Home / ସମ୍ପାଦକୀୟ / ନୀରବତାର ସଂସ୍କୃତି

ନୀରବତାର ସଂସ୍କୃତି

୧୧ ଅକ୍ଟୋବର, ୨୦୧୭ ‘ଦ ସିଟିଜେନ୍’ ପତ୍ରିକାରେ ପ୍ରକାଶିତ ହେଲା – ରାଜସ୍ଥାନର ଜୟସାଲମାର ଜିଲ୍ଲା, ଦାନ୍ତାଲ ଗାଁ’ରେ ଗାୟକ ଅମଦ୍ ଖାଁଙ୍କୁ ନିମ୍ନମାନର ପ୍ରଦର୍ଶନପାଇଁ ହତ୍ୟା କରାଯାଇଛି । ନବରାତ୍ରୀ ଅବସରରେ ପୂଜା ମଣ୍ଡପ ନିକଟରେ ସେ ଗାୟନ କରୁଥିବା ‘ଦେବୀ’ ରାଗର ସୁଦ୍ଧତା ସଠିକ୍ ପରିପ୍ରକାଶ ହୋଇପାରିଲା ନାହିଁ ବୋଲି ଅଭିଯୋଗ କରି ସେହି ପୂଜା ସ୍ଥଳରେ ତାଙ୍କୁ ମାଡ଼ପିଟ କରାଯାଇଥିଲା ଏବଂ ସେହି ରାତିରେ ତାଙ୍କୁ ଜୀବନରୁ ମାରି ଦିଆଯିବା ଭଳି ଅମାନବୀୟ ଘଟଣା ଘଟିଥିଲା।

ଏମିତିରେ ଦେଖିବାକୁ ଗଲେ ଘଟଣାଟି କେବଳ ଗୋଟିଏ ନିର୍ଦ୍ଦିଷ୍ଟ ଜାତି ବା ଧର୍ମର ଘଟଣା ନଥିଲା, ଏହାଥିଲା ଆମ ସମାଜପାଇଁ – ‘ନୀରବତାର ସଂସ୍କୃତି’(Culture of Silence) ଓ ତା’ର ପରିଣାମର ଏକ ଦୃଷ୍ଟାନ୍ତ । ତା’ର କିଛିଦିନ ପୂର୍ବରୁ ସେପ୍ଟେମ୍ବର ୫ ତାରିଖ, କିଛି ମୌଳବାଦୀଙ୍କ ଗୁଳିରେ ମୃତ୍ୟୁବରଣ କରିଥିଲେ ଜଣେ ମହୀୟସୀ ସାମ୍ବାଦିକ ‘ଗୌରୀ ଲଙ୍କେଶ’। ଏହି ସମ୍ପାଦକୀୟଟି ଲେଖାଯିବା ଯାଏ ଦେଶର ଶାସନମୁଖ୍ୟ ଘଟଣା ସମ୍ପର୍କରେ ପାଟି ଖୋଲିନଥିଲେ । ‘ଗୌରୀ ଲଙ୍କେଶ’ଙ୍କ ହତ୍ୟା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଦୋଷାରୋପ କରୁଥିବା କିଛି ସଙ୍ଗଠନ ଓ ଲୋକଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ନୀରବ ଦେଖଣାହାରୀ ହୋଇଗଲେ।

ଏଠି ବଡ଼ କଥାଟି ହେଲା, କାହାରି ମନରେ ସତରେ କ’ଣ କିଛି ପ୍ରଶ୍ନ ଆସୁନାହିଁ ନା ଭୟ ଭିତରୁ କେହି ପ୍ରଶ୍ନ କରୁ ନାହାଁନ୍ତି? ତେବେ ଲୋକେ କାହାକୁ ଭୟ କରୁଛନ୍ତି? ଭାରତୀୟମାନଙ୍କ ଭିତରେ ଏହି ନୀରବ ରହିବାର ସଂସ୍କୃତିର ମୂଳଦୂଆଟି କେବେଠୁ ଆରମ୍ଭ ହୋଇଛି? କେଉଁମାନେ ଏହି ନୀରବ ରହିବା ଶିଖାଇଛନ୍ତି? ନୀରବ ରହିଲେ କାହାର ଲାଭ ହେଉଛି ଓ କାହାର କ୍ଷତି ହେଉଛି? ଅତି ସରଳ ପ୍ରଶ୍ନ ହେଲା ଆମେ କାହିଁକି ନୀରବ? ଯାହାସବୁ ଅଘଟଣ ଘଟିଯାଉଛି ତାହାର କେବଳ ମୂକ ସାଖୀ ହୋଇ ରହିଯାଉଛି ସମଗ୍ର ସମାଜ । ପ୍ରତିବାଦ ଓ ପ୍ରତିରୋଧର କ୍ଷୀଣ ସ୍ୱର ଅତ୍ୟାଚାରୀର ଶକ୍ତିକୁ ଅଧିକ ସବଳ ଓ ସଫଳ କରିଚାଲିନାହିଁ କି?

ଅମଦ ଖାଁ ଥିଲେ ‘ଧୋଲି’ ସମ୍ପ୍ରଦାୟର ଯେଉଁମାନେ କି ମୁସଲମାନ ଧର୍ମ ଭିତରେ ଅତ୍ୟନ୍ତ ଛୋଟଜାତି ବୋଲି ବିଚାର କରାଯାଏ । ଅମଦଙ୍କ କ୍ଷେତ୍ରରେ ଜାତି ପ୍ରସଙ୍ଗଟି ଅଧିକ କ୍ରିୟାଶୀଳ ଥିଲା ବୋଲି ପିୟୂସିଏଲ୍ ର କର୍ମୀ କବିତା ଶ୍ରୀବାସ୍ତବ ‘ଦ ସିଟିଜେନ୍-୧୧ ଅକ୍ଟୋବର, ୨୦୧୭’ରେ ପ୍ରକାଶ କରିଛନ୍ତି ((“His caste was the major reason behind the violence”-The Citizen) । ରାଜପୁତମାନଙ୍କ ଗାଁରେ ଏହି ମାଙ୍ଗାନିୟାର ଜାତିର ଲୋକେ ନିର୍ଯ୍ୟାତନା ବିରୁଦ୍ଧରେ ପ୍ରତିବାଦ କରିବା ଯୋଗୁଁ ସେମାନଙ୍କୁ ଏଭଳି ଶାସ୍ତି ଦିଆଯାଉଛି । ଅମଦ ଖାଁ କେବଳ ସେହିମାନଙ୍କ ଭିତରୁ ଗୋଟିଏ ଉଦାହରଣ ହୋଇପାରନ୍ତି।

ବର୍ଷେ ତଳେ ଗୁଜୁରାଟର ଦଳିତ ସମ୍ପ୍ରଦାୟର ଲୋକେ ସେମାନଙ୍କ ଉପରେ ହେଉଥିବା ଅକଥନୀୟ ଅତ୍ୟାଚାରର ପ୍ରତିବାଦ କରିବା ହୁଏତ ଆମ ସମାଜରେ ରହିଆସିଥିବା ନୀରବତା ସଂସ୍କୃତିର ବିରୋଧୀ ଥିଲା ଏବଂ ଯାହାକୁ ଦମନ କରିବାପାଇଁ ବ୍ରହ୍ମଣ୍ୟବାଦର ପୃଷ୍ଠପୋଷକମାନେ ଯଥାସମ୍ଭବ ପ୍ରୟାସ କରିମଧ୍ୟ ବିଫଳ ହେଲେ । ତେଣୁ ନିମ୍ନ ବର୍ଗର ମଣିଷମାନଙ୍କପାଇଁ ସେମାନଙ୍କ ପ୍ରତିବାଦ ନୀରବତାର ସଂସ୍କୃତିକୁ ଭାଙ୍ଗି ଏକ ନୂଆରାସ୍ତା ସୃଷ୍ଟି କଲା।

ତେବେ ନୀରବତାର ସଂସ୍କୃତି ଯଦି କେବେ ଭଙ୍ଗହୁଏ ବା ଅନ୍ୟପ୍ରକାରରେ କହିବାକୁ ଗଲେ, ଯଦି କେବେ କୌଣସି ଅନ୍ୟାୟ ବା ପକ୍ଷପାତିତାର ପ୍ରତିବାଦ ବା ପ୍ରତିରୋଧ ହୁଏ ତାକୁ ଆମ ସମାଜର ଏତେ ଭୟ କାହିଁକି?   କୁହାଯାଏ ଯେ ଭାରତୀୟ ସମାଜ ଶାନ୍ତିପ୍ରିୟ କିନ୍ତୁ ନୀରବତାର ସଂସ୍କୃତି ଓ ଶାନ୍ତିପ୍ରିୟ ସଂସ୍କୃତି ଗୋଟିଏ କଥା ନୁହେଁ।

ପ୍ରଫେସର ଭଗବତ ପ୍ରସାଦ “ମହାଭାରତ ଏକ ସତ୍ୟାନ୍ୱେଷି ଦୃଷ୍ଟି” ଶୀର୍ଷକ ଲେଖାରେ କହିଛନ୍ତି, ‘ପରିସ୍ଥିତି ଯାହା ହେଉନା କାହିଁକି, ପ୍ରତ୍ୟେକ ଯୁଦ୍ଧ ହିଁ ଅଧର୍ମ’ ଏହା ଥିଲା ମୂଳ ମହାଭାରତର ପ୍ରତିପାଦ୍ୟ ବିଷୟ । ମୂଳ ମହାଭାରତକୁ ‘ଜୟ’ କୁହାଯାଉଥିଲା କାରଣ ଜନସାଧାରଣଙ୍କୁ ‘ହିଂସା-ବିରୋଧୀ କରି ଧର୍ମସ୍ଥାପନର ବାର୍ତ୍ତା ଦେବାପାଇଁ ମହାଭାରତ ଲେଖା ହୋଇଥିଲା(ସ୍ୱର୍ଗାରୋହଣ ପର୍ବ: ଶେଷ ଅଧ୍ୟାୟ) ଏବଂ “ସଙ୍କଟଯୁକ୍ତ ଆଧୁନିକତା ଓ ଦଳିତ ଏନ୍ତୁଡ଼ିଶାଳାର କିଛି ଝଲକ” ଲେଖାରେ ସେ କହିଛନ୍ତି ଯେ, “ପ୍ରଶ୍ନଉଠେ ଏଭଳି ଏକ ଗୌରବମୟ ସଭ୍ୟତାରେ ଜାତି ବିଭାଗ ଭଳି ଏକ ଅସମବ୍ୟବସ୍ଥା ଓ ଅସ୍ପୃଶ୍ୟତା ଭଳି ଏକ ଘୃଣିତ ବ୍ୟବସ୍ଥା ଦେଖାଦେଲା କେମିତି?

ଏଭଳି ବ୍ୟବସ୍ଥାଗୁଡ଼ିକୁ ସେତେବେଳର ସମାଜ ଗ୍ରହଣ କଲା କାହିଁକି? ସବୁଠୁ ବଡ଼ ପ୍ରଶ୍ନ ହେଉଛି ଛୋଟ ଜାତି ଓ ଅସ୍ପୃଶ୍ୟମାନେ ଏ ଶୋଷଣପ୍ରଧାନ ଓ ଅମର୍ଯ୍ୟାଦାଯୁକ୍ତ ବ୍ୟବସ୍ଥାଗୁଡ଼ିକୁ ଗ୍ରହଣ କଲେ କେମିତି? ସେମାନଙ୍କର ବିଦ୍ରୋହ ସମ୍ପର୍କରେ ଇତିହାସ ପୃଷ୍ଠାରେ ବିଶେଷ ତଥ୍ୟ ମିଳୁନି।” ସେତେବେଳର ସାମାଜିକ ବ୍ୟବସ୍ଥାର ଅନୁଶୀଳନ କଲେ ମନେହୁଏ ନୀରବତାର ସଂସ୍କୃତିଟି ସେହି ସମୟରୁ କାଏମ ରହିଛି।

ସମାଜରେ ନୀରବତାର ସଂସ୍କୃତିକୁ ପ୍ରତିଷ୍ଠା କରିବାରେ ଏହିସବୁ କୌଶଳ ହୁଏତ ସହଯୋଗୀ ହୋଇଛି ଯେଉଁ କୌଶଳ ପ୍ରୟୋଗକରି ଲୋକାୟତ ଦର୍ଶନର ଜଣେ ମହାନ ଦାର୍ଶନିକ ‘ଚାର୍ବାକ’ଙ୍କୁ ସେଦିନ ଚୁପ୍ କରାଇ ଦିଆଯାଇଥିଲା(ବ୍ରାହ୍ମଣଙ୍କର ମୁଖପାତ୍ର ‘ଚାର୍ବାକ୍’ଙ୍କୁ ‘ରାକ୍ଷସ’ଡାକି ଗାଳି ଦେଇଥିଲେ ପ୍ରବୃତ୍ତିମାର୍ଗୀ ବେଦୀୟ ଆର୍ଯ୍ୟଗୋଷ୍ଠୀର ବ୍ରାହ୍ମଣମାନେ ଓ ସେମାନେ ତାଙ୍କୁ ହତ୍ୟା କରିଥିଲେ । ଯୁଧିଷ୍ଠିର ସେମାନଙ୍କୁ (ଆର୍ଯ୍ୟ ଗୋଷ୍ଠୀର ବ୍ରାହ୍ମଣଙ୍କୁ) ବହୁ ଧନ ଦାନ କରିଥିଲେ – ମହାଭାରତ ଏକ ସତ୍ୟାନ୍ୱେଷି ଦୃଷ୍ଟି: ଭଗବତ ପ୍ରସାଦ)ଏବଂ ସେପ୍ଟେମ୍ବର ୫ତାରିଖରେ ଗୌରୀ ଲଙ୍କେଶଙ୍କୁ ମଧ୍ୟ ଚୁପ୍ କରିଦିଆଯାଇଛି । ପ୍ରତିବାଦକୁ ସମୂଳେ ଧ୍ୱଂସ କରାନଗଲେ ନୀରବତାକୁ କାଏମ୍ ରଖିବା ହୁଏତ ସମ୍ଭବ ନୁହେଁ । ମାନବତା ବିରୁଦ୍ଧରେ ଏହା ଏକ ଦୀର୍ଘ ମିୟାଦି ଷଡ଼ଯନ୍ତ୍ର ନୁହେଁକି?

ଚାର୍ବାକଙ୍କ ହତ୍ୟା, ମହାଭାରତର ସମୟ ଓ ଆଜି ଗୌରୀ ଲଙ୍କେଶଙ୍କ ହତ୍ୟା ଭିତରେ କେତେ ହଜାର ବର୍ଷର ବ୍ୟବଧାନ… । ବ୍ରହ୍ମଣ୍ଣ୍ୟବାଦ ଓ ଜାତିପ୍ରଥାର ବିଲୋପପାଇଁ ଦାର୍ଶନିକ ଚାର୍ବାକ ସେତେବେଳେ ଯୁକ୍ତି ଉପସ୍ଥାପନ କରୁଥିଲେ । ଆଜି ଏକବିଂଶ ଶତାବ୍ଦୀରେ ଗୌରୀ ଲଙ୍କେଶଙ୍କ ହତ୍ୟା ହୁଏତ ସେହି ଗୋଟିଏ ଧାରାର ସୂଚକ… । ନୀଚବର୍ଗର ମଣିଷଙ୍କୁ, ଉତ୍ପିଡ଼ନ ଭିତରେ ସଢ଼ୁଥିବା ମଣିଷଙ୍କୁ ନ୍ୟାୟ ପ୍ରଦାନ କରିବାପାଇଁ ଲେଖନୀ ଚାଳନା କରୁଥିବା ଜଣେ ସାହସୀ ମହିଳାଙ୍କ ହତ୍ୟା, ପ୍ରତିବାଦର କଣ୍ଠରୁଦ୍ଧ କରିବାର ପ୍ରୟାସ ଏବଂ ଇତିହାସର ପୁନରାବୃତି ବୋଲି କୁହାଯାଇପାରିବ ନାହିଁ କି? ପ୍ରତିବାଦ ଓ ପ୍ରଶ୍ନ କରିବାର ସଂସ୍କୃତି ଅଧିକ ବ୍ୟାପକ ହୋଇପାରିଲେ ହିଁ ଏହି ଭୟ ଓ ନୀରବତାକୁ ଭଙ୍ଗକରି ମାନବ ସମାଜକୁ ମୁକ୍ତିର ରାସ୍ତା ଦେଖାଇ ହେବ।

About Editor

Editor
କଳାକାର, ସମଧ୍ୱନି ଇ - ପତ୍ରିକା ଓ ତ୍ରୟୋମାସିକ ପତ୍ରିକାର ସମ୍ପାଦକ, ସାଂସ୍କୃତିକ ଗବେଷିକା ଓ ସାମ୍ବାଦିକ

Check Also

Featured Video Play Icon

ବିଶ୍ଵ ସଂଗୀତ ଦିବସ ଅବସରରେ : ଏକ ବିରଳ ବାଦ୍ୟ ‘ଗଁଡ଼ାବଜା’

Leave a Reply

Your email address will not be published. Required fields are marked *