Home / ସମୀକ୍ଷା / ପଢ଼ିଆରୀ ପରିବାରର ତାଜିଆ ଶୋଭାଯାତ୍ରା – ଅଶୋକ ପ୍ରଧାନ

ପଢ଼ିଆରୀ ପରିବାରର ତାଜିଆ ଶୋଭାଯାତ୍ରା – ଅଶୋକ ପ୍ରଧାନ

ସମ୍ବଲପୁର ମୁଦିପଡ଼ା ନିବାସୀ ପଢ଼ିଆରୀ ପରିବାର ଦ୍ୱାରା ଆୟୋଜିତ ତାଜିଆ ଶୋଭାଯାତ୍ରା କେବଳ ଓଡିଶା ନୁହଁ ସମଗ୍ର ଦେଶ ପାଇଁ ଏକ ଦୃଷ୍ଟାନ୍ତ । ୩୫୮ ବର୍ଷ ଧରି ତାଜିଆ ଶୋଭାଯାତ୍ରାର ପରମ୍ପରାକୁ ଏକ ହିନ୍ଦୁ ପରିବାର ପିଢ଼ି ପରେ ପିଢ଼ି ବଞ୍ଚେଇ ରଖିବା ହିନ୍ଦୁ ମୁସଲମାନ ସଂପ୍ରିତିର ଏକ ଅସାଧାରଣ ଉଦାହରଣ ଭାବରେ ଦଣ୍ଡାୟମାନ । ଏହି ବିଷୟଟିକୁ ଏଠାରେ ଉପସ୍ଥାପନ କରିଥିବା ଲେଖକ ଶ୍ରୀଯୁକ୍ତ ଅଶୋକ ପ୍ରଧାନ ପଢ଼ିଆରୀ ପରିବାର ଓ ତାଜିଆ ଶୋଭାଯାତ୍ରା ସହିତ ଖୁବ ପିଲାଦିନରୁ ସଂଶ୍ଲିଷ୍ଟ । ଏଠାରେ ସେ ନିଜର ଅନୁଭୂତି ଓ ତଥ୍ୟକୁ ଉପସ୍ଥାପନ କରି ଭାଇଚାରାର ସଂସ୍କୃତିକୁ ତୋଳିଧରିବା ପାଇଁ ସମଧ୍ୱନି ଆରମ୍ଭ କରିଥିବା ପ୍ରୟାସକୁ ଆଉପାଦେ ଆଗେଇନେବାରେ ସହଯୋଗ କରିଥିବାରୁ ଲେଖକଙ୍କୁ ଅଶେଷ ଧନ୍ୟବାଦ । – ସମ୍ପାଦକ

ବାଦ ବିବାଦ ବିସମ୍ବାଦ କାହିଁ କାହିଁ ଅସହନୀୟ ହେଉଥିବାବେଳେ ସ୍ନେହ ସୌହାର୍ଦ୍ଦ୍ୟ ସଂପ୍ରୀତି କାହିଁ କାହିଁ ଆଶ୍ୱସନା ଦେଉଥାଏ । ଧର୍ମାଚରଣକୁ ନେଇ ବେନି ଗୋଷ୍ଠୀ କେଉଁଠି ମୁହାଁମୁହିଁ ହେଉଥିବା ବେଳେ ଧର୍ମୀୟ ସମନ୍ୱୟ କେଉଁଠି ଶାନ୍ତିପାଠ କରୁଥାଏ । ସେହିଭଳି ସମନ୍ୱୟର ସନ୍ଦେଶ ବହନ କରେ ସମ୍ବଲପୁରର ପଢ଼ିଆରୀ ପରିବାର ଦ୍ୱାରା ଆୟୋଜିତ ଶୋଭାଯାତ୍ରା ଯାହା ଭାରତୀୟ ଇତିହାସକୁ ଦୃଷ୍ଟାନ୍ତଟିଏ ଦିଏ ।

ଏ ନିଆରା ପରଂପରା ଜନ୍ମଦିଏ ଏକ ପାରିବାରିକ ଘଟଣାକୁ ।୧୬୫୭ ମସିହାର କଥା । ସମ୍ବଲପୁର ମୁଦିପଡ଼ା ନିବାସୀ ପଢ଼ିଆରୀ ପରିବାରରେ ଏକ ବିବାହ ପ୍ରସ୍ତାବ ନେଇ ମତାନ୍ତର ଆସେ । ଫଳତଃ ବିବାହ ପ୍ରସ୍ତାବରେ ଅସହମତ ୨୨ ବର୍ଷୀୟ ଜୟଦେବ ପଢ଼ିଆରୀ କରନ୍ତି ଗୃହତ୍ୟାଗ । ପରିବ୍ରାଜନ ଦୀକ୍ଷାରେ କିଛି ବର୍ଷ ଭ୍ରମଣ ପରେ ପହଞ୍ଚନ୍ତି ମକ୍‌କା ସହରକୁ, ଆକୃଷ୍ଟ ହୁଅନ୍ତି ଇସଲାମ ଧର୍ମ ପ୍ରତି । ମକ୍‌କା ସହରରେ ମହରମ ଅବସରରେ ହେଉଥିବା ତାଜିଆ ଶୋଭଯାତ୍ରା ତାଙ୍କୁ ବିଶେଷ ଭାବରେ କରେ ପ୍ରଭାବିତ । ମକ୍‌କା ରହଣି କାଳରେ ସାହଚର୍ଯ୍ୟ ଲାଭ କରନ୍ତି ମୌଲାନା ସୟଦ ମସ୍ତାନ ବାବା ଏବଂ ମୌଲାନା ସୟଦ ନଜୀର ବାବାଙ୍କର । ୧୬୬୩ ମସିହା ବେଳକୁ ମନ ପରିବର୍ତ୍ତନ ହୁଅନ୍ତେ ପୂର୍ବୋକ୍ତ ବାବାଦ୍ୱୟଙ୍କ ସହ ଜୟଦେବ ପଢ଼ିଆରୀ ଫେରନ୍ତି ସମ୍ବଲପୁର । ସମ୍ବଲପୁର ଫେରିବା ପରେ ନୂଆଁ କିଛି କରିବାକୁ ଆସେ ବିଚାର । ପରାମର୍ଶ କରନ୍ତି ମୌଲାନାଙ୍କ ସହ । ମୌଲାନାଙ୍କ ପରାମର୍ଶକ୍ରମେ ଜୟଦେବ ଚିନ୍ତା କରନ୍ତି ସମ୍ବଲପୁରରେ ତାଜିଆ ଶୋଭାଯାତ୍ରା କରିବା ପାଇଁ । ଚୌହାଣ ରାଜତ୍ୱ ସମୟ । ରାଜାଙ୍କ ଅନୁମତି ବିନା ନୂଆ କିଛି ଆୟୋଜନ ସମ୍ଭବ ନୁହେଁ ।

ରାଜାଙ୍କଠାରୁ ଅନୁମତି ଆଣିବା ପାଇଁ ଜୟଦେବ ଦେଖାକରନ୍ତି ତତ୍‌କାଳୀନ ସମ୍ବଲପୁର ମହାରାଜା ଛତ୍ରସାଏଙ୍କ ସହ । ସହମତ ହୁଅନ୍ତି ରାଜା ଏ ଅଭିନବ ପ୍ରସ୍ତାବରେ । ମହରମ ତାଜିଆ ଶୋଭାଯାତ୍ରା ପାଇଁ ଅନୁମତି ଦେବା ସଙ୍ଗେ ସଙ୍ଗେ କିଛି ଜମି ମଧ୍ୟ ଦାନସୂତ୍ରରେ ପ୍ରଦାନ କରନ୍ତି । ଆରମ୍ଭ ହୁଏ ମୁଦିପଡ଼ା ପଢ଼ିଆରୀ ପରିବାର ଦ୍ୱାରା ଆୟୋଜିତ ମହରମ ତାଜିଆ ଶୋଭାଯାତ୍ରା ୧୬୬୪ ମସିହାରୁ ।

ପ୍ରଣିଧାନ ଯୋଗ୍ୟ ପ୍ରସଙ୍ଗ, ସେ ସମୟରେ ମୁଦିପଡ଼ାରେ କୌଣସି ମୁସଲମାନ ପରିବାର ନ ଥିଲେ । ତଥାପି ଜୟଦେବ ପଢ଼ିଆରୀଙ୍କ ଶୁସଙ୍କଳ୍ପରେ ଅଣମୁସଲମାନ ପଡ଼ାରେ ଜନ୍ମ ନେଲା ନିଆରା ପରମ୍ପରା । ହିନ୍ଦୁ ପରିବାରର ଜୟଦେବ ଆରମ୍ଭ କଲେ ସମ୍ବଲପୁର ମୁଦିପଡ଼ାରେ ମହରମ ତାଜିଆ ଶୋଭାଯାତ୍ରା ଇସଲାମୀୟ ରୀତିରେ । ସ୍ୱୀକାର କରିବାକୁ ହେବ ତାଙ୍କ ସାହସକୁ ।

କୁହାଯାଏ ମହରମ ଏକ ଉତ୍ସବ ନୁହେଁ । ତତ୍‌କାଳୀନ ସମାଜର କ୍ଷମତାଲିପ୍‌ସୁ ଏବଂ ଧାର୍ମାନ୍ଧ କିଛି ବ୍ୟକ୍ତିଙ୍କ ସ୍ୱେଚ୍ଛାଚାରିତା, ଅତ୍ୟାଚାର ଏବଂ ତତ୍ ସଙ୍ଗେ ସଙ୍ଗେ ସତ୍ୟକୁ ପାଥେୟ କରି ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ କରି ଶହୀଦ ହୋଇଥିବା ଦୈଗାମ୍ବର ମହମ୍ମଦଙ୍କ ପରିବାର ତଥା ଅନୁଗାମୀଙ୍କ ବଳିଦାନର ଗାଥା । ଧର୍ମଗୁରୁ ମହମ୍ମଦଙ୍କ ନାତି ଇମାମ୍ ହସନ୍ ଏକ ଷଡ଼ଯନ୍ତ୍ରର ଶିକାର ହୋଇ ମୃତ୍ୟୁବରଣ କରନ୍ତି ଏବଂ ପରବର୍ତ୍ତୀ ସମୟରେ ତାଙ୍କ ସାନ ଭାଇ ଇମାମ୍‌ହୁସେନ୍ ପ୍ରାୟ ୭୨ଜଣ ଅନୁଗାମୀଙ୍କ ସହ କରବଲାଠାରେ ଶହୀଦ ହୁଅନ୍ତି । ଏହା ଦ୍ୱାରା ଏମାନେ ଶିହା ସଂପ୍ରଦାୟ ପାଇଁ ତ୍ୟାଗ ଏବଂ ସତ୍ୟର ପ୍ରତୀକ ପାଲଟନ୍ତି । ସେହି ତିକ୍ତ କିନ୍ତୁ ଅଭୁଲା ସ୍ମୃତିକୁ ସ୍ମରଣ କରିବାକୁ ଶିହା ସଂପ୍ରଦାୟ ମହରମ ପାଳନ କରନ୍ତି । ସେହି ମହରମ ପାଳନ ପାଇଁ ସମ୍ବଲପୁର ମୁଦିପଡ଼ାରେ ଆଗଭର ହେଲେ ପଢ଼ିଆରୀ ପରିବାର । ଘୋଷିତ ହେଲା ଈଶ୍ୱର ଆଲ୍ଲା ତେରେନାମ ବାଣୀ ।

୧୬୬୪ ମସିହାରୁ ଆରମ୍ଭ ହୋଇଥିବା ଏହି ମହରମ ତାଜିଆ ଶୋଭାଯାତ୍ରା ମୁଦିପଡ଼ା ପଢ଼ିଆରୀ ପରିବାରକୁ ଇତିହାସରେ ସ୍ୱତନ୍ତ୍ର ସ୍ଥାନ ଦେଲା ବୋଧହୁଏ ।

ମୁଦିପଡ଼ା ତାଜିଆ ଶୋଭାଯାତ୍ରର ୮୨ ବର୍ଷ ପରେ ସମ୍ବଲପୁର, ବଡ଼ବଜାର ଅଞ୍ଚଳର ଅଧିବାସୀ ସମ୍ବଲପୁର ରାଜାଙ୍କୁ ନିବେଦନ କରନ୍ତି ତାଜିଆ ଶୋଭାଯାତ୍ରା ପାଇଁ । ସେ ସମୟ ପର୍ଯ୍ୟନ୍ତ ମୁଦିପଡ଼ା ପଢ଼ିଆରୀ ପରିବାର ତରଫରୁ ଦୁଇଟି ତାଜିଆ ବାହାରୁଥିବା କଥା କୁହାଯାଏ । ତାଜିଆ ଦୁଇଟି ମହରମର ପୃଷ୍ଠଭୂମିର ଦୁଇ ଭାଇ ଇମାମ୍ ହସନ୍ ଓ ଇମାନ୍ ହୁସେନଙ୍କ ସ୍ମୃତି ବହନ କରୁଥିବା କଥା କୁହାଯାଏ । ବଡ଼ବଜାରବାସୀଙ୍କ ନିବେଦନ କ୍ରମେ ସମ୍ବଲପୁର ମହାରାଜା ସମ୍ମତ ହୋଇ ବଡ଼ଭାଇ ଇମାମ୍ ହସନଙ୍କ ପ୍ରତୀକାତ୍ମକ ତାଜିଆକୁ ବଡ଼ବଜାର ବାସିନ୍ଦାକୁ ଦିଆଇ ଦିଅନ୍ତି । ଅନୁମତି ପ୍ରଦାନ କରନ୍ତି ବଡ଼ ବଜାରର ମଧ୍ୟ ତାଜିଆ ଶୋଭାଯାତ୍ରା ବାହାର କରିବା ପାଇଁ । ବଡ଼ଭାଇର ପ୍ରତୀକାତ୍ମକ ତାଜିଆ ବଡ଼ବଜାରକୁ ଦିଆଯାଇଥିବାରୁ ତାହା ବାହାରିଲା ପରେଯାଇ ସାନଭାଇର ତାଜିଆ ବାହାରିବାର ଧାରା ଚାଲୁରହେ । ଆଜି ମଧ୍ୟ ସେହି ପରମ୍ପରା ବଜାୟ ରହି ଆସୁଅଛି ।

ଆଉ ଏକ ଉଲ୍ଲେଖଯୋଗ୍ୟ କଥା ହେଲା ପ୍ରାୟ ସବୁ ତାଜିଆ ଗମ୍ବୁଜର ରଙ୍ଗ ସବୁଜ ଏବଂ ଧଳା ହୋଇ ଥିବାବେଳେ ମୁଦିପଡ଼ାର ତାଜିଆର ଗମ୍ବୁଜର ରଙ୍ଗ ଲାଲ । ସବୁଠାରୁ ଉଲ୍ଲେଖଯୋଗ୍ୟ ପ୍ରସଙ୍ଗ ହେଲା ଏକ ହିନ୍ଦୁ ପରିବାର ଆଠ ପିଢ଼ି ତଥା ୩୫୮ ବର୍ଷ ଧରି ଇସଲାମୀୟ ପରମ୍ପରାକୁ ପରିପାଳନ କରି ଆସୁଛନ୍ତି ।

ଏହି ୩୫୮ ବର୍ଷ ମଧ୍ୟରେ ବିଶ୍ୱ ଅନେକ ପରିବର୍ତ୍ତନ ଦେଖି ସାରିଥିବା ବେଳେ, ବିଗତ ଶତାବ୍ଦୀରେ ଦୁଇ ଦୁଇଟି ମହାଯୁଦ୍ଧକୁ ନେଇ ଲହୁଲୁହାଣ ହୋଇଥିବା ବେଳେ ଏହି ସ୍ମରଣୀୟ ପରଂପରାକୁ ପାଳନ କରିବାରେ ମୁଦିପଡ଼ା ପଢ଼ିଆରୀ ପରିବାର ହୋଇଛନ୍ତି ନିଷ୍ଠାପର । ଦେଶବିଭାଜନ ପରେ ସାମ୍ପ୍ରଦାୟିକ ଦଙ୍ଗାକୁ ନେଇ ଦେଶବାସୀ ସ୍ତବ୍ଧ ହେଉଥିବାବେଳେ ବି ବାହାରିଛି ପଢ଼ିଆରୀ ପରିବାରର ତାଜିଆ । ବନ୍ଦ ହୋଇ ନାହିଁ କେବେ ସୁଧା ସାଂପ୍ରଦାୟିକତାକୁ ନେଇ ।

ଏନେଇ ପରିବାରର ଶୁକଦେବ, ଗୌରାଙ୍ଗ ଏବଂ ଲାଲ ମୋହନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ୨୦୧୭ ମସିହାରେ ପ୍ରାୟ ୩୪ ବର୍ଷ ଧରି ଏହାର ନେତୃତ୍ୱ ନେଉଥିବା ଲାଲ ମୋହନ ପଢ଼ିଆରୀଙ୍କ ମାତ୍ର ୬୨ ବର୍ଷରେ ଦେହାନ୍ତ ହୁଏ । ତାଜିଆ ବାହାର କରିବାର ଭାର ଉଠାନ୍ତି ଅବିବାହିତ ଭାଇ ଭଉଣୀଗଣ । ୨୦୨୦ ମସିହାରେ ଠିକ୍ ମହରମ ପୂର୍ବରୁ ବଡ଼ ଭଉଣୀ ନିଲିମାଙ୍କ ମାତ୍ର ୪୯ ବର୍ଷରେ ହୁଏ ଅକାଳ ମୃତ୍ୟୁ। ତାଜିଆ ବାହାର କରିବାରେ ଆସେ ପ୍ରଶ୍ନବାଚୀ । ହେଲେ ଏତେ ବଡ଼ ଶକ୍ତ ଧକ୍କା ଖାଇ ସୁଦ୍ଧା ସାନ ଭାଇ ରାଜେନ୍ଦ୍ର ଓ ଭଉଣୀ ପୂର୍ଣ୍ଣିମା ବନ୍ଦ କରାନ୍ତି ନାହିଁ ତାଜିଆ ଶୋଭାଯାତ୍ରାକୁ ।

ପାରିବାରିକ ଜୀବନରେ ଏତେ ଦାଉଧକ୍‌କା ସହି ଆସୁଥିବା ପଢ଼ିଆରୀ ପରିବାର ଏଯାଏଁ ତାଜିଆ ଶୋଭାଯାତ୍ରା ପାଇଁ କାହା ପାଖରୁ ଆର୍ଥିକ ସହଯୋଗ ନେଉ ନ ଥିବା ପ୍ରଣିଧାନ ଯୋଗ୍ୟ । ଓଲଟି ତାଙ୍କୁ ସମ୍ମାନ ଜଣାଇ ଅନେକ ଅନୁଷ୍ଠାନ ଦେଉଥିବା ଟ୍ରଫି ଆଦିକୁ ଦେଇ ଦିଅନ୍ତି ସମର୍ଥକ ମାନଙ୍କୁ । ଅନ୍ୟମାନଙ୍କୁ ଦେଖାଇବା ପାଇଁ ସଜାଇ ରଖନ୍ତି ନାହିଁ ନିଜ ଘରେ । ମୋହ ମୁକ୍ତିର ଏହା ଏକ ବଡ଼ ଗୁଣ ନିଶ୍ଚୟ ।

ହିନ୍ଦୁ ପରିବାରର ମହରମ ତାଜିଆ ଶୋଭଯାତ୍ରାକୁ ସହଯୋଗ କରିଆସିଛନ୍ତି ଏକ ତରିଆ ପରିବାର ଏବଂ ଏକ ମୌଲବୀ ପରିବାରର । ତରିଆ ପରିବାର ତାଜିଆ ନିର୍ମାଣରେ କରି ଆସୁଛନ୍ତି ସହଯୋଗ ମୌଲବୀ ପରିବାର ଇସଲାମୀୟ ରୀତିନୀତିରେ ପୂଜାର୍ଚ୍ଚନା କରି କରନ୍ତି ସହଯୋଗ । ଏମାନଙ୍କୁ ନେଇ ଗଡ଼ି ଆସିଛି ପରମ୍ପରା । ଅଶାନ୍ତ ମଣିଷମାନଙ୍କୁ ଶାନ୍ତିର ବାଣୀ ଶୁଣାଇ ଆସିଛି ଏ ପରମ୍ପରା ।

ଜାତି, ଧର୍ମ, ବର୍ଣ୍ଣକୁ ନେଇ ସାଂପ୍ରତିକ ବିଶ୍ୱ ଅନେକ ଅଘଟଣ ଦେଖି ଆସୁଥିବା ବେଳେ ଏହି ଶାନ୍ତି ସଦ୍‌ଭାବନାର ସଂକେତବାହୀ ପଢ଼ିଆରୀ ପରିବାରର ତାଜିଆ ଶୋଭାଯାତ୍ରା ଆମକୁ ସହାବସ୍ଥାନର ମହାମନ୍ତ୍ର ଶୁଣାଉ, ଏତିକି ପ୍ରାର୍ଥନା ।

About Editor

ସମଧ୍ୱନିର ସମ୍ପାଦକ ସ୍ଵୟଂପ୍ରଭା ପାଢ଼ୀ ଜଣେ ଗାୟିକା ଓ ମୁକ୍ତ ବୃତ୍ତିର ସାମ୍ବାଦିକ ଅଟନ୍ତି । ସେ ସମଧ୍ୱନି ପତ୍ରିକା, ସମଧ୍ୱନି ସାଂସ୍କୃତିକ ସଂଗଠନ (୨୦୦୫ ମସିହାରୁ ଓଡ଼ିଶାରେ କାମକରୁଛି) ଓ ସମଧ୍ୱନି ସାଂସ୍କୃତିକ ଗବେଷଣକେନ୍ଦ୍ରର ମୁଖ୍ୟ । ସମଗ୍ର ଓଡିଶାରେ ସାଂସ୍କୃତିକ ବାତାବରଣ ତିଆରି କରିବା ଓ ସାଧାରଣ ଲୋକମାନଙ୍କ ସ୍ୱରକୁ ସାଂସ୍କୃତିକ ମାଧ୍ୟମରେ ତୋଳିଧରିବା ପାଇଁ ସେ କାମ କରିଚାଲିଛନ୍ତି। Swayamprabha Parhi, editor of Samadhwani, is a Hindustani classical music-trained singer and freelance journalist. She is the head of the Samadhwani Cultural Organization (which has been operating in Odisha since 2005) and the Samadhwani Cultural Research Center. She has been working to create a cultural atmosphere throughout Odisha and to raise the voice of the common people through culture.

Check Also

ଲୋକଧାରା: ବିବିଧ ବିଭାବ

ଲୋକଧାରା ଅଧ୍ୟୟନର ଇତିହାସ ବା ଲୋକ କିଏ ଓ ଲୋକଧାରା କାହାକୁ କହିବା ଆଦି ପ୍ରସଙ୍ଗ ଉପରେ ଚାଲିଥିବା ଶତାବ୍ଦୀ …

Leave a Reply

Your email address will not be published. Required fields are marked *