ ଅନୁଷ୍ଠାନ ଗଠନ କରିଥିବାରୁ ସରକାରଙ୍କର କଠୋର ନଜରକୁ ଆସିଥିଲେ । ୧୯୩୮ରେ ସେ କାକୋରୀର ରାଜକୁମାର ସିଂହ ଷଡ଼ଯନ୍ତ୍ର ମାମଲାରେ ଜଡ଼ିତ ହୋଇଥିଲେ ।

ବମ୍ବେ ଓ କଲିକତାର କମ୍ୟୁନିଷ୍ଟମାନଙ୍କ ପ୍ରତ୍ୟକ୍ଷ ସମ୍ପର୍କରେ ପାଣିଗ୍ରାହୀ ଆସିଥିଲେ । ସେ କମ୍ୟୁନିଷ୍ଟ ଅନୁଷ୍ଠାନ Summer School of Politicsରେ ଯୋଗଦାନ କରି ବାମପନ୍ଥୀ ଭାବଧାରାର ପୂର୍ଣ୍ଣ ବିନିଯୋଗ କରିଥିଲେ । କୃଷକ ସଭା ମାନଙ୍କରେ ସେ ଯେଉଁ ଉଦ୍ବୋଧନ ଦେଇଥିଲେ ସେଥିରେ ଉଗ୍ର ବାମପନ୍ଥୀ ଚେତନା ଗର୍ଭିତ ହୋଇଥିଲା । ୧୯୩୯ବେଳକୁ ସେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ଓଡ଼ିଶା ଶାଖା)ର ମୁଖ୍ୟ ହିସାବରେ ସଙ୍ଗଠନ କାର୍ଯ୍ୟ କରିଥିଲେ । ବମ୍ବେ କମ୍ୟୁନିଷ୍ଟ ଗୋଷ୍ଠୀର ମୁଖପତ୍ର ‘ନେସ୍ନାଲ ଫ୍ରଣ୍ଟୟ’ ପତ୍ରିକାକୁ ଓଡ଼ିଶାରେ ପ୍ରସାର କରାଇବା ସଙ୍ଗେ ସଙ୍ଗେ ବିଶିଷ୍ଟ କମ୍ୟୁନିଷ୍ଟ ନେତା – ପି.ସି. ଜୋଷୀ, ବି.ଟି. ରଣଦିଭେ, ଏ.କେ. ଘୋଷ, ଏସ୍.ଏ. ଡାଙ୍ଗେ ଏବଂ ଏସ୍. ମହମ୍ମଦ ମୁଜାଫର୍ ପ୍ରଭୃତିଙ୍କ ସହିତ ସମ୍ପୂର୍ଣ୍ଣ ଯୋଗାଯୋଗ ରଖିଥିଲେ । ତେବେ ଓଡ଼ିଶାରେ ସାମ୍ୟବାଦୀ / ବାମପନ୍ଥୀ ଧାରାର ସମ୍ପ୍ରସାରଣରେ ଭଗବତୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ମଧ୍ୟ ୧୯୪୦ରେ କଂଗ୍ରେସ ସାମ୍ୟବାଦୀ ଦଳରୁ ସେ ବିଦାୟ ନେଇଥିଲେ ।

ଭଗବତୀ ଥିଲେ ଓଡ଼ିଶାରେ କମ୍ୟୁନିଷ୍ଟ ପାର୍ଟିର ସ୍ଥାପୟିତା ଏବଂ ତାହାର ସେକ୍ରେଟାରୀ ରୂପେ କାର୍ଯ୍ୟ କରି ଦଳିତ, ପତିତ ଏବଂ ଶ୍ରମିକମାନଙ୍କ ପାଇଁ କାର୍ଯ୍ୟ କରିଥିଲେ । ରାଜନୀତି କ୍ଷେତ୍ରରେ ସେ ଯେଭଳି ପରିଚିତ, ଓଡ଼ିଶା ସାହିତ୍ୟ କ୍ଷେତ୍ରରେ ମଧ୍ୟ ସେହିଭଳି ପରିଚିତ । ତାଙ୍କର ରାଜନୈତିକ ଜୀବନ ସହିତ ସାହିତ୍ୟିକ ଜୀବନର ପୂର୍ଣ୍ଣ ସାମଞ୍ଜସ୍ୟ ଥିଲା ।

ତାଙ୍କର ରାଜନୀତି ପରି ସାହିତ୍ୟିକ ଚିନ୍ତାଧାରା ମଧ୍ୟ ଆନ୍ତର୍ଜାତିକ ଓ ବିପ୍ଳବାତ୍ମକ ହୋଇଥିଲା । ତାଙ୍କର ରୂପପରି ତାଙ୍କର ଭାଷା ଓ ଲେଖନଭଙ୍ଗୀ ମଧ୍ୟ ସରଳ ଓ ନିର୍ମଳ ଥିଲା, ସେ ଯେଉଁ ଅଳ୍ପ କେତେଗୋଟି କ୍ଷୁଦ୍ର ଗଳ୍ପ ଲେଖିଯାଇଛନ୍ତି ତାହା ମଧ୍ୟରେ ଦରିଦ୍ର ଜନସମାଜର ପ୍ରତିଛବି ନିପୁଣ ଭାବରେ ଫୁଟାଇବାର ଚେଷ୍ଟା ଲକ୍ଷ୍ୟ କରାଯାଏ । ସାପ୍ତାହିକ ପତ୍ର କୃଷକର ସମ୍ପାଦନାରେ ମଧ୍ୟ ସେ ଉଲ୍ଲେଖଯୋଗ୍ୟ ଦକ୍ଷତା ଦେଖାଇଥିଲେ, ସେ ଏକ ବୃହତ୍ ପୃଥିବୀ ଇତିହାସ ଗ୍ରନ୍ଥ ଲେଖିଯାଇଛନ୍ତି । ଏହା ତାଙ୍କ ମୃତ୍ୟୁପୂର୍ବରୁ ପ୍ରକାଶ ପାଇପାରି ନଥିଲା,୧୯୪୩ ମସିହା ଅକ୍ଟୋବର ୨୩ ତାରିଖରେ ଭଗବତୀ ଅସ୍ତ ହୋଇଯାଇଥିଲେ । ମାତ୍ର ସାହିତ୍ୟ ଓ ରାଜନୀତିରେ ତାଙ୍କର ସଙ୍କେତ ଓ ପ୍ରେରଣା ଚିରସ୍ଥାୟୀ ହୋଇ ରହିବ ।

ବିପ୍ଳବୀ ଭଗବତୀ ପାଣିଗ୍ରାହୀଙ୍କ ମୃତ୍ୟୁରେ ଯୁବକବି ଶଶିଭୂଷଣ ନବୀନ ୧୯୪୪ ଅକ୍ଟୋବର ୨୪ ସଂଖ୍ୟାରେ ଲେଖିଥିଲେ:

ମୃତ୍ୟୁରେ ମାରି ନିର୍ମମ ବାଣ

ଯେ ବୀର ଅମର ଆଜି

ରକ୍ତ ନିଗାଡ଼ି କବିତା ଲେଖିଲା

ଯେ କବି ସହୀଦ ସାଜି

କୋଟି କଙ୍କାଳ କଣ୍ଠେ ଯେ ଦେଲା

ସମର ଶାଣିତ ଭାଷା

ଅମାବାସ୍ୟାର ଅନ୍ଧାରେ ଯେହୁ

ଜାଳିଲା ଆଲୋକ ଆଶା

ବିକ୍ଷତ ବୁକୁ ବିକଳ ବେଦନା

ଯାଲାଗି ଲଭିଲା ରୂପ

ସର୍ବହରାର କମ୍ପିତ କରେ

ଯେ ହେଲା ପୂଜାର ଧୂପ

ନିର୍ଜୀବ ଜାତି ତନ୍ଦ୍ରା ତୁଟାଇ

ଯେ ଦେଲା ଜୀବନ ଧାରା

ଦମନ ଦଳନ ମନ୍ଥନ ବହି

ଆଦରେ ବହିଲା କାରା

ଜୀର୍ଣ୍ଣ ଜଡ଼ ଏ ଧରଣୀର ଯେତେ

ଅନ୍ୟାୟ ଅନାଚାର,

ଛିନ୍ନ କରିଚି ଅଭିଯାନ ଯାର

ନିଷ୍ଠାର କରବାଳ

ଆହ୍ୱାନେ ଯାର ଶମଶାନ ତଟୁ

ମୁର୍ଦାର ଆସେ ଫେରି

ବୁକେ ବୁକେ ଯେହୁ ବଜାଇ ଦେଇଛି

ରୁଦ୍ର ବିଜୟ ଭେରୀ

ମରରୁ ମଣିଷ ଯାଲାଗି ଜାଗିଛି

ଶକ୍ତି କରିଛି ହାତ

ଆଗତ ଯାଲାଗି ଅନ୍ଧାରି ଦେଖେ

ବାଞ୍ôଛତ ଅନାଗତ

ଅତ୍ୟାଚାରର ପାହାଡ଼ ଯା ଭାଙ୍ଗି

କମ୍ପିଛି ଟଳମଳ

ସାମ୍ୟର ଧ୍ୱଜା ଟେକି ଯେ କରିଛି

ସମାଜକୁ ସମତଳ

ନର୍କର ବୁକେ ଫୁଟାଇଲା ଯେହୁ

ଚନ୍ଦନ ପାରିଜାତ

ଶୋଷଣ ପେଷଣ ଶିରେ ଯେ ହାଣିଲା

ନିଷ୍ଠୁର       ପଦାଘାତ

ଆଗାମୀ ଯୁଗର ବାର୍ତ୍ତାବହ ଯେ

ଅମୃତପଥର ଯାତ୍ରୀ

ନରରବି ଛବି ଅଙ୍କନ କଲା

ନିଃଶେଷି ଅମାରାତ୍ରୀ

ଦଳିତ ପିଷ୍ଠ କାନେ ଯେ ଢ଼ାଳିଲା

ଜାଗୃତି ମହାମନ୍ତ୍ର

ପଦ୍ମଭୁକ୍ରେ ଅନ୍ତରେ ଯେହୁ

ଫୁଙ୍କେ ମୁକତି ଯନ୍ତ୍ର

ତା ସ୍ମୃତିରେ ଆଜି ଲେଖେ ମୁଁ କବିତା

ସେହି ସାଥି ଭଗବତୀ

ରକ୍ତ ନମାମି ତା ଲାଗି ଜଣାଏ

ତା ପଦେ ମୋ ନାଲନତି ।

ସୌଜନ୍ୟ ସମଦୃଷ୍ଟି

PHOTO CREDIT -https://www.google.co.in/search?q=BHAGABATI+CHARAN+PANIGRAHI&source=lnms&tbm=isch&sa=X&ved=0ahUKEwjpsuuJ2ZveAhVKKVAKHVu5AgcQ_AUIDygC&biw=1366&bih=657#imgrc=AhFJ-0i89FH2BM:

https://www.google.co.in/search?q=BHAGABATI+CHARAN+PANIGRAHI&source=lnms&tbm=isch&sa=X&ved=0ahUKEwjpsuuJ2ZveAhVKKVAKHVu5AgcQ_AUIDygC&biw=1366&bih=657#imgrc=p-plC3-ntG8IKM:

About ପ୍ରଫେସର କୈଳାସ ଚନ୍ଦ୍ର ଦାଶ

ପ୍ରଫେସର କୈଳାସ ଚନ୍ଦ୍ର ଦାଶ
ଇତିହାସ ବିଭାଗର ପ୍ରଫେସର, ଗବେଷକ

Check Also

କେଉଁ କବିରେ ଗଣା ସେ

ମନମୋହନ ମିଶ୍ରଙ୍କ ଉଦ୍ଦେଶ୍ୟରେ ଶ୍ରୀ ଗୋବିନ୍ଦଚନ୍ଦ୍ର ମହାନ୍ତିଙ୍କ ଶୋକବାର୍ତ୍ତା (ମନମୋହନ ମିଶ୍ର ଗ୍ରନ୍ଥାବଳୀରୁ) ଷାଠିଏ ବର୍ଷ କାଳର ସାଙ୍ଗସାଥି ସହଯୋଦ୍ଧା …

Leave a Reply

Your email address will not be published. Required fields are marked *