Home / ଇତିହାସ / ଐତିହାସିକ ବୌଦ୍ଧଗୁମ୍ଫାକୁ ସିମେଣ୍ଟ କମ୍ପାନୀ ହାତକୁ ଟେକି ଦିଆଗଲା!

ଐତିହାସିକ ବୌଦ୍ଧଗୁମ୍ଫାକୁ ସିମେଣ୍ଟ କମ୍ପାନୀ ହାତକୁ ଟେକି ଦିଆଗଲା!

ଭୁବନେଶ୍ୱର: ବୃହତକାୟ ଶିଳା ଖୋଦିତ ତିନୋଟି ଗୁମ୍ଫା ବିଶିଷ୍ଟ ଚୌଦାର ନିକଟବର୍ତ୍ତୀ ‘ଅସୁର ବିହାର ଗୁମ୍ଫା’ ଏକ ପ୍ରାତଃସ୍ମରଣୀୟ ପ୍ରତ୍ନତାତ୍ତ୍ୱିକ କଳାକୃତି ରୂପେ ବେଶ୍ ପ୍ରସିଦ୍ଧି ଲାଭ କରିଥିଲେ ହେଁ ସମ୍ପ୍ରତି ଓଡ଼ିଶା ସରକାର ଏହାକୁ ଏକ ସିମେଣ୍ଟ କମ୍ପାନୀ ହାତରେ ଟେକିଦେବା ଘଟଣା ବୁଦ୍ଧିଜୀବୀ ମହଲରେ ଗଭୀର ରେଖାପାତ କରିଛି । ଚୌଦ୍ୱାର ସନ୍ନିକଟସ୍ଥ ଇନ୍ଦ୍ରାଣୀପାଟଣା ଗାଁ ସଂଲଗ୍ନରେ ଇନ୍ଦ୍ରାଣୀ ପାହାଡ଼ରେ ପ୍ରଥମ ଶତାବ୍ଦୀଠାରୁ ଏହି ଗୁମ୍ଫାରାଜି ଶୋଭା ପାଉଥିବାର ଜଣାଯାଏ ।

ମହାନଦୀ ଐତିହ୍ୟର ଦସ୍ତାବିଜ୍ ଲେଖନ ପ୍ରକଳ୍ପର ସର୍ବେକ୍ଷଣ ପାଇଁ ‘ନ୍ୟାସନାଲ୍ ଟ୍ରଷ୍ଟ ଫର୍ ଆର୍ଟ ଏଣ୍ଡ୍ କଲଚୁରାଲ୍ ହେରିଟେଜ୍‌’ ରୁ ଆସିଥିବା ଏକ ଦଳଙ୍କୁ ଯେତେବେଳେ ଉପରୋକ୍ତ ସ୍ଥାନକୁ ଯିବାକୁ ବାରଣ କରାଗଲା ତଥା ସିମେଣ୍ଟ କମ୍ପାନୀ ଦ୍ୱାରା ଏ’ ଜାଗା ଅଧିକୃତ ହୋଇଥିବା କଥା ତାଙ୍କୁ ଜଣାଇ ଦିଆଗଲା, ସେମାନେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ । କଟକ-ତାଳଚେର ଜାତୀୟ ରାଜପଥରୁ ମାତ୍ର ୩୦୦ ମିଟର ଦୂରରେ ଥିବା ଏହି ଗୁମ୍ଫା ରାସ୍ତା ସଂପୂର୍ଣ୍ଣ ଦୃଶ୍ୟମାନ ଥିଲା।

“ଜୈନ ମୁନୀଙ୍କ ଦ୍ୱାରା ନିର୍ମିତ ଏ’ ଗୁମ୍ଫାବଳୀକୁ ପରେ ବୁଦ୍ଧ ମୁନୀମାନେ ବ୍ୟବହାର କରୁଥିଲେ” ବୋଲି ଇନଟାକ୍ ମହାନଦୀ ଐତିହ୍ୟ ପ୍ରକଳ୍ପର ସଂଯୋଜକ ଶ୍ରୀ ଅନୀଲ୍ ଧିର୍ ମତ ପୋଷଣ କରିଛନ୍ତି । ମହାଭାରତ ଯୁଗରେ ବିରାଟ ରାଜବଂଶ ଅଧିନରେ ଚୌଦ୍ୱାର ଅଞ୍ଚଳ ଥିଲା ଓ ଏହି ସ୍ଥାନ ପାଣ୍ଡବଙ୍କ ଅଜ୍ଞାତବାସ ଥିଲା ବୋଲି କିମ୍ବଦନ୍ତୀ ପ୍ରଚଳିତ ଅଛି ।

ଲୋକେ ଆଜି ମଧ୍ୟ ଏଠାରେ ପୂଜା ପାର୍ବଣ କରନ୍ତି । ପୁରାଣବର୍ଣ୍ଣିତ ମଣ୍ଡାଖିଆ ଅସୁରକୁ ଦ୍ୱିତୀୟ ପାଣ୍ଡବ ଭୀମ ଏହି ଠାରେ ହିଁ ବଧ କରିଥିଲେ ବୋଲି ବିଶ୍ୱାସ କରାଯାଏ ଏବଂ ସ୍ଥାନୀୟ ଲୋକେ ପ୍ରତିବର୍ଷ ଏଠାରେ ଏକ ବଡ଼ ମେଳା ମଧ୍ୟ କରନ୍ତି । କିନ୍ତୁ କମ୍ପାନୀର ପ୍ରାଚୀର ନିର୍ମାଣକୁ ବିରୋଧ କରି ସେମାନେ ଜେଲ୍ ଗଲେ ଓ ମେଳା ମଧ୍ୟ ବନ୍ଦ ହୋଇଗଲା ।

‘ମେକ୍ ଇନ୍ ଓଡ଼ିଶା’ ଯୋଜନାରେ ଉକ୍ତ ପାହାଡ଼ ଓ ଗୁମ୍ଫାକୁ ସିମେଣ୍ଟ କମ୍ପାନୀ ନେବା ପୂର୍ବରୁ ସ୍ଥାନୀୟ ଲୋକେ ଏହାର ଖୁବ୍ ସୁନ୍ଦର ରକ୍ଷଣାବେକ୍ଷଣ କରୁଥିଲେ ବୋଲି କିଛି ବର୍ଷ ତଳେ ଏ’ ଅଞ୍ଚଳ ପରିଦର୍ଶନ କରିଥିବା ବିଶିଷ୍ଟ ଐତିହାସିକ ଶ୍ରୀ ଧିର୍ କହିଛନ୍ତି । ୨୦୧୮ ମଇ ମାସରେ ତୋଷାଳୀ ସିମେଣ୍ଟ କମ୍ପାନୀର ଏ’ କାରଖାନକୁ ଭିଡ଼ିଓ କନଫରେନସିଂ ମାଧ୍ୟମରେ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ ।

ମେକ୍ ଇନ୍ ଓଡ଼ିଶାକୁ ଚମକପ୍ରଦ କରିବାପାଇଁ ସ୍ଥାନଟିର ପ୍ରତ୍ନତାତ୍ତ୍ୱିକ ଗୁରୁତ୍ୱ ଭୁଲିଯାଇ କାରଖାନକୁ ହସ୍ତାନ୍ତର କରିଦେଲେ ରାଜ୍ୟ ସରକାର । ରାଜ୍ୟ ବା କେନ୍ଦ୍ରର ପ୍ରତ୍ନତାତ୍ତ୍ୱିକ ବିଭାଗ ମଧ୍ୟ ଏ’ ଐତିହ୍ୟସମ୍ପନ୍ନ ସ୍ଥାନଟିକୁ କିଭଳି ସୂଚିତ କଲେ ନାହିଁ, ତାକୁ ନେଇ ଶ୍ରୀ ଧିର ବିସ୍ମୟ ପ୍ରକାଶ କରିଛନ୍ତି ।

କାଳକୃତି କ୍ରମିକ ସଂଖ୍ୟା ଓଆର୍‌/ସିଟିସି-୫୧ରେ ‘ଇନ୍ଦିରା ଗାନ୍ଧୀ ନ୍ୟାସନାଲ ସେଣ୍ଟର ଫର୍ ଆର୍ଟସ୍‌’ ଏହି ଜାଗାକୁ ଅଭିଲିଖିତ କରିଛି । ରାମ ପ୍ରସାଦ ଚନ୍ଦାଙ୍କର ଏକ୍ସପ୍ଲୋରେସନ୍ ଅଫ୍ ଓଡ଼ିଶା, ପରମାନନ୍ଦ ଆଚାର୍ଯ୍ୟଙ୍କ ଓଡ଼ିଶାର ପ୍ରତ୍ନତାତ୍ତ୍ୱି ଓ ଅନନ୍ୟ ପ୍ରବନ୍ଧ, କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଡଃ ହରେକୃଷ୍ଣ ମହତାବଙ୍କ ଓଡ଼ିଶା ଇତିହାସ, ଆର ସି ମହପାତ୍ରଙ୍କ ଆର୍କିଓଲୋଜି ଇନ୍ ଓଡ଼ିଶା ଓ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଡଃ ହରେକୃଷ୍ଣ ମହତାବଙ୍କ ହିଷ୍ଟ୍ରି ଅଫ୍ ଓଡ଼ିଶାରେ ଏହି ଗୁମ୍ଫାବଳୀର ପୌରାଣିକ ତଥା ପାରମ୍ପରିକ ବିଶେଷତ୍ୱ ଉଲ୍ଲିଖିତ ଅଛି ।

ଚୌଦ୍ୱାରର ବିରାଟଗଡ଼ି ଅଞ୍ଚଳ ଧ୍ୱଂସମୁଖୀ ବୌଦ୍ଧ କିର୍ତ୍ତୀରାଜି ଅଟେ । ଚେତେଶ୍ୱର ମନ୍ଦିରରେ ସେତେବେଳର ତାରା ମୂର୍ତ୍ତିକୁ ମହାଲକ୍ଷ୍ମୀ ଓ ମିଛି ମୂର୍ତ୍ତିକୁ ପାର୍ବତୀ ରୂପେ ଏବେ ବି ପୂଜା କରାଯାଏ । ଅନେକ ମୂର୍ତ୍ତି ଓ କାରୁକାର୍ଯ୍ୟ ନଷ୍ଟ ହୋଇଗଲାଣି । ଚୌଦ୍ୱାର ଶବର ସାହିରେ ଏବେ ବି ସେ ସମୟର ଅବିଲୋକିତେଶ୍ୱର ପ୍ରତିମାଟି ଗ୍ରାମଦେବୀ ରୂପେ ପୂଜିତ ହେଉଛି ।

ଗୁମ୍ଫା ଚତୁଃପାଶ୍ୱର୍ସ୍ଥ ଗହଳିଆ ଉଦ୍ଭିଦ ଓ ଲଟା ଦ୍ୱାରା ଫାଟ ସୃଷ୍ଟି ହୋଇ ଶିଳାଗୁଡ଼ିକ ଭାଙ୍ଗିଯିବାର ଭୟ ଥିବାରୁ ଏହି ମୂଲ୍ୟବାନ୍ ବୌଦ୍ଧସ୍ଥଳୀକୁ ତୁରନ୍ତ ଧ୍ୟାନ ଦିଆଯିବା ଉପରେ ଶ୍ରୀ ଧିର୍ ଜୋର୍ ଦେଇଛନ୍ତି ।

ଏହି ଐତିହାସିକ ସ୍ଥଳୀକୁ କମ୍ପାନୀ ହାତରୁ ଅତି ଶୀଘ୍ର ଫେରାଇ ଆଣିବାକୁ ଯୁଦ୍ଧକାଳୀନ ଭିତ୍ତିରେ ଏହାର ରକ୍ଷଣାବେକ୍ଷଣ କରିବାକୁ ଏବଂ ସର୍ବୋପରି ରାଜ୍ୟର ସମସ୍ତ ପୁରାତନ କଳାକୃତିର ଅଭିଲେଖନ ନିମନ୍ତେ ଇନ୍‌ଟାକ୍‌ର ରାଜ୍ୟ ଆବାହକ ତଥା ଓଡ଼ିଶାର ଭୂତପୂର୍ବ ଆରକ୍ଷୀ ମହାନିର୍ଦ୍ଦେଶକ ଅମୀୟ ଭୂଷଣ ତ୍ରିପାଠୀ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।

About ଅନୀଲ୍ ଧିର୍

ଅନୀଲ୍ ଧିର୍

Check Also

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଓ ଆଶା ସମ୍ବାଦପତ୍ରରେ ଅଭିମତ

  ।। ୪ ।। ଦେଶମିଶ୍ରଣ ୧୯୨୪ ମସିହାରୁ ପୁନର୍ବାର ମୌଳିକ ପ୍ରଶ୍ନ ରୂପେ ମୁଣ୍ଡ ଟେକିଲା ଏବଂ କଂଗ୍ରେସର …

Leave a Reply

Your email address will not be published. Required fields are marked *